Unknown

 

 

 

 

 

 

 

 

 

 

 

 

ଚେତନା ବଡ଼ ଅଡ଼ୁଆ

ଚିତ୍ତରଞ୍ଜନ ଦାସ

 

ଚେତା ଥାଇ ମଧ୍ୟ ଅଚେତନ । ପାଠ କେତେ ନା କେତେ, ବେତନ ବି ବହୁତ ଉପରେ ଆହୁରି ବହୁତ । କ୍ଷମତାରେ ବି କୁଣ୍ଢ ପାଇବ ନାହିଁ । ପରିଚ୍ଛଦରେ କେଡ଼େ ଧୋବ, କଥାଗୁଡ଼ାକରେ ଆହୁରି ଧୋବ, ଆହୁରି ଚିକ୍କଣ । ଚେହେରା ଉଜ୍ଜ୍ୱଳ, ପାଦମାନେ ବି ଭୂମି ଛୁଇଁବାକୁ ଏକାନ୍ତ ଭାବରେ ନାରାଜ । ତେଣୁ, ଚେତନାଟା ସତକୁସତ ବଡ଼ ଅଡ଼ୁଆ !

 

ଲେଖାଗୁଡ଼ିକ ଧାରାବାହିକ ଭାଵରେ ଦୈନିକ 'ପ୍ରଗତିବାଦୀ'ରେ ବାହାରିଥିଲା । ତାହାର ସମ୍ପାଦକଙ୍କ ଲାଗି କୃତଜ୍ଞତା ଜ୍ଞାପନ କରୁଛି ।

☆☆☆

 

ସୂଚୀପତ୍ର

 

କ୍ର.ନଂ.

ବିଷୟ

୧.

ନାବାଳକ ନେତୃତ୍ୱ (୧)

୨.

ନାବାଳକ ନେତୃତ୍ୱ (୨)

୩.

ନାବାଳକ ନେତୃତ୍ୱ (୩)

୪.

ନାବାଳକ ନେତୃତ୍ୱ (୪)

୫.

ନାବାଳକ ନେତୃତ୍ୱ (୫)

୬.

ପ୍ରୀତି ବହୁବିଧ, ଚୋର ବହୁବିଧ

୭.

ବିକାଶ ଏବଂ ପରିବେଶ

୮.

ବେଦରେ ସାମ୍ପ୍ରଦାୟିକତା ନାହିଁ

୯.

ଯୋଗରେ ସତ୍ୟାନାଶୀକରଣ

୧୦.

ଦ୍ୱିତୀୟ ସଂଗ୍ରାମର ସଂଗ୍ରାମୀ

୧୧.

ଶତବାର୍ଷିକୀର ଗୁଳାରେ

୧୨.

ଶତବାର୍ଷିକୀର ଗୁଳାରେ (୨)

୧୩.

ଶତବାର୍ଷିକୀର ଗୁଳାରେ (୩)

୧୪.

ମଉଜୀମାନଙ୍କର ଖେଦ

୧୫.

ଆୟୁଷ ପଚାଶ ବର୍ଷ

୧୬.

ଶତବାର୍ଷିକୀର ଗୁଳାରେ (୪)

୧୭.

ବାଙ୍କ ଭାଇ ଚାଲିଗଲେ

୧୮.

ଚେତନା-ରାକ୍ଷସର କଥା

୧୯.

ମୌଳିକ ଶିକ୍ଷା

୨୦.

ଓଡ଼ିଶାରେ ମୌଳିକ ଶିକ୍ଷା

୨୧.

ଶତବାର୍ଷିକୀର ଗୁଳାରେ (୫)

୨୨.

ସାହସର ସଂକ୍ରମଣ

୨୩.

ବାଙ୍କଭାଇ ଚାଲିଗଲେ (୨)

୨୪.

ଆଗାମୀ ମଣିଷର ଧର୍ମ

୨୫.

ଶିଶୁ ସତ୍ୟାଗ୍ରହୀ ଜିନ୍ଦାବାଦ

୨୬.

ନଅରରେ ନାଟକ

୨୭.

କାଶୀପୁରରେ ହାଉହାଉ

୨୮.

ମୌଳିକ ଶିକ୍ଷା ରହିଥାଆନ୍ତା

୨୯.

ସମ୍ପୂର୍ଣ୍ଣ ଅନ୍ୟ କିସମର

୩୦.

ସମ୍ପୂର୍ଣ୍ଣ ଅନ୍ୟ କିସମର (୨)

୩୧.

ଅଚେତା ମଣିଷର କଥା

୩୨.

ଜଗନ୍ନାଥିକରଣର ରୋଗଟା

୩୩.

ସମସ୍ତେ ଗାନ୍ଧିବାଦୀ

୩୪.

ଦୁଷ୍ଟ ସାହିତ୍ୟର ପରିଧି ନାହିଁ

୩୫.

ଚେତନା ବଡ଼ ଅଡ଼ୁଆ

୩୬.

ସବୁ ବଦଳୁଛି, କିନ୍ତୁ...

୩୭.

ବସ୍ତୁନିନ୍ଦୁକଙ୍କର ଅସଲ ମର୍ମ

୩୮.

ଯୋଗର ଜଗତିକରଣ

୩୯.

ସେହି ଗୋଟିଏ ବିବେକ

୪୦.

କଥାକୁ କୁଣ୍ଢ ପାଉନାହିଁ

୪୧.

ସ୍ୱେଚ୍ଛାସେବୀ ଖାଇଗଲେ

୪୨.

ଆମେରିକାରୁ କାଶୀପୁର

୪୩.

ଜଗନ୍ନାଥ କୁଆଡ଼େ ଗଲେ ?

୪୪.

ସାକ୍ଷାତକାର ନେବ ଆସ

୪୫.

ଯୁବକମାନେ ହିଁ ଭରସା

୪୬.

ସନ୍ଥପଣର ଦୈନ୍ୟ

୪୭.

ଆମେରିକାରେ ଆଉଥରେ

୪୮.

ପଘା ବି ଭଳି ଭଳି

୪୯.

ଆଇନ୍‍ଷ୍ଟାଇନଙ୍କର ଝମେଲା

୫୦.

ଖାଲି ଆଗକୁ ଦେଖିବା

୫୧.

ଆମେରିକାରେ ଆଉଥରେ (୨)

୫୨.

କରୁଣା ଊଣା ହୁଏନାହିଁ

୫୩.

ଆମେରିକାରେ ଆଉଥରେ (୩)

୫୪.

ସାଧୁ ଭାଷା, ଅସାଧୁଙ୍କ ଭାଷା

୫୫.

ବୁଦ୍ଧିପକ୍ଷ, ଭାବପକ୍ଷ

୫୬.

ତୁମର କେଉଁ ଶୃଙ୍ଖଳା ?

୫୭.

ଆମେରିକାରେ ଆଉଥରେ (୪)

୫୮.

ଖାଲି ହିନ୍ଦୁ ନୋହୁ, ତଥାପି ହିନ୍ଦୁ

୫୯.

ପରିବେଶବାଦୀ : ପରିବେଶବାଦ

୬୦.

ଶିକ୍ଷିତ-ଅଶିକ୍ଷିତ ପ୍ରକରଣ

୬୧.

ନେତ୍ରୁ ନୀର ଢାଳି କହେ

୬୨.

ନାଇଜିରିଆରୁ ଦୃଷ୍ଟାନ୍ତ

୬୩.

ଧର୍ମ ଯୋଡ଼ନ୍ତା

୬୪.

ସରକାର କାହାପଟେ ?

୬୫.

ସାହିତ୍ୟକୁ ସାହସ ନହେଲେ

୬୬.

ରାଜନୀତି ଯିବ, ରାଜନୀତି ରହିବ

୬୭.

ବିକଳ୍ପ ଜୀବନରୁ ହିଁ ଆରମ୍ଭ

☆☆☆

 

ନାବାଳକର ନେତୃତ୍ୱ (୧)

 

ସରସ୍ୱତୀ ଫକୀର ମୋହନ ତାଙ୍କ ଆତ୍ମଜୀବନ-ଚରିତରେ ଜାଗାଏ ଲେଖିଛନ୍ତି ଯେ, ଥରେ କେତେଜଣଙ୍କ ସହିତ ଏକାଠି ହୋଇ ସିଏ ତତ୍କାଳୀନ ଭାରତୀୟ ଜାତୀୟ କଂଗ୍ରେସର ଅଧିବେଶନରେ ଯୋଗଦେବା ନିମନ୍ତେ ମାନ୍ଦ୍ରାଜ ଯାଇଥିଲେ । ସେହି ଅଧିବେଶନରେ ଓଡ଼ିଶା ସମ୍ପର୍କରେ ମଧ୍ୟ କିଛି କଥା ପଡ଼ିବ ବୋଲି ଆଶା କରି ସେମାନେ ସେଠାକୁ ଯାଇଥିଲେ । ସେଠାରେ ଫକୀର ମୋହନଙ୍କୁ ନିରାଶ ହେବାକୁ ପଡ଼ିଲା । ପ୍ରାୟ ତାଙ୍କରି ଭାଷାରେ କହିଲେ, ସେଠାରେ ଓଡ଼ିଶା ବିଷୟରେ କୌଣସି ଚର୍ଚ୍ଚା ହେଲା ନାହିଁ । ତେଣୁ ସେଠାରେ ଆଉ ରହିବା ଲାଗି କୌଣସି ପ୍ରୟୋଜନ ନଥିଲା ଏଵଂ ଏମାନେ ଆହୁରି ଦକ୍ଷିଣରେ ଅବସ୍ଥିତ ରାମେଶ୍ୱର ଇତ୍ୟାଦି ତୀର୍ଥସ୍ଥାନ ଦର୍ଶନ କରିବାକୁ ବାହାରିଗଲେ ଏବଂ ଘେରାଏ ବୁଲି ସିଧା ଓଡ଼ିଶାକୁ ବାହୁଡ଼ି ଆସିଥିଲେ । ସେଇ ଯେ ବାହୁଡ଼ି ଆସିଥିଲେ, ତା'ପରେ ସିଏ ଆଉ ପଛକୁ ଅନାଇ ଦେଖିନାହାନ୍ତି । ସେ ତାପରେ ସାହିତ୍ୟ କଲେ, ଥରେ ଉତ୍କଳ ସମ୍ମିଳନୀର କୌଣସି ଅଧିବେଶନରେ ସଭାପତିର ଆସନ ଅଳଙ୍କୃତ ମଧ୍ୟ କରିଥିଲେ । ଏହି ଉତ୍କଳଟା ଯେ ଗୋଟାଏ ବୃହତ୍ତର ସାମୂହିକ ନିୟତିର ଅବିଚ୍ଛେଦ୍ୟ ଗୋଟିଏ ଅଂଶବିଶେଷ, ସମ୍ଭବତଃ କୌଣସି ନିଜସ୍ୱ ତାପ ଅଥବା ଚାପର ବଶବର୍ତ୍ତୀ ହୋଇ ବ୍ୟାସକବି ସେହି ବିଷୟରେ ମଥା ଖେଳାଇ ନାହାନ୍ତି । ରୁଷିଆରେ ଯେଉଁ ବର୍ଷ ଅକ୍ଟୋବର ବିପ୍ଳବ ହେଲା ଓ ଇତିହାସର ବିଧାତା ମଣିଷମାନଙ୍କର ଏହି ପୃଥିବୀରେ ଏକ ଅଭିନବ ପଦକ୍ଷେପ ନେଇ ସମଗ୍ର ବିଶ୍ୱକୁ ଏକ ନୂତନ ଦିଗ୍‍ବଳୟ ତଥା ନୂତନ ଉନ୍ମୋଚନର ପରିଚୟ ଆଣି ଦେଇଥିଲେ, ଫକୀର ମୋହନ ସେଯାଏ ଜୀବିତ ରହିଥିଲେ । ଏହି ଅବଧିଟି ଭିତରେ ଭାରତରେ ଜାତୀୟ କଂଗ୍ରେସରେ ନରମମାନେ ଗଲେ; ଶ୍ରୀ ଅରବିନ୍ଦ, ଲୋକମାନ୍ୟ ତିଳକ ତଥା ଲାଲା ଲଜପତ ରାୟଙ୍କର ଆର୍ବିଭାବ ଘଟିଲା । ସେହି ସବୁକିଛିର ମାଧ୍ୟମରେ ଦେଶ ସତେ ଅବା ସ୍ୱାଧୀନତା ସଂଗ୍ରାମରେ ଗାନ୍ଧୀ ନାମକ ସେହି ମୀମାଂସକ ଉଦ୍‍ବେଳନଟି ପାଇଁ ସଜ ହୋଇ ଯାଉଥିଲା । ଜାତୀୟ ସ୍ତରର ଏହି ଉଚ୍ଛ୍ୱସିତ ଏବଂ ଉତ୍ସାହବଳିଷ୍ଠ ମୃଦଙ୍ଗପିଟା ସହିତ ଅନ୍ତତଃ କିଛି ହେଲେ ତାଳ ରଖି ଓଡ଼ିଶାରେ ଗିନିଟିଏ ମଧ୍ୟ ବାଜୁନଥିଲା । ଏକମାତ୍ର ପଣ୍ଡିତ ଗୋପବନ୍ଧୁ ଏକ ବ୍ୟତିକ୍ରମ ରୂପେ କିଛି ଅନ୍ୟ ସଂକେତ ଦେଉନଥିଲେ ସତ, ମାତ୍ର ସମଗ୍ରତଃ ଓଡ଼ିଶା ସତେଅବା ଅଲଗା ଦ୍ଵୀପଟିଏ ପରି ପ୍ରାୟ ଏକସିଙ୍ଗିଆ ହୋଇ ରହିଥିଲା । ଏକ ଅଲଗା ସଉକର ସ୍ଵପ୍ନମାନ ଦେଖୁଥିଲା ।

 

ଉତ୍କଳଗୌରବ ମଧୁସୂଦନଙ୍କୁ ମହାତ୍ମା ଗାନ୍ଧୀ ନିଜର ଗୁରୁ ବୋଲି ସ୍ୱୀକାର କରିଛନ୍ତି, ସେଥିରେ ହୃଷ୍ଟ ହୋଇ ଏବେ ମଧ୍ୟ ଖବରକାଗଜରେ ଲେଖାସବୁ ବାହାରୁଛି । ଉତ୍କଳଗୌରବ ପ୍ରଥମେ ଜାତୀୟ କଂଗ୍ରେସ ଭିତରେ ଥିଲେ । ଦେଶର ଏହି ପୂର୍ବ ଭାଗଟାରେ ତାଙ୍କ ଭଳି ବିଚକ୍ଷଣ ଏବଂ ଦୃଷ୍ଟିସମ୍ପନ୍ନ ନେତା ଆଉ କେହି ହେଲେ ନଥିଲେ । ତାଙ୍କଠାରୁ ଅତ୍ୟନ୍ତ ଅଳ୍ପମାନେ ପରବର୍ତ୍ତୀ ପର୍ଯ୍ୟାୟମାନଙ୍କରେ ଜାତୀୟ ସଂଗ୍ରାମଯାତ୍ରାର କ୍ଷେତ୍ରରେ କେଡ଼େ ବୃହତ୍ ଭୂମିକାମାନ ଗ୍ରହଣ କଲେ-। ମଧୁବାବୁ କଂଗ୍ରେସ ତ୍ୟାଗକରି ନିଜକୁ ପ୍ରାୟ ଵିଚ୍ଛିନ୍ନ ଭାବରେ ଓଡ଼ିଶାରେ ହିଁ ଆପଣାକୁ ଅଭିନିବିଷ୍ଟ କରି ରଖିଥିଲେ । ସେ ଉତ୍କଳ ସମ୍ମିଳନୀକୁ ନିଜର ମଞ୍ଚ କଲେ । ସେଠାରେ ଅତ୍ୟନ୍ତ ଐକାନ୍ତିକ ଭାବରେ ଓଡ଼ିଶା ବିଷୟରେ ଆଲୋଚନା ହେଉଥିଲା, ଭାରତବର୍ଷ କଥା କିଛି ପଡ଼ୁନଥିଲା-। ସିଧା ତତ୍କାଳୀନ ବ୍ରିଟିଶ ପ୍ରଭୁତ୍ୱ ପାଖରେ ହିଁ ଯାବତୀୟ ଆବେଦନ କରାଯାଉଥିଲା-। ହେ ମହାମହିମ ମହାମନା ସରକାର, ଭାରତବର୍ଷ ସମ୍ପର୍କରେ ତୁମେ କିଛି ନକର ପଛକେ, ଆମ ଓଡ଼ିଶାକୁ ଅଲଗା ଆମ ହାତରେ ଦେଇଦିଅ ଏବଂ ତେବେ ଆମେ ତୁମର ସଦାନୁଗତ ହୋଇ ରହିବୁ–ଆବେଦନର ମୁଖ୍ୟ ଭାଷାଟି ପ୍ରାୟ ସେହିଭଳି ହୋଇ ରହିଥିଲା । ବ୍ରିଟିଶ ସରକାର ଏହି ସ୍ଥିତିଟିର ଅବଶ୍ୟ ସମ୍ପୂର୍ଣ୍ଣ ସୁଯୋଗ ନେଉଥିଲେ ଓ ଆତ୍ମପ୍ରସାଦ ଅନୁଭବ କରୁଥିଲେ-। ବେଳେବେଳେ ସେହି ଶାସନ ଭିତରର କେହି କେହି ଯେ ମହମ୍ମଦ ଅଲ୍ଲି ଜିନ୍ନା, ଭୀମ ରାଓ ଆମ୍ବେଦକରଙ୍କ ସହିତ ଓଡ଼ିଶାର ଏହି ବିଶେଷ ବ୍ୟାକୁଳତାଟିକୁ ପ୍ରାୟ ଏକ ସମାନ ତରାଜୁରେ ରଖିଦେଇଥିବେ ଏବଂ ଜାତୀୟ ସଂଗ୍ରାମଜନିତ ସେମାନଙ୍କର ସେହି ବଡ଼ ମୁଣ୍ଡବ୍ୟଥାଟାରେ ତଥାପି କିଞ୍ଚିତ୍ ଆଶ୍ୱାସନାଦାୟକ ଏକ ତତ୍ତ୍ୱରୂପେ ବିଚାର କରିଥିବେ, ଏହି କଥାଟିକୁ ମୋଟ ଅସ୍ୱୀକାର କରାଯାଇ ପାରିବ ନାହିଁ । କଥିତ ଅଛି, ମଧୁବାବୁ ତାଙ୍କ ଜୀବନର ଶେଷ ଚରଣରେ ପୁନର୍ବାର ଜାତୀୟ କଂଗ୍ରେସ ଭିତରକୁ ଆସିଥିଲେ । କୌଣସି ଜାତୀୟ କାରଣରୁ ନୁହେଁ, ଏକ ନିତାନ୍ତ ବ୍ୟକ୍ତିଗତ ଦହଗଞ୍ଜର କାରଣରୁ ସେ କଂଗ୍ରେସରେ ଯୋଗ ଦେଇଥିଲେ । ଜାତୀୟ କଂଗ୍ରସ ସେତେବେଳେକୁ ଭାରତବର୍ଷର ପୂର୍ଣ୍ଣ ସ୍ଵାଧୀନତାକୁ ନିଜର ଲକ୍ଷ୍ୟ ବୋଲି ଘୋଷଣା କରି ସାରିଥିଲେ । ସେ ବିଷୟରେ ପଦୁଟିଏ ଉଚ୍ଚାରଣ କରିବାକୁ ବି ଉତ୍କଳଗୌରବଙ୍କର ଅବସର ନଥିଲା । ପଣ୍ଡିତ ଗୋପବନ୍ଧୁ ମଧ୍ୟ ଠିକ୍ ସେହି ସମୟକୁ ପୃଥିବୀରୁ ବିଦାୟ ନେଇ ପ୍ରସ୍ଥାନ କଲେ । ଓଡ଼ିଶାରେ ରାଜନୀତିକୁ ବିବର୍ତ୍ତନର ସେହି ଶୂନ୍ୟସ୍ଥାନଟି ଚିରକାଳକୁ ଏକ ଶୂନ୍ୟସ୍ଥାନ ହୋଇ ରହିଗଲା କି ? ପରବର୍ତ୍ତୀ ସତୁରି ଅଶୀ ବର୍ଷର ଆମ ପ୍ରାନ୍ତୀୟ ଇତିହାସ ଟି ସେହିପରି ଏକ ଦୁଃଖଦାୟକ ଅନୁମାନ କରିବା ଲାଗି ଭାରି ପ୍ରବର୍ତ୍ତାଇବାର ପ୍ରୟାସ କରିଥାଏ ।

 

ନିଜ ସମୟରେ ମଧୁବାବୁ ଏକମାତ୍ର ବ୍ୟକ୍ତିତ୍ୱ ସେହି ଉତ୍କଳ ସମ୍ମିଳନୀରେ ହୁଏତ ରହିଥିଲେ, ଯିଏକି ଓଡ଼ିଶା କହିଲେ ଏଠାରେ ବାସ କରୁଥିବା ମଣିଷମାନଙ୍କୁ ଦେଖୁଥିଲେ । ମନୁଷ୍ୟମାନେ ଓଡ଼ିଆ, ତେଣୁ ଭୂମିଟିର ନାମ ଓଡ଼ିଶା । ତେଣୁ, ନ୍ୟାୟତଃ ସେ ଏହି ଭୂମିର ଶିକ୍ଷା, ଶିଳ୍ପ ବିକାଶ ଏବଂ ଆହୁରି କେତେ କ'ଣ ବିଷୟରେ କେତେ ଭାବି ପାରୁଥିଲେ, ଏକାଧିକ ପ୍ରୟୋଗ ବି ଆରମ୍ଭ କରି ଦେଇଥିଲେ । ତେଣୁ, ଭାରି ଆଚମ୍ବିତ ଲାଗେ, ମଧୁବାବୁ ଗଡ଼ଜାତ କହିଲେ ଏକପାଖିଆ ଭାବରେ ଗଡ଼ଜାତର ରାଜାମାନଙ୍କୁ ଦେଖୁଥିଲେ ଓ ଗଡ଼ଜାତର ପ୍ରଜାଙ୍କୁ ଦେଖିପାରୁ ନଥିଲେ । ସମ୍ଭବତଃ ଦେଖି ମଧ୍ୟ ଦେଖିପାରୁ ନଥିଲେ । ସେହି ପ୍ରଜାମାନେ ଘୋର ଅନ୍ଧକାରରେ ରହିଥିଲେ । ସେମାନଙ୍କର ଜୀବନଟାକୁ ପ୍ରାୟ ଏକ ଅଧମତମ ଔଦ୍ଧତ୍ୟ ସହିତ ଦୁହିଁ ଆପେ ସ୍ଥାନାଧିପ ହୋଇ ବସିଥିବା ଗଡ଼ଜାତି ରଜାମାନେ ଉତ୍କଳ ସମ୍ମିଳନୀରେ ମଧୁବାବୁଙ୍କର ସହଗାମୀ ହୋଇ ରହିଥିଲେ, ସର୍ବୋଚ୍ଚ ସ୍ୱୀକୃତି ଲାଭ କରିପାରୁଥିଲେ । ପ୍ରଶାସନିକ ଓଡ଼ିଶାର ବାହାରେ ରହିଥିବା ଓଡ଼ିଆମାନଙ୍କୁ ଓଡ଼ିଶାକୁ ଆଣିବା ନିମନ୍ତେ ସମ୍ମିଳନୀରେ ଆହ୍ୱାନମାନ ଦିଆଯାଉଥିଲା । କିନ୍ତୁ ଗଡ଼ଜାତର ପ୍ରଜାମାନେ ମଧ୍ୟ ସାଙ୍ଗକୁ ଆସନ୍ତୁ ବୋଲି କେହି ପାଟି ଫିଟାଇ କହୁ ବି ନଥିଲେ । ଏପରିକି ଏହି ସନ୍ଦର୍ଭରେ ପଣ୍ଡିତ ଗୋପବନ୍ଧୁଙ୍କର ମଧ୍ୟ କେବେ ପାଟି ଖୋଲିଥିବାର କୌଣସି ଦୃଷ୍ଟାନ୍ତ ଆମକୁ ମିଳି ପାରିବ ନାହିଁ । ଉତ୍କଳ ଆନ୍ଦୋଳନ ତରଫରୁ ପୂର୍ଣ୍ଣାଙ୍ଗ ପ୍ରଦେଶଟିଏ ସକାଶେ ଦିଆଯାଇଥିବା ସ୍ମାରକ ପତ୍ରମାନଙ୍କରେ ମଧ୍ୟ ଛବିଶି ଗଡ଼ଜାତରେ ରହିଥିବା ପ୍ରଜାମାନଙ୍କ ବିଷୟରେ କୌଣସି ଉଲ୍ଲେଖ ନାହିଁ । ଏବଂ, ଯେତେବେଳେ ୧୯୩୬ ମସିହା ଏପ୍ରିଲ ପହିଲାର ଉତ୍ସବଟିରେ ସରକାର ବାହାଦୂର ଆମକୁ ସ୍ୱତନ୍ତ୍ର ପ୍ରଦେଶଟିଏ ପ୍ରଦାନ କଲେ, ସେତେବେଳେ ସେହି ଉତ୍ସବରେ ଗଡ଼ଜାତର ଏକାଧିକ ରାଜା ଉପସ୍ଥିତ ରହିଥିଲେ ଏବଂ ସମ୍ମାନ ପାଇଥିଲେ ସିନା, କିନ୍ତୁ ପ୍ରଜାମାନେ ଅପଚରା ରହିଯାଇଥିଲେ । ଏକ ସ୍ୱତନ୍ତ୍ର ପ୍ରଦେଶର ଉପହାର ପାଇଥିବା କ୍ରୀଡ଼ାନକମାନେ ସେତେବେଳେ ଆପଣାର ଏହି ଆଚରଣରେ ଖୋଦ୍ ଇଂରେଜ ସରକାରଙ୍କୁ ମଧ୍ୟ କମ୍ ଅମୋଦିତ କରିନଥିବେ ।

 

୧୯୪୭ ମସିହାରେ ଇଂରେଜ ଶାସନ ଭାରତରୁ ବିଦା ହୋଇଗଲା, ସେତେବେଳେ ଏହି ଦେଶର ପ୍ରାୟ ଛଅଶହ ସରିକି ସାନ ଓ ବଡ଼ ଗଡ଼ଜାତର ଆଗାମୀ ସ୍ଥିତି ବିଷୟରେ କିଛି ବୁଝାମଣା ହୋଇନଥିଲା । ବ୍ରିଟିଶ୍ ସମୟରେ ଯେଉଁଟିକୁ ଓଡ଼ିଶା ପ୍ରଦେଶ ବୋଲି କୁହାହେଉଥିଲା, ସେଇଟି ଓଡ଼ିଶା ପ୍ରଦେଶ ହେଲା । ରାଜାମାନେ, ଅନ୍ତତଃ ସେମାନଙ୍କ ମଧ୍ୟରୁ ବିଶେଷ ଚାଇଁମାନେ ଆପଣା ବିଷୟରେ ପ୍ରାୟ ହେଣ୍ଡି ମାରି ଭବିଷ୍ୟ-ସ୍ୱପ୍ନମାନ ଦେଖୁଥିଲେ । କହିବା ବାହୁଲ୍ୟ, ସେତେବେଳେ ସେମାନଙ୍କ ସକାଶେ ଭାରତବର୍ଷ ଓ ଓଡ଼ିଶା,–ଅର୍ଥାତ୍ ଏକ ସ୍ୱାଧୀନ ଭାରତବର୍ଷର ଅଂଶ ସ୍ୱରୂପ ଓଡ଼ିଶା ବୋଲି ମୋଟେ କିଛି ନଥିଲା, କେତେ ଗଡ଼ଜାତ ନିଜ ନିଜର ବଂଶଗତ ଅଥବା ଆଞ୍ଚଳିକ ବିରାଦରୀକୁ ବଜାୟ ରଖି ସ୍ୱାଧୀନ ଦେଶମାନ ଭିଆଇବାର କଳ୍ପନାମାନ କରୁଥିଲେ । ଉତ୍କଳ ସମ୍ମିଳନୀର ଏଡ଼େ ବଡ଼ ପୃଷ୍ଠପୋଷକ ଓ ନେତା ମହାରାଜ ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କର ଦାୟାଦ ବି ମୟୂରଭଞ୍ଜକୁ ଏକ ସ୍ୱାଧୀନ ଦେଶ ବୋଲି ଘୋଷଣା କଲେ । ଏକାନ୍ତ ଉଲ୍ଲେଖନୀୟ ଯେ, ଛବିଶଟା ଯାକର ଗଡ଼ଜାତରୁ କୌଣସି ଗୋଟାକରେ ରଜା ବି ସ୍ୱଇଚ୍ଛାରେ ଓଡ଼ିଶା ରାଜ୍ୟ ସହିତ ମିଶିବାର ଘୋଷଣା କରି ନାହାନ୍ତି । ସେମାନଙ୍କର ପ୍ରଜାମାନେ ଓଡ଼ିଆ ଥିଲେ ମଧ୍ୟ ସେମାନେ ପ୍ରାୟ ଏକା ଏକା ସ୍ୱତନ୍ତ୍ର ଭାବରେ ନିଜ ପରବର୍ତ୍ତୀ ପଦକ୍ଷେପଗୁଡ଼ିକ ବିଷୟରେ ବିଚାର କରିଛନ୍ତି ଓ ସେହି ମର୍ମରେ ପରସ୍ପର ସହିତ ସଲା ବା ମନ୍ତ୍ରଣା ଯାହା କିଛି କରିଛନ୍ତି । ଭାଗ୍ୟକୁ ଭାରତବର୍ଷ ସ୍ୱାଧୀନ ହେବାର ପୂର୍ବରୁ କେତେଟା ଗଡ଼ଜାତରେ ଏକ ସଚେତନ ପ୍ରଜା ଆନ୍ଦୋଳନ ଆରମ୍ଭ ହୋଇ ଯାଇଥିଲା ଓ ଏକାଧିକ ଅର୍ଥରେ ୧୯୪୭ ପରେ ପ୍ରାୟ ସେହିମାନେ ହିଁ ଆଗକୁ ବାଟ କଢ଼ାଇଲେ । ନୀଳଗିରି ନାମକ ଏକ ବକଟେ ଗଡ଼ଜାତରୁ ପ୍ରକ୍ରିୟାଟି ଆରମ୍ଭ ହେଲା । ପ୍ରଧାନତଃ ସଚେତନ ପ୍ରଜାବର୍ଗଙ୍କର ଚାପରେ ରାଜାମାନେ ସର୍ଦ୍ଦାର ପଟେଲଙ୍କର ଏକ ସମାଧାନପତ୍ରରେ ସ୍ଵାକ୍ଷର କଲେ । ଓଡ଼ିଶାରେ ଏଇଟା ପ୍ରଥମେ ହେଲା ଓ ତା'ପରେ ଦେଶଟା ତମାମ ରାଜାମାନେ ମଙ୍ଗିବାକୁ ବାଧ୍ୟ ହେଲେ । ଉତ୍କଳ ସମ୍ମିଳନୀର ବାଇଦଗୁଡ଼ାକ ଯେ ସବୁ ଓଡ଼ିଆଙ୍କୁ ଏକକ ରୂପେ ସମ୍ମୁଖରେ ରଖି କରାଯାଉଥିବା ଯାବତୀୟ ବିବେଚନା ଅନୁସାରେ ତୁଚ୍ଛା ଗୋଟାଏ ଗୋଟାଏ ମିଛ ବାଇଦ ହିଁ ଥିଲା, ସେକଥା ଯଥା ସମୟରେ ଧରା ପଡ଼ିଗଲା ।

 

ଭାଷା ସୂତ୍ରରେ ପ୍ରଦେଶ ଗଠନ ଶାସନଗତ ସୁବିଧା ଦୃଷ୍ଟିରୁ ତାହାର ଆବଶ୍ୟକତା ଅବଶ୍ୟ ରହିଛି । ପ୍ରଧାନତଃ ସେହି କାରଣରୁ ଏକଦା ଭାରତ ସରକାର ଏକ ସୀମା କମିଶନ ଗଢ଼ିଥିଲେ । ତାହାକୁ ଏକ ଆଞ୍ଚଳିକ ଜାତୀୟତାର ମଞ୍ଜୁଳ ରୂପ ଦେଇ ଯେଉଁମାନେ ଓଡ଼ିଶାରେ ଏବେ ମଧ୍ୟ ନିଜକୁ କ୍ରିୟାଶୀଳ କରି ରଖିଛନ୍ତି, ସେମାନେ ସର୍ବୋପରି ଯାବତୀୟ ନେତୃତ୍ୱର ମାନଦଣ୍ଡରେ ଏକ ନାବାଳକପଣର ହିଁ ପରିଚୟ ଦେଉଛନ୍ତି ଏବଂ ଆମକୁ ଚଗଲା କରି ରଖିବାର ଅରାଜନୀତିକତା ଦେଖାଇବାରେ ଲାଗିଛନ୍ତି । ସବୁ ଓଡ଼ିଆଭାଷୀ ମଣିଷ ଗୋଟିଏ ପ୍ରାନ୍ତୀୟ ସୀମା ଭିତରେ ରହିଲେ ନାଗରିକ ଜୀବନର ଅସଲ ଅର୍ଥାତ୍‍ ଅଗ୍ରାଧିକାରଯୁକ୍ତ ସମସ୍ୟାଗୁଡ଼ିକ କଦାପି ଦୂର ହୋଇଯିବ ନାହିଁ । ବରଂ ବହୁ ସଂଖ୍ୟକ ବଞ୍ଚିତ ମଣିଷଙ୍କୁ ଭୋକ ଭୁଲାଇ ଅତ୍ୟନ୍ତ ଭାବପ୍ରବଣ ଭାବରେ ଅରକ୍ଷିତ କରି ରଖିବାଟା ହିଁ ଯାହା ସାର ହେଉଥିବ । ଗଣତନ୍ତ୍ରଦ୍ୱାରା ଶାସିତ ଏବଂ ଅସଲ ରାଜନୀତିର ଧର୍ମଦ୍ୱାରା ପରିଚାଳିତ ଗୋଟିଏ ଦେଶରେ ଯିଏ ଯେଉଁ ରାଜ୍ୟରେ ଥାଉ ପଛକେ, ସିଏ ନାଗରିକ ହିସାବରେ ଅତ୍ୟାବଶ୍ୟକ ଅର୍ଥାତ୍ ସର୍ବନିମ୍ନ ସ୍ୱୀକୃତିଗୁଡ଼ିକ ବିଷୟରେ ପୂର୍ଣ୍ଣ ଭରସାଯୁକ୍ତ ଭାବରେ ସାମୂହିକ ଜୀବନଟିଏ ବଞ୍ଚି ପାରୁଥିବ, ଏହା ହିଁ ଅସଲ ଓ ନିଦା କଥା । ଆଉ ସବୁକିଛି ଥୋକେ ସୁଖଭୋଜି ସ୍ଥୂଳ ମଣିଷଙ୍କର ନାନା ଅଵିଵେକର ଅଧୀନ ହୋଇ ରହିବାକୁ ବାଧ୍ୟ ହେବ । ଆମ ଓଡ଼ିଶାରେ ୧୦୦ରେ ୬୦ଙ୍କୁ ଆମେ ବିଶିଷ୍ଟ ଅବଶିଷ୍ଟମାନେ ନାଗରିକତାର ନାନା ଅବଶ୍ୟପ୍ରାପ୍ୟରୁ ଉଢ଼ୁଆଳ କରି ରଖି ନିଜେ ଲାଭବାନ ହେଉଛୁ ବୋଲି ସେମାନଙ୍କ ଆଗରେ ଆଗ ଉତ୍କଳୀୟତାର ଦୀର୍ଘ ଘଣ୍ଟା ଧରି ଗୋଳ କରିବାରେ ଲାଗିଛୁ କି ? ସେମାନଙ୍କୁ ଏହି ଭୂମି ଏହିପରି ଅନ୍ୟତ୍ର କରି ରଖିବାର ମନ୍ଦ ମତଲବରେ ଆମେ ଭଳି ଭଳି ଆନୁଷ୍ଠାନିକ ତାମସାରେ ଏତେ ଅଧିକ ପରିମାଣରେ ମନ ଦେଉଛୁ ଏବଂ ବୁଦ୍ଧି ଖର୍ଚ୍ଚ କରୁଛି କି ? କିଏ କେଡ଼େ ଆହ୍ଲାଦର ସହିତ କହିଲାଣି ଯେ, ଏଥର ଆମେ ଆମ ରାଜ୍ୟଟିକୁ ଓଡ଼ିଶା ନକହି ଉତ୍କଳ ବୋଲି କହିବା । ଆଉ କାହାକୁ କଳିଙ୍ଗ ନାମଟା ଅଧିକ ମନମତାଣିଆ ଲାଗୁଛି । କେଉଁଠାରେ ନବକଳିଙ୍ଗର ଖାରବେଳଙ୍କ ବିଷୟରେ ହରିବୋଲ ଦିଆଯାଉଛି ଓ କେଉଁଠି କୋଉ ବୀର ହନୁମାନଙ୍କର ସ୍ୱପ୍ନକୁ ସାକାର କରିବା ଲାଗି ନୂଆ ପଲଟାଏ ହାତରେ ହନୁମାନ ଚାଳିଶା ଧରି ବାହାରି ପଡ଼ୁଛି । ଅସହ୍ୟ ନାଗରିକ ପକ୍ଷଟି ଅନାଇ ରହିଛି ।

 

୯.୪.୦୧

☆☆☆

 

ନାବାଳକ ନେତୃତ୍ୱ (୨)

 

ଓଡ଼ିଆଭାଷୀ ସବୁଯାକ ଅଞ୍ଚଳ ଗୋଟିଏ ରାଜ୍ୟ ହୋଇ ରହିବା ଉଚିତ, ଏକ ସମଗ୍ର ମୀମାଂସା ରୂପେ ସେହିଭଳି ନିଶ୍ଚୟ ହୋଇପାରୁଥିବା ଉଚିତ । ଭାରତବର୍ଷ ଭଳି ଏକ ବହୁଭାଷୀ ସମଗ୍ର ପ୍ରଶାସନରେ ଏକାଧିକ କାରଣରୁ ତାହାକୁ ଏକ ଆବଶ୍ୟକତା ବୋଲି ବି କୁହାଯିବ । ତଥାପି ଦେଶଟାକୁ ଏହିପରି ଏକ କଠୋର ଗଣିତ ପ୍ରୟୋଗ କରି କଦାପି ସାହି ସାହିରେ ବିଭକ୍ତ କରାଯାଇ ପାରିବ ନାହିଁ । ଏ ସାହିର କିଛି ଲୋକ ସେ ସାହିରେ ଅବଶ୍ୟ ରହିଯିବେ ଏବଂ ସେ ସାହିର କିଛି ଲୋକ ମଧ୍ୟ ଏ ସାହିରେ ଅବଶ୍ୟ ରହିଥିବେ । ଓଡ଼ିଆଭାଷୀ କେତେ ହଜାର ବା କେତେ ଲକ୍ଷ ଲୋକ ସେହି କାରଣରୁ ଏବେ ମଧ୍ୟ ଆନ୍ଧ୍ର, ମଧ୍ୟ ପ୍ରଦେଶ, ବିହାର ଓ ବଙ୍ଗଳାରେ ରହିଛନ୍ତି । ଦେଶ ବିଭାଜନ ପରେ ପଞ୍ଜାବ ଓ ସିନ୍ଧୁ ପ୍ରଦେଶରୁ ଶରଣାର୍ଥୀ ଭାବେ ପଳାଇ ଆସିଥିବା ପରିବାର କେତେ ପୁରୁଷ ହେଲା ଓଡ଼ିଶାରେ ବସବାସ କରୁଛନ୍ତି । ଉପକୂଳ ଇଲାକାରେ ବଙ୍ଗଭାଷୀ ବସତିର ଏକ ସ୍ୱତନ୍ତ୍ର ପଟିଟିଏ ରହିଛି । ଭାରତବର୍ଷର ପ୍ରାୟ ସବୁ ରାଜ୍ୟସୀମାରେ ଯାହା, ଓଡ଼ିଶାରେ ପ୍ରଧାନତଃ ସୀମା ଇଲାକାମାନଙ୍କରେ ମଧ୍ୟ ଅଳ୍ପବହୁତ ଠିକ୍ ତାହା ହିଁ ହୋଇଛି । ଅସଲ କଥା ହେଉଛି, ଯିଏ ଯେଉଁଠାରେ ଥାଉ ପଛକେ, ସିଏ ଭାରତବର୍ଷରେ ରହିଛି । ଭାରତବର୍ଷର ନାଗରିକ ରୂପେ ରହିଛି । ନାଗରିକର ଏକ ସ୍ପଷ୍ଟ ସଂଜ୍ଞାକୁ ଆମ ଦେଶରେ ଏକ ସମ୍ବିଧାନଦ୍ୱାରା ନିରୂପଣ କରି ଦିଆଯାଇଛି । ସମ୍ଭବତଃ, ଏହିପରି ଗୋଟିଏ ଉଚିତ ସାମୂହିକ ନିୟତି ଏବଂ ସାମୂହିକ ଧର୍ମକୁ ଦୃଷ୍ଟିରେ ରଖି ଏକଦା ପଣ୍ଡିତ ଗୋପବନ୍ଧୁ ଆମେ ସମସ୍ତେ ପ୍ରଥମେ ଭାରତୀୟ ଏବଂ ତାପରେ ଯାଇ ଓଡ଼ିଆ ବୋଲି କହିଥିଲେ । ଏବଂ, ଆମେ ସର୍ବପ୍ରଥମେ ମଣିଷ, ଉତ୍କଳମଣିଙ୍କର ଏହି କଥାଟିକୁ ପୂର୍ଣ୍ଣ ପ୍ରସ୍ଥଗୁଡ଼ିକ ଦେଇ ବୁଝିବା ସକାଶେ ଆମକୁ ତ ଗଣତନ୍ତ୍ର ଅର୍ଥାତ୍ ଲୋକ-ଧର୍ମର ଵିଵେକକ୍ଷେତ୍ରରେ ଆହୁରି କେତେଟା ପାହାଚ ଉପରକୁ ଯିବାପାଇଁ ସତକୁସତ ଚେଷ୍ଟା କରିବାକୁ ହେବ । ତା' ପରେ ଯାଇ ବୁଝିହେବ ।

 

ଶ୍ରୀଯୁକ୍ତ ଗୋପବନ୍ଧୁ ଏକ ସ୍ୱାଧୀନ ଭାରତବର୍ଷର ସ୍ୱପ୍ନ ଦେଖୁଥିବା ସଂଗ୍ରାମ କାଳର ସେହି ନିର୍ଦ୍ଦିଷ୍ଟ ପରିଧି ଭିତରେ ରହି ସେତେବେଳେ ଯାହା କହିଥିଲେ, ସଂପ୍ରତି ସ୍ୱାଧୀନ ଭାରତବର୍ଷରେ ସମ୍ଭବତଃ ତାହାର ଦଶଗୁଣ ଅଧିକ ପ୍ରାସଙ୍ଗିକତା ରହିଛି ବୋଲି କୁହାଯିବ । ଏକାବେଳେକେ ମନୁଷ୍ୟ, ଭାରତୀୟ ତଥା ଓଡ଼ିଆ ବୋଲି ଅନୁଭବ କରିନପାରିଲେ ଆମ ସାମୂହିକ ଭାବ-ମୂଲ୍ୟଗୁଡ଼ିକର କ୍ଷେତ୍ରରେ ପ୍ରାୟ ଅବଶ୍ୟମ୍ଭାବୀ ଭାବରେ ବହୁତ ଅବଗୁଣ ଏବଂ ବହୁତ ଅସ୍ଵାଭାବିକତା ଆସି ପଶିଯିବ । ଏବଂ ଆମ ସମ୍ବିଧାନରେ ଭାରତବର୍ଷର ପୃଥକ ପୃଥକ ଭାଷାଗୁଡ଼ିକୁ ଯଥା ନ୍ୟାୟ ସ୍ୱୀକୃତିମାନ ଅବଶ୍ୟ ମିଳିଛି ସତ, ମାତ୍ର ସେଇଟିକୁ ହିଁ କଦାପି ଆମ ଜାତୀୟ ବ୍ୟବସ୍ଥାପନାର ସବାଆଗ ଏବଂ ସବାବଡ଼ କଥା ବୋଲି କୁହାଯିବ ନାହିଁ । ହଁ, ଏକ ନାବାଳକ ନେତୃତ୍ୱ ହିଁ ନାନା ମତଲବଦ୍ୱାରା ପରିଚାଳିତ ହୋଇ ସେକଥାକୁ ନେଇ ସୁଆଙ୍ଗ ଲଗାଇଥିବ ସତ, ମାତ୍ର ସୁସ୍ଥ ନେତୃତ୍ୱ ତଥା ସୁସ୍ଥ ଶାସନ ସବାଆଗ ମଣିଷମାନଙ୍କର ମଣିଷ ହିସାବରେ ରହିଥିବା ସର୍ବମୂଳ ପରିଚୟରୁ ହିଁ ଆରମ୍ଭ କରିବ । ସେହି ଅନୁସାରେ ଏକ ସମ୍ବିଧାନର ସର୍ବପ୍ରଥମ କରଣୀୟ ହେଉଛି ଯେ, ଦେଶରେ ସବୁ ମଣିଷଙ୍କର ଅନ୍ନସଂସ୍ଥାନ ଲାଗି ପ୍ରଶସ୍ତ ସୁଯୋଗ ତଥା ସାଧନମାନ ରହିବ । ସବୁପିଲା ପାଠ ପଢ଼ିବେ, ଯେପରିକି ବଡ଼ ହେଲେ ସେମାନେ ଆପଣାକୁ ଜଣେ ଜଣେ ସଚେତନ ନାଗରିକ ବୋଲି ଅନୁଭବ କରିପାରିବେ । ନିଜକୁ ଅନେକଙ୍କ ସହିତ ସାମିଲ କରି ଆଗକୁ ଆଗକୁ ଦେଖିପାରିବେ ଏବଂ ଭାବିପାରିବେ । ମନୁଷ୍ୟକୃତ ଯାବତୀୟ ଅସମାନତାର ପ୍ରତିବାଦ କରିବେ । ନିଜ ଦେଶର ସର୍ବବିଧ ନିର୍ମାଣରେ ଆପଣାକୁ ସକ୍ରିୟ ଭାବରେ ସମ୍ମିଳିତ କରି ରଖି ପାରୁଥିବେ । ଠକି ନେବା କମିଯିବ, ଠକି ହେବା ତା'ଠାରୁ ଆହୁରି ଅଧିକ କମ୍ ରହିଥିବ । ତେବେ ଯାଇ ମନୁଷ୍ୟୋଚିତ ଯାବତୀୟ ମୂଲ୍ୟଗୁଡ଼ିକୁ ବଞ୍ଚିହେବ ଏବଂ ମୂଲ୍ୟଚୟକୁ ସତକୁସତ ବଞ୍ଚି ପାରିବାକୁ ହିଁ ସଂସ୍କୃତି ବୋଲି କୁହାଯିବ । ଏସବୁ ଆଗ, ଭାଷା ତାହାର ସାତ ପଛରେ । ଓଡ଼ିଶାରେ ଅଧେ ମଣିଷ ଏହି ସବାଆଗ କଥାଗୁଡ଼ିକରୁ ଅତ୍ୟନ୍ତ ଶୋଚନୀୟ ଭାବରେ ବଞ୍ଚିତ ହୋଇ ରହିଥିବେ ଅର୍ଥାତ୍‍ ସେମାନଙ୍କୁ ବଞ୍ଚିତ କରି ରଖାଯାଇଥିବ ଓ ତେଣେ ଥୋକେ ମଣିଷ ସବାଆଗ ଭାଷାଟାକୁ ଆଳକରି ଆମକୁ ଅନ୍ୟମନସ୍କ କରି ରଖିବାର ଦୁଷ୍ଟ ଚେଷ୍ଟା କରିବାରେ ଲାଗିଥିବେ, ଏହା ଏକ ଶୋଚନୀୟ ସ୍ଥିତି, ଏକ ନାବାଳକ ନେତୃତ୍ୱର ପରିଚାୟକ ।

 

ଏକ ସାନ୍ତ୍ୱନା ଲାଭ କରିବା ପାଇଁ ୧୯୩୬ ଏପ୍ରିଲ୍ ପହିଲାକୁ ଆମେ ଇଚ୍ଛାକଲେ ସ୍ୱତନ୍ତ୍ର ଓଡ଼ିଶାର ଜନ୍ମଦିବସ ବୋଲି କହିଲେ ଅବଶ୍ୟ କହିବା ସିନା,–କିନ୍ତୁ ଅଧିକ ସମୀଚୀନ ଭାବରେ କୁହାଯିବ ଯେ, ଭାରତବର୍ଷ ସ୍ୱାଧୀନତା ଲାଭ କରିବାପରେ ଯାଇ ଓଡ଼ିଶା ପାଇଁ ପ୍ରକୃତରେ ସ୍ୱତନ୍ତ୍ର ଜାତକଟିଏ ଲେଖାହେଲା । ୧୯୩୬ରେ ଯେଉଁ ଅଧିକ ଅଞ୍ଚଳ ଓଡ଼ିଶାକୁ ଆସିଥିଲା ଏବଂ ତା' ସହିତ ଯେଉଁ ଅଧିକ କେତେ ଲକ୍ଷ ମନୁଷ୍ୟ ଓଡ଼ିଶା ସହିତ ସାମିଲ ହେଲେ, ପରବର୍ତ୍ତୀ ୧୧ଟା ବର୍ଷରେ ସେମାନଙ୍କର ଭାଗ୍ୟରେ ଏପରି କୌଣସି ପରିବର୍ତ୍ତନ ଘଟିନଥିଲା, ଯାହାକୁ କି ସେମାନେ ସ୍ୱତନ୍ତ୍ର ଭାବରେ ମନେରଖି ପାରିଥାନ୍ତେ । ୧୯୪୭ ପରେ ଓଡ଼ିଶାର ଆୟତନ ତଥା ଲୋକସଂଖ୍ୟା ପ୍ରାୟ ଦ୍ୱିଗୁଣିତ ହୋଇଗଲା । ଗଡ଼ଜାତରେ ବାସ କରୁଥିବା ଓଡ଼ିଆମାନେ ମୋଗଲବନ୍ଦୀର ପୋଖତ ଓ ସମର୍ଥ ଓଡ଼ିଆଙ୍କଠାରୁ ପ୍ରକୃତରେ କେତେ କ'ଣ ବିଶେଷ ପଦକ୍ଷେପମାନ ନିଆଯିବ ଏବଂ ସେମାନେ ମଧ୍ୟ ସମକକ୍ଷ ହୋଇ ଧାଡ଼ିଟି ଭିତରେ ଗଣା ହୋଇ ପାରିବେ ବୋଲି ଅବଶ୍ୟ ଆଶା ପୋଷଣ କରିଥିବେ । ନିର୍ବାଚନର ନୂଆ ଚଳଣିଟି ଆରମ୍ଭ ହୋଇଗଲା । ନିର୍ବାଚନ ପରେ ନିର୍ବାଚନ ହେଲା । ଗଡ଼ଜାତର ରାଜାମାନେ ହିଁ ଗଡ଼ଜାତମାନଙ୍କରେ ବହୁମତ ପାଇ ପ୍ରତିନିଧି ହେଲେ । ସକଳ ଦୃଷ୍ଟିରୁ କୁହାଯାଇପାରିବ, ସେମାନେ ସେମାନଙ୍କର ବଂଶୀୟ ପରମ୍ପରାଟିରୁ ବିଦା ହୋଇ ନାଗରିକ ହେଉ ହେଉ ତଥାପି ସେହି ସାମନ୍ତବାଦୀ ନଅରଟା ଭିତରେ ରହିଗଲେ । ନିଜକୁ ଆଗ ରଜାର ମର୍ଯ୍ୟାଦାରେ ଭାବିଲେ, ଲୋକମାନେ ମଧ୍ୟ ସେମାନଙ୍କୁ ସେହି ରଜାର ମର୍ଯ୍ୟାଦାରେ ଭୋଟ ଦେଲେ । ଏପରି ବି ହେଲା ଯେ, ପ୍ରଜାମଣ୍ଡଳ ନେତାମାନେ ହୁଏତ ହାରିଲେ ଓ ରାଜାମାନେ ଜିତିଲେ । ସହଜ ଜିତାପଟର ଲୋଭରେ ପଡ଼ି କ୍ରମେ ଉପକୂଳର ଚିହ୍ନା ରାଜନୀତିକ ଦଳମାନେ ମଧ୍ୟ ସ୍ଥାନ ବିଶେଷରେ ସେହି ରାଜାମାନଙ୍କୁ ନିଜ ଖୁଆଡ଼ ଭିତରକୁ ବରି ଆଣିଲେ । ଯେଉଁ ରାଜାମାନେ ନିଜର ଏକ ଧନ୍ଦା ହିସାବରେ ରାଜନୀତି ଓ ଭୋଟ ମଧ୍ୟକୁ ଆସିଲେ, ପ୍ରାୟ ବଂଶାନୁକ୍ରମେ ସେଇମାନେ ହିଁ ଗଡ଼ଜାତ ଭିତରେ ନୂଆ ହୋଇ ପ୍ରବେଶ କରିଥିବା ଗଣତାନ୍ତ୍ରିକ ନିର୍ବାଚନରୁ ଚରୁ ନେବାପାଇଁ ଆସି ପହଞ୍ଚିଗଲେ, ଏବେ ମଧ୍ୟ କିଛି କମ୍ ସଂଖ୍ୟାରେ ନାହାନ୍ତି, ସେମାନଙ୍କର ହୁଏତ ଏକ ଅଧ୍ୟୟନ ହୋଇପାରନ୍ତା ଓ ସେଥିରୁ ଓଡ଼ିଶାରେ ନେତୃତ୍ୱ ନାମକ ମଣ୍ଡାଟିକୁ ବୁଝିବା ନିମନ୍ତେ ବହୁତ ଖୋରାକ ମିଳିଯାଇ ପାରନ୍ତା ।

 

ସ୍ୱାଧୀନ ଭାରତରେ ଓଡ଼ିଶାରେ ଶାସନାଧୀନ ନେତୃତ୍ୱ ଯଦି ସାବାଳକ ପରି ସବାଆଗ ଲୋକମାନଙ୍କୁ ସାମନାରେ ରଖି ଏବଂ ସମୁଦାୟ ଓଡ଼ିଶାକୁ ଏକକ ରୂପେ ଦେଖି ଆପଣାକୁ କ୍ରିୟାଶୀଳ କରିଥାନ୍ତା, ତେବେ ରାଜ୍ୟର ଗଡ଼ଜାତ ଅଞ୍ଚଳ ପାଇଁ ହିଁ ସର୍ବୋଚ୍ଚ ଅଗ୍ରାଧିକାର ଦିଆଯାଇଥାଆନ୍ତା ଏବଂ ସେହି ଅଞ୍ଚଳର ବାସିନ୍ଦାମାନଙ୍କ ପାଇଁ ଅଧିକ ଖର୍ଚ୍ଚ ବି ହୋଇଥାନ୍ତା । ଗଡ଼ଜାତମାନେ ପଛରେ ଥିଲେ; ଆର୍ଥିକ, ସାମାଜିକ ଓ ଶିକ୍ଷାଗତ ସକଳ ତତ୍ପରତା ଏବଂ ସକ୍ରିୟତାର କ୍ଷେତ୍ରରେ ବହୁ ପଛରେ ରହିଥିଲେ । କନ୍ଧମାଳ ପଛରେ ଥିଲା, କୋରାପୁଟ ପଛରେ ଥିଲା, ଏକଦା ବ୍ରିଟିଶ ସରକାରଙ୍କର ହସ୍ତମୁଦି ମାହାଲ ହୋଇ ରହିଥିବା ସମ୍ବଲପୁର ମଧ୍ୟ ସତେଅବା ଅତ୍ୟନ୍ତ ଅଳ୍ପସମର୍ଥ ହୋଇ ରହିଥିଲା । ଆଞ୍ଚଳିକ ଭାରସାମ୍ୟହୀନତା ଓଡ଼ିଶାକୁ ସାତକିସମ କରି ରଖିଥିଲା । ତେଣୁ ଯଥାସତ୍ୱର ଏକ ଭାରସାମ୍ୟ ସୃଷ୍ଟିକରି ଓଡ଼ିଶାର ସକଳ ଅଧିବାସୀଙ୍କୁ ଗୋଟାଏ ସଂହତିଯୁକ୍ତ ଓଡ଼ିଶାର ଅନୁଭବ ଆଣିଦେବା ନିମନ୍ତେ ଯାବତୀୟ ସାବାଳକ ନେତୃତ୍ୱ ସେହିସବୁ ଅଞ୍ଚଳରେ ଅଧିକ ପଇସା ଖରଚ କରାଇ ଅଧିକ ବେଗରେ ନାନାବିଧ ବିକାଶ ଲାଗି ବାଟ ବାହାର କରି ଦେଇଥାନ୍ତା । ତାହା ହୋଇପାରିଲା ନାହିଁ । ଉପକୂଳ ଖଣ୍ଡଟାରେ ଆଗ ଭଲ ପତରସବୁ ପଡ଼ି ସାରିବା ପରେ ଯେତିକି ବା ଫୁଟା ବାକି ରହୁଥିଲା, ସେତିକ ସେହି ତଥାକଥିତ ପଛୁଆ ଭୂଇଁଗୁଡ଼ିକୁ ଦିଆଗଲା । ସତେଅବା ଦୟାକରି ଦିଆଗଲା । ସତେଅବା ତଥାପି ବଡ଼ ଅନିଚ୍ଛା ସହିତ ଦିଆଯାଇଥିଲା । ସେଇଥିରୁ ହିଁ କ୍ରମେ ପଶ୍ଚିମ ଓଡ଼ିଶାବାସୀଙ୍କ ମନରେ ପଶ୍ଚିମ ଓଡ଼ିଶା ନାମକ ସେହି ଅନୁଭବଟି କ୍ରମେ ଦାନା ବାନ୍ଧି ଆସିଲା । ଦାନାଟା ଫଉଲି ଫଉଲି ଏକ ମାଂସପିଣ୍ଡ ହେଲା । ସେପାଖର ନୂଆ ନେତାମାନେ ତାହାକୁ ଏବେ କୋଶଳ ବୋଲି କହିଲେଣି ।

 

ଓଡ଼ିଶାରେ ଆଦିବାସୀଙ୍କର ସଂଖ୍ୟା ମୋଟ ଜନସଂଖ୍ୟାର ପ୍ରାୟ ଚାରିଭାଗରୁ ଏକଭାଗ-। ସେମାନେ ବହୁ ଭାଷାର ତଥା ବହୁ ସଂସ୍କାରର ହୋଇ ଆସିଥିଲେ ମଧ୍ୟ ଗୋଟାସୁଦ୍ଧା ଅବିଭକ୍ତ ଭାବରେ ଅଳ୍ପସମ୍ବଳ ଓ ଦରିଦ୍ର ହୋଇ ରହିଛନ୍ତି । ପାରମ୍ପାରିକ ଭାବରେ ଅଗମ୍ୟ ହୋଇ ରହିଥିବା ଅଞ୍ଚଳଗୁଡ଼ିକରେ ବାସ କରି ଆସିଛନ୍ତି । ସର୍ବପ୍ରଥମେ ଖ୍ରୀଷ୍ଟିୟାନ ପାଦ୍ରୀମାନେ ହିଁ ସେମାନଙ୍କୁ ଆବିଷ୍କାର କରିଥିଲେ । ଯେକୌଣସି ଅଭିସନ୍ଧିରୁ ହୋଇଥାଉ ପଛକେ, ପାଦ୍ରୀମାନେ ସେମାନଙ୍କର ଭାଷା ଶିଖିଲେ ଏବଂ ବାହାରେ ରହିଥିବା ଜାଗତିକ ଏକ ବୃହତ୍ତର ପରିସର ସହିତ ସେମାନଙ୍କୁ ପରିଚିତ କରାଇଥିଲେ । ସ୍ୱାଧୀନତା ପରେ ଆଦିବାସୀମାନେ ଏପରି ଏକ ଦେଶ-ଶାସନର ଅନ୍ତର୍ଭୁକ୍ତ ହେଲେ, ଯାହାର ମଞ୍ଜ ଭିତରେ ରହିଥିବା ବାସ୍ତବ ଧୂର୍ତ୍ତତା ଏବଂ ବିଡ଼ମ୍ବନାଗୁଡ଼ିକୁ ସେମାନେ ଏବେ ମଧ୍ୟ ଠଉରାଇ ପାରିନାହାନ୍ତି । ଏଇଟା ଭିତରକୁ ଡେଉଁ ଡେଉଁ କେଡ଼େ ତ୍ଵରାର ସହିତ ଡିକୁ ହୋଇ ଯାଇଛନ୍ତି । କ୍ଷମତା-ରାଜନୀତିର ଘୋଡ଼ାନାଟରେ ବଡ଼ ସନ୍ତର୍ପଣରେ ସେମାନଙ୍କୁ ଘୋଡ଼ା କରି ନଚାଯାଇଛି । ଆଦିବାସୀ ସେହି ଆଗପରି ବଳହୀନ ଏବଂ ନିଃସ୍ୱ ହୋଇ ରହିଛି । ସବାଆଗ ନିଜକୁ ଗୋଟାଏ ଦୃଢ଼ଭୂମି ସିଧାଅଣ୍ଟା ମଣିଷ ବୋଲି ଅନୁଭବ କରି ଜଣେ ନାଗରିକ ପରି ବଞ୍ଚିବା, ଏବେ ମଧ୍ୟ ତା' ପାଇଁ ସମ୍ଭବ ହୋଇପାରି ନାହିଁ । ଆଦିବାସୀମାନେ ଆମ ଓଡ଼ିଶାରେ ସାହିତ୍ୟକୁ ଆସିଲେଣି, ସେମାନଙ୍କର ପର୍ବଗୀତମାନ ଇଂରେଜୀ ଅନୁବାଦର ଘାଗୁଡ଼ିମାଳ ବାନ୍ଧି ଇଂଲଣ୍ଡ ଓ ଆମେରିକାରେ ଯାଇ ପହଞ୍ଚିଲାଣି, ତାକୁ ନେଇ ସରକାରୀ ସାମନ୍ତମାନେ ଗବେଷଣା କଲେଣି, ମାତ୍ର ଏକାଧିକ ଅର୍ଥରେ ନିଜ ଜୀବନର ନିର୍ଭର ଡିହଟି ଉପରେ ଆଦିବାସୀ ଆପଣାକୁ ଆଦୌ ନିରାପଦ ବୋଲି ଅନୁଭବ କରିପାରି ନାହିଁ-। ବହୁ ମହାପାତ୍ରେ ତାକୁ ଦୃଶ୍ୟ ଅଦୃଶ୍ୟ ବେନି ରୀତିରେ ମୁଖ୍ୟତଃ ଗୋତି ଖଟାଇବାରେ ଲାଗିଛନ୍ତି-। ହାକିମମାନେ ତାକୁ ସାଙ୍ଗରେ ନ ବସାଇ ତା' ଉନ୍ନୟନ ବିଷୟରେ ଯୋଜନା କରୁଛନ୍ତି, ତା'ର ଉନ୍ନୟନ ଲାଗି ବରାଦ ହେଉଥିବା ପଇସାକୁ ମଝିରୁ ଲୁଟି ନେଉଛନ୍ତି ।

 

ବିଗତ ପଚାଶ ବର୍ଷରେ ଓଡ଼ିଶାର ନେତୃତ୍ୱ କ୍ଷେତ୍ରରେ ଅପାରଗତା ଏବଂ ନାବାଳକତା କେଉଁଠି କ'ଣ ରହିଗଲା ଯାହାଫଳରେ କି ଏଠାରେ ମନୁଷ୍ୟକୃତ ଧୋକାଗୁଡ଼ାକ ଅଧିକ ପ୍ରଶ୍ରୟ ପାଇଲେ । ବହୁତ ବଞ୍ଚିତ ହୋଇ ରହିଲେ ଏବଂ ଅଳପମାନେ ଚଲାଖ ହୋଇ ପ୍ରାୟ ସବୁକିଛି ଝାମ୍ପି ନେଇଗଲେ ? ଦରିଦ୍ର ଅଧିକ ଦରିଦ୍ର ହେଲେ, ଉପରମାନେ ଅଧିକ ଅସୁରବତ ହେଲେ ? ପାଠଗୁଡ଼ାକ ଆମ ପାଠୁଆମାନଙ୍କୁ ଅଧିକ ଅଶିକ୍ଷିତ ହେବାରେ ସହାୟକ ହେଲେ ? ନେତୃତ୍ୱଟା କେଉଁ କାରଣରୁ ସମଗ୍ର ଓଡ଼ିଶାକୁ ଆଦୌ ଗୋଟାଏ କରି ଦେଖି ପାରିଲା ନାହିଁ, ନିଜର ଚଉଠଟାକୁ ହିଁ ଦେଖିଲା ଏବଂ ପ୍ରବଞ୍ଚନା କଲା ? କେଉଁସବୁ ନେତୃତ୍ୱଗତ କାରଣରୁ ଏପାଖର ଏହି ଉପକୂଳଟା ହିଁ ଆପଣାକୁ ସତେଅବା ସମଗ୍ର ଓଡ଼ିଶା ବୋଲି ଭାବୁଛି ? ଏଠି ଚାକିରିଆଟିଏ କ'ଣ ପାଇଁ ପଶ୍ଚିମକୁ କିମ୍ବା ଦକ୍ଷିଣଆଡ଼କୁ ବଦଳି ହୋଇ ଗଲାବେଳେ ସତେଅବା କଳାପାଣି ଯିବାଭଳି ଭୟ କରିବାରେ ଲାଗିଛି ? ଏହି ଯାବତୀୟ କଥାର ସିଂହାବଲୋକନ ହେଉ । ସାଆନ୍ତମାନେ କଦାପି ତାହା କରିପାରିବେ ନାହିଁ । ସରକାର ଚଳାଉଥିବା ଶାର୍ଦ୍ଦୂଳମାନେ କଦାପି ସେଡ଼େ ଯୋଗ୍ୟ ହେବେ ନାହିଁ । ଓଡ଼ିଶାର ରାଜନୀତିକୁ ଶାର୍ଦ୍ଦୂଳମାନେ ଆସି ଗିଳିଦେବା ପରେ ସରକାରୀ କଚେରିଗୁଡ଼ିକ କଦାପି କୌଣସି ସିଂହାବଲୋକନ ନିମନ୍ତେ ସାହସ କରିବେ ନାହିଁ । ଯିଏ ଏହିସବୁ ସାଂପ୍ରତିକ ଅରାଜକତା ଭିତରୁ ଆପେ ଆଦୌ କୌଣସି ଫାଇଦା ଉଠାଇବା ସକାଶେ ଇଚ୍ଛା କରୁନଥିବ, କେବଳ ସେଇ ସିଂହାବଲୋକନ କରିପାରିବ । କ୍ଷମତାର ଗୋଲାମମାନେ, ଅନ୍ଧକାରର ହିତାଧିକାରୀ ଦାୟାଦମାନେ କଦାପି ଅସଲ ପ୍ରଶ୍ନଗୁଡ଼ିକର ସମ୍ମୁଖୀନ ହୋଇ ପାରିବେ ନାହିଁ । ଓଡ଼ିଶା ନାମକ ଏହି ମାଟିଟାକୁ ପଛୁଆ କରି ରଖି ଯିଏ ସେଥିରେ ଫାଇଦା ଉଠାଇବାକୁ ବାହାରିଥିବ, ସିଏ ଏଠି କୌଣସି ସତ୍ୟର ସାମନା କରିପାରିବ ନାହିଁ । ନାବାଳକ ନେତୃତ୍ୱ ଲୁଚି ବୁଲୁଥିବ । ଲୋକହସା ହେଉଥିବ; ତଥାପି ଯଥାର୍ଥ Dialogue ଗୁଡ଼ିକୁ ଏଡ଼ାଇ ଦେଉଥିବ । ସିଂହାଵଲୋକନ ଅନ୍ୟମାନେ କରିବେ ।

 

୧୬.୪.୦୧

☆☆☆

 

ନାବାଳକ ନେତୃତ୍ୱ (୩)

 

ଇଏ କିଭଳି ଏକ ରାଇଜ, ଯେଉଁଠାରେ କି ସବୁଠାରୁ ବଡ଼ ବଡ଼ ଏବଂ ଉଚ୍ଚ ଉଚ୍ଚ ଦାୟିତ୍ୱରେ ରହିଥିବା ବିଶିଷ୍ଟ ମଣିଷମାନେ ରାଜ୍ୟର ହାନିଲାଭ କଥା ବୁଝୁବୁଝୁ ଯାହା କିଛି ପାରୁଛନ୍ତି, ପାରୁ ପର୍ଯ୍ୟନ୍ତ ନିଜ ଘରକୁ ବୋହି ନେଉଛନ୍ତି ? ସେମାନେ ଗୋଟାସୁଦ୍ଧା ମଣିଷଙ୍କ ପରି ସମର୍ଥନ ମାଗି ଆମ ଘରକୁ ଆସିଛନ୍ତି ଏବଂ ଆମେ ସେମାନଙ୍କର କଥାରେ ପରତେ ଯାଇ ଘରକୁ ଡାକିଆଣି ଆସନଟିଏ ଯୋଗାଇ ଦେବା ମାତ୍ରକେ ସିଧା ଗୋଟାଏ ମହାମାଙ୍କଡ଼ର ପ୍ରକୋପ ଓ ପ୍ରତାପରେ ଏକାବେଳେକେ ଆମ ଛାତ ଉପରେ ଯାଇ ବସୁଛନ୍ତି ଅଥବା ଆମ ଛାତି ଉପରେ ଆସି ବସୁଛନ୍ତି ଓ ଆମକୁ କାବୁ କରି ରଖୁଛନ୍ତି ? ଆମେ ଏତେ ନିୟୁତ ବା କେତେ କୋଟି ମଣିଷ ସେମାନଙ୍କର କିଛି କରି ପାରୁନାହୁଁ । ପ୍ରାୟ ଶହେ ବିଶାଶହେ ବର୍ଷ ତଳେ କବିବର ରାଧାନାଥ ସେହି ସଂସାରକୁ ଧିକ ବୋଲି କହିଥିଲେ ଯେଉଁଠାରେ ପ୍ରବଳ ହିଁ ସବୁ କଥାରେ ସବୁଯାକ ସୁଯୋଗ ହାରିଯାଏ । ନାବାଳକମାନେ ହିଁ କୌଣସି ରାଜ୍ୟରେ ଅନ୍ଧାର, ଜଡ଼ତା ଓ ବିଭ୍ରାନ୍ତ ଘୋଟି ରହିଥିଲେ ଅଣତିରିଶି ଅଥବା ତିରିଶିହାତିଆ ପ୍ରବଳ ହନୁମନ୍ତ ବାଗିର୍ ଦେଖା ଯାଉଥାନ୍ତି ଏବଂ ଯାବତୀୟ କ୍ଷେତ୍ରରେ ପ୍ରବଳ ହୋଇ ରହିଥାନ୍ତି । ଯାବତୀୟ ସତକୁସତ ବଳ ଅର୍ଥାତ୍ ଯୋଗ୍ୟତା ସଚରାଚର ସଂପୃକ୍ତ ତୁମ ଆମକୁ ଯେଉଁ ସାବାଳକତା ଆଣି ଦେଇଥାଏ, ତାହା ପ୍ରକୃତରେ କର୍ତ୍ତବ୍ୟ-ସଚେତନ କରାଏ, କର୍ତ୍ତବ୍ୟ-ସଚେତନତା ରହିଥିଲେ ଯେଡ଼େ ଯେଡ଼େ ଆସନରେ ରହିଥିଲେ ମଧ୍ୟ ବ୍ୟକ୍ତି ବସ୍ତୁତଃ ବିଜୟୀ ହୁଏ, ଅଧିକରୁ ଅଧିକ ସମୁଚିତ ଭାବରେ ଜଣେ ସେବକ ହୁଏ–ସଂସ୍କୃତିସମ୍ପନ୍ନ ହୁଏ । ଅସଲ ସଂସ୍କୃତିକୁ ଆତ୍ମସ୍ୱ କରିଥିବା ମଣିଷ ଦେଲାବେଳେ ଅନ୍ୟମାନଙ୍କ ତୁଳନାରେ ଅଧିକ ଦିଏ ଏବଂ ନେବା ସମୟରେ ଅନ୍ୟମାନଙ୍କର ତୁଳନାରେ ଯଥାସମ୍ଭବ କମ୍ ନିଏ-। ଅନ୍ୟମାନଙ୍କର ପ୍ରତ୍ୟାଶାଗୁଡ଼ିକୁ ପୂରଣ କରାଇବାରେ ନିମିତ୍ତ ପରି କାର୍ଯ୍ୟ କରେ-। ସାବାଳକ ଅସଲ ନେତା ସେଇଥିରୁ ଆନନ୍ଦ ପାଏ ଏବଂ ରାଜ୍ୟବାସୀଙ୍କର ସର୍ବୋଚ୍ଚ ସ୍ଵୀକୃତି ବି ଲାଭ କରିଥାଏ ।

 

ଓଡ଼ିଶାରେ ଏହି ପ୍ରବଳମାନେ ହିଁ ସାମୂହିକ ଉନ୍ନୟନ ତଥା ବିଧାନର ସକଳ ସଂସ୍ଥାନକୁ ଅତ୍ୟନ୍ତ ସଂସ୍କାରଵର୍ଜିତ ଅସୁନ୍ଦର ଭାବରେ ମାଡ଼ି ବସିଛନ୍ତି । ଜଣେ ମଣିଷ ତାର ସତ ଆତ୍ମାଟି ବୁଝିବା ଭଳି ଆଦୌ କିଛି ହୋଇ ନ ପାରିଲେ ସମ୍ଭବତଃ ଆପଣା ପାଖକୁ ବିଗିଡ଼ି ଯାଇ ବାହାରେ ପ୍ରବଳ ହେବାଦ୍ୱାରା ଏକ କ୍ଷତିପୂରଣର ଆଶ୍ରୟ ନେଇଥାଏ । କ୍ଷମତାକୁ ସିଏ ପ୍ରବଳ ହେବାର ଏକ ବିଶେଷ ସୁଯୋଗ ରୂପେ ଗ୍ରହଣ କରେ । ବୟସରେ ବଡ଼ ହୋଇଥାଏ–ତେଣୁ ନାବାଳକିରେ ବି ଅଧିକରୁ ଅଧିକ ଅବର୍ଜିଆ ଦେଖା ଯାଉଥାଏ । ବିଚରା ବଡ଼ ଦୁର୍ଗତ ଭାବରେ ଆପଣାଟାକୁ ହିଁ ଦେଖୁଥାଏ–ନିଜ ସହିତ ହିଁ ରତିମତ୍ତ ହୋଇରହିଥାଏ । ଏମିତିଆ ପ୍ରବଳମାନେ ଏଠି ରାଜ୍ୟର ରାଜନୀତିର ସରୋବର-ବାଟିକାରେ ପ୍ରାୟ ଗୋଟାଏ ଗୋଟାଏ ରାଘବ ମତ୍ସ୍ୟ ପରି ସନ୍ତରଣ କରିବାରେ ଲାଗିଛନ୍ତି । ବିଦ୍ୟାବିତରଣର ଉଚ୍ଚ ମାହାଲାମାନଙ୍କରେ ସେଇମାନେ ଲମ୍ଵପୁଚ୍ଛ ଏବଂ ଲମ୍ଵମୁଷ୍କ ହୋଇ ବସିଛନ୍ତି, ରାଜ୍ୟଟା ଯାକର ଲକ୍ଷ୍ମୀ ଉଚ୍ଛନ୍ନ ହୋଇ ଯାଉଥିବା ସମୟରେ ସଂସ୍କୃତିର ଗାଡ଼ିଆଗୁଡ଼ିକ ସଂରକ୍ଷିତ ହୋଇ ରହିପାରିବ ବୋଲି ନୂଆ ନୂଆ ଭିଆଣରେ ତକ୍ଷଶିଳା ଏବଂ ନାଳନ୍ଦାମାନଙ୍କର ସ୍ୱପ୍ନ ଦେଖୁଛନ୍ତି । ସବୁଯାକ ସଭା, ସବୁଯାକ ଚର୍ଚ୍ଚା ଏବଂ ସବୁଯାକ ଭାଷଣ ଏଠି ପ୍ରବଳମାନଙ୍କର ହିଁ ଏକଚାଟିଆ ହୋଇ ରହିଛି । ଦିନମାନ ଯାବତୀୟ ହାଟରେ ବହୁବିଧି ଅବୈଧତା ତଥା ଅବିଚ୍ଛେଦତାର ବାହୁପାଶରେ ଲଟରପଟର ହୋଇ ରହିଥିଲେ ମଧ୍ୟ ଏହି ପ୍ରବଳମାନେ ହିଁ ସଂଜ ବୁଡ଼ିଲେ ସଭାମାନଙ୍କୁ ପ୍ରୟାଣ କରୁଛନ୍ତି ଓ ସାକ୍ଷାତ ଗୋପପୁରରୁ ଖାସ୍ ଉତ୍ସାହର ସହିତ ଆସି ପହଞ୍ଚିଥିବା ଗାଈମାନଙ୍କ ପରି ଆମ ଆଗରେ ଆମ ସାଂସ୍କୃତିକ କର୍ତ୍ତବ୍ୟଗୁଡ଼ିକ ସମ୍ବନ୍ଧରେ ହମ୍ବାରଡ଼ି ଦେବାରେ ଲାଗିଛନ୍ତି । ପ୍ରଥମେ ତ ଏସବୁ ରାଜ୍ୟସ୍ତରରେ ରାଜଧାନୀରେ ହିଁ ହେଉଥିଲା, ଏବେ ଜିଲ୍ଲାପାଳମାନଙ୍କର ମାରଫତରେ ଜିଲ୍ଲାୱାରି ହେଲାଣି । ଗୋଟାଏ ଗୋଟାଏ ସହରାଞ୍ଚଳକୁ ମଧ୍ୟ ସଂକ୍ରମିତ ହେବାରେ ଲାଗିଲାଣି । ନାବାଳକମାନେ ଯେ ଆଦୌ ନାବାଳକ ନୁହନ୍ତି, ସେହି ଭେଳିକିଟାଦ୍ୱାରା ସଭାଟା ଚହଟି ଉଠୁଛି । ନିଜ ନିଜ ଆସ୍ଥାନ ଅର୍ଥାତ୍ ଦାୟିତ୍ୱସ୍ଥାନମାନଙ୍କରେ ପାରିଲେ ନାହିଁ ବୋଲି ଯେ ସେମାନେ କ୍ଷତିପୂରଣ ଲୋଡ଼ି ରାତି-ଉତ୍ସବର ନୀପମୂଳଟାକୁ ବରାଦ ଦେଇ ଆସିଛନ୍ତି, ନିରୀହ ପ୍ରଜାମାନେ ସେହି ଅସଲ କଥାଟିକୁ କାହୁଁ ଜାଣନ୍ତେ ?

 

ଏହି ପ୍ରବଳମାନେ ଯେ ସତକୁସତ ନିତାନ୍ତ ନାବାଳକ, ଦେଶବାସୀଙ୍କର ଏହି ସାମୂହିକ ଚଉପାଢ଼ୀମାନଙ୍କରେ ସେହି ସତ୍ୟଟି ଆସି ଅନୁଭୂତ ହେବା ପାଇଁ ପଚାଶ ବର୍ଷରୁ ଅଧିକ ସମୟ ଲାଗିଗଲା । ସେହି ପ୍ରଥମ କାଳରେ ସଂଗ୍ରାମୀମାନେ ଯଦି କାଳକ୍ରମେ ଧର୍ମ ହରାଇ ଏଭଳି ହାସ୍ୟାସ୍ପଦ ହେବେ ବୋଲି ମନସ୍ଥ କରିଥିଲେ, ତେବେ ଦେଶର ଦିଗ୍‍ବଳୟଟା ଉପରେ ଗୋଟିଏ ଭବିଷ୍ୟତର ଉଦାର ଚିତ୍ରକୁ ଥାପି ସେମାନେ କ'ଣ ପାଇଁ ଏଭଳି ବଢ଼ିଆ ସମ୍ବିଧାନଟାଏ ତିଆରି କରିଦେଲେ ? ଏ କଥା କଦାପି କୁହାଯାଇ ପାରିବ ନାହିଁ ଯେ ସେମାନେ ଧୋକାଦେବେ ବୋଲି ସେହି ମୂଳକୁ ହିଁ ମନସ୍ଥ କରି ରଖିଥିଲେ । ହୁଏତ ଏମିତି କହିଦେଇ ହେବ ଯେ, ଭାବପ୍ରବଣ ହୋଇ ସେମାନେ ଯେତେଗୁଡ଼ାଏ ଭାବି ପକାଇଥିଲେ ଅଥବା ଲେଖି ପକାଇଥିଲେ, ନିଜକୁ ସେତିକି ଯାଏ ପ୍ରସ୍ତୁତ କରି ପାରିଲେ ନାହିଁ । ସେହି ବ୍ରିଟିଶ ସମୟରୁ ଯେଉଁ ଶାସନତନ୍ତ୍ରଟା ଦେଶର ଶାସନ କାର୍ଯ୍ୟରେ ପରିକର ହୋଇ ରହିଥିଲା, ଏକ ଯଥେଷ୍ଟ ସଚେତନଙ୍କ ସଂକଳ୍ପସଂପନ୍ନ ନେତୃତ୍ୱ ତାହାକୁ ନୂଆ ଭାରତବର୍ଷରେ କଳ୍ପିତ ନକ୍ସାଟା ଅନୁସାରେ କ୍ରମେ ମଣ କରି ନେଇଥାଆନ୍ତା । ମାତ୍ର ସେ କଥା ହୋଇ ପାରିଲା ନାହିଁ । ଫଳରେ ସମାଜବାଦ, ଗଣତନ୍ତ୍ର, ସାମୁଦାୟିକ ବିକାଶ, ସାର୍ବଜନୀନ ଶିକ୍ଷା, ବିକ୍ରେନ୍ଦ୍ରୀକରଣ ଇତ୍ୟାଦି ସବୁକିଛି କାଗଜପତ୍ରରେ ହିଁ ରହିଗଲା । ବୟସାଧିକ୍ୟ ହେତୁ ମୂଳ ନେତାମାନେ କ୍ରମେ ପାଚିଲା ଫଳ ପରି ପ୍ରାୟ ଅକର୍ତ୍ତବ୍ୟ ହୋଇଆସିଲେ । ପରବର୍ତ୍ତୀ ଦାୟାଦ ରୂପେ ସେମାନେ ଏକ ଅନୁସରଣିଆ ଦଳକୁ ତିଆର କରିଥିଲେ, ଯେଉଁମାନେ କି ଦେଶକୁ ନିର୍ମାଣ କରିବାର ସେହି ମୂଳ ସଂକଳ୍ପଗତ ସଂହତିଟିକୁ ରଖି ପାରିଲେ ନାହିଁ, ଦିନକୁ ଦିନ ଅଧିକ ସ୍ଥାନୀୟ ହେଲେ–ସବାଆଗ ବ୍ୟକ୍ତିଗତ ସ୍ତରରେ ଯଶସ୍ୱୀ ହୋଇ ରହିବାକୁ ବୁଦ୍ଧି ଖଟାଇଲେ ଓ ସେହି ପ୍ରକ୍ରିୟାଟି ଫଳରେ ଅମଲାମାନଙ୍କୁ ମାର୍ଗର ନିର୍ଦ୍ଦେଶନା ଦେବା ପରିବର୍ତ୍ତେ ସେମାନଙ୍କର ମରଜୀ ଉପରେ ହିଁ ନିର୍ଭରଶୀଳ ହୋଇ ରହିଲେ । ନେତୃତ୍ୱଟାର ମନ ଖୁସି କରି ନେତାମାନଙ୍କୁ ମେଣ୍ଢାକରି ଖାସୁ କରି ରଖିବାର ବିଦ୍ୟାଟି ପୃଥିବୀଯାକର ସବୁ ଅମଲାତନ୍ତ୍ରକୁ ଭଲ ଭାବରେ ଜଣାଥାଏ । ସେହି ଚାତୁର୍ଯ୍ୟ ତନ୍ତ୍ରଟି କ୍ରମେ ଆମର ମନ୍ତ୍ରୀ ଓ ପ୍ରତିନିଧିମାନଙ୍କୁ ସତେଅବା ଜଣେ ଜଣେ ସର୍ବୋଚ୍ଚ ଅମଲାରେ ପରିଣତ କରିଦେଲା । ସେମାନଙ୍କ ନିମନ୍ତେ ଅଧିକରୁ ଅଧିକ ମଣୋହି ଖଞ୍ଜି ଦିଆଗଲା-। ସେମାନେ କେତେ ତୋରା ଦିଶିଲେ, ଯୁବାଭଳି ଦେଖାଗଲେ, ବୃକୋଦରର ଦୀପ୍ତି ସହିତ ଗୋଟାଏ ଗୋଟାଏ ବିଶ୍ୱକୋଷର ଭ୍ରମ ଜାତ କରାଇ ଭାଷଣ ଦେଲେ, ଏବଂ ଅସଲ ଔରସଟିର କ୍ଷେତ୍ରରେ ନାବାଳକ ହୋଇ ରହିଲେ ।

 

ସେମାନଙ୍କର ନିଜ ଗୃହଟି ପୂରି ରହିଥିବାରୁ ସେମାନେ ରାଜ୍ୟଟା ଯାକ ମଧ୍ୟ ପୂରି ରହିଛି ବୋଲି ଭାରି ବିକଟ ଭାବରେ ଅନୁଭବ କଲେ । ବଡ଼ଙ୍କଠାରୁ ଅଳପ ବଡ଼ ବି ଶିଖିଲେ–ସାନଙ୍କ ଯାଏ ଯାଇ ପହଞ୍ଚିବାକୁ ଲାମ୍ପଟ୍ୟଗୁଡ଼ାକୁ ଆଦୌ ଡେରି ଲାଗିଲା ନାହିଁ । କୋଟି କୋଟି ଟଙ୍କା ଆସିଲା, ନେତୃତ୍ୱଟାର ବୈଠକଖାନାଟି ଭର୍ତ୍ତି ଓ ଆହୁରି ଭର୍ତ୍ତି ହୋଇ ଦିଶୁଥିବା ସଙ୍ଗେ ସଙ୍ଗେ ରାଜକୋଷଟା ଯେ ଖାଲି ହୋଇ ଯାଉଥିଲା, ସେହି ସତ୍ୟଟା ଏବେ ଯାଇ ପ୍ରକଟ ହେଲା । ଚାକିରିଆମାନେ ରାଜ୍ୟଟାକୁ ଖାଇଗଲେ । ଉତ୍ସବର ଆୟୋଜନ କରାଯାଇ ଥାନ ଅଥାନରେ ଏତେ ଏତେ ଗଛ ଲଗାଗଲା, ତଥାପି ଦେଶଟାଯାକ ତୁଚ୍ଛା ପଡ଼ିଆ ପଡ଼ିଥିବା ପରି ଦେଖାଗଲା । କୋଟି କୋଟି ଟଙ୍କା କରଜ ହୋଇ ଭଳିଭଳି କାରଖାନା ବସିଲା, ମାତ୍ର ଉତ୍ପାଦନ ତଥା ଉପାର୍ଜନ ଘରେ ଚିଲମାନେ ଉଡ଼ିଲେ । ବିଜ୍ଞାନକୁ ଲଙ୍ଗଳରେ ଯୋଚି କୃଷି-ମାହାଲଗୁଡ଼ାକୁ ଅଧିକ ଫଳପ୍ରସୂ କରାଇ ଅମାର ପରେ ଅମାର ଭର୍ତ୍ତି ହୋଇଗଲା । ତଥାପି ଅନାହାର କଷ୍ଟରେ ମଣିଷମାନେ ମଲେ-। ଆମର କେଉଁ ପାପ ଫଳରେ ଭଗବାନ ଆମ ଉପରେ କ୍ରୋଧ କରିବାରୁ ଯେ ଏପରି ହେଲା ସେ କଥା ଆଦୌ ନୁହେଁ । ନାବାଳକ ନେତୃତ୍ୱଟା ଆମକୁ ବାରମ୍ବାର ବହୁ ଚାତୁର୍ଯ୍ୟ ସହିତ ଓଡ଼ିଶାରେ ଏତେ ପ୍ରାକୃତିକ ସମ୍ପଦ ଭରପୂର ହୋଇ ରହିଥିଲେ ମଧ୍ୟ ଆମେ ଏଠାରେ ଯେ ଏତେ ଦରିଦ୍ର ହୋଇ ରହି ଆସିଛୁ ବୋଲି କହି ଆସିଛୁ, ତାହା କ'ଣ କେଉଁ ଭଗବାନଙ୍କର ଆମ ପ୍ରତି କୁଦୃଷ୍ଟି ହେତୁ ହୋଇଛି ? ଏଠି ଶାସନରେ ଏ ଦଳ ଯାଇ ସେ ଦଳ ଆସିଛନ୍ତି, ଯିଏ ଯେତେବେଳେ ଲାଭଦାୟକ ମଣୁଛି, ସିଏ ସେତେବେଳେ ଯାହାକୁ ମନ ହେଲା ତା’ ସହିତ ଗଅଁଠାଇ ହୋଇଯାଉଛି-। କିନ୍ତୁ ଦୁର୍ଭାଗ୍ୟଗୁଡ଼ାକ ତଥାପି ଦୂରୀଭୂତ ହେଉ ନାହାନ୍ତି । ଥୋକେ ରହିଛନ୍ତି, ଯେଉଁମାନେ ପ୍ରାୟ ଏକ ମହାଭକ୍ତିର ଅବତାରଣା କରାଇ ଜଣେ ବିଶିଷ୍ଟ ଦେବତା ହିଁ ଓଡ଼ିଶାର ଖବର ବୁଝିବା ନିମନ୍ତେ ଏଠି ବିରାଜିତ ହୋଇ ରହିଛନ୍ତି ବୋଲି ଘୋର ଗାମ୍ଭୀର୍ଯ୍ୟର ସହିତ କହିବାରେ ଲାଗିଛନ୍ତି । ତଥାପି କେଉଁଠି କଣାମାନେ ରହିଛନ୍ତି କେଜାଣି, ଏଠି ସମସ୍ତେ ନାବାଳକ ସାବ୍ୟସ୍ତ ହେଉଛନ୍ତି ଓ ନିଦାରୁଣ ନାନା ଅସମର୍ଥତାକୁ ଏଠାରେ ବଳବତ୍ତର ରଖିଛନ୍ତି । ଅସଲ ଶକ୍ତି ତଳେ ଥାଏ, ଏକ ସାବାଳକ ନେତୃତ୍ୱ ତାହାକୁ ହିଁ ଠୁଳ କରିଆଣେ ଏବଂ ବାଟ ଦେଖାଇ ଆଗକୁ ଚାଲେ । ଓଡ଼ିଶାରେ ତଳଟା ଭାରି ଅଗଠିତ ଏବଂ ଅଚେତନ ହୋଇ ରହିଛି କି ? ବିଗତ ଶହେ ବର୍ଷର ପ୍ରସ୍ତୁତକାଳରେ ଓଡ଼ିଶାରେ ଯାହାକିଛି ତତ୍ପରତା ପ୍ରକାଶ ପାଇଛି, ସେସବୁ ଉପରେ ଆସି ଖତମ ହୋଇଯାଇଛି କି-? ପୁରୁଣା ଓ ଅକାମୀ ହୋଇଥିବାରୁ କ'ଣ ସବୁ ବିଦାୟ ନେଇ ଯିବ ଏବଂ ସତକୁସତ ଅସଲ ପ୍ରତିଶ୍ରୁତିଗୁଡ଼ିକ ବହନ କରୁଥିବାରୁ କେଉଁଗୁଡ଼ିକ ଅବଲମ୍ବନ କରି ଉଦ୍‍ବେଳନଟିଏ ସମ୍ଭବ କରାଯିବ, ଏଠାରେ ନେତୃତ୍ୱମାନେ କେବଳ ନିଜକୁ କେନ୍ଦ୍ରରେ ରଖି ବାୟା ହୋଇ ପଡ଼ୁଥିବାରୁ ହୁଏତ ସେହି କଥାଟିକୁ ଆଦୌ ଠଉରାଇ ପାରି ନାହାନ୍ତି । ଭାବଗୁଡ଼ିକ, ଯଥାର୍ଥ ସଂକଳ୍ପଗୁଡ଼ିକ ଭାବପ୍ରବଣତା ଭିତରେ ବଡ଼ ଶୋଚନୀୟ ଭାବରେ ଫୁସ୍‍କି ଯାଇଛନ୍ତି ।

 

ତେଣୁ ଅସଲ ଜାଗୃତି ତଳୁ ହେବ । ତଳେ ହିଁ ଅସଲ ସାବାଳକତାର ବିହନ ପଡ଼ି ପାରିବା ନିମନ୍ତେ ଜମି ପାଗ ହେବ । ଗଣତନ୍ତ୍ର ଏକ ସମ୍ବିଧାନକୁ ସମଗ୍ର ଦେଶ ଗ୍ରହଣ କରି ନେଇଥିବାରୁ ଓଡ଼ିଶାରେ ସାମନ୍ତବାଦୀ ଯାବତୀୟ ଅନ୍ୟମନସ୍କତାକୁ ବର୍ଜନ କରିବାକୁ ହେବ । ଆମ ନାବାଳକ ନେତାମାନେ ପ୍ରାୟ ସମସ୍ତେ ଗାଁରେ ହିଁ ଜନ୍ମ ହୋଇଥିଲେ ମଧ୍ୟ ସାଧାରଣ ଜୀବନ ଭିତରକୁ ସେମାନଙ୍କର ଆଖି ଫିଟିବା ମାତ୍ରକେ ସେମାନେ ସହରମୁଁହା ହୋଇ ଏଣେ ଚାଲି ଆସୁଛନ୍ତି । ପାଠୁଆମାନେ ଏହି ସହର କନିଆଟାର ଲାଳସାରେ ପଡ଼ି ଯାଉଛନ୍ତି । ବଡ଼ ଅପମାନଜନକ ଭାବରେ ହେଲେ ମଧ୍ୟ ଏଠି ଘରଜୁଆଇଁ ହୋଇ ରହୁଛନ୍ତି । ମାଟି ଛାଡ଼ି ଯାଉଛନ୍ତି । ତେଣୁ ରାଜନୀତି, ଶିକ୍ଷା, ଅର୍ଥ, ବୁଦ୍ଧି ଓ ଆଉ ସବୁକିଛି ଏହି ସହରର ତଥାକଥିତ ଉଚ୍ଚାଶାଗୁଡ଼ିକର ଆକାଶରେ ଉଡ଼ୁଛି ସିନା, କୋଉଠି ଖୋଜେ ମଧ୍ୟ ମାଟିକୁ ଆଦରି ନେଇ ପାରୁ ନାହିଁ । ଏଠା ମିଛ ଭରସାଗୁଡ଼ାକର ବିପଣିମାନଙ୍କରେ ପଣ୍ୟ ରୂପେ ବ୍ୟବହାର ହେଉଛି ସିନା, ତେଣେ ଅସଲ ଭୂମି ତଥା ଅସଲ ଭାଗ୍ୟଟି ନିମନ୍ତେ ଆଦୌ କୌଣସି କାମର ହୋଇ ପାରୁନାହିଁ । ତେଣୁ ଗାଁରୁ ସବୁଯାକ ଚେର ଛିଣ୍ଡି ଯାଉଛି ଓ ଏଠି ବିକଳ୍ପ ଏବଂ ସୁସ୍ଥ ଅନ୍ଦାଜଟିଏ ସମ୍ଭବ ହୋଇପାରୁନାହିଁ,–ଓଡ଼ିଶାରେ ପ୍ରାୟ ସର୍ବବିଧ ନେତୃତ୍ୱକୁ ସଂପ୍ରତି ସେହି ଦୁର୍ଦ୍ଦଶା ଘୋଟି ରହିଛି । ଏବଂ, ଅସଲ ଖିଅଗୁଡ଼ିକଦ୍ୱାରା ଭୂମିଟି ସହିତ ଯୋଡ଼ି ହୋଇ ରହିବାରେ ଏହି ମୂଳଭୂତ ଅସମର୍ଥତା ଏବଂ ତଜ୍ଜନିତ ଅସହାୟତାବୋଧ ଆମ ନେତୃତ୍ୱଗୁଡ଼ିକୁ ପ୍ରାୟ ଏକ ବ୍ୟାଧି ମାଡ଼ି ବସିଲା ପରି ଆତ୍ମକାମୀ ଏବଂ ତେଣୁ ଅଳ୍ପ ହୋଇ ରହିବା ଲାଗି ଖଳ ଉତ୍ସାହଗୁଡ଼ିକ ଆଣି ଯୋଗାଇ ଦେଉଛି କି ? ହୁଏତ ସେହି କାରଣରୁ ଉପରେ ଅଣ୍ଟାଗୁଡ଼ାକରେ ସୀମା ନାହିଁ, ମାତ୍ର ଭିତରେ ଅନ୍ଧାରଟି ମୋଟେ ଦୂର ହୋଇ ପାରୁନାହିଁ ।

 

୧୦.୪.୦୧

☆☆☆

 

ନାବାଳକ ନେତୃତ୍ୱ (୪)

 

ସାହିତ୍ୟ ବି ନେତୃତ୍ୱ ଦିଏ । ସାହିତ୍ୟ କ୍ଳୀବତା ଭାଙ୍ଗେ, ଜଡ଼ତା ଦୂର କରେ । ଏଭଳି ଏକ ସାହିତ୍ୟ ବି ରହିଛି ଯାହା ଶୁଆଇ ପକାଏ, ଅଫିମ ପରି କାର୍ଯ୍ୟ କରେ । ଅନେକ ସାହିତ୍ୟ ରହିଛି, ଯାହା ମୂଳତଃ ଆମର ଚିଦ୍‍ବିଳାସ ପାଇଁ ତିଆରି ହୋଇଥାଏ । ଏଭଳି ଲେଖକ ମଧ୍ୟ ଅନେକ ରହିଛନ୍ତି, ଯେଉଁମାନେ କି ପାଠକମାନଙ୍କୁ ଘଡ଼ିଏ ଆମୋଦ ଦେବାକୁ କେତେ କଣ ଲେଖିଦିଅନ୍ତି । ଆଗକାଳରେ ରାଜାମାନେ କବିମାନଙ୍କୁ ସଭାରେ ବସାଇ ଯେଉଁ ସାହିତ୍ୟ–ଆପ୍ୟାୟନର ଖାସ୍ ବ୍ୟବସ୍ଥାମାନ କରୁଥିଲେ, ତାହା ପ୍ରଧାନତଃ ପୁଲକ ଦେଉଥିଲା, ଚିତ୍ତକୁ ମଜାଇ ରଖୁଥିଲା । ସାହିତ୍ୟ ଚାରିପାଖରେ ଆହ୍ଵାନମାନେ ରହିଥାଆନ୍ତି । ସେଗୁଡ଼ିକ ସର୍ବଦା ନାନା ସ୍ତରର ହୋଇଥାଆନ୍ତି । କେଉଁ ଲେଖକ କେଉଁ ସ୍ତରର ଆହ୍ୱାନକୁ ଗ୍ରହଣ କଲା ଏବଂ ନିଜର ଆୟତନ ଭିତରେ ସେହି ଆହ୍ୱାନଟି ଅନୁସାରେ ଏଇଟା ବା ସେଇଟା ଲେଖିବାକୁ ମନ କଲା, ସେଥିରୁ ଆମେ ଜଣେ ଲେଖକର ଥାକଟିକୁ ମଧ୍ୟ କେତେ ପରିମାଣରେ ନିରୂପଣ କରିପାରିବା । ଆହ୍ଵାନଟିଏ ରହିଛି ବୋଲି ଘ୍ରାଣ କରି ତାହାର ସମ୍ମୁଖୀନ ହେବା ଏବଂ ଆହ୍ଵାନଟିଦ୍ୱାରା ସତେଅବା ବିଚଳିତ ହୋଇ ସେଇଟି ପାଖରୁ ପଳାଇଯିବା–ଦୁଇଟିଯାକ ଆଦୌ ଗୋଟିଏ କଥା ନୁହେଁ । ଓଡ଼ିଶାରେ ଯେ ସ୍ୱାଧୀନତା ପୂର୍ବରୁ ସବୁ ଲେଖକ ଆମର ଏହି ଭୂଇଁ ଉପରକୁ ଏକ ନୂତନ ଉଦ୍‍ବେଳନର ଆହ୍ୱାନ ଆସିଛି ବୋଲି ସଚେତନ ଥିଲେ ଏବଂ ସେହି ଅନୁସାରେ ନିଜର ସାହିତ୍ୟସାମର୍ଥ୍ୟର ବାଟଟିକୁ ବାଛି ନେଇଥିଲେ, ସେକଥା ଆଦୌ ନୁହେଁ । ତଥାପି ମୁଖ୍ୟ ପ୍ରବାହ ଏବଂ ମୁଖ୍ୟ ସଚଳତାଗୁଡ଼ିକୁ ଅବଲୋକନ କଲେ କୁହାଯାଇପାରିବ ଯେ, ସେତେବେଳେ ସବଳତମ ଆବେଦନଟି ଏକ ନୂତନ ସଂକଳ୍ପ, ନୂତନ ସମ୍ଭାବନା ଓ ନୂତନ ଅଙ୍ଗୀକାରବଦ୍ଧତାର କଥା ହିଁ କହୁଥିଲା । ଏକ ବିଶେଷ ବ୍ୟଞ୍ଜନା ଦେଇ ସେତେବେଳେ ମଧ୍ୟ ଆଲୋଚକମାନେ ତାହାକୁ ଜାତୀୟତାବାଦୀ ଯୁଗ ବୋଲି କହୁଥିଲେ । ଜାତୀୟସ୍ତରରେ ମୁକ୍ତି ଲାଗି ସଂଗ୍ରାମଟିଏ ଦାନା ବାନ୍ଧି ଆସୁଥିଲା, ସାମୂହିକ ଜୀବନରେ ମଣିଷମାନେ ସବାଆଗ ଦେଖା ଯାଉଥିଲେ । ସମ୍ଭବତଃ ମଣିଷମାନେ ସବାଆଗ ଦେଖାଯାଉଥିଲେ ବୋଲି ଏହି ଭୂମିଟା ପବିତ୍ର ବୋଲି ଲାଗୁଥିଲା । ଆମେ ନିଜକୁ ସେହି ଭୂମିର ସନ୍ତାନ ବୋଲି କହି ଭାଗ୍ୟଶାଳୀ ମଣୁଥିଲୁ । ସର୍ବୋପରି, ସେହି ଉଚ୍ଚାଟନାଟି ନିମନ୍ତେ ହିଁ ଭାରତବର୍ଷ ତଥା ଉତ୍କଳକୁ ଅନ୍ତର ମଧ୍ୟରେ ଖିଅଟାଏ ବାନ୍ଧି ଦେଇ ଜନନୀ ବୋଲି କହୁଥିଲୁ ।

 

ଏହି ଭୂମିକୁ ନିଜର ବୋଲି କହିବା, ନିଜକୁ ଏହି ଭୂମିର ସନ୍ତାନ ବୋଲି ମଣିବା, ଅର୍ଥାତ୍ ଆପଣାକୁ ତଳକୁ ନେଇଆସି ଏଠାକାର ସବୁ ମଣିଷଙ୍କ ସହିତ ସାମିଲ ହେବା,–ସେମାନଙ୍କୁ ଏକତ୍ର ସମ୍ମୁଖରେ ଉତ୍ତୋଳିତ କରି ଧରି ଅଭୂତପୂର୍ବ ଉତ୍ସାହରେ ଏବଂ ପୁଲକରେ ବୃହତ ସ୍ଵପ୍ନମାନ ଦେଖିବା,–ସେଗୁଡ଼ିକ ବାସ୍ତବ ହୋଇ ଆସିବାର ସମୟ ହୋଇ ଆସିଲାଣି ବୋଲି ସମସ୍ତେ ଶୁଣିଲା ଭଳି ଘୋଷଣା କରିବା । ଏହି ନୂତନ ଉନ୍ମୀଳନଟିରେ ସ୍ୱୟଂ ଭାଗ ନେବା । ଯୁଗଯୁଗର ଅସମାନତା ଯିବ, ଉପେକ୍ଷା ଚାଲିଯିବ,–ପୁରୁଣାମାନେ ଯିବେ ଏବଂ ନାନା ନୂତନ ପ୍ରତିଶ୍ରୁତିରେ ସମସ୍ତେ ଗୋଟିଏ ନିୟତିର ବାହୁବେଢ଼ ଭିତରେ ଆସି ଛିଡ଼ା ହେବେ, ବାଧାମାନଙ୍କୁ ଭାଙ୍ଗିବେ, ସକଳ ଅର୍ଥରେ ସମଗ୍ର ଭୂମି ଏକ ଦ୍ୱିତୀୟ ଜନ୍ମଲାଭ ନିମନ୍ତେ ସାହସୀ ହେବ ଓ ପରସ୍ପରକୁ ପ୍ରତ୍ୟୟ ଦେଇ ଆଗକୁ ଗୋଡ଼ କଢ଼ାଇବ । ସ୍ୱାଧୀନତା ପରେ ସାହିତ୍ୟରେ ମଧ୍ୟ ଠିକ୍ ଏହିଭଳି ଏକ ନେତୃତ୍ୱର ଅପେକ୍ଷା ରହିଥିଲା । ସତେଅବା ସେହି ପରିପୂର୍ଣ୍ଣତା ନିମନ୍ତେ ହିଁ ଏକାଧିକ ଦଶକର ପ୍ରସ୍ତୁତି ମଧ୍ୟଦେଇ ଓଡ଼ିଆ ସାହିତ୍ୟରେ ଆଗରୁ ଗୋଟିଏ ଆଧୁନିକ ଯୁଗ ଆପଣାକୁ ପୋଖତ କରି ଆଣୁଥିଲା; କିନ୍ତୁ ୧୯୪୭ ପରେ ସେହି ନାମଟିକୁ ପ୍ରାୟ ହଡ଼ପ କରିନେଇ ଯେଉଁ ଆର ଆଧୁନିକ ଯୁଗଟି ଆମ ସାହିତ୍ୟର ଆକାଶରେ ଲାଞ୍ଜଗୁଡ଼ାକୁ ଆଣି ବିଛାଇଦେଲା ଏବଂ ଏହି ଭୂଇଁଟାକୁ ଅବାକ୍ କରିଦେଲା, ସେଇଟା ପ୍ରକୃତରେ କାହାର ବରାଦରେ ଆସି ପହଞ୍ଚିଗଲା କେଜାଣି ? ପଛ ସହିତ ସୂତାଗୁଡ଼ିକ ଗୋଟାସୁଦ୍ଧା ଛିଣ୍ଡିଗଲେ । ନୂଆ ସାହିତ୍ୟ ରାନ୍ଧିବାକୁ ସେମାନେ ହାଣ୍ଡି କୁଣ୍ଡେଇ, ଚାଉଳ ଡାଲି ସବୁକିଛି ଶିକାବାହୁଙ୍ଗିରେ ବୋଝେଇ କରି ଏଠାରେ ଆସି ପହଞ୍ଚିଲେ ଓ ବର୍ତ୍ତମାନ ନିମନ୍ତେ ଆମେ ହିଁ ତେଣୁ ଆଜ୍ଞାମାଳ ନେଇ ଆସିଛୁ ବୋଲି ଆମକୁ ପ୍ରାୟ ତୋଡ଼ ଦେଖାଉଥିବା ପରି କହିଲେ । ରଜା ପରି ସତେ ଅବା ପ୍ରଜାମାନଙ୍କ ଘରେ ଯାଇ ପଶିଗଲେ । ତା'ପରେ ସେଇଆଡ଼ୁ ସାଙ୍ଗରେ ଆଣିଥିବା ବ୍ୟାକରଣଟା ଅନୁସାରେ ସାହିତ୍ୟ ଲେଖି ଗଦା କରିଦେଲେ । ସେମାନେ ଯାହାକିଛି ଓଡ଼ିଆ ଭାଷାରେ ଲେଖିଥିଲେ ବୋଲି ସେମାନେ ଗଢ଼ି ଦେଉଥିବା ସାହିତ୍ୟକୁ ଓଡ଼ିଆ ସାହିତ୍ୟ ନୁହେଁ ବୋଲି କହି ହେଉନଥିଲା । ଓଡ଼ିଆ ଭାଷାର ଦେହଟା ଉପରେ ସେମାନେ ତେଣୁ ଆଣିଥିବା ବିଚିତ୍ର ନୋଥ ବସଣିଗୁଡ଼ିକୁ ଲଗାଇବା ପାଇଁ ଯେଉଁଠି ମନ ସେଠି ଛୁଞ୍ଚି ମାରି ଫୋଡ଼ିଦେଲେ ଏବଂ ସେହି ଜାଗାମାନଙ୍କୁ ସେହି ଦେହଟାର ନାକ ଓ କାନ ବୋଲି କହିଲେ । ଆମ ଅନେକଙ୍କୁ ବି ସେହିଭଳି କହିବାକୁ ପରାମର୍ଶ ଦେଲେ ।

 

ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଶାରେ ସେହି ସାହିତ୍ୟ ଆଉ କି ନେତୃତ୍ୱ ଦେଇଥାଆନ୍ତା ? ସେମାନେ ଯେ ପାଶ୍ଚାତ୍ୟ ଜୀବନମୂଲ୍ୟଗୁଡ଼ିକୁ ସାହିତ୍ୟର ମାଧ୍ୟମ କରି ଆମ ପାଖକୁ ନେଇ ଆସିବେ ବୋଲି ଏଭଳି କଲେ, ସେକଥା ଆଦୌ ନୁହେଁ । ମରମ-କଥାଟାଏ ଏକାବେଳେକେ ଭିନ୍ନ ବୋଲି ଧରା ପଡ଼ିବାକୁ ମୋଟେ ଡେରି ହେଲାନାହିଁ । ଇଂରେଜ ଶାସନ ସିନା ଯାଇଥିଲା, ଏବଂ ସେମାନଙ୍କ ଅନ୍ତେ ଯେଉଁ ବିଶେଷ ସ୍ୱାର୍ଥମାନେ ସ୍ୱାଧୀନ ଭାରତରେ ମଧ୍ୟ ଇଂରେଜଙ୍କ ପରି ସାଆନ୍ତ ହୋଇ ରହିବାକୁ ତଥାପି ମନ କରୁଥିଲେ, ନାନା ଅନ୍ୟ ଫିକର ଓ ଅନ୍ୟ ଦିମାକ ମଧ୍ୟରେ ଏଠି ସାହିତ୍ୟକୁ ମଧ୍ୟ ସେହି ମତଲବରେ ଆଧୁନିକ ବୋଲି କହି ଏହି ଭୂଇଁର ପିଠିଟା ଉପରେ ମଡ଼ାଇ ଦିଆଯାଇଥିଲା । ଏହି ସ୍ୱାର୍ଥଟା ଏକାଧିକ ଅର୍ଥରେ ଏବେ ମଧ୍ୟ ସାଆନ୍ତ-ଥାନରେ ବସିଛି । ସରକାରୀ ଉଚ୍ଚ ତନ୍ତ୍ରଗୁଡ଼ାକୁ ଆବୋରି ରଖିଛି, ଆମ ବିଶ୍ୱବିଦ୍ୟାଳୟମାନଙ୍କୁ ଆବୋରି ରହିଛି–କ୍ରମେ ଏକାବେଳେକେ ଶିକ୍ଷାରେ ସେହି ଅବିବେକ ଏବଂ ଉଗ୍ରତାଗୁଡ଼ାକୁ ଆମ ପ୍ରାଥମିକ ସ୍ତରରେ ଶିକ୍ଷାବ୍ୟବସ୍ଥା ଭିତରକୁ ପ୍ରବିଷ୍ଟ କରାଇ ଆଣିବ ବୋଲି କେତେ ତଦବିର କରିପାରୁଛି । ଏମାନଙ୍କୁ ଓଡ଼ିଆ ଭାଷା ବି ଆସୁନାହିଁ । ଓଡ଼ିଆ ଭାଷାକୁ ସତେଅବା ଦାସଦାସୀଙ୍କର ଭାଷା ବୋଲି ନାକ ଟେକି କାଳିଦାସୀୟ ନାଟକରେ ସମ୍ଭ୍ରାନ୍ତମାନଙ୍କ ପରି ଏକାଳରେ ସଂସ୍କୃତ ବୋଲି ମଣି ଇଂରାଜୀରେ ଚହଲପହଲ ହେଉଛି । ତା' ସାହିତ୍ୟ, ଓଡ଼ିଆରେ ଲେଖା ହୋଇଥିବା ସାହିତ୍ୟଟା ଭିତରେ ବି ସେହି ଚହଲପହଲଟା ହିଁ ସବାଆଗ ଧରାପଡ଼ି ଯାଉଛି । ସ୍ୱାଧୀନ ଭାରତରେ ଓ ସ୍ୱାଧୀନ ଓଡ଼ିଶାରେ ତ ପାଶ୍ଚାତ୍ୟ ଜୀବନ ମୂଲ୍ୟଗୁଡ଼ିକର ପ୍ରେରଣା ଆମର କ୍ରମେ ଅଧିକରୁ ଅଧିକ କାମରେ ଆସିବ, ଆମକୁ ଆମ ଘରଟିକୁ ସୁନ୍ଦର କରି ତିଆରି କରିବାରେ ବହୁତ ଖୋରାକ ଆଣିଦେବ । ମାତ୍ର, ଏହି ସାମନ୍ତମାନେ ମୋଟେ ତାହାର ନିମିତ୍ତ ହୋଇ ପାରିବେ ନାହିଁ । ଆମ ଘରେ ଆମ ଉପରେ ସତେଅବା ସବୁଦିନେ ଭାଗ୍ୟବନ୍ତ ହୋଇ ବସିବାକୁ ମନ କରିଥିବା ଏମାନେ ଦାଣ୍ଡଟାକୁ ମଧ୍ୟ ଆମଲାଗି ଭଣ୍ଡୁର କରି ଦେଉଥିବେ ।

 

ପାଶ୍ଚାତ୍ୟ ସଂସ୍କୃତିର ଜୀବନମୂଲ୍ୟଗୁଡ଼ିକ ଆଡ଼କୁ ଅବଲୋକନ କଲେ ତତ୍‍କ୍ଷଣାତ୍ ମନେ ହୋଇଥାଏ, ଆମେ ଓଡ଼ିଶାରେ ଓଡ଼ିଆ ସାହିତ୍ୟରେ ସେଗୁଡ଼ିକ ସହିତ ପ୍ରକୃତରେ କେତେ ଅଳ୍ପ ପରିଚିତ ହିଁ ଅର୍ଜନ କରି ପାରୁଛୁ ! ଆଧୁନିକ ବିଜ୍ଞାନ-ଚିନ୍ତା, ସମାଜରେ ପ୍ରତ୍ୟେକ ବ୍ୟକ୍ତିକୁ ତା'ର ଯଥାସମ୍ଭବ ପୂର୍ଣ୍ଣବିକାଶ ନିମନ୍ତେ ଆବଶ୍ୟକ ସୁଯୋଗଗୁଡ଼ିକର ଏକ ସୁନିଶ୍ଚିତ ଭରସା, ପରସ୍ପର ପ୍ରତି ଏକ ଦାୟିତ୍ୱବୋଧ, ବ୍ୟକ୍ତି ହିସାବରେ ପ୍ରତ୍ୟେକ ବ୍ୟକ୍ତିର ସମ୍ମାନ, ବିଗତ ଶତାବ୍ଦୀଟି ମଧ୍ୟରେ ସେଗୁଡ଼ିକ ଏଠାରେ ଆମ ଘରେ ଆସି ପ୍ରବେଶ କରିବାଲାଗି ହୁଏତ କୌଣସି ସୁବିଧା ଲାଭ କରିନାହିଁ । ଶ୍ରମର ମର୍ଯ୍ୟାଦା, ଯୋଗ୍ୟତାକୁ ହିଁ ସ୍ୱୀକୃତି ପ୍ରଦାନ,–ଏସବୁ ଏଠି ଆମ ଜୀବନରେ ପ୍ରାୟ କୌଣସି ସକ୍ରିୟ ବ୍ୟାକୁଳତା ସୃଷ୍ଟି କରିନାହାନ୍ତି । ଏପରିକି, ଓଡ଼ିଶାରୁ ଯେଉଁ ଭାଗ୍ୟବନ୍ତମାନେ ପଶ୍ଚିମ ଜଗତକୁ ଯାଇ ତେଣେ ବର୍ଷ ବର୍ଷ ରହି ବିଦ୍ୟାବନ୍ତ ହୋଇ ଫେରିଛନ୍ତି, ସେମାନେ କେଡ଼େ ସନ୍ତର୍ପଣରେ ନିରାଟ ସୁବିଧାବାଦଗୁଡ଼ିକର ଆହ୍ୱାନ ମାନି ଆମ ପୁରାତନ ଗୁଳାଗୁଡ଼ିକ ଭିତରେ ଖାପ ଖାଇ ଯାଇଛନ୍ତି,–ବରଂ ତେଣୁ ଅଧିକ ଚତୁର ହୋଇ ଆସିଥିବା ପରି ଏଠି ସାମନ୍ତବାଦଟାକୁ ବାହାହୋଇ ପଡ଼ିଛନ୍ତି ଏବଂ ସେହି ପୁରୁଣା ଅସନା ଅସମାଜିକ କାଇଦାରେ ହିଁ ଆମ ସମାଜର ଅନ୍ଧାରଗୁଡ଼ିକରୁ ଫାଇଦା ଉଠାଇଛନ୍ତି । ଆଧୁନିକ ଓଡ଼ିଆ ସାହିତ୍ୟ ଏହିସବୁ ଅସଲ ଉପାଦାନକୁ ବାଦ ଦେଇ ପାଶ୍ଚାତ୍ୟ ସାହିତ୍ୟର କେତେଟା ଶୈଳୀ ବା ଠାଣିକୁ ହିଁ ତେଣୁ ଦୁହିଁ ଆଣିଛି ଓ ଆମ ସାହିତ୍ୟରେ ସତେଅବା ଏକ ନୂତନ ଅନ୍ନପ୍ରାସନ କରାଉଥିବା ପରି ଅନୁଭବ କରିଛି । ପ୍ରାୟ ଏକ ଅସାହିତ୍ୟିକ କୁମନ୍ତ୍ରଣାର ସାହାଯ୍ୟ ନେଇ ସମାଜଟା ଅର୍ଥାତ୍‍ ସମ୍ବନ୍ଧଟା ଯେଉଁପରି ସେହିପରି ରହିଥାଉ ଅର୍ଥାତ୍ ଧୋବମାନେ, ସାହେବମାନେ ହିଁ ସବା ଉପରେ ଥାଇ ଅପର ସକଳଙ୍କୁ ଅତ୍ୟନ୍ତ ନୈପୁଣ୍ୟ ସହିତ ଭୋଗ କରୁଥାନ୍ତୁ ବୋଲି ସିଏ ଭାରି ଆଣ୍ଟର ସହିତ ସ୍ୱୀକାର କରିନେଇଛି ଏବଂ ଏକାବେଳେକେ ଏକ ଅନ୍ୟ ଅଳିନ୍ଦକୁ ସାହିତ୍ୟ ତଥା ସୃଜନଶୀଳତାକୁ ନିର୍ବାସିତ କରି ନେଇଯାଇଛି । ସାହିତ୍ୟ ଜୀବନଠାରୁ ଅଲଗା ଏକ ଖାସ୍ ପବିତ୍ର ରାଜ୍ୟ ବୋଲି ଘୋଷଣା କରି ସିଏ ତାହାରି ଭିତରେ ନାଗର ସାଜିଛି । ମୋଟେ ବିସ୍ମିତ ହେବା ଉଚିତ ନୁହେଁ ଯେ ସାଂପ୍ରତିକ ଆମ ସମାଜର ପ୍ରଧାନତଃ ଏହି ଧୋବ ଏବଂ ଐକାନ୍ତିକମାନେ ହିଁ ପ୍ରାୟ ଏକ ରାଜକୀୟ ରସହୀନତା ସହିତ ଏଠି ଆଧୁନିକ ସାହିତ୍ୟର ବରିଷ୍ଠ ପ୍ରତିନିଧି ହୋଇ ରହିଛନ୍ତି । ରାଜଧାନୀରେ ଏମାନଙ୍କର ଗୋଟାଏ ଗୋଟାଏ ପୁସ୍ତକ ଉନ୍ମୋଚନର ଅବସରଟାଏ ସତେଅବା କୋଉ ସାଧବଘରର ବିବାହ ଅନୁଷ୍ଠାନର ଭୋଜି ସଭାକୁ ମନେପକାଇ ଦେଉଛି ଓ ସାହିତ୍ୟ ପାଖରୁ ହୃଦୟଗୁଡ଼ିକୁ ହୁଡ଼ି ଯିବାଲାଗି ସତେଅବା ବହୁ ଭ୍ରମ ସୃଷ୍ଟି କରିବାକୁ ମନ କରୁଛି ।

 

ଏହି ସାହିତ୍ୟ ଯେ ସ୍ୱାଧୀନତା ପରବର୍ତ୍ତୀ ଭାରତବର୍ଷକୁ ସାବାଳକ ନେତୃତ୍ୱ ବୋଲି ଆଦୌ କିଛି ଦେଇ ପାରିନଥାନ୍ତା, ଆମ ଓଡ଼ିଶାରେ ବିଗତ ଚାରି ପାଞ୍ଚ ଦଶକର ଦୁର୍ଗତ କାଳଟା ତାହାହିଁ ପ୍ରତିପାଦିତ କରିଦେଉଛି । ଏହି କାଳଟା ଗୋଟା ଦେଶଟା ପାଇଁ ନାନା ଦୁର୍ଗତିର କାଳ, ମାତ୍ର ଧୋବମାନଙ୍କ ପାଇଁ ଉଚ୍ଚପାଠୁଆ ଆଧୁନିକମାନଙ୍କ ନିମନ୍ତେ ଏକ ସମ୍ପୂର୍ଣ୍ଣ ପାଳକର ସମୟ । ଏହି ସମୟଟା ପ୍ରକୃତରେ ଆମ ଉଚ୍ଚ ଅମଲାମାନଙ୍କ ପାଇଁ ପାଳକ, ଧୋବମାନଙ୍କ ପାଇଁ ପାଳକ ଏବଂ ସାମନ୍ତମାନଙ୍କ ପାଇଁ ପାଳକ । ଭିତରେ ଆପଣା ପାଖରେ କେଉଁଠି ମୁହଁ ଦେଖାଇ ପାରୁନଥିଲେ ଜଣେ ମଣିଷ ବାହାରେ ପ୍ରଚଣ୍ଡ ହୋଇଥାଏ ବୋଲି ଅବଚେତନ-ଶାସ୍ତ୍ରରେ ଏକ ଅପବାଦ ରହିଛି । ଆଧୁନିକ ସାହିତ୍ୟର ଏହି ମହିମାଧାରୀମାନେ ନିଜ ଭିତରେ କେଉଁଠି ନିଜର କେଉଁ ଦୋସରଟି ପାଖରେ ସିଧା ହୋଇ ଛିଡ଼ା ହୋଇ ପାରୁନାହାନ୍ତି ବୋଲି ହୁଏତ ସାହିତ୍ୟରେ ଅନ୍ତର୍ଗତ ବ୍ୟକ୍ତିଟି ହିଁ ଅସଲ ସ୍ରଷ୍ଟା ବୋଲି ଭାରି ହୃଦୟ-ବିଦାରକ ଭାବରେ କହିବାରେ ହିଁ ଲାଗିଛନ୍ତି-। ସେମାନେ ନିଜ ଭିତରେ ଏକା ଏକା ବାଦଶାହ ବନି ସାହିତ୍ୟକୁ ଛଅମାଣ ଆଠଗୁଣ୍ଠର ଚମ୍ପା ପରି ଅସଲ ଭରସାଟିଏ କରି ରଖିବାକୁ ଇଚ୍ଛା କରୁଛନ୍ତି, ଏବଂ ଚତୁର୍ଦ୍ଦିଗରେ ନିଃସଙ୍ଗତାଟା ଦ୍ୱାରା ଘାରି ହୋଇ ରହିଛନ୍ତି । ଗୋଟିଏ କଥାରେ କହିଲେ ସେମାନଙ୍କର ଅଙ୍ଗୀକାରବଦ୍ଧତା ନାନା କାରଣରୁ ସାବାଳକତାର ସେହି ଫରଚା ସ୍ଥାନଟିରେ ଆସି ପହଞ୍ଚି ପାରିନାହିଁ । ଚାରି ପାଖରେ ଏଠି ତିନିକୋଟି ମଣିଷ ତୁମର ସଙ୍ଗଲାଭ କରିବାକୁ ଅପେକ୍ଷା କରି ରହିଥିବାବେଳେ ଯଦି ତୁମେ ତୁମର ସମକକ୍ଷ ଏଠି କେହି ନାହାନ୍ତି ଓ ତେଣୁ ତୁମେ ଭାରି ନିଃସଙ୍ଗ ଅନୁଭବ କରୁଛ ବୋଲି ଦଇନି କରିବାରେ ଲାଗିଥିବ, ତେବେ ତୁମେ ଆମକୁ ଆଉ କେଉଁ ନେତୃତ୍ୱ ଦେଇପାରିବ ?

 

ଓଡ଼ିଶାର ସାଂପ୍ରତିକ ଆହ୍ଵାନଟି ଯେତିକି ବ୍ୟାପ୍ତ ଏବଂ ଯେତିକି ବହୁପ୍ରସ୍ଥଯୁକ୍ତ, ସାହିତ୍ୟର ଆଭିମୁଖ୍ୟଟି ସେତିକି ପ୍ରଶସ୍ତ ଏବଂ ଶ୍ରଦ୍ଧାଶୀଳ ହୋଇପାରିଲେ ଏଠି ସାହିତ୍ୟରୁ ମଧ୍ୟ ଆମେ ବର୍ତ୍ତମାନଟିର ସମ୍ମୁଖୀନ ହେବା ଲାଗି ଯଥୋଚିତ ପ୍ରେରଣାଯୁକ୍ତ ନେତୃତ୍ୱଟିଏ ଅବଶ୍ୟ ପାଇପାରନ୍ତେ । ସେହି ସାହିତ୍ୟ କଦାପି କେବଳ ସଭାର ସାହିତ୍ୟ ନୁହେଁ, କେବଳ ପାରସ୍ପରିକ ସ୍ମୃତି ନିମନ୍ତେ ବହୁ ଅସାମାଜିକ ବୁଦ୍ଧି ଖର୍ଚ୍ଚ କରି ଆହୂତ ହୋଇଥିବା ଭାଷଣ ଅଥବା ତୋଷଣ-ମଞ୍ଚର ସାହିତ୍ୟ ମଧ୍ୟ ନୁହେଁ; ଓଡ଼ିଶାର ଲୋକ-ଆସ୍ପୃହା ଏବଂ ସାମାଜିକ ନିୟତିକୁ ପରବର୍ତ୍ତୀ ଭବିଷ୍ୟତ ଉପରେ ଉକୁଟାଇ ପାରୁଥିବା ସାହିତ୍ୟ ଆମକୁ ନିଶ୍ଚୟ ବହୁତ ବାର୍ତ୍ତା ଆଣି ଦେଇପାରିବ । ଆମକୁ ଉଦାସୀନ ତଥା ଭାବପ୍ରବଣ କରି ରଖିବାକୁ ଫିକର କରି ଆସିଥିବା ସ୍ଥୂଳ ମିଥ୍‍ଗୁଡ଼ିକର ପ୍ରତିବାଦ କରି ଶିଖାଇବ,–ଭୂଇଁ ତଥା ଆକାଶକୁ ଗୋଟିଏ ସମଗ୍ର ମଧ୍ୟରେ ଏକାଠି ସଚଳ କରି ଦେଖି ପାରୁଥିବ । ଭୂଇଁ କହିଲେ ମଣିଷମାନଙ୍କୁ ହିଁ ସବା ଆଗ ଗଣନା ଭିତରକୁ ଆଣି ପାରୁଥିବ । ମୋଟେ ବାହୁନିବ ନାହିଁ, ବୁଝିବ । ସେଇ ନେତୃତ୍ୱ ଦେଇପାରିବ ।

 

୭.୫.୦୧

☆☆☆

 

ନାବାଳକ ନେତୃତ୍ୱ (୫)

 

ଶିକ୍ଷା ଆଖି ଫିଟାଇ ଦିଏ । ଶିକ୍ଷା ମସ୍ତିଷ୍କଟାକୁ ରାଜି କରାଉ କରାଉ କେତେବେଳେ ଯେ ହୃଦୟର ଦ୍ୱାରଟିକୁ ଆସି ଖୋଲିଦିଏ, ସେକଥା ମୋଟେ ଜାଣିହୁଏ ନାହିଁ । ହୃଦୟର ଦ୍ୱାର ଖୋଲିଗଲେ ବୃହତ୍ତର ଜଗତର ସମଗ୍ରଟି ଭିତରେ ଆପଣାକୁ ପୂର୍ଣ୍ଣାଙ୍ଗତର କରି ଦେଖିହୁଏ । ହୃଦୟଟାକୁ ନିତାନ୍ତ ଅବିକଶିତ ଅବସ୍ଥାରେ ରହିଥିବା ଲୋକମାନେ ସତେଅବା କେବଳ ତଥାକଥିତ ନିଜଟାକୁ ହିଁ ଉଭୟ କେନ୍ଦ୍ର ତଥା ପରିଧି ରୂପେ ଦେଖୁଥାନ୍ତି । ଉଗ୍ର ଏବଂ ଉଦ୍ଦଣ୍ଡ ହୋଇ ରହିଥାନ୍ତି । ଶଗଡ଼ ଶଗଡ଼ ପାଠ ପଢ଼ିଥାଆନ୍ତି, ମାତ୍ର ବର୍ବର ହୋଇ ରହିଥାଆନ୍ତି । ଦେଶ ସ୍ୱାଧୀନ ହେବାପରେ ଶିକ୍ଷାର ମୂଳ ଧିସା ଏବଂ ଧାରାଗୁଡ଼ିକୁ ବଦଳାଇବା ସକାଶେ ଭାରତବର୍ଷରେ କମିଶନ ପରେ କମିଶନ ବସିଲା–ସେଥିରେ କେତେ କ’ଣ କରାଯିବାର ପରାମର୍ଶ ଦିଆଗଲା । ନୂଆହୋଇ ନିଦରୁ ଉଠିଥିବା ଗୋଟେ ଜନସମୂହକୁ ଭବିଷ୍ୟତ ଯାବତୀୟ ନବରଚନା ନିମନ୍ତେ ଶିକ୍ଷା ହିଁ ସବୁଠାରୁ ଅଧିକ ନିର୍ଭରଶୀଳ ନେତୃତ୍ୱ ଯୋଗାଇଦେବ ବୋଲି ଦରବାରୀ ଭାଷାମାନଙ୍କରେ କେତେ କେତେ ବଖାଣ ହେଲା । ଶିକ୍ଷା ଯେ ଜଣେ ଶିକ୍ଷିତ ମନୁଷ୍ୟକୁ ସାବାଳକ ହେବାରେ ବନ୍ଧୁ ପରି ସାହାଯ୍ୟ କରେ, ସେଥିରେ ଆଦୌ କୌଣସି ସନ୍ଦେହ ନାହିଁ । କିନ୍ତୁ ଯଦି ଉଚିତ ପ୍ରୟାସ ଏବଂ ପ୍ରୟୋଗମାନ ନହୁଏ, ତେବେ ଶିକ୍ଷା ନାମରେ ଦିଆଯାଉଥିବା ଓଲଟା କେତେ କ’ଣ ଯେ ଆମକୁ ଜୀବନଯାକ ନାବାଳକ ହୋଇ ରହିବାର ଲଜ୍ଜାକର ମନ୍ତ୍ରଣା ଦେବାରେ ଲାଗିଥାଏ, ସ୍ୱାଧୀନତା ପରବର୍ତ୍ତୀ ଭାରତରେ ସେଇଟା ପ୍ରତିପାଦିତ ହୋଇଗଲା ।

 

ଶିକ୍ଷାର କ୍ଷେତ୍ରରେ ରାଜ୍ୟର ଯାବତୀୟ ବ୍ୟାପାରରେ ବିଚାର କଲାବେଳେ ଦୁଇଟି ସଂସ୍ଥା ହିଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବୋଲି ଦୃଷ୍ଟିଗୋଚର ହୋଇ ଆସନ୍ତି । ଗୋଟିଏ ହେଉଛି ସରକାରଙ୍କର ଶିକ୍ଷା ବିଭାଗ ଓ ଆରଟି ରାଜ୍ୟରେ ରହିଥିବା ଗୋଟିଏ ବା ଗୋଟିଏରୁ ଅଧିକ ବିଶ୍ୱବିଦ୍ୟାଳୟ । ଏକ ସ୍ୱାଧୀନ ଦେଶର ସ୍ଥିତି ତଥା ଆବଶ୍ୟକତାକୁ ଆଖିରେ ରଖି ଯେଉଁସବୁ ବିଶେଷ ଲକ୍ଷ୍ୟ ଓ ଅଗ୍ରାଧିକାର ସହିତ ବିଶ୍ୱବିଦ୍ୟାଳୟ ସ୍ତରର ଶିକ୍ଷାକୁ ନୂଆ ଅନ୍ଦାଜରେ ଗଢ଼ାଯାଇଥାଆନ୍ତା, ଦେଶରେ ତାହା ହୋଇପାରିଲା ନାହିଁ । ବ୍ରିଟିଶ ଅମଳରେ ଅର୍ଥାତ୍ ଉପନିବେଶକାଳୀନ ବିଶ୍ୱବିଦ୍ୟାଳୟଗୁଡ଼ିକର ପୁନରାବୃତ୍ତି ହେଲା । ବିଶ୍ୱବିଦ୍ୟାଳୟଗୁଡ଼ିକୁ ଗୋଟିଏ ଗୋଟିଏ ଶିକ୍ଷା-ନଅରରେ ପରିଣତ କରି ରଖି ସେଠା କାରାଖାନାଗୁଡ଼ିକରୁ ପୁଳାଏ ଲେଖାଁ ଶିକ୍ଷିତ ବର୍ବର ବାହାର କରିବା ସତେ ଯେପରି ସେହିସବୁ ଆଖଡ଼ାକୁ ଚଳାଉଥିବା ସାମନ୍ତମାନଙ୍କର ମତଲବ ହୋଇ ରହିଲା । ସେଠାରେ ଯେଉଁ ଭାଷା ତଥା ଯେଉଁ ଅପସଂସ୍କାରଗୁଡ଼ିକର ମାଧ୍ୟମରେ ପାଠପଢ଼ା ହେଲା, ସେସବୁ ଆମ ମାଟି ସହିତ ଆଦୌ ଖାପ ଖାଉନଥିଲା । ଇଂରାଜୀ ଭାଷା ସମଗ୍ର ବିଶ୍ୱର ଯୋଗ୍ୟତମ ସମ୍ପର୍କ ଭାଷା ବୋଲି ଯେ ଏଠାରେ ତାହାକୁ ମାଧ୍ୟମ ରୂପେ ଗ୍ରହଣ କରାଗଲା, ସେକଥା ଆଦୌ ନୁହେଁ । ରାଜ୍ୟର ସାଧାରଣ ଲୋକସ୍ତରଠାରୁ ଆମ ଶିକ୍ଷାବିହାରମାନଙ୍କରୁ ନାନାବିଧ ଫମ୍ପା ସନ୍ତର୍ପଣରେ ଉତୁରୁଥିବା ଏମାନେ ଯେ ଧର୍ମତଃ ଅଲଗା ଏବଂ ଅଧିକ ଉଚ୍ଚରେ ଓ ତେଣୁ ସେହି ସାଧାରଣ କହୁଥିବା ଭାଷାରେ ତୁମେ ବିଶ୍ୱର ଉଚ୍ଚ ଉଚ୍ଚ ଜ୍ଞାନଭଣ୍ଡାରଗୁଡ଼ିକରେ ଆଦୌ ପ୍ରବେଶ କରିପାରିବ ନାହିଁ, ସେହିପରି ଏକ କୁମନ୍ତ୍ରଣା ଓ କୁମତଲବ ହିଁ ଏହି କ୍ଷେତ୍ରରେ ଜନନୀ ପରି କାର୍ଯ୍ୟ କରିଥିଲା । ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗ ଭିତରେ ଯେଉଁ ମାର୍ତଣ୍ଡମାନେ ଅଧ୍ୟାପନାର ଉପବୀତ ପରିଧାନ କରିଛନ୍ତି, ସେମାନେ ଓଡ଼ିଆ ଭାଷାରେ, ସେମାନଙ୍କର ଚୁଲିମୁଣ୍ଡ ଭାଷାରେ ନିଜ ବିଦ୍ୟାର କୌଣସି ବିଷୟକୁ ସାଧାରଣ ତୁମେ ଆମେ ବୁଝି ପାରିବା ଭଳି ଯେତେବେଳେ ମୋଟେ କହିପାରନ୍ତି ନାହିଁ, ସେତେବେଳେ ବିଚରା ଆଜ୍ଞାମାନଙ୍କ ଉପରେ ପ୍ରକୃତରେ ଭାରି ଦୟା ହୁଏ । ମନେହୁଏ, ସେମାନେ ସତେଅବା ତୁମେ ଆମେ ପରିଚିତ ଥିବା ଘରଜ୍ଵାଇଁମାନଙ୍କୁ ମଧ୍ୟ ବଳି ଯାଇଛନ୍ତି । ସତେଅବା କେଉଁ ଦୁଷ୍ଟ ଭାଗ୍ୟର ପ୍ରତାପଦ୍ୱାରା ବାଧ୍ୟ ହୋଇ ଘରଜ୍ୱାଇଁ, ଗୋଲାମ, ସାଆନ୍ତ ଓ ସାହେବ ଏକାବେଳେକେ ସବୁକିଛି ହୋଇଛନ୍ତି ।

 

ତେଣୁ, ବୁଝିବାକୁ ଆଜି ସହଜ ଯେ ସେମାନେ ରାଜ୍ୟଟାର ଅସଲ କୌଣସି ଆବଶ୍ୟକତାର ପୂରଣ କରିପାରିବେ ନାହିଁ, ମୋଟେ ତଳକୁ ଓହ୍ଲାଇ ପାରିବେ ନାହିଁ । ସେହି ଉପରେ ରହିଥିବେ, ମୋଟା ଦରମା ନେଉଥିବେ । ବେଳେବେଳେ କହିବାକୁ ଇଚ୍ଛା ହୁଏ, ସେମାନେ ସରଳ ଇଂରାଜୀ ଭାଷାରେ ମଧ୍ୟ ନିଜ ବିଶେଷ କ୍ଷେତ୍ରର ଜ୍ଞାନରାଜିକୁ ତଥାପି ବୁଝାଇ ପାରିବେ ନାହିଁ-। କେଉଁସବୁ ବହିଭାଷାକୁ ଏପରି ପାଲଟାଇ ରଖିଥିବେ ଯେ, ଗୁଳା ବାହାରକୁ ଚାଲିଯାଇ କିଛି ପ୍ରଶ୍ନ କଲେ ବଡ଼ ହଇରାଣ ହୋଇଯିବେ । ହଁ, ସେମାନେ ପାଠ୍ୟପୁସ୍ତକ ଲେଖିପାରିବେ-। ପିଲାମାନଙ୍କୁ ପାଠ ଘୋଷି ପରୀକ୍ଷାର କାଦୁଆ ନଈକୁ ପାରି ହେବାରେ ଦଧୀଚି ପରି ସାହାଯ୍ୟ କରିପାରିବେ-। କ୍ରମେ କେଡ଼େ ଅନ୍ୟପ୍ରକାରେ ଘଟଣାମାନ ଘଟିଲାଣି ଏବଂ ସହଚର ସ୍ତରର ବହିଗୁଡ଼ାକରୁ ଏଡ଼େ ଚମତ୍କାର ଭାବରେ କାମ ଚଳି ଯାଉଛି ଯେ, ଅନ୍ୟତ୍ର ବ୍ୟସ୍ତ ଛାତ୍ରଛାତ୍ରୀମାନେ ଆଉ ଶ୍ରେଣୀଗୃହରେ ବସି ସମୟ ବରବାଦ କରିବାକୁ ଇଚ୍ଛା କରୁନାହାନ୍ତି । ପୁନଶ୍ଚ ପାଠ ସରିବା ପରେ ଚାକିରି ମିଳିବାରେ ମଧ୍ୟ ସେଭଳି ନିଶ୍ଚୟତା ନଥିବାରୁ ପିଲାମାନେ କ୍ରମେ ଅଗତ୍ୟା ଅନ୍ୟ ସମ୍ଭାବନାଗୁଡ଼ିକର କ୍ଷେତ୍ରରେ ମଧ୍ୟ ଆପଣାକୁ ବେଳ ଥାଉଁ ପରଖି ଦେଖିବାକୁ ଅଧିକ ବୁଦ୍ଧିର ବିଷୟ ବୋଲି ବି ଅନୁଭବ କଲେଣି । ଏବଂ ତୁମକୁ ଚାକିରିଟାଏ ମିଳିବାର ମାମଲ୍‍ତରେ କାଳକ୍ରମେ ଏତେ ଅନ୍ୟାନ୍ୟ ଯୋଗ ଓ ସଂଯୋଗମାନେ ମଝିରେ ଆସି ଠିଆହୋଇ ଗଲେଣି ଯେ, ଭଲ ପାଠପଢ଼ି କୃତିତ୍ୱ ଦେଖାଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ମଧ୍ୟ ବେଶୀ କିଛି ଫଳ ମିଳୁନାହିଁ ଏବଂ ସର୍ବୋପରି ପାଠପଢ଼ାରେ ଅଧିକ ମନୋଧ୍ୟାନ ଲଗାଇଲେ ଯେ ତୁମକୁ ପରୀକ୍ଷାରେ ଅଧିକ କୃତିତ୍ୱ ଅବଶ୍ୟ ମିଳିବ, ସେଥିରେ ମଧ୍ୟ କି ନିଶ୍ଚୟତା ରହିଛି ? ବିଶ୍ୱବିଦ୍ୟାଳୟର ପିତ୍ତଟା ଭିତରେ ଯେ କ’ଣ ସବୁ ବଦରକ୍ତ ରହିଛି ଓ ପୁରା ସିରସ୍ତାଟାକୁ ନାନା ଆଦିମତାଦ୍ୱାରା ରଞ୍ଜାଇ ରଖିଛି, ବେଳେବେଳେ ସେଠାରେ କିଞ୍ଚିତ୍ ତରଙ୍ଗବିକ୍ଷୋଭ ହେଲେ ତାହା ଖୁବ୍ ଧରାପଡ଼ିଯାଉଛି ।

 

ଆମ ଦେଶ ପରି ଆଉ କେଉଁଠି ରାମା ଦାମା ଏତେଗୁଡ଼ାଏ ପିଲା ବିଶ୍ୱବିଦ୍ୟାଳୟକୁ ମୋଟେ ଯାଆନ୍ତି ନାହିଁ । ଆବଶ୍ୟକ ଯୋଗ୍ୟତା ଅର୍ଜନ କଲେ ଯାଇ ଜଣେ ସେହି ଅଧ୍ୟୟନକୁ ମନେକରିଥାଏ । ସ୍ୱାଧୀନ ଭାବରେ ଅଧ୍ୟୟନ କରେ ଏବଂ ଶିକ୍ଷା ସମାପ୍ତ ହେବାପରେ ତଦନୁରୂପ କିଛି କାମରେ ଲାଗେ । ଅର୍ଜିତ ବିଦ୍ୟା ସାର୍ଥକ ହୁଏ । ବିଦ୍ୟାର କଦର ତାହାରିଦ୍ୱାରା ବଢ଼େ । ଆମ ଗାଁର କଲେଜପଢ଼ୁଆ ପିଲା ଗାଁରେ କୁଣିଆ ଭଳି ଥାଆନ୍ତି, ଗାଁର ଜୀବନରେ ମୋଟେ ଖାପଖାଇ ପାରନ୍ତି ନାହିଁ । ଆପଣାକୁ କୋଉ ସାହେବଙ୍କର ଗୋଲାମ ବୋଲି ମଣି ଭାରି ଖୁସି ହୁଅନ୍ତି । ସେହି ଦୃଷ୍ଟିରୁ ବିଚାର କଲେ ତୁମ ଆମ ଗାଁର ଉଚ୍ଚ ପାଠୁଆ ପିଲାଏ ଆଗ୍ରହ ଓ ଅଙ୍ଗୀକାରର ମାନଦଣ୍ଡରେ ତଉଲି ଦେଖିବା ସମୟରେ ମୋଟେ ଗାଁରେ ନଥାନ୍ତି । ଏହି ଭୂମି ପ୍ରତି ଏକ ଉତ୍ତରଦାୟିତ୍ୱ ଅନୁଭବ କରିବା, ଏହି ଅସଲ କଥାଟିକୁ ଆମ ବିଶ୍ୱବିଦ୍ୟାଳୟର ଯାବତୀୟ ଲୀଳା ଏହି ତରୁଣମାନଙ୍କ ମନରୁ ହରଣ କରିନେଇଥାଏ । ବାହାରକୁ ବାହାରିବା ସମୟରେ ସେମାନଙ୍କର ଆପଣା ଉପରେ ବିଶ୍ୱାସ କ୍ଷୀଣ ହୋଇଯାଇଥାଏ । ଯେମିତି ମନ ସେମିତି କେଉଁଠି ଗୋଟାଏ ନିଯୁକ୍ତିରେ ଲାଖିଯାଇ କିଞ୍ଚିତ୍‍ ରୋଜଗାରକ୍ଷମ ହୋଇପାରିଲେ ଯାଇ ସୃଷ୍ଟି ରକ୍ଷା ହେଲାପରି ଲାଗେ । ବହୁ ସ୍ଫୁର୍ତ୍ତିରେ ପଢ଼ିଥିବା ପାଠ ବିଷୟଟା ସାଧାରଣତଃ ସେମାନେ ନିଯୁକ୍ତିଟି ପାଇଥିବା ସ୍ଥାନରେ କୌଣସି କାର୍ଯ୍ୟରେ ଲାଗେ ନାହିଁ । ପଢ଼ିଥିଲେ କ’ଣ ଏବଂ ଏବେ କୋଉ ତୁଠରେ ଆସି ପାରିଶ୍ରମିକ ପାଇଲେ–ଅନେକ ସମୟରେ ସେମାନଙ୍କୁ ନଚାଇବାରେ ଲାଗିଥିବା ଆକସ୍ମିକତାଗୁଡ଼ିକ ସେମାନଙ୍କୁ ଭାରି ବିସ୍ମିତ କରିଦେଉଥିବ । ଏକାଧିକ ଅର୍ଥରେ ନିତାନ୍ତ ସ୍ୱକେନ୍ଦ୍ରିତ ଅର୍ଥାତ୍ ନାବାଳକ ରହି ଯାଉଥିବା ଏମାନେ କ’ଣ ସାବାଳକତା ହାସଲ କରିଥିବେ ଯେ ଚତୁର୍ଦ୍ଦିଗର ସମୁଦାୟଟିର ଆହ୍ୱାନଗୁଡ଼ିକୁ ଶୁଣିବେ ଓ ସେହି ଅନୁସାରେ କିଛି କାମରେ ଲାଗିବାକୁ ମଧ୍ୟ ଚେଷ୍ଟା କରିବେ ? ବରଂ ଚାରିପାଖରେ ଚତୁରମାନଙ୍କଠାରୁ ନିଜ କର୍ମକ୍ଷେତ୍ରରେ ମୌକା ସୃଷ୍ଟିକରି ସମ୍ପୃକ୍ତ ସମସ୍ତଙ୍କୁ ଠକି ଯଥାସମ୍ଭବ ଆଧିକ ଉପାର୍ଜନ କରିବା ନିମନ୍ତେ ହୁଏତ ଖୁବ୍ ପ୍ରୋତ୍ସାହନ ପାଉଥିବେ ।

 

ସରକାରୀ ଶିକ୍ଷା ବିଭାଗ ହେଉଛି ଏପରି ଏକ ଗୋଦାମ ଯାହାର ସର୍ବୋଚ୍ଚ ହାକିମମାନେ ସେହି ବିଭାଗଟିକୁ ବଦଳି ହୋଇ ଆସିବା ପରେ ସମ୍ଭବତଃ କର୍ତ୍ତବ୍ୟର ଅନୁରୋଧରେ ଶିକ୍ଷା ସମ୍ବନ୍ଧରେ ଆଗ୍ରହୀ ହୁଅନ୍ତି । ପୁଣି ଅଚାନକ ସେମାନଙ୍କୁ କେତେବେଳେ ଯେ ପୁଣି ଆଦେଶ ପାଇ ଆଉ କେଉଁ ବିଭାଗକୁ ଯିବାକୁ ପଡ଼ିବ, ବାବୁମାନେ ସେକଥା ମଧ୍ୟ ଜାଣିନଥାନ୍ତି-। ବଡ଼ ଦୟନୀୟ ଜୀବନ ସେମାନଙ୍କର–ଲଗାମଗୁଡ଼ିକ ସେମାନଙ୍କ ହାତରେ ଧରାଇ ଦିଆଯାଇଥିଲେ ମଧ୍ୟ ସତେଅବା ଏକ ସର୍ବନିମ୍ନ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ସେମାନେ ସେଠାରେ ରହିଥାନ୍ତି । ତେଣୁ କାର୍ଯ୍ୟତଃ ସେମାନଙ୍କ ନିମନ୍ତେ ଜଙ୍ଗଲ ବିଭାଗ, ଅବକାରୀ ବିଭାଗ, ଅଥବା ପେନ୍‍ସନ୍ ବିଭାଗ ଯେପରି ହୋଇ ରହିଥାଏ, ଏହି ଶିକ୍ଷା ବିଭାଗଟି ମଧ୍ୟ ସେହିପରି ହୋଇ ରହିବାକୁ ବାଧ୍ୟ ହୁଏ । ତେଣୁ, ଉପରେ ଉପରେ ସବୁଠାରେ ରହି ସତକୁସତ ଆଦୌ କେଉଁଠି ହେଲେ ନ ରହିବା ସକାଶେ ସତେ ଯେପରି ସେମାନେ ପକ୍କା ମଣ ହୋଇ ଆସିଥାନ୍ତି । ଭଳି ଭଳି ଶିକ୍ଷା ମିଶନ ବସେ, ଭଳି ଭଳି ଇସ୍କୁଲର ଆୟୋଜନ ହେବାରେ ଲାଗିଥାଏ,–ଏବଂ ଫସର ଫାଟିଯାଏ । ଏତେ ଏତେ ବର୍ଣ୍ଣାଢ୍ୟ ଉଦ୍ୟମ ସତ୍ତ୍ୱେ ଓଡ଼ିଶାରେ ପଢ଼ିବା ବୟସର ଅଧେ ପିଲା ଏବେ ମଧ୍ୟ ଇସ୍କୁଲକୁ ଆସିପାରି ନାହାନ୍ତି । ରାଜ୍ୟର ଅଧେ ମଣିଷ ନିରକ୍ଷର ରହିଛନ୍ତି-। ଏବଂ, ବାଣଗୁଡ଼ାକ ଏପରି ଭିଡ଼ାହୋଇ ରହିଛି ଯେ, ଶିକ୍ଷା ବାବତର ଖର୍ଚ୍ଚର ଅଶୀ କି ନବେ ଭାଗ ଦରମା ବାବତରେ ଉଜୁଡ଼ି ଯାଇଛି । ପାଠର ମାନରେ ହ୍ରାସ ହୋଇ ଯାଉଥିବା ସଙ୍ଗେ ସଙ୍ଗେ ଶିକ୍ଷକମାନଙ୍କର ଦରମା ବଢ଼ି ବଢ଼ି ଯାଉଛି । ଖାସ୍ ସେଇଥିପାଇଁ ଏକ ସଂଗ୍ରାମ ଜାରି ରଖିବାକୁ ତଗଡ଼ା ସଂଘମାନେ ରହିଛନ୍ତି । ଗୁରୁମାନେ ଘରୋଇ ଭାବରେ ଅଧିକ ନିଷ୍ଠାର ସହିତ ପାଠୁଆ କରିବାର ଏକ ପରମ୍ପରାରେ ଏପରି ଦୋରସ୍ତ ହୋଇଗଲାଣି ଯେ, ବିଦ୍ୟାଳୟକୁ ଆସିବାଟା ସତେଅବା ଏକ ଅବସର ବିନୋଦନରେ ପରିଣତ ହୋଇଗଲାଣି । ରାଜ୍ୟ ଭାସିଗଲେ ସତେ ଯେପରି ନଗା ନାହିଁ କି ପଘା ନାହିଁ । ଏହି ମାହାଲଟା କେବେ ସାବାଳକ ହୋଇ ରାଜ୍ୟରେ ଅନ୍ତତଃ ଶିକ୍ଷାରେ ନେତୃତ୍ୱ ନେବ ବୋଲି ଆଦୌ କୌଣସି ପତିଆରା ଦିଶୁନାହିଁ ।

 

ନାବାଳକମାନେ ଧରିନେଇ ସାରିଲେଣି ଯେ, ରାଜ୍ୟ ରୂପକ ଏହି ଗାଡ଼ିଆଟା ଯେଉଁଭଳି ରହି ଆସିଛି ଓ ରହିଛି, ଚିରଦିନ ଅଲବତ ଠିକ୍ ସେହିପରି ହିଁ ରହିବ । କହିବା ବାହୁଲ୍ୟ, ଏହି କାରଣରୁ ଆଉ ସେମାନଙ୍କୁ ମୋଟେ ଲାଜ ଲାଗୁନାହିଁ । ତେଣୁ, ଆଗରୁ ଯାହା ଯଥାସମ୍ଭବ ପରୋକ୍ଷରେ ହେଉଥିଲା, ଏବେ ସେସବୁ ପ୍ରକାଶ୍ୟରେ ଆରମ୍ଭ ହୋଇଗଲାଣି । ଅନ୍ଧାରଗୁଡ଼ାକୁ ହିଁ ଆଲୁଅ ବୋଲି କୁହାଯାଉଛି । ସାବାଳକ ମଣିଷ ତ ଆଲୁଅ ଅବଶ୍ୟ ଅଛି ବୋଲି ଆଗ ବିଶ୍ୱାସ କରନ୍ତା, ନିଜ ଭିତରକୁ ଅନାଇ ସିଏ ଆଲୁଅ ଦେଖୁଥାଆନ୍ତା ଓ ତେଣୁ ଅନ୍ଧାର ଦୂର କରିବା ନିମନ୍ତେ ଉଦ୍ୟମ ବି କରନ୍ତା । ଚାରିଆଡ଼େ ଅନ୍ଧାର ହିଁ ଅନ୍ଧାରର ରାଜତ୍ୱ ଲାଗିଛି ବୋଲି ତାକୁ ବାସ୍ତବଟା କହିବାରେ ଲାଗିଥିଲେ ମଧ୍ୟ ସିଏ ତଥାପି ଆଲୁଅରେ ପକ୍ଷ ନିଅନ୍ତା । ନାବାଳକମାନେ କହନ୍ତୁ ତ ସେମାନଙ୍କର ଦରମା ଆଉ କେତେଗୁଣ ବଢ଼ିଲେ ଯାଇ ସେମାନେ ଆଲୁଅ ରହିଛି ବୋଲି କହିବେ ଏବଂ ଆଲୁଅର ପକ୍ଷକୁ ଆସିବାକୁ ମନ କରିବେ ! ଉପରେ ଥିବା ଅନ୍ୟମାନେ ବଦଳିଲେ ଯାଇ ମୁଁ ସାବାଳକ ହେବି,–ତା ପୂର୍ବରୁ ମୋତେ ଏହି ସଂସାରରେ ତିଷ୍ଠି ରହିବାକୁ ହେବ, ସଫଳ ହେବାକୁ ପଡ଼ିବ, ମୋ ପିଲାପିଲିଙ୍କ ପାଇଁ ମଧ୍ୟ କିଛି ସାଇତି କରି ରଖିବାକୁ ପଡ଼ିବ,–ଓଡ଼ିଶାରେ ଅଧିକ ପାଠ ପଢ଼ିଥିବା ଓ ଅଧିକ ଉପାର୍ଜନ କରୁଥିବା ମଣିଷମାନେ ଅଧିକ ସଂଖ୍ୟାରେ ଏହିଭଳି କହୁଛନ୍ତି । ସେମାନେ ଅଭିନୟରେ ମାତିଛନ୍ତି, କଥା କହି ଆମ ଆହୁରି ଅନେକଙ୍କୁ ବି ନାବାଳକ କରି ରଖିଛନ୍ତି-

 

୧୪.୫.୦୧

☆☆☆

 

ପ୍ରୀତି ବହୁବିଧ, ଚୋର ବହୁବିଧ

 

ସେସମୟର ବିଶ୍ୱଭାରତୀ ଗ୍ରନ୍ଥାଗାର କଥା ଏବେ ମଧ୍ୟ ମନେ ଅଛି । ପୂରା ଗ୍ରନ୍ଥାଗାର କେବଳ ତଳ ମହଲାରେ । ପ୍ରବେଶବାଟ ଗୋଟିଏ, କିନ୍ତୁ ଝରକା ବହୁତ । ଝରକାମାନେ ଏକାବେଳେକେ ଆଣ୍ଠୁ ଉଚ୍ଚର । ପାଠାଗାର ଖୋଲା ଥିବାତକ ଝରକାମାନେ ବି ଖୋଲା ରହିଥାନ୍ତି-। ଝରକାରେ ଲୁହା ନାହିଁ । ଗ୍ରୀଲ୍ ନାମକ ଆଧୁନିକ ନିରାପତ୍ତାଟି ସେତେବେଳେ ହୁଏତ ଅନନାବିବଜ୍ଞାତ ରହିଥିଲା । ପିଲାମାନେ ଅବାଧ ଭାବରେ ପଶି ପାରୁଥିଲେ । ମନ ମାନିଥିବା ବହିଟିକୁ ବା ବହିଗୁଡ଼ିକୁ ଥାକରୁ ଆଣି ନିଜ ନାଆଁରେ ଗ୍ରନ୍ଥାଗାରୀଙ୍କ ଖାତାରେ ଲେଖାଇନେଇ ବାହାରକୁ ବାହାରି ଯାଉଥିଲେ । ପ୍ରାଥମିକ ସ୍ତରର ଛୁଆମାନଙ୍କ ସକାଶେ ମଧ୍ୟ ସେହି ବ୍ୟବସ୍ଥା ରହିଥିଲା । ଥାକ ଥାକ ଭିତରେ ରହିଥିବା ଦୂରତା ଦୁଇ ହାତ ପର୍ଯ୍ୟନ୍ତ ହୋଇଥିଲେ ମଧ୍ୟ ତା ଭିତରେ ବହୁ ସଂଖ୍ୟାର ଟୁଲ୍ ପଡ଼ିଥିଲା । ଯିଏ ଇଚ୍ଛା କରିବ ସିଏ ସେଠି ଘଡ଼ିଏ ବା କେତେ ଘଡ଼ି ଥାକରୁ ବହିଟିଏ ବାହାର କରି ବସି ଅବଶ୍ୟ ପଢ଼ିପାରିବ ଏବଂ ପଢ଼ାସାରି ବହିଟିକୁ ପୁନର୍ବାର ଥାକରେ ରଖି ବାହାରି ଯାଇପାରିବ । ଉପର ଅର୍ଥାତ୍‍ ହାତକୁ ଅପହଞ୍ଚ ଥାକଗୁଡ଼ିକରେ ରହିଥିବା ବହିମାନଙ୍କୁ ଘାଣ୍ଟି ଦେଖିବା ସକାଶେ ଗୋଟିଏ ଗୋଟିଏ ସିଡ଼ି ମଧ୍ୟ ମହଜୁଦ ରହିଥିଲା । ଗ୍ରନ୍ଥାଗାର ସେପଟେ ଆମ୍ବଗଛର ଗହଳ ତୋଟା–ଆମ୍ରକୁଞ୍ଜ । ବହିପ୍ରତି ଅତିପ୍ରୀତିର ବଶବର୍ତ୍ତୀ ହୋଇଥିବା ଚୋରଟିଏ ମନ କଲେ ତା ପସନ୍ଦର ବହିଟିଏ କିମ୍ବା କେତେକ ବହିକୁ ସିଏ ଝରକା ବାଟେ ପୂର୍ଣ୍ଣ ସମାହିତ ଭାବରେ ବାହାରକୁ ଫିଙ୍ଗିଦେଇ ଗ୍ରନ୍ଥାଗାରରୁ ବୁଲି ପଡ଼ି ଏମିତି ଖଞ୍ଜରେ ନେଇଯାଇପାରିବ ଯେ ସ୍ୱୟଂ ଈଶ୍ୱର ପାର୍ବତୀ ମଧ୍ୟ ଜାଣିପାରିବେ ନାହିଁ । ସେଠାରେ ମୋର ଦୀର୍ଘ ପାଞ୍ଚବର୍ଷ କଟିଲା, କାହିଁ ଏପରି ଗୋଟେ ଘଟଣା ଘଟିଥିବାର ମନେ ପଡ଼ୁନାହିଁତ ।

 

ସେତେବେଳର ସେଠାମାନେ କ’ଣ ପ୍ରକୃତରେ ଏଡ଼େ ନିର୍ବୁଦ୍ଧିଆ ଥିଲେ ଯେ, ମାତ୍ର ଏତିକି କରିବା ଲାଗି ସେମାଙ୍କର ବଳପାଉନଥିଲା ? ହୁଏତ ସେମାନଙ୍କର ପ୍ରୀତିଗୁଡ଼ିକ ସେତେବେଳେ ଅନ୍ୟଭଳି ଥିଲା । ସାହସଗୁଡ଼ିକ ଦୁଃସାହସ ଆଡ଼କୁ ଗୋଡ଼ ଖସାଇ ଦେବା ନିମନ୍ତେ ସମ୍ଭବତଃ ମଉକାମାନେ ରହିଥିଲେ ମଧ୍ୟ ଭିତରର ଦୁଷ୍ଟଟାର ମନ୍ତ୍ରଣା ସତ୍ତ୍ୱେ ମୋଟେ ରାଜି ହୋଇ ପାରୁନଥିଲେ । ଆମ ଏବକାର ପ୍ରୀତିଟା ସମ୍ଭବତଃ ଅନ୍ୟ କୌଣସି ପ୍ରୟୋଜନରେ ପଡ଼ି ଅଧିକ ଅଙ୍ଗବସ୍ତ୍ର ଏବଂ ଅଧିକ ଅନ୍ତବସ୍ତ୍ର ପିନ୍ଧି ପନ୍ଦରଗୁଣ ଅଧିକ ଘଟଣ ଦିଶିବାକୁ ହିଁ ଯୁଗାଚାର ବୋଲି ଅନୁଭବି ପାରିଲାଣି । ଏବଂ ହୃଦୟଟାକୁ ସତେଅବା ଉଦରପରି ଏକ ଅନ୍ୟ ସିନ୍ଥେଟିକ୍ ଦ୍ୱାରା ତିଆରି କରି ପାରିଲାଣି । ଗ୍ରନ୍ଥାକାରମାନେ ବି କ୍ରମେ ଭାରି ବଡ଼ ହୋଇଗଲେଣି । ଯାବତୀୟ ଆଗର ଅଥବା ସଦନ କହିଲେ ଯେ ସବାଆଗ ଏକ ନିର୍ଦ୍ଦିଷ୍ଟ ସମ୍ପର୍କ ଓ ସମ୍ବନ୍ଧକୁ ବୁଝାଏ, ସେ କଥା ଆମ ବରିଷ୍ଠ ଏବଂ ବଡ଼ମାନେ କ୍ରମେ ଭୁଲିଯିବାକୁ ହିଁ ପୁରୁଷାର୍ଥ ବୋଲି ମଣିଲେଣି । ଖାସ୍ ସରସ୍ଵତୀଙ୍କର ନାଆଁ ସହିତ ଯୋଡ଼ି ଆମର ଏହି ପୁଣ୍ୟଭୂମିରେ ଯେତେବେଳେ ବିହାରଗୁଡ଼ିକ ରଚିତ ହେଲା, ସେତେବେଳେ ଆମ ସାମୂହିକ ଘରମାନଙ୍କରେ ଆପଣାକୁ ସବୁଠାରୁ ଅଧିକ ପାରିବାର ବୋଲି ବିଚାରିଥିବା ଗୁଣଶୀଳମାନେ ହିଁ ସେଠାରେ ପୁରୁଖା ହୋଇ ବସିଲେ । ସେମାନଙ୍କୁ ଅଦ୍ଭୁତପୂର୍ବ ଉଚ୍ଚତା ସହିତ ଅନ୍ଦାଜ କରିପାରିବା ନିମନ୍ତେ ବଡ଼ବଡ଼ ଚଉକିର ମଧ୍ୟ ଭିଆଣ ହେଲା । ଇତିହାସରେ ସର୍ବପ୍ରଥମ ଥର ପାଇଁ ତିନିଟା ଶୂନ୍ ବିଶିଷ୍ଟ ମାସିକ ଭାତିଆର ବରାଦ କରାଗଲା । ଏଣିକି ହଂସ ପିଠିରେ ବସି ଆମେ ଆଖିବୁଜି ସିଧା ହଂସବାହିନୀଙ୍କର ଖାସ୍‍ ମହଲଗୁଡ଼ିକୁ ଉଡ଼ି ଯାଇପାରିବୁ ବୋଲି ଭଳି ଭଳି ଛାଞ୍ଚରେ ବିଦ୍ୟାଗୁଡ଼ିକର ପ୍ରବର୍ତ୍ତନ କରାଗଲା ଏବଂ ସେଥିପାଇଁ ଚାହିଁଲା ମାତ୍ରକେ ଆବଶ୍ୟକ ଖୋରାକ ଯୋଗାଇଦେବା ସକାଶେ ଗ୍ରନ୍ଥାଗାରମାନେ ବି ବସିଲେ । ଏମାନେ ସଂପୃକ୍ତ ସମସ୍ତେ ଫଳ ଯାଇଥିଲେ ସାରା ରାଇଜଟା ତ ଏତେବେଳକୁ ଏକ ନାହିଁନଥିବା ବିଦ୍ୟାନଗରୀ ହୋଇ ଚହଟିବାରେ ଲାଗିଥାଆନ୍ତା । ଏହି ରାଜ୍ୟଟା ଏତେ ପଛରେ ଯାଇ ତଥାପି ପଡ଼ିଛି ବୋଲି ରାଜଧାନୀର ମାତୁଳମାନେ ଆମକୁ ଉଲ୍ଲଗୁଣା ଦେବାର କୌଣସି ଅବକାଶ ମଧ୍ୟ ନଥାନ୍ତା । ଆମକୁ ଏକ ସ୍ୱତନ୍ତ୍ର ଧାତୁରେ ଗଢ଼ା ବୋଲି କୋଳାହଳପୂର୍ଣ୍ଣ ପରିଚୟଟିଏ ଦେବାଲାଗି ସ୍ୱାଭିମାନ ବୋଲି ଗୋଟାଏ ନୂଆ ଶବ୍ଦର ସିରସ୍ତା ବି ମୋଟେ ଖୋଲିବାକୁ ପଡ଼ିନଥାନ୍ତା । ମାତ୍ର ଏତେ ଏତେ ମଂଚସମ୍ପଦ ଥାଉ ଥାଉ ଆମର ଏହି ଭୂମିକା ନିମନ୍ତେ ଦେବୀ ବୀଣାପାଣିଙ୍କର କରୁଣା କାହିଁକି ଏଭଳି ଊଣା ହୋଇଗଲା କେଜାଣି ?

 

କୌଣସି ଗୋଟିଏ ବିଦ୍ୟାବିହାରର ଗ୍ରନ୍ଥାଗାର ବିଷୟରେ ଖବରକାଗଜ ଘୋଷଣା କରିଛି ଯେ, ସେଠାରେ ଲକ୍ଷେରୁ ଅଧିକ ଗ୍ରନ୍ଥ ବାହାରକୁ ଯାଇଛି ଏବଂ ଫେରସ୍ତ ଆସି ପାରିନାହିଁ । ବହି ବାହାରକୁ ଯିବା ଓ ଫେରସ୍ତ ଆସିବା ବିଷୟରେ ସବୁଠାରେ ଗ୍ରନ୍ଥାଗାରମାନଙ୍କର ଯେଉଁଭଳି ଜବର କଟକଣା ସବୁ ରହିଥାଏ, ଏଠି ମଧ୍ୟ ସେପରି ଅବଶ୍ୟ ରହିଛି ଏବଂ ଏକ ସମୟରେ ଜଣେ କେତୋଟି ଗ୍ରନ୍ଥ ନେଇପାରିବ, ବଡ଼ମାନେ ଏକାଠି ବସି ନିଶ୍ଚୟ ନିୟମ କରି ଦେଇଥିବେ । ମାତ୍ର ଫେରସ୍ତ ମିଳିନଥିବା ବହିଗୁଡ଼ିକ ସେହି ବଡ଼ମାନଙ୍କର ନାଆଁରେ ହିଁ ଖାତାରେ ପଡ଼ିଛି । ଅର୍ଥାତ୍ ବଡ଼ମାନେ ହିଁ ବହି ନେଇଛନ୍ତି ଏବଂ ଫେରାଇ ନାହାନ୍ତି । କଥାଟିକୁ ଯେତେ ଢୋକିବାକୁ ଅନୁକମ୍ପା ହେଉଥିଲେ ମଧ୍ୟ ମୋଟେ ଡୋକି ହେଉନାହିଁ; ହଁ, ଜଣଜଣକ ନାଆଁରେ ପୁଣି କୋଡ଼ିଏ ତିରିଶିଟା ବହି ବାକି ରହିଛି । ଏକାବେଳେକେ କୋଡ଼ିଏ ତିରିଶିଟା ବହି ନେବା ସତକୁସତ ପଢ଼ିବା ନିମନ୍ତେ–କେବଳ ମହାପୁରୁଷମାନେ ତାହା କରୁଥିବେ । ଗ୍ରନ୍ଥାଗାରର ଖାସ୍ ପ୍ରେମୀମାନେ ଏଠି ବଡ଼ ବଡ଼ ପଦମାନଙ୍କରେ ଥାଆନ୍ତି, ଯେଉଁମାନେ ଏତେ ବହିକୁ ଗୋଟାଏ ଥାକରେ ଦେଖିଲେ ବଡ଼ ମୋହରେ ହୁଏତ ପଡ଼ିଯାଆନ୍ତି ଏବଂ ଏଥିରୁ କିଛି ସେମାନଙ୍କର ନିଜ ଘରେ ଶୋଭା ପାଇଲେ କେଡ଼େ ଆନନ୍ଦର କଥା ହୁଅନ୍ତା ବୋଲି ଚଟ କରି ଭାବିପକାନ୍ତି ଏବଂ ତଦାନୁସାରେ ଲାଳସାଟିକୁ କାର୍ଯ୍ୟକାରୀ କରନ୍ତି । ଗ୍ରନ୍ଥାଗାରର ଜଗୁଆଳ ଏବଂ କଟୁଆଳମାନେ ତ ସେମାନଙ୍କର ଅଧସ୍ତନ । ତେଣୁ ଇଚ୍ଛାଟି ଚରିତାର୍ଥ ହେବାରେ କୌଣସି ଅସୁବିଧା ହୁଏ ନାହିଁ । ଏହି ବଡ଼ମାନଙ୍କ ଭିତରୁ ଢେରମାନେ ବିଦ୍ୟାରୁ ଅବସର ନେଇ ସାରିଲେଣି, କେତେଜଣଙ୍କର ସ୍ୱର୍ଗବାସ ମଧ୍ୟ ହେଲାଣି, ତଥାପି ଅଫେରସ୍ତ ତାଲିକାରେ ସେମାନଙ୍କର ନାଆଁ ଏପର୍ଯ୍ୟନ୍ତ ଲେଖାହୋଇ ରହିଛି । ଯେଉଁମାନେ ଏହି ମହାନ୍ ଭୂଇଁରେ ପୂଜ୍ୟମାନଙ୍କର ତାଲିକାରେ ଯାଇ ରହିଲେଣି, ସେମାନଙ୍କୁ ଏତେଦିନ ପରେ ଏପରି ଲୋକହସା କରିବା ଲାଗି ଯେଉଁ ବିଧାତା କୂଟଟାଏ କଲା, ସିଏ ନିଶ୍ଚୟ ଭାରି ଅବିବେକୀ ହୋଇଥିବ । ଏହି ପ୍ରସଙ୍ଗରେ ଆମ ସ୍ୱାଭିମାନୀମାନେ କ’ଣ ବିଚାରୁଥିବେ କେଜାଣି ?

 

ଏବଂ, ଏକଥା କ’ଣ ଗୋଟିଏ ବିହାରରେ ହୋଇଥିବ ? ଦୁର୍ଭାଗ୍ୟକୁ ସିନା ଗୋଟିଏ ବିହାରରୁ ଅଣ୍ଡାଳିବାଦ୍ୱାରା ପ୍ରସଙ୍ଗମାନ ପଦାକୁ ଆସିଲା । ଏପରି ସର୍ବତ୍ର ହୋଇଥିବ, ଏବେ ମଧ୍ୟ ପରିପୂର୍ଣ୍ଣ ସନ୍ତର୍ପଣରେ ହେଉଥିବ । ଖାଲି ବଡ଼ ତୀର୍ଥମାନଙ୍କରେ ନୁହେଁ, କୁଜି ଶିକ୍ଷା-ତୀର୍ଥମାନଙ୍କରେ ମଧ୍ୟ ସତେଅବା ଏକ ନିୟମିତ ପରମ୍ପରାର ନିର୍ଲଜ୍ଜତା ସହିତ ହେଉଥିବ । ବହି ମିଳୁନାହିଁ ବୋଲି ପିଲାଏ ଧନ୍ଦି ହେଉଥିବେ, ପରୀକ୍ଷା ଆସି ପରୀକ୍ଷା ସରି ଯାଉଥିବ, ତଥାପି ଗ୍ରନ୍ଥାଗାରରୁ ମନମୁତାବକ ବହି ଖଣ୍ଡେ ମିଳି ପାରୁନଥିବ । ଅଧିକାଂଶ ବହି ଯାଇ ଗୁରୁଦେବମାନଙ୍କର ଥାକ ଉପରେ ଶୋଭା ପାଉଥିବେ । ସରକାରୀ ଗ୍ରନ୍ଥାଗାରମାନଙ୍କୁ ବହିମାନେ କେଉଁ ବାଗ ତଥା ଅବାଗରେ କିଣାହୋଇ ଆସନ୍ତି, ଏକଦା ଏକ ଭୟଙ୍କର ଭାବରେ ପ୍ରସିଦ୍ଧ ଏକ ଗ୍ରନ୍ଥାଗାର ଭିତରେ କାର୍ଯ୍ୟାନ୍ତରରେ ପଶିଥିବା ସମୟରେ ମୁଁ ତାହାର କିଞ୍ଚିତ୍‍ ଆଭାସ ପାଇଥିଲି । ବହିମାନେ ଯଥାଥାନରେ ନାହାନ୍ତି, ଏଇଟା ଆଦୌ ଧର୍ତ୍ତବ୍ୟ ହୋଇନପାରେ । ଭିତରକୁ ପିଲାମାନେ ତ ପଶି ପାରିବେ ନାହିଁ ବୋଲି ଅଧ୍ୟାପକ ତଥା ଉଚ୍ଚକର୍ତ୍ତାମାନେ ହିଁ କଟକଣା ଲେଖିଛନ୍ତି । ତେଣୁ ଯାବତୀୟ କାଣ୍ଡ ସେହି ଗୋଟିଏ କାଟର ମହାବର୍ଗମାନେ ଅବଶ୍ୟ କରିଥିବେ । ବହୁତ ବହି ଥାକରେ ନୁହେଁ, ତଳେ ହିଁ ଥୁଆ ହୋଇଛନ୍ତି, ବିଡ଼ାରୁ ଫିଟି ନାହାନ୍ତି । ଏଗୁଡ଼ିକ ଅଧ୍ୟାପକମାନେ ଲେଖିଥିବା ଗୋଟିଏ ଗୋଟିଏ ବହି । ଆଜ୍ଞାମାନେ ନିଜ ବହିରୁ କୋଡ଼ିଏ ପଚିଶିଖଣ୍ଡ ଲେଖାଏଁ ଗ୍ରନ୍ଥାଗାର ନିମନ୍ତେ କିଣାଇ ଦେଇଛନ୍ତି । ଦୋକାନରୁ ଏଗୁଡ଼ିକ ଯେଉଁଭଳି ବିଡ଼ା ବନ୍ଧାହୋଇ ଆସିଥିଲେ, ହୁଏତ ଦଶବର୍ଷ ଅନ୍ତେ ମଧ୍ୟ ସେହିପରି ବିଡ଼ା ବନ୍ଧାହୋଇ ଗୋଧିପରି ପଡ଼ିଛନ୍ତି । ବିଡ଼ା ଫିଟିବାର କୌଣସି ପ୍ରୟୋଜନ ହୁଏତ ହୋଇନାହିଁ । ସେତେବେଳେ ମୁଁ ଭାବିଥିଲି, ଆଜି ମଧ୍ୟ ଭାବୁଛି, ଗ୍ରନ୍ଥାଗାର କମିଟିରେ ଯଦି କେତେଜଣ ଛାତ୍ର ପ୍ରତିନିଧି ରହନ୍ତେ, ତେବେ ଏସବୁ ଅନାଚାର ସମ୍ଭବତଃ ଆପେ ଆପେ ବନ୍ଦ ହୋଇଯାଆନ୍ତା । ବିଦ୍ୟାନାମକ ଘରେ ଲଜ୍ଜାନାମକ ସେହି ଅନ୍ୟ କଥାଟିର ପ୍ରଦେଶାଧିକାର ରହନ୍ତା ଏବଂ କାମୁକତା କିଞ୍ଚିତ କମ୍ ପ୍ରଶ୍ରୟ ବି ପାଆନ୍ତା ।

 

ଏତେ ବଡ଼ ସତଟାଏ ପଦାକୁ ଆସିଲା, ଧରା ପଡ଼ିଗଲା, ସଂପୃକ୍ତ ସମସ୍ତଙ୍କୁ ଅଳ୍ପ ବା ବହୁତ ଆଲୋଡ଼ିତ ବି କଲା,–କିନ୍ତୁ ସେତିକିରେ କାହିଁକି ବା କିପରି ଥମ୍ବିଗଲା କେଜାଣି ? ଯେଉଁ ଶିକ୍ଷାବିହାରଟାରେ ତାହା ଘଟିଲା, ତାହାର କ୍ଷେତ୍ରପାଳ ଅଥବା ବିଦ୍ୟାପାଳମାନେ ତୁଣ୍ଡ ଖୋଲି ପଦେ ମଧ୍ୟ କହିଲେ ନାହିଁ । ସେମାନେ ମଧ୍ୟ ଆମ ସାଧାରଣଙ୍କ ପରି ଆଚମ୍ବିତ ହେଲେ, ଅନ୍ତତଃ ଏତିକି ତ କହିପାରିଥାନ୍ତେ । ବା ଏଭଳି ଚାଲିଥିଲା ବୋଲି ସେମାନେ ସମସ୍ତେ ଜାଣିଥିଲେ, କେତେ ହୁଏତ ସ୍ୱୟଂ ଲିପ୍ତ ବି ଥିଲେ ଓ ଏବେ ମଧ୍ୟ ଲିପ୍ତ ରହିଛନ୍ତି,–ତେଣୁ ଦାଣ୍ଡରେ କଥାଟା ଧରା ପଡ଼ିଗଲା ବୋଲି ସେମାନେ ନିଜ ନିଜର ପିତୃସ୍ଥାନରେ ଭାରି ଅପ୍ରସନ୍ନ ହୋଇପଡ଼ିଲେ କି ? ପୁନଶ୍ଚ, ଅର୍ଥପ୍ରାପ୍ତିରେ ବୃଦ୍ଧି ଘଟୁ ବୋଲି ଯେଉଁ ପବିତ୍ର ସଂଘ ତଳେ ସେମାନେ ବେଳେବେଳେ ରୁଣ୍ଡ ହୋଇ ଆସୁଛନ୍ତି, ସେହି ସଂଘ ମଧ୍ୟ ପାଟି ଖୋଲି ପଦୁଟିଏ କାହିଁକି କହିଲା ନାହିଁ କେଜାଣି ? ସର୍ବୋପରି; କୌଣସି ସମ୍ବାଦପତ୍ର ଏହି ଘଟଣାକୁ ଏକ ଗମ୍ଭୀର ଘଟଣା ବୋଲି ଗ୍ରହଣ କରି କାହିଁ ସମ୍ପାଦକୀୟ ମନ୍ତବ୍ୟଟିଏ ଛାପି ପାରିଲା ନାହିଁ ତ ? ଏହି ଦରିଦ୍ର ଦେଶରେ ଉଚ୍ଚଶିକ୍ଷାର ମାହାଲ ବୋଲି ଯେଉଁ ନିଦାରୁଣ ମାମଲତକାରୀ ଚାଲୁଛି, ଦେଶର ମଣିଷଙ୍କ ପାଖରେ ଏହି ସଂକ୍ରାନ୍ତରେ ପରେ ରହିଥିବା ଉତ୍ତରଦାୟିତ୍ୱ ବିଷୟରେ ରାଜ୍ୟରେ ଆମ ସମସ୍ତଙ୍କୁ ଏକାଧିକ କଳ୍ପନା ଜଳ୍ପନା କରିବାର ଯେଉଁ ଅବସରଟି ଆସି ପହଞ୍ଚିଲା, କେହି ଗୋଟିଏ ହେଲେ କାଗଜ ସେଥିର ଚର୍ଚ୍ଚା କଲେ ନାହିଁ ତ । ଏଣିକି ଏସବୁ ମୋଟେ ହେବ ନାହିଁ ବୋଲି ଚୋର ଧରାପଡ଼ିଥିବା ଘରେ କେହି ଆମକୁ ବିଶ୍ୱାସ ଦେଇ ପଦେହେଲେ କହିଲେ ନାହିଁ । କୁଳରପତି ଏବଂ ଅଧିପତିମାନେ ଏହି ବିଷୟରେ ନିଜ ଭିତରେ ହୁଏତ କିଛି ଫୁସ୍‍ଫାସ୍ ସିନା ହୋଇଥିବେ–ମାତ୍ର ଯେତିକି କଥାମାନ ଦୈବାତ୍ ଫିଟିଗଲା, ତାହାକୁ ପ୍ରତ୍ୟୁତ୍ପନ୍ନମତି ସଦୃଶ ସେତିକିରେ ରୋକିଦେଇ ରଖିବା ଲାଗି ସେମାନେ ଏକ ସଜ୍ଜନୋଚିତ କର୍ତ୍ତବ୍ୟବତ୍ ଗ୍ରହଣ କରିନେଲେ କି ? ଧର୍ମରେ ଥିବା ବା ଧର୍ମରେ ରହିବାକୁ ସତକୁ ସତ ଇଚ୍ଛା କରୁଥିବା ମଣିଷଟିଏ ତଥା ମାହାଲମାନେ ଏଇଥିପାଇଁ ଅନୁତାପ କରନ୍ତୁ, ଅନ୍ତଃପୁରର ନ୍ୟାୟଟା ଅନୁସାରେ ତାହା ତ ଆହୁରି କେତେ ନା କେତେ ଦୂରର କଥା ।

 

ଏବଂ, ଛାତ୍ରମାନେ ମଧ୍ୟ କିଛି କରିଥାନ୍ତେ । ପ୍ରତିବାଦ କରିଥାନ୍ତେ । ବିକ୍ଷୋଭ ପ୍ରଦର୍ଶନ କରି ଶିକ୍ଷାର ସେହି ତୋଟାଟା ଭିତରେ ସମ୍ଭବତଃ ଘାଏ ବୁଲି ବି ଆସିଥାଆନ୍ତେ । ଆଖର, ଗ୍ରନ୍ଥାଗାରଟା ତ ମୂଳତଃ ସେଇମାନଙ୍କ ସକାଶେ ହିଁ ରହିଛି । ନ୍ୟାୟତଃ ସେଇମାନଙ୍କୁ ଅଧିକ ନିପୁଣତା ସହିତ ପଢ଼ାଇ ପାରିବେ ବୋଲିତ ଏବେ ଉଚ୍ଚ ହୋଇ ଏକ ଗ୍ରନ୍ଥାଗାର ଅଧ୍ୟାପକମାନଙ୍କ ସକାଶେ ମଧ୍ୟ ଉନ୍ମୁକ୍ତ ହୋଇ ରହିବା ଉଚିତ୍ ବୋଲି ବିବେଚନା କରାଯାଇଥିବ । ଯେଉଁମାନେ ତ ପୃଥିବୀରୁ ଛୁଟିନେଇ ଗଲେଣିତ ଗଲେଣି, ହୁଏତ ସେମାନଙ୍କୁ ଭୁଲିଗଲେ ବି ଚଳିବ । କିନ୍ତୁ ଯେଉଁମାନେ ଅବସରଗ୍ରହଣ ପରେ ଏବେ ମଧ୍ୟ ସଶରୀର ବିଦ୍ୟମାନ ଅଛନ୍ତି, ଆମ ଛାତ୍ରମାନେ ସେମାନଙ୍କର ଘରଯାଏ ଯାଇ ପାରିଥାନ୍ତେ ଓ ସଂପୃକ୍ତ ବ୍ୟକ୍ତିମାନଙ୍କ ସହିତ କଥାଟି ସମ୍ପର୍କରେ ଚର୍ଚ୍ଚା କରି ପାରିଥାନ୍ତେ । ସମ୍ଭବତଃ ଏଭଳି ମାର୍ଗରେ ଅନ୍ତତଃ କିଛି ଗ୍ରନ୍ଥ ଫେରି ଆସି ବି ପାରିଥାନ୍ତା । ଏପରି ଘଟଣା କିଛି ଘଟିଥିଲେ ଆମ ଶିକ୍ଷାର୍ଥୀକୁଳ ବିହାରଟିକୁ ନିଜର ବି ଗୋଟିଏ ସଦନ ପରି ଅନୁଭବ କରୁଛନ୍ତି ବୋଲି କିଛି ସଙ୍କେତ ମିଳିଥାନ୍ତା ଏବଂ ଏତିକି ମଧ୍ୟ ଆମ ସାମୂହିକ ମାନସରେ ଆହୁରି କେତେ କେତେ ସ୍ୱଚ୍ଛତା ତଥା କ୍ରିୟାଶୀଳତା ନିମନ୍ତେ ବାଟ ଖୋଲି ଦେଇଥାନ୍ତା । ଦେବୀ ବୀଣାପାଣି ସତକୁ ସତ ଆମକୁ ମନେ ପକାଉଛନ୍ତି ବୋଲି ଏକ ପ୍ରତ୍ୟୟ ହୁଏତ ମିଳିଥାନ୍ତା । ଶିକ୍ଷାୟୋଜନର ବହୁ ଅଶିକ୍ଷା ଭଣ ଭଣ ଏହି ଭୂମିଟାରେ ହୁଏତ ତାହାରି ଫଳରେ କିଛି ଆଲୋକ ଲାଗି ଉତ୍ସୁକତାକୁ ସମ୍ଭବ କରାଯାଇ ପାରନ୍ତା । ତଥାପି, ଆମ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଶିକ୍ଷାର ଏକ ଯଥାର୍ଥ ବାସନାକୁ ପ୍ରଜ୍ଜ୍ଵଳିତ କରି ରଖିବା ନିମନ୍ତେ ସେହି ବିହାରମାନଙ୍କରେ କିଏ କ’ଣ କରୁଛି ଯେ, ଆମ ଶିକ୍ଷାର୍ଥୀମାନଙ୍କଠାରୁ ସେହିପରି ଗୋଟିଏ ଅଭିନବ କାଣ୍ଡ ଆଶା କରାଯାଇପାରିବ ? ଆମେ ନାନା ଅନ୍ୟ ପ୍ରତିମାମାନ ପୂଜା କରି ବଦଳ ହୋଇଯାଇଥିବା ବଡ଼ମାନେ ପ୍ରକୃତରେ କେଉଁ ଆଣ୍ଟରେ ସେମାନଙ୍କଠାରୁ ଏତେ ଏତେ କଥା ଆଶା କରିପାରିବା ? ପ୍ରତ୍ୟୟ ରହିଥିବା ମଣିଷଟିଏ ସିନା ପ୍ରତ୍ୟୟ ଦେଇପାରିବ ଏବଂ ଏକ ଅନ୍ୟ ପରିମଳ ସମ୍ଭବ କରିବା ନିମନ୍ତେ ଯୋଗ୍ୟ ସାହସଟିଏ ସୃଷ୍ଟି କରି ପାରିବ ।

 

୨୧.୫.୦୧

☆☆☆

 

Unknown

ବିକାଶ ଏବଂ ପରିବେଶ

 

ସ୍ୱାଧୀନ ଭାରତବର୍ଷରେ ଧନୀର ବହୁତଳ ପ୍ରାସାଦ ଏବଂ ଦରିଦ୍ରର କୁଡ଼ିଆ ମୋଟେ ଏକତ୍ର ହୋଇ ରହିପାରିବ ନାହିଁ ବୋଲି ଥରେ ମହାତ୍ମା ଗାନ୍ଧୀ ମତପ୍ରକାଶ କରି କହିଥିଲେ । ନିଜ ରଚନାତ୍ମକ କାର୍ଯ୍ୟକ୍ରମର ଅଙ୍ଗ ରୂପେ ସେ ଏହି କଥାଟିକୁ ଘୋଷଣା କରିଥିଲେ । ସ୍ୱାଧୀନ ଭାରତବର୍ଷରେ ଏକ ଏବଂ, ପୁନର୍ରଚନା ବଳରେ ସେକଥା ହେବ । ଏବଂ, ପୁନର୍ରଚନା ହେଉଛି ବିକାଶର ଏକ ଅନ୍ୟ ନାମ । ସ୍ୱାଧୀନତା ପରେ ବିକାଶର ଯାବତୀୟ ପ୍ରକ୍ରିୟା ଯେ ଅତ୍ୟନ୍ତ ଏକପାଖିଆ ହୋଇଗଲା ଏବଂ ଏଠି ସବୁ ମଣିଷଙ୍କର ମାନଦଣ୍ଡ ଉପରେ ତଉଲି ଦେଖିଲେ ତାହା ଯେ ସତେଅବା ଅତ୍ୟନ୍ତ ସୁଚିନ୍ତିତ ଭାବରେ ପ୍ରାୟ ଏକ ଅପକ୍ରିୟାରେ ପରିଣତ ହେଲା, ସେହି କଥାଟିର ଯଥେଷ୍ଟ ଆଲୋଚନା ହେବା ଉଚିତ । କେବଳ ସରକାର ନୁହନ୍ତି, କେବଳ ଶିକ୍ଷିତ ନୁହନ୍ତି ଅଥବା କେବଳ ଯାବତୀୟ ସୁଯୋଗକୁ ପ୍ରାୟ ଏକୁଟିଆ ଆୟତ୍ତ କରିନେଇ ଆମର ଯାବତୀୟ ସାମୂହିକ ଉଦ୍ୟମକୁ ନାନା ଦୁଷ୍ଟ ଘେରମାନଙ୍କରେ ଆଣି ପକାଇ ଦେଇଥିବା, ଚାଲାଖମାନେ ନୁହନ୍ତି, ଦେଶର ସମସ୍ତଙ୍କୁ ଏକାଠି କରି ଥଣ୍ଡା ମନରେ କଥାଗୁଡ଼ିକର ଆଲୋଚନା ହେବା ଉଚିତ୍ । ସ୍ୱାଧୀନତା ପାଇବାରେ ଅର୍ଥାତ୍ ନିଜ ଘରଟିକୁ ଆପଣା ବୁଦ୍ଧିରେ ଆପେ ସଜାଡ଼ିବାର ପଚାଶ ବର୍ଷ ହୋଇଗଲା, ତଥାପି ଦେଶଟା ଭିତରେ ଏତେ ଏତେ ଅସମାନତା ତଥା ଅସହାୟତା କାହିଁକି ଯେ ରହିଥିଲା ଏବଂ ନାଗରିକ ଜୀବନର ସବାମୂଳ ବିଶ୍ୱାସ ଏବଂ ସର୍ବନିମ୍ନ ପ୍ରତ୍ୟୟଗୁଡ଼ିକୁ କାହିଁକି ଏପରି ଧୋକା ଦିଆଗଲା, ତାହାରି ଆଲୋଚନା ହେଉ,–ଏବଂ ଆଗକୁ ବାଟଗୁଡ଼ିକ ଅବଶ୍ୟ ବାହାରୁ ।

 

ଅସଲ ବିକାଶ ସୁସ୍ଥ ପରିବେଶ ନିମନ୍ତେ ମାର୍ଗମାନ ଫିଟାଇ ଦେଇଥାଏ । ଯେଉଁ ବିକାଶ ସମସ୍ତଙ୍କୁ ଆଖି ଆଗରେ ରଖିଥାଏ, ତାହାରିଦ୍ୱାରା ହିଁ ଏକ ସୁସ୍ଥ ପରିବେଶର ସମ୍ଭାବନା ଅଧିକ ସାକାର ହୋଇ ଆସିଥାଏ । ଭାରତବର୍ଷରେ କ’ଣ ପାଇଁ ଏପରି ହେଲା ଯେ, ଏଠି ଦେଶର ଅଧେ ମଣିଷ ଅପଚରା ହୋଇ ରହିଗଲେ ? ସର୍ବବିଧ ଖାତାରେ ସେମାନଙ୍କର ନାଆଁ ରହିଥିଲା, ଅଥଚ ସେମାନଙ୍କୁ ସଙ୍ଗରେ ନିଆଗଲା ନାହିଁ । ଅସଲ ଆଇନଗୁଡ଼ିକ ଚାଲାକମାନଙ୍କର ଫାଇଲ୍ ଭିତରେ କାଗଜ ହୋଇ ରହିଗଲା । ଅଧିକ ମଣିଷଙ୍କର ଭାଗ୍ୟକୁ ନାନା ଅବଜ୍ଞା ଭିତରେ ବନ୍ଦ କରି ରଖି ଦିଆଗଲା । ସାମୂହିକ ବିକାଶର ଆୟତନମାନଙ୍କରୁ ଅଧେ ମଣିଷଙ୍କୁ ବାହାର କରି ରଖାଗଲା-। ସେମାନେ ଭୂଇଁଗୁଡ଼ିକୁ ଚାଷ କଲେ ସତ, ମାତ୍ର ଭୂଇଁର ଫଳକୁ ତୁଚ୍ଛା ଦୈତ୍ୟମାନେ ହିଁ ଭୋଗକଲେ । ଦୈତ୍ୟମାନେ ଯେପରି ଭାବରେ ହେଲେ ମଧ୍ୟ ଏହି ଦେଶଟାକୁ ରାତାରାତି ବିଲାତ ବା ଆମେରିକାରେ ପରିଣତ କରିବାକୁ ବାହାରିଲେ ଏବଂ ସେହି ଅଲକ୍ଷଣା ଅବ୍ୟବସ୍ଥାଟା ଭିତରେ ଗୋଟିଏ ଗୋଟିଏ ଭାଲୁଛୁଆ ହୋଇ ବୁଲିବାର ସ୍ୱପ୍ନ ଦେଖିଥିଲେ । ସେମାନଙ୍କର ପିଲା ସାହେବ ହେବାଲାଗି ନାନା ଅପାଠରେ ପାରଙ୍ଗମ ହୋଇ ବାହାରିବାର ପାଠ ପଢ଼ିଲେ । ଏକ ଅନ୍ୟ ଭାଷାରେ ମଣ ହେଲେ, ଯେଉଁ ଭାଷାରେ ଏବେ ମଧ୍ୟ ଦେଶରେ ଅଧିକ ମଣିଷଙ୍କର ହୃଦୟର ଯାବତୀୟ ଭାବ ତଥା ଭାବନା ଆତଯାତ ହେବାରେ ଲାଗିଛି, ସେମାନେ ସେହି ଭାଷାକୁ ଘୃଣା କଲେ । ସେହି ଭାଷାଟା ଆସୁନାହିଁ ବୋଲି ବରଂ ଗୌରବ ଅନୁଭବ କଲେ । ଅଧିକ ମଣିଷଙ୍କର ଉପେକ୍ଷା କରି ଯେଉଁ ଅଳ୍ପ ଆତ୍ମକାମୀମାନେ ଶାସନ, ଶିକ୍ଷା, ବିକାଶ, ଉନ୍ନୟନ ଏବଂ ଆହୁରି କେତେ କ’ଣ କ୍ଷେତ୍ରରେ ଦେଶରେ ନିଯୁକ୍ତ ହୋଇ ରହିଆସିଲେ ସେମାନଙ୍କର କବଳରେ ପଡ଼ି ଦେଶଟାର ବାହାର ଏବଂ ଭିତର ବସ୍ତୁତଃ ଯେଉଁପରି ହୁଅନ୍ତା, ଭାରତବର୍ଷରେ ସ୍ୱାଧୀନତାର ପଚାଶବର୍ଷ ପରେ ବର୍ତ୍ତମାନ ନିତାନ୍ତ ଭେଷରା ଭାବରେ ତାହାରି ଏକ ଅରାଜକ ଚିତ୍ର ଦେଖିବାକୁ ମିଳୁଛି । ଭୋଗୀମାନଙ୍କର ହୋସ୍ ନାହିଁ,–ସେମାନଙ୍କୁ ଯେ କୋଟି କୋଟି ମଣିଷ ଅନାଇ ଦେଖୁଛନ୍ତି ଏବଂ ଏକ ଚରମ ମୋହଭଙ୍ଗ ନିମନ୍ତେ ପ୍ରସ୍ତୁତ ହେଉଛନ୍ତି, ସେତିକି ଘ୍ରାଣ କରି ପାରିବାକୁ ମଧ୍ୟ ସେମାନଙ୍କର ଆଉ ଅକଲ ପାଉନାହିଁ । ସମସ୍ତଙ୍କ ପାଇଁ ନିଯୁକ୍ତ ହୋଇଥିଲେ ମଧ୍ୟ ସେମାନେ ହୁଡ଼ିଯାଇ କେବଳ ଆପଣା ଅଭିବୃଦ୍ଧିଗୁଡ଼ିକର ଜଙ୍ଗଲ ଭିତରେ ସତେଅବା ଚତୁର୍ମାସ୍ୟା ପାଳନ କରୁଛନ୍ତି । ଆମ ବିକାଶର ପସରାଟିକୁ ସେମାନଙ୍କ ହାତକୁ ଟେକିଦେଇ ପ୍ରକୃତରେ ଯେ ଭାରି ଭୁଲ ହୋଇଛି, କ୍ରମେ ସଚେତନ ହୋଇ ଆସୁଥିବା ନାଗରିକମାନେ ସେକଥା ମଧ୍ୟ ଚିନ୍ତା କଲେଣି-। ବିକଳ୍ପମାନଙ୍କୁ ଖୋଜା ଚାଲିଛି ।

 

ସବୁ ମଣିଷଙ୍କର ସୁଖ ଏବଂ ଉନ୍ନୟନକୁ ସମ୍ମୁଖରେ ଧରି ରଖି ଯଦି ଭାରତବର୍ଷରେ ବିକାଶ କାର୍ଯ୍ୟକାରୀ ହୋଇଥାନ୍ତା, ତେବେ ଦେଶର ଚେହେରା ଆଜି ଅନ୍ୟ ଭଳି ହୋଇଥାଆନ୍ତା । ଗାଁ ଓ ସହର ସୁସ୍ଥ ଦିଶୁଥାନ୍ତା, ଶିକ୍ଷିତମାନେ ଏହି ଦେଶକୁ ନିଜର ଦେଶ ବୋଲି ଅନୁଭବ କରୁଥାନ୍ତେ ଏବଂ ଶାସନ ତଥା ନେତୃତ୍ୱର ସ୍ଥାନମାନଙ୍କରେ କେହି ଦୈତ୍ୟ ହୋଇ ରହିବା ଲାଗି ପ୍ରଶ୍ରୟ ପାଇନଥାନ୍ତା । ବାବୁମାନେ ଭେଳିକି ଲଗାଇ ଦେଶର ପଇସାଗୁଡ଼ାକୁ ନିଜର ସୁଖ ଏବଂ ନିଜର ରମଣ ନିମନ୍ତେ ବରବାଦ କରିଦେବାକୁ ସାହସ କରିନଥାନ୍ତେ । ଆହୁରି କିଞ୍ଚିତ୍ ଆଗକୁ ଯାଇ କହିଲେ, ପରମ୍ପରାକ୍ରମେ ଭାରତବର୍ଷର ଗୋଷ୍ଠୀ-ଜୀବନରେ କୁଷ୍ଠରୋଗ ପରି ହୋଇ ରହି ଆସିଥିବା ଜାତିଗତ ତଥା ଅନ୍ୟାନ୍ୟ ଭେଦଗୁଡ଼ିକରେ ଖୁବ୍ ହ୍ରାସ ହୋଇ ପାରିଥାନ୍ତା । ସାର୍ବଜନୀନ ଶିକ୍ଷାକୁ ଆବଶ୍ୟକ ସାଧୁତା ସହିତ ସର୍ବାଗ୍ର ଅଧିକାର ଦେଇପାରିଥିଲେ, ଦେଶର ଜନସଂଖ୍ୟା ବୃଦ୍ଧି ମଧ୍ୟ ନିୟନ୍ତ୍ରଣକୁ ଆସିପାରିଥାନ୍ତା । ଗାଁ ଏବଂ ସହର ମଧ୍ୟରେ ଖାଇଟାକୁ ଏପରି ମନମୋଟା ଭାବରେ ସ୍ଥାୟୀ ରଖାଯାଇ ନଥାନ୍ତା ଏବଂ ତେଣୁ, ଗାଆଁକୁ ଛାଡ଼ି ନାନା ହଠାତ୍ ପ୍ରାପ୍ତିର ଦୂରାଶାଦ୍ୱାରା ତାଡ଼ିତ ହୋଇ ଏତେ ମଣିଷ ଯେପରି ସହରଟା ଉପରେ ଲଦି ହୋଇ ପଡ଼ୁଛନ୍ତି ଏବଂ ସମ୍ପୃକ୍ତ ସମସ୍ତଙ୍କର କଷଣ ବୃଦ୍ଧି କରୁଛନ୍ତି, ତାହାକୁ ରୋକି ହେଉଥାନ୍ତା । ଏବଂ, ଶିକ୍ଷା–ଘରର ସକଳ ବ୍ୟବସ୍ଥା ପ୍ରତିଭାର ସନ୍ଧାନ ଏବଂ ଉତ୍କର୍ଷଣ କରିପାରୁଥାନ୍ତା, ଶିକ୍ଷାଦାତାଙ୍କୁ ଅଧିକ ମର୍ଯ୍ୟାଦା ସହିତ ନିଜର କର୍ତ୍ତବ୍ୟ ପାଳନ କରିବାପାଇଁ ଉଦ୍‍ବୋଧନ ପ୍ରଦାନ କରୁଥାନ୍ତା । ଯାବତୀୟ ନିର୍ମାଣ ଓ ପ୍ରୟାସରେ ସମବେତ ହୋଇ ପାରୁଥିବାରୁ କେହି ନିଜକୁ କାହାର ମାଲିକ ଅଥବା ଭୃତ୍ୟ ବୋଲି ଭାବିବାର ବିଶେଷ ଅବକାଶ ନଥାନ୍ତା । ଶିକ୍ଷିତମାନେ ମ୍ଳେଚ୍ଛ ହୁଅନ୍ତେ ନାହିଁ । ପଦରେ ରହିଥିବା ସେହି ଅନ୍ୟମାନେ ନିଜର ଗୋଦଡ଼ପଣଗୁଡ଼ାକର ପ୍ରଦର୍ଶନ କରି କୌଣସି ଆନନ୍ଦ ଲାଭ କରୁନଥାନ୍ତେ ।

 

ଶାସନ ଅବଶ୍ୟ ଥାଆନ୍ତା, କିନ୍ତୁ ବର୍ତ୍ତମାନ ପରି ଲୋକମାନଙ୍କର କାନ୍ଧ ଉପରେ ଯାଇ ବସିନଥାନ୍ତା । ବସିବାକୁ ସାହସ କରୁନଥାନ୍ତା । ଅସଲ ଲଗାମଗୁଡ଼ିକ ଲୋକାୟତ ସ୍ତରର ସେହି ଅସଲ ଗୁରୁତ୍ୱ ରଖିଥିବା ଶକ୍ତିମତ୍ତା ଅର୍ଥାତ୍ ସଚେତନତା ପାଖରେ ଯାଇ ରହିଥାନ୍ତା । ଏବେ ତ ସାଧୁତାଗୁଡ଼ାକ ସମ୍ପୂର୍ଣ୍ଣ ଭାବରେ ଲଟାରେ ଯାଇ ପଶିଛନ୍ତି । ଯାହା କିଛି କରିବାକୁ ହେଲେ, ଏପରିକି ନିଜର ମୂଳଭୂତ ପ୍ରାପ୍ୟ ତଥା ଅଧିକାରୀମାନଙ୍କୁ ଲାଭ କରିବାକୁ ହେଲେ ପଦସ୍ଥ ଅର୍ଥାତ୍ ପଦର ଅଯୋଗ୍ୟମାନଙ୍କୁ ଲାଞ୍ଚ ଦେବାକୁ ପଡ଼ୁଛି, ଚୋରମାନଙ୍କର ସବୁଯାକ କୁହା ମାନିବାକୁ ପଡ଼ୁଛି-। ନିଜର ଏବଂ ନିଜ ଦେଶଟାର ସବୁ ମହତକୁ ପାଣିରେ ପକାଇ ଦେବାକୁ ପଡ଼ୁଛି । ଏକଦା ଏକ ସଂଗ୍ରାମ ଲଢ଼ାହୋଇ ଯେ ଭାରତ ସ୍ୱାଧୀନ ହୋଇଥିଲା, ସେକଥା ମନେ ପଡ଼ିଯିବା ମାତ୍ରକେ ଉଚ୍ଚ ଆସନଗୁଡ଼ିକୁ ଆବୋରି ବସିଥିବା ଏହି ମୋଟାଚମ ଗଣ୍ଡାରମାନଙ୍କୁ ପ୍ରତ୍ୟାଖ୍ୟାନ କରିବାଟା ହିଁ ସତେଅବା ଏକମାତ୍ର ଉପସ୍ଥିତ ଧର୍ମ ବୋଲି ମାନିନେବାକୁ ମନ କହୁଛି । ତିମିଙ୍ଗଳମାନଙ୍କର ପ୍ରକୃତରେ କେବେ ହେଲେ କୌଣସି ଦେଶ ନଥାଏ । ଧର୍ମତଃ ଆତ୍ମକାମୀମାନେ ଯେତେ ପାଠ ପଢ଼ିଥିଲେ ଅଥବା ଯେତେ ଅଧିକ ପଇସା ପାଉଥିଲେ ମଧ୍ୟ ତଥାପି କୌଣସି ଲୋକଭାଗ୍ୟ ସହିତ ସାମିଲ ହୋଇପାରନ୍ତି ନାହିଁ । ବିଗତ ପଚାଶ ବର୍ଷ ଧରି ଯେଉଁମାନେ ଆମର ଯାବତୀୟ ବିକାଶ ସିରସ୍ତାରେ ଭାରପ୍ରାପ୍ତ ହୋଇ ରହିଥିଲେ ଏବଂ ନେତୃତ୍ୱ ଦେଉଥିଲେ, ସେମାନେ ଯେ ଦେଶର ମଣିଷମାନଙ୍କୁ ନଦେଖି ସବାଆଗ ଏବଂ ସବୁଠାରୁ ଅଧିକ କାମାସକ୍ତ ଭାବରେ ନିଜର ଗାତଗୁଡ଼ାକୁ ଭରାଇବାରେ ଲାଗିଲେ, ସେକଥା କ୍ରମଶଃ ଏବେ ଯାଇ ଜଣାପଡ଼ିଲା । ଏମାନେ ନିଜର ପରିବାରଟା ପାଇଁ ଦେଶର ସକଳ ସୁରକ୍ଷାକୁ ଲୁଟି ନେଉଥିଲେ, ଦେଶ-ନିୟତିର ସକଳ ସ୍ଵପ୍ନକୁ ଛାରଖାର କରି ଦେଉଥିଲେ । ଭଗବାନଙ୍କୁ ବହୁତ ଧନ୍ୟବାଦ, ସିଏ କ’ଣ ମନକରି ମଙ୍ଗଟାକୁ ଅନ୍ୟଆଡ଼େ ଏପରି ମୋଡ଼ିଦେଲେ ଯେ ଅନ୍ଧାର ଘରର ଗଉଁମାନ ଏକାବେଳେକେ ଆସି ପଦାରେ ପଡ଼ିଗଲା, ଲୋକଜୀବନକୁ ଚକିତ କରିଦେଲା । ଏବଂ, ବହୁତ ଧୋକା ଏବଂ ବିଡ଼ମ୍ବନାର ବିଷୟ ଯେ, ବାବୁମାନେ ଓ ପ୍ରଦସ୍ଥମାନେ ଆମକୁ ତଥାପି ବିକାଶ କଥା କହୁଛନ୍ତି । ଅସଲ ବିବେକରୁ କାଣିଚାଏ ଥିଲେ ସେମାନେ ହୁଏତ ଅନୁତାପ କରୁଥାଆନ୍ତେ । ଆଉ କାହା କଥା ମାନନ୍ତେ-

 

ଦୀର୍ଘ ପଚାଶବର୍ଷ କାଳ ବିକାଶର କାର୍ଯ୍ୟକ୍ରମଗୁଡ଼ିକୁ ଯେଉଁମାନେ ଭ୍ରଷ୍ଟ କରି ଆସିଲେ, ଏବେ ସେଇମାନେ ତଥାପି ବିକାଶର କଥା କହୁଛନ୍ତି । ବିକାଶର ଲଗାମଗୁଡ଼ିକୁ ସେମାନେ ତଥାପି ନିଜ ହାତରେ ରଖିବାକୁ ଇଚ୍ଛା କରୁଛନ୍ତି । ପରିବେଶକୁ ରକ୍ଷା କରିବା ସକାଶେ ବିକାଶର ଧାରାଟି ପଛରେ ରହି ନଯାଉ ବୋଲି ସେମାନେ ପରାମର୍ଶ ଦେଉଛନ୍ତି । କେତେ ମଣିଷଙ୍କର ଲୋଭରୁ ହିଁ ପୃଥିବୀଯାକର ପରିବେଶ ସଂପ୍ରତି ଏକ ବିପନ୍ନ ଅବସ୍ଥାରେ ଆସି ପହଞ୍ଚିଛି । ଭୋଗୀମାନେ ହିଁ ନାନା ନାମରେ ଆପଣାର ଭୋଗାୟତନଗୁଡ଼ିକୁ ବହୁ ପ୍ରଶସ୍ତ କରି ରଖିବେ ବୋଲି ପରିବେଶ ଉପରେ ଦୌରାତ୍ମ୍ୟ କରିଛନ୍ତି । ବଣିକ ବନିଛନ୍ତି, ବିଜ୍ଞାନକୁ ଭୃତ୍ୟ ପରି ବ୍ୟବହାର କରିଛନ୍ତି, ସାମ୍ରାଜ୍ୟ ଖୋଜି ପୃଥିବୀଯାକ ଖେଦି ଯାଇଛନ୍ତି, ଏପରିକି ଜାତୀୟତାବାଦର ଦ୍ୱାହି ଦେଇ ଅସୁର ପରି ଆଚରଣ କରିଛନ୍ତି । ବିଜ୍ଞାନ ଭ୍ରଷ୍ଟ ହୋଇ ଯାଇଛି, ପୃଥିବୀରେ କ୍ଷମତା ହିଁ ବଳୀୟାର ହୋଇଛି-। କ୍ଷମତା ନାନା କୌଶଳ ପ୍ରୟୋଗ କରି ମଣିଷମାନଙ୍କୁ ଗଧ ଏବଂ ମଣ କରି ରଖିଛି-। ଧର୍ମର ପ୍ରଭାବକୁ ନଷ୍ଟ କରି ଦେଇଛି । ଏବଂ, ସେହି ଯାବତୀୟ ଅପକର୍ମ କେବଳ ଅଳପ ମଣିଷଙ୍କର ସ୍ୱାର୍ଥ ସାଧନ ନିମନ୍ତେ ହିଁ କରାଯାଇଛି । ସ୍ୱାଧୀନ ଭାରତବର୍ଷରେ ପ୍ରଥମ ପଚାଶବର୍ଷର ଇତିହାସ ହେଉଛି ମୁଖ୍ୟତଃ ସେହି ଅବଜ୍ଞା ଏବଂ ଅବହେଳାର ଇତିହାସ । ସକଳ କିସମର ରାଜନୀତିକ ସାଧୁତା, ରାଜନୀତିକ ଇଚ୍ଛା ଏବଂ ରାଜନୀତିକ ସଚେତନାକୁ ଚୁଲିକୁ ଫିଙ୍ଗି ଦେଇଥିବାର ହିଁ ଇତିହାସ । କ୍ଷମତାସୀନ ସେହିମାନେ କେଡ଼େ ଉତ୍ସାହରେ ଇଚ୍ଛା କରୁଛନ୍ତି ଯେ, ଆଏବା ପଚାଶ ବର୍ଷ ମଧ୍ୟ ସେହି ଏକା ତାମସା ଲାଗି ରହିଥିବ । ସେମାନେ ଅଧିକ ମଣିଷଙ୍କୁ ଉଚ୍ଛନ୍ନ କରି ନିଜର, ଅଳପଙ୍କର ବପୁ ବଢ଼ାଇବେ । ଭୂମି ସଂସ୍କାର ହେବ ନାହିଁ, ସବୁ ପିଲାଙ୍କ ସକାଶେ ଇସ୍କୁଲ ଚାଲିବ ନାହିଁ, ସମସ୍ତଙ୍କୁ ସମ୍ମୁଖରେ ରଖି ଯୋଜନା ହେବ ନାହିଁ । ସେହି ପୁରାତନ ସ୍ଵାର୍ଥମାନେ ପ୍ରବଳ ଓ ପ୍ରବଳତର ହେଉଥିବେ । ଏବଂ, ଦେଶ ବିକାଶର ପଥରେ ଆଗେଇଛି ବୋଲି କୁହାଯାଉଥିବ ।

 

ଅଧିକ ବିକାଶ ଲୋଡ଼ା, କାରଣ ତଦ୍ଦ୍ୱାରା ଦେଶରେ ଧନ ବଢ଼ିବ । ବିଗତ ପଚାଶବର୍ଷ କାଳ ତ ଦେଶର ଧନ କେତେ କେତେ ଗୁଣ ବଢ଼ିଛି । ମାତ୍ର, ତାହାକୁ ତସ୍କରମାନେ ଲୁଟି ନେଇଛନ୍ତି-। ଯଦି ଆହୁରି ଧନ ବଢ଼ିବ, ତେବେ ତାକୁ ମଧ୍ୟ ସେଇ ତସ୍କରମାନେ ଲୁଟିନେବେ-। ତା’ପରେ ପରିବେଶ ବୋଲି ଦେଶରେ ଯାହାକିଛି ରହିବ, ତାହା ସେହି କ୍ଷମତାପନ୍ନ ଜନ୍ତୁମାନଙ୍କୁ ହିଁ ସୁହାଇବ-। ତେଣୁ, ଅସଲ କଥା ବିକାଶ ନୁହେଁ, ଅସଲ କଥା ହେଉଛି ଏପରି ଏକ ପରିବେଶକୁ ସମ୍ଭବ କରି ଆଣିବା, ଯେଉଁଥିରେ କି ଯାବତୀୟ ବିକାଶ ସଂପୃକ୍ତ ସମସ୍ତଙ୍କ ପାଇଁ ଏକ ସୁସ୍ଥ ବିକାଶର ନିର୍ଭର ଦେଇ ପାରିବ । ସୁସ୍ଥ ବିକାଶ ଅର୍ଥାତ୍ ସମସ୍ତଙ୍କର ରାଜିରେ ବିକାଶ, ସମସ୍ତଙ୍କର ସମୃଦ୍ଧି ନିମନ୍ତେ ବିକାଶ । ମୂଳତଃ ସେଇଟି ହୋଇ ପାରିନାହିଁ ବୋଲି ଭାରତବର୍ଷ ଏଠାରେ ଅନେକ ସମ୍ଭାବନା ରହିଥିଲେ ମଧ୍ୟ ବହୁତ ଅସୁସ୍ଥତା, ବହୁତ ଦୁଃଖ ଏବଂ ବହୁତ ଅବଜ୍ଞା ଭିତରେ ଭାରି ନରଖର ହେଉଛି । ହତାଶାରୁ ନାନାଭଳି ହିଂସ୍ରତା ଜନ୍ମଲାଭ କରୁଛି । ତେଣୁ, ସବାଆଗ ଏକ ଭିତ୍ତିଭୂମି ଦରକାର । ଲମ୍ପଟ ଏବଂ ଆତ୍ମକାମୀମାନେ ଆମକୁ କଦାପି ସେଇ ଭିତ୍ତିଭୂମିଟିକୁ ଯୋଗାଇ ଦେଇ ପାରିବ ନାହିଁ । ସେମାନେ ବାଟ ଛାଡ଼ି ଦିଅନ୍ତୁ । ଲୋକ– ବିବେକକୁ ଛାଡ଼ି ଦିଅନ୍ତୁ ଏକାଧିକ କାରଣରୁ ରାଜନୀତିକ ନେତୃତ୍ୱଗୁଡ଼ିକର ଲୋକବିବେକ ସହିତ ଆଉ ଆଦୌ କୌଣସି ଖିଅ ଲାଗିଥିବା ପରି ମନେ ହେଉନାହିଁ । ଯାବତୀୟ କ୍ଷେତ୍ରରେ ଗୋଟିଏ ଅରାଜକ ବ୍ୟବଧାନ ରାଜନୀତିକ ଦଳଗୁଡ଼ିକୁ ଭାରି ଅଲକ୍ଷଣା କରି ରଖିଛି । ସେମାନେ ନିତାନ୍ତ ହତାଶଙ୍କ ପରି ଯେକୌଣସି ପ୍ରକାରେ ତିଷ୍ଠି ରହିବେ ବୋଲି ଖୁବ୍ ଲାଗିଛନ୍ତି । ଖୁବ୍ ଧରା ପଡ଼ି ଯାଉଛନ୍ତି-। ଏମାନେ ଆଦୌ କୌଣସି ଯଥାର୍ଥ ବିକାଶରେ ନେତୃତ୍ଵ ଦେଇ ପାରିବେ ନାହିଁ । କ୍ଷମତାସୀନମାନେ ଧମକ ସିନା ଦେବେ ମାତ୍ର ନେତୃତ୍ୱ ଦେଇ ପାରିବେ ନାହିଁ । ତେଣୁ ସମ୍ଭବତଃ ନୂଆ ହୋଇ କିଛି ଆବିର୍ଭୂତ ହୋଇ ଆସୁଛି । ଏକ ଅନ୍ୟ ପରିବେଶ ଓ ଅନ୍ୟ ବିକାଶର ଉଦ୍‍ବୋଧନ ନେଇ ଆସୁଛି-

 

୨୮.୫.୦୧

☆☆☆

 

ବେଦରେ ସାମ୍ପ୍ରଦାୟିକତା ନାହିଁ

 

ସେଦିନ ସ୍ଵାମୀଜୀ ସମ୍ଭବତଃ ଉତ୍ସାହର କ୍ଷେତ୍ରରେ ଟିକିଏ ଅଧିକ ହାମୁଡ଼େଇ ପଡ଼ି କହି ପକାଇଲେ ଯେ, ବେଦରେ ସାମ୍ପ୍ରଦାୟିକତା ନାହିଁ । ସାମ୍ପ୍ରଦାୟିକତା ସତକୁସତ କେଉଁଠି ଅଛି ? ଇସ୍‍ଲାମରେ ଅଛି, ହିନ୍ଦୁଧର୍ମରେ ଅଛି ? ଖ୍ରୀଷ୍ଟିଆନ୍ ସମେତ ଆଉ ବ୍ରହ୍ମାଣ୍ଡଯାକର ଧର୍ମମାନଙ୍କରେ ରହିଛି ? ଊନବିଂଶ ଶତାବ୍ଦୀରେ ବଙ୍ଗଳାରେ ବ୍ରାହ୍ମଧର୍ମ ବୋଲି ଯେଉଁ ଉପାସନା ମତଟିଏ ଆରମ୍ଭ ହୋଇଥିଲା, ଦେବତାମାନଙ୍କୁ କାଟିକାଟି ସବା ଆଗରେ ବ୍ରହ୍ମକୁ ଆରାଧନା କଲେ ତତ୍କାଳୀନ ଧାର୍ମିକତାର ଯାବତୀୟ ନର୍ଦ୍ଦମା ଭିତରୁ ସମ୍ପୂର୍ଣ୍ଣ ଭାବରେ ଶୁଦ୍ଧ ରହିହେବ ବୋଲି କେତେ ବୁଦ୍ଧିମତ୍ତା ସହିତ ପଶାପାଲିର ଗୋଟି ଚଳାଇ ସେଇଟିର ବ୍ୟାଖ୍ୟା ଏବଂ ବୟାନ କରାଯାଇଥିଲା, ଅଲକ୍ଷଣା ସାମ୍ପ୍ରଦାୟିକତାଟା ତା' ଭିତରେ ଯାଇ ପଶିବାକୁ ସତେଅବା ଆଦୌ ଉଚ୍ଛୁର ଲାଗି ନଥିଲା । ଇସ୍‍ଲାମ୍ ମୂଳ-ଧର୍ମଟିକୁ ଗୋଟିଏ ଶୁଦ୍ଧତର ଉତ୍ସାହ ନାଳୀ ଦେଇ ଆଉଆଡ଼େ ମୁହାଁଇ ନେବାକୁ ସୁଫୀମାନେ ଆସିଲେ, ଏବଂ ଅଚିରେ ଏକ ସଂପ୍ରଦାୟ ବନିଗଲେ । ଅନେକ ଭିତରେ ଏକର ସରଜମିନ୍ ତଦନ୍ତ କରୁ କରୁ ଭାରତବର୍ଷରେ କେତେ ଭଳି ଭଳି ଦାନ୍ତର ସଂକେତ ତଥା ଶକୁନ ଦେଖାଇ ଅଦ୍ୱୈତବାଦୀମାନେ ବାହାରିଲେ । ସେମାନେ ସାମ୍ପ୍ରଦାୟିକ ହେଲେ, ଅଲଗା ସନ୍ତକରେ ଅଲଗା ପାଟକର ପରିଚୟ ଦେଲେ । ଅଲଗା ଅଲଗା ମଠରେ ନିଜ ନିଜ ପ୍ରଚକ୍ଷୁରେ ଯୋଉ ରଙ୍ଗଟିକୁ ଦେଖିଲେ ସେଇଟିକୁ ହିଁ ଭଗବାନଙ୍କର ଅସଲ ରଙ୍ଗ ବୋଲି କହିଲେ । ସ୍ଵକୀୟ ଅବତାର-କଳ୍ପନାରେ ଅଧିକ ହଳଦୀ ମାଠିଦେଇ ଅବତାରୀ ନାମକ ଏକ ଅନ୍ୟ ଅଧ୍ୟାତ୍ମର ଆରୋପଣ କରାଇଲେ । ଅବଶ୍ୟ ଏହାଦ୍ୱାରା ପୃଥିବୀର ଗୋଟାଏ ବଡ଼ ଲାଭ ହେଲା ଯେ, ଗୁଣକ ଜାଗାରେ ସାତ ବା ସତରଗୁଣ ଅଧିକ ଶାସ୍ତ୍ର ଲେଖାହେଲା, ସତ୍ୟମାନେ ନାନା ଡିଜାଇନର ସାମ୍ପ୍ରଦାୟିକତା ଭିତରେ ଅତ୍ୟନ୍ତ କଳାତ୍ମକ ଭାବରେ ନିବୁଜ ହୋଇ ରହିଗଲେ ।

 

ଯିଏ ଯୋଉ ବାଟରେ ଥାଏ, ଅର୍ଥାତ୍ ଯୋଉ ଖାତାରେ ନାଆଁଟା ଲେଖିଥାଏ, ସିଏ ସେହି ବାଟଟିକୁ ସତେଅବା ଏକ ଭିନ୍ନ ମର୍ଯ୍ୟାଦାବନ୍ତ ବାଗରେ ଦେଖାଇବ ବୋଲି କେଡ଼େ ଆତୁର ଯେ ହୋଇଉଠେ, ପ୍ରାଚୀନ ତଥା ଅତ୍ୟାଧୁନିକ ଉଭୟ କାଳରେ ତାର ପୋଷ ପୋଷ ଦୃଷ୍ଟାନ୍ତ ଚାହିଲା ମାତ୍ରକେ ମିଳିଯାଇ ପାରିବ । ଖ୍ରୀଷ୍ଟିଆନ ଧର୍ମରେ ଯେ ଅସୁମାରି ସମ୍ପ୍ରଦାୟ ରହିଛନ୍ତି ସେଇଟା କ’ଣ ଯୀଶୁ ମାନବପୁତ୍ରଙ୍କର ଦୋଷ ? ଜମିଟାକୁ ନେଇ ଭାଇ ଭାଇଙ୍କ ଭିତରେ ଯେଉଁ ବିବାଦ ଏବଂ ବୈମନସ୍ୟ ଲାଗୁଛି, ସେଇଟା କ'ଣ ଜମିର ଦୋଷ ? ସାହିତ୍ୟକୁ ନେଇ ଯେଉଁସବୁ ସାମ୍ପ୍ରଦାୟିକତା ଆମକୁ ଓ ଆମର ସୁକୁମାର ଭାବନାର ଆବୁମାନଙ୍କୁ ମଜାଇ ରଖିଛି, ସେଥିପାଇଁ ସାହିତ୍ୟକୁ କାହିଁକି ଦୋଷ ଦିଆଯିବ କିମ୍ବା ଦାୟୀ କରାଯିବ ? ଏବଂ ରାଜନୀତିକୁ ନାନା ସମ୍ପ୍ରଦାୟିକ ଭିଡ଼ାଭିଡ଼ିରେ ପରିଣତ କରି ସୁଆଙ୍ଗୀ ତଥା ନବରଙ୍ଗୀକ ମଧ୍ୟରେ ଯେଉଁ ଯାବତୀୟ ରତିରୋଷର ପ୍ରଦର୍ଶନ ହେଉଛି, ତାହା କ’ଣ ରାଜନୀତି ସକାଶେ ହେଉଛି ? ସ୍ୱାମୀ ଦୟାନନ୍ଦ ତେଣୁ କ’ଣ ପାଞ୍ଚନା କରି ତୁଚ୍ଛା ବେଦକୁ ମୂଳ କରି ଗୋଟାଏ ଅଲଗା ସମାଜ ବା ସମ୍ପ୍ରଦାୟର ରଚନା କରିଥିଲେ କେଜାଣି ? ଆମ ଓଡ଼ିଶାରେ ମହିମାପନ୍ଥୀମାନେ ଡାଳମାନଙ୍କୁ ଛାଡ଼ି ନିଦା ମୂଳଠାରୁ ଧରିବେ ବୋଲି ଏକଦା କେତେ ନା କେତେ ଉଦବେଳନର ସୃଷ୍ଟି କରିନଥିଲେ । ତଥାପି, କିଏ କେଉଁ ପରିଧାନର ଅଧିକାର ପାଇବ ଅଥବା ନପାଇବ, ସେଇଟାକୁ ନେଇ ଗୋଟାଏ ଗାଆଁ ଦୁଇ ଗାଆଁ ହୋଇ ଫାଟିଗଲା ଏବଂ ନିଜ ଭିତରେ ବିଚାର ତୁଟିପାରିଲା ନାହିଁ ବୋଲି ସେମାନେ ଅଗତ୍ୟା କଚେରିର ଆଶ୍ରୟ ଗ୍ରହଣ କଲେ । କାଜିଙ୍କଠାରୁ ଫଇସଲା ମାଗି ଯାଇଥିବା ଦୁଇ ମାଆଙ୍କ ଭିତରୁ ଜଣେ ଭାଗ୍ୟକୁ ସତ ମାଆ ରହିଥିଲା; ସେଥିପାଇଁ ପିଲାଟି ଦୁଇଖଣ୍ଡ ହୋଇ କଟାହେବାର ପ୍ରମାଦରୁ ରକ୍ଷା ପାଇଗଲା ! ଏବେ ତ ସଂପ୍ରଦାୟମାନେ କ’ଣ ଭାବି ସତକୁସତ ପିଲାଟିଏ ପ୍ରକୃତରେ ଲୋଡ଼ା କି ନାହିଁ ବୋଲି ନିଜ ପାଖରେ ଥିର ନିଶ୍ଚିତ ହୋଇପାରିବା ପୂର୍ବରୁ ହିଁ ପିଲାଟା ମୋର ବୋଲି ଡିବି ଡିବି ଡମ୍ବରୁ ବଜାଇ ଦିଗମ୍ବର ବେଶରେ କଚେରିରେ ଯାଇ ପହଞ୍ଚି ଯାଉଛନ୍ତି । ବାଟଟା ଭଗବାନଙ୍କ ଯାଏ ପଡ଼ିଛି ବୋଲି ସତକୁସତ ଅନୁଭବ କରୁଥିବା ପର୍ଯ୍ୟନ୍ତ ତଥାକଥିତ ସଂପ୍ରଦାୟ ଭିତରେ ରହିଥିବା ମଣିଷଟିଏ ମଧ୍ୟ ଆଗ ସମ୍ପ୍ରଦାୟକୁ ନୁହେଁ ସତ୍ୟକୁ ଦେଖିବ; ଏବଂ, ଅନ୍ୟପକ୍ଷରେ ଏହି ବାଟଟା ଆଦୌ ଏକ ବାଟ ହୋଇଥାଉ ଅଥବା ନ ହୋଇଥାଉ ପଛକେ, ତାହା ମୋର ବାଟ ବୋଲି ଆବୋରି ରହିଥିବା ନିତାନ୍ତ ଜନ୍ତୁଟା ଭଗବାନଙ୍କୁ ବିକି ଦେଇ ସମ୍ପ୍ରଦାୟଟିଏ କୁଣ୍ଢାଇ ଧରିଥିବ ଏବଂ ଜଗମୋହନରେ ଗଡ଼ିଯିବାରେ ଲାଗିଥିବ ।

 

ମୁଁ ସତ୍ୟଟିଏ ଅର୍ଥାତ୍ ଉଦବୋଧନଟିଏ ପାଇଛି ବୋଲି ତୁମେ ମୁଁ ପିନ୍ଧିଥିବା ଅମୁକ ରଙ୍ଗର ଏହି ବର୍ହିବାସଟିରୁ ଅବଶ୍ୟ ଜାଣିବ, ଏହି କଥାଟିକୁ କେଉଁ ଗୁରୁମାନେ ଆସି ସରଳ ମଣିଷମାନ ଆଗରେ କହିବାକୁ ପ୍ରଥମେ ମନସ୍ଥ କରିଥିବେ କେଜାଣି ? ସେମାନେ ମନୁଷ୍ୟମାନଙ୍କୁ ଅସଲ ଉଦୟପଥମାନଙ୍କରୁ ମୁଖ୍ୟତଃ ବାଉଳାହିଁ କରିଦେଲେ । ସଂସାରରେ ବଣିଜ ବହୁଗୁଣିତ ହେଲା,–ବିଚରା ସମ୍ପ୍ରଦାୟମାନେ ବଣିକମାନଙ୍କୁ ଆଶ୍ରୟ କରି ରହିବାକୁ ଏକ ଇହଲୌକିକ ଅବଶ୍ୟ ପ୍ରୟୋଜନ ବୋଲି ମାନିନେଲେ । କାଳକ୍ରମେ ସାମ୍ପ୍ରଦାୟିକତାମାନେ ହିଁ ପୃଥିବୀର ବିବେକକୁ ଦଖଲ କରିନେଲେ । ରୋମ ନଗରୀର ସେହି ପ୍ରଥମ ଖ୍ରୀଷ୍ଟିଆନମାନେ ଯେପରି ଗୋଡ଼ ଖସାଇ ସମ୍ରାଟ କନ୍‍ଷ୍ଟାଣ୍ଟାଇନ୍‍ଙ୍କୁ ମାନି ନେଇଥିଲେ, ସତେ ଅବା ଏବେ ମଧ୍ୟ ଏକ ପରମ୍ପରା ହୋଇ ସେହି ଅବାଟଟା ହିଁ ଘୋଡ଼ାପରି ଆମ ପୃଥିବୀଟାଯାକକୁ ବିପର୍ଯ୍ୟସ୍ତ କରି ରଖିଛି । ସତ୍ୟମାନେ ବହିରେ ରହିଛନ୍ତି । ସାମ୍ପ୍ରଦାୟିକତାର ସାହିମାନଙ୍କରେ ସତ୍ୟମାନଙ୍କ ମଧ୍ୟରେ ଏକ କୁତ୍ସିତ କଳହ ଲାଗିରହିଛି-। ଖାସ୍ ବେଦକୁ ମଧ୍ୟ ଫଡ଼ଫଡ଼ା କରି ଚିରି ସମ୍ପ୍ରଦାୟମାନେ ଆପଣା ଭିତରେ ନାନା ଶାଖାରେ ବାଣ୍ଟି ହୋଇରହିଛନ୍ତି । ଜଗତଯାକର ସନ୍ଥମାନେ ତାହାର ପ୍ରତିବାଦ କରିଛନ୍ତି,–ମୀରାଠାରୁ ଆରମ୍ଭ କରି କବୀର ଦାସଙ୍କ ଯାଏ ସେହି ଭର୍ତ୍ସନାର ଲମ୍ବା ଦାଣ୍ଡିଟିଏ ଲାଗିଛି, ତଥାପି ସେମାନଙ୍କ ନାଁରେ ମଧ୍ୟ ଆଖର ସମ୍ପ୍ରଦାୟମାନେ ଗଢ଼ି ଉଠିଛନ୍ତି । କବୀରଙ୍କ ବିଷୟରେ କଥିତ ଅଛି ଯେ, ଜୀବନର ଶେଷ ଚରଣରେ ସିଏ ତାଙ୍କର ମୃତ୍ୟୁ ଅନ୍ତେ କୌଣସି ସମ୍ପ୍ରଦାୟ ଗଠିତ ହେବ ନାହିଁ ବୋଲି ନିଜ ପୁଅକୁ ସତର୍କ କରାଇ ଦେଇ ଯାଇଥିଲେ । ପୁଅ କ’ଣ ପାଇଁ ଏଡ଼େ ମଉକାଟିଏ ହାତଛଡ଼ା କରିଥାନ୍ତେ ? ତେଣୁ ସମ୍ପୃକ୍ତ ସମସ୍ତଙ୍କର ପ୍ରୀତ୍ୟର୍ଥେ କବୀରପନ୍ଥୀ ଗଢ଼ା ହେବାକୁ ଆଦୌ ବିଳମ୍ବ ହେଲା ନାହିଁ । ଚୈତନ୍ୟ ସମ୍ପ୍ରଦାୟର କୁମ୍ପା ଭିତରେ ଚୈତନ୍ୟ ପ୍ରଚାରିତ ପ୍ରେମ-ଧର୍ମଟି ମୁଦି ହୋଇ ରହିଗଲା । ପାଚେରୀଟା ଉଠାଇ ନଦେଲେ ସତ୍ୟଟାଏ ବଞ୍ଚି ରହିପାରିବ ବୋଲି ଆଉ କାହାରି ହେଲେ ଭରସା ପାଇଲା ନାହିଁ ।

 

ଆଖିଥିବା ମଣିଷ ପାଚେରୀ ଉଠାଏ ନାହିଁ । ସେ ପାଖକୁ ଆସେ, ପାଖରେ ବସେ,–ଏପରି ଏକ ସଂକ୍ରମଣର ନିମିତ୍ତ ହୁଏ, ଯାହାଦ୍ଵାରା କି ଗୋଟିଏ ଦୀପ ଆଉ ଗୋଟିଏ ଦୀପକୁ ଜଳାଇ ଦେଇ ଧନ୍ୟ ହୁଏ । ପୃଥିବୀର ସାମ୍ପ୍ରଦାୟିକ ଗୁରୁମାନେ ଦୀପଟିଏ, ନହୋଇ ଭେକ ବାଣ୍ଟିବାରେ ସୌଦାଗରଟିଏ ହୋଇ ବାହାରିବାକୁ ଏତେ ପ୍ରଖର ଭାବରେ ମନ କଲେ କାହିଁକି କେଜାଣି ? ପାଇଥିବା ସତ୍ୟଟିକୁ ବିତରଣ କରି ନଦେଇ ସେମାନେ ଏପରି ଅନୁଗତମାନଙ୍କୁ ଜାଲ ପକାଇ ଧରି ଆଣିବାକୁ କାହିଁକି ବା ବାହାରି ପଡ଼ିଲେ ? ବିଚାର ନାମରେ ଗୋଠମାନେ କାହିଁକି ତିଆରି ହେଲେ ? ବିଚାରମାନେ କାଂଜିଆ ହୋଇଗଲେ ଏବଂ ଗୋଠମାନେ ଅମମତା ହେଲେ ? କିଏ ଧର୍ମଯୁଦ୍ଧର ହୁଙ୍କାର ଦେଲା, ଆଉ କିଏ ବି ମିଶ୍‍ନାରୀ ବନି ନିଜର ତଥାକଥିତ ଧର୍ମଟାକୁ ଅନ୍ୟମାନଙ୍କୁ ଗିଳାଇବାର ଫନ୍ଦି ଅନୁସରଣ କଲା । ସେଠମାନେ, ରଜାମାନେ ଦେଉଳ ତୋଳିଦେଲେ, ଆପଣାକୁ ଆଦ୍ୟସେବକ ବୋଲି ସ୍ୱୀକୃତ କରାଇ ନେଲେ–ଭେକମାନେ ଅହିଫେନର ଆଶ୍ରୟଲାଭ କରି ମଣିଷମାନେ ପରସ୍ପରକୁ ଅସଲ ଚିହ୍ନାରେ ଚିହ୍ନିବାର ଯାବତୀୟ ମାର୍ଗକୁ ଓଗାଳି ରହିଲେ । ପୃଥିବୀଟା ଭାରି ଅସୁନ୍ଦର ହୋଇ ପଡ଼ି ରହିଲା । ସମ୍ପ୍ରଦାୟ ସମ୍ପ୍ରଦାୟ ଭିତରେ ହଣାକଟା ହେଲା । ସ୍ୱର୍ଗଲାଭ ନିମନ୍ତେ ଯୀଶୁ ପ୍ରଚାରିତ ଧର୍ମ ଅବଶ୍ୟ ରହିଥିଲେ ମଧ୍ୟ ପୃଥିବୀରେ ଭ୍ରଷ୍ଟ ଅର୍ଥାତ୍ ଭିନ୍ନ ମତମାନଙ୍କୁ ମଣ କରି ରଖିବା ନିମନ୍ତେ ତରବାରୀର ଏବଂ ସେହି ତରବାରୀକୁ ଚଳାଇବାକୁ ଆଦେଶ ଦେଉଥିବା ରାଜ୍ୟ ଶାସକମାନଙ୍କର ସର୍ବଦା ପ୍ରୟୋଜନ ରହିଛି ବୋଲି ଇଉରୋପରେ ସେକାଳେ ମାଟିନ୍ ଲୁଥର୍ କେତେ ନା କେତେ ଆତ୍ମପ୍ରତ୍ୟୟ ସହିତ କହି ପାରୁଥିଲେ । ପୃଥିବୀକୁ ବାଟରେ ରଖିବାର ଦାୟିତ୍ୱ ଏବେ ସେହି ପ୍ରକ୍ରିୟାରେ ବୋମା ହାତରେ ଯାଇ ରହିଲାଣି ।

 

ଅର୍ଥାତ୍ ଭେକପ୍ରୀତି ସାମ୍ପ୍ରଦାୟିକତାକୁ ଡାକି ଆଣିଥାଏ । ମୁଁ ଯଦି କିଛି ନା କିଛି ପ୍ରକୃତରେ ହୋଇପାରିଲି, ସେହି କଥାଟିକୁ ପୃଥିବୀରେ ଆଉ ପାଞ୍ଚଲୋକ ଜାଣିବେ ପୁଣି କିପରି ? ଏବଂ, ଯଦି ଆଉ ପାଞ୍ଚଲୋକ ତାହା ଜାଣିଲେ ନାହିଁ, ତେବେ ମୋର କିଛି ହେବାରେ ଆଉ ପ୍ରକୃତରେ କେଉଁ କାରଣ ରହିଲା ? ଏହି ଜଣେଇବାର ଉତ୍ସାହରୁ ମଣିଷମାନେ ସଂପ୍ରଦାୟଆଡ଼କୁ ଢଳିପଡ଼ନ୍ତି କି ? ଏବଂ, ଗୋଟିଏ ସଂପ୍ରଦାୟ ଭିତରେ ନିଷ୍ଠାପର ଭାବରେ ଆପଣାକୁ କିଳି ରଖୁ ରଖୁ ସେମାନେ ସାମ୍ପ୍ରଦାୟିକ ବି ହୋଇ ପଡ଼ିଥାନ୍ତି କି ? ସବୁ ସଂପ୍ରଦାୟ ସତ୍ୟକୁ ନୂଆ ନୂଆ ବ୍ୟାଖ୍ୟା ଆଣି ଦିଅନ୍ତି, ଆପଣାର ବିଶେଷ ବକ୍ରତାଗୁଡ଼ିକୁ ଦେଇ ସେମାନେ ତାହାକୁ ସ୍ୱାତନ୍ତ୍ର୍ୟ ପ୍ରଦାନ କରିଥାନ୍ତି । ସେହି ସ୍ୱତନ୍ତ୍ର ଖୋଳଗୁଡ଼ାକ ତଳେ ସତ୍ୟ ପୋତି ହୋଇ ରହିଯାଏ । ସେହି ଖୋଳଗୁଡ଼ିକ ହିଁ ଏହି ବାଗର ଅଥବା ସେହି ବାଗର ନହେଲେ ସେଥିରେ ସତ୍ୟଟି କଦାପି ପ୍ରବେଶ କରିପାରିବ ନାହିଁ ବୋଲି କହିବାକୁ ମାର୍ଗ ତଥା ସଂପ୍ରଦାୟମାନଙ୍କରେ ମାର୍ତଣ୍ଡବତ୍ ପଣ୍ଡିତମାନେ ବାହାରି ପଡ଼ନ୍ତି ଓ ନାନା ଗମ୍ଭୀର ବ୍ୟାଖ୍ୟା ଆଣି ଥୋଇଦିଅନ୍ତି । ଏହି ବ୍ୟାଖ୍ୟାଗୁଡ଼ିକର ଜଙ୍ଗଲରେ ଅଧିକାଂଶ ମଣିଷଙ୍କର ଉତ୍ସାହ ଭୁଆଁ ବୁଲିବାରେ ଲାଗିଥାଏ । ତେଣିକି ମନ୍ତ୍ରମାନେ ତୁଚ୍ଛା ଗୋଟାଏ ଗୋଟାଏ ଫର୍ମୂଲାରେ ପରିଣତ ହୋଇଯାଆନ୍ତି ଏବଂ ସାଧନାକୁ ଅର୍ଥାତ୍ ଯାବତୀୟ ହୋଇପାରିବାକୁ ଏକ ସାଧନର ପୋଲା ଦମ୍ଭରେ ନେଇ ପର୍ଯ୍ୟବସିତ କରି ରଖନ୍ତି । ଏକାଧିକ ଗୁରୁ ରହିଛନ୍ତି, ଯେଉଁମାନେ ସାଧାରଣ ତୁମେ ଆମେ ସଂପ୍ରତି ଯେଉଁ ସ୍ତରରେ ରହିଛୁ, ସେଠାରେ ଏତିକି ଚଳାଇ ରଖିବା ହିଁ ଯଥେଷ୍ଟ ହେବ ବୋଲି ଖୁବ୍ ପରାମର୍ଶ ଦିଅନ୍ତି । ଆଗକାଳେ ଦେଉଥିଲେ ଏବଂ ଏବେ ମଧ୍ୟ ଦେବାରେ ଲାଗିଛନ୍ତି । ସେହି କାରଣରୁ ହିଁ ସମ୍ପ୍ରଦାୟଗତ ଧର୍ମାଚରଣ ବହୁବିଧ ରୀତିରେ ପ୍ରଧାନତଃ ମୃଦଙ୍ଗ ପିଟା ଏବଂ ହାଲୁକା ପ୍ରବଚନମାନଙ୍କୁ ଉପଭୋଗ କରିବା ମଧ୍ୟରେ ବଡ଼ ମାଧୁର୍ଯ୍ୟର ସହିତ ସୀମିତ ହୋଇରହିଛି । ଦୀପଟିଏ ହେବାର ସେହି ଅନ୍ୟ ପ୍ରୟାସଟି ଭିତରେ ନପଶି ଦୀପଟିଏ ଜାଳିଦେଇ ମୁଣ୍ଡ ଉପରେ ଝୁଲୁଥିବା ଘଣ୍ଟିଟିକୁ ବଜାଇ ଦେବାରେ ହିଁ ଭୋଗ ଶାନ୍ତ ହୋଇଯାଉଛି । ଆଗକୁ ଯିବା ଲାଗି ପ୍ରୟୋଜନ ହିଁ ନାହିଁ ।

 

ଅସଲ ଐଶ୍ଵର୍ଯ୍ୟ ସତକୁସତ ନିଜ ଭିତରେ । ତାହାକୁ ଆବିଷ୍କାର କରିବାକୁ ହୋଇଥାଏ । ସେଇଟିକୁ ଆବିଷ୍କାର କରି ପାରିଥିବା ଲୋକଟିର ପୃଥ୍ୱୀ ଆବିଷ୍କାର ମଧ୍ୟ ଭିନ୍ନ ପ୍ରକାରର ହୋଇଥାଏ-। ପରସ୍ପରର ମୁହଁକୁ ଚାହିଁଦେବା ମାତ୍ରକେ ଆମ ଆଗରେ ପରସ୍ପରର ସେହି ଆବିଷ୍କାରଟି ହିଁ ଝଟକି ଉଠେ । ତଦ୍ଦ୍ୱାରା ପରସ୍ପରଠାରୁ ଆମେ ବହୁତ ଉପକୃତ ହୋଇପାରୁଥାନ୍ତେ । ପୃଥିବୀଟା ସତକୁସତ ବଦଳି ଯାଉଥାନ୍ତା । ଦେଉଳମାନେ ରହନ୍ତେ, ମାତ୍ର କଦାପି ବାଟ ଓଗାଳନ୍ତେ ନାହିଁ-। ପରସ୍ପରର ନିକଟବର୍ତ୍ତୀ ହୋଇ ଆସୁଥିବା ସଙ୍ଗେ ସଙ୍ଗେ ସତ୍ୟ ନିକଟବର୍ତ୍ତୀ ହୋଇ ଆସୁଥାଆନ୍ତା । ଭିତରର ସତ୍ୟକୁ ବାହାରର ଦର୍ପଣ ଉପରେ ଦେଖି ହୁଅନ୍ତା ଏବଂ ବାହାରର ସତ୍ୟକୁ ଭିତର ଦର୍ପଣରେ ମଧ୍ୟ ଦେଖି ହୁଅନ୍ତା । ତେବେ କିହେଲେ–ବେଦ, ବାଇବେଲ ଓ କୋରାନ୍ ଭିତରେ ଆଉ କ’ଣ ପାଇଁ ଝଗଡ଼ା ହୁଅନ୍ତା ? ନିଜର ଦେଶଟି ସବୁଠାରୁ ଅଧିକ ପ୍ରିୟ ଓ ଭାବପୂର୍ଣ୍ଣ ଲାଗୁଥିଲେ ମଧ୍ୟ ଆଉ ଗୋଟିଏ ଦେଶକୁ ନୀରସ ଅଥବା ନ୍ୟୁନ କରି ଦେଖାଇବାକୁ କାହିଁକି ବା କୌଣସି ଶରଧା ହୁଅନ୍ତା-? ଏବେ କହନ୍ତୁ ତ, ସାମ୍ପ୍ରଦାୟିକତା ପ୍ରକୃତରେ କେଉଁଠାରେ ଥାଏ ? ବିଦେଶରୁ ଖରାପ ହାଉଆଟାଏ ଆସି ଆମର ଏହି ଚିରସୁନ୍ଦର ଘରଟିକୁ ଦୂଷିତ କରିଦେଲା ବୋଲି କହିବାକୁ ସେତେବେଳେ ଆଉ କାହିଁକି ମନ ହୁଅନ୍ତା ? ଭଲ ପାଇବା ନିମନ୍ତେ ଘୃଣା କରିବାର ଆବଶ୍ୟକତା ମଧ୍ୟ କାହିଁକି ରହନ୍ତା ? ଯୋଉ ରଂଗର କପଡ଼ା ପିନ୍ଧିଲେ ବି ସୁନ୍ଦର ଦିଶନ୍ତା, ସୁନ୍ଦର ଲାଗନ୍ତା, ପବିତ୍ର ମଧ୍ୟ ଲାଗନ୍ତା । ବର୍ତ୍ତମାନ ତୁଳନାରେ ବହିମାନଙ୍କର ସଂଖ୍ୟା ଅର୍ଥାତ୍ ବ୍ୟାଖ୍ୟାମାନଙ୍କର ତଥା ଭାଷ୍ୟମାନଙ୍କର ସଂଖ୍ୟା ବହୁତ କମ୍ ହୋଇ ଯାଆନ୍ତା । ଜଣେ ମଣିଷ, ଏକ ସମୂହ ତଥା ଗୋଟିଏ କାଳ ଯେ ପ୍ରକୃତରେ କେତେ ସମ୍ଭାବନାମୟ, ତାହାର କୌଣସି କଳନା କରି ହୁଅନ୍ତା ନାହିଁ । ଚାଲ, ଆମ ଧର୍ମଟିକୁ, ଆମ ଭାଷାଟିକୁ ଓ ଆମର ଶ୍ରଦ୍ଧାଗୁଡ଼ିକୁ ନିଶୁଣି କରି ଆମେ ସେଯାଏ ଯାଇ ପହଞ୍ଚିବାର ସାହସ ବାନ୍ଧିବା । ଜଣେ ଅନ୍ୟକୁ ସେହି ସାହସଦ୍ୱାରା ଧନୀ କରିବା । ତାକୁ ସାଙ୍ଗରେ ନେବା ଅର୍ଥାତ୍ ସିଏ ଆମଠାରୁ ଯେତେ ଦୂରରେ ଅର୍ଥାତ୍ ଯେଉଁ ଦେଶ ବା ମହାଦେଶର ହୋଇଥିଲେ ମଧ୍ୟ ତା’ ସାଙ୍ଗରେ ବାଟଟିକୁ ଚାଲୁଥିବା ପରି ଅନୁଭବ କରିବା । ସତ୍ୟ ସାକାର ହେବ ଏବଂ ଜୀବନମାନେ ଚାକ୍ଷୁଷ ହୋଇଆସିବେ ।

 

୪.୬.୦୧

☆☆☆

 

ଯୋଗର ସତ୍ୟାନାଶୀକରଣ

 

ପାରମ୍ପାରିକ ଭାବରେ ପୃଥିବୀଯାକର ଲୋକେ ଭାରତବର୍ଷକୁ ଏକଦା ଯୋଗୀମାନଙ୍କର ଦେଶ ବୋଲି ଜାଣିଥିଲେ । ଯୋଗ ହେଉଛି ଏକ ସାଧନାମାର୍ଗ । ଯେଉଁମାନେ ଯୋଗ କରନ୍ତି, ସେମାନେ ଯୋଗୀ । ଯୋଗକୁ ବିଷୟ କରି ଋଷି ପାତଞ୍ଜଳି ପ୍ରଖ୍ୟାତ ଶାସ୍ତ୍ରଟିଏ ଲେଖିଥଲେ । ସେହି ଶାସ୍ତ୍ର ଏବେ ଛପାହୋଇ କିଣିବାକୁ ମିଳିଲାଣି । ସଂସ୍କୃତ ଭାଷାରେ ପ୍ରଥମେ ଲେଖା ଯାଇଥିବା ଏହି ଗ୍ରନ୍ଥଟିର କ୍ରମେ ଏକାଧିକ ଦେଶ ଭାଷାରେ ଅନୁବାଦ ହୋଇସାରିଛି, ଇଂରେଜୀ ସମେତ ଏକାଧିକ ବିଦେଶୀ ଭାଷାରେ ମଧ୍ୟ ଅନୁବାଦ ଭଳି ଭଳି ସଂସ୍କରଣରେ ପ୍ରକାଶିତ ହୋଇସାରିଲାଣି । ମାତ୍ର, କାଳକ୍ରମେ ଯୋଗପ୍ରତି ଯେଉଁ ଲୋକମାନେ ଲାଳାୟିତ ହେଉଛନ୍ତି, ସେମାନଙ୍କ ଭିତରୁ ପ୍ରକୃତରେ କେତେ ମଣିଷ ମୂଳ ପୁସ୍ତକଟିକୁ ପାଠ କରିଛନ୍ତି କେଜାଣି ? ଭାରତବର୍ଷରେ ତଥା ବାହାରେ ଯେଉଁମାନେ ଗୁରୁ ହୋଇ ଯୋଗ ପରାମର୍ଶ ଦିଅନ୍ତି, ସେମାନେ ବି ଚାଟମାନଙ୍କ ଆଗରେ କ୍ୱଚିତ୍ ସାଧନା ମାର୍ଗଟିର କଥା କହିଥାନ୍ତି । ପ୍ରଧାନତଃ ସେହିମାନଙ୍କର ସ୍ୱତନ୍ତ୍ର ପ୍ରୟାସଗୁଡ଼ିକର ଫଳରେ ଯୋଗ ପ୍ରାୟ ତୁଚ୍ଛା ଏକ ଟେକ୍‍ନିକରେ ପରିଣତ ହେବାରେ ହିଁ ସମଧିକ ପରିମାଣରେ ମନୋନିବେଶ କଲାଣି । ଗୁରୁମାନେ ସରଳୀକୃତ ଯୋଗ ନାମକ ଏକ କସରତର ଶିକ୍ଷା ଦେଇ ପଇସା ଉପାର୍ଜନ କରି ବାହାରିବା ଦିନଠାରୁ ସମ୍ଭବତଃ ଏହି ସ୍ୱତନ୍ତ୍ର ବୃତ୍ତି ବା ଅପବୃତ୍ତିଟିର ପ୍ରାରମ୍ଭ ହୋଇଛି । ଯୋଗ କ୍ରମେ ଅଧିକରୁ ଅଧିକ ଲୋକପ୍ରିୟ ହେବାରେ ଲାଗିଛି ବୋଲି ମୁହଁଟାକୁ ଉଜ୍ଜ୍ୱଳ କରି କହିଲା ବେଳେ ହାଟର ଅର୍ଥ ଅନୁସାରେ ଏହି କସରତ ବିଦ୍ୟାଟାକୁ ହିଁ ଅଧିକ ବୁଝାଉଛି ।

 

ଆମ ଦୂରଦର୍ଶନରେ ଏହି ଯୋଗର ନିୟମିତ କାର୍ଯ୍ୟକ୍ରମମାନ ରହିଛି । ଏକ କସରତର ପୂର୍ଣ୍ଣ ଅନ୍ଦାଜରେ ଯୋଗ ଓସ୍ତାଦମାନେ ଯୋଗଶିକ୍ଷା ଦେଉଛନ୍ତି ଏବଂ ଯୋଗ ରସିକମାନେ ଯୋଗଶିକ୍ଷା କରୁଛନ୍ତି । କିଛି ଆସନ, କିଛି ଧାନ, କିଛି ପ୍ରାଣାୟାମ ଅର୍ଥାତ୍ ଗୋଟିଏ ନିର୍ଦ୍ଧାରିତ ଷ୍ଟାଇଲରେ ନାକର ପୁଡ଼ାବାଟେ ଯାଉଥିବା ଓ ଆସୁଥିବା ପବନ ଉପରେ ନିୟନ୍ତ୍ରଣ,–ଏସବୁକୁ ଅଭ୍ୟସ୍ତ ଭାବରେ କଲେ ତୁମେ ଯେ ଯୋଗୀ ବା ଯୋଗିନୀ ହୋଇଯିବ, ଭାଗ୍ୟକୁ କାରିନ୍ଦାମାନେ ଏ ପର୍ଯ୍ୟନ୍ତ କହିନାହାନ୍ତି ସିନା, ମାତ୍ର ସେମାନେ ପ୍ରାୟ ହଲପ ମାରି କହୁଛନ୍ତି ଯେ, ଏହାଦ୍ୱାରା ତୁମ ଅଙ୍ଗର କାନ୍ତି ବୃଦ୍ଧି ଲାଭ କରିବ, ମୁଖର ପ୍ରସନ୍ନ ଭାବ ବଢ଼ିବ, ଦେହ ହାଲୁକା ଲାଗିବ, ଏବଂ ଆଉ ଯାହା କିଛି ହେବ ତାହା ତୁମର ଏହି ଦେହସ୍ତରରେ ହିଁ ଘଟିବ, ଅଲବତ ଘଟିବ । ଯୋଗକୁ ଆମ ଜୀବନ-ପ୍ରସାଧନର ଗୋଟିଏ ଉପାୟ ରୂପେ ଏକ ପରିପୂର୍ଣ୍ଣ ଆଧୁନିକ ଅଭିରୁଚି ସହିତ ଗ୍ରହଣ କରିବା ଓ ତାହାକୁ କାମରେ ଲଗାଇବା, ତାହାକୁ ଆମର ନିତାନ୍ତ ଏହି ଅଦ୍ୟତମ ସଫଳତାକାମୀ ଅକଲଟାର ଧନ୍ଦା-ରାଜ୍ୟରେ ଏକାଧିକ ଅନୁସଂଗତି ସହିତ ଏକ ଅଭିନବ ଉଦ୍ଭାବନ ବୋଲି ବେଶ୍ କୁହାଯାଇପାରିବ । ବେଳେବେଳେ ତ ଏପରି ମଧ୍ୟ ଶୁଣାଯାଏ ଯେ, ଆମ ଇସ୍କୁଲ ପିଲାମାନଙ୍କୁ ଆମେ ଏଣିକି ଯୋଗାଭ୍ୟାସ ଶିଖାଇବା–ଅର୍ଥାତ୍ ଯୋଗ ଗୋଟିଏ ବିଷୟ ରୂପେ ବିଦ୍ୟାଳୟର ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇ ରହିବ । ଏହିସବୁ ପ୍ରବର୍ତ୍ତନରୁ ଅବଶ୍ୟ ଅନେକାନେକ ଆଶୁ ଫଳ ପ୍ରାପ୍ତ ହେଉଥିବ । ନହେଲେ ଏଥିପାଇଁ ଏତେ ଅଧିକ ପରିମାଣରେ ଏକ ଅନୁକୂଳ ହାୱା ମୋଟେ ସୃଷ୍ଟି ହେଉ ନଥାନ୍ତା । ସମ୍ଭବତଃ ଏହି କାରଣରୁ ଭାରତବର୍ଷର ଅଧ୍ୟାତ୍ମ କହିଲେ ଅଳପ ଭିତରେ ଅଧିକ ବୁଝିଗଲେ ବୋଲି ଅନୁମାନ କରୁଥିବା ଲୋକମାନେ ବସ୍ତୁତଃ ଯୋଗ କସରତର ଏହି ପ୍ରକରଣଟାକୁ ହିଁ ବୁଝିଥାଆନ୍ତି । ଭାଗ୍ୟକୁ ସେମାନେ ସେତିକିରୁ ଅଧିକ କିଛି ବୁଝିବାକୁ ବେଶି ମନ କରନ୍ତି ନାହିଁ ଏବଂ ସେମାନଙ୍କର ଗୁରୁମାନେ ମଧ୍ୟ ମୁଣ୍ଡଳାଟିଏ ବୁଲାଇ ସେମାନଙ୍କୁ ତାହାରି ଭିତରେ ଆବଦ୍ଧ କରି ରଖିଥାନ୍ତି ।

 

ଶ୍ରୀଯୁକ୍ତ ପାତଞ୍ଜଳି ଯୋଗମାର୍ଗର ବୟାନ କରି ଜ୍ଞାନର କଥା କହିଥିଲେ, ଭକ୍ତି ଓ କର୍ମର କଥା କହିଥିଲେ । ହଁ, ସେହି ମୂଳରୁ ହିଁ ହଠଯୋଗ ନାମକ ଆଉ ଏକ ଶାଖାର ମଧ୍ୟ ସମାନ୍ତର ଭାବରେ ଏକ ଚର୍ଯ୍ୟା ସାଧନାର ଚଳଣି ଭିତରକୁ ମଧ୍ୟ ଆସିଥିଲା । ହଠାତ୍ ଫଳପ୍ରାପ୍ତିର ଏକ ବିଶେଷ ମାର୍ଗଟିର ଏଭଳି ନାମକରଣ ହୋଇଛି ବୋଲି ଏକ ଅପବାଦ ଏବଂ ଅନୁମାନ ପ୍ରାୟ ସେହି ଦିନରୁ ହିଁ ରହି ଆସିଥିବ । ଯାହା ହଠାତ୍ ଫଳପ୍ରଦ, ତାହା ହିଁ ସ୍ପଷ୍ଟତଃ ଅଧିକ ଆକର୍ଷକ ହେବ ହିଁ ହେବ । କାଳକ୍ରମେ ଭାରତବର୍ଷରେ ଯହୁଁ ଯହୁଁ ଉପାସନାର ସମ୍ପ୍ରଦାୟମାନେ ସଂଖ୍ୟାରେ ବଢ଼ିଲେ, ସଂସାରତ୍ୟାଗକୁ ଯୋଗ ବାସନାର ଏକ ସର୍ବସ୍ଵୀକୃତ ପୂର୍ବପ୍ରୟୋଜନ ରୂପେ ଗ୍ରହଣ କରାଗଲା ଏବଂ ଗୁରୁସେବାକୁ ଜଣେ ସାଧକ ବା aspriant ଠିକ୍ ବାଟରେ ରହିଛି ବୋଲି ପ୍ରାୟ ଏକ ପ୍ରମାଣପତ୍ର ରୂପେ ଉପସ୍ଥାପିତ କରାଗଲା, ଏହି ଆଶୁଫଳପ୍ରଦ ହଠଟା ହିଁ ସମ୍ପୃକ୍ତ ସବୁପକ୍ଷର ମୁହଁ ପାଇ ଆଗକୁ ଆଗକୁ ଆସିବାକୁ ଆରମ୍ଭ କଲା । ଶରୀରଟାକୁ ହିଁ ସିଦ୍ଧିଲାଭ କରିଥିବାର ସରଳତମ ପ୍ରତ୍ୟୟ ରୂପେ ମାନି ନିଆଗଲା ।

 

ଯୋଗୀ ଓ ସାଧକ ଜ୍ଞାନରେ, ଶ୍ରଦ୍ଧାରେ ବା କର୍ମରେ ନବଜୁ ପଛକେ, ମାତ୍ର ସିଏ ବାହ୍ୟ ଭୂଷାଟାରେ ସର୍ବପ୍ରଥମେ ଅଲଗା ପ୍ରକାର ଦେଖାଯିବା ଉଚିତ୍ । ତା'ପରେ ଶ୍ମଶ୍ରୁର ସ୍ୱାଗତ କରାଗଲା, ଜଟାଧାରଣର ପ୍ରଶଂସା ହେଲା । ଭାରତବର୍ଷରେ ଏବେ ମଧ୍ୟ କେତେ ହଜାର ବା କେତେଲକ୍ଷ ତେମନ୍ତ ଯୋଗୀ ଥିବେ, ଯେଉଁମାନେ କି ସେତିକି ସନ୍ତକକୁ ହିଁ ଯୋଗୀ ପରିଚିତିର ପର୍ଯ୍ୟାପ୍ତ ପ୍ରମାଣ ବୋଲି ମାନି ନେଇଥିବେ ଏବଂ, ସେହିପରି କେତେ କୋଟି ମଧ୍ୟ ସର୍ବସାଧାରଣ ବା ସଂସାରୀ ଜଞ୍ଜାଳୀ ମଧ୍ୟ ରହିଥିବେ, ଯେଉଁମାନେ କି ଏତିକି ବିନ୍ୟାସରୁ ଜଣେ ବ୍ୟକ୍ତିକୁ ଅତ୍ୟନ୍ତ ନିର୍ଭରଯୋଗ୍ୟ ଭାବରେ ଜଣେ ଯୋଗୀ ବୋଲି ସ୍ଵୀକାର କରିନେଉଥିବେ । ସେ ସନ ଅଯୋଧ୍ୟାରେ ଯେତେବେଳେ ଏକ ଧର୍ମଘରକୁ ଭାଙ୍ଗି ଦିଆଗଲା, ସେତେବେଳେ ବୀରମାନେ ଅଧିକାଂଶତଃ ଯେ ଜଟାଧାରୀ ଓ ଶ୍ମଶ୍ରୁମଣ୍ଡିତ ଥିଲେ, ସେକଥା ଆପଣମାନେ ଦୂରଦର୍ଶନରେ ନିଶ୍ଚୟ ଦେଖିଥିବେ ଏବଂ ନିର୍ଭୁଲ ଭାବରେ ଏକ ନିକଟ ଅନ୍ଦାଜ କରି ନେଇଥିବେ । ଏକ ହଠାତ୍ ଶାରୀରିକ ରଞ୍ଜନର ବିଦ୍ୟା-ସରଞ୍ଜାମରେ ପରିଣତ ହୋଇ ଗୋଟିଏ ସତ୍ୟୋପଲବ୍ଧି-ମାର୍ଗ କିପରି ଯେ ସତ୍ୟାନାଶୀକରଣର ସାଧନରେ ଯାଇ ପର୍ଯ୍ୟବେସିତ ହୋଇପାରେ, ଆମ ଅଯୋଗ୍ୟମାନଙ୍କୁ ମଧ୍ୟ ତାହାର ଅକାଟ୍ୟ ପ୍ରମାଣଟିଏ ମିଳିଗଲା ।

 

ସ୍ୱାଧୀନତା ପରେ ଭାରତୀୟ ଯୋଗ ଦରିଆପାରି ହେବାର ସୌଭାଗ୍ୟ ଲାଭ କରିଥିଲା-। ଗୁରୁମାନେ ସୁଯୋଗ ପାଇ ଆମେରିକା ଯାଏ ଚହଟି ଗଲେ । ଭାରତୀୟ ସଂଗୀତ, ଭାରତୀୟ ନୃତ୍ୟ ପରି ଭାରତୀୟ ଯୋଗ ଏକାବେଳେକେ ଆର ଗୋଲାର୍ଦ୍ଧଟିରେ ଯାଇ ପହଞ୍ଚିଗଲା-। ପୁନଶ୍ଚ ନାନାବିଧ ଅନ୍ୟ ଲାଳସାଦ୍ୱାରା ଆକୃଷ୍ଟ ହୋଇ ଯହୁଁ ଯହୁଁ ଅଧିକରୁ ଅଧିକ ଭାରତୀୟ ସନ୍ତାନ ଗୃହ ଉପରେ ବିରକ୍ତ ହୋଇ ଆମେରିକାର ଲକ୍ଷ୍ମୀଙ୍କୁ ହିଁ ଅସଲ ଲକ୍ଷ୍ମୀ ବୋଲି ସର୍ବବିଧ ପ୍ରମାଣ ପାଇ ସେଠାକୁ ଚାଲିଗଲେ, ଭାରତୀୟ ଯୋଗ କସରତଟା ମଧ୍ୟ ସେଠାରେ ସେତିକି ବହୁପ୍ରଚାରିତ ହେଲା । ସାଂସ୍କୃତିକ ପଣ୍ୟ ହିସାବରେ ଏତେଗୁଡ଼ାଏ କୋଳାହଳ କରି ପ୍ରାୟ ଅଭୁତପୂର୍ବ ଏକ ଦର୍ପମଣ୍ଡନରେ ଯୋଗ ସେହି ଦେଶର ମୂଳ ଅଧିବାସୀମାନଙ୍କୁ ମଧ୍ୟ ଆକର୍ଷିତ କରିପାରିଲା-। ସେଠାରେ ମଧ୍ୟ ବହୁ ସୁକୁମାର ତଥା ସୁକୁମାରୀଙ୍କର ମନୋହରଣ କରିନେବାର ଆଲୋଡ଼ନଟିଏ ସୃଷ୍ଟି ହେଲା । କୁବେରପୁରୀରେ ଏତେ ଏତେ ଧନ ସେଠି ମନୁଷ୍ୟମାନଙ୍କର ବାସନା ନାମକ ଉଦରକୁ ତଥାପି ଭରାଇ ପାରୁନଥିବା ସମୟରେ ଯୋଗ କସରତ ଯେ ତୁମକୁ ହଠାତ୍ ଏକ ଅପୂର୍ବ ଶାନ୍ତି ଆଣି ଦେଇପାରିବ, ଭାରତୀୟ ଗୁରୁ ତଥା ସେମାନଙ୍କର ସଂସ୍ଥାମାନେ ଆମେରିକାର ଅତିଚପଳ ଚଙ୍ଗଚଙ୍ଗ ମାନସଟାକୁ ଯେ ତାହା ବୁଝାଇଦେଇ ପାରିଲେ, ସେଥିପାଇଁ ସେମାନଙ୍କୁ ନିଶ୍ଚୟ ବହୁତ ବାହାଦୂରୀ ଦେବାକୁ ହେବ । ଏବେ ଆମ ଖବରକାଗଜରୁ ସମ୍ବାଦ ମିଳୁଛି ଯେ, ଆମେରିକାରେ ପ୍ରାୟ ସମସ୍ତେ ଯୋଗସାଧନା ପାଇଁ ପାଗଳ ପ୍ରାୟ ହୋଇଗଲେଣି । ସେଠାକାର ସମ୍ବାଦପତ୍ର ଓ ପତ୍ରିକାମାନଙ୍କରେ ନିୟମିତ ଭାବରେ ଯୋଗ ବିଷୟରେ ସଚିତ୍ର ଲେଖାସବୁ ବାହାରୁଛି । ଦେଢ଼କୋଟିରୁ ଅଧିକ ଆମେରିକାବାସୀ ସମ୍ପ୍ରତି ଶରୀରକୁ ସୁସ୍ଥ ଅର୍ଥାତ୍ ଫିଟ୍ ରଖିବେ ବୋଲି ଯୋଗମାର୍ଗର ଆଶ୍ରୟ ନେଲେଣି । ବିଗତ ମାତ୍ର ପାଞ୍ଚବର୍ଷ ଭିତରେ ଏଭଳି ଲୋକମାନଙ୍କର ସଂଖ୍ୟା ଦ୍ୱିଗୁଣିତ ହୋଇଯାଇଛି । ପ୍ରାୟ ଚାରିଭାଗରୁ ତିନିଭାଗ ହେଲ୍‍ଥ କ୍ଲବରେ ଯୋଗ ବିଷୟରେ କ୍ଲାସ ହେଉଛି । ଆମେରିକା ମୂଲକର ବିଖ୍ୟାତ ନର୍ଭକୀ ମାଡ଼ୋନା ଏବେ ଯୋଗାଭ୍ୟାସ କରୁଛନ୍ତି । ଏକଦା ପୃଥିବୀର ସବୁ କାଗଜରେ ଯାହାର ଚର୍ଚ୍ଚା ହେଉଥିଲା, ସେଇ ମୋନିକା ଲିଭିନସ୍କି ମଧ୍ୟ ଯୋଗ ଭିତରେ ଯାଇ ପ୍ରବେଶ କଲେଣି । ଏମାନେ ସମସ୍ତେ ହଠାତ୍ ଆହୁରି ଅଭାବନୀୟ ଓ ଅକଳନୀୟ କିଛି ହାସଲ କରିବେ ବୋଲି ସମ୍ଭବତଃ ବହୁତ ଆଶାକରି ଏଣେ ମାଡ଼ି ଆସିଛନ୍ତି । ଏସବୁ ଖବରରେ ଭାରତବର୍ଷରେ ଆମେ ଅନେକ ହୁଏତ କେତେ ନା କେତେ ଉତ୍‍ଫୁଲ୍ଲ ଅନୁଭବ କରୁଥିବା; ଭାବୁଥିବା, ଆମ ଦେଶର ଧନଗୁଡ଼ିକୁ ଆମେ ସ୍ୱୟଂ କାମରେ ଲଗାଇପାରିଲୁ ନାହିଁ ସିନା, ମାତ୍ର ଆମେରିକା ତ ଚିହ୍ନିଲା । ଆମ ଭାରତବର୍ଷ ସମଗ୍ର ପୃଥିବୀର ଯେ ଅବଶ୍ୟ ଧରମବାପ ହେବାର ଯୋଗ୍ୟ, ସେହି ଭାବନା ଆମ ଅନେକଙ୍କୁ ଭାରି ମୋହିତ କରିଦେଉଥିବ ।

 

ଏତେ ଏତେ ସଂଖ୍ୟାରେ ଏହି ଧନୁର୍ଦ୍ଧର ପାର୍ଥମାନେ ଯେ ଯଥାସମ୍ଭବ ହଠାତ୍ ଲାଭମାନ ପାଇଯିବେ ବୋଲି ଯୋଗକସରତ ନିମନ୍ତେ ଆସି ସମବେତ ହେବାରେ ଲାଗିଛନ୍ତି, ଏମାନେ କେଉଁ ଯୋଗେଶ୍ଵରଙ୍କର ପ୍ରେରଣାରେ ଘରୁ ବାହାରିଛନ୍ତି ? ସେହି ପୁରାକାଳୀନ ସାଧକମାନଙ୍କୁ ତ ତଥାପି ବୁଝି ହେଉଛି, ଯେଉଁମାନେ ଇହଜୀବନର ଯାବତୀୟ ସୁଖପ୍ରାପ୍ତିକୁ ନଶ୍ଵର ବୋଲି ଅନୁଭବ କରୁଥିଲେ ଏବଂ ଆଉ କିଛି ଅଧିକ ସ୍ଥାୟିତ୍ଵଯୁକ୍ତର ଉପଲବ୍‍ଧି ନିମନ୍ତେ ଯୋଗର ମାର୍ଗ ଗ୍ରହଣ କରୁଥିଲେ । ସେମାନେ ଆପଣାର ଜୀବନ-ଗଭୀରରେ ଆଉ କିଛି ସମ୍ଭାବନାର ଆହ୍ୱାନକୁ ଶୁଣି ପାରୁଥିଲେ ବୋଲି ତୁମ ଆମର ଏହି ଅଭ୍ୟସ୍ତ ସଂସାରଟିକୁ ତୁଚ୍ଛ ମଣି ବାହାରି ଯାଉଥିଲେ । କୃଚ୍ଛର ସାଧନା କରୁଥିଲେ ଏବଂ ସତେଅବା କେତେ କେତେ ଜାଲ ଭିତରୁ ଆପଣାକୁ ମୁକ୍ତକରି ନେଇଯିବା ସଦୃଶ ଅନୁଭବ କରୁଥିଲେ । ମହର୍ଷି ପାତଞ୍ଜଳି ସେମାନଙ୍କର କ୍ଷୁଧାଗୁଡ଼ିକୁ ଅବଶ୍ୟ ବୁଝିପାରିବେ । କିନ୍ତୁ ବର୍ତ୍ତମାନ ଯୋଗର ଖୋଳଟା ଭିତରେ ନିଜ ପାଇଁ ଅଧିକ ସୁଖ, ଅଧିକ ସ୍ୱାସ୍ଥ୍ୟ ଏବଂ ଅଧିକ ଭୋଗର ଲାଳସାରେ ଯେଉଁ କସରତ ବା ଟେକ୍‍ନିକଗୁଡ଼ାକ ମହାସାଗରର ଦୂରତାମାନଙ୍କୁ ଅତିକ୍ରମ କରି ପୃଥିବୀବ୍ୟାପୀ ହୋଇଗଲାଣି, କାମନାର ସେହି ରଥଟା ଉପରେ ସତକୁସତ କିଏ ଯୋଗେଶ୍ଵର ହୋଇବସିଛି ଏବଂ ବାଟ ଦେଖାଉଛି କେଜାଣି ? ଯଦି ଶାନ୍ତି କାମ୍ୟ ହୁଏ ତେବେ କ'ଣ ପାଇଁ ସେହି ଶାନ୍ତି ? ଯଦି ସୁଖ କାମ୍ୟ ହୁଏ, ତେବେ କ’ଣ ପାଇଁ ସେହି ସୁଖ ? ଯଦି ଯାବତୀୟ ଅବସ୍ଥାରେ ମଧ୍ୟ କ୍ଷୋଭରହିତା ହୋଇ ରହିପାରିବା କାମ୍ୟ ହୁଏ । ତେବେ କ’ଣ ପାଇଁ ଏ କ୍ଷୋଭରହିତା ଓ ଏହି ନିଦାରୁଣ ଅବଜ୍ଞା ? ପୃଥିବୀରେ ସୁଖୀମାନେ ଅଧିକ ସୁଖ ଭିତରେ ଏକାନ୍ତ ହୃଦୟହୀନ ଭାବରେ ସତେଅବା ଏକ ଗାତ ଭିତରେ ଏକନିଷ୍ଠ ଭାବରେ ସବୁକିଛି ଆବୋରି ରହିଥିବେ, ଅଥଚ ଏଣେ ଅଧିକାଂଶଙ୍କର ଜୀବନ ବହୁବିଧ ଦୁଃଖ ଭିତରେ ଘାଣ୍ଟି ହେଉଥିବ,–କେଉଁ ଯୋଗେଶ୍ଵର ସେତେବେଳେ ଆମକୁ ଶୋଇ ପଡ଼ିବାକୁ ପରାମର୍ଶ ଦେବ ? ଆମକୁ ଗୋଟିଏ କଇଁଛ ପରି ନିଜର ଖୋଳଟା ଭିତରେ ତୁଚ୍ଛା ନିଜକୁ ନେଇ ଅଭିନିବିଷ୍ଟ ହୋଇ ରହିବାର ଉପାୟ ବତାଇ ଦେବାରେ ଲାଗିଥିବ ?

 

ପୃଥିବୀଟାର, ଆମରି ପରି କୋଟି କୋଟି ମନୁଷ୍ୟଙ୍କର ଉପସ୍ଥିତିକୁ ମୋଟେ ଅନୁଭବ ନକଲା ପରି ଏକାଗ୍ର ଅର୍ଥାତ୍ ଅନ୍ୟମନସ୍କ ହୋଇ ରହିବାକୁ ଏବଂ ତଥାପି ନିଜ ନିମନ୍ତେ ଅଧିକ ସୁଖ ଓ ଅଧିକ ତଥାକଥିତ ଆନନ୍ଦର ଅନ୍ୱେଷଣ କରିବାକୁ ଯେଉଁ ଆସୁରିକତା ଆମକୁ ଫୁସୁଲାଇ ରଖିବାର ଚେଷ୍ଟା କରୁଛି, ନିଜର ପ୍ରୀତ୍ୟର୍ଥେ ତାହାକୁ ଆମେ ଯୋଗ ବୋଲି କହୁଥିଲେ ମଧ୍ୟ ତଦ୍ଦ୍ୱାରା ପୃଥିବୀର ସତ୍ୟାନାଶ ହିଁ ହେବାରେ ଲାଗିଛି । ଠିକ୍ ସେହି ନ୍ୟାୟରେ ହିଁ ସମ୍ପ୍ରତି ଆମ ପେଣ୍ଠମାନଙ୍କରେ କୁଢ଼ କୁଢ଼ ହୋଇ ଗଦା ହୋଇଥିବା ବୁଦ୍ଧି, ପାଠ, ବିଜ୍ଞାନ, କୌଶଳ ତଥା ଚତୁରତା ଆମକୁ ସତେଅବା ଏକ ସତ୍ୟାନାଶ ଆଡ଼େ ମୁହାଁଇ ନେବାର ଚକ୍ରାନ୍ତ ବି କରୁଛି । ପୃଥିବୀରେ ଲକ୍ଷ୍ମୀ ଭର୍ତ୍ତି ହୋଇ ରହିଛି ଏବଂ ଆମ ପୃଥିବୀଟା ହତଲକ୍ଷ୍ମୀ ହୋଇ ପଡ଼ିଛି । ମଣିଷମାନେ ମେଳା ମେଳା ହୋଇ ଯେଝା ପାଞ୍ଚରେ ଯିଏ ବୁଡ଼ି ରହିଛନ୍ତି,–ଅଥଚ ଯଥାର୍ଥ ଯୋଗେଶ୍ଵରର ଭୂମିକାଟିକୁ ଗ୍ରହଣ କରି ଯିଏ ମାର୍ଗର ପ୍ରଦର୍ଶନ କରାନ୍ତେ, ସିଏ ଖୁଣ୍ଟରେ ବନ୍ଧାହୋଇ ପଡ଼ିଛନ୍ତି । ତାଙ୍କ ଗୋଡ଼ରେ ଢିଙ୍କିଆ ବନ୍ଧା ହୋଇଛି । ଦୋକାନମାନେ ଆମ ଡାଆଣାମାନଙ୍କୁ ରାଜାରାଣୀ ପରି ଫିଟରୁ ଆହୁରି ଫିଟ୍ କରିଦେବେ ବୋଲି ରଡ଼ି କରୁଛନ୍ତି,–ମାତ୍ର ଅସଲ ନିର୍ଦ୍ଦେଶନାଟିକୁ ଶୁଣି ପାରୁନାହୁଁ ବୋଲି ଆମେ ସେମାନଙ୍କର ଷଡ଼ଯନ୍ତ୍ର ଭିତରୁ ଆଦୌ ମୁକୁଳି ପାରୁନାହୁଁ । ଶେଷକୁ ଯୋଗ ମଧ୍ୟ ଗୋଟାଏ କସରତରେ ପରିଣତ ହୋଇ ଆମ ପଲଙ୍କରେ ବନ୍ଧାହୋଇ ରହିଲାଣି । ଅସଲ ଜଣେ ଯୋଗେଶ୍ଵରଙ୍କର ଠାବ ପାଇ ନପାରିଲେ ହୁଏତ ଆମେ ଏହି ଦୁର୍ଗତିରୁ ଆଦୌ ବାହାରିଯାଇ ପାରିବା ନାହିଁ । କିନ୍ତୁ ତାଙ୍କର ଠାବ ସତକୁସତ କେଉଁଠାରେ ମିଳିବ ? ଏହି ମିଛ ବିପଣିଗୁଡ଼ାକର ରାତି ପ୍ରକୃତରେ କେଉଁଠି ଯାଇ ପାହିବ ?

 

୧୧.୬.୦୧

☆☆☆

 

ଦ୍ୱିତୀୟ ସଂଗ୍ରାମର ସଂଗ୍ରାମୀ

 

ଜାନୁଆରୀ ଛବିଶିର ଏକ ଉତ୍ସବ ଅବସରରେ ଜାତୀୟ ପତାକା ଉତ୍ତୋଳନ କରି ଏକଦା ସେତେବେଳର ପ୍ରଧାନମନ୍ତ୍ରୀ ଦେଶର ଏହି ସାଂପ୍ରତିକ ମତିହୀନତାଗୁଡ଼ିକର ପ୍ରତିକାର ବିଧାନ କରିବାକୁ ଏକ ସତ୍ୟାଗ୍ରହ ଆନ୍ଦୋଳନର ଆବଶ୍ୟକତା ଆସି ପହଞ୍ଚିଲାଣି ବୋଲି ଉତ୍ସବର ଶ୍ରୋତାମାନଙ୍କୁ ସତର୍କ କରି ଦେଇଥିଲେ । ଭାଷା ଅବଶ୍ୟ ଜ୍ୱାଳାମୟୀ ଥିଲା । ମାତ୍ର ସେଭଳି ଗୋଟିଏ ଥାନରେ ଓ ସେହି ସରକାରୀ ଜାକଜମକ ଭିତରେ ଏଭଳି ଖାପଛଡ଼ା କଥାଟାଏ କାହିଁକି ଯେ କାହା ପାଟିରୁ ବାହାରିଲା, ସେହି ବ୍ୟାପାରଟା କିଞ୍ଚିତ୍ ବାସ୍ତବ ଅକଲ ରହିଥିବା ଦେଶବାସୀଙ୍କୁ ନିଶ୍ଚୟ ଭାରି ଆଚମ୍ବିତ କରି ପକାଇଥିବ । ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀ ଇନ୍ଦ୍ରକୁମାର ଗୁଜରାଲ ଏବେ ମଧ୍ୟ ସଶରୀର ମହଜୁଦ୍ ରହିଛନ୍ତି । ଏହି କତିପୟ ଆହୁରି କେତେବର୍ଷ ଭିତରେ ଅବସ୍ଥାମାନେ ଆହୁରି ଅଧିକ ଅସମ୍ଭାଳ ହୋଇପଡ଼ିଲେଣି । ଦୁଷ୍ଟମାନେ ନୂଆ ଦୁଷ୍ଟାମୀ ବାହାର କଲେଣି । ଶ୍ରୀଯୁକ୍ତ ଇନ୍ଦ୍ରକୁମାର ଏକଦା ନିଜେ କହି ପକାଇଥିବା ଉକ୍ତ କଥାଟାକୁ ଏତେଦିନ ଯାଏ ମନେରଖି ପାରିଛନ୍ତି କି ନାହିଁ କେଜାଣି ? ଗୋଟାଏ ପଦରେ ରହିଥିବାର ଭୋଳରେ ଏକ ବିଶେଷ ଦିନରେ ଶ୍ରୋତାଗଣଙ୍କର ପ୍ରୀତ୍ୟର୍ଥେ ସିଏ ଗୋଟାଏ କ’ଣ କହି ପକାଇଥିଲେ ବୋଲି ଦେଶର ଜଣେ ନାଗରିକ ହିସାବରେ ସେଥିପାଇଁ ସିଏ ତଥାପି କାହିଁକି ଦାୟୀ ରହିବେ ?

 

ସେହି ଅବସରର କିଛିଦିନ ପରେ ଦିଲ୍ଲୀରେ ଲୋକସଭାର ମଧ୍ୟ ଏକ ବିଶେଷ ଅଧିବେଶନ ଡକା ଯାଇଥିଲା । ଏହି ଅଧିବେଶନଟି ନିମନ୍ତେ କୌଣସି ଏଜେଣ୍ଡା ବା କାର୍ଯ୍ୟସୂଚୀ ରଖାଯାଇ ନଥିଲା । ଦେଶର ସାଧାରଣ ସ୍ଥିତି ସମ୍ପର୍କରେ ଦଳ ନିର୍ବିଶେଷରେ ସଭ୍ୟମାନେ ଏକତ୍ର କିଛି ମୁକ୍ତ ଚିନ୍ତା କରିବେ ଓ ସେହି ଅନୁସାରେ ଆଗ ପାଇଁ କିଛି ମତବ୍ୟକ୍ତ ବି କରିବେ ବୋଲି ପ୍ରଧାନତଃ ଏକ ସହମତିର ଆଧାର ଉପରେ ଅଧିବେଶନଟି ବସିଥିଲା । ବେଶ୍ ସମ୍ଭ୍ରମର ସହିତ ତିନି ଚାରିଦିନ ଚାଲିଥିଲା । କୌରବ-ପାଣ୍ଡବ ଉଭୟେ କହୁଥିଲେ ଏବଂ ଉଭୟେ ଶୁଣୁଥିଲେ । ବାଚସ୍ପତି ପି. ଆର୍.ସାଙ୍ଗମା ଚର୍ଚ୍ଚାଗୁଡ଼ିକର ପରିଚାଳନା କରୁଥିଲେ । ସେହି ଅଭିନବ ଆତ୍ମମନ୍ଥନରୁ ହୁଏତ କିଞ୍ଚିତ୍ ଅମୃତ ବାହାରିବ ବୋଲି ଆମେ ଦେଶବାସୀ ଚକିତ ହୋଇ ଅନାଇ ରହିଥିଲେ । ସେହି ଭାଷଣ ସମାବେଶଟିର ମୁରବି ହିସାବରେ ଶ୍ରୀଯୁକ୍ତ ସାଙ୍ଗମା ଶେଷକୁ ଯାହା କହିଥିଲେ, ସେ କଥା ଏବେ ମଧ୍ୟ ବହୁତଙ୍କର ନିଶ୍ଚୟ ସ୍ମରଣରେ ରହିଥିବ । ଦେଶ ନିମନ୍ତେ ଏକ ଦ୍ୱିତୀୟ ସ୍ଵାଧୀନତା ସଂଗ୍ରାମର ଅତ୍ୟାବଶ୍ୟକତା ରହିଛି ବୋଲି ସିଏ ଘୋଷଣା କରିଥିଲେ । କରତାଳିରେ ଗୃହଟି ପ୍ରକମ୍ପିତ ହୋଇ ଉଠିଥିଲା । ଏଥର ଦେଶକୁ ସତକୁସତ କିଛି ସୁଦଶାର ସମୟ ଆସିଲା ବୋଲି ଅନେକଙ୍କର ଅବଶ୍ୟ ପ୍ରତ୍ୟୟ ହୋଇଥିବ ଓ ସେମାନେ ତାହାରି ଫଳରେ ଖୁବ୍ ଖୁସି ହୋଇଥିବେ । ଏହାପରେ କେତେଟା ବର୍ଷ ଚାଲି ବି ଗଲାଣି । ମାତ୍ର ସଂଗ୍ରାମ କାହିଁ ? ବୀରମାନେ ନୂଆ ଦଳମାନ ଗଢ଼ିଛନ୍ତି ଏବଂ ଏଇ ପୁରୁଣା ଲଢ଼େଇମାନେ ହିଁ ପୂର୍ଣ୍ଣବୀର୍ଯ୍ୟ ହୋଇ ଲାଗି ରହିଛନ୍ତି । ଲଢ଼େଇଗୁଡ଼ାକ ତୁଚ୍ଛା କ୍ଷମତା ଦଖଲ କରିବାର ଲଢ଼େଇ । ଇଏ ତା’ ଗାଲରେ ଓ ସିଏ ୟା ଗାଲରେ କଳା ବୋଳି ବାହାରିବାର ଲଢ଼େଇ । ଗଣତନ୍ତ୍ର ନାମକ ଛାଞ୍ଚଟାର ସମ୍ପୂର୍ଣ୍ଣ ଦୁରୁପଯୋଗ କରି ସ୍ୱୟଂ ଲାଭବାନ ହେଉଥିବାର ଲଢ଼ାଇ । ଅନ୍ତତଃ ଏହି କ୍ଷେତ୍ରରେ ଆମ ଦେଶରେ ରାତି ପାହିଲେ ହିଁ ନୂଆ ନୂଆ କଥାମାନ ଘଟୁଛି । ନିତି ଘଟିବାରେ ଲାଗିଛି । ମାତ୍ର ସଂଗ୍ରାମ କାହିଁ ? ସଂଗ୍ରାମୀ କାହାନ୍ତି ? ଦେଶଟାକୁ ଭୋଗ କରିବାର ରାଜନୀତି ନୂଆ ନୂଆ ଦକ୍ଷତାରେ ବଳବତ୍ତର ରହିଛି । ଏବଂ ଏହି ପାରିଧିଟା ଯେପରି ଗୁଡ଼ାଏ ଦିନ ପାଇଁ ଚାଲିପାରିବ, ସେଥିଲାଗି ଦେଶର ଅଧିକ-ସଂଖ୍ୟକଙ୍କୁ ବହୁ ବାଗରେ ବଞ୍ଚିତ ଏବଂ ବହିଷ୍କୃତ କରି ରଖାଯାଇଛି ।

 

ଏବେ ଏକ ଉଚ୍ଚ କଚେରିର ସବା ଉପରର କର୍ତ୍ତା ଅବିକଳ ସେହି କଥା କହିଛନ୍ତି । ଦେଶର ଅଧିକାଂଶ ମନୁଷ୍ୟ କିଭଳି ଦାରିଦ୍ର୍ୟ, ଅଶିକ୍ଷା ଏବଂ ଏକାଧିକ ପ୍ରକାରର ଅସହାୟତା ଭିତରେ ବର୍ଷ ବର୍ଷ ଲଗାଏତ ସଢୁଛନ୍ତି, ଗୋଟାକପରେ ଗୋଟାଏ ଆଇନ ହେଉଥିଲେ ମଧ୍ୟ ତଥାପି ନ୍ୟାୟ ପାଉନାହାନ୍ତି, ସେହି ଦୁଃଖଗୁଡ଼ିକୁ ସମ୍ରାନ୍ତମାନଙ୍କର ଗୋଟିଏ ସଭାରେ ଦୋହରାଇ ସିଏ ଗଭୀର ଅନୁଶୋଚନା ପ୍ରକାଶ କରିଛନ୍ତି । ବଞ୍ଚିତମାନଙ୍କୁ ଯଥାର୍ଥ ଭାବରେ ସଚେତନ କରାଇବା ବିଷୟରେ ପରାମର୍ଶମାନ ଦେଇଛନ୍ତି । ଏଥି ସକାଶେ ଦେଶର ଏକ ଦ୍ଵିତୀୟ ସଂଗ୍ରାମର ପ୍ରୟୋଜନ ରହିଛି ବୋଲି କେତେ ଦରଦର ସହିତ ମତ ଦେଇଛନ୍ତି । ଏହି ଭାଷଣଟିର ଶେଷରେ ସଂପୃକ୍ତ ସେହି ସ୍ଥାନଟିରେ ମଧ୍ୟ କରତାଳି ନାଦରେ ନିଶ୍ଚୟ କାନ ଫାଟି ଯାଇଥିବ । ମାତ୍ର, ଏହିସବୁ ଅବସରରେ ସତକଥାଗୁଡ଼ିକୁ କହୁଥିବା ଉଚ୍ଚ ଚଉକିମାନେ ଯାହା ପ୍ରକୃତରେ ଭାବୁଛନ୍ତି ତାହାହିଁ କହୁଛନ୍ତି ନା ଘଡ଼ିକ ପାଇଁ କିଞ୍ଚିତ ଉଷ୍ଣତା ସୃଷ୍ଟି କରି ଦେଶଟା ଯେଉଁଭଳି ରହିଛି ତାହାକୁ ନିଷ୍ଠାପର ଭାବରେ ସେହିପରି ପକାଇ ରଖିବାର ପୂରା ମତଲବ ରଖି କିଛି ସାନ୍ତ୍ୱନାବାକ୍ୟ ଶୁଣାଇ ଯିବାକୁ ହିଁ ସାଧୁର କର୍ତ୍ତବ୍ୟ ବୋଲି ବିଚାରି ସେମାନେ ସେଭଳି କରୁଛନ୍ତି ? ଏବଂ, ରାଜନୀତିକ ଗାଦୀବଦଳର ପରେ ସମାଜର ବ୍ୟବସ୍ଥା ବଦଳିବା ନିମନ୍ତେ ଭାରତବର୍ଷକୁ ଯେ ଆଉ ଏକ ସଂଗ୍ରାମ କରିବାକୁ ହେବ, ଇଂରେଜମାନେ ଏଠାରେ ଶାସନ କରୁଥିବା ସମୟରୁ ହିଁ ମହାତ୍ମା ଗାନ୍ଧୀ ଅତ୍ୟନ୍ତ ସ୍ପଷ୍ଟ ଭାବରେ ବାରବାର ସେହିକଥାଟିକୁ ହିଁ କହୁଥିଲେ । ଏହି ଦ୍ୱିତୀୟ ଅନିବାର୍ଯ୍ୟତାଟିକୁ ସେ ସାମାଜିକ ବିପ୍ଳବ ବୋଲି ସର୍ବଦା କହୁଥିଲେ । ଗାନ୍ଧୀ ଆଉ ପାଞ୍ଚ/ଦଶ ବର୍ଷ ବଞ୍ଚିଥିଲେ କ’ଣ ହୋଇଥାଆନ୍ତା କେଜାଣି, କିନ୍ତୁ ଗାନ୍ଧୀକୁ କତଲ କରି ଖତମ କରିଦେବା ପରେ ତାଙ୍କର କଥାଗୁଡ଼ାକୁ ମଧ୍ୟ ଏପରି ପାଷଣ୍ଡତା ସହିତ ପରବର୍ତ୍ତୀ ନେତୃତ୍ୱମାନେ ପୋଛି ନିଷ୍କାସିତ କରିଦେଲେ ଯେ, ଗତ ପଚାଶବର୍ଷ ପରେ ଏବେ ସେହି କଥାଟି ଉପରେ ଆଉ କୌଣସି ବିତର୍କ କରିବାକୁ ମଧ୍ୟ ବାବୁମାନେ ସତେ ଅବା ଭାରି ସଲ ମଣୁଛନ୍ତି । ଅସଲ ସଂଗ୍ରାମଗୁଡ଼ିକୁ ସତେ ଅବା ଭୂତ ବୋଲି ମଣି ସଜ୍ଜନମାନେ ଯଥା ସମ୍ଭବ ତାହାଠାରୁ ଏକ ନିର୍ଭରଯୋଗ୍ୟ ଦୂରତା ରକ୍ଷା କରିବାରେ ଅଧିକ ମନ ଦେଲେଣି । ସେହି ପ୍ରଥମ ସଂଗ୍ରାମର ସଂଗ୍ରାମୀମାନେ ଅଧିକାଂଶ ଇତିମଧ୍ୟରେ ପରମଗତିକୁ ପ୍ରାପ୍ତ ହୋଇ ସାରିଲେଣି । ଯେଉଁମାନେ କୋଉଠି କଦବା ରହିଛନ୍ତି, ସେମାନେ ହାଉଆଟାର ଆଦେଶ ପାଳନ କରି ଭତ୍ତା ଖାଇ ଥୁକୁଲୁ ମାରୁଛନ୍ତି । ଯେଉଁମାନେ କ୍ଷମତା-ରାଜନୀତିରେ ରହିଛନ୍ତି, ସେମାନେ ନିର୍ବାଚନ ନାମକ ଏକ ଅନ୍ୟ ଧନ୍ଦା ଭିତରେ ବେକ ଯାଏ ବୁଡ଼ିକରି ରହିଛନ୍ତି । ଯେଉଁମାନେ ସିଂହପରି ଶାସନ ନାମକ ଜଙ୍ଗଲକୁ ଭୋଗ କରୁଛନ୍ତି, ସରକାର, ଶିକ୍ଷା ଓ ସ୍ଵାସ୍ଥ୍ୟରେ ବ୍ୟବସ୍ଥା, ଲୋକ-ଉନ୍ନୟନ ଏବଂ ଅନ୍ୟ ଯାବତୀୟ ନୂତନ ନିର୍ମାଣ ତଥା ବିଧାନ ଭିତରେ ଯନ୍ତ୍ରୀ ଓ ତନ୍ତ୍ରୀ ରୂପେ ଉଚ୍ଚ ଭାଗ୍ୟଗୁଡ଼ିକୁ ଭୁଞ୍ଜିବାର ଲାଇସେନସ୍‍ଗୁଡ଼ିକୁ ଧରିଛନ୍ତି, ସେମାନେ ଦେଶଟା ଯାକକୁ ଏକାବେଳେକେ କେବଳ ସେଇମାନଙ୍କର ବୋଲି ଲେଖାଇ ନେଇଛନ୍ତି ଏବଂ ଦୌରାତ୍ମ୍ୟ କରୁଛନ୍ତି । ଯାବତୀୟ ପରିବର୍ତ୍ତନର ବାଟଗୁଡ଼ିକୁ ଛେକି ରହିଛନ୍ତି । ଯେଉଁ ଦ୍ୱିତୀୟ ସଂଗ୍ରାମ ହୁଅନ୍ତା, ସେଇଟା ପ୍ରକୃତରେ ସେଇମାନଙ୍କ ସହିତ ହିଁ ହୁଅନ୍ତା ଏବଂ, ଯେଉଁମାନଙ୍କ ବିରୋଧରେ ସଂଗ୍ରାମ ହୁଅନ୍ତା ଅଥଚ ହୋଇପାରୁ ନାହିଁ, ଯଦି ସେମାନେ ହଠାତ୍ ଚାନ୍ଦ୍ରାୟଣ ବ୍ରତ ପାଳନ କରୁଥିବା ପରି ଆମକୁ ଦ୍ୱିତୀୟ ସ୍ଵାଧୀନତା ସଂଗ୍ରାମ ତଥା ସତ୍ୟାଗ୍ରହ ଇତ୍ୟାଦି ବିଷୟରେ କହି ବାହାରିବେ, ତେବେ ସତକୁସତ କିଏ ସତିଆ ଏବଂ କିଏ ସତିଆ ନୁହେଁ, ଏହି ଦୁର୍ଭାଗା ଦେଶରେ ଏବଂ ଆହୁରି ଦୁର୍ଭାଗା କାଳଟାରେ ସେକଥା ଜାଣି ପାରିବା ନିମନ୍ତେ ବସ୍ତୁତଃ ଆଉ କୌଣସି ଉପାୟ ହିଁ ରହିବ ନାହିଁ । ଆମ ପଟରେ ନଥାଇ ଯିଏ ଆମ ଅନ୍ତଃସ୍କରଣକୁ ଉଶ୍ୱାସ ଲାଗିଲା ଭଳି ଏତେ ଏତେ କଥା କହୁଛି, ସିଏ ତଥାପି ଆମର ଭଗାରି ଯେ ହୋଇନଥିବ, ସେକଥା କିଏ ମନା କରିପାରିବ ?

ଏକଦା ଯେତେବେଳେ ସମାଜବାଦରେ ସାମିଆନା ଭିଡ଼ାହୋଇ ଯୋଜନାର ଯୁଗଟାଏ ଚାଲିଥିଲା, ସେତେବେଳେ ସାଧାରଣ ମଣିଷମାନଙ୍କୁ ଏଠି କେତେ କ’ଣ ହେବ ଏବଂ କେତେ କ’ଣ ବଦଳିବ ବୋଲି ବୃହତ୍ ଭରସାମାନ ଦିଆଯାଇଥିଲା । ଯେଉଁମାନେ ଭରସା ଦେଉଥିଲେ, ସେଇମାନେ ଠକିଲେ । ଅଧିକ ଧନ ଭୋଗ କଲେ, ଅଧିକ ପାଠ ପଢ଼ିଲେ ଏବଂ ଅଧିକ ଠକିଲେ । ପୁରୁଣା ଦଳଗୁଡ଼ାକ ପଦାରେ ପଡ଼ିଯିବାରୁ ପ୍ରାୟ ସେହିମାନେ ହିଁ ଭଳିଭଳି ନୂଆ ନାମରେ ପରିଚୟ ଦେଲେ ଏବଂ ଠକିଲେ । ଅଧିକରୁ ଅଧିକ ସାହସର ସହିତ ଠକିଲେ । ସେଗୁଡ଼ିକ ମଧ୍ୟ ପଦାରେ ପଡ଼ି ଯାଉଥିବାର ଦେଖି ସେମାନେ ଏବେ ଏହି ଦେଶ ପାଇଁ ଗୋଟାଏ ସଂଗ୍ରାମର ଆବଶ୍ୟକତା ହେଲାଣି ବୋଲି କହିବାକୁ ଆରମ୍ଭ କଲେଣି କି ? ଏବଂ, ସତକୁସତ ସଂଗ୍ରାମର ବେଳଟି ଆସି ପହଞ୍ଚି ଯାଉଛି ଏବଂ ଲୋକମାନେ ଆଉ ଭୁଲିବାକୁ ପ୍ରସ୍ତୁତ ନୁହନ୍ତି ବୋଲି ପ୍ରମାଣ କରିପାରି ସେମାନେ ଏଇଟା ଭିତରେ ବି ପଶି ସବୁକିଛି ଭଣ୍ଡୁର କରିଦେବାକୁ ମଧ୍ୟ ଇଚ୍ଛା କରୁଛନ୍ତି କି ? ତା’ ନହେଲେ ଏମାନେ କାହିଁକି ଆଦୌ କୌଣସି ଗରଜରେ ପଡ଼ି ସଂଗ୍ରାମର କଥା କହିବାକୁ ଆଗ୍ରହୀ ହୁଅନ୍ତେ ? ସଂଗ୍ରାମୀର ଧାତୁ ସବୁଦିନେ ସଂପୂର୍ଣ୍ଣ ଅଲଗା ଏବଂ, ଏହି ଭଦ୍ରବର୍ଗ ଯେ ମୋଟେ ସେହି ଧାତୁର ନୁହନ୍ତି, ନିଜର ଗତ ବହୁବର୍ଷର ଆଚରଣଦ୍ଵାରା ତାହା ପ୍ରତିପାଦନ କରିସାରିଛନ୍ତି । ସେମାନେ ହୁଏତ ଗନ୍ଧ ପାଇଗଲେଣି ଯେ ଲୋକମାନେ ଏକ ନୂଆ ବାଟ ଖୋଜୁଛନ୍ତି । ନିଜର ପରିତ୍ରାଣ ଯେ ସେମାନଙ୍କର ନିଜ ହାତରେ ରହିଛି, ସେହି କଥାଟିକୁ ଉତ୍ତମ ରୂପେ ଉପଲବ୍‍ଧି କଲେଣି । ଆଉ ହୁଡ଼ିବେ ନାହିଁ ଏବଂ ଏହି ଚଗଲାମାନଙ୍କର ହାତକୁ ନିଜର ଭାଗ୍ୟ ଟେକିଦେବେ ନାହିଁ ବୋଲି କ୍ରମେ ଫଇସଲା ମଧ୍ୟ କଲେଣି । ଏକ ଅଲଗା ପ୍ରକାରେ କ୍ରିୟାଶୀଳ ହେଲେଣି । ଏବଂ, ସର୍ବୋପରି, ମୁହୂର୍ତ୍ତଟା ମଧ୍ୟ ଯେ ଆଖର ଅନୁକୂଳ ହୋଇଆସିଲାଣି, ନିଜର ସାମୂହିକ ବିବେକ ପାଖରୁ ସେମାନେ ତାହାର ସୂଚନା ବି ପାଇଲେଣି । କାରଣ, ବିଧାତା ବାମ ହୋଇ ଆସୁଥିବା ପରି ଏହି ବାବୁମାନେ ଓ ବପୁମାନେ ବି କ୍ରମେ ଧରାପଡ଼ି ଯାଇଛନ୍ତି ଓ ସତେଅବା କାହାର ଆଉ ମୋଟେ ତର ସହୁନଥିବା ପରି ପରସ୍ପରକୁ ଧରା ପକାଇ ଦେଉଛନ୍ତି । ଆଲୁଅ ଆଉ ଅନ୍ଧାରକୁ ଆଦୌ ସହିବ ନାହିଁ ବୋଲି କହିଦେଇ ସାରିଲାଣି ।

ଏଥର ଯେଉଁ ସଂଗ୍ରାମଗୁଡ଼ିକ ହେବ, ଦିଲ୍ଲୀ ଅଥବା ଭୁବନେଶ୍ଵରରେ ଲଗାମଗୁଡ଼ିକୁ ହାତମୁଠା ଭିତରେ ରଖି ସେଗୁଡ଼ିକୁ କେହି ଚଳାଇବ ନାହିଁ । ଜଙ୍ଗଲ ନିଆଁ ପରି ତାହା ହୁଏତ ଏକାବେଳେକେ ନାନା ଜାଗାରୁ ଜଳି ଉଠିବ । ନାନା ଅସନ୍ତୋଷରୁ ଜାତ ହେବ । ରାଜନୀତି କହିଲେ ଏପର୍ଯ୍ୟନ୍ତ ସାଧାରଣତଃ ଚଉପାଢ଼ିମାନଙ୍କରେ ଯେଉଁସବୁ କଥାକୁ ବୁଝାଉଥିଲା, ସେଗୁଡ଼ାକ ନିମନ୍ତେ ଆଉ ଆଦୌ ଅପେକ୍ଷା ରହିବ ନାହିଁ । ଉତ୍ପୀଡ଼ିତମାନେ ସଚେତନ ହେଲେ ସତେ ଅବା ଆମ ପୁରୁଣା ନାହାକମାନେ ଆଦୌ କୌଣସି ଖଡ଼ି ପକାଇବା ଆଗରୁ ହିଁ ମନୁଷ୍ୟମାନେ ସଂଗଠିତ ହୋଇ ଆସିବେ । ଆଗାମୀ ସଂଗ୍ରାମ ଏକାବେଳେକେ ଏକାଧିକ କେନ୍ଦ୍ରରୁ ଦିଗ୍‍ଦର୍ଶନ ଲାଭ କରିବ-। କର୍ତ୍ତାମାନେ ଗୋଟାଏ ଥାନରୁ ନିଆଁ ନିଭାଇବା ସକାଶେ କମିଶନ ବସାଉ ବସାଉ ନିଆଁ ହୁଏତ ଆଉ ସାତଟା ଥାନରେ ଜଳି ଉଠିବ । ଏବଂ, ବର୍ତ୍ତମାନ ଗୋଟା ସୁଦ୍ଧା ସାଆନ୍ତମାନଙ୍କର କୁଳରେ ରହିଥିଲେ ମଧ୍ୟ ଯେଉଁମାନେ ତଥାପି ସଂଗ୍ରାମ, ପ୍ରତିବାଦ ଏବଂ ସତ୍ୟାଗ୍ରହର ସ୍ମରଣ କରୁଛନ୍ତି, ସେମାନେ ସତ ବା ମିଛ କ’ଣ କହୁଥିଲେ, ତାହାର ପ୍ରମାଣ ବି ଅବଶ୍ୟ ମିଳିଯିବ । ଏମାନେ ମନ କଲେ ଆଗାମୀ ସଂଗ୍ରାମଗୁଡ଼ିକରେ ମନୁଷ୍ୟ ବୋମାର ଭୂମିକା ଗ୍ରହଣ କରିପାରିବେ-। ସଂଗ୍ରାମ ପରେ କୌଣସି ସରକାର ଗଢ଼ା ହେଲାବେଳେ ଏମାନେ ଯଦି କୌଣସି ଉଚ୍ଚ ଆସନରେ ଆଗତୁରା ଯାଇ ବସିଯିବେ ବୋଲି ପାଞ୍ଚ କରୁଥିବେ, ତେବେ ଭାରି ଲୋକହସା ହେବେ । ତେଣୁ, ସଙ୍ଗତି ସହିତ ଯାହାକିଛି କରିବେ, ମୁଖ୍ୟତଃ ଏକ ପ୍ରାୟଶ୍ଚିତ୍ତ ପରି କରିପାରିବେ । ପ୍ରାୟଶ୍ଚିତ୍ତ କରି ଶୁଦ୍ଧ ହେବେ, ବିଶ୍ୱାସଭାଜନ ହୋଇପାରିବେ । ଏବଂ, ଏହି ସବୁକିଛିକୁ ସେମାନେ ବାଧ୍ୟ ହୋଇ ନୁହେଁ, ସ୍ୱତଃପ୍ରବୃତ୍ତ ହୋଇ କରିବେ ।

 

୧୮.୬.୦୧

☆☆☆

 

ଶତବାର୍ଷିକୀର ଗୁଳାରେ

 

ସ୍ମରଣକାରୀମାନେ ଏବେ ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀଙ୍କର ଶତବାର୍ଷିକୀ ପାଳନ କରୁଛନ୍ତି । ଓଡ଼ିଶାରେ ସାଧାରଣ ଜୀବନ କ୍ଷେତ୍ରଟିର ହିସାବ ଅନୁସାରେ ଶ୍ରୀଯୁକ୍ତ ହରେକୃଷ୍ଣ ମହତାବଙ୍କର ଶତବାର୍ଷିକୀକୁ ପାଳନ କରିବାର ଖାତାଟି ଫଡ଼ାହେବାର ଅବ୍ୟବହିତ ପରେ ହିଁ ଶ୍ରୀ ନବକୃଷ୍ଣ ଚୌଧୁରୀଙ୍କର ଶତବାର୍ଷିକୀ-ପାଳନର ଏହି ଅନ୍ୟ ମହାଡ଼ାଟି ଆରମ୍ଭ ହୋଇଛି ଏବଂ, ଏହା ସର୍ବଜନବିଦିତ ଯେ ଦୁଇ ଅଲଗା ଅଲଗା ସ୍ମରଣକାରୀଙ୍କ ଦଳ ହିଁ ଏହି ଦୁଇ ବିଖ୍ୟାତ ବ୍ୟକ୍ତିଙ୍କର ଶତବାର୍ଷିକୀ ପାଳନ କରିବାର କାର୍ଯ୍ୟକ୍ରମରେ ଆପଣାକୁ ଆଣି ସାମିଲ କରିଛନ୍ତି ।

 

ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀ ଆମ ଚଉପାଶର ଏହି ସାର୍ବଜନିକ ଜୀବନରୁ ବିଦାୟ ନେଇଯିବାଟା ମଧ୍ୟ ପ୍ରାୟ ଚାହୁଁ ଚାହୁଁ ସତର ବର୍ଷ ହୋଇଗଲାଣି । ତାଙ୍କ ଅନ୍ତେ ଏହି ଅବଧିଟି ମଧ୍ୟରେ ତାଙ୍କ ନାଆଁଟାକୁ ଅଧିକ ସ୍ମରଣୀୟ କରି ରଖିବାର ଅଭିଳାଷରେ ସରକାର ଗବେଷଣା ତଥା ଶିକ୍ଷାର ଦୁଇଗୋଟି ସରକାରୀ ସିରସ୍ତାକୁ ଅନୁରୂପ ଭାବରେ ନାମିତ କରି ପାରିଛନ୍ତି । ଶତବାର୍ଷିକୀର ଏହି ଅବସରରେ ସଦିଚ୍ଛା ପ୍ରକାଶ କରି ସରକାର ଏଠି ପ୍ରତୀକାତ୍ମକ ଭାବରେ ଆହୁରି କିଛି କରନ୍ତୁ ବୋଲି ଖବରକାଗଜରେ ବାହାରିଛି । ବେସରକାରୀ ଭାବରେ ଗୋଟିଏ ଶତବାର୍ଷିକୀ କମିଟି କିଛି କରିବାର ଉପକ୍ରମ ମଧ୍ୟ କରାଯାଉଛି । ଯାହାକିଛି କରିବା କଥା, ତାହା ଏହି ଚାରି ପାଞ୍ଚ ମାସରେ ହିଁ କରିବାକୁ ହେବ । କାରଣ, ନଭେମ୍ବର ଶେଷଆଡ଼କୁ ଶ୍ରୀଯୁକ୍ତ ଚୌଧୁରୀଙ୍କର ଜନ୍ମତିଥି ପଡ଼ିବ ଏବଂ ସେହିଠାରୁ ହିଁ ଶତବାର୍ଷିକୀର ଅବଧିଟି ଉଦ୍‍ଯାପିତ ହୋଇଯିବ ।

 

ଓଡ଼ିଶାରେ ଶ୍ରୀଯୁକ୍ତ ଚୌଧୁରୀ ଜୀବନଯାକ ଆମ ସାମୁଦାୟିକ ରାଜନୀତିର କ୍ଷେତ୍ରରେ ରହିଥିଲେ ମଧ୍ୟ ତଥାପି ଅନ୍ୟ ପ୍ରାୟ ସମସ୍ତଙ୍କଠାରୁ ଖୁବ୍ ନିଆରା ନଥିଲେ, ମୂଳରୁ ଚୂଳ ଯାଏ ସିଏ ସର୍ବଦା ହିଁ ବାରିହୋଇ ପଡ଼ୁଥିଲେ । ଆରମ୍ଭରୁ ଶେଷଯାଏ । ନେତାମାନଙ୍କ ସକାଶେ ଉଦ୍ଦିଷ୍ଟ ଥାକମାନଙ୍କରେ ଅବସ୍ଥାପିତ ହୋଇ ରହିଥିଲେ ଓ ତାଙ୍କର ଗହଣିଆମାନେ ବି ତାଙ୍କୁ ସେହି ନେତାର ସମ୍ମାନ, ବ୍ୟବଧାନ ତଥା ମର୍ଯ୍ୟାଦା ଦେଇ ଦେଖୁଥିଲେ ସିନା, ମାତ୍ର ପଣ୍ଡିତ ଗୋପବନ୍ଧୁଙ୍କ ପରେ ଉପସ୍ଥିତ ସାମୂହିକ ଓ ମନୁଷ୍ୟଭାଗ୍ୟଟିର ସ୍ଥିତି ଓ ନିୟତିକୁ ତାଙ୍କ ଭଳି ଏଡ଼େ ସମଗ୍ର ବ୍ୟଞ୍ଜନା ଓ ସମ୍ଭାବନା ସହିତ ସମ୍ପୂର୍ଣ୍ଣ ଭାବରେ ଦେଖିପାରିବାର ଓ ଭେଦିପାରିବାର ଦ୍ୱିତୀୟ ମଣିଷଟିଏ ଆଉ କେହି ପ୍ରକୃତରେ ସମ୍ଭବତଃ ବର୍ତ୍ତମାନ ଯାଏ ମଧ୍ୟ ଆମର ଏହି ଓଡ଼ିଶାରେ ଦେଖିବାକୁ ମିଳିବ ନାହିଁ । ଓଡ଼ିଶାର ରାଜନୀତିକ ଗୋଠ ଭିତରେ ଶ୍ରୀ ଚୌଧୁରୀ ସବୁବେଳେ ହିଁ ଥିଲେ, ତଥାପି ଅଧିକତର ଅର୍ଥରେ ଗୋଠ ଭିତରେ ଆଦୌ ନଥିଲେ । ଗୋଠଟା ଭିତରେ ସତେଅବା ଗୋ-ଅତିରିକ୍ତ ଆହୁରି କେତେ କ’ଣକୁ ଘ୍ରାଣକରି ପାରୁଥିଲେ । ଅନ୍ୟମାନଙ୍କ ପରି ମୋଟେ ଚତୁର ନଥିଲେ । ସମ୍ଭବତଃ ସବା ଆଗ ସେହି କାରଣରୁ ହିଁ ସଂଗ୍ରାମ ଅନ୍ତେ ଯେଉଁ ସ୍ଵାଧୀନତା-ପର ରାଜନୀତିଟା ଭାରତବର୍ଷକୁ କ୍ରମେ ଅଧିକରୁ ଅଧିକ ନିର୍ଲଜ୍ଜତା ସହିତ ମାଡ଼ି ବସିବାକୁ ଆସିଲା, ଶ୍ରୀ ନବକୃଷ୍ଣ ଚୌଧୁରୀ ସେଥିରେ ଆପଣାକୁ ଭାରି ଅପାରଙ୍ଗମ ଅନୁଭବ କରି ସତେ ଅବା ସମ୍ପୂର୍ଣ୍ଣ ଭାବରେ ଥମ୍ବି ରହିଗଲେ । ହୁଏତ ଏଭଳି ଏକ ଶରଶଯ୍ୟାକୁ ବରିନେଲେ ଯେ, ରାଜନୀତିଜ୍ଞ ଲୋକଜୀବନର ପୂରା ହାଉଆଟା ତାଙ୍କରିଠାରୁ ଅସଲ ନେତୃତ୍ୱ ଅବଶ୍ୟ ମିଳନ୍ତା ବୋଲି ପୂର୍ଣ୍ଣ ନିଷ୍ଠାରେ ଅପେକ୍ଷା କରି ରହିଥିବାର ଏକାଧିକ ସୋପାନରେ ସିଏ ପାଦେ ପାଦେ ଆହୁରି ଦୂରକୁ ହଟି ହଟି ଯାଉଥିଲେ । ନିଜ ଭିତରେ ଧୋକା ଖାଇ ଯାଉଥିଲେ ।

 

ଲବଣ-ସତ୍ୟାଗ୍ରହ ସମୟରେ ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀ ବାଲେଶ୍ୱର ଅଞ୍ଚଳରେ ଗୋଟିଏ ଗ୍ରାମରେ ଯେତେବେଳେ ସରକାରଙ୍କୁ ଆମେ ଖଜଣା ଦେବାନାହିଁ ବୋଲି ଆନ୍ଦୋଳନଟିଏ ଆରମ୍ଭ କରି ଦେଇଥିଲେ, ସେତେବେଳେ ସମସାମୟିକ ଅନ୍ୟ ସତ୍ୟାଗ୍ରହୀମାନେ ସେଥିରେ କି ପ୍ରକାରର ପ୍ରତିକ୍ରିୟା ବ୍ୟକ୍ତ କରିଥିବେ କେଜାଣି ? ତା’ପରେ କଟକ ଜିଲ୍ଲାର ତରୀକୁନ୍ଦ ଗାଆଁରେ କୃଷିକ୍ଷେତ୍ରଟିଏ ଆରମ୍ଭ କରି ଅବସ୍ଥାନ । ସେଇଠାରୁ ‘ସାରଥି' ନାମକ ଏକ ପତ୍ରିକା ପ୍ରକାଶ । ପତ୍ରିକାଟିର ଲେଖାଗୁଡ଼ିକ କହିଦେବ ଯେ, ଗ୍ରାମାଞ୍ଚଳରେ କୃଷିରେ ଉନ୍ନତି ବିଧାନ ଉପରେ ଆଖି ରଖି କୃଷିକ୍ଷେତ୍ରରେ ସମବେତ ସାଥୀ ଦଳଟିର ଆଦୌ ମୁଖ୍ୟ କାର୍ଯ୍ୟକ୍ରମ ରୂପେ ବେଶି କିଛି ହେଉନଥିଲା । ସତେଅବା ସେହି ଭ୍ରୂଣ ପର୍ବଟିରୁ ହିଁ ଅଧିକ ବୃହତ୍ ପରିଧିରେ ଆଉ କିଛିର ମୂଳଦୁଆଟିଏ ପଡ଼ୁଥିଲା । ତରୀକୁନ୍ଦରୁ ଅଳକାଶ୍ରମ ମୋଟେ ଅଳପବାଟ ପରି ଲାଗିଥିବ । ତା'ପରେ କଟକରୁ ‘ଆଧୁନିକ’ ନାମକ ପତ୍ରିକା ବି ବାହାରିଲା । ତରୀକୁନ୍ଦରୁ ହିଁ ସମାଜବାଦୀ କର୍ମୀ ସଂଘର ସ୍ଥାପନ ହୋଇ ସାରିଥିଲା । ସେତେବେଳେ ସାରା ଦେଶରେ ମଧ୍ୟ ଏପରି କୌଣସି ସାଙ୍ଗଠନିକ ନକ୍ସାଟିର ଏକ ସମାନ୍ତର ଦେଖିବାକୁ ମିଳି ନଥାନ୍ତା । ଏବଂ, ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀ ଏକାଧାରରେ ସେହି ନକ୍ସାଟିର ନିର୍ମାତା ଥିଲେ, ସେହି ନଉକାଟିର ମଙ୍ଗୁଆଳ ବି ଥିଲେ । ସମ୍ପୃକ୍ତ ସମସ୍ତେ ତାଙ୍କୁ ସେହି ଭୂମିକାରେ ସ୍ଵୀକାର କରି ନେଇଥିଲେ, ସେହି ରୂପେ ମାନୁଥିଲେ । ଏବଂ, ସେତିକିବେଳେ କୃଷକ ଆନ୍ଦୋଳନଟିଏ ବି ଜନ୍ମଲାଭ କରିଥିଲା । ସମ୍ଭବତଃ ସମସ୍ତଙ୍କୁ ଗୋଟିଏ ସତ୍ୟର ଆଶ୍ରା ତଳେ ଜାଗା ହେଲା ନାହିଁ ବୋଲି ସାଙ୍ଗରୁ କମ୍ୟୁନିଷ୍ଟମାନେ ବାହାରିଗଲେ-। ଏମିତି ପରସ୍ପରଠାରୁ ଭିନ୍ନ ହୋଇଗଲେ ଯେ ଆଉ କେବେ ବି ଅଯୋଧ୍ୟାକୁ ମନ କଲେନାହିଁ-। କଂଗ୍ରେସଟା ଭିତରେ ରହିବାକୁ କ୍ରମେ ସମାଜବାଦୀମାନଙ୍କୁ ମଧ୍ୟ ବଡ଼ ଅସଜ ଲାଗିଲା । ଅଲଗା ଶିବିରଟିଏ ଗଢ଼ା ହୋଇଗଲା-। ‘କୃଷକ’ ବୋଲି ଅଲଗା ପତ୍ରିକା ବାହାରିଲା । କହିବା ବାହୁଲ୍ୟ, ଶ୍ରୀଯୁକ୍ତ ଚୌଧୁରୀ ହିଁ ଏହି ଅଲଗା ବଖରାଟିର ଗୃହପତି ହୋଇ ରହିଥିଲେ । ଏବଂ ତା'ପରେ ପୁଣି କ'ଣ ସବୁ ଘଟିଲା ?

 

ସ୍ୱାଧୀନ ଭାରତ ଘୋଷିତ ହେବାର ପ୍ରାକ୍-କାଳରେ ଯେତେବେଳେ ସମସ୍ତେ ଖଲାସ ହୋଇ ବାହାରକୁ ଆସିଲେ, ସେତେବେଳେ ଶ୍ରୀଯୁକ୍ତ ଚୌଧୁରୀ ସମାଜବାଦୀ ଖୋଳଟିକୁ ଛାଡ଼ି କଂଗ୍ରେସର ମେଳଟି ଭିତରେ ଯାଇ ଯୋଗଦେଲେ । ଏପରି କାହିଁକି ଯେ ହେଲା, ସେକଥା ସମାଜବାଦୀ ଶିବିରସାଥୀମାନେ କେହି ଠଉରେଇ ପାରିଲେ ନାହିଁ । ଏହି ଭୂମିକାଟିର ସଂକ୍ରାନ୍ତରେ ନବକୃଷ୍ଣ ଚୌଧୁରୀ ନିଜ ଜୀବନର ଶେଷ ଚରଣ ପର୍ଯ୍ୟନ୍ତ ମଧ୍ୟ ମୌନ ଅବଲମ୍ବନ କରି ରହିଗଲେ-। ବେଳେବେଳେ ଏ ବିଷୟରେ ତାଙ୍କୁ ସିଧା ବି ପଚରାଗଲେ କିଛି ଉତ୍ତର ଦେଉନଥିଲେ-। ରାଜ୍ୟରେ ଘଟିଥିବା ପରବର୍ତ୍ତୀ ଅବ୍ୟାପାରମାନେ କହିବେ ଯେ, କ୍ରମେ କଂଗ୍ରେସ ଓ ସମାଜବାଦୀ ଆହୁରି କେତେଭାଗରେ ବିଭକ୍ତ ହୋଇଗଲେ । ଚାଳଗୁଡ଼ାକ ରାଜନୀତିକ ଆଦୌ କୌଣସି କାରଣ ନଥାଇ ମଧ୍ୟ ଓଲରା ହୋଇ ଯାଉଥିଲେ; ରାଜନୀତି ଏମିତି ଛତରା ହୋଇଗଲା ଯେ, ରାଜ୍ୟରେ ଲୋକପ୍ରତ୍ୟୟଟାର ସର୍ବନିମ୍ନ ମର୍ଯ୍ୟାଦା ପାଇବାକୁ ମଧ୍ୟ ନିଜ ଯୋଗ୍ୟତାକୁ ହରାଇ ବସିଲା-। ପଛକୁ ଅନାଇ ପ୍ରଶ୍ନ କରିବାକୁ ଖୁବ୍ ଇଚ୍ଛା ହେଉଛି ଯେ, ଶ୍ରୀଯୁକ୍ତ ଚୌଧୁରୀ ଏକ ବଳଯୁକ୍ତ ପୁରୋଦୃଷ୍ଟିସମ୍ପନ୍ନ ଏତେ ଏତେ ଯେଉଁ ସବୁଥିରେ ହାତ ଦେଇଥିଲେ, ଦୀର୍ଘ ଏତେ ଏତେ ବର୍ଷ ପରେ ମଧ୍ୟ ସେଗୁଡ଼ିକର ପୂର୍ଣ୍ଣ ପ୍ରାସଙ୍ଗିକତା ରହିଛି । ଭାରତବର୍ଷ ସ୍ଵାଧୀନତା ପାଇଁ ସଜ ହେଉଥିବା ସମୟରେ ଏକ କୃଷକ-ଆନ୍ଦୋଳନର ଯେତେ ପ୍ରାସଙ୍ଗିକତା ରହିଥିଲା, ସ୍ଵାଧୀନତା ପରେ ତାହା ତ ଆହୁରି ଅଧିକ ପ୍ରାସଙ୍ଗିକ ହୋଇ ଉଠିଥିବ । ସେତେବେଳେ ଶ୍ରୀ ନବକୃଷ୍ଣ ଚୌଧୁରୀ ସରକାର ଭିତରେ ଥିଲେ । ସେଠି ଆଦୌ ସନ୍ତୋଷରେ ନଥିଲେ । ସେହି ମିଛ ଗହୀରରେ ଦଉଡ଼ିବାଟାକୁ ଛି ବୋଲି କହି ଯଦି ସିଏ କୃଷକ ଆନ୍ଦୋଳନର ନେତୃତ୍ୱ ନେଇଥାନ୍ତେ, ତେବେ ସେଥିରୁ ସେ ସୁନିଶ୍ଚିତ ଭାବରେ ଅଧିକ ସନ୍ତୋଷ ଲାଭ କରିଥାନ୍ତେ । ନିଜ ଧାତୁର ଅସଲ ଧର୍ମଟିକୁ ପାଳନ କରୁଥିବା ପରି ଅନୁଭବ କରିଥାନ୍ତେ । ଓଡ଼ିଶାର ରାଜନୀତିକ ସଂଗ୍ରାମରେ ଏକ ନୂତନ ଅଭିମନ୍ତ୍ରଣର ସୂତ୍ରପାତ କରିପାରିଥାନ୍ତେ ।

 

ଇତିମଧ୍ୟରେ ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀଙ୍କର ଗୋଟିଏ ଦୁଇଟି ଜୀବନ ପୁସ୍ତକ ବି ଲେଖା ହୋଇ ବାହାରି ସାରିଲାଣି । ସେଥିରେ ଯେଉଁ ସବାଆଗ ସତକଥାଟିକୁ ଦର୍ଶାଇବା ନିମନ୍ତେ ପ୍ରୟାସ କରାଯାଇଛି, ସେଇଟି ହେଉଛି ଯେ, ଶ୍ରୀଯୁକ୍ତ ଚୌଧୁରୀ ଓଡ଼ିଶାର ଅନ୍ୟ ନେତାମାନଙ୍କ ପରି ମୋଟେ ନଥିଲେ । ସିଏ ଜଣେ ଆଦର୍ଶସ୍ଥାନୀୟ ବ୍ୟକ୍ତି ଥିଲେ । ଅତ୍ୟନ୍ତ ଉଦାର ହୃଦୟ ଥିଲେ-। ଉଚ୍ଚ ଉଚ୍ଚ କ୍ଷମତାରେ ଥାଇ ମଧ୍ୟ ମୋଟେ ସେହି ବର୍ଗର କୌଣସି ଲାଳସା ଭିତରେ ସିଏ ମୋଟେ ପଡ଼ି ଯାଇନଥିଲେ । ମୂଳତଃ ତ୍ୟାଗବାନ୍ ଥିଲେ । ତାଙ୍କ ଚାରିପାଖରେ ଅନ୍ୟ ଅନେକ ପାଷଣ୍ଡ ହୋଇ କାଳଟାକୁ ଖାଇ ଯାଉଥିବା ସମୟରେ ସିଏ ସକଳ ସ୍ଥିତିରେ ସମ୍ପୂର୍ଣ୍ଣ ଥିର ରହିଥିଲେ-। ଯୋଗୀ ସନ୍ନ୍ୟାସୀଙ୍କ ଭଳି ଜୀବନଯାପନ କରୁଥିଲେ । ନିଜ ସମ୍ପର୍କରେ ଏହିଭଳି ଚାରୁ ବର୍ଣ୍ଣନାମାନ ଶୁଣି ସ୍ୱୟଂ ଶ୍ରୀଯୁକ୍ତ ଚୌଧୁରୀଙ୍କର ମନରେ କିଭଳି ପ୍ରତିକ୍ରିୟାମାନ ହୋଇଥାନ୍ତା କେଜାଣି ? ମୁଖତଃ ଋଷିପ୍ରତିମ ମନୁଷ୍ୟମାନେ ହିମାଳୟ ସଦୃଶ ଉତ୍ତୁଙ୍ଗ ସମସ୍ୟାମାନ ରହିଥିବା ଏକ ଦେଶରେ ଯେ ସତକୁସତ ବେଶି କାମର ହୋଇପାରନ୍ତି ନାହିଁ, ଶ୍ରୀ ନବକୃଷ୍ଣ ଚୌଧୁରୀ ସେହି ବିଷୟରେ ମୋଟେ ଅଜ୍ଞ ନଥିଲେ । ଯେଉଁ ଶାସନରେ ଧାଉଡ଼ିଟା ଭିତରେ ନେତା, ଲୋକମାନଙ୍କର ପ୍ରତିନିଧି ଓ ସାଧାରଣ ଜୀବନ ଏବଂ ରାଜନୀତିକ ଖେଳର ସର୍ବାଧିକ କୁହାଳିଆମାନେ ତାଙ୍କ ଆଖି ସାମନାରେ ଭଣ୍ଡାରଗୁଡ଼ାକ ଲୁଟି ନେଉଥିଲେ, ସେହି ଶାସନରେ ସବାବଡ଼ ବାଡ଼ିଟାକୁ ଧରି ବସିଥିବା ଶ୍ରୀ ନବକୃଷ୍ଣ ଚୌଧୁରୀ ସେମାନଙ୍କୁ ନିଶ୍ଚୟ ଅତ୍ୟନ୍ତ ଭଲ ଭାବରେ ଚିହ୍ନିଥିଲେ । ଏବଂ ବହୁସଂଖ୍ୟକ ଅଯୋଗ୍ୟମାନେ ସେତେବେଳେ ମଧ୍ୟ ନବବାବୁଙ୍କ ସାମନାରେ ତାଙ୍କୁ କେଡ଼େ ଉଚ୍ଚ ଉଚ୍ଚ ପ୍ରଶଂସା କରୁଥିଲେ । ଶ୍ରୀଯୁକ୍ତ ଚୌଧୁରୀ ସେମାନଙ୍କର ସେହି ଖୋଳଗୁଡ଼ାକ ତଳୁ ସେମାନଙ୍କୁ ଅତ୍ୟନ୍ତ ନିରାଟ ସତ୍ୟରୂପରେ ଅବଶ୍ୟ ସମଝି ପାରୁଥିଲେ ।

 

ତଥାପି କେଉଁଠାରେ କ’ଣ ବିଡ଼ମ୍ବନା ରହି ଯାଉଥିଲା କେଜାଣି, ସେଗୁଡ଼ାକୁ ସିଏ ସହି ଯାଉଥିଲେ । ପାର୍ଶ୍ଵ ବେଢ଼ି ରହିଥିବା ଆତ୍ମଖୋରମାନେ ସମ୍ଭବତଃ ଏଇଟାଦ୍ୱାରା ଆହୁରି ଅଧିକ ଉତ୍ସାହିତ ହୋଇ ଲମ୍ପଟତାର ଗାରଗୁଡ଼ାକୁ ଅଧିକରୁ ଅଧିକ ଡେଇଁ ଯାଉଥିଲେ । ଏଡ଼େ ଭଲ ମଣିଷଟିଏ ଥାଉ ଥାଉ ଆଦୌ ଦେଶଟାକୁ ନିଜ ଘରକୁ ବୋହି ନେବାର ସୁଯୋଗ ପରିତ୍ୟାଗ କରିବା ଉଚିତ ନୁହେଁ ବୋଲି ସେମାନେ ସମ୍ଭବତଃ ନିଜକୁ ସେହିସବୁ ଅପକର୍ମରେ ଅଧିକ ଲିପ୍ତକରି ରଖୁଥିଲେ । ହାୟ ସେହି ଭଲ ମଣିଷମାନେ, ଯେଉଁମାନଙ୍କୁ ପ୍ରଶଂସାର କୁହାଟଗୁଡ଼ାକଦ୍ଵାରା ବହୁତ ଉପରକୁ ଟେକି ଦିଆଯାଏ ଏବଂ ତା'ପରେ ଆମକୁ ଦେଖିପାରିବାକୁ ପାଖରେ ସିଏ ନାହିଁ ବୋଲି ଅପେକ୍ଷାକୃତ କିଞ୍ଚିତ ନିର୍ମଳ ବିବେକରେ ଅନ୍ୟ ଥୋକେ ଅନାଚାରଣମାନ କରିବାରେ ଲାଗିଥାନ୍ତି । ରାଜଧାନୀରେ ଘର କରନ୍ତି, ରାଜନୀତିରୁ ବହୁ ଅଜବ ଫାଇଦା ଉଠାଇବାରେ ବ୍ୟସ୍ତ ହୋଇ ରହିଥାଆନ୍ତି । ସମ୍ଭବତଃ ଭଲ ମଣିଷଟିଏ ପ୍ରକୃତରେ ଏଡ଼େ ଅଭାବନୀୟ ଭାବରେ ଭଲ ଓ ଦେବତୁଲ୍ୟ, ହୋଇ ରହିଥିଲା ବୋଲି କୌଣସି ଛପାବହିରେ ପଢ଼ିଲେ ସେମାନେ ସତେଅବା ଏକ ଅହେତୁକ କାମ ସ୍ପର୍ଶ ପାଇ କୁରୁଳି ଉଠନ୍ତି । ସମ୍ପୃକ୍ତ ବହିମାନେ ସମ୍ଭବତଃ ବିଶେଷ ଭାବରେ ସେମାନଙ୍କର ପ୍ରୀତ୍ୟର୍ଥେ ଲେଖା ହୋଇଥାଏ ଏବଂ ଶତବାର୍ଷିକୀ ଅଥବା ଶ୍ରାଦ୍ଧବାର୍ଷିକୀର ଅବସରଟିଏ ଆସିଲେ ସେମାନେ କେଡ଼େ ଉଦାର ହୋଇ ବାହାରି ପଡ଼ନ୍ତି । ସତକୁସତ ବର୍ଷବ୍ୟାପୀ ମଉଛବଗୁଡ଼ିକୁ କରାଇ ଧନ୍ୟ ହେବେ ବୋଲି ଏକ ଆରେକୁ ବଳିପଡ଼ନ୍ତି । ଶ୍ରୀ ନବକୃଷ୍ଣ ଚୌଧୁରୀ ଶାସନର ଲଗାମ ଧରିଥିବା ସମୟରେ କ’ଣ କମ୍ସଂଖ୍ୟକ ପାଖ ଲୋକ ତାଙ୍କର ଉତ୍ତମ-ପଣିଆଦ୍ୱାରା ଉପକୃତ ହୋଇଥିବେ ? ରାଜ୍ୟଟାଯାକ କ୍ରମେ ସେହି କାଟର ମହାମତିମାନେ ସାମର୍ଥ୍ୟର କ୍ଷେତ୍ରରେ ତଥା ସଂଖ୍ୟାରେ କ୍ରମେ ବଢ଼ି ବଢ଼ି ଆସିଥିବାରୁ ସିନା ଅନ୍ଧାରମାନେ ଏଠି ଏବେ ମଧ୍ୟ ଏଡ଼େ ଚିକ୍‍କଣ ହୋଇ ତଥାପି ରହିଛନ୍ତି ?

 

୨୫.୧.୦୬

☆☆☆

 

ଶତବାର୍ଷିକୀର ଗୁଳାରେ (୨)

 

ସରକାରୀ ଶାସନର ସର୍ବୋଚ୍ଚ ସ୍ଥାନରେ ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀଙ୍କୁ ଥାପିଦେଇ ତୁଚ୍ଛା ଅନ୍ୟକାମୀମାନେ କ’ଣ କମ୍ ବାଳିଆ ବାଡ଼େଇଲେ ଓ ନିଜ ନିଜର ଖଳାଗୁଡ଼ିକୁ ଗଦାମାରି ପୂର୍ଣ୍ଣମଣ୍ଡିତ କରି ରଖିଲେ ? ଉପରେ ଜଣେ ଭଲଲୋକ ଅଛି ଓ ତେଣୁ ଆମେ ସମସ୍ତେ ଅବଶ୍ୟ ଭିତରେ ରହିଛୁ ବୋଲି ନିତାନ୍ତ ମିଛ ହୋ’ଟାଏ ରଟାଇ ସେମାନେ କ’ଣ କମ୍ ଫାଇଦା ଉଠାଇଲେ ଓ ପ୍ରାୟ ସେହି ମୂଳରୁ ହିଁ ପରିମଳଟାକୁ ବିଗିଡ଼ି ଯିବାକୁ ସାହାଣ ମେଲାଇ ଦେଲେ । ସବୁକିଛିକୁ ଏକାବେଳେକେ ମଞ୍ଜରୁ ଦେଖି ପାରୁଥିବା ଏବଂ ଘ୍ରାଣ କରି ପାରୁଥିବା ସେହି ଭଲ ମଣିଷଟିକୁ ସେମାନେ ଯେ ଯାଉଣୁ ଆସୁଣୁ କେତେ କେତେ ଧର୍ମସଂକଟରେ ପକାଇଥିବେ, ସେମାନେ କ’ଣ ଏତେ ଟିକିଏ ହେଲେ ତାହାର ଗନ୍ଧ ପାଇଲେ ନାହିଁ ? ସେକାଳର ସେହି ଉପକୃତମାନଙ୍କୁ ଦେଖିବା ମାତ୍ରକେ ଆଜି ମଧ୍ୟ ସେହି କଥାଟା ଖୁବ୍ ମନେପଡ଼ିଯାଏ । ଖର ଓ ଦୁଷଣମାନେ ଏହି ପାବକ ସମୟଟାକୁ ସମ୍ଭବତଃ ଆହୁରି ଅଧିକ ଜମାଇ ରଖିବାକୁ ତାଙ୍କୁ ତାଙ୍କ ନିଜ ପିଲାଙ୍କ ପରି ପିତାଜ୍ଞାନରେ ସମ୍ବୋଧନ ବି କରୁଥିଲେ । ଖରାପର ପ୍ରଜା ପ୍ରତିହାରୀମାନେ କେଡ଼େ ସୂତରରେ ଯେ ଭଲ ମଣିଷଟାଏ ଆମର ନେତା ହୋଇ ବସିଛି ବୋଲି ନିତାନ୍ତ କୁହୁଡ଼ିଗୁଡ଼ାକୁ ଜାରି ରଖି କାଳଟାକୁ ବେକୁବ୍ କରି ରଖନ୍ତି, ସେହି ସେବେଠୁ ମଧ୍ୟ ଏଠି ଆମର ସେହି କଥାଟିର ବହୁ ଦୃଷ୍ଟାନ୍ତ ମିଳିଯିବ ।

 

ସେହି ପ୍ରଥମ ପର୍ଯ୍ୟାୟରେ କଂଗ୍ରେସ ନେତୃତ୍ୱ ସମାଜବାଦକୁ ଭାବୀ ଭାରତର ନିର୍ମାଣପର୍ବରେ ଅନୁସୃତ ରାଜନୀତିକ ମାର୍ଗ ବୋଲି ଗ୍ରହଣ କରିଥିଲା । ଦେଶର ସମ୍ବିଧାନ ମଧ୍ୟ ସେହି କଥାଟିକୁ ଘୋଷଣା କରିଥିଲା । ଅଲଗା ସମାଜବାଦୀ ଗୋଷ୍ଠୀଟିର ନେତା ହିସାବରେ ଶ୍ରୀଯୁକ୍ତ ଚୌଧୁରୀ ନିଜର ତତ୍କାଳୀନ ସଙ୍ଗୀମାନଙ୍କ ସହିତ ଆଗାମୀ ବିଧାନଟି ବିଷୟରେ ଯେଉଁସବୁ ସ୍ୱପ୍ନ ଦେଖିଥିଲେ, ସ୍ୱାଧୀନ ଭାରତରେ କଂଗ୍ରେସରେ ରହି ସେଗୁଡ଼ିକୁ ସାକାର କରିବାରେ ସିଏ ଅଧିକ ଅନୁକୂଳତା ପାଇବେ ବୋଲି ଶ୍ରୀ ନବକୃଷ୍ଣ ଚୌଧୁରୀ ହୁଏତ ବିଚାର କରିଥିବେ । ଦେଶର ଜନଗଣ ସେତେବେଳେ କଂଗ୍ରେସ ପକ୍ଷରେ ଥିଲେ ଏବଂ ସ୍ୱାଧୀନ ଭାରତର ଶାସକ ରୂପେ କଂଗ୍ରେସ ହିଁ ଦେଶକୁ ଗଢ଼ିବାର ଲୋକାଦେଶ ଅବଶ୍ୟ ଲାଭ କରିବ ବୋଲି ସେତେବେଳେ ଭାରି ସ୍ପଷ୍ଟ ଭାବରେ ଦୃଷ୍ଟ ହୋଇ ପାରୁଥିଲା । ଏହିପରି ଏକ ଆଗ୍ରହର ଆକର୍ଷଣରେ ଶ୍ରୀ ଚୌଧୁରୀ ସ୍ୱାଧୀନତା ପରେ ଏଠି କଂଗ୍ରେସ ଭିତରେ ରହିବେ ବୋଲି ସ୍ଥିର କରିଥିଲେ କି ? ସାଥୀ ଅନ୍ୟ ସମାଜବାଦୀମାନେ ତାଙ୍କ କଥାରେ ମଙ୍ଗିଯିବେ ବୋଲି ହୁଏତ ତାଙ୍କ ଭିତରେ ଭରସା ପାଉନଥିଲା ଏବଂ ପ୍ରାୟ ସ୍ଵଭାବପ୍ରେରିତ ଭାବରେ କୌଣସି କୋଳାହଳ ନକରି ସିଏ ଏକୁଟିଆ କଂଗ୍ରେସଆଡ଼େ ଖସି ଆସିଲେ ଏବଂ, ପରେ ତାଙ୍କ ପୁରୁଣା ଅସଲ ସମଧର୍ମୀମାନେ ତାଙ୍କୁ ଏହିପରି କରିଥିବାର କାରଣ ବିଷୟରେ ପ୍ରଶ୍ନ କରିଥିଲେ ମଧ୍ୟ ଶେଷଯାବତ୍ ସିଏ କୌଣସି ଉତ୍ତର ଦେଇ ପାରୁନଥିଲେ । ଏବଂ ଭାଗ୍ୟରେ ଆହୁରି ବିଡ଼ମ୍ବନା ମଧ୍ୟ ଏପରି ହେଲା ଯେ, କଂଗ୍ରେସ ଭିତରେ ରହିବାର ଏବଂ ନେତୃତ୍ୱ ଦେବାର ପୂର୍ଣ୍ଣ ଅନୁଭବଟିଏ ହୋଇ ଆସୁଥିବା ସଙ୍ଗେ ସଙ୍ଗେ ସେ ଯେତେବେଳେ ନିଜର କ୍ରୋଧୀ ବିବେକଟି ସହିତ କଂଗ୍ରେସ ହଟାଓ ଅଭିଯାନରେ ଯାଇ ସାମିଲ ହେଲେ, ସେତେବେଳେ ତାଙ୍କର ସମାଜବାଦୀ ପୂର୍ବମିତ୍ରମାନେ ଢେର ସଂଖ୍ୟାରେ କଂଗ୍ରେସ ଭିତରେ ଆସି ପଶି ସାରିଥିଲେ ।

 

କଂଗ୍ରେସ ଦେଶରେ ଶାସନଗାଦିରେ ବସି ଗଣତାନ୍ତ୍ରିକ ସମାଜବାଦ କଥା କହୁଥିଲା ଏବଂ ସମାଜବାଦୀମାନେ ମଧ୍ୟ ଆପଣାର ମୂଳ ସିଦ୍ଧାନ୍ତ ତଥା ସାଧନରୂପେ ତାହାକୁ ହିଁ ଗ୍ରହଣ କରି ଆସିଥିଲେ । ସତ୍ୟାଗ୍ରହ ନାମକ ଯେଉଁ ଆୟୁଧଟିକୁ ମହାତ୍ମା ଗାନ୍ଧୀ ସେହି ସଂଗ୍ରାମକାଳରୁ ହିଁ ଭାରତବର୍ଷକୁ ଯୋଗାଇ ଦେଇଥିଲେ, ତାହାକୁ ଉଭୟ ଶିବିର ହିଁ ଯାବତୀୟ ସନ୍ଦର୍ଭରେ ପୂର୍ଣ୍ଣ ମାନ୍ୟତା ଦେଉଥିଲେ । ତେଣୁ, ନିଜର ସ୍ୱତନ୍ତ୍ର ପଇତାଟିକୁ ଥିରି କରି କାଢି ଦେଇ କଂଗ୍ରେସର ଖୁଆଡ଼ଟା ଭିତରେ ଶ୍ରୀଯୁକ୍ତ ଚୌଧୁରୀ ନିଶ୍ଚୟ ବହୁ ଆସ୍ଥାର ସହିତ ପ୍ରବେଶ କରିଥିବେ । ମାତ୍ର, ତାପରେ ତାଙ୍କୁ ଏପରି ଭାବରେ ପାଦେ ପାଦେ ବହୁ ହୀନସ୍ଥାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ସିଏ ପ୍ରକୃତରେ କେତେ କମ୍ ଜାଣିଥିବେ ! ସରକାରୀ ମନ୍ତ୍ରୀ ହିସାବରେ ସିଏ ଯେଉଁସବୁ ମୂଳ ପରିବର୍ତ୍ତନକୁ ସମ୍ଭବ କରିବାର ପଦକ୍ଷେପ ଗ୍ରହଣ କରିଥିଲେ, ତାଙ୍କ ଦଳଟା ହିଁ ନାନାମତେ ସେଗୁଡ଼ିକରେ ବଇରୀ ହୋଇ ଛିଡ଼ାହେଲା । ଅଞ୍ଚଳ ଶାସନ, ଭାଗଚାଷୀ ଆଇନ, ଏଠାରେ ଆମେ ଦୁଇଟି ଦୃଷ୍ଟାନ୍ତର ଆଲୋଚନା କରିପାରିବା । ପରିପୂର୍ଣ୍ଣ ଭୂମି ସଂସ୍କାର ଦିଗରେ ଭାଷାଭାଷୀ ଆଇନକୁ ଏକ ପ୍ରାଥମିକ ପଦକ୍ଷେପ ବୋଲି କୁହାଯାଇ ପାରିବ । ଜମିର ମାଲିକ ମାଲିକ; ତାକୁ ଆମ ସଂସ୍କୃତିରେ କ’ଣ ପାଇଁ ଚାଷୀ ବୋଲି କୁହାଯାଏ କେଜାଣି ? ବିଧାନସଭାରେ ପୂର୍ବସଙ୍ଗୀ ସମାଜବାଦୀଙ୍କ ସହଯୋଗରେ ଭାଗଚାଷୀ ଆଇନ୍‍ଟା ଯଥାତଥା ଗୃହୀତ ସିନା ହୋଇଗଲା, ମାତ୍ର ଆନୁଷଙ୍ଗିକ ଅଧିକ ମହତ୍ତ୍ୱପୂର୍ଣ୍ଣ ଭିତ୍ତିଭୂମିରେ ଅତ୍ୟାବଶ୍ୟକ ପରିବର୍ତ୍ତନମାନ ସମ୍ଭବ ନହେବାରୁ କାଗଜର ଆଇନଟି ମୁଖ୍ୟତଃ କାଗଜର ହୋଇ ରହିଗଲା । ସେତେବେଳକୁ କାଁ ଭାଁ, ରଜାମାନେ ମଧ୍ୟ କଂଗ୍ରେସ ଭିତରକୁ ଆସିଲେଣି, କେତେ ଜଣ ରାଜ୍ୟମନ୍ତ୍ରୀ ମଧ୍ୟ ହେଲେଣି । କଂଗ୍ରେସର ନେତାକୁଳ ବହୁ ପୁରୁଷରୁ ବଡ଼ବଡ଼ ଜମିମାଲିକ ହୋଇ ରହିଥିଲେ । ତେଣୁ, ଚକମାନେ ଆଗକୁ ହାତେ ବି ଗଡ଼ି ପାରିନଥିଲେ । ଗାଆଁମାନଙ୍କରେ ଆଗ ଅପେକ୍ଷା ହୁଏତ କମ୍ ପ୍ରକୃତ ଚାଷୀଙ୍କର ଏବେ ଜମିମାଲିକାନା ରହିଛି । ଆଗ ଅପେକ୍ଷା ଅଧିକ ଭୂମାଲିକ ପରିବାର ଗାଆଁ ଛାଡ଼ି ସହରରେ ବାସ କରୁଛନ୍ତି ଏବଂ ଗାଆଁରେ ଥିବା ପୈତୃକ ଭୂସମ୍ପତ୍ତିର ମାଲିକ ହୋଇ ରହିଛନ୍ତି । ଆମ କୃଷି ବିଶ୍ୱବିଦ୍ୟାଳୟରେ ପ୍ରକୃତ ଚାଷୀ ହେବାପାଇଁ ସମ୍ଭବତଃ କେହି ଜଣେ ହେଲେ କୃଷିର ଅଧ୍ୟୟନ କରୁନାହିଁ । ଏବଂ, ସରକାରୀ ଚତୁରସେଣମାନେ ଭୂମି ସଂସ୍କାରର ଯାବତୀୟ ବିଚାରକୁ ଏକ ଚକବନ୍ଦୀ ବିଭାଗ ଭିତରେ ମଂଜୁଳ କରି ରଖି ଦେଇଛନ୍ତି । ଏବଂ, ହାତୀ ଆକାରର ଜଣେ ହାକିମ ସେହି ବିଭାଗଟିର ହାନିଲାଭକୁ ବୁଝୁଛନ୍ତି । ଅଂଚଳ ଶାସନ ଅର୍ଥାତ୍ ତଳୁ ଶାସନ । ପ୍ରଜାମାନଙ୍କଦ୍ଵାରା ପ୍ରଜାକୁଳର ଶାସନ । ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀ ଏହି ବିଷୟକ ଅଭିନବ ବିଧେୟକଟିକୁ ବି ବିଧାନସଭାରେ ଗୃହୀତ କରାଇ ନେଇଥିଲେ । ରାଜନୀତି ଓ ଅର୍ଥନୀତିରେ ଏହାକୁ ବିକେନ୍ଦ୍ରୀକରଣ ବୋଲି କୁହାଯାଇଛି । ସାମୁଦାୟିକ ବିକାଶ ଯୋଜନା, ପଞ୍ଚାୟତଦ୍ୱାରା ସ୍ଥାନୀୟ ସମୂହ ଜୀବନ-ସଂସ୍ଥାନଗୁଡ଼ିକର ବ୍ୟବସ୍ଥା,–ମହାତ୍ମା ଗାନ୍ଧୀଙ୍କର ନକ୍‍ସାରେ ତାହାକୁ ଗ୍ରାମ ସ୍ଵରାଜ୍ୟ ବୋଲି କୁହାଯାଇଥିଲା । ଉପରଟା ତଳର ବୋଲି ମାନିବ,–ସେଇଟି ହିଁ ଅସଲ ନିୟାମକ-। ଗଣତନ୍ତ୍ରର ସର୍ବମୂଳ ଔଚିତ୍ୟ । ଭାଗ୍ୟବାଦୀ ଭାରତରେ ଏହି ନୂଆ ବିଚାର ଓ ନୂଆ ହିସାବଟି ଚଳିବା ଆଦୌ ସହଜ କଥା ନଥିଲା । ତଥାପି ଅତ୍ୟନ୍ତ ଆଶାୟୀ ଶ୍ରୀଯୁକ୍ତ ଚୌଧୁରୀ ଅନ୍ତତଃ ଏକ ଆଇନ ହିସାବରେ ଯେ ସେଇଟିକୁ ସ୍ୱୀକୃତ କରାଇ ନେଇଥିଲେ, ତାହାକୁ ଏକ କେଡ଼େବଡ଼ କଥା ବୋଲି କୁହାଯାଇ ପାରିବ । ଗ୍ରାମ-ଜୀବନର ପାରମ୍ପାରିକ ସହମତିଟି ଯେପରି ମାଡ଼ ଖାଇ ନଯିବ, ସେଥିଲାଗି ପଞ୍ଚାୟତ ଓ ଅଞ୍ଚଳ ଶାସନରେ କୌଣସି ଦଳଗତ ରାଜନୀତି ପଶିବ ନାହିଁ ବୋଲି ମୂଳରୁ ଅଙ୍କୁଶଟାଏ ରହିଥିଲା । ଶ୍ରୀ ଚୌଧୁରୀଙ୍କ ଜୀବଦ୍ଦଶାରେ ହିଁ ଗାଆଁ ଭିତରକୁ ଦଳୀୟ ଦୁର୍ଗନ୍ଧଗୁଡ଼ାକ ମାଡ଼ିଆସିଲା ଓ ସବୁକିଛିକୁ ମାରା କରି ପକାଇଲା । ଭାରି ସହଜରେ ବର୍ତ୍ତମାନ ଲକ୍ଷ୍ୟ କରାଯାଇ ପାରିବ ଯେ ସମଗ୍ର ଦେଶରେ କେନ୍ଦ୍ରୀୟ ନିର୍ଦ୍ଦେଶନାର ଗୁଣ୍ଡାଟା ହିଁ ଆମ ଗ୍ରାମ-ପଞ୍ଚାୟତର ସକଳ ବ୍ୟବସ୍ଥାକୁ ପ୍ରଦୂଷିତ କରିବା ସକାଶେ ମାଡ଼ି ଆସିଲାଣି-। ଗାଆଁ ଭିତରେ ବି ଦଳଭେଦର ବିବେଚନା ଅନୁସାରେ ଭୁଜାଲି ଚାଲିଲାଣି ଏବଂ ବୋମାମାଡ଼ ହେଲାଣି-। ଏକ ଅସଭ୍ୟ ରାଜନୀତିକ ଅଭିଧାନ ଅନୁସାରେ ଏହାକୁ ହାଇକମାଣ୍ଡ ବୋଲି କୁହାଯାଉଛି-। ଉପରଟା କାନ ନ ଧରିଲେ ହୁଏତ ତଳଟା ଛିଡ଼ା ହୋଇ ପାରୁନାହିଁ,–ଏବଂ, ଗୋଟାଏ ସରକାର ଅବଶ୍ୟ ମନେ କଲେ ନିର୍ବାଚିତ ଅଞ୍ଚଳ-ଶାସନର ପୂରା ସଂରଚନାଟାକୁ ବରଖାସ୍ତ କରିଦେଇ ପାରୁଛି-। ଦେଶର, ରାଜ୍ୟର ପ୍ରାୟ ସକଳ ବ୍ୟବସ୍ଥା ଏହିପରି ଭାବରେ ମଞ୍ଚା ଉପରକୁ ହିଁ ଚାଲିଛି-। ସବୁ ରାଜନୀତିକ ଦଳ ତାହାକୁ ହିଁ ସର୍ବନିରାପଦ ବୋଲି ମାନି ନେଇଛନ୍ତି । ଆଗ ମଣିଷମାନେ ନ ଦିଶି କ୍ଷମତାଟା ହିଁ ଦିଶୁଛି । କହିବା ବାହୁଲ୍ୟ, ଏହି ଅପକାଇଦାଟା ଅନୁସାରେ ଅଧିକତର କ୍ଷେତ୍ରରେ ଅପରାଧୀମାନଙ୍କୁ ହିଁ ପ୍ରଶ୍ରୟ ମିଳୁଛି ।

 

ଓଡ଼ିଶାର ଭାଷା ଇଂରାଜୀ ନୁହେଁ, ଓଡ଼ିଆ । ତେଣୁ ଓଡ଼ିଆ ଭାଷା ହିଁ ରାଜ୍ୟରେ ଶାସନର ଭାଷା ହୋଇ ରହିବା ଉଚିତ୍ । ଭାରତବର୍ଷ ସ୍ଵାଧୀନତା ହାସଲ କରିବାର ପଚାଶ ବର୍ଷରୁ ଊର୍ଦ୍ଧ୍ୱ ହୋଇଗଲାଣି । ମାତ୍ର ଓଡ଼ିଶାରେ ଆମେ ଏହି ସିଧା କଥାଟା ବିଷୟରେ କ’ଣ ପାଇଁ ସିଧା ହୋଇପାରିଲୁ ନାହିଁ କେଜାଣି ? ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀ ଓଡ଼ିଶାରେ ପ୍ରଥମ ମୁଖ୍ୟମନ୍ତ୍ରୀ ଥିଲେ, ଯିଏ କି ସରକାରଙ୍କ ତରଫରୁ ଏଠି ଶାସନର ଭାଷା ଓଡ଼ିଆ ବୋଲି ବିଧିବଦ୍ଧ ଭାବରେ ସ୍ଵୀକୃତ କରାଇ ନେଇଥିଲେ । ଏଇଟିକୁ ମଧ୍ୟ ଆମେ ସନ୍ଦେହରହିତ ଭାବରେ ଏକ ସମାଜବାଦୀ ପଦକ୍ଷେପ ବୋଲି କହିପାରିବା । ଏକ ପୂର୍ଣ୍ଣ ଗଣତାନ୍ତ୍ରିକ ପଦକ୍ଷେପ ବୋଲି ବି କହିପାରିବା । ଅଧିକ ମଣିଷ ଯେଉଁ ଭାଷାର ଭୂମି ଉପରେ ସାମୂହିକ ଜୀବନଟିକୁ ବଂଚନ୍ତି, ସରକାର ସେଇଟିକୁ ଭାଷାଗତ ମାଧ୍ୟମ ବୋଲି ଗ୍ରହଣ କରିନେଲେ ଯାଇ ଦେଶଟା ବା ରାଜ୍ୟଟା ସତକୁସତ ଲୋକଙ୍କ ପାଇଁ ଚାଲୁଛି ବୋଲି କୁହାଯାଇପାରିବ । ଆଇନ ପାସ୍ ହୋଇଗଲା, ତଥାପି ଓଡ଼ିଆ ଓଡ଼ିଶାରେ ଶାସନର ଭାଷା ହୋଇପାରିଲା ନାହିଁ, ଏହି ଅପପ୍ରବୃତ୍ତିଟାକୁ ପ୍ରତ୍ୟକ୍ଷ କରି ଶ୍ରୀ ଚୌଧୁରୀ ଜୀବନଯାକ ଗଭୀର ବ୍ୟଥା ଅନୁଭବ କରୁଥିଲେ । ଓଡ଼ିଶାରେ ଉଚ୍ଚ ଥାନରେ ଥିବା ବୃହତ୍‍ମାନେ ଯେ ନାନାଭାବେ ଓଡ଼ିଆ ଭାଷାକୁ ନାକ ଟେକନ୍ତି, ସେଥିପାଇଁ ବିଗତ ଶହେ ଦେଢ଼ଶହ ବର୍ଷ ଭିତରେ ସମ୍ଭବତଃ ସେହି ଅସୁନ୍ଦର ରୀତିଟିର କାରଣଗୁଡ଼ିକୁ ଅନୁମାନ କରିହେବ । ଓଡ଼ିଆ ଭାଷାଟା ଏବେ ମଧ୍ୟ ଆମ ଉଚ୍ଚଦପ୍ତରମାନଙ୍କରେ ପୋଇଲୀ ପ୍ରାୟ ହୋଇ ରହିଛି । ରାଜ୍ୟର ଦୁଃଖ ବୁଝିବାକୁ ରହିଥିବା ସାଆନ୍ତମାନେ ଶାସନର ସକଳବିଧ ଦରବାରରୁ ଓଡ଼ିଆ ଭାଷାକୁ ବହିଷ୍କୃତ କରି ରଖିଛନ୍ତି-। ଯାବତୀୟ ଅର୍ଥରେ ଏଠାରେ ଇଂରାଜୀ ମିଡ଼ିଅମରେ ହିଁ ସରକାର ଚାଲିଛି । ସତରେ ଚାଲିଛି କି ନାହିଁ, ସେ କଥା ସେହି ବାବୁମାନେ ହିଁ ଅତ୍ୟୁତ୍ତମ ଭାବରେ ଜାଣିଛନ୍ତି; ଓଡ଼ିଶାରେ ଶହେରୁ ନବେ ମଣିଷ ଯେପରି ଦେଶ ବ୍ୟବସ୍ଥାର ସକଳ ମହକୁମାରୁ ବଞ୍ଚିତ ହୋଇ ରହିବେ, ଏଠାରେ ସେହି ଷଡ଼ଯନ୍ତ୍ରଟା କ୍ରମେ ଅଧିକ ବହଳ ହେବାରେ ଲାଗିଛି । ଏଣିକି ଗାଆଁ ସହରରେ ପିଲାମାନେ ପୂରା ଦ୍ୱିତୀୟ ଶ୍ରେଣୀରୁ ହିଁ ଇଂରାଜୀ ଭାଷାର ଛେନାକୁ ଚାଖିବା ଆରମ୍ଭ କରିଦିଅନ୍ତୁ ବୋଲି ପାଳବିଣ୍ଡା ସରକାରୀ ସାଧବମାନେ ଏବେ ନିୟମଟାଏ ବି କରି ଦେଇଛନ୍ତି ।

 

ଦେଶର ଉଦୟ ତଥା ଅଗ୍ରଗତି କହିଲେ ସବାଆଗ ଦେଶରେ ବାସ କରୁଥିବା ମନୁଷ୍ୟମାନଙ୍କର ଉଦୟ ଏବଂ ଉନ୍ନୟନକୁ ବୁଝାଏ, ସରକାରରେ ଥିବା ଆମ ପ୍ରତିଭୁମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀ ହିଁ ଏକଥା ସବୁଠାରୁ ଅଧିକ ଜାଣିଥିଲେ ଓ ସେହି ଦିଗରେ ବାସ୍ତବ ବାଟମାନ ବି କାଢ଼ିବାକୁ ଚେଷ୍ଟା କରିଥିଲେ । ତାଙ୍କ ନିଜ ଦଳଟା ଯେ ମୂଳତଃ ଅନ୍ୟକାମୀ ଓ ଆତ୍ମକାମୀମାନଙ୍କଦ୍ୱାରା ପୂର୍ଣ୍ଣ ହୋଇ ରହିଥିଲା, ସ୍ପଷ୍ଟତଃ ତାହାହିଁ ତାଙ୍କୁ ଅତ୍ୟନ୍ତ ଆହତ କରି ପକାଇଥିଲା । କଥିତ ଅଛି, ଏକଦା ସିଏ ନିଜର ସେହି ଖେଦଗୁଡ଼ାକୁ ମୁହଁ ଖୋଲି ଦଳରେ ଆହୁରି ବଡ଼ମାନଙ୍କର ଗୋଟିଏ ବୈଠକରେ କହି ପକାଇଥିଲେ । ସେଠାରେ ସ୍ଵୟଂ ଜବାହରଲାଲ୍ ନେହେରୁ ଉପସ୍ଥିତ ଥିଲେ । ସିଏ ଶ୍ରୀ ଚୌଧୁରୀ ଇସ୍କୁଲ ପିଲାଙ୍କ ପରି କେଡ଼େ ନିଷ୍ଠାରେ କଥାଗୁଡ଼ିକୁ କହିଲେ ବୋଲି ମନ୍ତବ୍ୟ ବି ମାରିଦେଲେ । ଉପସ୍ଥିତ ଅନ୍ୟମାନେ ବି ଅବଶ୍ୟ ଆନୁଗତ୍ୟ ପ୍ରକାଶ କରି ଦାନ୍ତ ନିକୁଟି ଦେଇଥିବେ । ଓଡ଼ିଶାରେ ମଧ୍ୟ ଶ୍ରୀ ନବକୃଷ୍ଣ ଚୌଧୁରୀଙ୍କର ସମକାଳୀନ କେତେ ଅବର ତଥା ପ୍ରବର ହୁଏତ ବହୁ ଅବସରରେ ତାଙ୍କ ନିଷ୍ଠାର ପରିଚୟ ପାଇ ଦାନ୍ତ ନିକୁଟି ଦେଇଥବେ ଏବଂ ଯୁଗପତ୍ ଭାବରେ ଗୋଟାଏ ଭାରି ଭଲ ଲୋକ ଏତେବଡ଼ ଥାନରେ ଯାଇ ରହିଥିବାରୁ ସେଥିରୁ ପରିପୂର୍ଣ୍ଣ ଫାଇଦା ମାରିଥିବେ । ସେମାନେ ଏବେ ମଧ୍ୟ ସେହି ଭଲ ଲୋକଟାର କେତେ କେତେ ପ୍ରଶଂସା କରୁଛନ୍ତି । କାଳ ଅନାଇ ରହିଛି ।

 

୨.୭.୦୧

☆☆☆

 

ଶତବାର୍ଷିକୀର ଗୁଳାରେ (୩)

 

ଭାରତବର୍ଷରେ ଯେତେବେଳେ ବିନୋବାଜୀଙ୍କର ପୌରୋହିତ୍ୟରେ ଭୂମିହୀନଙ୍କ ନିମନ୍ତେ ଭୂମି ସଂଗ୍ରହର ଆନ୍ଦୋଳନ ଆରମ୍ଭ ହୋଇଗଲା, ସେତେବେଳେ ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀଙ୍କୁ ତାହା ସେହି ମୂଳରୁ ହିଁ ଚକିତ କରି ଦେଇଥିଲା । ବିନୋବା ଭୂଦାନକୁ ଭୂମିକାନ୍ତି ବୋଲି କହିଲେ, ପଦଯାତ୍ରାକୁ କ୍ରାନ୍ତିଯାତ୍ରା ବୋଲି କହିଲେ । ଶ୍ରୀ ଚୌଧୁରୀଙ୍କର ସମାଜବାଦୀ ହୃଦୟଟି ଆଉ ଥୟ ଧରି ପାରିଲା ନାହିଁ । ଭାରତବର୍ଷରେ ସାମାଜିକ ଲୋକନ୍ୟାୟର ପ୍ରତିଷ୍ଠା ପାଇଁ ଏହିଭଳି ଏକ ଅଭିନବ ମାର୍ଗ ହିଁ ଉଦ୍ଦିଷ୍ଟ ହୋଇ ରହିଛି କି ? ସବା ଆଗ ଜୟପ୍ରକାଶ ନାରାୟଣ ପ୍ରକାଶ୍ୟ ଭାବରେ ଏଥିରେ ଆସି ଯୋଗଦେଲେ । ମୁଖ୍ୟମନ୍ତ୍ରୀର ଆସନରେ ଥାଇ ମଧ୍ୟ ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀ ଭୂମିଦାନର କାର୍ଯ୍ୟକ୍ରମ ସହିତ ନିଜକୁ ସାମିଲ କରିଦେଲେ । ଓଡ଼ିଶା ଖଣ୍ଡରେ ସରକାର ଓ ସର୍ବୋଦୟ ସତେଅବା ଗୋଟାଏ ମାହାଲା ବୋଲି ବେଳେବେଳେ ମନେ ବି ହେଉଥିଲା । ଶ୍ରୀ ଚୌଧୁରୀ ହୁଏତ ସ୍ଵୟଂ ବି ଏହି ବିଡ଼ମ୍ବନାପୂର୍ଣ୍ଣ ଦ୍ୱୈତ ଭୂମିକାର ନିରର୍ଥତାକୁ କ୍ରମେ ହୃଦୟଙ୍ଗମ କରିବାକୁ ଆରମ୍ଭ କରିଥିବେ । ତାଙ୍କ ନିଜ କଂଗ୍ରେସ ଦଳର ପ୍ରତିଦ୍ୱନ୍ଦୀ ଖଳନାୟକମାନଙ୍କର ଟିହାଇବାଗୁଡ଼ାକ ମଧ୍ୟ ଅଧିକ ସୋଚ୍ଚାର ହୋଇ ଉଠୁଥିଲା । ଅଭିଯୋଗମାନେ ପରିପୂର୍ଣ୍ଣ ଉପଚାରରେ ଜବାହରଲାଲଙ୍କ ପର୍ଯ୍ୟନ୍ତ ବି ଯାଇ ପହଞ୍ଚିଲା । ଏବଂ, ଶ୍ରୀ ଚୌଧୁରୀ ସରକାର ଛାଡ଼ିଲେ । ଭୂଦାନ ଭିତରକୁ ଝାସ ଦେଲେ । ପୂର୍ଣ୍ଣ ଆସ୍ଥାର ସହିତ ତାହାରିଦ୍ୱାରା ଅସଲ ପରିବର୍ତ୍ତନ ତଥା ଓଲଟପାଲଟର କ୍ଷେତ୍ରରେ ଅବଶ୍ୟ କିଛି ଘଟିବ ବୋଲି ସେ ନିଷ୍ଠାର ସହିତ ଆଶା କରୁଥିଲେ । ସେହି ନହସରେ ଏହି ନୂଆ ଶିବିରରେ ନେତା ହେଲେ, ସର୍ବସେବା ସଂଘର ଅଧ୍ୟକ୍ଷ ହେଲେ । ମାତ୍ର, ଏକ ନିଦାରୁଣ ମୋହଭଙ୍ଗ ହେବା ନିମନ୍ତେ ବିଧାତା ତାଙ୍କୁ ଏହିସବୁ ନୂଆ ନୂଆ ଭଉଁରୀ ଭିତରେ ନେଇ ପକାଇ ଦେଉଥିଲା କି ? ଭାଗ୍ୟକୁ ଅଥବା ଦୁର୍ଭାଗ୍ୟକୁ ଏତିକିବେଳେ ଦେଶରେ ଜରୁରୀ ଅବସ୍ଥା ଜାରି ହେଲା ଏବଂ ତାହାରି ଫାଶରେ ପଡ଼ି ସର୍ବୋଦୟ ଶିବିରଟା ମଧ୍ୟ ଦୁଇ ଭାଗ ହୋଇ ଯାଇଥିଲା ।

 

ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀ ବିନୋବାଙ୍କୁ ଛାଡ଼ିଲେ । ନିଜ ଭିତରେ ସତେଅବା ଆପଣା ଅଥବା ଆଉ କାହା ଦୋଷରୁ ବଡ଼ ନିର୍ଘାତିଆ ଭାବରେ ଶେଳବିଦ୍ଧ ହୋଇଥିବା ଭଳି ସିଏ ପ୍ରାୟ ଯାହା ଆସିଲା ସେହିଭଳି ଅଚଞ୍ଛା ଭାଷାରେ ବିନୋବାଙ୍କୁ ଗାଳି ଦେବାକୁ ଲାଗିଲେ । ଗୋଟାଏ ନିର୍ଦ୍ଦିଷ୍ଟ ପ୍ରକାରର କ୍ରୋଧ ରହିଛି, ଯାହାକି ସତକୁସତ ନିଜ ଉପରେ ହେଉଥିଲେ ମଧ୍ୟ ତଥାପି କୌଣସି ଅନ୍ତର୍ଗତ ଲଜ୍ଜାର କାରଣରୁ ତାହାକୁ ଅନ୍ୟକୁ ଗାଳି ଦେଇ ଶୁଝାଇ ଦେବାକୁ ଇଚ୍ଛା କରୁଥାଏ । ଏଣେ ବୟସ ବି କ୍ରମେ ଭାରି ଭାରି ଲାଗି ଆସୁଥିଲା । ସମାଜବାଦୀ ମେଳ, କଂଗ୍ରେସୀ ସରକାର, ସର୍ବୋଦୟ ସଦାବର୍ତ୍ତ, ଏହି ସବୁକିଛିରୁ ଦଉଡ଼ି ଛିଣ୍ଡିଯିବା ପରେ ଯାବତୀୟ ଅବଲମ୍ବନ ହରାଇ ବସିଥିବା ପରି ଲାଗୁଥିବା ସମୟରେ ଆଉ କେଉଟା ବାକି ରହିଲା, ଯାହାକୁ କି ଗ୍ରହଣ କରିହେବ ? ତଥାପି ତେଣେ ଭିତରେ ପରିବର୍ତ୍ତନକାମୀ ତୃଷିତ ହୃଦୟଟା ହିଁ ଆଗପରି ଅସ୍ଥିର କରାଇବାରେ ଲାଗିଥିବ । ଶ୍ରୀ ନବକୃଷ୍ଣ ଚୌଧୁରୀ ସେଇଟାକୁ କଦାପି ଧୋକା ଦେଇ ପାରିନଥାନ୍ତେ । ତେଣୁ ଦେଶରେ ଏକ ଉତ୍ସର୍ଗୀକୃତ ନିଷ୍ଠାର ସହିତ ଯିଏ ଯାହାକିଛି କରୁଛି, ତାହା ଯେଉଁ ବାଟରେ ହେଉ ପଛକେ, ତାହାପ୍ରତି ଏକ ଆକର୍ଷଣ ଅନୁଭବ କରିବା ଏବଂ ତଥାପି କିଛି ବା କିଛି ପ୍ରୟାସ ହେଉଛି ବୋଲି କହି ନିଜର କ୍ଳାନ୍ତ ଆଶାୟୀ ମନଟାକୁ ତଥାପି କିଛି ହିମତ ଓ କିଛି ସାନ୍ତ୍ୱନା ଯୋଗାଇବା ସେହି ପର୍ଯ୍ୟାୟରେ ଶ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଜୀବନରେ ଆମେ ତାହାରି କେତେକ ନଜିର ଦେଖିବାକୁ ପାଇବା । ତାଙ୍କ ଭିତରର ସଂଗ୍ରାମୀ ତଥାପି ଯେ ମରି ନଥିଲା, ନାନା ଅତୁଠରୁ ଧୋକା ଖାଇ ଫେରି ଆସିଥିଲେ ମଧ୍ୟ ଭାରତବର୍ଷରେ ଅସଲ ନାଆଁଟିକୁ ଜଳାଇ ରଖିବାକୁ ଅନ୍ୟମାନେ ଅବଶ୍ୟ ବାହାରିବେ ଏବଂ ଏପରିକି, ମୁଁ ନଥିଲେ ଅନ୍ୟମାନେ ଅବଶ୍ୟ ଥିବେ–ପ୍ରାୟ ଏକ ଅନମନୀୟ ଆଧ୍ୟାତ୍ମ ସ୍ତରର ତାଙ୍କର ସେହି କ୍ରୋଧଗୁଡ଼ିକ ନାନା ସମୟରେ ଅଭିବ୍ୟକ୍ତ ହେବାକୁ ଲାଗିଲେ ଏବଂ ତାଙ୍କର ନିକଟତମମାନଙ୍କୁ ବି ଆଚମ୍ବିତ କରି ଦେଉଥିଲେ ।

 

ସରକାରୀ ଶାନ୍ତ ରାଜତ୍ୱରେ ଏକ କ୍ରିୟାଶୀଳ ଅରାଜକତା ସୃଷ୍ଟି କରୁଥିବାର ଅପରାଧରେ ଶ୍ରୀଯୁକ୍ତ ନାଗଭୂଷଣ ପଟ୍ଟନାୟକଙ୍କୁ ଫାଶୀ ହୁକୁମ ହୋଇଥିଲା । ନବକୃଷ୍ଣ ଚୌଧୁରୀ ଚେଷ୍ଟା ପରେ ଚେଷ୍ଟା କରି ସମୁଚିତ ଦରବାରମାନଙ୍କରେ ପହଞ୍ଚି ଓ ନିବେଦନ କରି ସେହି ପ୍ରାଣଦଣ୍ଡକୁ କାରାଦଣ୍ଡକୁ କୋହଳ କରି ଆଣିଥିଲେ । ସ୍ଵୟଂ ନାଗଭୂଷଣ ପଟ୍ଟନାୟକଙ୍କୁ ବି ଏଭଳି ଏକ ଆଚରଣ ବଡ଼ ଅଜବ ଭଳି ନିଶ୍ଚୟ ଲାଗିଥିବ । ଏହି ଦେଶରେ ପରବର୍ତ୍ତୀ ପରିବର୍ତ୍ତନଗୁଡ଼ିକୁ ସରକାର ଭଣ୍ଡୁର କରି ଦେଉଥିବା ସମୟରେ ପ୍ରତିବାଦ ଓ ପ୍ରତିରୋଧର ଦୀପଟି ତଥାପି କେହି ନା କେହି ଜଳାଇ ରଖିଥାଉ, ଏହା ହିଁ ଏସବୁ ପଛରେ ଶ୍ରୀ ଚୌଧୁରୀଙ୍କର ଅନ୍ତର୍ଗତ ଇଚ୍ଛା ହୋଇ ରହିଥିଲା । ପ୍ରତିରୋଧର ସେହି ଧାଡ଼ିରେ ଚାରୁ ମଜୁମଦାର ଆସିଲେ, କାନୁ ସାନ୍ନ୍ୟାଲ ବି ଆସିଲେ-। ସଂପୂର୍ଣ୍ଣ ଭାବରେ ସେହି କ୍ରିୟାତ୍ମକତାଗୁଡ଼ିକ ବାହାରେ ଥାଇ ମଧ୍ୟ ଶ୍ରୀ ଚୌଧୁରୀ କେଡ଼େ ବ୍ୟାକୁଳ ଭାବରେ ମୁଁ ଚାରୁ ମଜୁମଦାର ହେବି ଓ ମୁଁ କାନୁ ସାନ୍ନ୍ୟାଲ ହେବି ବୋଲି କେଡ଼େ ବଡ଼ ପାଟି କରି କହି ନିଜର ତଥାକଥିତ ପାରମ୍ପରିକ ଅନୁଗତ ଓ ସ୍ତାବକମାନଙ୍କୁ ଭାରି ବିଚଳିତ କରି ପକାଇବାକୁ ଆଦୌ କୁଣ୍ଠାବୋଧ କରି ନଥିଲେ । ଏଥିରେ ଆଦୌ କୌଣସି ଦ୍ୱିମତ ହେବ ନାହିଁ ଯେ ଯେତେ ମନ କରିଥିଲେ ମଧ୍ୟ ସିଏ କଦାପି ସେହିସବୁ ଭୂମିକା ଗ୍ରହଣ କରି ପାରି ନଥାନ୍ତେ ଏବଂ ତଥାପି ଏକ ସମ୍ଭାବନା ମଧ୍ୟ ରହିଛି ଯେ, ସେମାନଙ୍କର ପଙ୍ଗତଟି ସହିତ ନିଜକୁ ସାମିଲ କରିଥିଲେ ମଧ୍ୟ ସେଠାରେ ମଧ୍ୟ ଏକ ମୋହଭଙ୍ଗ ହେବାକୁ ତାଙ୍କୁ ଆଦୌ ଗୁଡ଼ାଏ ସମୟ ଲାଗି ନଥାନ୍ତା-। ପ୍ରାୟ ଏକ ଆତ୍ମଘାତୀ କ୍ରୋଧ ତାଙ୍କୁ ଆହୁରି ଜାଳି ପୋଡ଼ି ମାରିଥାନ୍ତା । ଜୀବନରେ ଯେତିକି ମୋହଭଙ୍ଗ ବି ଘଟିଲା, ସେତିକି ହିଁ ତାଙ୍କୁ ପ୍ରାୟ ସ୍ତମ୍ଭିତ ଏବଂ ମୂକ ପ୍ରାୟ କରି ରଖିବାରେ କୋଉଦିନୁଁ ଅବଶ୍ୟ ଯଥେଷ୍ଟ ହୋଇ ସାରିଥିଲା । ସତେଅବା ନିଜ କ୍ରୋଧରେ ନିଜେ ଦହି ହେବା ଏବଂ ପଥର ହୋଇଯିବା ବ୍ୟତୀତ ଆଉ ଗତ୍ୟନ୍ତର ନଥିଲା । ଶ୍ରୀ ନବକୃଷ୍ଣ ଚୌଧୁରୀ ଏତେ ପଢ଼ୁଥିଲେ, ଏତେ ମନନ କରି ପାରୁଥିଲେ, ଏତେ ଏତେ ସମ୍ଭାବନାକୁ ଜଳଜଳ କରି ଦେଖି ପାରୁଥିଲେ ।

 

ଏବଂ, ସେହି ଅନୁସାରେ ଆଗକୁ ପାଦ ପକାଇ ବାହାରି ଯିବାକୁ ହୁଏତ ନିଜ ଭିତରୁ କେତେକେତେ ଉଦବେଳନର ମୁଣ୍ଡିଆ ମାରୁଥିବା ପରି ଅବଶ୍ୟ ମନେ ହୋଇଥିବ । ମାତ୍ର, ସିଏ ଯେ ପ୍ରକୃତରେ ବଡ଼ ଏକୁଟିଆ, ସାଙ୍ଗରେ ସାଥୀବଳ ବୋଲି କେହି ନାହାନ୍ତି ତାଙ୍କର ଅଧିକ ତାରିଫ କରୁଥିବା ବ୍ୟକ୍ତିମାନେ ଦେଶଟାକୁ ସିଏ କ୍ଷମତାର ଏଡ଼େବଡ଼ ଆସନରେ ରହିଥିବା ସମୟରେ ତାହାର ଫାଇଦା ଉଠାଇ ନିଜେ ଅଧିକ ପୃଥୁଳ ହେବାର ଏକ ପ୍ରମତ୍ତତା ଭିତରେ ମାତି ରହିବାର ସତେ ଅବା ଏକ ରଙ୍ଗଭୂମିରେ ପରିଣତ କରି ରଖିବାର ତାମସାରେ ତ ବେକେ ପର୍ଯ୍ୟନ୍ତ ନିଜକୁ ବ୍ୟସ୍ତ କରି ରଖିଛନ୍ତି ଯେତେବେଳେ, ସେତେବେଳେ ସିଏ ଆଉ କାହା ଉପରେ ଭରସା କରି କ’ଣ ସବୁ ଲେଖିଥାନ୍ତେ, କହିଥାଆନ୍ତେ ବା ଆଗାମୀ ଆଉ କିଛିର ଯୋଜନାଟାଏ କରି ଥାଆନ୍ତେ ? ତାଙ୍କ ଶେଷ ଜୀବନରେ ତାଙ୍କୁ ଭେଟିବା ସମୟରେ ତାଙ୍କର ସେହି ଅଭିମାନୀ, ଆତ୍ମକ୍ରୋଧୀ ଓ ପ୍ରତ୍ୟାହାର-ସନ୍ତାପିତ ମୁହଁଟାଆଡ଼କୁ ଅନାଇ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଜଣା ପଡ଼ି ଯାଉଥିଲା ଯେ, ଯେଉଁମାନେ ତାଙ୍କର ଚଉପାଶକୁ ଘେରି ପ୍ରାୟ ଦେଖାଇ ହେବା ପରି ସାଲୁବାଲୁ ହେଉଥିଲେ, ତାଙ୍କୁ ପ୍ରାୟ ଏକ ପାରିବାରିକ ହିସାବରେ ଯୋଡ଼ି ଆତ୍ମବିଜ୍ଞାପନ କରୁଥିଲେ, ଶ୍ରୀଯୁକ୍ତ ଚୌଧୁରୀ ସେମାନଙ୍କ ପାଖରେ ଆଦୌ ନଥିଲେ । ସିଏ ଅଚିରେ ଆଉ ଏକ ଭବିଷ୍ୟ ଆସି ପହଞ୍ଚିବ ବୋଲି ବଡ଼ ବ୍ୟାକୁଳ ହୋଇ ଅପେକ୍ଷା କରି ସିଆଡ଼କୁ ହିଁ ଅନାଇ ରହିଥିଲେ । ସେହିଭଳି କିଛି ସୁରାଖ ଖାଲି ଓଡ଼ିଶାରେ ନୁହେଁ, ପୃଥିବୀଯାକ ବି କେଉଁଠାରେ ପାଇଲେ ଦୁଷ୍ଟ ବାଳକଟିଏ ପରି ଖୁସି ହୋଇ ଉଠୁଥିଲେ । ଏହି ତୋଷାମଦୀମାନଙ୍କର ଜଞ୍ଜାଳରୁ ତାଙ୍କୁ ଶୀଘ୍ର ତିଶୀଘ୍ର ମୁକ୍ତ କରି ନିଅନ୍ତୁ ବୋଲି ସେଗୁଡ଼ିକ ପାଖରେ ବାଳକ ପରି ପ୍ରାର୍ଥନା କରୁଥିଲେ ।

 

ଶ୍ରୀ ନବକୃଷ୍ଣ ଚୌଧୁରୀ ମୋଟେ ଗୁଳାର ମଣିଷ ନ ଥିଲେ । ତାଙ୍କର ଶତବାର୍ଷିକୀ ପାଳନ କରିବା ଲାଗି ପାଗ ବାନ୍ଧି ବାହାରିବା ମଣିଷମାନେ ସମସ୍ତେ ଗୁଳା ଭିତରେ ହିଁ କେତେ ମନ୍ଦ କେତେ ସୁନ୍ଦର ଦେଖାଯିବେ ବୋଲି ସାଧନା କରି ଆସିଛନ୍ତି । ଦେଶଟାକୁ ଓ କାଳଟାକୁ ସେଇ ପୁରୁଣା ଗୁଳାଗୁଡ଼ିକ ଭିତରେ ହିଁ ବାନ୍ଧି ରଖିବାକୁ ସତେଅବା ଆପଣାର ସବୁ ବଳ ସାରିଛନ୍ତି । ସେମାନେ ଇଚ୍ଛା କଲେ ହୁଏତ ବହୁତ ବ୍ୟତିକ୍ରମ ସମ୍ଭବ ହୋଇ ପାରନ୍ତା । କିନ୍ତୁ, ସେମାନେ ଯାହାର ଶତବାର୍ଷିକୀ ପାଳନ ପାଇଁ ବାହାରିଛନ୍ତି, ତାଙ୍କୁ ଅର୍ଥାତ୍ ତାର ସ୍ଵପ୍ନଗୁଡ଼ିକୁ ଅର୍ଥାତ୍ ଅସନ୍ତୋଷଗୁଡ଼ାକୁ ଅନ୍ତରଙ୍ଗ ଭାବରେ ବୁଝିଲେ ଯାଇ ସିନା ତେଣିକି ମନ ବଳାଇ ପାରନ୍ତେ । ନବକୃଷ୍ଣ ଚୌଧୁରୀ ସତକୁସତ ନିଜସ୍ଵ ଭାବରେ ଅନୁଭବ କରିପାରିଲେ ଯାଇ ତାହା ସମ୍ଭବ ହୁଅନ୍ତା । ଗାନ୍ଧୀଙ୍କୁ ନିଜସ୍ୱ କରି ରଖିବାର ମଣିଷ ଗାନ୍ଧୀ ଚାଲିଯିବା ପରେ ଏହି ଦେଶରେ ଯଥେଷ୍ଟ ସଂଖ୍ୟାରେ ରହିପାରିଥିଲେ ସଂପୂର୍ଣ୍ଣ ଅନ୍ୟପ୍ରକାରେ ହିଁ ଗାନ୍ଧୀର ସ୍ମୃତିରକ୍ଷା ହୋଇଥାନ୍ତା । ଗାନ୍ଧୀ ଆମ ଭିତରେ ବଞ୍ଚି ରହିଥିବା ପରି ଅନୁଭବ ହେଉଥାଆନ୍ତା । ଶ୍ରୀ ନବକୃଷ୍ଣ ଚୌଧୁରୀଙ୍କୁ ଅନନ୍ୟ ଭାବରେ ଏକ ଭଲ ମଣିଷ ଥିଲେ ବୋଲି ତୁହାକୁ ତୁହା କହି ହେଉଥିବା ଆମେ ସ୍ତୁତିକାରମାନେ ଆଦୌ ସହଜରେ ତାଙ୍କର କ୍ରୋଧକୁ ତଥା ଅସଲ ଅସନ୍ତୋଷଗୁଡ଼ିକୁ ବୁଝି ପାରିବା ନାହିଁ । ଆମେ ଆପେ ଗୁଳାରୁ ବାହାରିବାର ସାହସ କରି ପାରିଲେ ଯାଇ ସେହି ଅସଲ କଥାଟିର ଭାଜନ ହୋଇ ପାରିବା-। ଅର୍ଥାତ୍ ଆମ ଭିତରେ ମଧ୍ୟ ସେହି କ୍ରୋଧ ତଥା ସେହି ଈଶ୍ଵରୀୟ ଅସନ୍ତୋଷ ମୂର୍ତ୍ତ ହୋଇପାରିବାର ଅବକାଶ ଲାଭ କରିବ । ଏହି ଦେଶରେ ବର୍ତ୍ତମାନ ନାମରେ ଯେଉଁ ଦରବାରୀ ଲମ୍ପଟତାମାନ ଚାଲିଛି, ସେଗୁଡ଼ାକ ସତକୁସତ ଆମକୁ ଭଲ ନ ଲାଗିଲେ ଯାଇ ଆମେ ନବକୃଷ୍ଣ ଚୌଧୁରୀଙ୍କର ସାମନା କରିବା ନିମନ୍ତେ ଭାଜନ ହୋଇପାରିବା । ପୃଥିବୀର ଭାଗ୍ୟଟା ପ୍ରକୃତରେ ଏପରି ମନ୍ଦ ଯେ ଗୋଟାଏ ନିରୁତା ମଣିଷ ଏହି ପୃଥିବୀରୁ ପ୍ରାୟ ଛଟପଟ ହୋଇ ଚାଲିଯିବା ପରେ ତାର ସ୍ମୃତିପୀଠ ପାଖକୁ ଗୋଟାଏ ପିଚୁରାସ୍ତା ତିଆରି କରିବା ସକାଶେ ନିତାନ୍ତ ଅନିରୁତା ଅନ୍ୟମାନେ ଏତେ ଏତେ ସଂଖ୍ୟାରେ ବାହାରି ପଡ଼ନ୍ତି, ସତ୍ୟଗୁଡ଼ାକୁ ଜରିରେ ପୂରାଇ ଢାଙ୍କି ରଖନ୍ତି ଓ ସେହି ସଫଳତା ସକାଶେ ଏକ ନିତାନ୍ତ ଆତ୍ମବିସ୍ମରଣକାରୀ ଆତ୍ମପ୍ରସାଦ ଅନୁଭବ କରନ୍ତି-। ବିଧାତା ନକରୁ, ନବକୃଷ୍ଣ ଚୌଧୁରୀଙ୍କର ମୂର୍ତ୍ତି ଗଢ଼ା ନ ହେଉ, ତାଙ୍କ ନାମରେ ଆମ ଗନ୍ଧିଆ ମାର୍ଗଗୁଡ଼ାକର ନାମକରଣ ନ ହେଉ ଏବଂ ଯାବତୀୟ ଅର୍ଥରେ ତାଙ୍କୁ ବର୍ଜନ କରିଥିବା ଖାଦମାନେ ସିଏ କେଡ଼େ ଖାଣ୍ଟି ସୁନାଟାଏ ଥିଲେ ବୋଲି ଭାବପ୍ରବଣ ନାନା ଶବ୍ଦ ସାହାଯ୍ୟରେ କୌଣସି ସୁଆଙ୍ଗ ନ କରନ୍ତୁ ।

 

ନବକୃଷ୍ଣ ଚୌଧୁରୀ ସାଙ୍ଗ ଖୋଜୁଥିଲେ । ତୋଷମଦକାରୀ ତଥାକଥିତ ଅନୁଗତ ନିକଟତରଙ୍କୁ ବଡ଼ ଭୟ କରୁଥିଲେ । ସାଧୁ ଓ ସମର୍ପିତ ମଣିଷମାନଙ୍କୁ ହିଁ ଚାହୁଥିଲେ । ସ୍ଵାଧୀନତା ପରେ ବହୁତ ପାରିବାବାଲାଙ୍କର କରାମତି ଫଳରେ ଦେଶରେ ଅସାଧୁତା ହିଁ ବଢ଼ିଲା, ଚଲାଖମାନେ ହିଁ ନେତୃତ୍ଵଗୁଡ଼ିକୁ ହଡ଼ପ କରି ନେଇଗଲେ । ଶ୍ରୀଯୁକ୍ତ ଚୌଧୁରୀଙ୍କର ଆଖି ଆଗରେ ହିଁ ଏ ସବୁ ହେଉଥିଲା ଓ ଏଗୁଡ଼ାକ ଦେଖୁ ଦେଖୁ ସେ ସତେ ଅବା ପଥର ହୋଇ ରହିଗଲେ । ଏବଂ, ନିଜ ଜୀବନରେ ଶେଷ ପର୍ବରେ ଯାଇ ଅବଦମିତ ହୋଇ ରହିଥିବା ଆତ୍ମଦହନଗୁଡ଼ାକ କ୍ରୋଧ ହୋଇ ବାହାରି ଆସିବାକୁ ଲାଗିଲେ । ତଥାପି, ଯେଉଁମାନେ ତାଙ୍କୁ କେଡ଼େ ବଡ଼ ବୋଲି କହି ପ୍ରଶଂସା କରୁଥିଲେ, ସେମାନେ ମଧ୍ୟ ନିଜ ନିଜ ସୂତରରେ ଥିଲେ । ତାଙ୍କ ସାଙ୍ଗ ହେବା ଲାଗି କେହି ରାଜି ନଥିଲେ । ନିତାନ୍ତ ବିଚଳିତ ହୋଇ ସିଏ ଯେଉଁଠାରେ ନିଷ୍ଠା ରହିଥିବାର ପ୍ରମାଣ ପାଇଲେ, ସେମାନଙ୍କୁ ନିଜର ସାଙ୍ଗ ଅର୍ଥାତ୍ ସମଧର୍ମୀ ପରି ଅନୁଭବ କଲେ । ସେହି ପର୍ଯ୍ୟାୟରେ କେଡ଼େ ବ୍ୟାକୁଳ ଭାବରେ ଚାରୁ ମଜୁମଦାର ଓ କାନୁ ସାନ୍ନ୍ୟାଲ ହେବାକୁ ମଧ୍ୟ ଉଚ୍ଚାଟ ହୋଇ ଉଠିଲେ । ଆମେ ଯେଉଁମାନେ ତାଙ୍କର ଅତି ପାଖରେ ଥିଲୁ ଅଥଚ ବାଆଁଖାଡ଼ିଆ ଦେଇ ତାଙ୍କଠାରୁ ଦୂରଛଡ଼ା ହୋଇ ରହିବାକୁ ହିଁ ସାଂସାରିକ ହିତବୁଦ୍ଧି ବୋଲି ବୁଝୁଥିଲୁ, ଆମେ ତାଙ୍କୁ ସତକୁସତ କେତେ ଧୋକା ନଦେଲୁ । ଏଣିକି ଅସଲ ପରୀକ୍ଷା ଅଭିନୟରେ ନୁହେଁ, ନିଷ୍ଠାରେ ହେବ । ନିଷ୍ଠାବାନ୍‍ମାନେ ଅନେକ ବାଟରେ ଆସିବେ । ପରିବର୍ତ୍ତନ ସେମାନଙ୍କଦ୍ୱାରା ହେବ । ସେତେବେଳେ ନବକୃଷ୍ଣ ଚୌଧୁରୀ ଓଡ଼ିଶାରେ ଆମ ଅନ୍ଦାଜର ଓ ଆମ ପ୍ରେରଣାର ସବାବଡ଼ ସମ୍ପଦ ବୋଲି ଅନୁଭୂତ ହେବେ । ଏହି ଶତବାର୍ଷିକୀର ଅବସରରେ ଚାଲ ଆମେ ସେହିପରି ବ୍ୟକ୍ତି ଏବଂ ବାସନାମାନେ ପରସ୍ପରକୁ ଆବିଷ୍କାର କରିନେବା ।

 

୭.୦୧

☆☆☆

 

ମଉଜୀମାନଙ୍କର ଖେଦ

 

ରଜପର୍ବଟା ଆଗ ପରି ସେତେ ଜମୁନାହିଁ ବୋଲି ମଉଜୀମାନେ ଭାରି ଖେଦ କରିଛନ୍ତି-। ସରକାର ଜମୁଛି, ସଭା ଜମୁଛି, ଦେଶଟାକୁ ପ୍ରାୟ ଏକ ପଣ୍ୟ କରି ଶାସନଟା ତ ନାହିଁନଥିବା ପ୍ରସ୍ଥମାନ ବିସ୍ତାର କରି ଜମିପାରୁଛି । ଶିକ୍ଷା ନାଆଁରେ ଅଶିକ୍ଷା ଜମୁଛି,–ଅଧିକଙ୍କୁ ବୋକା ବନାଇ ଅଳପଙ୍କର ବିପଣିମାନେ ଗୋଡ଼ ହାତ ଲମ୍ବାଇ ଏପରି ଜମି କରି ରହିଛନ୍ତି ଯେ, ଚାରିକୋଟି ମଣିଷଙ୍କର ଏହି ଭୂମିଟାରେ ସତେ ଅବା ସେହିମାନେ ହିଁ ଏକମାତ୍ର ଠିକାଦାର ବୋଲି ବେଳେବେଳେ ସବାବଡ଼ ବାସ୍ତବ ବୋଲି ପ୍ରମାଣିତ ହୋଇଯାଉଛି । ଦୌରାତ୍ମ୍ୟ ଜମୁଛି, କାରଣ ଦୁରାତ୍ମାମାନଙ୍କର ହିଁ ପ୍ରାୟ ଏକ ଔପନିବେଶିକ କମ୍ପାନୀ ଶାସନ ସାମୂହିକ ଜୀବନର ପିଠି ଉପରେ ନାଉ ହୋଇ ବସିଛି । ରଜବତୀମାନେ ପୂରାପୂରି ଆଉ ଏକ ଅନ୍ୟ ମିଜାଜରେ ଏହି ଦେଶରେ ବିଗତ ପଚାଶ ବର୍ଷ ହେଲା ରଜ ପାଳୁଛନ୍ତି, ଦୋଳି ଖେଳୁଛନ୍ତି ଏବଂ ପିଠା ଖାଉଛନ୍ତି । ସେମାନେ ଦେଶବାସୀଙ୍କୁ ପ୍ରଚଣ୍ଡ ଜାତୀୟତାବାଦଦ୍ୱାରା ଉଦ୍‍ବୁଦ୍ଧ କରି ରଖିଛନ୍ତି । ବନ୍ଦେ ଉତ୍କଳ ଜନନୀ ଗୀତରେ କାନଅତଡ଼ା ପକାଉଛନ୍ତି । ବର୍ତ୍ତମାନ ପାଖରୁ ଭଣ୍ଡାଇ ରଖିବେ ବୋଲି ଅତୀତ କଥା କହୁଛନ୍ତି । ତଥାପି, ମନଟା ନ ବୁଝୁଥିଲା ପରି ପର୍ବମାନେ, ସଭାମାନେ, ପ୍ରତାରଣା ଓ ପ୍ରବଞ୍ଚନାମାନେ ଆହୁରି ଅଧିକ ଜମି କରି ରହନ୍ତେ ବୋଲି ହୁଏତ ସ୍ଵପ୍ନ ଦେଖୁଥିବାରୁ ଏତିକିରେ ସେମାନଙ୍କର ମୋଟେ ମନବୋଧ ହେଉନାହିଁ । ଏହି ଅନ୍ଧାରଗୁଡ଼ାକ ଆହୁରି ବହଳ ଏବଂ ଉଜ୍ଜ୍ୱଳ ଚକଚକ ହୋଇ ରହନ୍ତା, ଜୀଅନ୍ତା ମଣିଷମାନେ ମୋଟେ କ୍ରୋଧ କରନ୍ତେ ନାହିଁ, ସେମାନେ ଜଣେ ଜଣେ ଏହି ଦେଶର ନାଗରିକ ବୋଲି ପାସୋରି ଯାଇ ଉପରୁ ଅଧିପତିମାନେ ଦୟା ନାମକ ଖିଆଲର ବଶବର୍ତ୍ତୀ ହୋଇ ସେମାନଙ୍କଆଡ଼କୁ ଫିଙ୍ଗି ଦେଉଥିବା ଅନୁଗ୍ରହଗୁଡ଼ାକୁ ହିଁ ସେମାନଙ୍କର ଯାହାକିଛି ଭାଗ୍ୟ ବୋଲି ଗ୍ରହଣ କରି ନେଉଥାନ୍ତେ–ଆପତ୍ତି ଅଥବା ଅଭିଯୋଗ କିଛି ହୁଅନ୍ତା ନାହିଁ, ବରଷଟାଯାକ ରଜ ଲାଗି ରହିଥାନ୍ତା, ତେବେ ଯାଇ ଆହୁରି ଅଧିକ ଜମନ୍ତା ବୋଲି ଭାବୁଥିବାରୁ ଏବେ ଏତିକିରେ କିଛି ହେଲା ପରି ଲାଗୁନାହିଁ ବୋଲି ଖେଦଟାଏ ହେଉଛି କି ?

 

ଆମ ପିଲାଦିନେ ରଜପର୍ବ ଗାଆଁରେ ହେଉଥିଲା । ଗାଆଁର ଝିଅମାନେ ରଜପର୍ବ ପାଳନ କରୁଥିଲେ । ଗାଆଁର ଯେଉଁମାନେ ସେତେବେଳେ କଟକ, କାଳମାଟି କିମ୍ବା କଲିକତାରେ ଚାକିରି କରୁଥିଲେ, ରଜର ଅବସରଟିରେ ସମ୍ମିଳିତ ହେବାକୁ ମନକଲେ ସେମାନେ ଗାଆଁରେ ଯାଇ ପହଞ୍ଚିଥିଲେ । କୁମାର ପୂର୍ଣ୍ଣିମା ବି ଝିଅମାନଙ୍କର ପର୍ବ ଥିଲା । ଭୋଦୁଅରେ ଖୁଦୁରୁକୁଣୀ ଓ ଅଶିଣ ମାସରେ କୁଆଁର ପୁନେଇ । ଖୁଦୁରୁକୁଣୀ ଓଷା ଏବଂ କୁମାର ପୂର୍ଣ୍ଣିମା ଓଷା । ଏବେ କଟକ ସହରରେ ତ ପ୍ରଚଣ୍ଡ ଉତ୍ପାତରେ ଭାଲୁକୁଣୀ ମେଳଣ ହେଉଛି । ସେଥିରେ ଅଣ୍ଡିରାମାନେ ଅଧିକ ଭାଗ ଓ ଅଧିକ ନେତୃତ୍ୱ ନେଉଛନ୍ତି । ବିଗତ ବହୁତ ବର୍ଷ ହେଲା କେତେଟା ସହରରେ ହିଁ ତଥାକଥିତ କୁମାର ଉତ୍ସବ ପାଳିତ ହେଉଛି । ଏଥିରେ ମଧ୍ୟ ସେହି ଅଣ୍ଡିରାମାନେ କାରପଟଦାରର ଭୂମିକାରେ ଅବତୀର୍ଣ୍ଣ ହେଉଛନ୍ତି । ଆଗର ପର୍ବଗୁଡ଼ିକ ଏବେ ଉତ୍ସବର କେତେଘଣ୍ଟିଆ ମଉଜରେ ହିଁ ପରିଣତ ହୋଇପାରୁଛି । ମଉଜିଆମାନଙ୍କର ଚିତ୍ତବିନୋଦନ କରୁଛି । ଏହିସବୁ ଅବସରରେ ସହରରେ ଖବରକାଗଜମାନଙ୍କରେ ଏଗୁଡ଼ିକ ବିଷୟରେ ଉତ୍ସାହିତ ଲେଖାମାନ ବାହାରୁଛି, ଯାହାକୁ କି ତୁଚ୍ଛା ଅଣ୍ଡିରାମାନେ ଲେଖୁଛନ୍ତି । ଏବର୍ଷଠାରୁ ପରିପୂର୍ଣ୍ଣ ଜମକ ସହିତ ରଜପର୍ବଟାକୁ ମଧ୍ୟ ସହରର ମଣ୍ଡପ ଉପରକୁ ଅଣାଯାଇଛି । ସେଠି ବାଗୁଡ଼ି ଖେଳ ହେବ, ପିଠାଖିଆ ହେବ,–ମୁହଁରେ ପାଉଡ଼ର ବୋଳି ଓ ପାଦରେ ଘୁଙ୍ଗୁର ପିନ୍ଧି ନାଚ ଶିଖିଥିବା ବୁଇମାନେ ନାଚିବେ ଏବଂ ପ୍ରଧାନତଃ ପୁରୁଷମାନେ ଦର୍ଶକର ଭୂମିକା ଗ୍ରହଣ କରି ସେଗୁଡ଼ିକ ଉପଭୋଗ କରିବେ । ସଭା ହେବ, ଭାଷଣମାନଙ୍କଦ୍ଵାରା ଉପସ୍ଥାପିତ ସମ୍ପୃକ୍ତମାନଙ୍କୁ ଭାବସମ୍ମୋହିତ କରାଯିବ । ବୃହତ୍ ପଦଧାରୀମାନେ ଜଗମୋହନରେ ବସିବା ଲାଗି ବରଣି ହୋଇ ଆସିବେ । ମାତ୍ର, ବାବୁ ତୁମେ ଯାହା କିଛି କହ ପଛକେ, ଆମ ଗାଆଁ ପରି ତୁମର ଏହି ଯାବତୀୟ ଆନନ୍ଦହାପୁଡ଼ା ଆଦୌ ଲାଗିବ ନାହିଁ । ଏତେ ଏତେ ବରାଦଦିଆ ମଜା ସତ୍ତ୍ୱେ ତଥାପି କିଛି ଜମିଲା ନାହିଁ ବୋଲି ତୁମେ ବିଦାରି ହୋଇ ମରୁଥିବ । ପୂରା ଶିଶୁପାଳ ହୋଇଯିବ ।

 

ଭାଷଣମାନଙ୍କରେ ରଜପର୍ବଟାକୁ ଓଡ଼ିଆ ଜାତିର ଏକ ମହନୀୟ ପର୍ବ ବୋଲି କହି ଆମକୁ ସତେଅବା ଏକ ଅନ୍ୟ କୋପନଯୁକ୍ତ ଅସ୍ୱାଭାବିକତାରେ କେତେ କୁତୁକୁତୁ କରିବାର ମଧୁର ପ୍ରୟାସମାନ ମଧ୍ୟ ଖୁବ୍ କରାଯିବ । କୁମାର ପୂର୍ଣ୍ଣିମା ଏବଂ ଭୋଦୁଅ ମାସର ଭାଲୁକୁଣୀ ଓଷାକୁ ବି ସେହିଭଳି ଏକ ବିଚିତ୍ର ଉଲ୍ଲାସରେ ଝିଅମାନଙ୍କର ଗୋଟିଏ ଗୋଟିଏ ଓଷା ବୋଲି କୁହାନଯାଇ ଓଡ଼ିଆ ଜାତିର ଦୁଇଟି ପର୍ବ ବୋଲି କୁହାଯାଉଛି । ସେହି ମାଦକରେ ବଡ଼ଠାକୁର ଜଗନ୍ନାଥଙ୍କୁ ଆମ ସଂସ୍କୃତିର ମହାଭାଟ ଏବଂ ମହାବିଟମାନେ ଏକ ମନ୍ଦାଗ୍ରହପୂର୍ଣ୍ଣ ଉତ୍ସାହରେ ଓଡ଼ିଆ ଜାତିର ଦେବତା ବୋଲି କହିବାର ଏକାନ୍ତ ଅନ୍ୟ ପରମ୍ପରାଟିଏ ଆରମ୍ଭ ହୋଇ ଆମକୁ ଏକାଧିକ ପ୍ରକାରେ ପ୍ରକୁପିତ କରି ରଖିଆସିଛି । ଆମ ପର୍ବଗୁଡ଼ିକ ହେଉଛନ୍ତି ଆମ ସାମୂହିକ ଜୀବନର ଗୋଟିଏ ଗୋଟିଏ ସଂହତିସୂଚକ ପରିଚାୟକ । ତୁମେ ଏହି ସହର ଭିତରେ ଏକାବେଳେକେ ନାନା ଅନ୍ୟ ମତଲବରେ ଜଙ୍ଗଲୀ ହୋଇ ରହିଲ ଏବଂ ଏହି ଭୂମିର ଅଧିକାଂଶକୁ ଅନ୍ଧାର ଭିତରେ ରଖି ଓଡ଼ିଶାଟା ପୂରା ଆମରି ବୋଲି ଏଠି ସହରୀ ଉତ୍ସବମାନଙ୍କରେ ଚାତୁର୍ଯ୍ୟମାନ ଲଗାଇ କହିପାରିଲ ବୋଲି ତୁମେ ଯେ ଯାହା କହୁଛ ତାହା ସେହିପରି ଭାବରେ ସ୍ଵୀକୃତ ହୋଇଯିବ, ସେ କଥା ମୋଟେ ନୁହେଁ । ସଂସ୍କୃତି କହିଲେ ଯେ କେବଳ ନାଟ ତାମସାକୁ ବୁଝାଏ, ଏହି ଅମଙ୍ଗଳକାରୀ କଥାଟିକୁ ତୁମେ କାହିଁକି କ’ଣ ମନ କରି ଶିଖିଲ କହତ ! ସଂସ୍କୃତି କହିଲେ ସବାମୂଳ ଅର୍ଥରେ ଏକ ସଂହତିକୁ ବୁଝାଏ । ସଂହତି ପାଇଁ ହିଁ ଆମର ଯାବତୀୟ ପର୍ବାନୁଷ୍ଠାନ, ଯାବତୀୟ ଆଚାର, ବିଚାର ଏବଂ ଜୀବନଚର୍ଯ୍ୟା । ସେହି ସଂହତିଟିକୁ ଅତ୍ୟନ୍ତ ଅଭିସନ୍ଧିମୂଳକ ଭାବରେ ନଷ୍ଟ କରିଥିବା ଥୋକେ ମଣିଷ ପର୍ବାବସରମାନଙ୍କର ସୁଯୋଗ ନେଇ ଯଦି ସହରରେ ମୁଖ୍ୟତଃ ମଉଜ ନିମନ୍ତେ ହଠାତ୍ ପ୍ରଦର୍ଶନପ୍ରବଣ ହୋଇ ଉଠିବେ, ତେବେ ଡିକୁମାନେ ତଥାପି ଡିକୁ ହୋଇ ରହିବେ ଓ ଡାକୁମାନଙ୍କୁ ତଥାପି ଡାକୁ ବୋଲି ଚିହ୍ନି ହୋଇ ଯାଉଥିବ । କ୍ଷେତ୍ରପାଳ, ଅମାତ୍ୟ ଏବଂ ସଚିବମାନେ କେଡ଼େ ନସରପସର ନାଟକୀୟତାଦ୍ୱାରା ଦରବାରମାନଙ୍କରେ ଶୋଭା ପାଉଥିବେ ସିନା, ତଥାପି ସେମାନେ ଆମ ଭୂମିଟାରେ ସଭିଙ୍କ ସହିତ ମୋଟେ ନାହାନ୍ତି ବୋଲି ନିର୍ମଳ ଭାବରେ ଧରା ପଡ଼ି ଯାଉଥିବେ ।

 

ଭୋଗୀମାନେ କସ୍ମିନ୍‍କାଳେ ମୋଟେ କାହାରି ସହିତ ନ ଥାନ୍ତି । ରାଜ୍ୟରେ ଅଧେ ମଣିଷ ନିରକ୍ଷର ହୋଇ ରହିଥିବା ସମୟରେ ଯେଉଁ ବିଶେଷ ଅଳପ କେତେଜଣ ସାହିତ୍ୟରେ ରସାମୋଦୀ ହୋଇ ବାହାରନ୍ତି, ସେମାନେ ମୋଟ ଭୂମି ସହିତ ଯୋଡ଼ା ହୋଇନଥାନ୍ତି । ସେତେବେଳେ ସାହିତ୍ୟ ନାମକ ଉନ୍ମୋଚନକାରୀ ସମ୍ଭାବନାଟି ପ୍ରାୟ ଅପାତ୍ରରେ ପଡ଼ି ବରବାଦ ହେବାରେ ଲାଗିଥାଏ ଏବଂ ସମ୍ଭବତଃ ପାଷାଣ୍ଡମାନଙ୍କୁ ଅଧିକ ପାଷାଣ୍ଡ ହେବା ଲାଗି ଉଢ଼ୁଆଳଟିଏ ଯୋଗାଇ ଦେଉଥାଏ । ଏମାନେ କେଉଁ ଫିସାଦରେ ପଡ଼ି ଆତ୍ମରତି ହୋଇ ରହିଥାଆନ୍ତି କେଜାଣି, ସାହିତ୍ୟର ଦର୍ପଣ ଭିତରେ ଯଥାର୍ଥ ସାଧର୍ମ୍ୟଟିଏ ଲୋଡ଼ିବାର ଅନୁରାଗରେ ଅନ୍ୟ ମନୁଷ୍ୟମାନଙ୍କୁ ମୋଟେ ଦେଖିପାରନ୍ତି ନାହିଁ ଅଥବା ସତକୁସତ ଖୁସି ହୋଇ ଏହି ଭୂମିରେ ବାସ କରୁଥିବା ସବୁ ମଣିଷଙ୍କର ଜୀବନଗାରଗୁଡ଼ିକ ଆଡ଼କୁ ନିଜର ସାହିତ୍ୟକୁ ସମ୍ପ୍ରସାରିତ ବି କରିପାରନ୍ତି ନାହିଁ । ସ୍ଵୟଂ ହୁଡ଼ିଆଥାନ୍ତି ବୋଲି ସେମାନେ ଆମକୁ ମଧ୍ୟ ହୁଡ଼ାଇ ନେବାର ଏକ ବୃହତ୍ ଅପରାଧରେ ନିଜକୁ ଜଡ଼ିତ କରି ରଖିଥାନ୍ତି କି ? ଗତ ପଚାଶ ବର୍ଷର ଏହି ଅବଧିଟାରେ ଆମ ସବାବଡ଼ ପାଠୁଆମାନେ ଆମକୁ ମୂଳତଃ ସେହିପରି ଏକ ଧୋକାରେ ଆଣି ପକାଇଦେଲେ । ଆମେ କେଡ଼େ ବିଶ୍ୱାସରେ ସେମାନଙ୍କୁ କେଡ଼େ କେଡ଼େ ଉଚ୍ଚ ଥାନରେ ନେଇ ବସାଇଥିଲୁ ଏବଂ ସେମାନେ ସତେ ଅବା ବରଷଯାକ ରଜ ପରବର ମଉଜ ଭିତରେ ରହିବେ ଓ ଆମଠାରୁ ଏକାବେଳେକେ ଏକ ଅନ୍ୟ ମର୍ଯ୍ୟାଦାର ହୋଇ ଦିଶିବେ ବୋଲି ଷଡ଼ଯନ୍ତ୍ର କଲେ । ଜାତିର ନାଆଁରେ ଆମକୁ ଠକିଲେ । ଆମକୁ ଓ ଆମ ଭାଷାକୁ ଘୃଣା କଲେ । ଆମ ବଗିଚାର ମାଳି ହୋଇ ରହିବା ପରିବର୍ତ୍ତେ ସମଗ୍ର ବଗିଚାଟାକୁ ଉଜୁଡ଼ାଇ ଦେଲେ । ସାମୂହିକ ଜୀବନର ପଥ-ପ୍ରଦର୍ଶନକାରୀ ହୃତ୍‍ପରିମଳଟିକୁ ନରଖର କରି ପକାଇଲେ ଓ ସହରରେ ରହି ଆନନ୍ଦମଣୋହି କରିବାରେ ମାତିଗଲେ ।

 

ଏବେ ପ୍ରକାଶିତ କିଛି ହିସାବରୁ ଜଣାଯାଉଛି ଯେ, ଓଡ଼ିଶାରେ କେବଳ ଶତକଡ଼ା ୧୬ଟି ଗ୍ରାମକୁ ହିଁ ସବୁଦିନିଆ ପକ୍କା ରାସ୍ତା ରହିଛି । ମାତ୍ର ଶତକଡ଼ା ପ୍ରାୟ ୩୬ଟି ଗ୍ରାମର ପାଞ୍ଚ କିଲୋମିଟର ଦୂରରେ ଟେଲିଫୋନର ସୁବିଧା ରହିଛି । ସମୁଦାୟ ଜମିର ଶତକଡ଼ା ୨୦-୨୧ ଭାଗକୁ ଜଳସେଚନର ସୁଯୋଗ ମିଳିପାରୁଛି ଏବଂ ଶତକଡ଼ା ୯୪ ଗ୍ରାମରେ ବିଶୁଦ୍ଧ ପାନୀୟ ଜଳର ସୁବିଧା ପ୍ରାପ୍ତ ହୋଇ ପାରିନାହିଁ । ଆମ ରାଜ୍ୟରେ ଶତକଡ଼ା ୩୧ ଗ୍ରାମରେ ୫ କିଲୋମିଟର ଆକ୍ରାନ୍ତ ଭିତରେ କୌଣସି ସ୍ଵାସ୍ଥ୍ୟକେନ୍ଦ୍ର ନାହିଁ ଏବଂ ଶତକଡ଼ା ୨୩ଟି ପ୍ରାଥମିକ ବିଦ୍ୟାଳୟର ଘର ନାହିଁ । ରାଜ୍ୟର ମାତ୍ର ପାଞ୍ଚ ଭାଗରୁ ଏକ ଭାଗ ଗାଆଁକୁ ବିଦ୍ୟୁତ୍ ଶକ୍ତି ଯୋଗାଇ ଦିଆଯାଇ ପାରିଛି । ସରକାରୀ ବ୍ୟବସ୍ଥାକଳ ବିଗତ ପଚାଶ ବର୍ଷ ହେଲା ଜନସାଧାରଣଙ୍କୁ ଦୃଷ୍ଟିରେ ରଖି କେବଳ ଏତିକି ସମ୍ଭବ କରିଛି । ତେଣେ ଆମକୁ କୁହାଯାଇ ଆସିଛି ଯେ ଓଡ଼ିଶାରେ ସମ୍ଭାବନା ଏବଂ ସମ୍ପଦ ଭର୍ତ୍ତି ହୋଇରହିଛି । ସରକାରୀ ମନ୍ତ୍ରୀମାନେ ବୋଇତ-ବନ୍ଦାଣ ଉତ୍ସବରେ ସାଧବ ବେଶରେ ପୌରୋହିତ୍ୟ କରିଛନ୍ତି । ଆମ ପୂର୍ବ-ଇତିହାସର ଉନ୍ମାଦନାକୁ ଆଣି ଆମକୁ ଉଲ୍ଲସିତ କରିଦେବା ଉଦ୍ଦେଶ୍ୟରେ ଦଳବାନ୍ଧି ସରକାରୀ ଉଦ୍ୟମରେ ବାଲିଦ୍ୱୀପକୁ ଯାତ୍ରା କରାଯାଇଛି । ସରକାରୀ ଉଚ୍ଚ ଅମଲାମାନେ ସାଧାରଣ ଶାସନର ଦାୟିତ୍ଵ ଓ କର୍ତ୍ତବ୍ୟଗୁଡ଼ିକୁ ତୁଲାଇବା ତୁଳନାରେ ଏହି ଯାବତୀୟ ଆୟୋଜନରେ ହୁଏତ ଅଧିକ ସମୟ ଦେଇଛନ୍ତି । ଅନ୍ୟ ରାଜ୍ୟମାନଙ୍କର ତୁଳନାରେ ଓଡ଼ିଶା ରାଜ୍ୟରେ ପୂଜ୍ୟମାନଙ୍କର ପୂଜା ହେଉନାହିଁ ବୋଲି ଆମ ସବା ବଡ଼ମାନେ ସବୁବେଳେ ଖେଦ କରି ଆସିଛନ୍ତି ଏବଂ ରାଜ୍ୟର ଭାଗ୍ୟଟାକୁ ପ୍ରାୟ ଏକଚାଟିଆ ଭାବରେ ହିଁ ଭୋଗ ବି କରିଛନ୍ତି । ତେଣେ କୁଆଡ଼େ ଅର୍ଥକୋଷରେ ଅର୍ଥର ଏତେ ଅଭାବ ହେଲାଣି ଯେ ଚାକିରିଆମାନଙ୍କୁ ଦରମା ଦେବା ପାଇଁ ମଧ୍ୟ ପଇସା ନାହିଁ । ଏବଂ ଦରମା ଦେବାରେ ହିଁ ରାଜ୍ୟ ତହବିଲର ଶତକଡ଼ା ୮୦ ବା ୯୦ ଭାଗ ଖର୍ଚ୍ଚ ହୋଇଆସିଛି ।

 

ତଥାପି ରଜ ଜମୁନାହିଁ । ତଥାପି ଭୋଗମୁହାଁମାନେ ଆହୁରି ଅଧିକ ପରିପାଟୀ ତଥା ପରିମାଣରେ କଣ୍ଢେଇ ଭଳି ହୋଇ ରହିବାକୁ ଇଚ୍ଛା କରୁଛନ୍ତି । ବିଚରାମାନଙ୍କର ସତକୁସତ ଆଦୌ କୌଣସି ମେରୁଦଣ୍ଡ ନାହିଁ କି ? ରାଜନୀତି ଅତ୍ୟନ୍ତ ଅଲାଜୁକ ଭାବରେ ମେରୁଦଣ୍ଡହୀନ ହୋଇଯାଇଛି । ତୁଚ୍ଛା କ୍ଷମତା ନିମନ୍ତେ ଧରାପରା ହୋଇ ସଂପୃକ୍ତ ସେହି ମହାପ୍ରାଣୀମାନେ ନିଜକୁ ଆଉ କେତେଯାଏ ଲୋକହସା କରାଉଥିବେ କେଜାଣି ? ମେଣ୍ଟ ଗଢ଼ି ହୋଇଯାଉଛି, ମେଣ୍ଟ ଭାଙ୍ଗିଯାଉଛି । ଅତ୍ୟନ୍ତ ଉଲଗ୍ନ ଭାବରେ ନେତାମାନେ ନିଜର ଅସଲି ଭିତରଟାକୁ ଧରାପକାଇ ଦେଉଛନ୍ତି । ମଉଜ ମଉଜରେ ସତେଅବା ନିଜର ଗାଡ଼ ଖୋଳିବାରେ ତତ୍ପର ରହିଛନ୍ତି । ଆମ ସଭାମାନଙ୍କରେ ସବୁଠାରୁ ଅଧିକ ପରିମାଣରେ ବେଖାପ ଓ ଅସୁନ୍ଦର ଦେଖା ଯାଉଛନ୍ତି । ଗାଆଁରେ ଯଥେଷ୍ଟ ଧନ ସିନା ନାହିଁ, ବାତ୍ୟା ପରେ ସମସ୍ତେ ଛପରଟିଏ ହୁଏତ ତିଆରି କରି ପାରିନାହାନ୍ତି । ତଥାପି ଚେରଗୁଡ଼ିକ ରହିଛନ୍ତି । ସେହି ଚେର ତଥାପି ବଳ ଏବଂ ବିଶ୍ୱାସ ଯୋଗାଇ ଦେଉଛି । ସକଳ ଦୌରାତ୍ମ୍ୟ ଓ ଦୁର୍ବିପାକ ସତ୍ତ୍ୱେ ଏହି ପୃଥିବୀ ତଥାପି ରହିବ ବୋଲି ଭରସାଟିଏ ବି ଦେଇଯାଉଛି । ଅସଲ ବିହନଗୁଡ଼ିକ ସେମାନଙ୍କ ହେପାଜତରେ ହିଁ ସାଇତା ହୋଇ ରହିଛି । ଯାବତୀୟ କୋଳାହଳ ଏବଂ ପ୍ରଦର୍ଶନ ସତ୍ତ୍ୱେ ଏଣେ ଭୋଗୀମାନଙ୍କର ଗୋଡ଼ତଳୁ ମାଟିଗୁଡ଼ିକ କ୍ରମେ ଖସି ଯିବାରେ ହିଁ ଲାଗିଛନ୍ତି । ଏହି ଶାସନ, ଉଚ୍ଚ ଉଚ୍ଚ କୋଠାମାନଙ୍କରେ ପଢ଼ା ହେଉଥିବା ଏହି ଅପାଠ କେଡ଼େ ମଂଜୁଳ ଓ ମନଲୋଭା ଭାବରେ କୁହାଯାଉଥିବା ଏହିସବୁ କଥା, –ଏହି ସବୁକିଛି ଫିସାଦ ଏବଂ ଷଡ଼ଯନ୍ତ୍ର, ବାସ୍ତବ ଉପସ୍ଥିତ କାଳଟିର କ୍ରୋଧଗୁଡ଼ିକ କ୍ରମେ ଆକାର ବାନ୍ଧି ଆସୁଥିବା ସଙ୍ଗେ ସଙ୍ଗେ ଏହିସବୁ ମଞ୍ଚ ଅଚିରେ ଯେ ଭୁଷୁଡ଼ି ପଡ଼ିବ, ସାନ ଓଡ଼ିଶାରେ ତଥାକଥିତ ସାନ ମଣିଷମାନେ ମଧ୍ୟ ତାହାର ସଂକେତ ପାଇ ସାରିଲେଣି । ମଉଜୀମାନଙ୍କର ବି କ୍ରମେ ନିଦ ଭାଙ୍ଗୁ,–ସେମାନେ ମଧ୍ୟ ସଭିଙ୍କ ସାଙ୍ଗରେ ନିଜକୁ ସାମିଲ କରି ଏକ ନୂଆ ନ୍ୟାୟରେ ବିଚାର କରି ଶିଖନ୍ତୁ । ଏକ ନୂଆ ଆଗାମୀର ଆତ୍ମାକୁ ବୁଝନ୍ତୁ । ସମସ୍ତଙ୍କ ସହିତ ଏକାଠି ଘର କରି ଶିଖନ୍ତୁ । ଖୁସି ହୋଇ ବଦଳି ଯାଆନ୍ତୁ । ଏକ ଅସଲ ସାକ୍ଷାତକାରକୁ ସମ୍ଭବ କରିଆଣନ୍ତୁ ।

 

୧୬.୭.୦୧

☆☆☆

 

ଆୟୁଷ ପଚାଶ ବର୍ଷ

 

ଊନବିଂଶ ଶତାବ୍ଦୀର ଶେଷାର୍ଦ୍ଧର ମଝିବେଳକୁ କେହି ଉତ୍ସାହୀ ବଙ୍ଗଭାଷୀ ଶିକ୍ଷକ ଓଡ଼ିଆ ଏକ ସ୍ଵତନ୍ତ୍ର ଭାଷା ନୁହେଁ ବୋଲି କହିଥିବାରୁ ଆମେ ନିଜକୁ ଓଡ଼ିଆ ଭାଷା ପଟରେ ରହିଛୁ ବୋଲି ମନେ କରୁଥିବା ଲୋକେ ଓଡ଼ିଶାରେ ଏବେ ମଧ୍ୟ ତାଙ୍କୁ ଗାଳିଦେବାରେ ଲାଗିଛୁ । ପ୍ରାୟ ସେହି ସମୟରେ କଟକରେ ଡକା ହୋଇଥିବା ଏକ ସଭାରେ ମଧ୍ୟ ଠିକ୍ ସେହି କଥା ପ୍ରାୟ ଏକ ପ୍ରସ୍ତାବ ରୂପେ ଗୃହୀତ ହୋଇଯିବାର ଏକ ଅନ୍ୟ ଅବସରରେ ସେଠାରେ ସୁନିଶ୍ଚିତ ଭାବରେ ଢେରସଂଖ୍ୟକ ଓଡ଼ିଆ ହୁଏତ ଉପସ୍ଥିତ ରହିଥିଲେ ମଧ୍ୟ ସେହି କଥାଟିର ସରଜମିନ କୌଣସି ପ୍ରତିବାଦ କରିନଥିଲେ । ସତ୍ୟକୁ ପ୍ରାୟ ଏକ ଅଘଟଣ ଭଳି ଘଟାଇ ଲୋକଙ୍କୁ ଚକିତ କରି ଦେଉଥିବା ବିଧାତାଙ୍କର ବରାଦମାନ ସର୍ବଦା ଏତେ ଅଧିକ ବିଡ଼ମ୍ବନାପୂର୍ଣ୍ଣ ଯେ ସେହି ସଭାର ଅବ୍ୟବହିତ ପରେ କଟକର ଗୋଟିଏ ବଙ୍ଗଭାଷୀ ପରିବାରରେ ଘଟଣାକୁ ନେଇ ଏକ ପ୍ରତିଆଲୋଡ଼ନ କ୍ରିୟାଶୀଳ ହୋଇଥିଲା । ଓଡ଼ିଆ ଭାଷାର ସେହି ସର୍ବପ୍ରଥମ କାଳରେ ତାହାକୁ ପ୍ରତିଶ୍ରୁତିପୂର୍ଣ୍ଣ ମୂଳଖୁଣ୍ଟାଗୁଡ଼ିକୁ ଯୋଗାଇ ଦେଇଥିବା ଶ୍ରୀଯୁକ୍ତ ରାମଶଙ୍କର ରାୟ ଓ ଗୌରୀଶଙ୍କର ରାୟ ପ୍ରାୟ ଏକ ପାରିବାରିକ ଅଭିଯାନଦ୍ୱାରା ହିଁ ସେହି କ୍ରିୟାଶୀଳର ଶିଳାନ୍ୟାସ କରିଥିଲେ । ବଂଶଗତ ଭାବରେ ସେମାନେ ବଙ୍ଗଳାରୁ ହିଁ ଓଡ଼ିଶାକୁ ଆସିଥିଲେ, ଖୁବ୍ ସମ୍ଭବ ପାରିବାରିକ ସକଳ ସନ୍ଦର୍ଭରେ ବଙ୍ଗଳାରେ କଥାବାର୍ତ୍ତା ହେଉଥିଲେ, ମାତ୍ର ସେମାନେ ଓଡ଼ିଶାରେ ହିଁ ରହିବେ ବୋଲି ନିଷ୍ପତ୍ତିର ମଞ୍ଜିଟିଏ ପୋତିଦେଇ ସାରିଥିବାରୁ ଅସଲ ସତକଥାଟିକୁ ଦେଖି ପାରୁନଥିଲେ ଏବଂ ସେହି କାରଣରୁ ଏହି ଭୂମିଟିର ଭାଷା ତରଫରୁ ଯାବତୀୟ ଅର୍ଥରେ ଏକ ସମ୍ପୂର୍ଣ୍ଣ ସକାରାତ୍ମକ ଲଢ଼େଇରେ ଅବତୀର୍ଣ୍ଣ ହୋଇଥିଲେ ।

 

ଭାଷାର ଆୟୁଷକୁ ବିଜ୍ଞାନର କୋଷ୍ଠୀ ହିସାବ ଅନୁସାରେ ନିର୍ଣ୍ଣୟ କରି ପାରୁଥିବା ଏକ ସଂସ୍ଥା ଏବେ ବହୁତଙ୍କୁ ଛାନିଆ କରିଦେଇ ଘୋଷଣା କରିଛି ଯେ, ଆଗାମୀ ପଚାଶ ବର୍ଷ ଭିତରେ ଆମ ଦେଶର କେତୋଟି ଭାଷା ସତକୁସତ ବିଲୁପ୍ତ ହୋଇଯିବ, ଅର୍ଥାତ୍ ସମ୍ପ୍ରତି ଲକ୍ଷଣଗୁଡ଼ିକ ଯେଉଁପରି ଦେଖାଯାଉଛି, ସେହି ଅନୁସାରେ ଏପରି ହେବ ଯେ, ଅନ୍ୟ କୌଣସି ପ୍ରଧାନ ଭାଷା ଏମାନଙ୍କର ଗୃହଟି ଭିତରକୁ ମାଡ଼ି ଆସିବ ଏବଂ ଏମାନଙ୍କୁ ଗିଳି ପକାଇବ । ମୁମୂର୍ଷୁମାନଙ୍କର ସେହି ତାଲିକାରେ ପଣ୍ଡିତମାନେ ଓଡ଼ିଆକୁ ମଧ୍ୟ ସାମିଲ କରିଛନ୍ତି । ତେଣୁ ଏଠି ଓଡ଼ିଶାରେ ମଧ୍ୟ ବିଜ୍ଞାନୀ ମଙ୍ଗଧରାଳିମାନଙ୍କ ଭିତରେ ପ୍ରାୟ ଛନକାଟିଏ ଆସି ପଶିଯାଇଛି ଏବଂ ସେମାନେ ତାହାକୁ ଖବରକାଗଜ ଭିତରକୁ ଆଣି ଆମ ସମସ୍ତଙ୍କୁ ସତର୍କ କରିଦେବାକୁ ଆରମ୍ଭ କଲେଣି । ଗୋଟାଏ ଗୋଟାଏ ବିଜ୍ଞାନ ରହିଛି ବା ଜଣେ ଜଣେ ବିଜ୍ଞାନୀ ଅଛନ୍ତି, ଯେଉଁମାନେ କି ଭାଷାଗୁଡ଼ିକର ହସ୍ତରେଖାପ୍ରାୟ କିଛି ଦେଖି ଏବଂ ସେଇଥିରୁ ଗଣନା କରି ସେମାନଙ୍କର ଆୟୁଷ କହିଦେଇ ପାରନ୍ତି । ଖୁବ୍ ସମ୍ଭବ ସେମାନେ ସେହିସବୁ ଭାଷା ସ୍ଵୟଂ ଜାଣି ନଥିଲେ ମଧ୍ୟ ସେମାନଙ୍କ ପ୍ରାପ୍ତ ହୋଇଥିବା ତଥ୍ୟଗୁଡ଼ିକରୁ କୌଣସି ଭାଷା ଆଉ କେତେଦିନ ବଞ୍ଚିବ, ତାହା ନିର୍ଭୁଲ ଭାବରେ କହିପାରନ୍ତି ଏବଂ ସମ୍ପୃକ୍ତ ଭୂମି ତଥା ତାହାର ଅଧିବାସୀମାନଙ୍କୁ ଆଚମ୍ବିତ କରନ୍ତି । ସେମାନଙ୍କ ପାଖରେ ଆୟୁ କଳିବାର ଯେତିକି ମାପକାଠି ରହିଥାଏ, ତାହାକୁ ହିଁ ଅବଲମ୍ବନ କରି ହିଁ ନିଜର ଅନୁମାନଗୁଡ଼ିକୁ ତୟ କରନ୍ତି । ଅନେକ ସମୟରେ ଏପରି ମଧ୍ୟ ହୁଏ ଯେ, ହିସାବକାରୀମାନେ ଯେଉଁପରି ଗୋଟିଏ ଉପସଂହାରରେ ପହଞ୍ଚିବା ନିମନ୍ତେ ଇଚ୍ଛା କରୁଥାନ୍ତି, ନିଜ ଗଣିତଗୁଡ଼ିକୁ ପ୍ରାୟ ସେହି ଅନୁରୂପ କରି କଷିଦେଇ ପାରନ୍ତି ଏବଂ ଏପରିକି ଅନେକ ସମୟରେ ଖାସ୍ ସେଇଥିସକାଶେ ଅନୁକୂଳ ହୋଇପାରୁଥିବା ତଥ୍ୟମାନେ ସେମାନଙ୍କର ହସ୍ତଗତ ହୋଇଥାଆନ୍ତି । ପାରମ୍ପାରିକ ବିଜ୍ଞାନ ଏହିଭଳି ଏକଆଖିଆ ହେବାଦ୍ୱାରା ପୃଥିବୀର କେତେ ଯେ ଅମଙ୍ଗଳ ହୋଇଛି ଓ ମନୁଷ୍ୟମାନଙ୍କର ଅସଲ ବଳଗୁଡ଼ିକୁ ହରଣ କରିନେଉଛି, ସେହି ବିଜ୍ଞାନ ଭିତରେ ଥିବା କେତେକେତେ ବ୍ୟକ୍ତିଙ୍କର ଗବେଷଣାରୁ ମଧ୍ୟ କ୍ରମେ ସେହିଭଳି ସଂକେତମାନ ମିଳିବାକୁ ଆରମ୍ଭ କଲାଣି ।

 

ନିଜର ଅନ୍ଦାଜଗୁଡ଼ିକଦ୍ୱାରା ମାପି ଓଡ଼ିଆ ଭାଷା ଆଉ ଖୁବ୍ ହେଲେ ପଚାଶଟା ବର୍ଷ ରହିବ ବୋଲି ଯେଉଁମାନେ ଧରିନେଇ ସାରିଥିଲେ ଏବଂ ସତକୁସତ ତାହା ହିଁ ହେଉ ବୋଲି ଏପରିକି ଇଚ୍ଛା ବି କରୁଥିଲେ, ମୁଖ୍ୟତଃ ସେହିଭଳି ବ୍ୟକ୍ତିମାନେ ଗବେଷଣା କରି ଓଡ଼ିଆ ଭାଷା ଆଉ ପଚାଶ ବର୍ଷ ବଞ୍ଚିବ ବୋଲି ଏକ ଇଚ୍ଛାପୂରଣକାରୀ ସିଦ୍ଧାନ୍ତରେ ଆସି ପହଂଚି ଯାଇଛନ୍ତି କି ? ଓଡ଼ିଆ ମାଧ୍ୟମରେ ନିଜ ପିଲାମାନଙ୍କୁ ପଢ଼ାଇବାରେ ଆଦୌ କୌଣସି ଭବିଷ୍ୟତ ନାହିଁ ବୋଲି ଏବେ ଓଡ଼ିଆଙ୍କର ଯେଉଁ ଗୋଠଟା ପ୍ରାୟ ଏକ ଖଣ୍ଡିଆ ବୁଦ୍ଧିରେ ଇଂରାଜୀ ଇସ୍କୁଲରେ ବେଢ଼ାମାନଙ୍କରେ ନିଜ ପିଲାଙ୍କୁ ପୂରାଇ ତାହାରିଦ୍ୱାରା ପିଲାମାନଙ୍କର ଭବିଷ୍ୟତଟା ସୁନିଶ୍ଚିତ ଓ ଆପଦଶୂନ୍ୟ ହୋଇଗଲା ବୋଲି ଭାବୁଛି ଭାଷାର ଆୟୁଷ ନିରୂପଣ-କ୍ଷେତ୍ରରେ ମଧ୍ୟ ଆମେ ସେହିପରି ଏକ ଗନ୍ଧ ରହିଛି ବୋଲି ଆଘ୍ରାଣ କରିପାରିବା କି ? ପୃଥିବୀଯାକ ତ ଓଲଟା ସଂକେତ ଦେଖାଯିବାକୁ ଆରମ୍ଭ କରୁଛି । ଆଧୁନିକ ମଣିଷ ଯେତିକି ଅଧିକ ଆନ୍ତରିକତା ସହିତ ବିଶ୍ୱସଚେତନ ହେଉଛି, ସିଏ ସେତିକି ସେତିକି ସ୍ୱତଃପ୍ରେରିତ ଭାବରେ ନିଜର ସ୍ଥାନୀୟ ଜୀବନଘରଟିକୁ ଫେରିଆସି ଏହିଠାରେ ହିଁ ତା’ ଅନ୍ଦାଜର ଯାବତୀୟ ବିଶ୍ୱୋପଲବ୍ଧିକୁ ଏକ ସୁନ୍ଦର ତଥା ସାକାର ରୂପ ଦେବା ନିମନ୍ତେ ଆଗ୍ରହୀ ହେବାରେ ଲାଗିଛି । ନିଜର ଭାଷା, ନିଜର ସାମୂହିକ ଚଳଣି, ତଥା ଚାହାଣି, ଏଗୁଡ଼ିକ ହିଁ ତାକୁ ଅଧିକ ଉଚ୍ଚାଟର ସହିତ ଗୋଟିଏ ଗୋଟିଏ ପ୍ରକୃତ ଆହ୍ୱାନର ଆକର୍ଷଣ ଯୋଗାଇ ଦେଉଛି । ଏଣିକି ପାଚେରୀଗୁଡ଼ାକ ହିଁ ଉଠିଯିବ,–ହୀନମନ୍ୟତା, ଉଗ୍ରମନ୍ୟତା, ଈର୍ଷା କିମ୍ବା ଅସୂୟାର କୌଣସି ପ୍ରାସଙ୍ଗିକତା ରହିବ ନାହିଁ । ଏବଂ, ସମସ୍ତେ ନିଜ ଘରଟିକୁ ଅଧିକରୁ ଅଧିକ ସୁନ୍ଦର, ସମ୍ପୂର୍ଣ୍ଣ ଅର୍ଥାତ୍ ମନଲାଖି କରି ଗଢ଼ିବେ, ନିଜ ଘରର ଦର୍ପଣଟି ଉପରେ ସେମାନେ ବିଶ୍ୱକୁ ଉକୁଟାଇ ଆଣିବେ । ଭିନ୍ନ ଭିନ୍ନ ଦିଶିବେ ଏବଂ ସମଧର୍ମୀ ତଥା ଜୀବନଧର୍ମୀ ହେବାର ସେହି ଆଧ୍ୟାତ୍ମିକ ଆସ୍ପୃହାଟିକୁ ଏକାନ୍ତ ସନ୍ନିକଟ ତଥା ଚାକ୍ଷୁଷ କରି ଆଣିବେ-। ଓଡ଼ିଶାରେ ଆମେ ଓଡ଼ିଆ ଭାଷାକୁ ଭଲ ପାଇଲେ ବଙ୍ଗଳାଭାଷୀ ଆମକୁ କାହିଁକି ଯେ ଅସୁଖ ଲାଗିବ ଏବଂ, ଆମେ ଆମ ଘର ଏବଂ ସେହି ଘରର ଭାଷାଟି ଭିତରେ ସର୍ବବିଧ ସମ୍ଭାବନା ସହିତ ସ୍ୱଲକ୍ଷଣଯୁକ୍ତ ହୋଇ ରହିବାର ପ୍ରୟାସ କରୁଥିବାର ଦେଖି ପଡ଼ିଶା ବଙ୍ଗ କିମ୍ବା ଆନ୍ଧ୍ର କ’ଣ ପାଇଁ ଅସହିଷ୍ଣୁ ହେବ, ସମ୍ଭବତଃ ଆଉ ପଚାଶ ବର୍ଷ ଅନ୍ତେ ଆମର ପରବର୍ତ୍ତୀମାନେ କଥାଟିକୁ ମୋଟେ ବୁଝି ପାରିବେ ନାହିଁ ।

 

ଓଡ଼ିଶାର ଅଧେ ମଣିଷ ଏବେ ମଧ୍ୟ ନିରକ୍ଷର ରହିଛନ୍ତି । ଦଶଜଣରେ ଦେଢ଼ଜଣ ପିଲା ସାହେବ ବନିବେ ବୋଲି ଇଂରାଜୀ ମାଧ୍ୟମର ଚକଦ୍ଵାରା ମଣ ହେବାକୁ ବାଧ୍ୟ ହେଉଥିଲାବେଳେ ଅପରପଟର ଲାଙ୍ଗୁଳଟାରେ ଆହୁରି ତିନିଚାରିଟା ସେହିମାନଙ୍କ ପରି ପିଲା ପାଠଶାଳାକୁ ନଯାଇ ଗାଈ ଜଗିବାକୁ ଅଥବା ଦୋକାନରେ କୋଇଲା ଭାଙ୍ଗିବାକୁ ବାଧ୍ୟ ହେଉଛନ୍ତି । ହୁଏତ ସେଇଥିଲାଗି ଘରଟା ସମ୍ପୂର୍ଣ୍ଣ ଦେଖାଯାଉ ନାହିଁ ବା ସମ୍ପୂର୍ଣ୍ଣ ଭାବରେ ଆଗକୁ ଅନାଇ ବି ପାରିବା ସମ୍ଭବ ହେଉନାହିଁ । ଆମେ କେତେଜଣ ଯେଉଁମାନଙ୍କୁ ପଛରେ ପକାଇ ଦେଇ ସାରିଲୁଣି ବୋଲି ଜ୍ଞାନବିଜ୍ଞାନରୁ ପ୍ରାପ୍ତ ଲକ୍ଷ୍ମୀଟାକୁ ଏକୁଟିଆ ତୁଚ୍ଛା ନିଜ ପାଇଁ ହିଁ ଯାବୁଡ଼ି ରଖିବୁ ବୋଲି ଦମ୍ଭମାନ ବାହାର କରୁଛୁ, ସୁନିଶ୍ଚିତ ଭାବରେ ସେହିମାନେ ହିଁ ସମ୍ପୂର୍ଣ୍ଣ ଭାବରେ ନିଜର ବହଳପଣିଆଗୁଡ଼ାକ ଭିତରେ ଏକୁଟିଆ ଚକଚକ ଦେଖାଯିବୁ ବୋଲି ଧରିନେଇ ଓଡ଼ିଆ ଭାଷାର ଆୟୁ ମୋଟେ ଏତିକିବର୍ଷ ବୋଲି ଘୋଷଣା କରିବାକୁ ମନ କରି ପକାଉଛୁ ।

 

ଆମେ ଯେଉଁମାନଙ୍କୁ ପଛରେ ଛାଡ଼ିଦେଇ ଚାଲି ଆସିଲୁ, ସେମାନେ ବି ଆସିବେ,–ହୁଏତ ଆମକୁ ଅତ୍ୟନ୍ତ ଚକିତ କରି ଆମ ସହିତ ଆସି ସାମିଲ ହେବେ ବୋଲି ସେମାନେ ମାଡ଼ି ଆସୁଛନ୍ତି । ଅସଲ ସତ୍ୟଟା ସମସ୍ତଙ୍କୁ ନେଇ ଯେତେବେଳେ ଯାଇ ଉପୁଜିବ, ଅସଲ ଓଡ଼ିଶା ସେତେବେଳେ ଯାଇ ତିଆରି ହେବ । ଅସଲ ସତ୍ୟ ହେଉଛି ଯେ, ଓଡ଼ିଶା ନାମକ ଭୂମିରେ ଯାବତୀୟ ଅର୍ଥରେ ଓଡ଼ିଆ ଭାଷା ହିଁ ସାମୂହିକ ଯାବତୀୟ ସରଣୀରେ ଆମର ମାଧ୍ୟମ ହୋଇ ରହିବ । ଓଡ଼ିଆ ଭାଷା ହିଁ ଆମକୁ ଏକାଠି ବାଟ ଚାଲି ଶିଖାଇବ । ଓଡ଼ିଆ ଭାଷା ରହିବ । ଅଲବତ୍ ରହିବ । ଓଡ଼ିଆ ଭାଷା ରହିଲେ ଯାଇ ଇଂରାଜୀ ଭାଷା ପ୍ରତି ଆମେ ଯଥାର୍ଥ କଦର ଦେଖାଇବାରେ ଯୋଗ୍ୟ ହେବା । ହାଟରେ ସବାଆଗ ଆମ ନିଜ ମୁଦ୍ରା ହିଁ ଚଳିବ ।

 

ୟୁରୋପର ଲିଥୁଆନିଆ ଦେଶଟି ଆମ ଓଡ଼ିଶାର ସତର ଭାଗରୁ ଭାଗେ ବି ହେବନାହିଁ-। ସେହି ଦେଶର ରାଜଧାନୀ ଭିଲ୍‍ନିଉସରେ ୧୯୮୮ରେ ଦେଖି ଆସିଥିଲି: ସେଠାରେ ବିଦ୍ୟାଳୟଗୁଡ଼ିକ ଦୁଇ ପ୍ରକାରର ଥିଲା । ଗୋଟିଏ ପ୍ରକାର ହେଉଛି ଦେଶ ଭାଷାର ମାଧ୍ୟମରେ, ଆରଟି ରୁଷଭାଷାର ମାଧ୍ୟମରେ । ରୁଷୀୟମାନେ ହିଁ ସେତେବେଳେ ସେହି ଦେଶର ଶାସନ କରୁଥିଲେ ।

 

ରୁଷୀୟ ମାଧ୍ୟମରେ ପାଠ ପଢ଼ିଲେ ଅଧିକ ସହଜରେ ଚାକିରି ମିଳୁଥିଲା । ଉଚ୍ଚତର ଚାକିରିମାନ ମିଳୁଥିଲା । ଏହି ଉଚ୍ଚତରଟା ସମାଜର ଯାବତୀୟ ସଂସ୍ରବରେ ଅଧିକ ସମ୍ମାନ ପାଉଥିଲେ, ପାର୍ଟିରେ କ୍ଷମତାସ୍ଥାନଗୁଡ଼ିକରେ ମଧ୍ୟ ଉଚ୍ଚ ଥାନମାନ ପାଉଥିଲେ । ଠିକ୍ ସେତିକିବେଳେ ରୁଷୀୟ ଆଧିପତ୍ୟର ଦେଉଳରୁ ପଥର ଖସିବା ଆରମ୍ଭ ହୋଇ ଯାଇଥାଏ । ଦେଶବାସୀ ଆପଣାର ଅସଲ ଘରଗୁଡ଼ିକୁ ଫେରିବା ପାଇଁ ଅପେକ୍ଷା କରିଥାନ୍ତି । ଏବେ ସେହି ଦେଶକୁ ଗଲେ ଦେଖିପାରିବେ ଯେ ରୁଷଭାଷା ମାଧ୍ୟମର ବିଦ୍ୟାଳୟ ସେଠାରେ ଗୋଟିଏ ବୋଲି ନାହିଁ । ଏପରିକି ବିଶ୍ୱବିଦ୍ୟାଳୟ ସ୍ତରରେ ମଧ୍ୟ ରୁଷୀୟ ଭାଷାକୁ ଦ୍ୱିତୀୟ ସ୍ଥାନ ବି ପ୍ରଦତ୍ତ ହୋଇନାହିଁ । ସମାଜର ସବୁ ମଣିଷ ଚକ୍ଷୁ ପାଇଯିବା ପରେ ସଚରାଚର ତାହା ହିଁ ହୁଏ, ତାହା ହିଁ ଘଟେ । ଠିକ୍ ସେହି ରୀତିରେ ସ୍ପେନରେ ବାସ୍କମାନେ ବାସ୍କଭାଷାରେ ନିଜ ଜୀବନଟିକୁ ବଂଚୁଛନ୍ତି,–ମିନି ଦେଶ ବେଲଜିୟମରେ ଆହୁରି ମିନି ଅଞ୍ଚଳ ଫ୍ଲାଣ୍ଡର୍‍ସରେ ଫ୍ଲେମିଶ୍ ଭାଷା ହିଁ ସକଳ ଶିକ୍ଷା ଏବଂ ସକଳ ସମ୍ପର୍କର ମାଧ୍ୟମ ହୋଇଛି । ଇଂଲଣ୍ଡରେ ସ୍କଟଲାଣ୍ଡର ଲୋକେ ଆପଣାର ସ୍କଚ୍ ଭାଷା ସହିତ ଅନ୍ୟ ସବୁକିଛି ସାଧାରଣ କ୍ଷେତ୍ରରେ ସେହି ଭାଷାଟିରେ ହିଁ କାରବାର ହେଉଛନ୍ତି । ବୃହତ୍ତର ଇଂଲଣ୍ଡକୁ ନିଜର ଦେଶ ବୋଲି ମାନିବାରେ ଏହାଦ୍ୱାରା କୌଣସି ଅସୁବିଧା ହେଉନାହିଁ । ସମ୍ପର୍କ ଭାଷା ଇଂଲିଶ୍ ମଧ୍ୟ ଏଥିରେ କୌଣସି ପ୍ରକାରେ ଆହତ ଅନୁଭବ କରୁନାହିଁ ।

 

ଓଡ଼ିଶାରେ ଓଡ଼ିଆକୁ ନାକ ଟେକିବା ଦଳେ ଭିନ୍ନେ ପ୍ରାଣୀ ହୋଇ ରହିଛନ୍ତି । ସେମାନେ ନିଜ ଭିତରେ ସେହି ଉପନିବେଶ ସମୟର ଗୋଲାମ-ମନୋଭାବଟାକୁ କାମୁଡ଼ି ରଖିଛନ୍ତି । ତେଣୁ ଆପଣାକୁ ଅଲଗା ଏକସିଙ୍ଗିଆ କରି ରଖିଛନ୍ତି । ସେମାନେ କେବଳ ଓଡ଼ିଆ ଭାଷାକୁ ନୁହେଁ, ଓଡ଼ିଶାର ବାଟଟାକୁ ହିଁ ଓଗାଳି ରହିଛନ୍ତି । ସେହିମାନଙ୍କର ଦୁଷ୍ଟ ଖିଆଲଟା ଅନୁସାରେ ଶାସନଟା ପୂରା ଇଂରାଜୀରେ ଚାଲୁଛି ଏବଂ ଉଚ୍ଚତମ ଥାନର ଶାସକମାନେ ଏହି ଦେଶରୁ ଦାନାପାଣି ପାଇ ମଧ୍ୟ ଏଠି ଏକାଧିକ ଅର୍ଥରେ ବିଦେଶୀ ଓ ଭଗାରି ହୋଇ ରହିଛନ୍ତି । ଅଧିକ ଚତୁର ଓ ଅଧିକ ଚାଇଁ ହୋଇଥିବାରୁ ନିୟୁତ ସାଧାରଣଙ୍କୁ ବୋକା ବନାଇ ଦେଶର ଭାଗ୍ୟଟାକୁ କଣାକରି ଖାଇ ଯାଉଛନ୍ତି-। ଏବଂ ତଦନୁରୂପ ପାଠ ବି ପଢ଼ୁଛନ୍ତି । ଏକ ମାରାତ୍ମକ ଚକ୍ରାନ୍ତର ଅଶିକ୍ଷା-ଜାଲ ମେଲାଇ ପାଠପଢ଼ୁଆମାନଙ୍କୁ ଗୋଟାସୁଦ୍ଧା ଖାସୁ କରାଇ ନେଉଛନ୍ତି । ଏଠି ଜୀବନର ମାଟିକୁ ବେଖାତିର କରି ଏହି ଦେଶ-ବ୍ୟବସ୍ଥାଟିକୁ ସତେଅବା ଘରଜୁଆଇଁ ହୋଇ ଭୋଗ କରିବାକୁ ହିଁ ଅସଲ ସଫଳତା ବୋଲି ମନେକରୁଛନ୍ତି । ସେହି ଶାସନଟା ଭାଙ୍ଗିଯାଇ ଯେତେବେଳେ ଏହି ରାଜ୍ୟଟା ସବୁ ମଣିଷଙ୍କର ଘର ହେବାକୁ ମନ କରିବ, ସେତେବେଳେ ସବାଆଗ ଓଡ଼ିଆ ଭାଷାକୁ ହିଁ ଖୋଜାହେବ-। ଏବେ ତ ସାହିତ୍ୟରେ ମଧ୍ୟ କେତେ ଲେଖକ ସିଧା ସେହି ଇଂରାଜୀ ଭାଷାରେ ହିଁ ଆମ୍ବିଳ ରାନ୍ଧିଦେଲେ ହିଁ ତରିଯିବା ପରି ଭାବୁଛନ୍ତି । ଦୂରଦର୍ଶନରେ ସଖୀ କୁଣ୍ଢେଇମାନେ ବି ଓଡ଼ିଆରେ କହିବାକୁ ବେତନ ଭୋଗୁଥିଲେ ମଧ୍ୟ ଅତ୍ୟନ୍ତ ଓଲିଆ ଗାଈଟିଏ ପରି ସିଧା ଇଂରାଜୀଆଡ଼କୁ ମାଡ଼ି ଯାଉଛନ୍ତି । ଓଡ଼ିଶାରେ ଖୁବ୍ ବେଶି ହେଲେ ଏହି ଅଢ଼େଇଭାଗ ମଣିଷ ହିଁ ଓଡ଼ିଆ ଭାଷାର ଏହି ଘରଟା ଭିତରୁ ଓଡ଼ିଆ ଭାଷାକୁ ନିକାଲି ଦେବାକୁ ଇଚ୍ଛା କରୁଛନ୍ତି । ଯେଉଁ ଯୁଗ ଆସୁଛି, ତାହାରି ବିଧାନକୁ ମାନି ଏହି ଅରୀତିଟା ଅଚିରେ ଅବଶ୍ୟ ବଦଳିଯିବ । ସାମନ୍ତମାନେ ମଣିଷଙ୍କ ପରି ଦିଶିବେ, ଘେଟୋ ଭାଙ୍ଗି ସର୍ବଜନଙ୍କ ସହିତ ସାମିଲ ହେବେ । ଶାସନ ଭଦ୍ର ହେବ, ଶିକ୍ଷାଳୟ ସୁଧୁରିଯିବ ଏବଂ ଇଂରାଜୀ ଭାଷା ସେତେବେଳେ ବି ରହିବ ।

 

୨୩.୭.୦୧

☆☆☆

 

Unknown

ଶତବାର୍ଷିକୀର ଗୁଳାରେ (୪)

 

ଅନୁଗୁଳ, ସହରର ଉପକଣ୍ଠରେ ବାଜି ରାଉତ ଛାତ୍ରାବାସ । ଶିକ୍ଷା ଏବଂ ସେବାଦୀକ୍ଷାର ଏକ ଆସ୍ଥାନ । ବୟସ ପଚାଶରୁ ଊର୍ଦ୍ଧ୍ୱ ହୋଇ ସାରିଲାଣି । ଯାବତୀୟ ଅର୍ଥରେ ଗୋଟିଏ କୁଟୁମ୍ବ । ଅସଲ ବିଦ୍ୟାଳୟ ଯେ ଗୋଟିଏ କୁଟୁମ୍ବ ଭଳି ହେବା ଉଚିତ, ଶିକ୍ଷା-ପରିମଳର ଇତିହାସରେ ଆଧୁନିକ ଭାରତରେ ମହାତ୍ମା ଗାନ୍ଧୀ ସମ୍ଭବତଃ ସବୁଠାରୁ ଅଧିକ ଗୁରୁତ୍ୱ ଦେଇ ସେହି କଥାଟିକୁ କହିଥିଲେ । ଅସଲ ବିଦ୍ୟାଳୟ ହେଉଛି ଯାବତୀୟ ଅର୍ଥରେ ଏକ ପ୍ରୟୋଗ । ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀ ତରୀକୁନ୍ଦରେ ଦଳେ ସମୋତ୍ସାହୀଙ୍କୁ ନେଇ ଏକଦା ପ୍ରୟୋଗଟିଏ ଆରମ୍ଭ କରିଥିଲେ । ତା’ପରେ ଅଳକାଶ୍ରମ ଯାଏ ପହଞ୍ଚି ଯାଇଥିଲେ । ଏହି ଉଭୟ କ୍ଷେତ୍ର ଯେ ସବୁଦିନ ପାଇଁ ମୋଟେ ସ୍ଥାୟୀ ହୋଇ ରହିବ ନାହିଁ, ସେହି ସେକାଳରେ ମଧ୍ୟ ସମ୍ପୃକ୍ତ ପ୍ରୟୋଗକାରୀମାନେ ତାହା ଖୁବ୍ ଉତ୍ତମରୂପେ ଜାଣିଥିଲେ । ତେଣୁ ଅନ୍ୟ ଆହ୍ୱାନଗୁଡ଼ିକ ଆସିବା ସଙ୍ଗେ ସଙ୍ଗେ ସେଠା ସଂହତି ପ୍ରାୟ ଆପେ ଆପେ ଭାଙ୍ଗି ଯାଇଥିଲା । କିନ୍ତୁ ବାଜି ରାଉତ ଛାତ୍ରାବାସ ମୂଳରୁ ହିଁ ଏକ ଅନ୍ୟ ମମତାରେ ଗଢ଼ା ହୋଇଥିଲା । ସେହି ପ୍ରଥମ କାଳରୁ ସେଠାରେ ଏପରି ଗୋଟିଏ ମଞ୍ଜି ପୋତା ହୋଇଥିଲା ଯେ, ତାହା ଯେପରି ପରବର୍ତ୍ତୀ ବହୁବର୍ଷ ସକାଶେ ଆମ ଓଡ଼ିଶାରେ ବହୁ କ୍ଷେତ୍ର ନିମନ୍ତେ ଏକାଧିକ ଆହ୍ୱାନର ଗନ୍ତାଘର ହୋଇ ରହିବ, ତାହାର ନିୟତିଟି ସତେଅବା ଉପସ୍ଥିତ ପ୍ରୟୋଜନଗୁଡ଼ିକଦ୍ୱାରା ବାଧ୍ୟ ହୋଇ ସେହିପରି ଗଠିତ ହୋଇ ଆସିଲା, ହଁ ଏକ ତାତ୍କାଳିକ ସ୍ଥିତିଦ୍ୱାରା ବାଧ୍ୟ ହୋଇ ସିନା ଅଳ୍ପ କେତୋଟି ପିଲାଙ୍କ ପାଇଁ ପ୍ରାୟ ଶିକ୍ଷାଶ୍ରୟଟିଏ ଯୋଗାଇ ଦେବାକୁ ଯାହି ତାହି ହୋଇ ଏଠାରେ ସଂସ୍ଥାନଟିଏ ଆରମ୍ଭ ହୋଇ ଯାଇଥିଲା, ମାତ୍ର ତାହା ଯେ କାଳକ୍ରମେ ଏକ କୁଟୁମ୍ବ ରୂପେ ଗଢ଼ିହୋଇ ଆସିବ, ଏହି ଭବିଷ୍ୟରେଖାଟା ସତେଯେପରି କେଉଁ ବିଧାତାଙ୍କଦ୍ୱାରା ତା’ର କପାଳରେ ଲେଖା ହୋଇ ରହିଥିଲା ।

 

ଭାରତବର୍ଷ ସ୍ଵାଧୀନ ହେବା ପରେ ବାଜି ରାଉତ ଛାତ୍ରାବାସ ପାଇଁ ଅଧିକରୁ ଅଧିକ କର୍ମଭାର ଆସି ପହଞ୍ଚିଲା । ନିଜ ପାଇଁ କର୍ମବ୍ରତଟିଏ ବାଛି ନେବାକୁ ବିଚାର କରି ଶ୍ରୀମତୀ ମାଳତୀ ଚୌଧୁରୀ ନିଜ ଭିତରୁ ତଥା ଚତୁଃପାର୍ଶ୍ଵର ଦିଗ୍‍ବଳୟମାନଙ୍କରୁ କ’ଣ ସବୁ ଘ୍ରାଣ କରିପାରିଲେ କେଜାଣି, ଏହି ଛାତ୍ରାବାସକୁ ହିଁ ଆପଣାର ସ୍ଥାୟୀ ଘର ରୂପେ ଗ୍ରହଣ କରିନେଲେ । ତାଙ୍କୁ ମୂଳ ନାଭି କରିନେଇ ଏଇ ବିଚିତ୍ର କୁଟୁମ୍ବ ଗଢ଼ି ଉଠିଥିଲା । ବାହାରକୁ ଦେଖିବାକୁ ଏବଂ ଶୁଭେଚ୍ଛୁମାନେ ବୁଝିବାକୁ ତ ସେଠାରେ କାର୍ଯ୍ୟକ୍ରମ ନାମରେ ତ ଏଇଟା ଅଥବା ସେଇଟା ଚାଲିଥିଲା, ମାତ୍ର ତାହାରି ସହିତ ଯେ ଏକ ବୃହତ କୁଟୁମ୍ବ ମଧ୍ୟ ସର୍ବବିଧ ସଂହତି ସହିତ ଗଠିତ ହୋଇ ଆସୁଥିଲା, ଅନୁଷ୍ଠାନଟିର ହୃଦୟକୁ ସ୍ପର୍ଶ କରି ପାରୁଥିବା ସେଠାରେ ସମ୍ପୃକ୍ତ ସମସ୍ତେ ତାହା ଅଧିକରୁ ଅଧିକ ନିବିଡ଼ ଭାବରେ ଅନୁଭବ କରି ପାରୁଥିଲେ ଓ ମୂଳତଃ ସେଇଥିପାଇଁ ହିଁ ଆପଣାକୁ ମନାଇ ଓ ମଣାଇ ନେଉଥିଲେ । ଏକ ଗୋଷ୍ଠୀଜୀବନ ଗଢ଼ି ଉଠିଲା,–ସତେଅବା ଆଉ ଏକ ବୃହତ୍ତର ଗୋଷ୍ଠୀ-ସମ୍ପର୍କକୁ ମୂଳ କରି ଦେଶ ଗଠନରେ ନିମିତ୍ତ ହେବା ଲାଗି ଆପଣାକୁ ତାଲିମ୍ ଦେବାରେ ଲାଗିଥିଲା । ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀ ନିଜ ରାଜନୀତିକ ନାନା ପଦାନୁରୋଧ ତଥା କର୍ମାନୁରୋଧରେ ଭୁବନେଶ୍ୱରର ବାସିନ୍ଦା ହୋଇ ରହିଥିଲେ ହେଁ ନିଜ କୁଟୁମ୍ବ କହିଲେ ସିଏ ସେହି ଛାତ୍ରାବାସକୁ ହିଁ ବୁଝୁଥିଲେ । ଅନେକ ଅନେକ ରାଜନୀତିକ ନେତା ତ ସତେଅବା କେଉଁ କେଉଁ ଭାନୁମତୀର ଫିସାଦରେ ଥରେ କୁଟୁମ୍ବଛଡ଼ା ହୋଇ ରାଜଧାନୀକୁ ଚାଲି ଆସନ୍ତି ଯେ ଆଉ ପଛକୁ ଫେରି ପାରନ୍ତି ନାହିଁ । ସେହି ସନ୍ଦର୍ଭରେ ଏହାକୁ ଆମେ ଶ୍ରୀ ଚୌଧୁରୀଙ୍କର ସୌଭାଗ୍ୟ ବୋଲି କହିବା ଯେ ବାଜି ରାଉତ ଛାତ୍ରାବାସର କୁଟୁମ୍ବଟି ରହିଥିବାରୁ ହିଁ ରାଜଧାନୀରେ ବହୁ ବଗୁଲିଆ ଏବଂ ବହୁ ଘରଛଡ଼ାଙ୍କ ସହିତ ଏକତ୍ର କାରବାର ହେବାକୁ ବାଧ୍ୟ ହେଉଥିଲେ ମଧ୍ୟ ସିଏ ନିଜକୁ କଦାପି ଅରକ୍ଷିତ ବୋଲି ଭାବୁନଥିଲେ । ଏବଂ, ଯଥାର୍ଥ ଚେରଟିଏ ଲାଗିଥିବାରୁ ହିଁ ହୁଏତ ରାଜଧାନୀ ରାଜନୀତି ଓ ଶାସନପଦାର ତାଙ୍କର ବହୁ ସାଥୀ ତାଙ୍କୁ ଅଧିକାଂଶ ସମୟରେ ବଡ଼ ବିଚିତ୍ର ବୋଲି ଭାବୁଥିଲେ; ସତେଅବା ଭାରି କିଂକର୍ତ୍ତବ୍ୟବିମୂଢ଼ ହୋଇ ତାଙ୍କୁ ନାହିଁ ନଥିବା ସମ୍ମାନ ଦେଖାଉଥିଲେ ସତ, ମାତ୍ର ତାଙ୍କ ଶିଖାରେ ପଡ଼ି ନଯିବାକୁ ଭାରି ସତର୍କ ହୋଇ ରହୁଥିଲେ ।

 

ବାନପ୍ରସ୍ଥ ନେବାର ସମୟ ଆସିଲେ ଅନେକେ ଆଗେ ସଂସାର ଛାଡ଼ି, କୁଟୁମ୍ବ ତ୍ୟାଗ କରି ଜଙ୍ଗଲକୁ ଚାଲି ଯାଉଥିଲେ । ନବକୃଷ୍ଣ ଚୌଧୁରୀ ଭୁବନେଶ୍ୱରରୁ ମନ ଛାଡ଼ିଯିବା ପରେ ବାଜିରାଉତ ଛାତ୍ରାବାସକୁ ଆସିଲେ । ତାଙ୍କ ପରି ସମସ୍ତର ପଦମାନ ପାଇଥିବା କୋଉ ବୀର ଆଦୌ ତାହା କରିନାହାନ୍ତି । ବାନପ୍ରସ୍ଥ ନିମନ୍ତେ ଜଙ୍ଗଲ ଛାଡ଼ି କିଏ ଘରକୁ ଆସେ, ଓଡ଼ିଶାରେ ଖ୍ୟାତନାମାମାନଙ୍କ ଭିତରେ ଶ୍ରୀ ନବକୃଷ୍ଣ ଚୌଧୁରୀ ସମ୍ଭବତଃ ତାହାର ଏକମାତ୍ର ଦୃଷ୍ଟାନ୍ତ ହୋଇ ରହିଛନ୍ତି । ପଦରେ ଥିଲା ସମୟରେ ମଧ୍ୟ ସିଏ ବହୁବାର ପିନ୍ଧିଥିବା ଜଟା ଓ ପର୍ଚୁଲାଗୁଡ଼ାକୁ କାଢ଼ି ଦେଇ ଯଥାଶୀଘ୍ର କୁଟୁମ୍ବ ଭିତରକୁ ବାହାରି ଆସିବାକୁ ଉଚ୍ଛନ୍ନ ହୋଇ ପଡ଼ୁଥିଲେ । ଗୋଟିଏ ରାଜ୍ୟ ଓ ସେହି ନ୍ୟାୟରେ ଗୋଟିଏ ବେଶ ତଥା ଗୋଟିଏ ଜାତିକୁ ଯଥାସମ୍ଭବ ଗୋଟିଏ କୁଟୁମ୍ବରୂପେ ଗଠନ କରି ଆଣିବା ହିଁ ଯାବତୀୟ ରାଜନୀତିର ଧର୍ମ ହୋଇ ରହିଥିବା ଉଚିତ । ଭାରତବର୍ଷ ସ୍ଵାଧୀନ ହେବାପରେ ଏଠି ରାଜନୀତିରେ ପଶି ଯେଉଁ ଉଚ୍ଚାଶୀମାନେ ପଦସ୍ଥ ହେଲେ, ସେମାନେ ଅଚିରେ ଏପରି ଅଲକ୍ଷଣା ପାଲଟିଗଲେ ଯେ, ସର୍ବତ୍ର କୁଟୁମ୍ବବୋଧର ଯଥାର୍ଥ ସୁସ୍ଥତାଗୁଡ଼ିକ ଖିନ୍‍ଖରାପ କରି ପକାଇବାଟା ହିଁ ସେମାନଙ୍କର ଏକମାତ୍ର କାରବାରରେ ପରିଣତ ହୋଇଗଲା । ଏବେ ଚାରିଆଡ଼କୁ ଅନାଇ ଦେଖିଲ,–ସରକାର, ଶାସନ, ରାଜନୀତି, ଶିକ୍ଷା ଓ ଏପରିକି ଆମର ତଥାକଥିତ ବହୁ ପରିବାରର ମଧ୍ୟ କୁଟୁମ୍ବ ବୋଲି ଆଉ ଆଦୌ କୌଣସି ଉପାଦାନ ଦେଖିବାକୁ ମିଳୁନାହିଁ । ସମ୍ଭବତଃ, ସେହି କାରଣରୁ କୋଟି କୋଟି ଟଙ୍କା ଖରଚ ହେଲେ ମଧ୍ୟ ଏଠି ସାମୂହିକ ଜୀବନର ଯାବତୀୟ ମୂଳଦୁଆ ସତେଅବା ଧସ୍‍କି ଯିବାରେ ଲାଗିଛି,–ଗୋଡ଼ତଳୁ ମାଟିଗୁଡ଼ାକ କ୍ରମେ ଖସି ଖସି ଯାଉଛି । କେହି କାହାରିକୁ ବିଶ୍ୱାସ କରି ପାରୁନାହାନ୍ତି, ସମସ୍ତେ ପୋଲିସ୍ ହୋଇ ଚୋର ଧରି ବାହାରିଛନ୍ତି । କେବଳ ସେହିମାନେ ରହିବେ, ଆଉ ସମସ୍ତେ ଅପସରି ଯିବେ, ତେବେ ଯାଇ ପୃଥିବୀଟା ନିରଙ୍କୁଶ ଭାବରେ ନିର୍ମଳ ହୋଇପାରିବ ବୋଲି ସେମାନେ ପ୍ରାୟ ଉନ୍ମାଦଙ୍କ ପରି ବିଶ୍ୱାସ କରିବାରେ ଲାଗିଛନ୍ତି ।

 

ବାଜି ରାଉତ ଛାତ୍ରାବାସର ଚାଷ ଜମି ଥିଲା, ପରିବାବାଡ଼ି ଥିଲା,–ତନ୍ତ ପଡ଼ି ଲୁଗା ବୁଣା ହେଉଥିଲା । ପିଲା ଓ ବଡ଼ ସମସ୍ତେ ମିଶି ସବୁ କାମ କରୁଥିଲେ । ସମସ୍ତଙ୍କର ସମ୍ମତିରେ ମାସିକ ମନ୍ତ୍ରିମଣ୍ଡଳ ଗଢ଼ା ହୋଇ ସବୁକିଛି ସମ୍ଭାଳୁଥିଲା । ଗୋଶାଳାରେ ଗାଈମାନେ ଥିଲେ । ପାଠବେଳେ ସିନା ଦୁଇପକ୍ଷ, ମାତ୍ର ଆଉ ସବୁଠାରେ ବଡ଼ ସାନଙ୍କ ଭିତରେ କୌଣସି ଭେଦ ନଥିଲା, ଦୂରତା ମଧ୍ୟ ନଥିଲା । ପିଲାମାନେ ଗୀତନାଚ ଶିଖୁଥିଲେ, ନାଟକ ମଞ୍ଚସ୍ଥ କରୁଥିଲେ, ନିଜ ନିଜ ଲେଖାକୁ ଏକାଠି କରି ପତ୍ରିକା ବାହାର କରୁଥିଲେ । ସକାଳ ସଂଜ କୁଟୁମ୍ବଯାକ ସମସ୍ତେ ପ୍ରାର୍ଥନାରେ ବସୁଥିଲେ । ପିଲାଙ୍କ ଭିତରେ ଆଦିବାସୀ ଏବଂ ଅଣ-ଆଦିବାସୀ ଉଭୟେ ଥିଲେ । ଏକାଠି ପାଠ ପଢ଼ୁଥିଲେ, ଏକାଠି ଖେଳୁଥିଲେ । ବଗିଚାକାମଠାରୁ ଆରମ୍ଭ କରି ପାଇଖାନା ପରିଷ୍କାର କରିବା ପର୍ଯ୍ୟନ୍ତ ସବୁକିଛି ସାମୂହିକ ହେଉଥିଲା । ଅତିଥିମନ୍ତ୍ରୀ ଅତିଥିମାନଙ୍କର ତତ୍ତ୍ୱ ନେଉଥିଲେ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଅସୁସ୍ଥମାନଙ୍କର ଖବର ନେଉଥିଲେ । ତଥାକଥିତ ପାଠ ଓ ତଥାକଥିତ ଶାଠ ଉଭୟଙ୍କୁ ହିଁ ବିଦ୍ୟାର୍ଜନର ଆବଶ୍ୟକ ଅଂଶ ବୋଲି ଗ୍ରହଣ କରାଯାଉଥିଲା । ଭୟ ବୋଲି କିଛି ନଥିଲା । ସ୍ଵାଧୀନତା ଓ ଶୃଙ୍ଖଳା ଦୁଇ ଭାଇ ପରି ପରସ୍ପର ସହିତ ସନ୍ତୁଳିତ ହୋଇ ରହିଥିଲେ, ଉଭୟେ ହିଁ ସ୍ୱାଭାବିକ ଥିଲେ । ଏକ ବିଦ୍ୟାଳୟର ଗଢ଼ଣ ଭିତରେ କୁଟୁମ୍ବର ଏକ ଶ୍ରଦ୍ଧାବନ୍ତ ପ୍ରାଣୋତ୍ସାହ ହିଁ ଜଳଜଳ ଦେଖାଯାଉଥିଲା । ବାହାର ଲୋକେ ଛାତ୍ରାବାସର ଏହି କୁଟୁମ୍ବକୁ ଆଶ୍ରମ ବୋଲି କହୁଥିଲେ । ଏବେ ମଧ୍ୟ ଅନେକେ ତାହାକୁ ସେହି ନାମରେ ଚିହ୍ନୁଛନ୍ତି । ଏକ ପାରସ୍ପରିକତା ହିଁ ତପୋତର ହୋଇ ରହିଛି ।

 

ଦେଶରେ ଜରୁରୀ ଅବସ୍ଥା ଜାରି କରାଯାଇଥିବା ସମୟରେ ବାଜି ରାଉତ ଛାତ୍ରାବାସକୁ ସଂକଟ ମାଡ଼ିଆସିଲା । ଶ୍ରୀମତୀ ମାଳତୀ ଚୌଧୁରୀ ଓ ଶ୍ରୀ ନବକୃଷ୍ଣ ଚୌଧୁରୀଙ୍କୁ ସରକାର ଜେଲ୍ ଭିତରକୁ ନେଇଗଲେ । ସେମାନଙ୍କୁ ଯୋଉ ସରକାର ଦେଶର ଶତ୍ରୁ ବୋଲି ବିଚାରିଲା, ସେହି ସରକାରକୁ ପ୍ରକୃତରେ ଧନ୍ୟ କହିବାକୁ ପଡ଼ିବ । ଏବଂ, ସେମାନେ ପୁରୋଧା ରୂପେ ଯେଉଁସବୁ ସଂସ୍ଥା ଗଢ଼ିଥିଲେ, ସେଗୁଡ଼ିକ ଉପରେ ମଧ୍ୟ ସରକାର ଦାଉ ସାଧିବାକୁ ଆସିଲା । ସେହି ଜରୁରୀ ଅବସ୍ଥାକୁ ଆମେ ଏପରି ଗୋଟିଏ ଘାଟି ବୋଲି କହିବା, ଯେଉଁଠାରୁ କି ବେସରକାରୀ ଯାବତୀୟ ଲୋକୋଦ୍ୟମ ଉପରେ ଚଡ଼କ ଆସି ପଡ଼ିଲା । ସରକାରୀ ତନ୍ତ୍ରଟା ଆପଣାର ନିୟନ୍ତ୍ରଣ ଗୁଡ଼ାକୁ ବଡ଼ ବିଚାରହୀନ ଭାବରେ କଠୋର କରି ଆଣିଲା ଏବଂ ସରକାରୀ ଶାସନକଳଟା ଉପରେ ଲୋକମାନଙ୍କର ନିର୍ଭରଶୀଳତା ବଡ଼ ଅସ୍ୱାସ୍ଥ୍ୟକର ଭାବରେ ବି ବୃଦ୍ଧି ପାଇଥିଲା । ସେହି ସମୟରୁ ଯେ ବହୁ ବେସରକାରୀ ସଂସ୍ଥାର ଅଣ୍ଟାକୁ ଭାଙ୍ଗି ଦିଆଯାଇଥିଲା, ତା'ପରେ ପୁନର୍ବାର ସିଧା ହୋଇ ଛିଡ଼ା ହେବା ଅନେକ ସ୍ଥଳରେ ସେମାନଙ୍କ ପକ୍ଷରେ ଏବେ ମଧ୍ୟ ସମ୍ଭବ ହୋଇ ପାରିନାହିଁ । ହାତୀମାନେ ଗଳି ଯାଉଛନ୍ତି ସିନା, ପିମ୍ପୁଡ଼ିମାନଙ୍କୁ ବାଟ ଓଗାଳିବାର ନାନା ଫିକର କରାଯାଉଛି । ଯେଉଁ ରାଜନୀତି ଦେଶର ହିତକୁ ସବା ଆଗରେ ରଖି କ୍ଷମତାସୀନମାନଙ୍କୁ ବାଟ ଦେଖାଉଥାଆନ୍ତା, ସେହି ରାଜନୀତିଟା ମଧ୍ୟ କ୍ରମେ ଅତିଶୟ ପୋକରା ହୋଇଗଲାଣି । ଓଡ଼ିଶାରେ ଅନ୍ୟ ବହୁ ସଂସ୍ଥା ଭଳି ବାଜି ରାଉତ ଛାତ୍ରାବାସ ମଧ୍ୟ ବହୁ ଦୁର୍ଗତିରେ ଯାଇ ପଡ଼ିଛି । ଦୁଇଟିଯାକ ଅସଲ ଖୁଣ୍ଟ ବିଦାହୋଇ ଯିବା ପରେ ସତେ ଯେପରି ବହୁ ଅନିଶ୍ଚୟତା ତାହାକୁ ଗ୍ରାସ କରି ପକାଇଛି । ଉପରେ ଉପରେ ନିୟମ ରକ୍ଷା ହେବା ପରି ହୁଏତ ସବୁ ଚାଲିଛି, ତଥାପି ଅସଲ ପ୍ରାଣାକାଙ୍‍କ୍ଷାଟି ଆପଣାକୁ ଭାରି ଅରକ୍ଷିତ ଅନୁଭବ କରୁଛି ।

 

ଶତବାର୍ଷିକୀର ଢୋଲ ପିଟି ଯେଉଁ ମହୋଦୟମାନେ ନବକୃଷ୍ଣ ଚୌଧୁରୀଙ୍କୁ ଗୁଳାରେ ପକାଇ କେଡ଼େ ବଡ଼ କାମଟାଏ କରିବାକୁ ବାହାରିଛନ୍ତି, ସେମାନେ ଏହି ଭୁବନେଶ୍ୱରଠାରେ ଥାଇ ସବୁକିଛି ସିନା କରିବେ, ମାତ୍ର କାନ୍ଧ ଉପରେ କଦାପି ଯୁଆଳିଗୁଡ଼ିକୁ ପକାଇବାକୁ ରାଜି ହେବେ ନାହିଁ । ଶ୍ରୀଯୁକ୍ତ ଚୌଧୁରୀ ଏଡ଼େ ବଡ଼ ବୋଲି ଦେଖାଇ ସେମାନେ ତାହାରି ମାଧ୍ୟମରେ ସମ୍ଭବତଃ ନିଜକୁ ମଧ୍ୟ କେଡ଼େ ବଡ଼ ଓ କେଡ଼େ ଅନୁଗତ ବୋଲି ଦେଖାଇବେ ସିନା, ମାତ୍ର ସେମାନେ ନରଖର ଅବସ୍ଥାରେ ରହିଥିବା ଉଦ୍ୟମଗୁଡ଼ିକରେ ସତକୁସତ ଏକ ପୁନର୍ଜୀବନ୍ୟାସ ଆଣି ଦେବାରେ ମୋଟେ କିଛି ମଧ୍ୟ କରିବେ ନାହିଁ । ସେଦିନ ବାଜି ରାଉତ ଛାତ୍ରାବାସରେ ଦେଖୁଥିଲି, ଦିନେ ଫଳ ଓ ପରିବାରେ ଛନଛନ ହୋଇ ରହିଥିବା ବଗିଚାର ଚାରିପାଖରେ ସ୍ଥାୟୀ ବାଡ଼ ବା ପାଚେରୀଟିଏ ନାହିଁ ବୋଲି ଭିତରେ ଗୋରୁ ପଶିଯାଉଛନ୍ତି ଓ ପ୍ରାୟ କିଛି ଆବାଦ ହୋଇ ପାରୁନାହିଁ । ସେଠାରେ ଚାଲିଥିବା ପ୍ରୟୋଗାତ୍ମକ ବିଦ୍ୟାଳୟରେ ଯେଉଁପରି ଶିକ୍ଷକ ରହିବା କଥା, ସେମାନଙ୍କର ଅଭାବଟା ସେଠାରେ ଅନାଇଦେବା ମାତ୍ରେ ବୁଝି ହୋଇଯାଉଛି । ବିଗତ ବର୍ଷମାନଙ୍କର କେତେକେତେ ଛାତ୍ରଛାତ୍ରୀ ସେଠାରୁ ମଣିଷ ହୋଇ ବାହାରିଲେ ଓ ବଡ଼ ପୃଥିବୀଟାର ବହୁ ଗୁଳା ଭିତରେ ସଫଳ ହୋଇ ଖପିଗଲେ ସିନା, ମାତ୍ର ନିଜର ସେହି କୁଟୁମ୍ବଟିକୁ କାହିଁକି ମନ କରିପାରିଲେ ନାହିଁ କେଜାଣି-? ଏବଂ ସରକାରକୁ ଚଳାଉଥିବା ରାଜନୀତିକ ନେତାମାନେ କ୍ରମେ ଧର୍ମତଃ ଏଡ଼େ ଦୟନୀୟ ଭାବରେ ଭିନ୍ନ ପ୍ରକାରର ହୋଇଗଲେଣି ଯେ, ଚୌଧୁରୀ ପତିପତ୍ନୀ ସେହି ଛାତ୍ରାବାସ ନାମକ ଆସ୍ଥାନଟିଏ ଗଢ଼ି କାହିଁକି ସେଠି ପଡ଼ି ରହିଥିଲେ, ସେମାନଙ୍କୁ ସେକଥା ବୁଝିବା ଲାଗି ମଧ୍ୟ ହୁଏତ ତର ମିଳିବ ନାହିଁ । ସେମାନେ ଶତବାର୍ଷିକୀର ସଭାମାନଙ୍କରେ ଭାଷଣ ଦେବାକୁ ନିଶ୍ଚୟ ଆସିବେ, ତଥାପି ନବକୃଷ୍ଣ ଚୌଧୁରୀଙ୍କ ପରି ବୋକା ହେବାକୁ ଆଦୌ ମନ କରିବେ ନାହିଁ ।

 

୩୦.୭.୦୧

☆☆☆

 

ବାଙ୍କ ଭାଇ ଚାଲିଗଲେ

 

ବାଙ୍କଭାଇ ଚାଲିଗଲେ, ଶୁଣିବା ମାତ୍ରକେ ମୋର କଟକ ଜେଲର ଆଠନମ୍ବର ୱାର୍ଡ଼ କଥା ମନେ ପଡ଼ିଗଲା । ଭାରତ ଛାଡ଼ ଆନ୍ଦୋଳନରେ ଜେଲଖାନାରେ ରହିଥିବା ସମୟରେ ପ୍ରାୟ ଦୁଇବର୍ଷ କାଳ ଆମେ ଉଭୟେ ସେହି ୱାର୍ଡ଼ରେ ଏକାଠି ରହିଛୁ । ଅନ୍ୟ ୱାର୍ଡ଼ଗୁଡ଼ିକ ପରି ଆମ ଆଠନମ୍ବରରେ ପିଣ୍ଡି ନଥିଲା । ଜେଲ ତରଫରୁ ଆମକୁ ମିଳିଥିବା ଚଟ, କମ୍ବଳ ଓ ଚାଦରର ଆମ ଭୂମିଶଯ୍ୟାଟି ଲଗାଲଗି ହୋଇ ପଡ଼ିଥିଲା । ଦୁହେଁ ରେଭେନ୍ସା କଲିଜିଏଟ୍ ସ୍କୁଲର ଛାତ୍ର । ସିଏ ମୋଠାରୁ ଦୁଇବର୍ଷ ଉପରେ ଥିଲେ । ବାଙ୍ଗରା ପତଳା ହୋଇ ମଣିଷଟିଏ । ମୋର ସେଇ ଚେହେରାଟି ଏବେ ମଧ୍ୟ ସବାଆଗ ମନେପଡ଼ିଯାଏ । କଟକ ଜେଲରେ ଆମେ ଏକାଠି କେତେ କେତେ ବହି ପଢ଼ିଛୁ, ନିଜ ନିଜର ଭବିଷ୍ୟପଥଗୁଡ଼ିକୁ ସତେଅବା ହାତ ପାପୁଲି ଉପରେ ରଖି ପରସ୍ପର ଉପରେ ଭରାଦେଇ ଖୁସି ହୋଇ କେତେ ସ୍ଵପ୍ନ ଦେଖିଛୁ । କଟକ ଜେଲରେ ଶହ ଶହ ରାଜନୀତିକ ବନ୍ଦୀ ଏପରି ଥିଲେ ଯେଉଁମାନେ କି ପୂର୍ବରୁ କେବେ ରାଜନୀତି ଭିତରେ ନଥିଲେ, ଜାତୀୟ ଆନ୍ଦୋଳନର ସାମୂହିକ ନାନା ଭଙ୍ଗାରୁଜାର କାର୍ଯ୍ୟକ୍ରମରେ ଏକାବେଳେକେ ଏକ ନିରୀହ ଉତ୍ସାହରେ ସାମିଲ ହୋଇ ଗିରଫ ହୋଇଥିଲେ । ମୁଁ ଓ ବାଙ୍କଭାଇ ପ୍ରତିଦିନ ସକାଳଓଳି ସେମାନଙ୍କ ଭିତରୁ ଆଗ୍ରହୀ କେତେଜଣଙ୍କୁ ବସାଇ କ୍ଳାସ କରୁଥିଲୁ । ସେମାନଙ୍କୁ ବିଭିନ୍ନ ଦେଶର ସ୍ୱାଧୀନତାକାହାଣୀ କହି ଶୁଣାଉଥିଲୁ, ଗାନ୍ଧୀ କଥା କହୁଥିଲୁ, କାର୍ଲମାର୍କ୍ସଙ୍କ କଥା ବି କହୁଥିଲୁ । ରାଜନୀତିକ ତାଲିମର ସେହି କାର୍ଯ୍ୟକ୍ରମଟି ଆମ ଦୁହିଁଙ୍କୁ ଭାରି ଭଲ ଲାଗୁଥିଲା । କୌଣସି ମତଲବ ରଖି ଅର୍ଥାତ୍ କୌଣସି ଦଳର ଆଦେଶ ପାଳନ କରି କରୁନଥିଲୁ ବୋଲି ସମ୍ଭବତଃ ପ୍ରକୃତରେ ଖୁସି ଲାଗୁଥିଲା ।

 

ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀଙ୍କ ନେତୃତ୍ୱରେ ଓଡ଼ିଶାରେ ଦଳେ ତରୁଣ ଏପରି ଥିଲେ, ଯେଉଁମାନେ କଂଗ୍ରେସ ଭିତରେ ରହିଥିଲେ ମଧ୍ୟ ଆପଣାକୁ ସାମ୍ୟବାଦୀ ବା ସମାଜବାଦୀ ବୋଲି କହୁଥିଲେ ଏବଂ ଜାତୀୟ କଂଗ୍ରେସରୁ ସ୍ୱାଧୀନତା ସଂଗ୍ରାମ ଭିତରେ ସାମିଲ ହୋଇଥିଲେ ମଧ୍ୟ ତଥାପି ଗୋଟିଏ ଅଲଗା ଛତା ତଳେ ଏକ ବିଶେଷ ଲକ୍ଷ୍ୟ ସହିତ ରାଜନୀତିକୁ ଆସିଥିଲେ ବୋଲି ଅନୁଭବ କରୁଥିଲେ । ଭାରତବର୍ଷରୁ ବିଦେଶୀ ଶାସନ ହଟିଯିବାପରେ ଏଠାରେ ଆର୍ଥିକ ନ୍ୟାୟ ଏବଂ ସୁଯୋଗଗତ ସମତାକୁ ଭିତ୍ତିକରି ଏକ ପରବର୍ତ୍ତୀ ସଂଗ୍ରାମ ବି ଲଢ଼ିବାକୁ ହେବ । ସେମାନେ ବେଳ ଥାଉଁ ସେଇଥିଲାଗି ତିଆରି ହେଉଥିଲେ ଏବଂ ଲୋକକ୍ଷେତ୍ରରେ ମଧ୍ୟ ସଚେତନ ଭୂମିକାଟି ପ୍ରସ୍ତୁତ କରୁଥିଲେ । ସେମାନେ କାର୍ଲମାର୍କ୍ସଙ୍କୁ ନିଜର ଏହି ବିଶେଷ ଉପନୟନରେ ପ୍ରେରଣାଦାତା ବୋଲି ଗ୍ରହଣ କରିଥିଲେ । ଦେଶରେ ଜବାହରଲାଲ ନେହେରୁଙ୍କୁ ନିଜର ବିଶେଷ ନେତା ବୋଲି ଭାବୁଥିଲେ । ସେମାନଙ୍କର ‘ଆଧୁନିକ’ ନାମରେ ଗୋଟିଏ ପତ୍ରିକା ମଧ୍ୟ ବାହାରୁଥିଲା । ଭାରତ ଛାଡ଼ ଆନ୍ଦୋଳନରେ ସେମାନେ ବିଶେଷ କ୍ରିୟାଶୀଳ ଭାବେ ନାନା ପ୍ରଶଂସନୀୟ ଭାଗ ନେଇଥିଲେ-। ଭାରତୀୟ ସ୍ତରରେ ଜୟପ୍ରକାଶ ନାରାୟଣ ଏବଂ ଓଡ଼ିଶାରେ ସୁରେନ୍ଦ୍ରନାଥ ଦ୍ୱିବେଦୀ ପ୍ରଦାନ କରିଥିବା ସାହସିକ ନେତୃତ୍ୱରୁ ତାହାର ଏକ ସ୍ପଷ୍ଟ ପରିଚୟ ଅବଶ୍ୟ ମିଳିଯିବ । ବାଙ୍କଭାଇ ମଧ୍ୟ ଏହି ଅଲଗା ଶାଖାଟି ସହିତ ପ୍ରାୟ ସେହି ମୂଳରୁ ହିଁ ନିକଟତର ଭାବରେ ସମ୍ପୃକ୍ତ ରହିଥିଲେ-। ଆନ୍ଦୋଳନ ସମୟରେ ଶ୍ରୀଯୁକ୍ତ ଦ୍ୱିବେଦୀଙ୍କୁ ମଝିରେ ରଖି ସରକାର ବିଶେଷ ଭାବରେ ଯେଉଁ ଷଡ଼ଯନ୍ତ୍ର ମୋକଦ୍ଦମାଟିକୁ ଚଳାଇଥିଲେ, ସେଥିରେ ବାଙ୍କଭାଇ ମଧ୍ୟ ଗଇଁଠାଇ ହୋଇ ରହିଥିଲେ-। ଦ୍ଵିତୀୟ ମହାଯୁଦ୍ଧ ପରେ ଅନୁକୂଳ କାଳଟିଏ ପାଚି ଆସୁଥିବା ବେଳେ ଭାରତବର୍ଷକୁ ମଧ୍ୟ ସ୍ୱାଧୀନତା ପ୍ରାପ୍ତ ହେବ ବୋଲି ଯହୁଁ ଯହୁଁ କ୍ରମେ ଅଧିକ ଅଧିକ ଫର୍ଚ୍ଚା ହୋଇ ସବୁ ଦିଶିବାକୁ ଆରମ୍ଭ କଲା, ତରୁଣ ସମାଜବାଦୀମାନଙ୍କର ବିଶେଷ ସ୍ଵପ୍ନଗୁଡ଼ିକ ଅବଶ୍ୟ ଅଧିକ ସଚଳ ହୋଇ ଉଠିଥିବେ । ସେମାନେ ନିଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମଗୁଡ଼ିକୁ ଏକ ବିଶେଷ ନକ୍ସାରେ ପକାଇ ଦେଖିବାକୁ ଆରମ୍ଭ କରିଥିବେ । କଂଗ୍ରେସ ଭିତରେ ରହି ସେମାନେ ଏଣିକି ଅଧିକ ତ୍ୱରା ତଥା ଅଧିକ ତତ୍ପରତା ସହିତ ଆପଣା ବାଟରେ ଅଗ୍ରସର ହୋଇଯିବାକୁ ଚିନ୍ତା କରିଥିବେ ।

 

ବନ୍ଦୀମାନେ ପଦାକୁ ବାହାରିବା ପରେ କଟକ ସ୍ୱରାଜ ଆଶ୍ରମ ମହକୁମାରେ କଂଗ୍ରେସର ସର୍ବୋଚ୍ଚ ସ୍ତରରେ ଘଟଣାକ୍ରମେ ଶ୍ରୀମତୀ ମାଳତୀ ଚୌଧୁରୀ, ଶ୍ରୀ ସୁରେନ୍ଦ୍ର ଦ୍ୱିବେଦୀ ଓ ବାଙ୍କଭାଇ ନିର୍ବାଚିତ ହୋଇ ରହିଲେ । ସମୟ ଏବଂ ସ୍ଥିତି ଏହାଠାରୁ ଅଧିକ ଅନୁକୂଳ ଆଉ କ’ଣ ହୋଇଥାନ୍ତା-? ଅପର ପଟରେ ଯେଉଁ ରକ୍ଷଣଶୀଳମାନେ ରହି ସେମାନଙ୍କୁ ବାଧା ଦେଇଥାନ୍ତେ, ସେମାନେ ଏହାପରେ ଆଉ ମୋଟେ ପ୍ରତିବନ୍ଧକ ହେବେ ନାହିଁ ବୋଲି ସେମାନେ ନିଶ୍ଚୟ ଖୁସି ବି ହେଉଥିବେ-। ତେଣୁ ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀ ମୁକ୍ତ ହୋଇ ଆସିବେ ଏବଂ ପୂର୍ଣ୍ଣ ଦିଗ୍‍ଦର୍ଶନ ଦେବେ ବୋଲି ସେମାନେ ଖୁବ୍ ଉତ୍ସାହରେ ଅପେକ୍ଷା କରି ରହି ବି ଥିଲେ । ନବକୃଷ୍ଣ ଚୌଧୁରୀ ଆସିଲେ, କିନ୍ତୁ ସେ ଏମାନଙ୍କ ଆଡ଼କୁ ନ ମୋହିଁ ଏମାନଙ୍କ ଆଖିରେ ରକ୍ଷଣଶୀଳ ବୋଲି ଦେଖାଯାଉଥିବା ଅଧିକ ବୟସ୍କମାନଙ୍କଆଡ଼କୁ ଆଉଜି ଗଲେ । କାଗଜପତ୍ର ଅନୁସାରେ କଂଗ୍ରେସ ମଧ୍ୟ ସମାଜବାଦ ଚାହୁଁଥିଲା । ସ୍ୱାଧୀନ ଭାରତର ସମ୍ବିଧାନରେ ମଧ୍ୟ ସାମାଜବାଦ ହିଁ ମୁଖ୍ୟପତାକା ହେବ ବୋଲି ଉଲ୍ଲେଖ ରହିଥିଲା । କଂଗ୍ରେସ ଶାସନ କ୍ଷମତାକୁ ତ ଅବଶ୍ୟ ଆସିବ ଏବଂ ତା’ପରେ ସମାଜବାଦୀ ସକଳ ପରିବର୍ତ୍ତନକୁ ସୁରୁଖୁରୁ ଭାବରେ ସମ୍ଭବ କରାଯାଇ ପାରିବ ବୋଲି ହୁଏତ ଶ୍ରୀ ଚୌଧୁରୀ ପୂର୍ଣ୍ଣ ସାଧୁତାର ସହିତ ବିଶ୍ୱାସ କରୁଥିଲେ । ସେଇଥିପାଇଁ ନିଜର ଅପେକ୍ଷାମାଣ ଶିବିରଟିକୁ ଛାଡ଼ି ପୁରୁଖାମାନଙ୍କ ସହିତ ମିଶିଲେ । ପୁରୁଖାମାନେ କ୍ଷମତାଟା ଆଗ ଦଖଲ ହୋଇଗଲେ ତା’ପରେ ହୁଏତ ଏଇଟା ସେଇଟା ହେବ ବୋଲି ନିଜ ହିସାବରେ ରହିଲେ । ଶ୍ରୀ ନବକୃଷ୍ଣ ଚୌଧୁରୀ ଏହି ତରୁଣ ସାଥୀମାନଙ୍କୁ କାହିଁକି ଛାଡ଼ିଲେ, ତାହା ସେ ନିଜ ଜୀବଦ୍ଦଶାରେ ମୋଟେ କାହା ପାଖରେ ପ୍ରକାଶ କରି ନାହାନ୍ତି । ଏବଂ ଏହି ଘଟଣାଟିକୁ ହିଁ ସମାଜବାଦୀ ଶାଖାଟା ନିମନ୍ତେ ଗୋଟାଏ ବଡ଼ ଆଘାତ ବୋଲି କୁହାଯିବ । ଶ୍ରଦ୍ଧା ରହିଲା, ଆନୁଗତ୍ୟ ଏବଂ ଅନୁରାଗ ସବୁ ରହିଲା, ତଥାପି ଏମାନେ କାହିଁକି ଦୁଇ କେନା ହୋଇଗଲେ କେଜାଣି ? ପଣ୍ଡିତ ନେହେରୁଙ୍କ ନେତୃତ୍ୱରେ କଂଗ୍ରେସ ମଧ୍ୟ କ୍ରମେ ହୁଗୁଳା ହେଲା, ଭ୍ରମରେ ପଡ଼ିଲା । ଓଡ଼ିଶାରେ ସମାଜବାଦୀମାନେ ବିଶ୍ୱାସ ହରାଇ ସେଥିରୁ ବାହାରି ଆସିଲେ । ନିଜ ଉଜ୍ଜ୍ୱଳତାରେ ପ୍ରକାଶିତ ହେଲେ । ସେତେବେଳେ ମଧ୍ୟ ଶ୍ରୀ ନବକୃଷ୍ଣ ଚୌଧୁରୀ ସେହି କଂଗ୍ରେସ ଭିତରେ ରହିଲେ । ସମାଜବାଦୀମାନେ ହୁଏତ ନିଜକୁ ଅଧିକ ପାକଳ ବୋଲି ଅନୁଭବ କରୁଥିଲେ । ତେଣୁ ପଛକୁ ଅନାଇ ଶ୍ରୀ ଚୌଧୁରୀଙ୍କ ଉପରେ ଅପେକ୍ଷା ରଖିବାକୁ ଆବଶ୍ୟକ ବି ମନେ କରି ନଥିବେ । ଗୋଟାଏ ବେଳ ଥିଲା, ଯେତେବେଳେ କି ଲୋକସଭାକୁ ସମାଜବାଦୀମାନେ ହିଁ ଅଧିକ ଗୌରବର ସହିତ ନିର୍ବାଚିତ ହେଉଥିଲେ । ରାଜ୍ୟର କୌଣସି ନିର୍ବାଚନରେ ସେମାନେ ସରକାର ବନାଇ ପାରିବା ଭଳି ଯଥେଷ୍ଟ ସଂଖ୍ୟା କେବେହେଲେ ହାସଲ କରି ପାରୁ ନଥିଲେ । ମାତ୍ର, ଶ୍ରୀ ସୁରେନ୍ଦ୍ର ଦ୍ୱିବେଦୀ ଓ ବାଙ୍କଭାଇ ଦିଲ୍ଲୀର ପ୍ରତିନିଧିସଭାମାନଙ୍କରେ ଆପଣା ପରାକ୍ରମୀ ପରିଚୟମାନ ଦେଇ ପାରିଥିଲେ । ପଣ୍ଡିତ ନେହେରୁଙ୍କ ସମେତ ବହୁ କଂଗ୍ରେସୀ ବୃହତ୍‍ମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଗଣତନ୍ତ୍ରର ଏକ ଗଢ଼ଣରେ ବିରୋଧୀମାନଙ୍କର ଭୂମିକା ଯେ କେତେ ଅଧିକ ମୀମାଂସକ ଏବଂ ସ୍ମରଣଯୋଗ୍ୟ ହୋଇପାରେ, ଏଡ଼ି ଉଭୟେ ଏକାଧିକ ଅର୍ଥରେ ତାହାର ନିଦର୍ଶନ ହୋଇ ରହିଛନ୍ତି । ନିଜ ନିଜର ଆତ୍ମଜୀବନୀରେ ଉଭୟେ ଏହି ସମୟଟିକୁ ହିଁ ସେମାନଙ୍କ ଜୀବନ ସବୁଠାରୁ ଅଧିକ ସନ୍ତୋଷଦାୟକ ସମୟ ବୋଲି ଉଲ୍ଲେଖ କରିଛନ୍ତି । କିନ୍ତୁ, ଏଣେ ଘରେ ଓଡ଼ିଶାରେ ସତେଅବା ସମାଜବାଦୀଙ୍କ ଗୋଡ଼ତଳୁ ଭୂଇଁ ଖସି ଯିବାକୁ ଆରମ୍ଭ କଲା । କଥିତ ଅଛି, ସେହି ପ୍ରଥମ ଅବଧିଟିରେ ଦିଲ୍ଲୀ ତଥା ଭୁବନେଶ୍ୱରର ସମାଜବାଦୀ ନିର୍ବାଚିତ ପ୍ରତିନିଧିମାନେ ଆପଣାର ମାସିକ ଭତ୍ତାକୁ ଦଳ ପାଖରେ ନେଇ ସମର୍ପଣ କରି ଦେଉଥିଲେ ଓ ଦଳ ବିଚାର କରି ପ୍ରତ୍ୟେକଙ୍କର ପ୍ରୟୋଜନ ଅନୁସାରେ ଅର୍ଥଦାନର ବ୍ୟବସ୍ଥା କରୁଥିଲା । ମନେଅଛି, ସ୍ଵାଧୀନତାର ପରବର୍ତ୍ତୀ ଜାତୀୟ ଉତ୍ସାହର ସେହି ପ୍ରଥମ ପର୍ଯ୍ୟାୟରେ ଶ୍ରୀ ଜୟପ୍ରକାଶ ନାରାୟଣ ସମାଜବାଦୀ କର୍ମୀ (ସିଏ ନେତାମାନଙ୍କୁ ମଧ୍ୟ କର୍ମୀ ଦଳରେ ଏକାଠି ଗଣନା କରୁଥିଲେ)ମାନଙ୍କୁ ଗୀତାରେ ଉଲ୍ଲେଖ କରାଯାଇଥିବା କର୍ମଯୋଗୀର ଆଦର୍ଶ ଅନୁସରଣ କରିବାକୁ ଏକଦା ଉଦ୍‍ବୋଧନ ଦେଇଥିଲେ । ଏପରି ଏକ ମନ୍ତବ୍ୟ କରିବା ଅନ୍ତତଃ ସେତେବେଳେ ଆଦୌ କୌଣସି ଭାବପ୍ରବଣତା ରହିଛି ବୋଲି କେହି ସନ୍ଦେହ କରି ନଥିବେ । ସିଏ ପ୍ରକୃତରେ ଏକ ସ୍ୱତନ୍ତ୍ର ସମୟ ବି ଥିଲା । ରାଜନୀତି ଏକ ଶପଥଗ୍ରହଣକୁ ବୁଝାଉଥିଲା ।

 

ତା'ପରେ କ'ଣ ସବୁ କାହିଁକି ହେଲା କେଜାଣି ? ଏକାବେଳେକେ ଭାରତୀୟ ସ୍ତରରେ ହିଁ ଭଟ୍ଟା ପଡ଼ିବା ଆରମ୍ଭ ହୋଇଗଲା । ସମାଜବାଦୀ ଦଳରେ ସବା ଆଗଧାଡ଼ିରେ ରହିଥିବା ମହାବୀରମାନଙ୍କର ବୟସ ହୋଇ ଆସୁଥିଲା, ଅବଶ୍ୟ କିଛିଦିନ ସେମାନେ କଂଗ୍ରେସ ଦଳକୁ କ୍ଷମତାରୁ ହଟାଇବା ଲାଗି ଏଭଳି ଏକନିଷ୍ଠ ହୋଇ ଲାଗିପଡ଼ିଲେ ଯେ, ସମାଜବାଦ ବିଷୟରେ ସକ୍ରିୟ ତଥା ସକାରାତ୍ମକ ଭାବରେ କିଛି ଭାବିବାକୁ ହୁଏତ ଆଉ ଫୁରସତ ହେଲାନାହିଁ । ସ୍ଵୟଂ ଜୟପ୍ରକାଶ ଏହି ଅଭିଯାନରେ ଅଲମ୍ବରଦାର ବନିଲେ । ଜୟପ୍ରକାଶଙ୍କୁ ତେଣେ ସର୍ବୋଦୟ ବି ଅଧିକ ଟାଣିଲା । ଏବଂ ଏକ ନୂଆ ଦୁଆ ଆରମ୍ଭ ହୋଇଯାଇଥିଲା ଯେ ବାହାରେ କଂଗ୍ରେସକୁ ଖେଞ୍ଚା ମାରିବା ଅପେକ୍ଷା ବରଂ କଂଗ୍ରେସକୁ ଭିତରେ ପଶି ସେହି ଦଳଟାକୁ ପୁନର୍ବାର ପୂର୍ବପରି ଏକ ସମାଜବାଦୀ ଆଭିମୁଖ୍ୟ ଆଣିଦେବାଟା ବୋଧହୁଏ ଅଧିକ ଭଲ ହେବ । ତା’ପରେ ବିଭିନ୍ନ ରାଜ୍ୟରେ ସମାଜବାଦୀମାନେ ଫକ୍ ଫକ୍ ହୋଇ କଂଗ୍ରେସକୁ ଡେଇଁପଡ଼ିଲେ । କଂଗ୍ରେସୀ ହେଲେ-। ବାଙ୍କଭାଇ ମଧ୍ୟ ଏହି ବାତ୍ୟାଟାର ଅବସରରେ ଓଡ଼ିଶାରେ କଂଗ୍ରେସୀ ଅର୍ଥମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ ହୋଇଗଲେ । ତାଙ୍କର କେତେ ସାଥୀ ଏକମତ ନହୋଇ ଅଲଗା ହୋଇ ରହିଲେ-। ନାନା ମୁନିଙ୍କର ନାନା ମତ ହେଲେ ସେହି କାରଣରୁ ଦଳଟା କାହିଁକି ସାତଫାଳ ହୋଇଯିବ, ତାହାର କୌଣସି କାରଣ ରହିବା ଉଚିତ ନୁହେଁ । ଓଡ଼ିଶାରେ ତଥାପି ସେହିକଥା ହେଲା । ବଡ଼ ଶିଙ୍ଗମାନେ ମୋଟେ ଏକାଠି ରହିପାରିଲେ ନାହିଁ । ଆମ ରାଜ୍ୟରେ ସେବକାଳର ତୁଙ୍ଗ ତଥା ବିଚାରଘନ ସମାଜବାଦୀମାନେ ବର୍ତ୍ତମାନ ବୟସରେ ବୁଢ଼ା ହୋଇଗଲେଣି ଏବଂ ଆପଣାର ଅଲଗା ଅଲଗା ଆଶ୍ରମରେ ରହିଛନ୍ତି । ସମାଜବାଦର କୌଣସି ମୂଳତତ୍ତ୍ୱ ଅଥବା ପ୍ରୟୋଗକୁ ନେଇ ପାର୍ଥକ୍ୟଗୁଡ଼ିକ ଛିଣ୍ଡିଲେ ନାହିଁ ବୋଲି ଯେ ଏପରି ହେଲା, ସେକଥା ମଧ୍ୟ ନୁହେଁ । ଓଲଟି ବ୍ୟକ୍ତିଗତ ମତପାର୍ଥକ୍ୟ ଅର୍ଥାତ୍ ମୁଇଁ ଯାହା କହୁଛି, ତାହାହିଁ ଠିକ୍ ବୋଲି ଅଡ଼ି ବସିବାଦ୍ଵାରା ହିଁ ସମସ୍ତେ ଅଲଗା ଅଲଗା ହୋଇ ଯାଇଛନ୍ତି । ଥିର ଭାବରେ ଏକ ଡାୟଲଗ୍‍ ହେବାର ବି ମଉକା ସମ୍ଭବ ହେଉନାହିଁ-। ସମାଜବାଦ ମୂଳତଃ ସହଚାରିତାର ଏକ ରାଜନୀତିକ କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ ସମାଜବାଦୀମାନେ କାହିଁକି ଏପରି ଭାବରେ ପରସ୍ପର ମଧ୍ୟରେ ସ୍ପର୍ଶକାତର ହୋଇ ରହିଥାଆନ୍ତି, ଆମ ଓଡ଼ିଶା ରାଜ୍ୟରେ ମଧ୍ୟ ତାହାକୁ ଆଧାର କରି କେତୋଟି ମିନି ଗବେଷଣା ହୋଇପାରନ୍ତା-

 

ଏହି ସବୁଯାକ ଦୁଆର ଅତିକ୍ରମ କରି ବାଙ୍କ ଭାଇ ପରିବେଶବାଦୀ ହେଲେ । ସବୁ ମଣିଷଙ୍କ ଲାଗି ଆମ ଦେଶରେ ଯଦି ଏକ ସର୍ବନିମ୍ନ ମାନବୀୟ ଭିତ୍ତିଭୂମିଟିଏ ନିର୍ଭର ସହିତ ତିଆରି ହୋଇପାରି ନଥାନ୍ତା, ଅର୍ଥାତ୍ ମନୁଷ୍ୟମାନଙ୍କ ଆଡ଼କୁ ଆଖି ବୁଜିଦେଇ ନିଜ ପାଇଁ ହିଁ ଅଧିକ ସୁଖ ଏବଂ ସୁଯୋଗକୁ ଏକଚାଟିଆ ଭାବରେ ମାଡ଼ି ବସି ରହିବାକୁ ଇଚ୍ଛା କରୁଥିବା ଲୋକମାନଙ୍କୁ ଯଦି ଦେଶର ଶାସନ ସଫଳ ଭାବରେ ରୋକି ପାରୁଥାନ୍ତା, ତେବେ ପରିବେଶକୁ ନେଇ ଆତଙ୍କିତ ହେବାର ବିଶେଷ କିଛି କାରଣ ନଥାନ୍ତା । ଆମ ଦେଶର ରାଜନୀତି ଓ ଶାସନ ଯଦି ସମାଜବାଦଦ୍ଵାରା ପରିଚାଳିତ ହୋଇଥାନ୍ତା, ତେବେ ପଚାଶ ବର୍ଷର ସ୍ଵାଧୀନତା ପରେ ଦେଶର ଚେହେରା ଅବଶ୍ୟ ଅନ୍ୟପ୍ରକାର ହୋଇଥାନ୍ତା । ଆମ ଦେଶରେ ଓ ରାଜ୍ୟରେ ଯେଉଁମାନେ ନିଜର ସକଳ ନିଷ୍ଠା ସତ୍ତ୍ୱେ ସେତିକି ହୋଇପାରିଲା ନାହିଁ ବୋଲି ଦୁଃଖ କରୁ କରୁ ସେମାନଙ୍କର ସମୟଟା ଗଡ଼ିଗଲା, ସତେଅବା ସେହିମାନେ ହିଁ ଆଖର ପରିବେଶବାଦୀ ହେବାକୁ ଆସିଲେ କି ? ନିଜ ଭିତରର ସେହି ଅସଫଳତାଜନିତ ଦୁଃଖଟାକୁ କିଞ୍ଚିତ୍‍ ପ୍ରମାଣେ ପାସୋରି ଦେଇ ହୁଏତ କିଛି ଥଳ ମିଳିଲା ବୋଲି ଅନୁଭବ କରିବାକୁ ସେମାନେ ଶରଶଯ୍ୟା ଉପରୁ ପରିବେଶ ରକ୍ଷା କରିବା ବିଷୟରେ ପରାମର୍ଶ ଦେବାକୁ ମନ କଲେ କି ? ଦେଶର ଏତେ ଏତେ ମଣିଷ ଜଣେ ଜଣେ ମଣିଷ ପରି ବଞ୍ଚିବାର ଅର୍ଥାତ୍ ନିର୍ଭରଯୋଗ୍ୟ ଭାବରେ ଏକ ଭୂମି ଉପରେ ଛିଡ଼ାହୋଇ ନିର୍ଭରଯୋଗ୍ୟ ଭାବରେ ସାମନାରେ ରହିଥିବା ଏକ ଭବିଷ୍ୟଆଡ଼କୁ ଅନାଇ ପାରିବାର ସର୍ବନିମ୍ନ ଅଧିକାରରୁ ବଞ୍ଚିତ ହୋଇ ରହିଥିବାଯାଏ ଏହି ତଥାକଥିତ ପରିବେଶ ବିଷୟକ କଥାଣିଗୁଡ଼ିକ ହୁଏତ ଏଠି ମୁଖ୍ୟତଃ ସାଆନ୍ତମାନଙ୍କର ଗୋଟାଏ ସଉକ ହୋଇ ରହିବାକୁ ବାଧ୍ୟ ହେବ । ଉତ୍ତରାଞ୍ଚଳରେ ସୁନ୍ଦରଲାଲ ଭାଇ (ବହୁଗୁଣା)ଙ୍କୁ ଭେଟିଲେ କୌଣସି ଏକ ଅସଲ ଜାଗାକୁ ହାରି ସିଏ ଆମକୁ ଏହି ବିଶେଷଉତ୍ସାହରେ ପରିବେଶର ପୁନୀତ ପ୍ରସଙ୍ଗଗୁଡ଼ିକ ବିଷୟରେ କହିବାରେ ବ୍ରତୀ ହୋଇ ବାହାରିଥିବା ପରି ଭାରି ମନେହେଉଥିଲା । ବାଙ୍କଭାଇଙ୍କ ପାଖରେ ଛିଡ଼ାହୋଇ ସରକାର ପରିବେଶ ବିଷୟରେ ଉଦାସୀନ ହୋଇ ରହିଲେ ବୋଲି ତାଙ୍କର କ୍ରୋଧୀ ଅଭିଯୋଗମାନ ଶୁଣିବା ବେଳେ ବି ମୋଟେ ଅଲଗା କିଛି ମନେ ହେଉନଥିଲା ।

 

୬.୮.୦୧

☆☆☆

 

ଚେତନା ରାକ୍ଷସର କଥା

 

ଚେତନାର ଅସଲ ବିରାଦରଟିର ନାମ ହେଉଛି ସ୍ୱାଧୀନତା । ଆମ ଭିତରର ଦାସ ଅଂଶଟି, ସେଇଟି ଅଚେତନା । ଏହି ଦେଶ ଏକଦା ପରାଧୀନ ହୋଇ ରହିଥିଲା, ଅର୍ଥାତ୍ ଅଚେତନ ଥିଲା । ତା’ରି ଆଗରେ ତା’ ନିଜ ଘର ଉଜୁଡ଼ି ଯାଉଥିଲା ଏବଂ ସିଏ ଖାଲି ଅନାଇ ଅନାଇ ଦେଖୁଥିଲା, ମୂଢ଼ ଭାବରେ ସହୁଥିଲା ଏବଂ ସହି ସହି ନିଦାରୁଣ କାଠ ବା ପଥରଟିଏ ହୋଇ ରହିଥିଲା । ଚେତନା ଆସିଲେ ମଣିଷର ଭୀରୁତାମାନେ ପଳାନ୍ତି, ଚେତନ ମଣିଷମାନେ ସେହି ଯାବତୀୟ ଭୀରୁତାକୁ କାଟି ସତେ ଅବା ଜୀବନରେ ପ୍ରଥମଥର ପାଇଁ ସିଧା ହୋଇ ସାମ୍ନାକୁ ଆସନ୍ତି । ନିଜ ଭିତରେ ଏକ ନବସଂକଳ୍ପର ଚେତାବନୀ ପାଇଥିବା ପରି ଆଗକୁ ଗୋଡ଼ କାଢ଼ି ବାହାରନ୍ତି । ଭିତରୁ ବଳ ପାଆନ୍ତି, ପରସ୍ପରଠାରୁ ବଳ ପାଆନ୍ତି । କେତେ କ’ଣ ବଦଳି ଯାଆନ୍ତି ଓ କେତେ କ’ଣକୁ ବଦଳାଇ ଦିଅନ୍ତି ।

 

ଆମଦେଶ ଦୀର୍ଘ ଦୁଇପୁରୁଷ ହେଲା ସ୍ୱାଧୀନ ହେଲାଣି, ଅଥଚ ଚେତନ ମଣିଷମାନେ କାହାନ୍ତି ? ଚେତନ ନେତୃତ୍ୱମାନେ କାହାନ୍ତି ? ଚେତନ ଶାସକମାନେ ଏବଂ ଚେତନ ଶିକ୍ଷକମାନେ କାହାନ୍ତି ? ପାଠୁଆ ପଲପଲ ବୁଲୁଛନ୍ତି, ଚୋରମାନେ ସାଲୁବାଲୁ ହେଉଛନ୍ତି । ଲମ୍ପଟମାନେ କାଳେ ଧରା ପଡ଼ିଯିବେ ବୋଲି ଭଳିଭଳି ଧୋବଲୁଗା ପିନ୍ଧି ଆପଣାକୁ କେତେ ଭବ୍ୟ ଭାବରେ ଘୋଡ଼ାଇ ରଖିଛନ୍ତି । ଭାଷଣରେ ପୃଥିବୀ କମ୍ପାଉଛନ୍ତି,–ଚାତୁରୀରେ ଏହି କାଳଟାକୁ ପୂରାପୂରି ଚହଟାଇ ରଖିଛନ୍ତି । ବାତ୍ୟା ଆସଛି, ବନ୍ୟା ଆସିଛି, ହଜାର ହଜାର ମଣିଷଙ୍କର ସଂସାର ଉଚ୍ଛନ୍ନ ହୋଇଯାଉଛି । ତଥାପି, କୋଉ କାଳର କେତେ ଭୀରୁତା ଅର୍ଥାତ୍ ଅଚେତନା ସେମାନଙ୍କୁ ଏଭଳି ଅସହଜ କରି ମାଡ଼ିବସିଛି ଯେ ସେମାନେ ଏକ ଅନ୍ୟ ଭଳି ଜୀବନ ଅଲବତ ସମ୍ଭବ ହୋଇପାରନ୍ତା ବୋଲି ଚିନ୍ତା ବି କରି ପାରୁନାହାନ୍ତି । ଉପରୁ ଦୟାଳୁମାନେ ଦୟାବର୍ଷଣ କରୁଛନ୍ତି,–ପୂରା ଦେଶଟାକୁ ସେମାନେ ଦୟାରେ ବଶ କରି ରଖିଛନ୍ତି । ଅଚେତନାମାନେ ଘାରି ରହିଥିବା ଯାଏ ମଣିଷ ସତେ ଅବା କାହାର କ୍ରୂର ବିଧାନ ଅନୁସାରେ ଭାଗ୍ୟବାଦୀ ହେବାକୁ ବାଧ୍ୟ ହୋଇଥାଏ । ଭାଗ୍ୟବାଦ ହିଁ ମଣିଷକୁ ନାନା ଭାବେ ପ୍ରୟାସହୀନ କରି ରଖିବାର ଚକ୍ରାନ୍ତ କରିଥାଏ । ଏବଂ, ଦେଶରେ କୋଟି କୋଟି ମନୁଷ୍ୟ ଭାଗ୍ୟବାଦୀ ହୋଇ ରହିବାର ଗଦ ସୁଂଘୁଥିବା ପର୍ଯ୍ୟନ୍ତ ବିଚରା ଶାସନଟା ଗଣତନ୍ତ୍ରର ପରିଚ୍ଛଦ ପିନ୍ଧି ପ୍ରବଞ୍ଚନା କରିବା ନିମନ୍ତେ କେତେ ପ୍ରଶ୍ରୟ ପାଇବାରେ ଲାଗିଥିବ । ଆମ ଦେଶରେ ଉତ୍ତମ ଏବଂ ଉପରିସ୍ଥମାନେ ଏଠାରେ ସବୁ ମଣିଷଙ୍କୁ ନାଗରିକ ବୋଲି କଦାପି ସ୍ଵୀକାର କରିବେ ନାହିଁ ବୋଲି ନିଜ ଭିତରେ କୌଣସି ସଲା କରିଛନ୍ତି କି ?

 

ସ୍ଵାଧୀନତା ସହିତ ଦେଶଜୀବନର ଦଶଦିଗ ପୂର୍ଣ୍ଣ କରି ଏକ ନୂତନ ଚେତନା ଯେ ଅବଶ୍ୟ ଆସୁଛି, ସ୍ଵାଧୀନ ନିମନ୍ତେ ସଂଗ୍ରାମଟିଏ ଲଢ଼ା ହେଉଥିବା ସମୟରେ ସେହିଟିର ଏକ ଚାକ୍ଷୁଷ ଅନ୍ଦାଜ ସର୍ବଦା କରି ହେଉଥିଲା । ସେତେବେଳର ନେତୃତ୍ୱ ଉପରେ ଜନଗଣର ସଂପୂର୍ଣ୍ଣ ପ୍ରତ୍ୟୟ ମଧ୍ୟ ରହିଥିଲା । ଉପସ୍ଥିତ ସଂଗ୍ରାମଟି ବିଷୟରେ ଜନମାନସକୁ ଉଦବୋଧିତ କରି ଆଣୁଥିବା ସମୟରେ ନେତାମାନେ ଭାରତବର୍ଷ ସ୍ଵାଧୀନ ହେବା ପରେ ଦେଶଟିକୁ କିପରି ଗଢ଼ାଯିବ, ସେମାନଙ୍କୁ ସେହି ବିଷୟରେ ମଧ୍ୟ କ୍ରମସଚେତନ କରି ଆଣିଥିଲେ । ସ୍ଵାଧୀନତା ଆସିଲା, ତେଣୁ ସ୍ୱାଧୀନ ଭାରତରେ ସବୁ କିଛି ନୂଆ ନକ୍ସାରେ ଗଢ଼ା ହେବ ବୋଲି ଲୋକମାନେ ଅତ୍ୟନ୍ତ ସ୍ଵାଭାବିକ ଭାବରେ ଅପେକ୍ଷା କରି ରହିଥିଲେ । ଉତ୍ସାହର ସହିତ ହିଁ ଅପେକ୍ଷା କରି ରହିଥିଲେ । ଏବଂ, ସେହିସବୁ ନବଗଠନର କାର୍ଯ୍ୟରେ ନେତୃତ୍ୱଗୁଡ଼ିକ ସହିତ ସହଯୋଗ କରିବେ ବୋଲି ଅପେକ୍ଷା କରିଥିଲେ । ହଁ, ନ୍ୟସ୍ତସ୍ଵାର୍ଥ ଶତକଡ଼ା ଦଶ ଜଣ ନିଶ୍ଚିତ ଭାବରେ ପ୍ରମାଦ ହିଁ ଗଣୁଥିବେ । ଜମିଦାର, ଜମିମାଲିକ, ବ୍ରିଟିଶ୍ ଅମଳର ଉଚ୍ଚ ହାକିମମାନେ, ଦେଶ ସ୍ଵାଧୀନ ନହେଉ ବୋଲି ଠାକୁରଙ୍କ ପାଖରେ ଗୁହାରି କରୁଥିବା କେତେ ରାଜନୀତିକ ନେତା ଏବଂ ନାୟକ, ଏହିମାନେ ହିଁ ଖୁବ୍ ଭୀତ ହୋଇ ପଡ଼ିଥିବେ । ଗଡ଼ଜାତର ରଜାମାନଙ୍କ ବିଷୟରେ କ୍ଷମତା ହସ୍ତାନ୍ତର ସମୟରେ କିଛି ସ୍ଥିରୀକୃତ ହୋଇଥିଲେ ମଧ୍ୟ ସେମାନେ ମଧ୍ୟ ଦିନ ସରିଆସିଲା ବୋଲି ଖୁବ୍ ବୁଝିପାରିବେ ଏବଂ ପ୍ରମାଦ ଗଣିଥିବେ । ଏପରି ଅନୁକୂଳ ପରିସ୍ଥିତିଟିଏ ଆଉ ପରେ କେବେହେଲେ ମିଳିନଥାନ୍ତା । ତେଣୁ ସେତିକିବେଳେ ହିଁ ପରିବର୍ତ୍ତନର ପ୍ରକ୍ରିୟାଟି, ନୂଆ ଚେତନାଟିର ବୋଲ ମାନି ଆବଶ୍ୟକ ଓଲଟପାଲଟଗୁଡ଼ିକ ଲାଗି ବାଟ ଛାଡ଼ିଦେବା ପାଇଁ ହିଁ ସେତେବେଳର ନେତୃତ୍ୱ ଏକ କ୍ରିୟାଶୀଳ ଭୂମିକା ଗ୍ରହଣ କରିଥାଆନ୍ତା । ସୋପାନ ପରେ ସୋପାନ ପାଦ ପକାଇ ଦେଶ ସତେ ଅବା ଏକ ନୂତନ ଅନ୍ୟସ୍ଥିତିର ଇଙ୍ଗିତ ପାଇ ଅଗ୍ରସର ହୋଇ ଯାଇଥାଆନ୍ତା । ଏକ ପୁରୁଣା ସମାଜରେ ରଜା, ଜମିଦାର, ମାଲିକ ହୋଇ ରହିବା ଅପେକ୍ଷା ଏକ ସ୍ଵାଧୀନ ଦେଶର ଜାଗ୍ରତ ନାଗରିକ ହୋଇ ସମ୍ମାନିତ ଭାବରେ ସମସ୍ତଙ୍କ ସହିତ ସାମିଲ ହୋଇ ଆଗକୁ ବାଟ ଚାଲିବା ଯେ ଅଧିକ ସମ୍ମାନଜନକ, ସେତେବେଳେ ରାଜନୀତିକ ତଥା ସାମାଜିକ ସକଳ ପଦକ୍ଷେପ ଅନିଚ୍ଛୁକମାନଙ୍କୁ ତାହା ହିଁ ସୂଚାଇ ଦେଇଥାନ୍ତା । ସେମାନଙ୍କ ଭିତରୁ କେହି ତଥାପି ଅରାଜି ହୋଇଥିଲେ ସେମାନଙ୍କୁ ଆଇନଦ୍ୱାରା ବାଧ୍ୟ କରି ମୁଖ୍ୟ ଉଦବେଳନର ଏବଂ ମୁଖ୍ୟ ଅଭିଳାଷଟି ସହିତ ଆଣି ଗୁନ୍ଥି ଦିଆଯାଇଥାନ୍ତା । ମାତ୍ର ତାହା ହୋଇପାରିଲା ନାହିଁ କାହିଁକି କେଜାଣି ?

 

ଅଥବା ବହୁତ ଆଡ଼ମ୍ବର ସହିତ କାଗଜପତ୍ରରେ କିଛି କିଛି ହେଲା, କିନ୍ତୁ ବାସ୍ତବ ପରିବର୍ତ୍ତନରେ କ୍ଷେତ୍ରଗୁଡ଼ିକରେ ପ୍ରତ୍ୟୟ ଦେଲା ପରି କିଛି ହେଲା ନାହିଁ । ନେତାମାନେ ଚାଲାଖ ହେଲେ, ଶାସକମାନେ ଧୂର୍ତ୍ତ ହେଲେ । ଏହି ଦେଶଟାକୁ ନିଜ କାଖ ଭିତରେ ଅସହାୟ କରି ଜାକି ରଖି ସେମାନେ ଏଘରେ ଏକୁଟିଆ ରଜା ପରି ଦିଶିବେ ବୋଲି ପରିପୂର୍ଣ୍ଣ ଫିସାଦମାନ କରାଗଲା । ସେହି ବିଦେଶୀ ଭାଷାଟାରେ ହିଁ ଶାସନ ଚାଲିଲା । ଏବେ ମଧ୍ୟ ସେହିଟା ହିଁ ଚାଲିଛି । ଲୋକମାନେ କହୁଥିବା ଏବଂ ବୁଝୁଥିବା ଭାଷାମାନଙ୍କୁ ନିନ୍ଦିତ କରି ରଖାଯାଇଛି । ନିର୍ଲଜ୍ଜ ଉପରିସ୍ଥମାନେ ଯେଉଁ ପାଠପଢ଼ି ଉପରେ କୋଟି କୋଟି ମଣିଷଙ୍କର କାନ୍ଧରେ ଲଦି ହୋଇ ରହିଛନ୍ତି ଓ ଦେଶ ନାମକ ଏହି ବୃହତ୍‍ ସଂସ୍ଥାନଟିକୁ ଭୋଗ କରୁଛନ୍ତି, ସେମାନେ ଏଠାରେ ବହୁ ସାମୂହିକ ସମ୍ଭାବନାକୁ ପ୍ରବଞ୍ଚିତ କରି ରଖିଛନ୍ତି । ସେମାନେ ପଢ଼ିଥିବା ପାଠ ସେମାନଙ୍କୁ ଅଧିକରୁ ଅଧିକ ଚତୁର ହେବାରେ ସାହାଯ୍ୟ ସିନା କରୁଛି, ମାତ୍ର ଯୁଗବତ୍ ଭାବରେ ବଡ଼ ନିର୍ମମ କରି ପକାଉଛି । ନିର୍ମମ ମଣିଷମାନେ ହିଁ ସାହିତ୍ୟ ଓ ସଂସ୍କୃତିର ବହୁବିଧ ଦରବାରୀ ଅଳିନ୍ଦମାନ ବସାଇ ନିତାନ୍ତ ଉଦ୍ଦଣ୍ଡ ହୋଇ ନାଚୁଛନ୍ତି । ଯୁଗ ଯୁଗ ଯାବତ୍ ଏହିପରି ଗୋଟାଏ ଅନ୍ଧାରକୁ ଜାରି ରଖି ତଦ୍ଦ୍ୱାରା ପୂର୍ଣ୍ଣ ଦାନବୀୟ କାଇଦାରେ ଉପକୃତ ହେବେ ବୋଲି ଆଣ୍ଟ କରି ବସିଛନ୍ତି ।

 

ଅନ୍ଧାର ରାଜତ୍ୱ କରୁଛି, କାରଣ ଅଚେତନା ହିଁ ପୂରା ଆକାଶଟାକୁ ମେଘାବୃତ କରି ରଖିଛି । ଶିକ୍ଷା ହିଁ ସେହି ଅନ୍ଧାର ସହିତ ଲଢ଼ିପାରନ୍ତା । ଶିକ୍ଷା ଆଖି ଖୋଲିପାରନ୍ତା, ନିଦ ଭଙ୍ଗାଇ ଆଣନ୍ତା, ମଣିଷକୁ ତା’ର ଅସଲ ସମ୍ପଦରୂପୀ ସେହି ଚେତନାର ପରିଚୟ ଆଣି ଦିଅନ୍ତା, ଯାହାକି ମନୁଷ୍ୟମାନଙ୍କୁ ଏକ ଶକ୍ତିଯୁକ୍ତ ସମ୍ମାନବୋଧରେ ସଚେତନ କରିଆଣନ୍ତା । ସର୍ବୋପରି, ପାଠପଢ଼ି ଏଠି ସଂପୃକ୍ତ ସମସ୍ତେ ଆଖି ଥିବା ପରି ନିଜର ଚତୁର୍ଦ୍ଦିଗକୁ ଘ୍ରାଣ କରି ପାରନ୍ତେ, ଦେଶ ନାମକ ଏହି ଘରଟିକୁ ସେମାନଙ୍କର ହାତରେ ରହିଥିବା ଅସଲ ପୁଞ୍ଜି ବୋଲି ଅନୁଭବ କରନ୍ତେ, ଏହି ଘରଟିରେ ସେମାନେ ଯାବତୀୟ ଦାୟିତ୍ୱ ବହନ କରିବା ପାଇଁ ସମ୍ମିଳିତ ଭାବେ ପ୍ରସ୍ତୁତ ହୁଅନ୍ତେ । ସର୍ବୋପରି ସାଧୁ ହୁଅନ୍ତେ ଓ ଅସାଧୁମାନେ ଯେତେ ଉଞ୍ଚରେ ଯାଇ ବସିଥିଲେ ମଧ୍ୟ ସେମାନଙ୍କୁ ଅସାଧୁ ବୋଲି ବି କହିପାରନ୍ତେ । ବିଦ୍ୟା ଯେ ବିମୁକ୍ତି ଆଣିଦିଏ, ସେହି ସତ୍ୟଟିକୁ ବଞ୍ଚିପାରନ୍ତେ । ତେବେ ଏଠି ବିଗିଡ଼ି ଯାଇଥିବା ଓ ବିଗିଡ଼ି ଯିବାରେ ଲାଗିଥିବା ବହୁତ କିଛିକୁ ସଜାଡ଼ି ପାରିବାର ବାଟଗୁଡ଼ିକ ମଧ୍ୟ ସେମାନଙ୍କୁ ଦିଶିଯାଇ ପାରନ୍ତା । ଏକଦା ମହାତ୍ମା ଗାନ୍ଧୀ ସେହି କଥାଟିକୁ ହିଁ ଏକ ସାମାଜିକ ବିପ୍ଳବ ବୋଲି କହିଥିଲେ । ରାଜନୀତିକ କ୍ଷମତାର ହସ୍ତାନ୍ତର ପରେ ଯେଉଁମାନେ ଶାସନ ଓ ନେତୃତ୍ୱଗୁଡ଼ିକୁ ଭିତରୁ କିଳି ପକାଇଲେ ଏବଂ ପ୍ରାୟ ହେଣ୍ଡି ମାରି ଏହି କାଳଟାକୁ ଭୋଗ କଲେ, ସେମାନେ ଏକ ମିଛ ଶିକ୍ଷାର କୁହୁଡ଼ି ସୃଷ୍ଟି କରି ପାଠୁଆମାନଙ୍କୁ କୋଢ଼ି କରି ରଖିଲେ । ସେମାନଙ୍କୁ ତେଣେ ହୁଡ଼ାଇ ନେଇଗଲେ । ଆମ ଦେଶର ଏହି ପାଠୁଆମାନେ ସବୁଠାରୁ ଅଧିକ ଦରମା ପାଇ କୋଢ଼ି ହୋଇ ରହିଲେ, ଅପଦାର୍ଥମାନେ ଆମେ ତୁଣ୍ଡରେ କହୁଥିବା ଭାଷାଟାକୁ ହିଁ ଭୁଲିଗଲେ, ତେଣୁ ଏଠି କୋଟି କୋଟି ଆଶାୟୀ ମଣିଷଙ୍କର ଅନ୍ତରର ଭାଷାଟାକୁ ବି ସେମାନେ ଆଉ କୁଆଡ଼ୁ ବୁଝି ପାରିଥାଆନ୍ତେ ? ଏହି ଦେଶରେ ସେମାନଙ୍କ ସମେତ ଏମାନେ ସମସ୍ତେ ଯେ ସମାନ ଭାବରେ ସମ୍ମାନସମ୍ପନ୍ନ ନାଗରିକ, ବାବୁମାନେ ଏବେ ମଧ୍ୟ ସେହି କଥାଟିକୁ ବୁଝିପାରିଲେ ନାହିଁ ।

 

ଚେତନା ଏକ ରାକ୍ଷସ, ଯାହାକୁ କି ଅବଦମିତ କରି ରଖିବାକୁ ଚେଷ୍ଟା କଲେ ଆଦୌ ଅବଦମିତ ହୋଇ ରହେ ନାହିଁ । ସାମାନ୍ୟ ମଞ୍ଜିଟାଏ ମାଟି ଭିତରେ ଯେପରି ଅବଦମିତ ହୋଇ ନରହି ଟାଣ ପଥରକୁ ଫୁଟାଇ ନିଶ୍ଚୟ ପଦାକୁ–ଆଲୋକ ମଧ୍ୟକୁ ବାହାରି ଆସୁଛି, ଚେତନାର କ୍ଷେତ୍ରରେ ସମ୍ଭବତଃ ଠିକ୍ ସେହିପରି ଘଟେ । ହୁଏତ ତାହା ହିଁ ହେଉଛି ବିଧାତା ପୃଥିବୀରେ ଆପଣାକୁ ପରିପୂର୍ଣ୍ଣ କରିବାର ଏକ ଅବଶ୍ୟମ୍ଭାବୀ ରୀତି । ଚେତନା ହେଉଛି ଏକ ସାହସ, ଯାହାକି ମଣିଷକୁ ତଥା ମଣିଷସମୂହକୁ ଆଦୌ ଚିରଦିନ ସକାଶେ ଭୀରୁ ହୋଇ ରହିବାକୁ ଦିଏ ନାହିଁ । ଚେତନା ଏକ ଆତ୍ମଆବିଷ୍କାର, ଯାହାକି କୌଣସି ଚତୁର କର୍ତ୍ତାର କଟକଣା ମାନେନାହିଁ,–ସତେଅବା ଏକ ଅନ୍ତିମସଂକଳ୍ପର ଘୋଷଣା କରି ଆପଣାକୁ ଅଭିବ୍ୟକ୍ତ କରେ ଏବଂ କେତେ କେତେ ସ୍ଥିତାବସ୍ଥାକୁ ଭୁଷୁଡ଼ାଇ ପକାଏ । ଚେତନା ଶୋଷଣ ମାନେ ନାହିଁ । ଭାରତରେ ଯେଉଁ କୋଟି କୋଟି ନାଗରିକଙ୍କୁ ଯାବତୀୟ ନାଗରିକ ସମ୍ଭାବନାରୁ ଅତ୍ୟନ୍ତ ନିର୍ମମ ଭାବରେ ବଞ୍ଚିତ କରି ରଖାଯାଇଛି, ସେମାନଙ୍କର ଚେତନା କ’ଣ ଆଖର ରାକ୍ଷସର ଭୀଷଣ ରୂପ ଧାରଣ କରି ବାହାରକୁ ବାହାରି ଆସିବ ଏବଂ ଏଠାରେ ଦରବାରଗୁଡ଼ାକୁ ଜାରି କରି ରଖିଥିବା ଏହି କତିପୟମାନଙ୍କର ଶାନ୍ତିଭଙ୍ଗ କରିବ ? କେବଳ ଭାରତବର୍ଷରେ ନୁହେଁ, ସମଗ୍ର ପୃଥିବୀରେ ମଧ୍ୟ ସତେ ଯେପରି ସେହିଭଳି ଗୋଟିଏ ପର୍ଯ୍ୟାୟ ଅଚିରେ ଆସନ୍ନ ହୋଇ ଆସିଲାଣି । ପ୍ରାୟ ପ୍ରତ୍ୟେକ ଦିନ ପୃଥିବୀରେ ଏପରି ବହୁ ଘଟଣା ଘଟୁଛି, ଯେଉଁଗୁଡ଼ିକରୁ ସୂଚନା ମିଳିଯାଉଛି ଯେ ଏଥର ମଣିଷ କହିଲେ ସବୁ ମଣିଷଙ୍କୁ ହିଁ ବୁଝାଇବ ଏବଂ ସବୁ ଅଧିକାରକୁ ଆତ୍ମସାତ୍ କରି ବସିଥିବା ଅଳପଙ୍କର ଆଣ୍ଟ ଭାଙ୍ଗିଯିବ । ଜାତି କହିଲେ, ଦେଶ କହିଲେ ଯଦି ଭାରତବର୍ଷରେ ବାସ କରୁଥିବା ସବୁ ମଣିଷଙ୍କୁ ହିଁ ବୁଝାଇବ, ତେବେ ଏହି ଅବିବେକୀ ବାହାନାଗୁଡ଼ାକର ଦ୍ୱାହି ଦେଇ କ’ଣ ପାଇଁ କୋଟି କୋଟି ମଣିଷକୁ ଧୋକା ଦିଆଯାଉଥିବ ଓ ସେମାନଙ୍କୁ ବଞ୍ଚିତ କରି ମିଛ ପ୍ରତିମାମାନଙ୍କର ପ୍ରଦର୍ଶନ ଲାଗି ରହିଥିବ ?

 

ନୂଆ ଚେତନା କହୁଛି, ଯଦି ବିକାଶ ହେବ, ତେବେ ସେହି ପ୍ରକ୍ରିୟାରେ ସଂପୃକ୍ତ ସମସ୍ତେ ହିଁ ଅଂଶଗ୍ରହଣ କରିବେ । ଯିଏ ମାଟିକୁ ତାଡ଼ି ଖଣି ଖୋଳିବାକୁ ଯାଉଛି ଓ ଯାହା ଘରତଳ ଭୂମିରେ ସେହି ଖଣି ଖୋଳା ହେବାକୁ ଯାଉଛି, ସେମାନେ ଉଭୟ ପକ୍ଷ ଏକାଠି ବସିବେ ଓ ଫଇସଲାମାନ ବାହାର କରିବେ । ପାଠୁଆ ଶାସକ ଆଉ କେଉଁମାନଙ୍କୁ ଅପାଠୁଆ ଦେଖି କଦାପି ଫାଙ୍କି ଦେଇ ଖାଲି ତାହାରି କାଗଜଗୁଡ଼ାକୁ ବେଦର ଗାର ବୋଲି କଦାପି ଚଳାଇ ନେଇପାରିବ ନାହିଁ । ଅସତ୍ୟ ପଟଟା ଇତିହାସର ପ୍ରାୟ ସେହି ଆଦିକାଳରୁ ସତ୍ୟମାନଙ୍କୁ ଅସ୍ତ୍ରର ଧମକ ଦେଖାଇ ଆସିଛି । ଅସତ୍ୟ ପଟେ ରହିଥିବା ଶାସକମାନେ ଚିରଦିନ କୋଟି କୋଟି ନିଷ୍ପାପ ମଣିଷଙ୍କୁ ଭୋକିଲା ରଖି ପୃଥିବୀରେ ସେହି ଅସ୍ତ୍ରମାନଙ୍କୁ ତିଆରି କରିଆସିଛି ଏବଂ ବୁଦ୍ଧିଆ ବର୍ବରମାନେ ବିଜ୍ଞାନର ଦ୍ୱାହି ଦେଇ ସେମାନଙ୍କ ପାଖରେ ଗୋଲାମୀ କରି ଆସିଛନ୍ତି । ତଥାପି, ପୃଥିବୀରେ ମଣିଷମାନେ ହିଁ ଜିତିଛନ୍ତି । ମଣିଷମାନେ ହିଁ ଜିତିଛନ୍ତି, ତେଣୁ ଧର୍ମ ହିଁ ଜିତିଛି । ବୋମା ଓ ବନ୍ଧୁକମାନେ ସତେ ଅବା ଖତ ହୋଇ ଯାଇଛନ୍ତି । ଚେତନସରଳ ମଣିଷମାନେ ଚିରଦିନ ବୋମା ଓ ବନ୍ଧୁକ ଆଗରେ ଛିଡ଼ା ହେବାକୁ ବାହାରି ପଡ଼ିଛନ୍ତି । ଏବଂ ଭଗବାନଙ୍କର ଆଶୀର୍ବାଦ ନିରନ୍ତର ସେମାନଙ୍କର ପଟେ ରହିଛି-। ଗୁମ୍ଫାମାନେ ପଛରେ ପଡ଼ି ରହିଛନ୍ତି ଏବଂ ଗୁମ୍ପାମୁକ୍ତ ସଚେତନମାନେ ଯୁଗଗୁଡ଼ାକୁ ବନ୍ଧ ପରେ ବନ୍ଧ ଡିଆଁଇ ନେଇଛନ୍ତି । ପୃଥିବୀର ସବୁଯାକ ରାକ୍ଷସ ସେହି ଚେତନା ରାକ୍ଷସଠାରୁ ପରାଜୟ ହିଁ ସ୍ଵୀକାର କରିଛନ୍ତି । ଭାରତବର୍ଷରେ କିଏ କାହାପଟେ ରହିବ, ସେହି ଅନୁସାରେ ହିଁ ତା’ର ଭାଗ୍ୟମୀମାଂସା ହେବ । ଅଧିକ ଜ୍ଞାନ, ଯଥାର୍ଥ ଜ୍ଞାନ, ଆମକୁ ସାହସର ପଟକୁ ହିଁ ଆକର୍ଷିତ କରି ନେଇଯିବ । ଅସଲ ଶ୍ରଦ୍ଧା, ଯଥାର୍ଥ ଶ୍ରଦ୍ଧା, ଆମକୁ ସଚେତନ ଭାବରେ ସର୍ବମନୁଷ୍ୟ ସହିତ ହିଁ ଗଅଁଠାଇ ରଖିଥିବ ।

 

୧୩.୮.୦୧

☆☆☆

 

ମୌଳିକ ଶିକ୍ଷା

 

ଭାରତ ସ୍ୱାଧୀନ ହେବାର ଛଅମାସ ପୂରୁପୂରୁ ଗାନ୍ଧିଜୀ ପୃଥିବୀରୁ ବିଦାୟ ନେଇଥିଲେ ଏବଂ ସମ୍ଭବତଃ ସେହି ଘଟଣାଟି ପରେ ଆମ ଦେଶରେ ଗାନ୍ଧୀ ନିଶାଟା ସଂପୃକ୍ତ ବହୁତଙ୍କୁ ଖୁବ୍ ଘାରିଲା । ଗାନ୍ଧୀଙ୍କ ନାମରେ ପଇତା ପକାଇଥିବା ରାଷ୍ଟ୍ରଶାସକମାନଙ୍କୁ ବିଶେଷ ଭାବରେ ଘାରି ପକାଇଲା । ଗାନ୍ଧୀଙ୍କର ଫଟୋସବୁ ସରକାରୀ ଦପ୍ତର ଭିତରେ କାନ୍ଥମାନଙ୍କରେ ଶୋଭା ପାଇଲା-। ନ୍ୟାୟାଳୟମାନଙ୍କରେ, ପୋଲିସମାନଙ୍କ ଥାନାରେ ଓ ଏପରିକି ଜେଲ୍‍ଖାନାରେ ବାବୁମାନଙ୍କର ମୁଣ୍ଡ ଉପରେ ଫଟୋଗୁଡ଼ିକ ଝୁଲିବା ସରକାରୀ ନିୟମରେ ପରିଣତ ହେଲା । ସକଳ ଅର୍ଥରେ ଆମ ନୂଆ ଶାସକମାନେ ଫଟୋ ସନ୍ତକମାନ ରଖିଲେ ଏବଂ ପ୍ରାୟ ଏକ ନିର୍ମଳ ବିବେକ ସହିତ ଗାନ୍ଧୀଙ୍କୁ ବିଦାଦେଲେ । ସ୍ୱାଧୀନ ଭାରତବର୍ଷର ସାମୂହିକ ବିଧାନଗୁଡ଼ିକ କିପରି ହେବ, ସ୍ଵାଧୀନତାସଂଗ୍ରାମ ଚାଲିଥିବା ସମୟରୁ ମହାତ୍ମା ଗାନ୍ଧୀ ସେସବୁ ବିଷୟରେ କେତେ କଥା କହିଥିଲେ । ସମ୍ଭବତଃ ସଂଗ୍ରାମ ବିଷୟରେ ଯେତେ କହିଥିଲେ, ପରବର୍ତ୍ତୀ ନୂଆ ରଚନାଟି ବିଷୟରେ ତା'ଠାରୁ ଅନେକ ଅଧିକ କହିଥିଲେ । କିନ୍ତୁ ସ୍ୱାଧୀନତା ପରେ ଆମ ରାଷ୍ଟ୍ର ଶାସନ ନାମକ ନେତୃତ୍ୱଟି ଗାନ୍ଧୀଙ୍କ ନାମରେ ଏପରି ଏକ ସମ୍ଭ୍ରମପରିପୂର୍ଣ୍ଣ କୁହୁଡ଼ି ଚାରିଆଡ଼େ ସୃଷ୍ଟି କରି ରଖିଲା ଯେ, ସତକୁସତ ଯେ ଏହି ଦେଶରେ ଗାନ୍ଧୀର ଯାବତୀୟ ମାର୍ଗ ପାଇଁ କବାଟ କିଳି ଦିଆଯାଉଛି ଏବଂ ଆଉ କିଛି ଏକାବେଳେକେ ଭିନ୍ନ ନକ୍‍ସା ଅନୁସାରେ ଯେ ଅନ୍ୟଖୁଣ୍ଟାମାନ ପଡ଼ିବାକୁ ଯାଉଛି, ସେ କଥା ଶାସନ ବାହାରେ ରହି ସାଧୁର ଜୀବନଯାପନ କରୁଥିବା ଗାନ୍ଧୀମାର୍ଗୀମାନେ ବି ବୁଝି ପାରିଲେ ନାହିଁ । ସେମାନଙ୍କର ମୋହଭଙ୍ଗ ହେବା ବେଳକୁ ବହୁତ ବିଳମ୍ବ ହୋଇ ଯାଇଥିଲା । ତେଣୁ, ସେମାନେ ଆଉ କିଛି କରି ପାରିଲେ ନାହିଁ । କାଳକ୍ରମେ ବୁଢ଼ା ବି ହୋଇ ଯାଇଥିଲେ ଏବଂ ସେମାନଙ୍କ ଅନ୍ତେ ମହୁଡ଼ଟିକୁ ରକ୍ଷା କରିବାକୁ ସେମାନେ ପଛଧାଡ଼ି ରୂପେ କାହାରିକୁ ତିଆରି କରି ନଥିଲେ । ହାଁ, ହାଁ, ଏସବୁ ଅନାଚରଣୀୟ କଥାମାନ କାହିଁକି କରୁଛ ବୋଲି କହିବାକୁ ବଳ ନଥିଲା । ତେଣୁ ଗାନ୍ଧୀ ଅସ୍ତ୍ର ସତ୍ୟାଗ୍ରହର ଚିନ୍ତା କରିବାକୁ ମଧ୍ୟ ସେମାନେ ଆଉ କିପରି ସାହସ କରିଥାନ୍ତେ ?

 

ସ୍ୱାଧୀନ ଭାରତବର୍ଷର ଶିକ୍ଷା ପ୍ରତ୍ୟେକ ଭାରତୀୟକୁ ଜଣେ ସନ୍ଦୀପିତ ନାଗରିକ ହେବା ନିମନ୍ତେ ଆବଶ୍ୟକ ପ୍ରତ୍ୟୟ ତଥା ପରିବେଶଗୁଡ଼ିକୁ ଯୋଗାଇ ଦେବ, ସେଥିଲାଗି ମହାତ୍ମା ଗାନ୍ଧୀ ସ୍ଵାଧୀନତା ଆସିବାର ଦଶବର୍ଷ ପୂର୍ବରୁ ହିଁ ଏକ ପ୍ରାୟ ପୂର୍ଣ୍ଣାବୟବ ଯୋଜନାର ସମଗ୍ର ରୂପରେଖଗୁଡ଼ିକୁ ସ୍ଥିର କରି ଦେଇଥିଲେ । ସେହି ଯୋଜନାକୁ ଆବଶ୍ୟକ ବିସ୍ତାର ଦେଇ ଦେଶବାସୀଙ୍କର ମାନସ-ରାଜ୍ୟରେ ସେଥିପାଇଁ ଏକ ଭିତ୍ତିଭୂମି ସୃଷ୍ଟି କରି ରଖିବାକୁ ସିଏ ପରବର୍ତ୍ତୀ ସୋପାନଗୁଡ଼ିକୁ ଠାବ କରି ଦେବା ସକାଶେ ସେହି ସମୟରେ ଜଣେ ବିଶିଷ୍ଟ ଶିକ୍ଷାବିତ୍ ଡକ୍ଟର ଜାକିର ହୁସେନଙ୍କ ନେତୃତ୍ୱରେ ଗଠିତ ଗୋଟିଏ କମିଟିକୁ ଦାୟିତ୍ୱ ମଧ୍ୟ ଦେଇଥିଲେ । ଆମେ ଆଗ୍ରହ କଲେ ଷାଠିଏ ବର୍ଷ ତଳର ସେହି ଚିଠାଟିକୁ ଏବେ ମଧ୍ୟ ପଢ଼ି ପାରିବା ଓ ଆଗକୁ ଚିନ୍ତା କରି ପାରିବା । ତେବେ ବର୍ତ୍ତମାନ ଶିକ୍ଷା କ୍ଷେତ୍ରର ଅରାଜକତାକୁ ଦେଖି ଅତ୍ୟନ୍ତ ଭାବପ୍ରବଣ ଭାବରେ ବିଳାପ କରି ମୌଳିକ ଶିକ୍ଷାକୁ ଝୁରି ହେବାର ଆଉ କୌଣସି ଅବକାଶ ହିଁ ରହିବ ନାହିଁ । ସତକୁସତ କିଛି ନୂଆ ପାଇଁ ସାହସ କରୁଥିବା ବ୍ୟକ୍ତି ମୋଟେ ଝୁରି ହୁଏ ନାହିଁ । ହୁଏତ ଯାବତୀୟ ଝୁରି ହେବା ପଶ୍ଚାତରେ ଏକ ଅସାଧୁତା ବି ରହିଥାଏ, ଯାହାକି ସଂପୃକ୍ତ ମନୁଷ୍ୟଟିକୁ ଏହିପରି ଝୁରି ହେବାରୁ ସାନ୍ତ୍ୱନା ଲାଭ କରି ଆଦୌ କେବେ କିଛି ଆରମ୍ଭ ନ କରିବା ପାଇଁ ପ୍ରଶ୍ରୟ ଦେବାରେ ଲାଗିଥାଏ ।

 

ଗାନ୍ଧୀ ବିଚାରରେ ମୌଳିକ ଶିକ୍ଷାର ସର୍ବପ୍ରଥମ କଥା ହେଉଛି ତିନୋଟି । ପ୍ରଥମତଃ ସେହି ଯୋଜନାରେ ଛଅରୁ ଚଉଦବର୍ଷ ପର୍ଯ୍ୟନ୍ତ ପୁଅଝିଅ ସବୁ ପିଲାଙ୍କୁ ଅନ୍ତର୍ଭୁକ୍ତ କରାଯିବ । ଅର୍ଥାତ୍ ଗାଆଁର ମୌଳିକ ବିଦ୍ୟାଳୟରେ ସବୁ ପିଲା ଏକାଠି ପାଠ ପଢ଼ିବେ । ଏକା ପାଠ ପଢ଼ିବେ-। କୌଣସି ପାତର ଅନ୍ତର ରହିବ ନାହିଁ, ଜାତିବିଷୟକ କୌଣସି ଭେଦ ରହିବ ନାହିଁ । ଦ୍ୱିତୀୟତଃ, ଶିକ୍ଷାର ମାଧ୍ୟମ ମାତୃଭାଷା ହେବ । ମାତୃଭାଷା ଅର୍ଥାତ୍‍ ପିଲା ନିଜର ମାଆ ସହିତ ଯେଉଁ ଭାଷାରେ କଥାବାର୍ତ୍ତା ହୁଏ, ସେହି ଭାଷା ଏବଂ ତୃତୀୟ କଥା ହେଉଛି, ଯାବତୀୟ ଶିକ୍ଷା କୌଣସି ଗୋଟିଏ କର୍ମର ମାଧ୍ୟମରେ ହିଁ ପ୍ରଦାନ କରାଯିବ । କର୍ମକୁ ମାଧ୍ୟମ କରି ପିଲାମାନେ ବିଜ୍ଞାନ, ଭୂଗୋଳ, ଗଣିତ ବା ଆଉ ଯାବତୀୟ ବିଷୟ ଅଧ୍ୟୟନ କରିବେ । ଏହି ମୂଳ କଥାଗୁଡ଼ିକ ବିଷୟରେ କିଞ୍ଚିତ୍‍ ଅଧିକ ଆଲୋଚନା କରିବାକୁ ଯାଇ ଆମେ ଏହି ଶେଷ କଥାଟିକୁ ଆରମ୍ଭ କରିବା । ଭାରତୀୟ ସମାଜରେ ପାରମ୍ପରିକ ଭାବରେ ଶରୀରଶ୍ରମ ବିଷୟରେ ଯେଉଁ କୁଣ୍ଠାପୂର୍ଣ୍ଣ ଧାରଣାମାନ ରହିଛି, ମୌଳିକ ଶିକ୍ଷା ସେଇଟି ଉପରେ ଅତ୍ୟନ୍ତ କଠୋର ଆଘାତ କରିବାକୁ ଇଚ୍ଛା କରିଥିଲା । ତଥାପି, ଧନ୍ଦାକୁ ଶିକ୍ଷାର ମାଧ୍ୟମ ରୂପେ ବ୍ୟବହାର କରିବା ପଛରେ ଆହୁରି ଅଧିକ କେତେ ଅଭିପ୍ରାୟ ମଧ୍ୟ ନିହିତ ହୋଇ ରହିଥିଲା । ଭାରତବର୍ଷରେ କେତେ ଲୋକ ବା କେତୋଟି ଶ୍ରେଣୀ ବାଧ୍ୟ ହୋଇ ଶରୀରଶ୍ରମ କରି ଆସିଛନ୍ତି । ସେମାନେ ଦରିଦ୍ର ହୋଇ ରହିଛନ୍ତି, ଅସ୍ପୃଶ୍ୟ ହୋଇ ରହିଛନ୍ତି, ହେୟ ହୋଇ ରହି ଆସିଛନ୍ତି । ସମାଜର ଉଚ୍ଚସ୍ତରମାନଙ୍କରେ ବାବୁମାନେ, ମୂଲିଆମାନଙ୍କଦ୍ୱାରା ସବୁ କାମ କରାଇ ନେଇଛନ୍ତି ଏବଂ ଆପଣାକୁ ଉଚ୍ଚସ୍ତରର ବୋଲି ଘୋଷଣା କରିଛନ୍ତି । ସ୍ୱାଧୀନ ଭାରତରେ ଏହି ଅପସଂସ୍କୃତିଟିର ମେରୁଦଣ୍ଡଟିକୁ ଶିକ୍ଷାର ମାଧ୍ୟମରେ ଭାଙ୍ଗି ଦେବା ନିମନ୍ତେ ମୌଳିକ ଶିକ୍ଷାର ଚିନ୍ତା କରା ଯାଇଥିଲା । ପୁନଶ୍ଚ, ପାଠ୍ୟ ବିଷୟଗୁଡ଼ିକୁ ଜୀବନ ସହିତ ସଂପର୍କିତ କରି ପିଲାକୁ ଶିକ୍ଷା ଦିଆଯିବ ବୋଲି ଏକ ଆଧୁନିକ ବିଚାର ମଧ୍ୟ ଏହି କ୍ଷେତ୍ରରେ ପ୍ରଚ୍ଛନ୍ନ ହୋଇ ରହିଥିଲା । ପାଠ ପଢ଼ିଥିବା ମଣିଷମାନେ ପାଠୁଆ ବୋଲାଇବା ନିମନ୍ତେ କିପରି ଯେ ଜୀବନଯାକ କୋଢ଼ି ହୋଇ ରହନ୍ତି, ଏବେ ଭାରତବର୍ଷରେ ଧୋବମାନଙ୍କୁ ଚାହିଁ ଦେଖିଲେ ଆମେ ସେହି କଥାଟିକୁ ସହଜରେ ଅବଶ୍ୟ ବୁଝି ପାରିବା । ମୌଳିକ ଶିକ୍ଷା ସେଇଟା ବିରୋଧରେ ଷଡ଼ଯନ୍ତ୍ର କରିବା ପାଇଁ ଇଚ୍ଛା କରିଥିଲା ।

ଆମ ଦେଶରେ ଶିକ୍ଷିତମାନେ ହିଁ ଅଧିକ କୋଢ଼ି, ଅଧିକ କୁଣ୍ଠିତ, ଅଧିକ ଉଦାସୀନ ଏବଂ ଅଧିକ ବିବେକହୀନ । ସେହିମାନେ ଦେଶକୁ ଆମ ଶାସନର ଭିନ୍ନ ଭିନ୍ନ ପାହାଚରେ ଶାସନ କରୁଛନ୍ତି ଏବଂ ତେଣେ ସୂତର କରି ଅଧିକରୁ ଅଧିକ ଦରମା ସ୍ୱୟଂ ଗଣି ନେବାର ବରାଦ କରି ଦେଇଛନ୍ତି । ଏହି ଦେଶକୁ ଉପରେ ଲଦି ହୋଇ ଶୋଷଣ କରୁଛନ୍ତି । ଦେଶବାସୀ ସାଧାରଣଙ୍କୁ ଘୃଣା କରୁଛନ୍ତି ଏବଂ ଏକ ଖଳ ତଦନୁରୂପ ବ୍ୟବସ୍ଥାଦ୍ୱାରା ସାଧାରଣଙ୍କର ଭାଗ୍ୟ ମୀମାଂସାଗୁଡ଼ିକର କ୍ଷେତ୍ରରେ ମଙ୍ଗରାଜ ହୋଇ ବସିଛନ୍ତି ଏବଂ ଏହି ଅନାଚାରଟାକୁ ଜାରି କରି ରଖିବାରେ ସେମାନେ ଇଂରାଜୀ ଭାଷାକୁ ସ୍ୱତନ୍ତ୍ର ଭାବରେ ଆପଣାର ଅସ୍ତ୍ର ରୂପେ ବ୍ୟବହାର କରୁଛନ୍ତି ଏବଂ ଦେଶର ତିନି ଚଉଠ ମଣିଷଙ୍କ ସକାଶେ ବିଦେଶୀ ହୋଇ ରହିଛନ୍ତି । ସ୍ୱାଧୀନ ଭାରତରେ ପରାଧୀନ ହୋଇ ରହିଥିବା ସମୟର ଦୂରତାମାନଙ୍କୁ ଜାରି କରି ରଖିଛନ୍ତି । ମୌଳିକ ଶିକ୍ଷା ଘୋଷଣା କରିଥିଲା ଯେ ପ୍ରାଥମିକ ସ୍ତରରେ ମାତୃଭାଷା ହିଁ ଶିକ୍ଷାର ମାଧ୍ୟମ ହୋଇ ରହିବ । ପୃଥିବୀରେ ଉନ୍ନତ ଦେଶଗୁଡ଼ିକରେ ପ୍ରାଥମିକ ବିଦ୍ୟାଳୟରେ ମାତୃଭାଷା ମାଧ୍ୟମ ହୋଇ ରହିଛି । ମାତୃଭାଷାରେ ହିଁ ଜୀବନର ସକଳ ସାମୂହିକ ବିଚାରାନୁମାନର ମୂଳଦୁଆ ପଡ଼ୁଛି । ମୂଳଦୁଆ ଦମ୍ଭ ହୋଇ ରହିଛି । ମଣିଷମାନଙ୍କ ଭିତରେ ସଂହତି ରହିଛି । ଯେଉଁ ମାଟିଟି ଉପରେ ମଣିଷମାନେ ଛିଡ଼ା ହୋଇଛନ୍ତି, ସେହି ମାଟି ପ୍ରତି ଏକ ମୂଳଭୂତ ଶ୍ରଦ୍ଧାଦ୍ୱାରା ଜୁଆ ହୋଇ ସଂପୃକ୍ତ ସମସ୍ତେ ନିଜ ଜୀବନଟିର ଗଠନ କରୁଛନ୍ତି । ସେମାନେ କାହାକୁ ଧୋକା ଦେଉ ନାହାନ୍ତି । ନିଜର ଉନ୍ନତିବିଧାନକୁ ଅନ୍ୟ ସମସ୍ତଙ୍କ ଉନ୍ନତି ବିଧାନର ପରିପୂରକ ବୋଲି ହୃଦୟଙ୍ଗମ କରି ପାରୁଛନ୍ତି । ସ୍ୱାଧୀନତାର ଦୀର୍ଘ ପଚାଶ ବର୍ଷ ପରେ ମଧ୍ୟ ଭାରତବର୍ଷରେ ଆମେ ଶିକ୍ଷା କ୍ଷେତ୍ରରେ ଏହି ବିଷୟରେ ମନ ଥିର କରି ପାରିଲେ ନାହିଁ-। ତେଣୁ, ଥୋକେ ମଣିଷ ଏଠି ବଡ଼ ଭୂଇଁଛଡ଼ା ହୋଇ ରହିଲେ । ଦେଶର ଅତ୍ୟନ୍ତ ଦୁର୍ଭାଗ୍ୟ ଯେ ଏହି ଥୋକେ ମଣିଷ ହିଁ ଉପରେ ରହି ଦେଶକୁ ଶାସନ କରୁଛନ୍ତି, ଆମରି ମାଟିରେ ବଢ଼ିଥିଲେ ମଧ୍ୟ ମାଟିଟାକୁ ନିଜର ବୋଲି ଭାବୁ ନାହାନ୍ତି । ଏକ ସଂଗ୍ରାମଦ୍ୱାରା ଦେଶ ଯେଉଁ ମାଲିକମାନଙ୍କୁ ନିକାଲି ସ୍ୱାଧୀନ ହୋଇଛି, ଏମାନେ ସତେ ଯେପରି ଅନନ୍ତ କାଳ ନିମନ୍ତେ ଏଠାରେ ସେହିମାନଙ୍କର ପ୍ରତିନିଧି ହୋଇ ରହିବାକୁ ଫଇସଲା କରିଛନ୍ତି । ଦେଶର ସବୁ ପିଲା ପ୍ରାଥମିକ ସ୍ତରରେ ଅବଶ୍ୟ ବିଦ୍ୟାଳୟକୁ ଆସିବେ, ଏକଦା ମୌଳିକ ଶିକ୍ଷା ହିଁ ସେହି କଥାଟିକୁ ଦାବି କରିବାର ସାହସ କରିଥିଲା । ସାଆନ୍ତମାନେ ସଉକ କରି ସିନା ସବୁ ପିଲା ପରବର୍ତ୍ତୀ ଏତେ ବର୍ଷ ମଧ୍ୟରେ ବିଦ୍ୟାଳୟକୁ ଆସିବେ ବୋଲି ସମ୍ବିଧାନରେ ଲେଖି ପକାଇଥିଲେ, ମାତ୍ର ସେହି ଲକ୍ଷ୍ୟଟି ପୂରଣ ହେବା ନିମନ୍ତେ ଏବେ ମଧ୍ୟ ବହୁତ ବାଟ ବାକି ରହିଛି । ଦେଶର ଶାସନ ଏଭଳି ସର୍ବନାଶକାରୀ ମୋଗଲମାନଙ୍କ ହାତରେ ପଡ଼ିଛି ଯେ, ତଦ୍ଦ୍ୱାରା ଶହେରେ ଦଶ ବା ପନ୍ଦର ଜଣ ମଣିଷ ଏଠି ଭୂଆଙ୍କ ପରି ସବୁକିଛି ଭୋଗ କରୁଛନ୍ତି, ଅଥଚ ସବୁପିଲାଙ୍କ ପାଇଁ ନିମ୍ନତମ ଶିକ୍ଷାର ବ୍ୟବସ୍ଥା ନିମନ୍ତେ ପଇସା ହୋଇ ପାରୁନାହିଁ । ଏବଂ, ସବୁପିଲା ଇସ୍କୁଲକୁ ଆସିବାର ଅଧିକାର ନ ପାଇବା ପର୍ଯ୍ୟନ୍ତ ଦେଶ ଗ୍ରହଣ କରି ନେଇଥିବା ଗଣତନ୍ତ୍ରଟା ମଧ୍ୟ ବର୍ତ୍ତମାନ ପରି ମାଡୁଆ ହୋଇ ରହିଥିବ ଅର୍ଥାତ୍ ଅତି ଅଳପ ମଣିଷ ପ୍ରାୟ ସବୁଯାକ କ୍ଷମତା ମାଡ଼ି ବସିଥିବେ ଓ ସକଳ ଅର୍ଥରେ ଏକ ଗଡ଼ଜାତି ଶାସନକୁ କାୟମ କରି ରଖିଥିବେ । ସବୁପିଲା ପାଠ ପଢ଼ି ପାରିଲେ ହିଁ ଏଠି ତାହାରି ଫଳରେ ପ୍ରତ୍ୟେକ ଭାରତବାସୀ ଆପଣାକୁ ପୂର୍ଣ୍ଣବଳ ନାଗରିକ ରୂପେ ଅନୁଭବ କରି ଶିଖିବେ । ଏଠି କରାଯାଉଥିବା ଦୁନିଆଯାକ ଅନ୍ୟାୟ ଆଗରେ ମୁହଁ ଖୋଲିବେ, ପ୍ରତିବାଦ କରିବେ ଓ ପ୍ରତିକାର ଲୋଡ଼ିବେ । ଶୋଷଣର ପ୍ରତିରୋଧ କରିବେ । ପୁନଶ୍ଚ, ପ୍ରାଥମିକ ସ୍ତରରେ ଦେଶର ସବୁପିଲା ଗୋଟିଏ ଭଳି ପାଠ ବି ପଢ଼ିବେ । ଅର୍ଥାତ୍ ପଇସା ଅନୁସାରେ ସତର ଭଳି ପାଠପଢ଼ା ହେବାରେ ଫିସାଦ କରି ଦେଶଟାକୁ ସତର ଥାକ କରି ଆଦୌ ରଖାଯିବ ନାହିଁ । ସମସ୍ତେ ସୁଯୋଗ ପାଇବେ, ପ୍ରତିଭା ଅନୁସାରେ ଆଗକୁ ଯାଇ ପାରିବେ । ସହରରେ ତଥା ଗାଆଁରେ ସମସ୍ତେ ଇଜ୍ଜତର ସହିତ ଶିକ୍ଷା ଲାଭ କରିବେ, ଇଜ୍ଜତର ସହିତ ମଣିଷ ହେବେ ଏବଂ ତେବେ ଯାଇ ସେମାନେ ଇଜ୍ଜତର ସହିତ ନିଜକୁ ସର୍ବୋତ୍ତମ ଭାବରେ ଏହି ଭୂମିର ଉଦୟ ଏବଂ ଅଗ୍ରଗତିରେ କାମରେ ଲଗାଇ ପାରିବେ ।

ତେଣୁ, ମୌଳିକ ଶିକ୍ଷାର ବିଚାରଟି ମୂଳତଃ ଏଠି ପୁରୁଣାଗୁଡ଼ାକୁ ଭାଙ୍ଗି ଏକ ନୂଆ ସମାଜ ଅର୍ଥାତ୍ ନୂଆ ସଂହତିକୁ ନିର୍ମାଣ କରିବାର ସଂକଳ୍ପ ବହନ କରିବାର ଶିକ୍ଷା । କେବଳ ସାହସୀମାନେ ହିଁ ଏହି ଶିକ୍ଷାକୁ ଗ୍ରହଣ କରିବାର ସାଧୁତା ଦେଖାଇ ପାରିବେ । ଗତ ପଚାଶ ବର୍ଷର ଆମ ଇତିହାସ କହିବ ଯେ ସ୍ଵାଧୀନତାପରେ ଏକାଧିକ ବିଡ଼ମ୍ବନା ହେତୁ ମୁଖ୍ୟତଃ ଗୋଲାମ ଓ ଭୀରୁମାନେ ହିଁ ଏଠାରେ ଶାସନ ଏବଂ ନେତୃତ୍ୱର ରଜ୍ଜୁଗୁଡ଼ିକୁ ଯାବୁଡ଼ି ରଖିଛନ୍ତି । ମଣିଷଙ୍କୁ, ସବୁ ମଣିଷଙ୍କୁ ମୂଳରେ ଥାପି ଏଠି ଏ ପର୍ଯ୍ୟନ୍ତ ପ୍ରାୟ କିଛି ହେଲେ ହୋଇନାହିଁ । ଶିକ୍ଷିତମାନେ ଖଣ୍ଟ ଭଳି ଆଚରଣ କରୁଛନ୍ତି । ଆମେ ଯେଉଁମାନେ ନିଜେ ଖଣ୍ଟ ହେବାକୁ ସତକୁସତ ମନ ନକରୁଥିବା, ଏହି ଦେଶଟା ଖଣ୍ଟଙ୍କ କବଳରେ ପଡ଼ି ଉଜୁଡ଼ି ନ ଯାଉ ବୋଲି ଯେଉଁମାନେ ପ୍ରକୃତରେ ଚାହୁଥିବା, ଆମେ ସେଇମାନେ ହୁଏତ ଆହୁରି ଅଧିକ ଆନ୍ତରିକତା ସହିତ ମୌଳିକ ଶିକ୍ଷାକୁ ବୁଝିବା ଲାଗି ଇଚ୍ଛା କରିବା । ଏକ ବିକାଶଶୀଳ ଦେଶରେ ଶିକ୍ଷାକ୍ଷେତ୍ରରେ ବିପ୍ଳବକୁ ଏକାଧିକ ଅର୍ଥରେ ଏକ ରାଜନୀତିକ ବିପ୍ଳବ ବୋଲି ଅବଶ୍ୟ କୁହାଯାଇ ପାରିବ ।

 

୨୮.୮.୦୧

☆☆☆

 

ଓଡ଼ିଶାରେ ମୌଳିକ ଶିକ୍ଷା

 

ପରାଧୀନ ଭାରତର ଶିକ୍ଷାନୀତିଟାକୁ ସ୍ୱାଧୀନ ଭାରତରେ ଯେ ମୋଟେ ଚଳାଇ ହେବନାହିଁ, ଦେଶ ସ୍ୱାଧୀନ ହେବାରୁ ଆଗକୁ ଏକ ସୁଖୀ ଏବଂ ସନ୍ଦୀପିତ ଭାରତର ସ୍ୱପ୍ନ ଦେଖୁଥିବା କାହାରି ହେଲେ ସେଥିରେ କୌଣସି ଦ୍ଵିମତ ନଥିଲା । ଦେଶକୁ ସ୍ୱାଧୀନତା ଆସିବାଦ୍ଵାରା ଯେଉଁମାନେ କାଳ ପରି ଏଇଟା କାହିଁକି ଆସିଲା ବୋଲି ପ୍ରମାଦ ଗଣୁଥିଲେ, ସେମାନଙ୍କ କଥା ଅବଶ୍ୟ ଭିନ୍ନ ହେବା ହିଁ ଅତ୍ୟନ୍ତ ସ୍ଵାଭାବିକ ଥିଲା । ସେମାନେ ବ୍ରିଟିଶ ଅମଳରେ ତତ୍କାଳୀନ ଯନ୍ତ୍ରଟାଦ୍ଵାରା ନାନାଭାବେ ଉପକୃତ ହେଉଥିଲେ । ଏହି ଭୂମିରେ ନାନାବିଧ ନ୍ୟସ୍ତସ୍ଵାର୍ଥର ପ୍ରତିନିଧିତ୍ୱ କରୁଥିଲେ । ସେମାନଙ୍କର ସମୟଟା ଏଣିକି ସରି ଆସିବ ବୋଲି ବଡ଼ ଭୟ କରୁଥିଲେ-। ଶାସନକାଳର ସବାଉଞ୍ଚ ଥାନ ଓ ଅଥାନମାନଙ୍କରେ ସେହିମାନେ ପସରାଗୁଡ଼ିକୁ ଆବୋରି ରଖିଥିଲେ । ବ୍ରିଟିଶ ଅମଳର ଶିକ୍ଷା ଭାରତୀୟମାନଙ୍କୁ ନପୁଂସକ କରି ପକାଉଛି ବୋଲି ମହାତ୍ମା ଗାନ୍ଧୀ ସ୍ଵାଧୀନତା ଆସିବା ପୂର୍ବରୁ ହିଁ କେତେଥର କହି ସାରିଥିଲେ । ଏବଂ, ଅତ୍ୟନ୍ତ ସ୍ପଷ୍ଟକଥା ଯେ, ସ୍ଵାଧୀନତା ପରେ କୌଣସି ସରକାର ଏଠି ଲୋକମାନେ ତଥାପି ନପୁଂସକ ହୋଇ ରହନ୍ତୁ ବୋଲି ଇଚ୍ଛା କରିନଥାଆନ୍ତେ ମାତ୍ର, ଶିକ୍ଷାରେ ଯାବତୀୟ ପରିବର୍ତ୍ତନ ଲାଗି କାର୍ଯ୍ୟାରମ୍ଭ କରିବା ପୂର୍ବରୁ ଆବଶ୍ୟକ ଭିତ୍ତିଭୂମିଗୁଡ଼ିକୁ ଅବଶ୍ୟ ତିଆରି କରାଯାଇଥାଆନ୍ତା । ଲୋକମାନସରେ ସେଥିପାଇଁ ଏକ ଅନୁକୂଳ ହାଉଆ ସୃଷ୍ଟି ହୋଇଥାନ୍ତା । ସର୍ବୋପରି ଏକ ସାମାଜିକ ନୂତନ ବ୍ୟବସ୍ଥାକୁ ଆମନ୍ତ୍ରିତ କରି ଆଣିବା ନିମନ୍ତେ ଆନୁଷଙ୍ଗିକ ଅନ୍ୟ ଏକାଧିକ ପଦକ୍ଷେପମାନ ଗ୍ରହଣ କରାଯାଇ ଥାଆନ୍ତା, ଯାହାଦ୍ୱାରା କି ଦେଶର ଶାସନ ସତକୁସତ ସେହି ପରିବର୍ତ୍ତନଗୁଡ଼ିକ ସମ୍ଭବୁ ବୋଲି ଯେ କ୍ରିୟାଶୀଳ ଭାବରେ ଇଚ୍ଛା କରୁଛି, ଲୋକସ୍ତରରେ ସେହିଭଳି ଏକ ପ୍ରତ୍ୟୟ ଜନ୍ମି ପାରିଥାନ୍ତା-। ଏବଂ, ସର୍ବପ୍ରଥମ ଚାକ୍ଷୁସ ପ୍ରମାଣ ରୂପେ ଅମଲାତନ୍ତ୍ରର ସମଗ୍ର ଆଭିମୁଖ୍ୟଟିରେ ମୂଳଭୁତ ନାନା ସଂଶୋଧନ ତଥା ବିଶୋଧନ କରାଯାଇ ପାରିଥାନ୍ତା । ସେସବୁ ବିଶେଷ କିଛି ହେଲାନାହିଁ-। ସେହି ପୁରୁଣାମାନଙ୍କଦ୍ଵାରା ନୂଆ ବେଙ୍ଗଳା ପକାଇବାର ନିର୍ବୋଧତା ଜାରି ରହିଲା । ଫଳରେ, ସତେଅବା ସେହି ମୂଳରୁ ହିଁ ସବୁ ଫୁସ୍‍କି ଗଲା । ଚତୁର ଅମଲାତନ୍ତ୍ରଟା ଦେଶର ନୂତନ ଆବଶ୍ୟକତା ଅନୁସାରେ ଅଲବତ ବଦଳିଯିବ ବୋଲି ଏକ ପ୍ରତିଭାସ ସୃଷ୍ଟି କଲା ଏବଂ କ୍ଷମତାସୀନ ରାଜନୀତିକ ନେତୃତ୍ୱକୁ ଫୁଲ ସୁଙ୍ଘାଇ ମେଣ୍ଢା କରି ରଖିଲା ।

 

ଓଡ଼ିଶାରେ ତତ୍କାଳୀନ ଜଣେ ମନ୍ତ୍ରୀ (ସିଏ ପରେ ମୁଖ୍ୟମନ୍ତ୍ରୀ ମଧ୍ୟ ହେଲେ) ମୌଳିକ ଶିକ୍ଷା ପ୍ରତି ବିଶେଷ ଭାବରେ ଆକୃଷ୍ଟ ହୋଇଥିଲେ ବୋଲି ସମ୍ଭବତଃ ତାଙ୍କର ଉତ୍ସାହରେ ରାଜ୍ୟ ସରକାର ସେହି ଶିକ୍ଷାର ସଂପୂର୍ଣ୍ଣ ପ୍ରଣୟନଟିକୁ ନିଜର ସମ୍ପତ୍ତିରେ ପରିଣତ କରିନେଲେ । ମୌଳିକ ଶିକ୍ଷା ସରକାରୀ ଶିକ୍ଷା ବିଭାଗର ଅଧୀନରେ ଥିବା ଏକ ମାହାଲ ପରି ଚାଲିବାର ଟିକିନିଖ ସବୁ ବରାଦ ହୋଇଗଲା । ହାସ୍ୟାସ୍ପଦ ସ୍ଥିତିଟା ହୁଏତ ସେଇଥିରୁ ହିଁ ଆରମ୍ଭ ହୋଇଯାଇଥିଲା । ସରକାରୀ ଶିକ୍ଷାବିଭାଗ ପୁରୁଣା ଓ ନୂଆ, ଏକାଧାରରେ ଦୁଇ ଶିକ୍ଷାର ମାରଫତରେ ରହିଲା । ସବ୍ୟସାଚୀ ହୋଇ ଏ ହାତରେ ଉଷୁନାର ବରାଦ କଲା ଓ ସେ ହାତରେ ଅରୁଆର । ଗୋଟିଏ ସରକାରର ଆଶ୍ରୟଛାୟାରେ ଯୁଗପତ୍ ଭାବରେ ଦୁଇପ୍ରକାରର ଶିକ୍ଷକ ରହିଲେ, ଦୁଇପ୍ରକାରର ପ୍ରଶିକ୍ଷଣରେ ଥିଲେ ଏବଂ ତଥାପି ମୌଳିକ ଶିକ୍ଷାର ତତ୍ତ୍ୱାବଧାନ କରୁଥିଲେ । ଶିକ୍ଷା ବିଭାଗର ଚାକିରିଆଙ୍କ ଭିତରୁ ଯେଉଁମାନଙ୍କଠାରେ ପ୍ରାୟ ଏକ ଆଦର୍ଶବାଦୀ ଉତ୍ସାହର କିଛି କିଛି ଚିଆଁ ଲାଗିଥିଲା, ସେମାନେ ମୌଳିକ ଶିକ୍ଷାର ମାହାଲରେ ଗାଡ଼ିମାନଙ୍କୁ ଚଳାଇବା ନିମନ୍ତେ ପାଞ୍ଚଣ ଧରି ଆସି ପହଞ୍ଚିଗଲେ । ତେଣେ ଖାତାରେ ନାଆଁଟା ରଖିଥିଲେ ମଧ୍ୟ ଏପାଖରେ ଗୋଟାଏ ବିଶେଷ ଭୂମିକାରେ ଅଭିନୟ କରୁଥିବା ପରି ଆବଶ୍ୟକ ଗାମ୍ଭୀର୍ଯ୍ୟର ପରିଚୟ ବି ଦେଉଥିଲେ । ମନ୍ତ୍ରୀପଦରୁ ଓହରି ଆସିଥିବା ଆଉ ଜଣେ କ’ଣ ବିଚାରି ସରକାରୀ ମୌଳିକ ଶିକ୍ଷାର ସଂଗଠକ ହେବାଲାଗି ବି ଏଣେ ବାହାରି ଆସିଥିଲେ । ବିଧାତା ବାମ ହେଲା ଓ ତାଙ୍କୁ ଏଠାରେ ବେଶିଦିନ ରଖାଇ ଦେଇନଥିଲା । ଦେଶର ବୃହତ୍ତର ଦାୟିତ୍ୱଟିଏ ସମ୍ଭାଳିବା ଲାଗି ପ୍ରଧାନମନ୍ତ୍ରୀଙ୍କର ଡକରା ପାଇ ସିଏ ଅଗତ୍ୟା ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାଲାଗି ଚାଲି ଯାଇଥିଲେ । ସରକାର ଯେ ଶିକ୍ଷା ନାମକ ସେହି ବିଶେଷ ଆହ୍ୱାନ-କ୍ଷେତ୍ରଟିରେ କେବେହେଲେ କୌଣସି ପ୍ରୟୋଗ କରି ପାରନ୍ତି ନାହିଁ, ସରକାର ଅଥବା ଅତ୍ୟୁତ୍ସାହୀମାନଙ୍କୁ ସେକଥା କେହି କଦାପି ବୁଝାଇ ଦେଇ ପାରିବ ନାହିଁ । ଶିକ୍ଷାର ଅସଲ ପ୍ରୟୋଗ ଶିକ୍ଷକ ହିଁ କରେ । ରାଷ୍ଟ୍ର ପରିବେଶ ଯୋଗାଇଦିଏ, ମାତ୍ର କଦାପି ମାଡ଼ି ବସେ ନାହିଁ । ବାଟ ଛାଡ଼ିଦିଏ, କଦାପି ନିଜେ ବାହା ହୋଇପଡ଼େ ନାହିଁ । ଶିକ୍ଷା ନିମନ୍ତେ ସାରା ଜୀବନର ଅନୁରୂପ ନିଷ୍ପତ୍ତିଟିଏ ଗ୍ରହଣ କରିଥିବା ଏକାବେଳେକେ ଭିନ୍ନମାନେ ହିଁ ପୃଥିବୀତମାମ ଯାବତୀୟ ପ୍ରୟୋଗ କରି ଆସିଛନ୍ତି ।

 

ସରକାରୀ ବହୁ ପ୍ରତିବନ୍ଧକର ଫାଶରେ ବହୁ ଭର୍ତ୍ତାଙ୍କର ଅତ୍ୟାଚାର-ଜଞ୍ଜାଳ ଭିତରେ ରହି ମଧ୍ୟ ସେକାଳର କେତେକ ମୌଳିକ ବିଦ୍ୟାଳୟକୁ ଯାଇଥିଲେ ଆପଣ ତଥାପି ସେଗୁଡ଼ିକରେ ଦେଖିବାକୁ ପାଇଥାଆନ୍ତି ଯେ, ଆମେ ମାମୁଲିମାନେ ଶିକ୍ଷା ଅର୍ଥାତ୍ ପାଠପଢ଼ିବା କହିଲେ ସାଧାରଣତଃ ଯାହା ବି ଯେତିକି ବୁଝିଥାଉ, ମୌଳିକ ଶିକ୍ଷା ଆଦୌ ସେହିଭଳି ଗୋଟିଏ ଶିକ୍ଷା ନୁହେଁ, ଏହା ହେଉଛି ଏକ ଅନ୍ୟ ଅର୍ଥାତ୍ ନୂତନ ସମାଜ ନିମନ୍ତେ ସେହି ବାଲ୍ୟକାଳରେ ହିଁ ପ୍ରସ୍ତୁତି,–ଏକ ପାରସ୍ପରିକତାର ମାଧ୍ୟମରେ ହିଁ ପ୍ରସ୍ତୁତି, ନାନା ଶିକ୍ଷଣୀୟତାଦ୍ଵାରା ସଚଳ ଏବଂ ସରସହୋଇ ରହିଥିବା ଏକ ଗୋଷ୍ଠୀଜୀବନଦ୍ୱାରା ପ୍ରସ୍ତୁତି । ଶ୍ରେଣୀଗୃହ, ଯାବତୀୟ କର୍ମସାରଣୀ, ଉଦ୍ୟାନକାର୍ଯ୍ୟ, ସ୍ଥାନ ଭ୍ରମଣ, କ୍ରୀଡ଼ା, ମନୋରଞ୍ଜନ, ଯାବତୀୟ ଅବସରରେ ସେଠାରେ ଶିକ୍ଷକ ପିଲାମାନଙ୍କର ପାଖେ ପାଖେ ରହିଥାଏ,–ସଂପୂର୍ଣ୍ଣ କାର୍ଯ୍ୟକ୍ରମଟିରେ ସେହି କାରଣରୁ କ୍ଳାନ୍ତି ବୋଲି ଆଦୌ କିଛି ହିଁ ନଥାଏ । ଦୂରତା ଉପରେ ଭରାଦେଇ ଛିଡ଼ା ହୋଇଥିବା ଏବଂ ଯୁଗ ଯୁଗ ଧରି ଆମ ସାମୂହିକ ଜୀବନରେ ବହୁ ଦୁଃଖ ତଥା ଅବଜ୍ଞାର କାରଣ ହୋଇ ରହିଥିବା ବହୁ ଚଳଣି ବିରୋଧରେ ତାହା ହେଉଛି ଏକ ଶିକ୍ଷାଭିତ୍ତିକ ଷଡ଼ଯନ୍ତ୍ର । ସରକାରୀ ହାକିମମାନେ ଏଗୁଡ଼ାକ ଦେଖି ପ୍ରକୃତରେ ଭାରି ହୁରୁଡ଼ି ଯାଇଥିବେ । ଏହି ଅଭିନବ ବିଚାର ଏବଂ ବ୍ୟବସ୍ଥାଟି ସହିତ ଆଦୌ ଖାପ ଖାଇପାରି ନଥିବେ । ବିଚରା ଶିକ୍ଷକମାନେ,–ସେମାନେ ନିଜ ଭିତରୁ ଆହ୍ୱାନ ପାଇ ଗାନ୍ଧୀ ପାଇଁ ହୃଦୟ ଦେବାକୁ ତେଣେ ପ୍ରାୟ ଜୀବନଯାକର ହଲପଟିଏ କରିବାକୁ ମନ କରୁ କରୁ ଏଣେ ସରକାରୀ ଶିକ୍ଷାର ବିଭାଗୀୟ ଖାମିନ୍ଦମାନେ ସେମାନଙ୍କୁ ଉପରୁ ଫରମାସ ଦିଆଯାଉଥିବା ଯାନ୍ତ୍ରିକତା ଅନୁସାରେ ନାଚିବା ସକାଶେ ଭାରି ବାଧ୍ୟ କରିଥିବେ । କଥା ନମାନିଲେ ଶାସ୍ତି ଭୋଗିବାର ଧମକ ବି ଦେଇଥିବେ ।

 

ପୁନଶ୍ଚ, ବଦଳି କରିବାକୁ ତଥା ନକରିବାକୁ ଟଙ୍କା ବାନ୍ଧିବା ଲାଗି କହିବେ । ଦାନାପାଣି ଯେତେବେଳେ ସରକାର ଦେଉଛନ୍ତି, ତାଙ୍କ ହାକିମୀଗୁଡ଼ିକୁ ନମାନିଲେ ସେମାନେ ସଂସାରରେ ଛିଡ଼ା ବି କିପରି ହୋଇ ପାରିବେ ? ଏହି ଦାଉଗୁଡ଼ିକ ସକାଶେ ହିଁ କ୍ରମେ ମୌଳିକ ଶିକ୍ଷାରୁ ଶିରୀ ତୁଟିଗଲା । ବାସ୍ତବତାର ଚାପରେ ଶିକ୍ଷକମାନେ ବି ଗୁଳା ଭିତରେ ରହିବାକୁ ଅଧିକ ନିରାପଦ ମଣିଲେ । ପିଲାମାନଙ୍କୁ କାମ କରିବାକୁ କହିଲେ, ଆପେ ଦୂରଛଡ଼ା ହୋଇ ଛିଡ଼ାହେଲେ । ଗୋଷ୍ଠୀଟି ଭାଙ୍ଗିଗଲା, ତେଣୁ ପିଲାମାନଙ୍କର ସରାଗ ବି ଭାଙ୍ଗି ଯାଇଥିଲା । ଶିକ୍ଷାର ଧର୍ମ ମାନି ପ୍ରଥମେ ଯେଉଁଠି ଛାତ୍ର ଓ ଶିକ୍ଷକଙ୍କର ମିଳିତ ସହଯୋଗରେ, ଶିକ୍ଷାଳୟ ଭିତରେ ସ୍ୱାୟତ୍ତଶାସନଦ୍ୱାରା ସବୁ ଚାଲୁଥିଲା, ସେଠାରେ ମଧ୍ୟ କ୍ରମେ ସବୁ ଥାକ ଥାକ ହୋଇଗଲା । ଶାରୀରିକ ଦଣ୍ଡବିଧାନର ପୁନଃପ୍ରବେଶ ଘଟିଲା । ପରୀକ୍ଷାର ରୀତି ବଦଳିଲା । ମୌଳିକ ଶିକ୍ଷାର ପିଲାଏ ମଧ୍ୟ ସରକାରୀ ପୁରୁଣା ପାଠ୍ୟକ୍ରମଟି ଅନୁସାରେ ମଣହେବେ, ତାହାକୁ ଭିତ୍ତି କରି ପରୀକ୍ଷାରେ ବସିବେ । ତା’ପରେ ପରୀକ୍ଷାରେ କପି ହେଲା,–ପରୀକ୍ଷା ସକାଶେ ପାଠମାନଙ୍କୁ ମୁଖସ୍ତ କରାଗଲା । ପାଠ କହିଲେ ସତେଅବା ଜୀବନଠାରୁ କେତେ ହାତ ଛାଡ଼ି କରି ରହିଥିବା ଗୋଟାଏ ବିଶେଷ ପରିଚ୍ଛେଦକୁ ବୁଝାଇଲା, ଯାହାଦ୍ୱାରା ତୁମେ ଆପଣାକୁ ଢାଙ୍କି ରଖିପାରିବ, ଭିତରେ ରାକ୍ଷସ ହୋଇ ରହିଥିଲେ ମଧ୍ୟ ବାହାରକୁ ଧୋବ ଦିଶିପାରିବ । ଗୋଟିଏ ପିଲାର ବ୍ୟକ୍ତିତ୍ୱଗତ ସର୍ବାଙ୍ଗୀନ ବିକାଶ, ଏକ ସହଯୋଗମୂଳକ ପରିବେଶ ମଧ୍ୟରେ ହିଁ ବିକାଶ, ଶିକ୍ଷକ ସ୍ଵାଧୀନତା, କପଟତାରହିତ ଓ ସ୍ୱାଭାବିକ ଭାବରେ ବିକାଶଲାଭ କରିଥିବା ଏକ ଆତ୍ମଶୃଙ୍ଖଳା ଏବଂ ସର୍ବୋପରି ବିଦ୍ୟାଳୟର ସବାବଡ଼ ସନ୍ତକ ହୋଇ ରହିଥିବା ସାମୁଦାୟିକ ଜୀବନଗତ ସହୃଦୟତାପୂର୍ଣ୍ଣ ଏକ ଖୁସୀ–ଏସବୁ ଚୁଲିକୁ ଗଲା । କାଳ ବି କପଟୀ ହେଲା, ସରକାରଟା ଲମ୍ପଟ ହେଲା,–ଦେଶର ଶାସନଟା କ୍ରମେ କ୍ରୂର ଓ ସଂବେଦନାହୀନ ହେବାକୁ ଲାଗିଲା । ପଙ୍କମାନେ ହିଁ ସଂପୂର୍ଣ୍ଣ ପରିମଳଟିକୁ ଗିଳି ପକାଇଲେ ।

 

ସ୍ଵାଧୀନତା ଆସିବାର ଏକ ଅଧଶତାବ୍ଦୀ ପରେ ଇତିମଧ୍ୟରେ ମୌଳିକ ଶିକ୍ଷା କୁଆଡ଼େ କେତେ ପଛରେ ପଡ଼ି ରହିଲାଣି । ସମଗ୍ର ଭାବରେ ହୁଏତ ଶିକ୍ଷା ମଧ୍ୟ ବହୁ ଅଶିକ୍ଷା ଭିତରେ ପଶି ଭୁଲି ହୋଇଗଲାଣି । ଦେଶର ରାଜନୀତି ସମ୍ମୁଖରେ ସତେଅବା କୌଣସି ସମଗ୍ର ଚିତ୍ରର ସ୍ଥାନଟିଏ ହିଁ ନାହିଁ, ତୁଚ୍ଛା କ୍ଷମତା ନିମନ୍ତେ ଗୁଡ଼ାଏ ଭିଡ଼ାଭିଡ଼ି ହିଁ ଲାଗିଛି । ତଥାପି, ମନଟାକୁ ବୋଧ ଦେବା ପାଇଁ ସରକାରଙ୍କ ପକ୍ଷରୁ ଯୋଜନା ପରେ ଯୋଜନା ଚାଲିଛି । ନୂଆ ନୂଆ ନାମରେ ସେଥିଲାଗି ବିଦେଶରୁ ଟଙ୍କା କରଜ ଅଣାଯାଉଛି । କୋଟି କୋଟି ଟଙ୍କା ଖରଚ ହେଉଛି, ତଥାପି ଆମ ଶିକ୍ଷାଘରଟିରେ ସଫଳ ଓ ସ୍ଥାୟୀ ଭାବରେ କାନ୍ଥଟିଏବି ଉଠି ପାରୁନାହିଁ । ହାକିମମାନେ ଚମତ୍କାର ନାମଗୁଡ଼ିକୁ ଫାନ୍ଦି ଚମକ ସୃଷ୍ଟି କରିବାରେ ଲାଗିଛନ୍ତି । ଅଣଆନୁଷ୍ଠାନିକ ଶିକ୍ଷା, ନବସୃଜନ ଶିକ୍ଷା, ବିକଳ୍ପ ଶିକ୍ଷା ଇତ୍ୟାଦି, ଇତ୍ୟାଦି । ଏବେ ସରକାର (Basic Education) ବା ମୌଳିକ ଶିକ୍ଷାବୋଲି ଯାହାକୁ କହୁଛନ୍ତି, ସେଥିରେ ମହାତ୍ମା ଗାନ୍ଧୀଙ୍କ ବିଚାରରୁ ଏକଦା ବାହାରିଥିବା ଆଗର ସେହି ଯୋଜନାଟିର କୌଣସି ଗନ୍ଧ ହିଁ ନାହିଁ । ଏହିସବୁ ଯାବତୀୟ ଯୋଜନାରେ ଶିକ୍ଷାଯନ୍ତ୍ରୀମାନେ ହିଁ ସବୁଯାକ ମୁଣ୍ଡ ଖରଚ କରିଛନ୍ତି । ଏଥିରେ ଶିକ୍ଷକମାନଙ୍କର କୌଣସି ଭାଗ ନାହିଁ । ଶିକ୍ଷକମାନେ ତ ନ୍ୟାୟତଃ ବେତନଭୋଗୀ ଆଜ୍ଞାବହ ଏକ ପରିକରଦଳ; ଯନ୍ତ୍ରୀମାନେ ଯାହା ଯେତେବେଳେ ବତାଇ ଦେଉଥିବେ, ତାକୁ ସେମାନେ କେବଳ କାର୍ଯ୍ୟକାରୀ କରିବେ । ଦିନାକେତେ କିଛି ଧନ୍ଦୋଳ ଲାଗିବ, ଏଥର ଅବଶ୍ୟ କିଛି ହେବ ବୋଲି ଜନସାଧାରଣଙ୍କୁ ଧାରଣା ଦିଆଯିବ । ଗୁରାଏ କାଗଜଚାଷ ଚାଲିବ,–ଇଂରାଜୀ ଭାଷାରେ ଗୁରାଏ ଗାଆଣ ବଜାଣ ହେବାପରେ ସମଗ୍ର ବରାଦଟି ବନ୍ଧ୍ୟା ବୋଲି ପ୍ରତିପାଦିତ ହେବ ଏବଂ ପୁଣି ଆଉକିଛି ଏକ ଅନ୍ୟ ନାମରେ ଆସି ପହଞ୍ଚିବା ପର୍ଯ୍ୟନ୍ତ ସମସ୍ତେ ଇନ୍ତଜାର କରି ରହିଥିବେ । ସେହି ଇନ୍ତଜାରରେ ତ ରାଧାକୃଷ୍ଣନ, କୋଠାରି, ଯଶପାଲ ଓ ଆହୁରି କେତେ କେତେଙ୍କୁ ହଜମ କରାଯାଇ ସାରିଛି । ତେଣୁ ପ୍ରବଳ ଅଭିଜ୍ଞତା ମଧ୍ୟ ରହିଛି । ହଁ, ବେଳେବେଳେ ଚହଳ ପକାଇଦେଇ ଉପରୁ ଏକ ଗୋଇନ୍ଦା ସଂସ୍ଥା କହିବ ଯେ ଏମାନେ ଏତେ କୋଟି ଟଙ୍କା ଖାଇ ଯାଇଛନ୍ତି । ସଂପୃକ୍ତ ତୋଷରପାତମାନେ ସେତେବେଳକୁ ହୁଏତ ଅବସର ଗ୍ରହଣ କରି ସ୍ଵଗୃହରେ ଚତୁର୍ମାସ୍ୟା ପାଳନ କରୁଥିବେ । କିଛି କିଛି କୋଳାହଳ ସିନା ହେବ, ମାତ୍ର ତଦ୍ଦ୍ୱାରା ଶିକ୍ଷା ଆଦୌ କୌଣସି ପ୍ରକାରେ ଉପକୃତ କଦାପି ହେବ ନାହିଁ ।

 

ଏସବୁ ନୂଆ ନାମରେ ଯାହାକିଛି ହେଉଛି, ତାହା ସେକାଳର ସେହି ଅସଲ ମୌଳିକ ଶିକ୍ଷାର ଖିଲାପ କରୁଛି, ଦେଶରେ ଗଣତନ୍ତ୍ରର ବିକାଶ ପ୍ରକ୍ରିୟାରେ ସାଂଘାତିକ ଷଡ଼ଯନ୍ତ୍ରମାନ କରୁଛି-। ଥିଲା ଘରର ପିଲାଙ୍କ ନାମରେ ବଢ଼ିଆ ଇସ୍କୁଲ ଓ ଶିକ୍ଷାସ୍ଥାନମାନ ରହିଛି । ସେଠାରେ ଇଂରାଜୀ ମାଧ୍ୟମରେ ଯାବତୀୟ ଅଶିକ୍ଷାର ମହାଆୟୋଜନମାନ କରାଯାଇ ସେହି ପିଲାମାନେ ଏହି ଦେଶରେ ଥାଇ ମଧ୍ୟ ଯେପରି ନିଜକୁ ଦେଶଠାରୁ ସଂପୂର୍ଣ୍ଣ ଭାବରେ ଭିନେ ବୋଲି ଅନୁଭବ କରି ଶିଖିବେ, ଯେପରି ସବୁଯାକ ଇନ୍ଦ୍ରପଦ ସେହିମାନଙ୍କୁ ହିଁ ମିଳିବ, ସେମାନେ ମଧ୍ୟ ଯେପରି ଏବର ହାକିମ ବହୁପାରଗମାନଙ୍କ ପରି ଏହି ଦେଶରେ ରାଜଭାଗଗୁଡ଼ାକୁ ପ୍ରାୟ ଏକଚାଟିଆ ହୋଇ ଭୋଗୁଥିବେ ଏବଂ ଓଡ଼ିଶାରେ ତଥା ଭାରତବର୍ଷରେ ଆମେରିକା ଅଥବା ଇଂଲଣ୍ଡରେ ଯାଇ ରହିଥିବା ପରି ମଣ୍ଡା ଖାଉଥିବେ; ଯାହା ଯେପରି ରହିଛି, ସେହିପରି ରହିଥିବ । ସେଥିରେ କେହି ହାତ ଲଗାଇ ପାରିବେ ନାହିଁ । ନୂଆ ନୂଆ ଶିକ୍ଷା ବ୍ୟବସ୍ଥାମାନ ସେହି କୋଟି କୋଟି ଅଭାଗାମାନଙ୍କ ଲାଗି ହେଉଛି, ଯେଉଁମାନେ ଗ୍ରାମାଞ୍ଚଳ ଏବଂ ବଣପାହାଡ଼ ଭିତରେ ନିତାନ୍ତ ଅନାଶ୍ରିତ ହୋଇ ବଢ଼ୁଛନ୍ତି, ହାତଗୋଡ଼ ଟାଣ ହେବା ପୂର୍ବରୁ ପେଟ ପାଇଁ ଶ୍ରମ କରୁଛନ୍ତି ଓ ତେଣୁ ସେମାନଙ୍କ ପାଇଁ ଦୟାଳୁମାନେ ରାତି ଇସ୍କୁଲର ବ୍ୟବସ୍ଥା କରୁଛନ୍ତି । ସେମାନେ ପୁରୁଷ ପୁରୁଷ ଯାବତ ଯେପରି ପଛରେ ହିଁ ରହିଥିବେ, ଭାଗ୍ୟବାଦୀ ହେବେ, ନିଜ ଭିତରର ନିଆଁଟା ସତକୁସତ ରହିଛି ବୋଲି ଅନୁଭବ କରି ପାରିବେ ନାହିଁ, ଏସବୁ ନବସୃଜନ ଅର୍ଥାତ୍ ନୂଆ ଭିଆଣମାନ ଜାଣିଶୁଣି ସେହିମାନଙ୍କ ନିମନ୍ତେ କରାଯାଉଛି କି ? ଏବଂ, ଆହୁରି ବିଡ଼ମ୍ବନାର କଥା ହେଉଛି, ତଥାକଥିତ ଶିକ୍ଷା ଓ କଲ୍ୟାଣ ବିଭାଗରେ ଯେଉଁମାନେ ସରକାରୀ ବଡ଼ କାରିନ୍ଦାଙ୍କ ପଦରେ ରହି ଏହିସବୁ ବ୍ୟବସ୍ଥା କରୁଛନ୍ତି, ସେମାନଙ୍କ ନିଜ ପିଲାମାନେ ମୋଟେ ସେସବୁ ବ୍ୟବସ୍ଥା ଭିତରେ ସାମିଲ ହେବେ ନାହିଁ । ସେମାନେ ସେହି ପୁରୁଣା ଅଟ୍ଟାଳିକାମାନଙ୍କରେ ଦେଶରେ ରଜା ହେବା ପାଇଁ ତାଲିମ ଲାଭ କରୁଥିବେ । ଆମ କାନ୍ଧ ଉପରେ ବସିଥିବେ ଅଥଚ ଆମକୁ ନାକ ଟେକୁଥିବେ-। ଏହି ଖଳତାପୂର୍ଣ୍ଣ ନବସୃଜନ ଫଳରେ ଦେଶଟା କ’ଣ ଚିରଦିନ ସାତଦାଣ୍ଡି ହୋଇ ରହିଥିବ-? ଶିକ୍ଷାପାଇଁ କାନ୍ଦୁଥିବା ଲୋକମାନେ ବିଚାର କରନ୍ତୁ ।

 

୨୭.୮.୦୧

☆☆☆

 

ଶତବାର୍ଷିକୀର ଗୁଳାରେ (୫)

 

ପାଠ କ’ଣ ଖାଲି ପାଠ ? ଶିକ୍ଷାଲାଭ କ’ଣ ମଣିଷ କରେ କେବଳ ଚାକିରି ଖଣ୍ଡେ ପାଇବା ସକାଶେ ? ପାଠ ଅର୍ଥାତ୍ ଉଚ୍ଚରୁ ଉଚ୍ଚ ପାଠ ପଢ଼ି ପାଠୁଆମାନେ ଯେ କିପରି ଷୋଳପଣରୁ ଆହୁରି ଷୋଳପଣ ପାଷଣ୍ଡ ହୋଇପାରନ୍ତି, ସାଂପ୍ରତିକ ଭାରତବର୍ଷରେ ତ ତାହାର ପ୍ରମାଣ ଆଖି ବୁଲାଇ ଦେବା ମାତ୍ରକେ ମିଳିଯିବ । ମୌଳିକ ଶିକ୍ଷା ସେହି ଦୃଷ୍ଟିରୁ ଏକ ନୂତନ ଚେତନାର ଶିକ୍ଷା ଥିଲା । ଆପଣାର ତଥାକଥିତ ବ୍ୟକ୍ତି ସୀମିତ ବେଢ଼ାଗୁଡ଼ିକ ଭିତରୁ ବାହାରି ଆସି ଏକ ବୃହତ୍ତର ସମୂହ ସହିତ ଖିଅ ବାନ୍ଧି ଜୀବନ ବଞ୍ଚିବାର ଚେତନା–ଏକ ସ୍ୱାଧୀନ ସହଜୀବନର ଚେତନା । ଏକାନ୍ତ ତାତ୍କାଳିକ ଭାବରେ କହିଲେ, ଏକ ପରାଧୀନ ଭାରତରେ ଥାଇ ମଧ୍ୟ ସ୍ୱାଧୀନ ଭାରତର ଗଠନରେ ସକ୍ରିୟ ଅଂଶଗ୍ରହଣ କରିବା ନିମନ୍ତେ ଆପଣାକୁ ପ୍ରସ୍ତୁତ କରିବାର ଚେତନା । ୧୯୪୨ ମସିହାର ଭାରତଛାଡ଼ ଆନ୍ଦୋଳନ ସମୟରେ ଏବର ଯାଜପୁର ଜିଲ୍ଲାର ବରୀ ଅଞ୍ଚଳ ଯେ ଏକ ବିଶେଷ ବୀରତ୍ୱ ଦେଖାଇ ପାରିଲା, ଏକାଧିକ କାରଣରୁ ଏ କଥା ସବା ଆଗ ସତ ଯେ ସେଠାରେ ସଘନ ଭାବରେ ଗାନ୍ଧୀଙ୍କର ରଚନାତ୍ମକ କାର୍ଯ୍ୟର ପ୍ରୟୋଗ ହୋଇଥିଲା ଓ ଏହାର ପୂର୍ଣ୍ଣ ପରିସରଟି ମଧ୍ୟରେ ମୌଳିକ ଶିକ୍ଷାକୁ ଏକ ଅଗ୍ରସ୍ଥାନ ପ୍ରଦାନ କରାଯାଇଥିଲା । ସ୍ୱାଧୀନ ଭାରତରେ ଦୀର୍ଘ ପଚାଶ ବର୍ଷ ଯାବତ୍ ଭଳି ଭଳି ଚକ୍ରାନ୍ତ କରି ଯେ ଅନ୍ଧାରଗୁଡ଼ାକୁ ବହଳରୁ ଆହୁରି ବହଳ କରି ରଖାଯାଇଛି, ଏଯାବତ୍ ପ୍ରଚଳିତ ହୋଇ ଆସିଥିବା ଶିକ୍ଷା ସଂପୃକ୍ତ ଆମ ସମସ୍ତଙ୍କୁ ଅନ୍ଧାରକୁ ସହି ଅନ୍ଧାରଦ୍ୱାରା ଉପକୃତ ହେବାର ମନ୍ତ୍ରଣା ଦେଇଥିବାରୁ ଏପରି ହୋଇଛି । ଭାରତବର୍ଷର ପଢ଼ୁଆମାନେ ହିଁ ଏଠାରେ ସବୁଠାରୁ ଅଧିକ ରକ୍ଷଣଶୀଳ ହୋଇଛନ୍ତି, ପରିବର୍ତ୍ତନମାନଙ୍କୁ ମୂଳତଃ ଟାଳି ଦେବାରେ ଓ ଭୁରୁଡ଼ାଇ ରଖିବାରେ ଲାଗିଛନ୍ତି । ଏହି ଭୂମିଟାରେ ସରକାର ବୋଲି ଯାହାକିଛି ଚାଲୁଛି, ତାହା ମୁଖ୍ୟତଃ ସେହି ଭୀରୁ ଓ ଚତୁର ପଢ଼ୁଆମାନଙ୍କଦ୍ୱାରା ଚାଲିଛି । ସମାଜର ଅଳ୍ପ କେତେଜଣଙ୍କୁ ପାଠଗୁଡ଼ାଏ ପୂରାଇ ଦେଇ ବିଚକ୍ଷଣ କରାଇବାର ଆଳରେ ପାଷଣ୍ଡ କରାଇବା ଅପେକ୍ଷା ଏକ ଅନ୍ୟ ଭଳି ହୃଦୟର ବୋଲ ମାନି ଯଥାସମ୍ଭବ ସମସ୍ତଙ୍କୁ ସାହସ ଏବଂ ସ୍ଵଚ୍ଛତାର ସହିତ ବଞ୍ଚିବା ଲାଗି ଟାଣ ଭୂମିଟିଏ ଯୋଗାଇ ଦେବା ଏବଂ ସଂବେଦନଶୀଳ ଭାବରେ ସହଯୋଗ-ସୂତ୍ରରେ ଚାରିପାଖରେ ବହୁତଙ୍କ ସହିତ ସମ୍ମୁଖକୁ ବାଟଟିଏ ଚାଲିପାରିବାକୁ ସୂତ୍ର ବତାଇ ଦେଉଥିବା ଶିକ୍ଷା ଯେ ଅଧିକ ପ୍ରଶସ୍ତ, ତାହା ସମସ୍ତେ ଅବଶ୍ୟ ସ୍ଵୀକାର କରିବେ । ସେହି ଶିକ୍ଷା ହିଁ ପୃଥିବୀକୁ ସୁସ୍ଥ ରଖିବ ।

 

ଅନୁଗୁଳର ବାଜି ରାଉତ ଛାତ୍ରାବାସର ଏକ ଭଗିନୀ ଅନୁଷ୍ଠାନ ଭାବରେ ମହିଳା ଶିବିର ନାମରେ ପ୍ରଶିକ୍ଷଣ-ସଂସ୍ଥାଟିଏ ମଧ୍ୟ ରହିଥିଲା । ଓଡ଼ିଶାର ଚାରିଆଡ଼ୁ ଭଉଣୀମାନେ ସେଠାକୁ ପ୍ରଶିକ୍ଷଣ ପାଇଁ ଆସୁଥିଲେ । ପ୍ରଶିକ୍ଷଣ ମୁଖ୍ୟତଃ ଗ୍ରାମସେବାର । ଏହି ଭଉଣୀମାନେ ଓଡ଼ିଶାର ଚାରିଆଡ଼ୁ ଆସୁଥିଲେ । ଆଦିବାସୀ ଘରୁ ଆସୁଥିଲେ ଏବଂ ଅଣଆଦିବାସୀ ଘରୁ ମଧ୍ୟ ଆସୁଥିଲେ । ପ୍ରଶିକ୍ଷଣ ଶେଷ କରି ସେମାନେ ଆଦିବାସୀ ଅଞ୍ଚଳର ଗାଆଁମାନଙ୍କୁ ଯାଉଥିଲେ । ପ୍ରଶିକ୍ଷଣ ଭିତରେ ଲେଖାପଢ଼ା ଖୁବ୍ କମ୍ ଥିଲା । ଶିବିରର ସବୁଯାକ କାମ ସେଇ ଭଉଣୀମାନେ ତୁଲାଉଥିଲେ । ସୂତାକଟା, ଲୁଗାବୁଣା, ରୋଗୀର ଶୁଶ୍ରୂଷା, ଘରଲିପା–ଏଗୁଡ଼ିକୁ ଆପଣ ପାଠ ବୋଲି କହିବେ ନା ଶାଠ ବୋଲି ? ନିତି ସକାଳେ ସଂଜରେ ପ୍ରାର୍ଥନା ହେଉଥିଲା, ସମବେତ ଗୀତମାନ ବୋଲା ହେଉଥିଲା । ଔପଚାରିକ ପାଠ ଭିତରେ ଭାରତର ସ୍ଵାଧୀନତା-ସଂଗ୍ରାମର କଥା, ମହାତ୍ମାଗାନ୍ଧୀଙ୍କ କଥା, ପୁରାଣମାନଙ୍କରୁ କିଛି କାହାଣୀ ଇତ୍ୟାଦି ଇତ୍ୟାଦି । ବଡ଼ ହୀନମାନ ସାମାଜିକ ଅବସ୍ଥାରୁ ସେମାନେ ଆସୁଥିଲେ । ପତିର ଏବଂ ପତିଗୃହର ବହୁ ନିର୍ଯ୍ୟାତନା, ଅସହାୟତା ଅପମାନ ଅନେକ ସମୟରେ ପରିବାର ନାମରେ ନିର୍ମଳ ଭାବରେ ଆମର ପ୍ରାୟ ସାଧାରଣ ଘରମାନଙ୍କରେ ବିଧିର ଲିଖନ ପରି ଲାଗି ରହିଥିବା ଦୁର୍ଦ୍ଦଶାମାନଙ୍କରୁ ରକ୍ଷା ପାଇବା ଲାଗି ଆଖିବୁଜି ପଳାଇଆସି ଅନେକେ ହୁଏତ ଜଣେ କାହାଠାରୁ ସହଯୋଗ କିଛି ପାଇ ଏଠାରେ ଆସି ପହଞ୍ଚି ଯାଉଥିଲେ । ସେମାନେ ନିଜ ନିଜର ଯେଉଁ ସବୁ ଜୀବନ-କାହାଣୀ ଲେଖିକରି ଦେଉଥିଲେ, ସେଥିରୁ ତାହାର ସଂକେତମାନ ମିଳି ଯାଉଥିଲା ଏବଂ ଏହି ଶିବିରର ସହଶିକ୍ଷାର୍ଥିନୀ ଜୀବନ ସେମାନଙ୍କୁ ସତେଅବା ଏକ ନୂଆ ଜୀବନ ପ୍ରଦାନ କରି ପାରୁଥିଲା । ନିଜ ପ୍ରତି ଏବଂ ସେମାନଙ୍କୁ ଏତେ ଏତେ ଯାତନା ଦେଇଥିବା ସଂସାରଟା ପ୍ରତି ଜନ୍ମିଥିବା ସେମାନଙ୍କର ଯାବତୀୟ ବିରକ୍ତି ଓ ବୈରାଗ୍ୟ ଯେ ସକାରାତ୍ମକ ଆଉ କିଛିରେ ରୂପାନ୍ତରିତ ହୋଇ ଯାଉଥିଲା, ଶିବିରରୁ କର୍ମକ୍ଷେତ୍ରକୁ ବାହାରିବା ସମୟରେ ସେମାନଙ୍କର ମୁଖମୁଦ୍ରାରୁ ହିଁ ତାହା ପ୍ରକଟ ହୋଇଯାଉଥିଲା ।

 

ଏହିପରି ଶହଶହ ଭଉଣୀ ଶିବିରରେ ପ୍ରଶିକ୍ଷଣ ଲାଭ କରି ଓଡ଼ିଶାର ବିଶେଷତଃ ଆଦିବାସୀ ଅଞ୍ଚଳମାନଙ୍କରେ ଖେଦି ଯାଇଛନ୍ତି । ଆଦିବାସୀର ସେହି ପାର୍ବତ୍ୟ ବହୁ ବଞ୍ଚନା ଓ ପ୍ରବଞ୍ଚନାର ସଂସାର ଭିତରେ ଗାଆଁଗୁଡ଼ିକରେ ବଖରାଏ ଘରକୁ ସଂସାର ରୂପେ ଆଦରି ନେଇଛନ୍ତି ଏବଂ ଗାଆଁର ମାଆ, ମରଦ ଓ ପିଲା ସମସ୍ତଙ୍କୁ ନିଜର କରି ନେଇଛନ୍ତି । ରାୟଗଡ଼ାର ମାଳଅପା, କେନ୍ଦୁଝରର ତୁଳସୀ ମୁଣ୍ଡା, ପଶ୍ଚିମ ଓଡ଼ିଶାର ପାର୍ବତୀ ଗିରି, କନ୍ଧମାଳର ରାଧାମଣି ଅପା–ସେମାନଙ୍କ ସମେତ ସୌରିନ୍ଧ୍ରୀ ଅପା, ବୈଦେହୀ ଅପା–ସମସ୍ତେ ସେହି ଶିବିରରୁ ନୂଆ ଆତ୍ମଦର୍ଶନର ଦୀକ୍ଷା ନେଇ ବାହାରିଛନ୍ତି । ଓଡ଼ିଶାରେ ସବାତଳେ ରହିଥିବା ସହସ୍ରଜନଙ୍କୁ ସଳଖ ଓ ଆଶାଯୁକ୍ତ ହୋଇ ବଞ୍ଚିବାକୁ ସତେଅବା ସମ୍ମୁଖସ୍ଥ ତାରାଟିଏ ଯୋଗାଇ ଦେଇଛନ୍ତି । ସଉରା ଓ କନ୍ଧମାନଙ୍କର ଗାଆଁରେ ସେମାନଙ୍କର ବୟସର ଝିଅଟିଏ ଏକଣା ହୋଇ ତିଆରି ହୋଇଥିବା ବଖରାଏ ଚାଳଘରେ ଏକୁଟିଆ ହୋଇ ରହିବ,–ଛାନିଆ ହୋଇ ପଡ଼ିବ ନାହିଁ, କଲେଜରେ କେତେଯାଏ ପାଠ ପଢ଼ିଲେ ତୁମ ଆମ ଘରର ଦୁହିତାମାନେ ସେତିକିର ସମର୍ଥ ହେବେ, କେହି ଅନୁମାନ କରି କହୁ ତ ! ଏହି ଅପାମାନଙ୍କର ଅସଲ ପରୀକ୍ଷା ହେଲା ଗତ ଜରୁରୀ ଅବସ୍ଥା ଜାରି ହୋଇଥିବାର ସେହି ଘୋର ଦୁର୍ଦ୍ଦିନ ସମୟରେ । ସେମାନଙ୍କର ସାଧାରଣ ଗ୍ରାସାଚ୍ଛାଦନ ନିମନ୍ତେ ସରକାରୀ କଲ୍ୟାଣବିଭାଗରୁ ମିଳୁଥିବା ସହାୟତାକୁ ସେତେବେଳେ ବନ୍ଦ କରି ଦିଆଯାଇଥିଲା । ଶ୍ରୀ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଚୌଧୁରୀଙ୍କୁ ଯେତେବେଳେ ଦେଶର କ୍ଷତି କରୁଥିବା ବଇରୀପକ୍ଷ ବୋଲି ବିଚାରି କଏଦୀଖାନାକୁ ନେଇ ଠୁଙ୍କି ଦିଆଗଲା, ସେତେବେଳେ ସେମାନଙ୍କର ହାତଦ୍ୱାରା ଗଢ଼ା ହୋଇଥିବା ଏହି ସେବିକା ଗୋଷ୍ଠୀଟାକୁ ମଧ୍ୟ ସରକାର ଆଉ କିପରି ନିରାପଦ ବୋଲି ମନେ କରିଥାନ୍ତେ ? ତେଣୁ ସେମାନଙ୍କୁ ଭାତରୁ ମାରି ଦେବାର ବରାଦ ହୋଇଥିଲା ।

 

ବଡ଼ ଆଚମ୍ବିତ କଥା ଯେ, ଅପାମାନେ ତଥାପି ମଲେ ନାହିଁ । ତଥାପି ହଟିଲେ ନାହିଁ । ଆପଣାର ସେବାକ୍ଷେତ୍ର ଏହି ଗାଆଁମାନଙ୍କରେ ସାରା ଗାଆଁର ଅପା ହୋଇ ରହିଥିବା ଏମାନଙ୍କୁ ଗ୍ରାମବାସୀମାନେ ହିଁ ନିଜଆଡ଼ୁ ନିଷ୍ପତ୍ତି କରି ନିଜର ଦାୟିତ୍ୱ ରୂପେ ଗ୍ରହଣ କରି ନେଇଥିଲେ । ସେମାନଙ୍କର ସମସ୍ତ ଖର୍ଚ୍ଚ ତୁଲାଇଲେ । ଅର୍ଥାତ୍ କୋଉ ଗାଆଁରେ ନଗଦ ପଇସା ଜମା ହୋଇ ରହିଥିଲା ଯେ ସେମାନେ ସେଇଥିରୁ ଏହି ଅପାମାନଙ୍କୁ ବେତନ ଦେଇଥାନ୍ତେ ? ଅପାମାନେ ସେହି ସମୟତକ ଗାଆଁରେ ପରିବାରମାନଙ୍କରେ ଖାଇଲେ । ଗ୍ରାମବାସୀଙ୍କର ନିତିଦାରିଦ୍ର୍ୟ ଭିତରେ ଏକାନ୍ନବର୍ତ୍ତୀ ହୋଇ ରହିଲେ । ସମାଜସେବାର ଇତିହାସରେ ହୁଏତ ଆଉ କେଉଁଠି ହେଲେ ଏଭଳି ଦୃଷ୍ଟାନ୍ତଟିଏ ମିଳିବ ନାହିଁ । ଅପାମାନଙ୍କର ପ୍ରଶିକ୍ଷଣ କ୍ରମରେ ଏହି ଘଟଣାଟିକୁ ହୁଏତ ସବୁଠାରୁ ଅଧିକ ମହତ୍ଵପୂର୍ଣ୍ଣ ବୋଲି କୁହାଯିବ । ଅପାମାନେ ସେତେବେଳେ ନିଜର ସେବା-କାର୍ଯ୍ୟଗୁଡ଼ିକୁ ଗାଆଁରେ ଚାଲୁରଖିବେ, ଜରୁରୀ ଅବସ୍ଥାର ସରକାର ସେତିକିକୁ ମଧ୍ୟ ବଡ଼ ସନ୍ଦେହ ସହିତ ଦେଖୁଥିଲା । ଅପାମାନଙ୍କୁ ନାନା ପ୍ରକାରେ ଭୀତ କରାଇବାର ପ୍ରୟାସ କରୁଥିଲା । କଟକଣା ନମାନିଲେ ଥାନାକୁ ବାନ୍ଧି ନେଇଯିବ ବୋଲି ଧମକ ଦେଖାଉଥିଲା । କେତେକ ସ୍ଥଳରେ ପୋଲିସ ଲୋକ ରାତି ସମୟରେ ଆସି ମଧ୍ୟ ବାହାରୁ କବାଟ ବାଡ଼େଇବାକୁ ପଶ୍ଚାତପଦ ହୋଇ ନଥିଲେ । କେହି ଇଚ୍ଛା କରିଥିଲେ ଏହିଭଳି ବହୁତ ଘଟଣା ସେତେବେଳର ଅପାମାନଙ୍କ ମୁହଁରୁ ସଂଗୃହୀତ ହୋଇପାରିଥାନ୍ତା । ପ୍ରଶିକ୍ଷଣର ସେହି କାର୍ଯ୍ୟକ୍ରମଟିରେ ମାଳତୀ ଦେବୀ ଆଗରେ ରହିଥିଲେ ଏବଂ ଶ୍ରୀ ନବକୃଷ୍ଣ ଚୌଧୁରୀ ପଛରେ ରହିଥିଲେ । ସରକାର ଭିତରେ ରହିଥିବାରୁ ଏସବୁ ଅସଲ କ୍ଷେତ୍ର ସକାଶେ ଅଧିକ ସମୟ ଦେଇ ପାରୁ ନାହାନ୍ତି ବୋଲି ସମ୍ଭବତଃ ସବୁବେଳେ ଛଟପଟ ହେଉଥିଲେ-। ଯେଉଁସବୁ ଲକ୍ଷ୍ୟକୁ ସମକ୍ଷରେ ରଖି ଶ୍ରୀ ନବକୃଷ୍ଣ ଚୌଧୁରୀ ନିଜ ସମୟରେ ବାଟଟିଏ ଚାଲୁଥିଲେ ଅର୍ଥାତ୍ ଭାରତବର୍ଷର ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ, ଖୁବ୍ ସମ୍ଭବ ତାଙ୍କଦ୍ୱାରା ବିଶେଷ କିଛି ସମ୍ଭବ ହୋଇ ପାରିବ ବୋଲି ସ୍ୱାଧୀନତା ପରେ ସରକାରୀ ମନ୍ତ୍ରୀ ପଦଗୁଡ଼ିକୁ ମନ କରିଥିଲେ, ସମାଜକୁ ଯେଉଁଭଳି ଏକ ନକ୍‍ସାରେ ଗଠିତ ହୋଇ ଆସିବାର ଦେଖିବା ନିମନ୍ତେ ସେ ସର୍ବଦା ଆପଣାକୁ ନାନା ଭାବେ ସମର୍ପିତ କରି ରଖିଥିଲେ, ସେସବୁ କଦାପି ତାଙ୍କର ସେହି ଗୋଟିଏ ଜୀବନ କାଳରେ ଉପଲବ୍‍ଧ ହେବାର ନଥିଲା । ଆମେ ସମସ୍ତେ ତାଙ୍କୁ ଏଇଥିପାଇଁ ଏତେ ନିବିଡ଼ ଭାବରେ ନିଜର ବୋଲି ଅନୁଭବ କରୁଥିବା ଯେ ସିଏ ସେହିସବୁ ଲକ୍ଷ୍ୟପୂରଣର ପ୍ରକ୍ରିୟାଗୁଡ଼ିକରେ ଅତ୍ୟନ୍ତ ନିଷ୍ଠା ସହିତ ଆପଣାକୁ ସମ୍ମିଳିତ କରି ରଖିଥିଲେ ଏବଂ ସବାଆଗ ସେହି କାରଣରୁ ନିଜର ସମସାମୟିକମାନଙ୍କ ଭିତରେ ସର୍ବଦା ବାରି ହୋଇ ପଡ଼ୁଥିଲେ-। ସ୍ଵାଧୀନ ଭାରତବର୍ଷରେ ଗତ ପଚାଶ ବର୍ଷର ଘଟଣା ସବୁ ଏପରି ଅନ୍ୟ ଭଳି ମୋଡ଼ି ମୋଡ଼ି ହୋଇ ଅଭିଳଷିତ ଅଗ୍ରଗତିଗୁଡ଼ିକୁ ବ୍ୟାହତ କରି ରଖିଲା ଯେ ଏବେ ଲାଗୁଛି, ସତେ ଯେପରି ଏଠାରେ ଯାବତୀୟ ବିମୋଚନର ପଥ ଅଧିକ ଦୀର୍ଘ ହିଁ ହୋଇଗଲା । ଲକ୍ଷ୍ୟମାନେ ଅଧିକ ଦୂରକୁ ଘୁଞ୍ଚିଗଲେ ଏବଂ ସଂପୃକ୍ତ ନେତୃତ୍ୱମାନେ ଆପଣାକୁ ଅଯୋଗ୍ୟ ବୋଲି ପ୍ରମାଣିତ କଲେ-। ତଥାପି, ସମାଜ ବଦଳିବ, ଇପ୍‍ସିତ ଲକ୍ଷ୍ୟଗୁଡ଼ିକର ବାସ୍ତବିକରଣ ଦିଗରେ ପ୍ରୟାସ ଅବିଚ୍ଛିନ୍ନ ରହିବ-। ନବକୃଷ୍ଣ ଚୌଧୁରୀ ସେଥିପାଇଁ ଜୀବନର ଶେଷ ଦଶାରେ ଯେ ଅଧୀର ହୋଇପଡ଼ିଲେ, ହାତରୁ ସୁଯୋଗମାନେ ହୁଏତ ଖସିଗଲେ ବୋଲି ପ୍ରାୟ ରୁଷ୍ଟ ହୋଇ ଉଠିଲେ ଏବଂ ଯେକୌଣସି ମାର୍ଗରେ ଯାହାଦ୍ୱାରା ହେଉ ପଛକେ, ପରିବର୍ତ୍ତନଗୁଡ଼ିକ ତଥାପି ହେଉ ବୋଲି ପ୍ରାୟ ଏକ ଧୈର୍ଯ୍ୟହରା ଯୁବକ ପରି ସାଧାରଣରେ ବଡ଼ ସିଧା ଶବ୍ଦମାନ ପ୍ରୟୋଗ କରି କହି ପକାଉଥିଲେ, ସେହି କଥାଟିକୁ ଖୁବ୍ ଭଲ ଭାବରେ ବୁଝି ହେଉଛି । କିଛି ନ ହେଲେ କେବଳ ସେଇଟି ହିଁ ପ୍ରମାଣ କରି ଦେଉଛି ଯେ ସିଏ ନିଜ ସମୟରେ କ୍ଷେତ୍ରସ୍ଥ ଅଥବା କ୍ଷମତାସ୍ଥ ଅନ୍ୟ ନେତାମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲେ-। ଯାହା କହୁଥିଲେ, ସତକୁସତ ତାହା ହିଁ ଚାହୁଥିଲେ ।

 

ତେଣୁ, ତାଙ୍କର ଶତବାର୍ଷିକୀରେ କ’ଣ ତଥାପି ସେହି ପୁରୁଣା ଢୋଲଗୁଡ଼ିକ ବାଜିବ ? ସିଏ ଅତି ନିକଟ ଭାବରେ ସଂପୃକ୍ତ ରହିଥିବା ଆଲୋଚିତ ଦୁଇ ଅନୁଷ୍ଠାନ–ବାଜିରାଉତ ଛାତ୍ରାବାସ ଏବଂ ମହିଳା ଶିବିର ବିଷୟରେ ମଧ୍ୟ ଆମେ ବିଶେଷ ଭାବରେ କିଛି ଭାବିବା ଏବଂ ସେମାନେ ଯେପରି ମଜବୁତ ହୋଇ ଆପଣାର ଭୂମିକାଗୁଡ଼ିକୁ ପୂର୍ଣ୍ଣ ପ୍ରତ୍ୟୟର ସହିତ ତୁଲାଇ ବି ପାରିବେ, ସେଥିପାଇଁ ସକ୍ରିୟ ଭାବରେ ଅସଲ ପ୍ରେରଣାଟି ପାଖରେ ଯାଇ ଠୁଳ ହେବା । ବାଜି ରାଉତ ଛାତ୍ରାବାସ ନାମକ ସେହି ଆନ୍ତରିକ ଘରଟି ଓଡ଼ିଶାରେ ନୂତନ ଶିକ୍ଷାମାର୍ଗଗୁଡ଼ିକୁ ଖୋଜି କ୍ରିୟାଶୀଳ କରିବାରେ ଯେଉଁ ଉଦ୍ୟମ କରିଆସିଛି, ଦୁଇ ଚୌଧୁରୀଙ୍କର ଅନୁପସ୍ଥିତିରେ ତାହା କ୍ରମେ ଶିଥିଳ ହୋଇଯିବ ନାହିଁ ତ ? ଉଦ୍ୟମଟିକୁ ମଜବୁତ କରିବା ପାଇଁ ଖୁଣ୍ଟ କେଉଁଠାରୁ ଆସିବ, ଖୁଣ୍ଟ କେଉଁମାନେ ହେବେ ? ଢୋଲ ପିଟିବାର ଗୁଳାରେ ଉତ୍ସବଟାଏ ଉଜାଇଁ ଦେବାର ଉତ୍ସାହୀମାନେ ଏତେ ଯାଏ ଆଦୌ ପାରିବେ ନାହିଁ । ସେମାନେ ଶବ୍ଦରେ ସିନା ବିଶେଷ ଅବସରଗୁଡ଼ିକୁ ପୋତି ପକାଇବେ, ସେଥିରୁ ଆପେ ଖୁବ୍ ଆପ୍ୟାୟିତ ହେବେ, କିନ୍ତୁ ପାରିବେ ନାହିଁ । ଏବଂ, ସତକୁସତ ପାରିବା ଲୋକମାନେ କଦାପି ଗୁଳାମାନଙ୍କୁ ମନ କରିବେ ନାହିଁ । ଓଡ଼ିଶାର ବହୁ ଗାଆଁ ଏବେ ମଧ୍ୟ ରାଜଧାନୀର ବହୁତ ଦୂରରେ ରହିଛି । ଆଦିବାସୀକୁ ଆଗ ଆଦିବାସୀ ବୋଲି ମାନି ନେଇ ସେମାନେ ମଧ୍ୟ ଏହି ଦେଶରେ ଠିକ୍ ଆମରି ପରି ନାଗରିକ ବୋଲି ଅସଲ ସତକଥାଟିକୁ ସେମାନଙ୍କଠାରୁ ଭୁଲାଇ ରଖିବାର ନେତା ଓ ଅମଲା ଏଠି ଭର୍ତ୍ତି ହୋଇ ରହିଛନ୍ତି । ଆଗକୁ ଆହୁରି ଅନେକ ବର୍ଷ ନିମନ୍ତେ ସେମାନେ ସତେଅବା ସ୍ଵୟଂ ଆଦିବାସୀମାନଙ୍କ ପାଇଁ ସାହୁକାର ହୋଇ ରହିବେ ବୋଲି କଳଗୁଡ଼ାକୁ ମୋଡ଼ିବାରେ ଲାଗିଛନ୍ତି । ମହିଳା ଶିବିରରୁ ପ୍ରଶିକ୍ଷଣ ଲାଭ କରି ଆଦିବାସୀ ପାଖରେ ହିମତ ଦେଇ ଠିଆ ହେବା ସକାଶେ ଏବେ ତ ଅଧିକ ଆବଶ୍ୟକତା ରହିଛି । ଅସଲମାନେ ତ ଏହି କଥାମାନଙ୍କୁ ସବାଆଗ ଚିନ୍ତା କରନ୍ତେ । ମହିଳା ଶିବିର ଓ ବାଜି ରାଉତ ଛାତ୍ରାବାସ ଓଡ଼ିଶାରେ ଅନେକଙ୍କ ପାଇଁ ଘର ହୋଇ ରହନ୍ତା, ଶକ୍ତିର ଉତ୍ସ ହୋଇ ରହନ୍ତା, ବହୁତ ଆଗକୁ ଦେଖି ପାରୁଥିବା ଏକ ପ୍ରୟୋଗଶାଳା ହୋଇ ରହନ୍ତା । ଢୋଲ ବାଜିବ ଓ ବନ୍ଦ ହୋଇଯିବ-। ଢୋଲ-ପିଟାଳିମାନେ ତା’ପରେ ସତକୁସତ କେଉଁଠାକୁ ଯିବେ ଓ ଥଣ୍ଡା ହୋଇଯିବେ-?

 

୩.୯.୦୧

☆☆☆

 

ସାହସର ସଂକ୍ରମଣ

 

ଶ୍ରୀଯୁକ୍ତ ଜନ୍ କେନେଡ଼ି, ଆମେରିକାର ରାଷ୍ଟ୍ରପତି ଥିବା ସମୟରେ ତାଙ୍କର କେତୋଟି ଲେଖାକୁ ଏକତ୍ର କରି Profiles of Courage ବୋଲି ବହିଟିଏ ପ୍ରକାଶିତ ହୋଇଥିଲା । ସେଥିରେ ଦର୍ଶାଯାଇଥିଲା ଯେ, ରାଜନୀତିକ କ୍ଷମତାର ଗୁଳାରେ ଚାଲୁଥିବା ବହୁତ ମୁଖ୍ୟ ଏବଂ ପ୍ରମୁଖ ସବୁକାଳେ ଥାଆନ୍ତି, ଯେଉଁମାନେ କି ଅବଶ୍ୟ ଦକ୍ଷ ଭାବେ ନିଜର କାର୍ଯ୍ୟନିର୍ବାହ କରନ୍ତି । କିନ୍ତୁ ଅସଲ ପରିବର୍ତ୍ତନ ତଥା ନୂତନ ପ୍ରବର୍ତ୍ତନଗୁଡ଼ିକ ସଚରାଚର ସେହିମାନଙ୍କଦ୍ୱାରା ହୁଏ, ଯେଉଁମାନେ ଗୁଳାରେ ଥାଇ ମଧ୍ୟ ଗୁଳା ଭିତରୁ ବାହାରି ଯାଆନ୍ତି । ଅନେକ ସମୟରେ ନିଜ ପାଇଁ ନାନା ପ୍ରମାଦର ସୃଷ୍ଟି କରି ସେମାନେ ଗୁଳାରୁ ବାହାରି ଯାଇଥାଆନ୍ତି ଏବଂ ସାଧାରଣତଃ ଅଭାବନୀୟ ବହୁତ କିଛିକୁ ସମ୍ଭବ କରି ପାରନ୍ତି । ଆମେରିକାର ରାଜନୀତି ତଥା ଶାସନରୁ ବହୁତ ଉଦାହରଣ ଦେଇ କେନେଡ଼ି ସେହି କଥାଟିର ଆଲୋଚନା କରିଛନ୍ତି । ଖାଲି ଆମେରିକାର ଇତିହାସ ନୁହେଁ, ତମାମ ପୃଥବୀଯାକର ଇତିହାସରୁ ମଧ୍ୟ ଆମକୁ ଏକାଧିକ ଯୁଗରୁ ତାହାର ନଜିରମାନ ମିଳିଯାଇ ପାରିବ । ପୃଥିବୀର ଅଧିକାଂଶ ଶାସକ ଓ ନାୟକ ଗୁଳାଭିତରେ ଯେ ଥାଆନ୍ତି, ଏହାକୁ ଆମେ ପୃଥିବୀର ସୌଭାଗ୍ୟ ବୋଲି କହିବା ନା ଦୁର୍ଭାଗ୍ୟ ବୋଲି କହିବା ? ମାତ୍ର, ଏତିକି ଅବଶ୍ୟ କୁହାଯାଇ ପାରିବ ଯେ, ବେଳେବେଳେ କେହି ନା କେହି ଅବଶ୍ୟ ଗୁଳାରୁ ବାହାରୁ, ନିଜ ପାଇଁ ଅଡ଼ୁଆ ସୃଷ୍ଟି କରି ମଧ୍ୟ କିଛି ଅଭୂତପୂର୍ବ କରି ନିଜକୁ ଅନ୍ୟମାନଙ୍କଠାରୁ ଭିନ୍ନ ବୋଲି ପ୍ରମାଣ ଦେଉ, ପୃଥିବୀର ସ୍ଵାସ୍ଥ୍ୟ ଲାଗି ତାହା ଅତ୍ୟନ୍ତ ଅନିବାର୍ଯ୍ୟ ହୋଇପଡ଼େ ।

 

ଇସ୍ରାଏଲର ସୀମାଗୁଡ଼ାକୁ ଘେରି ଆରବ ଶାସକମାନଙ୍କର ଦେଶ । ଇସ୍ରାଏଲର କାହାରି ସହିତ ମୋଟେ ପଡ଼େ ନାହିଁ ବା ଏପରି ମଧ୍ୟ ସମାନ ନିଷ୍ଠାର ସହିତ କୁହାଯାଇ ପାରିବ ଯେ, ଇସ୍ରାଏଲ ସହିତ କାହାରି ମୋଟେ ପଡ଼େନାହିଁ । ଇସ୍ରାଏଲ ପାଖରେ ଅଧିକ ଜ୍ଞାନ ଓ କୌଶଳ, ଇସ୍ରାଏଲ୍ ଟେପ ମୁରବି ଜୋର ମଧ୍ୟ ଅଧିକ, ତେଣୁ କେତେ କେତେ ଥର ଖୁରି ଖାଇ ଯୁଦ୍ଧ ଆରମ୍ଭ କରିଦିଆ ଯାଉଥିଲେ ମଧ୍ୟ ଇସ୍ରାଏଲର ହିଁ ଜିତାପଟ । ଇସ୍ରାଏଲର ଗଣତନ୍ତ୍ର ଶାସନ, ଅଧିକାଂଶ ଆରବ ଦେଶରେ ସେହି ପୁରୁଣା ଜମାନାଟାର ନବାବ ଏବଂ ଅମୀରମାନଙ୍କର ସେଇ ଅନ୍ଧାର ଶାସନ ଚାଲିଛି । ଅନ୍ଧାରମାନେ ଇସ୍ରାଏଲକୁ ଏକ ରାଜ୍ୟ ଓ ସରକାର ହିସାବରେ ସ୍ଵୀକୃତି ଦେଉନାହାନ୍ତି । ଏହି ଅଚଳ ଅବସ୍ଥାଟାର କ’ଣ କେବେହେଲେ ମଧ୍ୟ କୌଣସି ଶେଷ ନାହିଁ ? ହଠାତ୍ ମିଶରର ଜଣେ ରାଷ୍ଟ୍ରପତି ଅନୱାର୍ ସାଦତଙ୍କର ମଥାକୁ ଗୋଟାଏ ନୂଆ ପୋକ କାମୁଡ଼ିଲା-। ସିଏ ଏକ ସାହସୀ କାମ କଲେ ଓ ଗୁଳାରୁ ବାହାରିବା ସକାଶେ ନିଷ୍ପତ୍ତି କଲେ । କାହାକୁ ଆଦୌ କିଛି ନ ଜଣାଇ ସିଏ ଏକ, ସରକାରୀ ଉଡ଼ାଜାହାଜରେ ଇସ୍ରାଏଲ୍ ଭିତରକୁ ପଶିଗଲେ ଏବଂ ମୁଖ୍ୟ ବିମାନ ପୋତରେ ଅବତରଣ କରିବେ ବୋଲି ପୋତର କର୍ତ୍ତୃପକ୍ଷଙ୍କର ଅନୁମତି ମାଗିଲେ-। ଇସ୍ରାଏଲ୍ ପକ୍ଷ ଅବାକ୍ ହୋଇଗଲେ । ତଥାପି ଓହ୍ଲାଇବାର ଅନୁମତି ଦିଆଗଲା ଏବଂ ସାଦତ୍ ଇସ୍ରାଏଲର ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କ ସହିତ ଏକ ସ୍ଵୀକୃତି ସ୍ଥାପନର ଚୁକ୍ତି ସ୍ୱାକ୍ଷର କଲେ-। ପୃଥିବୀଯାକ କୋଳାହଳ ବ୍ୟାପିଗଲା । ସାହସ କରିପାରିଲେ ମଣିଷମାନେ ସତକୁସତ କେଡ଼େ ନମନୀୟ ଯେ ହୋଇପାରନ୍ତି, ତାହାର ଗୋଟିଏ ନମୁନା ମିଳିଗଲା । ଅନ୍ୟ ଆରବ ଦେଶର ମୁଖ୍ୟମାନେ ଖୁବ୍ ରୋଷ ପ୍ରକଟ କଲେ, ଧମକ ବି ଦେଲେ, ତଥାପି ଯାହା ହେବାର ଥିଲା ତାହା ହିଁ ହେଲା । ମିଶର ସରକାର ବୃହତ୍ତର ପୃଥିବୀଠାରୁ ବାହା ବାହା ପାଇଲେ । ସାହସକୁ ସ୍ଵୀକୃତି ଦେଇ ସେବର୍ଷ ସମ୍ପୃକ୍ତ ଉଭୟ ରାଷ୍ଟ୍ରମୁଖ୍ୟଙ୍କୁ ଶାନ୍ତିରେ ନୋବେଲ୍ ପୁରସ୍କାର ଦିଆଗଲା । ବର୍ତ୍ତମାନ ମିଶର ଓ ଇସ୍ରାଏଲ୍ ମଧ୍ୟରେ ନିର୍ଦ୍ଧାରିତ ନୂଆ ସଂଗତିଟି ଅନୁସାରେ ସ୍ଥଳପଥ ଏବଂ ଆକାଶପଥରେ ବସ୍ ଚାଲୁଛି, ବ୍ୟୋମଯାନ ମଧ୍ୟ ଚାଲୁଛି । ମଧ୍ୟପ୍ରାଚ୍ୟର, ଯୁଦ୍ଧମୁହାଁ ଝଗଡ଼ାଗୁଡ଼ାକ ଏବେ ମଧ୍ୟ ତୁଟିପାରି ନାହିଁ ସତ, ମାତ୍ର ତଥାପି ଏକାଧିକ ସଙ୍କଟ ସମାଧାନର ଅବସରରେ ମିଶର ବହୁତ ଅର୍ଥରେ ଗୋଟିଏ ସେତୁର ଭୂମିକା ବି ଗ୍ରହଣ କରିପାରୁଛି । ସେହି ଭୂଭାଗରେ ଆହୁରି କେତେଜଣ ରାଷ୍ଟ୍ରପ୍ରଧାନ ସାହସ କରି ଗୁଳାରୁ ବାହାରିବାକୁ ମନକଲେ ସମାଧାନର ସମ୍ଭାବନା ଆହୁରି ପ୍ରଶସ୍ତ ହୋଇଯିବ ବୋଲି ଅବଶ୍ୟ ଅପେକ୍ଷାଟିଏ ରହିଛି ।

 

ତୃତୀୟ ଦୃଷ୍ଟାନ୍ତଟି ହେଉଛନ୍ତି ରୁଷିଆର ମିଖାଏଲ୍ ଗୋର୍ବାଚଭ୍ । ସମଗ୍ର ପୃଥିବୀରେ ସଦ୍ୟତମ ବଡ଼ ଦୃଷ୍ଟାନ୍ତଟିଏ । ଗୋର୍ବାଚଭ୍ ନିଜ ଦଳ ତଥା ରାଷ୍ଟ୍ର-ଶାସନର ସବା ଉପର ଥାନଟାରେ ବସିଥିଲେ । ଗୁଳାରେ ଚାଲିଥିଲେ ସିଏ କେଡ଼େ ସୁଖରେ କାଳ କାଟି ପାରିଥାଆନ୍ତେ । ତଥାପି, ସାହସଟିଏ ତାଙ୍କ ଭିତରେ କେଉଁଠି ରହିଥିଲା, ତାଙ୍କୁ ମୋଟେ ଥୟ କରି ରଖାଇ ଦେଲା ନାହିଁ । ସିଏ ଘରର ଗୁମରଗୁଡ଼ିକୁ ପଦାରେ ପକାଇଦେଲେ, ଏଡ଼େ ବଡ଼ ସାମ୍ରାଜ୍ୟକୁ ଛିନ୍ନ ଭିନ୍ନ କରି ପକାଇଲେ, ନିଜ ଜୀବନକୁ ବିପନ୍ନ କରିଦେଲେ, ନିଜ ହାତରେ ନିଜ କ୍ୟାରିୟର ଉପରେ ଠେଙ୍ଗାଏ ଦେଲେ ଏବଂ ପୃଥିବୀଟାକୁ ପାଦେ ଆଗକୁ ଯିବାରେ କେଡ଼େ ବଡ଼ ସାହାଯ୍ୟଟାଏ କଲେ । ରୁଷିଆ ରାଷ୍ଟ୍ରକୁ ଏକ ବିଶ୍ୱଆଦର୍ଶର ଭାନୁମତୀ ରୂପେ ସଜାଇ ପୃଥିବୀଯାକର କମ୍ୟୁନିଷ୍ଟପାର୍ଟିମାନେ ଯେ ଗୋଟାଏ ପେଟୁଆ ଭବିଷ୍ୟର ସହଜ କଳ୍ପନାରେ ଥେଇ ଥେଇ ହୋଇ ନାଚୁଥିଲେ, ସେମାନଙ୍କୁ ସତକୁସତ ଚେତା ହେବାର ସମ୍ଭାବନାଟିଏ ଆଣିଦେଲେ । ଏକ ମହାର୍ଘ ଶୀତଳ ଯୁଦ୍ଧର ଅବସାନ ହେଲା । ଏହାର ପରିଣାମ ସ୍ୱରୂପ ଗୋର୍ବାଚଭ୍ ନିଜ ଘରେ ତଥା ଏକ ରାଜନୀତିକ ଆଦର୍ଶ ମାହାଲରେ କେତେ ନିନ୍ଦା ପାଇଲେ, ତଥାପି ସାହସଟା ହିଁ ଜିତିଲା । ବଡ଼ ଉଶ୍ୱାସ ଲାଗିଲା ଓ ମଣିଷର ବିବେକଟାକୁ କେତେ ଶିକ୍ଷା ମିଳିଲା । ତେବେ ବ୍ୟକ୍ତିଗତ ଭାବରେ ଗୋର୍ବାଚଭଙ୍କର ଜୀବନଟା ଚୂନା ହୋଇଗଲା, ସିଏ କ୍ଷମତାଚ୍ୟୁତ ହେଲେ, ତାଙ୍କର ଗୋଷ୍ଠୀରୁ କ୍ରୋଧୀମାନେ ବାହାରି ତାଙ୍କ ଜୀବନ ନେବାକୁ ଚକ୍ରାନ୍ତ ବି କଲେ । ଏଡ଼େବଡ଼ ମଣିଷଟା ସତେଅବା ଚାହୁଁ ଚାହୁଁ ନିଶ୍ଚିହ୍ନ ହୋଇଗଲା । ତାଙ୍କୁ ମାଧ୍ୟମ କରି ସାହସର ହିଁ ବିଜୟ ହେଲା । କାଳ ଉପରେ ଆମ ସମସ୍ତଙ୍କର ଭରସା ବୃଦ୍ଧି ପାଇବାରେ ଏହି ଘଟଣାଟି ଖୁବ୍ ସହାୟତା କଲା । ଗୋର୍ବାଚଭ୍ ଅମର ହୋଇ ରହିଲେ । କେଡ଼େବଡ଼ କ୍ୟାରିୟରଟାକୁ ନିଜ ହାତରେ ନଷ୍ଟ କରିଦେଲେ, କିନ୍ତୁ ପୃଥ୍ଵୀ-ଉନ୍ମୋଚନର ଅମର କାହାଣୀରେ ବହୁତଙ୍କ ନିମନ୍ତେ ସ୍ମରଣୀୟ ହୋଇ ରହିଗଲେ ।

 

ରାଜ୍ୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଏତେଟିକିଏ ମାତ୍ର ସାହସ କରିପାରିଲେ ସତକୁସତ କେତେ କ’ଣ ଘଟି ନଯାଏ । ନିରାଶମାନଙ୍କର ନିଦ ଭାଙ୍ଗିଯାଏ । ସନ୍ଦେହାମାନେ ଅର୍ଥାତ୍ ଆଉ ସତେ କିଛି ଘଟିବ ବୋଲି ବିଶ୍ୱାସ ହରାଇ ବସିଥିବା ସେହି ବିଶେଷ କାଟର ଭଲମଣିଷମାନଙ୍କ ମଧ୍ୟରେ ହୁଲସ୍ଥୁଲ ପଡ଼ିଯାଏ । ହୁଲସ୍ଥୁଲତ ସେତିକିବେଳେ ପଡ଼ିଥାଏ, ଯେତେବେଳେ ସଂପୃକ୍ତ ମୁଖ୍ୟମନ୍ତ୍ରୀଜଣକ ନିଜକୁ ତୁଚ୍ଛା ଚଉକିଟାଏ ଅର୍ଥାତ୍ ଦଳର କାରପଟଦାରଟାଏ ବୋଲି ନଭାବି ନିଜକୁ ସବାଆଗ ତଥା ସବାବଡ଼ ସ୍ଵୀକୃତି ପ୍ରଦାନ କରି ଜଣେ ମଣିଷ ଅର୍ଥାତ୍ ଏକ ସଚେତନ ଅର୍ଥାତ୍ କ୍ରିୟାଶୀଳ ହେବା ନିମନ୍ତେ ସମ୍ମତ ବିବେକଟିଏ ବୋଲି ଭାବିବାକୁ ଆରମ୍ଭ କରେ । ନିଜର ତଥାକଥିତ ଭୂମିକାଟାଠାରୁ ନିଜକୁ ହିଁ ଅଧିକତର ବୋଲି ଅନୁଭବ କରେ । Organization Man ଭିତରେ ସବାଉଚ୍ଚ Man ହୋଇ ରହିଥାଏ ସତ, ମାତ୍ର ତଥାପି ଆପଣାକୁ ଆଗ ଜଣେ Organization Man ବୋଲି ନଭାବି Man ବୋଲି ହିଁ ଚିନ୍ତା କରିପାରେ । ସେଇ ନିଦ ଭଙ୍ଗାଇ ଦିଏ । ନିଜେ ବି ନିଜ ଭିତରର ବହୁତ ନିଦ ଭିତରୁ ପଦାକୁ ଏକ ସପ୍ରତିଭ ମନୁଷ୍ୟର ଚେହେରାରେ ବାହାରି ଆସେ । କୁଣ୍ଠା ତେଜି ନିଜ ଘରଭିତରକୁ ବି ବାଡ଼ି ବୁଲାଇବାକୁ ଆରମ୍ଭ କରେ ଏବଂ, ବାଡ଼ି ଯେଉଁମାନଙ୍କ ଦେହରେ ଯାଇ ବାଜେ, ସିଏ ସେମାନଙ୍କୁ ଧରା ପକାଇଦିଏ । ହୁଏତ ନିଜ ପାଇଁ, ନିଜର ପଦଟା ପାଇଁ ଓ ଏପରିକି ପୂରା ପଲଟା ପାଇଁ ବହୁ ବହୁ ବିପଦକୁ ମୂଲାଇ ଆଣେ, ତଥାପି ଯାହା କରିବା ଉଚିତ ବୋଲି ହୃଦୟଙ୍ଗମ କରେ, ସିଏ ତାହା ହିଁ କରେ । ଅଧିକାଂଶ ସମୟରେ, ଭାରି ଏକା ହୋଇଯାଏ । ତଥାପି ଚଳେ ନାହିଁ । ବିଚରା ଦସ୍ୟୁଦଳର ସରଦାର ରତ୍ନାକର ଯେତେବେଳେ ବାଲ୍ମୀକି ହେବାର ଅନ୍ୟ ଦୀକ୍ଷାଟି ଗ୍ରହଣ କରିବ ବୋଲି ନିଜ ପାଖରେ ଶପଥ କରେ, ସେତେବେଳେ ଭାରି ଏକା ଏକା ଅନୁଭବ କରେ । ତା’ରି ଭିତରେ ଭଗାରି ହୋଇ କିଏ ତାକୁ ବୋକା ବନାଇ ପକାଇଲା କି ? –ବୋଲି ହୁଏତ ବଡ଼ ଆଚମ୍ବିତ ହୋଇ ପଚାରେ । ସେତିକିବେଳେ ହିଁ ସାହସ ଆସି ରକ୍ଷାକରେ । ଅବଶ୍ୟ ରକ୍ଷାକରେ । ନିଜ ଜଳାଶୟଟା ବାହାରେ ମଧ୍ୟ ଏକ ବୃହତ୍ତର ବିବେକର ପୃଥିବୀ ସବୁଦିନ ପରି ଆଜି ମଧ୍ୟ ରହିଛି ବୋଲି ଦୃଢ଼ଭାବରେ ଅନୁଭବ କରିବାକୁ କେତେ କେତେ ସାହସକୁ ଯେ ନିଜ ଭିତରୁ ଆବାହନ କରି ଆଣିବାକୁ ହୋଇଥାଏ, ନିଜର ମେରୁଦଣ୍ଡଟାକୁ ଯଥାର୍ଥ ନିର୍ଭର ରୂପେ ଗ୍ରହଣ କରି ବାଟ ଚାଲି ଆସିଥିବା ସବୁ ମଣିଷ ସର୍ବଦା ସେହି କଥା କହି ଆସିଛନ୍ତି ।

 

କ୍ଷମତାସୀନ ଦଳମାନେ କ୍ଷମତା ଭିତରେ ଯେକୌଣସି ପ୍ରକାରେ ରହିବେ ବୋଲି ଧର୍ମତଃ କେତେଦିନ ମଣ୍ଡୁକ ହୋଇ ରହିବାକୁ ହିଁ ନିରାପଦ ମାର୍ଗ ବୋଲି ଆଦରି ନେଉଥିବେ ? ଦଳଟା ଯାକ ସେହି ନ୍ୟାୟରେ ମଣ୍ଡୁକ ହେବାକୁ ମନ କରିଥିବା ପର୍ଯ୍ୟନ୍ତ ଦଳର ନେତାଟାକୁ ମଧ୍ୟ ‘ସମ୍ଭବତଃ ଗୋଟାଏ ମଣ୍ଡୁକରାଜ ହୋଇ ରହିବା ନିମନ୍ତେ ନିଜ ଭିତରୁ ବି ବହୁ ପ୍ରଲୋଭନ ଏବଂ ପ୍ରୋତ୍ସାହନ ମିଳିବାରେ ଲାଗିଥାଏ । ତେଣୁ, ସାହସକୁ ଖାଲି ବାହାରେ ନୁହେଁ, ନିଜ ଭିତରେ ମଧ୍ୟ ବହୁ ଯୁଦ୍ଧ ଲଢ଼ିବାକୁ ପଡ଼ିଥାଏ । ତଥାପି, ଏହି ସାନ ରାଜ୍ୟଟାରେ ଯାହା ଘଟିଲା, ତାହା ତମାମ ଦେଶଟାରେ ମଧ୍ୟ ପୂର୍ବରୁ କେବେ ଘଟିନଥିଲା । ବନ୍ୟାବେଳେ ରାଜ୍ୟର ସହସ୍ର ମଣିଷ ନିତାନ୍ତ ଅସହାୟବତ୍ ଡହଳବିକଳ ହେଉଥିବା ସମୟରେ ଏହି ଅଭୁତପୂର୍ବ ଘଟଣାଟି ଯେ ଘଟିଲା ଓ ଶ୍ୱାପଦମାନଙ୍କୁ ଚକିତ କରିଦେଲା, ଆମେ ତାହାକୁ ଏହି ଭୂମିଟି ଲାଗି ନିଶ୍ଚୟ ଗୋଟିଏ ଶୁଭଶକୁନ ବୋଲି କହିପାରିବା । ଶ୍ଵାପଦମାନେ ସତକୁସତ ଶ୍ଵାପଦ କି ନୁହଁନ୍ତି, ରହସ୍ୟଗୁଡ଼ିକୁ ଖୋଲି ତାହାର ଭେଦ ବାହାର କରିବା ସକାଶେ ତ ସରକାରଙ୍କର ଅନୁରୂପ ମହକୁମାମାନେ ରହିଛନ୍ତି । ତଥାପି, ଯେତିକି ଘଟିଲା, ତାହାକୁ କଦାପି ଆଦୌ ଅଳପ ବୋଲି କୁହାଯାଇ ପାରିବ ନାହିଁ । ବିଶ୍ଵାସ ବି ହେଉଛି ଯେ, ଏଣିକି ଶନୈଃ ଶନୈଃ ସିନ୍ଦୁରା ଫାଟିବ । ଭୂଇଁଟାର ତୁଣ୍ଡ ଖୋଲିଯିବ । ଭୂଇଁଟାକୁ ମାଧ୍ୟମ କରି ଏକ ନୂଆ ଅଧିବାସର ସୂତ୍ରପାତ ହେବ ।

 

ଏହି ସାହସ ଆହୁରି କରାଯାଉ । ସାହସର ସଂକ୍ରମଣ ହେଉ । ଏବେତ ଅଧିକରୁ ଅଧିକ ମଣିଷ ଭଲ ଖାଇଲେଣି, ଭଲ ପିନ୍ଧିଲେଣି, ଭଲ କମାଇଲେଣି; ଖବରକାଗଜମାନେ ବି ପୃଷ୍ଠା ବଢ଼ାଇଲେଣି ଏବଂ ଆମ ସମସ୍ତଙ୍କର ପ୍ରୀତ୍ୟର୍ଥେ ରଙ୍ଗବେରଙ୍ଗ ଛବିମାନ ଛପାଇ ବାହାରକଲେଣି । ଆମ ସାହିତ୍ୟରେ ବହିମାନଙ୍କର ସଂଖ୍ୟା ବଢ଼ିଲାଣି, ବହୁତର ଚାତୁରୀରେ ଭାଷଣ ଶୁଣାଇବା ଲାଗି ସଭାମାନେ ଅଧିକରୁ ଅଧିକ ହେଲେଣି । ପିଲାମାନେ ଅଧିକ ପାଠ୍ୟ ପୁସ୍ତକର ବୋଝ ମୁଣ୍ଡାଇ ଇସ୍କୁଲ ଯାଇ ପାରୁଛନ୍ତି । ସବୁତ ବଢ଼ୁଛି, ମାତ୍ର ସାହସ କାହିଁକି ବଢ଼ୁନାହିଁ-? ସାହସ ମାଡ଼ ଖାଇ ଯାଉଛି । ନେତା ସାହସୀ ହୋଇ ପାରୁନାହିଁ କି କର୍ମୀ ବି ସାହସୀ ହୋଇପାରୁ ନାହିଁ । ଅଧିକ ପାଠ ପଢ଼ିଥିବା ଲୋକେ କେଜାଣି କାହିଁକି ଅଧିକ ଭୀରୁ ହେଉଛନ୍ତି-। ସବା ଉପରେ ରହିଥିବା ଉଚ୍ଚ ଅଫିସର ସତେଅବା ଅଧିକ ଭୀରୁ ହୋଇ ରହିଲେଣି-। ଏହି ଭୂଇଁଟାରେ ସମସ୍ତେ ଖାଲି ଲୋସଡ଼ି ଲୋସଡ଼ି ପଡ଼ୁଛନ୍ତି, କେହି ସିଧା ହୋଇ ଛିଡ଼ା ହୋଇ ପାରୁନାହାନ୍ତି । ସାହିତ୍ୟ ଭୀରୁ ହେଲାଣି, ଯାହା କହିବା କଥା ତାହା କଦାପି କହିବ ନାହିଁ ବୋଲି ହଲପ ପକାଇ ଆସିଥିବା ପରି ଦୁନିଆ ପ୍ରକାର ଶୈଳୀର ଜାଲଟା ଭିତରେ ନିଜକୁ ଲୁଚାଇ ରଖିବା ଲାଗି କେତେ ମିହନ୍ତ କରୁଛି । ପିଲାବେଳର ସହଜାତ ସାହସଟି ବୟସ୍କ ହେଲା ବେଳକୁ ପୂରା ଚୁଲିରେ ଯାଇ ପଶୁଛି । ଅଥଚ, ସାଂପ୍ରତିକ ଜୀବନରେ, ସାଂପ୍ରତିକ ରାଜନୀତିରେ, ଶାସନରେ, ଶିକ୍ଷାରେ ଏବଂ ସାମୁଦାୟିକତାର ସକଳ ଅବସରରେ ସାହସ ନିମନ୍ତେ ହିଁ କେତେ ନା କେତେ ଅପେକ୍ଷା ରହିଛି । ପଚାଶ ବର୍ଷ କାଳ ସ୍ଵାଧୀନତାକୁ ପ୍ରାୟ ଏକୁଟିଆ ଭୋଗ କରିବେ ବୋଲି ଆମ ଭିତରୁ ଯେଉଁ ଅଧିକ ତତ୍ପରମାନେ ସମ୍ମୁଖସ୍ଥ ପ୍ରାୟ ସକଳ ଦିଗ୍‍ବଳୟକୁ ଢାଙ୍କି ରଖିବା ପାଇଁ ଷଡ଼ଯନ୍ତ୍ର କରି ଆସିଛନ୍ତି, ସେମାନଙ୍କୁ ଚଳାଇ ପାରିବାକୁ ସବା ଆଗ ସାହସୀମାନେ ହିଁ ଦରକାର-। ସେମାନେ ପରସ୍ପରକୁ ଖୋଜି ବାହାର କରନ୍ତୁ । ପରସ୍ପର ପାଖରେ ଏକାଠି ଯାଇ ବସିପାରନ୍ତୁ-। ନିଜ ଘରର ଅନ୍ଧାରଗୁଡ଼ାକୁ ଅନ୍ଧାର ବୋଲି କହିପାରନ୍ତୁ । ତେବେ ଯାଇ ଏହି ଅନ୍ଧାର ସମୟଟାକୁ ଆହୁରି ସେପାଖକୁ ସେମାନେ ସିଧା ଭାବେ ଦେଖିପାରିବେ ଏବଂ ଏକ ଅନ୍ୟ ପ୍ରାରମ୍ଭ ନିମନ୍ତେ ପୁରୋଗାମୀ ହୋଇପାରିବେ । ବର୍ତ୍ତମାନର ମତଲବି ମେଳଗୁଡ଼ାକର ମୋହ କାଟିପାରିଲେ ଯାଇ ସେମାନେ ନିଜ ଭିତରର ସାହସସ୍ପର୍ଶଟିକୁ ପାଇପାରିବେ । ତେଣୁ, ଭଗବାନ ପ୍ରସନ୍ନ ହୁଅନ୍ତୁ, ଏହି ସାନ ରାଜ୍ୟଟିରେ ବଡ଼ ବଡ଼ ଘଟଣା ଆହୁରି ଘଟୁ ।

 

୧୦.୯.୦୧

☆☆☆

 

ବାଙ୍କଭାଇ ଚାଲିଗଲେ (୨)

 

ବାଙ୍କଭାଇ ଚାଲିଯିବା ପରେ ଓଡ଼ିଶାରେ ତଥା ଓଡ଼ିଶା ବାହାରେ ତାଙ୍କର ସ୍ମୃତିଚାରଣ କରି ଅଧିକାଂଶ ବ୍ୟକ୍ତି ତାଙ୍କୁ ସ୍ୱାଧୀନ ସଂଗ୍ରାମର ଜଣେ ଅଗ୍ରଣୀ ବିପ୍ଳବୀ, ଜଣେ ସୁସଫଳ ସାଂସଦ ଏବଂ ଜଣେ ଭାରି ଟାଣୁଆ ପରିବେଶବାଦୀ ବୋଲି କହିଲେ । ତାଙ୍କୁ ସମାଜବାଦୀ ଆନ୍ଦୋଳନର ଜଣେ ସୈନିକ ବୋଲି ବେଶି କେହି କହିଲେ ନାହିଁ । ସେମାନଙ୍କୁ ଆମେ ଆଦୌ ଦୋଷ ଦେବା ନାହିଁ । ବର୍ତ୍ତମାନ ସମାଜବାଦୀ ଆନ୍ଦୋଳନ କହିଲେ ସ୍ୱତନ୍ତ୍ର ଏକ ପରିଚୟର ଅନ୍ଦାଜ କରି ପାରିବା ଲାଗି ଓଡ଼ିଶାରେ କେଉଁଠାରେ କ’ଣ ଅଛି ଯେ, ଲୋକେ ତାହାକୁ ପାସୋରି ଦେଇ ନଥାନ୍ତେ ? ଭାରତବର୍ଷରେ ମଧ୍ୟ କେଉଁଠାରେ କ’ଣ ଅଛି ? ମାତ୍ର, ସେହି ସ୍ଵାଧୀନତା ସଂଗ୍ରାମର ମୂଳ ସମୟଟିଠାରୁ ହିଁ ଯେଉଁମାନେ ସ୍ୱାଧୀନତା ପରେ ଭାରତୀୟ ସାମୁଦାୟିକ ଜୀବନର ନୂତନ ବିନ୍ୟାସ ତଥା ବିଧାନ ବିଷୟରେ ଆପଣକୁ ସର୍ବାଧିକ ସ୍ୱଚ୍ଛତା ସହିତ ସଂପୃକ୍ତ କରି ରଖିଥିଲେ, ଏବେ ମଧ୍ୟ ପଛକୁ ଚାହିଁ ଦେଖିଲେ ସମାଜବାଦୀମାନେ ହିଁ ଆମକୁ ସେଇ ଧାଡ଼ିର ସବା ଆଗରେ ରହିଥିବାର ସଂପୂର୍ଣ୍ଣ ଜଳଜଳ ହୋଇ ଅବଶ୍ୟ ଦିଶିଯିବେ । ତତ୍କାଳୀନ କମ୍ୟୁନିଷ୍ଟମାନେ ସେସବୁ ବିଷୟରେ ବେଶି ମୁଣ୍ଡ ଖେଳାଉନଥିଲେ । ସେମାନଙ୍କ ଆଗରେ ସାରା ପୃଥିବୀର ଭବିଷ୍ୟ ନମୁନା ସ୍ଵରୂପ ରୁଷିଆ ଦେଶଟି ହିଁ ଏକମାତ୍ର ଈପ୍‍ସିତ ଦୃଷ୍ଟାନ୍ତ ହୋଇ ରହିଥିଲା । ହଁ, ମହାତ୍ମା ଗାନ୍ଧୀଙ୍କର ଭାରତବର୍ଷକୁ ନେଇ ଏକ ଭବିଷ୍ୟକଳ୍ପନା ଅବଶ୍ୟ ଥିଲା । ତଥାପି ତାଙ୍କ ପଛରେ ଦଳ ବୋଲି ସଚେତନ ହୋଇ କୌଣସି ରାଜନୀତିକ ପ୍ରୟାସ ନଥିଲା । ଗାନ୍ଧୀ-କାମ ନାମରେ ନାନାବିଧ ସଚଳତା ରହିଥିଲା ସିନା, ମାତ୍ର କର୍ମୀମାନେ ମହାତ୍ମାଙ୍କର ତତ୍କାଳିକ କାର୍ଯ୍ୟକ୍ରମଗୁଡ଼ିକୁ ପୂରଣ କରିବାରେ ଏତେ ଏକନିଷ୍ଠ ହୋଇ ରହିଥିଲେ ଯେ, ଏକ ଭାବୀଚିତ୍ରକୁ ନିଜ ମଥା ଭିତରେ ଏକ ସ୍ୱନିର୍ବାଚିତ ଅବଲମ୍ବନ ରୂପେ ଗ୍ରହଣ କରିବା ଏଥିରେ ସଂଭବତଃ କୌଣସି ପ୍ରୟୋଜନ ନଥିଲା । ହୁଏତ ସେହି ଅସଲ ଅଭାବଟି ହେତୁ ଗାନ୍ଧିଜୀଙ୍କର ତିରୋଧାନ ପରେ ସେମାନେ ସ୍ଵାଧୀନତା ପରେ ଯେଉଁଠି ଥିଲେ ସେହିଠାରେ ହିଁ ରହିଗଲେ ।

 

ଭାରତଛାଡ଼ ଆନ୍ଦୋଳନ ଆରମ୍ଭ ହେବାର ପୂର୍ବରୁ ହିଁ ଇଂରେଜ ସରକାର ତମାମ ଦେଶର ତୁଙ୍ଗ କଗ୍ରେସୀ ନେତାମାନଙ୍କୁ ଜେଲକୁ ନେଇ ଯାଇଥିଲେ । ସେମାନେ ଅଟକବନ୍ଦୀ ହୋଇ ରହିଲେ । ଦେଶର ଯେଉଁସବୁ ପ୍ରଦେଶରେ ଆନ୍ଦୋଳନର ଉତ୍ତାପଟି ବିଶେଷ ଭାବରେ ପ୍ରକଟ ହୋଇ ପାରିଥିଲା ଓ ସାମଗ୍ରିକ ଜନସମର୍ଥନକୁ ମଧ୍ୟ ଆପଣା ସହିତ ଯୁକ୍ତ କରି ପାରିଲା, ସେଠାରେ ପ୍ରାୟ ସର୍ବତ୍ର ସମାଜବାଦୀ ନେତୃତ୍ୱ ହିଁ ରହିଥିଲା । ସ୍ଵୟଂ ଜୟପ୍ରକାଶ ମଧ୍ୟ ସେହି ଆନ୍ଦୋଳନଟିକୁ ଭାରତୀୟ ଜନନିୟତି ନିମିତ୍ତ ଏକ ମହତ୍ତ୍ୱପୂର୍ଣ୍ଣ ସୁଯୋଗ ସଦୃଶ ବିଚାର କରି ହଜାରିବାଗ ଜେଲ୍ ପାଚେରୀ ଡେଇଁ ନିଜର ଆଉ କେତେଜଣ ସାଥୀଙ୍କ ସହିତ ବାହାରକୁ ପଳାଇ ଆସିଥିଲେ । ମହିୟସୀ ଅରୁଣା ଆସଫ ଅଲ୍ଲୀ ଏପରି ସଫଳତାର ସହିତ ଆତ୍ମଗୋପନ କରି ଆନ୍ଦୋଳନରେ ସକ୍ରିୟ ଭାବରେ ସାମିଲ ହୋଇ ଯାଇଥିଲେ ଯେ, ଇଂରେଜ ସରକାର ଭାରତ ଛାଡ଼ି ଚାଲିଯିବା ପୂର୍ବରୁ ତାଙ୍କର କୌଣସି ପତ୍ତା ହିଁ ପାଇନଥିଲେ । ଓଡ଼ିଶାରେ ସେତେବେଳେ କ୍ରିୟାଶୀଳ ଆନ୍ଦୋଳନ ବୋଲି ଯାହାକିଛି ହୋଇଥିଲା, ସେଥିରେ ସବା ଆଗରେ ଶ୍ରୀଯୁକ୍ତ ସୁରେନ୍ଦ୍ର ନାଥ ଦ୍ୱିବେଦୀ ହିଁ ରହିଥିଲେ । ସିଧା ବମ୍ବେର କଂଗ୍ରେସ ଅଧିବେଶନରୁ ସତେଅବା ଓଡ଼ିଶାର ଆନ୍ଦୋଳନର ଏକ ମୂଳଗଣ୍ଠି ହୋଇ ରହିବେ ବୋଲି ସିଏ କେତେ କ'ଣ ପ୍ରତିବନ୍ଧକକୁ ଏଡ଼ି କଟକଯାଏ ଚାଲି ଆସିଥିଲେ । ବାଙ୍କଭାଇ ମୂଳରୁ ହିଁ ତାଙ୍କର ହାତ ପରି ହୋଇ ରହିଥିଲେ । ଏହି ପ୍ରକ୍ରିୟାରେ ଓଡ଼ିଶାର ଏକାଧିକ ଅଞ୍ଚଳରେ ଯେଉଁ ସ୍ୱତନ୍ତ୍ର ଗୋଷ୍ଠୀଟି ସତେଅବା ସେହି ସଂଗ୍ରାମ ସମୟରେ ହିଁ ଗଢ଼ି ହୋଇ ଯାଇଥିଲା, ସେମାନେ ସ୍ୱାଧୀନ ଭାରତବର୍ଷରେ ଓଡ଼ିଶାର ସମାଜବାଦୀ ଶିବିରଟିରେ ଖୁଣ୍ଟ ହୋଇ ରହିଥିଲେ । ହଁ, ଓଡ଼ିଶାରେ ମହାତ୍ମା ଗାନ୍ଧୀଙ୍କର ରଚନାତ୍ମକ କାର୍ଯ୍ୟଗୁଡ଼ିକ ଯେଉଁସବୁ ଅଞ୍ଚଳରେ ସଘନ ଭାବରେ ହୋଇଥିଲା, ସେହିସବୁ ସ୍ଥାନରେ ଭାରତଛାଡ଼ ଆନ୍ଦୋଳନ ବିଶେଷ ଭାବରେ ଯେ ଶକ୍ତିଶାଳୀ ହୋଇଥିଲା, ଆମେ ସେହି କଥାଟିକୁ ମଧ୍ୟ ସର୍ବଦା ସ୍ମରଣ ରଖିବା । ଗାନ୍ଧୀ କର୍ମୀମାନେ ଗାନ୍ଧୀଙ୍କର ରଚନାତ୍ମକ କାର୍ଯ୍ୟକ୍ରମମାନଙ୍କରେ ନିହିତ ହୋଇ ରହିଥିବା ରାଜନୀତିକ ତାତ୍ପର୍ଯ୍ୟଗୁଡ଼ିକର ଗନ୍ଧ ବାରି ପାରୁଥିଲେ ମଧ୍ୟ ସତେଅବା କେଉଁ ସଙ୍କୋଚ ହେତୁ ସେଗୁଡ଼ିକ ପାଖରୁ ଯେ ନିଜକୁ ଦୂରଛଡ଼ା କରି ରଖିଲେ, ସେହି ବିଷୟରେ ସଂପୃକ୍ତ ଅନୁରାଗୀମାନଙ୍କୁ ଏକାଠି ବସାଇ ଏବେ ମଧ୍ୟ ବହୁତ କିଛି ଆଲୋଚନା ହୋଇପାରନ୍ତା । ଗାନ୍ଧୀପ୍ରେରଣା ଭିତରେ ରହିଥିବା ସେହି ଆଭିମୁଖ୍ୟଟି ହୁଏତ ସାଂପ୍ରତିକ ପୃଥିବୀର ବହୁ ଜନପ୍ରତିବାଦ ତଥା ଜନପ୍ରତିରୋଧକୁ ଏବେ ମଧ୍ୟ ସେମାନଙ୍କୁ ସମୀଚୀନ ବୋଲି ଲାଗୁଥିବା ମାର୍ଗଟିକୁ ତଥା ପ୍ରତ୍ୟୟଗୁଡ଼ିକୁ ଯୋଗାଇ ଦେଉଛି । ଭାରି ଆଚମ୍ବିତ ହେବାକୁ ପଡ଼େ ଯେ, ଭାରତବର୍ଷରେ ତଥାପି ଗାନ୍ଧୀ ଅନୁଗାମୀ ଏବଂ ସମାଜବାଦୀମାନେ ଏକାଠି ଡକା ଡକି ହୋଇ କେବେ ବସି ପାରିଲେ ନାହିଁ । ଫରକଗୁଡ଼ାକ ହୁଏତ ଆଗ ଏତେ ଏତେ ହୋଇ ଦେଖାଗଲା ।

 

ଫରକ ଅବଶ୍ୟ ଥାଏ । ବ୍ୟକ୍ତି ବ୍ୟକ୍ତି ଭିତରେ ଏବଂ ଦଳ ଦଳ ଭିତରେ ଫରକ କେତେ ନା କେତେ ସବୁବେଳେ ରହିଥାଏ । ଫରକଗୁଡ଼ାକୁ ଦେଖିଲେ ଫରକମାନେ ବଡ଼ ହୋଇ ଦିଶନ୍ତି । ସତେଅବା ମୋଟେ ଲଘିଂ ନହେବା ଭଳି ଦେଖାଯାଉଥାନ୍ତି । ଫରକ ଥାଏ, ସମାନତା ମଧ୍ୟ ଥାଏ । ସମାନତାଗୁଡ଼ିକୁ ଆଗ ଦେଖି ପାରୁଥିଲେ ଫରକଗୁଡ଼ିକ ରହିଥିଲେ ମଧ୍ୟ ତଥାପି ଏକାଠି ବହୁତ ବାଟ ଚାଲିହୁଏ । ସ୍ୱାଧୀନତା ପରେ ଓଡ଼ିଶାରେ ସମାଜବାଦୀମାନେ ଯେ ଏକ ଦଳ ହିସାବରେ ଲୋକମାନଙ୍କ ଚକ୍ଷୁରେ ଏତେ ବିଶ୍ୱାସଭାଜନ ହୋଇ ପାରିଥିଲେ, ସେତେବେଳେ ମଧ୍ୟ ସେମାନଙ୍କ ଭିତରେ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ କେତେ ଫରକ ଅବଶ୍ୟ ରହିଥିଲା । ତଥାପି ଆଗକୁ ଅନାଇବା ବେଳକୁ ସେମାନେ ଯାବତୀୟ ଅର୍ଥରେ ଗୋଟିଏ ବାହିନୀ ଭଳି କାର୍ଯ୍ୟ କରି ପାରୁଥିଲେ । ଯେକୌଣସି ଗୋଷ୍ଠୀକୁ ଏକ ସକାରାତ୍ମକ ତାରୁଣ୍ୟ ଅନୁପ୍ରେରିତ କରି ରଖିଥିବା ପର୍ଯ୍ୟନ୍ତ ସେଥିରେ ଥିବା ବ୍ୟକ୍ତିମାନେ କେତେ ସହଜରେ ପରସ୍ପର ପାଖରେ ଜବାବ ଦେଇ ଏକତ୍ର ହୋଇଥିବା ଭଳି ସଂକଳ୍ପର ସହିତ ବାଟ ଚାଲୁଥାନ୍ତି । କେହି କାହାରିକୁ ଗିଳି ପକାଇବାକୁ ସଭିସନ୍ଧି କରୁନଥାଏ । ବଡ଼ ଥାଆନ୍ତି ସାନ ବି ଥାଆନ୍ତି; ନେତା ଥାଆନ୍ତି, କର୍ମୀ ମଧ୍ୟ ରହିଥାନ୍ତି । ତଥାପି ସମ୍ମୁଖସ୍ଥ ତାରାଟି ଏତେ ଉଜ୍ଜ୍ୱଳ ହୋଇ ଦିଶୁଥାଏ ଯେ ପରସ୍ପରକୁ ସେହି ଗୋଟିଏ ସ୍ୱୀକୃତିବୋଧର ଆକର୍ଷଣ ଆଗକୁ ଆଗକୁ ନେଇଯିବାରେ ଲାଗିଥାଏ । ଦଳ ଭିତରେ ଅସଲ ଆନୁଗତ୍ୟଟି ରହିଥାଏ ଓ ତେଣୁ ପରସ୍ପରକୁ ଅଧିକ ସହିହୁଏ, ଅଧିକ ବୁଝିହୁଏ । ପରସ୍ପରର ପରିପୂରକ ହୋଇ ରହିବାରେ ସେଭଳି କୌଣସି ଅସୁବିଧା ହୁଏନାହିଁ । ଭାରତବର୍ଷରେ ସମାଜବାଦୀ ନିମନ୍ତେ ଏହି ଅସଲ ତାରାଟି ହେଉଛି ସେହି ଅଭିଳଷିତ ସାମାଜିକ ପରିବର୍ତ୍ତନ, ଯାହାକି ଏହି ଦେଶର ସବୁ ମଣିଷଙ୍କୁ ନାଗରିକର ସଚେତନତା ଆଣିଦେବ ଏବଂ ସେହି ସଚେତନତାକୁ କ୍ରିୟାଶୀଳ କରି ରଖିବା ନିମନ୍ତେ ଆବଶ୍ୟକ ବାସ୍ତବ ସମ୍ବନ୍ଧଗତ ଅର୍ଥାତ୍ ସାମୂହିକ ଭିତ୍ତିଭୂମିଟିକୁ ଯୋଗାଇ ଦେବା ଲାଗି ପ୍ରୟାସ କରିବ । ଭାରତୀୟ ଜାତୀୟ କଂଗ୍ରେସ ମୋଟାମୋଟି ସେହି ଅର୍ଥରେ ହିଁ ସମାଜବାଦକୁ ଆପଣାର ଲକ୍ଷ୍ୟ ରୂପେ ଗ୍ରହଣ କରିଥିଲା ଏବଂ ସେହି ଲକ୍ଷ୍ୟର ପୂରଣକୁ ଯଥାସମ୍ଭବ ଅଧିକ ତତ୍ପରତା ଯୋଗାଇ ଦେବାକୁ ସମାଜବାଦୀମାନେ ନିଜକୁ ବିଶେଷ ଭାବରେ ପ୍ରସ୍ତୁତ କରୁଥିଲେ ।

 

ତାରାଟି ରହିଥାଏ, ଶପଥ ଏବଂ ସଂକଳ୍ପଗୁଡ଼ିକର ପୂରଣ ହୋଇ ଆସିବା ପାଇଁ ତଥାପି ବହୁତ ବାଟ ବାକି ରହିଥାଏ, କାଗଜପତ୍ରଗୁଡ଼ିକ ସବୁ ଠିକ୍ ରହିଥାଏ; ତଥାପି କେଉଁଠାରେ କ’ଣ ଗୋଦରା ହୋଇଆସେ । କ୍ରମେ ତଳି ଛାଡ଼ିଆସେ । ନେତାମାନେ କେବଳ ସେହିମାନଙ୍କର ମତଟି ବ୍ୟତୀତ ଆଉ କୌଣସି କିଛି ନିମନ୍ତେ କଳ ନାମକ ସେହି ଚିହ୍ନା ଘରଟିରେ ମୋଟେ ଜାଗା ହେଉନାହିଁ ବୋଲି ଅପ୍ରସନ୍ନ ହେବାକୁ ଆରମ୍ଭ କରନ୍ତି । ସତେଅବା ନିଜ ଭିତରୁ ଗୋଟାଏ ବାବାଜୀ ଜନ୍ମ ଲାଭ କରେ, ଯିଏକି ନିଜକୁ ଛାଡ଼ି ଆଉ ସବୁକିଛିକୁ ମାୟାବତ୍ ମହସୁସ୍ କରେ । ଆଗ ଫରକଗୁଡ଼ାକୁ ଦେଖେ । ପରସ୍ପରର ମତକୁ ଲୋଡ଼ିବାଦ୍ୱାରା ଯେଉଁ ସାଲିସ୍ କରିବାକୁ ହେବ, ତଦ୍ଦ୍ୱାରା ବ୍ୟକ୍ତି ହିସାବରେ ତା’ର ଆଉ କୌଣସି ସ୍ଥାନ ରହିବ ନାହିଁ ବୋଲି ସିଏ ନିଜ ଭିତରେ ଭାରି ଛାନିଆ ହୋଇପଡ଼େ । ଏହିପରି ଭାବରେ ନିଜକୁ ଅଲଗା ହୋଇ ରହିଥିବା ଦ୍ୱୀପଟିଏ ପରି ଅନୁଭବ କରୁ କରୁ ଏକଦା ତା’ର ଏତେ ନିକଟରେ ସାଥୀ ହୋଇ ରହିଥିବା ଅନ୍ୟମାନେ ମଧ୍ୟ ତା’ ଆଖିକୁ ଗୋଟିଏ ଗୋଟିଏ ଦ୍ୱୀପ ଭଳି ପ୍ରତ୍ୟକ୍ଷ ହୁଅନ୍ତି । ବିଭ୍ରାଟର ମହାପର୍ବଟି ପ୍ରାୟ ସେହିଠାରୁ ଆରମ୍ଭ ହୋଇଯାଏ । ଭାରତୀୟ ସମାଜବାଦୀମାନଙ୍କର ଭାଗ୍ୟରେ ପ୍ରାୟ ସେହିପରି କିଛି ଲେଖା ହୋଇ ରହିଥିଲା କି ? ଶ୍ରୀଯୁକ୍ତ ଜୟପ୍ରକାଶ ଦ୍ୱିତୀୟ ଦାର ପରିଗ୍ରହ କଲାପରି ସର୍ବୋଦୟ ଭିତରେ ଆସି ପହଞ୍ଚିଲେ । ଏପରି କରି ନିଜକୁ ସଂଭବତଃ ଅଧିକ ପବିତ୍ର ହୋଇଯିବା ପରି ଅନୁଭବ କଲେ-। ପଟବର୍ଦ୍ଧନ ଏବଂ ରାମନନ୍ଦନ ସତକୁସତ ସାଧୁଦୀକ୍ଷା ଗ୍ରହଣ କଲେ । ସମାଜବାଦୀ ଆନ୍ଦୋଳନକୁ ଏମାନେ ତା’ପରେ ଯାବତୀୟ ଯୁକ୍ତିଦ୍ୱାରା ପରିଚାଳିତ ହୋଇ ହୁଏତ ମାୟା ବୋଲି ଅନୁଭବ ମଧ୍ୟ କରିଥିବେ । ଶ୍ରୀଯୁକ୍ତ ଅଶୋକ ମେହଟ୍ଟା ନେହେରୁ ପରିବାର ସହିତ ରହିଥିବା ତାଙ୍କର ସ୍ୱତନ୍ତ୍ର ବନ୍ଧନଗୁଡ଼ିକୁ ସ୍ମରଣ କରି କଂଗ୍ରେସ ଭିତରେ ପଶିଲେ । ବଡ଼ ରାଜଧାନୀରେ ସେହି ବିଡ଼ମ୍ବନାଗୁଡ଼ିକର ପ୍ରଭାବ ସାନ ରାଜଧାନୀମାନଙ୍କରେ ମଧ୍ୟ ଚଡ଼କ ପରି ପ୍ରଭାବ ପକାଇଲା-

 

ଓଡ଼ିଶାରେ ବାଙ୍କଭାଇ କଂଗ୍ରେସରେ ସାମିଲ ହେଲେ । କଂଗ୍ରେସ ଗଠନ କରିଥିବା ସରକାରରେ ମନ୍ତ୍ରୀପଦରେ ଥାଇ ସମାଜବାଦ ପାଇଁ ଅବଶ୍ୟ କିଛି ନା କିଛି, ଏପରିକି ବହୁତ କିଛି କରିହେବ ବୋଲି ସିଏ ସେତେବେଳେ ଖୁବ୍ ଯୁକ୍ତିସମର୍ଥିତ ଭାବରେ ଅନୁଭବ କରିଥିବେ । ତା'ପରେ କ୍ଷମତାର ପଦମର୍ଯ୍ୟାଦା ଭିତରେ ତାଙ୍କୁ କେତେ କ’ଣ ସମ୍ମାନ ମିଳିଲା ସିନା, ମାତ୍ର ସମାଜବାଦ ପଛରେ ରହିଗଲା । ତାଙ୍କରି ଭଳି ଅନ୍ୟ ବଡ଼ମାନେ ବି ନିଜ ନ୍ୟାୟରେ ନିଜର ଗୋଟିଏ ଗୋଟିଏ ଦ୍ୱୀପ ସଜିଲ କରିନେଲେ ଓ ସମାଜବାଦକୁ ନିଜ ନିଜ ବିଶ୍ଳେଷଣଦ୍ୱାରା ଅଲଗା ଅଲଗା ପଇଠ କରି ସତେଅବା ବାଛୁରିଟିଏ ଭଳି ନିଜ ନିଜ ଗୁହାଳ ଭିତରେ ବାନ୍ଧି ରଖିଲେ । କଂଗ୍ରେସ ବାରଭାଗ ହୋଇଥିଲା, କମ୍ୟୁନିଷ୍ଟମାନେ ବି ଭାଗ ଭାଗ ହୋଇ ସାରିଥିଲେ ଏବଂ ସେହିକ୍ରମରେ ସମାଜବାଦୀଙ୍କର ବି ଅଲଗା ଅଲଗା ମଙ୍ଗୁଳା ଘରମାନ ତିଆରି ହୋଇଗଲା । କ୍ଷେତ ଉଜୁଡ଼ିଗଲା, ଏହି ଡିହଗୁଡ଼ିକ ହିଁ ସେହି ଉଜୁଡ଼ି ଯାଇଥିବାର ଗୋଟିଏ ଗୋଟିଏ ସନ୍ତକ ହୋଇ ରହିଲେ । ୧୯୪୯ ମସିହାରେ ସାଲେପୁରଠାରେ ଅନୁଷ୍ଠିତ ସମାଜବାଦୀମାନଙ୍କର ପ୍ରାଦେଶିକ ସମ୍ମିଳନୀରେ ଯେଉଁ ଉଦବୋଧନୀ ପ୍ରଥମ ସଙ୍ଗୀତଟି ଗାନ କରାଯାଇଥିଲା, ତାହାର ଆଦ୍ୟ ଧାଡ଼ିଟି ମୋର ଏବେ ମଧ୍ୟ ସ୍ମରଣରେ ରହିଛି । ‘ଜୟ ତୁ ଜୟପ୍ରକାଶ ଅଶୋକ ଅରୁଣା ଲୋହିଆ ବନ୍ଦେ’–ପଙ୍‍କ୍ତିଟି ଏହିପରି ଥିଲା । ସେଦିନ ସଭାରେ ବସି ଗୀତଟିକୁ ଶୁଣୁଥିବା ସମୟରେ ମୋତେ ଭାରି କିମିତି କିମିତି ଲାଗିଥିଲା । ମୋ ଅଶ୍ଵସ୍ତିଟାକୁ ମୁଁ କିଛି ବନ୍ଧୁଙ୍କ ପାଖରେ ପ୍ରକାଶ କରିଥିଲି । ବନ୍ଧୁମାନେ ଗୀତଟି ଭିତରେ ସେପରି କିଛି ଅଶ୍ଵସ୍ତିକର ରହିଛି ବୋଲି ମୋଟେ ଘ୍ରାଣ କରି ପାରୁନଥିଲେ । ଯେଉଁ ନେତାମାନେ ସମାଜବାଦୀ ଆନ୍ଦୋଳନରେ ସର୍ବଭାରତୀୟ ତୁଙ୍ଗ ସ୍ତରରେ ରହିଛନ୍ତି, ସେମାନଙ୍କୁ ଆନୁଷ୍ଠାନିକ ଭାବରେ ସ୍ମରଣ କରିବା ପ୍ରତ୍ୟେକ ସମାଜବାଦୀ କର୍ମୀ ନିମନ୍ତେ ଅବଶ୍ୟ ଖୁବ୍ ପ୍ରେରଣାଦାୟକ ହେବ ବୋଲି ସେମାନେ ଭାବୁଥିଲେ । ହୁଏତ ମୋତେ ନିତାନ୍ତ ଅରାଜନୀତିକ ଆଉ କ’ଣ ବୋଲି ଭାବି ପ୍ରତ୍ୟାଖ୍ୟାନ କରୁଥିଲେ । ସମାଜବାଦୀ ଶକ୍ତି ହେଉଛି ଧର୍ମତଃ ତଳୁ ଜାଗୃତ ହୋଇ ଆସୁଥିବା ଲୋକଶକ୍ତି । ଭାରତୀୟ ରାଜନୀତିରେ ସତେଅବା କୌଣସି ଅନିୟମର ବଶବର୍ତ୍ତୀ ହୋଇ ନେତାମାନଙ୍କୁ ଯାବତୀୟ ଉତ୍ସାହର ଜଗମୋହନରେ ଏପରି ହାଉଲେ ହାଉଲେ ନେଇ ବସାଇ ଦିଆଯାଇଛି ଯେ, ଲୋକମାନଙ୍କୁ ଶକ୍ତିଶାଳୀ କରି ଆଣିବାର ଅସଲ କାର୍ଯ୍ୟଟି ପାଇଁ କର୍ମୀମାନଙ୍କର ଶିବିରକୁ ଆଉ ପ୍ରାୟ କୌଣସି ଫୁରସତ ମିଳିନାହିଁ । ସମାଜବାଦୀ ବିପ୍ଳବ ବେଳକୁ ମଧ୍ୟ ଏହି ଦେଶରେ ସେହି ନରଖରଟା ଭୋଗିବାକୁ ପଡ଼ିବ କି ? ସେଦିନ ମୁଁ କାହିଁକି ଏକ ଶଙ୍କାରେ ଯାଇ ପଡ଼ି ଯାଇଥିଲି । ତଳେ ଅନୁକୂଳ ତୋଟାମାନେ ନଥିଲେ ନୂତନ ଉଦବେଳନର ମେଘମାନେ ସେଇ ଉପରେ ଉପରେ ଉଡ଼ିବୁଲୁଥିବେ ସିନା, ହୁଏତ ତଳି ଧରି ପାରିବେ ନାହିଁ । ଭାରତବର୍ଷରେ ଏକାଧିକ ବିପ୍ଳବ ଓ ପରିବର୍ତ୍ତନକୁ ଗଡ଼ାଇ ଦିଆଯାଇଛି ବୋଲି ଯେଉଁ ଅପବାଦଟି ଦିଆଯାଇଛି, ଏଇଟି ମଧ୍ୟ ତାହାର ଏକ କାରଣ ବୋଲି କାହିଁକି କୁହାନଯାଆନ୍ତା ?

 

ସେଦିନର ସେହି ସମାଜବାଦୀ ଆନ୍ଦୋଳନରେ ବହୁ ନେତା ବର୍ତ୍ତମାନ ପରଲୋକରେ । ତାଙ୍କ ଭାଇଙ୍କ ପରେ ଯେଉଁମାନେ ଆମ ଭିତରେ ଜୀବଦ୍ଦଶାରେ ରହିଛନ୍ତି, ସେମାନଙ୍କର ଆଉ ବୟସବି ନାହିଁ । ସେମାନେ ପରସ୍ପରଠାରୁ ଅଲଗା ହୋଇ ରହିଛନ୍ତି । ମାତ୍ର ତଥାପି ଦେଶ ସକାଶେ ସମାଜବାଦର ପ୍ରୟୋଜନ ରହିଛି । ଅନ୍ଧାରମାନଙ୍କ ସହିତ ତଥାପି ଲଢ଼ାଇଗୁଡ଼ିକ ବାକି ରହିଛି । ଗୁରୁଜନମାନେ ସିନା ସକ୍ରିୟ ଭାବରେ କିଛି କରି ପାରନ୍ତେ ନାହିଁ, ତଥାପି ନିଜ ଭିତରେ ପଡ଼ିଥିବା ଗଣ୍ଠିଗୁଡ଼ାକୁ କିଛି ପରିମାଣରେ ବି ଖୋଲିଦେଇ ପାରିଲେ ଓ ପରସ୍ପର ପ୍ରତି ଈଷତ୍ ଉଦାର ହୋଇ ପାରିଲେ ସେମାନେ ଗୋଟିଏ ନୂତନ ହାୱା ସୃଷ୍ଟି କରିବାରେ ଅବଶ୍ୟ ଯନ୍ତ୍ର ହୋଇ ପାରନ୍ତେ । ଏହି ଅବସରରେ ସେମାନେ ଡକାଡକି ହୋଇ ଏକାଠି ବସନ୍ତେ, ପଛକୁ ଅନାଇ ଓ ବର୍ତ୍ତମାନର ଆହ୍ୱାନଗୁଡ଼ିକୁ ଭୂମି କରି କିଞ୍ଚିତ ଆତ୍ମରୋମନ୍ଥନ କରି ପାରନ୍ତେ । ଛଳନାହୀନ ଭାବରେ ଆନ୍ଦୋଳନଟିର ବିଶ୍ଳେଷଣ କରନ୍ତେ । ସେମାନଙ୍କର ରଥଟା କେଉଁସବୁ କାରଣରୁ ଅଟକି ରହିଗଲା, ତାହାର ରାଜନୀତିକ ସମୀକ୍ଷାଗୁଡ଼ିକୁ କରନ୍ତେ । ମାଦଳ ହୋଇ ବସି ଯାଇଥିବା ଓଡ଼ିଶାରେ ପ୍ରତ୍ୟେକ ରାଜନୀତିକ ଦଳ ତାହା କରିପାରନ୍ତା ଏବଂ ଆଦୌ କୌଣସି ରାଜନୀତିକ ସ୍ପଷ୍ଟ ନକ୍‍ସା ନଥାଇ ଏବେ ଯେପରି ତୁଚ୍ଛା କ୍ଷମତା ହାସଲ କରିବା ନିମନ୍ତେ ଦଳନାମରେ ଗ୍ୟାଙ୍ଗ୍‍ମାନେ ମାତିବାରେ ଲାଗିଛନ୍ତି ଓ ଜନମାନସକୁ ପ୍ରାୟ ଦିଶାହରା କରି ରଖିଛନ୍ତି, ସେହି ଶୋଚନୀୟ ଦରିଦ୍ର ସ୍ଥିତିରେ ଏକ କମ୍ପନ ସମ୍ଭବ କରିବାରେ ହୁଏତ ସେତିକି ମଧ୍ୟ ଆଦୌ କମ୍ ହୁଅନ୍ତା ନାହିଁ । ଜଡ଼ ହୋଇ ବସି ଯାଇଥିବା ଆହୁରି ଏକାଧିକଙ୍କୁ ମଧ୍ୟ ତାହା ସକ୍ରିୟ ହେବାରେ ସହାୟତା କରନ୍ତା । ନେତୃତ୍ୱରେ ଏକ ଅନ୍ୟଭଳି ପିଢ଼ିକୁ କ୍ରମଶଃ ଗଢ଼ି ଆଣିବାରେ ନିମିତ୍ତ ହୋଇପାରନ୍ତା । ଲୋକ-ଉଦୟର ପରବର୍ତ୍ତୀ ସୋପାନଟି ପାଇଁ ବାଟ ଫିଟି ଯାଆନ୍ତା ।

 

୧୭.୯.୦୧

☆☆☆

 

ଆଗାମୀ ମଣିଷର ଧର୍ମ

 

ଆଗାମୀ ମଣିଷର ଧର୍ମ ଆଦିବାସୀ ଧର୍ମ । ଯେଉଁ ମଣିଷର ଏକତା ଥିଲା, ଆଦି ଇତିହାସ ବେଳେ ଯିଏ ପୃଥିବୀରେ ବାସ କରୁଥିଲା, ଏବେ ନାନା ପଲରେ ବାଣ୍ଟି ହୋଇଗଲାଣି, ସଭ୍ୟ ହେଲାଣି, ସଂପ୍ରଦାୟ ନାମରେ ଗୋଟିଏ ଗୋଟିଏ ଭାଡ଼ି ବାନ୍ଧି ଶିଖିଲାଣି, ନିଜକୁ ଏଇଟା ବା ସେଇଟା ବୋଲି ଚିହ୍ନିଛି ବୋଲି ଅପରମାନଙ୍କୁ ସେହିଟା ବା ଏଇଟା ବୋଲି କହି ବାରିଲାଣି, ଆମେ ସେଇଟାକୁ ମୋଟେ ଆଦିବାସୀ ବୋଲି କହିବା ନାହିଁ । ମଣିଷଠାରୁ ତା’ ଭେକଗୁଡ଼ାକୁ, ତା’ ମନ୍ଦିରଗୁଡ଼ାକୁ, ତା’ର ବିଧିଗୁଡ଼ାକୁ, ଏପରିକି ତା’ର ଶାସ୍ତ୍ରଗୁଡ଼ାକୁ ଏବଂ ଠାକୁରଗୁଡ଼ାଙ୍କୁ କାଢ଼ିନେଲେ ତଥାପି ଯାହା ରହେ, କଦାପି ଛାଡ଼ି ଚାଲିଯାଏ ନାହିଁ, ସେଇ ହେଉଛି ମଣିଷ ଭିତରର ଆଦିବାସୀ । ମୂଳ ମଣିଷଟି ହେଉଛି ଆଦିବାସୀ । ଆଗାମୀ ମଣିଷର ଧର୍ମ ହେଉଛି ସେହି ଆଦିବାସୀ ଧର୍ମ । ଏହି ଯାବତ ଖୋଳଗୁଡ଼ାକୁ କାଢ଼ି ନେବା ପରେ ତଥାପି ମଣିଷମାନେ ଯାହାକୁ ମାଧ୍ୟମ କରି ପରସ୍ପରକୁ ଚିହ୍ନି ପାରିବେ ଏବଂ ଯାହାକୁ ସେତୁ କରି ପରସ୍ପର ମଧ୍ୟକୁ ପ୍ରବେଶ କରିପାରିବେ, ସେଇଟି ହେଉଛି ଆଦିବାସୀ ଧର୍ମ । ଏଇଟି ହିଁ ଆଗାମୀ ମଣିଷର ଧର୍ମ ।

 

ଦେବାନାଂ ଆଦିଦେବ ଏକଃ–ସବୁ ଦେବତାଙ୍କର ଆଦିଦେବ ହେଉଛନ୍ତି ଏକ । ଅତି ପୁରାତନ ଗୋଟିଏ ପୋଥିରେ ସେହିକାଳରୁ ଏହି କଥାଟି ଲେଖା ହୋଇ ରହିଛି । ତା’ପରେ ପୃଥିବୀର ମଣିଷମାନେ ସେଇ ଆଦିଦେବଙ୍କ ଉପରେ ଭଳିଭଳି ଖୋଳଗଳାଇ ତାଙ୍କୁ ସେଇ ଖୋଳରୁ ଚିହ୍ନିବାର ଏପରି ଏକ ଅପଶିକ୍ଷାରେ ପଡ଼ିଯାଇଛନ୍ତି ଯେ, ଖୋଳଗୁଡ଼ାକ ତଳେ ଆଦିଦେବ ବୋଲି କେହି ବା କିଛି ରହିଛନ୍ତି ବୋଲି ଗୋଟାସୁଦ୍ଧା ପାଶୋରି ଦେଇ ସାରିଲେଣି । ଖୋଳ ସହିତ ଖୋଳର ଚଢ଼ା ଉତୁରା ଚାଲିଛି, ଖୋଳଗୁଡ଼ାକ ପାଇଁ ଯୁଦ୍ଧ ଲାଗିଯାଉଛି–ଖଣ୍ଡା ଚାଲିଯାଉଛି । ଖୋଳଗୁଡ଼ାକୁ ପ୍ରାୟ ଗୋଟିଏ ଗୋଟିଏ ମହାସମ୍ପଦରେ ପରିଣତ କରି ମଠମାନଙ୍କର ସ୍ଥାପନା ହେଉଛି, ପତାକାମାନ ଉଡ଼ୁଛନ୍ତି, ଆଖିଗୁଡ଼ାକରେ ବହୁ ପ୍ରକାରର ଘୃଣାମାନେ ଆସି ପଶି ଯାଉଛନ୍ତି-। ମଣିଷର ଚିତାଟାରୁ ଯିଏ ମଣିଷର କଳନା କରୁଛି, ମଣିଷମାନଙ୍କୁ ପଣ କରି ରଖିଥିବା ବିଧିମାନଙ୍କର ଯିଏ ମଣିଷକୁ ମାପିବାର ଭଡ଼ିଙ୍ଗି କରୁଛି ଏବେଠାରୁ ଯାହା ଜଣାପଡ଼ିଲାଣି, ଆଗାମୀ ଆଗତପ୍ରାୟ ସେହି ଅସଲ କାଳଟିରେ ସେଇ ମଣିଷଟାକୁ ହିଁ ଗଧ ବୋଲି କୁହାଯିବ,–ଯବନ, ମ୍ଳେଚ୍ଛ ବା କାଫେର ତୁମେ ତାହାକୁ ଯାହା ମନ ତାହା କହିପାରିବ । ଧର୍ମାଣାଂ ଆଦିଧର୍ମ ଏକଃ–ଆଗାମୀ ମଣିଷ ଏହି ସତ୍ୟଟିକୁ ହିଁ ବୁଝିବ । ଆଧୁନିକ ବିଜ୍ଞାନ ତାକୁ ସେଥିଲାଗି ଉପଯୁକ୍ତ ଆଖିଗୁଡ଼ିକୁ ଯୋଗାଇ ଦେବ ବୋଲି ଏବେ ମଧ୍ୟ ମହଜୁଦ ହୋଇ ରହିଛି । ମଣିଷମାନଙ୍କର ହୃଦୟ ଭିତରେ ଯାବତୀୟ ଅର୍ଥରେ ସେଇଥିପାଇଁ ଅନୁକୂଳ ମୂଳଦୁଆଟିଏ କ୍ରମଶଃ ପଡ଼ିଆସିଲାଣି-। ପଡ଼ିଶା କହିଲେ ସାରା ପୃଥିବୀଟାକୁ ହିଁ ବୁଝାଇଲାଣି । ଇଏ ତା’ର ଓ ସିଏ ୟା’ର ଶାସ୍ତ୍ରଗୁଡ଼ିକୁ ପଢ଼ିବାରେ ଆଉ ପ୍ରାୟ କୌଣସି ବାଧା ମଧ୍ୟ ରହୁନାହିଁ । ଅଚିରେ ଏପରି ଗୋଟିଏ କାଳ ଆସୁଛି, ଯେତେବେଳେ କି ଆମେ ଭିନେ ଭିନେ ଭେକ ପିନ୍ଧିଥିଲେ ଅଥବା ଭିନେ ଭିନେ ସ୍ତୋତ୍ର ଗାଉଥିଲେ ଏବଂ ଏପରି କି ଭିନେ ଭିନେ ସ୍ଵପ୍ନମାନ ଦେଖୁଥିଲେ ମଧ୍ୟ ପରସ୍ପରକୁ ଅନାଇଦେବା ମାତ୍ରକେ କେବଳ ସବା ଭିତରେ ରହିଥିବା ଆଦିବାସୀଟିକୁ ହିଁ ଦେଖିପାରିବା । ଅସଲ ସମଞ୍ଜସତା ଅର୍ଥାତ୍ ଅସଲ ସଖ୍ୟ ସେତିକିବେଳେ ଯାଇ ଆସିବା ମଣିଷମାନେ ଅତି ସ୍ୱାଭାବିକ ଭାବରେ ପରସ୍ପରକୁ ଅଙ୍ଗେ ନିଭାଇ ପାରିବେ,–ସେତେବେଳେ ଯାଇ ଆଦିଧର୍ମଟିଏ ବଞ୍ଚିହେବ ।

 

ଏପର୍ଯ୍ୟନ୍ତ ଆମ ହୃଦୟର ହାତଗୋଡ଼ଗୁଡ଼ିକୁ ବାନ୍ଧି ରଖିଥିବା ମଠ ଓ ସମ୍ପ୍ରଦାୟମାନେ ଖୁବ୍ ବେଶି ହେଲେ ସମନ୍ୱୟର କଥା ହିଁ କହି ଆସିଛନ୍ତି । ସମନ୍ୱୟ କହିଲେ ସେମାନେ ମଣିଷମାନଙ୍କୁ ସତେଅବା କୌଣସି ଅନ୍ୟ ବେହେଲ ଭିତରେ ମଣାଇ ଓ ମଜାଇ ରଖିବାକୁ ଗୋଟାଏ ପ୍ରକାର ଖିଚୁଡ଼ିର କଥା ହିଁ କହିଛନ୍ତି । ଗୋଟିଏ ଚିତ୍ରରେ ମନ୍ଦିରଟିଏ ଥିବ, ମସ୍‍ଜିଦ୍ ଥିବ, ଗୀର୍ଜାଟିଏ ଥିବ, ଆଉମାନେ ବି ସୁମାରି ଅନୁସାରେ ଅଙ୍କା ହୋଇ ରହିଥିବେ,–ସେମାନଙ୍କର ବିବେକ ସମନ୍ୱୟର ବାଟରେ ଯାଇ ସେତିକି ଉଦାରତା ଦେଖାଇ ପାରିଛି । ବେଳେବେଳେ ଆମେ ଆୟୋଜନ କରୁଥିବା ତଥାକଥିତ ସର୍ବଧର୍ମ-ପ୍ରାର୍ଥନା ମଧ୍ୟ ସକଳ ପ୍ରଦର୍ଶନ ସତ୍ତ୍ୱେ ସେଇଯାଏ ପହଞ୍ଚିପାରିଛି । ସେଠାରେ ମଧ୍ୟ ସେଇ ଖୋଳଗୁଡ଼ାକ ଆଗ । ଆଦିଧର୍ମଟି ପାଖରେ ସତେ ଯେପରି ପହଞ୍ଚିବା ନିମନ୍ତେ ଆଦୌ କେହି ରାଜି ନୁହନ୍ତି । ଗୋଟିଏ ଅନୁଷ୍ଠାନରେ ଏକତ୍ର ବସିଥିଲେ ମଧ୍ୟ ସେମାନେ ପରସ୍ପରର ଆଖିଆଡ଼କୁ ସତେ ଅବା ପିଠି କରି ବସିଛନ୍ତି,–ପରସ୍ପରର ମୁହଁଆଡ଼କୁ ଅନାଇ ପାରୁନାହାନ୍ତି, ପରସ୍ପରର ଆଖିଆଡ଼କୁ ଅନାଉଥିଲେ ତ ତାହା ଆହୁରି ବିପତ୍ତିର ବିଷୟ ହେଉଥାଆନ୍ତା । କେବଳ ନିଜ ଖୋଳଟିଆଡ଼କୁ ଅନାଇ ସେମାନେ ପ୍ରାର୍ଥନାଟିକୁ ଡଗଡଗ କରି ଗାଇ ପକାଉଛନ୍ତି–ଏବଂ, ମଜଲିସ୍‍ଟି ଭାଜିବା ପରେ ପୁନର୍ବାର ନିଜ ନିଜର କିଆବାଡ଼ଟି ଭିତରକୁ ହିଁ ଲେଉଟି ଯାଉଛନ୍ତି । ଆପଣ ସେମାନଙ୍କ ଭିତରର ଆଦିବାସୀଟି ବିଷୟରେ କିଛି କହିବେ ନାହିଁ ଟି । କହିଲେ ଜଣେ ହୁଏତ ଖଣ୍ଡା ଉଞ୍ଚାଇ ଆପଣଙ୍କ ଆଡ଼କୁ ଚିହିଙ୍କି ଆସିବେ ।

 

ଭାରତବର୍ଷରେ ତର୍କହାଟର ବଜାରରେ ଯାହାକୁ କେତେ ମଣିଷ ସନାତନ ଧର୍ମ ବୋଲି କହିଥାଆନ୍ତି, ଆମେ ସେଇଟାକୁ ମଧ୍ୟ ଏଠାରେ ଉଲ୍ଲେଖ କରାଯାଇଥିବା ଆଦିବାସୀ ଧର୍ମ ବୋଲି ମୋଟେ ଭ୍ରମ କରିବା ନାହିଁ । ସନାତନ ଧର୍ମ ଅର୍ଥାତ୍ ଯାହା ସେକାଳରେ ଥିଲା, ଏବଂ ତେଣୁ ତାହା ଖାଲି ଏକାଳରେ ନୁହେଁ, କାଳକାଳକୁ ରହିବ । ତୁମକୁ ଅଫିମ ଖୁଆଇ ହୁଡ଼ାଇ ନେବାକୁ ସନାତନୀମାନେ ଏବେ ମଧ୍ୟ ରହିଛନ୍ତି । ସେମାନେ ଗୋଟାକୁ ପବିତ୍ର କହିବେ ବୋଲି ଆଉ ଏକ ଗୋଟାକୁ ପବିତ୍ର ନୁହେଁ ବୋଲି କହନ୍ତି । ଏ ବିଧିଟାକୁ ଠିକ୍ ବୋଲି କହିବାର ବିଧିକୁ ଅଠିକ୍ ବା ଅବିଧି ବୋଲି କହନ୍ତି । ଭାଗ୍ୟକୁ ଭଗବାନଙ୍କଠାରୁ ଅଧିକ ପରାକ୍ରମୀ ବୋଲି କହି ଯୁଗଟାକୁ ବଶ କରି ରଖିଥାନ୍ତି । ଜାତିଭେଦକୁ ସମାଜ ଚଳିବା ନିମନ୍ତେ ଆବଶ୍ୟକ ବୋଲି ଯୁକ୍ତି କରନ୍ତି । ସେମାନେ କାଳେ କାଳେ ରାଜା ଅର୍ଥାତ୍ କ୍ଷମତାଧୀଶମାନଙ୍କ ପାଖରେ କୁଳଗୁରୁ ହୋଇ ବସନ୍ତି । କେବଳ କତିପୟ ଭାଗ୍ୟବାନ ଅଥବା ମତିମାନଙ୍କର ହିଁ ସତ୍ୟ ଦର୍ଶନର ଅଧିକାର ରହିଛି ଓ ତେଣୁ ଅଧିକ ମଣିଷଙ୍କର ମୁଖ୍ୟସ୍ରୋତକୁ ତୁଚ୍ଛା ଖୋଳଗୁଡ଼ାକରେ ଭଣ୍ଡାଇ ରଖିବାକୁ ହିଁ ସେମାନେ ଯୋଗାଚାର ବୋଲି ଘୋଷଣା କରୁଥାନ୍ତି । ଅକାରଣଟାରେ ଏକାଧିକ ସ୍ଥାନୀୟତା ଭିତରେ ଛନ୍ଦି ହୋଇ ରହିଥାନ୍ତି । ଆଲୁଅ ଅପେକ୍ଷା ହୁଏତ ଅନ୍ଧାରଟାକୁ ଅଧିକ ଦେଖନ୍ତି । ଯୁଗେ ଯୁଗେ ଅଧିକ ମଣିଷ କେବଳ ନରକକୁ ଯିବେ ଏବଂ ତେଣୁ ମାତ୍ର ଅଳପଙ୍କର ହିଁ ସ୍ଵର୍ଗଲାଭର ଯୋଗ ରହିଛି ବୋଲି ସତେ ଅବା ଗୋଟାଳି ପକାଇ କହିଦିଅନ୍ତି । ଏବଂ, ସେହି ଖଳତାଦ୍ଵାରା ବି ପ୍ରେରିତ ହୋଇ ଏହି ପୃଥିବୀଟାକୁ କୋଟି କୋଟି ମଣିଷଙ୍କ ପାଇଁ ସତେଅବା ଏକ ନର୍କରେ ପରିଣତ କରି ରଖିବା ସକାଶେ ଦୁରାତ୍ମ୍ୟମାନଙ୍କୁ ବାଟ ଛାଡ଼ି ଦିଅନ୍ତି । ମଣିଷ ଭିତରେ ଏପରି ଏକ ସତ୍ୟକାଂକ୍ଷା ରହିଛି, ଯାହାକି ସଚେତନ ହୋଇପାରିଲେ ଯାବତୀୟ ଦୌରାତ୍ମ୍ୟ ଏବଂ ଦୁଷ୍ଟାଚାର ଆଗରେ ପ୍ରତିବାଦ କରିପାରିବ ଓ ସେଗୁଡ଼ିକର ପ୍ରତିରୋଧ କରି ଯେ ଏହି ପୃଥିବୀରେ ବହୁତ କିଛିକୁ ବଦଳାଇ ଦେଇପାରିବ, ତେଣିକି ମୋଟେ ମୁଣ୍ଡ ଖେଳାନ୍ତି ନାହିଁ । ଏକ ଚରମ ଉଦାସୀନତାରେ ଚଣ୍ଡ ହୋଇ ବସିଥାନ୍ତି ଓ ତେଣୁ ପୃଥିବୀର ପକ୍ଷ ନେଇପାରନ୍ତି ନାହିଁ ।

 

ଏହି ଖୋଳମାନଙ୍କୁ ଡେଇଁଯାଇ ପାରିଲେ ହିଁ ଧର୍ମ ଆଗାମୀ ମଣିଷ ନିମନ୍ତେ ଯୋଗ୍ୟ ହୋଇପାରିବ । ଧର୍ମର ନାମରେ ଯୁଗଯୁଗ ଧରି ମଣିଷମାନଙ୍କୁ କ’ଣ ପାଇଁ ଖୋଳଗୁଡ଼ାକରେ ହିଁ ତୃପ୍ତ କରି ରଖିବାର ଦୁଷ୍ଟ ଚେଷ୍ଟା କରାଯାଇ ଆସିଛି, ସେହି ବିଷୟରେ ମଣିଷମାନେ ଯେତିକି ଏକାଠି ବସି ଆଲୋଚନା କରିବାକୁ ସମ୍ମତ ହେବେ, ଆଗାମୀ କାଳର ମମ–ଧର୍ମଟିକୁ ସେମାନେ ସେତିକି ସତ୍ୱର ଭାବରେ ଆବିଷ୍କାର କରି ନେଇପାରିବେ । ସାରଟିକୁ ସାର ବୋଲି ଜାଣିବେ ଏବଂ ନିଃସାର ଖୋଳମାନଙ୍କର ମୋହ ଭିତରୁ ବାହାରି ବି ଆସିପାରିବେ । ଭୟରୁ ମୁକ୍ତ ହେଲେ ଯାଇ ଜଣେ ମଣିଷ ଅସଲକୁ ଲୋଡ଼ିବାର ଯୋଗ୍ୟହେବ । ଖୋଳମାନେ ହିଁ ମନୁଷ୍ୟର ସେହି ଆଦିଜିଜ୍ଞାସାଗୁଡ଼ିକୁ ବହୁବିଧ କୌଶଳରେ ମାରିବାର ଫିକର କରି ଆସିଛନ୍ତି ବୋଲି ଗୁଳାମାନଙ୍କରୁ ବାହାରି ଆଉ ଅସଲ କିଛିକୁ ମନ କରିବାକୁ ମଣିଷର ସାହସ ପାଉନାହିଁ । ଆଖି ସିଧା କରି ସୂର୍ଯ୍ୟଆଡ଼କୁ ଅନାଇ ପାରୁନାହିଁ ବୋଲି ସୂର୍ଯ୍ୟନାମରେ ପିତୁଳାଟିଏ ଗଢ଼ି ମନ୍ଦିରରେ ଥାପି ପୂଜା କରୁଛି । ଖୋଳଗୁଡ଼ିକ ବ୍ୟତୀତ ଆଉଜଣେ ମନୁଷ୍ୟକୁ ଚିହ୍ନିବା ନିମନ୍ତେ ତା’ପାଖରେ ସତେଅବା କୌଣସି ସାଧନ ହିଁ ନାହିଁ । ପୃଥିବୀରେ ପ୍ରଚଳିତ ଶିକ୍ଷାଟା ମଧ୍ୟ ତାକୁ ପ୍ରଧାନତଃ ସେହି ଖୋଳମାନଙ୍କ ସହିତ ବାନ୍ଧି ରଖିଛି । ଯେଉଁ ଶିକ୍ଷକ ଆପଣାର ଅନୁରାଗଗୁଡ଼ିକର ବୋଲକୁ ମାନି ଖୋଳମାନଙ୍କୁ ଡେଇଁଯାଇ ପାରିଥିବେ, କେବଳ ସେଇ ଆଗାମୀ ମଣିଷକୁ ତା’ର ଯଥାର୍ଥ ଧର୍ମଟି ସହିତ ପରିଚିତ କରାଇ ନେଇପାରିବ । ଆଗାମୀ ମଣିଷର ବହୁତ ଉପକାର କରିବ ।

 

ଓଡ଼ିଶାକୁ ଦର୍ପଣ କରି ଆଗାମୀ ମଣିଷର ଧର୍ମଟି ବିଷୟରେ କିଞ୍ଚିତ ଅନ୍ଦାଜ ଓ ଅବଲମ୍ବନ କରି ବାହାରିଲେ ଆମର ଆଖିଟା ସିଧା ମହିମାଧର୍ମ ପାଖରେ ଯାଇ ହାବୁଡ଼ିଯିବ । ଆଗାମୀ ମଣିଷର ଧର୍ମ ମହିମାଧର୍ମ । ଧର୍ମମାନଙ୍କ ଉପରୁ ତାର ଖୋଳଗୁଡ଼ାକୁ ଯଦି କେବେ କାଢ଼ିନେଇ ଅସଲଯାଏ ଦେଖିପାରିବ, ତେବେ କେବଳ ମହିମା ହିଁ ଦୃଷ୍ଟିଗୋଚର ହେବ । ଖାଲି ଆମର ଏହି ତଥାକଥିତ ସନାତନ ଧର୍ମର କ୍ଷେତ୍ରରେ ନୁହେଁ, ପୃଥିବୀଯାକର ସକଳ ଧର୍ମରେ ତୁମେ କେବଳ ମହିମାକୁ ହିଁ ପ୍ରତ୍ୟକ୍ଷ କରିବ । ଏବଂ, ଆହୁରି ଅଧିକ ଚକିତକାରୀ କଥାଟି ହେଉଛି, ଏହି ମହିମା ପ୍ରକୃତରେ ଧର୍ମମାନଙ୍କର ଗର୍ଭରେ କେଉଁଠି ରହିଛି ଅଥବା ଆମ ଦେଖିବାର ସାହସଟି ମଧ୍ୟରେ ରହିଛି, ସେହି ପ୍ରଶ୍ନଟିର ଉତ୍ତର ଖୋଜିବାକୁ ମନକଲେ ଆଦୌ କୌଣସି ଅନ୍ତ ହିଁ ମିଳିବନାହିଁ । ଯେଉଁ ନିଦା ଭୂଇଁଟି ଉପରେ ଆମେ ଛିଡ଼ା ହୋଇଛୁ, ଖୋଳଗୁଡ଼ିକୁ କାଢ଼ିଦେଇ ଦେଖି ପାରିଲେ ତାହା ମହିମା ବ୍ୟତୀତ ଆଉ ମୋଟେ କିଛି ନୁହେଁ ବୋଲି ଅନୁଭବ ହେବାକୁ ଲାଗିବ । ଯୋଉ ଆକାଶକୁ ଆମେ ହାତବଢ଼ାଇ ତଥାପି ଆମ ପାଖରେ ଆସି ଧରାଦେଇ ନଥିବା ଆହୁରି କେତେ ଜଣକୁ ଅଣ୍ଡାଳିବାରେ ଲାଗିଛୁ ସେଠି ବି ଆମକୁ ମହିମା ବ୍ୟତୀତ ମୋଟେ କିଛି ଦେଖାଯିବ ନାହିଁ । ଗଭୀରକୁ ଗଲେ ମହିମା ଏବଂ ଊର୍ଦ୍ଧ୍ୱକୁ ଗଲେ ମଧ୍ୟ ସେହି ମହିମା । ନିଜ ଜୀବନ-ଲୟଟିର ଏହି ନିଭୃତ ଟୁଙ୍ଗୀଟି ଭିତରେ ଯୋଉ ମହିମା, ଏହି ଚରାଚର ବିଶ୍ୱକୁ ଭଳି ଭଳି ପ୍ରାଣବନ୍ତତାରେ ଭରି ରଖିଥିବା ବାହାର ସମଗ୍ରଟାରେ ମଧ୍ୟ ମହିମା । ଖୋଳ କାଢ଼ି ନିଆଯାଇ ପାରିଲେ ଅନୁଭବ ହେବ ଯେ ଅନ୍ୟ ସମସ୍ତେ ଏବଂ ସବୁକିଛି ଠିକ୍ ମୋରି ପରି ହିଁ ମହିମାକୁ ବହନ କରିଛନ୍ତି ଓ ମହିମା ମଧ୍ୟରେ ଆତଯାତ ହେଉଛନ୍ତି, ଏହିସବୁ ଯାବତୀୟ ମୋର ତା’ର, ନିଜର ଅପରର, ଭେକ ଭାଷା, ପୀଠମାନଙ୍କର ବେଣ୍ଟ ତଥା ମଠମାନଙ୍କର ବାରଣ, ଏମାନେ ହେଉଛନ୍ତି ଖୋଳ । ପୃଥିବୀ ଚଳିବା ନିମନ୍ତେ ଯେ ଏହିସବୁ ଖୋଳର ବଣିଜ ବସିଛି ସେକଥା ଆଦୌ ନୁହେଁ, ସତେ ଅବା କ’ଣ ପାଇଁ ନିଜକୁ ମହିମାଠାରୁ ଢାଙ୍କି ରଖିବା ପାଇଁ ଆମ ଚାଲାଖି କେତେକ ମଣିଷଙ୍କୁ ମାଧ୍ୟମ କରି ହିଁ ସେହି ଖୋଳଗୁଡ଼ିକର ଭିଆଣ ହୋଇଛି । ପଣ୍ଡିତମାନେ ଶାସ୍ତ୍ର ଲେଖି ଏବଂ ଗୁରୁମାନେ ସମ୍ପ୍ରଦାୟଗୁଡ଼ିକର ଇନ୍ଦ୍ରଜାଲ ବୁଣିଦେଇ ସବୁଦିନେ ସେହି ଚକ୍ରାନ୍ତଗୁଡ଼ିକୁ ଭାରି ଜମଜାଣିଆ କରି ରଖିଛନ୍ତି ।

 

ଆଗାମୀ ମଣିଷର ଧର୍ମ ପ୍ରକୃତରେ ଏହି ମହିମାଧର୍ମ । ମହିମା ଧର୍ମରେ ମଧ୍ୟ ଖୋଳ କେତେ ନା କେତେ ରହିଛି । ଭେକ ରହିଛି, ଗୃହୀ ସନ୍ନ୍ୟାସୀର ଭେଦ ରହିଛି, ଏଠି ଗାଦି ରହିଛି ଓ ସେଠି ବି ଗାଦି ରହିଛି । କୁମ୍ଭୀପଟ ଏବଂ କୌପୀନର ଭେଦ ମଧ୍ୟ ରହିଛି । ଏହିସବୁ ଯାବତୀୟ ଖୋଳକୁ ଭେଦି ଅସଲ ଠିକଣାଟିରେ ଯାଇ ପହଞ୍ଚିଗଲେ, ସେଠାରେ ମହିମା ହିଁ ମହିମା । ମହିମା ହିଁ ମହିମାକୁ ଚିହ୍ନି ନେବା, ତାହା ହିଁ ଅସଲ ସାକ୍ଷାତକାର । ଆଗାମୀ ମଣିଷ ଯେତେବେଳେ ଉପନିଷଦର ସେହି ବିଜ୍ଞାନମୟ ମହାମଣ୍ଡଳଟି ଭିତରେ ପ୍ରବେଶ କରିବାର ସାବାଳକତା ପ୍ରାପ୍ତ ହେବ, ସେତେବେଳେ ମହିମା ହିଁ ତା’ର ଏକମାତ୍ର ସନ୍ତକ ହେବ, ତାହାରି ମାଧ୍ୟମରେ ହିଁ ସିଏ ପରସ୍ପର ପାଖରେ ଆପଣାର ପରିଚୟ ଦେବ ତଥା ଅନ୍ୟ ସମସ୍ତଙ୍କୁ ଚିହ୍ନି ନେଇ ପାରିବ । ମହିମାର, ମାଧ୍ୟମରେ ଏକ ଆରେକୁ ଚିହ୍ନି ପାରିବାର ଏହି ଯେଉଁ ଅନ୍ୟସ୍ତରଟି ତାହାରିଦ୍ୱାରା ହିଁ ବ୍ୟକ୍ତିଗତ ତଥା ସାମୂହିକ ଜୀବନ, ରାଜନୀତି ତଥା ସମାଜନୀତି, ଶିକ୍ଷା ଓ ସଭ୍ୟତା, ଏହି ସବୁକିଛିରେ ହିଁ ଯାବତୀୟ ପରିଚୟ ଏବଂ ସଂପର୍କସୂତ୍ରର ବ୍ୟାକରଣଗୁଡ଼ିକ ବଦଳିଯିବ । ସେତେବେଳେ ମହିମା ଧର୍ମ ହେଉଛି ମୋ’ର ଧର୍ମ ଅଥବା ମହିମା ଧର୍ମ ଏହି ଓଡ଼ିଶା ମାଟିରେ ହିଁ ଜନ୍ମଲାଭ କରିଛି ବୋଲି କହିବା ନିମନ୍ତେ ଆମର ମନେ ହିଁ ପଡ଼ିବ ନାହିଁ । ଯେଉଁମାନେ ଖୋଳଗୁଡ଼ିକୁ ଛାଡ଼ି ବାହାରି ଆସିଲେଣି ଓ ଯେଉଁମାନେ ଏବେ ମଧ୍ୟ ଖୋଳଗୁଡ଼ିକୁ ତଥାପି ଅବଲମ୍ବନ କରି ରହିଛନ୍ତି, ସେତେବେଳେ ଦୁହିଁଙ୍କ ଭିତରେ ଆଉ ଆଦୌ କୌଣସି ଦ୍ୱେଷବୋଧ ରହିବ ନାହିଁ । ଯଦି ସବୁ ବାଟୋଇଙ୍କୁ ସେହି ଗୋଟିଏ ମହାସମ୍ପଦ ହିଁ ଆକର୍ଷିତ କରିନେଉଛି, ତେବେ ଜଣେ ଆଉ ଜଣକୁ ଦ୍ୱେଷ କାହିଁକି କରିବ, ନିଜକୁ ଅଧିକ ବା ବଡ଼ ବୋଲି ଅନୁଭବ କରିବା ସକାଶେ ଆଉ କାହାକୁ ଅଳପ କିମ୍ବା ସାନ ବୋଲି କ’ଣ ପାଇଁ କହିବାକୁ ମନ କରିବ ? ବାଟୋଇ ବାଟୋଇ ଭିତରେ ସଚରାଚର କୌଣସି ଝଗଡ଼ା ଲାଗେ ନାହିଁ । ବାଟ ଚାଲିବାକୁ ମନ ନକରୁଥିବା ମନୁଷ୍ୟଜୀବମାନେ ହିଁ ଖୋଳରୁ ଆନନ୍ଦ ପାଆନ୍ତି, ସ୍ଵାଭିମାନୀ ହୁଅନ୍ତି । ଆଗାମୀ ମଣିଷ ଆଦୌ ସ୍ୱାଭିମାନୀ ହେବ ନାହିଁ ।

 

୨୪.୯.୦୧

☆☆☆

 

Unknown

ଶିଶୁ ସତ୍ୟାଗ୍ରହୀ ଜିନ୍ଦାବାଦ

 

ଆଦିବାସୀ ପିଲାମାନଙ୍କ ସକାଶେ ସ୍ୱତନ୍ତ୍ର ଭାବରେ ବରାଦ ହୋଇଥିବା ବିଦ୍ୟାଳୟଗୁଡ଼ିକୁ ସରକାରଙ୍କ ତରଫରୁ ଆଶ୍ରମ ଓ ସେବାଶ୍ରମ ସ୍କୁଲ ବୋଲି ନାମକରଣ କରାଯାଇଛି । ଯେଉଁ ଉଚ୍ଚପଦସ୍ଥ କିଏ ବା କେଉଁମାନେ ଏଭଳି ନାଆଁଟିଏ ସ୍ଥିର କରିଥିବେ, ସିଏ ବା ସେମାନେ ନିଶ୍ଚୟ କିଞ୍ଚିତ୍ ଭାବପ୍ରବଣ ହୋଇଥିବେ । ଦେଶ ସ୍ଵାଧୀନ ହେବାର ଅବ୍ୟବହିତ ପରେ ଯେତେବେଳେ ଆଦିବାସୀ ପିଲାମାନେ ମଧ୍ୟ କିଛି ପାଠ ପଢ଼ନ୍ତୁ ବୋଲି ଉଚ୍ଚ ମହଲର ସରକାରୀ ଶାସନତନ୍ତ୍ରଟା କେବେ ଅନୁଭବ କରିଥିବ, ସେତେବେଳେ ସମ୍ପୃକ୍ତ ସେମାନେ ମୂଳତଃ ଦୟାପରବଶ ହୋଇ ଯାହା କିଛି କରିବା ଲାଗି ମନ ବଳାଇଥିବେ । ଦେଶ ସ୍ଵାଧୀନ ହେଲା, ଦେଶର ସମସ୍ତଙ୍କୁ ବିଚାରକୁ ନେଇ ଏଣିକି ଯାବତୀୟ ବ୍ୟବସ୍ଥା କରିବାକୁ ହେବ ଏବଂ ଅନ୍ୟ ଘରର ପିଲାଙ୍କ ପରି ଆଦିବାସୀ ପିଲାମାନେ ମଧ୍ୟ ଅଲବତ ଶିକ୍ଷାଲାଭ କରିବାର ଅଧିକାରୀ ହେବେ, ଏହି ବିବେକଟା ତ ପଚାଶବର୍ଷ ପରେ ଏବେ ବି ଉପର ବରାଦଘରଗୁଡ଼ାକରେ ପ୍ରବେଶ କରିନାହିଁ ଏବଂ ତେଣୁ ସେହି ପ୍ରଥମ କାଳରେ ମଧ୍ୟ କିଏ କାହିଁକି ସେକଥା ଚିନ୍ତା କରିଥାନ୍ତା ? ଦେଶର ସମ୍ବିଧାନଟା ସିନା ସବୁ ପିଲାଙ୍କୁ ଗୋଟିଏ ଗୋଷ୍ଠୀ ରୂପେ ଦେଖୁଥିଲା, ମାତ୍ର ଶାସନରେ ଯେଉଁମାନେ ଉପରେ ବାଘ, ହାତୀ ହୋଇ ରହିଲେ, ସେମାନେ ଏତେ ଶୀଘ୍ର ସମସ୍ତଙ୍କୁ କିପରି ବା ବାଟ ଛାଡ଼ି ଦେଇଥାନ୍ତେ ? ପୁନଶ୍ଚ, ସେମାନଙ୍କ ପିଲାଏ ଓ ଆଦିବାସୀ ଘରର ପିଲାଏ ଗୋଟିଏ ସ୍କୁଲରେ ଏକାଠି ହୋଇ ବସିଥାଆନ୍ତେ ଓ ଯାବତୀୟ ଔଚିତ୍ୟ ସହିତ ଏକାଭଳି ପାଠ ପଢ଼ିଥାନ୍ତେ, ଏଇଟାକୁ ସେମାନେ ମୋଟେ ମାନି ନେଇ ପାରିନଥାନ୍ତେ । ସମ୍ଭବତଃ ସେହି କାରଣରୁ ସେମାନେ ଆଦିବାସୀ ପିଲାଙ୍କ ନିମନ୍ତେ ଅଲଗା ପାଠଶାଳାର ବରାଦ କଲେ ଓ ସତେ ଯେପରି ତଦ୍ଦ୍ୱାରା ବହୁତ କୃପା କରୁଛନ୍ତି, ତାହା ଦର୍ଶାଇବା ପାଇଁ ସେହି ପାଠଶାଳାକୁ ଗୋଟାଏ ଛନଛନିଆ ନାଆଁ ମଧ୍ୟ ଦେଇଥିଲେ । ଦରବାର ତରଫରୁ କୁହାଗଲା ଯେ ଏପରି କରିବାଦ୍ଵାରା ଆଦିବାସୀମାନଙ୍କର ସ୍ୱତନ୍ତ୍ର ସାଂସ୍କୃତିକ ବିଶେଷତା ଉପରେ ଆବଶ୍ୟକ ଧ୍ୟାନ ଦେବାର ଚେଷ୍ଟା କରାଯିବ । ସମ୍ଭବତଃ ଅଲଗା ଅସଲ କଥାଟା ହେଉଛି ଯେ, ଏହି ଆଶ୍ରମ ବିଦ୍ୟାଳୟଗୁଡ଼ିକ ଆଦିବାସୀ ପିଲାଙ୍କ ପାଇଁ ghettoର କାମ ଦେବ ଏବଂ ଆମ ପିଲାମାନଙ୍କୁ ସେମାନଙ୍କ ସହିତ ଏକାଠି ବସି ଏକା ପାଠ ପଢ଼ିବାର ଦଶାରୁ ମୁକ୍ତି ମିଳିଯିବ ।

 

ଏହି ସ୍ଵତନ୍ତ୍ର ଶିକ୍ଷାଶ୍ରମଗୁଡ଼ିକୁ ଚଳାଇବା ସକାଶେ ସରକାରୀ ସିରସ୍ତାରୁ ହିଁ ବହୁତ ସହାନୁଭୂତି ସହିତ ଏବଂ ସତକୁସତ ବହୁତ ବୁଦ୍ଧି ଖରଚ କରି ସମସ୍ତ ବ୍ୟବସ୍ଥା ହୋଇଗଲା । ପ୍ରାୟ ଗୋଟାସୁଦ୍ଧା ଅନୁମାନଦ୍ଵାରା ସବୁ ହେଲା; ଯାହାର ଛୁଆମାନଙ୍କ ପାଇଁ ଏତେ ବରାଦ, ସିଏ ସେଠାରେ ମୋଟେ ନଥିଲା । ସେହି ପିଲାମାନଙ୍କୁ ସରକାରୀ ବରାଦରୁ ସବୁକିଛି ମିଳିଲା । ଖୋରାକ, କପଡ଼ା ଅନ୍ୟାନ୍ୟ ଆବଶ୍ୟକ ସବୁ ଦରବ ଏବଂ ଦ୍ରବିଣ,–ବହିପତ୍ର ଓ ଆହୁରି କେତେ କ’ଣ । ଧରି ନିଆଗଲା ଯେ, ଯେଉଁ ଆଦିବାସୀ ଛୁଆ ପ୍ରାୟ ସେହି ଯୁଗାରମ୍ଭ ସମୟରୁ ଜଙ୍ଗଲ ଭିତରେ ବୁଲି ବୁଲି ଓ ପଶୁ ସହ ଜୀବନ ବିତାଇ ପଶୁତୁଲ୍ୟ ଜୀବନଟିଏ ଆଦରି ରହି ଆସିଛି, ଏଡ଼େ ଏଡ଼େ ମୁଣ୍ଡ ଏକାଠି ବସି ତା’ ପାଇଁ କରି ଦେଇଥିବା ବରାଦଗୁଡ଼ିକ ଫଳରେ ସିଏ ସତେ ଅବା ରାଜସୁଖ ଲାଭ କରିବ । ଗୋଟିଏ ଆଦିବାସୀ ପିଲା କେତେ ଖାଇବ, ଦିନକୁ କେତେ ବକ୍ତ ଖାଇବ ଏବଂ କୋଉବକତରେ କ’ଣ ଖାଇବ, ସେ କଥାଟିକୁ ମଧ୍ୟ ବିଭାଗୀୟ ବାବୁମାନେ ସ୍ଥିର କରି ଦେଇଥିଲେ । ଏହିସବୁ ମାପ ଅନୁସାରେ ସବୁ କିଛି ସରକାରଙ୍କ ତରଫରୁ ଆଶ୍ରମ ସ୍କୁଲରେ ଯାଇ ପହଞ୍ଚିଯିବ, ତେଣୁ ଦୁଃଖ ବୋଲି ଆଦୌ କିଛି ରହିବ ନାହିଁ । ତା’ ହେଲେ ଛୁଆଏ ସେମାନଙ୍କୁ ପଢ଼ା ହେଉଥିବା ପାଠଗୁଡ଼ାକ ମହାଆନନ୍ଦରେ ଅବଶ୍ୟ ପିଇଯିବେ । ଜଙ୍ଗଲ ଭିତରେ ମଙ୍ଗଳ କଥା କହିବ । ଶିକ୍ଷା ଝଟକି ଉଠିବ । ସରକାରଙ୍କ ତରଫରୁ ଏଣୁ ଦ୍ରୋଣମାନଙ୍କର ପୂରା ଥାଟଟା ପେଷା ହୋଇ ସେଠି ପହଞ୍ଚିଗଲା । ପିଲାଏ ସେଠାରେ କ’ଣ ପଢ଼ିବେ, ସେଇଟା ମଧ୍ୟ ଏହି ରାଜଧାନୀରୁ ଲେଖାହୋଇ ସେମାନଙ୍କୁ ଦିଆ ଯାଉଥିଲା । ସେମାନେ ସମୁଚିତ ଭାବରେ ନିଜର କାମ କରୁଛନ୍ତି କି ନାହିଁ, ସେକଥା ଦେଖିବାକୁ ଓ ସଜାଡ଼ିବାକୁ ଉପରେ ପୁଳାଏ ନିରୀକ୍ଷକ ମଧ୍ୟ ନିଯୁକ୍ତ ହେଲେ । ଶିକ୍ଷକ କିମ୍ବା ନିରୀକ୍ଷକ କେହି ପିଲାଙ୍କ ଭାଷା ଜାଣିନଥିଲେ । ଅଧିକାଂଶ ଶିକ୍ଷକ ଭାରି କୁନ୍ଥାଇ କୁନ୍ଥାଇ ସେହିସବୁ ବିଦ୍ୟାଳୟକୁ ଯାଇଥିଲେ । ସତେ ଅବା ନିୟମତଃ ପ୍ରାୟ ସମସ୍ତେ ଅଣ ଆଦିବାସୀ ଥିଲେ । ଆଶ୍ରମ ବିଦ୍ୟାଳୟରେ ପାଠ ଯେତିକି, ଶାଠ ମଧ୍ୟ ସେତିକି । କ୍ଷେତ ଓ ବଗିଚା ସକାଶେ ସେହି ଗୋଟିଏ ବେଢ଼ା ଭିତରେ ଗୁଡ଼ାଏ ଜାଗା । ପିଲାଏ ପାଠ ପଢ଼ିବେ, କାମ ମଧ୍ୟ କରିବେ । ପାଠ ପଢ଼ାଇବାକୁ ଓ କାମ କରାଇବାକୁ ଅଲଗା ଅଲଗା ଶିକ୍ଷକ । ଏହି ବିଦ୍ୟାଳୟଗୁଡ଼ିକ ପ୍ରାୟ ଚାରି ପାଞ୍ଚ ଦଶନ୍ଧି ହେଲା ସରକାରଙ୍କ ବରାଦରେ ଚଳି ଆସିଲାଣି ।

 

ବିଗତ ଦଶନ୍ଧିଗୁଡ଼ିକର ଅବଧିରେ ଏହି ପାଠଶାଳାମାନଙ୍କରେ କ’ଣ ସବୁ ହେଉଥିଲା, ତାହା ହିସାବ କରି କିଏ କହିପାରିବ ? ପିଲାମାନେ ସେହିସବୁ ଆଶ୍ରମ ଅବସ୍ଥାନ କାଳରେ ପ୍ରକୃତରେ କ’ଣ ଖାଉଥିଲେ ? ସରକାର ବାହାଦୁରଙ୍କର ଖାତା ଅନୁସାରେ ସେଠାରେ ପିଲାଙ୍କର ବାବତରେ ଯେତିକି ପଇସା ଦିଆଯାଉଥିଲା, ବିଭାଗୀୟ ନିଯୁକ୍ତମାନେ ତାହା ସତକୁସତ ପିଲାଙ୍କ ପାଖରେ ନେଇ ପହଞ୍ଚାଇ ପାରୁଥିଲେ ନା ଆଉ କେଉଁ ବାହାଦୁରମାନଙ୍କର ବରାଦରେ ତାହା ଆଉ କୁଆଡ଼କୁ ବାଟମାରଣା ହୋଇ ଯାଉଥିଲା ? ପିଲାଏ ବେରାମ ସମୟରେ ଜୀବିତ ଶୁଶ୍ରୂଷା ପାଇ ପାରୁଥିଲେ ତ ? ପାଠଶାଳାରେ ରହିଥିବା ସମୟରେ ସେମାନେ ନିଜର ଘରକୁ ଝୁରି ହେଉନଥିଲେ ତ ? ସର୍ବୋପରି, ଶିକ୍ଷକ ଆଜ୍ଞାମାନେ ସେମାନଙ୍କୁ ମଣିଷ ପିଲା ପରି ଦେଖୁଥିଲେ ତ ? ସେମାନଙ୍କଦ୍ଵାରା ପ୍ରକୃତରେ ପଢ଼ା ଯାଉଥିବା ପାଠଟା ସାଧ୍ୟ ହୋଇପାରିବ ବୋଲି ଗୁରୁମାନଙ୍କର ବିଶ୍ୱାସ ଥିଲା ତ ? ଏହି ପାଠ ପ୍ରକ୍ରିୟାରେ ଅଭିଭାବକମାନଙ୍କୁ କୌଣସି ପ୍ରକାରେ ସାମିଲ କରାଯାଉଥିଲା କି ? ବିଦ୍ୟାଳୟ ଏବଂ ଛାତ୍ରାବାସର ପରିଚାଳନା ସେମାନଙ୍କୁ ସାଙ୍ଗରେ ବସାଇ ଆବଶ୍ୟକ ନିଷ୍ପତ୍ତିଗୁଡ଼ିକୁ ନିଆଯାଉଥିଲା କି ? ଏହିସବୁ ତଥ୍ୟରୁ ପ୍ରକୃତ ହକିକତଗୁଡ଼ିକୁ ଜାଣିବା ଲାଗି ଆଦିବାସୀ କାହାକୁ ହେଲେ ସମ୍ପୃକ୍ତ କରି ଆଦୌ କିଛି ଗବେଷଣା ହେଉଥିଲା କି, ଏବଂ ଅଣଆଦିବାସୀ କେହି ଗବେଷଣା କରି ସ୍ଥିତିଗୁଡ଼ିକ ସମ୍ବନ୍ଧରେ ଯେତିକି ଅବଜ୍ଞା ତା ବି କରାଇ ପାରିଥିଲେ ସରକାରୀ ଆକୁଆ ତତ୍ତ୍ୱଟା ସେହି ଅନୁସାରେ କିଛି ପରିବର୍ତ୍ତନ କରିବା ସକାଶେ ତଥାପି କ୍ରିୟାଶୀଳ ହୋଇପାରୁଥିଲା କି ? ଏହିପରି ଏକ ବିଶେଷ ଶିକ୍ଷା ସିଷ୍ଟମର ଅଧିକରୁ ଅଧିକ ଭିତରକୁ ଯାଇ ଆହୁରି କେତେ ନା କେତେ ପ୍ରଶ୍ନ ସର୍ବଦା ଅବଶ୍ୟ ପଚରାଯାଇ ପାରିବ ।

 

ସେଦିନ ସମ୍ବାଦଟିଏ ବାହାରିଥିଲା ଯେ, କୌଣସି ଆଶ୍ରମ ବିଦ୍ୟାଳୟର ଛାତ୍ରମାନେ ଆପେ ଆପେ ନିଷ୍ପତ୍ତିଟିଏ ନେଇ ବିଦ୍ୟାଳୟ ଛାଡ଼ି ବାହାରି ଯାଇଛନ୍ତି । ବିଦ୍ୟାଳୟଠାରେ ରହିଥିବା ସେମାନଙ୍କର ଅଭିଯୋଗଗୁଡ଼ିକୁ ସେମାନେ ଖଣ୍ଡେ କାଗଜରେ ଲେଖି କବାଟରେ ଲଟକାଇ ଦେଇ ଯାଇଛନ୍ତି । ସେହି କାଗଜରୁ ଜଣାଯାଉଛି ଯେ, ସେମାନେ ଦାବିଗୁଡ଼ିକର ପୂରଣ ନହେବା ଯାଏ ନିଜ ନିଜ ଘରକୁ ମଧ୍ୟ ଯିବେ ନାହିଁ । ଜଙ୍ଗଲ ଭିତରେ ହିଁ କେଉଁଠାରେ ଆତ୍ମଗୋପନ କରି ରହିବେ-। ସେହି ଅଞ୍ଚଳର ଜଙ୍ଗଲରେ ହାତୀ ପଲବାନ୍ଧି ବୁଲନ୍ତି । ଏହି ପିଲାମାନେ ହାତୀଙ୍କ ହାବୁଡ଼ରେ ପଡ଼ିଯିବେ ନାହିଁ ତ ? ଖବରଟିକୁ ପାଇ ପିଲାମାନଙ୍କର ବାପାମାଆମାନେ ମଧ୍ୟ ଅତ୍ୟନ୍ତ ଆତଙ୍କିତ ହୋଇ ଉଠିଛନ୍ତି । ଏଭଳି ଘଟଣା କ’ଣ ଏହି ପ୍ରଥମ କରି ଏହି ଗୋଟିଏ ସ୍କୁଲରେ ଘଟିଲା-? ବିଗତ ଦଶବର୍ଷ ଭିତରେ ଏକାଧିକ ସ୍ଥାନରେ ଘଟିଛି । ବହୁ ଦୁର୍ଦ୍ଦଶା ଓ ଅବହେଳାକୁ ସହିନପାରି ପିଲାମାନେ ଲୁଚି କରି ବିଦ୍ୟାଳୟରୁ ପଳାଇ ଯାଇଛନ୍ତି । ପୂର୍ବେ ଏପରି ହେଉନଥିଲା-। ଏବେ ହେଉଛି । ପୂର୍ବେ ଅବହେଳା ହେଉଥିଲା, ପିଲାମାନେ ମୁହଁମାଡ଼ି ସହି ଯାଉଥିଲେ-। ଭୟ ଘୋଟି ରହିଥିଲା । ଭୟ ହିଁ ଅକ୍ରିୟ କରି ରଖିଥିଲା । ଭିତରେ ମଣିଷ ନାମକ ଜୀବଟି ଆଉ ସହିହେବ ନାହିଁ ବୋଲି ଖେଞ୍ଚା ଦେଉଥିଲେ ମଧ୍ୟ ବାହାରେ ସତେଅବା ବହଳ ବମଟାଏ ହୋଇ ବାନ୍ଧି ରଖିଥିବା ଗୋଟାଏ archetype ତଥାପି ସବୁ ସୁହାଇ ନେଉଥିଲା । ସେଇଟା ବି ଆଉ ସହିବାକୁ ରାଜି ହୋଇପାରୁ ନାହିଁ । ପ୍ରତିବାଦ କରିବାକୁ ବାଟ ଛାଡ଼ିଦେଉଛି । ଏହାକୁ ସକଳ ଅର୍ଥରେ ଅବଶ୍ୟ ଏକ ଅଗ୍ରଗତି ବୋଲି କୁହାଯାଇପାରିବ । ଭିତରେ ମଣିଷ ପିଲାଟା କ୍ରମେ ରାଜି ହୋଇଗଲେ ସହିବାର ଗାରଟା ବି କେତେବେଳେ ଅତିକ୍ରମ କରି ହୋଇଯାଏ । ସାହସ ନଥିଲେ ସବୁ ସହି ହୋଇଯାଏ-। ସତ୍ୟାଗ୍ରହୀ ଜନ୍ମଲାଭ କରେ ଏବଂ ଭୟ ଭାଙ୍ଗିଯାଏ । ବାହାରଟା ଭିତରକୁ ବାଟ ଛାଡ଼ିଦିଏ-

 

ଅସଲ ଶିକ୍ଷା ହେଉଛି ଭୟ ଭାଙ୍ଗିଯିବାର ଶିକ୍ଷା । ସ୍ୱାଧୀନ ଭାରତବର୍ଷରେ ତ ଭଳି ଭଳି କେତେ ଶିକ୍ଷା ଚାଲିଛି । ବସ୍ତାନି ବୋହି ବୋହି ପିଲାମାନଙ୍କର ପିଠି ନଇଁଗଲାଣି ବୋଲି ଦିଲ୍ଲୀରେ ବାବୁମାନେ ଏକଦା ଏତେ ଦୁଃଖ ପାଇଲେ ଯେ, ସରକାରଙ୍କର ଶିକ୍ଷା ବିଭାଗ ସେଥିପାଇଁ କମିଶନଟାଏ ବସାଇଲା ଓ କମିଶନ ଆନନ୍ଦମୟ ଶିକ୍ଷା କଥା ଉଠାଇଲେ । ପାଠ ପଢ଼ାଇବାର ବାଗଗୁଡ଼ାକ ଏମିତି ନହୋଇ ସେମିତି ହେବା ଉଚିତ ବୋଲି ବିଚାର ଏବଂ ପରାମର୍ଶ ଦେଲା । ସେହି ପାଠପଢ଼ି ଆମ ଦେଶର ପିଲାମାନେ ପ୍ରକୃତରେ ନିର୍ଭୟ ହୋଇ ପାରୁଛନ୍ତି କି ନାହିଁ, ସେ ବିଷୟରେ ମଧ୍ୟ ଦେଶରେ ଗୋଟାଏ କମିଶନ ବସାଇଲେ ମନ୍ଦ ହୁଅନ୍ତା ନାହିଁ । ତଥାପି, ବେଳେବେଳେ ଏହି ପାଠୁଆମାନଙ୍କଆଡ଼କୁ ଅନାଇଲେ ଭାରି ମନେହୁଏ ଯେ ପାଠ ପଢ଼ିବାଦ୍ୱାରା ସେମାନେ ସତେ ଅବା କେଉଁ ଅସୁରୁଣୀର ଜାଲରେ ପଡ଼ି ଯାଉଛନ୍ତି କେଜାଣି, ଗୋଟାଏ ଗୋଟାଏ ପକ୍କା ଭୟାଳୁରେ ପରିଣତ ହୋଇ ଯାଉଛନ୍ତି । ଏଣେ ହଜାର ହଜାର ଦରମା ମାରି ନେଉଛନ୍ତି ସିନା; ମାତ୍ର ଅତି ମାତ୍ରାରେ ଭୟାଳୁ ହୋଇ ବାହାରୁଛନ୍ତି । ଭୟାଳୁ ମଣିଷ ସତ ଲାଗି କଦାପି ସାହସ କରିପାରେ ନାହିଁ । ନିଜ ଜୀବନ କୁମ୍ପାଟିକୁ ଯତ୍ପରୋନାସ୍ତି ଭର୍ତ୍ତି କରିବାର ମେହେନତରେ ଅସତ୍ୟଗୁଡ଼ାକୁ ପ୍ରାୟ ଛୋପରା ହୋଇ ସହି ଯାଉଥାଏ ଓ ନିଜ ପାଖରେ କାଇଲି ହୋଇ ରହିଥାଏ-। ଆଦିବାସୀ ପିଲାମାନେ ଅରଣ୍ୟରେ ବଢ଼ନ୍ତି । ହେତୁ ଫୁଟିବାର ପୂର୍ବରୁ ହିଁ ଘର ତରଫରୁ କେତେ ଦାୟିତ୍ଵ ମୁଣ୍ଡାନ୍ତି, ଉପାର୍ଜନକ୍ଷମ ବି ହୁଅନ୍ତି । ସେମାନଙ୍କୁ ଆମ ଆଶ୍ରମ ଭିତରେ ପୂରାଇ ପାଠ ପଢ଼ାଇବା ନାଆଁରେ ହୁଏତ ବଡ଼ ଚତୁର ଭାବରେ ଭୀରୁ କରିଦେବାର ଚକ୍ରାନ୍ତ କରି ଦିଆଯାଇଛି-। ସେମାନେ ଅଲବତ ମଣ ହୋଇଯିବେ, ସବୁ ସହିବେ ଓ ଅନ୍ଧାରଟାକୁ କେବେହେଲେ ଅନ୍ଧାର ବୋଲି କହିବେ ନାହିଁ ବୋଲି ଆମ ସରକାରୀ ଫିସାବ-ଘରଟା ସତେ ଅବା ଅତ୍ୟନ୍ତ ନିରୀହ ଭାବରେ ମାନି ନେଇଥାଏ ।

 

ଯେଉଁ ପିଲାମାନେ ସହି ସହି ଶେଷକୁ ଗାର ଡେଇଁଗଲେ, ଦେଖି ଦେଖି ଆଉ ମୋଟେ ଦେଖିପାରିବେ ନାହିଁ ବୋଲି ନିଷ୍ପତ୍ତି କରିପାରିଲେ, ଆମେ ସେମାନଙ୍କୁ ସଲାମ ବୋଲି କହିବା । ସେମାନଙ୍କ ଭିତରର ସାହସୀଟିକୁ ସଲାମ ଜଣାଇବା । ଏବେ କ୍ରମେ ଅନ୍ୟ ଆଶ୍ରମ ବିଦ୍ୟାଳୟମାନଙ୍କରେ ମଧ୍ୟ ଏହିଭଳି ଘଟଣାମାନ ଘଟିବାର ସମ୍ବାଦ ଶୁଣାଗଲାଣି । ଏଣିକି ଏଣିକି ହୁଏତ ଅଧିକ ଶୁଣାଯିବ । ସତ୍ୟ ସଂକ୍ରମିତ ହେବ ହିଁ ହେବ । ସ୍ୱାଧୀନ ଭାରତଟିଏ ଦେଖିବା ପାଇଁ ଏକଦା ଯେଉଁମାନେ ସଂଗ୍ରାମ କରିଥିଲେ, ସେମାନଙ୍କୁ ସତ୍ୟାଗ୍ରହୀ ବୋଲି କୁହାଯାଉଥିଲା । ସତ୍ୟାଗ୍ରହୀମାନେ ସେତେବେଳେ ସାରା ପୃଥିବୀକୁ ଚକିତ କରିଦେଇଥିଲେ । ଅନ୍ୟାୟ ଓ ଅବିବେକର ପ୍ରତିବାଦ ଓ ପ୍ରତିରୋଧ କରିବା ନିମନ୍ତେ ଏହାଦ୍ୱାରା କୋଟି କୋଟି ମଣିଷଙ୍କୁ ଗୋଟିଏ ନୂଆ ଅସ୍ତ୍ର ମିଳି ଯାଇଥିଲା । ପୃଥିବୀକୁ ସତେଅବା ତାହାରି ଦିନ ଆସି ପହଞ୍ଚିଯିବା ପରି ଚାରିଆଡ଼ୁ ଇସାରା ମିଳୁଛି । ଅଥଚ ଭାରତବର୍ଷରେ ସତ୍ୟାଗ୍ରହ ଘରେ କୋଲପ ପଡ଼ିଯାଇଛି । ଭାରତ ସ୍ୱାଧୀନ ହେବାପରେ ସତ୍ୟାଗ୍ରହୀମାନେ ନିଜର ସଂଗ୍ରାମକାଳୀନ ପରିଚୟପତ୍ରକୁ ଦେଖାଇ ଯାହାଠାରୁ ଭତ୍ତା ପାଇଲେ, ତାହା ସହିତ କଦାପି ଲଢ଼େଇ କରିପାରି ନଥାନ୍ତେ । ବନ୍ଦୀ ସଂଗ୍ରାମୀଙ୍କ ସହିତ ଅଣବନ୍ଦା ସଂଗ୍ରାମୀମାନେ ବି ଦାବିପତ୍ର ଧରି ପହଞ୍ଚିଗଲେ । ସଂଗ୍ରାମୀଙ୍କ ପୁତ୍ରକନ୍ୟାମାନେ ମଧ୍ୟ ଭତ୍ତା ଦାବିକରି ବାହାରିଲେଣି । ମନେହେଉଛି, ଏଣିକି କେବଳ ଅନୁକମ୍ପା ମାଗିବା ଓ ଅନୁକମ୍ପା ଦେଖାଇବାର ଦୁଇଟା ଶିବିର ହିଁ ରହିବ । ତେଣୁ ସତ୍ୟାଗ୍ରହ ପୁଣି କିଏ କରିବ ? ଯୋଉ ପିଲାମାନେ ଅନୀତି ସହ୍ୟକରି ନପାରି ଦାବିପତ୍ର ଲେଖି ସ୍କୁଲ୍ ଛାଡ଼ି ବାହାରିଗଲେ ସେମାନେ ଏପରି କରି ସତକୁସତ ତଥାପି ଶୋଇ ରହିଥିବା, ଏବଂ ତଥାପି ସବୁ ସହି ଯାଉଥିବା ବୟସ୍କ ଅନେକଙ୍କ ପାଇଁ କିଛି ବାର୍ତ୍ତା ଦେଇଗଲେ କି ? ଶିକ୍ଷାର ସାନ ବଡ଼ ଥାନମାନଙ୍କରେ ଅଶିକ୍ଷାର ଯେଉଁ ରାତିଗୁଡ଼ାକ ଘୋଟି ରହିଛି, ଆମ ସାମୂହିକ ଜୀବନର କାରବାରମାନଙ୍କରେ ସର୍ବତ୍ର ତସ୍କରମାନେ ପଶିଛନ୍ତି ଏବଂ ସେମାନଙ୍କର ଯେ ପ୍ରତିରୋଧ କରିବାକୁ ପଡ଼ିବ, ପିଲାଙ୍କୁ ମାଧ୍ୟମ କରି ଆସୁଥିବା କାଳଟାର ବିଧାତା ସମ୍ପୃକ୍ତ ସମସ୍ତଙ୍କୁ ସେହି ସନ୍ଦେଶଟି ଆସି ଦେଇ ଯାଉଛି କି ?

 

୧.୧୦.୦୧

☆☆☆

 

ନଅରରେ ନାଟକ

 

୧୯୪୭ ମସିହା ଖରାଛୁଟିରେ ଆମେ ଦଳେ ଛାତ୍ର ଶାନ୍ତିନିକେତନରୁ ନେପାଳ ବୁଲି ଯାଇଥିଲୁ । ପ୍ରଥମେ ଉତ୍ତରପ୍ରଦେଶର ଏକ ଗ୍ରାମାଞ୍ଚଳରୁ ହିଁ ପଶ୍ଚିମ ନେପାଳ ଭିତରେ ପ୍ରବେଶ କଲୁ । ସେହି ଅଞ୍ଚଳରେ ଅବସ୍ଥିତ କପିଳବାସ୍ତୁ ଏବଂ ଲୁମ୍ବିନୀ ଦୁଇଟିଯାକ ସ୍ଥାନ ଦେଖିବା ପାଇଁ ଆମେ ଏପରି କରିଥିଲୁ । ମନେଅଛି, ପ୍ରାୟ ରାତିକର ବାଟକୁ ହାତୀ ଉପରେ ବସି ଅତିକ୍ରମ କରି ଆମେ ସକାଳେ ଲୁମ୍ବିନୀରେ ଖରାପଡ଼ିବାବେଳକୁ ଯାଇ ପହଞ୍ଚିଥିଲୁ । ନଚେତ୍ ପାଦରେ ଚାଲି ଯିବା ବ୍ୟତୀତ ଅନ୍ୟ କୌଣସି ଉପାୟ ନଥିଲା । ତା’ପରେ ସେହି ଅଞ୍ଚଳରୁ ରାଜଧାନୀ କାଠମାଣ୍ଡୁ ଆସିବା ସକାଶେ ଭାରତ ଭିତରେ ପୁନର୍ବାର ପ୍ରବେଶ କରି ପାଟଣା ବାଟେ ପ୍ରାୟ ଦୁଇଦିନର ବାଟକୁ ପାରହୋଇ ଆମେ କାଠମାଣ୍ଡୁ ଗଲୁ । ଶେଷରେ ପାଦରେ ଚାଲି ଚାଲି ଗୋଟିଏ ପାହାଡ଼ ପାରିହୋଇ ଯିବାକୁ ପଡ଼ୁଥିଲା । ରାଜବଂଶର ସଦସ୍ୟମାନଙ୍କ ନିମନ୍ତେ ରଜ୍ଜୁପଥରେ ବ୍ୟବସ୍ଥା ହେଉଥିଲା । ନେପାଳ ରାଜ୍ୟର ଶାସନ ବ୍ୟବସ୍ଥା ପ୍ରାୟ ଏମିତି ଭାବରେ ଗଡ଼ି ଆସିଛି ଯେ, ରାଜା ଓ ରାଣୀ ଦୁଇ କିସମର ବଂଶ ହିଁ ନେପାଳର ଶାସନ କରୁଥିଲେ । କାଗଜପତ୍ରରେ ରାଜା ବଡ଼, ରାଣୀ ସାନ । ରାଜାଙ୍କୁ ପାଞ୍ଚସରକାର କୁହାଯାଉଥିଲା । ରାଣା ଶାସକମାନଙ୍କୁ ତିନି ସରକାର । ଅର୍ଥାତ୍, ରାଜାଙ୍କ ନାମରେ ମୂଳରେ ପାଞ୍ଚଥର ପାଇଁ ଶ୍ରୀ ଲାଗୁଥିଲା ଓ ରାଣାମାନଙ୍କ ନାଁରେ ତିନିଥର । ପୂରା ଗାଣିତିକ ପଦ୍ଧତିରେ ସମ୍ମାନ ପ୍ରଦର୍ଶନ ଏବଂ ଉଚ୍ଚନୀଚ ବିଚାର । ଏବଂ, ଏହିପରି ବଡ଼ସାନ ବାରିବାର ହିସାବଗୁଡ଼ାକୁ ଦରବାରୀ ଢଙ୍ଗରେ ଲୋକମାନଙ୍କ ଉପରେ ପ୍ରାୟ ଏକ ଧର୍ମ ପରି ଲଦି ରଖିଥିବା ବଂଶ ଦୁଇଟା ମଧ୍ୟରେ ଯେ ବୈମନସ୍ୟ ଲାଗି ରହିଥିବ, ସେହି କଥାଟିକୁ ଖୁବ୍ ସହଜରେ ବୁଝି ହୋଇଯିବ । ରାଜା ଓ ସେହି ଉଚ୍ଚଠଣାର ମଣିଷମାନେ ନିଜ ମନୁଷ୍ୟପରିଚୟର ମର୍ଯ୍ୟାଦାଟିକୁ ହୁଏତ ପାରମ୍ପରିକ ଭାବରେ ବୁଝି ପାରନ୍ତି ନାହିଁ ବୋଲି ବଂଶଗତ ସନ୍ତକଗୁଡ଼ାକୁ ଏପରି ମୁଣ୍ଡାଇ ବସିଥାନ୍ତି । ସେଥିରୁ କୋଟି ଆନନ୍ଦ ପାଆନ୍ତି ।

 

ଭାରତବର୍ଷ ବ୍ରିଟିଶ ଶାସନରୁ ଅଚିରେ ମୁକୁଳିବ ବୋଲି ସେତେବେଳେ ସୁନିଶ୍ଚିତ ହୋଇ ଯାଇଥାଏ । କଥାବାର୍ତ୍ତା ସରିଥାଏ,–ଟିକିନିଖିଗୁଡ଼ିକର ସ୍ତରରେ କ’ଣ ସବୁ ହେବ ବା ନ ହେବ, ସେହିଗୁଡ଼ିକର ନିଷ୍ପତ୍ତି ହେଉଥାଏ । ଦୀର୍ଘ ସଂଗ୍ରାମ ପରେ ପଡ଼ୋଶୀ ଭାରତବର୍ଷ ସ୍ୱାଧୀନତା ଲାଭ କରିବାକୁ ଯାଉଛି, ତାହା ଏକ ଜାଗରଣକାରୀ ପ୍ରେରଣା ହୋଇ ନେପାଳରେ ପହଞ୍ଚି ସାରିଥାଏ । ନେପାଳ କଂଗ୍ରେସର ସଦ୍ୟସ୍ଥାପନା ହୋଇଥାଏ । ଜନଗଣ ରାଜତନ୍ତ୍ରର ଲୋପ କରି ଏକ ଲୋକତନ୍ତ୍ରର ପ୍ରତିଷ୍ଠା କରିବା ସକାଶେ ଆନ୍ଦୋଳନ କରୁଥାଆନ୍ତି । ଆମ ଦଳଟି କାଠମାଣ୍ଡୁରେ ଯାଇ ପହଞ୍ଚିବା ପରେ ଆମ ପଛରେ ଗୋଇନ୍ଦା ଲାଗିଗଲେ । ଆମେ କୌଣସି ରାଜନୀତିକ ଅଭିପ୍ରାୟ ନେଇ ଭାରତବର୍ଷରୁ ଆସିନାହୁଁ ତ ? ଲୋକମାନଙ୍କର ଆନ୍ଦୋଳନ ବିଷୟରେ ଏଠୁ ସମ୍ବାଦମାନ ସଂଗ୍ରହ କରି ନେବାକୁ ଆମର କୌଣସି ଅଭିସନ୍ଧି ରହିନାହିଁ ତ ? ସେତେବେଳେ ଭାରତବର୍ଷରେ ଶ୍ରୀଯୁକ୍ତ ଶ୍ୟାମାପ୍ରସାଦ ମୁଖାର୍ଜୀ ହେଉଛନ୍ତି ହିନ୍ଦୁ ମହାସଭାର ଜଣେ ପ୍ରଖ୍ୟାତ ନେତା । ନେପାଳରେ ରାଜତନ୍ତ୍ରକୁ ଲୋପ କରି ଲୋକଶାସନର ପ୍ରତିଷ୍ଠା ପାଇଁ ଚାଲିଥିବା ଆନ୍ଦୋଳନଟି ବିଷୟରେ ସିଏ ଗୋଟିଏ ବିବୃତ୍ତି ସେତେବେଳେ ଦେଇଥିଲେ । କହିଥିଲେ ଯେ, ନେପାଳର ରାଜା ହେଉଛନ୍ତି ପୃଥିବୀର ଶେଷ ହିନ୍ଦୁ ରାଜା । ତେଣୁ, ତାଙ୍କୁ ସ୍ଥାନଚ୍ୟୁତ କରିବାକୁ ଯେଉଁ ଆନ୍ଦୋଳନଟି ହେଉଛି, ତାହା ହେବା ମୋଟେ ଉଚିତ ନୁହେଁ । ନେପାଳର ସେହି ଆନ୍ଦୋଳନ ଅବଶ୍ୟ ସଫଳ ହେଲା ଏବଂ ନେପାଳ ରାଜା ଲୋକମାନଙ୍କୁ ବାଟ ଛାଡ଼ି ଦେଇଥିଲେ । କିନ୍ତୁ ରାଜା ତଥାପି ରହିଲେ । ନିର୍ବାଚନଦ୍ୱାରା ପ୍ରତିନିଧିମାନେ ବଛା ହେଲେ ଏବଂ ଦେଶର ଶାସନଭାର ହାତକୁ ନେଲେ, ମାତ୍ର ରାଜିନାମା ଅନୁସାରେ ରାଜା ବି ରହିଲେ, ତାଙ୍କ ହାତରେ ଦେଶର କ୍ଷମତା ମଧ୍ୟ ରହିଥିଲା । ଇଂଲଣ୍ଡର ପ୍ରତିନିଧି ଶାସନରେ ରାଜତନ୍ତ୍ରଟିଏ ତଥାପି ଅଛି । ଏକ ପୁରାତନ ପ୍ରତୀକ ରୂପେ ତାହାକୁ ରଖାଯାଇଛି । ମାତ୍ର, ନେପାଳରେ ଶାସନତନ୍ତ୍ରଟି ସେତେଦୂର ବଦଳି ପାରିନାହିଁ । ପୁରୁଣା ହୁକୁମଟା ମଧ୍ୟ ରହିଛି । ହୁଏତ ଯାବତୀୟ ଲୋକ-ପ୍ରତିନିଧିମୂଳକ ବିଧାନ ସତ୍ତ୍ୱେ ରାଜା ଉଚ୍ଚତମ କ୍ଷମତାସ୍ଥାନରେ ରହିଛନ୍ତି ।

 

ରାଜା ଅଛନ୍ତି, ରାଜପ୍ରାସାଦ ରହିଛି ଏବଂ ରାଜବଂଶ ମଧ୍ୟ ରହିଛି । ପାହାଡ଼ ଖୋଲ ଭିତରେ ରହିଥିବା ପ୍ରଜାଗଣ ରାଜପଦକୁ ଓ ରାଜାଙ୍କୁ, ସମ୍ଭବତଃ ସେହି ପୁରାତନ ପରମ୍ପରାଟାର କାନ୍ଥଗୁଡ଼ାକଦ୍ୱାରା ପ୍ରାୟ ସୁରକ୍ଷିତ ହୋଇ ରହିଥିବା ରାଜବଂଶଟାକୁ ମଧ୍ୟ ପୂର୍ବର ସେହି ସମ୍ମାନ ଦେଇ ଦେଖୁଛନ୍ତି । ତେଣୁ, ଏହି ସନ୍ତକଟା ପୂରାପୂରି ଯାଉ ଏବଂ ଲୋକତନ୍ତ୍ରର ସମ୍ପୂର୍ଣ୍ଣ ପ୍ରତିଷ୍ଠା ହେଉ ବୋଲି ଅଭିଳାଷ କରୁଥିବା ଆନ୍ଦୋଳନଟି ସେପରି ଟାଣ ହୋଇପାରୁ ନାହିଁ । ଦାରିଦ୍ର୍ୟ ଆଗପରି ରହିଛି, ସାମୂହିକ ଜୀବନର ଯାବତୀୟ ଚଳଣିକୁ ସାମନ୍ତବାଦ ମାଡ଼ି ବସିଛି । ପାହାଡ଼ୀ ଜମିଗୁଡ଼ାକ ଉପରେ ହିଁ ଅଧିକାଂଶ ମନୁଷ୍ୟ ନିର୍ଭର କରୁଛନ୍ତି । ଏକ ସ୍ୱାଧୀନ ଦେଶରେ ଶିକ୍ଷା ତଥା ଆଧୁନିକ ଜୀବନଚେତନାର ଯେପରି ସଂକ୍ରମଣ ହେବାର କଥା, ତାହା ହୋଇପାରି ନାହିଁ । ଇଂରେଜ ଅମଳରେ ନେପାଳର ଗୋର୍ଖାମାନେ ବହୁ ସଂଖ୍ୟାରେ ସେମାନଙ୍କର ସୈନ୍ୟବାହିନୀରେ ରହୁଥିଲେ । ଭାରତ ସରକାରଙ୍କର ସୈନ୍ୟବାହିନୀରେ ଗୋର୍ଖାମାନେ ଏବେ ମଧ୍ୟ ରହିଛନ୍ତି । ପେଟ ପାଇଁ ଆଖିଦୃଶିଆ ଭାବରେ କିଛି ଉପାର୍ଜନ କରି ପାରିବାର ଆଶାରେ ନେପାଳରୁ ହଜାର ହଜାର ଲୋକ ଭାରତର ସହରମାନଙ୍କରେ ରାତି ଜଗୁଆଳି କାମ କରୁଛନ୍ତି । ନେପାଳ ରାଜ୍ୟର ପଶ୍ଚିମ ଅଂଶଟି ଅପେକ୍ଷାକୃତ ଅଧିକ ସମ୍ବଳହୀନ ହୋଇ ରହିଛି । ଆଧୁନିକ ପୃଥିବୀ ସହିତ ପ୍ରାୟ କୌଣସି ସମ୍ପର୍କ ନାହିଁ । ତେଣୁ ବାହାରର ଜଗତଟା ପରି ସେଠାରେ ଆର୍ଥିକ ପରିବର୍ତ୍ତନଗୁଡ଼ିକ ସମ୍ଭବ ହୋଇପାରୁ ନାହିଁ । ହିମାଳୟ ଅନ୍ତର୍ଗତ ଉତ୍ତରାଞ୍ଚଳ ରାଜ୍ୟରେ ତୀର୍ଥଗୁଡ଼ିକର ମାର୍ଗରେ ପ୍ରାୟ ସକଳ ଗହଳି ଥାନରେ ଯେଉଁ କୁଲିମାନେ ଦୃଷ୍ଟିଗୋଚର ହୁଅନ୍ତି, ସେମାନେ ପ୍ରାୟ ସମସ୍ତେ ନେପାଳରୁ ଆସିଥାଆନ୍ତି । ଯାତ୍ରୀମାନଙ୍କର ମୋଟ ବୁହନ୍ତି । ଏମାନଙ୍କ ଭିତରୁ ଏକ ବୃହତ୍ ଭାଗ ବାହକମାନେ ପନ୍ଦର ଷୋଳବର୍ଷର ମଧ୍ୟ ହୋଇନଥାନ୍ତି । ସେମାନେ ଭାଗ୍ୟ ଅନୁକୂଳ ହୋଇଥିଲେ ପାଠ ପଢ଼ୁଥାଆନ୍ତେ, ସ୍ଵପ୍ନ ଦେଖୁଥାଆନ୍ତେ, ଆପଣା ଭିତରର ଯଥାର୍ଥରେ ବହୁ ସାମର୍ଥ୍ୟର ଆବିଷ୍କାର ମଧ୍ୟ କରି ପାରୁଥାନ୍ତେ । ଏହି ମୋଟବୁହା ଗଜା ପିଲାଗୁଡ଼ାକ ଯେ ଭାରତକୁ କାମ ଖଟି ଆସି କ’ଣ ଖାଆନ୍ତି, କିଭଳି ପରିବେଶମାନଙ୍କରେ ଚଳପ୍ରଚଳ ହୁଅନ୍ତି ଏବଂ ସର୍ବୋପରି ନିଜର ଏହି ଅସହନୀୟ ସ୍ଥିତିରେ ଆଦୌ କୌଣସି ପରିବର୍ତ୍ତନ ଘଟିବା ବିଷୟରେ ନିଜ ଭିତରେ କିଛି ଉଦବେଳନର ଅନୁଭବ କରନ୍ତି କି ନାହିଁ, ସେମାନଙ୍କୁ ମଇଳା ସରସର ଭାବରେ ଯେତେଥର ମୁଁ ଦେଖିଛି, ମନେମନେ କେବଳ ଏହିସବୁ ପ୍ରଶ୍ନ ହିଁ ପଚାରି ହୋଇଛି । କ୍ରୋଧ ବି ଅନୁଭବ କରିଛି । ଏହି ସଂସାରରେ ମଣିଷ ପାଇଁ ଏତେ ଏତେ ଆଲୋକର ସମ୍ଭାବନା ଓ ତଦନୁରୂପ ଏତେ ଏତେ ପ୍ରତିଶ୍ରୁତି, ମାତ୍ର ତଥାପି ପୃଥିବୀର ପ୍ରାୟ ଅଧେ ମଣିଷ ତାହାର କୌଣସି ସମ୍ବାଦ ବି ପାଇବେ ନାହିଁ-? ନେପାଳର ରାଜବଂଶ ରାଜଉଆସରେ ରହେ । ପରିପୂର୍ଣ୍ଣ ପ୍ରକାଶରେ ଏକ ରାଜବଂଶ ପରି ରହେ । ନେପାଳର ପ୍ରଜାମାନଙ୍କର ପଇସାରେ ସକଳ ଅର୍ଥରେ ଏକ ମହାରାଜକୀୟ ସୁଖସମୃଦ୍ଧି ଭିତରେ ରହେ । ସେଠି ରାଜା, ରାଜମାତା, ଯୁବରାଜ, ଏହିସବୁ ପରିଚୟରେ ହିଁ ପ୍ରଜାମାନେ ସେମାନଙ୍କୁ ଚିହ୍ନନ୍ତି । ଅନୁଗତ ହୋଇ ରହିଥାଆନ୍ତି । ଆଧୁନିକ ଜୀବନର ଯାବତୀୟ ଅୟସ ଓ ବିଳାସ ସହିତ ରାଜବଂଶର ଖୁଆଡ଼ଟା ଏପରି ଭାବରେ ରହେ ଯେ, ପର୍ବତ ଖୋଲ ଭିତରେ ସେମାନେ କିଳି ହୋଇ ରହିଛନ୍ତି ବୋଲି କେବେ ବି ଅନୁଭବ କରନ୍ତି ନାହିଁ । ପ୍ରଜାକୁଳ ଅନ୍ଧାରମୟ ସେହି ଅଭ୍ୟସ୍ତ ଅତୀତଟା ଭିତରେ ଥାଆନ୍ତି ସିନା, ମାତ୍ର ରାଜବଂଶ ଆଧୁନିକ କାଳଟା ସହିତ ଗୋଟାସୁଦ୍ଧା ଖାପ ଖାଉଥିବା ଏକ ଉପେକ୍ଷାପୂର୍ଣ୍ଣ ବିଳାସିତା ମଧ୍ୟରେ ମହା ଉଗ୍ରତାରେ ଲଟପଟ ହେଉଥାନ୍ତି । ରଜା ଆପଣାର ବଂଶଟା ସମେତ ଷୋଡ଼ଶ ଶତାବ୍ଦୀର ସାମନ୍ତବାଦ ଭିତରେ ନିବୁଜ ହୋଇ ରହିଥିବ, ଏଣେ ଏକବିଂଶ ଶତାବ୍ଦୀର ଆରାମ ମଧ୍ୟରେ ଦୋଳି ଖେଳିବାରେ ଲାଗିଥିବ ଏବଂ ସବୁଠାରୁ ଅଧିକ ଅନିଷ୍ଟକାରୀ କଥାଟା ହେଉଛି ଯେ, ନିଜକୁ ଜଣେ ମନୁଷ୍ୟ ବା ନାଗରିକ ବୋଲି ଅନୁଭବ କରିବା ପୂର୍ବରୁ କେବଳ ନିଜ ବଂଶଟାର ଦର୍ପଣ ଉପରେ ହିଁ ଆପଣାର ଚମଗୁଡ଼ାକୁ ଠୋଲା କରି ଦେଖିବାରେ ପାଷଣ୍ଡବତ୍ ହୋଇ ରହିଥିବ-ଶ୍ୟାମାପ୍ରସାଦ ମୁଖାର୍ଜୀ ଯାହା କହନ୍ତୁ ପଛକେ, ଏଇଟା ବିଶ୍ଵଯାକ ଆମେ ଅପେକ୍ଷା କରି ରହିଥିବା ଜୀବନଟି ନିମନ୍ତେ ପ୍ରକୃତରେ ଭାରି ଅଡ଼ୁଆମାନ ସୃଷ୍ଟି କରିବ ।

 

ଆଗାମୀ ପୃଥିବୀରେ ମଣିଷମାନେ ସବାଆଗ ନାଗରିକ ରୂପେ ହିଁ ପରିଚିତ ହେବେ, ନାଗରିକ ରୂପେ ହିଁ ଆପଣାକୁ ଯୋଗ୍ୟ କରିବେ ଏବଂ ନାଗରିକ ରୂପେ ହିଁ ଏହି ପୃଥିବୀରେ କାମରେ ଲାଗିବେ । କେଉଁମାନଙ୍କର କାନ୍ଧ ଉପରେ ବସିବା ଅପେକ୍ଷା ସେମାନଙ୍କର ହାତଧରି ଏକାଠି ବାଟ ଚାଲିବାକୁ ସର୍ବଶ୍ରେଷ୍ଠ ପୃଥ୍ଵୀଧର୍ମ ବୋଲି ଗ୍ରହଣ କରିବେ । ସେହିଭଳି ଗୋଟିଏ ସମୟ ସମୁଦାୟ ପୃଥିବୀ ନିମନ୍ତେ ଆହୂତ ହୋଇ ଆସୁଛି ବୋଲି ସମ୍ଭବତଃ ମଣିଷମାନଙ୍କର ଇତିହାସକୁ ନିଜ ନଅର ଭିତରେ ବନ୍ଦୀ କରି ରଖିଥିବା ରାଜତନ୍ତ୍ରଟା ଚାହୁଁ ଚାହୁଁ ଏଠୁ ବିଦା ହୋଇ ଚାଲିଗଲା । ସେଇଟା ଚାଲିଗଲା ବୋଲି ମୋଟେ କେହି ବାହୁନିବାକୁ ମନ କଲେ ନାହିଁ । ବିଧାତାର ବରାଦ ଯାହା ଥିଲା, ତାହା ହିଁ ହେଲା ଏବଂ ତାହା ହିଁ ଘଟିଲା । ଯାହାର ବା ଯେଉଁମାନଙ୍କର ସମୟ ଗଲା, ସେମାନେ ଅବଶ୍ୟ ଗଲେ । ଯାହାର ବା ଯେଉଁମାନଙ୍କର ସମୟ ଆସୁଛି, ଏଣିକି ସେହିମାନେ ହିଁ ଆଗେ ଆଗେ ଚାଲିବେ ।

 

ବ୍ରିଟିଶ ସରକାର ଭାରତ ଛାଡୁଥିବା ବେଳେ ଏହି ଦେଶରେ ଛଅଶହ ରଜା ଥିଲେ । ରଜାମାନେ ଏକ ଅଲଗା ଲେଖାପଢ଼ିର କାରଣରୁ ଗଡ଼ଜାତମାନଙ୍କରେ ରାଜତ୍ଵ କରୁଥିଲେ । ଗଡ଼ଜାତକୁ ବାଦ୍ ଦେଇ ବାକି ଦେଶଟା ସ୍ୱାଧୀନ ହେଲା । ବ୍ରିଟିଶ ପ୍ରଭୁତ୍ୱ ଗଡ଼ଜାତମାନଙ୍କୁ ସେମାନେ ଯେଉଁପରି ରହି ଆସିଥିଲେ, ସେହିପରି ଛାଡ଼ି ଦେଇ ଚାଲିଗଲା । ଭାରତରେ ଲୋକେ ସ୍ଵାଧୀନ ଗଣତନ୍ତ୍ର ଶାସନରେ ରହିବେ ଏବଂ ଗଡ଼ଜାତଗୁଡ଼ିକରେ ସେହି ଆଗପରି ରାଜତନ୍ତ୍ର ହିଁ ରହିବ, କେତେ ରାଜା ସେହିଭଳି ସ୍ଵପ୍ନମାନ ବି ଦେଖୁଥିଲେ । କିନ୍ତୁ ବିଧାତା କରାଇ ଦେଲା ନାହିଁ । ସେମାନଙ୍କୁ ଦୁଇ ସ୍ଵାଧୀନ ଦେଶରୁ ଗୋଟିଏ ବାଛି ନେବାକୁ ପଡ଼ିଲା । ଯେଉଁ ରଜାମାନେ ହୁଏତ ମୂଳ ଭୂମିଟାରୁ ଅଲଗା ହୋଇ ରହିବେ ବୋଲି ସ୍ୱପ୍ନ ଦେଖିଥିଲେ, ସେମାନଙ୍କର ମଞ୍ଚାଗୁଡ଼ିକ ମଧ୍ୟ ଭାଙ୍ଗିପଡ଼ିଲା । ସାରା ଦେଶଟାରେ ଗଣତନ୍ତ୍ରର ଧାରା ଚଳିଲା । ନେପାଳର ରାଜବଂଶ ପାହାଡ଼ ଭିତରେ ପ୍ରାୟ ଏକଣା ହୋଇ ରହିଆସୁଥିଲେ ମଧ୍ୟ ଲୋକାଭିଳାଷକୁ ବାଟ ଛାଡ଼ିଦେବାକୁ ବାଧ୍ୟ ହେଲା । ତଥାପି ରାଜା ରହିଲେ, ରାଜବଂଶ ନଅର ଭିତରେ ଆଗର ସେହି ସମ୍ଭ୍ରାନ୍ତପଣଗୁଡ଼ାକର ସନ୍ତକ ହୋଇ ରହିଲା । ତଥାପି ଚତୁର୍ଦ୍ଦିଗର ଜୀବନ-ସମୁଦ୍ର ମଧ୍ୟରେ ମତ୍ସ୍ୟମାନଙ୍କ ଭିତରେ ଜଳହସ୍ତୀ ପ୍ରାୟ ହୋଇ ରହିବାକୁ ସେମାନେ ବଡ଼ପଣ ବୋଲି ଭାବିଲେ । ସେଭଳି ଭାବି ଭାରି ଭୁଲ୍ କଲେ । କେତେମାସ ତଳେ ସେଠାରେ ଏକ ଉଦ୍‍ଭ୍ରାନ୍ତ ଗୁଳିକାଣ୍ଡ ଫଳରେ ଦିନେ ରାତିରେ ଯେଉଁ ବୀଭତ୍ସ ହତ୍ୟାମାନ ଘଟିଲା, ତାହା ସ୍ୱଲକ୍ଷଣରେ ସେଇ ଷୋଡ଼ଶ କିମ୍ବା ପଞ୍ଚଦଶ ଶତାବ୍ଦୀର ଗୋଟିଏ ଘଟଣା ପରି ହିଁ ଲାଗିଲା । ସେକାଳେ ଏହିଭଳି ଘଟଣା ଖୁବ୍ ଘଟୁ ବି ଥିଲା । ଏବଂ ଇତିହାସ କହିଲେ ମୁଖ୍ୟତଃ ସେହି ହତ୍ୟାମାନଙ୍କର ଏକ ପରିଣାମସମଷ୍ଟିକୁ ବୁଝାଉଥିଲା । ନଅର ଭିତରେ ବିବେକ କହିଲେ ଯେ ହାତରେ ପିସ୍ତଲଟାଏ ଧରିଥିବା ବ୍ୟକ୍ତିସ୍ତରୀୟ ବହୁ କିସମର ପ୍ରମତ୍ତତାକୁ ବୁଝାଏ, ନେପାଳରେ ତାହା ସାବ୍ୟସ୍ତ ହୋଇଗଲା । ସେଥିରେ ପାରିବାରିକ ବାରଣ ବୋଲି ଆଦୌ କିଛି ବି ନଥାଏ । ବାପ ମା’ ସବା ଆଗ ପୁଅକୁ ଦେଖନ୍ତି ନାହିଁ ଅଥବା ପୁଅ ମଧ୍ୟ ବାପ ମାଙ୍କୁ ବାପା ମାଆ ଭାବେ ନ ଦେଖି ପ୍ରତିଦ୍ୱନ୍ଦୀ ଓ ପ୍ରତିବନ୍ଧକ ରୂପେ ଦେଖିଥାଏ ।

 

ସେହିଦିନଟି ସତ୍ୱର ଆସିବ, ଯେଉଁଦିନ କି ନେପାଳର ସାଧାରଣ ଜନଗଣ ହିଁ ନିଜ ଦେଶରେ ସବୁକିଛିର ନିଷ୍ପତ୍ତି କରିବେ । ସେମାନେ ନିଜ ଭୂମିରେ ସେମାନଙ୍କର ସମବେତ ଇଚ୍ଛାଗୁଡ଼ିକୁ ରାଜା ବୋଲି ମାନିବେ ଏବଂ ସେହି ଅନୁସାରେ ଦେଶଟିକୁ ଗଠନ କରିବେ । ସେଦିନ ରାଜା ମଧ୍ୟ କେବଳ ରାଜା ବୋଲାଇବାର କଳଙ୍କରୁ ମୁକ୍ତ ହେବ ଏବଂ ନାଗରିକର ସେହି ସ୍ଵତନ୍ତ୍ର ସମ୍ମାନବୋଧଟିକୁ ନିଜ ଭିତରେ ଅନୁଭବ କରିବେ । ତା'ପରେ ଦେଶ ଲୋକମାନଙ୍କର ଇଚ୍ଛାରେ ଚାଲିବ । ଉତ୍କଟ ଦାରିଦ୍ର୍ୟ ହେତୁ ନେପାଳର ମଣିଷଙ୍କୁ ଆଉ ଭାରତବର୍ଷକୁ ଆସି ମୋଟ ବୋହିବାକୁ ପଡ଼ିବ ନାହିଁ । ଆମେରିକାର ଗଣତନ୍ତ୍ର ଶାସନକୁ ଲକ୍ଷ୍ୟ କରି ସ୍ଵାମୀ ବିବେକାନନ୍ଦ ସେହି ଦେଶର ପ୍ରତ୍ୟେକ ନାଗରିକ ମଧ୍ୟ ଜଣେ ଜଣେ ରାଜା ବୋଲି ସମ୍ବୋଧନ କରି କହିଥିଲେ । ମନୁଷ୍ୟପ୍ରୟାସର ପରବର୍ତ୍ତୀ ନିୟତିଟିକୁ ଆମେ ଏକାଧିକ ଲକ୍ଷଣରୁ ଗଣତନ୍ତ୍ର ବୋଲି ହିଁ କହିବା । ଗଣତନ୍ତ୍ରରେ ନାଗରିକ ରାଜା ହେବ । ରାଜାମାନେ ବି ନାଗରିକ ହେବେ । ଆଉ କେହି ବଡ଼ ବୋଲି ଦିଶିବେ ନାହିଁ, କେହି ଆପଣାକୁ ସାନ ବୋଲି ଭାବିବେ ନାହିଁ ।

 

୮.୧୦.୦୧

☆☆☆

 

କାଶୀପୁରରେ ହାଉହାଉ

 

କାଶୀପୁରରେ ମଣିଷ ମଲେ । ରାଜାମାନେ ଧାଇଁ ଆସିଲେ । ଭାରତବର୍ଷରେ ଆମ ଖବରକାଗଜମାନେ କହି ଜାଣିବା ପରେ ଆମ ଦେଶର ସାଧାରଣ ଜୀବନ ଭିତରେ ଇଏ ଗୋଟାଏ ନୂଆ ପର୍ଯ୍ୟାୟ ଆସି ପ୍ରବେଶ କରିଥିବା ପରି ମନେହେଉଛି । ଦେଶର ପାରମ୍ପରିକ ଅର୍ଥାତ୍ ଶାସ୍ତ୍ରୀୟ ବିଶ୍ଵାସଗୁଡ଼ାକ ଅନୁସାରେ ଯାହା ଭାଗ୍ୟରେ ଶାସକ ହେବାର ବରାଦ ଥାଏ, ସେଇ ଶାସକ ହୁଏ । ଏ କଥା କୁଆଡ଼େ ତା ହାତରେ ରେଖାଗୁଡ଼ାକୁ ଦେଖି ମଧ୍ୟ ଜାଣି ହୋଇଯାଏ । ଭାଗ୍ୟରେ ଥିଲେ ଥୋକେ ମଣିଷ ହାକିମ ହୁଅନ୍ତି, ନେତା ହୁଅନ୍ତି–'ମୁଠା ମୁଠା ପଇସା ଉପାର୍ଜନ କରନ୍ତି । ସେମାନଙ୍କୁ ଆମ ଗାଆଁରେ କପାଳିଆ ବୋଲି କୁହାଯାଏ । ଏବଂ, କାଶୀପୁରରେ ଯେଉଁ ମଣିଷମାନେ ନିତାନ୍ତ ଅମଣିଷଙ୍କ ସଦୃଶ ବେଳେବେଳେ ମରିବାକୁ ଆରମ୍ଭ କରନ୍ତି, ସେଇଟା ମଧ୍ୟ କ’ଣ ସେମାନଙ୍କର କପାଳରେ ଲେଖା ହୋଇଥାଏ ? କିଏ କହେ ସେମାନେ ଅନାହାରରେ ମଲେ, କିଏ କହେ ଅଖାଦ୍ୟ ଖାଇ ମଲେ । ଭାଗ୍ୟବାନମାନଙ୍କର ଖୁଆଡ଼ଟା ଭିତରେ ଏଗୁଡ଼ିକୁ ନେଇ ଘନଘନ ଆଲୋଚନା ହେଉଥାଏ । ଭାଗ୍ୟବାନମାନଙ୍କୁ ଭଗବାନ ହୁଏତ ଆବଶ୍ୟକତାଠାରୁ ଅଧିକ ବୁଦ୍ଧି ଦେଇଥାଆନ୍ତି । ଭାଗ୍ୟବାନମାନେ ସଚରାଚର ଅଧିକ ପାଠ ପଢ଼ିଥାଆନ୍ତି । ଭାଗ୍ୟବାନମାନେ କାଶୀପୁରିଆଙ୍କ ପରି ମରନ୍ତି ନାହିଁ । କାଶୀପୁରିଆ ଏଭଳି ଭାବରେ କାହିଁକି ପୁଳାପୁଳା କରି ମଲେ, ତାହାର କାରଣଗୁଡ଼ିକୁ ଧୀରଥିର ଭାବରେ ଖୋଳି ତାଡ଼ି ଫାନ୍ଦି ଫିକର କରି ବାହାର କରିବେ ବୋଲି ସତେଅବା ଏକ ବିଶେଷ ଥାଟରେ ମଉରସୀ ମର୍ଯ୍ୟାଦା ନେଇ ଆମ ସଂସାରକୁ ଆସିଥାଆନ୍ତି । ଆମ ସଂସାରକୁ ଚଳାଉଥାଆନ୍ତି । ଭାରତବର୍ଷରେ ଭାରତଜନନୀଙ୍କର ଏହି କୋଡ଼ପୋଛା ଗଣତନ୍ତ୍ରଟିକୁ ମଧ୍ୟ ସେହିମାନେ ଚଳାଉଛନ୍ତି । ସେମାନେ କାଶୀପୁରକୁ ଭୁବନେଶ୍ୱରରୁ ଚଳାଉଛନ୍ତି ।

 

କାଶୀପୁରରେ ଠକ୍ ଠାକ୍ ମଣିଷଗୁଡ଼ାକ ମରିଯିବା ବିଷୟଟା ଯେତେବେଳେ ଖବରକାଗଜ ପର୍ଯ୍ୟନ୍ତ ଯାଇ ପହଞ୍ଚିଗଲା, ସେତେବେଳେ ଏଣେ ସମସ୍ତେ ଧଡ଼ପଡ଼ ହୋଇ ଉଠିଗଲେ । ପଣସପଦା ଗାଆଁରେ ଏତେମାନ ମଣିଷ କାହିଁକି ମଲେ, ଖାସ୍ ସେହି ଗାଆଁରେ ମଧ୍ୟ ହୁଏତ ସେତିକି ଆଲୋଡ଼ନ ଆଦୌ ସୃଷ୍ଟି ହୋଇ ନଥିବ । ସ୍ଵାଧୀନତା-ସଂଗ୍ରାମ ବେଳର ଜଣେ କବିଙ୍କ ଭାଷାରେ କହିଲେ ପ୍ରାୟ ଏକ ସଂସ୍କାରଗତ ଅଭ୍ୟାସରେ ପଡ଼ି କଷଣ ସହିବାକୁ କରମ ଏବଂ ମରଣକୁ ମଇତ୍ର ବୋଲି ମାନି ନେଇଥିବା ସତକୁସତ ଅଜବ ମଣିଷମାନେ ନିଜ ଗାଆଁରେ କେତେଗୁଡ଼ାଏ ମଣିଷ ମରିଗଲେ ବୋଲି ଆଦୌ କୌଣସି ଅଶ୍ଵସ୍ତି କାହିଁକି ଅବା ଅନୁଭବ କରିବେ-? ମାତ୍ର ରାଜଧାନୀରେ ଅର୍ଥାତ୍ ରଜାମାନଙ୍କ ନଅରରେ ଘୋର ହୁଲସ୍ତୁଲ ପଡ଼ିଗଲା-। ଏହି ମଣିଷମାନେ କ’ଣ ପାଇଁ ମଲେ ? ବିଷାକ୍ତ ଆମ୍ବକୋଇଲି ଖାଇ ମଲେ । ସାପଛତୁ ଖାଇଲେ-। ୟାଡୁସାଡୁ କନ୍ଦାଗୁଡ଼ାକୁ ଖାଇଗଲେ । ସେମାନେ ଅନାହାରରେ ମଲେ ବୋଲି ପରିପନ୍ଥୀମାନେ ଯାହା କହୁଛନ୍ତି, ତାହା କଦାପି ସତ୍ୟ ନୁହେଁ ବୋଲି ସରକାରୀ ପଣ୍ଡିତମାନେ ପ୍ରଚକ୍ଷୁ ପିନ୍ଧା ବିଜ୍ଞାନବୁଦ୍ଧି ପ୍ରୟୋଗ କରି କହିଲେ । ଆମ ଆମ ଭିତରର ବିସମ୍ବାଦଟା ଦୂର ହସ୍ତିନାପୁର ଯାଏ ବି ଚାଲିଗଲା । ଲୋକମାନେ ଅମିତ ଗାମ୍ଭୀର୍ଯ୍ୟ ଓ ଅସରନ୍ତି ଗଉଁ ସହିତ ନିଷ୍ଠାଘନ ଆଲୋଚନାମାନ କଲେ । କାଶୀପୁରର କପାଳ ସେଭଳି ଉଚ୍ଚ ଥିଲା ବୋଲି ସିନା ଏସବୁ ସମ୍ଭବ ହେଲା-। ପ୍ରାୟ ସରଜମିନ ତଦନ୍ତଦ୍ୱାରା ନିରାଟ ଘଟଣାତଥ୍ୟଟାକୁ ବାହାର କରିବା ନିମନ୍ତେ ହାକିମ ପଲ ଧାଇଁବାକୁ ଆରମ୍ଭ କଲେ । ଭୁବନେଶ୍ୱରରୁ ଏକାଧିକ ମନ୍ତ୍ରୀ ଯାଇ ସେଠାରେ ପହଞ୍ଚିଗଲେ-। ଦିଲ୍ଲୀରୁ ମଧ୍ୟ ମନ୍ତ୍ରୀ ଆସିଲେ । ସମସ୍ତେ ସତେଅବା ଗୋଟିଏ ବିବେକଦ୍ୱାରା ପରିଚାଳିତ ହୋଇ ବିଷାକ୍ତ ଖାଦ୍ୟ ଖାଇ ମୃତ୍ୟୁଗୁଡ଼ାକ ଅବଶ୍ୟ ହୋଇଛି ବୋଲି କହିଲେ । ମାତ୍ର ବିହିର ବିଡ଼ମ୍ବନାଟା ଏଭଳି ଯେ, ମୃତ୍ୟୁ କାଶୀପୁରରେ ହିଁ କିଳି ହୋଇ ରହିଗଲା ନାହିଁ । ଗଜପତି, ନବରଂଗପୁର ପ୍ରଭୃତି ଆହୁରି କେତେକେତେ ଜିଲ୍ଲାକୁ ନ୍ୟାୟତଃ ଖେଦିଗଲା ।

 

ପ୍ରାୟ ପୁରୁଷକ ତଳେ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ କାଶୀପୁର ଆସିଥିଲେ । ରାଜ୍ୟର ସରକାରୀ ମହାକଳଟା ତାଙ୍କର ଏହି ଗସ୍ତକ୍ରମରେ ପୂର୍ଣ୍ଣ ସରବରାକାରୀ କରିଥିଲା ଏବଂ ପ୍ରଧାନମନ୍ତ୍ରୀଙ୍କ ଯେପରି ଏହି ପାରିଧି ସମୟରେ ଅନାବଶ୍ୟକ ଭାବରେ କୌଣସି କଷ୍ଟ କରିବାକୁ ନ ପଡ଼ିବ, ସେଥିପାଇଁ ଏହି ରାଜ୍ୟର କୁଜି ହିରଣ୍ୟକମାନେ ବ୍ୟକ୍ତିଗତ ଯାବତୀୟ ବୁଦ୍ଧିକୁ ଖର୍ଚ୍ଚ କରି ଗୋଟିଏ ଗସ୍ତକ୍ରମ ଠିକ୍ କରିଥିଲେ । ମାନ୍ୟବର ଗାନ୍ଧୀ କୋଉ ବାଟେ ଯିବେ ଏବଂ କୋଉବାଟେ ନ ଯିବେ, କୋଉ ମଣିଷମାନଙ୍କ ସହିତ କଥା ହେବେ ଓ ଆଉ କୋଉମାନଙ୍କ ସହିତ କଥା ନ ହେବେ, ସେ ସବୁ କଥା ଖୁବ୍ ନିପୁଣତାର ସହିତ ଆବଶ୍ୟକ ଗାର ଓ ବାଡ଼ଗୁଡ଼ିକୁ ପକାଇ ନିଶ୍ଚିତ କରାଯାଇଥିଲା । ଏହି କ୍ଷେତ୍ରରେ ଯେପରି ଆଦୌ ଖିଲାପ ନ ହୁଏ ଓ କୌଣସି ଅପ୍ରୀତିକର ସ୍ଥିତିର ସମ୍ମୁଖୀନ ହେବାକୁ ନ ହୁଏ, ସେଥିଲାଗି ମଙ୍ଗରାଜଙ୍କ ପାଖେ ପାଖେ ସ୍ଵୟଂ ବଡ଼ଘରିଆଣୀ ନିରତ ମହଜୁଦ ରହିଥିଲେ । ପ୍ରଧାନମନ୍ତ୍ରୀ ଓଡ଼ିଆ ଜାଣନ୍ତି ନାହିଁ ଓ ଲୋକେ ଓଡ଼ିଆରେ ହିଁ ନିଜର ଗୁହାରି ଜଣାଇ ପାରିବେ, ତେଣୁ ଲୋକଙ୍କ କଥାକୁ ଫଟଫାଟ୍ ତର୍ଜମା କରି କହିଦେବାକୁ ମଧ୍ୟ ସେହି ବଡ଼ ଠାକୁରାଣୀ ନିଜର ସର୍ବପ୍ରଥମ କର୍ତ୍ତବ୍ୟ ବୋଲି ଗ୍ରହଣ କରିଥିଲେ । ଅନୁବାଦର କାର୍ଯ୍ୟଟି ଅତ୍ୟନ୍ତ ସର୍ଜନାତ୍ମକ ଭାବରେ ଅବଶ୍ୟ ହେବା ଅତ୍ୟାବଶ୍ୟକ ଥିଲା ଏବଂ ନିଖୁଣ ଭାବରେ ତାହା ହିଁ ହେଲା । ଅନୁବାଦକର୍ତ୍ତା ଥରେ ଅଧେ ଧରା ବି ପଡ଼ି ଯାଇଥିଲେ । ଅବଶ୍ୟ ସେଥିରେ ବିବ୍ରତ ହେବାର ବି କୌଣସି କାରଣ ନଥିଲା । ରାଜୀବ ଗାନ୍ଧୀ ଦିଲ୍ଲୀ ଯାଇ କାଶୀପୁର ପାଇଁ ଟଙ୍କା କରଜ ଆଣିଲେ ଏବଂ ସେହି ଟଙ୍କାକୁ ପୂରା ସରକାରୀ ଧାରାରେ ଖରଚ କରାଯିବାର ଯୋଜନା ହେଲା । ତଥାପି କାଶୀପୁର ଅଲକ୍ଷଣା ହୋଇ ରହିଗଲା । ଅନାହାରଟା ତଥାପି କାଶୀପୁରକୁ ଛାଡ଼ିଲା ନାହିଁ । ଏ ବୁଦ୍ଧିଆମାନେ ଯେ ପର୍ଯ୍ୟନ୍ତ ସବା ମୂଳରେ ରହି କଳମାନଙ୍କୁ ମୋଡ଼ୁଥିବେ ଏବଂ ଯେପର୍ଯ୍ୟନ୍ତ ଏହି ରାଜନୀତି ତଥା ଶାସନ ଗୋଧିମାନଙ୍କ ହାତରେ ରହିଥିବ, ସେ ପର୍ଯ୍ୟନ୍ତ ଅନାହାର ଲାଗି ରହିଥିବ-। କେବଳ ଗୋଟାଏ ଜାଗା କାଶୀପୁରରେ ନୁହେଁ, ଦେଶନାମକ ଏହି ସମ୍ପୂର୍ଣ୍ଣ ପଡ଼ିଆଟିରେ ତାମସା ଲାଗି ରହିଥିବ, ଏବଂ ଅନାହାରରେ ମଣିଷ ମରୁଥିବେ, ତଥାପି ବୁଦ୍ଧିମାନମାନଙ୍କର ବୁଦ୍ଧିଟା କଦାପି ହଟିଯାଉନଥିବ ।

 

ଆମ୍ବ କୋଇଲିର ଭାଗ୍ୟ ଭଲ, ଏଥର ଆମ ସହରର ବିଜ୍ଞାନାଗାରମାନଙ୍କରେ ତାହାର ପଟାଏ ପଟାଏ ଗବେଷଣା ହୋଇଗଲା । ଆମ ଦେଶର ଗବେଷଣାଗାରଗୁଡ଼ିକ ମଧ୍ୟ କେଉଁ ରାଘବ ମତ୍ସ୍ୟମାନଙ୍କର ପ୍ରୀତ୍ୟର୍ଥେ ଏମିତି ଭାବରେ ତିଆରି ହୋଇ ରହିଛନ୍ତି ଯେ, ସେଗୁଡ଼ିକରେ ମଣିଷମାନଙ୍କ ତୁଳନାରେ ଆମ୍ବକୋଇଲିକୁ ଅଧିକ ଏକାଗ୍ରତାର ସହିତ ଦେଖିହୁଏ । ଜୀବନରେ ଥରେହେଲେ ଆମ୍ବକୋଇଲି ଖାଇ ନଥିବା ପଣ୍ଡିତମାନେ ଆମ୍ବକୋଇଲିକୁ ଏକ ପୁଷ୍ଟିକାରକ ଖାଦ୍ୟଦ୍ରବ୍ୟ ବୋଲି ବଖାଣି ବାଢ଼ିଦେଲେ; ଆମ୍ବକୋଇଲି ଭିତରେ ଏତେ ଭାଗ ଶ୍ଵେତସାର, ଏତେ ପ୍ରୋଟିନ୍ ଓ ଏତେ ସ୍ନେହସାର ସହିତ ଆହୁରି କେତେ କ’ଣ ରହିଛି ବୋଲି ସେମାନେ ଆମ ଆଗରେ ଘୋଷଣା କରିଦେଲେ ଏବଂ ଆମକୁ ଅବାକ୍ କଲେ । ଆମ୍ବକୋଇଲି ଭିତରେ ଏତେ ଗୁଣ ଥାଉଥାଉ ଆମଭଳି ଭଲ ମଣିଷମାନେ କାହିଁକି ତାହାକୁ ଆଜିଯାଏ ଖାଇବାକୁ ମନ କରିନାହୁଁ ଏବଂ ଭିତରେ ତଥା ବାହାରେ ପୂରା ଅନ୍ଧାର ହୋଇ ରହିଥିବା ଆଦିବାସୀଟା କାହିଁକି ବା କିପରି ତାହାକୁ ଫି ବର୍ଷ ବର୍ଷାମାସ ପ୍ରାୟ ଏକ ଦୈବଆଜ୍ଞା ପାଇଥିବା ପରି ଜାଉ କରି ଖାଇବାରେ ଲାଗିଛି, ଆମ ବିଜ୍ଞାନୀ ବିନ୍ଧାଣିମାନେ କାହିଁକି ସେହି ବିଷୟରେ ନିଜ ପ୍ରୟୋଗଶାଳାଗୁଡ଼ିକୁ ସେହି ପ୍ରଶ୍ନଟି ପଚାରି ପାରିଲେ ନାହିଁ କେଜାଣି ? ଆମ ଦେଶରେ ଗୋଟାଏ ହୃଦୟହୀନ କାଳର ବରାଦରେ ବିଜ୍ଞାନଶାଳାର ମାନ ଓ ମାପଗୁଡ଼ାକ ଏପରି ଇଚ୍ଛାକୃତ ଚକ୍ରତାଗୁଡ଼ିକର ଚକ୍ରାନ୍ତରେ ପଡ଼ି ମଣିଷକୁ ଏଡ଼ି ଦେଇ ଆମ୍ବକୋଇଲିର ଗୁମରକୁ ବାହାର କରିବାରେ ଏଭଳି ଆଗ୍ରହ ଦେଖାଉଛି ଅଥବା କେଉଁ ପାମରବିଦ୍ୟାର କବଳରେ ପଡ଼ି ଏହି କୋବିଦମାନେ ମଣିଷମାନଙ୍କଠାରୁ ସର୍ବଦା ଏକ ନିରାପଦ ଦୂରତାକୁ ରକ୍ଷା କରି ଆମ୍ବକୋଇଲି ତଥା ତତ୍ତୁଲ୍ୟ ଗବେଷଣାମାନଙ୍କରେ ବାତୁଳ ହୋଇ ରହିଯିବେ ବୋଲି ସ୍ଥିର କରିଛନ୍ତି । କାଶୀପୁରକୁ ନେଇ କେତେ ହଟ୍ଟଗୋଳ ହୋଇଗଲା । ହଟ୍ଟଗୋଳ ଆହୁରି ହେବ । ରାଜଧାନୀରୁ ସଚିବ ଧାଇଁ ଆସିଲେ, ମନ୍ତ୍ରୀମାନେ ଧାଇଁଲେ, ଦିଲ୍ଲୀରୁ ମଧ୍ୟ ମନ୍ତ୍ରୀ ଧାଇଁ ଆସିଲେ । ଦେଖିଲେ ଓ ଖବରକାଗଜରେ ବିବୃତି ଦେଲେ । ସେମାନେ କେଉଁଭଳି ବିବୃତିଟିଏ ଦେବେ, ସତେ ଯେପରି ଘରୁ ଅନୁକୂଳ କରି ବାହାରିବା ବେଳରୁ ହିଁ ସେ କଥା ସ୍ଥିର ହୋଇ ଯାଇଥିଲା । ଏମାନେ କେଉଁ ଗାଆଁର କେଉଁ ଘରମାନଙ୍କୁ ଯିବେ, ସେକଥା ହୁଏତ ବିଭାଗୀୟ ଅବରମାନଙ୍କ ଦ୍ୱାରା ଥିର ହୋଇ ରହିଥିଲା । ସେହିସବୁ ଘରେ ସରକାରୀ ଚାଉଳ ବି ମହଜୁଦ କରି ରଖାଯାଇଥିବ । ଘରେ ଚାଉଳ ଥିଲା, ତଥାପି ଘରର ଲୋକେ ଆମ୍ବକୋଇଲି ଖାଇବାକୁ ମନ କଲେ ଏବଂ ଆମ୍ବକୋଇଲି ବିଷାକ୍ତ ହୋଇଥିବା ହେତୁ ମୃତ୍ୟୁମୁଖରେ ପଡ଼ିଲେ,–ଏତିକି ପ୍ରମାଣ କରି ଦର୍ଶାଇ ଦେବା ନିମନ୍ତେ ଯେତିକି ଜାଲ ବିଛାଇ ରଖାଯିବା ଦରକାର, ସେତିକି ହାସଲ କରିପାରିବା ସକାଶେ ପାଠ ପଢ଼ିଥିବା ସରକାରଙ୍କୁ ଆଦୌ ଗୁଡ଼ାଏ ବୁଦ୍ଧି ଖରଚ କରିବାକୁ ପଡ଼ୁନଥିବ । ମନ୍ତ୍ରୀମାନେ ପ୍ରଶ୍ନ ପଚାରିଲେ କେଉଁଭଳି ଉତ୍ତର ଦେବାକୁ ହେବ, ସେଇଟିକୁ ବି ଖୁବ୍ ସମ୍ଭବ କିଞ୍ଚିତ୍‍ ହାତଗୁଞ୍ଜା ଦେଇ ଶିଖାଇ ଦିଆଯାଇଥିବ । ସଚିବ ଓ ମନ୍ତ୍ରୀମାନେ ମଧ୍ୟ ଆଗରୁ ବରାଦ ହୋଇଥିବା ପ୍ଲଟଟି ଅନୁସାରେ ପକ୍କାମତେ ମଣ ହୋଇଥିବେ । ଏହିଭଳି ଗୋଟିଏ ବୁଦ୍ଧିମାନ ଚକ୍ରାନ୍ତ ମଧ୍ୟରେ ଆମ ଦେଶର ପ୍ରବର ଉପରମାନେ ଯାବତୀୟ ମାହାଲଟାକୁ ହୁକ ପକାଇ ରଖି ପାରିଛନ୍ତି ବୋଲି ଶାସନ ନାମକ ଭାନୁମତୀ ଯାତ୍ରାଟା ଏଠି ସମ୍ଭବ ହୋଇପାରୁଛି । ଅଳପ ମଣିଷ ଜ୍ଞାନର ପାଞ୍ଚଣ ମାରି କୋଟି କୋଟି ଅଜ୍ଞାନଙ୍କୁ ମଣ କରି ରଖିପାରିଛନ୍ତି ଓ ଭଗାରିମାନେ ସରକାର ହୋଇ ଅସୁମାରି ମଣିଷଙ୍କର ଚୁଟି ଧରିଛନ୍ତି । ଏପରି ଏକ ଭାଷାରେ ଶାସନର ଚଉପାଢ଼ିମାନେ ଚାଲିଛନ୍ତି ଯେ, ତଳ ପାଇଁ କିଛି ମାଗଣା ଚାଉଳ ଯୋଗାଡ଼ କରିଦେଇ ଉପରେ ସୁଆଙ୍ଗୀମାନେ ଛଦ୍ରମ କରିବାରେ ଲାଗିଛନ୍ତି । ପୁରୁଷ ପୁରୁଷ ଧରି ବହୁ ମନୁଷ୍ୟ ଆମ୍ବକୋଇଲି ଖାଇ କ୍ଷୁଧାର ଜ୍ୱାଳାକୁ ହଜମ କରୁଛନ୍ତି । ଅଳପ ମଣିଷ ଶାସନ କରୁଛନ୍ତି, ଖାସ୍ ସେହିମାନଙ୍କ ନିମନ୍ତେ ରାଜନୀତି ନିରନ୍ତର ସରଗରମ ହୋଇରହିଛି, ସେମାନଙ୍କର ହୃଦୟରଞ୍ଜନ ନିମନ୍ତେ ସାହିତ୍ୟ ଓ ସଂସ୍କୃତିକୁ ସାଲୁବାଲୁ କରି ରଖାଯାଇଛି । ଖଟିବା ମଣିଷ ମହାଭୁରୁଡ଼ ଭିତରେ ମାଡ଼ ଖାଇ ଯାଉଛି । ବାତ୍ୟା, ବନ୍ୟା, ମରୁଡ଼ି ଗୋଟାକ ପରେ ଗୋଟାଏ ଆସି ହାବୁଡ଼ି ଯାଉଛନ୍ତି–ବାଘମାନେ ତ୍ରାଣସାମଗ୍ରୀ ଧରି ପହଞ୍ଚି ଯାଉଛନ୍ତି । ଏହି ଦେଶରେ ମିହନ୍ତ କରୁଥିବା ମଣିଷମାନଙ୍କୁ, ସାଧୁ ଏବଂ ମାଟି ଭିତରକୁ ଅସଲ ଚେରଗୁଡ଼ିକୁ ଭେଦାଇ ଯୁଗଯୁଗ ଧରି ବଞ୍ଚି ଆସିଥିବା ସାଧାରଣମାନଙ୍କୁ ହିଁ ଉପେକ୍ଷା କରାଯାଉଛି । ନିପଟ ଅନ୍ଧାରମାନେ ହିଁ ଏଠି ବେଶି ଚକଚକ ଦେଖାଯାଉଛନ୍ତି । ବେଳେବେଳେ ଧରାପଡ଼ିଯାଇ ଯାହା ଦଶଦିଗକୁ ଅବାକ୍ କରି ଦେଉଛନ୍ତି । ମାତ୍ର ସେତିକି ।

 

ଅନାହାରରେ ମରୁଥିବା ମଣିଷମାନେ ଅନାହାରରେ ମରିବାଦ୍ୱାରା ମଧ୍ୟ ପ୍ରତିବାଦ ବ୍ୟକ୍ତ କରୁଛନ୍ତି । ଅନାହାରରେ ମରିଯିବା ଭଳି ଅବସ୍ଥାମାନ ଦେଶସାର ଓ ରାଜ୍ୟସାରା ଘୋଟି ରହିଥିବା ପର୍ଯ୍ୟନ୍ତ ଦେଶ ସତକୁସତ ଗଢ଼ି ହୋଇଗଲା ବୋଲି ଯେ କଦାପି କହି ହେବ ନାହିଁ, ସେମାନଙ୍କର ପ୍ରତିବାଦ ଉପରିସ୍ଥ ଅଲକ୍ଷଣାମାନଙ୍କୁ ଚୁନୌତି ଦେଇ ତାହା ହିଁ ଘୋଷଣା କରୁଛି । ଧୋବ ଜକଜକ ହୋଇ ବସିଥିବା ହେ ଚତୁରମାନେ, ତୁମେମାନେ ସେମାନଙ୍କୁ ଟିପେ କିମ୍ବା ବକଟେ ଦୟା ପ୍ରଦର୍ଶନ କରି କଦାପି ପଳାଇଯାଇ ପାରିବ ନାହିଁ । ଏ ବାଟରେ ତୁମକୁ କେବେହେଲେ ନିସ୍ତାର ମିଳିବ ନାହିଁ-। ନିଜର ଜଠରଟାକୁ ଭର୍ତ୍ତି କରି ରଖିବାରେ ଏହି ଦେଶର ଶାସନ, ସାଧନ ଏବଂ ସର୍ବବିଧ ସୁଯୋଗକୁ ମାଡ଼ି ବସିଥିବା ଆପଣମାନଙ୍କ ନା ନିଜ ପ୍ରତି ଅଥବା ନିଜର ପରିପାର୍ଶ୍ଵଟି ପ୍ରତି ଆଦୌ କୌଣସି ପ୍ରକାରେ ଅସାଧୁ ନ ହୋଇ ନିଜର ମିହନ୍ତ ଦେଇ ଆମ ସାମୂହିକ ନିୟତିର ସବା ତଳ ଚକଗୁଡ଼ିକୁ ଯୁଗଯୁଗ ଧରି ଚାଲୁ ରଖି ଆସିବାଟା କୋଟି କୋଟି ଇମାନଦାର ମଣିଷଙ୍କର ଏହି ଦେଶରେ ସବାଆଗ ପ୍ରକୃତରେ କେତେ ଅଧିକାର ରହିଛି ? ଆପଣମାନେ ଭାରି ଭୁଲ୍ କଲେ ଯେ, ଏହି ଭୂମିଟି ପାଇଁ ଗଣତନ୍ତ୍ରକୁ ହିଁ ସକଳ ସମ୍ବନ୍ଧର ସର୍ବମୂଳ ଧର୍ମ ବୋଲି ଘୋଷଣା କରିଦେଲେ-। ଗଣତନ୍ତ୍ରର ଅର୍ଥ ଏପରି ଗୋଟିଏ ବିଶେଷ ଦୀକ୍ଷାଗ୍ରହଣ କରିଥିବା ଘର ଯେଉଁଥିରେ ସମସ୍ତଙ୍କର ଭାଗ ରହିଥିବ, ଯେଉଁ ଘରେ ସମସ୍ତଙ୍କ ସକାଶେ ଅଲବତ ଥାନ ବି ରହିଥିବ । ଭାରତବର୍ଷର ମାନଚିତ୍ରରେ କାଶୀପୁରର ସ୍ଥାନ ଯେତେବେଳେ ରହିଛି, ଏହି ଦେଶର ସକଳ ବିଚାର ତଥା ବ୍ୟବସ୍ଥାରେ କାଶୀପୁରବାସୀଙ୍କ ନିମନ୍ତେ ସେହିପରି ଅଲବତ ସ୍ଥାନ ରହିବ । ତେଣୁ ସେଠାରେ ମଣିଷକୁ ମୃତ୍ୟୁଆଡ଼କୁ ନେଇ ଯାଉଥିବା ଅନାହାର ଏବଂ ଦାରିଦ୍ର୍ୟ ହେଉଛି ଆମ ସମସ୍ତଙ୍କର ଲଜ୍ଜା-। ଆମେ ଏଥିରୁ କେବେହେଲେ ଫାଙ୍କି ଦେଇ ପଳାଇ ପାରିବା ନାହିଁ । ଚାଉଳ ମହଜୁଦ ଥାଇ ସେଠାରେ ମଣିଷମାନେ ସଉକରେ ପାରମ୍ପରିକ ଅଭ୍ୟାସବଶତଃ ଆମ୍ବକୋଇଲି ଖାଇଲେ ଓ ତାହା ବିଷାକ୍ତ ହୋଇଥିବାରୁ ମୃତ୍ୟୁକୁ ବରଣ କଲେ ବୋଲି ଆମେ କଦାପି କହି ପାରିବା ନାହିଁ । ବିଗତ ଅଧଶହ ବର୍ଷ କାଳ ସେହି ଫିସାଦଟା ହିଁ ଆମକୁ ଭାରି ଦୁରାତ୍ମା କରି ପକାଇଛି । ତେଣୁ ଦେଶର ବିଦ୍ୟା, ସମ୍ପଦ ଏବଂ ବିବେକମାନେ ଅଧିକାଂଶ ବାଟମାରଣା ହୋଇଛନ୍ତି । ଏଣିକି କାଶୀପୁର ପ୍ରତିବାଦ କରିବ, କ୍ରମେ ଅଧିକରୁ ଅଧିକ ପ୍ରତିବାଦ କରିବ । ତୁମକୁ ଧରା ପକାଇଦେବ ଏବଂ ନୂଆ ବିବେକର ଦାବି କରି ତୁମ କଚେରିମାନଙ୍କ ନିଦ୍ରା ଭଂଗ କରିବା ଲାଗି ଆସି ପହଞ୍ଚି ଯିବ-। ଏଣିକି ସିଏ ଆପଣାର ଅସଲ ପ୍ରତିନିଧିମାନଙ୍କୁ ରାଜଧାନୀରେ ପୂରା ବଡ଼ ପାଟିରେ ନିଜର କଥାଗୁଡ଼ାକୁ କହିବା ପାଇଁ ପଠାଇବ । ତୁମକୁ ଅକଲ ଶିଖାଇବ । ତୁମେ ସେମାନଙ୍କୁ ଆଉ ବନ୍ଧୁକ ଦେଖାଇ ମୋଟେ ରୋକି ପାରିବ ନାହିଁ । ତୁମେ ବାବୁ ପାରିଲ ନାହିଁ ବୋଲି ଯେ ତସ୍ମର ହେଲ ସେକଥା ସିଏ ଖୁବ୍ ବୁଝିପାରିଲାଣି । ମିଛୁଆଙ୍କ ଯୁଗ ଚାଲିଯାଉଛି, ସତ୍ୟର ସେହି ଅନ୍ୟ ସନ୍ଦେଶଟିର ବେଳ ଆସି ପହଞ୍ଚିଲାଣି ।

 

୧୫.୧୦.୦୧

☆☆☆

 

ମୌଳିକ ଶିକ୍ଷା ରହିଥାଆନ୍ତା

 

୧୯୩୭ ମସିହାରେ ଦେଶରେ ବହୁବିଧ ଗାର ଭିତରେ ଯେଉଁ ପ୍ରଥମ ନିର୍ବାଚନ ହୋଇଥିଲା, ସେଥିରେ ସାବାଳକମାତ୍ରେ ସମସ୍ତଙ୍କୁ ଭୋଟ ଦେବାର ଅଧିକାର ମିଳିନଥିଲା । ବ୍ରିଟିଶ ସରକାର ଖୁବ୍ ଟାଣ ହୋଇ ଭାରତର ଶାସନ କରୁଥିଲେ । ତଥାପି ଦେଶର ଅଧିକ ସଂଖ୍ୟକ ପ୍ରଦେଶରେ ଭାରତୀୟ ଜାତୀୟ କଂଗ୍ରେସ ବହୁମତ ଲାଭ କଲା । ଓଡ଼ିଶା ସେହି ଧାଡ଼ିରେ ଥିବାରୁ ଏଠାରେ ବି କଂଗ୍ରେସ ମନ୍ତ୍ରିମଣ୍ଡଳ ଗଠନ କରିଥିଲେ । ସେତେବେଳେ ମହାତ୍ମା ଗାନ୍ଧୀ ପ୍ରଥମ କରି ମୌଳିକ ଶିକ୍ଷା ବିଷୟରେ ନିଜ ବିଚାରଗୁଡ଼ିକୁ ପ୍ରକଟ କରିଥାନ୍ତି । ଜାକିର ହୁସେନ କମିଟି ନିଜ ରିପୋର୍ଟ ବାହାର କରିଥାଏ । ଶ୍ରୀ ଗୋପବନ୍ଧୁ ଚୌଧୁରୀ ସେତେବେଳେ ଓଡ଼ିଶା କଂଗ୍ରେସ ଭିତରେ ଜଣେ ସବା ଉପରଧାଡ଼ିର ପ୍ରବର ବ୍ୟକ୍ତି । ନୂଆ ସରକାର ମୌଳିକ ଶିକ୍ଷାର ଏକ ପ୍ରୟୋଗ ଆରମ୍ଭ କରିବେ ବୋଲି ଠିକ୍ କଲେ । ଶିକ୍ଷା ବିଭାଗର କର୍ମକର୍ତ୍ତାଙ୍କ ମଧ୍ୟରୁ କେତେଜଣ ସ୍ୱେଚ୍ଛାସେବୀ ପରି ବାହାରି ସରକାରଙ୍କଦ୍ୱାରା ତାଲିମ ସକାଶେ ସେବାଗ୍ରାମ ପଠିଆ ହେଲେ ଓ ସେହିମାନଙ୍କୁ କୁମ୍ଭୀର ପରି ବ୍ୟବହାର କରି ବରୀ ଅଞ୍ଚଳରେ ପ୍ରଥମ ଚକଟିଏ ସ୍ଥାପନା କରାଗଲା । ଉତ୍ସାହରେ ସେଠି ଯାହା କିଛି ଆରମ୍ଭ ହେଲା, ସମଗ୍ର ମୋଗଲବନ୍ଦୀ ଏକାଧିକ ସ୍ୱପ୍ନ-ଉନ୍ମାଦନାରେ ତାହାକୁ ଲକ୍ଷ୍ୟ କରି ଦେଖୁଥିଲା । ସେବାଗ୍ରାମ-ଫେରନ୍ତା ସେହି ବ୍ୟକ୍ତିମାନେ ଜଣେ ଜଣେ ଭଗୀରଥ ପରି ଦେଖା ଯାଉଥିଲେ । କିନ୍ତୁ ପୁଣି ସବୁ ବଦଳିଗଲା । ୧୯୩୯ ବେଳକୁ ଦ୍ୱିତୀୟ ମହାଯୁଦ୍ଧରେ କଂଗ୍ରେସ ବ୍ରିଟିଶ ସରକାରଙ୍କୁ ସାହାଯ୍ୟ କରିବ ନାହିଁ ବୋଲି ପ୍ରସ୍ତାବ ଗ୍ରହଣ କଲା ଏବଂ ଓଡ଼ିଶାରେ କଂଗ୍ରେସ ମନ୍ତ୍ରିମଣ୍ଡଳ ସରକାରରୁ ଓହରି ଆସିଲା ।

 

ମୌଳିକ ଶିକ୍ଷାର ପ୍ରୟୋଗରେ ସେହି ପହିଲି ପର୍ଯ୍ୟାୟଟା ସେତିକିରେ ବନ୍ଦ ହୋଇଗଲା । ହଁ, ସେତେବେଳେ ଶ୍ରୀ ନୀଳକଣ୍ଠ ଦାସ ଓ ଶ୍ରୀ ଗୋଦାବରୀଶ ମିଶ୍ର ଇଂରେଜଙ୍କ ଉଆସ ଭିତରେ ଥିଲେ । ମିଶ୍ରେତ ମନ୍ତ୍ରୀ ବି ହୋଇଥିଲେ । ଏହି ଉଭୟେ ଏକଦା ସତ୍ୟବାଦୀ ବନବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ତେଣୁ, ଜାତୀୟ ଶିକ୍ଷାର ମର୍ମଟାକୁ ତ ଅନ୍ତତଃ କିଛି ପରିମାଣରେ ବୁଝି ପାରିଥାନ୍ତେ ଏବଂ ବରୀରେ ଆରମ୍ଭ ହୋଇଥିବା ମୌଳିକ ଶିକ୍ଷାର ପ୍ରୟୋଗଟି ତଥାପି କିଛି ସରକାରୀ ମଦତ ପାଇଁ ବଞ୍ଚି ରହୁ ବୋଲି ଇଚ୍ଛା କରିଥାନ୍ତେ । କିନ୍ତୁ, ସେମାନେ ବା କେତେଦିନ ଇଂରେଜ ଶାସନରେ ଜଣେ ଜଣେ କାରିନ୍ଦା ହୋଇ ରହିପାରିଲେ ? ସରକାରୀ ଛାୟାଟା ହଟିଯିବା ପରେ ସେବାଗ୍ରାମର ତାଲିମପ୍ରାପ୍ତ ବାବୁମାନେ ବି ସୁନାପୁଅ ଭଳି ସରକାରୀଥାନମାନଙ୍କୁ ଫେରି ଯାଇଥିଲେ, କେବଳ ଜଣକ ବ୍ୟତୀତ ।

 

ଶ୍ରୀଯୁକ୍ତ ଶରତଚନ୍ଦ୍ର ମହାରଣା ସରକାରୀ ପଦରୁ ଇସ୍ତଫା ଦେଇ ମୌଳିକ ଶିକ୍ଷା ତରଫରେ ରହିଗଲେ । ପ୍ରାୟ ଏକ ଅନ୍ତର୍ଗତ ବିକ୍ରମ ଏବଂ ପ୍ରତ୍ୟୟ ସହିତ ପ୍ରୟୋଗଟିଏ ରହିଲା । କିନ୍ତୁ ୧୯୪୨ ମସିହାର ଭାରତଛାଡ଼ ଆନ୍ଦୋଳନବେଳେ ସରକାର ସେହି ପୀଠଟି ଉପରେ ଆକ୍ରମଣ କଲେ, ସେଠାରେ ଯେତେ ପୁଞ୍ଜି ଲଗାଇଥିଲେ ଖୋଳି ତାଡ଼ି ନେଇ ଆସିଥିଲେ । ଗୃହଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ । ଅଞ୍ଚଳଟା ଯାକର ଶିକ୍ଷକକୁଳଙ୍କୁ ଜେଲକୁ ନେଇଗଲେ-। ମୌଳିକ ଶିକ୍ଷାର କଳ୍ପିତ ପରିବର୍ତ୍ତନ କହିଲେ କ’ଣ ସବୁର ଚାଲେଞ୍ଜ କରିବାକୁ ଯେ ବୁଝାଏ ତାହାର ପ୍ରାୟ ଜଳଜଳ ଦୃଷ୍ଟାନ୍ତ ମିଳି ଯାଇଥିଲା । ସାରା ଭାରତବର୍ଷର ସ୍ତରରେ ସେବାଗ୍ରାମରେ ସବା ପ୍ରଥମ ଯେଉଁ ଦୁଇଜଣଙ୍କର ତତ୍ତ୍ୱାବଧାନରେ ମୌଳିକ ଶିକ୍ଷା ଚାଲୁଥିଲା, ଭାରତଛାଡ଼ ଆନ୍ଦୋଳନରେ ଗାନ୍ଧିଜୀ ସେମାନଙ୍କୁ କାରାବରଣ ନ କରିବାକୁ ପରାମର୍ଶ ଦେଇଥିଲେ-। ଓଡ଼ିଶାର ସ୍ଥାନୀୟ ପ୍ରୟୋଗକାରୀମାନେ ବି ଯଦି ସେହି ଅନୁସାରେ ବାହାରେ ନିଜ ବ୍ରତଟି ମଧ୍ୟରେ ରହିଥାନ୍ତେ, ତେବେ ଓଡ଼ିଶାରେ ମୌଳିକ ଶିକ୍ଷାର କାହାଣୀଟି ସମ୍ଭବତଃ ଅନ୍ୟପ୍ରକାର ହୋଇଥାନ୍ତା-। ଦେଶ ସ୍ଵାଧୀନ ହେବା ପରେ ମୌଳିକ ଶିକ୍ଷା ପାଇଁ ବୃହତ୍ତର ବହୁ ଆହ୍ୱାନ ଆସି ଉପସ୍ଥିତ ହେବ,–ତେଣୁ ସଂପୃକ୍ତ ଏମାନେ ଆଦୌ ଡିହ ନଛାଡ଼ନ୍ତୁ ଏବଂ ଦୀପଟିକୁ ଜୀଆଇ ରଖିଥାନ୍ତୁ, ମହାତ୍ମା ଗାନ୍ଧୀ ଅବଶ୍ୟ ସେହିଭଳି କିଛି ଚିନ୍ତା କରିବେ ।

 

ଦେଶ ସ୍ଵାଧୀନ ହେଲା । କଂଗ୍ରେସବାଲା ଗାଦୀକୁ ଆସିଲେ । ମୋଟା ମୋଟା ଯୋଜନା, ଠୋଲା ଠୋଲା ସ୍ଵପ୍ନ ଏବଂ ନେତାମାନଙ୍କର ଉତ୍ସାହଗୁଡ଼ାକ ସତେଅବା ଗୋଟାଏ ଗୋଟାଏ ଥନ୍ତଲପେଟ ବାହାର କରି ଦେଶବାସୀଙ୍କୁ ସବୁକିଛି ଆମେ ଆଖି ପିଛୁଳାକେ କରିଦେବୁ ଏବଂ ତେଣୁ ତୁମେମାନେ ମୋଟେ କିଛିହେଲେ ଚିନ୍ତା କରନାହିଁ ବୋଲି ଗଦ ଶୁଂଘାଇବାରେ ଲାଗିଗଲେ । ବର୍ତ୍ତମାନ ପଛକୁ ଅନାଇ ସ୍ପଷ୍ଟ କହିଦେଇ ହେବ ଯେ ଏଭଳି କରିବାଦ୍ୱାରା ସେମାନେ ଲୋକୋଦ୍ୟମ ତଥା ଲୋକଶକ୍ତିର ବହୁ ସମ୍ଭାବନାକୁ ଖାସୁ କରି ବାହାରିଲେ । ଓଡ଼ିଶାରେ ମୌଳିକ ଶିକ୍ଷାକୁ ନିଜେ ତୁଲାଇବେ ବୋଲି ଆଣ୍ଟ କଲେ । ସରକାରୀ ଶିକ୍ଷାକାଳର ସେହି ପୁରୁଣା ବୋଡ଼ାସାପମାନଙ୍କୁ ମୌଳିକ ଶିକ୍ଷାର ଯାବତୀୟ କରଣା ଓ ଭରଣାରେ ସର୍ବୋଚ୍ଚ ପାଲିଙ୍କିମାନଙ୍କରେ ଆଣି ବସାଇଦେଲେ । ଇଂରେଜ ଅମଳର ସେହି ପାକଳ ଗୋଲାମମାନେ ଏଥିରେ ନାହିଁ ବୋଲି କହିବାର କୌଣସି କାରଣ ନଥିଲା । ସେହି ପ୍ରଥମ ମନ୍ତ୍ରୀସଭାରେ କେବଳ ଶ୍ରୀ ନବକୃଷ୍ଣ ଚୌଧୁରୀଙ୍କୁ ଛାଡ଼ିଦେଲେ ମୌଳିକ ଶିକ୍ଷା ବିଷୟରେ ଆଉ କାହାକୁ ସାରୁ କି ଆଳୁ ହୁଏତ କିଛି ଜଣାନଥିଲା । ଏବଂ ସେଇଠାରୁ ହିଁ ମାଟି ଖସିବା ଆରମ୍ଭ ହୋଇଗଲା । ସବୁଠାରୁ ଉତ୍ତମ କଥା ହୋଇଥାନ୍ତା, ସରକାର ଶ୍ରୀ ଶରତଚନ୍ଦ୍ର ମହାରଣାଙ୍କୁ ଏହି କ୍ଷେତ୍ରରେ ଏକମାତ୍ର ଅଭିଜ୍ଞ ଏବଂ ଆଗ୍ରହୀ ବ୍ୟକ୍ତିରୂପେ ଠାବ କରି ଆଣିଥାନ୍ତେ ଓ ବରୀ ରାମଚନ୍ଦ୍ରପୁରଠାରେ ପ୍ରୟୋଗଟିକୁ ପୁନର୍ବାର ଠିଆ କରାଇ ଆଣିବାକୁ ଦାୟିତ୍ଵ ପ୍ରଦାନ କରିଥାନ୍ତେ । ପ୍ରୟୋଗଟି ପାଇଁ ସମୀଚୀନ ସକଳ ସ୍ଵାଧୀନତା ତାଙ୍କର ଓ ସିଏ ବାଛି ଆଣିଥିବା ଶିକ୍ଷକ ଗୋଷ୍ଠୀଟିର ରହିଥାନ୍ତା ଓ ସରକାର ଅର୍ଥସହାୟତା ଦେଇଥାନ୍ତେ । ପ୍ରୟୋଗଶାଳାର ତାକତ ଏବଂ ସାମର୍ଥ୍ୟ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଓଡ଼ିଶାର ଅନ୍ୟାନ୍ୟ ସ୍ଥାନ ବା ଅଞ୍ଚଳକୁ ମଧ୍ୟ ମୌଳିକ ଶିକ୍ଷା ପ୍ରସାରିତ ହୋଇଥାନ୍ତା । ମାତ୍ର, ଶିକ୍ଷାନୁକୂଳ ଏତେ ଏତେ କଥାରେ ରାଜି ହୋଇଯିବାର ସାଧୁତା ବସ୍ତୁତଃ ସରକାରମାନଙ୍କଠାରେ କେଉଁଠି ହେଲେ ନଥାଏ । ବିଶେଷ କରି ସ୍ୱାଧୀନ ଭାରତବର୍ଷ ନାମକ ଏକ ନୂଆ ଯନ୍ତାରେ ପଡ଼ିଥିବା ସେହି ପୁରୁଣା ଉପନିବେଶକାଳର ମହାଭୃତ୍ୟମାନଙ୍କଠାରୁ କଦାପି ଆଶା କରାଯାଇ ନଥାନ୍ତା । ସେମାନେ ତ ଏହି ନୂଆଗୁଡ଼ାକୁ ଯଥାଶୀଘ୍ର ଆପଣାର ପୁରୁଣା ଖାପ୍‍ଚା ଭିତରେ ସାବାଡ଼ କରି ରଖିଦେବା ଲାଗି ଓ ନୂଆ ଡାଆଣୀ ହୋଇ କ୍ଷମତା ଚାଖୁଥିବା ଲୋକ ପ୍ରତିନିଧିଙ୍କୁ ନିଜ ମାର୍ଗରେ କ୍ରମଶଃ ମନାଇନେବା ଲାଗି କେତେନା କେତେ ବ୍ୟସ୍ତ ରହିବେ ।

 

ତେଣୁ, ମୌଳିକ ଶିକ୍ଷା ସରକାରୀ ହେଲା । ସରକାରୀ ଧାଈମାନେ ନୂଆ ହୋଇ ଜନ୍ମଲାଭ କରିଥିବା ଛୁଆଟିକୁ ଯାବତୀୟ ଅର୍ଥରେ ନଷ୍ଟ କରିଦେବାକୁ ହିଁ ପଣ କରିଥିଲେ । ସେମାନଙ୍କୁ ଓଡ଼ିଆରେ ଚିନ୍ତା କରି ଆସୁ ନଥିଲା । ଏବଂ, ଅପରପକ୍ଷରେ, ଇଂରାଜୀରେ ଦଖଲ ନଥିବା ସରକାରୀ ମନ୍ତ୍ରୀମାନେ ସେମାନଙ୍କ ଆଗରେ ନିଜର ମତଗୁଡ଼ିକୁ ପ୍ରତ୍ୟୟର ସହିତ ଉପସ୍ଥାପିତ କରିବାକୁ ଭାରି ସଂକୋଚ ବି ପ୍ରକାଶ କରୁଥିବେ ଏବଂ ବାସ୍ତବ ନୀତି ନିର୍ଦ୍ଧାରଣର କ୍ଷେତ୍ରରେ ସତେ ଅବା କେଉଁସବୁ ହୀନମନ୍ୟତାରୁ ରକ୍ଷା ପାଇବା ସକାଶେ ବିଭାଗୀୟ ସେହି ପୋଖତ ସାହେବମାନଙ୍କ କଥାରେ ରାଜି ହୋଇ ଯାଉଥିବେ । ସେହି ସନ୍ତାପଟା ତ ଏବେ ବି ଅଛି ଓ ସେହି ପ୍ରହସନ ତ ଏବେ ମଧ୍ୟ ଚାଲିଛି । ମୌଳିକ ଶିକ୍ଷାର ବିଚାର ଖାଲି ଏକ ତଥାକଥିତ ଶିକ୍ଷାର ବିଚାର ନୁହେଁ । କେତେକ ମଣିଷଙ୍କୁ ପାଠୁଆ ବନାଇ ଦେବାର ଏକ ଫିସାଦୀ ଇଂଜିନିୟରିଂ ମଧ୍ୟ ନୁହେଁ । ମଣିଷ ବିଷୟରେ, ସମାଜ ବିଷୟରେ ତଥା ସମାଜକୁ ବଦଳାଇ ପାରିବା ବିଷୟରେ ସେହି ଶିକ୍ଷାରେ ଏକ ନିର୍ଦ୍ଦିଷ୍ଟ ବିବେକ ଏବଂ ବିଚାର ରହିଛି । ସେହି ଅନୁସାରେ, ବିଦ୍ୟାଳୟର ଦୈନିକ ଅର୍ଥାତ୍ ସମ୍ବନ୍ଧଗତ ପରିବେଶଟି କିପରି ହେବ, ସେହି ବିଷୟରେ ଗୋଟିଏ ସ୍ପଷ୍ଟ ଆଭିମୁଖ୍ୟ ମଧ୍ୟ ରହିଛି । ସରକାରୀ ଶିକ୍ଷା-ମାହାଲରେ ପ୍ରତିପାଳିତ ହେଉଥିବା ଗୁଣ୍ଠୁଣିମାନଙ୍କର ପ୍ରକୃତରେ ସେହି ବିଷୟରେ କାହିଁକି ଆଦୌ କୌଣସି ପହଞ୍ଚ ରହନ୍ତା ? ଅଥଚ ସମ୍ପୃକ୍ତ ମନ୍ତ୍ରୀ ବା ଯନ୍ତ୍ରୀମାନେ ଠିକ୍ ସେହି ବରାଦରେ ସବୁ ଚଳାଇବାର ଚଗଲାପଣ ଦେଖାଇଲେ ଏବଂ ପୂର୍ଣ୍ଣ ସଦିଚ୍ଛାର ସହିତ ମଧ୍ୟ ତାହା ଦେଖାଇଥିଲେ । ତେଣେ ପ୍ରଚଳିତ ଶିକ୍ଷାର ବିଦ୍ୟାଳୟ ହୁଏତ ୫ ହଜାର କି ୨୫ ହଜାର ହୋଇଥିବାବେଳେ ମୌଳିକ ବିଦ୍ୟାଳୟ ହୁଏତ ୫ଟା କି ୨୫ଟା ବୋଲିବା ବାହୁଲ୍ୟ, ହାକିମମାନେ ନିଜର ସେହି ପୁରୁଣା ବୁଦ୍ଧି କଲମଗୁଡ଼ାକୁ ପ୍ରୟୋଗ କରି ନୂଆ ଶିକ୍ଷାର ଶିକ୍ଷକମାନଙ୍କୁ ମଧ୍ୟ ଗୋଲାମ ପରି ଦେଖିଲେ ଓ ସେମାନଙ୍କ ଚିହ୍ନା ପୁରୁଣା ଗୁଳଗୁଡ଼ିକ ଭିତରେ ଆଣି ପକେଇଦେବାକୁ ବିଭାଗୀୟ ହୁଣ୍ଡାମୀର ସତରଟା ଯାକ ପ୍ରହରଣ ଧରି ବାହାରି ପଡ଼ିଲେ । ପରିସ୍ଥିତିରେ ପଡ଼ି ମୌଳିକ ବିଦ୍ୟାଳୟର ଆଜ୍ଞାମାନେ ମଧ୍ୟ ଗୋଲାମ ହେବାକୁ ବାଧ୍ୟ ହେଲେ । ତେଣେ ଦେଶର ସରକାରୀ ମନ୍ତ୍ରୀଶାସନ ମଧ୍ୟ ବଳଦିଗଲା । ନିଜର ଜୀବିକାନୁରୋଧରେ ପଡ଼ି ସେମାନେ କ୍ରମଶଃ ଗୋଲାମ ହୋଇ ଆସିଲେ । ଯାବତୀୟ ଅସଲ ଶିକ୍ଷାର ପଛରେ ରହିଥିବା ସାହସଟିକୁ ଶିକା ଉପରେ ନେଇ ରଖିଦେଲେ ।

 

ମଝିରେ କେତେମାସ ନିମନ୍ତେ ଶ୍ରୀ ନବକୃଷ୍ଣ ଚୌଧୁରୀ ରାଜ୍ୟରେ ମୌଳିକ ଶିକ୍ଷାର ସଂଗଠକ ହୋଇ ଆସିବାର ଘଟଣାଟା ସେହି ଶିକ୍ଷାର ବିୟୋଗାନ୍ତକ ଇତିହାସରେ ଏକ ସ୍ମରଣୀୟ ଆଖ୍ୟାନ ହୋଇ ଅବଶ୍ୟ ରହିବ । ଶିକ୍ଷକ ହେବାର ଅଥବା ଶିକ୍ଷାକୁ ନିଜର ଜୀବନବ୍ରତ ରୂପେ ଗ୍ରହଣ କରିବାର ନିଷ୍ପତ୍ତି ଧର୍ମତଃ ଏକ ଜୀବନଯାକର ନିଷ୍ପତ୍ତି । ଆଗ ନିଷ୍ପତ୍ତି, ତାପରେ ଯାଇ ଏକ ଦାୟିତ୍ୱକୁ ଗ୍ରହଣ କରିବା । ଶ୍ରୀଯୁକ୍ତ ଚୌଧୁରୀ ଉତ୍କଳବାସୀଙ୍କୁ ଚକିତ କରି ଏପରି ନିଷ୍ପତ୍ତି ଗ୍ରହଣ କରିବା ପଛରେ ଆନ୍ତରିକତାର କୌଣସି ଅଭାବ ନଥିଲା । କିନ୍ତୁ ସିଏ ସତକୁସତ ଏହି ମାର୍ଗରେ ରହିବେ ବୋଲି କଦାପି କୌଣସି ବିଚାର କରିନଥିବ । ରାଜନୀତିର ଜଣେ ବ୍ୟକ୍ତି ପୁନର୍ବାର ଆହ୍ୱାନଟିଏ ମାନି ରାଜନୀତିକ କ୍ଷମତାକୁ ଫେରିଯିବାରେ ଆଦୌ ବିସ୍ମିତ ହେବାର ସିନା କିଛି ନାହିଁ-। ମାତ୍ର ସେତେବେଳର ଏକାଧିକ ମୌଳିକ ବିଦ୍ୟାଳୟର ଶିକ୍ଷକଙ୍କୁ ତାହା ନିଶ୍ଚୟ ଚକିତ କରି ପକାଇଥିଲା । ସିଏ କ’ଣ ପାଇଁ ଏତେ ଭରସାର ପ୍ରତୀତି ଦେଇ ଏଣେ ଆସିଲେ ଓ ପୁଣି କାହିଁକି ତାଙ୍କ ପୁରୁଣା ଚାଷଘରଟିକୁ ବାହୁଡ଼ିଗଲେ, ତାହା ବହୁତ ଶିକ୍ଷକ ମୋଟେ ବୁଝିପାରି ନଥିବେ-। ସିଏ ମୁଖମନ୍ତ୍ରୀ ହେଲେ ଏବଂ ସେତେବେଳେ ମଧ୍ୟ ସରକାରୀ ଭାଲୁ-ମନ୍ତ୍ରରେ ଓଡ଼ିଶାରେ ମୌଳିକ ଶିକ୍ଷାର ପ୍ରୟୋଗଟାକୁ କ୍ରମେ ଅବସନ୍ନ କରାଇ ଆଣି ଖତମ କରିଦେବାକୁ ଧୁରନ୍ଦର ଉଦ୍ୟମମାନ ଲାଗି ରହିଥିଲା । ଶ୍ରୀ ନବକୃଷ୍ଣ ଚୌଧୁରୀ ମୌଳିକ ଶିକ୍ଷାର ଅନୁରାଗୀ ବୋଲି ଜାଣିଥିବାରୁ ତାଙ୍କଠାରୁ ଏଇଟା ବା ସେଇଟା ଆଶା କରି ବହୁ କିସମର ସ୍ୱେଚ୍ଛାସେବୀର ଉଦାରତା ଦେଖାଇ ଆସି ପହଞ୍ଚିଗଲେ । ବିଜୁ ପଟ୍ଟନାୟକ ଆସିଲେ, ବୀରେନ୍ ମିତ୍ର ଆସିଲେ, ସରକାରୀ କଳାଟାକୁ ଖାଇ ଖୋଳ କରି ଦେଉଥିବା ନିନ୍ଦିତ ଏକାଧିକ ଉଚ୍ଚ ଅମଲା ବି ପ୍ରାୟ ହୃଦୟ ଖୋଲିଦେଇ ଯଥା ସମ୍ଭବ ମଦତ୍ କରିବାକୁ ଧରାପରା ହେଲେ । କୋତରା ଖଣି ଠିକାଦାର ମଧ୍ୟ ମୁଠାରେ ମୁଠାଏ ଟଙ୍କା ଧରି ଆସି ହାଜର ହୋଇଗଲେ । ମୌଳିକ ଶିକ୍ଷାକୁ ମହାପ୍ରସାଦ ଆସି ପହଞ୍ଚିଗଲା-। ସମ୍ଭାବନାପୂର୍ଣ୍ଣ ପ୍ରୟୋଗଟିଏ ଛତରା ହେବାର ମଉକା ପାଇଲା । ସପତ୍ନୀର ଏହି ବରଦା ବେଶଟାକୁ ଦେଖ୍ ସରସ୍ୱତୀ ପଳାଇ ଯିବାକୁ ମନ କରିବା ବ୍ୟତୀତ ହୁଏତ ଆଉ ଗତ୍ୟନ୍ତର ଦେଖି ନଥିବେ । ଏତିକି ହେଉଛି ଓଡ଼ିଶାରେ ମୌଳିକ ଶିକ୍ଷାର ଇତିବୃତ୍ତ: ସ୍ମୃତି ନୁହେଁ, ଇତିବୃତ୍ତ-। ଗୋଟାଏ ଟ୍ରେନିଂ କଲେଜକୁ ସରକାର ଭିତରେ ଥିବା କେଉଁ ଯୋଗଜନ୍ମା ମତିମାନ୍ ବ୍ୟକ୍ତିଟିଏ ଶ୍ରୀ ଚୌଧୁରୀଙ୍କ ନାମ ଅନୁସାରେ ନାମିତ କରାଇ ନେଇଛି, ସେତିକି ଯାହା ପଛ କଥାଗୁଡ଼ାକୁ ବେଳେବେଳେ ଖେଞ୍ଚି ଦେଇ ଚାଲିଯାଉଛି । କହିବା ବାହୁଲ୍ୟ, ଯେଉଁ ବଡ଼ଚାକିରିଆମାନେ ମୌଳିକ ଶିକ୍ଷା ପ୍ରୟୋଗର ଉଆସ ଭିତରେ ଏଡ଼େ ଏଡ଼େ ଥାନରେ ରହିଥିଲେ ଏବଂ ମୌଳିକ ଶିକ୍ଷା ହିଁ ବିଶ୍ଵକୁ ବାଟ ଦେଖାଇବ ବୋଲି ଉଲ୍ଲସିତ ଚାଟୁକାରିତାମାନ କରିଥିଲେ, ସେମାନେ ମଧ୍ୟ ସରକାରୀ ପଦୋନ୍ନତିର ପଘାରେ ଆଜ୍ଞାପ୍ରମାଣେ ଯୁଆଡ଼କୁ ନିଆଗଲେ, ସେଠାରେ ଯାଇ ଖାପ ଖାଇଗଲେ, କିଛି ବାରିଲେ ନାହିଁ । ଅବଶ୍ୟ ଏହିପରି ଦୋଳିରେ ବସି ଉଠି ଯାଉଥିବା ସମୟରେ ବେଳେବେଳେ ପଛକୁ ଅନାଇ ମୌଳିକ ଶିକ୍ଷାର ଗୁଣ ବି ଗାଉଥିଲେ । ନିଜକୁ ହିଁ ସାନ୍ତ୍ୱନା ଦେବାଲାଗି ସେମାନେ ଏପରି କରୁଥିଲେ କି ? ମୌଳିକ ଶିକ୍ଷା ଅବଶ୍ୟ ରହିଥାନ୍ତା, ଯଦି ତା’ ଘାଟି ଜାଗାମାନଙ୍କରେ ତାକୁ ସାହସିକ ନେତୃତ୍ୱଟି ମିଳିଥାନ୍ତା । ଯଦି ଶିକ୍ଷକ-କାରିଗରମାନେ ଉପଯୁକ୍ତ ଅର୍ଥରେ ସାହସୀ ହୋଇଥାନ୍ତେ, ଯଦି ସେମାନେ ସରକାରୀ ଚତୁରତାଗୁଡ଼ାକର ପ୍ରତିବାଦ କରିପାରିଥାନ୍ତେ, ସବୁ ମୌଳିକ ବିଦ୍ୟାଳୟ ସେହିପରି କରିପାରିନଥାନ୍ତେ ଓ ସବୁ ଶିକ୍ଷକ ମଧ୍ୟ କଦାପି କରିପାରିନଥାନ୍ତେ-। ତଥାପି ଦଶ/ପନ୍ଦର ଜଣ ସତ୍ୟ ଅର୍ଥାତ୍ ସାହସ ପକ୍ଷରେ ଏକାଠି ହୋଇ ରହିପାରିନଥାନ୍ତେ ଏକ ବିକଳ୍ପର ସାକାର ଅନୁମାନଟିଏ ସମ୍ଭବ କରିବାରେ ଆମ ସମସ୍ତଙ୍କଲାଗି କେତେ ଉପକାର କରିପାରିଥାନ୍ତେ । ସେମାନେ ଶିକ୍ଷାକୁ ବ୍ରତ ରୂପେ ଗ୍ରହଣ କରିଥାନ୍ତେ ଓ ସେହି ଗ୍ରହଣ କରିବା ପଛରେ ଆଦୌ କୌଣସି ଭାବପ୍ରବଣତା ନଥାନ୍ତା; ବରଂ ଏକ ରାଜନୀତିକ ଇଚ୍ଛା ରହିଥାନ୍ତା-। ଏବେ ଓଡ଼ିଶାର ରାଜନୀତିରେ ତ ରାଜନୀତିକ ଇଚ୍ଛା ବୋଲି କୋଉଠି ହେଲେ କିଛି ନାହିଁ । ଖାଲି କ୍ଷମତାରେ ରହିବା ନିମନ୍ତେ ଏକ ଜ୍ଵରବତ୍ ଅତ୍ୟୁଗ୍ରତା ରହିଛି । ଚାନ୍ଦା ସଂଗ୍ରହ କରିବା ହୁଏତ ଦଳଗୁଡ଼ିକ ପାଇଁ ସବାବଡ଼ କାର୍ଯ୍ୟକ୍ରମ ହୋଇ ରହିଛି । ଚାନ୍ଦା ଦେବାରୁ ଆରମ୍ଭ କରି ହିଁ ତ ଏକାଧିକ ଧୂର୍ତ୍ତ ବ୍ୟକ୍ତି ଏଠାରେ ଗୃହରେ ପ୍ରବେଶ କରିଛନ୍ତି ଏବଂ ଗୃହଟିର ପରିମଳଗୁଡ଼ିକୁ ହଡ଼ପ କରିପାରିଛନ୍ତି । ସାହସ ବଢ଼ି ବଢ଼ି ମୌଳିକ ଶିକ୍ଷା ନିମନ୍ତେ ମଧ୍ୟ ଚାନ୍ଦା ଦେବାର ଦୁର୍ଯୋଗ ପର୍ଯ୍ୟନ୍ତ ସମ୍ଭବ କରିପାରିଛନ୍ତି । ଯଦି ମାତ୍ର ତିନି/ଚାରିଟା ଜାଗାରେ ସାହସ ଓ ସଂକଳ୍ପର ଆସ୍ଥାନ କେତୋଟି ତିଆରି ହୋଇପାରିଥାନ୍ତା, ଯଦି ଶିକ୍ଷକ-ଗୋଷ୍ଠୀଟିଏ ଯାବତୀୟ ଅର୍ଥରେ ଆପଣାକୁ ଜ୍ଞାନ, ପାରସ୍ପରିକତାର ସାମର୍ଥ୍ୟ ଏବଂ ଚାରିପାଖର ଏହି ଅନ୍ଧାରଗୁଡ଼ିକରେ ତଥାପି ଦୀପଟିଏ ଜାଳିବାର ପ୍ରୟାସରେ ସମବେତ ଭାବରେ ଏକ ସାଧୁ ପ୍ରଚେଷ୍ଟା ପାଇଁ ଲାଗିଯାଇ ପାରିଥାନ୍ତା, ତେବେ ବିଗତ ପଚାଶବର୍ଷର ଅନୁଭବଦ୍ଵାରା ଶକ୍ତିମାନ ହୋଇ ତାହା ବର୍ତ୍ତମାନ ଉପସ୍ଥିତ ବିଟମାନଙ୍କୁ ଚାଲେଞ୍ଜ କରିପାରୁଥାନ୍ତା, କଳାକୁ କଳା ବୋଲି କହି ପାରୁଥାନ୍ତା । ବର୍ତ୍ତମାନର ଅଯୋଗ୍ୟ ବାବୁମାନଙ୍କ ପାଇଁ ସିଏ ଆତଙ୍କ ହୋଇଥାଆନ୍ତା । ସେମାନଙ୍କୁ ମୋଟେ ଦବାଇ ଦେଇ ହୁଅନ୍ତା ନାହିଁ । ସେମାନେ ଲୋକଙ୍କ ପଟେ ଥାଆନ୍ତେ, ଲୋକଶକ୍ତିର ସନ୍ତକ ହୋଇ ରହିଥାନ୍ତେ । ସେହିଭଳି ଏକ ଗୋଷ୍ଠୀଠାରୁ କ୍ରମେ ସରକାର ବି ଶିଖନ୍ତେ । ସରକାର ନଇଁ ଆସନ୍ତେ । ତୋଷାମଦ କରିବା ନୁହେଁ, ଆପେ ବାଛିଥିବା ଏକ ଗିରିଶିଖରକୁ ଲୟ କରି ଭିତରେ ତଥା ବାହାରେ ବାଟଟିଏ ଚାଲିବା କ୍ରମେ ତାହା ହିଁ ଶିକ୍ଷାର ଧର୍ମରେ ପରିଣତ ହୋଇଯାଆନ୍ତା ।

 

୨୨.୧୦.୦୧

☆☆☆

 

ସମ୍ପୂର୍ଣ୍ଣ ଅନ୍ୟ କିସମର

 

ବିଗତ ଗୋଟିଏ ଶତାବ୍ଦୀରେ ଯୁକ୍ତରାଜ୍ୟ ଆମେରିକାର ରାଷ୍ଟ୍ରପତି ଶ୍ରୀଯୁକ୍ତ ଆବ୍ରାହମ୍ ଲିଙ୍କନ ଦାସତ୍ୱ ପ୍ରଥା ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ । ସେତେବେଳର ତାଙ୍କ ଆମେରିକା ଏକ ବୃହତ୍ ବିଶ୍ୱରାଷ୍ଟ୍ରରେ ପରିଣତ ହୋଇ ନଥିଲା । ସେହି ଗୋଟିଏ ଆୟତନ ହିଁ ଦୁଇଭାଗରେ ବିଭକ୍ତ ହୋଇ ରହିଥିଲା । ଉତ୍ତର ଶିବିରଟା ଦାସତ୍ୱ ବନ୍ଦ ହେଉ ଓ ଦକ୍ଷିଣ ଶିବିରଟା ଦାସତ୍ଵ ରହିଥାଉ ବୋଲି ଇଚ୍ଛା କରୁଥିଲା । ଲିଙ୍କନ ଉତ୍ତରଟିର ତରଫରୁ ଦକ୍ଷିଣ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ । ଯୁଦ୍ଧରେ ବିଜୟ ଲାଭ କଲେ । ଆମେରିକା ଯୁକ୍ତରାଜ୍ୟ ଗୋଟାଏ ଦେଶ ହେଲା ଏବଂ ଦାସତ୍ୱ ପ୍ରଥା ଉଠିଯାଉ ବୋଲି ଆଇନ ଜାରିହେଲା । ଗଣତନ୍ତ୍ରକୁ ରାଷ୍ଟ୍ରର ସାମ୍ବିଧାନିକ ଧର୍ମ ବୋଲି ଘୋଷଣା କରିଥିବା ଆମେରିକା ନିଜର ମାର୍ଗରେ ଏହି ଯୁଦ୍ଧ ଫଳରେ କେତେ କଦମ ଅବଶ୍ୟ ଆଗକୁ ଯାଇ ଯେ ପାରିଲା, ସେକଥା କେହି ମୋଟେ ଅସ୍ଵୀକାର କରିବେ ନାହିଁ । ଏବେ ମଧ୍ୟ ନାନା ବେଶରେ ଏବଂ ନାନା ବାହାନାରେ ଦାସତ୍ୱ ପ୍ରଥା ପୃଥିବୀଯାକ ରହିଛି । ଆମେରିକାରେ ମଧ୍ୟ ରହିଛି । ପୃଥିବୀଯାକର ରାଜନୀତିକ ମାନଚିତ୍ରକୁ ନିଜ ଅକ୍ତିଆର ଭିତରେ ରଖିବାର ପାଞ୍ଚରେ ଆମେରିକା ସରକାର ଏବେ ମଧ୍ୟ ବୁଦ୍ଧିମତ୍ତା ତଥା ଅସ୍ତ୍ରବଳ ସାହାଯ୍ୟରେ କେତେ କେତେ ମେହେନତ କରୁଛନ୍ତି । ତଥାପି ପୃଥିବୀ ଯେ କ୍ରମେ ଦାସତ୍ୱର ଭଳି ଭଳି ରଜ୍ଜୁକୁ କାଟି କାଟି ଅଗ୍ରସର ହେବାକୁ କ୍ରମେ ଅଧିକ ପ୍ରତ୍ୟୟର ସହିତ ପଣ କରି ବାହାରିଲାଣି, ଲିଙ୍କନ ସେଠାରେ ଏକଦା କରିଥିବା ଯୁଦ୍ଧଟି ଏକ ମୂଳ ପାହାଚ ଓ ପ୍ରେରଣା ରୂପେ ତଥାପି ମହଜୁଦ ରହିଛି-। ଏବଂ ବିଶ୍ୱ ଇତିହାସ ପ୍ରମାଣ କରିଦେଇଛି ଯେ, ଲିଙ୍କନ ନିଜ ସମୟରେ ବାହ୍ୟତଃ ନିଜ ଦେଶରେ ଯେଉଁ ସଂଗ୍ରାମଟି କରିଥିଲେ, ତାହାର ସତେ ଅବା ଚିରକାଳ ଲାଗି ଏକ ବିଶ୍ୱ-ଆବେଦନ ମଧ୍ୟ ରହିଛି । ଆବ୍ରାହମ୍ ଲିଙ୍କନଙ୍କୁ ଆଜି ବିଶ୍ଵର ସବୁ ଯୋଦ୍ଧା ଓ ସବୁ ସଂଗ୍ରାମୀ କେବଳ ଆମେରିକାର ନୁହେଁ, ସମଗ୍ର ବିଶ୍ୱର ଜଣେ ପ୍ରେରଣାଦାତା ବୋଲି ବିଚାର କରୁଛନ୍ତି ଏବଂ ସେହି ବିଚାରଦ୍ଵାରା ଲାଭବାନ ହୋଇପାରୁଛନ୍ତି ।

 

ତା’ପରେ ତ ପୃଥିବୀ ଭର୍ତ୍ତି କେତେ କେତେ ଯୁଦ୍ଧ ଲାଗିଛି । ଦୁଇ ଦୁଇଟା ଯୁଦ୍ଧକୁ ଭାବପ୍ରବଣ ଭାବେ ବିଶ୍ଵଯୁଦ୍ଧ ବୋଲି କୁହାଯାଇଛି । ବହୁ ସ୍ପର୍ଦ୍ଧାର ସହିତ ସମ୍ପୃକ୍ତ ପକ୍ଷମାନେ ଆଦର୍ଶର ପ୍ରତିଷ୍ଠା ନିମନ୍ତେ ଯୁଦ୍ଧ କରି ବାହାରିଛନ୍ତି ବୋଲି ଢୋଲ ପିଟିଛନ୍ତି । ଆମେ ଏହି ଗୋଟାଏ ଯୁଦ୍ଧରେ ଜିତିବା ଏବଂ ତାହାଦ୍ୱାରା ଏହି ପୃଥିବୀରୁ ସବୁ ଯୁଦ୍ଧକୁ ଖତମ୍ କରିଦେବା ବୋଲି ପକ୍ଷମାନେ କମ୍ ଢମ କରୁନାହାନ୍ତି । ଯଦି ତୁମେ ସତକୁସତ ଶାନ୍ତି ଇଚ୍ଛା କରୁଛ, ତେବେ ସର୍ବଦା ଯୁଦ୍ଧ ନିମନ୍ତେ ସକଳ ପ୍ରସ୍ତୁତି ପାଇଁ ସଚଳ ହୋଇ ରହିଥାଅ ବୋଲି ଏହି ପାରମ୍ପରିକ ପୃଥିବୀଟାର ଚାଣକ ଓ ମାକିଆଭେଲିମାନେ ନିଜ ନିଜ କାଳର ରାଜାମାନଙ୍କୁ ବହୁ ପରାମର୍ଶ ଦେଇଛନ୍ତି । ସମ୍ଭବତଃ ପ୍ରଧାନତଃ ଯୁଦ୍ଧ ପାଇଁ ହିଁ ଜାତୀୟବାଦର ଏକ ଝଲମଲ ଭେଳିକିର ସର୍ଜନା କରାଯାଇଛି, ରାଷ୍ଟ୍ରମାନେ ବିଜ୍ଞାନୀମାନଙ୍କୁ ଅଡ଼ାଇ ଆଣି ସେକାଳର ତୋପ ଓ ତରବାରୀ-ସ୍ତରରୁ ପରମାଣୁ ବୋମା ପର୍ଯ୍ୟନ୍ତ ଚହଟି ଆସି ପାରିଛନ୍ତି । ସାନ ସାନ ଯୁଦ୍ଧ ଅହରହ ଲାଗିଛି ଏବଂ ସେଗୁଡ଼ିକୁ ଚାଲୁ ରଖିବା ନିମନ୍ତେ ପୃଥିବୀର ବେପାରୀମାନେ ଅସ୍ତ୍ରଶସ୍ତ୍ରର ଏକ ଜବରଦସ୍ତ ବଜାରକୁ ମଧ୍ୟ ମେଲିଦେଇ ପାରୁଛନ୍ତି । ଯୁଦ୍ଧ ପାଇଁ ଅଧିକ ବଳଶାଳୀ ବୋଲି ଅନୁଭବ କରିବା ସକାଶେ ମେଣ୍ଟଗୁଡ଼ାକର ଭିଆଣ ହେଉଛି । ରାଷ୍ଟ୍ରମାନଙ୍କ ହାତରେ ଶକ୍ତିଶାଳୀ ପ୍ରଚାର ବିଭାଗମାନ ରହିଛି, ଗୋଇନ୍ଦା ବିଭାଗ ବି ରହିଛି । ବିଚାରା ନାଗରିକଟିଏ ଏହିସବୁ ଘର ଭିତରେ ପଡ଼ିଯାଇ କେବଳ ମୋ ଦେଶଟା ହିଁ ସତରେ ରହିଛି ବୋଲି ବିଶ୍ୱାସ କରିବାର ଚକ୍ରାନ୍ତରେ ପଡ଼ିଯାଉଛି । ଏହିପରି ଏକ ମାର୍ଗ ଭିତରେ ପଡ଼ିଯାଇ ପୃଥିବୀଯାକର ବିବେକ କମେ ପ୍ରଦୂଷିତ ହେବାରେ ଲାଗିଛି । ଏବଂ, ତଥାକଥିତ ଶୀତଳ ଯୁଦ୍ଧଗୁଡ଼ାକ ସତେଅବା ନିତାନ୍ତ ଅସଚେତ ଭାବରେ ଏଭଳି ଏଭଳି ନାନା ଭଉଁରୀ ଭିତରେ ଯାଇ ପଡ଼ିଯାଇଛନ୍ତି ଯେ, ସମଗ୍ର ପୃଥିବୀଟାକୁ ନିତାନ୍ତ ଅମାନୁଷିକ ଭାବରେ ଉତ୍ତପ୍ତ କରି ପକାଉଛନ୍ତି । ଦେଶମାନଙ୍କରେ ଅନୁରୂପ ହିଂସ୍ର ମତଲବଗୁଡ଼ାକୁ ଆଖି ଆଗରେ ରଖି ପାଠ ନାଆଁରେ ପିଲାମାନଙ୍କୁ ମଣ କରାଯାଉଛି । ଯେପରିକି ସେମାନେ ବଡ଼ ହୋଇ ଏହି great antagonism ର ବାହାରକୁ ଆଉ ମୋଟେ ଚିନ୍ତା ହିଁ କରିପାରିବେ ନାହିଁ । ନାଗରିକତାର ଉଦୟ ଓ କଲ୍ୟାଣ ପାଇଁ ସିନା ରାଷ୍ଟ୍ର ନିଜକୁ ଅନୁରୂପ ଭାବରେ ମଣ କରି ରଖନ୍ତା, ମାତ୍ର ଏବେ ରାଷ୍ଟ୍ର ହିଁ ନିଜର ଯାବତୀୟ ଅଲକ୍ଷଣା ପଣକୁ ପ୍ରୟୋଗ କରି ନାଗରିକକୁ ମଣ କରିବାରେ ଲାଗିଛି । ଏହାର ପରିଣତି କ’ଣ ହେବ ବୋଲି ବିଶ୍ୱସାରା ଭାଳେଣି ପଡ଼ିଲାଣି ।

 

ସମ୍ପ୍ରତି ଏକ ଭିନ୍ନ କିସମର ଯୁଦ୍ଧ ଲାଗି ଡାକରା ଦିଆଯାଇଛି ଏବଂ ତାହା ସେକାଳର ଶ୍ରୀ ଆବ୍ରାହମ୍ ଲିଙ୍କନଙ୍କର କଥାକୁ ଭାରି ମନେପକାଇ ଦେଉଛି । ପ୍ରାଚୀନ ସମୟରୁ ଅଦ୍ୟତମ ଶତାବ୍ଦୀ ପର୍ଯ୍ୟନ୍ତ ଯେତେବଡ଼ ଯୁଦ୍ଧ ଲଢ଼ାହୋଇ ଆସିଛି, ସେଥିରେ ପ୍ରତ୍ୟେକ ପକ୍ଷ ତା’ନିଜ ପଟେ ହିଁ ଉଚିତ କଥାଟା ରହିଛି ବୋଲି କେତେ ପ୍ରଚାର କରିଛି । ନିଜେ କୃଷ୍ଣ ପାଣ୍ଡବମାନଙ୍କ ପକ୍ଷରେ ରହିଥିଲେ ବୋଲି ତ ଆମେ ସମସ୍ତେ ସେହି ପଟଟାରେ ଧର୍ମ ରହିଥିଲା ବୋଲି କହୁଛୁ ଏବଂ ବିଚାର କରୁଛୁ; ମାତ୍ର କୌରବ ନାମକ ସେହି ଅନ୍ୟପକ୍ଷରେ ହିଁ ଗୋଟା ସୁଦ୍ଧା ଧର୍ମ ରହିଛି ବୋଲି ହୁଏତ ସେତେବେଳେ ଆରପଟୁ ଯେ ଘୋଷଣା କରାଯାଇ ନଥିବ, ସେହି କଥାଟାକୁ କିଏ ଅସ୍ଵୀକାର କରିବ ? ଯୋଉ ଯୋଉ ଦୁଇପଟ ମଧ୍ୟରେ ଆଜି ଅବଧି ଯୁଦ୍ଧ ହୋଇଛି, ପ୍ରତ୍ୟେକ ପଟରେ ଧର୍ମ ଓ ଅପରପଟରେ ଅଧର୍ମ ରହିଛି ବୋଲି କେଡ଼େ ନିରୀହ ଭାବରେ କୁହାଯାଇ ଆସିଛି-। ପଛକୁ ଚାହିଁ ଅନିସା କଲେ ଜଳଜଳ ହୋଇ ଦେଖାଯାଉଛି ଯେ, ଯୁଝୁଥିବା କୋଉ ଗୋଟିଏ ପଟରେ ହିଁ ଧର୍ମ ନଥିଲା । ଧର୍ମରେ କୌଣସି ଗୋଟାଏ ପଟ ମଧ୍ୟ ରହିଥିଲେ ସମ୍ଭବତଃ ଯୁଦ୍ଧ ନାମକ ସେହି ବିଶେଷ ଘଟଣାଟି ମୋଟେ ଘଟିନଥାନ୍ତା । ଅର୍ଥାତ୍ ଉଭୟପଟ ଧର୍ମରେ ନୁହେଁ, ତୁଚ୍ଛା ନିଜଟାର ଜିତାପଟ ହିଁ ଇଚ୍ଛା କରୁଥିଲେ । ଅର୍ଥାତ୍ ଉଭୟେ ଅଧର୍ମପଟେ ଥିଲେ-। ନିଜର ପ୍ରଜାମାନଙ୍କୁ ନିଜ ଆବଶ୍ୟକତା ଅନୁସାରେ ଅଡ଼ାଇ ନେବା ପାଇଁ ସେମାନେ ଅର୍ଥାତ୍ ରାଷ୍ଟ୍ରମାନେ ଧର୍ମ ବା ଅଧର୍ମର ପ୍ରସଙ୍ଗଟାକୁ ଉଠାଉଥିଲେ । ବର୍ତ୍ତମାନର ଏହି ଯୁଦ୍ଧଟାକୁ ସନ୍ତ୍ରାସବାଦ ବିରୋଧରେ ଏକ ଯୁଦ୍ଧ ବୋଲି କୁହାଯାଉଛି । ପୃଥିବୀର ଏତେ ଏତେ ରାଷ୍ଟ୍ର ସତକୁସତ ସନ୍ତ୍ରାସବାଦ ସହିତ ଲଢ଼ିବେ ଏବଂ ସନ୍ତ୍ରାସବାଦର ଲୋପକରି ପୃଥିବୀକୁ ଉଶ୍ୱାସ କରିବେ, ଯୁଦ୍ଧ ସଂପର୍କିତ ପୁରୁଣା ଖାତାଗୁଡ଼ାକର ଗଣିତ କଷି ସେହି କଥାଟିକୁ ଆଦୌ ବୁଝିହେବ ନାହିଁ-। ପୃଥିବୀରେ ଥିବା ଆଧୁନିକ ପ୍ରାୟ ପ୍ରତ୍ୟେକ ରାଷ୍ଟ୍ର ଅଳ୍ପ ହେଉ କିମ୍ବା ଅଧିକ ହେଉ, ସନ୍ତ୍ରାସବାଦର ଆଚରଣ ଅବଶ୍ୟ କରିଛନ୍ତି । ଅଧିକ ଶକ୍ତିଶାଳୀ ରାଷ୍ଟ୍ରମାନେ ଅଧିକ ପ୍ରତାପ ସହିତ କରିଛନ୍ତି-। ତଥାପି କୁନି ରାଷ୍ଟ୍ରମାନେ କିଛି କମ୍ ପାରଙ୍ଗମତା ବି ଦେଖାଇ ନାହାନ୍ତି । ଆଫ୍ରିକାର ରାଷ୍ଟ୍ରମାନେ ସନ୍ତ୍ରାସବାଦରେ ତ ଯମକୁ ବଳି ଯାଇଛନ୍ତି । ଦକ୍ଷିଣ ଆମେରିକାର କେତେ ରାଷ୍ଟ୍ରରେ ଏକ ନିରନ୍ତର ବଳ କଷାକଷି ଲାଗି ରାହିଥିବା ପରି ସରକାରୀ ତଥା ବେସରକାରୀ ସନ୍ତ୍ରାସବାଦ ଲାଗି ହିଁ ରହିଛି-। ବେସରକାରୀ ସନ୍ତ୍ରାସମାନଙ୍କୁ ମାଫିଆ ବୋଲି କୁହାଯାଉଛି । ପୃଥିବୀରେ ଏଭଳି ରାଷ୍ଟ୍ର ଏକାଧିକ ରହିଛନ୍ତି, ଯେଉଁଠାରେ କି ମାଫିଆପଣରେ ମାଫିଆମାନଙ୍କୁ ଟପିଯିବା ହିଁ ସରକାରମାନଙ୍କର ସର୍ବପ୍ରଧାନ ଧନ୍ଦାହୋଇ ରହିଛି । ଏହି ରାଷ୍ଟ୍ରର ସରକାରମାନେ ଏକାଠି ହୋଇଛନ୍ତି, ବିଶ୍ଵ ସନ୍ତ୍ରାସବାଦ ସହିତ ଏକ ସମରରେ ଅବତୀର୍ଣ୍ଣ ହେବା ନିମନ୍ତେ । ଏମାନେ ଭିନ୍ନ ଭିନ୍ନ ମତବାଦର ପ୍ରତିନିଧିତ୍ୱ କରୁଛନ୍ତି । ଗୋଟିଏ ଗୋଟିଏ ରାଷ୍ଟ୍ର ହିସାବରେ କାଲିଯାଏଁ ମଧ୍ୟ ସେମାନଙ୍କ ଭିତରେ ଶତ୍ରୁର ଭୟ ଭର୍ତ୍ତି ହୋଇ ରହିଥିଲା । ସେହି ଭୟ ଦ୍ଵାରା ତାଡ଼ିତ ହୋଇ ହିଁ ସେମାନେ ଏକ ଆରେକର ଦେଶରେ ଗୋଇନ୍ଦା ସଂସ୍ଥାର ଜାଲମାନ ବିଛାଇ ରଖୁଥିଲେ । ନିଜ ପଟକୁ ଅଧିକରୁ ଅଧିକ ଦେଶକୁ ଆଉଜାଇ ରଖିବାର ମତଲବରେ ସେମାନେ ପ୍ରାୟ ପ୍ରତିଦ୍ୱନ୍ଦିତା କଲାପରି ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଥିଲେ । ଆର୍ଥିକ ବିକାଶର ଭିନ୍ନ ଭିନ୍ନ ଗାର ଓ ଭିନ୍ନ ଭିନ୍ନ ବାଡ଼ର କାଇଦା ଭିତରେ ରହି ଆସିଥିବା ସେମାନେ ସତେ ଅବା ନିଜ ନିଜର କୂଟନୈତିକ ଗଉଁରେ ପ୍ରାୟ ପରସ୍ପରର ବିପରୀତ ଦିଗକୁ ଅନାଇ ରହିଥିଲେ । ଦୀର୍ଘ ପରିଚିତ ସେହି ଶୀତଳ ଯୁଦ୍ଧର ଅବସାନ ପରେ ବି ସେମାନେ ପରସ୍ପରକୁ ଭାରି ସନ୍ଦେହ ଦୃଷ୍ଟିରେ ଦେଖି ଆସୁଥିଲେ-। ସଂଯୁକ୍ତ ରାଷ୍ଟ୍ରସଙ୍ଗ ଭଳି ଆନ୍ତର୍ଜାତିକ ସଂଗଠନମାନଙ୍କରେ ଭିନ୍ନ ଭିନ୍ନ ସ୍ଵାର୍ଥପ୍ରଣୋଦିତ ଆଭିମୁଖ୍ୟ ଗ୍ରହଣ କରୁଥିଲେ, ସମୟେ ସମୟେ ଜଣେ ଆଉ ଜଣକର ପ୍ରସ୍ତାବରେ ଭେଟୋ ବି ପ୍ରୟୋଗ କରୁଥିଲେ-। ସେମାନଙ୍କର ଅଜଣାରେ ଯେ ସନ୍ତ୍ରାସବାଦୀମାନେ ଅଲଗା କେଉଁଠି ନିଜର ଆଖଡ଼ାମାନଙ୍କୁ ଜମାଇଥିଲେ ଏବଂ ସେଇଠୁ ହଠାତ୍ ବାହାରି ଆସି ଏମାନଙ୍କର କାଳ ହେଲେ, ସେକଥା ମୋଟେ ନୁହେଁ । ଏମାନଙ୍କ ପଟର ବଡ଼ ବଡ଼ ରାଷ୍ଟ୍ରମାନେ ହିଁ ପ୍ରାୟ ସମ୍ପୂର୍ଣ୍ଣତଃ ନିଜ ନିଜର ସ୍ୱାର୍ଥରଣିତ ଅନୁସାରେ ସନ୍ତ୍ରାସବାଦର ଜନକ ରୂପେ କାର୍ଯ୍ୟକରି ଆସୁଥିଲେ, ସେମାନଙ୍କୁ ମୁହଁ ଦେଉଥିଲେ, ଅସ୍ତ୍ର ଏବଂ ବୁଦ୍ଧିକୌଶଳ ମଧ୍ୟ ଯୋଗାଇ ଦେଉଥିଲେ ଏବଂ ଏହିମାନେ ଗୋଟିଏ ନିର୍ଦ୍ଦିଷ୍ଟ ବିନ୍ଦୁରେ ପହଞ୍ଚି ଯେ ସନ୍ତ୍ରାସବାଦମାନଙ୍କୁ ନିପାତ କରିବା ନିମନ୍ତେ ବିଶ୍ଵ ଅଶାନ୍ତିର ଅରଣ୍ୟରେ ସଂଗଠିତ ଭାବରେ ସତକୁସତ ଖେଦାଟାଏ ଆରମ୍ଭ କରିବେ ବୋଲି ପ୍ରକାଶ୍ୟରେ ବାହାରିଛନ୍ତି, ତାହାକୁ ସମଗ୍ର ଭୁବନର ହିତ ବୁଝୁଥିବା ବିଧାତାର ଗୋଟାଏ ଖେଳ ବୋଲି କାହିଁକି କୁହାନଯିବ-? ହଁ, ଖୁବ୍ ସତକଥା ଯେ, ଆମେରିକାରେ ଅଭୂତପୂର୍ବ ଭାବରେ ସନ୍ତ୍ରାସବାଦୀ ଏପରି ଘଟଣାଟାଏ ଘଟିଲା ଯେ, ଆମେରିକା ପୂରାପୂରି ଦୋହଲିଗଲା ପରି ଆଗ ବାହାରିପଡ଼ି ସମସ୍ତଙ୍କୁ ହକାରି ଆଣିଲା-। ତଥାପି, ଏହି ନିର୍ଦ୍ଦିଷ୍ଟ ଘଟଣାଟି ଘଟି ନଥିଲେ ଦିନେ ନା ଦିନେ ସଦୃଶ ଆଉ କିଛି ଘଟିଥାଆନ୍ତା, ଯାହାକି ଏହି ନୂଆ ଧଡ଼ପଡ଼ଟାକୁ ଏକ ବାସ୍ତବ ଓ କ୍ରିୟାଶୀଳ ନିଷ୍ପତ୍ତିରେ ଆଣି ପହଞ୍ଚାଇ ଦେଇଥାନ୍ତା ।

 

ମନୁଷ୍ୟ–ଭାଗ୍ୟର ବିଧାତାଙ୍କୁ ଅନେକ ଅନେକ ଧନ୍ୟବାଦ ସିଏ ଆଉ ଅଧିକ କାଳ ବିଳମ୍ବ ଘଟିବାକୁ ଦେଲେନାହିଁ ଏବଂ ରାଷ୍ଟ୍ରମାନଙ୍କର ଧୈର୍ଯ୍ୟଚ୍ୟୁତି ଘଟାଇଲେ ବର୍ତ୍ତମାନ ତ ସମସ୍ତେ ପରସ୍ପର ଆଗରେ ନିତାନ୍ତ କାଇଲି ହେବାପରି ଆସି ଛିଡ଼ା ହେଉଛନ୍ତି । ଏମିତି ବି କୁହାଯାଇପାରିବ ଯେ ଏମାନେ ପ୍ରାୟ ପ୍ରତ୍ୟେକ ଏକ ବା ଏକାଧିକ ଘରପୋଡ଼ିରେ ଅତ୍ୟନ୍ତ ଚକ୍ରାନ୍ତପୂର୍ଣ୍ଣ ଭାବରେ ଗୁରାଇ ତୁରାଇ ହୋଇ ରହିଥିଲେ ଏବଂ ଏହାରି ବଳରେ ପୃଥିବୀଯାକରେ ସବୁଠାରୁ ଅଧିକ ବଳୁଆ ହୋଇ ବାହାରିବେ ବୋଲି ନିଜ ନିଜ ଘରେ ତାରିଫ ହେବାରେ ଲାଗିଥିଲେ । ଏବଂ କ୍ରମେ ହାଲତଟା ଏପରି ଅସମ୍ଭାଳ ହୋଇପଡ଼ିଲା ଯେ, ସେମାନେ ନିଜେ ପୃଥିବୀର ସବୁ ଘରପୋଡ଼ି ବନ୍ଦ କରିବେ ବୋଲି ଖୋରାକ ଦେଇ ପୋଷି ଆସିଥିବା ଘରପୋଡ଼ିମାନଙ୍କୁ ନିପାତ କରିବାକୁ ମନକଲେ । ଏହି ବିଶେଷ ଘଟଣାଟିର ତାତ୍ପର୍ଯ୍ୟଗୁଡ଼ିକୁ ତଉଲି ଏହାକୁ ରାଷ୍ଟ୍ର ଉତ୍ସରେ ସେହି ସେହି ରାଷ୍ଟ୍ରରେ ବାସ କରୁଥିବା ନାଗରିକମାନଙ୍କର ଏକ ବିଜୟ ବୋଲି କୁହାଯାଇ ପାରିବ କି ? ଏହି ଅତିଆଧୁନିକ ଯୁଗରେ ପ୍ରାୟ ଗୋଟାପଣେ ସବୁଠାରେ ରାଷ୍ଟ୍ରଟା ହିଁ ମଣିଷକୁ ଅର୍ଥାତ୍ ମଣିଷମାନଙ୍କୁ ମାଡ଼ି ବସିଥିଲା । ରାଷ୍ଟ୍ରର ଇଚ୍ଛାଗୁଡ଼ାକୁ ହିଁ ନାଗରିକ ଜନଗଣଙ୍କର ଇଚ୍ଛା ବୋଲି ଜାହିର କରାଯାଉଥିଲା । କୋଉଠି ଭୋଗ ବିଳାସ ଏବଂ ପଣ୍ୟପ୍ରାଚୁର୍ଯ୍ୟର ଇନ୍ଦ୍ରପୁରୀଗୁଡ଼ିକୁ ଯୋଗାଇ ଦେଇ, କୋଉଠି ନିଜ ଦେଶଟାକୁ ଜନନୀ ବୋଲି ପ୍ରଚାର କରି ରାଷ୍ଟ୍ରମାନେ ଅତ୍ୟନ୍ତ ପ୍ରମତ୍ତ ଭାବରେ ଆପଣାକୁ ସତେ ଅବା ଜଣେ ଜଣେ ବାପା ବୋଲି ଏକ ଅନ୍ଧକାରର ପଟଳ ମଡ଼ାଇ ଦେଇ କୋଉଠି ଧର୍ମ ଏବଂ ଆଉ କୋଉଠି ଏକ ଚକ୍‍ଚକ୍ ଆଦର୍ଶବାଦର ଚକିଗୁଡ଼ାକୁ ମଣିଷମାନଙ୍କର ବିବେକ ତଥା ଭାବନା ଉପରେ ଲଦିଦେଇ ରାଷ୍ଟ୍ରମାନେ ହିଁ ଦୈତ୍ୟବତ୍ ରାଜତ୍ୱ କରୁଥିଲେ । ଭାଗ୍ୟବାଦ ଆତଙ୍କବାଦ ଓ ସନ୍ତ୍ରାସବାଦ ସେମାନଙ୍କର ପକ୍ଷରକ୍ଷାକାରୀ କଟୁଆଳ ପରି କାର୍ଯ୍ୟ କରୁଥିଲେ । ଏବେ ଯେ ଅନ୍ୟ କିସମର ଏହି ଯୁଦ୍ଧଟା ସବୁ ରାଷ୍ଟ୍ରଙ୍କୁ ଗୋଟାଏ ତୁଠରେ ଆଣି ସତକୁସତ ଏକ କଲ୍ୟାଣକାରୀ କାର୍ଯ୍ୟକ୍ରମରେ ଠୁଳ କରାଇଲା, ତାହା ଏକ ଅନ୍ୟ କିଛିର ସୂଚନା ଦେଉଛି କି ?

 

ପ୍ରାୟ ଚାଳିଶିବର୍ଷ ତଳେ ଆମ ସାମୂହିକ ଅନ୍ତର୍ମନଗୁଡ଼ିକର ନିରୀକ୍ଷା କରି ଇତିହାସକାର ଆରନୋଲଡ଼ ଟଏନ୍‍ବୀ କ’ଣ କିପରି ଏକ ସିଦ୍ଧାନ୍ତରେ ଉପନୀତ ହୋଇ ଥରେ କହିଥିଲେ ଯେ, ପୃଥିବୀରେ ଯେଉଁ ତୃତୀୟ ମହାଯୁଦ୍ଧଟି ହେବ, ତାହା ପୂର୍ଣ୍ଣତଃ ଏକ ଅନ୍ୟ ଭଳି ଯୁଦ୍ଧ ହେବ । ଏଇ ଯୁଦ୍ଧ ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ହେବ ନାହିଁ ତାହା ପ୍ରତ୍ୟେକ ରାଷ୍ଟ୍ରରେ ହେବ । ପୁଅମାନେ ବାପାମାନଙ୍କ ବିରୋଧ କରିବେ ଏବଂ ଯୁଦ୍ଧ ଘୋଷଣା କରିବେ । ସେହି ଯୁଦ୍ଧ ପ୍ରତ୍ୟେକ ଦେଶରେ ହେବ । ଅଭ୍ୟସ୍ତଟା ବିରୋଧରେ ଇପ୍‌ସିତ ଯୁଦ୍ଧ ହେବ ଏବଂ ସେଇଥିରୁ ବହୁତ ଅର୍ଥରେ ଏକ ନୂଆ ପୃଥିବୀର ମୂଳଦୁଆ ପଡ଼ିବ । ବାଇବେଲ ଧର୍ମଶାସ୍ତ୍ରରେ ମଧ୍ୟ ସେକାଳେ କ’ଣ ପାଇଁ ଉଲ୍ଲେଖ ହୋଇ ରହିଛି ଯେ, ପରିବର୍ତ୍ତନର ନିଦାନ-ବେଳଟି ଆସି ପହଞ୍ଚିବା ପ୍ରତ୍ୟେକ ପରିବାରରେ ସନ୍ତାନମାନେ ବାପମାନଙ୍କର ବିରୋଧରେ ଅସ୍ତ୍ର ଧାରଣ କରିବେ, ସେହିପରି ସମୟଟିଏ ପ୍ରକୃତରେ ଆସି ପହଞ୍ଚିବାକୁ ମୁହୂର୍ତ୍ତଗୁଡ଼ିକ ଆଖର ପାଚି ଆସିଲାଣି କି ? ପୃଥିବୀରେ ଯେଉଁସବୁ ଅସ୍ତ୍ରଶସ୍ତ୍ର ପ୍ରାୟ ପର୍ବତପ୍ରମାଣ ଜମା ହୋଇ ରହିଛି, ମଣିଷର ଯେଉଁସବୁ ବୃଦ୍ଧି ପୃଥିବୀରେ ସନ୍ତ୍ରାସବାଦକୁ ହିଁ ବାଟ ଛାଡ଼ିଦେବାରେ ଆପଣାର ମହତ ସାରିଛି ଓ ଯେଉଁସବୁ ଆଦର୍ଶ ତୁମ ଆମକୁ ଅଫିମ ଖୁଆଇ ପାମରମାନଙ୍କୁ ହିଁ ତିଙ୍ଗର ହେବାକୁ ଏତେକାଳ ପ୍ରଶ୍ରୟ ଦେଇ ଆସିଛି, ସେମାନେ ସମସ୍ତେ କେଉଁ ଏକ ଅନ୍ୟ ଅନାଗତର ଘ୍ରାଣକୁ ଅନୁଭବ କରି ଅନ୍ୟ ଚେତନାଟିଏ ଲାଭ କରିବେ ଏବଂ ସମ୍ମିଳିତ ବଳରେ ସନ୍ତ୍ରାସବାଦର ବିଲୋପ ଲାଗି ଚକ୍ରବ୍ୟୂହଟିଏ ରଚନା କରି ବାହାରିବେ । ସନ୍ତାସବାଦ ଯାଉ ଯାଉ ଆଉ ପଚିଶିଟା ତ୍ରାସ ମଧ୍ୟ ପ୍ରମାଣ ଗଣିବାକୁ ଆରମ୍ଭ କରିବ-। ବିଶ୍ୱରୁ ତ୍ରାସ ଯିବା, ରାଷ୍ଟ୍ରରୂପୀ ଏହି ସାନ ସାନ ଘରୁ ମଧ୍ୟ ତ୍ରାସର ଅବସାନ ପାଇଁ ନୂତନ ପର୍ବଟିର ସୂତ୍ରପାତ ହେବ ।

 

୨୯.୧୦.୦୧

☆☆☆

 

ସମ୍ପୂର୍ଣ୍ଣ ଅନ୍ୟ କିସମର (୨)

 

ସେହି ଆଦ୍ୟ କାଳରେ ସଂତ୍ରାସିତ କରିବାର ମାର୍ଗଗୁଡ଼ିକୁ ଅନୁସରଣ କରି ହିଁ ରାଜାମାନେ ରାଜ୍ୟ ଶାସନ କରୁଥିଲେ । ପ୍ରଜାରଞ୍ଜନ କିଛି କିଛି ଅବଶ୍ୟ ଥିଲା, ମାତ୍ର ତାହା ଶାସକର ଅନୁଗ୍ରହଟା ଉପରେ ନିର୍ଭରଶୀଳ ହୋଇ ରହିଥିଲା । ପ୍ରଜାଏ ରଜାଙ୍କୁ ଭୟ କରୁଥିଲେ ଓ ରଜାଙ୍କଠାରୁ ଦୂରତା ରକ୍ଷା କରି ରହିବାକୁ ହିଁ ନିରାପଦ ବୋଲି ଜାଣିଥିଲେ । ଏ ଯୁଗର ସାମ୍ରାଜ୍ୟବାଦଟା ପ୍ରାୟ ଧର୍ମତଃ ସନ୍ତ୍ରାସବାଦ ଉପରେ ପ୍ରତିଷ୍ଠିତ ହୋଇଥିଲା । ଗଣତନ୍ତ୍ର କହିଲେ ଯାବତୀୟ ନ୍ୟାୟରେ ସମ୍ପୂର୍ଣ୍ଣ ଭାବରେ ପାରସ୍ପରିକ ଅଧିକାରକୁ ସିନା ବୁଝାଇବ, ମାତ୍ର ପୃଥିବୀର ଅନ୍ତର୍ପରିମଳଟା ଗଣତନ୍ତ୍ର ପାଇଁ ସମ୍ମତ ନହେବା ପର୍ଯ୍ୟନ୍ତ କୌଣସି ନା କୌଣସି ପରିଚ୍ଛଦରେ ସନ୍ତ୍ରାସବାଦୀମାନେ ନିଶ୍ଚୟ ରହିବେ ।

 

ପୃଥିବୀରେ ଯେଉଁ ରାଷ୍ଟ୍ର ବା ସରକାର ଅତିରିକ୍ତ ଭାବରେ ଧନୀ ହୋଇଥିବ ଓ ସେହି ଅନୁସାରେ ଯିଏ ବିଜ୍ଞାନୀମାନଙ୍କୁ ଖଟାଇ ନିଜ ଅସ୍ତ୍ରବଳକୁ ଉଦ୍ଧତ ଭାବରେ ବଢ଼ାଇବାରେ ଲାଗିଥିବ, ସିଏ ସତେଅବା ବହୁ ବିଭ୍ରାନ୍ତିଦ୍ୱାରା ବିଶେଷ ଭାବରେ ଛାନିଆ ହେବ ଓ ସନ୍ତ୍ରାସବାଦମାନଙ୍କୁ କାମରେ ଲଗାଇବାକୁ ବାହାରି ପଡ଼ିବ । ଆଧୁନିକ ପୃଥିବୀରେ ପ୍ରାୟ ସବୁଯାକ ସନ୍ତ୍ରାସବାଦକୁ ଏନ୍ତୁଡ଼ିଶାଳ ଯୋଗାଇ ଦେଇ ଆମ ଗତ ଶତାବ୍ଦୀର ଦୁଇ ରାଷ୍ଟ୍ର ଆମେରିକା ଓ ରୁଷିଆ ଯେ ଏତେ କୁଖ୍ୟାତି ଅର୍ଜନ କରିଛନ୍ତି, ତା’ ପଛରେ ତାହାରି ଭଳି ଏକାଧିକ କାରଣ ପ୍ରଚ୍ଛନ୍ନ ହୋଇ ରହିଛି । ମହାଦେବମାନେ ସାନ ସାନ ଭସ୍ମାସୁରମାନଙ୍କୁ ସମ୍ଭବ କରିଛନ୍ତି ଏବଂ ଭସ୍ମାସୁରମାନେ ଏବେ ପୃଥିବୀସାରା ଅଭୂତପୂର୍ବ ଆତଙ୍କମାନ ଲଗାଇଦେଇ ଶେଷକୁ ମହାଦେବଙ୍କର ନିଜ ଘରଗୁଡ଼ିକୁ ମଧ୍ୟ ତାଡ଼ିବାରେ ଲାଗିଛନ୍ତି । ଏବଂ ସେଇଥିପାଇଁ ମହାଦେବମାନେ ମଧ୍ୟ ଗୋଟାଏ ଘଟଣା ଘଟିବାରୁ ପାଠ ଶିଖିଗଲା ପରି ସନ୍ତ୍ରାସବାଦ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଛନ୍ତି ଏବଂ ସେହି ଅନୁସାରେ ସଜ ହେଉଛନ୍ତି । ଏମାନେ ଏକଦା ଯେଉଁ କଣ୍ଢେଇମାନଙ୍କୁ ସନ୍ତ୍ରାସବାଦର ଖଳାଟା ଭିତରେ ଗଢ଼ି ଆଣିଛନ୍ତି, ସେହିମାନେ ହିଁ ସମଗ୍ର ପୃଥିବୀର ଶତ୍ରୁ ଏବଂ ସମ୍ମିଳିତ ଭାବରେ ସେମାନଙ୍କ ସହିତ ଯୁଦ୍ଧ କରିଯିବା ଉଚିତ ବୋଲି ସେମାନେ ଆବାଜ ଦେଇ ଆକାଶ କମ୍ପାଉଛନ୍ତି ।

 

ଗୋଟାଏ ଅସୁର ଆଉ ଗୋଟାଏ ଅସୁର ବିରୁଦ୍ଧରେ ଲଢ଼ିବାର ପ୍ରସଙ୍ଗଟା ତ ଖୁବ୍ ବୁଝି ହେଉଛି, କିନ୍ତୁ ଏତେ ଏତେ ଅସୁର ପୃଥିବୀଟାକୁ ମାଡ଼ି ବସିଥିବା ଆସୁରିକତା ବିରୁଦ୍ଧରେ ରଣ ଯୁଝି ବାହାରିଛନ୍ତି, ଏହାକୁ ବହୁ କାରଣରୁ ଏକ ଯୁଗାନ୍ତକାରୀ ଘଟଣା ବୋଲି କୁହାଯିବ । ଯେଉଁ ଯୁଦ୍ଧଟି ସକାଶେ ଦୁନ୍ଦୁଭି ବାଜି ଉଠିଲାଣି, ସେହି ସମରତେ ପକ୍ଷେ ସନ୍ତ୍ରାସବାଦୀ ଆଉପକ୍ଷେ ସନ୍ତ୍ରାସବାଦୀଙ୍କ ସହିତ ଲଢ଼ିବେ ବୋଲି ତିଆରି ହେଉଛନ୍ତି । ଏହି ଯୁଦ୍ଧ ପୋଖତ ହେଉ ହେଉ ସନ୍ତ୍ରାସବାଦର ସେହି ପୂର୍ଣ୍ଣ ପରମ୍ପରାଟି ସହିତ ସଂଗ୍ରାମ ପାଇଁ ଯଦି ଯୋଗ୍ୟ ହୋଇଯିବ, ତେବେ ତୁମ ଆମ ସମସ୍ତଙ୍କ ଲାଗି ସତକୁସତ ଗୋଟିଏ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଘଟଣା ଘଟିବ ଏବଂ ପୃଥିବୀ ସମ୍ଭବତଃ ଆହୁରି ଅଧିକ କେତେ କଅଣ ନିମନ୍ତେ ପ୍ରସ୍ତୁତ ହୋଇଯିବ । ରାଜ୍ୟ ରାଜ୍ୟ ଏବଂ ରଜା ରଜା ମଧ୍ୟରେ ଲଢ଼େଇ ଲାଗୁ ଲାଗୁ ପୃଥିବୀଯାକର ଯେପରି ରାଜତନ୍ତ୍ର ବିଦାୟ ନେଇ ଚାଲିଯିବାର ମୁହୂର୍ତ୍ତଟି ଆସି ପହଞ୍ଚି ବି ଗଲା, ସନ୍ତ୍ରାସବାଦୀ ଓ ସନ୍ତ୍ରାସବାଦୀ ଲଢ଼େଇ ହେଉ ହେଉ ସନ୍ତ୍ରାସବାଦଟା କ୍ରମଶଃ ପଦାକୁ ଧରା ପଡ଼ିଯିବ ଏବଂ ହାଣ ଖାଇଯିବା ବୋଲି ଗୋଟାଏ ବୃହତ୍ ଆଶା ମଧ୍ୟ କରି ହେଉଛି । ଧର୍ମ ଧର୍ମ ଭିତରେ ଲଢ଼େଇ ଲାଗି ସବୁ ଧର୍ମକୁ ଅତିକ୍ରମ କରି ରହିଥିବା ଏକ ଆଲୋଡ଼ନକାରୀ ଆଧ୍ୟାତ୍ମଦୃଷ୍ଟି ଯେପରି ପୃଥିବୀରେ କ୍ରମଶଃ ସମ୍ଭବ ହୋଇ ଆସିଛି, ସନ୍ତ୍ରାସବାଦୀ ସନ୍ତ୍ରାସବାଦୀ ସହିତ ଲଢ଼େଇ କରୁ କରୁ ବିଶ୍ୱମୟ ମନୁଷ୍ୟ-ସମୂହର ଦିଗଦର୍ଶନ ହେବା ପାଇଁ ସତକୁସତ ଆଉକିଛି ଆସି ହୁଏତ ହାବୁଡ଼ି ଯିବ ବୋଲି କଳ୍ପନା କରିବାକୁ ଖୁବ୍ ମନ ହେଉଛି । ଗତ ଦୁଇ ଶତାବ୍ଦୀ ଧରି ସାମ୍ରାଜ୍ୟ ସାମ୍ରାଜ୍ୟ ଭିତରେ ଲଢ଼େଇ ହେଲା, ସେହି ଉତ୍ତାପରେ ଦୁଇଟା ବିଶ୍ଵଯୁଦ୍ଧ ଭିତରେ ପଶି ରାସ୍ତା ପାର ହେଉ ହେଉ ଏପରି କିଛି ପ୍ରକୃତରେ ଘଟିଲା ଯେ ଜୟଲାଭ କରିଥିବା ସାମ୍ରାଜ୍ୟଶକ୍ତିଟା ମଧ୍ୟ ସେହି ଆଗର ପ୍ରତାପଟା ସହିତ ଆଦୌ ତିଷ୍ଠି ରହିପାରିଲା ନାହିଁ । ବହୁ ଦେଶ ସ୍ୱାଧୀନ ହେଲେ, ଗଣତନ୍ତ୍ର ଏବଂ ସମାଜବାଦ ଦୁଇଟିଯାକ ବିଚାର ଅର୍ଥାତ୍‍ ସମାଧାନ ପୃଥିବୀଯାକର ମନୁଷ୍ୟମାନଙ୍କର ହୃଦୟକୁ ସମ୍ଭାବ୍ୟ ସୁସ୍ଥତମ ପଥ ବୋଲି ଏକ ସ୍ପଷ୍ଟତର ପ୍ରତୀତି ଆଣି ଦେଇଥିଲା । ଏବଂ ଏତିକି ପରିବର୍ତ୍ତନକୁ ମଧ୍ୟ କଦାପି କୌଣସି ପ୍ରକାରେ କମ୍ ବୋଲି କୁହାଯାଇ ପାରିବ ନାହିଁ । ଏବଂ ଆଗ ଅପେକ୍ଷା ଅଧିକ ସଦିଚ୍ଛା ସହିତ ବିଶ୍ୱସ୍ତରରେ ଏକତ୍ର ବିଚାର ଓ ଏକତ୍ର ସମାଧାନର ନୂଆ ନୂଆ ଅବକାଶମାନ, କେତେକେତେ ନୂତନ ପ୍ରତିଶ୍ରୁତି ବହନ କରି ସାକାର ହୋଇଆସିଲେ । କେବଳ ରାଜନୀତି ନୁହେଁ, ଅର୍ଥନୀତି, ସଂସ୍କୃତି ଏବଂ ଆହୁରି କେତେକେତେ କ୍ଷେତ୍ରରେ ଆଗକୁ ବିଚାର ମଧ୍ୟ କରାଯାଇପାରିଲା ।

 

କେତେଟା ଦେଶ ତଥାପି ନିଜକୁ ବୃହତ୍‌ଶକ୍ତି ବୋଲି କହିଲେ । ଅର୍ଥାତ୍ ଅର୍ଥାନ୍ଧତା ରହିଲା, ଅଧିକ ଅର୍ଥ ଦୁଃସାହସଗୁଡ଼ିକୁ ଯୋଗାଇ ଦେଇ ଜ୍ଞାନ ଓ ବିଜ୍ଞାନକୁ ଅସ୍ତ୍ରାନ୍ଧ ହେବାର ବାଟ ଖୋଲିଦେଲା, ଅର୍ଥ ଓ ଅସ୍ତ୍ର ଥିଲେ ଗୋଟାଏ ରାଷ୍ଟ୍ର ପୃଥିବୀରେ ଯାହା ଇଚ୍ଛା ତାହା କରିପାରିବ ବୋଲି ଗୋଟାଏ ପିତ୍ତ ଠାଏ ଠାଏ ରାଷ୍ଟ୍ରଶକ୍ତିକୁ ଉତ୍ତେଜିତ କରି ଆଣିଲା । ଏହି ରାଷ୍ଟ୍ର କେତେଟା ହିଁ ଜାତୀୟତାବୋଧକୁ ନିଶା ଜୋର୍‌ରେ ପ୍ରାୟ ଏକ ଧର୍ମ ବୋଲି ଗ୍ରହଣ କଲେ ଏବଂ ପୃଥିବୀଯାକର ମଣିଷ ସତେ ଅବା ଆଉ କିଛି ଲାଗି ପ୍ରସ୍ତୁତ ହୋଇ ଆସୁଥିବା ସମୟରେ ସେମାନଙ୍କୁ ସ୍ଵାର୍ଥାଦର୍ଶଗୁଡ଼ାକଦ୍ଵାରା ଛନ୍ଦି ରଖିବାକୁ ଚେଷ୍ଟା କଲେ । ଖୁବ୍ ସମ୍ଭବ ତାହାରି ମୁକାବିଲା କରିବାର ଏକ ପନ୍ଥା ରୂପେ ଧର୍ମାନ୍ଧତା ଜନ୍ମ ନେଲା । ଧର୍ମଗଲା, ଅନ୍ଧତାଟା ହିଁ ବଜାରରେ ଖୁବ୍ ଚଳିବାକୁ ଆରମ୍ଭ କଲା । ଧର୍ମାନ୍ଧତାର ଶିବିରକୁ ମଧ୍ୟ ଅନୁରୂପ ନେତାମାନେ କ’ଣ ପାଇଁ ମିଳିନଥାନ୍ତେ । ତେଣୁ ଆତଙ୍କମାନେ ବ୍ୟାପିଲେ, ସହଜରେ ବୁଝି ଯାଉଥିବା ମଣିଷମାନଙ୍କ ହାତରେ ଅସ୍ତ୍ର ଯୋଗାଇଦେଲେ; ସେମାନେ ଯାହାକୁ ରାଜନୀତି ବୋଲି କହିଲେ, ସେଥିରେ ଅଫିମ ଗିଳି ସହଜ ବାଟରେ ବହୁତ କିଛି ହାସଲ ହୋଇଯିବ ବୋଲି ଏକ ଭୟାନକ କ୍ରୂର ବିଶ୍ୱାସ ହିଁ ଭରି ରହିଥିଲା । କେବଳ ବଡ଼ ବଡ଼ ରାଷ୍ଟ୍ର ନୁହନ୍ତି, ନିତାନ୍ତ ସାନ ଅଥଚ ତାତ୍କାଳିକ ମତଲବଗୁଡ଼ିକର ପୂରଣ ନିମନ୍ତେ ସାନ ସାନ ରାଷ୍ଟ୍ରମାନେ ମଧ୍ୟ ସେମାନଙ୍କୁ ଭଡ଼ାରେ ନିଜ କାମରେ ଲଗାଇଲେ ଏବଂ ସେହି ପ୍ରକ୍ରିୟାରେ ସେମାନଙ୍କୁ ଏକ ବିଶ୍ଵଶକ୍ତିର ସ୍ଵୀକୃତି ଦିଆଇଲେ । ସେତେବେଳେ ଯାଇ ସବୁକିଛି ଅଚଳ ହୋଇଯିବାରେ ଲାଗିଛି ବୋଲି ହୋସ୍ ଆସି ପଶିଲା । ଏବଂ, ସେପାଖରେ ସାହସ ବଢ଼ି ବଢ଼ି ଯେତେବେଳେ ସେମାନେ ସେମାନଙ୍କର ଜନ୍ମଦାତାମାନଙ୍କର କାନ୍ଥକୁ ଆସି ଭୁଷୁଡ଼ାଇ ଦେଲେ, ସେତେବେଳେ ଆଉ ମୋଟେ ଡେରି କରିବା ଉଚିତ ନୁହେଁ ବୋଲି ଜ୍ଞାନୋଦୟଟିଏ ହେଲା । ପୃଥିବୀ ଲାଗି ଏହାକୁ ଆମେ ଶୁଭ ନା ଅଶୁଭ କ’ଣ ବୋଲି କହିବା ? ମାମଲତକାରମାନଙ୍କର ଭୂମିକାରେ ସର୍ବଦା ରହି ଆସିଥିବା ଗୁରୁଜନତୁଲ୍ୟ ଦେଶମାନେ ଯେତେବେଳେ ପ୍ରାୟ ନିଜ ଗାଲରେ ଚଟକଣା ମାରିହୋଇ ସନ୍ତ୍ରାସବାଦୀଙ୍କୁ ସେମାନଙ୍କର ଅତିଗୁଡ଼ାକ ପାଇଁ ସମୁଚିତ ଶାସ୍ତି ଦେବାକୁ ବାହାରିଲେଣି, ସନ୍ତ୍ରାସବାଦୀଙ୍କ ଉପରେ ହୁଏତ ତଥାପି ଭରସା ରଖିଥିବା ଗୁଳ୍ମମାନେ ମଧ୍ୟ ଲୁଗା ବଦଳି ସନ୍ତ୍ରାସବାଦୀ-ବିରୋଧୀ ଶିବିର ଭିତରକୁ ଆସିବା ପାଇଁ ଅଗତ୍ୟା ନିଷ୍ପତ୍ତି କରି ପକାଉଛନ୍ତି । ଆମେ ସେମାନଙ୍କର ଏହି ଦଶା ଦେଖି ମୋଟେ ହସିବା ନାହିଁଟି ।

 

ଏହି ନୂଆ ଯୁଦ୍ଧଟି ପ୍ରକୃତରେ କେତେଦିନ ଯାଏ ଚାଲିବ କେଜାଣି ? ଏଥିରେ କୋଉ ପଟ ଜିତିବ ଏବଂ କୋଉପଟ ହାରିବ ? ମାତ୍ର ଗୋଟିଏ କଥା ହୁଏତ ସ୍ପଷ୍ଟ ହୋଇଯିବ ଯେ, ଏହି ଯୁଦ୍ଧଟାରେ ସଂପୃକ୍ତ ସମସ୍ତେ ପଦାରେ ପଡ଼ିଯିବେ ଏବଂ ତେଣୁ ଯୁଦ୍ଧ ପୂର୍ବରୁ ସେମାନେ ଯୋଉ ପୃଥିବୀର ଯୁଦ୍ଧକୁ ଯାଇଥିଲେ, ସେମାନେ ସେହି ଏକା । ପୃଥିବୀକୁ ମୋଟେ ଫେରି ଆସିବେ ନାହିଁ-। ପୃଥିବୀ ବଦଳି ଯାଇଥିବ । ଏହି ପୃଥିବୀରେ ଯେତେଥର ଏହିଭଳି ଘଟଣାମାନ ଘଟିଛି, ସବୁଥର ପୃଥିବୀ ବଦଳି ଯାଇଛି । ଅଧିକରୁ ଅଧିକ ମଣିଷଙ୍କର ଆଖି ଖୋଲି ଯାଇଛି । ସତେଅବା ଏକ ନୂଆ ଆଲୁଅ ଆସି ପୃଥିବୀ ଉପରେ ପଡ଼ିଛି ଏବଂ ପୁରୁଣା ପ୍ରତାପଗୁଡ଼ାକୁ ଡରିବାର ବିଶେଷ କୌଣସି କାରଣ ନାହିଁ ବୋଲି ଅଧିକରୁ ଅଧିକ ମଣିଷ ହୃଦୟଙ୍ଗମ କରିଛନ୍ତି । ଏହି ଡର ଭାଙ୍ଗିବାରୁ ହିଁ ଲୋକଶକ୍ତି ନାମକ ସେହି ଅନ୍ୟ ସମ୍ପଦଟି ଜନ୍ମଲାଭ ବି କରିଛି । ସମ୍ଭବତଃ ସମୀଚୀନ ସତ୍ୟଟି ହେଉଛି ଯେ, ରାଷ୍ଟ୍ରମାନେ ସନ୍ତ୍ରାସବାଦର ଆଶ୍ରୟ ନେଉଥିବା ପର୍ଯ୍ୟନ୍ତ ସେମାନେ ଏକ ସମାନ୍ତର ସନ୍ତ୍ରାସବାଦ ପ୍ରତ୍ୟୁତ୍ତର ପରି ଗଠିତ ହୋଇ ଆସିବା ନିମନ୍ତେ ଅବସରଗୁଡ଼ିକୁ ସୃଷ୍ଟି କରିଛନ୍ତି । ସାଂପ୍ରତିକ ପୃଥିବୀରେ ହୁଏତ କ୍ୱଚିତ୍ କୌଣସି ଦେଶରେ ଏପରି କେହି ରହିଥିବେ ଯେଉଁମାନେ କି ସେହି ସତ୍ୟଟିକୁ ଜାଣିନଥିବେ । ବିଶ୍ଵହୃଦୟ କ୍ରମେ ସେହି ସତ୍ୟଟିକୁ ହିଁ ଅଧିକରୁ ଅଧିକ ସ୍ପଷ୍ଟ ଭାବରେ ଘୋଷଣା କରି ବାହାରିଲାଣି ଯେ ଆଗକୁ ସେହି ଲୋକମାନଙ୍କର ସମୟଟା ହିଁ ଆସୁଛି । ତେଣୁ ସନ୍ତ୍ରାସବାଦ ସନ୍ତ୍ରାସବାଦ ଆହୁରି ଲଢ଼ନ୍ତୁ, ପରସ୍ପରର ଗୁମରମାନଙ୍କୁ ଆହୁରି ପଦାରେ ପକାନ୍ତୁ । ଉଭୟେ ଉଭୟଙ୍କର ଗାଡ଼ ଭିତରେ ପଶନ୍ତୁ ଓ ସତଟାକୁ ପଦାକୁ ଆଣନ୍ତୁ ।

 

ମଣିଷମାନେ ଯେ ସେମାନଙ୍କର ଦେଶ ବା ରାଷ୍ଟ୍ରଠାରୁ ଅନେକ ଅଧିକ ବଡ଼, ସେହି ସତ୍ୟଟି ଅଧିକ ପ୍ରତ୍ୟୟର ସହିତ ଏହି ଧରାପୃଷ୍ଠରେ ପ୍ରତିଷ୍ଠିତ ହେଉ । ରାଷ୍ଟ୍ରୀୟତା ଏବଂ ଯାବତୀୟ ଅନ୍ଧତାର କୋପ କମି ଆସିଲେ ମଣିଷ ତା’ର ସ୍ୱମହିମା ବିଷୟରେ ସଚେତନ ହୋଇ ଯେ ବାଟ ଚାଲିପାରିବ, ଅଧିକରୁ ଅଧିକ ମଣିଷ ସେହି ସତ୍ୟଟିକୁ ବୁଝନ୍ତୁ । ସେହି ସତ୍ୟଟି ନିମନ୍ତେ ଆବଶ୍ୟକ ପରିବେଶଗୁଡ଼ିକୁ ସମ୍ଭବ କରିବା ଯେ ସକଳ ରାଷ୍ଟ୍ର ତଥା ସକଳ ଧର୍ମର ଅସଲ କାର୍ଯ୍ୟ, ସନ୍ତ୍ରାସବାଦୀ ରୋଗଗୁଡ଼ାକୁ ପରିତ୍ୟାଗ କରି ସେମାନେ ସେ କଥାଟିକୁ ଅବଶ୍ୟ ବୁଝିବେ ।

 

ଯାବତୀୟ ନ୍ୟାୟରେ ଏବେ ଦୁଇ ସନ୍ତ୍ରାସବାଦ ମଧ୍ୟରେ ଲଢ଼େଇ ହେବାର ସଜବାଜ ଚାଲିଛି । ଏକ ପାଖରେ ନିଜର ପ୍ରତିପତ୍ତି ଅର୍ଥାତ୍ ପ୍ରଭାବଛାୟାକୁ ପୃଥିବୀ ଉପରେ ମଡ଼ାଇ ରଖିବା ପାଇଁ ସନ୍ତ୍ରାସବାଦକୁ ମଧ୍ୟ ଏକ ଉପାୟ ବୋଲି ସର୍ବଦା ଗ୍ରହଣ କରି ଆସିଥିବା ରାଷ୍ଟ୍ରଗଣ ଏବଂ ତାହାର ପ୍ରତିକ୍ରିୟା ସ୍ୱରୂପ ଏବେ ବିଶେଷ ଭାବରେ ପରିସ୍ଥିତିଗୁଡ଼ିକର ନାନା ବିଡ଼ମ୍ବନାରୁ ପ୍ରବଳ ହୋଇ ଗଢ଼ି ଉଠିଥିବା ସନ୍ତ୍ରାସବାଦୀ ଅନ୍ୟ ପକ୍ଷଟି । ଗୋଟିକ ପଟେ ଅର୍ଥ, ଅସ୍ତ୍ର, ରାଜନୀତିକ ହାକିମୀ, ଉଚ୍ଚ ପାରିଶ୍ରମିକ ପାଇ ଗୋଲାମ ହୋଇ ସେବା ଖଟୁଥିବା ଜ୍ଞାନ ଓ ବିଜ୍ଞାନ ଏବଂ ଆହୁରି ବହୁତ କିଛି । ଉଭା ଓ ପୋତା ଉଭୟ । ସମସ୍ତେ କହୁଛନ୍ତି, ପ୍ରତିପକ୍ଷୀ ଅନ୍ୟ ଶିବିରଟି ହାତରେ ମଧ୍ୟ ଅର୍ଥ ଅସ୍ତ୍ର ଖୁବ୍‍ ରହିଛି । ଜନରବ ତ ହେଲାଣି ଯେ, ରାସାୟନିକ ବୋମା ବି ରହିଛି, ଜୀବାଣୁ ବୋମା ରହିଛି, ଏପରିକି ଅଣୁବୋମା ମଧ୍ୟ ରହିଛି । ଏହି ଶେଷୋକ୍ତ ହତିଆରଗୁଡ଼ିକୁ ବ୍ୟବହାର କରିବାରେ ବହୁତ ସରକାରମାନଙ୍କର ରାଜିନାମାରେ ବହୁବିଧ ନିଷେଧ ବି ରହିଛି । କିନ୍ତୁ ନିଜନିଜର ଗୁପ୍ତ ଆଡ୍ଡାଗୁଡ଼ିକରୁ ସନ୍ତ୍ରାସବାଦର ଧ୍ଵଂସାଭିଯାନ ଚଳାଇଥିବା ସଂସ୍ଥାମାନଙ୍କ ପାଇଁ ସେପରି କୌଣସି ବାଡ଼ବତା ନାହିଁ । ସେମାନେ ଅତି ନିରାଶ ହୋଇ ଶେଷକୁ ସେହିସବୁ ଭୟାନକ ସର୍ବଧ୍ୱଂସକାରୀ ବାଟକୁ ମନ କରିବେ ନାହିଁ ତ ? ପୃଥିବୀଟା ଏହିପରି ସନ୍ତ୍ରାସବାଦଦ୍ୱାରା ବରବାଦ ହୋଇଯାଉ ବୋଲି ପୃଥିବୀରେ କୌଣସି ହିତବୁଦ୍ଧି ରହିଥିବା ମଣିଷ କଦାପି ଇଚ୍ଛା କରୁନଥିବ । ଯେତେଦୂର ମନେ ହେଉଛି ବିଧାତା ମଧ୍ୟ ସେହି କୋଟି କୋଟିଙ୍କ ପକ୍ଷରେ ରହିବେ । କୋଟି କୋଟିଙ୍କ ସହିତ ବିଧାତା ମଧ୍ୟ ଆହୁରି ଆଗକୁ ଏହି ପୃଥିବୀକୁ ନେଇ କେତେ ସ୍ଵପ୍ନ ଦେଖୁଥିବେ । ସେହି ସ୍ୱପ୍ନର ହିଁ ଜୟ ହେବ । ମାତ୍ର, ପୃଥ୍ୱୀ–ଇତିହାସରେ ସର୍ବପ୍ରଥମ ଥର ପାଇଁ ଦେଶ ଓ ସରକାରମାନେ ଯେ ଜଣେ ଆଉ ଜଣକ ବିରୋଧରେ ନଲଢ଼ି ପରମ୍ପରା ଭାଙ୍ଗି ଏକତ୍ର ହୋଇ ସନ୍ତ୍ରାସବାଦ ବିରୁଦ୍ଧରେ ଲଢ଼େଇ କରି ବାହାରିଲେ ଏବଂ ଏପରିକି, ସ୍ୱୟଂ ସନ୍ତ୍ରାସବାଦର ଅଳ୍ପ ବହୁତ ଥାନ ଛାଡ଼ି ଦେଇଥିଲେ ମଧ୍ୟ ତଥାପି ସନ୍ତ୍ରାସବାଦର ନିର୍ମୂଳନ ପାଇଁ ପାଗ ବାନ୍ଧି ଏକାଠି ହେଲେ, ଏହି ଘଟଣାଟି ଏକ ବିଶେଷ ଘଟଣା ହୋଇ ଅଲବତ ରହିବ, ରାଷ୍ଟ୍ର-ରାଷ୍ଟ୍ର ସଂପର୍କିତ କ୍ଷେତ୍ରରେ ଏକ ଅଭିନବ ଆଗ୍ରହର ସନ୍ତକ ହୋଇରହିବ । ସେହି ସନ୍ତକଟିର ବିଜୟ ହେଲା ବୋଲି ସତକୁସତ କୌଣସି ଯୁଦ୍ଧ ନହେଲେ ମଧ୍ୟ ଖୁସି ହୋଇ କହିହେବ ।

 

ତା'ପରେ କ'ଣ ହେବ ? ଅନ୍ତଜାର୍ତୀୟ ରଣକ୍ଷେତ୍ରରୁ ରାଷ୍ଟ୍ରମାନେ ବିଜୟୀ ହୋଇ ଫେରିବା ପରେ ସେହିସବୁ ଦେଶର ଜନଗଣ କ’ଣ ଠିକ୍‌ ଆଗପରି ସେମାନଙ୍କୁ ନିଜ ଘରେ ସନ୍ତ୍ରାସବାଦୀ ହେବାଲାଗି ବାଟ ଛାଡ଼ିଦେବେ ? ସନ୍ତ୍ରାସବାଦ ସହିତ ଯୁଦ୍ଧରେ ମୁହାଁମୁହିଁ ହୋଇ ଓ ତଦ୍ଦ୍ୱାରା ପୃଥିବୀଯାକ ଏକ ଅନ୍ୟ ଆଶ୍ୱାସନାର ହାଉଆ ସୃଷ୍ଟି କରି ପୁନର୍ବାର ଦମନ କରି ରଖିବା ସକାଶେ ସେମାନଙ୍କର ତଥାପି ମୁହଁ ରହିବ କି ? ସାହସୀ ବିବେକଟା ହସ୍ତକ୍ଷେପ କରି କହିବାକୁ ଇଚ୍ଛା କରୁଛି ଯେ, ସେଭଳି ଆଦୌ ଘଟିବ ନାହିଁ । ମୁଁ ବିଶେଷ କରି ଏହି ପାଖର ପୃଥ୍ୱୀଖଣ୍ଡଟା କଥା ଭାବୁଛି । ଏସିଆ ଓ ଆଫ୍ରିକା କଥା ଭାବୁଛି । ରାଜନୀତିକ ସ୍ୱାଧୀନତା ଆସିବା ପରେ ଏହିସବୁ ଭୂମିର ଅର୍ଦ୍ଧାଧିକ ଲୋକ ତଥାପି ବହୁ ତ୍ରାସରେ ରହିଛନ୍ତି । ବହୁ ଅସହାୟତା ମଧ୍ୟରେ କାଳ କାଟୁଛନ୍ତି । ସେମାନଙ୍କ ପାଇଁ କୌଣସି ସ୍ୱାଧୀନତା ଆସିନାହିଁ । ଇନ୍ଦ୍ରରାଜା ଏବେ ମଧ୍ୟ ସେମାନଙ୍କ ଲାଗି ମେଘ ବରଷିବାକୁ ଦେଉନାହାନ୍ତି । ସେମାନଙ୍କର ରାତିସବୁ ଆହୁରି ପାହିନାହିଁ । ଭାରି ମନେ ହେଉଛି, ଏହା ପରେ ଏହିସବୁ ଦେଶରେ ଅଭୂତପୂର୍ବ ହୋଇ ବହୁତ କିଛି ଘଟିବ । ନିଜ ଘର ଭିତରେ ସନ୍ତ୍ରାସବାଦକୁ ମାନିବାକୁ ଜନସମୂହ ମନା କରିବେ । ସେହି ଉଦ୍ଦେଶ୍ୟରେ ନିଦ ଭାଙ୍ଗି ଉଠିବେ । କ୍ରିୟାଶୀଳ ହେବେ । ପୃଥିବୀରେ ଇତିମଧ୍ୟରେ ବିଶ୍ୱସ୍ତରୀୟ ଏକାଧିକ ସଂସ୍ଥା ଏବଂ ସଂଗଠନ ଗଢ଼ି ଉଠିଲେଣି, ଯେଉଁମାନେ କି ସେମାନଙ୍କର ପକ୍ଷନେବେ, ଲଢ଼ିବା ସକାଶେ ହିମ୍ମତ ଦେବେ । ଏହାକୁ ମଧ୍ୟ ସମାନ ଭାବରେ ଏକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଘଟଣା ବୋଲି ନିଶ୍ଚୟ କୁହାଯିବ-

 

୫.୧୧.୦୧

☆☆☆

 

ଅଚେତା ମଣିଷର କଥା

 

ଚେତା ରହିଛି ବୋଲି ମଣିଷକୁ ମଣିଷ ବୋଲି କୁହାଯାଉଛି । ଆକାଶଟା ଯେମିତି ବେଳେବେଳେ ମେଘରେ ଢାଙ୍କି ହୋଇଯାଏ, କ’ଣ ପାଇଁ ଆଉ କ’ଣ ସବୁଦ୍ଵାରା ଚେତାଟା ଢାଙ୍କି ହୋଇଯାଏ ବୋଲି ମଣିଷ ହଠାତ୍ ଆପଣାକୁ ଅଚେତା ବୋଲି ଭାବେ । ଏହିପରି ଭାବି ଭାରି ଭୁଲ୍ କରେ । ଅନେକ ଗୁରୁ କାଳେ କାଳେ ଏହି ପୃଥିବୀରେ ସତ୍ୟ-ପ୍ରଘଟନର ବଜାର ଭିତରେ ଆସି ଦେଖାଦେଇଛନ୍ତି, ଯେଉଁମାନେ କି ମଣିଷମାନଙ୍କୁ ଅଚେତା ବୋଲି ଧରି ନେଇ ସେମାନଙ୍କୁ ଚେତା କରିବା ନିମନ୍ତେ ଦୀକ୍ଷାଦାନର ମର୍ଦ୍ଦଳମାନ ଧରି ଦାଣ୍ଡକୁ ବାହାରିଛନ୍ତି । ସଂଭବତଃ ସେହିମାନଙ୍କର ଅତ୍ୟୁତ୍ସାହ ହେତୁ ପୃଥିବୀରେ ସଂପ୍ରଦାୟ ବଢ଼ିଛି । ଚିତାପଇତା ବୃଦ୍ଧି ପାଇଛି, ନିର୍ବୋଧ କନ୍ଦଳଗୁଡ଼ାକ ବଢ଼ିଛି ଏବଂ ଅସଲ ଚେତାଟି କ୍ରମେ ଆହୁରି ଅଧିକ ତଳେ ଯାଇ ପୋତି ହୋଇ ଯାଇଛି । ଧର୍ମମାନେ ବହୁବିଧ ହୋଇଛନ୍ତି, ପରସ୍ପରର ଭାଷାକୁ ଆଦୌ ବୁଝିପାରିନାହାନ୍ତି–ମଞ୍ଚ ଭିତରେ ବହୁ ଆନନ୍ଦକୁ ଧରି ରଖୁଥିବା ଆମର ଏହି ପୃଥିବୀଟାକୁ ସେମାନେ ଭଳି ଭଳି ଅଚେତା ଭିତରେ ବୀଭତ୍ସ କରି ରଖିଛନ୍ତି । ସେମାନେ ମଣିଷମାନଙ୍କୁ ଭାରି ଫାଙ୍କ୍‌ ଫାଙ୍କ୍‌ କରି ପକାଇଛନ୍ତି । ବହୁ ତ୍ରାସର କାରଣ ହୋଇଛନ୍ତି ଏବଂ ତ୍ରାସକୁ ଏକ ବାଦରେ ପରିଣତ କରି ରଖିଛନ୍ତି ।

 

ପୃଥିବୀରେ ସଚରାଚର ଗୋଟିଏ ବିଶେଷ କିସମର ମଣିଷ ଥାଆନ୍ତି, ଯେଉଁମାନେ କି କେବଳ ନିଜକୁ ହିଁ ଚେତାଥିବା ଭଳି ଅନୁଭବ କରନ୍ତି । ଏବଂ ହୁଏତ ସେହି କାରଣରୁ ପୃଥିବୀର ଅନ୍ୟ ସମସ୍ତଙ୍କୁ ଅଚେତା ବୋଲି ଭାବନ୍ତି । ଏହି ଅଚେତାମାନେ ପ୍ରାୟ ଏକ ଭାଗ୍ୟ ବିପର୍ଯ୍ୟୟରେ ପଡ଼ି ଅର୍ଥାତ୍ ହୁଡ଼ିଯାଇ ଗୁରୁ ହୁଅନ୍ତି, ନେତା ହୁଅନ୍ତି, ପରାକ୍ରମୀ ବିଶ୍ଵଜୟୀ ହୁଅନ୍ତି । ଡିକ୍ଟେଟର ହୁଅନ୍ତି । ଆପଣା ଭିତରେ ଅଚେତାଗୁଡ଼ିକୁ ଘୋଡ଼ାଇ ରଖିବାକୁ ଚେଷ୍ଟା କରି ସେମାନେ ଆଉ ସେହିଭଳି ମଣିଷଟିଏ ଅନ୍ୟ ମନୁଷ୍ୟମାନଙ୍କ ମଧ୍ୟରେ ସବାଆର ଚେତାଟାକୁ ହିଁ ଦେଖିବ । ଚେତାଟା ସହିତ ହିଁ ଖିଅ ଯୋଡ଼ିବ ଓ ବନ୍ଧୁ ବାନ୍ଧିବ । ଏପରିକି, ଆଉମାନଙ୍କ ଭିତରେ ଅଚେତା ରହିଥିବାର କିଛି ପ୍ରାମାଣିକ ସଂକେତ ପାଉଥିଲେ ମଧ୍ୟ ସିଏ ତଥାପି ହଟି ଆସିବ ନାହିଁ । ଭର୍ତ୍ସନା ବି କରିବ ନାହିଁ; ଓଲଟି ଅଧିକ ଭିତରକୁ ଯାଇ ଚେତାଟିର ଠାବ ପାଇବ । ସେଇଠି ତାକୁ ସାଙ୍ଗଟିଏ ମିଳିଯିବ ଏବଂ ପୃଥିବୀରେ ସାଙ୍ଗଟିଏ ଦେଖାଯିବାକୁ ଆରମ୍ଭ କଲେ ଚେତାମାନେ ତା’ ପରେ ଆଉ କାହିଁକି ବା ଅଚେତା ଦେଖି ହୁରୁଡ଼ି ଆସିବେ ବା କଟୁରୀ ଧରି ହାଣିବାକୁ ବାହାରିବେ ? ଅଧିକ ସିଧା କରି କହିଲେ, ଚେତା ଥିବା ମଣିଷ ହେଉଛି ଜଣେ ଅନମନୀୟ ମଣିଷ । ଏଡ଼େ ଅନମନୀୟ ଯେ, ଅଚେତାକୁ ଦେଖିଲେ ମଧ୍ୟ କଦାପି ଶଙ୍କିଯିବ ନାହିଁ । କେବଳ ଚେତା ଥିବା ମଣିଷ ହିଁ ମାୟାକୁ କାଟି ପାରିବ, ସିଏ ମୋଟେ ମାୟାବାଦୀ ହେବ ନାହିଁ । ଜଣେ ଗୁରୁ ଭିତରେ ଅସଲ ଚେତାଟି ରହିଥିଲେ ସିଏ ତାକୁ ଘେରି କରି ବସିଥିବା ଆଉମାନଙ୍କ ଭିତରେ ମଧ୍ୟ ସବାଆଗ ଚେତାଟାକୁ ସିଧା ସ୍ପର୍ଶ କରିପାରିବ; ଆପଣାକୁ ପ୍ରସାରି ଦେଇ ପାରିବ, ବହୁ ଅଭାବନୀୟ ସଂକ୍ରମଣର ମଧ୍ୟ କାରଣ ହୋଇପାରିବ । ଜଣେ ଶିକ୍ଷକ ନିଜ ଚେତାଟିର ନିବିଡ଼ ଏବଂ ନିର୍ଭୟ ପରିଚୟଟିଏ ପାଇଥିଲେ ଛାତ୍ରମାନେ ଅଚେତା ହୋଇ ରହିଛନ୍ତି ଏବଂ ତେଣୁ ମୁଁ ଆଦୌ କିଛି କରିପାରିବି ନାହିଁ ବୋଲି କହି କେବେହେଲେ ଲେଉଟି ଆସିବ ନାହିଁ । ଚେତା ଥିବା ମଣିଷ ହେଉଛି ସ୍ୱଭାବପ୍ରେରିତ ଭାବରେ ଜଣେ ଅଙ୍ଗୀକାରବଦ୍ଧ ମଣିଷ । ଏହି ପୃଥିବୀ ପାଖରେ ଅଙ୍ଗୀକାରବଦ୍ଧ, ପୃଥିବୀର ମଣିଷମାନଙ୍କ ପାଖରେ ନିତାନ୍ତ ଏକପାଖିଆ ଭାବରେ ଅଙ୍ଗୀକାରବଦ୍ଧ । ତିନି ଭୁବନକୁ ଚଳାଉଥିବା ଭଗବାନ ଯେପରି ଅଙ୍ଗୀକାରବଦ୍ଧ, ଠିକ୍ ସେହିପରି । ଏଣୁ ଚେତା ଥିବା ଜଣେ ଗୁରୁର ବା ଶିକ୍ଷକର ଭଗବାନ ହେଉଛନ୍ତି ଜଣେ ଚେତା ଥିବା ଭଗବାନ ।

 

ସମ୍ଭବତଃ ସେହି କାରଣରୁ ହିଁ ଚେତାକୁ ଆଳ କରି ଅଚେତା ଆଉ ଅଚେତା ଭିତରେ ତକରାଳ ଲାଗି ଆସିଛି । ଅଚେତାଗୁଡ଼ାକୁ ନିଠ କରି ଠାକୁରମାନେ ତିଆରି ହୋଇଛନ୍ତି ଓ ଠାକୁରମାନଙ୍କୁ ନିଠ କରି ଧର୍ମପୁରାଣମାନଙ୍କର ଭଣିତା ହୋଇଛି । ମୋ ବାଟଟା ହେଉଛି ଏକମାତ୍ର ଠିକ୍ ବାଟ ଏବଂ ଆଉସବୁ ବାଟ ଠିକ୍ ନୁହନ୍ତି, ସର୍ବତ୍ର ଅଚେତାମାନେ ହିଁ ଭାରି ଦମ୍ଭରେ ସେହି ଦମଟାର ପ୍ରଚାର କରିଛନ୍ତି । ଅଚେତା ପକ୍ଷରୁ ପ୍ରଚାରକମାନେ ତଥାକଥିତ ପବିତ୍ର ଧର୍ମମାନଙ୍କର ପ୍ରଚାର କରି ଦୁନିଆଟାକୁ ବଡ଼ କଲବଲ କରିଛନ୍ତି ଓ ବହୁ ବହୁ ନୃଶଂସତାକୁ ପ୍ରଶ୍ରୟମାନ ଦେଇଛନ୍ତି-। ଗୋଟାଏ ଅଚେତାକୁ ଗାଦିଚ୍ୟୁତ କରିବା ଲାଗି ଆଉ ଗୋଟାଏ ଅଚେତା ଆସି ପହଞ୍ଚିଯାଇଛି-। ସେହି ନାଟଗୁଡ଼ିକ ଏବେ ଯାଏ ଭାରି ଉଲ୍ଲାସରେ ଚାଲିଛି । ଅଚେତାମାନଙ୍କର ରାଜତ୍ୱ ଲାଗି ରହିଥିବାରୁ ପ୍ରାଚୁର୍ଯ୍ୟର ପୃଥିବୀଟାରେ ବହୁତ ମଣିଷ ପେଟକୁ ମୁଠାଏ ଅନ୍ନ ବି ପାଉନାହାନ୍ତି, ଅଚେତା ମଣିଷମାନେ ଘୁଷୁରିଙ୍କ ପରିଶ୍ରମ ଖଟୁଛନ୍ତି ଏବଂ ଆଉ ଗୋଟାଏ ପଟେ ଆଉ ଥୋକେ ଅଚେତା ମଣିଷ ବିଳାସରେ ଲୋଟୁଛନ୍ତି ଏବଂ ତାହାକୁ ଠାକୁରମାନଙ୍କର ଅନୁଗ୍ରହ ବୋଲି କହୁଛନ୍ତି-। କେବଳ ଅଚେତାମାନଙ୍କର ହାଟରେ ହିଁ ଜ୍ଞାନ ବିକା ହେଉଛି ଏବଂ କିଣା ହେଉଛି-। ଅଚେତାମାନଙ୍କ ହାତରେ କ୍ଷମତା ଠୁଳ ହୋଇ ରହିଛି ବୋଲି ପୃଥିବୀରେ ବୋମା ସବୁ ଗଦା ହୋଇ ରହିଲାଣି ଏବଂ ତଥାପି ସେହି ଉତ୍ସାହଟାକୁ କେହି ରୋକିପାରୁ ନାହାନ୍ତି-। ଚେତା ହିଁ ସଚରାଚର ଭୟ ଭାଙ୍ଗିବାରେ ମଣିଷର ସହାୟ ହୋଇଥାଏ ଏବଂ ଅଚେତାଦ୍ଵାରା ଅଣଅକ୍ତିଆର ହୋଇ ରହିଥିବା ବହୁ ଆଧୁନିକ ସ୍ପୂର୍ତ୍ତିଦ୍ଵାରା ଭରପୂର ଆମ ପୃଥିବୀଟାରେ ଭୟଟା ହିଁ ମନୁଷ୍ୟମାନଙ୍କୁ ଏବଂ ଦେଶମାନଙ୍କୁ ସକଳ ଅବସରରେ କାମୁଡ଼ି ଧରିଛି । ବିଶ୍ଵାସ ଭାଙ୍ଗିଯାଉଛି ଏବଂ ଏକ ଆରେକୁ ଦରିଦ୍ର କରି ରଖି ପ୍ରାୟ ପ୍ରତ୍ୟେକେ ତୁଚ୍ଛା ନିଜ ନିଜ ଗାତଟି ନିମନ୍ତେ ହିଁ ଜଗତଯାକର ବିତ୍ତ ଏବଂ ସୁଖକୁ ଘିଚିନେବାରେ ବ୍ୟାକୁଳ ହୋଇ ରହିଛନ୍ତି । ଆଧୁନିକ ସାହିତ୍ୟ ଭିତରେ ଖାଲି ଛନଛନ ଶଙ୍କାଗୁଡ଼ାକ ଭଣଭଣ ଗନ୍ଧାଇବାରେ ଲାଗିଛନ୍ତି । ପୃଥିବୀରେ ମଣିଷ ମାତ୍ରକେ ସମସ୍ତେ ସାଙ୍ଗ ଖୋଜୁଛନ୍ତି । ଅଥଚ ସାହିତ୍ୟ ସତେଅବା ଏକ ନାହିଁ ନଥିବା ଖଳତାଦ୍ଵାରା ଚତୁରପଣ ଦେଖାଇ ସେମାନଙ୍କୁ ନିଃସଙ୍ଗତାର କଥା କହୁଛି । ନିଜର କଥାଗୁଡ଼ାକୁ ଅଳଙ୍କାର ଦେଇ ଏଭଳି ମୁଖା ପିନ୍ଧାଇ ରଖିଛି ଯେ, ପାଠକମାନେ ତାହାକୁ ହିଁ ଆସ୍ୱାଦନ କରି ପୂରା ବଶ୍ୟ ହୋଇ ବି ଯାଉଛନ୍ତି । ଚେତା ରହିଥିବା ସାହିତ୍ୟ ତଥା ସାହିତ୍ୟିକ ସତେ ଅବା ସମ୍ପୃକ୍ତ ସମସ୍ତଙ୍କୁ ସବା ଆଗ ଚେତାର ହିଁ ଉଦ୍‌ବୋଧନ ଦେଇପାରୁଥାନ୍ତା । ଅର୍ଗଳ ଭାଙ୍ଗି ଚେତାମାନଙ୍କୁ ଏକଜୁଟ କରିପାରୁଥାନ୍ତା-

 

ରାଜନୀତିରେ ମଧ୍ୟ ଭାରି ଅଳପ ଚେତା ଏବଂ ତେଣୁ ଅଧିକ କ୍ଷମତା । ଅଧିକ ଉପୀଡ଼ନ ଓ ଅଧିକ ଅଭିସନ୍ଧି । ବହୁ ମିଛ ସାମୂହିକତାର ଭାବପ୍ରବଣ ପଟଳମାନ ସୃଷ୍ଟିକରି ଚେତାଘରକୁ ରହିଥିବା ସମ୍ଭାବ୍ୟ ବାଟଗୁଡ଼ିକୁ ବନ୍ଦ କରି ରଖିବାରେ ଫିସାଦି । ଅଳପଙ୍କ ହାତରେ ସବୁଯାକ ଶକ୍ତି । ତେଣୁ ସକଳ ବାସ୍ତବତାର କ୍ଷେତ୍ରରେ ତୁଚ୍ଛା ଅପଶକ୍ତି ଭାବରେ ସେଗୁଡ଼ିକୁ ପ୍ରୟୋଗ କରିବାର ଭଳି ଭଳି ଦୁର୍ବୁଦ୍ଧି । ଅଳପ ମଣିଷ କ୍ଷମତାରେ ରହିବେ ଏବଂ ପ୍ରଧାନତଃ ଅନୁଗ୍ରହ-ପ୍ରଦର୍ଶନ ଦ୍ୱାରା ଜୀବନର ନାନା ଦୈନ୍ୟର ଦୂରୀକରଣ କରିବାର ନାଟକମାନଙ୍କୁ ଚାଲୁ ରଖୁଥିବେ, ଏହା ପୂରା ଅଚେତାର କଥା । ଏହାରି ଫଳରେ ହିଁ ଉପରେ ଅଳପ ମଣିଷ ସାମୂହିକ ନିୟତି ତଥା ସମ୍ଭାବନାଚୟର ତୋଟାମାନଙ୍କରେ ମୁକ୍ତାମାଳ ପିନ୍ଧିଥିବା ବାନରବତ୍ ଡାଳରୁ ଡାଳ ଫକ ଫକ ହୋଇ ଡେଉଁଥାଆନ୍ତି ଏବଂ ତଳେ ପ୍ରଜାମାନେ ଗଧ ଭଳି ସହିବାରେ ଲାଗିଥାନ୍ତି । ଚେତା ସେମାନଙ୍କର ନିଜ ଭିତରେ ରହିଛି ଏବଂ ତାହାରି ପରିଚୟ ପାଇ ହିଁ ଯୁଗେ ଯୁଗେ ଲୋକମାନେ ପୁରୁଣାଟାକୁ ବଦଳାଇ ନୂଆର ଥାପନା କରିଛନ୍ତି ବୋଲି ଗୋଟାସୁଦ୍ଧା ଭୁଲି ରହିଥାନ୍ତି-। ଚେତା ରହିଥିବା ଅର୍ଥାତ୍ ନିଜ ଭିତରର ଚେତାଟି ସହିତ ଖିଅ ଲଗାଇ ରହିଥିବା ମନୁଷ୍ୟମାନେ କଦାପି ଏତେଗୁଡ଼ାଏ ସହ୍ୟ କରିବେ ନାହିଁ । ଚେତା ରହିଥିବା ମନୁଷ୍ୟମାନଙ୍କର ସଂସ୍କୃତି ହେଉଛି ସ୍ୱାର୍ଥପ୍ରଣୋଦିତ କ୍ଷୁଦ୍ରତା ଏବଂ ଉପେକ୍ଷାଗୁଡ଼ିକୁ ଭାଙ୍ଗିଦେଇ ସର୍ବଜନହିତରେ ପରିଣତ କରିବାର ଅର୍ଥାତ୍ ପୁନର୍ବିନ୍ୟାସର ଏକ ସଂସ୍କୃତି । ଅଚେତା ଭିତରେ ବାନ୍ଧି ହୋଇ ରହିନଥିଲେ ମଣିଷ ମୋଟେ ଏତେ ଏତେକୁ ସହ୍ୟ କରନ୍ତା ନାହିଁ । ସିଏ ପ୍ରତିବାଦ କରନ୍ତା, ବିକଳ୍ପଟିଏ ଅଛି ବୋଲି ଦୃଢ଼ ଭାବରେ ଘୋଷଣା କରନ୍ତୁ ଅନ୍ତତଃ ସମଧର୍ମୀ ସଚେତମାନଙ୍କ ସହିତ ଏକାଠି ବସି ଏକ ବିକଳ୍ପର ଅନ୍ୱେଷଣ କରନ୍ତା । ଚେତା ହେଉଛି ଯେ ପୃଥିବୀର ପ୍ରତ୍ୟେକ ମନୁଷ୍ୟର ଅସଲ ସନ୍ତକ, ଯଥାର୍ଥ ଶିକ୍ଷା ମୁଖ୍ୟତଃ ସେହି କଥାଟିକୁ କହିପାରୁଥାନ୍ତା-ନିଜ ଭିତରେ ତଥା ସବୁ ମନୁଷ୍ୟଙ୍କ ଭିତରେ ତାହାର ଆବିଷ୍କାର କରି ପାରିବାର ପ୍ରଣାଳୀଗୁଡ଼ିକୁ ବତାଇ ଦେଇପାରୁଥାନ୍ତା । ଢାଙ୍କୁଣିଗୁଡ଼ିକୁ କାଢ଼ି ଦେଇ ପାରୁଥାଆନ୍ତା ।

 

ଚେତା ଊର୍ଦ୍ଧ୍ୱକୁ ଏବଂ ଚେତା ଚତୁଃପାର୍ଶ୍ୱକୁ । ପାରିଭାଷିକ ଦୁଇଟି ଶବ୍ଦ ଦେଇ କହିଲେ ଚେତା ହେଉଛି ଉଭୟ ଅନୁଲମ୍ବ ଓ ଅନୁପ୍ରସ୍ଥ । ଜୀବନରେ ଶିଖରଟିଏ ରହିଥିବ, ଯାହାକି ଆମର ପାଦଗୁଡ଼ିକୁ ଆକର୍ଷିତ କରି ନେଉଥିବ । ପାଦଗୁଡ଼ିକୁ ଅର୍ଥାତ୍ ଆମର ମୂଳ ପ୍ରତ୍ୟୟଗୁଡ଼ିକୁ । ସତତ, ଅନୁକ୍ଷଣ ଓ ପ୍ରତିନିୟତ ଭାବରେ ଆକର୍ଷିତ କରି ନେଉଥିବ । ଆମେ ମୋଟେ ବାଧ୍ୟ ହୋଇ ଟଣା ହୋଇ ଯାଉଥିବା ପରି ଅନୁଭବ କରୁନଥିବା ସତେ ଅବା ସଙ୍ଗୀଟିଏ ସହିତ ଖୁସିରେ ଉଠି ଉଠି ଚାଲି ଯାଉଥିବା । ଯେତିକି ଉଠି ଯାଉଥିବା, ସେତିକି ସହଜ ଲାଗୁଥିବା । ଏହି ସହଜ ଲାଗୁଥିବାର ଅର୍ଥ ହେଉଛି ଯେ, ଆମେ ଠିକଣା ବାଟରେ ଯାଉଛୁ ଏବଂ ଭିତରର ଏକ ପୂର୍ଣ୍ଣ ପ୍ରତ୍ୟୟରେ ହିଁ ଯିବାରେ ଲାଗିଛୁ । ଗୋଡ଼ମାନେ ମଥାର ବୋଲକୁ ମାନୁଥିବେ, ମଥା ହୃଦୟର ବୋଲକୁ ମାନୁଥିବ-। ଏବଂ ସର୍ବୋପରି, ଏହି ବାହାରେ ଆମେ ଯେଉଁ ଗିରିଶିଖରକୁ ଦେଖି ବାଟ ଚାଲୁଥିବା, ସେଇଟି ଆମ ଭିତରେ ମଧ୍ୟ ସଫା ହୋଇ ଦିଶୁଥିବ । ଉପରକୁ ଉପରକୁ ଉଠି ଯାଉଥିବା ସହିତ ଆମକୁ ଆମ ଚତୁର୍ଦ୍ଦିଗଟି ମଧ୍ୟ ଅଧିକରୁ ଅଧିକ ଦୃଶ୍ୟମାନ ହେଉଥିବ । ଅର୍ଥାତ୍‍ ଉଚ୍ଚତା ଏବଂ ବିସ୍ତାର ଉଭୟେ ଦିଶୁଥିବେ, ଏକାବେଳେକେ ଦିଶୁଥିବେ । ମୋ’ ସହିତ ଅନ୍ୟମାନେ ମଧ୍ୟ ଦିଶୁଥିବେ-। ସଂସାରତ୍ୟାଗୀ ବାବାଜୀମାନେ ଏକପାଖିଆ ହୋଇ କେବଳ ଶିଖରଟାରେ ଯାଇ ପହଞ୍ଚିବା ନିମନ୍ତେ ଏପରି ଆତୁର ହୋଇ ପଡ଼ିଲେ ଯେ, ଚାରିପାଖକୁ ଦେଖି ପାରିବାକୁ ସେମାନଙ୍କର ଆଉ କୌଣସି ହୋସ୍ ରହିଲା ନାହିଁ । ସେମାନେ ସଂସାରନିନ୍ଦୁକ ହେଲେ । ମଣିଷମାନଙ୍କୁ ଯେତିକି ଆତ୍ମୀୟତା ସହିତ ବୁଝିବା ଉଚିତ, ସେମାନେ ସେହି ଆତ୍ମୀୟତାକୁ ଡରିଲେ-। ତେଣୁ, ନିଜନିଜର ଅଲଗା ଡେରା ନିର୍ମାଣ କରି ରହିଲେ । ମନୁଷ୍ୟର ପ୍ରକୃତିକୁ କୁକୁର ଲାଙ୍ଗୁଳ ସହିତ ତୁଳନା କଲେ ଏବଂ ତାହାକୁ କଦାପି ସଜାଡ଼ି ହେବ ନାହିଁ ବୋଲି କହିଲେ । ଅସଲ ସୁଖ ମିଳିବ ଏଠୁ ପଳାଇ ଗଲେ ବୋଲି ପରାମର୍ଶ ଦେଲେ । ଏହିପରି ଏକ ଚକ୍ରାନ୍ତରେ ପଡ଼ି ପୃଥିବୀଟା ବଡ଼ ଅନାବାଦୀ ହୋଇ ରହିଲା,–ଅଚେତା ଭିତରେ ବୁଡ଼ି ରହିଗଲା । ସମ୍ଭବତଃ ସେହିମାନଙ୍କଠାରୁ ପ୍ରେରଣା ନେଇ ଏଠି ସଂସାର ଭିତରେ ମଧ୍ୟ ଯେଉଁମାନେ ଅଧିକ ସୁଖ, ଅଧିକ ସୁଯୋଗ ଏବଂ ଅଧିକ ପ୍ରାଚୁର୍ଯ୍ୟ ଭିତରେ ରହିଲେ ସେମାନେ ମଧ୍ୟ ସଂସାରବିମୁଖ ହେଲେ ଓ ଚାରିପାଖର ମନୁଷ୍ୟମାନଙ୍କୁ ଅତ୍ୟନ୍ତ ନିଦାରୁଣ ଭାବରେ ଉପେକ୍ଷା କଲେ । ଚେତାର ଉପାସନା ହେଲା, ଚେତା ହିଁ ଭଗବାନ ବୋଲି ପ୍ରବଚନ ହେଲା, ମାତ୍ର ପାରସ୍ପରିକ ଜୀବନର ଅଚେତାମାନେ ହିଁ ଅଢ଼ା ଧରି ବସିଲେ । ପୃଥିବୀର ଜୀବନଟାକୁ ଭାରି ନିର୍ମମ କରି ରଖିଲେ ।

 

ମଣିଷମାନେ ଚେତା ହେଲେ ତା’ର ସଂସାରଟା ମଧ୍ୟ ଚେତା ରହିଥଲା ପରି ପ୍ରତ୍ୟକ୍ଷ ହେବ । ପ୍ରତିଷ୍ଠିତ ଅଚେତାଗୁଡ଼ିକ ସହିତ ସଂଗ୍ରାମଟିଏ ନ ଲଢ଼ିଲେ ଚେତାଟା ଯେ ବହିର ଉପାଖ୍ୟାନ ହୋଇ ରହିଯିବ, ପୃଥିବୀରେ ମଣିଷ ମଣିଷ ସହିତ ଅଧିକ ସଳଖ ଏବଂ ନିବିଡ଼ ଭାବରେ ପରିଚିତ ହୋଇ ଆସୁଥିବା ସଙ୍ଗେ ସଙ୍ଗେ ସେହି ନୂଆ ସତ୍ୟଟି ହିଁ କ୍ରମେ ଅଧିକ ସଚଳ ହୋଇ ଆସୁଛି । ବହୁ ଚତୁରତାର ସହିତ ପୃଥିବୀ ଯାକର ସମ୍ଭାବନାକୁ ନିଜ ନାନା ସ୍ୱାର୍ଥର ବେଢ଼ାଟା ଭିତରେ ବାନ୍ଧି ରଖିବାରେ ଅଭ୍ୟସ୍ତ ରହି ଆସିଥିବା ଥୋକେ ଲୋକ ଏଥିରେ ଭାରି ପ୍ରମାଦ ଗଣୁଛନ୍ତି-। ସଂପ୍ରତି ପ୍ରମାଦ ଗଣୁଥିବା ଏହି କାଟର ମଣିଷମାନଙ୍କୁ ଭେଟିବା ପାଇଁ ଯଦି ଆମେ ଭାରତବର୍ଷ ବାଟ ଦେଇ ଏଠି ଓଡ଼ିଶାରେ ଆସି ପହଞ୍ଚିବା, ତେବେ ଅନାଇ ଦେବା ମାତ୍ରକେ ହିସାବ ପାଇଯିବା ଯେ, ସବାବଡ଼ ଉଚ୍ଚଥାନମାନଙ୍କରେ ଏହି ଅଚେତାମାନେ ହିଁ ଆସୀନ ରହିଛନ୍ତି । ସେମାନେ ଆମକୁ ଶାସନ କରୁଛନ୍ତି, ଆମ ପିଲାମାନଙ୍କୁ ପାଠ ପଢ଼ାଇବା ନାଆଁରେ ବଡ଼ ନିବୀର୍ଯ୍ୟ କରି ଦେଉଛନ୍ତି-। ଆମ ସାହିତ୍ୟ ଘରର ଉଚ୍ଚ ନଅତାଲାମାନଙ୍କରେ ସେଇମାନେ ସାଧନ ଭାଙ୍ଗୁଛନ୍ତି, ସାହିତ୍ୟକୁ ଚେର ଛିଣ୍ଡା କରି ଉଡ଼ାଇ ନେଇଯିବାର ନାନା ତଥାକଥିତ କଳାତ୍ମକ ବଗୁଲିଆପଣ କରିବାରେ ଲାଗିଛନ୍ତି-। ଆମର ଏଠାରେ ବନ୍ୟା, ବାତ୍ୟା ଓ ମରୁଡ଼ି ସମୟରେ ସେହିମାନେ ଅତ୍ୟନ୍ତ ଅଳିଅଳ ଭାବବିହ୍ୱଳତା ସହିତ ରିଲିଫ ବାଣ୍ଟୁଛନ୍ତି । ଯେତିକି କୋଡ଼ୁଛନ୍ତି, ତାହାର ସାତଗୁଣକୁ ମାଡ଼ିବାରେ ଲାଗିଛନ୍ତି । ଅନୁଗ୍ରହକୁ ପରମଧର୍ମ ବୋଲି ଗ୍ରହଣ କରିଛନ୍ତି । ଚଉକଷ ଅନୁଗ୍ରହ ଦେଖାଇବା ସଙ୍ଗେ ସଙ୍ଗେ ଚଉକଷ ଶୋଷଣ ବି କରୁଛନ୍ତି, ଲୁଟି ନେବାରେ ଲାଗିଛନ୍ତି । ଆବଶ୍ୟକରୁ ଅତ୍ୟଧିକ ପରିମାଣରେ ଧୋବ ଦିଶୁଛନ୍ତି । ବିଲ୍‍କୁଲ ଏପରି ଏକ ଭାଷାରେ କାରବାର ହେଉଛନ୍ତି ଯେ, ସାଧାରଣ ମଣିଷଙ୍କର ଜୀବନ ଭାଷାଠାରୁ ସତେ ଯେପରି ସାତ କିଆରୀ ଦୂର ହୋଇ ରହିଛନ୍ତି ଓ ସେହିପରି ରହି ଭାରି ଖୁସି ଯାଉଛନ୍ତି । ନିଜଆଡ଼କୁ ପୂରା ଆଖି ବୁଜି ଦେଇ ଏକାନ୍ତ ନିରୀହ ଭାବରେ ଯତି ଏବଂ ଯୋଗିନୀମାନଙ୍କଠାରୁ ଧର୍ମପ୍ରବଚନ ଶ୍ରବଣ କରୁଛନ୍ତି ଏବଂ ସେହିଥିରେ ହିଁ ସବୁ ପାତକରୁ ମୋକ୍ଷ ହୋଇଗଲେ ବୋଲି ଭାବୁଛନ୍ତି । ସେମାନେ ଏକ ପୂର୍ଣ୍ଣ ଦର୍ପ ଗାମ୍ଭୀର୍ଯ୍ୟ ସହିତ ସଭାମାନ ମଣ୍ଡନ କରି ଆମକୁ ତଥାକଥିତ ଆମର ଗୌରବମୟ ଅତୀତ କଥା କହୁଛନ୍ତି-। ଆମର ଦୁଃଖୀ ବର୍ତ୍ତମାନଟାର ପରିତ୍ୟକ୍ତ ଗ୍ରାମ ଜୀବନଟାକୁ ଭୁଲି ସେ କାଳର କୋଉ ଖାରବେଳଙ୍କର ମହାନ କୀର୍ତ୍ତିଗୁଡ଼ାକର କଳ୍ପନା କରି ଛାତି ଫୁଲାଇବାର ପରାମର୍ଶ ଦେଉଛନ୍ତି-। ଅଚେତାମାନେ ଆମକୁ ସ୍ୱାଭିମାନର କଥା କହୁଛନ୍ତି । ଆମ ଠାକୁରଙ୍କ ପରି ଏଡ଼େ ବଡ଼ ଠାକୁର ସାରା ପୃଥିବୀରେ ନାହାନ୍ତି ବୋଲି ଏକ ନିର୍ଧୁମ ଅପସାଂସ୍କୃତିକ ଠାଣିରେ ଉଦ୍‍ଗାରିବାରେ ଲାଗିଛନ୍ତି-। କେତେଯାଏ ଚେତା ହୋଇ ପାରିଲେ ଆମେ ଏହି ଅଚେତାମାନଙ୍କର ଗୁମରକୁ ବୁଝିପାରିବା, ଚାଲ ଆମେ ସେହି ବିଷୟରେ କଥା ହେବା ।

 

୧୨.୧୧.୦୧

☆☆☆

 

ଜଗନ୍ନାଥୀକରଣର ରୋଗଟା

 

ଓଡ଼ିଶାରେ ଦେବ ଦେବ ଜଗନ୍ନାଥ ଅଛନ୍ତି । ବାହାରେ ଏହି ମାୟାସଂସାରରେ ସିନା ବାତ୍ୟା, ବନ୍ୟା, ମରୁଡ଼ି ଓ ମହାମାରୀ ଏଠି ମଣିଷମାନଙ୍କର ହଂସା ଉଡ଼ାଇ ଦେବାକୁ ଧାଡ଼ିବାନ୍ଧି ପଛକୁପଛ ଆସି ପହଞ୍ଚି ଯାଉଛନ୍ତି । ମାତ୍ର ସେଗୁଡ଼ାକ ସବୁ ବାହ୍ୟ । ନଶ୍ଵର ସଂସାରର ଲୀଳା । ଜଗନ୍ନାଥ ଯେତେବେଳେ ରହିଛନ୍ତି, ସେତେବେଳେ ସବୁ ଅଛି । ଓଡ଼ିଶାର ରଜାମାନେ କୋଉ ପୁରାତନ ଏକ ଶତାବ୍ଦୀରେ ଏଠି ଜଗନ୍ନାଥଙ୍କର ଥାପନା କରିଥିଲେ ଏବଂ ସେଇଦିନଠାରୁ ଜଗନ୍ନାଥୀକରଣର ଗୋଟିଏ ପ୍ରବଳ ପ୍ରକ୍ରିୟା ଓଡ଼ିଶାର ଜୀବନଟା ଭିତରେ ପ୍ରାୟ ସର୍ବମୀମାଂସକ ହୋଇ ରହିଛି । ଏବେ ଏହି ଏକବିଂଶ ଶତାବ୍ଦୀରେ ମଧ୍ୟ ଯେଉଁମାନେ ପାଞ୍ଚଣ ଧରି ଓଡ଼ିଶାକୁ ଆୟତ୍ତ କରି ରଖିଛନ୍ତି, ସେମାନେ ନିଜକୁ ମଧ୍ୟ ଗୋଟାଏ ଗୋଟାଏ ପୂରା ଜଗନ୍ନାଥ ପରି ହିଁ ଭାବୁଛନ୍ତି । ଧର୍ମତଃ ଗୋଟାପଣେ ଗୋଟାଏ ଗୋଟାଏ କଖାରୁ ହୋଇଥିଲେ ମଧ୍ୟ ମାର୍କାଟାରେ ସବୁ କ୍ଷେତ୍ରରେ ସେଇ ଜଗନ୍ନାଥିଆ ହୋଇ ରହିଯାଇଛନ୍ତି । ଜଗନ୍ନାଥ ଆମର ବୋଲି କହି ଗର୍ବ କରୁଥିବା ମଣିଷମାନଙ୍କର ସଂଖ୍ୟା ଓଡ଼ିଶାରେ ଅଧିକ ନା ଜଗନ୍ନାଥଙ୍କୁ ସତକୁସତ ଭକ୍ତି କରୁଥିବା ଲୋକଙ୍କର ସଂଖ୍ୟା ବେଶି, ତାହାର କୌଣସି ପ୍ରକାରେ ଏକ ଗଣନା ହୋଇପାରିଲେ ତାହା ଆମ ଅନେକଙ୍କୁ ସମ୍ଭବତଃ ଖୁବ୍ ଆଚମ୍ବିତ କରିଦିଅନ୍ତା । ଜଗନ୍ନାଥଙ୍କୁ ଆମର ବୋଲି କହୁଥିବା ମନୁଷ୍ୟମୃଗମାନେ ଆପଣାକୁ ବି ଜଣେ ଜଣେ ଜଗନ୍ନାଥ ପରି ଦେଖନ୍ତି । ଏବଂ, ସେହି ଦେଖିବାରେ ଏପରି ଏକ ଉତ୍ତେଜିତ ପୁଲକ ଭର୍ତ୍ତି ହୋଇ ରହିଥାଏ ଯେ, ତାହାରିଦ୍ୱାରା ପରିଚାଳିତ ହୋଇ ସେମାନେ ନିଜକୁ ହିଁ ସବାଆଗ ଦେଖନ୍ତି ଓ ତା’ପରେ ଯାଇ ଜଗନ୍ନାଥଙ୍କୁ ଦେଖନ୍ତି । ଭାରତବର୍ଷ ଆମର ଏବଂ ତେଣୁ ଅବଶ୍ୟ ଏକ ମହାନ୍ ଦେଶ ବୋଲି କହୁଥିବା କେତେଜଣ ମଣିଷ ସତକୁସତ ଭାରତବର୍ଷକୁ ଦେଖନ୍ତି ? ଆମେ ଓଡ଼ିଆ ବୋଲି ଡେଣାଗୁଡ଼ିକୁ ଫୁଲାଇ ସଭାପରେ ସଭା କରି ଗେଣ୍ଡାଳିଆ ହୋଇ ଧପଟୁଥିବା ଲୋକେ ସତକୁସତ ଓଡ଼ିଶାକୁ ଚିହ୍ନିଥାଆନ୍ତି କି ?

 

ଜଗନ୍ନାଥିକରଣର ପ୍ରକ୍ରିୟାଟି ଓଡ଼ିଶାରେ ଏଭଳି ହୁ ହୁ ହୋଇ ବ୍ୟାପି ଯାଉଥିବାର କାରଣ ଜଗନ୍ନାଥ ନୁହନ୍ତି, ଅସଲ କାରଣ ହେଉଛୁ ଆମେ । ଜଗନ୍ନାଥଙ୍କୁ ଜଣେ ସାମନ୍ତରେ ପରିଣତ କରିବା ପଛରେ ଜଗନ୍ନାଥ ଆଦୌ ନାହାନ୍ତି, ସ୍ୱୟଂ ଗୋଟିଏ ଗୋଟିଏ ଜଗନ୍ନାଥ ହୋଇ ରହିବାକୁ ଇଚ୍ଛା କରୁଥିବା ଆମେ ହିଁ ରହିଛୁ । ଭଗବାନଙ୍କୁ ସାମନ୍ତ ରୂପେ କଳ୍ପନା କରିବାର ପଛରେ ସଚରାଚର କେତେକ ମଣିଷଙ୍କର ସାମନ୍ତବାଦୀ ଅଭିଳାଷମାନେ ହିଁ ମୁଖ୍ୟ ଉତପ୍ରେରକ ରୂପେ କାର୍ଯ୍ୟ କରିଆସିଛନ୍ତି । ଆମେ ସ୍ଵାଧୀନ ହେବା ପରେ ସେଥିରେ ପରିବର୍ତ୍ତନ ହୋଇଥାଆନ୍ତା; ମାତ୍ର ହୋଇପାରି ନାହିଁ । ଏକ ସ୍ଵାଧୀନ ଦେଶ, ଅର୍ଥାତ୍ ନାଗରିକମାନଙ୍କର ଦେଶ । ଏହି ଦେଶରେ ସମସ୍ତଙ୍କର ଅଧିକାର, କର୍ତ୍ତବ୍ୟ ଏବଂ ବିବେକକୁ ସ୍ଵୀକୃତି ଦିଆଯିବ, ଏହି ମୂଳକଥାଟିକୁ ନେଇ ଆମର ଅନୁରୂପ ସମ୍ବିଧାନଟିଏ ରହିଛି । ସମ୍ବିଧାନଟିଏ ଅଛି ଅର୍ଥାତ୍ ଆମେ ଆଖି ରହିଥିବା ଲୋକେ ଏଠାରେ ନିଜ ଦେଶଟିକୁ ଯେପରି ଗଢ଼ଣରେ ତିଆରି କରିବାକୁ ଇଚ୍ଛା କରୁଛୁ, ସମ୍ବିଧାନରେ ସେହିପରି ଗୋଟିଏ ଚିତ୍ର ହିଁ ଦିଆଯାଇଛି । ବିଗତ ଦୀର୍ଘ ପଚାଶ ବର୍ଷ ହେଲା ଭାରତ ନାମକ ରାଷ୍ଟ୍ର ସେହି ଉଦ୍ୟମଟିକୁ ହିଁ କରୁଛି ବୋଲି ନିରନ୍ତର ଘୋଷଣା କରିଆସିଛି । ଏଠି ଶାସନ କିପରି ଚାଲିବ, ଦେଶରେ ଥିବା ଆର୍ଥିକ ସଂବଳ ଓ ସମ୍ପଦଗୁଡ଼ିକର ବିନିଯୋଗ କରି କିପରି ଦେଶର ମନୁଷ୍ୟମାନଙ୍କୁ ଜୀବନରେ ଅତ୍ୟାବଶ୍ୟକ ହୋଇ ରହିଥିବା ନିରାପତ୍ତାମାନ ଯୋଗାଇ ଦିଆଯିବ, ଦେଶର ପିଲାମାନେ କିପରି ଉପଯୁକ୍ତ ଶିକ୍ଷାଲାଭ କରିବେ, କେହି ଅବହେଳିତ ହେବେ ନାହିଁ, ଅର୍ଥାତ୍ ସୁସ୍ଥ ରହିବେ, ଆବଶ୍ୟକ ଚିକିତ୍ସା ପାଇବେ, ଆପଣା ସାମର୍ଥ୍ୟଗୁଡ଼ିକର ବିକାଶ କରାଇ ଏହି ଭୂମିଟି ନିମନ୍ତେ ଅଧିକରୁ ଅଧିକ କାମରେ ଆସିପାରିବେ, ଆଧୁନିକ ପୃଥିବୀର ପରିମଳ ଭିତରେ ସେମାନେ ଆହୁରି ଆଗକୁ ସ୍ୱପ୍ନଗୁଡ଼ିକୁ ଦେଖିପାରିବେ, ଏହିପରି କେତେ କେତେ କଥା ଏବଂ କେତେ କେତେ ପ୍ରତିଶ୍ରୁତି ।

 

ପଚାଶ ବର୍ଷ ପରେ ଚାରିଆଡ଼କୁ ଚାହିଁ ଦେଖିଲେ ସେହି ସର୍ବପ୍ରାଥମିକ ଉଦ୍ୟମଗୁଡ଼ିକୁ ଯେତେ ନହେଉଛି, ତାହାଠାରୁ ଅଧିକ ପରିମାଣରେ ଜଗନ୍ନାଥମାନେ ହିଁ ଦୃଷ୍ଟିଗୋଚର ହେଉଛନ୍ତି । ଜଗନ୍ନାଥମାନେ ହିଁ ବାଟ ଓଗାଳି ବସିଛନ୍ତି, ଜଗନ୍ନାଥମାନେ ହିଁ ଦେଶଟାକୁ ଭୋଗ କରୁଛନ୍ତି । ଦେଶରେ ଅଧିକାଂଶ ମନୁଷ୍ୟ ଅରକ୍ଷିତ, ଅସହାୟ ଏବଂ ଅଳ୍ପବଳ ହୋଇ ରହିଛନ୍ତି ଏବଂ ଉଦ୍ଦଣ୍ଡ ପ୍ରକାରର ଜଗନ୍ନାଥମାନେ ଏଠାରେ ସତେ ଅବା କୋଉ ଇନ୍ଦ୍ରପୁରୀର ଗଉଁରେ ହିଁ ରତ୍ନବେଦୀ ଉପରେ ଶୋଭା ପାଉଛନ୍ତି । ଦେଶରେ ଅକିଞ୍ଚନମାନଙ୍କର ସଂଖ୍ୟା ଅଧିକ, ସେହିମାନଙ୍କର ଦୈନ୍ୟଗୁଡ଼ିକ ମଧ୍ୟ ଅଧିକ । ସେମାନେ ସେହି ଆଦିମ ଆଚ୍ଛନ୍ନତାଗୁଡ଼ିକ ମଧ୍ୟରେ ରହିଛନ୍ତି, ଗଧ ପରି ଖଟୁଛନ୍ତି ଓ ଘୁଷୁରି ପରି କାଳଟା ସହିତ ଛନ୍ଦି ହୋଇ ରହିଛନ୍ତି ।

 

ଜଗନ୍ନାଥିଆମାନଙ୍କୁ ଠାବ କରି କରି ଆମେ କେଉଁଠାରୁ ଆରମ୍ଭ କରିବା ଏବଂ କେଉଁଠାରେ ଯାଇ ଶେଷ କରିବା ? ଉପରୁ ଆରମ୍ଭ କରି ତଳଯାଏ ଆସିବା ନା ତଳୁ ଆରମ୍ଭ କରି ଉପର ଯାଏ ଯିବା ? ଝିଣ୍ଟିକାମାନଙ୍କଠାରୁ ଆରମ୍ଭ କରି ଏଣ୍ଡୁଅ ଓ କୁମ୍ଭୀରଙ୍କ ଯାଏ ଯିବା ନା ମଣ୍ଡଘରମାନଙ୍କରେ ସବାଉଚ୍ଚ ଖଟୁଲିମାନଙ୍କରେ ବସିଥିବା ବିପୁଳ ତିମିଙ୍ଗଳମାନଙ୍କଠାରୁ ଆରମ୍ଭ କରି ଆମ ଗାଁ ନଈ ଗଣ୍ଡରେ ବାଲିସରା ଉଢୁଆଳରେ ଅତ୍ୟନ୍ତ କୋଳାହଳଶୂନ୍ୟ ଭାବରେ ରହିଥିବା ମୀନ ଓ ଗେଣ୍ଡାମାନଙ୍କ ପାଖରେ ଯାଇ ପହଞ୍ଚିବା ? ବିଚରା ଅସଲ ଜଗନ୍ନାଥଙ୍କ ସହିତ ଶ୍ରୀମନ୍ଦିର ଭିତରେ ତ ହେଲେ ଆଉ ଦୁଇଜଣ ବସିଛନ୍ତି । ଜଣେ ତାଙ୍କର ଭାଇ ଓ ଆଉ ଜଣେ ତାଙ୍କର ଭଉଣୀ । ଅର୍ଥାତ୍, ଅସଲ ଜଗନ୍ନାଥଙ୍କର ତ ସଂସାରଟିଏ ଅଛି, ସଂସାରଟିଏ ଅଛି ବୋଲି ଆମେ ସମସ୍ତେ ତାହାରି ଭିତରେ ରହିଛୁ, କେତେ ନା କେତେ ବିମୋଚନକାରୀ ମମତା ଓ ମାୟାରେ ଆତଯାତ ହେଉଛୁ । ସେହି ମଣିଷମାନଙ୍କୁ ଆମେ ପ୍ରକୃତରେ ଧନ୍ୟ ବୋଲି କହିବା, ଯେଉଁମାନେ କି ଏହିପରି ବହୁ ଡୋରରେ ବନ୍ଧା ହୋଇ ରହିଥିବା ଜଗତଟିର ଆସ୍ଥାନ ଉପରେ ସକଳ ଡୋରରେ ଆଖର ସେହି ଜଗନ୍ନାଥଙ୍କର କଳ୍ପନା କରିଥିଲେ ଏବଂ ତାଙ୍କୁ ମହାପ୍ରଭୁ ବୋଲି ଅନୁଭବ କରିବା ଲାଗି ଆମ ସମସ୍ତଙ୍କୁ ଶିକ୍ଷା ଦେଇଗଲେ । କିନ୍ତୁ ଅଧୁନାତନ ଜଗନ୍ନାଥମାନେ ତୁଚ୍ଛା ଏକା, ସେମାନଙ୍କର ଭାଇ କି ଭଉଣୀ କେହି ନାହାନ୍ତି । ସତେଅବା କୋଉ ଅଫିମ ଗିଳି ସେମାନେ ନିଜକୁ ନିଜେ ବାହାହୋଇ ପଡ଼ିଛନ୍ତି-ନିଜେ ନିଜକୁ ରମଣ କରୁଛନ୍ତି । ଏପରିକି, ସେମାନଙ୍କ ଭିତରୁ ଯେଉଁମାନେ ଆମର ପ୍ରତିନିଧି ହୋଇ ଉଚ୍ଚ ଶାସନର ଅଳିନ୍ଦମାନଙ୍କରେ ବସି ଶୋଭା ବି ପାଉଛନ୍ତି, ସେମାନଙ୍କର କେହିହେଲେ ନାହାନ୍ତି । ଏପରିକି, ସେମାନେ ଏହି ପୃଥିବୀରେ କେତେଦିନ ରହିବେ ଓ ଏହି ଆକସ୍ମିକ ଜଗନ୍ନାଥମାନଙ୍କ ମଧ୍ୟରେ କେତେଦିନ ରହିବେ, ସେମାନେ ସେତିକି ମଧ୍ୟ ଭାବୁନାହାନ୍ତି । ସେଇ କୌଣସି କାଳର ଜଣେ ଫରାସୀ ରଜାଙ୍କ ପରି ‘ମୋ ପରେ ଅବଶ୍ୟ ପ୍ରଳୟ’ ବୋଲି ଧରି ନେଇଛନ୍ତି ଏବଂ ସଂପ୍ରତି ବସିଥିବା ମଉକାପଦଗୁଡ଼ାକରେ ଆଖିବୁଜି ସବୁଯାକକୁ ଭୋଗ କରି ନେବେ ବୋଲି ସଂକଳ୍ପ କରି ପକାଇଛନ୍ତି । କେଡ଼େ ଭଲ ହୁଅନ୍ତା, ଯଦି ଏମାନେ ଖାଲି ରାଜନୀତି ଭିତରେ ରହନ୍ତେ, ଏପରିକି ଖାଲି ଶାସନଭିତରେ ମଧ୍ୟ ରହୁଥାଆନ୍ତେ । ଅନ୍ତତଃ ସେମାନଙ୍କର ପ୍ରାଦୁର୍ଭାବ-ପରିଧିଟାର ବାହାରେ ରହିଥିବା ସାମୂହିକ ଜୀବନଟା ତଥାପି ତ ସୁସ୍ଥ ହୋଇ ରହିବାକୁ କିଞ୍ଚିତ୍ ଫୁରସତ୍ ପାଇପାରୁଥାନ୍ତା । ଜଗନ୍ନାଥିଆ, ଏହି କେଳାଦଳଟା ଯାବତୀୟ ଅର୍ଥରେ ସେତିକି ମଧ୍ୟ ସମ୍ଭବ କରାଇ ଦେଉନାହାନ୍ତି । ସମ୍ପୂର୍ଣ୍ଣ ସମୟଟାକୁ ସତେଅବା ଆପଣାର ପରିକର କରି ରଖିଛନ୍ତି । ସମ୍ପୂର୍ଣ୍ଣ ଦେଶଟାକୁ ପୋଇଲୀ କରି ରଖିଛନ୍ତି ।

 

ଆମ ରାଜ୍ୟରେ ପଛକୁ ପଛକୁ ଉଖାରି ଆମେ ହୁଏତ ଏହି ଜଗନ୍ନାଥିଆ ଯୁଗଟାର କିଞ୍ଚିତ୍ ପରିମାଣରେ ଏକ ଉତ୍ସସନ୍ଧାନ ବି କରିପାରିବା । ଦେଶ ସ୍ଵାଧୀନ ହେବା ପରେ ନୂଆ ସରକାରଗୁଡ଼ିକ ଗଢ଼ାହେଲେ । ଦେଶଟାଯାକରେ ଶାସନ ମୂଳତଃ ଯେଉଁସବୁ ଛାଞ୍ଚକୁ ମାନିବ, ସେଗୁଡ଼ିକୁ କେଡ଼େ କେଡ଼େ ମଥାମାନେ ଏକାଠି ବସି ସ୍ଥିର କରି ଦେଇଥିଲେ । ନିଜର ହୃଦୟ ଭିତରେ ସମଗ୍ର ଦେଶଟାକୁ ଆଣି ଧରି ସେମାନେ ଯାବତୀୟ ପ୍ରକରଣଗୁଡ଼ିକୁ ନିର୍ଣ୍ଣୟ କରି ଦେଇଥିଲେ । ନୂଆ ସରକାରମାନେ ଆସିଲେ, ଆମେ ସେମାନଙ୍କୁ କେତେ ବିଶ୍ୱାସରେ ଆମର ସରକାର ବୋଲି କହୁଥିଲୁ । ଯାହାକିଛି ଭାଙ୍ଗିବା ଉଚିତ, ସେମାନେ ସେଗୁଡ଼ିକୁ ଭାଙ୍ଗିବେ ଓ ଯାହାସବୁ ନୂଆ ପ୍ରକାରେ ଗଢ଼ିବା କଥା, ସେଗୁଡ଼ିକୁ ଅବଶ୍ୟ ଗଢ଼ାହେବାର ମୂଳଦୁଆଗୁଡ଼ିକୁ ପକାଇବେ ବୋଲି ଦେଶବାସୀ ସମ୍ପୃକ୍ତ । ସମସ୍ତେ କେତେ ନା କେତେ ପ୍ରତ୍ୟାଶା କରୁଥିଲେ । ତା'ପରେ ସେମାନେ ଆମକୁ ଭରଣ ଭରଣ କଥା କହିଲେ, ହେଇ ସବୁକିଛି ହେଉଛି ବୋଲି ପ୍ରତ୍ୟୟମାନ ଦେଲେ, ବେତା ବେତା ପଇସା ଖରଚ ହେଲା,–ବାହାରେ ମଧ୍ୟ ଏପରି କିଛି କିଛି ଗଢ଼ାଗଲା, ଯାହାକି ହୁଏତ କିଛି ହେଉଛି ବୋଲି ଗୋଟିଏ ପ୍ରତୀତି ବି ଦେଉଥିଲା । ଏବଂ, ପଚାଶବର୍ଷ ପରେ ପକ୍କା ପ୍ରମାଣସବୁ ଦିଶିଯାଉଛି ଯେ, ଅସଲ ମୂଳଦୁଆଗୁଡ଼ିକୁ ଆଦୌ କିଛି ଗଢ଼ାଯାଇନାହିଁ ଏବଂ ଅସଲ ଆରମ୍ଭଗୁଡ଼ିକର ଆରମ୍ଭ ବି ହୋଇପାରି ନାହିଁ । ଦେଶକୁ ଗଢ଼ିବା ନାଆଁରେ ଅଧିକତର ଚକ୍ରାନ୍ତଦ୍ଵାରା କେତେ ଲକ୍ଷ ହାତୀ ହିଁ ପୋଷା ହେଉଛନ୍ତି । ହାତୀମାନେ ପ୍ରଜାକୁଳର ନୁହେଁ, ଜଗନ୍ନାଥିକରଣର ବହୁବିଧ ଗୁହଳାଟାକୁ ଅଧିକ ଚଣ୍ଡ ଏବଂ ଅଧିକ ପ୍ରଚଣ୍ଡ କରି ତିଆରି କରିବାରେ ହିଁ କାମରେ ଲାଗିଛନ୍ତି । ଜଗନ୍ନାଥିଆମାନେ ରାଜ୍ୟବାସୀଙ୍କର ସାଧାରଣ ଆଖିକୁ ସତେଅବା ଏକ ଅନ୍ୟ କେଉଁ ପୁରରେ ବିହାର କରୁଥିବା ଭଳି ଦେଖା ଯାଉଛନ୍ତି । ବଢ଼ିଆଳ ସଦୃଶ କେଡ଼େ ଚକ ଚକ ହୋଇଛନ୍ତି ।

 

ଆମ ଭାଷାକୁ ମୋଟେ ବୁଝିପାରୁ ନାହାନ୍ତି । ନିଜକୁ ଯେତେବେଳେ ଧର୍ମତଃ ଏହି କାଳର ଓ ଏହି ଜନଭାଗ୍ୟଗୁଡ଼ାକର ରାଜା ବୋଲି ହିଁ ଧରି ନେଇଛନ୍ତି, ସମ୍ଭବତଃ ସେହି କାରଣରୁ ସେହି ଉପନିବେଶକାଳର ରାଜାମାନଙ୍କର ଭାଷାଟାରେ ପୂରା କାରବାର ହେଉଛନ୍ତି । ଉପରୁ ଥାଇ ଦୟା ପ୍ରଦର୍ଶନ କରୁଛନ୍ତି–ଅନୁଗ୍ରହମୂଳକ ଭାବରେ ବହୁ ନାମରେ ଭଳି ଭଳି ସହାୟତାର ବରାଦ କରି ଦେଉଛନ୍ତି । ଉପନିବେଶର ଭାଡ଼ିଟା ଭାଙ୍ଗି ଦେଶର ଜନଗଣ ଯେ ସ୍ୱାଧୀନ ହୋଇ ସାରିଲେଣି ଏବଂ ଏଣିକି ଯେ ପ୍ରଜାଙ୍କ ଇଚ୍ଛାରେ ଶାସନ ଚାଲିବ, ସେକଥାଟାକୁ ହୁଏତ ମାନିବାକୁ ମଧ୍ୟ ରାଜି ହେଉନାହାନ୍ତି । ବିଦେଶୀଶାସନଟା ସିନା ଗଲା, ଏ ଜଗନ୍ନାଥିଆମାନଙ୍କର ଏହି ନିତି ଅଙ୍ଗେ ନିଭାଇବାକୁ ପଡ଼ୁଥିବା ଶାସନଟା କେବେ ଓ କିଭଳି ଯିବ କେଜାଣି ?

 

ଜଗନ୍ନାଥିଆ ବରାଦମାନଙ୍କୁ ଜାରି କରି ରଖିବା ସକାଶେ ଶିକ୍ଷାକୁ ମଧ୍ୟ ଅନୁରୂପ ଭାବରେ ନିତାନ୍ତ ମାଦଳପ୍ରାୟ କରି ରଖାଯାଇଛି । ଶିକ୍ଷା ଭିତରକୁ ପ୍ରାୟ ଜାଣି ଶୁଣି ସମସ୍ତଙ୍କୁ ପ୍ରବେଶାଧିକାର ମିଳୁନାହିଁ । ଏହି ଦେଶରେ ତଳୁ ଉପରିଯାଏ ସବୁ ପିଲା କିପରି ଶିକ୍ଷାର ଅଧିକାରୀ ହେବେ, ସେହି କଥାଟାକୁ ଉପରେ ରହିଥିବା ହାତୀମାନେ ହିଁ ନିର୍ଣ୍ଣୟ କରୁଛନ୍ତି । ଯଥାର୍ଥ ଶିକ୍ଷା ମଣିଷର ଆଖିମାନଙ୍କୁ ଆସି ଖୋଲିଦିଏ ବୋଲି ଯେଉଁ ଅପବାଦ ରହିଛି, ସେଇଟା ଉପରଟା ପାଇଁ ତ୍ରାସର କାରଣ ହୋଇଛି ବୋଲି ଅଲକ୍ଷଣା ଶିକ୍ଷାଘରର ମାଲିକମାନେ ଅତ୍ୟନ୍ତ ସତର୍କ ଓ ଅମଙ୍ଗ ଭାବରେ ରଜ୍ଜୁଗୁଡ଼ାକୁ ନିଜର ମୁଠାଭିତରେ ବହୁ କୌଶଳରେ ଜାବୁଡ଼ି ଧରିଛନ୍ତି କି ? ଆମର ଏହି ଆଧୁନିକ ଯୁଗଟାରେ ସାହିତ୍ୟର ବି ଭାରି କୌଶଳପୂର୍ଣ୍ଣ ଭାବରେ ଜଗନ୍ନାଥିକରଣ ହୋଇଛି । ସାହିତ୍ୟଟାକୁ ସତେ ଅବା ତା’ ନିଜ ଘର ଭିତରୁ ଟାଣିଆଣି କୃତ୍ରିମତାର ମିଛ ସଭାଗୁଡ଼ାକରେ ପ୍ରଧାନତଃ ପ୍ରଦର୍ଶନର ଏକ ସାମଗ୍ରୀରେ ପରିଣତ କରି ଦିଆଗଲାଣି । ବଡ଼ ହାକିମମାନେ ପୂର୍ବକାଳର ନବାବମାନେ ବେଗମ୍‌ମାନଙ୍କୁ ଉପଭୋଗ କଲା ଭଳି ଯେଉଁ ସାହିତ୍ୟର ସର୍ଜନା ବା ଫାନ୍ଦଣାମାନ କରୁଛନ୍ତି, ସାହିତ୍ୟର ମୂଳ ସଂବେଦନଭୂମିଟି ମଧ୍ୟ ସେଥିରେ ସତେଅବା ବାହୁନି ଉଠୁଥିବା ପରି ମନେ ହେଉଛି । ଭାରଣ୍ଡ ପକ୍ଷୀମାନଙ୍କର ଗୋଟାଏ ମୁହଁରେ ସାହିତ୍ୟ ଓ ଆରମୁହଁଟାରେ ସେମାନଙ୍କର ପ୍ରାୟ ଷୋଳଅଣିଆ ଜୀବନବୃତ୍ତିଟା । ମଣିଷ ପ୍ରତି ଏକ ଚରମ ଉଦାସୀନତା । କୋଟି କୋଟି ଅଧିକ ସଂଖ୍ୟକ ମଣିଷଙ୍କଠାରୁ ନାଡ଼ଗୁଡ଼ାକୁ କାଟିଦେଇ ସତେଅବା ବିବେକ ଦଂଶନର ସକଳ ଆଳଟିକୁ ଏଡ଼ି ରହିବା ନିମନ୍ତେ ସେହି ଜଗନ୍ନାଥିକରଣର ଆବଶ୍ୟକତାଗୁଡ଼ିକୁ ମାନି ଏବେ ସଂସ୍କୃତି କହିଲେ ନିତାନ୍ତ ଆନୁଷ୍ଠାନିକ ତାମସା ସହିତ କରାଯାଉଥିବା ମନୋରଞ୍ଜନଗୁଡ଼ାକୁ ବୁଝାଉଛି । ଭାଷଣରେ ବାଟୁଳି ହିଁ ବାଜୁନାହିଁ । ତୁହାକୁ ତୁହା କୁହାଯାଉଛି ଯେ, ଏଣିକି ଦୁଃଖ ଯିବ, ଏଣିକି ଆହୁରି ଅଧିକ କୋଠାଘର ତିଆରି ହେବ, ଅନାହାରକୁ କଦାପି ବାଟ ଛାଡ଼ିଦିଆ ଯିବ ନାହିଁ ଓ ଏସବୁ ସକାଶେ ଯେତେ ଶୂନ୍ୟ ରହିଥିବା ପରିମାଣର ଋଣ ଆଣିବାକୁ ପଡ଼ିଲେ ମଧ୍ୟ ତାହା ଅଲବତ କରାଯିବ । ମାତ୍ର, ଯାହା ହେବ କିମ୍ବା ନ ହେବ ପଛକେ, ବର୍ତ୍ତମାନର ଦରବାରପଣଗୁଡ଼ାକ ଯେମିତି ସେମିତି ରହିଥିବ, ରାଜ୍ୟର ଆତ୍ମାଟା ଆଚମ୍ବିତ ହୋଇ ଅନାଇ ରହିଥିବ ଏବଂ ହାତୀମାର୍କା ଅଳପମାନଙ୍କର ରଥଟା ଏହିପରି ସାଇଁ ସାଇଁ ହୋଇ ଗଡ଼ି ଯାଉଥିବ, ଏଥିରେ ମୋଟେ କୌଣସି ପରିବର୍ତ୍ତନ ହେବ ନାହିଁ ।

 

ଏହି ଦୁର୍ଦ୍ଦାନ୍ତ ରୋଗଟାକୁ ପୁଣି କିପରି ଦୂର କରିହେବ ? ରୋଗଟାକୁ ସବାଆଗ ରୋଗ ବୋଲି ସ୍ଵୀକାର କଲେ ଯାଇ ପରିବର୍ତ୍ତନର ପ୍ରଥମ ପାହାଚଟିକୁ ପକାଇ ହେବ । ହାତୀମାନେ ନିଜକୁ ମଧ୍ୟ ସବାଆଗ ନାଗରିକ ବୋଲି ସ୍ଵୀକାର କରିବେ । ଜଗନ୍ନାଥଙ୍କୁ ସ୍ୱୀକାର କଲେ ଜଗନ୍ନାଥିକରଣର ଏହି ଦୁଷ୍ଟକାଳଟା–ଯିବାକୁ ଅବଶ୍ୟ ବାଧ୍ୟ ହେବ । ଜଗନ୍ନାଥଙ୍କୁ ମନୁଷ୍ୟମାନଙ୍କର ଏହି ସାମୂହିକ ଜୀବନର ନିତ୍ୟଦାଣ୍ଡିଗୁଡ଼ିକରେ ଠାବ କରିବାକୁ ହେବ । ବର୍ତ୍ତମାନର ମାମଲତକାରିଆ ରାଜନୀତି କିମ୍ବା ଶାସନ କଦାପି ଏଥିରେ ସହଜରେ ରାଜି ହେବ ନାହିଁ । ମାତ୍ର ଆଗ ସାହିତ୍ୟ କରିପାରିବ,–ଆଗ ସାମୂହିକ ବିବେକ-ସ୍ତରଟିର ନିଦ ଭାଙ୍ଗିବ । ଶିକ୍ଷକମାନେ କରିବେ, ଅଧ୍ୟାପକମାନେ କରିବେ । ଅନ୍ୟଭଳି ସାହିତ୍ୟ ଓ ଅନ୍ୟଭଳି ଶିକ୍ଷକ କରିବେ । ସେହିମାନଙ୍କର ମୁହୂର୍ତ୍ତଟି ଆସି ଶୀଘ୍ର ପହଞ୍ଚିଯିବ ବୋଲି କାଳଟାରୁ ସୂଚନା ବି ମିଳିଯାଉଛି ।

 

୧୯.୧୧.୦୧

☆☆☆

 

Unknown

ସମସ୍ତେ ଗାନ୍ଧିବାଦୀ

 

ମହାତ୍ମାଗାନ୍ଧୀ ଚାଲିଯିବାପରେ ପୃଥିବୀରେ ବିଭିନ୍ନ ଦେଶରେ ଏବଂ ଭିନ୍ନ ଭିନ୍ନ କର୍ମକ୍ଷେତ୍ରରେ ଯେଉଁମାନେ ପ୍ରାୟ ତାଙ୍କରି ପ୍ରେରଣା ଦ୍ଵାରା ଅନୁପ୍ରେରିତ ହୋଇ ସମସ୍ତଙ୍କର ଆଖିରେ ପଡ଼ିଲା ଭଳି କିଛି କରୁଥିଲେ, ପୃଥିବୀର ଲୋକ ମହଲରେ ସେମାନଙ୍କୁ ମଧ୍ୟ ଗାନ୍ଧୀ ବୋଲି କୁହାଗଲା । ଗାନ୍ଧୀ ସତେ ଅବା ସମଗ୍ର ପୃଥିବୀରେ ସମ୍ଭବତଃ ସର୍ବକାଳ ଲାଗି ଏକ ନିର୍ଦ୍ଦିଷ୍ଟ ଆବେଦନ ହୋଇ ରହିଗଲେ । ଗାନ୍ଧୀଙ୍କର ଜୀବଦ୍ଦଶାରେ ଆଫ୍ରିକାର କଳା ଅରଣ୍ୟବାସୀଙ୍କ ନିମନ୍ତେ ଡାକ୍ତରଖାନାଟିଏ ଆରମ୍ଭ କରିଥିବା ପ୍ରଖ୍ୟାତ ଦାର୍ଶନିକ ଶ୍ରୀଯୁକ୍ତ ଆଲବର୍ଟ ଶ୍ୱାଇତ୍‌ଜରଙ୍କୁ ଅନେକ ସମୟରେ ଇଉରୋପର ଗାନ୍ଧୀବୋଲି କୁହାଯାଉଥିଲା । ଭୂମଧ୍ୟସାଗରର ସିସିଲି ଦ୍ୱୀପରେ ଦରିଦ୍ର ଓ ବଞ୍ଚିତ ସାଧାରଣମାନଙ୍କୁ ଏକ ଅଭିନବ କାର୍ଯ୍ୟକ୍ରମର ମାଧ୍ୟମରେ ବଳିଷ୍ଠ ପ୍ରତିରୋଧର ବାର୍ତ୍ତା ଆଣି ଦେଇଥିବା ଶ୍ରୀ ଦାନିଲୋ ଦୋଲ୍‌ଚି ଏବେ ଇତାଲୀ ଦେଶର ଗାନ୍ଧୀ ବୋଲି ପରିଚିତ ହୋଇ ରହିଛନ୍ତି । ନିଗ୍ରୋମାନଙ୍କୁ ସେମାନଙ୍କର ମାନବିକ ଅଧିକାରଗୁଡ଼ିକୁ ହାସଲ କରିବାରେ ସକ୍ରିୟ ଭାବରେ ସଂଘବଦ୍ଧ କରିଥିବା ଶ୍ରୀ ମାର୍ଟିନ ଲୁଥର କିଙ୍ଗ୍‌ଙ୍କୁ ପୂର୍ଣ୍ଣ ଯୁକ୍ତିର ସହିତ ଆମେରିକାର ଗାନ୍ଧୀ ବୋଲି କୁହାଯାଇଥାଏ । ମହାତ୍ମାଗାନ୍ଧୀଙ୍କ ପରି ଯାବତୀୟ ଗାନ୍ଧୀ କାମକୁ ବୁଝି ହୁଏ । ସାମୂହିକ ସଂଗ୍ରାମ ଏବଂ ପ୍ରତିରୋଧର ଏକ ନିର୍ଦ୍ଦିଷ୍ଟ ପରିମଳ ବିଶିଷ୍ଟ ମାର୍ଗକୁ ଯେ ଗାନ୍ଧୀମାର୍ଗ ବୋଲି କୁହାଯାଏ, ସେହି କଥାଟିକୁ ମଧ୍ୟ ଅଳ୍ପବହୁତ ଅବଶ୍ୟ ବୁଝିହୁଏ । ପ୍ରଧାନତଃ ସେହି କାରଣରୁ ଆମ ରାଜ୍ୟର କେତେକ ସ୍ଥାନୀୟ ବ୍ୟକ୍ତିଙ୍କୁ ଲୋକମାନେ ସେହିସବୁ ସ୍ଥାନର ଗାନ୍ଧୀ ବୋଲି ଯେତେବେଳେ ସୂଚାଇ ଦିଅନ୍ତି, ସେତେବେଳେ ମଧ୍ୟ କେହି ବିଶେଷ ଆଚମ୍ବିତ ହୁଅନ୍ତି ନାହିଁ । ଏଥିରେ କିଛି ଅତିରଞ୍ଜନ ରହିଥାଏ ସତ, ମାତ୍ର ତାହା ପଛରେ ନିର୍ମଳ ଶ୍ରଦ୍ଧାଟିଏ ମଧ୍ୟ ରହିଥାଏ । ଆମ ଅଞ୍ଚଳରେ ଏକଦା ଏହି ବ୍ୟକ୍ତିଟି ଥିଲେ ସେଥିରେ ପୁଲକ ପ୍ରକଟ କରି ଏକ ତୁଳନାଦ୍ଵାରା ସଂପୃକ୍ତ ଲୋକମାନେ ଯେ ଗାନ୍ଧୀ ଏକ ଜୀବନ୍ତ ନମୁନା ରୂପେ ସେମାନଙ୍କର ଏତେ ନିକଟରେ ରହିଥିଲେ ବୋଲି କହିବାକୁ ଆଗ୍ରହଟିଏ କରିଛନ୍ତି, ସେହି ପ୍ରସଙ୍ଗଟିକୁ ଉତ୍ତମ ରୂପେ ବୁଝିହୁଏ, ମୋଟେ ଖଟକା ଲାଗେ ନାହିଁ ।

 

ସେହି କ୍ରମରେ ସୋରୋ ଗାନ୍ଧୀ, ବଡ଼ଚଣା ଗାନ୍ଧୀ, ସୁନ୍ଦରଗଡ଼ ଗାନ୍ଧୀ, ବାଲିକୁଦା ଗାନ୍ଧୀ ଏହିପରି ଭଳି ଭଳି ଗାନ୍ଧୀ । ଅସଲ ଅର୍ଥାତ୍ ମୂଳ ଗାନ୍ଧୀଟିକୁ ତଥାପି ବହୁତ ପାଖରେ ରହିଥିବା ପରି ଅନୁଭବ କରି ପାରିବାର ସରାଗରେ ନିଶ୍ଚୟ ସେ କଥା ହୋଇଛି ଏବଂ ଆବଶ୍ୟକ ପ୍ରେରଣାଟିକୁ ଆଣି ଦେଉଛି । ହୁଏତ ଯାବତୀୟ ଅର୍ଥର ଯୁଗପତ୍ ଭାବରେ ଆମର ସ୍ଥାନୀୟ ଚିହ୍ନା ମଣିଷଟିର ପ୍ରେରଣା ତଥା କେଡ଼େ ନା କେଡ଼େ ବଡ଼ ଅଥଚ ଆମ ହୃଦୟ ଭିତରେ କେତେ ନା କେତେ ନିକଟର ସେହି ମହାନ୍ ଆତ୍ମାଟିର ପ୍ରେରଣା । କିନ୍ତୁ ଗାନ୍ଧୀ ନାମକ କଥାଟି ସହିତ ଗାନ୍ଧୀବାଦ ନାମକ ସେହି ଅନ୍ୟ କଥାଟି ଆମ ଦେଶରେ ତଥା ମନୋଗତ ବିବେକ ଭିତରେ ଯେବେଠାରୁ ଆସି ପ୍ରବେଶ କଲାଣି, ସେଇଟିକୁ ଆମେ ଆଦୌ ଏତେ ସହଜରେ ହୃଦୟଙ୍ଗମ କରି ପାରିବା ନାହିଁ । ସ୍ଵୟଂ ମହାତ୍ମା ଗାନ୍ଧୀଙ୍କୁ ମଧ୍ୟ ଗାନ୍ଧୀବାଦ କଥାଟି ବଡ଼ ଅଡ଼ୁଆ ଲାଗୁଥିଲା । କଥାଟି ପ୍ରକୃତରେ ଏତେ ହୁଗୁଳା ଯେ, ଡାହା ଅନେକ ସମୟରେ ଆମକୁ ଗୋଡ଼ ଖସାଇ ହୁଏତ କିଞ୍ଚିତ ରସାଇ ରସାଇ ଆଉ କୁଆଡ଼କୁ ନେଇଯାଏ ଏବଂ ଲଗାମଟା ହାତରେ ଚାଲିଗଲା ବୋଲି ଲାଗୁଥିଲେ ମଧ୍ୟ କେଜାଣି କାହିଁକି ପୁନର୍ବାର ସେଇଟାକୁ ନିଜ ହାତକୁ ଆଣିବା ନିମନ୍ତେ ବିଶେଷ ଇଚ୍ଛା ହୁଏ ନାହିଁ । ଆମ ହାତପାଆନ୍ତାର କେତେ ରାଜନେତାଙ୍କୁ ଆମେ କହୁ କହୁ ସତେ ଅବା କିଞ୍ଚିତ୍‍ ହୁଡ଼ି ଯାଉଥିବା ପରି ଲାଗିଲେ ମଧ୍ୟ ଗାନ୍ଧୀବାଦୀ ବୋଲି କହି ପକାଉ । ସେହି ହିସାବରେ ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀ ଗାନ୍ଧୀବାଦୀ, ଶ୍ରୀଯୁକ୍ତ ଜୟପ୍ରକାଶ ନାରାୟଣ ଗାନ୍ଧୀବାଦୀ, ଶ୍ରୀ ସୁରେନ୍ଦ୍ର ନାଥ ଦ୍ୱିବେଦୀ ଗାନ୍ଧୀବାଦୀ ଏବଂ ଶ୍ରୀଯୁକ୍ତ ବାଙ୍କବିହାରୀ ଦାସ ମଧ୍ୟ ଗାନ୍ଧୀବାଦୀ । ଏବେ ତ ଗୋଟିଏ ସାକ୍ଷାତକାର ସମୟରେ ଶ୍ରୀ ରବି ରାୟଙ୍କୁ ମଧ୍ୟ ଜଣେ ଗାନ୍ଧୀବାଦୀ ବୋଲି ବର୍ଣ୍ଣନା କରାଯାଇଛି । ପଢ଼ି ଯାଉଥିବା ସମୟରେ ତ ବେଶ୍ ଭଲ ଲାଗେ, ତଥାପି କ'ଣ ଟିକିଏ କେମିତିକା କେମିତିକା କାହିଁକି ଲାଗିବାକୁ ଆରମ୍ଭ କରେ କେଜାଣି ? ହଠାତ୍ ଅନୁଭବ ହୁଏ, ଗାନ୍ଧୀବାଦଟା କ’ଣ ଏପରି ଗୋଟିଏ ତରଳ ପ୍ରସାଧନମାତ୍ର ଯେ ଆମେ ତାହାକୁ ଆଣି ଯୋଉଠି ସେଠି ନିଶ୍ଚୟ ବୋଲି ଦେଇ ପାରିବା ଏବଂ ଏପରି କରି କାହାର ଶୋଭାବୃଦ୍ଧି କଲୁ ବୋଲି ଖୁସି ବି ହୋଇଯିବା ? କୋଉ କିଆରିର ପାଣିକୁ ଆମେ କୋଉ କିଆରିରେ ନେଇ ମଡ଼ାଇବା ବା ନ ମଡ଼ାଇବା, ତା’ର ମଧ୍ୟ ସର୍ବଦା ଗୋଟାଏ ବାଗ ରହିଥିବା ନିତାନ୍ତ ଉଚିତ ।

 

ବୟସ୍କ ବହକିଗଲେ ମଣିଷମାନେ ସତେଅବା ଭିତରୁ ହିଁ କେମିତି କେମିତି ବାନପ୍ରସ୍ଥୀ ହୋଇ ଆସନ୍ତି । ନିତାନ୍ତ ଧର୍ମନିରପେକ୍ଷ ଓ ଏପରିକି ଧର୍ମ ବିମୁଖମାନେ ମଧ୍ୟ ଧର୍ମ ଆଡ଼କୁ ଢଳିବା ପରି ଦିଶନ୍ତି । ବାନପ୍ରସ୍ଥ ଅବଲମ୍ବନ କରନ୍ତି । ଜୀବନଯାକ ନିତାନ୍ତ ତେଢା ଓ ତେର୍ଚ୍ଛା ସ୍ଵପ୍ନମାନ ଦେଖ ଆସିଥିବା ଏବଂ ନିତାନ୍ତ ଦାନ୍ତୁଆ ଓ ଦାଢ଼ୁଆ ରାଜନୀତିକ ଦଉଡ଼ମାନ ଦଉଡ଼ି ଆସିଥିବା ଆମର ଅନେକ ନେତା ଶେଷ ପହୁଣ୍ଡଟା ବେଳକୁ କ'ଣ କେତେକ ପରିମାଣରେ ନିଜକୁ ଗାନ୍ଧୀବାଦଆଡ଼କୁ ଆକୃଷ୍ଟ କରାଇ ନେଇଥାଆନ୍ତି କି ? ଏପରିକି ଏହି ରାଜ୍ୟରେ ବହୁତ ବାମପନ୍ଥୀ ମଧ୍ୟ ଥିଲେ ଓ ଅଛନ୍ତି, ଯେଉଁମାନେ କି ଜୀବନର ଶେଷଆଡ଼କୁ ଗଡ଼ମ୍ୟାନ୍‍ମାନଙ୍କୁ ଖୋଜି ବି ବାହାରିଛନ୍ତି, ଏପରିକି ସତେଅବା ନିଜର ସୈଦ୍ଧାନ୍ତିକ ଗୁଳାମାନଙ୍କୁ ଅଧିକ ଉଦାର ବା ନିରୀହ କରି ଦର୍ଶାଇବାକୁ ଏଠି ଜଗନ୍ନାଥ ନାମକ ସର୍ବାରାଧ୍ୟ Archetype ଟିରେ ନୂତନ ଯଥାନୁକୂଳ ଭାଷାଟିଏ ଆଣି ଯୋଡ଼ିବାକୁ ପ୍ରୟାସ କରିଛନ୍ତି । ବୟସ ଅଧିକ ହୋଇଯିବା ପରେ ହିଁ ସେମାନେ ଏଗୁଡ଼ିକୁ କରିଛନ୍ତି । ଗାନ୍ଧୀଙ୍କୁ ଆମେ ବିଦା ଦେଇଦେବା ପରେ ଦେଶଯାକ କିସମ କିସମର ଆତ୍ମସଂବେଦନା ସହିତ ସେ କଥା ହୋଇଛି । ଏବେ ତ ଆହୁରି ଭଳି ଭଳି ନିଷ୍ଠା ସହିତ ପ୍ରାୟ ସଂପୂର୍ଣ୍ଣତଃ ଏକ ବାଳୁତସୁଲଭ ମନୋମୁଦ୍ରା ସହିତ ପ୍ରୟାସଗୁଡ଼ିକୁ କରାଯାଉଛି ଏବଂ ସେଥିରୁ ଆମକୁ ବହୁ ଆନନ୍ଦ ମିଳିଯାଉଛି । ଗାନ୍ଧୀ ମହାତ୍ମାଙ୍କର ହାତବାଡ଼ିଟି ଏକଦା ତାଙ୍କର ଓଡ଼ିଶା ରହଣି ସମୟରେ ଦୈବାତ୍‌ ହଜିଯିବାରୁ ସ୍ଥାନୀୟ ଅନୁଚରମାନେ ଏଇଠୁ ବାଉଁଶବୁଦାରୁ ତାଙ୍କ ପାଇଁ ବାଡ଼ିଗୁଡ଼ିଏ କାଟି ଆଣିଲେ ଓ ମହାତ୍ମାଗାନ୍ଧୀ ତାହାରି ଭିତରୁ ଗୋଟିଏ ବାଛି ଜୀବନ ଛାଡ଼ିବା ଯାଏ ସେଇଟିକୁ ରଖିଲେ, ଓଡ଼ିଶାବାସୀ କେତେ ସରାଗରେ ସେ କଥାକୁ ସୁରମ୍ୟ କାହାଣୀରୂପ ଦେଇ ଖବରକାଗଜରେ ଛାପୁଛନ୍ତି । ମହାତ୍ମାଜୀ ଉତ୍କଳ ଗୌରବ ମଧୁସୂଦନଙ୍କଠାରୁ ଗ୍ରାମୋଦ୍ୟୋଗ ସମ୍ବନ୍ଧରେ କିଛି ଶିକ୍ଷା କରିବାର ଅଭିପ୍ରାୟରେ ଥରେ କଟକରେ ତାଙ୍କ ଘରେ ରହିଥିଲେ ଓ ପରେ ଏକ ଲେଖାରେ ମଧୁବାବୁଙ୍କୁ ନିଜର ଶିକ୍ଷାଦାତା ବୋଲି ଉଲ୍ଲେଖ କରିଥିଲେ ବୋଲି ଆମେ ମଧୁସୂଦନିଆମାନେ ସେଇଥିରେ ହିଁ କେତେ ଉତ୍‌ଫୁଲ୍ଲ ଅନୁଭବ ବି କଲୁଣି । ଭାରତବର୍ଷକୁ ଓଡ଼ିଶାର ଶିକ୍ଷାନବୀଶ ବୋଲି ଭାବି ନିଜର ମୂଲ୍ୟକଳନାମାନଙ୍କରେ ସତେଅବା ମନ ଆନନ୍ଦରେ କେତେ ନେଞ୍ଜରା ଆଣି ନେସିବି ଦେଉଛୁ । ଗାନ୍ଧୀଙ୍କର ଭେକଟାରୁ ହିଁ ଗାନ୍ଧୀଙ୍କୁ ଅନ୍ଦାଜ କରୁଥିବା ପରି ଆମ ଛାତି ଖୋଲା ରଖି ଆଣ୍ଠୁ ନଲୁଚୁଥିବା ଲୁଗା ପିନ୍ଧିଲେ ଗାନ୍ଧୀ ଦର୍ଶନ ଜୀବନଧାରାଟି ସହଜରେ ପୁନଃପ୍ରତିଷ୍ଠିତ ହୋଇଯିବ ବୋଲି କୁହାଯାଉଥିବାର ନିର୍ଦ୍ଦେଶ କଥାଟି ମଧ୍ୟ ସେହି ଉତ୍ସାହରୁ ହୁଏତ ବାହାରି ଥିବ ।

 

ଗାନ୍ଧୀଙ୍କର କଥାରେ ସମାଜବାଦର କଥା ଥିଲା । ବାମପନ୍ଥାର ଉଭୟ ଯୂଥ, କମ୍ୟୁନିଷ୍ଟ ଓ ସମାଜବାଦୀ ଆରମ୍ଭରେ ଉଭୟେ ହିଁ ଭାରତୀୟ ଜାତୀୟ କଂଗ୍ରେସ ଭିତରେ ରହିଥିଲେ । ତା'ପରେ ପରସ୍ପର ଭିତରେ ଅଧିକରୁ ଅଧିକ ଖେଞ୍ଚା ଖେଞ୍ଚି ହୋଇ ସମ୍ଭବତଃ ଧରା ପଡ଼ିଯିବା ଭୟରେ ଆଗପଛ ହୋଇ କଂଗ୍ରେସ ଭିତରୁ ବାହାରି ଯାଇଥିଲେ । ହଁ, ଭାଗ୍ୟ ହିଁ ଏପରି ଅଦଉତି କଲା ଯେ, ଭାରତଛାଡ଼ ଆନ୍ଦୋଳନ ସମୟରେ କମ୍ୟୁନିଷ୍ଟମାନେ ଇଉରୋପୀୟ ଯୁଦ୍ଧ ମେଣ୍ଟର ଗୋତ୍ରଟିକୁ ମାନି ଏଠି ବ୍ରିଟିଶ ପଟେ ରହିଲେ । ସ୍ୱାଧୀନ ଭାରତବର୍ଷର ପ୍ରଥମ ଡିହଗୁଡ଼ିକ ତିଆରି ହେଉ ହେଉ ସମାଜବାଦୀ ମଧ୍ୟ ସ୍ୱତନ୍ତ୍ର ହୋଇଗଲେ । ଶାସକ କଂଗ୍ରେସ ଦଳର ଅପାରଗତାଗୁଡ଼ିକୁ ଉଖାରି ଖୁବ୍ ସଫଳ ହେଲେ । କିନ୍ତୁ କ’ଣ ସବୁ ସେହିମାନଙ୍କ ଭିତରୁ ହିଁ ମ୍ଳାନ ହୋଇ ଆସୁଥିଲା ପରି ସେମାନେ ନିଜ ଭିତରେ ବିବାଦୀ ହେଲେ, ଥୋକେ କଂଗ୍ରେସ ଭିତରକୁ ପୁଆଣୀ ବି ହୋଇ ଆସିଲେ ଏବଂ ଗାଦୀରେ ବି ବସିଲେ । ସେତେବେଳକୁ କଂଗ୍ରେସ ମଧ୍ୟ ବୟସାଧିକ୍ୟ ଅଥବା ମେବାଧିକ୍ୟ ହେତୁ କ୍ରମେ ହାସ୍ୟାସ୍ପଦ ହୋଇ ଆସୁଥିଲା ସିନା, ସମାଜବାଦୀ ତଥାପି ନିଜ ହାତକୁ ଅସଲ ଚାବିଗୁଡ଼ିକୁ ନେଇ ପାରିଲେ ନାହିଁ । ଭାରି କୁଚ୍ଛନଯୁକ୍ତ ଭାବରେ ଖାପ ଖାଇଗଲେ । ବାହାରେ ଥିବା ସେମାନଙ୍କର ଏକଦା ତୋବାରିସ୍ (comrade ବା ସବର୍ଗ)ମାନେ ସୁକୁଟ ବି ଦେଖୁଥିଲେ । ତା’ପରେ ସାରା ଦେଶଟା ହିଁ ସମଗ୍ର ବାମପନ୍ଥୀ ପଟଟା ଜଙ୍ଗଲରେ ପରିଣତ ହୋଇଗଲା । ଜୟପ୍ରକାଶ ସମାଜବାଦୀଙ୍କୁ ଛାଡ଼ି ସର୍ବୋଦୟ ପାଇଁ ଜୀବନଦାନ କରିଥିଲେ, ଶ୍ରୀ ନବକୃଷ୍ଣ ଚୌଧୁରୀ ବି ତାଙ୍କ ସହିତ ମିଶିଲେ । କିନ୍ତୁ ଚତୁରୀ ଇନ୍ଦିରା ଗାନ୍ଧୀ ଜରୁରୀ ଅବସ୍ଥା ଜାରିକରି କ’ଣ ଜନ୍ତରମନ୍ତର ଆଣି ବୁଣିଦେଲେ କେଜାଣି, ସର୍ବୋଦୟ ସାହିଟା ମଧ୍ୟ ଦୁଇ ଭାଗ ହୋଇଗଲା । ଗୋଟାଏ ପଟ, ସେଥିରେ ଶ୍ରୀ ଚୌଧୁରୀ ମଧ୍ୟ ଥିଲେ–ସନ୍ଥ ବିନୋବାଙ୍କୁ ତୁମ ଆମଙ୍କର ଗାଳିଶବ୍ଦ ପ୍ରୟୋଗ କରି ସଭାରେ ଭାଷଣ ଦେଲେ । ସମ୍ଭବତଃ ଏମାନେ ନିଜ ଭିତରେ କ’ଣଟାକୁ ଅପାରଗ ଗଧଟାଏ ମଣି ଭର୍ତ୍ସନା କରୁଥିଲେ । ତା’ପରେ ଲୋକନାୟକ କଂଗ୍ରେସ ହଟାଓ, ଯଜ୍ଞରେ ବାହାରି ପଡ଼ିଲେ । ଦିଲ୍ଲୀରେ ବିକଳ୍ପ ସରକାରମାନ ବସାଇଲେ । ତଥାପି କଂଗ୍ରେସକୁ ତଡ଼ି ପାରିଲେ ନାହିଁ । ଆୟୁଷ ଥିବା ଯାଏ କଂଗ୍ରେସ କ୍ଷମତାକୁ ବାର ବାର ଆସିଲା ଓ ପାହାଚ ପାହାଚ ତଳକୁ ଯାଉଥିଲା । ଆପଣା ବାଡ଼ିର ଆଘାତରେ ଯିବାଟା ତ’ କୋଷ୍ଠୀରେ ସତେଅବା ଲେଖାହୋଇ ରହିଥିଲା । ତେଣୁ, ଆଲୋଚ୍ୟ ନେତା ଏବଂ ନାୟକବୃନ୍ଦ କେଉଁଠାରୁ ଗାନ୍ଧିବାଦୀ ହେଲେ କେଜାଣି ? ସମାଜବାଦର ବି କି ଦଶା ନକଲେ । ଅଳଂ ଅତିବିସ୍ତରେଣ ।

 

ଭାରତବର୍ଷ ନାମକ ଏକ ତାତ୍କାଳିକ ଭୂମିଜ ଉପରେ ଛିଡ଼ା ହୋଇ ଭାରତବର୍ଷ ସମେତ ସଂପୂର୍ଣ୍ଣ ମାନବଜାତିକୁ ପରିପ୍ରେକ୍ଷୀରେ ଧରି ରଖି ମୋହନଚାନ୍ଦ ଗାନ୍ଧୀ ଯେଉଁ ଭବିଷ୍ୟ ଚିତ୍ରକୁ ନେଇ ଏତେ ଆଚମ୍ବିତ ନାନା କ୍ଷେତ୍ରରେ ଯେଉଁ ଜୀବନଟିକୁ ଆମ ଅନେକଙ୍କର ଆଖି ଦେଖା ଭାବରେ ଅତୀବ କ୍ରିୟାଶୀଳ ଭାବରେ ଏକାବେଳେକେ ଶେଷ ମୁହୂର୍ତ୍ତଟି ପର୍ଯ୍ୟନ୍ତ ବଞ୍ଚିଗଲେ, ନିଜକୁ ତଥା ଗାନ୍ଧୀଙ୍କୁ ସତକୁସତ ଅନ୍ତର୍ଗତ ଭାବରେ ସମ୍ମୁଖରେ ରଖି ଅବଲୋକନ କରି ପାରିଲେ ଆମେ ଅତି ସାଧାରଣମାନେ ମଧ୍ୟ ସବାଆଗ ଦୁଇଟି କଥା ଦେଖିବାକୁ ପାଇବା । ଗୋଟିଏ ହେଉଛି ତାଙ୍କର ସାଧୁତା । ସାଧୁତାର ଚର୍ଚ୍ଚା ହେଲାବେଳେ ତାହା ଏକ ରାଜନୀତିକ ସାଧୁତାକୁ ବୁଝାଇପାରେ, ଏକ ସାମାଜିକ ସାଧୁତାକୁ ବୁଝାଇପାରେ । ସାଧୁତା ଅର୍ଥାତ୍‍ ଯେଉଁଠି ଚତୁରତା ନାହିଁ, ଧୂର୍ତ୍ତତା ନାହିଁ । ମୋରି କଥାରୁ ଏବଂ ମୋର କାମରୁ ସଂପୃକ୍ତ ସମସ୍ତେ ମୋତେ ଉତ୍ତମ ରୂପେ ବୁଝି ପାରୁଛନ୍ତି ଓ ସେହି ଅବସ୍ଥାରେ ମୋ ଉପରେ ନିର୍ଭର କରି ପାରୁଛନ୍ତି । ଯେଉଁମାନଙ୍କୁ ସାଙ୍ଗରେ ନେଇ ମୁଁ ଯୁଦ୍ଧଟିଏ ଲଢ଼ିବାକୁ ଯାଉଛି ଉଭୟ କ୍ଷେତ୍ରର ସାଧୁତା । ସେମାନେ ମୋତେ ଭିତରେ ଯାହା ତାହା ବୋଲି ବିଶ୍ୱାସ କରି ପାରୁଛନ୍ତି । ଏହି ସାଧୁତାର ଅଭାବରେ ସମାଜବାଦ, ଗଣତନ୍ତ୍ର ଅଥବା ସର୍ବୋଦୟ ଆଦୌ କୌଣସିଟି ଚାଲି ପାରିବ ନାହିଁ । ଇତିହାସରେ ଧୂର୍ତ୍ତ ଓ ଚତୁରମାନେ ମଧ୍ୟ ବହୁ ବିଜୟ ଅବଶ୍ୟ ହାସଲ କରିଛନ୍ତି । ମାତ୍ର ସେହି ବିଜୟରୁ ବହୁ ନୂଆ ନୂଆ ପରାଜୟ ହିଁ ଜନ୍ମଲାଭ କରିଛନ୍ତି । ମନୁଷ୍ୟ ଜାତିକୁ ଧୋକା ପରେ ଧୋକା ଖାଇବାକୁ ପଡ଼ିଛି । କ୍ଷମତାଟା କରାଳରୁ କରାଳତର ହୋଇଛି । ନିପଟ ଦୈତ୍ୟମାନେ ମଧ୍ୟ ଆଦର୍ଶବାଦୀ ବୋଲାଇ ପୃଥିବୀରେ ଯାବତୀୟ ରାଜନୀତିକତା ଓ ଯାବତୀୟ ସାମାଜିକତାର ଇଜ୍ଜତ ନେବା ପାଇଁ ମର୍ଦ୍ଦଳ ବଜାଇ ମାରଣାସ୍ତ୍ର ଧରି ଆସି ପହଞ୍ଚି ଯାଇଛନ୍ତି । ନିପଟ ବଣିଆମାନଙ୍କର ଉତ୍ପାତ ହେତୁ ମଣିଷ ଭିତରର ମୂଳ ବିବେକଟି ବି ସାହସ ହରାଇ ବସିଛି । ଏପରି ଏକ ସାଧୁତା ଯାହା ଭିତରେ କି ଯାବତୀୟ ରାଜନୀତିକ ଏବଂ ସାମାଜିକ ସାଧୁତା ମଧ୍ୟ ନ୍ୟାୟତଃ ଓ ନିୟମତଃ ଅନ୍ତର୍ଗତ ହୋଇ ରହିଥିବ, ଆମେ ତାହାକୁ ହିଁ ସାହସ ସହିତ ଆଧ୍ୟାତ୍ମିକ ସାଧୁତା ବୋଲି କହି ପାରିବା କି ? ଆମେ ସାହସ କରି ପାରିଲେ ତଥା ସୁସ୍ଥ ଭାବରେ ମନ କଲେ ମହାତ୍ମା ଗାନ୍ଧୀ ପଦେ ପଦେ ସାନ ଓ ବଡ଼ ପ୍ରତ୍ୟେକ ଅବସରରେ ବଞ୍ଚି ଯାଇଥିବା ସାଧୁତାଟିକୁ ସେହି ଆଧ୍ୟାତ୍ମିକ ସାଧୁତା ବୋଲି ହିଁ କହି ପାରିବା । ଏବଂ ସେଇଟି ନଥିଲେ ତୁମେ ଗାନ୍ଧୀଙ୍କ ପଟେ ରହିଛ ବୋଲି କିଭଳି କୁହାଯାଇ ପାରିବ-?

 

ସେହି ସାଧୁତା ରହିଥିଲେ ତୁମେ ଭେକ ଦେଖିବ ନାହିଁ, ପାର୍ଥକ୍ୟ ରହିଥିଲେ ମଧ୍ୟ ସବାଆଗ ମୋଟେ ପାର୍ଥକ୍ୟଗୁଡ଼ିକୁ ଦେଖିବ ନାହିଁ । ମଣିଷ ମଣିଷ ଭିତରେ କେତେ ପାର୍ଥକ୍ୟ ତଥାପି ଡୋରଟିଏ ବୋଲି ନିଶ୍ଚୟ କିଛି ରହିଥିବାରୁ ତ ମଣିଷ ସ୍ଥାନୀୟ ଅଳପଗୁଡ଼ିକୁ ଛାଡ଼ି ଜଗତର ବୃହତ୍ତର ସମଗ୍ରଟିର ପରିପ୍ରେକ୍ଷୀରେ ଏଣିକି କ୍ରମେ ଏବେ ଏତେ ଏତେ କଥା ଚିନ୍ତା କଲାଣି । ତା’ର ସହାନୁଭୂତି ଏବଂ ସମବେଦନାର ଭୂଗୋଳମାନେ ବଦଳି ବଦଳି ପୃଥ୍ୱୀସୀମାକୁ ଛୁଇଁବା ପାଇଁ ସାହସ କଲେଣି । ମହାତ୍ମା ଗାନ୍ଧୀ ଆମ ମାପକାଠିଗୁଡ଼ିକର ମୁତାବକ ହୁଏତ ମୋଟେ ଗାନ୍ଧୀବାଦୀ ନଥିଲେ ଓ ସେହି କାରଣରୁ କେତେ କିସମର ମଣିଷଙ୍କୁ ଏକାଠି ବସାଇ ପାରୁଥିଲେ, ସେମାନଙ୍କୁ ଏକ ସଂଗ୍ରାମୀ ଦଳରେ ଏକାଠି କରି ଇତିହାସରେ ଆମ ଅନନ୍ୟ ସଂଗ୍ରାମଟିରେ ଅବତୀର୍ଣ୍ଣ କରାଇ ପାରିଲେ । ଏବଂ, ଗାନ୍ଧୀ ଯାଉ ଯାଉ ନକୁଳ ଓ ସହଦେବମାନେ ଆଉ ମୋଟେ ଏକାଠି ଚିନ୍ତା କରି ପାରିଲେ ନାହିଁ, ନେହରୁ, ପଟେଲ ଆଦି ଏଡ଼େ ଏଡ଼େ ଘରେ ଆରଜଣକ ନିମନ୍ତେ ଆଉ ଜାଗା ହୋଇ ପାରିଲା ନାହିଁ । ମହାତ୍ମା ଗାନ୍ଧୀ କେଉଁ କିମିଆ ବଳରେ ତାହା ପାରୁଥିଲେ କେଜାଣି ? ସେହି କିମିଆ ଜଣା ଥିଲା ବୋଲି ରୁଷିଆର ଲେନିନ୍ ମଧ୍ୟ ଟ୍ରଟ୍ପସ୍କି ଓ ଷ୍ଟାଲିନଙ୍କୁ ଏକାଠି ବସାଇ ପାରୁଥିଲେ ବୋଲି ଦୁଃସାହସ କରି କୁହାଯାଇ ପାରିବ କି ? ଲେନିନ୍ ନଯାଉଣୁ ହିଁ ମରଣାନ୍ତକ ଧରାପରା ଆରମ୍ଭ ହୋଇଗଲା । ଭାରତବର୍ଷରେ ଏବେ ଗାନ୍ଧୀମାର୍ଗୀ ଯେତେ ନାହାନ୍ତି, ଗାନ୍ଧୀବାଦୀ ବୋଲାଇ ଭିନେ ଭିନେ ଆଡ଼କୁ ମୁହଁ ଫୁଲାଇ ବସିଥିବା ଭଳିକି ଭଳି କେତେ କିଏ ରହିଛନ୍ତି । ସମାଜବାଦୀ ବି ସତର ପ୍ରକାରର ଓ କମ୍ୟୁନିଷ୍ଟ ମଧ୍ୟ ବହୁ ମାର୍କାର ଓ ବହୁ ମାର୍ଗର । ଏମାନଙ୍କୁ ଏକାଠି କିଏ କରାଇବ ? ପାର୍ଥକ୍ୟ ସତ୍ତ୍ଵେ କିଏ ସେମାନଙ୍କର ଅସଲ ଆତ୍ମାଟିକୁ ସତକୁସତ କ୍ରିୟାଶୀଳ କରି ବାହାରକୁ ଆଣି ପାରିବ ? ଯେଉଁମାନଙ୍କୁ ସେମାନଙ୍କର ଅନ୍ତିମ ଜୀବନରେ ଆମେ ଗାନ୍ଧୀବାଦୀ ବୋଲି କହିବା ପାଇଁ ଉତ୍ସାହୀ ହେଲୁ, ସେମାନେ ବି ନିଜ ଭିତରେ ଏକ ମୋହଭଙ୍ଗ ହୋଇଥିବା ଭଳି ଗାନ୍ଧୀଙ୍କୁ ସମଝି ପାରୁଥିବା ପରି କେତେ କଥା କହୁଥିଲେ । ବାହାରର ରଣଗୁଡ଼ିକରେ ପରାଭବ ସ୍ଵୀକାର କରି ସେମାନେ ସତେଅବା ଏକ ଅନ୍ୟ ଘ୍ରାଣେନ୍ଦ୍ରିୟ ଦ୍ୱାରା ପରିଚାଳିତ ହୋଇ ଗାନ୍ଧୀ ନାମକ ସେହି ଅନ୍ୟ ପ୍ରତିଶ୍ରୁତିଟି ଆଡ଼କୁ ଆକର୍ଷିତ ହୋଇ ଯାଉଥିଲେ କି ? ଅଧାକାନ୍ଥି ଉଠାଇ ଅଲଗା ଅଲଗା ଛଟପଟ ହେଉଥିବା ସମାଜବାଦୀ, କମ୍ୟୁନିଷ୍ଟ ଏବଂ ସର୍ବୋଦୟବାଦୀମାନେ ମଧ୍ୟ ନିଜ ପ୍ରତି କୃପା କଲେ ଏଇଟିରୁ ବହୁତ କିଛି ଶିକ୍ଷା କରି ପାରନ୍ତେ ।

 

୨୬.୧୧.୦୧

☆☆☆

 

ଦୁଷ୍ଟ ସାହିତ୍ୟର ପରିଧି ନାହିଁ

 

ଆମର ଆଧୁନିକ କାଳଟି ହେଉଛି ପ୍ରକୃତରେ ଏକାଧିକ ଏକ ଆହ୍ୱାନମୟ କାଳ ଏବଂ ସେହି କାରଣରୁ ଏକ ଅତ୍ୟନ୍ତ ଆକର୍ଷକ କାଳ । ଓଡ଼ିଆ ସାହିତ୍ୟରେ ଆଧୁନିକ କାଳଟି ସତକୁସତ କେବେଠାରୁ ଆରମ୍ଭ ହେଲା, ସେହି ବିଷୟରେ ଏବେ ମଧ୍ୟ ଭିନ୍ନ ମତମାନ ରହିଛି । ମାତ୍ର ଆହ୍ଵାନରେ ଭରପୂର ହୋଇ ଆମ ଦୁଆର ପାଖରେ ଆସି ଖଡ଼ ଖଡ଼ କରିଥିବା ଅର୍ଥରେ ଭାରତବର୍ଷ ସ୍ୱାଧୀନ ଲାଭ କରିବା ସହିତ ଭାରତବର୍ଷ ଓ ତେଣୁ ଓଡ଼ିଶାରେ ଯେଉଁ ବିଶେଷ କାଳଟି ଆସି ଉପସ୍ଥିତ ହୋଇଥିଲା, ଆମେ ସମସ୍ତେ ସେହି କାଳଟିକୁ ହିଁ ସକଳ ତାତ୍ପର୍ଯ୍ୟରେ ଆମ ସାହିତ୍ୟରେ ମଧ୍ୟ ଆଧୁନିକ କାଳ ବୋଲି ଅବଶ୍ୟ ଜାଣିବା । ଗୋଟିଏ ଦେଶ ବା ଗୋଟିଏ ରାଜ୍ୟ କହିଲେ ଯଦି ମୂଳତଃ ମଣିଷମାନଙ୍କୁ କେତେକ ମଣିଷଙ୍କୁ ନୁହେଁ, ମଣିଷ ମାତ୍ରକେ ସମସ୍ତଙ୍କୁ ବୁଝାଏ, ତେବେ ସ୍ଵାଧୀନତା ଆସିବାର ସେହି ସମୟଟି ସିନ୍ଦୂରା ଫାଟିବାର ଏକ ସମୟବତ୍ ଅନୁଭବ ହେବା କଥା, କେତେ ନବବିଧାନ ତଥା ନବ ନିର୍ମାଣର ଯାବତୀୟ ସୂକ୍ଷ୍ମ ଏବଂ ସମ୍ଭାବନା ହିଁ ଆମ ସମ୍ପୃକ୍ତିଗୁଡ଼ିକୁ ନାନା ନୂଆ ଡେଣା ଆଣି ଲଗାଇଦେବା କଥା । ଆମର ସାହିତ୍ୟ ଠିକ୍ ସେତିକିବେଳକୁ କେଜାଣି କାହିଁକି ଏକ ନୂଆ ଧିସା ଧରିଲା, ଶୀତଳ ହୋଇଯିବାକୁ ମନ କଲା । ମୁଖ୍ୟତଃ ଶିକ୍ଷିତମାନେ ନୂଆ ନୂଆ ଛାଞ୍ଚ ଧରି ସାହିତ୍ୟ ଭିତରକୁ ରାଜମିସ୍ତ୍ରୀ ହୋଇଆସିଲେ । ନୂଆ ଶୈଳୀରେ ନୂଆ ଅଟ୍ଟାଳିକାମାନ ଗଢ଼ି ଥୋଇଦେଲେ ଓ ତାହାକୁ ଆଧୁନିକ ସାହିତ୍ୟ ବୋଲି କହିଲେ-

 

ଶାସନ ବଦଳି ଥାନ୍ତା, ଶିକ୍ଷା ବଦଳି ଥାନ୍ତା, ଏକାବେଳେ ନୂଆ ନକ୍ସାରେ ମଣିଷମାନଙ୍କୁ ହିଁ ସବା ଆଗରେ ରଖି କୃଷି ଏବଂ ଉଦ୍ୟୋଗର ବରାଦ ହୋଇଥାନ୍ତା । ସବୁ ବଦଳୁଛି, ଅଲବତ ବଦଳୁଛି ବୋଲି ଆମ କର୍ତ୍ତା ଏବଂ ନେତାମାନେ ଓକସ୍ୱିନୀ ଇଂରାଜୀ ଭାଷାରେ ଦେଶଟାଯାକ କହି ବୁଲିଲେ-। ସେମାନେ ପ୍ରକୃତରେ ଅଭିନୟ କରୁଥିଲେ । ଜାଣି ଜାଣି ଅଭିନୟ କରୁଥିଲେ-। କାରଣ, ସେମାନେ ସେହି ପୁରୁଣା ଛାଞ୍ଚଗୁଡ଼ିକୁ ବଳବତ୍ତର କରି ରଖିବାକୁହିଁ ପଣ କରିଥିଲେ-। ଏଠି ଅଳପ ଲୋକ ମୋଟା ମଗଜଗୁଡ଼ାକ ସହିତ ସତେଅବା କାଳକାଳକୁ ରାଜତ୍ୱ କରିବେ ବୋଲି ବହୁତଙ୍କୁ ଧୋକା ଦିଆଗଲା । ଏହି ଦେଶରେ ଏବଂ ଏହି ରାଜ୍ୟରେ ଏହି ପଚାଶବର୍ଷ ପରେ ମଧ୍ୟ ଅଧିକାଂଶ ମଣିଷ ତଥାପି ଦରିଦ୍ର, ତଥାପି ବଞ୍ଚିତ । ଆମ ସାମୂହିକ ଜୀବନରେ ଅଧିକାଂଶ ଇଲାକା ଘୋର ଅନ୍ଧାର ଭିତରେ ହିଁ ରହିଛି । କର୍ତ୍ତାମାନେ ପ୍ରାୟ ସବୁଯାକ ବିଭବକୁ ଭୋଗ କରିବେ ବୋଲି ସତେ ଅବା ଜାଣିଶୁଣି ଅନ୍ଧାରଟାକୁ ଏଠାରେ ବହଳ କରି ରଖିଛନ୍ତି । ମଣିଷମାନଙ୍କର ଏତେ ଏତେ ଅଧିକାର ରହିଛି ବୋଲି ମଣିଷମାନେ ସ୍ୱୟଂ ଜାଣିନାହାନ୍ତି । ଏହି ଦେଶଟା ଆଗଭଳି ନଚଳି ଗଣତନ୍ତ୍ରଦ୍ୱାରା ଚାଲିବ ବୋଲି କୋଟି କୋଟି ମଣିଷ ଏବେ ମଧ୍ୟ ଜାଣିନାହାନ୍ତି । ସେମାନେ ଏହି ଦେଶର ହୋଇଥିଲେ ମଧ୍ୟ ସେମାନଙ୍କୁ କଦବା କେମିତି କିଛି ଅନୁଗ୍ରହ ମିଳିବା ବ୍ୟତୀତ ସତେଅବା ସେମାନଙ୍କ ହାତରେ ଆଉ କିଛି ହେଲେ ଦିଆଯାଇ ନାହିଁ ।

 

ଓଡ଼ିଆ ସାହିତ୍ୟ ଏଇ ତଥାକଥିତ ଆଧୁନିକ ଗମ୍ଭୀରିଟା ଭିତରେ ପଶି ସେହି ଅଧିକ ସଂଖ୍ୟକ ମଣିଷମାନଙ୍କୁ ଭୁଲିଗଲା । ସାହିତ୍ୟରେ ଛଳମାନେ ବଢ଼ିଲେ, ଛଳନାମାନେ ନୂଆ ନୂଆ ଠାଣିରେ କେତେ ମନଲୋଭ ଶୈଳୀରେ ବ୍ୟକ୍ତ ହୋଇପାରିଲେ । କବିତା, ଗପ, ନାଟକ, ଉପନ୍ୟାସ ଅଧିକରୁ ଅଧିକ ସଂଖ୍ୟାରେ ଲେଖା ହେଲେ ଏବଂ ଅଧିକରୁ ଅଧିକ ସଂଖ୍ୟାରେ ଛପା ହେଲେ । ବହିମାନେ କ୍ରମେ ଅଧିକରୁ ଅଧିକ ସୁଦୃଶ୍ୟ ଚକ ଚକ ଦେଖାଗଲେ । ଯାହାର ଚେହେରା ଭଲ, ତାହା ଅଲବତ ଭଲ ବୋଲି ଗୋଟାଏ ନିତାନ୍ତ ଅନ୍ଦାଜକୁ ପ୍ରାୟ ହରିବୋଲଟାଏ ଦେଇ ହୁରି ପକାଇ ଦିଆଗଲା । ସାହିତ୍ୟ ଆଧୁନିକ ହୋଇ ଆକାଶରେ ଉଡ଼ିବା ଭଳି ଲାଗିଲା । ସାହିତ୍ୟ ତଳି ଛାଡ଼ି ସଭାମାନଙ୍କୁ ଆସିଲା । ସଭାଧର୍ମୀ ମର୍ଯ୍ୟାଦାଗୁଡ଼ିକୁ ଦୋରସ୍ତ କରି ରଖିବା ନିମନ୍ତେ ଏଣିକି ଏଣିକି ନୂଆ ନୂଆ ଅନୁଷ୍ଠାନ ଓ ନୂଆ ନୂଆ ଆନୁଷ୍ଠାନିକତାମାନେ ଉଦ୍‌ଭାବିତ ହେଲା । ସାହିତ୍ୟ ସହରୀ ହେଲା ଏବଂ ଗ୍ରାମାଞ୍ଚଳର ଇତରପାୟ ଅନ୍ୟମାନଙ୍କୁ ନୂଆ ନୀତିର ଶିକ୍ଷା ପ୍ରଦାନ କରି ବାହାରିଲା । ଶାସନର ସବାବଡ଼ କୋଠାମାନେ ସହରରେ ରହିଲେ, ନେତାମାନେ ନିଜ ନିଜର ପାଞ୍ଚମନ ଓ ପଚିଶି ପ୍ରକୃତିକୁ ନେଇ ସହରମାନଙ୍କରେ ହିଁ ନିଜ ପରିଚିତ ତଥା ପ୍ରତ୍ୟାଶାଗୁଡ଼ିକର ମଞ୍ଜି ପୋତିବାରେ ଲାଗି ପଡ଼ିଲେ । ସହରରେ ସରକାରଙ୍କ ସିରସ୍ତାରୁ ସାରା ରାଜ୍ୟ ପାଇଁ ଯାବତୀୟ ସବୁ କିଛିର ବ୍ୟବସ୍ଥାହେଲା । ତେଣୁ ସଂସ୍କୃତି ମଧ୍ୟ ସହରକୁ ଆସି ଏକାଧିକ ଅର୍ଥରେ ଏକ ପ୍ରଦର୍ଶନକାରୀ ସର୍କସ ମାହାଲରେ ପରିଣତ ହେଲା । ଓଡ଼ିଶୀ ସଂଗୀତ, ଓଡ଼ିଶୀ ନୃତ୍ୟ, ଲୋକନୃତ୍ୟ, ଲୋକ ବାଦ୍ୟ, ସହରକୁ ନ ଆସିଲେ ସେମାନଙ୍କର ଭବିଷ୍ୟତ ବୋଲି ଆଉ ମୋଟେ କିଛି ରହିବ ନାହିଁ ବୋଲି ଏପରି ଅପବାଦମାନ ରଟାଇ ଦିଆଗଲା ଯେ ସେଗୁଡ଼ିକ ମଧ୍ୟ ସହରର ବରାଦରେ ହିଁ ସହରରେ ଆସି ରୁଣ୍ଡ ହେଲେ । ଆକାଶବାଣୀର ଜନ୍ମ ହେଲା ଓ ଏକ ଅଦୃଶ୍ୟ ହାତ ବିସ୍ତାର କରି ସେଗୁଡ଼ିକର ନିୟନ୍ତ୍ରଣ କଲା । ଥୋକେ ଓଡ଼ିଆ ଚଳଚ୍ଚିତ୍ରକୁ ମଧ୍ୟ ମନ ଦେଲେ । ଏମାନେ ସମସ୍ତେ ବମ୍ୱେ ଓ ଦିଲ୍ଲୀରୁ ଚରୁ ମଗାଇ ଗିଳିବାକୁ ହିଁ ଆଶୁ ଅଗ୍ରଗତି ତଥା ପ୍ରଖ୍ୟାତିର ସର୍ବୋତ୍ତମ ଉପାୟ ବୋଲି ଭାବିବାକୁ ଆରମ୍ଭ କଲେ । ଭାବୁ ଭାବୁ ତାହାହିଁ କଲେ । ବମ୍ବେଇ ଛାଞ୍ଚରେ ଚଳଚ୍ଚିତ୍ରମାନେ ବଦଳିଯିବାକୁ ସତେଅବା ନିମିଷେମାତ୍ର ଲାଗିଲା ନାହିଁ । ଏସବୁ ଏକାବେଳେକେ ନୂଆ, ଏସବୁ ଆଗରୁ ଏଠାରେ ନଥିଲା, ତେଣୁ ଏଗୁଡ଼ିକୁ ଅବଶ୍ୟ ଦେଖ ଏବଂ ନୟନ ମନକୁ ଧନ୍ୟ କର, ହାୱା ଭିତରକୁ ପ୍ରାୟ ସେହିଭଳି ସଲସଲ କରାଇ ପାରୁଥିବା ବାଣଟିଏ ମାରି ଦିଆଗଲା । ହିନ୍ଦୀ ଚିତ୍ରମାନଙ୍କରେ ତୁମେ ଯାହା ଦେଖିଆସିଛ, ଏଣିକି ଆମ ଏଇଠି ନିର୍ମିତ ହେଉଥିବା ଚିତ୍ରଗୁଡ଼ିକରୁ ଠିକ୍ ତାହାଁହି ଦେଖିପାରିବ । କ୍ରମେ ଏପରି ଗୋଟିଏ ଗୁମରକୁ ଫିଟାଇ ଦିଆଗଲା । ଗୋଟାଏ ମୋହକାରୀ ଖୁସିରେ ତଦ୍ଦ୍ୱାରା ଯେ କ’ଣ ସବୁ ହରାଇବାକୁ ପଡ଼ିଲା, ସେହି ବିଷୟରେ କୌଣସି ହୋସ୍ ରହିଲାନାହିଁ । ଓଡ଼ିଆ ଗୀତଜଗତରେ ମଧ୍ୟ ସେଇଆ ହେଲା । ଗାରଗୁଡ଼ାକୁ ଏମିତି ନଙ୍ଗଳାମୁକୁଳା ହୋଇ ଡେଇଁ ହୋଇଗଲା ଯେ, ଗାରମାନେ ସତକୁସତ ରହିବା ଉଚିତ ବୋଲି ନଙ୍ଗଳା ଦୁଇପକ୍ଷ ଆଉ ସ୍ମରଣ ରଖି ପାରିଲେ ନାହିଁ । ଆଧୁନିକଟା ହୁଏତ ଏପରି ଘାରି ପକାଇଲା ଯେ ବାଉଳାମାନେ କେତେବେଳେ ହାଉଲେ ହାଉଲେ ତେଣେ ଖୋସଣିଟା ଫିଟିଗଲା ବୋଲି ମୋଟେ ଜାଣି ପାରିଲେନାହିଁ । ସେମାନେ ନିତାନ୍ତ ଅସହାୟ ହୋଇ ପଡ଼ିଲେ, ତେଣୁ, ଯେଉଁଟା ଏପରି ଅଚାନକ ଆସି କ୍ରମେ ସେମାନଙ୍କୁ ଗିଳି ପକାଇଲା, ଅଧିକରୁ ଅଧିକ ଉତ୍ତେଜିତ ଭାବରେ ସେଇଟାକୁ ହିଁ ଯାବୁଡ଼ି ଧରିଲେ ।

 

ସାହିତ୍ୟରେ ବି ତାହାହିଁ ଘଟିଲା । ଚାହୁଁ ଚାହୁଁ କେତେ କ’ଣ ଆମଦାନୀ ହୋଇ ଆସି ପହଞ୍ଚିଗଲା । ଅସଲ ନିଘାଗୁଡ଼ିକୁ ନିଜର ଗୋଡ଼ତଳେ ରହିଥିବା ମାଟିଟି ଉପରେ ରଖି ହିଁ ଯେ ଯାବତୀୟ ସୁସ୍ଥ ଗ୍ରହଣ ସମ୍ଭବ ହୁଏ, ସେହି କଥାଟି ସଂପୃକ୍ତମାନେ ପାସୋରିଦେଲେ । ଯୁଗ ବଦଳିଗଲା ବୋଲି କହିଲେ । ସେମାନେ ପ୍ରାୟ ସମସ୍ତେ ଇଂରାଜୀ ଭାଷା ଜାଣିଥିଲେ ଏବଂ ଇଂରାଜୀ ସାହିତ୍ୟ ପଢ଼ିଥିଲେ । ଘରେ ଓଡ଼ିଆ ଭାଷାରେ ହକଳା ଓ ପଖଳା ହେଉଥିଲେ ମଧ୍ୟ ଇଂରାଜୀ ଭାଷାଟାର ସମକକ୍ଷ ହେବାର ତାକତ ସେମାନଙ୍କର ନିଜ ଭାଷାରେ କେବେହେଲେ ହେବନାହିଁ ବୋଲି ଭାରି ଦର୍ପର ସହିତ ବିଶ୍ୱାସ କରି ସମ୍ଭବତଃ ଇଂରାଜୀ ଘରେ ଘରଜ୍ୱାଇଁଆ ହୋଇ ରହିବାକୁ ସୁଖ ହିଁ ମଣିଲେ । ଆମ ସାହିତ୍ୟ ଉପରେ ସରବରକାରୀ କଲେ । ବିଗତ ପଚାଶ ବର୍ଷକାଳ ଆମର ଏଠି ସତେଅବା ସେହି ବିଭ୍ରାଟ-ପର୍ବଟି ଚାଲିଛି । କେତେ କେତେ ଆଦିମତାକୁ ନିତାନ୍ତ ବଗୁଲିଆପଣରେ ଆମ ସାହିତ୍ୟର ବେଢ଼ା ଭିତରକୁ ଡାକି ଅଣାଯାଇଛି । ସର୍ବମୂଳ ପ୍ରେରଣାସାମଗ୍ରୀ ଇଉରୋପରୁ ହିଁ ଅଣାଯାଇଛି । ତତ୍ତ୍ୱ କହୁଛି ଯେ ଆଉଗୋଟିଏ ସାଂସ୍କୃତିକ ପରିମଳକୁ ଠିକଣା ରୂପେ ବୁଝିବାକୁ ମନ କଲେ ଆଗ ନିଜ ସଂସ୍କୃତି ଉପରେ ଭ୍ରମରହିତ ଭାବରେ ଛିଡ଼ା ହୋଇ ପାରୁଥିବା ନିମନ୍ତେ ଗୋଟିଏ ଭୂମି ଅବଶ୍ୟ ଦରକାର । ଆମ ଟକଳାମାନଙ୍କର ସେଇଟି ହିଁ ନଥିଲା । ସେମାନେ ପାଠପଢ଼ିବାବେଳେ ସତେ ଅବା ବିକି ହୋଇଯାଇଥିଲେ । ଦରିଆ ସେପାଖେ ରହିଥିବା ସେହି ରାଇଜଟାର ତୁଳନାରେ ଆମ ଭାଡ଼ି ଗୁଡ଼ାକରେ ଏଠି ଆଦୌ କିଛି ହେଲେ ନାହିଁ, ଏହିଭଳି ଏକ ଭାବନା ସେମାନଙ୍କର ଗ୍ରହଣକାରୀ ଆଖିଗୁଡ଼ିକ ଉପରେ ପରଳ ମଡ଼ାଇ ରଖିଥିଲା । ନିଜର ଚେର ବୋଲି କିଛି ନଥିଲା । ଗୋଟିଏ ନବସ୍ୱାଧୀନ ଦେଶର ଅସଲ ଆବଶ୍ୟକତାଗୁଡ଼ିକୁ ବୁଝିବା ପୂର୍ବରୁ ହିଁ ଆମ ଆଧୁନିକ ଲେଖକମାନେ ଆପଣାର ଆତ୍ମିକ ମାହାଲଗୁଡ଼ାକରେ ଗୋଲାମ ହୋଇ ସାରିଥିଲେ । ଗୋଲାମମାନଙ୍କୁ ସେହି ପାଖଟାରେ ସବୁକିଛି ହିଁ ଅସଲ ବୋଲି ଲାଗିଲା ଏବଂ ସେମାନେ ସେହି ଅନୁସାରେ ସାହିତ୍ୟଟାକୁ ମଧ୍ୟ ମଣ କଲେ । ସେପାଖର ଛାଞ୍ଚରେ କବିତା, ଗଳ୍ପ, ଉପନ୍ୟାସ ଓ ନାଟକ ଲେଖାଗଲା । ଭାରି ନୂଆ ଲାଗିଲା । ଚମକ ଆଣିଦେଲା । ଗୋଟିଏ ସ୍ଵାଧୀନ ଦେଶ ପାଇଁ ଏହି ଆଧୁନିକ ସାହିତ୍ୟର କୌଣସି ଗରଜ ହିଁ ନଥିଲା । ସାହିତ୍ୟ ନାମରେ ଗୋଟିଏ ନୂଆ ଖାନଦାନୀ ଆରମ୍ଭ ହୋଇଗଲା । ସାହିତ୍ୟର ଆଖଡ଼ାଗୁଡ଼ିକ ବହୁ ପ୍ରତ୍ୟାଶାପୂର୍ଣ୍ଣ ସକଳ ଅଭିଳାଷରୁ ଅଲଗା ହୋଇ ରହିଲା । ସାହିତ୍ୟ ସାହେବମାନଙ୍କର ମର୍ଯ୍ୟାଦା ସହିତ ଚାଲିବାରେ ଅଧିକ ସୁଖ ପାଇଲା । ଏକ ବିଳାସରେ ପରିଣତ ହେଲା । ଗୋଟିଏ ଖାସ୍ ବର୍ଗକୁ ଗଞ୍ଜେଇ ଯୋଗାଇଦେଲା ଏବଂ ଅଧିକରୁ ଅଧିକ ଦୁଷ୍ଟ ହିଁ ହେଲା । ଦରିଆପାରି ସାହିତ୍ୟଟାର ଯାବତୀୟ ଭେରେଷାମିକୁ ସାହିତ୍ୟ ନିଜ ଭିତରକୁ ବାଟ ଛାଡ଼ିଦେଲା । ସେହି ଦରିଆପାରି ବାଗରେ ହିଁ ନିତାନ୍ତ ଲଙ୍ଗଳା ମାର୍ଗରେ ତୁମେ ଯାହା କିଛି କହିପାରିବ, ଆଧୁନିକ ସାହିତ୍ୟ ତାହାକୁ ଅବଶ୍ୟ ଅନୁମତି ଦେବ । ଯେତେ ନିର୍ଲଜ ହୋଇପାରିବ, ତୁମେ ସେତେ ସାହିତ୍ୟିକ କାମସ୍ପର୍ଶର ଉତ୍ତେଜକ ପରିବେଶଗୁଡ଼ିକୁ ସୃଷ୍ଟି କରି ପୁରୋଗାମୀ ହେବାର ବିଶେଷ କୌଣସି ଭାଗ୍ୟକୁ ଅର୍ଜନ କରିପାରିବ ।

 

ଯେଉଁସବୁ ବ୍ୟାପାର ଆମ ସମ୍ବନ୍ଧଗତ ଚଳଣି ଭିତରକୁ ଆସିନାହିଁ, ପ୍ରଥମେ ସାହିତ୍ୟରେ ସେଇଟାକୁ କଳାତ୍ମକ ଭାବରେ ଲଙ୍ଗଳା କରି ଛାଡ଼ିଦେଲେ ଜଣେ ଲେଖକ ସତେଅବା ଭାଗିରଥର ଭୂମିକାରେ ଏକ ଗଙ୍ଗାବତରଣ ଘଟାଇ ପାରିଥିବା ପରି ଅନୁଭବ କଲା । କବିତା, ଗଳ୍ପ ଓ ନାଟକର ଗଢ଼ଣିମାନେ ମୌଳିକ ହେବାର ଉତ୍ସାହରେ ନିର୍ଲଜ୍ଜତାର ଏକାଧିକ ପର୍ବତକୁ ଆରୋହଣ କରି ସେଠାରେ ଡେରା ପକାଇ ଆସିବା ପରି ଅନୁଭବ ସତେ ଅବା ଆପଣା ସହିତ ଏକ ରତିସୁଖ ଲାଭ କଲାପରି ମଣିଲେ । ଓଡ଼ିଆ ସାହିତ୍ୟକୁ ଏଡ଼େ ଏଡ଼େ ଆଧୁନିକ ପାହୁଲ ପକାଇ ଏହି ଆଚ୍ଛା ବାସ୍ତବାଦଟା ଆସି ପହଞ୍ଚିଲା ଯେ ପ୍ରୌଢ଼ାବସ୍ଥା ଅତିକ୍ରମ କରି ଯାଇଥିବା ଓ ତେଣୁ ଆଇଁଷଖିଆ ବୟସର ଦାନ୍ତଗୁଡ଼ାକ କ୍ରମେ ପଡ଼ି ଆସୁଥିବା ଗଳ୍ପଲେଖକମାନେ ଭେଣ୍ଡା ଓ ଡେଙ୍ଗା ହୋଇ ଉଠିଲେ ଏବଂ ରତିଦେବୀଙ୍କର ଜଠର ଭିତରେ ଯାଇ ପ୍ରବେଶ କଲେ । ସେହି ବୁଦ୍ଧିମତ୍ତାର ଖୁଣ୍ଟାକୁ ଧରି ସେମାନେ ଅଭିଲା ବହୁ ପ୍ରମତ୍ତକ ଡିମ୍ବଗୁଡ଼ିକୁ ପ୍ରସବ କରି ଥୋଇଦେବାର ଆଗ୍ରହ ପ୍ରଦର୍ଶନ କଲେ । ଯେଉଁସବୁ ଉଚ୍ଚାଟନକାରୀ ସାମଗ୍ରୀ ଆମର ଜ୍ଞାନଗୋଚରକୁ ହୁଏତ ଏବେ ମୋଟେ ଆସିନଥାନ୍ତା, ସେମାନେ ଏଠାରେ ସେହିଗୁଡ଼ିକର ସାହିତ୍ୟିକ ଜଗତିକରଣ ନିମନ୍ତେ ବ୍ରତୀ ବି ହୋଇ ପଡ଼ିଲେ । ହେଇ ସେଦିନ ଅଚାନକ ଜଣେ ଗଳ୍ପକାରଙ୍କର ଅରଖ ନୂଆ ସୁଆଦର ଗପଟିଏ ପଢ଼ୁ ପଢ଼ୁ ପଢ଼ି ପକାଇଲି, ଯେଉଁଥିରେ ସିଏ ଆଧୁନିକ ଉତ୍ତେଜନାଦାୟକ ଭାଏଗ୍ରାକୁ ମୂଳ ସାମଗ୍ରୀ କରି ମନୋରମ ବିଙ୍ଗିଟଣ ଗପଟିଏ ଲେଖୁଛନ୍ତି । ଦି’ ବୁଢ଼ା କିପରି ପେନ୍‌ସନ ଆଣିବା ବାଟରେ ସୁଖଦୁଃଖ ହେଲେ, ଜଣେ ଜଣକୁ ଆଧୁନିକ ହେବାକୁ ମନ୍ତ୍ରଣା ଦେଲା, ଏହିପରି ଏକ ତୁରନ୍ତ ଫଳପ୍ରସବକାରୀ ମନ୍ତ୍ରଟିଏ ବଜାରରେ ମିଳୁଛି ବୋଲି ଖବରଟା ବି ଯୋଗାଇ ଦେଲା–ପାଠକମାନେ ହୁଏତ ଗୋଟାଏ ନିଃଶ୍ୱାସରେ ପଢ଼ିଯାଇ ପାରିବେ । ଅପର ଜଣକ ବଜାରରୁ ଭାଏଗ୍ରା କିଣିଲେ, ତାହାକୁ ଖାଇବା ପୂର୍ବରୁ ଥରେ ଏବଂ ଖାଇବା ପରେ ଆଉ ଥରେ, ଏହିପରି ଚାହୁଁ ଚାହୁଁ ମାତ୍ର କେତେଟା ଧାଡ଼ିର ପାଠ ଭିତରେ ଦୁଇଥର ଅମମତା ହେଲେ, ପୂରା ଶଇତାନ ଲାଗିଥିବା ପରି ପ୍ରୌଢ଼ା ପତ୍ନୀଙ୍କୁ ଶୟନକକ୍ଷକୁ ଟାଣି ନେଇ ବାସନା ମେଣ୍ଟାଇଲେ, କେତେ ନିପୁଣ ଠୋ’ ଠୋ’ ଭାଷାରେ ସେହି ବ୍ୟାପାରଟିର ବର୍ଣ୍ଣନା କରାଯାଇଛି ଏବଂ ପଡ଼ିଲା ମଣିଷମାନଙ୍କର ପାଟିରୁ ସତେଅବା ଲାଳ ବୁହାଇ ଆଣୁଛି । ବୁଢ଼ା ଡଗ ଡଗ ହୋଇ ଏତେ ଏତେ କାଣ୍ଡ ଘଟାଇଲେ ଓ ରାତି ପାହିବା ପୂର୍ବରୁ ହିଁ ଡାକ୍ତରଖାନାକୁ ବୁହା ହୋଇ ପଞ୍ଚତ୍ୱପ୍ରାପ୍ତ ହେଲେ । ଗପଟା ବିୟୋଗାନ୍ତକ ହେଲେ ମଧ୍ୟ ଅନେକଙ୍କୁ ମୋଟେ ବିୟୋଗାନ୍ତକ ନ ଲାଗିବାର ଆଧୁନିକ ନାନା କାରଣ ରହିଛି ।

 

ସାହିତ୍ୟଦୁଷ୍ଟ ହେଲେ ଏହିଭଳି ହିଁ ହୁଏ । ଭାଷାଟା ଘୋଡ଼ା ହୋଇଯାଏ ଏବଂ ଆଧୁନିକତା ନାମକ ସେହି କୋପନମାର୍କା ଦୃଷ୍ଟତାଗୁଡ଼ିକୁ ପିଠିରେ ବସାଇ ସାଏଁ ସାଏଁ ଛୁଟିଯାଏ । ନିପଟ ପୁରପଲ୍ଲୀରେ ପ୍ରବେଶ କରେ, ସେମାନଙ୍କୁ ଧିକ୍କାର ଦିଏ ଯେ, ପୃଥିବୀଟା କେତେ ବଦଳି ଯିବାରେ ମାତିଥିଲେ ମଧ୍ୟ ସେଠା ଜୀବନଟା ମୋଟେ ବଦଳୁନାହିଁ । ହୁଏତ କହିବାକୁ ଇଚ୍ଛା କରୁଥାଏ ଯେ, ଏହିଭଳି କେତେକ କାରଣରୁ ହିଁ ଓଡ଼ିଶାଟା ପଛରେ ପଡ଼ିରହିଛି ଏବଂ ମୁମ୍ବାଇ ଓ ଚେନ୍ନାଇ ପରି ହୋଇପାରୁନାହିଁ । ସାହିତ୍ୟର ପ୍ରେରଣା ରୂପେ ତେଣୁ ସଂଗ୍ରହ କରି ଆଣିଥିଲା ଭଳି କେତେ କେତେ ସୁସ୍ଥ ଉଦ୍‌ବେଳନକାରୀ ଉପାଦାନ ମଧ୍ୟ ରହିଛି । ଅଥଚ, ଆମେ ଯେ ତଥାପି ଖାସ୍ ଆମକୁ ଭଲ ଲାଗୁଥିବା ଗୁଟ୍‌ଖାଗୁଡ଼ିକୁ ଆଣି ସାହିତ୍ୟର ସୁପର ବଜାରରେ ପସରା ଭରି ପ୍ରଦର୍ଶାଇ ଦେଉଛୁ, ଆମେ ତାହାକୁ କୌଣସି ଦୁଷ୍ଟ ଭଗବାନଙ୍କର ଓଡ଼ିଶା ଲାଗି ଏକ ବିଶେଷ ବରାଦ ବୋଲି କେତେ ପରିମାଣରେ କହିବାକୁ ମନ କରିବା କେଜାଣି ? ପୃଥିବୀର ବହୁତ ବଡ଼ ଭାଗ୍ୟ ଯେ ଜଗତ କହିଲେ ଏପରି ଏକ ଭଳି ଭଳି ସାମଗ୍ରୀ ରହିଥିବା ସମାହାରକୁ ବୁଝାଏ । ତେଣୁ ଓଡ଼ିଶା ନାମକ ଆମର ଏହି ସ୍ଥାନୀୟ ଜଗତଟି ମଧ୍ୟ ତା’ ଜୀବନଟିକୁ ଭଳି ଭଳି ସଂଗ୍ରହ ଦ୍ୱାରା ହିଁ ସର୍ବଦା ଭରିଦେବାରେ ଲାଗିଥିବା ଦୁଷ୍ଟମାନେ ଥକିଯିବେ, ରହିଯିବେ ଓ ବାଟ ଛାଡ଼ିଦେବେ । ସାହିତ୍ୟ-ବିଳାସୀମାନେ ରହିଯିବେ, ଅନ୍ୟମାନଙ୍କୁ ବାଟ ଛାଡ଼ିଦେବେ । ଆଗଟା ଆହୁରି ଆହୁରି ଟାଣିବାରେ ଲାଗିଥିବ ଏବଂ ପଛଟା ପଛରେ ହିଁ ରହି ଯାଉଥିବ ।

 

୩.୧୨.୦୧

☆☆☆

 

ଚେତନା ବଡ଼ ଅଡ଼ୁଆ

 

ଗୋଲାମ ହେବାଟା ଭାରି ନିରାପଦ । କାରଣ ଚେତନା ସତକୁସତ ଏକ ଭାରି ଅଡୁଆ କଥା । ପୃଥିବୀର ଇତିହାସକୁ ଯେଉଁ ମୂଲ୍ୟାୟନକାରୀମାନେ ଚେତନାର ଜୟଯାତ୍ରା ବୋଲି ଦେଖାଇବାକୁ ପ୍ରୟାସ କରିଛନ୍ତି, ଆମେ ଇଚ୍ଛା କଲେ ସେହି କଥାଟି ବିଷୟରେ ନିଜ ଭିତରକୁ ତଥା ଏହି ଚାରିପାଖକୁ ଅନାଇ ଗମ୍ଭୀର ଭାବରେ ଚିନ୍ତା କରିପାରିବା । ପୃଥିବୀରେ ଯୁଗେ ଯୁଗେ ଅଧିକ ମଣିଷ ଗୋଲାମ ହୋଇ ରହିଛନ୍ତି ଏବଂ ତେଣୁ ଚେତନାର ଅଡ଼ୁଆ ଭିତରେ ପଶିବାକୁ ଆଗ୍ରହ କରିନାହାନ୍ତି । ତଥାପି, ଚେତନା ହିଁ ପର୍ବତ ଲଙ୍ଘି ଲଙ୍ଘି ଯାଇଛି, ସାନ ପୃଥିବୀଟିକୁ ବଡ଼ କରିଛି, ପ୍ରାୟ କୌଣସି ଆହ୍ୱାନ ଦେଉନଥିବା ଚିହ୍ନା ଗୁଳାଗୁଡ଼ିକୁ ଭାଙ୍ଗି ଅଚିହ୍ନାମାନଙ୍କୁ ଘରକୁ ଡାକିଆଣିଛି, ସାନ ସାନ ଜିଦ୍‌ଗୁଡ଼ିକୁ ଏବଂ ସାନ ସାନ କ୍ରୋଧଗୁଡ଼ିକୁ ବଡ଼ ଜିଦ୍ ଏବଂ ବଡ଼ ବଡ଼ କ୍ରୋଧରେ ରୂପାନ୍ତରିତ କରିଛି । ଖାସ୍ ନିଜ ପାଇଁ ସ୍ୱପ୍ନ ଦେଖୁ ଦେଖୁ ପ୍ରାୟ, ସ୍ଵଧର୍ମପ୍ରେରିତ ହୋଇ ସମଗ୍ର ପୃଥିବୀକୁ ନେଇ ସ୍ଵପ୍ନମାନ ଦେଖୁଛି । ସ୍ୱାର୍ଥକୁ ଡେଇଁ ବୃହତ୍ତର ସ୍ୱାର୍ଥ ଭିତରକୁ ସାହସ କରିଛି । ସ୍ଵାର୍ଥର ବିପରୀତ କ’ଣଟିଏ ଖୋଜିବାକୁ ଯାଇ ଆମେ ନିଃସ୍ୱାର୍ଥପରତା ବୋଲି ଯେଉଁ ଶବ୍ଦଟିକୁ ବ୍ୟବହାର କରିଥାଉ, ତାହା ସତକୁସତ ଏକ ବୃହତ୍ ଓ ଆହୁରି ବୃହତ୍ ସ୍ୱାର୍ଥଟିକୁ ବୁଝାଇଥାଏ କି ? ତେଣୁ, କୋଉଟା ଜୀବନ, ଚେତନା ବା ଅଚେତନା, ଗୋଲାମୀ ଭିତରେ ରହିବା ନା ଗୋଲାମୀରୁ ମୁକ୍ତ ହେବା ? ଆମେ ଯେଉଁମାନେ ଗୋଲାମ ହୋଇ ରହିବାକୁ ହିଁ ସହଜରେ ଜୀବନ ବୋଲି ଗ୍ରହଣ କରୁଛୁ ଓ ତେଣୁ ଗୋଲାମ ହୋଇ ବଞ୍ଚିଛୁ ଏବଂ ସେହିପରି କରି ଏହି ସଂସାରର ଗଡ଼ଟି ଉପରେ ଆପାତତଃ ବିଜୟ ହାସଲ କଲୁ ବୋଲି ଅନୁଭବ କରୁଛୁ, ଅତ୍ୟନ୍ତ ସିଧାକଥା ଯେ ଆମେ ଗୋଲାମ ହୋଇ ରହିବାକୁ ହିଁ ସଫଳତର ଧନ୍ଦା ରୂପେ ମାନିନେଇଛୁ । ଆଉ ଥୋକେ ଫରଚାରୁ ଅଧିକ ଫରଚା ଭିତରକୁ ଆସିବାରେ ହିଁ ଅଧିକ ଜୀବନର ଅର୍ଥାତ୍ ଅଧିକ ସିଦ୍ଧି ତଥା ସତ୍ୟଦର୍ଶନର ସ୍ଵାଦ ପାଇଛନ୍ତି । ସେମାନେ ଏ ପାହାଚ ଉପରେ ଗୋଟିଏ ଗୋଡ଼ ରଖି ଆର ପାହାଚଟିକୁ ଆର ଗୋଡ଼ଟିକୁ ବଢ଼ାଉଛନ୍ତି । ଜଞ୍ଜିରଗୁଡ଼ିକୁ ଛିଣ୍ଡାଉଛନ୍ତି, ପୁରୁଣା ଅସନ୍ତୋଷଗୁଡ଼ିକର ସମାଧାନ କରି ନିରନ୍ତର ନୂଆ ନୂଆ ଅସନ୍ତୋଷର ଆବିଷ୍କାର କରୁଛନ୍ତି । ସେମାନେ ଚାଲିଛନ୍ତି, ତେଣୁ ପୃଥିବୀ ମଧ୍ୟ ଚାଲିଛି । ଆଗକୁ ଆଗକୁ ବାଟ ଦିଶି ଦିଶି ଯାଉଛି । ତେଣୁ ପୃଥିବୀଟି ଅଧିକତର ଅର୍ଥରେ ଆପଣାର ଲାଗୁଛି । କ୍ଳାନ୍ତ ଲାଗୁନାହିଁ ।

 

ଆମ ଦେଶରେ ସରକାରଙ୍କଠାରୁ ପଇସା ନେଇ ସ୍ୱେଚ୍ଛାସେବୀ ସଂଗଠନମାନେ ଦରିଦ୍ର, ଅସହାୟ ଓ ଅଳ୍ପସମର୍ଥ କୋଟି କୋଟି ମଣିଷଙ୍କ ଭିତରେ ଯେଉଁସବୁ କାର୍ଯ୍ୟକ୍ରମରେ ନିୟୋଜିତ ହୋଇ ରହିଛନ୍ତି, ସେଗୁଡ଼ିକୁ କାଗଜପତ୍ରରେ ସଚେତନ କରି ଆଣିବାର କର୍ଯ୍ୟକ୍ରମ ବୋଲି କୁହାଯାଉଛି । ଏକ ପାରମ୍ପରିକ ପଛୁଆ ସମାଜ ସତେଅବା ସେହି ଆଦିକାଳରୁ ପରିବର୍ତ୍ତନ ବିମୁଖ ହୋଇ ରହିଥିଲା । ଜୀବନ ବଞ୍ଚିବା କହିଲେ ନାନା ଗୁଳା, ଭିତରେ ଘାଣ୍ଟି ହେଉଥିଲା । ସମାଜର ଚଲାଖ ବର୍ଗମାନେ ସେମାନଙ୍କୁ ଧର୍ମତଃ ଭାଗ୍ୟବାଦୀ କରି ରଖିଥିଲେ । ସ୍ୱାଧୀନତା ପରେ ସେମାନେ ନାଗରିକ ହେଲେ । ନାଗରିକ ହେବାର ଅର୍ଥ ହେଉଛି ସନ୍ଦୀପିତ ମଣିଷଟିଏ ହେବାକୁ ମନ କରିବା, ଆଲୋକ ମଧ୍ୟକୁ ପ୍ରବେଶ କରିବା ଓ ଅନ୍ୟମାନଙ୍କର ସମକକ୍ଷ ଭାବରେ ଯାବତୀୟ ଦାୟିତ୍ୱ ବହନ କରିବା । ଏକ ନୂତନ ପାରସ୍ପରିକତା ତଥା ଉଦ୍ୟମର ସଚେତନ ପରିଧିମଧ୍ୟକୁ ପ୍ରବେଶ କରିବା । ଶିକ୍ଷା ଓ ସ୍ୱାସ୍ଥ୍ୟରକ୍ଷାର କାର୍ଯ୍ୟକ୍ରମ ଏବଂ ପୂର୍ବର ପରିବେଶଗୁଡ଼ିକୁ ଅଧିକ ମନୁଷ୍ୟଲାଖି କରି ବଦଳାଇବାର କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମଗୁଡ଼ିକ ସ୍ଥାୟୀ ହୋଇ ରହିବ, ଯଦି ସମ୍ପୃକ୍ତ ମନୁଷ୍ୟମାନେ ଅନୁରୂପ ଭାବରେ ସଚେତନ ହୋଇଯିବେ । ପିଇବା ପାଣି, ଗାଆଁକୁ ରାସ୍ତା, ନୂଆ ନୂଆ ପ୍ରଣାଳୀରେ ଚାଷ, ପଶୁ ଓ ପକ୍ଷୀପାଳନ, 'ଗାଁ ଆବର୍ଜନାକୁ ଉର୍ବରକରେ ପରିଣତ କରିବା, ନିଶାକୁ ସାବଧାନ ରହିବା, ଜଳଛାୟାର ବିଶେଷ କାର୍ଯ୍ୟକ୍ରମମାନଙ୍କରେ ସକ୍ରିୟ ଅଂଶ ଗ୍ରହଣ କରି ସମଗ୍ର ଗ୍ରାମ ସମୁଦାୟଟି ନିମନ୍ତେ ଆର୍ଥିକ ତଥା ଆୟପ୍ରଦାନକାରୀ କମୋନ୍ନୟନ–ଇତ୍ୟାଦି, ଇତ୍ୟାଦି । ସଚେତନ ହେବାର ଅର୍ଥ ହେଉଛି ନିଜ ପାଖରେ ତଥା ସଙ୍ଘବଦ୍ଧ ହେବାରେ ଯେ ଆଗକୁ ଏକାଧିକ ପାଦ ଅଗ୍ରସର ହୋଇଯିବା ସମ୍ଭବ ହେବ, ସେହି ବିଶ୍ୱାସଟିକୁ ଅର୍ଜନ କରିବା-। ଚେତନାଜାଗରଣର ସେହି କାର୍ଯ୍ୟକ୍ରମଗୁଡ଼ିକରୁ ତୁରନ୍ତ ଫଳ ବି ମିଳିଲା । ପ୍ରତ୍ୟାଶାମାନ ବୃଦ୍ଧି ପାଇଲା, ଭାଗ୍ୟ ଉପରେ ଅତ୍ୟନ୍ତ ଦୟନୀୟ ଭାବରେ ରହିଥିବା ବିଶ୍ୱାସ ଅର୍ଥାତ୍ ଜଡ଼ତାମାନେ କ୍ରମେ କଟି କଟି ଆସିଲେ । ମଣିଷମାନେ ସତେଅବା ପୂର୍ବର ପଶୁବତ୍ ଜୀବନର ପର୍ଯ୍ୟାୟଟିଏ ପାର ହୋଇ ଦୁଇ ଗୋଡ଼ରେ ଅଣ୍ଟା ସଳଖ କରି ଛିଡ଼ା ହୋଇ ପାରିଲେ । ଅଣ୍ଟା ସିଧା ହେବାରୁ ଆଖିଟାକୁ ମଧ୍ୟ ସିଧା କରି ଦେଖିପାରିଲେ । ସାମ୍ନାକୁ ଦେଖିପାରିଲେ, ଚତୁର୍ଦ୍ଦିଗକୁ ଦେଖି ପାରିଲେ-। ସାଙ୍ଗରେ ଅନ୍ୟମାନେ ବି ରହିଛନ୍ତି ବୋଲି ଜାଣିଲେ ।

 

ବିଚରା ସରକାର ଓ ସରକାରଙ୍କର ବରକନ୍ଦାଜମାନେ ! ସେମାନେ କ’ଣ ସତକୁସତ ଭାବିଥିଲେ ଯେ ଲୋକମାନେ ଉପକାରଗୁଡ଼ିକୁ ପାଇବେ ଓ ସେତିକିରେ କୃତକୃତ୍ୟ ହୋଇ ଘରକୁ ଫେରିଯିବେ ? ପୁଣି ଆଉ କିଛି ଅନୁଗ୍ରହ ବଣ୍ଟା ହେଲାବେଳେ ପୁଣି ଆସି ପହଞ୍ଚିଯିବେ ? ଚେତନା ସେତିକି ବ୍ୟତୀତ ଆହୁରି ବହୁତ କିଛି ସାଧ୍ୟ କରେ ବୋଲି ସେମାନେ କ'ଣ ଜାଣିନଥିଲେ ? ଚେତନା ଡର ଦୂର ପରେ, କାଳଟା ଭିତରେ ସତେଅବା ଏକ ନବଜନ୍ମର ଯୋଗ୍ୟ ହେବା ଲାଗି ଉନ୍ମେଷଣା ଆଣିଦିଏ । ମଣିଷ ଅଧିକ ଦେଖିପାରେ–ପଛକୁ ଅଧିକ ଦେଖେ, ଭବିଷ୍ୟ ଭିତରକୁ ବି ଅଧିକ ଦେଖିପାରେ । ଏହିସବୁ ପାହାଡ଼ ଓ ପଥରକୁ ଭାଙ୍ଗି ସେମାନଙ୍କର ବାପା ଅଜା ହିଁ ଏହି ଜମିମାନଙ୍କୁ ସମ୍ଭବ କରିଥିଲେ ବୋଲି ବାରତାଟିଏ ପାଇଯାଏ । ସେହି ଜମି କିପରି ଏବଂ କାହିଁକି ଅନ୍ୟ ହାତକୁ ଅର୍ଥାତ୍ ଅନ୍ୟମାନଙ୍କ କବଳକୁ ଚାଲିଗଲା ? ପ୍ରଶ୍ନର ସୂତାଗୁଡ଼ିକୁ ଯୋଡ଼ି ଯୋଡ଼ି ସିଏ କ୍ରମେ ସତ୍ୟ ପାଖରେ ଯାଇ ପହଞ୍ଚିଯାଏ । ଶୋଷଣ କହିଲେ କ’ଣ ସବୁକୁ ବୁଝାଏ, ସେହି କଥାଟିକୁ ବୁଝିପାରେ । ଯେଉଁମାନେ ଏ ଦେଶକୁ ଶାସନ କରୁଛନ୍ତି, ଉପରେ ଅଛନ୍ତି, କେତେ ଧୋବ ଦେଖାଯାଉଛନ୍ତି, ସେ ସେମାନଙ୍କ ପରି ଜଣେ ମଣିଷ ଏବଂ ଏହି ଦେଶର ନାଗରିକ ବୋଲି ଉପଲବ୍ଧି କରେ । ତ’ ଭିତରୁ ନୂଆ ଭଗବାନଟିଏ ଧକ୍କା ମାରୁଥିବା ପରି ସିଏ ଏହି କ୍ଷେତ୍ରରେ ମୋଟେ କୌଣସି ସାଲିସ କରିବାକୁ ଇଚ୍ଛା କରେନାହିଁ । ନିଜ ବାପଅଜାଙ୍କ ପରି ବାଟ ଛାଡ଼ି ଦେବାକୁ ମୋଟେ ରାଜି ହୁଏନାହିଁ । ସତେଅବା ସ୍ଵୟଂ ନୃସିଂହ ଆସି ତା’ ଭିତରେ ନୂଆ ଶକ୍ତି ଭରିଦେଇ ଯାଆନ୍ତି । ସିଏ ନିଜକୁ ଏକ ସମ୍ମାନବୋଧଯୁକ୍ତ ନୈକଟ୍ୟରେ ଅନୁଭବ କରିବାକୁ ଆରମ୍ଭ କରେ । ଏହି ଜଙ୍ଗଲ ଓ ପାହାଡ଼ ମଧ୍ୟ ତାକୁ ଜଣେ ହିମ୍ମତ ଥିବା ଓ ନିଜର କଥା ନିଜେ କହି ପାରୁଥିବା ମଣିଷ ହେବା ପାଇଁ ଉତ୍ସାହ ଦେଉଥିବା ପରି ଲାଗେ । ସିଏ ମୋଟେ ଫେରିପାରେ ନାହିଁ ଏବଂ ଫେରିବାକୁ ଇଚ୍ଛା ବି କରେନାହିଁ । ନୂଆ ସମ୍ଭାବନାର ଏକ ନୂଆ ଔଜ୍ଜଲ୍ୟରେ ତା’ ଗାଆଁକୁ ଦେଖେ, ତା’ ପିଲାମାନଙ୍କୁ ଅନାଇ ଖୁସି ହେଉଥିବାବେଳେ ସିଏ ହିମ୍ମତର ସହିତ ପୂରା ଦେଖି ପାରୁଥାଏ ଯେ, ସେମାନେ କଦାପି ବଡ଼ ହୋଇ ଠିକ୍ ତା’ ପରି ହେବେନାହିଁ, ଆଦିବାସୀ ହୋଇ ସେମାନଙ୍କଆଡ଼କୁ ଫିଙ୍ଗି ଦିଆଯାଉଥିବା ହିତମାନଙ୍କ ଲାଗି ମୋଟେ ଅପେକ୍ଷା କରି ରହିବେ ନାହିଁ ।

 

ଗୋଟିଏ ଗୋଟିଏ ସ୍ୱେଚ୍ଛାସେବୀ ସଂସ୍ଥା ହୁଏତ ଏଭଳି ରହିଛନ୍ତି, ଯେଉଁମାନେ କି ତଥାପି ଭାବି ନେଉଛନ୍ତି ଯେ, ଭାରତବର୍ଷ ପରି ଗୋଟିଏ ପଛୁଆ ଦେଶରେ ତଳେ ପଡ଼ିରହିଥିବା ମଣିଷଙ୍କର ଏହି ଥାଟଟା ଅନ୍ତତଃ ଆହୁରି ଅନେକ ବର୍ଷ ଯାବତ୍ ଏହିପରି ହୋଇ ରହିଥିବେ । ଏହି ସଂସ୍ଥାମାନେ କାର୍ଯ୍ୟକ୍ରମଗୁଡ଼ିକୁ ନିଖୁଣ ଭାବରେ ଏପରି ଧରାବନ୍ଧା ଭାବରେ କରନ୍ତି ଯେ, ଚେତନା ଦିଗଟାକୁ ଅବହେଳା କରନ୍ତି–କେବଳ କାର୍ଯ୍ୟକ୍ରମ ବିଷୟରେ ହିଁ ‘ସଚେତନ କରିଦେଇ ଆଉ ଅସଲ ଅନ୍ତର୍ଗତ କ୍ଷେତ୍ରଗୁଡ଼ିକରେ ସଂପୃକ୍ତ ମଣିଷବର୍ଗଟାକୁ ଅଚେତନ ଓ ଉଦ୍ୟମହୀନ ରଖାଯାଇ ପାରିବ ବୋଲି ବିଶ୍ୱାସ କରୁଥାନ୍ତି । ସେମାନେ ନିଜକୁ ଏବଂ ନିଜର ସଂସ୍ଥାଟିକୁ ହୁଏତ ଆଗ ଦେଖୁଥାନ୍ତି, ମାଗୁଥିବା ମଣିଷର ହାତଗୁଡ଼ାକୁ ଯେତେ ଦେଖନ୍ତି, ମଣିଷ ଭିତରର ମଞ୍ଜଟାକୁ ମୋଟେ ସେତେ ମାନ୍ୟତା ଦେଇ ଦେଖିପାରନ୍ତି ନାହିଁ । ଏହିଭଳି ସଂସ୍ଥାମାନେ ଯେକୌଣସି ସରକାରଙ୍କୁ ସଚରାଚର ଖୁବ୍ ସୁହାନ୍ତି । ସରକାରଙ୍କ ପାଇଁ ମଧ୍ୟ ଏଭଳି ସଂସ୍ଥାମାନେ ବେଶ୍ ଆପଣାର ଲାଗୁଥିବେ । ଉଭୟେ ଏକାଧିକ କାରବାରରେ ମିଆଁ ବିବି ପରି ବେଶ୍ ଚଳୁଥିବେ । ମାତ୍ର, କାର୍ଯ୍ୟକ୍ରମ ପଛରେ ମଣିଷମାନଙ୍କୁ ହିଁ ସବାଆଗ ଦେଖି ପାରୁଥିବା ସଂସ୍ଥାମାନେ ସେତିକିରେ ଆଦୌ ସନ୍ତୁଷ୍ଟ ହୋଇ ରହି ପାରନ୍ତି ନାହିଁ । ସେମାନେ ମନୁଷ୍ୟମାନଙ୍କର ତଲାଶ କରି କ୍ଷେତ୍ରକୁ ଯାଇଥାନ୍ତି । ସେମାନେ ଏକ ଅନ୍ୟଭଳି ଭାରତବର୍ଷର ସ୍ୱପ୍ନ ଦେଖୁଥାନ୍ତି । ଚେତନାକୁ ଚେତନା ସହିତ ବି ଯୋଡ଼ି ପାରନ୍ତି । ସିଧା କବାଟ ଉପରେ ଠକ ଠକ ଶିଙ୍କୁଳି ବାଡ଼େଇ ଡାକିପାରନ୍ତି । ସତକୁସତ ସାଥିରେ ରହିବେ ବୋଲି ପ୍ରତ୍ୟୟ ବି ଦେଇପାରନ୍ତି ।

 

ଷୋଡ଼ଶ ଶତାବ୍ଦୀର ୟୁରୋପରେ ମାର୍ଟିନ ଲୁଥର ଖ୍ରୀଷ୍ଟିଆନ ଧର୍ମସଂସାରର ତତ୍କାଳୀନ ସର୍ବାଧିପତି ମହାମାନ୍ୟ ପୋପଙ୍କ ବିରୋଧରେ ପ୍ରକାଶ୍ୟରେ ବିଦ୍ରୋହ ଘୋଷଣା କଲେ ଓ ନିଜର ଆପତ୍ତିଗୁଡ଼ିକୁ ଗୋଟିଏ କାଗଜରେ ଲେଖି ଗୀର୍ଜା ଦୁଆରରେ ଟଙ୍ଗାଇଦେଲେ । ସେଇଥିରୁ ପାରମ୍ପରିକ ଧର୍ମରେ କାଥୋଲିକ ସହିତ ପ୍ରୋଟେଷ୍ଟାଣ୍ଟ ନାମକ ନୂଆ ସମ୍ପଦ୍ରାୟଟିଏ ବାହାରିଲା । ମାତ୍ର, ପ୍ରତିବାଦଟା କ’ଣ ସେହି ଧର୍ମବାଡ଼ ଭିତରେ ସୀମାବଦ୍ଧ ହୋଇ ରହିପାରିଲା ନା ନୂଆ ପରିଚ୍ଛଦ ପିନ୍ଧି ପାତ୍ରୀମାନେ ତାହାକୁ ଗୀର୍ଜା ମଧ୍ୟରେ କିଳି ରଖିପାରିଲେ ? ଚେତନାର କ୍ଷେତ୍ରରେ ମଧ୍ୟ ସର୍ବତ୍ର ଏହିଭଳି ଏକ ସର୍ବସଂକ୍ରମଣ ହିଁ ଘଟିଥାଏ । ଅଳପ ଭିତରେ ଆରମ୍ଭ ହୋଇଥାଏ ଏବଂ ପ୍ରତ୍ୟକ୍ଷ ଅଥବା ପରୋକ୍ଷରେ ବହୁ ଅସଂଖ୍ୟ କ୍ଷେତ୍ରକୁ ମଧ୍ୟ ଦୋହଲାଇ ଦିଏ । ବହୁ ଅଭାବିତ ପରିବର୍ତ୍ତନର କାରଣ ହୁଏ । ଲୁଥରଙ୍କ ନୂଆ ସୂତ୍ରଟିର ମୂଳ ତାତ୍ପର୍ଯ୍ୟଟି କହିଲା ଯେ, ପ୍ରତ୍ୟେକ ବ୍ୟକ୍ତି ହିଁ ଈଶ୍ୱରଙ୍କ ସହିତ ସିଧା ସମ୍ପର୍କ ସ୍ଥାପନ କରିପାରିବେ ? ତେଣୁ ମଝିରେ ଏ ପୋପ୍‌ କାହିଁକି ରହିବେ ? ଏହି କଥାଟି ଏକ ନାନାପ୍ରସ୍ଥଯୁକ୍ତ ଉଦ୍‌ବେଳନ ସୃଷ୍ଟି କରିଥିଲା, ବ୍ୟକ୍ତିକୁ ଏକ ନୂଆ ସମର୍ଥତାର ବିଶ୍ୱାସ ଆଣିଦେଲା । ସେଇଟିରୁ ପ୍ରେରଣା ନେଇ ୟୁରୋପରେ କେତେ କେତେ ଆନ୍ଦୋଳନ ସମଗ୍ର ଯୁଗଟିକୁ ଜାଗରୁକ କରି ଆଣିପାରିଲା । ବିଦ୍ୱାନମାନେ ତ ସ୍ଵଅଧ୍ୟୟନଦ୍ଵାରା କହୁଛନ୍ତି ଯେ, ଏହାଦ୍ୱାରା ପୁଞ୍ଜିବାଦ ଏକ ଅତ୍ୟନ୍ତ ଅନୁକୂଳ ପ୍ରୋତ୍ସାହନ ଲାଭ କରିଥିଲା । ଶିଳ୍ପୋଦ୍ୟୋଗ ତ୍ୱରାନ୍ୱିତ ହେଲା । ସମାଜର ବହୁବିଧ ସଂସ୍କାର ଲାଗି ଏହି ଗୋଟିଏ ଧର୍ମ ପ୍ରତିବାଦର ବାର୍ତ୍ତା ଭିତରୁ ଆହୁରି କେତେ କେତେ ମୁକ୍ତି-ଆନ୍ଦୋଳନ ଜନ୍ମଲାଭ କରିଥିଲା । ମାର୍ଟିନ ଲୁଥରଙ୍କର ଜଣେ ଧର୍ମସଂଗ୍ରାମୀ ସାଥୀଙ୍କ ନେତୃତ୍ୱରେ ଜର୍ମାନୀର ଗୋଟିଏ ରାଜ୍ୟରେ କୃଷକମାନେ ବିଦ୍ରୋହ କଲେ । ଯଦି ମଣିଷ ଓ ଭଗବାନଙ୍କ ଭିତରେ କେହି ମଝିଘରିଆ ହୋଇ ଛିଡ଼ାହେବାର ପ୍ରୟୋଜନ ନାହିଁ ତେବେ ମଝିରେ ଏହି ସାମନ୍ତ ଭୂସ୍ୱାମୀମାନେ ବି ଆମକୁ କାହିଁକି ଶୋଷଣ କରିବାକୁ ରହିଥିବେ ? ଧର୍ମ ନେତା ଟମାସ୍ ମ୍ୟୁନ୍ତଜର ଏହି କଥାଟିଦ୍ଵାରା କୃଷକମାନଙ୍କର ଅନ୍ତର ଭିତରେ ନିଆଁ ଲଗାଇ ଦେଇଥିଲେ । ତାହା ହିଁ ହେଉଛି ସମ୍ଭବତଃ ପୃଥିବୀର ପ୍ରଥମ କୃଷକ ବିଦ୍ରୋହ । ମାଲିକ ଓ ସାମନ୍ତମାନଙ୍କ ସହିତ ଏକ ଯୋଦ୍ଧା ସ୍ଵୟଂ ମାର୍ଟିନ ଲୁଥରଙ୍କ ପାଇଁ ମଧ୍ୟ ଏହି ଅଭାବନୀୟ ଥିଲା ଓ ସିଏ ତାହାକୁ ଆଦୌ ସହ୍ୟ କରିପାରିଲେ ନାହିଁ । ନିଜର ନୂତନ ଧର୍ମଟିର ପ୍ରସାର ପାଇଁ ସିଏତ ସେହି ସାମନ୍ତ ଏବଂ ଶାସକମାନଙ୍କ ଉପରେ ନିର୍ଭର କରୁଥିଲେ । କୃଷକ ବିଦ୍ରୋହ ବିରୋଧରେ ବିଷୋଦ୍‌ଗାର କଲେ ଏବଂ ବନ୍ଧୁକଦ୍ଵାରା କୁକୁରମାନଙ୍କର ମୁହଁକୁ ବନ୍ଦ କରିଦିଆଯାଉ ବୋଲି ଉଦ୍‍ବୋଧନ ଦେଲେ । ତା’ପରେ ଏକ ସଂହାରପର୍ବ ଆରମ୍ଭ ହୋଇଥିଲା । ନେତା ମ୍ୟୁନ୍ତଜର ଧରାହେଲେ ଏବଂ ଫାଶୀକାଠରେ ଚଢ଼ିଲେ ।

 

ତେଣୁ କୌଣସି ନିର୍ଦ୍ଦିଷ୍ଟ ବିଷୟରେ ଚେତନାକୁ ଜାଗ୍ରତ କରାଯାଏ ସିନା, ମାତ୍ର ତାହା ସମଗ୍ର ମନୁଷ୍ୟଟିକୁ ହିଁ ଜାଗୃତ କରିଆଣେ । ନିଦ ଭାଙ୍ଗିଲେ ମଣିଷଟିଏ ଚତୁଃଦିଗକୁ ହିଁ ଅନାଏ । ସମଗ୍ର ସ୍ଥିତିଟିର ପରିପ୍ରେକ୍ଷୀ ଉପରେ ନିଜକୁ ଦେଖେ । ଅନ୍ୟାୟ ଓ ଅନ୍ଧାରଗୁଡ଼ାକୁ ଅନ୍ୟାୟ ଓ ଅନ୍ଧାର ବୋଲି ଚିହ୍ନେ । ତା’ପରେ ସିଏ ଆଗପରି, ପୂର୍ବ ପୁରୁଷଙ୍କ ପରି ସହିବା ନିମନ୍ତେ ମୋଟେ ରାଜି ହୁଏନାହିଁ । ନିଦରୁ ଉଠିଥିବା ମଣିଷଟି ସତେ ଅବା ଭଗବାନଙ୍କୁ ଦେଖୁଥିବା ପରି ଅନୁଭବ କରେ । ଯୁଗର ଅସଲ ପରିବର୍ତ୍ତନଗୁଡ଼ିକରେ ସହଯୋଗୀ ହୋଇ ବାହାରିବାକୁ ଆସୁଥିବା ଆହ୍ୱାନଟିକୁ ଶୁଣିପାରେ । ଜନ୍ମ ଜନ୍ମ ସକାଶେ ଅନୁଗୃହୀତ ହୋଇ ରହିବାଟା ତାକୁ ତା'ପରେ ଅପମାନକର ମନେହୁଏ । ସିଏ ଏ ଦେଶର କୋଟି କୋଟିଙ୍କ ପରି ଜଣେ ନାଗରିକ ବୋଲି ଭିତରୁ ବାରତାଟିଏ ପାଏ । ସତେ ଅବା ଏକ ଦ୍ଵିତୀୟ ଜନ୍ମ ଲାଭକରେ । ସ୍ୱେଚ୍ଛାସେବୀ ସଂସ୍ଥାଗୁଡ଼ିକ ପାଖରେ ଏହି ମଣିଷମାନେ ଚିରଦିନ କୃତଜ୍ଞ ରହିବେ ଯେ ସେମାନେ ପ୍ରଥମେ ଆଲୁଅର ବର୍ତ୍ତିକା ନେଇ ଏହି ଜଙ୍ଗଲ ଓ ପାହାଡ଼ ଭିତରେ ଆସି ପହଞ୍ଚିଲେ । ନୂଆ ନୂଆ କାର୍ଯ୍ୟକ୍ରମ ଆରମ୍ଭ କଲେ । ବିଶେଷ ବିଶେଷ କାର୍ଯ୍ୟକ୍ରମ ବିଷୟରେ ସଚେତନତା ସୃଷ୍ଟି କରୁ କରୁ ଲୋକମାନଙ୍କୁ ଜଣେ ଜଣେ ମଣିଷ ହିସାବରେ ସଚେତନ ହୋଇ ଆସିବାରେ ନିମିତ୍ତ ପରି କାର୍ଯ୍ୟ କଲେ । ସେମାନଙ୍କୁ ଅର୍ଥ ସାହାଯ୍ୟ କରି ସେଠାକୁ ପ୍ରେରଣ କରିଥିବା ସରକାର ଏଥିରେ ଖୁସି ହେବ ନା ବିଗିଡ଼ିବାକୁ ଆରମ୍ଭ କରିବ ? ଅନେକ ସମୟରେ ସରକାରୀ ପରାମର୍ଶ ପାଇ ଓ ସେମାନଙ୍କଠାରୁ ଅର୍ଥ ଗ୍ରହଣ କରି ଏହି ସେଚ୍ଛାସେବୀମାନେ ଦୁର୍ଗତ ମଣିଷମାନଙ୍କ ପାଖକୁ ଯାଇଥାନ୍ତି । ସେମାନଙ୍କୁ ସଚେତନ କରାନ୍ତି-। ପ୍ରଜା ସଚେତନ ହେଲେ ପୁରୁଣାଟାର କାଳ ପୂରିଆସେ । ଭାରତବର୍ଷରେ ହୁଏତ ସେହିଭଳି ପର୍ଯ୍ୟାୟଟିଏ ଚାଲିଛି । ଚେତନା ଯେତେ ଅଡ଼ୁଆ ହୋଇଥିଲେ ମଧ୍ୟ ଲୋକମାନେ ସଚେତନ ହୋଇ ଆସୁଛନ୍ତି ।

 

୧୦.୧୨.୦୧

☆☆☆

 

ସବୁ ବଦଳୁଛି, କିନ୍ତୁ...

 

ଏବେ ତ ସବୁ ବଦଳୁଛି । ଘଡ଼ିକେ ଘୋଡ଼ା ଛୁଟୁଛି । କିନ୍ତୁ ଡାଇନୋସରମାନେ ବଦଳୁ ନାହାନ୍ତି । କୁଣ୍ଡା ଖାଉଛନ୍ତି, ଚୋକଡ଼ ଖାଉଛନ୍ତି । ବାହାରକୁ କେତେ ଧୋବ ଏବଂ କେତେ ତୋଫା ଦେଖାଯାଉଛନ୍ତି । କେତେ ଶସିଅଳ ଦିଶୁଛନ୍ତି । କିନ୍ତୁ ଦୁହାଁ ହେବାକୁ ମୋଟେ ରାଜି ହେଉନାହାନ୍ତି । ସେମାନେ ବସ୍ତା ବସ୍ତା ପାଠ ପଢ଼ିଛନ୍ତି । ଏମିତି ଗୋଟାଏ ଭାଷାରେ ନିଜକୁ ଦୋରସ୍ତ କରି ରଖିଛନ୍ତି ଯେ, ନିଜ ଗାଆଁର ଓ ନିଜ ରାଜ୍ୟର ଭାଷାଟାକୁ ନାକ ଟେକୁଛନ୍ତି । ଏହି ସମଗ୍ର ଦେଶଟାକୁ ହିଁ ନାକ ଟେକୁଛନ୍ତି । ଦେଶର ନାଆଁରେ କେତେ କାଗଜପତ୍ର ତିଆରି କରି ରଖୁଛନ୍ତି । ସେଗୁଡ଼ିକୁ ବଡ଼ ଘଟଣ ଭାବରେ ଯୋଜନା ବୋଲି କୁହାଯାଉଛି । ଭଳି ଭଳି ବୁଦ୍ଧି ଖରଚ ହୋଇ ଭଳି ଭଳି ଯୋଜନା । ଏକାବେଳେକେ କୋଟି କୋଟି ଟଙ୍କାର ଯୋଜନା । ଟଙ୍କାମାନେ କରଜ ହୋଇ ଆସୁଛନ୍ତି । ଭାରତବର୍ଷ ଗଢ଼ାହେବ ବୋଲି ଆସୁଛନ୍ତି । ଓଡ଼ିଶା ଗଢ଼ାହେବ ବୋଲି ଆସୁଛନ୍ତି । ସଡ଼କ ତିଆରି ହେବ, ନଦୀରେ ବନ୍ଧ ପଡ଼ିବ, କିଆରିମାନଙ୍କରେ ବାରମାସ ପାଣି ମିଳିବ, ଫସଲ ଯାହାକୁ ଯେତେ ଫଳିବ । ଗାଆଁ ଗାଆଁରେ ବିଜୁଳି ଆଲୁଅ, ଦାଣ୍ଡକୁ ବାହାରିଲେ ନଳକୂଅ । ଗାଆଁର ପିଲାମାନେ ସମସ୍ତେ ପାଠ ପଢ଼ିବେ । ଯାହାର ଯେତେ ପ୍ରତିଭା ଥିବ, ଯିଏ ଯେତେ ଯୋଗ୍ୟତାର ପ୍ରମାଣ ଦେଖାଇ ପାରିବ, ସିଏ ସେତେ ଆଗକୁ ଏବଂ ସେତେ ଉପରକୁ ଯାଇପାରିବ-। ଘରେ ବାପା-ମାଆଙ୍କ ହାତରେ ଅର୍ଥ ନାହିଁ ବୋଲି ତାକୁ ଆଦୌ ଅଟକି ଯିବାକୁ ପଡ଼ିବ ନାହିଁ-। ବିଗତ ଏତେ ବର୍ଷର ସ୍ଵାଧୀନତା ଭିତରେ ଆମ ରାଜଧାନୀମାନଙ୍କରେ ଉଚ୍ଚ ଉଚ୍ଚ କେତେନା କେତେ ଅଟ୍ଟାଳିକା ଗଢ଼ା ହୋଇ ସାରିଲେଣି । ଯୁଆଡ଼େ ଚାହିଁବ, କୋଠାର ମାଳମାଳ, କୋଠାର ଜଙ୍ଗଲ । ସେଗୁଡ଼ାକରେ ସରକାର ଚାଲୁଛି ।

 

ଚାଲୁଛି ଯେ ଚାଲୁଛି । ଦଣ୍ତେମାତ୍ର ଫୁରସତ ନଥାଇ ଚାଲୁଛି । ସେଠାରେ ଡାଇନୋସରମାନେ କାଣ୍ଡାରି ଧରି ବସିଛନ୍ତି । ଦେଶଟା ସେଇଠାରୁ ଚାଲିବ ବୋଲି ଭାଷଣମାନଙ୍କରେ ଉଦ୍‌ଘୋଷଣାମାନ ହେଉଛି । ରାଜ୍ୟଟା ଚାଲୁଥିଲେ ରାଜ୍ୟରେ ମଣିଷମାନେ ଆମ୍ବକୋଇଲି ଖାଇ ମରୁଥାଆନ୍ତେ ? ରାଜ୍ୟଟା ଚାଲୁଥିଲେ ଏତେ ଯବାନ ମଣିଷ ବେକାର ଓ ରୋଜଗାରହୀନ ହୋଇ ବୁଲୁଥାନ୍ତେ ? ରାଜ୍ୟ ଚାଲୁଥିଲେ ଆମ ପିଲାମାନଙ୍କ ପାଇଁ ଇସ୍କୁଲ ନଥାନ୍ତା ? ସୁକୁମାର ପିଲାଗୁଡ଼ାକ ଚାହାଳୀକୁ ନଯାଇ ଛେଳି ଚରାଉ ଥାଆନ୍ତେ, ରାସ୍ତାକଡ଼ରେ ଦିନମାନ ବସି ପଥର ଭାଙ୍ଗୁଥାନ୍ତେ ? ବାତ୍ୟା, ବନ୍ୟା ଓ ମରୁଡ଼ି ଆସି ବରଷକୁ ବରଷ ଆମ ସରକାରଗୁଡ଼ାକୁ ଏପରି ଉଚ୍ଛନ୍ନ କରି ଦେଉଥାନ୍ତା ? ଖାଲି ରିଲିଫ୍ ବଣ୍ଟା ହେଉଥାନ୍ତା, ମାତ୍ର ଆମ ସାମୂହିକ ଜୀବନ-ସଂସ୍ଥାନଟା ନିମନ୍ତେ ଟାଣ କରି ଏକ ମୂଳଦୁଆ ତିଆରି ହୋଇ ପାରୁନଥାନ୍ତା ? ଏହି ରାଜ୍ୟଟାରେ ଏତେ ପୋଲିସ, ଏତେ ନ୍ୟାୟକାରୀ, ଅନୁଗ୍ରହମାନ କରିବାଲାଗି ଏତେ ଏତେ ଉଦାର ମଣିଷ । ମାତ୍ର ମଣିଷମାନଙ୍କୁ ମଣିଷ ବୋଲି ସ୍ଵୀକାର କରି ସାଉଁଟି ନେବାକୁ ସତେଅବା କେଉଁଠି ହେଲେ କେହି ନାହାନ୍ତି । ଗାଆଁରେ ନାହାନ୍ତି ଅଥବା ସହରରେ ନାହାନ୍ତି । ଡାଇନୋସରମାନେ ଆସୁଣୁ ଯାଉଣୁ ଭାଷଣ ଦେଉଛନ୍ତି, ଭତ୍ତା ବାଣ୍ଟୁଛନ୍ତି, ଋଣର ବରାଦ କରି ଦେଉଛନ୍ତି । ମାତ୍ର ଏହି ଦେଶର କୋଟି କୋଟି ମଣିଷ ଜଣେ ନାଗରିକ ଅଭିମାନରେ ଆଉ କେଉଁଦିନ ଅଣ୍ଟା ସିଧା କରି ସାମନାକୁ ଲୟ ରଖି ଯେ ଚାଲି ପାରିବେ, ସେକଥା କେହି କହୁନାହାନ୍ତି-। କହିବାର ମତଲବରେ ହିଁ ନାହାନ୍ତି । ସତକୁସତ କେଉଁଦିନ ଏହି ଦେଶର ଅର୍ଥାତ୍ ଏହି ଭୂମିର ସବୁ ମଣିଷ ଏହାକୁ ନିଜର ବୋଲି କହିପାରିବେ କେଜାଣି ? କିନ୍ତୁ ମୂଳତଃ ସେତିକି ସର୍ବନିମ୍ନ ପ୍ରାପ୍ତି ପାଇଁ ତ ଦିନେ ଏହି ଦେଶରେ ଏଡ଼େ ମହିମାମୟ ଭାବରେ ଗୋଟିଏ ସ୍ଵାଧୀନତା ସଂଗ୍ରାମ ଲଢ଼ା ଯାଇଥିଲା । ଏବଂ ସ୍ୱାଧୀନତାଟାଏ ହାସଲ କରାଯାଇଥିଲା । ସେହି କଥାଟିକୁ ହିଁ ଅନ୍ଦାଜରେ ରଖି ପ୍ରତିନିଧିମାନେ ଏକାଠି ବସି ଦେଶ ନିମନ୍ତେ ସମ୍ବିଧାନଟିଏ ଲେଖିଥିଲେ । ଦେଶରେ ଖଟି ଖାଇବା ସିଧା ଲୋକମାନଙ୍କୁ କେବଳ ଦୟା ପ୍ରଦର୍ଶନ କରାଯାଉଥିବ ଏବଂ ସେମାନେ ଦେଶଟା କିଭଳି ଚାଲିଛି, ରାଜନଅର ପରି ଦିଶୁଥିବା ମହକୁମାମାନଙ୍କରେ ପ୍ରକୃତରେ ଆଦୌ କିଛି ହେଉଛିକି ନାହିଁ, ଜଙ୍ଗଲରୁ କାଠ ଯାଇ କାହା ଘର ପାଇଁ ପଲଙ୍କ ତିଆରି ହେଉଛି ଓ ଆମ ଗାଁଆ ତଳୁ କୋଇଲା ଓ ଲୁହାକୁ କେଉଁ କାରଖାନାକୁ କାହାପାଇଁ ବୋହି ନିଆଯାଉଛି, ସେକଥା ସେମାନେ ମୋଟେ କିଛି ହେଲେ ମଧ୍ୟ ଜାଣିବେ ନାହିଁ, ସମ୍ବିଧାନରେ ଆଦୌ ସେଭଳି କୌଣସି ନିର୍ଦ୍ଦେଶ ଦିଆଯାଇ ନଥିଲା-

 

ଏହି ଡାଇନୋସର୍‌ମାନେ କ’ଣ ପାଇଁ ଆମ ସହିତ ଦେଶଟା ସହିତ ଅର୍ଥାତ୍ ଦେଶବାସୀଙ୍କ ସହିତ ଏପରି ବଇରୀପଣ କରିବାକୁ ମନ କରିପାରିଲେ ? ଆମରି ସକାଶେ ନିଯୁକ୍ତ ହୋଇ ଆମଯାଏ ଓହ୍ଲାଇ ଆସିପାରିଲେ ନାହିଁ ? ଏପରି କି ପାଠ ପଢ଼ିଲେ ଯେ, ତଦ୍ଦ୍ୱାରା ଏତେବଡ଼ ଦେଶଟାରେ କେବଳ ନିଜକୁ ଦେଖିଲେ ଏବଂ ନିଜ ବ୍ୟତୀତ ଅନ୍ୟମାନଙ୍କୁ ଦେଖିପାରିଲେ ନାହିଁ ? ସେମାନଙ୍କର ଆଖିଆଗରେ ଲମ୍ପଟଗିରି ହେଲା, ଦେଶଟାର ନେତୃତ୍ୱ ବିଟଗିରି କଲା, ତଥାପି ସେମାନେ ରହ ବୋଲି କହିବାକୁ ମନ କରିପାରିଲେ ନାହିଁ । ଉପରେ କେତେ ଭଦ୍ର ହେଲେ ଏବଂ ଭିତରେ ଗୋଟା ସୁଦ୍ଧା ବଧିରା ହୋଇ ରହିଲେ ? ସେମାନେ ଯେ ଏହି ଦେଶର ମଣିଷମାନଙ୍କୁ ଏକ ନିର୍ଦ୍ଦିଷ୍ଟ କ୍ରମାଗ୍ରସର ହେବାର ପ୍ରଣାଳୀରେ ପାହାଚ ଉଠିବାରେ ସହାୟକ ହେବାଲାଗି ସରକାର ଘରର ଏତେ ଏତେ କଳରେ ଆସି ନିଯୁକ୍ତ ହୋଇଛନ୍ତି, ଲମ୍ପଟଗିରି ସହିତ ସାଲିସ କରି ରହିଯିବାକୁ ଏବଂ ତଦ୍ଦ୍ୱାରା ନିଜର ଭାଗ୍ୟଗୁଡ଼ିକୁ ନିରାପଦ କରି ରଖିବାକୁ ଆଦୌ ନିଯୁକ୍ତ ହୋଇନାହାନ୍ତି, କେଉଁ ଦୁର୍ଭାଗ୍ୟକୁ ମନ କରି ସେମାନେ ସେକଥା ଭୁଲିଗଲେ ଏବଂ କାଳକ୍ରମେ ଏକ ଲମ୍ପଟତନ୍ତ୍ରର ପରିକର ହୋଇ ରହିଲେ ? ସତକୁସତ ପାଠ ପଢ଼ିଥିବା ମଣିଷ ତ ଯେପରି ମୋଟେ ହେବାର କଥା ନୁହେଁ । ଉଚ୍ଚ ଉଚ୍ଚ ଶିକ୍ଷାଶିଖରମାନଙ୍କରେ ଆମର ଏଠାରେ ଯେଉଁସବୁ ପାଠ ପଢ଼ାଯାଉଛି, ତାହାରି ଫଳରେ କ’ଣ ସେମାନେ ଏପରି ହୁଡ଼ିଗଲେ କି ? ବିବେକ ହାରିଲେ ଏବଂ ଭୀରୁ ହେଲେ କି ? ଏପରି ବିକି ହୋଇଗଲେ କାହିଁକି କେଜାଣି ? ଶିକ୍ଷାର ବିହାରମାନଙ୍କରେ ତ ମୋଟ ମୋଟ ବହି ଏବଂ କୁଣ୍ଢ କୁଣ୍ଢ ଉଦ୍ଧତପଣିଆ । ସେଠାରେ ସବୁଠାରୁ ଅଧିକ ସଳଖ ଭାବରେ ଦରମାଟା ସକାଶେ ହିଁ ଲୋଭୀ ଉଚ୍ଚାଷୀମାନେ ଆସି ରୁଣ୍ଡ ହୋଇଥାଆନ୍ତି-। ଏହି ଦେଶଟା ପାଇଁ ସେମାନେ ମୋଟେ ପ୍ରସ୍ତୁତ ହେଉନାହାନ୍ତି,–ଦେଶଟାକୁ ଦୁହିଁନେବେ ଓ ଝୁଣି ପକାଇବେ ବୋଲି କଳ୍ପନାତୀତ ନାନା ପ୍ରଦୂଷଣରେ ତାଲିମ ପାଉଛନ୍ତି । କେତେ ଭଲ ମନ ଏବଂ ଭଲ ଇଚ୍ଛା ସହିତ ନିଜ ନିଜ ଗାଆଁରୁ ଆସି ଏଠାରେ ପହଞ୍ଚୁଛନ୍ତି ସିନା, କିନ୍ତୁ ମଗଜଟାକୁ ମଣ କରି ଏଠାରୁ ବାହାରିବା ବେଳକୁ ଗୋଟାଏ ଗୋଟାଏ ମାଉଁସପିଣ୍ଡୁଳା ଭଳି ତିଆରି ହୋଇଯାଉଛନ୍ତି, ଯେଉଁଥିରୁ କେବଳ ଡାଇନୋସରମାନେ ହିଁ ସମ୍ଭବ ହେଉଛନ୍ତି । ବଡ଼ ମାଛ ସାନ ମାଛମାନଙ୍କୁ ଗିଳି ପକାଇବାର ବିଦ୍ୟାଟାକୁ ହିଁ ହାସଲ କରୁଛନ୍ତି ।

 

ଏହି ଦେଶରେ ସରକାରଟାଏ ଚାଲିବ ବୋଲି ସତେଅବା କ’ଣ ଗୋଟାଏ ଚକ୍ରାନ୍ତ କରିଥିବା ପରି ପ୍ରାୟ ଏକ ନିର୍ଦ୍ଦିଷ୍ଟ ପ୍ରୟୋଜନ ଏବଂ ମତଲବଦ୍ୱାରା ପରିଚାଳିତ ହୋଇ ପୂରା ଗଜା ଡାଇନୋସରମାନଙ୍କୁ ନିଯୁକ୍ତି ଦିଆଯାଇଛି । ସେମାନଙ୍କର ପାଠ ପରୀକ୍ଷା କରାଯାଇ ସେହି ଅନୁସାରେ ଯୋଗ୍ୟମାନଙ୍କୁ ବଛାଯାଉଛି । ତା'ପରେ ଖୁବ୍ ସମ୍ଭବ ଏକ ଗଦ ଶୁଘାଂଇ ଦିଆଯାଉଛି । ଫଳରେ ଏମାନେ ଉପେକ୍ଷା ଓ ଅବଜ୍ଞାରେ ଜଣେ ଆଉ ଜଣକୁ ବଳି ଯାଉଛନ୍ତି । ଉଦାସୀନତାରେ ଆମ ପୂର୍ବ ପରମ୍ପରାର ପରମହଂସମାନଙ୍କୁ ବି ବଳି ଯାଉଛନ୍ତି । ଏମାନଙ୍କୁ କୌଣସି ତାତ୍ପର୍ଯ୍ୟ ସହିତ କଦାପି ନିର୍ବିକାର ବୋଲି କୁହାଯାଇ ପାରିବ ନାହିଁ । ନିଜର ଦାୟିତ୍ୱବୋଧର ସକଳ ଘରେ ସଂପୂର୍ଣ୍ଣ ଭାବରେ ବିକାରମୁକ୍ତି, କିନ୍ତୁ ନିଜ ବିଷୟରେ କେବଳ ସଚେତନଟାରେ ନୁହେଁ, ଅବଚେତନ ଏବଂ ଅଚେତନ ଦାଣ୍ଡି ଏବଂ ନାଳୀଗୁଡ଼ାକରେ ମଧ୍ୟ ଅତ୍ୟନ୍ତ ଜାଗୁରୂକ ଏବଂ ଲାଳସାଯୁକ୍ତ । ମଣିଷମାନଙ୍କ ପ୍ରତି ପ୍ରାୟ ଏକ ଧର୍ମୀୟ ନିରୀହତା ସହିତ ପୂର୍ଣ୍ଣ ଉଦାସୀନ । ଡାଇନୋସରମାନେ ନିଜର ଅଙ୍କଟା ଅନୁସାରେ ପୂରା ଠିକ୍ କରି ନେଇଛନ୍ତି ଯେ, ମଣିଷମାନେ ଅସହାୟ ହୋଇ ରହିଥାନ୍ତୁ ପଛକେ, ସେମାନଙ୍କ ନିଜର ଜୀବନଟାରେ ଯେପରି ଜାହାରି ହେଲେ ଆଙ୍ଗୁଠି ନବାଜୁ । ଏହି ସନ୍ଦର୍ଭଟି ଉପରେ ଏପରି ବାସ୍ତବ କଥାଟିଏ ଶୁଣିଲେ ମୋଟେ ଆଚମ୍ବିତ ଲାଗିବ ନାହିଁ ଯେ ଏହି ଏତେବଡ଼ ଦେଶଟାର ବାର କି ଚଉଦପଣ ପଇସା ଡାଇନୋସରମାନଙ୍କୁ ସେମାନଙ୍କର ଦରମା ଯୋଗାଇ ଦେବାରେ ହିଁ ଖରଚ ହୋଇଯାଏ । ସରକାରୀ ଶିକ୍ଷାବିଭାଗର ସାତଚାଖଣ୍ଡ ପଇସା ସେହି ଦରମାରେ ହିଁ ଖରଚ ହୁଏ ଓ ବାକି ଚାଖଣ୍ଡେ ବା ଅଧଚାଖଣ୍ଡକୁ ସମ୍ବଳ କରି ବିକାଶ ବାବଦରେ ବ୍ୟୟ କରାଯାଏ । ଏତେ ଅଳପ ମଣିଷ ସେମାନଙ୍କଠାରୁ ପନ୍ଦରଗୁଣ ଅଧିକ ସଂଖ୍ୟକ ମଣିଷକୁ ଯେ ଏପରି ସୁଶିକ୍ଷିତ ଭାବରେ ଠକି ପାରୁଛନ୍ତି, ତାହାର ଚାକ୍ଷୁଷ ପ୍ରମାଣ ସବା ଆଗ ଆମ ଦେଶରେ ହିଁ ମିଳିଯିବ ।

 

ଆମ ଗ୍ରାମୀଣ ଭାଷାଗୁଡ଼ିକରେ ଉପମା ଲଗାହୋଇ ଯୁଗେ ଯୁଗେ ଡାଇନୋସରମାନଙ୍କୁ ବଳଦ କୁହାଯାଇଛି, ମାଦଳ ବୋଲି ମଧ୍ୟ କୁହାଯାଇଛି । ଯାହାର ବୁଦ୍ଧି ଅଳପ ବୋଲି ସମସ୍ତେ ଅନୁମାନ କରନ୍ତି, ସେମାନଙ୍କୁ ସମସ୍ତେ ବଳଦ ବୋଲି କହନ୍ତି । ଆମ ଡାଇନୋସରମାନେ ବୁଦ୍ଧିରେ କଦାପି ଉଣା ନୁହନ୍ତି । ସେମାନେ ଆମ ସାଧାରଣଙ୍କଠାରୁ ଅଧିକ ବୁଦ୍ଧିଆ, ଅଧିକ ପାଠ ମଧ୍ୟ ପଢ଼ିଛନ୍ତି । ନିଜର ସେଇ ବୁଦ୍ଧିର ପ୍ରମାଣ ଦେବାଲାଗି ହିଁ ସେମାନେ ଧୋବ ଲୁଗାମାନ ପିନ୍ଧିଛନ୍ତି । ମାତ୍ର ପାଠକୁ ବୁଦ୍ଧିକୁ ସେମାନେ ପଣ୍ୟ ରୂପେ ଦେଖୁଛନ୍ତି । ବେଳେବେଳେ ତ ମନେ ହୋଇଥାଏ ଯେ ସେମାନେ ନିଜକୁ ମଧ୍ୟ ପଣ୍ୟଟାଏ ଭଳି ଏହି ସଂସାରରେ ତିଆରି କରି ଆଣିଛନ୍ତି । ଯିଏ ନିଜକୁ ପଣ୍ୟଟିଏ ପରି ଦେଖିବାର ଅପଧର୍ମରେ ପଡ଼ି ଯାଇଥାଏ, ସିଏ ଅନ୍ୟମାନଙ୍କୁ ମଧ୍ୟ ଅଲବତ ପଣ୍ୟବତ ଦେଖିବାରେ ଭାରି ଖୁସି ପାଏ, ଖୁବ୍ ଭଲ ବି ପାଏ । ଏଠାରେ ଆମ ରାଜନୀତିକ କ୍ଷମତାର ଦାଣ୍ଡିରେ ଯିଏ ସବା ଉପରେ ରହିଛନ୍ତି, ସେମାନେ ତ ସିଧା ସତେଅବା କେଉଁ ସତ୍ୟଯୁଗର ହିଁ ଗୋଟିଏ ଗୋଟିଏ ଡାଇନୋସର ସଦୃଶ ଆପଣାକୁ କାରବାର କରୁଛନ୍ତି । ଗୋଟାଏ ଗୋଟାଏ ନିତାନ୍ତ ଯୋଧା ରାଜପୁତ୍ର ଭଳି ଦେଖାଯାଉଛନ୍ତି । କ୍ଷମତାରେ ଭାରି ଗରୁହୋଇ ବସିଛନ୍ତି । ଏପରି ଗୋଟିଏ ସ୍ଵୀକୃତିଆଳକୁ ଆସିବେ ବୋଲି ବିଚରା କେତେ କେତେ ଅପରାଧ କରିଛନ୍ତି ଏବଂ ନିଜର ଚର୍ମାବରଣଟାକୁ ନିତାନ୍ତ ବହଳ କରିଛନ୍ତି । ସାହିତ୍ୟରେ ସେଇମାନେ, ସଭାଗୁଡ଼ିକର ଯାବତୀୟ ଭାଷଣରେ ମଧ୍ୟ ସେହିମାନେ । କ୍ଷମତା ରହିଥିବା ଯାବତ ଯାହା ସେମାନଙ୍କର ଯାହାକିଛି ଦୀପ୍ତି ରହିଛି ବୋଲି ସେମାନେ ଅତ୍ୟନ୍ତ ଉତ୍ତମ ରୂପେ ଜାଣିଛନ୍ତି । ସେମାନଙ୍କଦ୍ୱାରା ଏହି ଦେଶଟା ବଦଳିବ ବୋଲି ଯଦି ତୁମେ ସତକୁସତ ଭାବୁଥିବ, ତେବେ ଭାରି ବିଭ୍ରାଟରେ ପଡ଼ିରହିବ । ଆମେ ଯେଉଁମାନେ ସାନ ସାନ ଥାନରେ ରହୁଛୁ ଏବଂ ସାନ ସାନ କାର୍ଯ୍ୟ ନିମନ୍ତେ ହିଁ ଜନ୍ମ ହୋଇଛୁ ବୋଲି ଭାବୁଛୁ, ଏହି ଦେଶର ପରିବର୍ତ୍ତନ ପ୍ରକ୍ରିୟାରେ ଆମେ ମଧ୍ୟ ପୂରା ଗୋଲାମ ବନିଯାଇଛୁ । ଏକଦା ପଢ଼ିଥିବା ପାଠଗୁଡ଼ିକୁ ପାସୋରିଛୁ ଏବଂ ଏହାଦ୍ୱାରା ଆମ ଭିତରେ ରହିଥିବା ସେହି ମରମୀ ଜନନୀଟିକୁ ସଂପୂର୍ଣ୍ଣ ରୂପେ ଧୋକା ହିଁ ହେଉଛି । ଏବଂ ଆମର ଏହି ଭୂମିରେ ବା ମୂଲକରେ କାହିଁକି କିଛି ହୋଇ ପାରିଲାନାହିଁ ଅଥବା ପାରୁନାହିଁ ବୋଲି କେତେ ଖେଦ କରୁଛୁ ।

 

ଏହି ଡାଇନୋସରମାନେ ଯଦି ଦେଶକୁ ନବଦଳାଇବେ, ତେବେ ଏତେ ଏତେ ସ୍ଥାନରେ କାହିଁକି ରହିବେ ? ସ୍ଵୟଂ ନିଜର କର୍ମଭୂମିରେ ଅନୁରୂପ କରି ଗଢ଼ି ଆଣିବାକୁ ରାଜି ନହେବା ଯାଏ ସେମାନେ ଦେଶଟାର ବଦଳିବାରେ ପ୍ରକୃତରେ ଆଉ କି ଭୂମିକା ଗ୍ରହଣ କରିପାରିବେ ? ମାତ୍ର ଦ୍ୱିତୀୟ ସତକଥାଟି ହେଉଛି ନୂଆ ଦଳେ ଡାଇନୋସର ଆସି ପୁରୁଣା ଡାଇନୋସରମାନଙ୍କୁ କଦାପି ହଟାଇ ଦେଇ ପାରିବେ ନାହିଁ । ହଁ, ମୁଥେ ଯାଉଥିବେ ମୁଥେ ଆସୁଥିବେ; ମାତ୍ର କେଉଁଠି ଆଦୌ କିଛି ବଦଳୁ ନଥିବା ଏ ଦଳଟା ସେ ଦଳକୁ ଦୋଷ ଦେବାରେ ଲାଗିଥିବ, କିନ୍ତୁ ସତକୁ ସତ ବଦଳିବ ନାହିଁ । କେବଳ ଏହି ଗୋଟିଏ ଭାରତବର୍ଷରେ ନୁହେଁ, ସମଗ୍ର ପୃଥିବୀର କେତେ କେତେ ଅବସରରେ ଏଭଳି ହୋଇଛି; କଥାରେ ପୃଥ୍ୱୀ କମ୍ପୁଛି, ମାତ୍ର ଶିଶୁପାଳମାନେ ଶିଶୁପାଳ ବୋଲି ଧରା ପଡ଼ି ଯାଇଛନ୍ତି । ବାଦମାନେ ଆପଣାକୁ ଗୋଟାଏ ଗୋଟାଏ ଆଦର୍ଶବାଦ ଆୟତନରେ ମଣିଷମାନଙ୍କର ସେହି ପୁରାତନ ଅସମର୍ଥତାମାନଙ୍କୁ ଦୂର କରିଦେବାର ହୁରି ପକାଇ ଆସି ପହଞ୍ଚି ବି ଯାଇଛନ୍ତି, ମାତ୍ର କ୍ରମେ ସବୁ ପଦାରେ ହିଁ ପଡ଼ିଯାଇଛି । ପଦାରେ ପଡ଼ିଯାଇଛି ଯେ ସେମାନେ ସବାଆଗ ଏବଂ ସବାଶେଷରେ ନିଜର ଚର୍ବି ବୃଦ୍ଧି ହିଁ କାମନା କରିଛନ୍ତି । ନଶ୍ୱର ଜଗତଟାକୁ ଏତେ ବେଖାତିରିଆ କରି ଦେଖିଛନ୍ତି ଯେ, ସେଇଟା ଭିତରେ ନିଜକୁ ମଧ୍ୟ କେବେହେଲେ ଦେଖିନାହାନ୍ତି । ଆମ ଡାଇନୋସରମାନେ ଏହି ଭୂମିଟିକୁ ଯଦି ପ୍ରକୃତରେ ଯଥାର୍ଥ ବିବେକ ଦେଇ ଦେଖୁଥାନ୍ତେ, ତେବେ ସିନା ଏଠାରେ କୌଣସି କାମରେ ଲାଗିପାରନ୍ତେ ଏବଂ ସେଥିରେ ଯଥାର୍ଥ ଆନନ୍ଦଟିଏ ମଧ୍ୟ ପାଇ ପାରୁଥାନ୍ତେ । ଦେଶକୁ ସ୍ଵାଧୀନତା ଆସିଲା; ତଥାପି ଆମର ଡାଇନୋସରମାନେ ସେଥିରୁ ପୂର୍ଣ୍ଣ ଫାଇଦା ଉଠାଇଥିଲେ ମଧ୍ୟ ମୋଟାରୁ ଅଧିକ ମୋଟା ବେତନ ପାଇ ଏବଂ କ୍ଷମତାରେ ରହି ମଧ୍ୟ ତଥାପି ପ୍ରାୟ କୌଣସି କାମରେ ଲାଗିଲେ ନାହିଁ, ସ୍ଵାଧୀନତା ପରେ ସମ୍ଭବତଃ ତାହାକୁ ହିଁ ଆମର ଏକ ବଡ଼ ଦୁଭାର୍ଗ୍ୟ ବୋଲି କହିବାକୁ ପଡ଼ିବ-। ସେହି ଡାଇନୋସରମାନଙ୍କୁ ମଧ୍ୟ କାହିଁକି ଭାଗ୍ୟହୀନ ବୋଲି କୁହାଯିବ ? ଗୋଟାଏ ସାମୂହିକ ବ୍ୟବସ୍ଥା ଏବଂ ନିୟତି ଭିତରେ ଜନ୍ମ ହେବ, ବଡ଼ ହେବ, ରାଘବମତ୍ସ୍ୟ ପରି ପହଁରିବାର ପରିପୂର୍ଣ୍ଣ ସ୍ଵୀକୃତିର ଅଧିକାରୀ ହେବ, ତଥାପି ଘରଟିକୁ ସ୍ଵୀକାର କରିବ ନାହିଁ, ଆମ କପାଳ ପାଇଁ ଏହିମାନେ ହିଁ ଏକାଧିକ ଅର୍ଥରେ ଆମ ଦୁର୍ଗତମାନଙ୍କୁ ଡାକି ନେଇ ଆସିଛନ୍ତି । ସେମାନଙ୍କୁ ଆମେ କେତେଦିନ ସହିବା,–କାହିଁକି ବା ସହିବା ? ମହାତ୍ମା ଗାନ୍ଧୀ ଯେଉଁ ଭବିଷ୍ୟ ଶାସନ ତଥା ଭବିଷ୍ୟ ଭାରତବର୍ଷର ନକ୍‌ସାଟିଏ ଆଙ୍କିଦେଇ ଆମକୁ ତାହାରି ପ୍ରେରଣାରେ ସେକାଳେ ଏତେ କ୍ରିୟାଶୀଳ କରି ପାରିଥିଲେ, ସେଥିରେ ଡାଇନୋସରମାନଙ୍କ ନିମନ୍ତେ ମୋଟେ କୌଣସି ଥାନ ଛଡ଼ାହୋଇ ନଥିଲା । ସେହି ଚିତ୍ରଟିକୁ ସ୍ୱୀକାର କରିନେଇ ପାରିଲେ ଆମେ ଏପରି ଏକ ଭୂମିକୁ ସମ୍ଭବ କରିଆଣିବା, ଯେଉଁଥିରେ ଡାଇନୋସରମାନେ ଆଦୌ ନଥିବେ ।

 

୧୭.୧୨.୦୧

☆☆☆

 

ବସ୍ତୁନିନ୍ଦୁକଙ୍କର ଅସଲ ମର୍ମ

 

ବସ୍ତୁବାଦୀମାନେ ବସ୍ତୁର ନିନ୍ଦା କରନ୍ତି ଏବଂ ଭିତରେ ପ୍ରାୟ ବସ୍ତୁଗୁଡ଼ିକ ନିମନ୍ତେ ହିଁ ଅତ୍ୟନ୍ତ ଅସହଜ ଭାବରେ ଲୋଭାଇ ହୋଇ ରହିଥାନ୍ତି । ଅର୍ଥାତ୍ ପ୍ରାୟ ସର୍ବାନ୍ତଳରଣରେ ଯାହା ପାଇବାକୁ ଇଚ୍ଛା କରୁଥାନ୍ତି, ନିଜର ବାହ୍ୟ ତୁଣ୍ଡରେ ତଥା ବାହ୍ୟ ଆଚରଣରେ ତାହା ପ୍ରତି ଘୃଣା ଓ ଅସୂୟା ପ୍ରକାଶ କରୁଥାଆନ୍ତି । ଆମ ଲୋକଗଳ୍ପଗୁଡ଼ିକର ଛାଞ୍ଚରେ ପକାଇ ସମ୍ଭବତଃ କୁହାଯାଇ ପାରିବ ଯେ, ସେମାନଙ୍କର ଉପୁରିଆ ଜୀବନ ଯାହା ଅଥବା ଯେପରି ହୋଇଥାଉ ପଛକେ, ତୁମେ ଯଦି ସେମାନଙ୍କ ପ୍ରତି ଶ୍ରଦ୍ଧାପରବଶ ହୋଇ ସେମାନଙ୍କ ଭିତରେ ସାତତାଳ ପାଣି ଏବଂ ସାତତାଳ ପଙ୍କକୁ ଭେଦି ତଳକୁ ଯିବ, ତେବେ ଗୋଟିଏ ଗମ୍ଭୀରା ଦେଖିବାକୁ ପାଇବ । ଗମ୍ଭୀରା ଭିତରେ ପଞ୍ଜୁରୀଟିଏ, ପଞ୍ଜୁରୀ ଭିତରେ ଫରୁଆ ଓ ଫରୁଆ ଭିତରେ ଭଅଁରଟିଏ । ସେହି ଭଅଁରଟି ହେଉଛି ସେମାନଙ୍କର ଅସଲ ଜୀବନ ଓ ସେହି ଜୀବନଟି ହେଉଛି ବସ୍ତୁ । ବସ୍ତୁର ଲୋଭ, ବସ୍ତୁ ପାଇଁ ହାଇଁପାଇଁ, ବସ୍ତୁରେ ଆକାଙ୍‌କ୍ଷା ରଖିଥିବା ଢଳ ଢଳ ହେଉଥିବା ଆଖିଗୁଡ଼ିକ । ସେହି ଆଖି ଭିତରେ ଅସରନ୍ତି ଲୋଭ, ଅସରନ୍ତି ଆଶା-ସୁଖର ଆଶା, କ୍ଳେଶରୁ ମୁକ୍ତିଲାଭ କରିବା ନିମନ୍ତେ ଆଶା, ଶାନ୍ତି ଅର୍ଥାତ୍‌ ସକଳ କ୍ଳେଶରୁ ମୁକ୍ତି । ଯେଉଁଠାରେ କ୍ଳେଶ ନାହିଁ, ତାହାହିଁ ସେମାନଙ୍କର ସ୍ଵର୍ଗ-। ସଂସାରଟାକୁ ସେହି ଲୋକମାନେ ହିଁ ବସ୍ତୁମୟ ଦେଖନ୍ତି ଏବଂ କ’ଣ ପାଇଁ ନିଜ ଭିତରେ ଅତିରିକ୍ତ ପରିମାଣରେ ଦୋହଲି ଯାଇ ବସ୍ତୁ ପଛରେ ଧାଇଁଥିବା ସଂସାରଟାକୁ ଗାଳିଦେବାରେ ଲାଗିଥାନ୍ତି-। ଆପଣ ସତ କହିଲେ, ଜଗତରେ ଖାଲି ବସ୍ତୁ, ତୁଚ୍ଛା ବସ୍ତୁ ବୋଲି କେଉଁଠାରେ କିଛି ରହିଛି କି-? ସର୍ବତ୍ର ଯାବତୀୟ ବସ୍ତୁ ମନୁଷ୍ୟ ସମ୍ପର୍କର ଭଳି ଭଳି ଡୋରରେ ଛନ୍ଦି ହୋଇ ରହିଛି । ଯେଉଁଠାରେ ଏହି ଛନ୍ଦି ହୋଇ ରହିବାଟି ଭିତରେ ଅଶାନ୍ତ ରହିଛି, ଅସୂୟା ରହିଛି, ଅନ୍ୟ ସମସ୍ତଙ୍କୁ ବଞ୍ଚିତ କରି ନିଜେ ସମ୍ଭବ ହେଲେ ସବୁ କିଛିକୁ ଆବୋରି ଧରି ରହିବାର ଦୁଷ୍ଟ ମତଲବମାନେ ବି ରହିଛନ୍ତି, ବସ୍ତୁସମ୍ପର୍କିତ ଜୀବନରେ ସେହିଠାରେ ହିଁ ସର୍ବବିଧ ଗୋଳ ଲାଗିଛି । ସେହି ଗୋଳଗୁଡ଼ିକର ମାଦକ ମଣିଷମାନଙ୍କୁ ପ୍ରାୟ ଏକ ବନ୍ୟଜନ୍ତୁଙ୍କ ପଲରେ ପରିଣତ କରିଦେଉଛି । ସେହି ଜନ୍ତୁଧର୍ମୀ ସ୍ୱାର୍ଥଗୁଡ଼ିକରୁ ହିଁ ବହୁ ଅସହିଷ୍ଣୁତାର ପୁଟ ବୋଳି ହୋଇ ବାଦ ଅର୍ଥାତ୍ ଆଦର୍ଶବାଦମାନେ ବାହାରୁଛନ୍ତି । ପ୍ରଧାନତଃ ସେଇଥିରୁ ହିଁ ଖଣ୍ଡାଗୁଡ଼ାକୁ ପଜାଇ ରଖିବାର ଏବଂ ଏହି ପୃଥିବୀରେ ଅଧିକରୁ ଅଧିକଙ୍କୁ ଭୀତତ୍ରସ୍ତ କରି ରଖିବାର ମନ୍ଦ ବୁଦ୍ଧିମାନେ ଜନ୍ମଲାଭ କରୁଛନ୍ତି-। ଏବଂ ତା' ପରେ ନୀତିବାଦୀମାନେ ସମୟଟା ଅତ୍ୟନ୍ତ ଖରାପ ହୋଇଗଲା ବୋଲି କହି ମନୁଷ୍ୟମାନଙ୍କୁ ଜଡ଼ କରି ରଖିବାରୁ କେତେ ନା କେତେ ମିଛ ବ୍ୟାଖ୍ୟା ବାହାର କରୁଛନ୍ତି-

 

ପୂର୍ବେ, ଅର୍ଥାତ୍ ସଭ୍ୟତା ତଥା ସାମୂହିକ ବିବେକଗୁଡ଼ିକର ପ୍ରଥମ କାଳରେ ପୃଥିବୀରେ ବସ୍ତୁ ଅଳପ ଥିଲା ଏବଂ ଭାଗ୍ୟବାଦନାମକ ଗୋଟାଏ ଦାର୍ଶନିକ ଦୁର୍ବୁଦ୍ଧି ମଣିଷମାନଙ୍କୁ ମଧ୍ୟ ଅତ୍ୟନ୍ତ ଅଳ୍ପପ୍ରୟାସୀ ହୋଇ ରହିବାରେ ସତେ ଅବା ନିଶାଦଳ ପରି କାର୍ଯ୍ୟ କରୁଥିଲା । ଧର୍ମମାନେ ଏହି ପୃଥିବୀର ଯାବତୀୟ ସହାନୁଭବ ଏବଂ ସହଭାଗିତାରେ ହୃଦୟଗୁଡ଼ିକୁ ଅତ୍ୟନ୍ତ ଭାବବିବର୍ଜିତ କରି ରଖିଥିଲେ । ଯାବତୀୟ ଆସ୍ପୃହା ଏବଂ ଆରାଧନା ଏକ ଭୟଙ୍କର ନିପୁଣତା ସହିତ କେତୋଟି ପିତୁଳାଙ୍କୁ ହିଁ ଆଶ୍ରୟ କରି ରହିଥିଲା । ଯାହା ରହିଛି, ତାହା ତେଣୁ ବରାଦ ହୋଇ ଆସିଛି ବୋଲି ଗୋଟାଏ ଦୁରନ୍ତ ଅତିବିଶ୍ୱାସ ମନୁଷ୍ୟକୁ କିଞ୍ଚିତ ପରିମାଣରେ ମଧ୍ୟ ଗୁଳା ବାହାରକୁ ଯାଇ କିଛି ଅନ୍ୟ ସମ୍ଭାବ୍ୟର ଚିନ୍ତା କରିବା ବିଷୟରେ ବି ଦାରୁଣ ଭାବରେ ଅସମର୍ଥ କରି ରଖୁଥିଲା । ତଥାପି ପୃଥିବୀରେ କ୍ରମେ ସିନ୍ଦୂରା ଫାଟିଲା । ଦୁଃସାହସୀମାନେ ପାଚେରୀଗୁଡ଼ିକୁ ଡେଇଁବା ଲାଗି ସାହସ କଲେ । ଚିରାଚରିତ ଧର୍ମଆକଟଗୁଡ଼ିକ ପ୍ରତି ଏକ ବିରକ୍ତି ଜନ୍ମଲାଭ ବି କରିଥିଲା । ମଣିଷମାନେ ସମୁଦ୍ର ଡେଇଁଲେ । ଆଧୁନିକ ବିଜ୍ଞାନ ବୋଲି ନୂଆ ଆଖିଟିଏ ମଣିଷମାନଙ୍କୁ କେବଳ ବାହାରର ନୁହେଁ, ଭିତରର ଜଗତଟିଆଡ଼କୁ ମଧ୍ୟ ବାଟ ଦେଖାଇ ଦେଉଥିଲା ପରି ମନେ ହେଲା । କ୍ରମେ ଘଟଣାମାନେ ପୃଥିବୀସ୍ତରରେ ଘଟିଲେ ସବୁ ମନୁଷ୍ୟଙ୍କୁ ଯେ ଏକ ସର୍ବନିମ୍ନ ସୁଖ ଏବଂ ଆତ୍ମପ୍ରତ୍ୟୟ ଅବଶ୍ୟ ପ୍ରଦାନ କରି ହେବ, ଆମ ଏ ଯୁଗରେ ତ ବିଶ୍ୱସ୍ତରରେ ସେଥିପାଇଁ ମଣିଷମାନଙ୍କର ମୁଣ୍ଡ ଖେଳିଲାଣି । ତଥାପି ସ୍ଥାନୀୟତାର ବହୁ ଦାନବବୃତ୍ତି କମ୍‌ ତୋଡ ଦେଖାଉନାହିଁ । ଅଳପ ମଣିଷ ଅଧିକ ସମ୍ପଦ ଭିତରେ ସତେ ଅବା ଚିରକାଳ ନିମନ୍ତେ ରହିବେ ବୋଲି ଫିସାଦମାନେ ଏବେ ମଧ୍ୟ ସକ୍ରିୟ ରହିଛନ୍ତି । ଭାରତବର୍ଷକୁ ଏକ ବହୁପ୍ରାଚୀନ ଦେଶ ବୋଲି କହି ଉପରସ୍ତରୀୟ କ୍ଷମତାପନ୍ନମାନେ ସାଧୁ ବ୍ୟାଖ୍ୟାମାନ ଦେଇ ସାଧାରଣ ମନୁଷ୍ୟସ୍ତରଟାକୁ, ନାନାବିଧ ଅନ୍ଧାର ଭିତରେ ଭୂତାଇ ରଖିବାକୁ ପାଞ୍ଚ କରିବାରେ ଲାଗିଛନ୍ତି । ଆମକୁ ଭାଗ ଭାଗ ଏବଂ ତଳ ଉପର କରି ରଖିଥିବା ସେହି ଖଳ ଜାତିପ୍ରଥାଟା ଏବେ ନୂଆ ନୂଆ ସଂସ୍କରଣରେ ବଳବତ୍ତର ହୋଇରହିଛି । ଆମ ଦେଶରେ ଅଥବା ରାଜ୍ୟରେ ଚହଲପହଲ ତ ବହୁତ ହେଉଛି, ମାତ୍ର ସତେଅବା ଅନନ୍ତକାଳ ନିମନ୍ତେ ଯେପରି କେତେକ ବର୍ଗସବୁ ଭୋଗ କରିବେ, ସତେଅବା ବିଶେଷ ଅନମନୀୟତା ଦେଖାଇ ତାହାର ଅଭିସନ୍ଧିମୂଳକ ବରାଦଗୁଡ଼ିକୁ କରାଯାଉଛି ।

 

ଆମ ଧର୍ମବାଗୀଶମାନେ ସେହି ଅପକର୍ମଟାରେ ହିଁ ଅଧିକ ସାହାଯ୍ୟ କରୁଛନ୍ତି । ଆଧୁନିକ ବହୁ ସଂପ୍ରଦାୟର ମୁଖାଗୁଡ଼ିକୁ ପିନ୍ଧି ଗୁରୁମାନେ ଦେଶରେ ହାଉଯାଉ ହେଉଛନ୍ତି ଏବଂ ଦେଶଟା ବଡ଼ ବସ୍ତୁବାଦୀ ହୋଇଗଲା ବୋଲି କହି ସତେଅବା ଏହି ଯୁଗର ଅସଲ ଅଧ୍ୟାତ୍ମଟିର ବିରୋଧରେ ଚକ୍ରାନ୍ତ କରିବାରେ କେଡ଼େ ତତ୍ପର ହୋଇ ରହିଛନ୍ତି । ଅଧିକ ମାଡ଼ି ବସିଥିବା ଅଳପମାନେ ହିଁ ଏହି ଗୁରୁମାନଙ୍କର ପ୍ରବଚନଗୁଡ଼ିକୁ ଆୟୋଜନ କରୁଛନ୍ତି ଏବଂ ସେହି ଅଳପିମାନଙ୍କର ଗହଣରେ ଗୁରୁମାନେ ଉଚ୍ଚପୀଢ଼ାରେ ବସି ସେମାନଙ୍କୁ ବସ୍ତୁବାଦର ଜାଲରେ ନପଡ଼ିବା ନିମନ୍ତେ ପରାମର୍ଶ ଶୁଣାଉଛନ୍ତି । ଅଧିକ ସଂଖ୍ୟାର ଶିବିରଟିକୁ ଆମର ଏହି ପ୍ରବଚନକାରୀମାନେ ଆଉ କେବେ ଯାଏ ସତକୁସତ ମନ କରିବେ କେଜାଣି ? ସେମାନେ କେଡ଼େ କେଡ଼େ ପ୍ରଶାନ୍ତିର ବଳୟ ଭିତରେ ରହି ଯେଉଁମାନଙ୍କୁ ଧର୍ମବାଣୀ ଶୁଣାଉଛନ୍ତି, ସେମାନେ ବସ୍ତୁଗୁଡ଼ିକ ହିଁ ସବାଆଗ ସେବିତବ୍ୟ ଭଗବାନ ବୋଲି ଗ୍ରହଣ କରିଛନ୍ତି ବୋଲି ଗୁରୁମାନେ କ’ଣ ମୋଟେ ଜାଣିନାହାନ୍ତି ? ବସ୍ତୁ ବଢ଼ିଲେ ଯେ, ଜୀବନ ବା ଜଗତ ବସ୍ତୁବାଦୀ ହୁଏ, ସେ କଥା ଆଦୌ ନୁହେଁ । ବସ୍ତୁ ହିଁ ଯେତେବେଳେ ଆରାଧ୍ୟ ଏକମାତ୍ର ସମ୍ପଦରେ ପରିଣତ ହୁଏ, ମଣିଷମାନେ ସେତିକିବେଳେ ବସ୍ତୁବାଦୀ ହୁଅନ୍ତି । ବସ୍ତୁବାଦୀ ହୋଇ ମାରଣା ହୁଅନ୍ତି । ମାରଣା ହୋଇ ହୃଦୟହୀନ ହୁଅନ୍ତି । ଏହି ନିଖିଳ ଜଗତରେ ମନୁଷ୍ୟସଂସାରଟି ଯେ ନାନା ଡୋର ତଥା ଗଣ୍ଠିରେ ଗୋଟିଏ ହୋଇ ରହିଛି, ସେହି ସତ୍ୟଟିକୁ ଏଡ଼ି ଦେବାରେ ଲାଗିଥାନ୍ତି । ମଣିଷ କହିଲେ ସର୍ବଦା ସବୁ ମଣିଷଙ୍କୁ ହିଁ ବୁଝାଏ ଏବଂ ଗୋଟିଏ ସୁସ୍ଥ ଅର୍ଥାତ୍ ସତ୍ୟାଭିଳାଷୀ ସମାଜ ବା ସମଷ୍ଟି କହିଲେ ଯେ ତାହାରି ଉପରେ ଆଧାରିତ ଏକ ସ୍ୱାଭାବିକ ପାରସ୍ପରିକତାକୁ ବୁଝାଏ, ଆମର ଏହି ଗୁରୁମାନେ କ’ଣ ସେହି ଅନ୍ୟ କଥାଟିକୁ ମଧ୍ୟ କହିପାରନ୍ତେ ନାହିଁ ? ମାତ୍ର ସେପରି ସତକୁସତ କହିବାକୁ ମନ କଲେ ସେମାନଙ୍କୁ ସେମାନଙ୍କର ଏହି ପରିଚର୍ଯ୍ୟାରତ ଶିଷ୍ୟବର୍ଗ ହୁଏତ ମିଳିବେ ନାହିଁ ଏବଂ ସମସ୍ତ ପ୍ରବଚନ ପ୍ରଦାନର ଏହି ବ୍ୟୁହଟି ଯେ ଆଉ ମୋଟେ ରହିବ ନାହିଁ, ଗୁରୁମାନେ ସ୍ୱଗରଜରେ ପଡ଼ି ଆଉ ସେହିଭଳି କିଛି ଆଶଙ୍କା କରୁଥାଆନ୍ତି କି ?

 

ମୁଁ ତ କାହିଁକି ଅନେକ ସମୟରେ ଚଗଲାଙ୍କ ପରି ଏପରି ଭାବିବାରେ ଏବଂ ଆଶା କରିବାରେ ଲାଗିଯାଏ ଯେ, ଏହି ଗୁରୁମାନେ ଆମ ଶାସ୍ତ୍ର ପରମ୍ପରାର ଅସଲ ସତ୍ୟସମ୍ପଦଗୁଡ଼ିକୁ ଆଗ କହୁଥାଆନ୍ତେ ଏବଂ ସାମନ୍ତ ବିକଣୟକ୍ତ ଶ୍ରୋତାମାନଙ୍କର ଭିତରଟାକୁ ଦୋହଲାଇ ଦେଇ ପାରୁଥାନ୍ତେ । ସେମାନେ ସେମାନଙ୍କୁ ସମ୍ବୋଧନ କରି କହୁଥାନ୍ତେ; ଆପଣମାନଙ୍କର ଯେଉଁଭଳି ଆତ୍ମା ରହିଛି, ପୃଥିବୀରେ ସବୁ ମନୁଷ୍ୟଙ୍କର ମଧ୍ୟ ସେହିଭଳି ଆତ୍ମା ରହିଛି । ଆତ୍ମାର ସ୍ତରରେ ହିଁ ମନୁଷ୍ୟ ମନୁଷ୍ୟ ଭିତରେ ଡୋର ଲାଗିଛି । ସେହି ଡୋରଟିକୁ ଆପଣମାନେ ସବାଆଗ ଚିହ୍ନନ୍ତୁ । ଆପଣାକୁ ସେହି ଅନୁସାରେ ପ୍ରସାରିତ କରିବାକୁ ସମର୍ଥ ହୁଅନ୍ତୁ ଏବଂ ସେଥିଲାଗି ଈଶ୍ୱର ଆପଣମାନଙ୍କୁ କୃପା କରନ୍ତୁ ବୋଲି ଅର୍ଥାତ୍ ବଳ ଦିଅନ୍ତୁ ବୋଲି ତାଙ୍କ ପାଖରେ ପ୍ରାର୍ଥନା କରନ୍ତୁ । ଏହି ସଂସାର ଈଶ୍ଵରଙ୍କର ସଂସାର । ଅଳପ ମଣିଷ ତାଙ୍କୁ ନିଜ ନିଜ ବେଢ଼ା ଏବଂ ସଂପ୍ରଦାୟ ଭିତରେ ରଖି ଅହଂକାରଯୁକ୍ତ ଭାବରେ ତାଙ୍କୁ କେବଳ ନିଜର ପରିକର କରି ରଖିବାକୁ ଇଚ୍ଛା କରୁଛନ୍ତି ବୋଲି ପୃଥିବୀରେ ପ୍ରମାଦ ଘଟୁଛି । ବସ୍ତୁମାନେ ବସ୍ତୁବାଦର କର୍ଦ୍ଦମ ଭିତରେ ପଶି ଘଣ୍ଟି ହେବା ହିଁ ସାର ହେଉଛି । ବସ୍ତୁ ମଣିଷକୁ ସୁଖ ଦିଅନ୍ତା । ଏହି ଆଦ୍ୟା ସର୍ବନିମ୍ନ ସୋପାନଟିରୁ ଏକ ପରବର୍ତ୍ତୀ ସୋପାନ ପର୍ଯ୍ୟନ୍ତ, ଉତ୍ତୋଳିତ କରିନେବାରେ ମୁଖ୍ୟତଃ ସହାୟତା ହିଁ କରନ୍ତା । ପାହାଚ ଉଠିବାରେ ଆଦୌ କୌଣସି ଅସୁସ୍ଥତା ନିହିତ ହୋଇ ରହିନାହିଁ । ପାହାଚ ଉଠିବା ଅର୍ଥାତ୍ ଏକ ସମଗ୍ର ଜଗତସତ୍ୟର ହିଁ ସତତ ନିକଟତର ହେବାରେ ଲାଗିଥିବ । ମାତ୍ର ଏହି ସର୍ବପ୍ରଥମ ପାହାଚଟିରେ ମାୟାଗ୍ରସ୍ତ ହୋଇ ରହି ପଡ଼ି ରହିବା ହେଉଛି ପ୍ରମାଦ । ସେଇଥିରୁ ଦୁଃଖ, ଅପ୍ରମିତ ଦୁଃଖ, ଠିକ୍ ବର୍ତ୍ତମାନର ଦୁଃଖ ପରି ଅପ୍ରମିତ । ମୁଁ ପୁଣି ଭାବେ, ଏହି ପୁରୁଣା ଗୁରୁମାନେ ଏକଥା କରିପାରିବେ ନାହିଁ । କଦାପି ଏତେଗୁଡ଼ାଏର ଯୋଗ୍ୟ ହେବେ ନାହିଁ । ଅଭ୍ୟସ୍ତ ଗୁଳାଗୁଡ଼ିକୁ ଛାଡ଼ି ବାହାରି ଯିବାର ସାହସ କରି ପାରିବେ ନାହିଁ । ହଁ, ସେମାନଙ୍କୁ ଯଦି କିଛି ବୃହତ୍ତର ହୁଏତ ପ୍ରସନ୍ନ ହେବ, ଅର୍ଥାତ୍ ଯଦି ସେମାନେ କିଛି ବୃହତ୍ତରକୁ ପ୍ରକୃତରେ ମନ କରିବେ, ହୁଏତ ସେମାନଙ୍କଦ୍ଵାରା ନିଶ୍ଚୟ କିଛି ସମ୍ଭବ ହେବ । ବର୍ତ୍ତମାନର କ୍ଷୁଦ୍ରମନ ସଂପ୍ରଦାୟଗୁଡ଼ିକରୁ ନିଜର ଶ୍ରଦ୍ଧା ତଥା ନିଜର ସଂବେଦନଶୀଳତାକୁ ମୁକ୍ତି ଦେଇ ପାରିଲେ ଯାଇ ସେହି ଅନ୍ୟ ଦିଗଟି ଆଡ଼କୁ ପହଡ଼ ଫିଟି ପାରିବ-। ନଚେତ୍ ଏମାନେ ରହିଯିବେ, ଆବଶ୍ୟକ କାର୍ଯ୍ୟଟିର ସାଧନ ଲାଗି ନୂଆ ଗୁରୁମାନେ ଆସିବେ-

 

ପାରମ୍ପରିକ ସେହି ଅତୀତକାଳରେ ବସ୍ତୁମାନେ ଅଳପ ହିଁ ଥିଲେ । ଅଧିକରୁ, ଅଧିକ ବସ୍ତୁ ଅଳପଙ୍କର ଅକ୍ତିଆରରେ ମଧ୍ୟ ରହିଥିଲା । ଅଳପଙ୍କର ଅଧୀନରେ ହିଁ ଯୁଗଧର୍ମର ମୀମାଂସାମାନେ ରହିଥିଲେ ଏବଂ ସେହି ଅନୁସାରେ ନୀତିସୂତ୍ରଗୁଡ଼ିକ ବି ଲେଖା ହୋଇଥିଲା । ଧର୍ମପ୍ରବଣମାନେ ସମ୍ଭବତଃ ନିତାନ୍ତ ବସ୍ତୁଗତ ଆବଶ୍ୟକତା ହେତୁ ଅଳପ ବିତ୍ତମାନଙ୍କର ତରଫରେ ଥିଲେ ଏବଂ ପ୍ରାୟ ସ୍ୱଭାବପ୍ରେରିତ ହୋଇ ସେହି ଅଳପଙ୍କର, ପ୍ରୀତ୍ୟର୍ଥ ଶାସ୍ତ୍ର ଲେଖୁଥିଲେ ଅଥବା ଶାସ୍ତ୍ରମାନଙ୍କର ବ୍ୟାଖ୍ୟା କରି ଦେଉଥିଲେ । ମାତ୍ର ବିଧାତାଙ୍କର ବରାଦ ଅନ୍ୟପ୍ରକାର ହୋଇ ରହିବ ହିଁ ରହିବ । ମଣିଷ କହିଲେ ବିଧାତା ନିଶ୍ଚୟ କେବଳ ସବୁ ମଣିଷଙ୍କୁ ହିଁ ବୁଝୁଥିବେ । ଅଳପ କେତେଜଣ କିମ୍ବା କେତୋଟି ଶ୍ରେଣୀକୁ କଦାପି ବୁଝୁନଥିବେ । ସାଂପ୍ରତିକ ଇତିହାସଟା ମଧ୍ୟ ଅବଶ୍ୟ କହିବ ଯେ, ପୃଥିବୀରେ ସାମାଜିକ ବିବର୍ତ୍ତନ ନାମକ ସେହି ନିତ୍ୟ-ପ୍ରକ୍ରିୟାଟି ଅଳପ ମଣିଷଙ୍କର ସ୍ୱାର୍ଥ ପାଇଁ ଚିହ୍ନିତ ସେହି ପୁରୁଣା ପରିଧିଗୁଡ଼ିକ ଭିତରୁ ବାହାରି ଆଗକୁ ଆଗକୁ ପାଦ ପକାଇ କ୍ରମେ ସର୍ବଜନଙ୍କର ଅନ୍ୟ ଅନ୍ଦାଜଗୁଡ଼ିକ ମଧ୍ୟକୁ ବାହାରି ଆସିଛି । ହିସାବମାନେ କହୁଛନ୍ତି ଯେ, ପୃଥିବୀରେ ସବୁ ମଣିଷ ସର୍ବନିମ୍ନ ପ୍ରାଥମିକତାର ଏକ ସୁଖସ୍ତରରେ ଜୀବନ ବଞ୍ଚି ପାରିବା ନିମନ୍ତେ ବର୍ତ୍ତମାନ ଯଥେଷ୍ଟ ବସ୍ତୁ ଉପଲବ୍ଧ ହେଲାଣି ! ଆଧୁନିକ ଶିକ୍ଷା ତଥା ଆଧୁନିକ ବିଜ୍ଞାନକୁ ଆହୁରି ଅଧିକ ସମର୍ଥ କରୁଥିବା ସଙ୍ଗେ ସଙ୍ଗେ ଉତ୍ପାଦିତ ସେହି ବସ୍ତୁ ପରିମାଣ ଆହୁରି ଅଧିକ ହେବ ଏବଂ ଯଦି ସାମାଜିକ ବସ୍ତୁ ବ୍ୟବସ୍ଥାଟି ଯଥାର୍ଥ ବିବେକଦ୍ୱାରା ପରିଚାଳିତ ହୁଏ, ତେବେ ବସ୍ତୁତଃ ବସ୍ତୁ ଅଭାବର ଏହି ଶତାବ୍ଦୀ ଶତାବ୍ଦୀ ଧରି ଲାଗି ରହିଥିବା ମଣିଷର ବହୁ ହରକତ ନିମନ୍ତେ ଆଉ କୌଣସି ଆବଶ୍ୟକତା ହିଁ ରହିବ ନାହିଁ । ଅର୍ଥାତ୍ ତେଣିକି ବସ୍ତୁର ସଂଜ୍ଞା ମଧ୍ୟ ବଦଳିବ । ସେହି କାରଣରୁ ସୁଖ, ଶାନ୍ତି, ମାନବଜୀବନର ପ୍ରଧାନତମ ନାନା ପ୍ରୟୋଜନ–ଏହି ସବୁକିଛିର ବିଚାର ମଧ୍ୟ କ୍ରମେ ପୁରୁଣା ପ୍ରସ୍ଥଗୁଡ଼ିକରୁ ମୁକୁଳି ଏକ ଅନ୍ୟ ପ୍ରତ୍ୟୟଗୁଡ଼ିକର ସ୍ତରକୁ ସ୍ପର୍ଶ କରିବା ନିମନ୍ତେ ମନ କରିବେ । ସ୍ୱାଧୀନ ଭାରତବର୍ଷରେ ଆମେ ଆମ ଅନ୍ତର୍ଗତ ଆବଶ୍ୟକତାଦିର କ୍ଷେତ୍ରରେ ଅଧିକ ବିଚାରକ୍ଷମ ହୋଇ ପାରିଥିଲେ ଇତିମଧ୍ୟରେ ସେହି ସର୍ବମୂଳ ସ୍ତରରେ ଆମେ ଏକ ସମୂହ ରୂପେ ବସ୍ତୁଲୋଭର ସେହି ଆଦିମ ସ୍ତରଗୁଡ଼ିକରୁ ବହୁ ପରିମାଣରେ ନିଶ୍ଚୟ ମୁକ୍ତ ହୋଇପାରିଥାନ୍ତେ । ଆମର ଯାବତୀୟ ହିସାବ ତଥା ଯୋଜନାରେ ସବୁ ମଣିଷଙ୍କ ସକାଶେ ଥାନ ଥାଆନ୍ତା । ତେଣୁ ସଂବେଦନଶୀଳତା ଓ ସହଭାଗିତା ଅଧିକ ଚାକ୍ଷୁଷ ଏବଂ ବାସ୍ତବ ହୋଇ ପାରିଥାଆନ୍ତା । ଭାରତବର୍ଷରେ ନେତୃତ୍ୱ ବିଗିଡ଼ିଗଲା । ଅବଜ୍ଞା ଓ ଦୂରତାଗୁଡ଼ିକ ଠିକ୍ ଆଗପରି ଦାରୁଣ ହୋଇ ରହିବା ଲାଗି ପୂର୍ଣ୍ଣ ପ୍ରଶ୍ରୟ ଦିଆଗଲା ଏବଂ ସାମୁଦାୟିକ ବ୍ୟବସ୍ଥାରେ ସକଳ ସ୍ତରରେ ବସ୍ତୁଲୋଭୀମାନେ ହିଁ ଥାନ ମାଡ଼ି ରହିଗଲେ ।

 

ବସ୍ତୁବାଦରୁ ମୁକ୍ତ ହେବାର ସବୁଠାରୁ ଅଧିକ ଫଳପ୍ରଦ ଉପାୟ ହେଉଛି ସମ୍ଭବତଃ ବସ୍ତୁଗୁଡ଼ିକର ଯାବତୀୟ ଉପଯୋଗକୁ ଯଥାସମ୍ଭବ ଅଧିକ ସାର୍ବଜନୀନ କରି ରଖିବା । ଅଳପ ମନୁଷ୍ୟ ଦାନବଭଳି ଗୁଡ଼ାଏ ଗୁଡ଼ାଏ ମାଡ଼ି ବସିଥିବେ ଏବଂ ତାହାକୁ ହିଁ ବାସ୍ତବ ଲୋକଧର୍ମ ବୋଲି ଗୋଟାଏ ଶାସନ ମଧ୍ୟ ମାନି ନେଇଥିବ । ସବୁ କନ୍ଦଳ ସେଇଥିରୁ ହିଁ ଜନ୍ମଲାଭ କରିଥାଏ । ମଣିଷ କ’ଣ ପାଇଁ ଅନ୍ୟ ମଣିଷମାନଙ୍କୁ ଭାଗ ଦେବ ନାହିଁ ଏବଂ ବାଟଛାଡ଼ି ଦେବ ନାହିଁ ? କ’ଣ ପାଇଁ ଅଳପ ମଣିଷଙ୍କର ପେଟ ଭରି ରହିଥିବ ଏବଂ ଅନ୍ୟମାନେ ଉପାସ ରହିଥିବେ ? ସବୁ ପିଲା କାହିଁକି ଖୁସି ହୋଇ ପାଠ ପଢ଼ିବେ ନାହିଁ ? ସବୁପିଲାଙ୍କୁ କାହିଁକି ପାଠଶାଳାକୁ ଅଣାଯିବ ନାହିଁ ? ଆମ ଦେଶରେ ଆମ ରାଜ୍ୟରେ ଓ ଏପରିକି ଆମ ଗାଆଁରେ ମଧ୍ୟ ସଂପୃକ୍ତ ଆମେ ସମସ୍ତେ ଏକାଠି ବସି ସେହି ବିଷୟରେ କାହିଁକି ଚର୍ଚ୍ଚା ନକରିବା ଏବଂ ପ୍ରତିକାର ନ ଲୋଡ଼ିବା ? ଯେଉଁସବୁ ଦେଶରେ ତଥା ଜନସମୂହରେ ଏ କଥା ପଡ଼ିଛି ଏବଂ ସତକୁସତ ପ୍ରତିକାରଟିଏ ଖୋଜା ଯାଇଛି, ସେଠାରେ ଚମତ୍କାର ସମାଧାନମାନ ମିଳିପାରିଛି । ସେଠି ବସ୍ତୁବାଦ ବିଷୟରେ ଧର୍ମଗୁରୁମାନେ ହୁଏତ କମ୍ ଭାଷଣ ଦେଇଛନ୍ତି । କିନ୍ତୁ ସେଠାରେ ବସ୍ତୁଲୋଭ ଅବଶ୍ୟ ହ୍ରାସ ପାଇଛି । ମନୁଷ୍ୟ ମନୁଷ୍ୟ ଭିତରେ ବିଶ୍ଵାସ ବଢ଼ିଛି, ସଦିଚ୍ଛା ବୃଦ୍ଧିଲାଭ କରିଛି । ହିତ କହିଲେ ସମସ୍ତଙ୍କର ହିତକୁ ବୁଝାଉଛି । ଏବେ ପୃଥିବୀ ତମାମ ଭବିଷ୍ୟଆଡ଼କୁ ଯେଉଁ ଦିଗ୍‌ବଳୟମାନ ଖୋଲିଯାଉଛି ତାହା ଅଧିକରୁ ଅଧିକ କପଟର ହିତ ଭାବରେ ସବୁ ମଣିଷଙ୍କୁ ଏକତ୍ର ସମ୍ଭାରି ଧରି ଚିନ୍ତା କରିପାରୁଛି । ସିଏ ପ୍ରକୃତରେ ଏକ ନୂଆ ଚେତନା ଯାହା ସବୁ ମଣିଷଙ୍କୁ ହିସାବକୁ ନେବାଟାକୁ ହିଁ ଏଠି ବଞ୍ଚି ରହିବାର ସର୍ବନିମ୍ନ ପ୍ରୟୋଜନ ବୋଲି ଅନୁଭବ କରିପାରୁଛି । ତେଣୁ, ଆମେ ବସ୍ତୁବାଦୀ ହେବା ନାହିଁ, ଅର୍ଥାତ୍ ବସ୍ତୁମାନେ ଆମ ହାତରୁ ଚାଲିଯିବେ ବୋଲି ଦୈତ୍ୟ ପରି ବସ୍ତୁଗୁଡ଼ିକୁ ଯାବୁଡ଼ି ରହିବା ନାହିଁ । ସମସ୍ତେ ମିଶି ବସ୍ତୁକୁ ବହୁଗୁଣିତ କରିବା, ବସ୍ତୁଗୁଡ଼ିକୁ ସବୁରି ନିମନ୍ତେ ସହଜଲଭ୍ୟ ଏବଂ ଉନ୍ମୋଚିତ କରି ରଖିବା । ବସ୍ତୁର କବଳରେ ନ ପଡ଼ିବାକୁ ହେଲେ ଆଗ ମଣିଷକୁ ଦେଖିବା ।

 

୨୪.୧୨.୦୧

☆☆☆

 

ଯୋଗର ଜଗତିକରଣ

 

ପିଲାଦିନେ ଯୋଗ କ’ଣ ସିନା ଜାଣି ନଥିଲି, ମାତ୍ର ଗାଆଁକୁ ବେଳେବେଳେ ଗୋଟିଏ ନିର୍ଦ୍ଦିଷ୍ଟ କିସମର କେତେ ଲୋକ ଆସୁଥିଲେ, ଯେଉଁମାନଙ୍କୁ ସମସ୍ତେ ଯୋଗୀ ବୋଲି କହୁଥିଲେ । ହାତରେ ନାଉଥାଳ ଧରି ଚାଉଳ ମାଗୁଥିଲେ । ଥରେ ଥରେ ଉଦୁଉଦିଆ ଖରାବେଳେ ସେଇ ଗୋହରି ଦୁଆରେ ଅରାଏ ଛାଇରେ ବସି ସେହି ଥାଳଟାକୁ ହିଁ କଂସା ପରି ବ୍ୟବହାର କରି ପଖାଳ ଭାତ ମାଗି ଖାଉଥିଲେ । ସେମାନେ ଗୋଟିଏ କାହାଣୀକୁ ଗୀତ କରି ଗାଉଥିଲେ । ଜଣେ ରଜା କିପରି ସଂସାରବୈରାଗ୍ୟଦ୍ୱାରା ପରିଚାଳିତ ହୋଇ ବାବାଜୀ ହୋଇ ବାହାରି ଯାଇଥିଲେ, କାହାଣୀଟିରେ ତାହାରି ବର୍ଣ୍ଣନା ରହିଥିଲା । ବଡ଼ ହୋଇ ଓଡ଼ିଆ ସାହିତ୍ୟ ସହିତ କିଛି ପରିଚୟ ଲାଭ କରି ରାଜା ଗୋବିନ୍ଦଚନ୍ଦ୍ରଙ୍କର ଇତିବୃତ୍ତକୁ ଜାଣିଲି । ଏହି ଯୋଗୀମାନେ ନିଜକୁ ନାଥ ବୋଲି କହୁଥିଲେ । ଗୋରଖନାଥ, ମତ୍ସେନ୍ଦ୍ରନାଥ, ଏମାନେ ସବୁ ଏହି ମାର୍ଗର । ମାର୍ଗଟି ହେଉଛି କ୍ରିୟାସାଧନାର ମାର୍ଗ । ଯୋଗର ମାର୍ଗ ଅନେକ କି ନୁହେଁ, ସେକଥା ମୁଁ ଏବେ ମଧ୍ୟ ଦୃଢ଼ କରି କହିପାରିବି ନାହିଁ । ମାତ୍ର ଯୋଗୀମାନେ ବହୁ ମାର୍ଗର । ହଠଯୋଗ, ଜ୍ଞାନଯୋଗ, କର୍ମଯୋଗ, ଭକ୍ତିଯୋଗ ଏବଂ ଏଗୁଡ଼ିକରେ କେତୋଟି ଆକର୍ଷକ ଆଶୁଫଳପ୍ରଦତାର ଜରି, ଲଗାଇ ରାଜଯୋଗ ପବିତ୍ର ଗୀତାଗ୍ରନ୍ଥରେ ଯୋଗର ଏହି ପ୍ରକରଣଗୁଡ଼ିକର ଉପସ୍ଥାପନା କରାଯାଇଛି । ଯୋଗ ସାଧନାକୁ ମୂଳ ବିଷୟ କରି ଯୋଗୋପନିଷଦମାନ ସେହି ପ୍ରାଚୀନ କାଳରୁ ହିଁ ଲେଖା ହୋଇ ରହିଛି । ତଥାପି ଏକ ମୂଳଶାସ୍ତ୍ର ରୂପେ ପାତଞ୍ଜଳିଙ୍କର ଶାସ୍ତ୍ରୀୟ ରଚନାଟିକୁ ହିଁ ସର୍ବମାନ୍ୟ ବୋଲି ଗ୍ରହଣ କରାଯାଇ ଆସିଛି । ଏବଂ ଏହି ଗ୍ରନ୍ଥଟିର ଏକାଧିକ ଭାଷ୍ୟ ଲେଖାଯାଇଛି । ସେହି ପ୍ରଥମ ଡାଳଟିରୁ ଆଧୁନିକ ଦିଶିବା ଭଳି ଏକାଧିକ କୁଆଁମାନ ମଧ୍ୟ ବାହାରୁଛି । ସମସ୍ତେ କହୁଛନ୍ତି, ଯୋଗେଶ୍ୱର ଏକ; ଆଦୌ ଅନେକ ନୁହନ୍ତି । କିନ୍ତୁ ମାର୍ଗମାନେ ମଧ୍ୟ ହେଉଛନ୍ତି ଭିନ୍ନ । ମାର୍ଗଗୁଡ଼ିକ ଅନୁସାରେ ସଂପ୍ରଦାୟ : ସଂପ୍ରଦାୟ ସଂପ୍ରଦାୟ ମଧ୍ୟରେ ଅନେକ ଦୂରତା । ଆମ ସାଧାରଣମାନଙ୍କର ଦେଖିବା ନିମନ୍ତେ ଭେକରେ ଦୂରତା, ପୀଠରେ ଦୂରତା, ଗୁରୁମାନଙ୍କ ମଧ୍ୟରେ ଦୂରତା ଏବଂ ସେହି ଅନୁସାରେ କେତେ କଳହ, କେତେ ଶାସ୍ତ୍ର ଏବଂ କେତେ ଭାଷ୍ୟ ପଣ୍ଡିତ ଏବଂ ମହାପଣ୍ଡିତମାନେ ଭାଷ୍ୟଗୁଡ଼ିକୁ ଲେଖିଛନ୍ତି ଏବଂ ଏହି ପୃଥିବୀର ଯୋଗବିବେକକୁ କେନା କେନା କରି ପକାଇଛନ୍ତି ।

 

ତଥାପି, ମାର୍ଗ ଏବଂ ଭେକମାନେ ଯେତେ ଭିନ୍ନ ହୋଇଥାଆନ୍ତୁ ପଛକେ, ସମସ୍ତେ ଗୋଟିଏ ବିଷୟରେ ସର୍ବଦା ପୂରା ଏକମତ । ସେହି ମେଳ ଖାଇ ଯାଉଥିବା କଥାଟା ହେଉଛି ଯେ ସାଧନା, ଯୋଗ ସାଧନା କରିବାକୁ ହେଲେ ତୁମକୁ ସଂସାର ଛାଡ଼ିବାକୁ ପଡ଼ିବ । ସଂସାର ଅନିତ୍ୟ, ସଂସାରର ବାଟ ବଡ଼ ଖସଡ଼ା–ସଂସାରଟା ସତ୍ୟବର୍ଜିତ୍ । ଗାଆଁ ବାହାରେ ରହିଥିବା ତୋଟାକୁ ଚାଲିଯାଅ, ତୁମକୁ ଶାନ୍ତି ମିଳିବ । ଗାଆଁରେ ଭଗବାନ ନାହାନ୍ତି ଓ ସେଇ ତୋଟାରେ ଯାଇ ରହିଛନ୍ତି ବୋଲି ଆମ ଯୋଗାମାର୍ଗର ଗୁରୁମାନଙ୍କୁ କୋଉ ଶାସ୍ତ୍ର ଶିଖାଇପାରିଲା କେଜାଣି ? ଏମିତି ଏମିତି ଗାଆଁ ବାହାରର ତୋଟାକୁ ମନ କରୁ କରୁ ଆମ ପବିତ୍ର ଏବଂ ବଳିଷ୍ଠ ମାର୍ଗୀମାନେ ପର୍ବତବର ହିମାଳୟକୁ ଗଲେ, ଯେଉଁମାନେ ସେ ଯାଏ ଯାଇ ନପାରିଲେ, ସେମାନେ ଏଇଠି ଏହି ଭୂଇଁଟାରେ କୋଉଠି ଥାନଟିଏ ବାଛି ଆଶ୍ରମ ତିଆରି କଲେ । ସେହି ମମତା ବା ମାୟା ଭିତରେ ପଡ଼ି ଆମ କବି କାଳିଦାସ ଆମ ଚିତ୍ତକୁ କିଞ୍ଚିତ୍ ପୁଲକ ଦେଇ ପାରିବାର ଅଭିପ୍ରାୟରେ ହିମାଳୟକୁ ଦେବତାତ୍ମା ହିମାଳୟ ବୋଲି କହିବାକୁ ମନ କଲେ କି ? ଏବଂ, ବର୍ତ୍ତମାନ ପଛକୁ ଅନାଇ ପ୍ରାୟ ଏକ ସଂଶୟରେ ଯାଇ ପଡ଼ିଯିବା ପରି କହିବାକୁ ଖୁବ୍ ମନେ ହୋଇଥାଏ ଯେ, ଏହିସବୁ ନାନା ମାର୍ଗ ସାଧନାଦ୍ଵାରା ସତକୁସତ ଯୋଗ ପରମ୍ପରାର ବଳ ସେପରି ସମର୍ଥ ଭାବରେ ବୃଦ୍ଧି ପାଇଛି କି ? ଏହାଦ୍ୱାରା ସତକୁସତ ଭଗବତ୍ ଶ୍ରଦ୍ଧା ବୃଦ୍ଧି ପାଇଛି ନା ସଂସାରଘୃଣାଟା ପ୍ରବଳ ହୋଇଛି ? ଭଗବତଶ୍ରଦ୍ଧା ସତକୁସତ ବୃଦ୍ଧି ପାଉଥିଲେ ମନୁଷ୍ୟମାନଙ୍କର ଏବଂ ଏପରିକି ଯୋଗାଚାରୀମାନଙ୍କର ସଂସାରଘୃଣାଟା ମଧ୍ୟ କାହିଁକି ବୃଦ୍ଧି ପାଇବ, ସେହି ବିଷୟରେ ମଧ୍ୟ ଏକାଧିକ ପ୍ରଶ୍ନ ଉତ୍‌ଥାପନ କରାଯାଇପାରେ । ପୃଥିବୀରେ ପୃଥିବୀ ନାମକ ଏହି ଗୃହଟିରେ ଖୁସି ହୋଇ ବଢ଼ି ଆସିଥିବା ଆମ ହୃଦୟଗୁଡ଼ିକ ଅବଶ୍ୟ ପ୍ରତିବାଦ କରି ବାହାରିବେ ଏବଂ କହିବେ ଯେ, ତୁମେ ଭଗବାନଙ୍କୁ ଶ୍ରଦ୍ଧା ଯଦି କରିପାରିବ, ତେବେ ସଂସାରଘୃଣାଟା ନିମନ୍ତେ ସତକୁସତ କିଭଳି କୌଣସି ବାଟ ପାଇବ ? ଏପରିକି, ନିଜ ଚିହ୍ନା ଭେକଗୁଡ଼ିକର ଭଗବାନଙ୍କୁ ଭେଟି ପାରିଥିଲେ ମଧ୍ୟ ତ ତୁମେ ତାହାରି ଦର୍ପଣ ଉପରେ ଆଉସବୁ ଭଗବାନଙ୍କୁ ଦେଖିପାରିବ । ପୁନଶ୍ଚ, ସେହି ଭଗବାନମାନଙ୍କୁ ଅବବୋଧ ମଧ୍ୟକୁ ଆଣିପାରିବା ସଙ୍ଗେ ସଙ୍ଗେ ସେମାନଙ୍କୁ ଆଶ୍ରା କରି ବାଟ ଚାଲୁଥିବ । କୋଟି କୋଟି ମନୁଷ୍ୟ ମଧ୍ୟ ତୁମର ନିଶ୍ଚୟ ଚିହ୍ନା ହୋଇ ଆସିବେ ।

 

ଗତ ପଚାଶ ଦଶକରେ ଯେତେବେଳେ ଇଉରୋପରେ ଯାଇ ପହଞ୍ଚିଲି, ସେତେବେଳେ ଭାରତବର୍ଷ କହିଲେ ଏକ ଅତିସାଧାରଣ କୁତୁହଳର କ୍ଷେତ୍ରରେ ସେଠି ମଣିଷମାନେ ସବା ଆଗ ତିନୋଟି କଥାକୁ ସ୍ମରଣ କରୁଥିଲେ । ସର୍ବପ୍ରଥମେ ଭାରତର ମହାରାଜାମାନେ, ଦ୍ୱିତୀୟତଃ କେଳାମାନେ ପେଡ଼ିରୁ ବାହାର କରି ଡୁବି, ବଜାଇ ଖେଳାଉଥିବା ସାପ ଏବଂ ସବାଶେଷକୁ ଯୋଗ-। ସ୍ୱାଧୀନ ଭାରତବର୍ଷରେ ଏକ ନିର୍ଦ୍ଦିଷ୍ଟ ଅନ୍ୟକାଳର ଆଗମନ ଘଟିବାରୁ ସଂପ୍ରତି ମହାରାଜାମାନେ ନାହାନ୍ତି । ଅନ୍ତତଃ ସେହି ପୂର୍ବ ଅର୍ଥରେ ନାହାନ୍ତି । ଆଇନ ଅନୁସାରେ ନାଗରିକ ହୋଇ ସାରିଲେଣି-। କେଳାମାନଙ୍କର ପିଲାମାନେ ପାଠ ପଢ଼ି ଆଉ କେତେ ଧନ୍ଦା ଆଦରି ନେବା ସଙ୍ଗେ ସଙ୍ଗେ ସାପ ଖେଳାଇବାର ଫନ୍ଦାଟି ମଧ୍ୟ ଧୀରେ ଧୀରେ ଚାଲିଯିବ । ମାତ୍ର, ସେହି ତୃତୀୟ ପରିଚିତ ଅର୍ଥାତ୍ ଯୋଗର ଡୋରଟା ଅବଶ୍ୟ ଲାଗି ରହିଥିବ । ଏବେ ତ ବଜାରର ମଗଜଟାକୁ ଅଧିକ ଭଲ କରି ବୁଝି ଭାରତୀୟ ଗୁରୁମାନେ ବିତ୍ତଶାଳୀ ଇଉରୋପ ଏବଂ ଆମେରିକାରେ ଯାଇ ପହଞ୍ଚି ସାରିଲେଣି-। ପଣ୍ଡାମାନେ ନଗଦ ଯଜମାନ ଯେଉଁଠାରେ ପାଇବେ, ଘ୍ରାଣ ବାରିବା ବାଗିର୍ ସେଠାରେ ସୁନିଶ୍ଚିତ ଭାବରେ ଯାଇ ପହଞ୍ଚିଯିବେ । ଯୋଗକୁ ଅଥବା ଦୁର୍ଯୋଗକୁ ଆମେରିକାରେ ହଜାର ହଜାର ଭାରତବାସୀ ଇତିମଧ୍ୟରେ ଯାଇ ପହଞ୍ଚି ଯାଇଛନ୍ତି । ଭାରତବର୍ଷରେ ସଫଳତା ନାମ୍ନୀ ଦେବୀ କଦାପି ସମ୍ଭବ ହେବେ ନାହିଁ ବୋଲି ଭିତରୁ ଆବାଜ ପାଇ ସେଠାରେ ନାନାବିଧ କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ନିରାପତ୍ତାର ବୋଲ ମାନି ଆମେରିକାର ନାଗରିକତ୍ୱ ଗ୍ରହଣ କରି ନେଇଛନ୍ତି-। ତା’ପରେ ନିଜର ମାଟି ଏବଂ ନିଜର ସଂସ୍କୃତିର କଥାମାନ ଭାରି ମନେ ପଡ଼ିଛି । ଏବଂ, ଏହି ତାଡ଼ନାରେ ପ୍ରୟୋଜନରେ ସେଠାରେ ମଠ ଅର୍ଥାତ୍ ଧର୍ମକେନ୍ଦ୍ର ସବୁ ଗଢ଼ି ଉଠିଛି-। ଶହେ ବର୍ଷ ତଳେ ସ୍ଵାମୀ ବିବେକାନନ୍ଦ ଭାରତବର୍ଷର ଦାରିଦ୍ର୍ୟାବସ୍ଥାରେ କିଞ୍ଚିତ୍‌ ଲାଘବ ଘଟାଇବେ ବୋଲି ଆମେରିକାରେ ଏତେ ଅଧୀର ଏବଂ ଉତ୍ପୀଡ଼ିତ ହୋଇ ଉଠୁଥିଲେ ଯେ କିଛି ଅର୍ଥ ସଂଗ୍ରହ କରି ଦେଶକୁ ଆଣି ପ୍ରତିକାରକ କ’ଣ ସବୁ କରିବେ ବୋଲି ସବୁବେଳେ ବଡ଼ ଛଟପଟ ହୋଇ କହୁଥିଲେ ଓ ଭାରତକୁ ପଠାଉଥିବା ପତ୍ରମାନଙ୍କରେ ଅତ୍ୟନ୍ତ ବିଗଳିତ ଭାବରେ ବ୍ୟକ୍ତ କରୁଥିଲେ । ସିଏ ମଧ୍ୟ ଯୋଗ ସଂପର୍କରେ ତାଙ୍କର ପ୍ରଥମକାଳୀନ ପୁସ୍ତକଗୁଡ଼ିକୁ ସେହି ଆମେରିକାରେ ଲେଖିଥିଲେ । ଏବେ ତ ଆମେରିକାରେ ଏପରି ଯୋଗ ବିଶେଷଜ୍ଞ ଓ ଶିକ୍ଷକମାନଙ୍କୁ ଆପଣ ଦେଖିବାକୁ ପାଇବେ, ଯେଉଁମାନେ ଭାରତୀୟମାନଙ୍କର ଚିହ୍ନରେ ଯୋଗକୁ ଯେକୌଣସି ପ୍ରକାରେ ଜିଆଇ ରଖିବେ ବୋଲି ପ୍ରବାସରେ ହାଉଜାଉ ହେଉଛନ୍ତି । ଏଭଳି ଭାରତୀୟ, ଯେଉଁମାନେ କି ଭାରତବର୍ଷକୁ ଫେରି ଆସିବେ ନାହିଁ । ସ୍ଵାମୀ ବିବେକାନନ୍ଦ ଏହିଭଳି କୌଣସି ରସାଳ ସୋପାନର ଚିନ୍ତା କରିବାର କୌଣସି ପ୍ରଶ୍ନ ହିଁ ନଥିଲା । ସିଏ ତ ଏକ ଅନ୍ୟ କାଟର ଓ ଅନ୍ୟ ଆଖିର ମନୁଷ୍ୟ ଥିଲେ ।

 

ଯୋଗର ଜନନୀ ଏହି ଭାରତବର୍ଷରେ ଯୋଗର ଉପସ୍ଥିତ ଅବସ୍ଥାଟି କିଭଳି ରହିଛି ବା ରହିନାହିଁ, ସେ କଥାର ସନ୍ଦର୍ଭ ଉପରେ ବି ନାନା ଆଲୋଚନା ହୋଇପାରନ୍ତା । ଆଲୋଚନା ମଧ୍ୟ ଅସୁମାରି ହେଉଛି । ରାତ୍ରିକାଳରେ ଦୀର୍ଘ ଘଣ୍ଟା-ନିନାଦତ୍, ଭୁବନକର୍ତ୍ତା ଈଶ୍ୱରଙ୍କର ନାମ ପ୍ରଚାର ନିମନ୍ତେ ଏବକୁ ନୂଆ ଗିମିଜ୍ ବି କେତେ ବାହାରିଲାଣି । ଗୁରୁମାନେ ସମସ୍ତେ ଗୋଟିଏ ଗୋଟିଏ ମାର୍ଗର, ଆହୁରି ମତଲବମାନଙ୍କୁ ଭେଦି କରି କହିଲେ ଗୋଟିଏ ଗୋଟିଏ ସମ୍ପ୍ରଦାୟର । ନିଷ୍ଠା ଓ ଲଗନ୍‌ରେ ସମସ୍ତେ ପରସ୍ପରକୁ ଟପି ଯିବା ଭଳି କେଡ଼େ ଉଜ୍ଜ୍ୱଳ ଓ ପ୍ରତିଭାମୟ ବି ଦିଶୁଛନ୍ତି । କିନ୍ତୁ, ମାର୍ଗରେ ଅଲଗା, ସାଂପ୍ରଦାୟିକ ଲକ୍ଷଣଗୁଡ଼ାକରେ ଅଲଗା, ଚିତା ପଇତାରେ ଅଲଗା । ସେମାନେ ଭିନ୍ନ ଭିନ୍ନ ଶାସ୍ତ୍ରକୁ ସବୁଠାରୁ ଅଧିକ ପବିତ୍ର ବୋଲି ଅଦମ୍ୟ ଓ ଅନମନୀୟ ଉତ୍ସାହରେ କହିବାରେ ଲାଗିଛନ୍ତି । ଏପରିକି, ସେହି ଗୋଟିଏ ଶାସ୍ତ୍ରର ମଧ୍ୟ ଭିନ୍ନ ଭିନ୍ନ ବ୍ୟାଖ୍ୟା କରି ପାରୁଛନ୍ତି । ସମସ୍ତେ ଯୋଗେଶ୍ୱରକୁ ଗୋଟିଏ ବୋଲି କହୁଛନ୍ତି ସିନା, କିନ୍ତୁ ପରସ୍ପରର ଦୁଆର ମାଡ଼ିବାକୁ ଭୟ କରୁଛନ୍ତି-। ହୁଏତ ଆପଣାକୁ ଏଡ଼େ ସମ୍ଭ୍ରାନ୍ତ ଭାବରେ ଅଛୁଆଁ କରି ରଖିଛନ୍ତି ଯେ ଆଉ କୋଉଠି ଯାଇ ପଶିଗଲେ ଛୁଆଁ ହୋଇଯିବେ ବୋଲି ଭାରି ଡରୁଛନ୍ତି । ସ୍ଵୟଂ ବିଶ୍ୱସମ୍ରାଟ ପ୍ରକୃତରେ ଏଭଳି, ନିଜକୁ ଅଛୁଆଁ କରି ରଖିଥିବେ କି ନାହିଁ କେଜାଣି ? ତେଣୁ, ସମ୍ପ୍ରଦାୟୀମାନେ କଦାପି ସେହିଭଳି ଏକ ଆଲୋଚନାର ଯୋଗ୍ୟ ହୋଇପାରିବେ ନାହିଁ । ସଂପ୍ରଦାୟରେ ଥିବ, ଅଥଚ ନିଜ ସଂପ୍ରଦାୟ ପ୍ରତି ରହିଥିବା ଆପଣାର ନିଷ୍ଠା ବଳରେ ଉତ୍ତମ ପ୍ରକାରେ ଜାଣି ପାରୁଥିବ ଯେ ଅନ୍ୟ ସଂପ୍ରଦାୟରେ ମଧ୍ୟ ନିଜ ସଂପ୍ରଦାୟ ପରି ଅବଶ୍ୟ ନିଷ୍ଠା ରହିଥିବା ବହୁ ବ୍ୟକ୍ତି କାହିଁକି ନ ରହିବେ ବୋଲି ଯାହାର ଏକ ପ୍ରତୀୟ ରହିଥିବ, ସେଇ ଅସଲ ଆଲୋଚନାଟିକୁ କରିପାରିବ । କେବଳ ସେଇ ଯଥାର୍ଥ ଶ୍ରଦ୍ଧାର ସଂକ୍ରମଣ କରିପାରିବ ଏବଂ ଯଥାର୍ଥ ଶ୍ରଦ୍ଧାର ସଂକ୍ରମଣ ନିମନ୍ତେ ଆପଣାକୁ ଉନ୍ମୋଚିତ କରି ରଖି ପାରୁଥିବ । ଏମାନେ ହିଁ ପରସ୍ପର ସହିତ ଅବଶ୍ୟ ଏକତ୍ର ବସିପାରିବେ । ସହଜ ହୋଇ ବିଶ୍ୱାର୍ପିତ ଚେତନାଟି ସହିତ, ପରସ୍ପରର ନିକଟ ହୋଇପାରିବେ । ଏହିମାନେ ହିଁ ପରସ୍ପରକୁ ଅସଲ ଆମନ୍ତ୍ରଣଟିକୁ ଜଣାଇପାରିବେ । ଭଗବତ୍-ଅର୍ପିତ ହେବା କହିଲେ ବିଶ୍ୱଲାଗି ଅର୍ପିତ ହେବାକୁ ବୁଝିବେ । ଏବଂ, ସାଂପ୍ରତିକ ଦ୍ୱୀପ ତଥା ଦ୍ୱେଷଗୁଡ଼ିକୁ ସେହିମାନେ ହିଁ ଭାଙ୍ଗିବେ । ସେଇମାନଙ୍କର ସମୟଟି ହିଁ ଆସୁଛି ।

 

ଯୋଗର ମାର୍ଗରେ ଏହି ଜଗତଟି ଗଢ଼ା ହେବ, ତାହା ହିଁ ଯୋଗର ଜଗତୀକରଣ । ଯୋଗର ଜଗତୀକରଣଦ୍ୱାରା ହିଁ ଯୋଗର ସର୍ବନାଶୀକରଣକୁ ରୋକିବା ସମ୍ଭବ ହେବ ବୋଲି ପୃଥିବୀଯାକର ଅଧ୍ୟାତ୍ମ କ୍ରମେ ସେହି ପରବର୍ତ୍ତୀ ସତକଥାଟିକୁ କହିବାକୁ ଲାଗିଲାଣି । ଜଗତକୁ ନାକ ଟେକି ଯୋଗର ବାସନାକୁ ବାରି ପାରୁଥିବା ମଣିଷଟିଏ ଆଉ ମୋଟେ ଏହି ଜଗତକୁ ନଶ୍ୱର କହି ଏଠୁ ପଳାଇଯିବାକୁ ମନ କରିବ ନାହିଁ । ଆମ ପ୍ରାଚୀନ କାହାଣୀର ପ୍ରହ୍ଲାଦ ଯଦି ସ୍ତମ୍ଭଟାରେ ମଧ୍ୟ ଭଗବାନ ରହିଛନ୍ତି ବୋଲି ବାରତା ପାଇ ପାରିଥିଲା, ଆମେ ଏ ଯୁଗରେ ଏତେ ଅଭିନବ ଚେତନା ତଥା ସାମର୍ଥ୍ୟର ଅଧିକାରୀ ହୋଇ କାହିଁକି ସମଗ୍ର ଜଗତଟା ଭିତରେ ହିଁ ତାଙ୍କର ନିତ୍ୟ ଆହ୍ୱାନକୁ ପ୍ରତ୍ୟକ୍ଷ କରି ନ ପାରିବା ? ଆଧୁନିକ ବିଜ୍ଞାନ ବହୁତ ଅର୍ଥରେ ଆମ ଅଧ୍ୟାତ୍ମ ପ୍ରୟାସଗୁଡ଼ିକରେ କେତେ କେତେ ସଂବେଦନାପୂର୍ଣ୍ଣ ସୁରାଖ ଯୋଗାଇ ଦେବା ସକାଶେ ଆମର ସାଥୀ ହୋଇ ବାହାରିଲାଣି । ଧର୍ମୀମାନେ ମନୁଷ୍ୟମାନଙ୍କର ସରଳ ଅଳ୍ପ ବିଶ୍ୱାସଗୁଡ଼ିକର ସୁଯୋଗ ନେଇ ବହୁ ଶତାବ୍ଦୀ ଧରି ପୃଥିବୀଟାକୁ ତୁଚ୍ଛା ମାର୍ଗମୟ ଓ ତେଣୁ ଅସଲ ଗ୍ରହଣଶୀଳତାଗୁଡ଼ିକର କ୍ଷେତ୍ରରେ ଅମଙ୍ଗ କରି ରଖି ଆସିଛନ୍ତି; ସମାଜ ଓ ରାଜନୀତିର ଆଧୁନିକ ବହୁ ଫିସାଦ ସେମାନଙ୍କୁ ଅତ୍ୟନ୍ତ ଭଗୃକଟି କରି ପକାଇଛି । ସେହି କୁଅଭିପ୍ରାୟଗୁଡ଼ିକ ଭାଙ୍ଗିବ, ଯେତେବେଳେ ଯୋଗ କହିଲେ ସବୁଯାକ ସ୍ତରରେ ଏକ ଜଗତୀକରଣକୁ ବୁଝାଇବ ଏବଂ ଭାରତ ସମେତ ଜଗତଯାକର ମଣିଷଙ୍କୁ ସେହି ଦିଗରେ କ୍ରିୟାଶୀଳ କରାଇବ । ସେହି ସମୟଟି ଏକ ପ୍ରତ୍ୟୟପୂର୍ଣ୍ଣ ସିନ୍ଦୂରା ଫାଟି ଆସିବା ପରି ନାନା ଭାଷା ଓ ନାନା ଧାରାରେ ଜଗତୀକରଣକୁ ହିଁ ଏପରି ଏକ ଆଧ୍ୟାତ୍ମୀକରଣ ବୋଲି କହିବାକୁ ବାହାରିଲାଣି, ଯାହା ଫଳରେ ପରମସତ୍ୟ ଭିତରେ ଦିଶୁଥିବାରୁ ବାହାରେ ମଧ୍ୟ ଦେଖାଯିବେ ଏବଂ ବାହାରେ ଦିଶୁଥିବାରୁ ଭିତରେ ମଧ୍ୟ ପ୍ରତ୍ୟକ୍ଷ ହେବେ । ଭିତର ଏବଂ ବାହାରକୁ ଅଲଗା ଅଲଗା ବୋଲି ଆରୋପ କରି ସେତେବେଳେ ଆଉ ଏକାଳର ପୁରୁଣା ଧର୍ମବାଘମାନେ ମଣିଷକୁ ଭଣ୍ଡାଇ ପାରିବେ ନାହିଁ । ମନୁଷ୍ୟମାନଙ୍କୁ ଗାଆଁ ଛାଡ଼ି ତୋଟାକୁ ମନ କରିବାର ଦୁଷ୍ଟ ବୃଦ୍ଧି ମୋଟେ ଦେଇ ପାରିବେ ନାହିଁ । ସମଗ୍ର ଜୀବନର ପରିକଳ୍ପନା ମାଧ୍ୟମରେ ଦେହ ରହିବ, ମନ ରହିବ, ପ୍ରାଣବନ୍ତ ହୃଦୟର ପ୍ରେରଣାଟି ମଧ୍ୟ ଆମର ଖଣ୍ଡପ୍ରେରଣାଗୁଡ଼ିକୁ ଜନନୀର ହାତ ବୁଲାଇ ମାଠି ଦେଉଥିବ, ଆମକୁ ପର୍ବତର ଏହି ପାଦଦେଶଟିଠାରୁ ସେହି ଶିଖରଯାଏ-ଗୋଟିଏ ସମଗ୍ର ବୋଲି ଅନୁଭବଟିଏ ଆଣିଦେଇପାରିବ । ବସ୍ତୁତଃ ଆତ୍ମା କହିଲେ ସେହି ପର୍ଯ୍ୟାୟରେ ତିନୋଟିଯାକକୁ ଗୋଟିଏ ମହତ୍‌ପ୍ରୟାସୀ ଜୀବନର ସଂଲଗ୍ନକାରୀ ସୂତାଟିକୁ ହିଁ ବୁଝାଇବ । ଏହି ତଥାକଥିତ ଘରେ ଜଗତର ପ୍ରତ୍ୟକ୍ଷ ହେବ ଏବଂ ଜଗତଯାକ ଘର ପରି ଲାଗିବ ।

 

ଅର୍ଥାତ୍, କେବଳ ଭାରତବର୍ଷରେ ନୁହେଁ, ପୃଥିବୀଯାକ ଯାବତୀୟ ନିର୍ମାଣ ତଥା ପରିବର୍ତ୍ତନ ଏହି ଅନ୍ନଠାରୁ ହିଁ ଆରମ୍ଭ ହେବ । ପୃଥିବୀର ଅଧିକ ମଣିଷ ସେହି ସର୍ବନିମ୍ନ ଅନ୍ନ ପ୍ରୟୋଜନରୁ ବଞ୍ଚିତ ହୋଇ ରହିଥିବା ସମୟରେ ଏଠୁ କୋଉ ଭଗବଦ୍-ଦରଦୀ ଆଖି ବୁଜି ଆଉ କୁଆଡ଼େ ପଳାଇବ ? ବିଶେଷତଃ, ଭାରତବର୍ଷର ଯୋଗୀମାନେ ପ୍ରାୟ ଆବହମାନ କାଳରୁ ଏହି ସତ୍ୟଟିକୁ ଏଡ଼ି ପାରିବାର ପ୍ରୟାସରେ ତୋଟାମାନଙ୍କୁ ଲୋଭ କରିଛନ୍ତି । ଆମ ତୁମ ଗାଆଁରୁ ହିଁ ଏହି ଜଗତୀକରଣ ଆରମ୍ଭ ହେବ । ଗାଆଁଟା ଗୋଟିଏ ସହୃଦୟତାପୂର୍ଣ୍ଣ ଜଗତର ନିତ୍ୟ ଅନୁଭବ ଦେଇ ନପାରିଥିବା ପର୍ଯ୍ୟନ୍ତ ତୁମେ ଆଉ କୋଉ ଉଚ୍ଚ ମଣ୍ଡପରୁ ଜଗତିକରଣ ବିଷୟରେ ପ୍ରବଚନ ଦେଉଥିବ ଏବଂ ମିଛ ଉଚ୍ଚାଟନାଗୁଡ଼ିକୁ ଜାରି କରି ରଖିଥିବ ? ଆମ ଗାଆଁଗୁଡ଼ିକ ଜୀବନସମ୍ପର୍କର ସ୍ତରରେ ଅତ୍ୟନ୍ତ ମର୍ମହୀନ ଭାବରେ ଭାଗ ଭାଗ ଏବଂ ଅସୂୟାପୂର୍ଣ୍ଣ ହୋଇ ରହିଛନ୍ତି ବୋଲି ଆମେ ରାଜନୀତିକ ସ୍ଵାଧୀନତା ଲାଭ କରିବାର ଏତେ ପୁରୁଷ ଗଡ଼ିଯିବା ପରେ ମଧ୍ୟ ଭଳି ଭଳି ମାମଲତକାରମାନଙ୍କର କବଳ ଭିତରେ ବଡ଼ ନିଆଶ୍ରୀ ହୋଇ ରହିଛୁ । କୋଟି ପରିମାଣରେ ଅର୍ଥ ବୁହାଇ ଦିଆଯାଉଥିଲେ ମଧ୍ୟ ତଥାପି ରାତି ପାହୁନାହିଁ, ବଳବାନ୍‌ମାନେ ସବୁ ହରଣ କରି ନେଉଛନ୍ତି-। ଏହାକୁ ସତକୁସତ ଏକ ଜଗତ ବୋଲି କହିବାର ମୋଟେ କୌଣସି କାରଣ ନାହିଁ-। ଗାଆଁ ଭିତରେ ଥିବା ଠାକୁର ଓ ଠାକୁରାଣୀମାନେ ମଧ୍ୟ ତାହାକୁ କେତେ ନିର୍ବେଦ ଭାବରେ ସହି ଯାଉଛନ୍ତି-। ଭଗବାନ ଏହି ସଂସାରକୁ ଅହରହ ନିଘା ରଖିଛନ୍ତି ବୋଲି ପଣ୍ଡିତ ଓ ପ୍ରବରମାନେ କହିବାରେ ଲାଗିଥିଲେ ମଧ୍ୟ ପ୍ରକୃତ ଭରସା ଓ ଅସଲ ବିଶ୍ଵାସଗୁଡ଼ିକର ମୂଳଦୁଆମାନ ଛାରଖାର ହୋଇଯାଉଛନ୍ତି । ସାହିତ୍ୟଟା ମଧ୍ୟ ବାହୁନିବା ବ୍ୟତୀତ ଆଉ କିଛି କରିପାରୁନାହିଁ । ତେଣୁ ଚାଲ, ଜଗତିକରଣରେ ବିଶ୍ୱାସ ରଖିଥିବା ଯୋଗଟିକୁ ଆମେ ଆମ ରାଜ୍ୟକୁ ଓ ଆମ ଗାଆଁକୁ ବି ଡାକି ଆଣିବା ।

 

୩୧.୧୨.୦୧

☆☆☆

 

ସେହି ଗୋଟିଏ ବିବେକ

 

ବାହାରେ ଆମର ଏହି ଖଣ୍ଡମଣ୍ଡଳଟାରେ କେତେ ପାଲା ଲାଗିଛି । ପାଲା କ’ଣ କେବଳ ସେହି ତଥାକଥିତ ରାଜନୀତି ଭିତରେ ? ରାଜନୀତି ହୁଏତ ବିଗତ କେତେଟା ବର୍ଷ ଭିତରେ ନିପଟ ଶୂଦ୍ରଗୁଡ଼ାଙ୍କର ଖାପଚ ଭିତରେ ଏପରି ଅଣବାବୁଆ ହୋଇ ପଶିଯାଇଛି ଯେ, ଆମ ନିଜର ଅଭ୍ୟସ୍ତ ମଥାଗୁଡ଼ିକର ସାହାଯ୍ୟରେ ଏବେ ଆମେ ତାକୁ ମୋଟେ ବୁଝି ପାରୁନାହୁଁ ବୋଲି ନିତାନ୍ତ ବିଜାର ହୋଇ ପଡ଼ି ସବୁଆଡ଼େ ରାଜନୀତି ପଶି ସବୁକିଛିକୁ ନଷ୍ଟ କରିଦେଲା ବୋଲି ଚିତ୍କାର କରିବାରେ ଲାଗିଛୁ । ରାଜନୀତିର ଚର୍ଚ୍ଚା ଏବେ କେଉଁଠାରେ କ’ଣ ହେଉଛି ଆପଣ କହନ୍ତୁ ତ ? ରାଜନୀତିକ ଦଳମାନେ ଯେତେବେଳେ ଇଚ୍ଛା କଲା ମାତ୍ରକେ ଏ ମେଣ୍ଟ ସେ ମେଣ୍ଟ ହେଉଛନ୍ତି ଏବଂ ସୁବିଧା ଅନୁସାରେ ଏ ପଲଙ୍କଟାରୁ ଯାଇ ସେ ପଲଙ୍କଟା ଉପରେ ଶୋଇ ପଡ଼ୁଛନ୍ତି, ସେମାନେ ବିଚରା ରାଜନୀତି ବିଷୟରେ କ’ଣ ଜାଣିଛନ୍ତି ? ସେମାନଙ୍କର ଶୋଚନୀୟ ଅବସ୍ଥାଗୁଡ଼ିକୁ ଦେଖି କେବଳ ଭଗବାନ ସ୍ଵୟଂ ଆପଣାର ଚକ୍ରଟିକୁ ପେଷି ସେମାନଙ୍କୁ ସେମାନଙ୍କର ଏହି ବର୍ତ୍ତମାନର ଦୁର୍ଗତି ମଧ୍ୟରୁ ଉଦ୍ଧାର କରିନେବେ ବୋଲି ଯାହା କିଞ୍ଚିତ୍ ଆଶା କରି ହେଉଛି । ହୁଏତ ତା’ପରେ ଯାଇ ଯାବତୀୟ ଅବିବେକ ପଛରେ ଯେ ତଥାପି ଗୋଟିଏ ବିବେକ ରହିଛି, ସେକଥା ପ୍ରକୃତରେ ଜଣାପଡ଼ିବ ।

 

ନବକୃଷ୍ଣ ଚୌଧୁରୀ, ଭଗବତୀ ଚରଣ ପାଣିଗ୍ରାହୀ, ପ୍ରଦ୍ୟୁମ୍ନ ବଳ–ସେମାନଙ୍କର ସମକାଳୀନ କେତେ କେତେ ପାଲା ଭିତରେ ରହିଥିଲେ ତଥାପି ଭାରି ଅଲଗା ପ୍ରକାରର ବୋଲି ବାରି ହୋଇ ପଡ଼ୁଥିଲେ ଏବଂ ବାରି ହୋଇ ପଡ଼ୁଥିଲେ ବୋଲି ହିଁ ତ ସେମାନଙ୍କ ସହିତ ପାଲା ଭିତରେ ଥିବା ବହୁ ଅନ୍ୟମାନଙ୍କ ଉପରେ ଯେତିକି ରାଗ ହେଉଥିଲା, ଏମାନଙ୍କ ଲାଗି ହୁଏତ ସେତିକି ଉପ୍ରୋଧ ବି ରହୁଥିଲା–ଏମାନେ କାହିଁକି ଦୁଷ୍ଟ ଆଉ ଗୁଡ଼ାଙ୍କର ମେଳ ଭିତରେ ରହି ନିଜକୁ କଷ୍ଟ ଦେଉଛନ୍ତି, ବେଳେବେଳେ ସେମାନଙ୍କୁ ସିଧା ସିଧା ପଚାରିବା ନିମନ୍ତେ ଇଚ୍ଛା ବି ହେଉଥିଲା । କେତେକ ବ୍ୟକ୍ତି ଥାଆନ୍ତି, ଯେଉଁମାନେ କି କୌଣସି ଗୋଷ୍ଠୀ ଭିତରେ ଏମିତି ନିକ ହୋଇ ପଶିଥାଆନ୍ତି ଯେ, ବାହାରକୁ ମୋଟେ ଦେଖାଯାଆନ୍ତି ନାହିଁ । ଗୁଡ଼ହାଣ୍ଡି ଭିତରେ ଜନ୍ଦାମାନଙ୍କ ପରି ଗୁଡ଼ସହିତ ଗୋଟା ସୁଦ୍ଧା ସାମିଲ ହୋଇ ଯାଇଥାଆନ୍ତି । ମାତ୍ର ଅଳପସଂଖ୍ୟାର କେହି କେହି ଥାଆନ୍ତି, ଯେଉଁମାନେ ଖୁଆଡ଼ ଭିତରେ ଏକ ମେଳରେ ରହିଥିଲେ ମଧ୍ୟ ତଥାପି ଆପଣାର ବ୍ୟକ୍ତି-ପରିଚୟଦ୍ୱାରା ହିଁ ସବାଆଗ ଆମ ଆଗରେ ଦୃଶ୍ୟମାନ ହେଉଥାଆନ୍ତି । ସେମାନେ ଯେଉଁ ଦଳରେ ରହିଥିଲେ ମଧ୍ୟ ଆମେ ସେହି ଦଳଗୁଡ଼ିକ ସତ୍ତ୍ୱେ ସେମାନଙ୍କୁ ହିଁ ଆଗ ଖୋଜି ବାହାରୁ । ଆବିଷ୍କାର କରି ଖୁବ୍ ଆନନ୍ଦ ପାଉ । ସମସ୍ତେ କାହିଁକି ଏମାନଙ୍କ ପରି ହେଲେ ନାହିଁ ବା ହେଉନାହାନ୍ତି ବୋଲି ଖେଦ କରିବାରେ ଲାଗିଥାଉ । ଶ୍ରୀ ନବକୃଷ୍ଣ ଚୌଧୁରୀ ହୁଏତ ସେହିଭଳି କୌଣସି କାରଣରୁ ଆମକୁ ଏତେ ନିଜର ବୋଲି ଲାଗନ୍ତି ଓ ପୁଣି ସିଏ କ’ଣ ପାଇଁ ଏତେ ଏତେ ମିଛୁଆଙ୍କ ଭିତରେ ମିଛଟାରେ ବାନ୍ଧି ହୋଇ ରହି ମୁଖ୍ୟତଃ ପସ୍ତାଇ ପ୍ରସ୍ତାଇ କାଳଟାକୁ ବିତାଇ ଦେଲେ ବୋଲି ଭାରି ଅଶ୍ଵସ୍ତିକର ବି ମନେହୁଏ । ସେହି ଅଶ୍ଵସ୍ତିଟି ହେତୁ ସିଏ ଆମର ଆହୁରି ନିକଟରେ ଆସି ଠିଆ ହୋଇଥିବା ପରି ଅନୁଭବ ହୋଇଥାଏ ।

 

ଭାରି ବିଚିତ୍ର ଲାଗୁଥିବା ଏହି କେତେଜଣ ବ୍ୟକ୍ତି ଆମର ଯେତିକି ଯେତିକି ନିଜର ବୋଲି ଲାଗନ୍ତି, ସେମାନେ ଆପଣାର କାଳରେ ସତେ ଅବା ସେଇ ଗୋଟିଏ ବିବେକର କଥା ହିଁ କହୁଥିଲେ । ଅଲଗା ଦଳମାନଙ୍କରେ ରହିଥିଲେ, ଅଲଗା ଅଲଗା ବିନ୍ୟାସରେ କଥା କହୁଥିଲେ ତଥା ସ୍ୱପ୍ନ ଦେଖୁଥିଲେ ସତ, ମାତ୍ର ମଞ୍ଜ ବିବେକରେ ପରସ୍ପର ଅତ୍ୟନ୍ତ ନିକଟବର୍ତ୍ତୀ ହୋଇ ରହିଥିଲେ, ମଞ୍ଜ ବେଦନାର କ୍ଷେତ୍ରରେ ଭାରି ସମଧର୍ମୀ ଥିଲେ । ସେମାନେ ନିଜ ନିଜ କ୍ଷେତ୍ରମାନଙ୍କରେ ନିଜକୁ ସମ୍ପୂର୍ଣ୍ଣ ଭାବରେ ଦେଇପାରିଥିଲେ । ନିଜ ଭିତରର ଆଗ୍ରହ ଏବଂ ଗଣିତଗୁଡ଼ିକ ଅନୁସାରେ ବାହାରେ ଯଥେଷ୍ଟ ପ୍ରତିଶ୍ରୁତି ଦେଇ ସବୁ କାହିଁକି ଘଟୁନାହିଁ ବୋଲି ଏମାନେ ଭାରି ବ୍ୟସ୍ତ ହୋଇ ପଡ଼ୁଥିଲେ । ବେଳେବେଳେ ନିଜକୁ ବି ସବାଆଗ ଦାୟୀ କରୁଥିଲେ ଏବଂ ସେହି ବିମର୍ଷତାରେ ନିଜ ଉପରେ ଭାରି ବିରକ୍ତ ଏବଂ ଭୟାନକ ହୋଇ ଯାଉଥିଲେ ସତ, ମାତ୍ର ତଥାପି ନିଜ ଭିତରେ ଆପଣା ଅନ୍ତର୍ନଜରର ପ୍ରସ୍ଥଟି ଉପରେ କଳ୍ପିତ ଭବିଷ୍ୟତଟିକୁ ସେମାନେ କେଡ଼େ ନିବିଡ଼ ଏବଂ ସ୍ନେହଯୁକ୍ତ ଭାବରେ ଦେଖି ପାରୁଥିଲେ । ତେଣୁ, ଶ୍ରୀଯୁକ୍ତ ଚନ୍ଦ୍ରଶେଖର ରଥଙ୍କୁ ଡାକ, ସିଏ ଶ୍ରୀ ଚୌଧୁରୀ, ଶ୍ରୀ ପାଣିଗ୍ରାହୀ ଓ ସେମାନଙ୍କର କାଟର ଅନୁମିତ ଅନ୍ୟମାନଙ୍କର ପ୍ରେତାତ୍ମାମାନଙ୍କୁ ପ୍ରେତପଟା ଉପରକୁ ଡାକନ୍ତୁ ଓ ଉପଯୁକ୍ତ ପ୍ରଶ୍ନମାନ ପଚାରି ସେମାନଙ୍କର ଅତୃପ୍ତିଗୁଡ଼ିକୁ ପ୍ରକୃତରେ ବୁଝନ୍ତୁ । ଅଥବା, ସ୍ନେହୀମାନେ ଗୋଟିଏ ସେମିନାରରେ ଏକାଠି ବସି ସେହି ଅତୃପ୍ତିଗୁଡ଼ିକର ଆଲୋଚନା କରନ୍ତୁ । ବୁଦ୍ଧି ତରତର ଅଥବା ମେଧାପ୍ରଖର ଭାବରେ ନୁହେଁ, ସତକୁସତ ଅଙ୍ଗୀକାରବଦ୍ଧ ଭାବରେ ଆଲୋଚନା କରନ୍ତୁ ।

 

ନିଜକୁ ବାହା ହୋଇ କାଳଟା ପାଖରୁ, ଏହି ରାଜ୍ୟଟାଠାରୁ ଯୌତୁକ ମାଗିବାଟାକୁ ଯେଉଁମାନେ କ୍ଷମତାକୁ ଲୋଡ଼ନ୍ତି ଏବଂ କ୍ଷମତାଟାକୁ ସତେଅବା ମାଗଣାରେ ବା ଖୁବ୍ ବେଶି ହେଲେ ଆପଣା ଭାଗ୍ୟବଳରେ ମିଳିଥିବା ଗୋଟାଏ ଛନଛନିଆ ସ୍ତନ ପରି ଝୁଣିବାରେ ଲାଗିଥାନ୍ତି, ଅଙ୍ଗୀକାରବଦ୍ଧତା କହିଲେ ସେମାନେ ମୋଟେ କିଛି ବୁଝି ପାରିବେ ନାହିଁ । ତଥାପି, ଆମର ଏହି ମାଟିଟି ପ୍ରତି ସର୍ବପ୍ରଥମ କୃତଜ୍ଞତା ଅନୁଭବ କରୁଥିବା ପ୍ରତ୍ୟେକ ବ୍ୟକ୍ତି ଅନାଇଦେବା ମାତ୍ରକେ ନିଶ୍ଚୟ କହିଦେବ ଯେ ଏଠି ଅଙ୍ଗୀକାରବଦ୍ଧତାର ଏକ ପରମ୍ପରା ସର୍ବଦା ରହିଆସିଛି । ଅଙ୍ଗୀକାରବଦ୍ଧତାର ସେହି ନିର୍ଦ୍ଦିଷ୍ଟ ଜୀବନ ଧର୍ମଟି ହିଁ ପ୍ରାୟ ବିଶାଶହେ ବର୍ଷ ତଳେ ଆମର ଏହି ମାଟିର ଜଡ଼ତାକୁ ଭାଙ୍ଗିଦେବାର ସାହସ କରିଛି । ସେହି ପ୍ରଥମ ଯୁଗଟି ଉପରେ ଦୃଷ୍ଟିପାତ କରିବା ମାତ୍ରକେ ଯଦି ଆପଣ ସତକୁସତ ନିଜର ଏହି ଭୂମିଟିକୁ ଏବେ ମଧ୍ୟ ନିଜର ବୋଲି କହୁଥିବେ, ତେବେ ସବାଆଗ ଶ୍ରୀ ଗୌରୀଶଙ୍କର ରାୟ ଏବଂ ପ୍ୟାରୀମୋହନ ଆଚାର୍ଯ୍ୟ ହୁଏତ ଆପେ ବାହାରି ଆସି ଆପଣଙ୍କ ସହିତ କଥାବାର୍ତ୍ତା ହେବାକୁ ମନ କରିବେ । ସେତେବେଳେ ଏଠି ଘୋର ରାତ୍ରି ହିଁ ରାଜତ୍ଵ କରୁଥିଲା । ମୋଗଲବନ୍ଦିଆ କଲିକତାର ଅନୁକରଣରେ ଆଧୁନିକ ହେବାର ସୌଖୀନ ପ୍ରୟାସମାନ କରୁଥିଲେ । ଗଡ଼ଜାତମାନେ କେବଳ ରାଜାମାନଙ୍କ ମାଧ୍ୟମରେ ହିଁ ସରକାରୀ ଖାତାମାନଙ୍କରେ ଲେଖା ହୋଇ ରହିଥିଲେ । ଗଡ଼ଜାତରେ ମଣିଷମାନେ ବାସ କରୁଛନ୍ତି ବୋଲି ବିଶ୍ୱାସ କରିବାକୁ ଉପକୂଳର ନେତାମାନେ ହୁଏତ ସାହସ କରୁନଥିଲେ । କବିବର ରାଧାନାଥ ଭୀମ ଭୋଇଙ୍କୁ ଚିହ୍ନି ନଥିଲେ । ଏକ ସଚେତନ ଅଙ୍ଗୀକାରବଦ୍ଧତାକୁ ନିଜର ବ୍ରତରୂପେ ଧରି ନେଇ ନଥିଲେ । ଗୌରୀଶଙ୍କର ଓ ପ୍ୟାରୀମୋହନ ମଧ୍ୟ ସେହି ଚଳନ୍ତି କୀର୍ତ୍ତନଗୁଡ଼ାକ ଭିତରେ କୁଆଡ଼େ ଖପି ଯାଇଥାନ୍ତେ ।

 

ସେମାନଙ୍କର ଅଙ୍ଗୀକାରବଦ୍ଧତା ଏକ ପ୍ରତିବାଦର ହିଁ ପ୍ରତିନିଧିତ୍ୱ କରି ବାହାରିଥିଲା । ଆଚାର୍ଯ୍ୟ ପ୍ୟାରୀମୋହନ ମାତ୍ର ତିରିଶ ବର୍ଷ ବୟସରେ ଇହଭୂମିରୁ ବିଦାୟ ନେଇଥିଲେ । ସିଏ ଆହୁରି ତିରିଶ ବା ଚାଳିଶି ବର୍ଷ ବଞ୍ଚିଥିଲେ ଆମ ସାଧାରଣ ଜୀବନର ପରିବର୍ତ୍ତନ ଧାରାଟି ପ୍ରକୃତରେ କିପରି କ’ଣ ଗତି କରିଥାନ୍ତା, ଯଥେଷ୍ଟ ସହାନୁଭୂତି ସହିତ ଯଥାର୍ଥ ଲୋକଆସ୍ପୃହାର ନାଡୀଗୁଡ଼ିକୁ ଠଉରାଇ ଏବଂ ତତ୍କାଳୀନ ଭାରତବର୍ଷର ସମଗ୍ର ପଟଟିକୁ ପ୍ରଚ୍ଛଦ କରି ଧରି ଆମେ ଥରେ ଆଲୋଚନାଗୁଡ଼ିକୁ ଆରମ୍ଭ କଲେ ହୁଏତ କେତେ କ’ଣ ଅଧିକ ଘ୍ରାଣ କରି ପାରନ୍ତେ ଏବଂ ସେହି ଅନୁସାରେ ଆମ ବର୍ତ୍ତମାନଟିର ମଧ୍ୟ ଏକ ଅନ୍ୟଭଳି ବିଶ୍ଳେଷଣ କରିପାରନ୍ତେ । ପଣ୍ଡିତ ଗୋପବନ୍ଧୁ ବି ତ ମାତ୍ର ପଚାଶବର୍ଷ ବୟସରେ ଆମ ପାଖରୁ ଅନ୍ତର ହୋଇ ଚାଲିଗଲେ । ଆଉ କୋଡ଼ିଏଟା ବର୍ଷ ରହିଥିଲେ ସିଏ ଭାରତବର୍ଷ ସ୍ଵାଧୀନ ହେବା ଯାଏ ଆମ ସହିତ ରହି ପାରିଥାନ୍ତେ ଏବଂ ତାହା ଫଳରେ ଆମ ରାଜ୍ୟ ଏକାବେଳକେ ଏକ ଅନ୍ୟଭଳି ନେତୃତ୍ୱ ଦ୍ଵାରା କ୍ରମନିର୍ମିତ ଓ କ୍ରମପୋଖତ ହୋଇ ଆସିଥାଆନ୍ତା । ସେପରି ହୋଇପାରିଲା ନାହିଁ କାହିଁକି ବୋଲି ଦୈବକୁ ଧିକ୍କାରି ଆମେ ରୋଦନ କରିବା ନାହିଁ ସତ, କିନ୍ତୁ ଉପଯୁକ୍ତ ଅଙ୍ଗୀକାରବଦ୍ଧତାର ମାର୍ଗଦର୍ଶନ ଲାଭ କରିଥିଲେ ବର୍ତ୍ତମାନର ଏହି ମୁହୂର୍ତ୍ତରେ ମଧ୍ୟ ମୋଗଲବନ୍ଦୀ ଓ ଗଡ଼ଜାତ ସମେତ ଆମର ସମଗ୍ର ଭୂମିଟି ଆମକୁ କିପରି ଅନ୍ୟ ପ୍ରକାରେ ଦେଖାଯାଉଥାନ୍ତା ଏବଂ ଏହି ଉପସ୍ଥିତିଟାର ଏକ ସୁସ୍ଥ ଆକଳନ କରିବାରେ ଆମକୁ ବିଶ୍ଵାସ ଓ ବଳ ଯୋଗାଇ ବି ଦିଅନ୍ତା, ସେ କଥାଟିକୁ କଦାପି ଅସ୍ଵୀକାର କରି ହେବ ନାହିଁ ।

 

ଯାବତୀୟ ଅଙ୍ଗୀକାରବଦ୍ଧତା ପଛରେ ରହିଥିବା ସେହି ଅସଲ ଏବଂ ଅପରିହାର୍ଯ୍ୟ ବିବେକଟି ପ୍ରକୃତରେ କ’ଣ ? ଯାବତୀୟ ସାମୂହିକ ବିଚାର ତଥା ବ୍ୟବସ୍ଥାରେ ମଣିଷ ହିଁ ସବା ଆଗରେ ରହିବ । ଏବଂ, ମଣିଷ କହିଲେ ସବୁ ମଣିଷଙ୍କୁ ବୁଝାଇବ । ସବୁ ମଣିଷଙ୍କୁ ଆଖି ସମ୍ମୁଖରେ ରଖି ଦେଶର ସମ୍ବିଧାନଟିଏ କାର୍ଯ୍ୟକାରୀ ହେଉଥିବ । ଆମ ଦେଶରେ ଓ ଆମ ରାଜ୍ୟରେ ଯାବତୀୟ ଦଉଡ଼ଧାପଡ଼ରେ ସବୁ ମଣିଷଙ୍କୁ ଆଗରେ ରଖି ପ୍ରାୟ କିଛି ହୋଇନାହିଁ । କାଗଜ ଉପରେ ଯାହା ହୋଇଥାଉ ପଛକେ, ଆମ ଶାସନରେ ସତେ ଅବା ଅଳପ ମଣିଷ ନିଜ ଭିତରେ ସଲା କରିଥିବା ପରି ଏଠି ସବୁ ମଣିଷଙ୍କୁ ନାଗରିକପଣରେ ମୋଟେ ସୁମାରି କରିନାହାନ୍ତି-। ବାବୁମାନେ ସତେଅବା ଦୟାପରବଶ ହୋଇ ନଥିଲାମାନଙ୍କ ନିମନ୍ତେ ସେରେ ଅଥବା ମାଣେ ଫୋପାଡ଼ି ଦେଉଛନ୍ତି । ତା’ପରେ ଗମ୍ଭିରି ଭିତରେ ରହି ସବୁ ଭୋଗ କରୁଛନ୍ତି-। ଅଧିକ ମଣିଷ ବୁଝୁଥିବା ଭାଷାରେ ଶାସନ ଚାଲୁନାହିଁ । ଅଧିକ ମଣିଷଙ୍କୁ ପରିଧି ଭିତରେ ଥାପି ଏଠି ସାହିତ୍ୟ ଲେଖା ହେଉନାହିଁ । ଇସ୍କୁଲ ଓ କଲେଜମାନଙ୍କରେ ସତେ ଅବା ନିର୍ଦ୍ଦିଷ୍ଟ ପାଠ୍ୟକ୍ରମମାନ ତିଆରି କରି ଶିକ୍ଷିତମାନଙ୍କୁ ମୂଳରୁ ହିଁ ଖଚଡ଼ା କରି ଦିଆଯାଉଛି । ସରକାରମାନେ ହିଁ ବର୍ବରତାର ଉଦାସୀନତା ଓ ଅବଜ୍ଞାର ପ୍ରତୀକ ହୋଇ ରହିଛନ୍ତି । ବଞ୍ଚିତ ମଣିଷମାନେ ଯେପରି ସତେ ଅବା ଅନନ୍ତକାଳ ପାଇଁ ସହୁଥିବେ, ମୁହଁମାଡ଼ି ଭାଗ୍ୟ କାମୁଡ଼ି ପଡ଼ି ରହିଥିବେ, ସେଇଥି ସକାଶେ ଠାକୁରମାନଙ୍କୁ ବ୍ୟବହାର କରାଯାଉଛି, ମିଛ ଜାତୀୟବାଦର ବେଲୁନ୍‍ମାନେ ଉଡ଼ିବାରେ ଲାଗିଛନ୍ତି-

 

ଏତିକିବେଳେ ନବକୃଷ୍ଣ ଚୌଧୁରୀ ମନେ ପଡ଼ୁଛନ୍ତି । ଭଗବତୀ ପାଣିଗ୍ରାହୀ ବି ମନେ ପଡ଼ୁଛନ୍ତି । ସେମାନଙ୍କ ଜୀବନର ଯାବତୀୟ ଅନ୍ଦାଜ ଭିତରେ ଏହି ଭୂମିର ମଣିଷମାନେ ହିଁ ସବାଆଗ ରହିଥିଲେ । ମାଲିକାନା ବଦଳିଥାନ୍ତା, ପାଠ ବଦଳି ଥାଆନ୍ତା, ଦେଶ ନିର୍ମାଣରେ ଅଗ୍ରାଧିକାରଗୁଡ଼ିକ ବି ଅନୁରୂପ ଭାବରେ କ୍ରିୟାଶୀଳ ହୋଇପାରିଥାନ୍ତା । ଆମର ଏହି ଭୂମିର ନିତାନ୍ତ ଦୁର୍ଭାଗ୍ୟ ଯେ, ସେମାନଙ୍କର ପଛରେ ସେମାନଙ୍କର ସର୍ବମୂଳ ବ୍ୟାକୁଳତାଗୁଡ଼ିକର ପ୍ରତିନିଧିତ୍ୱ କରିବା ନିମନ୍ତେ ଆଉ କେହି ହେଲେ ସାହସ କଲେ ନାହିଁ । ସେମାନଙ୍କର ଗୁଣଗାନ କରିବାଲାଗି ଢେର ଢେର ସଂଖ୍ୟାରେ ଲୋକ ବାହାରି ପଡ଼ିଲେ–ମାତ୍ର ଭୀରୁ ହୋଇ ରହିଗଲେ । ସ୍ତୁତିକାର ହେଲେ, ଦଳମଣ୍ଡୁକ ହେଲେ ଏବଂ ଅଙ୍ଗୀକାରବଦ୍ଧତାର ବିବେକକ୍ଷେତ୍ରରେ ଭାରି ନାଣ୍ଡିଆ ହୋଇ ରହିଲେ । ଆମକୁ ଅସଲ ସତ୍ୟବୋଧଗୁଡ଼ିକରୁ ଫୁସୁଲାଇ ଶୀତଳ କରି ରଖିବାକୁ ସେମାନେ ସେଭଳି ଚକ୍ରାନ୍ତ କଲେ କି ? ବାବୁ, ତୁମେ ଯେତେ ଖୁସୀ ସେତେ ଭଦ୍ର ହୋଇ ରହିଥାଅ ପଛକେ, ଏଥର ସତକୁସତ ବହୁତ କିଛି ବଦଳିବ । ସହରଠାରୁ ବହୁ ଦୂରରେ, ପାହାଚ ପଦାରେ ତୁମକୁ ଅବାକ୍ କରି ଅଭିନବ ଉଦ୍‌ବେଳନମାନ ସୃଷ୍ଟି ହେବ, ସହରର ଗଉଁ ଭାଙ୍ଗିଦେବ । ତୁମ ବହିଗୁଡ଼ାକ ପାଖରେ ତାହା ମୋଟେ ଅଟକି ରହିଯିବ ନାହିଁ । ସ୍ଵାଧୀନତା-ଲାଭର ପରେ ସେହି ପ୍ରଥମ ଦଶନ୍ଧିମାନଙ୍କରେ ଚତୁର ଦୁର୍ଦ୍ଦାନ୍ତମାନଙ୍କର ଫାଶ, ଭିତରେ ପଡ଼ିଯାଇ ନଥିଲେ ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀ ସେତେବେଳେ ଯେଉଁ ପରିବର୍ତ୍ତନଗୁଡ଼ିକର ପୁରୋଧା ହୋଇଥାଆନ୍ତେ, ଏବେ ତୁହାକୁ ତୁହା ତାହାରି ଆବାଜମାନ ଶୁଣାଯିବ । ପ୍ରତିବାଦର ସ୍ୱରମାନେ କେତେକେତେ ଦୂରରୁ କ୍ରମଶଃ ଏକାଠି ହୋଇ ତୁମ ରାଜଧାନୀଗୁଡ଼ିକର ଶାନ୍ତିଭଙ୍ଗ କରିବେ । ଏହି ଦେଶରେ ସେମାନେ ବି ଠିକ୍ ତୁମରି ଭଳି ନାଗରିକ ବୋଲି ଦାବି କରି ଇନ୍ଦ୍ରମାନଙ୍କୁ ଅବାକ୍ କରିବେ । ସ୍ୱୀକୃତି ମାଗିବେ-। ଏଭଳି ହେବ କି ନ ହେବ, ତୁମେ ତୁମ ବୁଦ୍ଧି–ବିନୋଦନର ବିହାରମାନଙ୍କରେ ତାହାର ଚର୍ଚ୍ଚା କରିବାକୁ ମୋଟେ ସେମିନାର ଡାକ ନାହିଁ । କାରଣ ଏସବୁ ପ୍ରକୃତରେ ଘଟିଲେ ତ ତୁମେ ବଳେ ବଳେ ବିଶ୍ୱାସ କରିବାକୁ ବାଧ୍ୟ ହେବ ।

 

୧୭.୬.୦୧

☆☆☆

 

କଥାକୁ କୁଣ୍ଢ ପାଉନାହିଁ

 

ଯିଏ ଯାହା କହୁଛି, ସିଏ ତାହାକୁ ବଞ୍ଚୁଛି କେତେବେଳେ ? ନେତାମାନେ ଓ ସରକାରମାନେ ଆମକୁ କେତେ କ’ଣ କହିବାରେ ଲାଗିଛନ୍ତି । ହେଇ ସତ୍ୟଯୁଗ ଆସି ପହଞ୍ଚିଲା ବୋଲି ଆମକୁ ଛାନିଆ କରି ପକାଉଛନ୍ତି । ଏମାନେ ସରକାର ଭିତରେ ରହିଛନ୍ତି ବୋଲି ନିଜକୁ ନେତା ବୋଲି ଧରି ନେଉଛନ୍ତି । ଅଥବା, ଆପଣାକୁ ଜଣେ ଜଣେ ନେତା ବୋଲି କୁଣ୍ଢାଇ ଧରିଥିବାରୁ ସରକାର ଭିତରେ ପଶି ଯେ ସତେ ଅବା କୌଣସି ପୈତୃକ ସମ୍ପତ୍ତି ଭୋଗ କରୁଥିବା ପରି ବେଭାର ଦେଖାଉଛନ୍ତି, ସେ କଥା କିଏ ନିର୍ଦ୍ଦିଷ୍ଟ କରି କହିପାରିବ ? ଡାହାଣ ବାଆଁ ଉଭୟ କଥା କହିବାରେ ଲାଗିଛନ୍ତି । ମିଛଟାକୁ ସଫାସୁତରା କରି ମାଠିମୁଠି ପରିସଂଖ୍ୟାନଦ୍ୱାରା ଗରିଷ୍ଠ କରି କହିପାରିଲେ ତାହା ସତେ ଯେପରି ସମ୍ପୂର୍ଣ୍ଣ ଭାବରେ ସତ୍ୟରୁ ପ୍ରତୀତିଟିଏ ଅବଶ୍ୟ ଲାଭ କରିବ, ଦାଣ୍ଡଯାକ ସତ୍ୟବାଦୀ ବୋଲାଉଥିବା ଆମର କେଡ଼େ ଚିହ୍ନା ବୃହନ୍ନଳାମାନେ ସେହି ଅନ୍ଦାଜରେ ଖାଲି ଅଜସ୍ର କଥା ହିଁ କହିବାରେ ଲାଗିଛନ୍ତି । କିଏ ଅତୀତର କଥା କହୁଛି । କିଏ ଅଭିମାନର କଥା କହୁଛି; ଆଉ କିଏ ନିଜକୁ ଯେଡ଼େ ବାଉଁଶର ସେଡ଼େ ପୋଲ ବୋଲି ଧାରଣାମାନ ଦେଇ ସ୍ୱାଭିମାନର କଥା ବି କହିବାରେ ଲାଗିଛି । ଅନାଇ ନିରୀଖି ଦେଖିଲାବେଳକୁ ସତେଅବା କୋଉ ସଭାରୁ ଶିଶୁପାଳ ହୋଇ ପଳାଇ ଆସିଛି ବୋଲି ପୂରା ଧରାପଡ଼ି ଯାଉଛି । ପ୍ରତିଶ୍ରୁତିର ହାଟମାନଙ୍କରେ ଯମମାନେ କଥା କହୁଛନ୍ତି, ଯଖମାନେ ବି କଥା କହୁଛନ୍ତି । କଥା କହି ଚମକ ରଚାଇ ଦେଉଛନ୍ତି । ଆମର ଏହି ଯୁଗଟା ସତେ ଅବା ସେହିମାନଙ୍କର କଥାଗୁଡ଼ିକୁ ଶୁଣି ଶୁଣି ବୁଢ଼ାହେବ ବୋଲି ଅଭିଶାପ ପାଇ ସଂସାରକୁ ଆସିଛି । ଏଠି କାଳର କୁଷ୍ମାଣ୍ଡମାନେ କଥା କହି କହି ମଣିଷମାନଙ୍କୁ ଭୂତାଇ ଭଳାଇ ବୋକା କରି ରଖିବେ ଏବଂ ଆମ ବିମୋଚନର ମୁହୂର୍ତ୍ତଗୁଡ଼ିକୁ ଏହିପରି ଗଡ଼ାଇ ଦେଉଥିବେ ବୋଲି ଆପଣାର କୌଣସି ଅପଭଗବାନମାନଙ୍କ ସହିତ ସଲାକରି ଆସିଛନ୍ତି କି ?

 

ଶାସକମାନେ ଖାଲି କଥା କହୁଛନ୍ତି ଏବଂ ଧୋକା ଦେବାରେ ଲାଗିଛନ୍ତି । କଥାରେ ବାଇସ ନାହିଁ । କଥାରେ ବାଟୁଳି ବି ବାଜୁନାହିଁ । କୋଉକାଳେ କହୁଥିଲେ, ସେମାନେ ଏଠି ସମାଜବାଦ ବସାଇବେ । ତାଙ୍କ ପରେ ଯିଏ ବା ଯେଉଁମାନେ ଆସିଲେ, ସେମାନେ ଏହି ଦେଶରୁ ଗରିବୀ ହଟାଇଦେବେ ବୋଲି କହିଲେ । ଗରିବୀ ଦୂର ହୋଇଥିଲେ ଜନଶକ୍ତି ବଢ଼ିଥାଆନ୍ତା । ଶାସନର ଅସଲ ଖୁଣ୍ଟମାନ ତଳୁ ହିଁ ପୋତା ହୋଇଥାନ୍ତା । ସବୁ ମଣିଷଙ୍କୁ ସମ୍ମୁଖରେ ରଖି ଯୋଜନା ଚାଲିଥାନ୍ତା । ଚୋରଙ୍କୁ ସଜା ମିଳିଥାନ୍ତା ଏବଂ ତାହାରି ଫଳରେ ଏହି ଭୂମି ମୋର ଓ ଏହି ଦେଶ ମୋର ବୋଲି କହିବାକୁ ଦେଶବାସୀ ଭରସା ପାଇଥାନ୍ତେ । ସେସବୁ କଥାରେ ରହିଗଲା । ଏବେ ମଧ୍ୟ ପ୍ରଧାନତଃ କଥାରେ ହିଁ ରହିଛି । ଏଣେ ଠକମାନଙ୍କର ଉତ୍ପାତ ବଢ଼ିଛି । ବେଳେବେଳେ ଏପରି ତ ଲାଗୁଛି ଯେ, ଦେଶ ନାମକ ଆମର ଏହି ସହସ୍ର ସମ୍ଭାବନାର ଘରଟି ଭିତରେ ଖୁଆଡ଼େ ତସ୍କର ଆସି ପହଞ୍ଚି ଯାଇଛନ୍ତି । ଏବଂ ସିନ୍ଧିକାଠି ଧରି ସେମାନେ ଏହି ଘରଟିକୁ ଲୁଟିବାରେ ହିଁ ଲାଗିଛନ୍ତି । ଅନ୍ୟତମ ଶାସକମାନେ ଅଧିକ ମନ୍ଦ ପାଞ୍ଚିଥିବା ପରି କ୍ରମେ ରାଜନୀତି ଭିତରେ ଧର୍ମକୁ ଆଣି ପୂରାଇ ଦେଲେଣି । ରାଜନୀତି କହିଲେ, କ୍ରମେ ନାନା ଅଭାବନୀୟ ପ୍ରକାରର ଅରାଜନୀତିକ ଗୋଳକୁ ବୁଝାଇଲାଣି । ଦେଶରେ ଆଣବିକ ବୋମା ତିଆରି ହେବାର ବୁଦ୍ଧି ଆସି ବିଜ୍ଞାନଘରେ ରାଣୀ ହୋଇ ବସିଲାଣି । ଅଥଚ, ସବୁ ମଣିଷଙ୍କର ପେଟ ପୂରିନାହିଁ । ସବୁ ପିଲା ଇସ୍କୁଲ ଦେଖିପାରୁ ନାହାନ୍ତି । ଅଳପ ମଣିଷ ହିଁ ଅଧିକ ମାଡ଼ି ବସିଛନ୍ତି ଓ ଅଧିକଙ୍କ ଉପରେ ଘୋଡ଼ା ଚଢ଼ିଛନ୍ତି । ଅଳପ ମଣିଷ ଫୁଲେଇ ହେବାଲାଗି ସାହିତ୍ୟ ହେଉଛି । ଥୋକେ ତୁମେ ଆମେ କନ୍ଦର୍ପରାଜ୍ୟର ଜଣେ ଜଣେ ପହିଲିମାନ ପରି ଦେଖାଯିବେ ବୋଲି ଭଳି ଭଳି ବେପାର ଓ ବିଜ୍ଞାପନଦ୍ୱାରା ଅସଲ ସାମୂହିକତାଗୁଡ଼ିକୁ ବହୁ ଅଭିସନ୍ଧିଦ୍ଵାରା ଭାରି ଅନ୍ୟମନସ୍କ କରି ରଖାଯାଇଛି-। କଥା କହିବାଟା କ’ଣ ଏକ ପ୍ରସାଧନ ମାତ୍ର, ଯାହାଦ୍ୱାରା ଆମ ପାମର ଉପରିସ୍ଥମାନେ ଏଠାରେ ଆପଣାର ଅପକାମନାଗୁଡ଼ିକୁ ଚରିତାର୍ଥ କରିବା ପାଇଁ ବଦ୍ଧପରିକର ହୋଇ ରହିଛନ୍ତି-? ଏହି ଦେଶକୁ ନିଜର ଘର ବୋଲି ଗ୍ରହଣ କରିଥିଲେ ସେମାନେ କଥା କହିବାକୁ ହିଁ ଫାଙ୍କି ପରେ ଫାଙ୍କି ଦେଉଥିବାର ଏକ ଅମୋଘ କୌଶଳବତ୍ କଦାପି କାମରେ ଲଗାଉ ନଥାନ୍ତେ ।

 

କେବଳ, ଭେଲ ବା ଭଲ ଯାହା ହେଉ ପଛକେ, ନକ୍ସାଲପନ୍ଥୀମାନେ ହିଁ ଯାହା କହୁଛନ୍ତି, ଆପାତତଃ ତାହା କରୁଛନ୍ତି । ସେମାନେ ଯେଉଁ ବାଟରେ ଯିବେ ବୋଲି ନିଷ୍ପତ୍ତି କରିଛନ୍ତି, ସେହି ବାଟରେ ଯାଉଛନ୍ତି । ନିଜ ହୃଦୟର କଥାଗୁଡ଼ିକୁ କାମରେ କରି ଦେଖାଉଛନ୍ତି । ନିଜର ଜୀବନପଣ କରି ବାହାରିଛନ୍ତି । ସେମାନଙ୍କୁ ଖୁବ୍ ଭଲ ଭାବରେ ବୁଝି ହେଉଛି । ଏକଦା ଗାନ୍ଧୀବାଲାମାନଙ୍କୁ ଯେଉଁଭଳି ବୁଝି ହେଉଥିଲା, ସମ୍ପ୍ରତି ଏମାନଙ୍କୁ ଠିକ୍ ସେହିଭଳି ବୁଝି ହେଉଛି । ସ୍ୱାଧୀନତା ସଂଗ୍ରାମ ସମୟରେ ସଂଗ୍ରାମୀମାନଙ୍କୁ ଯେପରି ବୁଝି ହେଉଥିଲା, ଠିକ୍ ସେହିପରି ସେମାନଙ୍କର ସାଧୁତାରେ ସନ୍ଦେହ କରିବାରେ ପ୍ରକୃତରେ ମୋଟେ କୌଣସି କାରଣ ନାହିଁ । ମାତ୍ର ସରକାର ଭିତରେ ଦେଶ ଗୋଟାକର ଭାଗ୍ୟଧର ହୋଇ ବସିଥିବା ଏହି ମତ୍ତଗଜମାନଙ୍କର ସାଧୁତା ବୋଲି କୋଉଠି କିଛି ନାହିଁ । ସାଧୁତା ନାହିଁ ବୋଲି କ’ଣ ସେମାନେ ପ୍ରାୟ ଏକ ଦୈତ୍ୟର ଉତ୍ସାହରେ ଏତେ ଅଧିକ କଥା କହିବାରେ ଲାଗିଛନ୍ତି କି ? ଅପର ପକ୍ଷରେ ନକ୍ସଲପନ୍ଥୀଙ୍କର ଏକ ବିଶ୍ୱାସ ଅବଶ୍ୟ ରହିଛି । ସେହି ମାନଦଣ୍ଡ ଅନୁସାରେ ବିଚାର କଲେ ସନ୍ତ୍ରାସବାଦୀମାନଙ୍କର ମଧ୍ୟ ନିଜର ବିଶ୍ଵାସମାନ ରହିଛି । ସେମାନେ ସେହି ବିଶ୍ୱାସ ଅନୁସାରେ ହିଁ ଆଚରଣ କରୁଛନ୍ତି । ଜୀବନକୁ ପାଣି ଛଡ଼ାଇ ବାହାରି ଆସିଛନ୍ତି । ନିଜର ଜୀବନଟିକୁ ଚରମ ବାଜି ଉପରେ ରଖି ସେମାନେ ନିଜର ବିଶ୍ୱାସଦ୍ୱାରା ପରିଚାଳିତ ହୋଇ ଅବଶ୍ୟ କିଛି କରିବେ ବୋଲି ବାହାରି ଆସିଛନ୍ତି । ସରକାର ଅର୍ଥାତ୍ କ୍ଷମତାଧାରୀ ରାଷ୍ଟ୍ର ପାଖରେ ସେମାନଙ୍କର ଟକ୍କର ଦେଇପାରିବା ଭଳି ସମାନ୍ତର କୌଣସି ସାଧୁତା ତଥା ବିଶ୍ୱାସ ରହିଥିଲେ ଯାଇ ଯେ ସେମାନେ ଏହି ବିଚିତ୍ର ପରିସ୍ଥିତିରେ ସାମନା କରିପାରିବେ, ସେଥିରେ ଆଦୌ କୌଣସି ସନ୍ଦେହ ନାହିଁ ।

 

ବେଳେବେଳେ ନିଜ ମନେ ମନେ ଗୋଟିଏ ପ୍ରଶ୍ନ ପଚାରିବାକୁ ଭାରି ଇଚ୍ଛା ହୁଏ । ନିଜେ ଯାହା କହିଛନ୍ତି, ତାହାକୁ କାମରେ କରି ଦେଖାଇବାର ଲୋକମାନେ ପୃଥିବୀରେ ଆଗରୁ ମଧ୍ୟ ରହି ଆସିଛନ୍ତି । କିଛି ନକରି କେବଳ କ୍ଷମତା ନାମକ ଏକ ଗରିଷ୍ଠତା ଭିତରେ ବାନ୍ଧି ହୋଇ ରହିବାର ସୁଖ ନିମନ୍ତେ ମଧ୍ୟ ଆଉ ଥୋକେ ଖାଲି କଥା ବି କହି କାଳକୁ ଗଡ଼ାଇ ଦେଇଛନ୍ତି । ଦେଶରେ ବର୍ତ୍ତମାନ ଯେଉଁମାନେ ଲୋକଙ୍କ ପଟେ ରହି ନିଜର ଭାଗ୍ୟକୁ ବିପନ୍ନ କରି ସଂଗ୍ରାମମାନ ଲଢ଼ୁଛନ୍ତି, ଆଗର ଏକାଧିକ ଦୃଷ୍ଟାନ୍ତ ପରି ଏମାନେ ମଧ୍ୟ ହୁଏତ ଦିନେ କ୍ଷମତାକୁ ଆସିବେ । ଲୋକଭାଗ୍ୟର ପରିଚାଳକ ତଥା ନିର୍ମାତା ହେବେ । ସେତେବେଳେ ଏମାନେ ବି କ’ଣ ବର୍ତ୍ତମାନର କ୍ଷମତାସୀନମାନଙ୍କ ପରି ଖାଲି କଥା କହିବେ, ମୋଟେ କିଛି କରିବେ ନାହିଁ ? ଏମାନେ ବି କ’ଣ ହୁଡ଼ିଯିବେ ? ନିଜକୁ ଧୋକା ଦେବେ ଏବଂ ଏହି ପୃଥିବୀଟାକୁ ବି ଧୋକା ଦେବେ ? ଆଜିର ସଂଗ୍ରାମୀ କାଲିକୁ ଗାଦୀରେ ବସି ପ୍ରତିକ୍ରିୟାଶୀଳ ହୁଅନ୍ତି ଏବଂ ସେମାନଙ୍କୁ ହଟାଇବା ନିମନ୍ତେ ପୁଣି ଗୋଟିଏ ସଂଗ୍ରାମ ଆବଶ୍ୟକ ହୁଏ ବୋଲି ପୃଥିବୀରେ ଯେଉଁ ଅପବାଦ ରହିଛି, ଏମାନଙ୍କ କ୍ଷେତ୍ରରେ ମଧ୍ୟ ତାହାରି କ’ଣ ଏକ ପୁନରାବୃତ୍ତି ହେବ ? କ୍ଷମତାକୁ ଆସିବା ମାତ୍ରକେ କ’ଣ ସେମାନେ ସେହି ପୁରୁଣା ଗୁଳାଗୁଡ଼ିକର ଅନୁସରଣ କରିବେ ଏବଂ ପୃଥିବୀଟାକୁ ଯେଉଁଠି ସେଇଠି ପକାଇ ରଖିବେ ? ଏମିତି କିଛି ଅନ୍ୟ ପଥ ତଥା ସଂଗ୍ରାମଗୁଡ଼ିକୁ ଲଢ଼ିବାର ଅନ୍ୟ ପରିମଳ ରହିଛି, ଯାହାଫଳରେ କି ସଂଗ୍ରାମୀମାନେ ଗାଦୀ ଉପରକୁ ଆସିବା ପରେ ମଧ୍ୟ ମୋଟେ ବୁଦ୍ଧି ହରାଇବେ ନାହିଁ । ଅନାଚରଣ କରିବେ ନାହିଁ ଏବଂ ଧୋକା ଦେବେନାହିଁ ? ସେହି ସୋପାନଟି ଓ ସମ୍ଭାବନାଟି ଆସିବା ପର୍ଯ୍ୟନ୍ତ ଏବର ସଂଗ୍ରାମମାନ ଲାଗି ରହିଥିବ, ସଂଗ୍ରାମୀମାନେ ମୁଥକୁ ମୁଥ ଧୋକା ଖାଉଥିବେ,–ସେଗୁଡ଼ିକରୁ ଯୁଗର ବିବେକକୁ ଶିକ୍ଷା ମିଳୁଥିବ ଏବଂ ପ୍ରୟୋଗ ଚାଲିଥିବ । ସଂଗ୍ରାମ ଲାଗିଥିବ, ପ୍ରୟୋଗ ଚାଲିଥିବ । ଭାରତବର୍ଷ ସେଥିରୁ କଦାପି ବାହାର ହୋଇ ରହିଯିବ ନାହିଁ । ପୃଥିବୀର ମଣିଷ ଯେତେଶୀଘ୍ର ପ୍ରସ୍ତୁତ ହୋଇଯିବେ, ସେତେଶୀଘ୍ର ପୁନରାବୃତ୍ତିର ଚକ୍ରଟି ଭିତରୁ ବାହାରିଯାଇ ପାରିବେ । ମହାମହିମ ତତ୍କାଳୀନ ସରକାରଙ୍କୁ ଆତଙ୍କିତ କରିଦେଇ ଏକଦା ଶ୍ରୀ ଭଗତ ସିଂହ ଯେତେବେଳେ ବୋମା ଫୁଟାଇଥିଲେ, ସେତେବେଳେ ସେହି ଅପରାଧରେ ସରକାର ତାଙ୍କୁ ଫାଶୀ ଦଣ୍ଡ ବରାଦ କରିଥିଲେ । ଏହି ଦେଶଭକ୍ତ ବୀରଙ୍କୁ ଫାଶୀ ଦିଆନଯାଉ ବୋଲି ସେତେବେଳେ ମହାତ୍ମାଗାନ୍ଧୀ ମଧ୍ୟ କର୍ତ୍ତାମାନଙ୍କୁ ନିବେଦନ କରିଥିଲେ । ଗାନ୍ଧୀ ଯେ ଭଗତ ସିଂହଙ୍କର ସଂଗ୍ରାମ-ରୀତିରେ ବିଶ୍ୱାସ କରୁଥିଲେ, ସେକଥା ଆଦୌ ନୁହେଁ । ମାତ୍ର, ମାର୍ଗର ସକଳ ବିଭିନ୍ନତା ସତ୍ତ୍ୱେ ସିଏ ଦେଶଭକ୍ତର ସାଧୁତା ତଥା ତ୍ୟାଗବୁଦ୍ଧିକୁ ସ୍ଵୀକୃତି ଦେଉଥିଲେ । ବର୍ତ୍ତମାନ ସରକାର ଚଳାଉଥିବା ଏମାନେ ଯଦି ସ୍ଵୟଂ ସଂଗ୍ରାମୀ ହୋଇଥାନ୍ତେ ଓ ଦେଶ ବଦଳୁ ବୋଲି ଇଚ୍ଛା କରୁଥାନ୍ତେ, ତେବେ ଯିଏ ଯେତେ ଭିନେ ବାଟରେ ଥିଲେ ମଧ୍ୟ ଏମାନେ ଦେଶଭକ୍ତ ଲଢ଼ୁଆମାନଙ୍କର ସାଧୁତା ଓ ନିଷ୍ଠାକୁ ନିଶ୍ଚୟ ଚିହ୍ନୁଥାନ୍ତେ । ଏକଦା ଶ୍ରୀ ନାଗଭୂଷଣ ପଟ୍ଟନାୟକଙ୍କୁ ଫାଶୀ ହୁକୁମ ହୋଇଥିଲା ବେଳେ ତାଙ୍କ ପାଇଁ ନିବେଦନ କରି ଯେଉଁମାନେ ଦିଲ୍ଲୀ ଯାଏ ଯାଇ ପହଞ୍ଚିଥିଲେ ଏବଂ ଫାଶୀ ଆଦେଶକୁ ଦୀର୍ଘ କାରାଦଣ୍ଡକୁ ବଦଳାଇ ଦେଇଥିଲେ, ସେଥିରେ ଶ୍ରୀ ନବକୃଷ୍ଣ ଚୌଧୁରୀ ହିଁ ସବାଆଗରେ ରହିଥିଲେ । ନାଗଭୂଷଣଙ୍କ ବାଟ ଏବଂ ତାଙ୍କ ବାଟ ଭିତରେ ବହୁତ ଫରକ ରହିଥିଲେ ମଧ୍ୟ ଶ୍ରୀ ଚୌଧୁରୀ ନାଗଭୂଷଣଙ୍କ ମଧ୍ୟରେ ଆପଣାର କଥା ଅନୁସାରେ କାମ କରୁଥିବା ଦେଶଭକ୍ତ ସଂଗ୍ରାମୀଟିକୁ ସ୍ଵୀକୃତି ଦେଇ ହିଁ ଏହି କ୍ଷେତ୍ରରେ ଯାହାକିଛି କରିବାପାଇଁ ଆଗେଇ ଯାଇଥିଲେ । କଥାରେ ଅମ୍ବର ବାଡ଼େଇ ଭୂଇଁଟାକୁ ଧୋକା ଦେବାରେ ଲାଗିଥିବା ତୁଚ୍ଛା ପାଉଁଶମାନଙ୍କର ମେଳରେ ଘୁଷୁରି ଘୁଷୁରି ରହି ନିଜେ ମଧ୍ୟ କ୍ରମେ ପାଉଁଶ ହୋଇଗଲେ ବୋଲି ଯେତେବେଳେ ସିଏ ହୃଦୟଙ୍ଗମ କରିପାରିଲେ, ସମ୍ଭବତଃ ସେତିକିବେଳେ ସିଏ କାନୁ ସାନ୍ୟାଲ ଏବଂ ଚାରୁ ମଜୁମଦାରଙ୍କ ପରି ହେବେ ବୋଲି କେଡ଼େ ଆର୍ତ୍ତ ଭାବରେ କହିବାକୁ ଆରମ୍ଭ କଲେ । ତାଙ୍କର ଏହି କହିବା ପଛରେ ଆଦୌ କୌଣସି ଛଳ ନଥିଲା, କୌଣସି ଅସାଧୁତା ହିଁ ନଥିଲା ।

 

ସିଏ ଆପଣାକୁ ଆଉ ଲୁଚାଇ ରଖିପାରି ନଥିଲେ । ସତକୁସତ କିଛି କାର୍ଯ୍ୟରେ ଘଟିବ ଓ ସେ ମଧ୍ୟ ସେହି ଘଟିବାରେ ନିମିତ୍ତ ହେବେ ବୋଲି ଶ୍ରୀଯୁକ୍ତ ଚୌଧୁରୀ କେତେ ତୁଠରୁ ତୁଠ ହେଲେ ଯେଉଁଠାରେ ସ୍ଫୁଲିଙ୍ଗଟିଏ ଦେଖିଲେ ସେଠାରେ ଆଶାନ୍ୱିତ ହୋଇ ଉଠିଥିଲେ । ନାମ ବଦନାମ ଆଦୌ ବିଚାର ନକରି ତାହାକୁ ସ୍ଵୀକୃତି ଦେଲେ । ତାଙ୍କୁ ନେତା ବୋଲି ବ୍ୟବହାର କରିବାକୁ ତତ୍ପର କେତେ କେତେ ପୁରୁଣା ଓ ପୁରୁଖାଙ୍କ ପାଖରେ ଲୋକହସା ହେଲେ । ତଥାପି, ସେ ଖୁବ୍ ଜଳଜଳ ଭାବରେ ଦେଖି ପାରୁଥିଲେ ଯେ ତାଙ୍କର ତଥାକଥିତ ସହଚାରୀମାନେ ଖାଲି କଥା କହୁଛନ୍ତି, କିଛି କରିବାକୁ ଚାହୁନାହାନ୍ତି ଓ ଉଆସଗୁଡ଼ାକୁ କାମୁଡ଼ି ପଡ଼ି ରହିଥିବେ ବୋଲି ସୂତର କରିଥିବାରୁ ହିଁ ସେମାନେ କଥା କହି ହିଁ ସତେ ଅବା ଏକ ପୂର୍ଣ୍ଣୋପଲବ୍ଧ ଲାଭ କଲେ ବୋଲି ଅନୁଭବ କରୁଛନ୍ତି । ଅପରପକ୍ଷରେ, ନାଗଭୂଷଣ, କାନୁ ସାନ୍ୟାଲ ଓ ଚାରୁ ମଜୁମଦାର ଆପଣାର କହିବା ଅନୁସାରେ କାମ କରୁଛନ୍ତି ଏବଂ ସଂଗ୍ରାମଟିକୁ ଅବିଚ୍ଛିନ୍ନ କରି ରଖିଛନ୍ତି । ସେମାନେ ଲୋକାୟତର ଭୂମିରେ ମୂଳଭୂତ ସଂଗ୍ରାମଟିକୁ ସରଳ କରି ରଖିବା ନିମନ୍ତେ ନିଜକୁ ପାଣି ଛଡ଼ାଇ ବାହାରି ଆସିଛନ୍ତି । ତାଙ୍କ ଶତବର୍ଷ ପୂର୍ତ୍ତିର ଏହି ବର୍ଷଟିରେ ଆମେ ନବକୃଷ୍ଣ ଚୌଧୁରୀଙ୍କୁ ପ୍ରକୃତରେ ଅତ୍ୟନ୍ତ ସ୍ୱତନ୍ତ୍ର ଭାବରେ ଏଥିପାଇଁ ପ୍ରଣାମ ଜଣାଇବା । ଓଡ଼ିଶାରେ ଆଉ ଜଣେ କେହି ତାଙ୍କ କାଟର ନଥିଲେ, ଯିଏ କି ନିଜର ଅନ୍ତର୍ଦେବତା ପାଖରେ ଏଭଳି ଆଚରଣ କରି ପାରୁଥିଲେ । ତାଙ୍କର ଏହି ସ୍ୱତନ୍ତ୍ରତାଟିକୁ ଆମଠାରୁ ଅନ୍ତରାଳ କରି ରଖିବା ଲାଗି ତାଙ୍କ ନାମରେ ପୂଜ୍ୟପୂଜାର ବହୁ ଆଳରେ କଥାର ସଂକୀର୍ତ୍ତନମାନ ମାୟାବିତା ଦେଖି ସିଏ ଆମ ଚାରିପାଖର ଏହି ହାୱାଗୁଡ଼ାକ ଭିତରେ ରହି ଖିଲଖିଲ ହୋଇ ହସି ଉଠୁଥିବେ ।

 

୨୪.୬.୦୨

☆☆☆

 

ସ୍ୱେଚ୍ଛାସେବୀ ଖାଇଗଲେ

 

ସରକାରୀ ଗୋଠ ସ୍ଵେଚ୍ଛାସେବୀମାନଙ୍କୁ ସହି ପାରୁନାହାନ୍ତି । ତେଣୁ, ସ୍ୱେଚ୍ଛାସେବୀମାନେ ଖାଇଗଲେ ବୋଲି ହୁରି ପକାଉଛନ୍ତି । ସରକାରୀ ବୃହଦ୍‌ରଥିମାନେ ସ୍ୱେଚ୍ଛାସେବୀମାନଙ୍କୁ ମୋଟେ ସହି ପାରୁନାହାନ୍ତି । ସରକାର ହେଉଛନ୍ତି ଏହି ଦେଶର ମାଲିକ । ସେମାନେ ଏହି କାଳଗୋଟାକର ମାଲିକ, ସେମାନେ ଶାସକ । ସେମାନଙ୍କ ଅମାରରେ ଯେଉଁ ଅର୍ଥ ରହିଛି, ତାହା ଦେଶବାସୀଙ୍କର ହୋଇଥିଲେ ମଧ୍ୟ ଏବଂ ଦେଶବାସୀଙ୍କ ନିମନ୍ତେ ଖର୍ଚ୍ଚ ହେବ ବୋଲି ବରାଦ ରହିଥିଲେ ମଧ୍ୟ ସରକାର ଭିତରେ କ୍ଷମତାସୀନ ଡେଙ୍ଗାମୁଣ୍ଡମାନେ ଯେ ପ୍ରାୟ ଏକ ଆତ୍ମରତିରେ ପଡ଼ି ଆପଣାକୁ ହିଁ ସରକାର ବୋଲି ଧରିନିଅନ୍ତି ଏବଂ ସେହି ହିସାବକୁ ମୂଳ କରି ଶାସନ ଇତ୍ୟାଦି କରନ୍ତି, ଏଠି ଚାରିପାଖକୁ ଚାହିଁଦେବା ମାତ୍ରକେ ତାହା ଅବଶ୍ୟ ଜଳଜଳ ହୋଇ ଦେଖାଯିବ । ଦିନରେ ଦେଖାଯିବ, ରାତିରେ ମଧ୍ୟ ଦେଖାଯିବ । ସରକାରଙ୍କ ହାତରେ ହିଁ ପୋଲିସ୍ ବଳ, ସୈନ୍ୟସାମନ୍ତ, ଏକ ଆଡ଼ମ୍ବରପୂର୍ଣ୍ଣ ଅମଲାତନ୍ତ୍ର । ତେଣୁ, ସରକାରକୁ ମାନିବାକୁ ହିଁ ପଡ଼ିବ । ସରକାରରେ ଯେଉଁମାନେ ଭୋଟ ସୁମାରିରେ ଜିଣି ସବା ଉପରେ ରହିଥାଆନ୍ତି, ସେମାନେ ମାତ୍ର କେତେଟା ବର୍ଷ ସକାଶେ ସେଠାରେ ରହନ୍ତି । ପୁଣି ଭୋଟ ପାଇଲେ ଆସନ୍ତି, ନ ହେଲେ ବାହାରି ଯାଆନ୍ତି । ସମ୍ଭବତଃ ସେହି କାରଣରୁ ହିଁ ଗାଦୀରେ ରହିଥିବା ପର୍ଯ୍ୟନ୍ତ ସେମାନେ ସତେଅବା ଏକ ନାହିଁ ନଥିବା ନିଶା ଭିତରେ ଗରମ ହୋଇ ରହିଥାଆନ୍ତି । ଗୁଡ଼ାଏ ତୋଡ଼ ଦେଖାନ୍ତି । ଗୁଡ଼ାଏ ବଚନିକା ମଧ୍ୟ କରନ୍ତି ଏବଂ, ଶାସନଟାକୁ କେତେବେଳେ ଯେ ପ୍ରାୟ ଏକ ଉପଦ୍ରବରେ ବି ପରିଣତ କରାଇ ଦିଅନ୍ତି, ସେକଥାଟାକୁ ଜାଣିପାରନ୍ତି ନାହିଁ ।

 

ଗଣତନ୍ତ୍ରରେ ଅସଲ କ୍ଷମତା ହେଉଛି ଲୋକଙ୍କ ହାତରେ । ଲୋକଶକ୍ତି ଅସଲ, ରାଜଶକ୍ତି ହେଉଛି ସେହି ଲୋକଶକ୍ତିର ନଉକର । ମାତ୍ର, ଯେଉଁସବୁ ଦେଶରେ ଲୋକମାନେ ନିଜର ଶକ୍ତି ବିଷୟରେ ପୂର୍ଣ୍ଣ ରାଜନୀତିକ ଅର୍ଥରେ ଚେତା ହୋଇନାହାନ୍ତି । ଏବଂ ପୃଥିବୀରେ ଯେଉଁମାନଙ୍କୁ ଆମେ ତୃତୀୟ ବିଶ୍ୱ ବୋଲି କହୁଛୁ, ସେଠାରେ ରାଜଶକ୍ତିଟା ହିଁ ପ୍ରବଳ ଓ ଅତି ପ୍ରବଳ ହେବା ପାଇଁ ଖୁବ୍‌ ମୁହଁ ପାଇଯାଏ । ସାମନ୍ତବାଦୀ କାଇଦାଗୁଡ଼ାକୁ ହିଁ ସତେଅବା ଚିରସ୍ଥାୟୀ କରି ରଖିବାକୁ ଚେଷ୍ଟା କରୁଥାଏ । ଏହିସବୁ ଦେଶରେ ଅଳପ ମଣିଷ ହିଁ ଅଧିକ ମାଡ଼ି ବସିଥାଆନ୍ତି, ଗଡ଼ଜାତି ଅନ୍ଧାରଗୁଡ଼ାକ ଚତୁର୍ଦ୍ଦିଗରେ ଘୋଟି ରହିଥାଏ । ଲୋକାଭିମୁଖୀ ଉଚିତ ପରିବର୍ତ୍ତନମାନେ ଯେପରି ସଳଖ ଅନୁକୂଳତାଗୁଡ଼ିକୁ ପାଇପାରିବେ ନାହିଁ ଓ ବାରମ୍ବାର ଝୁଣ୍ଟିବାରେ ଲାଗିଥିବେ, ସେଥିଲାଗି ବହୁ ଅଭିସନ୍ଧି ଲାଗି ରହିଥାଏ । ଖାତାମାନଙ୍କରେ ବକ୍ତାମାନଙ୍କର ତୁଣ୍ଡରେ ଗଣତନ୍ତ୍ରକୁ ଖୁବ୍ ଛନଛନିଆ କରି ଦେଖାଇବା ନିମନ୍ତେ ଆମ ଦେଶରେ କେତେ ନା କେତେ ଗାମ୍ଭୀର୍ଯ୍ୟପୂର୍ଣ୍ଣ ପ୍ରଚେଷ୍ଟା କରାଯାଉଛି ! ତଥାପି ସରକାରମାନେ ଏକ ହାକିମତନ୍ତ୍ର ସାହାଯ୍ୟରେ ଏପରି ଫିସାଦମାନ ମେଲାଇ ରଖିଛନ୍ତି ଯେ, ସମ୍ବିଧାନଟା ପେଡ଼ୀବସ୍ତ୍ର ହୋଇ ରହିଛି ଓ ଲୋକଶକ୍ତିକୁ ବିମୂଢ଼ କରି ରଖି ଦିଆଯାଇଛି । ଗତ ପଚାଶବର୍ଷ ହେଲା ଗଣତନ୍ତ୍ର ଅଣ୍ଟା ଭାଙ୍ଗି ପଡ଼ିରହିଛି ଏବଂ ଲୋକମାନଙ୍କର ହିଁ ଯାବତୀୟ ରାଜନୀତିକ ସାମର୍ଥ୍ୟ ରହିଛି ବୋଲି ସେହି ଲୋକମାନେ ବି ଜାଣିନାହାନ୍ତି । ପ୍ରତିନିଧିତନ୍ତ୍ର, ଅମଲାତନ୍ତ୍ର, ବ୍ୟବସାୟୀତନ୍ତ୍ର, 'ସାହୁକାରତନ୍ତ୍ର–ଗୋଟିଏ କଥାରେ କହିଲେ, ଗୋଟିଏ ଗଡ଼ଜାତତନ୍ତ୍ର ହିଁ ସକଳ ପରିବର୍ତ୍ତନ ଏବଂ ପଟବଦଳାଇ ଆଶାକୁ ଧୂଳିସାତ୍ କରିଦେବାରେ ଲାଗିଛି । ଶତକଡ଼ା ୧୦ ବା ୧୫ ଏହିମାନେ ଦେଶର ଦୃଶ୍ୟ ଅଦୃଶ୍ୟ ଯାବତୀୟ ବିତ୍ତକୁ ଖାଇଯିବାରେ ଲାଗିଛନ୍ତି । କ୍ଷମତାରେ ବସିଥିବା ନେତାମାନେ ସତେଅବା ଏକ ହାସ୍ୟାସ୍ପଦ ଦୂରଦୃଷ୍ଟିକୁ ଖଟାଇ ନିଜ ଅନ୍ତେ ସେମାନଙ୍କର ପୁତ୍ର, ପତ୍ନୀ ଆଦି ନିଜଜନମାନେ ଯେପରି ଏହି ଦେଶଟାକୁ ଭୋଗ କରିବେ, ପାରମ୍ପରିକ ଭାବରେ ଖାଇପାରିବେ, ତାହାରି ବ୍ୟବସ୍ଥାମାନ ମଧ୍ୟ କରି ଦେଉଛନ୍ତି ।

 

ସ୍ୱେଚ୍ଛାସେବୀ ଖାଇଗଲେ ବୋଲି ଯେଉଁଠାରେ ସରକାରୀ ଚକ୍ରବର୍ତ୍ତୀମାନେ ପାଟି କରୁଛନ୍ତି, ସେହି କ୍ଷେତ୍ରରେ, କେବଳ ଏତିକି କହିଲେ ଯଥେଷ୍ଟ ହେବ ଯେ ସ୍ୱେଚ୍ଛାସେବୀମାନେ ତପସ୍ୟା କଲେ ମଧ୍ୟ ସରକାରୀ କର୍ତ୍ତାମାନଙ୍କ ଭଳି ଏଡ଼େ କୁଶଳ ଭାବରେ ଆଦୌ ଖାଇ ପାରିବେ ନାହିଁ । ହଁ, ସେଚ୍ଛାସେବୀମାନଙ୍କ ହାତକୁ ମଧ୍ୟ ବହୁ ସୂତ୍ରରୁ ବିତ୍ତରାଶି ଆସୁଛି । ସରକାରୀ ପଇସା ଆସୁଛି, ବେସରକାରୀ ପଇସା ଆସୁଛି । ବିଦେଶରୁ ବି ପଇସା ଆସୁଛି । ଭିନ୍ନ ଭିନ୍ନ ଯୋଜନାରେ ଆସୁଛି । ଲୋକତ୍ରାଣ ଓ ଲୋକ-ଉନ୍ନୟନ ନିମନ୍ତେ ଆସୁଛି । ମଝିରେ ଛିଡ଼ା ହୋଇ ଏପାଖର ଅନୁଦାନଟିକୁ ସ୍ୱେଚ୍ଛାସେବୀ ସଂସ୍ଥାମାନେ ମୁଖ୍ୟତଃ ସେପାଖରେ ନେଇ ଖର୍ଚ୍ଚ କରୁଛନ୍ତି, ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକସ୍ତରରେ ନେଇ ପହଞ୍ଚାଇ ଦେଉଛନ୍ତି । ସେମାନେ ଏହି କ୍ଷେତ୍ରରେ ଆଦୌ କୌଣସି ମାଗଣା ଧର୍ମକାର୍ଯ୍ୟ କରୁନାହାନ୍ତି,– ସେହି ବିତ୍ତରୁ ସେମାନେ ନିଜର ଅନ୍ନସଂସ୍ଥାନ ଯୋଗାଡ଼ କରୁଛନ୍ତି । ଏତେ ଏତେ ଅର୍ଥସାମଗ୍ରୀକୁ କାରବାର କରୁଥିବା ସମୟରେ ସେମାନଙ୍କ ଭିତରୁ କେହି ଅଥବା କୌଣସି ସଂସ୍ଥା କିଞ୍ଚିତ ଅନ୍ୟ କିଛି ଭାବନାର ବଶବର୍ତ୍ତୀ ହୋଇ ନିଜର ପାଚିଆ ଭିତରକୁ ହୁଏତ କିଛି ଚଣ୍ଡ କାଢ଼ି ନେଉଥିବ । ଏହା ମଧ୍ୟ ଅବଶ୍ୟ ଗୋଟିଏ ଅପରାଧ ଏବଂ ତାକୁ ଧରିବା ପାଇଁ ବିଧିବଦ୍ଧ ମାର୍ଗମାନେ ମଧ୍ୟ ରହିଛନ୍ତି । କିନ୍ତୁ ଗୁଣେ କାରବାର କଲାବେଳେ ଚାରିଗୁଣ ମାରି ନେବାର ଓ ଖାଇଯିବାର ସିଦ୍ଧବିଦ୍ୟାରେ କ୍ରମଶଃ ପାରଙ୍ଗମତା ଅର୍ଜନ କରିଥିବା ସରକାର ସେତେବେଳେ ଯଦି ସେଚ୍ଛାସେବୀ ଖାଇଗଲେ ବୋଲି ହୁରି ପକାଇବେ, ତେବେ ସେମାନେ ପ୍ରକୃତରେ ଆପଣାକୁ ହିଁ ଅଧିକ ଲୋକହସା କରିବେ । ସତକୁ ଘୋଡ଼ାଇ ରଖିବା ସକାଶେ ଫଉଜ ପଠାଇ ଗୁଳି କରି ମଣିଷ ମାରିଆସିଲେ ମଧ୍ୟ ତଥାପି ଆପେ ସତକୁସତ ଭାରି ବେରସିକ ବୋଲି ଧରା ପଡ଼ିଯିବେ । ଦେଶରେ ସେହି ପର୍ବଟି ଆରମ୍ଭ ହୋଇ କ୍ରମେ ଅଧିକରୁ ଅଧିକ ଜମି ଆସୁଛି । କୀର୍ତ୍ତିମାନେ ପ୍ରଘଟ ହୋଇଯାଉଛନ୍ତି । ଏହି ସରକାରୀ ଘରଗୁଡ଼ାକ ଯେ ଖାଇବାରେ ସବୁଠାରୁ ଆଗରେ, ତାହା ସଫା ଫିଟି ଫିଟି ଯାଉଛି । ସ୍ୱେଚ୍ଛାସେବୀ ଯେତେ ପାରିବାର ହେଲେ ମଧ୍ୟ ତଥାପି ଖାଇବାର କ୍ଷେତ୍ରରେ ସରକାରୀ ଚାପଧାରୀମାନଙ୍କୁ ଯେ ମୋଟେ ବଳିଯାଇ ପାରିବେ ନାହିଁ, ସେକଥା ସରକାରୀ ନଅରାଧୀଶମାନେ ବି ଭଲକରି ଜାଣିଛନ୍ତି ।

 

ଅଥଚ କେଉଁ ଲୋଭରେ ପଡ଼ି ସରକାରୀ ସିଦ୍ଧ କୀଚକମାନେ ସେଚ୍ଛାସେବୀମାନଙ୍କୁ ଏପରି ସହି ପାରୁନାହାନ୍ତି ? ବିଗତ ଆଠ/ଦଶଟା ବର୍ଷ ଭିତରେ ଏଡ଼େ ଶୋଭାବନ ଦିଶୁଥିବା ଶାସନରୂପୀ ଏହି ଜଉଘରଗୁଡ଼ାକରେ ସରକାରୀ ମସ୍ତବଡ଼ ଖଲ୍ୟକାରମାନେ କେଡ଼େ କେଡ଼େ ବୁଦ୍ଧିମତ୍ତାରେ ସୁଡ଼ଙ୍ଗ ଖୋଳି ଏହି ଦେଶଟାକୁ ଯେ ବୋହି ନେଇ ଛୁ’ କରିଚନ୍ତି, ଗୋଇନ୍ଦାମାନେ ଆମକୁ ସେହି ସମାଚାର ଯୋଗାଇ ଦେବାରେ ଲାଗିଛନ୍ତି । ସାନବଡ଼ କେତେ ଧରା ହେଲେଣି । ବୁଦ୍ଧିଆମାନେ ଗୋଖାଦ୍ୟକୁ ମାରି ନେଇଛନ୍ତି, ତୋପକିଣାରୁ ଫାଇଦା ଉଠାଇଛନ୍ତି–ବଟି ମାଗି ବଡ଼ଲୋକ ହୋଇଛନ୍ତି । ଏବଂ, ଯେତିକି ଧରା ପଡ଼ିଛି, ବା ପଡ଼ୁଛି, ସେତିକି ଯେ ସବୁକିଛି, ସେପରି ଭାବିବାର କୌଣସି କାରଣ ନାହିଁ । କୋଟି କୋଟି ପରିମାଣର ମାଲ ଜବତ ହେଉଛି । ହୁଡ଼ି ଯିବାର ଗୋଡ଼ମାନଙ୍କୁ ଅଧିକ ବହପ ଏବଂ ସାହସ ଯୋଗାଇ ଦେବାକୁ ଯୋଗୀ ଏବଂ ବାବାଜୀମାନେ ମଧ୍ୟ ଆସି କି ସୁନ୍ଦର ରୀତିରେ ସାହାଯ୍ୟ ବି କରିଛନ୍ତି । ଆଧୁନିକ ଆହ୍ୱାନଗୁଡ଼ିକରୁ କୋଟି କୋଟି ମନୁଷ୍ୟଙ୍କୁ ଭୂତାଇ ରଖିବାକୁ ଚୋରମାନେ କେତେକେତେ ଚାଇଁରେ ଯେ କ୍ରିୟାଶୀଳ ହୋଇ ରହିଛନ୍ତି, ସ୍ୱୟଂ ଭଗବାନ ମଧ୍ୟ ସେସବୁର ପତ୍ତା ପାଉନଥିବେ । ମୂଳତଃ, ସରକାର ଯାହା କରିବା କଥା, ସରକାର ତାହା କରିପାରିଲେ ନାହିଁ ବୋଲି ହିଁ ତ ସ୍ଵେଚ୍ଛାସେବୀ ସଂସ୍ଥାଗୁଡ଼ିକୁ ଲୋଡ଼ିଲେ । ତେବେ ବର୍ତ୍ତମାନ ସେମାନଙ୍କୁ ସହି ପାରୁନାହାନ୍ତି କାହିଁକି ? କେଉଁ କାରଣ ଗୁଡ଼ିକ ହେତୁ ସରକାର ସ୍ୱେଚ୍ଛାସେବୀମାନଙ୍କୁ ବିପଦଜନକ ବୋଲି ବିଚାର କରୁଛନ୍ତି ? ପ୍ରକୃତ ସରକାର ତ ସ୍ୱେଚ୍ଛାସେବୀ ସଂସ୍ଥାଗୁଡ଼ିକୁ ନିଜର ପରିପୂରକ ଭଳି ଗ୍ରହଣ କରନ୍ତା, ସେମାନଙ୍କୁ ଦେଖି ଖୁସି ବି ହୁଅନ୍ତା । ସେମାନଙ୍କୁ ସେହି ରୂପେ ବ୍ୟବହାର କରି ଅଧିକ ପ୍ରାସଙ୍ଗିକତା ସହିତ ନିଜର ଧର୍ମକୁ ପାଳନ କରିପାରନ୍ତା । ସ୍ୱେଚ୍ଛାସେବୀ ସଂସ୍ଥାକୁ ଲୋକମାନଙ୍କ ପାଖରେ ପହଞ୍ଚିବାର ମାଧ୍ୟମ ସ୍ଵରୂପ ବ୍ୟବହାର କରନ୍ତା । ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ଲୋକ ଉନ୍ନୟନ କ୍ଷେତ୍ରକୁ ଆସି ସକ୍ରିୟ ହେବାର ପ୍ରକ୍ରିୟାରେ ସରକାରଙ୍କ ସକାଶେ ଆତଙ୍କଦାୟକ ହେବା ଭଳି ଏପରି କ’ଣ ଘଟିଛି ଯେ ସରକାରୀ ମଉସାମାନେ ସେମାନଙ୍କ ଉପରେ ଲଗୁଡ଼ ପ୍ରହାର କରିବା ନିମନ୍ତେ ଉଦ୍ୟତ ହୋଇପଡ଼ୁଛନ୍ତି ?

 

ସେଚ୍ଛାସେବୀ କୁଆଡ଼େ କେତେ ତଳଯାଏ ଖେଦି ଯାଇପାରୁଛନ୍ତି । ଏକଥା ମଧ୍ୟ ସତ୍ୟ ଯେ ଅଧିକାଂଶ କ୍ଷେତ୍ରରେ ସେମାନେ ଅନୁଗତ ଅନୁରୋଧରେ ବାଧ୍ୟ ହୋଇ ସେଯାଏ ଯାଇଛନ୍ତି । ପାହାଡ଼ ଓ ଅରଣ୍ୟ ସନ୍ଧିରେ ଯେଉଁ ମଣିଷମାନେ ପୁରୁଷ ପୁରୁଷ ଧରି ରହି ଆସିଛନ୍ତି, ଦେଶଟା ସ୍ଵାଧୀନ ହୋଇଥିଲେ ମଧ୍ୟ ଜଣେ ଜଣେ ନାଗରିକ ହିସାବରେ ଆପଣାକୁ ସବଳ ଓ ସଚେତନ ଭାବରେ ଅନୁଭବ କରିନାହାନ୍ତି, ସରକାରଙ୍କର ବ୍ୟାବହାରିକ ଯାବତୀୟ ଧନ୍ଦାରେ ଯେଉଁମାନଙ୍କୁ ଏବେ ମଧ୍ୟ ମନୁଷ୍ୟର,–ନାଗରିକର ସ୍ୱୀକୃତି ମିଳିବା ତ ଆହୁରି ଦୂରର କଥା–ସ୍ଵୀକୃତି ପ୍ରାପ୍ତ ହୋଇନାହିଁ ଓ ସରକାରୀ ବିଭାଗମାନଙ୍କର ଭାରପ୍ରାପ୍ତମାନେ ସ୍ଥାନୀୟ ଅଧିକ ସଂପନ୍ନମାନଙ୍କ ସହିତ ଏକତ୍ର ମିଶି ଯେଉଁମାନଙ୍କୁ ଶୋଷଣ କରି ଆସିଛନ୍ତି,– ସ୍ୱେଚ୍ଛାସେବୀ ସେମାନଙ୍କ ପାଖରେ ଯାଇ ପହଞ୍ଚିଛନ୍ତି ଏବଂ ସରକାରଙ୍କ ତରଫରୁ ସେମାନଙ୍କର ମିତ୍ରବତ୍ ବସିଛନ୍ତି । ସେମାନଙ୍କର ପିଲାଙ୍କୁ ଅକ୍ଷର ଶିଖାଇଛନ୍ତି ଏବଂ ସରକାରଙ୍କ ତରଫରୁ ସେମାନଙ୍କର ମାରଫତରେ କରାଯାଉଥିବା ଏକାଧିକ କଲ୍ୟାଣକାର୍ଯ୍ୟ କରାଇଛନ୍ତି । ଏବଂ, ସେମାନଙ୍କୁ ଗୀତ ଗାଇ ଶିଖାଇଛନ୍ତି, ସେମାନଙ୍କର ଆଖିକୁ ଅଧିକ ଆଗକୁ ପ୍ରସାରି ହୋଇଯିବାରେ ନିମିତ୍ତ ପରି ବ୍ୟବହୃତ ହୋଇଛନ୍ତି । ସରକାରୀ ଶୋଷଣ ବନ୍ଦ ହୋଇଛି, ସରକାରକୁ ରହି ଆସିଥିବା ଭୟ ତୁଟି ତୁଟି ଯାଇଛି । ସେମାନଙ୍କ ନିମନ୍ତେ ରହିଥିବା କେତେକେତେ ଉନ୍ନୟନ କାର୍ଯ୍ୟ ଯେ ସରକାରୀ ତଥା ଅନ୍ୟ ନାନାବିଧ ନ୍ୟସ୍ତସ୍ଵାର୍ଥମାନଙ୍କଦ୍ୱାରା ସେମାନଙ୍କ ଯାଏ ନଆସି ଆଉ କୁଆଡ଼େ ପଳାଇ ଯାଉଛି, ପ୍ରଧାନତଃ ସେଚ୍ଛାସେବୀମାନଙ୍କ ମାଧ୍ୟମରେ ହିଁ ସେମାନେ ଜାଣି ପାରିଛନ୍ତି । ଯୁଗ ଯୁଗର ଜଡ଼ତା ଟଳିବାକୁ ଆରମ୍ଭ କରିଛି ।

 

ତେଣୁ ସରକାର ପ୍ରମାଦ ଗଣୁଛନ୍ତି । ସ୍ଥାନୀୟ ଅଧିକ ଚତୁର ମହାପାତ୍ରମାନେ ବି ପ୍ରମାଦ ଗଣୁଛନ୍ତି । ସରକାରଙ୍କର ଅସଲ ହିଂସାଟା ଏଇଥିପାଇଁ । ଅତ୍ୟନ୍ତ ସିଧା କଥା ଯେ ସେହି ସବାତଳର ମଣିଷମାନେ ସରକାରଙ୍କର ତୁଳନାରେ ସ୍ୱେଚ୍ଛାସେବୀଙ୍କୁ ହିଁ ଅଧିକ ବିଶ୍ୱାସ କରୁଛନ୍ତି । ସେମାନଙ୍କ ପରାମର୍ଶଦ୍ୱାରା ସେମାନଙ୍କର ଜୀବନରେ ନୂଆ ନୂଆ ଗବାକ୍ଷମାନ ଖୋଲିଯାଉଛି । ଜଡ଼ତା ଭାଙ୍ଗୁଛି ଓ ଏକତାଭିତ୍ତିକ ଏକାଧିକ ଉଦ୍ୟମଦ୍ୱାରା ସେମାନେ ଯେ ନିଜର ଜୀବନ-ନିୟତିରେ ବହୁ ପରିବର୍ତ୍ତନ ସମ୍ଭବ କରି ପାରିବେ, ଏକଥା ସେମାନଙ୍କର କ୍ରମେ ହୃଦ୍‌ବୋଧ ହୋଇ ଆସୁଛି । କଂସମାନେ କୃଷ୍ଣମାନଙ୍କୁ ତେଣୁ ଆଉ ମୋଟେ ସହ୍ୟ କରି ପାରୁନାହାନ୍ତି । ନାନା ଫିସାଦରେ ଆଇନଗୁଡ଼ାକୁ ବଙ୍କାଇ ବିକୃତ କରି ସେମାନେ ସ୍ୱେଚ୍ଛାସେବୀମାନଙ୍କୁ ଭାତରେ ମାରିଦେବେ ବୋଲି ଫିକର ବି କଲେଣି । ସେମାନଙ୍କୁ ନିନ୍ଦିତ କରିବା ନିମନ୍ତେ ପାଞ୍ଚ କରୁଛନ୍ତି । ଯଦି ସ୍ୱେଚ୍ଛାସେବୀମାନେ ସରକାରୀ ଅନାଚାରଗୁଡ଼ିକୁ ମାନି ନିଅନ୍ତେ, ସେଗୁଡ଼ିକୁ ଲୋକଙ୍କ କାନ ଯାଏ ନେଇଯିବାର ଦୁର୍ବୁଦ୍ଧି ନ କରନ୍ତେ, ତେବେ ସରକାର ପାଖରେ ନିତାନ୍ତ ସୁନାପୁଅ ହୋଇ ରହିପାରନ୍ତେ, କେତେ କେତେ ପ୍ରକାରେ ଉପକୃତ ମଧ୍ୟ ହୁଅନ୍ତେ । ପୁରୁଣା ଠକାମିଗୁଡ଼ାକରେ ଆଦୌ ତୁଣ୍ଡ ଖୋଲନ୍ତେ ନାହିଁ । ସରକାରିଆ ସମସ୍ତେ ଶାନ୍ତିରେ ରହନ୍ତେ । କିନ୍ତୁ ହାୟ, ବିଧାତାର ବରାଦ ସମ୍ଭବତଃ ଏକାବେଳକେ ଅନ୍ୟପ୍ରକାର ଭଳି ଲାଗୁଛି । ଭାରତବର୍ଷର ଭାଗ୍ୟଚକ୍ର ଏଣିକି ଅନ୍ୟଭଳି କୌଣସି ରୀତିରେ ବୁଲିବ ବୋଲି ସ୍ଥିର କରୁଛି । ଏହି ଭୂଇଁରେ ମଣିଷମାନେ ସମସ୍ତେ ଗଣା ହେବେ । ମଣ୍ଡଳ ଗଣତିର ବରାଦଟାକୁ ମାନି ଜାତି ଏବଂ ପାଟକ ଅନୁସାରେ ନୁହେଁ, ନାଗରିକର ପରିପୂର୍ଣ୍ଣ ଅଧିକାରଦ୍ୱାରା ହିଁ ସ୍ଵୀକୃତ ହେବେ । ନାଗରିକ ଶକ୍ତିଦ୍ୱାରା ହିଁ ଲୋକତନ୍ତ୍ରର ଇଜ୍ଜତ ରହିବ ବୋଲି ଦେଶଯାକ ବୁଝିବାକୁ ଆରମ୍ଭ କରିବ । ଏହି ମିଛ ଭାଡ଼ିଗୁଡ଼ାକ ଭୁସ୍‌ଭାସ୍ ଭାଙ୍ଗି ପଡ଼ିବ । ସବୁ ମଣିଷ ଏକାଠି ପୂରା ଚେତାରେ କ୍ରିୟାଶୀଳ ହେବେ । ଏକ ବିକାଶଶୀଳ ଦେଶରେ ପ୍ରତିବାଦ କରିବାର ଶକ୍ତି ହେଉଛି ଅସଲ ଶକ୍ତି । ସରକାରୀ ସନ୍ତ୍ରାସ ସେହି ଶକ୍ତିକୁ ବହୁ ଧୃଷ୍ଟତା ସହିତ ବହୁ ପ୍ରକାରେ ବାଟ ଓଗାଳି ରଖିଛି । ଭଲ ବୁଦ୍ଧି କରିବାକୁ ରାଜି ହେଉନାହିଁ । ସ୍ୱେଚ୍ଛାସେବୀମାନଙ୍କୁ ଗୋଡ଼େ ଗୋଡ଼େ ଜଗିବାକୁ ଇଚ୍ଛା କରୁଛି ।

 

୧.୭.୦୨

☆☆☆

 

Unknown

ଆମେରିକାରୁ କାଶୀପୁର

 

ଅଗମ୍ୟ ପାହାଡ଼ ଅଞ୍ଚଳ କାଶୀପୁର । ସେଠାରେ କାଳକାଳରୁ ମଣିଷମାନେ ବାସ କରି ଆସିଛନ୍ତି । ଏବେ ମଧ୍ୟ ବାସ କରୁଛନ୍ତି । କାଶୀପୁରରେ ଏକଦା ଅରଣ୍ୟ ଭର୍ତ୍ତିହୋଇ ରହିଥିଲା । ଏବେ ସବୁ ପଦା ହୋଇଗଲାଣି । ପାହାଡ଼ମାନେ ତୁଚ୍ଛା ନଣ୍ଡା ପଡ଼ିଛନ୍ତି । ଖରାବେଳେ ସେମାନଙ୍କୁ ଅନାଇ ଦେଖୁଥିବା ସମୟରେ ସତେଅବା ନୁଖୁରା ଓ ଚିଡ଼ା ବାବାଜୀମାନଙ୍କ ପରି ଦିଶୁଛନ୍ତି । ମଣିଷଗୁଡ଼ାଙ୍କ ଆଡ଼କୁ ଅନାଇ ସତେ ଅବା ଖୁବ୍‌ ଖିଙ୍କାରି ହେଉଛନ୍ତି । ପଦା ହୋଇଥିବା ଜଙ୍ଗଲଗୁଡ଼ାକୁ ଯଦି ସେଠାରେ ଘର କରି ରହି ଆସିଥିବା ମଣିଷମାନେ ପ୍ରକୃତରେ ଭୋଗ କରିଥାନ୍ତେ, ତେବେ ସେମାନେ ଏବେ ମୋଟେ ଏକାଧିକ ଦୁର୍ଗତି ଭିତରେ ପଡ଼ିରହି ନଥାନ୍ତେ ଏବଂ ବାହାରର ଧୋବ ଓ ବୁଦ୍ଧିମାନମାନଙ୍କର ଦୟା ଉପରେ ନିର୍ଭର କରୁନଥାନ୍ତେ । ଏବଂ କାଶୀପୁରରୁ ବହୁ ଦୂରରେ ଆମେରିକା । ଆମେରିକା କହିଲେ ସତେଅବା ଏକ ଆର୍ଷ ପ୍ରୟୋଗର ଭାବନା ଅନୁସାରେ ସବା ଆଗ ଆମେରିକାର ଯୁକ୍ତରାଜ୍ୟକୁ ବୁଝାଏ । ସତେ ଯେପରି ସେହି ଗୋଟିଏ ଦେଶ ହିଁ ମଝିରେ ରହିଛି, କାନ୍ଥ ପରି, ବାପ ପରି ଓ ମାଲିକ ପରି ଛିଡ଼ା ହୋଇ ରହିଛି ଏବଂ ତା’ ସହିତ ପଡ଼ିଶାପଣରେ ପାଖ ହୋଇ ରହିଥିବା ପନ୍ଦର ବା ପଚିଶିଟିଯାକ ଦେଶ ତାହାରି କାନ୍ଥରେ ହିଁ ଶିଶି ଓ ବୋତଲଗୁଡ଼ିକ ପରି ଟଙ୍ଗା ହୋଇ ରହିଛନ୍ତି । ଏହି ଯୁକ୍ତରାଜ୍ୟ ପୃଥିବୀର ସବୁଠାରୁ ଅଧିକ ଧନୀ ଦେଶ, ସବୁଠାରୁ ଅଧିକ ବୋମା ଓ ବନ୍ଧୁକ ଜମାଇ ରଖିଥିବା ଦେଶ, ସମଗ୍ର ପୃଥିବୀର ସାହୁକାର ଦେଶ ଏବଂ ଆପଣାର କୋଷ୍ଠୀରେ ଲେଖା ହୋଇ ରହିଥିବା ଭଳି ପ୍ରାୟ ଏକ ପୂର୍ଣ୍ଣ ଏକତରଫା ପ୍ରତ୍ୟୟରେ ପୂରାପୂରି ପ୍ରାୟ ନିଜ ଉତ୍ସାହରେ ଆମ ପୃଥିବୀର ଆଗାମୀ କାଳଚିତ୍ରଟି ଭିତରେ ସର୍ବ ମୀମାଂସକର ଭୂମିକାରେ ଅବସ୍ଥାପିତ ହୋଇ ରହିବ ବୋଲି ନିଜକୁ ଉପଯୁକ୍ତ ଭାବରେ ତାଲିମ ଦେବା ପାଇଁ ପୂର୍ଣ୍ଣ ଉଦାରତା ସହକାରେ ଅଥଚ ଗାମ୍ଭୀର୍ଯ୍ୟର ସହିତ ନିଷ୍ପତ୍ତି ଗ୍ରହଣ କରି ସାରିଥିବା ଦେଶ । ତାହା ହିଁ ଆମେରିକା ।

 

ସେଦିନ ସେହି ଆମେରିକାରୁ ଫୋନ ଉପରେ ଆଙ୍ଗୁଠି ବୁଲାଉ ବୁଲାଉ କାଶୀପୁର ବି ଲାଗିଗଲା । ଏଡ଼େ ପରିଷ୍କାର ଭାବରେ ସେପଟର କଥାଗୁଡ଼ିକ ଆମେରିକାରେ ମୋ କାନ ପାଖରେ ଯାଇ ପହଞ୍ଚି ଯାଉଥିଲା ଯେ କାଶୀପୁରଟା ସତେଅବା ଆମେରିକାକୁ ଲାଗିକରି ରହିଥିବା ସେହି ଗୋଟିଏ ଗାଆଁର ଆରସାହି ପରି ଲାଗିଲା । ମୋ’ଭିତରେ ତରୁଣ ଆତ୍ମାଟି ସେଦିନ ସତକୁସତ ଶିହରି ଉଠିଲା । ଏହି ଶିହରି ଉଠିବାର ଇତିହାସ, ଏକ ବୃହତ୍ତର ଅର୍ଥରେ ତାହାହିଁ ହେଉଛି ଏହି ପୃଥ୍ୱୀସଭ୍ୟତାର ଇତିହାସ ପୃଥିବୀ ବିଧାତାର ସମ୍ଭବତଃ ମନୁଷ୍ୟ ସମୂହ ଲାଗି ସବାବଡ଼ ଚେତାବନୀ । ଆମ ପୃଥିବୀଯାକର ମହତ୍ତମ ଉପଲବ୍ଧିଗୁଡ଼ିକର ଇତିହାସ, ଏବଂ, ଏକ ସଦ୍ୟତମ ପାରିଭାଷିକ ଚଳଣି ମଧ୍ୟରୁ ଶବ୍ଦଟିଏ ଆଣି କହିବାକୁ ମନ କଲେ, ତାହା ହେଉଛି ଏକ ନିୟତି-ନିର୍ଦ୍ଦେଶିତ ଜଗତିକରଣର ଇତିହାସ । ଗୋଟାସୁଦ୍ଧା ମନେ ଅଛି, ଆମ ଗାଆଁରେ ଚିଠିଖଣ୍ଡେ ଡାକରେ ପକାଇବାକୁ ଆମକୁ ଉପରବେଳିଆ ଖରାରେ ଦୁଇ ବା ତିନି କିଲୋମିଟର ବାଟ ଗହୀର ବିଲ ଦେଇ ଦଉଡ଼ିବାକୁ ପଡ଼ୁଥିଲା । ଡାକବାବୁ ସପ୍ତାହରେ ଥରେ ଗାଆଁକୁ ଯାଉଥିଲେ । ସେହି ରାଜକର୍ମଚାରୀଙ୍କୁ ଦେଖିଲେ ଯାଇ ହୁଏତ ଗୋଟାଏ ରାଜ୍ୟ ଭିତରେ ରହିଥିବା ପରି ଆମ ଗାଆଁର ଅନେକ ଅନେକ ଲୋକଙ୍କୁ ବୋଧ ହୋଇ ପାରୁଥିଲା । ଗାଆଁ ସେପାଖକୁ ଆହୁରି ପୃଥିବୀ ସତକୁସତ ରହିଥିବା ପରି ଲାଗୁଥିଲା । ଏବେ ଆମ ଗାଁରେ ପଖାଳ ଖାଇ କଲେଜରେ ପାଠ ପଢ଼ି ହେଲାଣି, ନଈ ଉପରେ ପକ୍କା ଶଙ୍ଖ ତିଆରି ହୋଇ ସାରିଲାଣି, ଗାଆଁର ସାତଟା ଜାଗାରେ ବି ଟେଲିଫୋନ୍ ତାରରେ ପହଞ୍ଚି ଯାଇ ହେଲାଣି । ଅଦୃଷ୍ଟଗୁଡ଼ିକୁ ଦୃଷ୍ଟ କରି ଆଣିବାର ସେହି ଅଭିନବ ପ୍ରଭାବରେ କାଶୀପୁର ମଧ୍ୟ ଆମେରିକା ଯାଏ ହାତ ବଢ଼ାଇ ବାହାରିଲାଣି । ପର୍ବତଗୁଡ଼ାକ ଆଦୌ ବାଧା ନୁହନ୍ତି ବୋଲି ଜାଣି ସାରିଲାଣି । ଆମେରିକା ଏହି ପୃଥିବୀ ଭିତରେ ନ ରହିଲେ ପୃଥିବୀଟା ବଡ଼ ଖଣ୍ଡିଆ ହୋଇ ରହିଯିବ ବୋଲି ଆମେରିକା–ଯେପରି ଭାବୁଛି, କାଶୀପୁର ମଧ୍ୟ ପୃଥିବୀ ଭିତରେ ନ ରହିଲେ ଠିକ୍ ସେହି ବିଧାନଟି ଅନୁସାରେ ପୃଥିବୀଟା ଅବଶ୍ୟ ଖଣ୍ଡିଆ ହୋଇ ରହିବ ବୋଲି ତେଣେ କାଶୀପୁର ମଧ୍ୟ ବୁଝିଲାଣି ଏବଂ, ମଣିଷ ଯେତେବେଳେ ସତକୁସତ ବୁଝିବ, ସେତେବେଳେ କୋଉ ଦୈତ୍ୟ ବା କୋଉ ଦେବତାର ସାଧ୍ୟ ଅଛି ତା’ ମୁହଁରେ ତୁଣ୍ଡି ବାନ୍ଧି ଓ ଗୋଡ଼ରେ ଢିଙ୍କିଆ ପକାଇ ତାକୁ ଅଟକାଇ ରଖିବ ? ଆମେରିକା ଯାଏ ଆସି ପହଞ୍ଚି ପାରିବାକୁ ହେଲେ କାଶୀପୁର କଦାପି କାହାରି ଦୟାରେ ତାହା ସାଧ୍ୟ କରିପାରିବ ନାହିଁ । କାରଣ, ଏଇଟି ହେଉଛି ମୂଳଭୂତ ଭାବେ ଏକ ସ୍ଵୀକୃତିର ପ୍ରଶ୍ନ । ଏବଂ, ନିଜେ ଚେତା ହୋଇ ଛିଡ଼ା ହେବାର ଏବଂ ଚେତା ହୋଇ କଥା କହିବାର ନିଷ୍ପତ୍ତିଟିଏ ଗ୍ରହଣ ନ କଲେ ସେହି ସ୍ଵୀକୃତି ମୋତେ କଦାପି କେହି ମୋ ଘରକୁ ଆସି ମୋତେ ଦେଇଯିବେ ନାହିଁ । ଚେତା ହେଲେ ଯାଇ ରାୟଗଡ଼ା ଦେଖାଯିବ, ତା’ପରେ ଭୁବନେଶ୍ୱର ଦେଖାଯିବ ଏବଂ ସେହି ଭୁବନେଶ୍ୱରଠାରୁ ଆମେରିକା ସମେତ ସଂପୂର୍ଣ୍ଣ ପ୍ରତିଶ୍ରୁତିର ଏକ ଅନ୍ୟ ପୃଥିବୀକୁ ମଧ୍ୟ ବାଟ ପଡ଼ିଛି ବୋଲି ଆଉ ବାହାରୁ ଆସି କାହାକୁ ମୋଟେ ବୁଝାଇ ଦେବାକୁ ପଡ଼ିବ ନାହିଁ । ପୃଥିବୀର ଅସଲ ଇତିହାସ ହେଉଛି ଏହି ସ୍ଵୀକୃତି ପାଇଁ ଜିଦ୍ କରିବାର ଓ ସ୍ଵୀକୃତି ଲାଭ କରିବାର ଇତିହାସ । ପୃଥିବୀର କୋଣ ଓ ଅନୁକୋଣମାନଙ୍କରେ ମନୁଷ୍ୟମାନେ କ୍ରମେ ସେଥିପାଇଁ ରାଜି ହୋଇ ଆସିଲେଣି । ଗୁଳି ଖାଇବାକୁ ରାଜି ହେଲେଣି । ହାକିମ ଏବଂ ବେପାରୀମାନଙ୍କ ହାତରେ ନିରୀହ ପ୍ରଜାଟିଏ ହୋଇ ରହିବ ନାହିଁ ବୋଲି ସତେଅବା ତା’ଭିତରୁ କିଏ ମଣିଷକୁ ତାଡ଼ନା ଦେବାକୁ ଆରମ୍ଭ କଲାଣି । ସିଏ ଯେଉଁ ଦେଶରେ ବାସ କରୁଛି, ସେହି ଦେଶରେ ସତକୁସତ ଜଣେ ନାଗରିକର ପୂର୍ଣ୍ଣ ସ୍ୱୀକୃତି ପାଇବା ନିମନ୍ତେ ଦାବି କରି ବାହାରିଲାଣି । ଚଲାଖମାନେ, ପାଠୁଆମାନେ, ଡାକୁମାନେ ତାକୁ ଏ ଧର୍ମରୁ ସେ ଧର୍ମକୁ ଦୀକ୍ଷିତ ହୋଇ ପଡ଼ିଲେ ସବୁ ସୁଖ ମିଳିବ ବୋଲି ଫୁସୁଲେଇବାରେ ଲାଗିଛନ୍ତି । କେତେଟା ମିଛ କୁଜକୁ ପିଠିରେ ବୋହୁଥିବା ଏବଂ ଏହି ତଥାକଥିତ ଅନିତ୍ୟ ସଂସାରରେ ଯଥାସମ୍ଭବ ଅଧକ ସୁଖଭୋଗର ସାଫାରୀ କରି ବୁଲୁଥିବା କୋଧା କ୍ଷମତାସୀନମାନେ ମଧ୍ୟ ତାକୁ ଯେଉଁଠି ସେଇଠି ଚିରକାଳ ପକାଇ ରଖିବାକୁ କମ୍ ଫିକର କରୁନାହାନ୍ତି । ସିଏ ତଥାପି ରାଜି ହେବ ନାହିଁ । ସିଏ ସମସ୍ତଙ୍କ ସହିତ ଜଣେ ପୂର୍ଣ୍ଣ ନାଗରିକର ମର୍ଯ୍ୟାଦାରେ ସମ୍ମାନର ସହିତ ବସିବ । ନିଜ ଭାଗ୍ୟର ନିର୍ଣ୍ଣୟରେ ତା’ର ମଧ୍ୟ ଏକ ଭାଗ ରହିବ ।

 

ଆମେ ଯେଉଁମାନେ ପାଠ ବୋଲି କ’ଣଟାଏ ପଢ଼ି ସେହି ପୁରୁଣା କାଳଗୁଡ଼ାକ ପରି ପରବର୍ତ୍ତୀ ଆହୁରି ଅନେକ ବର୍ଷ ପର୍ଯ୍ୟନ୍ତ ମଧ୍ୟ ଧୂର୍ତ୍ତ ହୋଇ ମୁଲକଟାକୁ ଠକୁଥିବୁ ବୋଲି ଆଣ୍ଟ କରିଛୁ, ଆମେ ଏହି ରାତିଟା ସବୁକାଳେ ରହିଥାଉ ବୋଲି ଇଚ୍ଛା କରି ଏଣେ ସିନ୍ଦୁରା ଫାଟି ଆସୁଥିବା ସାମନା ଦିଗଟାକୁ ଅନାଇବାକୁ ବି ଇଚ୍ଛା କରୁନାହୁଁ ଏବଂ ନିଜ ସାହିଟାକୁ ହିଁ ଆମେରିକା କରି ରଖିବାର ମତ୍ତତା ଭିତରେ କେତେ କେତେ ଅଧମ ଅପଚାରରେ ନାକଯାଏ ବୁଡ଼ି ରହିଛୁ । ଦେଶର ବିକାଶ ନାମରେ କାଶୀପୁରଗୁଡ଼ିକୁ ଗୋଟାସୁଦ୍ଧା ଭୂତାଇ ରଖିବାକୁ ଇଚ୍ଛା କରୁଛୁ । ଫଉଜ ଆମ ହାତରେ, ଠେଙ୍ଗାବାଡ଼ିମାନେ ଆମ ହାତରେ, ନ୍ୟାୟ ଏବଂ ଯାବତୀୟ ନିୟମ ମଧ୍ୟ ଆମ ହାତରେ । ଆମ ସହରମାନଙ୍କରେ ଆମ ପଟଟାକୁ ଆମେ ଆମେରିକା ଭଳି ଚହଟାଇ ରଖିବା ପାଇଁ ହିଁ କାଳକୁ ଆଗକୁ ଯିବାକୁ ଦେଉନାହୁଁ । ଲେକେ ଖଜଣା ଗଣୁଛନ୍ତି ଏବଂ ଆମେ ଆମେରିକାର ଗଣିତ ଅନୁସାରେ ତାଙ୍କର ସିଂହଭାଗଟାକୁ ମାରି ଦେଉଛୁ । ସେମାନଙ୍କୁ ଘୃଣା କରୁଛୁ ଏବଂ ଏହି ଭୂମିର ଯାବତୀୟ ପରିମଳକୁ ସତେଅବା କୌଣସି ମାହାରୀ ନାଚ ପରି ଉପଭୋଗ କରିବାରେ ଲାଗିଛୁ । ଏବର ସାଧୁସନ୍ଥମାନେ ମଧ୍ୟ ସମ୍ଭବତଃ ଭୂମି କହିଲେ ଭୂମିରେ ବାସ କରୁଥିବା ସବୁ ମଣିଷଙ୍କୁ ସ୍ଵୀକାର କରୁନଥିବା ପରି ସେହି ଉପରେ ରହିଥିବା ଅଳପବର୍ଗଙ୍କର ପାଟକାନିଟାକୁ ଧରି ଶାନ୍ତ ହୋଇ ରହିବାକୁ ଅଧିକ ନିରାପଦ ବୋଲି ହିଁ ଜାଣୁଛନ୍ତି । ସେମାନେ ନିଜ ଆରାଧ୍ୟ ଭଗବାନଙ୍କୁ ମଧ୍ୟ ଏପରି ଏକଆଖିଆ କରି ରଖିଦେଲେଣି ଯେ ସିଏ ବି ସେହି ଅଳପଙ୍କୁ ଆଶ୍ରା କରି ଚଳପ୍ରଚଳ ହେବାକୁ ବାଧ୍ୟ ହେଉଛନ୍ତି । ତୁମେ ଭଗବାନଙ୍କୁ ମାନିବ ଅଥଚ ସବୁ ମଣିଷଙ୍କୁ ସ୍ଵୀକୃତି ଦେବ ନାହିଁ; ଗଣତନ୍ତ୍ରକୁ ମାନିବ ଏବଂ ସବୁ ମଣିଷଙ୍କ ପାଇଁ ସେଥିରେ ଥାନ କରିବା ନିମନ୍ତେ ରାଜି ହେବ ନାହିଁ, ଏସବୁ ଆଉ କେତେ କାଳ ଚାଲିଥିବ ? ସବୁ ମଣିଷଙ୍କୁ ଏକାଠି କରି ଦେଖିଲେ ଓ ଆମର ଏହି ଭୂଇଁଟିକୁ ସମସ୍ତଙ୍କର ସମ୍ପଦରୂପେ ମାନିନେଇ ପାରିଲେ ତୁମକୁ ଆମେରିକା ମଧ୍ୟ ଏଭଳି ଏକ ଭିନ୍ନ ପ୍ରେରଣା ଦେବାକୁ ଲାଗିବ, ଯାହାଫଳରେ ଆପଣାର ଯାବତୀୟ ହିସାବରେ କାଶୀପୁରକୁ ତୁମେ କେବେହେଲେ ବାଦ୍ ଦେଇ ପାରିବ ନାହିଁ ।

 

ସେତେବେଳେ ଜଗତିକରଣ କଥାଟିକୁ ତୁମେ ଏକାବେଳେକେ ଅନ୍ୟ ଏକ ଅର୍ଥରେ ବୁଝିବ । ଅଧିକ ସୁସ୍ଥ ହେବ । ଏବଂ ତା’ପରେ ତୁମେ କାଶୀପୁରକୁ କଦାପି ଗିଳି ପକାଇବାକୁ ମନ କରିବ ନାହିଁ । ଏବଂ, ଆହୁରି ଅଧିକ ମହତ୍ତ୍ୱପୂର୍ଣ୍ଣ କଥା ହେଉଛି ଯେ କାଶୀପୁର ବି ତୁମକୁ ଆଉ ଆଦୌ ତୁମେ ତାକୁ ଗିଳି ପକାଅ ବୋଳି ବାଟ ଛାଡ଼ିଦେବ ନାହିଁ । ତାହାରିଦ୍ୱାରା ହିଁ ଯୁଗ ବଦଳିବାର ଅସଲ ମୁହୂର୍ତ୍ତଟି ଆସି ପହଞ୍ଚିବ । ସେହି ତଳଟା ପଶୁପରି ସହିବାକୁ ମନା କରିଦେବ ଏବଂ ତାହାରି ଫଳରେ ନିଜ ଭିତରୁ ହିଁ ଅମିତ ଶକ୍ତିର ଉଦବୋଧନ ଲାଭ କରିପାରିବ । ସେଥିପାଇଁ ଆବଶ୍ୟକ ସ୍ଥିର ନେତୃତ୍ୱଟି ତା’ ନିଜ ସମୂହଟି ଭିତରୁହିଁ ନିର୍ମିତ ହୋଇ ଆସିବ । ତଳେ ରହିଥିବା ମଣିଷଙ୍କର ଉତ୍‌ଥାନ ତଥା ଉନ୍ନୟନ ଲାଗି ବର୍ତ୍ତମାନ କେତେ କେତେ ସ୍ଵେଚ୍ଛାସେବୀ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ହୁଏତ ଏକ ଦୟାଭାବଦ୍ୱାରା ଉଦ୍‍ବୁଦ୍ଧ ହୋଇ ନାନା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ସତେଅବା କୌଣସି ଧର୍ମକାମ କରିବାରେ ନିଜକୁ ନିୟୋଜିତ କରି ରଖିଛନ୍ତି । ଏହି ଧର୍ମକାର୍ଯ୍ୟ କରିବାରେ ସରକାର ମଧ୍ୟ କ’ଣ କମ୍ । ପଇସା ଖରଚ କରୁଛି ? ମାତ୍ର, ଏହି ଯାବତୀୟ କାର୍ଯ୍ୟକ୍ରମର ମାଧ୍ୟମରେ ମଣିଷ ଆପଣାର ଅନ୍ତର୍ଗତ ଅସଲ ପରିଚୟଟି ବିଷୟରେ ସଚେତନ ହେଉ, ନିଜର ନାଗରିକତ୍ଵ ଦାବି କରୁ, ସାଙ୍ଗ ହୋଇ ବାହାରୁ, ଏଇଥି ସକାଶେ ଯେଉଁ ସ୍ୱେଚ୍ଛାସେବୀ ଓ ତା’ ସଂସ୍ଥା ନିଜର ସବାଆଗ ଲକ୍ଷ୍ୟ ବୋଲି ଗ୍ରହଣ କରିଛି, ସେଇ ଯଥାର୍ଥ କାର୍ଯ୍ୟଟିକୁ କରୁଛି ବୋଲି କୁହାଯାଇ ପାରିବ । ଯେଉଁ ମୋହଭଙ୍ଗଟି ସମ୍ଭବ ହେଲେ ସମଗ୍ର ପୃଥିବୀ ଗୋଟିଏ ଘର ଭଳି ଦିଶିବ, ସେଠାରେ କେହି ଉପେକ୍ଷିତ ହୋଇ ରହିବ ନାହିଁ ଏବଂ ଆଦୌ କୌଣସି ଅବମାନନାକୁ ସହ୍ୟ କରିବ ନାହିଁ, ତାହା ହିଁ ଅସଲ ଜଗତିକରଣ ଆଡ଼କୁ ବାଟ ଦେଖାଇ ନେଇଯାଇ ପାରିବ । ଆମ ଧର୍ମମାନେ ପ୍ରକୃତରେ ସତିଆ ବୋଲି ପ୍ରତିପାଦିତ ହେବେ । ପୃଥିବୀଯାକ ସେତେବେଳେ ଯାଇ ସୁନ୍ଦର ଦିଶିବ ।

 

ଆଫ୍ରିକାକୁ ଏକ ଅନ୍ଧାରର ମହାଦେଶ ବୋଲି ଉଲୁଗୁଣା ଦେଇ ଉଜ୍ଜ୍ୱଳମାନେ ତାହାକୁ ଏକାଧିକ ପୁରୁଷ ଧରି ଭୋଗ କଲେ । ସେହି ଆଫ୍ରିକା କ୍ରମେ ଜାଗ୍ରତ ହୋଇ ଆସୁଛି ସତ, ତଥାପି ସେହି ପୁରୁଣା ସାମ୍ରାଜ୍ୟସ୍ୱାର୍ଥର ଫାଶ ଭିତରେ ଏବେ ବି ବନ୍ଧା ହୋଇ ପଡ଼ିଛି । ଭାରତବର୍ଷରେ ଭାଗ୍ୟବାଦର ବହୁବିଧ ଫିସାଦି କୋଟି କୋଟି ମଣିଷଙ୍କୁ ପ୍ରାୟ ପଶୁମାନଙ୍କ ପରି ପ୍ରତିକ୍ରିୟାହୀନ କରି ରଖିବାର ଚକ୍ରାନ୍ତ ବି କରି ଆସିଛି । ତା’ ଘର ତଳ ମାଟିରେ ବେପାରୀମାନେ କେତେବେଳେ ଯେ କୋରଡ଼ କରି ପଶିଯିବାକୁ ଆସି ପହଞ୍ଚି ଯାଉଛନ୍ତି, କାଶୀପୁରର ଆତ୍ମାଟି ତାହାର ପତ୍ତା ବି ପାଇ ପାରୁନାହିଁ । ଏବଂ, ଏହି ସବୁକିଛି ଏପରି ଏକ ଆଇନ ଦ୍ୱାରା ସମ୍ଭବ ହେଉଛି, ଯାହାକୁ ତିଆରି କଲା ସମୟରେ କାଶୀପୁରକୁ ମୋଟେ ପଚରା ବି ହୋଇନାହିଁ । ଭଗବାନ କରନ୍ତୁ କାଶୀପୁରରୁ ଆମେରିକାକୁ ଆହୁରି ଅଧିକ ବାଟ ଫିଟିଯାଉ । ବୃହତ୍ତର ଜଗତଟା ସହିତ କାଶୀପୁରର ଜୀବନ-ଭାଗ୍ୟଟା ଅଧିକରୁ ଅଧିକ ଗଅଁଠା ହୋଇଯାଉ । କାଶୀପୁର ସିଏ ବନ୍ଦ ହୋଇ ରହିଥିବା ଏହି ପାହାଡ଼ ଘେରଗୁଡ଼ାକର ସେପାଖରେ ମଧ୍ୟ ବଡ଼ ପୃଥିବୀଟିଏ ରହିଛି ବୋଲି ଜାଣୁ । ନିଜକୁ ସିଏ ସେହି ପୃଥିବୀର ଏକ ସାଲିଶ୍‌ବିହୀନ ଅଂଶ ବୋଲି ଜାଣୁ । ଖିଅ ଲଗାଉ, ଖିଅଗୁଡ଼ିକୁ ଆହୁରି ଲମ୍ବାଇବା ଲାଗି ମନ କରୁ । ତେବେ ସିଏ ମଧ୍ୟ ଏପରି ଏକ ସକାରାତ୍ମକ ଅସନ୍ତୋଷର ଅଧିକାରୀ ଅବଶ୍ୟ ହେବ, ଯାହାକି ଏହି ପୁରୁଣା ପୃଥିବୀଟାକୁ ଭାଙ୍ଗିବ । ସେହି ଅସନ୍ତୋଷ ହିଁ କ୍ରମେ ପୃଥିବୀଯାକର ରାଜନୀତିକୁ ଏକ ନୂଆ ଗଢ଼ଣ ଓ ନୂଆ ମୋଡ଼ ଦେବାକୁ ଆରମ୍ଭ କଲାଣି । ଉଚିତ ଲଢୁଆଳିମାନେ ଏକାବେଳେ ଏକାଧିକ କ୍ଷେତ୍ରରେ ପରସ୍ପରକୁ ଆବିଷ୍କାର କରି ବାହାରିଲେଣି । ବୋଧହୁଏ ଏହି ରୀତିଟାକୁ ଦେଖି ବଢ଼ିଆ ବଢ଼ିଆ ରାଷ୍ଟ୍ରମାନେ ନିଜର ବୋମାବାଣଗୁଡ଼ିକୁ ଏଣିକି ଖାଲି ଅକାମୀ ହୋଇଯିବ ବୋଲି ମାଟିତଳେ ଫୁରସାଇ ଦେବା ପାଇଁ କଥା ହେଉଛନ୍ତି । ଆଉ ମଠ କରିବା ମୋଟେ ଉଚିତ ହେବ ନାହିଁ ।

 

୮.୭.୦୨

☆☆☆

 

ଜଗନ୍ନାଥେ କୁଆଡ଼େ ଗଲେ ?

 

ଶ୍ରୀଯୁକ୍ତ କାଳିନ୍ଦୀ ଚରଣ ପାଣିଗ୍ରାହୀ ତାଙ୍କ ଉପନ୍ୟାସ ‘ମାଟିର ମଣିଷ’ ଛପାଇ ବାହାର କଲାବେଳେ ଆମେସବୁ ଗୋଟାଏ ଗୋଟାଏ ଗଜା ଟୋକା । ସହରରେ ପାଠ ପଢ଼ୁଥାଉ, କିନ୍ତୁ ସକଳ ଅର୍ଥରେ ଆମ ପ୍ରୀତିର ଗୋଡ଼ମାନେ ସେଇ ଗାଆଁରେ ଯାଇ ରହିଥାଆନ୍ତି । ସେତେବେଳେ ସ୍ଵାଧୀନତା ନିମନ୍ତେ ଏକ ସଂଗ୍ରାମ ଚାଲୁ ରହିଥିବାର ବେଳ । ‘ମାଟିର ମଣିଷ’ ଆମ ସକାଶେ ସତେଅବା ଲକ୍ଷେ ଇଚ୍ଛାପୂରଣର ଏକ ଉଚ୍ଚାଟନକାରୀ ଭବିଷ୍ୟପୋଥି ଭଳି ଲାଗୁଥାଏ । ସେହି ଉଲ୍ଲାସର ପ୍ରଚୋଦନାରେ ମୁଁ ଉପନ୍ୟାସଟିକୁ ନାଟକ ଆକାରରେ ଲେଖି ପକାଇଥିଲି । ସେଇ ବର୍ଷ ଗ୍ରୀଷ୍ମଛୁଟିରେ ସେଇଟିକୁ ଆମେ ଗାଆଁରେ ଅଭିନୟ କରିଥିଲୁ । ମୁଁ ସ୍ଵୟଂ ବରଜୁ ପଧାନ ସାଜିଥିଲି-। ସେହି ଅଭିନୟଟା ଭିତରେ ବି ନିଜ ଭିତରକୁ ଆଖି ପକାଇବା ବେଳେ କେଡ଼େ ପବିତ୍ର ଓ କେଡ଼େ ସମର୍ପିତ ହୋଇଯାଇଥିବା ପରି ମନେ ହେଉଥିଲା । ଉତ୍ସାହର ଉନ୍ମାଦନାରେ ମୋତେ ଖାଲି ବରଜୁ ପଧାନମାନେ ଦେଖାଯାଉଥିଲେ । କ୍ରମେ କ’ଣ ସବୁ ହେବାକୁ ଲାଗିଲା ଯେ, ଏବେ ହରି ମିଶ୍ରମାନେ ହିଁ ଖାଲି ହାଉଯାଉ ହେଉଛନ୍ତି, ସତେ ଅବା ଏକ ମୁଷ୍ଟି-ଯୁଦ୍ଧରେ ସେମାନେ ବରଜୁ ପଧାନଙ୍କର ଦାନ୍ତ ଭାଙ୍ଗି ଦେଇ ଆସିଛନ୍ତି । ଦିଲ୍ଲୀର ଏକ ସାହିତ୍ୟ ଆଖଡ଼ାର ଆନୁକୂଲ୍ୟରେ ଉପନ୍ୟାସଟିର ଆହୁରି କେତେ ଭାରତୀୟ ଭାଷାରେ ଅନୁବାଦ ହୋଇସାରିଲାଣି । ବର୍ଷ ବର୍ଷ ଧରି ହାଇସ୍କୁଲ ପିଲାଙ୍କର ପାଠ୍ୟପୁସ୍ତକ ରୂପେ ତାହା ଓଡ଼ିଶାଯାକ ଚଳିଲା । ଆମ ବାବୁଲାଲ ଭାଇ ସେଥିରୁ ପୂରା ସିନେମାଟାଏ ତିଆରି କରି ଥୋଇଦେଲେ । କିନ୍ତୁ, ବରଜୁ ଗଲେ କୁଆଡ଼େ ? ସ୍ଵୟଂ କାଳିନ୍ଦୀବାବୁ ମଧ୍ୟ ‘ତୁ ଏଇଠି ବସିଥା, ମୁଁ ଆସୁଛି’ ବୋଲି କହି ଆଉ ଗୋଟାଏ ଖେପା ଡେଇଁ ଆଗକୁ ଚାଲିଗଲେ ଓ ସାଂପ୍ରତିକ ହୋଇ ‘ଲୁହାର ମଣିଷ’ ଲେଖିଲେ । ମାତ୍ର ବରଜୁମାନେ ଆଉ ମୋଟେ ଦିଶୁନାହାନ୍ତି । ସାମୂହିକତାର ସକଳ ଅଭିନୟରେ ହରି ମିଶ୍ରମାନଙ୍କର ଖାଦାନମାନ ବସିଛି ଓ କାରବାର ଚାଲିଛି । ବରଜୁ ପଧାନ ବୋଲି କେବେ କୋଉ ଯୁଗରେ ମଧ୍ୟ କେହି ନଥିଲେ ବୋଲି କୁଆଡ଼ୁ ଦେବବାଣୀ ହେଉଥିବା ପରି ଶୁଣାଯାଉଛି । ମନ ମୋଟେ ମାନୁନାହିଁ ।

 

ଛାର ଆଦିବାସୀମାନଙ୍କୁ କିସୁନ୍ଦର ସାହିତ୍ୟିକ ଟହଟହ ସହିତ ଦେଖାଇ ଆମକୁ ଅବାକ୍ କରିବାର ଅସାଧ୍ୟ ସାଧନ ଓଡ଼ିଶାରେ କରିପାରିଲେ ଶ୍ରୀଯୁକ୍ତ ଗୋପୀନାଥ ମହାନ୍ତି । ଆମେ ପୂଜ୍ୟ ପୂଜକମାନେ ଏବେ ମଧ୍ୟ ତାଙ୍କୁ କେତେ କୃତଜ୍ଞତା-ପ୍ରକାଶଦ୍ୱାରା ସ୍ମରଣ କରୁଛୁ । ଆଦିବାସୀଙ୍କ ଜୀବନ,–କେତେ ନିକୁଛିଆ ଜୀବନ । ତାଙ୍କୁ ହିରୋ କରି ଆମରି ଭିତରୁ ଜଣେ ଯୋଗଜନ୍ମା ସିଏ କେଡ଼େ କେଡ଼େ ଉପନ୍ୟାସ ଲେଖି ଥୋଇଦେଲେ । ସେମାନଙ୍କୁ ଅମୃତର ସନ୍ତାନ ବୋଲି କହି ଆମ ଦେବତାମାନଙ୍କ ପଂକ୍ତିରେ ବସାଇ, ସତେଅବା ଅମୃତ ପରଶିଦେଲେ । ‘ପରଜା’ ଉପନ୍ୟାସଟିର ଇଂରାଜୀ ଅନୁବାଦଟିକୁ ଦେଖିପାରିଲେ ନାହିଁ ବୋଲି ବହୁତ ଦୁଃଖ କରୁଥିବାର ମୁଁ ତାଙ୍କୁ ନିଜେ କେତେଥର ଦେଖିଛି । ତାଙ୍କ ଯିବା ପରେ ସମର୍ଥମାନେ ସେହି କାର୍ଯ୍ୟଟିକୁ ମଧ୍ୟ ଇତିମଧ୍ୟରେ କରି ସାରିଲେଣି । ମାତ୍ର, ଆଦିବାସୀ ସେହି ଆଦିବାସୀ ହୋଇ ରହିଛନ୍ତି । ପୂର୍ଣ୍ଣ ନାଗରିକ ହେବାର ଭାଗ୍ୟଟିରୁ ତଥାପି ବହୁଦୂର ହୋଇ ରହିଛନ୍ତି । ହଁ, ତାଙ୍କ ପାଟକମାନଙ୍କରୁ ଜଣେ ଜଣେ ଦିଲ୍ଲୀଯାଏ ଗଲେଣି । ଭୁବନେଶ୍ୱରରେ ମଞ୍ଜି ପୋତିଲେଣି ସିନା, କିନ୍ତୁ ତେଣେ କମ୍ପାନୀ ଓ ଖଣିମାନେ ଆଦିବାସୀଙ୍କର ଘରେ ଗାଡ଼ କରି ସାରିଲେଣି, ମାତ୍ର ସ୍ୱୟଂ ଆଦିବାସୀ ସେକଥା ଜାଣି ବି ପାରୁନାହାନ୍ତି । ସ୍ୱାଧୀନତା ତଥା ନାଗରିକତା-ଲାଭର ସୁଦୀର୍ଘ ଏତେ ବର୍ଷ ପରେ ମଧ୍ୟ କାହିଁ ଜଣେ ଆଦିବାସୀ ତ ସେମାନଙ୍କର ନିଜ ଜୀବନର ଚିତ୍ରଣ କରି ଉପନ୍ୟାସଟିଏ ଲେଖୁନାହିଁ । ଭାଗ୍ୟକୁ ସରକାରୀ ବିଭାଗମାନଙ୍କର ଅପାର କରୁଣା ହେତୁ ଅଣଆଦିବାସୀ ବାବୁମାନେ ଆଦିବାସୀଙ୍କର ସଂସ୍କୃତିଟାକୁ ତଥାପି ସୁରକ୍ଷିତ କରି ରଖିବାର ନିଷ୍ଠାପର ବହୁ ପ୍ରୟାସ କରିବାରେ ଲାଗିଛନ୍ତି । ମନେ ବି ହେଲାଣି, ଆଦିବାସୀମାନେ ଉଚ୍ଛନ୍ନ କିମ୍ବା ବିଲୁପ୍ତ ହୁଏତ ହୋଇଗଲେ ମଧ୍ୟ ସେମାନଙ୍କର ସଂସ୍କୃତି ଅବଶ୍ୟ ବଞ୍ଚି ରହିଥିବ । ତେଣୁ ଚିନ୍ତିତ ହେବାର କୌଣସି କାରଣ ନାହିଁ ।

 

ସଂସ୍କୃତି ବିଷୟରେ ଆପଣମାନେ ମୋଟେ କିଛି କହିବେ ନାହିଁ ଆଜ୍ଞା । ଭାରତବର୍ଷର ପରମ୍ପରା କହୁଛି ଯେ, ଏଠାରେ ମଣିଷମାନେ ନରଖର ଗୋଡ଼ିମାଟି ପରି ବ୍ୟବହାର ପାଇଛନ୍ତି ସିନା, ମାତ୍ର ସଂସ୍କୃତିଗୁଡ଼ିକୁ ଅତ୍ୟନ୍ତ ନିଖୁଣ ଭାବରେ ସାଇତି ରଖାଯାଇଛି । ଏବେ ସଂସ୍କୃତିକୁ ମୂଳ କରି ତକ୍ଷଶିଳା ଓ ନାଲନ୍ଦାମାନ ବସିଲାଣି । ସଂସ୍କୃତିମାନଙ୍କୁ ଆମ ଚହଟ ଚତୁର ମଣିଷମାନେ କ୍ରମେ ଏକାବେଳେକେ ସବା ଉପରେ ନେଇ ବସାଇ ଦେଲେଣି । ସଂସ୍କୃତି ସମ୍ବନ୍ଧରେ ଘୋର ଆଲୋଚନାମାନ କରାଯାଉଛି । ସମ୍ମାନାଦିର ଆୟୋଜନ ହେଉଛି । ଆମର ଏହି ରାଜ୍ୟ ସଂସ୍କୃତିର ଗୋଟିଏ ଗନ୍ତାଘର ବୋଲି କି ଗମ୍ଭୀର ଭାବରେ କୁହାଯାଉଛି । କିନ୍ତୁ ସଂସ୍କୃତି କାହିଁ ? ବିଶ୍ୱାସ ନାହିଁ, ବିଶ୍ୱାସନୀୟତା ନାହିଁ–ତୁଚ୍ଛା ଧୋକାରେ ହିଁ ସରକାରଙ୍କ ଘରେ ତଥା ସରକାର ବାହାରେ ସାମୂହିକ ସକଳ ବେଭାର ଚାଲିପାରୁଛି । ଦିନରେ ଚୌର୍ଯ୍ୟବୃତ୍ତି କରି ରାତିରେ ସଂସ୍କୃତି ବିଷୟରେ ଚମତ୍କାର ଭାଷଣ ଦେଇ ହେଉଛି । ଚୌରପଣକୁ ହିଁ ସମ୍ଭବତଃ ସଂପୃକ୍ତ ସମସ୍ତେ ଯୁଗଧର୍ମ ବୋଲି ଗ୍ରହଣ କରି ନେଲେଣି କି କ’ଣ କେଜାଣି, ଆଉ କେହି ଚୋରମାନଙ୍କୁ ଦେଖି ରାଗୁନାହାନ୍ତି, ପ୍ରତିବାଦ କରୁନାହାନ୍ତି, ଚୋରମାନଙ୍କୁ ଚଉକୀମାନଙ୍କରେ ଆସୀନ ରହିଥିବାର ଦେଖି କେହି ‘ରାମ ରାମ’ ବୋଲି କହି ସଭାକକ୍ଷ ଛାଡ଼ି ଚାଲି ଯାଉନାହାନ୍ତି । ଏବଂ, ଆଖର ଆମ ଜଗନ୍ନାଥ ମଧ୍ୟ କୁଆଡ଼େ ପଳାଇଯାଇ ସାରିଲେଣି । ଜଗନ୍ନାଥଙ୍କ ନାମରେ କ’ଣ କମ୍ ସଭା ଓ କମ୍ ସାହିତ୍ୟ ହେଉଛି ? ଏବେ ତ ନାଟତାମସାରେ ବି ଜଗନ୍ନାଥଙ୍କୁ ନେଇ ବସାଇ ଦେବାଟା ଏକ ବିଧିରେ ପରିଣତ ହୋଇଗଲାଣି । ହଁ, ଭୂମିକୁ ଛାଡ଼ି ପ୍ରବାସକୁ ପଳାଇ ଯାଇଥିବା କେତେ ଭୂମିପୁତ୍ର ଜଗନ୍ନାଥଙ୍କୁ ଆମେରିକା ଯାଏ ବି ବୋହି ନେଲେଣି । ତେଣେ ମଧ୍ୟ ରଥଯାତ୍ରା ହେଲାଣି । ଏହାଦ୍ଵାରା ଆମ ସଂସ୍କୃତି ଦିଗ୍‍ବିଜୟ କରି ପୃଥିବୀଯାକ ଖେଦିଗଲାଣି ବୋଲି ଭାବିଲାବେଳକୁ ଆମ ଭାବଗ୍ରନ୍ଥିମାନେ ସତେ ଅବା ଗୋଟମା ଭଳି ଫୁଲି ଉଠୁଛନ୍ତି । ନିତାନ୍ତ ଅବିଶ୍ୱାସୀମାନେ ବିଶ୍ୱାବସୁର ଭେଶ ପିନ୍ଧି ଏଭଳି ଭକ୍ତିମିଶା ଦମ୍ଭକଥାମାନ କହିଲେଣି ଯେ ତାହା ଡାହୁକମାନଙ୍କର କଥାଠାରୁ ଅଧିକ ଆନନ୍ଦ ଦେଇପାରୁଛି । ସରକାରୀ ଅମାତ୍ୟମାନେ ଶପଥଗ୍ରହଣ କରିସାରିବା ପରେ ସତେଅବା ଏକ ପବିତ୍ର ବିଧିର ପାଳନ କରୁଥିବା ପରି ପଲ ବାନ୍ଧି ଜଗନ୍ନାଥ-ଦର୍ଶନ ନିମନ୍ତେ ପୁରୀରେ ଯାଇ ପହଞ୍ଚି ଯାଉଛନ୍ତି । ତା’ ପରେ ଯେତେ ଯାହା ପାତକ କଲେ ମଧ୍ୟ ତଥାପି ବିପଦରେ ମୋଟେ ପଡ଼ିବେ ନାହିଁ ଏବଂ ପ୍ରଜାଗଣ ସେମାନଙ୍କର ଧୁରନ୍ଧରପଣଗୁଡ଼ିକର ପତ୍ତା ବି ପାଇବେ ନାହିଁ ଓ ପତ୍ତା ପାଇଲେ ମଧ୍ୟ ମୋଟେ କିଛି କରିପାରିବେ ନାହିଁ ବୋଲି ସେମାନେ ନିଦକ ହୋଇ ରହି ପାରୁଛନ୍ତି । ଯୁଗ ଯୁଗ ଏହିଭଳି ଗଡ଼ିଯିବାରେ ଲାଗିଛି–ସୁଦର୍ଶନ ଚକ୍ରଟା ମଧ୍ୟ କେଜାଣି କ’ଣ ପାଇଁ ଜଗମୋହନକୁ ଛାଡ଼ି ବାହାରକୁ ଯିବା ନିମନ୍ତେ ଆଉ ରାଜି ହୋଇ ପାରୁନାହିଁ ।

 

ସତେ ତ, ଜଗନ୍ନାଥ କୁଆଡ଼େ ଅନ୍ତର ହୋଇ ରହିଗଲେ ? ତୀର୍ଥ ରହିଲା, ରଜା ରହିଲେ, ମଠ ଓ ମଠାଧୀଶମାନେ ରହିଲେ, ଜଗନ୍ନାଥ କୁଆଡ଼େ ଚାଲିଗଲେ ? ତାଙ୍କ ନାମରେ ବରଷକୁ ବାରପର୍ବ ଏବଂ ତେର ଯାତର ଭିଆଣମାନ କରି ଆମେ ସତେଅବା ଆଉ କେଉଁ ସବୁ ଅନ୍ୟ ଆନନ୍ଦଗୁଡ଼ାକ ଭିତରେ ଆମର ଏହି ଅଳପଗୁଡ଼ିକ ସହିତ ଏପରି ଉଲ୍ଲସିତ ହୋଇ ରହିଗଲୁ ଯେ, ଜଗନ୍ନାଥ ଆମକୁ ଛାଡ଼ି କେତେବେଳେ ଯେ ବାହାରିଗଲେ, ଆମର ଆଉ ହୋସ୍ ରହିଲା ନାହିଁ । ଏକ ପ୍ରେରଣା ପିତୁଳାରେ ପରିଣତ ହୋଇଥିବାର ସଚରାଚର ଯେଉଁ ଭଳି ଏକ ଇତିହାସ ରହିଛି, ଆମ ବେଳକୁ ପ୍ରାୟ ସେହିକଥା ହିଁ ଘଟିଲା । ପ୍ରେରଣା ପିତୁଳାଟିଏ ବନିଗଲେ ସିଏ ଆମର ଏକ ସମ୍ପତ୍ତି ବୋଲି କହିବାର ପଥଟି ଭାରି ସହଜ ହୋଇଯାଏ, ଗୋଡ଼ ଖସି ଯାଉଥିଲେ ମଧ୍ୟ ପ୍ରକୃତରେ ଗୋଡ଼ମାନେ ଖସି ଯାଉଛନ୍ତି ବୋଲି ଜାଣି ହୁଏନାହିଁ; ଅଥବା ଜାଣିଲେ ମଧ୍ୟ କହିବାକୁ ମନ ହୁଏନାହିଁ । ନିଜ ପାଖରୁ ମଧ୍ୟ ସେହି କଥାଟିକୁ ସତର ଆଳରେ ଲୁଚାଇ ରଖିବାକୁ ଆମ ଭିତରେ ହିଁ ବାର ଫିସାଦ ଆସି ଜୁଟି ଯାଆନ୍ତି । ଜାତୀୟତାବାଦୀ ଯୁଗରେ ଭୂମି ପ୍ରତି ତଥା ଭୂମିଟିକୁ ଏକ ସ୍ୱତନ୍ତ୍ର ସତ୍ୟପରିଚୟର ମୂଲ୍ୟ ଦେଇ ଆମ ସମ୍ମୁଖରେ ଯାବତୀୟ ଅର୍ଥରେ ଏକ ଆହ୍ୱାନ ସ୍ୱରୂପ ଧରି ରଖିଥିବା ଅସଲ ଖିଅଟି ଯେତେବେଳେ ପାସୋର ହୋଇ ରହିଯାଏ ଠିକ୍ ସେତିକିବେଳେ ସମ୍ପତ୍ତି ଜ୍ଞାନଟା ଭାରି ପ୍ରବଳ ହୋଇ ମାଡ଼ିବସେ, ଜଗନ୍ନାଥ ଆମର ବୋଲି କହିବାଦ୍ଵାରା କେତେ କେତେ ପ୍ରଶ୍ନର ଚମତ୍କାର ସମାଧାନ ହୋଇଯାଉଛି ବୋଲି ଦୁର୍ବୁଦ୍ଧିମାନେ ବୁଝାଇ ଦେବାକୁ ମାଡ଼ି ଆସନ୍ତି । ଆମେ ନିଜେ ଯାହାର ବୋଲି କହି ନିଜ ଜୀବନଟିର ଅସଲ ନାଡ଼ଗୁଡ଼ିକରେ ହୁଏତ ଏକ ପରିପୂର୍ଣ୍ଣତାବୋଧର ଯୋଗ୍ୟ ହୋଇପାରିଥାଆନ୍ତେ, ତାଙ୍କୁ ନିଜର ସମ୍ପତ୍ତି ବୋଲି କହି ହର୍ଷ ଅନୁଭବ କରିବାକୁ ପ୍ରକୃତରେ ଏକ ବୀଭତ୍ସ ଆଉ କ’ଣ ବୋଲି କୁହାଯାଇପାରିବ । ଏହି ବାଟଟି ହେଉଛି ଉପନ୍ୟାସର ସେହି ହରି ମିଶ୍ରମାନଙ୍କର ବାଟ । ଏକାଳର କେଉଁ ବିଡ଼ମ୍ବନା ଫଳରେ ଓଡ଼ିଶା ନାମକ ଏହି ସମ୍ଭାବନାର ପ୍ରତିଶ୍ରୁତିପୂର୍ଣ୍ଣ ପ୍ରାଙ୍ଗଣରେ ଏହି ହରି ମିଶ୍ରମାନେ ଏଡ଼େ ପ୍ରବଳ ହୋଇ ଉଠିଲେ କାହିଁକି କେଜାଣି ? କେଉଁଠାରେ ଆମ ସାମୂହିକ ସଚଳତାଗୁଡ଼ିକର କ୍ଷେତ୍ରରେ କେଉଁ ନିର୍ବୋଧତା ସେମାନଙ୍କୁ ଏପରି ନିରଙ୍କୁଶ ହେବାକୁ ବାଟ ଛାଡ଼ିଦେଲା ?

 

ତେଣୁ ରାଜନୀତିରେ ଏହି ହରି ମିଶ୍ର ପଲ ହିଁ ଭର୍ତ୍ତି ହୋଇ ରହିଛନ୍ତି । ମଠମାନଙ୍କରେ ବି ସେଇମାନେ । ସେହି ହରି ମିଶ୍ରିଆ ଛଳରେ ଜଣାଣ ଓ ଭଜନମାନଙ୍କର ବନ୍ୟା ଛୁଟିବାରେ ଲାଗିଛି । ସମସ୍ତେ ଯେପରି ଆମ ଜୀବନର ବଡ଼ଦାଣ୍ଡଟାରେ ସଲାକୁସ୍ତି କରି ଆମକୁ ଏହିପରି ଭାବରେ ଖୁବ୍ ଭଣ୍ଡାଇ ରଖିବେ ବୋଲି ଶିଖାଶିଖି ହୋଇ ଆସିଛନ୍ତି । ଏହି କାଳଟା ଲେଉଟି ସେତେବେଳେ ଯାଇ ସତ ନେତଟି ଦୃଷ୍ଟିଗୋଚର ହେବ, ଯେତେବେଳେ ବରଜୁ ପଧାନମାନେ ପୁଣି ମନ କରିବେ ଓ ମେଳ ହେବେ । ସେମାନେ କେବଳ ସଜ୍ଜନ ହେଲେ ହିଁ ଏହି ଯୁଗଟାକୁ ଆଦୌ ପାରିବେ ନାହିଁ । ସଜ୍ଜନମାନେ ତ ସଂସାର ଭିତରେ ଥାଇ ମଧ୍ୟ ସଂସାରବିରାଗୀ ହୋଇ ରହିଥାନ୍ତି । ପାଣିରେ ପଶନ୍ତି ନାହିଁ କି ଓଦା ହୁଅନ୍ତି ନାହିଁ । ବରଜୁ ପଧାନମାନେ ସାହସୀ ହେଲେ ଯାଇ ବର୍ତ୍ତମାନର ହାୱାଗୁଡ଼ାକର ସମ୍ମୁଖୀନ ହୋଇ ପାରିବେ । ଶ୍ରୀଯୁକ୍ତ କାଳିନ୍ଦୀ ପାଣିଗ୍ରାହୀ ବର୍ତ୍ତମାନ ମହଜୁଦ ଥିଲେ ଏକାବେଳେକେ ସେହି ଅନ୍ୟ ଧାତୁର ବରଜୁ ପଧାନର କଥା ଲେଖି ଥାଆନ୍ତେ । ସାହିତ୍ୟ ଭିତରେ ନୂଆ ବାଟ ଫିଟାଇ ଥାଆନ୍ତେ ।

 

ସେହି ସାହିତ୍ୟ ବହୁ ଶାନ୍ତି ଭଙ୍ଗର କାରଣ ହୋଇଥାନ୍ତା । ପାଠକମାନଙ୍କୁ ଏକାବେଳେଳେ ଅନ୍ୟ ପ୍ରକାରେ ଉଦ୍‍ବେଳିତ କରିଥାନ୍ତା । ଏହି ଏକବିଂଶ ଶତାବ୍ଦୀଟା ବସ୍ତୁତଃ ଏହି କାଟର ବହୁ subversionର ଏକ ଶତାବ୍ଦୀ ହେବ ବୋଲି ବର୍ତ୍ତମାନ ଉପରେ ଛିଡ଼ା ହୋଇ ଭବିଷ୍ୟତଗୁଡ଼ିକର ନାଡ଼ୀ ନିରୂପଣ କରୁଥିବା ବିଚାରଶୀଳ ବ୍ୟକ୍ତିମାନେ କହିବାକୁ ଆରମ୍ଭ କରିଦେଲେଣି । ହଁ, କଳ୍‌କୀ ଜଗନ୍ନାଥ ସତକୁସତ ଆସୁଛନ୍ତି । ମାତ୍ର ମୋଟେ ବାରହାତ ଖଣ୍ଡା ଧାରଣ କରି ଆସୁନାହାନ୍ତି । ଖଣ୍ଡା ତ ସେଇମାନେ ସର୍ବଦା ଧରିଛନ୍ତି, ଯେଉଁମାନେ ନିଜକୁ ଗୋଟାପଣେ ବରଜୁ ପଧାନ ରୂପେ ଦେଖିଛନ୍ତି ବୋଲି ଅନ୍ୟ ସମସ୍ତଙ୍କୁ ହରି ମିଶ୍ରବୋଲି ଭ୍ରମ କରିଛନ୍ତି । ଜଗନ୍ନାଥଙ୍କ କୃପାରୁ ଏଥର ଆଉ ଅନ୍ୟ ଭଳି କିଛି ହେବାକୁ ଯାଉଛି ।

 

୧୫.୭.୦୨

☆☆☆

 

ସାକ୍ଷାତକାର ନେବ ଆସ

 

ହାଇସ୍କୁଲ ପରୀକ୍ଷା ଫଳ ବାହାରିଲା, ସାମ୍ବାଦିକମାନେ ପ୍ରଥମ ଦଶ ସର୍ବୋତ୍ତମଙ୍କଠାରୁ ଇଣ୍ଟରଭିଉ ନେବାକୁ ଦଉଡ଼ିଲେ । ନମ୍ବର ଦେଇ ବେଶି କମ୍ ବାହାର କରୁଥିବା ଏକ ଆକଳନ ପଦ୍ଧତିରେ ଏତେ ଏତେ ତ୍ରୁଟି ଭର୍ତ୍ତି ହୋଇ ରହିଛି ଯେ, ଏବେ ସର୍ବୋତ୍ତମ ଦଶଜଣଙ୍କର ଖନ୍ଦାରେ ଅଠର ଉଣେଇଶି ଆସି ପଶିଗଲେଣି । ଏହି ସର୍ବୋତ୍ତମମାନେ ସର୍ବାଧିକ ନମ୍ବର ରଖିପାରିଛନ୍ତି । ଚାରି ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ଦଶଜଣଙ୍କ ଭିତରେ ସ୍ଥାନ ପାଇବା, ତାହାକୁ ପ୍ରକୃତରେ କପାଳର କଥା ବୋଲି କାହିଁକି ନ କୁହାଯିବ ? ଗ୍ରହମାନେ ପ୍ରସନ୍ନ ଥିଲେ ହିଁ ପରୀକ୍ଷାରେ ଜଣେ ଛାତ୍ର ବା ଛାତ୍ରୀ ଏନ୍ତା ସୌଭାଗ୍ୟର ଅଧିକାରୀ ହୋଇପାରିବ । ପରୀକ୍ଷାଫଳ ବାହାରିଯିବା ପରେ ତାହା ଯେତେବେଳେ ବିଜ୍ଞାପିତ ହୁଏ, ସେତେବେଳେ ସାମ୍ବାଦିକମାନେ ସମ୍ପୃକ୍ତ ଭାଗ୍ୟବନ୍ତମାନଙ୍କ ଘରକୁ ବାଟ ଖୋଜି ଖୋଜି ବିଜୟୀ ତଥା ବିଜୟିନୀମାନଙ୍କ ପାଖରେ ପହଞ୍ଚି ଯାଆନ୍ତି । ଏପରି ପ୍ରଶ୍ନମାନ ପଚାରନ୍ତି, ଯେଉଁଗୁଡ଼ିକୁ କି ବିଗତ ବର୍ଷମାନଙ୍କର ପୂର୍ବସୂରୀମାନେ ପଚାରି ଆସିଛନ୍ତି ଏବଂ ଲୀଳାମୟ ଭଗବାନଙ୍କର ଅପାର ଓ ଅଗମ୍ୟ ଲୀଳା ପାଖରେ ମଧ୍ୟ କୃତଜ୍ଞ ରହିବା ଉଚିତ ଯେ, କୃତିତ୍ଵସ୍ଥାନଗୁଡ଼ିକର ଯୋଗ୍ୟ ବିବେଚିତ ହୋଇଥିବା ବୀରପୁତ୍ର ତଥା ବୀରାଙ୍ଗନାମାନେ ମଧ୍ୟ ଅଧିକାଂଶତଃ ସେହି ପୁରୁଣା ଚିହ୍ନା ଉତ୍ତରଗୁଡ଼ିକୁ ଦେଇଥାଆନ୍ତି । ପଚାରୁଥିବା ଅଥବା ଉତ୍ତର ଦେଉଥିବା କୌଣସି ଗୋଟିଏ ପକ୍ଷ ବି ସତକୁସତ ନିଜେ କିଛି ସ୍ୱତନ୍ତ୍ର ପ୍ରକାରେ ଭାବି ପଚାରିଛନ୍ତି ଏବଂ ଉତ୍ତର ଦେଇଛନ୍ତି ବୋଲି ସେତେବେଶି ମୋଟେ ମନେହୁଏ ନାହିଁ-। ବର୍ଷ ବର୍ଷ ଧରି ସେହି ଗୋଟିଏ କଥାକୁ ପାଠ କରୁଥିବା ଆମ ପାଠକମାନଙ୍କୁ ବେଳେବେଳେ ବଡ଼ ବିଜାର ଲାଗୁଥିବ ।

 

ତୁମେ ଦିନକୁ କେତେ ଘଣ୍ଟା ପରିଶ୍ରମ କରୁଥିଲ ? ଉତ୍ତର ଆସେ ମୁଁ ଦଶଘଣ୍ଟା ପରିଶ୍ରମ କରୁଥିଲି । ତୁମର ଏହି ଅଭାବନୀୟ ସଫଳତା ନିମନ୍ତେ କେଉଁମାନେ ଦାୟୀର ଉତ୍ତର ହେଉଛି ମୋ ବାପାମାଆ ଓ ଶିକ୍ଷକମାନେ ମୋ’ ପାଇଁ କରିଥିବା ଅକ୍ଳାନ୍ତ ଚେଷ୍ଟା ହିଁ ଏଥିପାଇଁ ଦାୟୀ । ତୁମେ ପ୍ରଥମ ଦଶଜଣଙ୍କ ଭିତରେ ରହିବ ବୋଲି ପୂର୍ବରୁ ଭାବିଥିଲ କି ? ଏଇଟିର ଉତ୍ତରରେ ମଧ୍ୟ ସେପରି କୌଣସି ଅଭିନବତା ନଥାଏ । କେହି ଉତ୍ତର ଦିଅନ୍ତି ନାହିଁ ଯେ, ପାଠ ମୋତେ ଭଲ ଲାଗୁଥିଲା ଏବଂ ତେଣୁ, ପରୀକ୍ଷାରେ କେତେ ଉଚ୍ଚ ସ୍ଥାନଟିଏ ମୋତେ ମିଳିବ ବା ନ ମିଳିବ ବୋଲି ବିଶେଷଭାବରେ ଭାବନାଟିଏ ପୋଷଣ କରି ମୁଁ କେବେହେଲେ ପାଠ ପଢ଼ୁନଥିଲି । ତୁମ ପଛରେ ଘରୋଇ ଶିକ୍ଷକ କେତେଜଣ ଲାଗିଥିଲେ ? ଭଦ୍ରତା ଦୃଷ୍ଟିରୁ ସାମ୍ବାଦିକବୃନ୍ଦ ଏପରି ପ୍ରଶ୍ନଟିଏ କଦାପି ପଚାରିବାକୁ ମନ କରିବେ ନାହିଁ । କାରଣ, ତଦ୍ଦ୍ୱାରା କେବଳ ସମ୍ପୃକ୍ତ ପୁଅ ବା ଝିଅଟି ନୁହେଁ, ତା’ର ବାପାମାଆ ମଧ୍ୟ ଏମିତି ବିଗିଡ଼ି ଯିବେ ଯେ ତୁମକୁ ହୁଏତ ଆଗକୁ ଆଉକିଛି ପ୍ରଶ୍ନ କରିବାରେ ଆଦୌ କୌଣସି ସହଯୋଗ କରିବେ ନାହିଁ, ତୁମକୁ ସେତିକିରେ ବିଦାୟ ଦେବା ପାଇଁ ମଧ୍ୟ ଇଚ୍ଛା କରୁଥିବେ । ହିତାହିତର କ୍ଷେତ୍ରଜ୍ଞାନ ରହିଥିବା କୌଣସି ସାମ୍ବାଦିକ ତେଣୁ ଏଭଳି କଦାପି କରିବାକୁ ସାହସ କରିବ ନାହିଁ । ସେପରି ଅସୁଖକାରୀ ପ୍ରଶ୍ନଟି ପଚାରିବାକୁ ଖୁବ୍ ମନ ହେଉଥିଲେ ମଧ୍ୟ ତଥାପି ସଂଯମ ଅବଲମ୍ବନ କରିବ । ପୃଥିବୀରେ ଏହି ସଂଯମଟିକକ ରହିଛି ବୋଲି ତ ପୃଥିବୀ ରହିଛି ଓ ଯତ୍ରେ କତ୍ରେ ଚାଲିଛି ।

 

ଏହି କ୍ଷେତ୍ରରେ ମଧ୍ୟ ଆମେ ମନ କଲେ ସାନ ଗବେଷଣାଟିଏ ହୋଇପାରନ୍ତା ବୋଲି ମୁଁ ସର୍ବଦା ଭାବିଥାଏ । ବିଗତ କୋଡ଼ିଏ ବର୍ଷ ହେଲା ଆମ ସାମ୍ବାଦିକମାନେ ହାଇସ୍କୁଲ ପରୀକ୍ଷାର ଫଳ ବାହାରିବା ପରେ ପ୍ରଥମ ଦଶଜଣ ସର୍ବୋତ୍ତମଙ୍କ ସହିତ ସାକ୍ଷାତ୍‌କାର କରି ଆସିଛନ୍ତି । ସରକାରୀ ପରୀକ୍ଷା ଦପ୍ତରଗୁଡ଼ିକରୁ ସେହି ଭାଗ୍ୟବାନମାନଙ୍କର ନିର୍ଭୁଲ ତାଲିକାଟିଏ ଅବଶ୍ୟ ମିଳିଯାଇ ପାରିବ । ସାକ୍ଷାତ୍‍କାର ନିଆଯିବା ସମୟରେ ସେମାନେ ଜଣେ ଜଣେ ଯେଉଁସବୁ ଉତ୍ତର ଦେଇଥିବେ ଖବରକାଗଜର ପୁରୁଣା ଗଦାରୁ ସେହି ବିବରଣୀଗୁଡ଼ିକ ମଧ୍ୟ ମିଳିଯିବ । ଉତ୍ତରଗୁଡ଼ିକ ମଧ୍ୟ ସେହି ଗୋଟିଏ ପ୍ରକାରର ହୋଇଥିବ । କିଏ ଡାକ୍ତର ହେବ, କିଏ ଇଞ୍ଜିନିୟର ହେବ, କିଏ ଉଚ୍ଚ ପ୍ରଶାସକ ହେବ ଇତ୍ୟାଦି ଇତ୍ୟାଦି । ପୁନଶ୍ଚ, କିଏ ଆଗ ଇଞ୍ଜିନିୟର ବା ଡାକ୍ତର ହେବ ଏବଂ ତା’ପରେ ପ୍ରଶାସକ ହେବ । ଏବଂ ସର୍ବୋପରି ଏଗୁଡ଼ିକ ହୋଇ ସେମାନେ ଦେଶର ସେବା କରିବେ ବୋଲି ପ୍ରାୟ ସମସ୍ତେ କେଡ଼େ ସରଳ ମୁଦ୍ରାରେ ନିଶ୍ଚୟ କହିଥିବେ । ପନ୍ଦର ବର୍ଷର ବାଳୁତ ବା ବାଳିକାଟିଏ ଦେଶସେବା ଓ ଜନଗଣର ସେବା କହିଲେ ବସ୍ତୁତଃ କ’ଣ ବା ବୁଝୁଥିବ ! ବିଶେଷତଃ ଆମ ସମାଜର ଯେଉଁ ବର୍ଗଟିରେ ପିଲାଟିର ଜନ୍ମ ହୋଇଥିବ, ସେଥିରେ ସେବା କହିଲେ ସବା ଆଗ ହୁଏତ କେତେଟା ଶୁଖିଲା ଉଦାରତାକୁ ହିଁ ବୁଝାଉଥିବ । କେତେ ହାସ୍ୟାସ୍ପଦି ଭାବରେ ସରକାରୀ ବିଭାଗଗୁଡ଼ିକୁ ତ ମଧ୍ୟ ଗୋଟିଏ service ବା ସେବା ବୋଲି କୁହାଯାଉଛି । ଆମ ଦେଶର ଡାକ୍ତର ଏବଂ ଇଞ୍ଜିନିୟରମାନେ ଏହିଭଳି କେତେ ସେବାହାଣ୍ଡି ଭିତରେ ଆପଣାକୁ ଏପରି ଏକନିଷ୍ଠତା ସହିତ ଜଡ଼ିତ କରି ରଖିବାକୁ ମନ କରିଥାନ୍ତି ଯେ, ଗୋଟାଏ ଗୋଟାଏ ଚାକିରିକାଳରେ ସମ୍ପୃକ୍ତ କ୍ଷେତ୍ରଟାକୁ ପୂରା ଖୋଳ ହିଁ କରିଦିଅନ୍ତି । ହାଇସ୍କୁଲ ପରୀକ୍ଷାରେ ସର୍ବୋତ୍ତମ ସ୍ଥାନଗୁଡ଼ିକୁ ଅଧିକାର କରିଥିବା ବାବୁ ଏବଂ ବୁଇମାନେ ବଡ଼ ହୋଇ ସତକୁସତ କ’ଣ କଲେ ତଥା କ’ଣ ହେଲେ ବା ନ ହେଲେ ଗବେଷଣାଟି ତାହାରି ଏକ ମୋଟାମୋଟି ଚିତ୍ର ଦେଇପାରନ୍ତା । ସେମାନଙ୍କ ମଧ୍ୟରୁ ଯେଉଁମାନେ ଏବେ ବି ସରକାର ଭିତରେ ଅଛନ୍ତି, ସେମାନେ କେତେ ସଂଗତିର ସହିତ ନିଜେ ନିଜ ବିଷୟରେ କରିଥିବା ଅନୁମାନଟି ଅନୁସାରେ ଆଚରଣଟିଏ ଦେଖାଇଛନ୍ତି, ସେଇଟିର ବି କିଛି ନିଷ୍କର୍ଷ ବାହାର କରାଯାଇ ପାରନ୍ତା । ଆମକୁ ତଦ୍ଦ୍ୱାରା ବହୁତ ସୁରାଖ ବି ମିଳିଯାଆନ୍ତା ।

 

ଏହି ସମ୍ପର୍କରେ ମୁଁ ଗୋଟିଏ ଝିଅ ବିଷୟରେ କିଛି କହିବି, ଆମେ ‘ଉମା’ ବୋଲି ଯାହାର ନାମକରଣ କରିବା । ଉମାକୁ ପନ୍ଦର ଷୋହଳ ବର୍ଷ ହୋଇଯିବଣି । କିନ୍ତୁ ଦେଖିଲେ ମନେ ହେଉଛି, ମାତ୍ର ଏଗାର ବାର ବର୍ଷ ହିଁ ହୋଇଥିବ । ଯୋଉ ନିୟମ ଅନୁସାରେ ଏଗାର ବାରବର୍ଷର ଝିଅମାନେ ଆମେରିକାର ଚଉଦ ପନ୍ଦର ବର୍ଷ ଝିଅଙ୍କ ପରି ଦେଖାଯାଆନ୍ତି । ଠିକ୍ ସେହି ନିୟମରେ ହିଁ ଉମାର ବାରବର୍ଷ ପର୍ଯ୍ୟନ୍ତ ହୋଇଥିବା ପରି ଲାଗୁଛି । ସିଏ ଗତବର୍ଷ ହାଇସ୍କୁଲର ଶେଷ ପରୀକ୍ଷା ଦେଇଥିଲା । ପାସ୍ କରିପାରିଲା ନାହିଁ । କଷ୍ଟ ମଷ୍ଟେ ପୁଣି ଗୋଟାଏ ବର୍ଷ ଘୋଷାରି ହୋଇ ଏଥର ପରୀକ୍ଷା ଦେଲା ଏବଂ ପାସ୍ କଲା । ଉମା ତୃତୀୟ ଡିଭିଜନରେ ପାସ୍ କଲା । ସେତିକି କ’ଣ କମ୍ କଥା ? ଉମାର ମାଆ ଗତ ପନ୍ଦର ବର୍ଷ ହେଲା ଆମ ଘରକୁ କାମ କରିବାକୁ ଆସେ । ଦିନରେ ଦୁଇଥର ଆସେ । ଥରେ ଆସେ ଘର ଓଳାଇ ପୋଛିପାଛି ଦେଇଯାଏ । ପୁନର୍ବାର ଅଢ଼େଇଟା ସମୟକୁ ଆସେ ରନ୍ଧାବାସନ ମାଜିଦେବାକୁ । ଏହିପରି ଭାବରେ ସେ ପ୍ରତ୍ୟହ ସମ୍ଭବତଃ ପାଞ୍ଚ, ଛଅ ବା ତତୋଽଧିକ ଘରେ କାମ କରେ ଏବଂ ସଂସାର ତୁଲାଏ । ଉମାକୁ ଛାଡ଼ି ଆଉ ଗୋଟିଏ ଭାଇ ଓ ଗୋଟିଏ ଭଉଣୀ । ସମସ୍ତେ ଆମ ସାହିର ସରକାରୀ ଇସ୍କୁଲରେ ପଢ଼ନ୍ତି । କ’ଣ ପଢ଼ନ୍ତି ସେକଥା ମାଆ ଗଙ୍ଗେଇ ଜାଣନ୍ତି । ଏହି ପରିବାରଟି 'ଯେଉଁ କନ୍ଦି ଭିତରେ ପଲା ମାରି ରହେ, ଆପଣ ତା’ ଭିତରେ ମୋଟେ ବି ପଶିପାରିବେ ନାହିଁ । ମୁଣ୍ଡ ଗୁଞ୍ଜି ଯେକୌଣସି ପ୍ରକାରେ ରହିଯିବାକୁ ହିଁ ରାଜଧାନୀରେ ଯେଉଁମାନେ ଅହୋଭାଗ୍ୟ ପ୍ରାୟ ଜ୍ଞାନ କରନ୍ତି, ସେମାନଙ୍କ ଘରେ ପିଲାଙ୍କ ପଢ଼ିବା ସକାଶେ କ’ଣ ସବୁ ବ୍ୟବସ୍ଥା ଥାଏ ବା ନ ଥାଏ, ଆପଣ ଦଣ୍ତେ ଧୀର ହୋଇ ସେମାନଙ୍କୁ ଠିକ୍ ଆମରି ପରି ଜଣେ ଜଣେ ମଣିଷ ବୋଲି ଘେନା ନ କରିବା ପର୍ଯ୍ୟନ୍ତ କେହି ତାହା ଆଦୌ ଅନୁମାନ ମଧ୍ୟ କରିପାରିବ ନାହିଁ । ସେଠା ପିଲାଏ ପ୍ରତିଦିନ ଅନ୍ତତଃ ଇସ୍କୁଲକୁ ଯିବାଟା ମଧ୍ୟ ସମ୍ଭବ ହୋଇପାରେ ନାହିଁ । ସଂସାରଟାକୁ ସମ୍ଭାଳିବାରେ ଘରର ପିଲାମାନଙ୍କୁ ମଧ୍ୟ ବୟସ୍କଙ୍କ ପରି ଅଂଶଗ୍ରହଣ କରିବାକୁ ପଡ଼ିଥାଏ । ମାଆର ଦିହମୁଣ୍ଡ ବି ଥାଏ । ସେତେବେଳେ ପିଲାଙ୍କୁ ବାବୁମାନଙ୍କ ଘରେ କାମ କରିଦେଇ ଆସିବାକୁ ପଠାଇବାକୁ ହୁଏ । ଆମ ଘରେ ଘରଣୀ କେତେଥର ତାରିଫ କରି ଏପରି କହିଥିବାର ମୁଁ ଶୁଣେ ଯେ ଉମା ତା’ ମାଆ ତୁଳନାରେ ଅଧିକ ମନ ଦେଇ କାମଗୁଡ଼ିକୁ କରେ । ମାଆଟା କୁଆଡ଼େ ଖାଲି ତରତର ହେଉଥାଏ ଏବଂ ତେଣୁ ଯେକୌଣସି ମତେ ହାତ ବୁଲାଇଦେଇ ଚାଲିଯାଏ । ପିଲାଏ ମୋଟେ ଠକନ୍ତି ନାହିଁ ।

 

ଉମା ମୋଟେ ଏକ ଏକୁଟିଆ ଦୃଷ୍ଟାନ୍ତ ହୋଇନଥିବ । ତା’ରି ଭଳି କେତେ ଝିଅ ତାହାରି ଅବସ୍ଥାରେ ଏଡ଼ୁଟିରୁ ଏଡ଼ୁଟିଏ ହୋଇ ବଡ଼ ହୋଇଥିବେ, ଇସ୍କୁଲରେ ପାଠ ପଢ଼ିବା ସଙ୍ଗେ ସଙ୍ଗେ ମାଆମାନଙ୍କର କାମରେ ସାହାଯ୍ୟ କରି ଏବର୍ଷ ବୋର୍ଡ଼ ପରୀକ୍ଷାରେ ପାସ୍ କରିଥିବେ । ଖାଲି ଗତ ଗୋଟାଏ ବର୍ଷ ନୁହେଁ, ଏକାଧିକ ବର୍ଷ 'ଫେଲ ହୋଇ ତଥାପି ଭାଗ୍ୟ ପରୀକ୍ଷା କରୁ କରୁ ଏବର୍ଷ ପାରହୋଇ ଯାଇଥିବେ । କିନ୍ତୁ, ଜଣେ ହେଲେ ସାମ୍ବାଦିକ ଏମାନଙ୍କୁ ଖୋଜି ଖୋଜି ଏମାନଙ୍କ ପାଖକୁ ଯାଆନ୍ତି ନାହିଁ ଏବଂ ସାକ୍ଷାତକାର ବିବରଣୀଟିଏ କାହିଁକି ପ୍ରସ୍ତୁତ କରନ୍ତି ନାହିଁ ? ମୁଁ ଭାରି କ୍ରୋଧ କରି ଅନେକ ସମୟରେ ଭାବେ, ଖବରକାଗଜରେ ଉମା ପରି ଝିଅଙ୍କ କଥା ବାହାରୁ ଥାଆନ୍ତା । ତା’ ଫଟୋଟିଏ ମଧ୍ୟ ବାହାରି ପାରୁଥାନ୍ତା, ତା’ ବାପାମାଆଙ୍କୁ ମଧ୍ୟ ସେମାନଙ୍କର ସଂସାର ବିଷୟରେ କିଛି ପ୍ରଶ୍ନ ପଚରା ହୁଅନ୍ତା । ଖାଲି ଏବର୍ଷ ନୁହେଁ ଫି’ ବର୍ଷ ପରୀକ୍ଷା ଫଳ ବାହାରିବାର ଏହି ଋତୁଟିରେ ଯେଉଁ ପିଲାମାନେ ସର୍ବୋତ୍ତମମାନଙ୍କର ତାଲିକାରେ ରହିଥାଆନ୍ତି ଓ ସାମ୍ବାଦିକମାନଙ୍କ ପ୍ରଶ୍ନଗୁଡ଼ିକର ଉତ୍ତର ଦେଇ ଯଶ ଅର୍ଜନ କରିଥାନ୍ତି, ସେମାନେ ପ୍ରାୟ ସମସ୍ତେ ସୁନା କୁଲେଇ ଓ ରୂପା କୁଲେଇ ଧରି ପାଠ ପଢ଼ିଥାନ୍ତି, ଏମାନଙ୍କର ବାପାମାଆ ତଥା ଅଜା ଆଈମାନେ ବି ଚାହିଁଥିବା ପାଠଗୁଡ଼ିକୁ ପଢ଼ି ପଢ଼ି ବଡ଼ଥାନମାନଙ୍କରେ ରହିଥାନ୍ତି । ସେମାନଙ୍କ ପିଛା ହେତୁ ନ ହେବା ସମୟରୁ ହିଁ ଟିଉସନ ଶିକ୍ଷକମାନେ ଲାଗି ଥାଆନ୍ତି । ସେମାନେ କେଡ଼େ ଗେହ୍ଲାରେ ବଢ଼ି ଥାଆନ୍ତି ଓ ସେମାନଙ୍କ ସକାଶେ ଘରଯାକ ସମସ୍ତେ ଉଚ୍ଚ ସ୍ଵପ୍ନମାନ ଦେଖିବାରେ ଲାଗିଥାନ୍ତି । କେତେ କେତେ ଉଦ୍ୟମ ମଧ୍ୟ ହୁଏ, କେତେ ଠାକୁର ଓ ଠାକୁରାଣୀଙ୍କ ପାଖରେ କେତେ ଭଳି ମଣୋହି ବି ଯଚା ହୋଇଥାଏ । ତଦ୍‌ବ୍ୟତୀତ ବେଳେବେଳେ ପୋତାରେ ମଧ୍ୟ ପାରମ୍ପରିକ ମାର୍ଗଗୁଡ଼ିକ ଉପରେ ଆଖି ରଖିବାକୁ ପଡ଼େ । ମାତ୍ର, ଉମା ପରି ମାମୁଲିମାନଙ୍କର ପଛରେ କିଏ ଲାଗି ଥାଆନ୍ତି ? ସତ୍ୟ ଅର୍ଥାତ୍ ବାସ୍ତବ ନ୍ୟାୟର ଦରବାରରେ ଆଗ କାହାର ପ୍ରଶଂସା ହେଉଥାନ୍ତା, ଶିକ୍ଷାବିଜ୍ଞାନୀମାନେ ଥରେ ହିସାବ କରି ସେ କଥା କହନ୍ତୁ ତ ! ଏବଂ, ବିବେକ ବି କହୁଛି, ଯାବତୀୟ ଶିକ୍ଷା ବିଜ୍ଞାନରେ ଏହି ଉମାମାନେ ହୁଏତ ସକଳ ଅଗ୍ରାଧିକାର ସହିତ ଆଲୋଚନାକୁ ଆସୁଥାନ୍ତେ । ନଥିଲା ଘରର ପିଲାମାନେ ସେମାନଙ୍କର ଗୋଇଠି ଓ ଆଣ୍ଠୁମାନେ ପାକଳ ହେବା ପୂର୍ବରୁ ହିଁ ସଂସାରର ଏତେ ଏତେ ଦାୟିତ୍ୱ ବହନ କରନ୍ତି । ଏବଂ, ଦାୟିତ୍ୱ ବହନ କରୁ କରୁ ହିଁ ପାକଳ ହୁଅନ୍ତି, ପ୍ରତିକୂଳ କେତେ ନା କେତେ ପବନ ସହିତ ଲଢ଼ିବାରେ ହିଁ ଲାଗି ଥାଆନ୍ତି । ଯେକୌଣସି ସୁସ୍ଥ ସମାଜ ତଥା ସୁସ୍ଥ ରାଷ୍ଟ୍ର ସବାଆଗ ବିଶେଷ ସୁଯୋଗ ବ୍ୟବସ୍ଥାଗୁଡ଼ିକୁ ସୃଷ୍ଟି କରି ସେହିମାନଙ୍କୁ ହିଁ ଗୋଟାଇ ନେଉଥାନ୍ତା, ସେମାନଙ୍କୁ ସେମାନଙ୍କର ପ୍ରାପ୍ୟ ସକଳ ସ୍ଵୀକୃତି ଦେଇ କ୍ରମଶଃ ଅଧିକ ଭାଗ୍ୟବାନ ଅନ୍ୟମାନଙ୍କର ସମକକ୍ଷ କରାଇ ଆଣୁଥାଆନ୍ତା । ତା’ ହେଲେ ପୁରୁଷାନୁକ୍ରମେ ପ୍ରାୟ ସବୁ ରହିଥିବା ଓ ସବୁ ବୁଝୁଥିବା କେତେଟା ବର୍ଗ ଏଠାରେ ଯାବତୀୟ ସୁଖର ଅଧିକାରୀ ହୋଇ ରହିବାର ପାତକଗୁଡ଼ାକ ଭିତରେ ଆଦୌ ବାନ୍ଧି ହୋଇ ରହୁନଥାନ୍ତେ । ଗେହ୍ଲା ହୋଇ ପାଠ ପଢ଼ି ଓ ଆମ କାଗଜପତ୍ରମାନଙ୍କରେ ଅଧିକ ଯୋଗ୍ୟ ବୋଲି ଘୋଷିତ ହୋଇ ସେମାନେ ଏହି ଦେଶର ଏବଂ ଏହି କାଳର କାନ୍ଧଗୁଡ଼ାକ ଉପରେ ଲଦି ହୋଇ ବସି ସତେଅବା ସବୁ ମାରିନେବେ ବୋଲି ଆଣ୍ଟ କରୁନଥାନ୍ତେ । ଯଥାସମ୍ଭବ ସବୁ ମାରି ନେବା ହିଁ କଦାପି ସାମୁଦାୟିକ ଜୀବନର ଆମ ବଜାରମାନଙ୍କରେ ରାଜନୀତି ଶାସନ ସମେତ ବହୁ କ୍ଷେତ୍ରରେ ଏକ ନିତାନ୍ତ ଅଭଦ୍ର ଅତିଗର୍ହିତତାରେ ପରିଣତ ହୋଇ ରହିନଥାନ୍ତା । ଲକ୍ଷ୍ମୀ ଓ ସରସ୍ୱତୀ ଉଭୟଙ୍କୁ ଗିଳି ପକାଇବାର ଦୁଃସାହସ କେହି କରୁନଥାନ୍ତା କିମ୍ବା ଏହି ଦେଶ ନାମକ ମନୁଷ୍ୟ-ଘରଟି ଲାଗି ଉଦ୍ଦିଷ୍ଟ ହୋଇ ରହିଥିବା ପ୍ରତିଶୃତିଗୁଡ଼ିକୁ ମାଟି କରି ଦେଉନଥାନ୍ତା । ଅସଲ ସାମ୍ବାଦିକ ଯେତେ ବାଧ୍ୟ ହେଲେ ମଧ୍ୟ କଦାପି ଗୁଳାଗୁଡ଼ାକ ଭିତରେ ପଶି ଯିବନାହିଁ । ସିଏ ଗୁଳାମାନଙ୍କୁ ଭାଙ୍ଗିବ । ଏହି ଅସଜଡ଼ା ଦେଶଟାକୁ ସଜାଡ଼ିବାରେ ଯେଉଁ ବିକଳ୍ପମାନଙ୍କର ଆବଶ୍ୟକତା ରହିଛି, ସେଥିରେ ଜଣେ ସାମ୍ବାଦିକ ଅବଶ୍ୟ ସାମିଲ ହୋଇପାରନ୍ତା । ଯେଉଁଠାକୁ କେହି ଯାଇ ପାରୁନାହାନ୍ତି ସିଏ ସେଠାକୁ ଯିବା ସକାଶେ ମନ କରନ୍ତା,–ସହରରେ ହୁଏତ ଚହଳ ପକାଇ ଦିଅନ୍ତା । ଏଥିପାଇଁ ଯେଉଁ ଦୁଃସାହସଟିଏ ରହିଥିବା ସବା ଆଗ ଆବଶ୍ୟକ, ସେହି ଦୁଃସାହସଟି ମଧ୍ୟ ଆମ ସାମ୍ବାଦିକତାର ପାଠ୍ୟକ୍ରମରେ ଅବଶ୍ୟ ରହି ପାରିବା ଉଚିତ ।

 

୨୨.୭.୦୨

☆☆☆

 

ଯୁବକମାନେ ହିଁ ଭରସା

 

ଗୁଜରାଟରେ ହେଉ ହେଉ କେତେ କଅଣ ହୋଇଗଲା । ଘଟୁ ଘଟୁ କେତେ କଅଣ ନ ଘଟିଲା । କେତେ କଅଣ ଘଟିଲା, ଅଟକାଇବାକୁ ଶାସନଟାର ବଳ ପାଇଲା ନାହିଁ । କହିଲ ବାବୁ, ଏସବୁ ଘଟଣା ଯେ ଭାରତବର୍ଷରେ ଘଟୁଛି, ସେଥିପାଇଁ ତୁମେ ପ୍ରକୃତରେ କୋଉ ଧର୍ମକୁ ଦୋଷ ଦେବ ଏବଂ କୋଉ ଧର୍ମକୁ ସାଧୁ ବୋଲି କହିବ ? ତେଣୁ, ଆଖି ଆଗରେ ଏହିସବୁ ପାଷାଣ୍ଡାମିକୁ ଦେଖି ଧର୍ମଘରର ମହାଧୀଶମାନେ ମଧ୍ୟ ତାଟକା ହୋଇଗଲେ । ବେଳେ ବେଳେ ଏମିତି କ’ଣ ଗୋଟାଏ କୋଉଠି ବିଗିଡ଼ିଯାଏ ଯେ, ଧର୍ମ ନାମରେ ଭିଆ ଯାଉଥିବା ଅନାଚାରମାନେ ଧର୍ମର ଗାରଗୁଡ଼ାକୁ ମଧ୍ୟ ଟପି ଆଗକୁ ଚାଲିଯାଆନ୍ତି ଏବଂ ସେମାନଙ୍କୁ କେହି ରୋକି ପାରନ୍ତି ନାହିଁ । ଭାରତବର୍ଷରେ ବିଗତ ପଚାଶବର୍ଷ ହେଲା ଏମିତି କ’ଣ ସବୁ ଅବହେଳା ଓ ପ୍ରବଞ୍ଚନା କୁହୁଳି କୁହୁଳି ଆସୁଥିଲା, ଯାହାକୁ କି ସରକାର ତଥା ସଜ୍ଜନମାନେ କାନି ଘୋଡ଼ାଇ ଲୁଚାଇ ରଖିବାକୁ ଖୁବ୍‌ ଉଦ୍ୟମ କରିଥିଲେ, ମାତ୍ର ଆଖର ଅସୁରମାନେ ଯେତେବେଳେ ବାହାରକୁ ବାହାରି ଆସିଲେ ଏବଂ ବୀଭତ୍ସତମ ପରିଚୟରେ ପୂରା ଲଙ୍ଗଳା ହୋଇ ପଡ଼ିଲେ, ସେତେବେଳେ ଯାଇ ଘାଲେଇ ଘାଲେଇ ଘିଅ ପିଉଥିବା ରାଧୁଆମାନଙ୍କର ହୃତ୍‌କମ୍ପ ଜାତ ହେଲା । ଅତ୍ୟନ୍ତ ସିଧା କଥା ଯେ, ସେମାନେ ସମ୍ଭାଳି ପାରିଲେ ନାହିଁ । ନିତାନ୍ତ ନିର୍ଦ୍ଦୋଷମାନଙ୍କର ଘର ଉଜୁଡ଼ି ଯିବାରୁ ସେମାନେ ଯାଇ ଶିବିରମାନଙ୍କରେ ଆଶ୍ରୟ ଲୋଡ଼ିଲେ । ବନ୍ଧୁ, ଏହି ଅତି ନିନ୍ଦନୀୟ ବିପର୍ଯ୍ୟୟ ନିମନ୍ତେ ତୁମେ ମୋଟେ ଏ ଧର୍ମକୁ ଅଥବା ସେ ଧର୍ମକୁ ଦାୟୀ କରନାହିଁ । ବରଂ, ଟିକିଏ ଥିର ହୋଇ ଭାବିବା ଉଚିତ ଯେ, ଗତ ପାଞ୍ଚ ଦଶନ୍ଧି ଭିତରେ ଆମେ ଏପରି କ’ଣ ସବୁ ଗ୍ଲାନିକୁ ନିଜ ଘରେ ପଶିବା ସକାଶେ ବାଟ ଛାଡ଼ିଦେଲୁ, ଯାହା ଫଳରେ କି ଏଠା ମଣିଷମାନେ ଏକାବେଳେ ଏତେ ସଂଖ୍ୟାରେ ନିଜକୁ ଏକତରଫା କରି ଏ ଧର୍ମର ବା ସେ ଧର୍ମର ବୋଲି ଭାବିଲେ, ଏମାନେ ସେମାନେ ସମସ୍ତେ ଭାରତବାସୀ ବୋଲି ଭାବିବାର ବିବେକଟିକୁ ହରାଇ ବସିଲେ । ଏପଟ ଦଳଟା ସେପଟ ଦଳକୁ ଦୋଷ ଦେଲା ଓ ସେପଟଟା ଏପଟକୁ । ଏଇଟା ଆମ ସମସ୍ତଙ୍କ ନିମନ୍ତେ ଘୋର ଲଜ୍ଜାର ବିଷୟ ବୋଲି ସବୁଯାକ ପଟ ଏକାଠି କହି ପାରିଲେ ନାହିଁ । ତେଣୁ ସତକୁସତ କୌଣସି ମୋହଭଙ୍ଗ ହୋଇଛି ବୋଲି କିଏ କହିବ ?

 

ଅତି ଭାଗ୍ୟର କଥା ଯେ, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଦଳେ ପିଲା ଆମର ମାନ ରଖିଲେ । ଗୁଜରାଟରେ ବି ତ ଏକାଧିକ ବିଶ୍ୱବିଦ୍ୟାଳୟ ରହିଥିଲା । କିନ୍ତୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କିଛି ପିଲା ନିମିତ୍ତ ହେବେ ବୋଲି ହୁଏତ ବିଧାତାର ବରାଦ ହୋଇ ରହିଥିଲା । ଏମାନେ ବିଶ୍ୱବିଦ୍ୟାଳୟ ତରଫରୁ ଆସିନଥିଲେ । ଖୁବ୍ ସମ୍ଭବ ନିଜ ଭିତରେ ଏକାଭଳି କ’ଣ ଖୋଜୁ ଖୋଜୁ ପରସ୍ପରକୁ ଆବିଷ୍କାର କରିଥିଲେ ଏବଂ ଗୋଟିଏ ଗୋଷ୍ଠୀରେ ଗୁଜରାଟ ଆସିଲେ । କାବ୍ୟିକ ଶ୍ଳେଷମାନ ପ୍ରକାଶ କରି ଆଗରୁ ସମ୍ବାଦପତ୍ରରେ ସତେଅବା କେତେ କିଏ ଗୁଜରାଟକୁ ଭର୍ତ୍ସନା କରି କିଞ୍ଚିତ୍‌ ସାନ୍ତ୍ୱନା ପାଉଥିବା ପରି ଅନୁଭବ ମଧ୍ୟ କରୁଥିଲେ । ଖୋଦ୍ ଗାନ୍ଧିଜୀଙ୍କର ଜନ୍ମରାଜ୍ୟରେ ଦଙ୍ଗା ହେଉଛି, ରକ୍ତର ସୁଅ ବୋହୁଛି ଓ ସରକାର ଅଟକାଇ ପାରୁନାହାନ୍ତି ବୋଲି ବହୁତ ଝିଙ୍ଗାସି କଥାମାନ କୁହାଯାଉଥିଲା । ସେଇ ଅହମ୍ମଦାବାଦର ଉପକଣ୍ଠରେ ମହାତ୍ମାଗାନ୍ଧୀ ଏକଦା ନିଜର କର୍ମକ୍ଷେତ୍ର ସ୍ୱରୂପ ସାବରମତୀ ଆଶ୍ରମର ପ୍ରତିଷ୍ଠା କରିଛନ୍ତି ବୋଲି ମନେ ପକାଇ ଦିଆଯାଉଥିଲା । ଦଙ୍ଗା ଚାଲିଥିଲା, ରୋଦନ ମଧ୍ୟ ଲାଗିରହିଥିଲା । ରୋଦନଦ୍ୱାରା ଯେ ମୋଟେ କାର୍ଯ୍ୟସାଧନ ହୁଏନାହିଁ, ରୋଦନକାରୀମାନେ ସେହି କଥାଟିକୁ ନିଶ୍ଚୟ ଭଲ ଭାବରେ ଜାଣିଥିବେ । ଦିଲ୍ଲୀର ଛାତ୍ର ଏବଂ ଛାତ୍ରୀମାନେ ତ୍ରାଣ କାର୍ଯ୍ୟ କରିବାକୁ ଗୁଜରାଟ ଯାଇନଥିଲେ । ତ୍ରାଣକାର୍ଯ୍ୟ ତ ସରକାରଙ୍କଦ୍ୱାରା ଚାଲିଥିଲା । ବିପୁଳ ସ୍ତରରେ ଚାଲିଥିଲା । କୋଟି କୋଟି ବ୍ୟୟରେ ଚାଲୁ ରହିଥିଲା । ଦିଲ୍ଲୀରୁ ମନ୍ତ୍ରଣା ଦିଆଯାଉଥିଲା ଓ ରାଜ୍ୟର ଶାସନକର୍ତ୍ତାମାନେ ହୁଏତ ଅତ୍ୟନ୍ତ ବିଶ୍ଵସ୍ତତାର ପ୍ରଦର୍ଶନ ପୂର୍ବକ ବିଧିମତେ ସବୁ କରୁଥିଲେ । ସେହି କାର୍ଯ୍ୟରେ ସାହାଯ୍ୟ କରିବା ସକାଶେ ମନସ୍ଥ କରି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସେଠାକୁ ଯାଇନଥିଲେ । ଅନ୍ୟ କେହିହେଲେ ଯେଉଁ କାର୍ଯ୍ୟଟିକୁ କରୁନଥିଲେ, ଏମାନେ ସେହିଭଳି କାର୍ଯ୍ୟ କେତୋଟି ହାତରେ ନେଇ ସେଠାକୁ ଯାଇଥିଲେ । ଶରଣାର୍ଥୀ ଶିବିରରେ ପିଲା ବହୁତ ଥିବେ । ବଡ଼ ମନ ଦୁଃଖ ଭିତରେ ରହିଥିବେ । ବଡ଼ମାନେ ତ ବାସ ହରାଇ ଭରସା ହରାଇ ଓ ନିଜର ଆତ୍ମୀୟ ସ୍ୱଜନଙ୍କୁ ହରାଇ ହା ହୁତାଶା ଭିତରେ କାଳ କାଟୁଥିବେ, ଆଗକୁ ଅନିଶ୍ଚୟତା ବ୍ୟତୀତ ହୁଏତ କିଛି ବି ଦେଖିବାକୁ ପାଉନଥିବେ ଏବଂ ଜୀବନ ବିଷୟରେ ସବୁ ଆଶା ହରାଇ ବସିଥିବେ । ପିଲାମାନଙ୍କ ବିଷୟରେ ଆଦୌ କୌଣସି ଚିନ୍ତା କରିବା ସକାଶେ ସେମାନଙ୍କର କୌଣସି ବେଳ ନଥିବ । ଦିଲ୍ଲୀରୁ ଯାଇଥିବା ଛାତ୍ରଛାତ୍ରୀମାନେ ଏହି ପିଲାମାନଙ୍କୁ ଆଦରି ନେଲେ । ସେମାନଙ୍କୁ ଏକାଠି ବସାଇ ଗପମାନ କହିଲେ, ଗୀତ ଗାଇଲେ,–ଖେଳମାନ ଖେଳିଲେ । ଉଷର ଭୂମିରେ ପ୍ରାଣସଞ୍ଚାର କରି ଆଣିଥିଲେ-। ବହୁଦିନ ପରେ ପିଲାମାନେ ଟିକିଏ ହସିବାର ଅବକାଶ ପାଇପାରିଲେ । ସେମାନେ କେତେ ବଡ଼ କାମ କଲେ । ଏଥିରେ ବଡ଼ମାନଙ୍କର ଉଦାସୀନତାଗୁଡ଼ାକ ଉଣା ହେବାରେ ବି ନିଶ୍ଚୟ ଖୁବ୍ ହିମ୍ମତ ମିଳିଥିବ । ପିଲାମାନଙ୍କ ମୁହଁ ଉପରେ ଖୁସୀ ଦେଖି ସେମାନେ ବି ଏହି ଭଙ୍ଗା ଜୀବନଗୁଡ଼ାକୁ ତଥାପି ସଜାଡ଼ିହେବ ବୋଲି ବିଶ୍ୱାସ ପୋଷଣ କରିଥିବେ । ଛାତ୍ରଛାତ୍ରୀମାନେ ସେଠାରେ ଦିନା କେତେ ରହି ପୁନର୍ବାର ନିଜ ଅଧ୍ୟୟନଥାନ ଦିଲ୍ଲୀକୁ ଫେରି ଆସିଲେ ।

 

ଏଭଳି ଘଟଣାଟିଏ ପ୍ରଥମଥର ପାଇଁ ଘଟିଲା । ଏହି ଅପୂର୍ବ ଦୃଷ୍ଟାନ୍ତଟିକୁ ମନେ ପକାଇ ମୁଁ ଭାବୁଥିଲି, ଭାରତବର୍ଷର ଆଉ ବିଶ୍ଵବିଦ୍ୟାଳୟମାନଙ୍କରୁ ପିଲାମାନେ ମଧ୍ୟ ଗୁଜରାଟ ଯାଇଥାଆନ୍ତେ, ସେଠାରେ ନିଜ ଆଖିରେ ଦୁର୍ଗତିମାନଙ୍କୁ ଦେଖିଥାନ୍ତେ, ପିଲାମାନଙ୍କ ସହିତ ମିଶି ସେମାନଙ୍କୁ ଏକ ନୂତନ ପ୍ରତ୍ୟାଶା ସହିତ ଆଗକୁ ଅନାଇ ପାରିବାର ପ୍ରେରଣା ଦେଇ ଆସିଥାନ୍ତେ । ଏହି ଘଟଣାଟି ବି କିପରି ହୋଇଥାନ୍ତା, ଯଦି ବାହାରୁ ସେଠାକୁ ଯାଇଥିବା ତରୁଣ ସଚଳ-ହୃଦୟମାନେ ଏକ ମିଳିତ ଶୋଭାଯାତ୍ରାରେ–ସେହି ଶରଣାର୍ଥୀ ଶିବିରରେ କେତେଥର ବାହାରି ଆମେ ଆମ ନିର୍ବୋଧ ବଡ଼ମାନଙ୍କ ପରି କେବେ ହେଲେ ଆଚରଣ କରିବୁନାହିଁ ଏବଂ ଏଭଳି ଘଟଣାମାନ ଆଉ କେଉଁଠି ହେଲେ ଘଟିବାକୁ ଦେବୁନାହିଁ ବୋଲି ଘୋଷଣା କରି ପାରିଥାନ୍ତେ ? ଏହି ଯେଉଁ ହତ୍ୟାକାଣ୍ଡ ହୋଇଗଲା, ତାହା ପଛରେ ନିଜର କୌଣସି ହାତ ରହିଥିବା କଥା ଯେତେବେଳେ ଗୁଜରାଟର ଏବଂ ଭାରତବର୍ଷର କୌଣସି ରାଜନୀତିଜ୍ଞ ଦଳ ପ୍ରକାଶ୍ୟରେ ସ୍ଵୀକାର କରୁନାହାନ୍ତି ତେବେ ସେହି ଆଶ୍ରୟ ଶିବିରମାନଙ୍କରେ ସେମାନଙ୍କ ପକ୍ଷରୁ ସ୍ୱେଚ୍ଛାସେବକ ତଥା କର୍ମୀମାନେ ପରସ୍ପର ସହିତ ଗୋଟିଏ ମଂଚରେ ଏକାଠି ହୋଇ ଆମେ ନାରକୀୟ ଏହି କାଣ୍ଡଗୁଡ଼ିକର ବିରୋଧ କରୁଛୁ ବୋଲି କାହିଁକି ସଂପୃକ୍ତ ସର୍ବଜନଙ୍କୁ ଏକ ପ୍ରତୀତି ଦେବାକୁ ଇଚ୍ଛା ପ୍ରକାଶ କରି ପାରିଲେ ନାହିଁ ? ସେମାନେ କାହିଁକି ଯେଝା ଡିହରେ ବହେ ବହେ ବହଳିଆ ମୁହଁରେ ରାବିଲେ ଏବଂ ନିଜ ନିଜର ଖୋଳ ଭିତରେ ନିରିମାଖୀ ହୋଇ ରହିଗଲେ ? ସେପରି କିଛି ଘଟିଥିଲେ ଅବଶ୍ୟ ଜଣାଯାଇ ପାରିଥାନ୍ତା ଯେ ଏହି ଦେଶରେ ନାଗରିକ ହିଁ ସବା ଆଗରେ ରହିଛି-। ଜଣେ ନାଗରିକ ହିସାବରେ ହିଁ ଏଠାରେ ପ୍ରତ୍ୟେକର ବିଚାର କରାଯାଉଛି । ଆଗ ନାଗରିକତ୍ୱକୁ ଏକ ସଂପୂର୍ଣ୍ଣ ଭାରସାମ୍ୟଯୁକ୍ତ ସ୍ଵୀକୃତି, ତା’ପରେ ଯାଇ କାହାର ଏ ଧର୍ମ ତ ଆଉ କାହାର ସେ ଧର୍ମ, ଜଣେ ଏ ଦଳରେ ତ ଆଉ ଜଣେ ଆଉ କେଉଁ ଦଳରେ । ଏହି ପରିପ୍ରେକ୍ଷୀରେ ଦିଲ୍ଲୀର ଛାତ୍ରମାନେ ଯାହା କରିପାରିଲେ, ସେଥିପାଇଁ ସେମାନଙ୍କୁ ସହସ୍ର କଣ୍ଠରେ ଧନ୍ୟବାଦ ବୋଲି କହିବାକୁ ହେବ । ସେମାନେ ଏ ଦେଶର ଆମ ସମସ୍ତଙ୍କୁ ପୁନର୍ବାର ଆମର ଅସଲ ଘରଟିକୁ ଫେରି ଆସିବା ପାଇଁ ଏକ ଉଦ୍‌ବୋଧନ ଦେଇଗଲେ । ହଁ ଏକ ଚେତାବନୀ ମଧ୍ୟ ଦେଇଗଲେ ।

 

ଓଡ଼ିଶାରେ ପ୍ରଫେସର ବୈଦ୍ୟନାଥ ମିଶ୍ର ସେହି କାହାଣୀଟିକୁ ଯେ ଆମ ସମସ୍ତଙ୍କୁ ଲେଖି ଶୁଣାଇଲେ, ଆମେ ତାଙ୍କୁ ମଧ୍ୟ ସ୍ୱତନ୍ତ୍ର ଭାବରେ ଚାଲ ସାଧୁ ସାଧୁ ବୋଲି କହିବା । ଏଭଳି ବିକଳ୍ପ ଘଟଣାମାନ ଖାଲି ଓଡ଼ିଶା ଅଥବା ଖାଲି ଭାରତବର୍ଷରେ ନୁହେଁ, ପୃଥିବୀଯାକ ଘଟୁଛି । ପ୍ରତିଦିନ ହିଁ ଘଟୁଛି । ଖବରକାଗଜରେ ତ ପ୍ରଧାନତଃ କ୍ଷମତା ବଜାରର ଘଟଣାମାନ ଏଡ଼େ ଏଡ଼େ ହରଫରେ ବାହାରିବାରେ ଲାଗିଛି । ଆକାଶ ଗୋଟାକ ମେଘ ଘୋଟି ରହିଥିବା ପରି ଏକ ଭୁଲ୍ ଧାରଣା ଆଣି ଦେଉଛି । ତଥାପି ଅନ୍ୟମାନେ ରହିଛନ୍ତି, ଅନ୍ୟ ପ୍ରକାରେ କ୍ରିୟାଶୀଳ ରହିଛନ୍ତି । ସେମାନେ ରାଜନୀତି ବାହାରେ ଅଛନ୍ତି । ସତେ ଅବା ଧୀର ପାଣି ହୋଇ ପଥରମାନଙ୍କୁ କାଟି ବାହାରିଛନ୍ତି । ଏହି ଯୁବକମାନେ ହିଁ ସମ୍ପ୍ରତି ଏକମାତ୍ର ଭରସା ବୋଲି ପ୍ରଫେସର ମିଶ୍ର ଅତ୍ୟନ୍ତ ବ୍ୟାକୁଳ ହୋଇ କହିଛନ୍ତି । ସେହି ତାରୁଣ୍ୟ ବୁଢ଼ାମାନଙ୍କ ଭିତରେ ବି ରହିଛି । ସେହି ତାରୁଣ୍ୟ ଏକଦା ଅଭିନବ ସଂଗ୍ରାମଟିଏ ଲଢ଼ି ଭାରତବର୍ଷ ନିମନ୍ତେ ସ୍ଵାଧୀନତା ହାସଲ କରିଥିଲା । ଏହି ଦେଶର ମନୁଷ୍ୟ-ଭାଗ୍ୟକୁ ଅଭିନବ ପରିପ୍ରସ୍ଥ ଦେଇ ଗଢ଼ିବ ବୋଲି ଘୋଷଣା କରିଥିଲା । ଯେଉଁମାନେ କ୍ଷମତାକୁ ଗଲେ, କ୍ଷମତା ସେମାନଙ୍କୁ କ୍ରମେ ଏପରି ଅସଜ ଭାବରେ ଗିଳି ପକାଇଲା ଯେ, ସେମାନେ ହୁଡ଼ିଯିବାକୁ ଆରମ୍ଭ କଲେ, ରାଷ୍ଟ୍ରଟାକୁ ହିଁ ଦେଶ ମଣିଲେ ଏବଂ ସତ୍ୟାନାଶର କାରଣ ହେଲେ । ଧର୍ମ ଅନୁସାରେ, ଜାତି ଅନୁସାରେ, ଅଞ୍ଚଳ ଅନୁସାରେ ଦେଶକୁ ଏପରି ଅଲକ୍ଷଣା କରି ପକାଇଲେ ଯେ, ସମ୍ମୁଖସ୍ଥ ତାରାଟିକୁ ଆଉ ମୋଟେ ଦେଖିପାରିଲେ ନାହିଁ । ସେହି କୋପନ ଏବଂ ସେହି ସ୍ଖଳନର ଶଗଡ଼ଦଣ୍ଡା ଉପରେ ବସି ଶାସନ ମାରା ହେଲା, ସବାତଳରୁ ସବା ଉପର ଯାଏ ଶିକ୍ଷା ମାରା ହେଲା । ବିଶ୍ୱସନୀୟତାମାନେ ଦାରୁଣ ଉପେକ୍ଷାର ଆଘାତରେ ଖଣ୍ଡ ଖଣ୍ଡ ହୋଇଗଲେ । ଯେଉଁମାନେ ପ୍ରତିବାଦ କରିଥାନ୍ତେ, ସେମାନେ ପ୍ରାୟ ନାନା ତାତ୍କାଳିକ ପ୍ରୟୋଜନରେ ପଡ଼ି ତୋଷାମଦ କରିବାରେ ମଜ୍ଜିଗଲେ । ଧୃତରାଷ୍ଟ୍ରମାନଙ୍କୁ ଅନ୍ଧ ବୋଲି କହିବାକୁ କେହି ସାହସ କରିପାରିଲେ ନାହିଁ । ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ଗୁଜୁରାଟରେ ଯାହା ଏଥର କଲେ, ତାହାକୁ କାର୍ଯ୍ୟତଃ ଯେ ଏକ ପ୍ରତିବାଦ ବୋଲି କୁହାଯିବ, ପ୍ରଫେସର ମିଶ୍ର ଏଥିରେ ନିଶ୍ଚୟ ସମ୍ମତ ହେବେ । ପ୍ରତିବାଦ ଅଧିକ ହେଉ । ତେବେ ଯାଇ କଣସବୁ କେଉଁଠି ଦୋହଲି ଯିବାର ପ୍ରତ୍ୟୟ ମିଳିଯିବ ।

 

ବୃଦ୍ଧମାନେ ବି କ୍ରମେ ଏଥର ଏପରି କଥା କହି ଶିଖନ୍ତୁ, ଯେଉଁଥିରେ କି ତରୁଣମାନେ ପରତେ ଯିବେ । ଗୁରୁଜନଙ୍କ ପରି କଥା କହୁଥିବା ପର୍ଯ୍ୟନ୍ତ ସେମାନେ ଆମର ପାଖ ବି ମାଡ଼ିବେ ନାହିଁ । ଆମକୁ ସେଇ ପୁରୁଣାମାନଙ୍କ ସହିତ ଏକାଠି ସାମିଲ କରୁଥିବେ ଓ ଦୂରଛଡ଼ା ହୋଇ ରହିଥିବେ । ନିଜ ଭିତରେ ହୁଏତ କେତେ ତଳେ ପୋତି ହୋଇ ରହିଥିବା ତାରୁଣ୍ୟକୁ ଉଖାରି ତାହାରି ଭାଷାରେ କଥା କହିପାରିଲେ ଯାଇ ତରୁଣମାନେ ବୁଝିବେ, ପାଖକୁ ଆସିବେ, ପ୍ରତ୍ୟୁତ୍ତରଟିଏ ଦେବାକୁ ମନ କରିବେ । ନ ହେଲେ ସନ୍ଦେହ କରୁଥିବେ । ଯାବତୀୟ କ୍ଷେତ୍ରରେ ଓ ଯାବତୀୟ ଅର୍ଥରେ ସେମାନେ ଯେଉଁ ନେତୃତ୍ୱଗୁଡ଼ିକୁ ତୁଚ୍ଛା ଅଯୋଗ୍ୟ ବୋଲି କହି ପ୍ରତ୍ୟାଖ୍ୟାନ କରି ସାରିଲେଣି, ବଡ଼ ଅସୁରକ୍ଷିତ ଭାବରେ ବାପ ମାଆ ଛେଉଣ୍ଡ ହୋଇ ରହିବାକୁ ପସନ୍ଦ କରୁଛନ୍ତି ପଛକେ, ଆମର କଥାଗୁଡ଼ିକୁ ଆଦୌ ଗ୍ରହଣ କରିପାରୁ ନାହାନ୍ତି, ସେମାନେ ଆଦୌ ସେହି ନେତୃତ୍ୱକୁ ସ୍ୱୀକାର କରିବେ ନାହିଁ । ଆମେ ଯୁଗଟା ଅରାଜକ ହୋଇଗଲା ବୋଲି ପାଟି କରୁଥିବା, ସେମାନେ ତଥାପି ମୋଟେ ଆମ ଆଡ଼କୁ ଉହୁଙ୍କି ଅନାଇବାକୁ ଇଚ୍ଛା କରିବେ ନାହିଁ । ଆମେ ଗୋଟିଏ କଥା ଅବଶ୍ୟ ମନେ ରଖିଥିବା, ମାଲିକମାନେ ଯେତେ ଯାହା ହୁରି ପକାଉଥିଲେ ମଧ୍ୟ କାଳ ଏହିଠାରୁ ହିଁ ମୋଟେ ସରିଯିବ ନାହିଁ । ବିଧାତାର ପ୍ରୟୋଗଶାଳା ମୋଟେ ବନ୍ଦ ହୋଇଯିବ ନାହିଁ । ଅବସନ୍ନମାନେ ଯେତେ ହାଉ ହାଉ ହେଉଥିଲେ ମଧ୍ୟ ରାତି ଯାଇ ନୂଆ ଦିନଟିଏ ତଥାପି ଉଦୟ ହୋଇ ଆସିବ । ତେଣୁ, ନିଜ ଭିତରେ ସେହି ଅସଲ affirnation ଟି ରହିଛି ବୋଲି ଆମେ ଆଗ ସୁନିଶ୍ଚିତ ହେବା ଏବଂ ତେବେ ଯାଇ ଦିଲ୍ଲୀର ସେହି ଛାତ୍ରମାନଙ୍କୁ ବୁଝିପାରିବା, ବୁଝି ଖୁସି ବି ହେବା ।

 

୨୯.୭.୦୨

☆☆☆

 

ସନ୍ଥପଣର ଦୈନ୍ୟ

 

ସନ୍ଥ ବିନୋବାଙ୍କର କଥା ସତେ ଅବା କାଲିପରି ଲାଗୁଛି । ରାଜନୀତିକ କ୍ଷମତା ହସ୍ତାନ୍ତରର ସେହି ପ୍ରଥମ ପରିବର୍ତ୍ତନଟି ପରେ ଯେଉଁ ଦ୍ୱିତୀୟ ଅର୍ଥାତ୍ ସାମାଜିକ ପରିବର୍ତ୍ତନ ରୂପକ ବିପ୍ଳବର ଆହ୍ୱାନଟି ଆସି ପହଞ୍ଚିଥିଲା ଏବଂ ଶାସନଗାଦୀରେ ବସିଥିବା ନେତାମାନେ ସେହି ବିଷୟଟିକୁ ପ୍ରାୟ ଭୁରାଡ଼ି ରଖିବାର ମତଲବରେ ହିଁ ରହିଥିଲେ, ସେଥିରେ ଯଦି ସବା ଆଗ କାହାର ନିଷ୍ଠାପର ଭୂମିକାଟିଏ ରହିଛି ବୋଲି ପ୍ରଶ୍ନ କରାଯାଏ, ତେବେ ଉତ୍ତରରେ କେବଳ ବିନୋବା ଭାବେଙ୍କର ନାମକୁ ହିଁ ସ୍ମରଣ କରାଯାଇ ପାରିବ । ସମସ୍ତେ ଯାହାକୁ ଭୂଦାନ ବୋଲି କହୁଥିଲେ, ନିଜେ ବିନୋବା ତାହାକୁ ଭୂମିହୀନଙ୍କ ପାଇଁ ଭୂମି ସଂଗ୍ରହର ମାଧ୍ୟମରେ ଭୂକ୍ରାନ୍ତି ବୋଲି କହୁଥିଲେ-। ତାହା ମୂଳତଃ ଏକ କ୍ରାନ୍ତି,–ଏବଂ ତାହାରି ମଧ୍ୟରେ ପରବର୍ତ୍ତୀ ଆହୁରି ଏକାଧିକ କ୍ରାନ୍ତିର ସମ୍ଭାବନାଗୁଡ଼ିକ ମଧ୍ୟ ପ୍ରଚ୍ଛନ୍ନ ହୋଇ ରହିଥିଲା । ଭାରତବର୍ଷର ଦୁର୍ଭାଗ୍ୟ ଯେ ସନ୍ଥ ବିନୋବାଙ୍କ ସହିତ ଯେଉଁମାନେ ମୁଖ୍ୟ ଓ ବଡ଼ ହୋଇ ରହିଲେ, ସେମାନେ ବିନୋବାଙ୍କ ଭିତରେ ହୁଏତ ସନ୍ଥଟାକୁ ହିଁ ଏପରି ଗଦ୍‌ଗଦ ହୋଇ ଦେଖିଲେ ଯେ, ସନ୍ଥମୁହଁର କ୍ରାନ୍ତିବାଣୀଟିକୁ ଉଚିତ ମର୍ଯ୍ୟାଦାର ସହିତ ଠଉରାଇ ପାରିଲେ ନାହିଁ । ଆଖର ଇନ୍ଦିରା ଗାନ୍ଧୀ ଯେତେବେଳେ ଦେଶରେ ଜରୁରୀ ଅବସ୍ଥା ଜାରି କରିଦେଲେ, ସେତେବେଳେ ଆପଣା ବିଚାରର ସବୁଯାକ ରଞ୍ଜକକୁ ହରାଇ ବସିଥିବା ପରି ବିନୋବା ପୂରା ତାଙ୍କରି ପଟକୁ ଆଉଜି ହିଁ ପଡ଼ିଲେ ଏବଂ ପ୍ରାୟ ଆତ୍ମଘାତୀ ହେଲେ-। ହଁ, ଭୂକ୍ରାନ୍ତିର ଗଭୀରତର ସାମର୍ଥ୍ୟ ତଥା ସମ୍ଭାବନାଗୁଡ଼ିକର ଗନ୍ଧ ପାଇ ଭାରତୀୟ ସାମ୍ୟବାଦର ପ୍ରଣେତା ଶ୍ରୀ ଜୟପ୍ରକାଶ ନାରାୟଣ ମଧ୍ୟ ତାଙ୍କ ସହିତ ଆସି ଯୋଗ ଦେଇଥିଲେ-। ଓଡ଼ିଶାରୁ ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀ ମଧ୍ୟ ଆସି ପହଞ୍ଚିଥିଲେ ଏବଂ ପ୍ରଥମ ନେତୃତ୍ୱଟି ତା’ର ଆରମ୍ଭକାଳୀନ ଭୂମିକାଟିକୁ ସମ୍ପନ୍ନ କରି ଆଉ ଅଧିକ ଆଗକୁ ଗୋଡ଼ କାଢ଼ିପାରୁ ନାହିଁ ବୋଲି ଦେଖିପାରି ସେମାନେ ଅଧିକ ଆଗକୁ ବାହାରି ଆସିପାରିଥାନ୍ତେ ଓ କ୍ରାନ୍ତିର ଧାରାଟିରେ ଏକ ସମୁଚିତ ଅନ୍ୟବିନ୍ୟାସ ଆଣି ସମ୍ଭବ କରି ପାରିଥାନ୍ତେ ।

 

ବିଧାତା ତଥାପି ବାମ ହେଲା । ଶ୍ରୀଯୁକ୍ତ ଜୟପ୍ରକାଶ ବିହାର ରାଜ୍ୟରେ ତଥାପି କିଛି କ୍ରାନ୍ତିମୂଳକ ନକ୍ସା ଆଙ୍କି ଶିବିରଟିଏ ଗଢ଼ି ଆଣୁଥିବା ସମୟରେ ତାଙ୍କୁ ପ୍ରାୟ ଗୋଟାସୁଦ୍ଧା ଅନ୍ୟମନସ୍କ କରିପକାଇବା ନିମନ୍ତେ ତାଙ୍କ ମଥାରେ କଂଗ୍ରେସ ହଟାଓ ନାମକ ଆଉ ଗୋଟାଏ ଭୂତ ଆସି ପଶିଗଲା । ତାଙ୍କର ଦୃଷ୍ଟିଗୁଡ଼ିକୁ ଦିଲ୍ଲୀ ଆଡ଼େ ହୁଡ଼ାଇ ନେଇଥିଲା । ଓଡ଼ିଶାରେ ଶ୍ରୀ ଚୌଧୁରୀ ମଧ୍ୟ ସେହି ନିଶାରେ ବାଇ ହୋଇଗଲେ । କଂଗ୍ରେସ ନାମକ ମାଙ୍କଡ଼ଟାକୁ ଗଛ ଉପରୁ ହଟାଇ ଭୂଇଁରେ ପକାଇଦେବାର ମାଦକଟାରେ ମାତିଯାଇ ପ୍ରାୟ ସାତ କିସମର ନମୁନାମାନଙ୍କୁ ଆଣି ଭାରତୀୟ ରାଜନୀତିରେ ହୁଏତ ଅଧିକ ମାଙ୍କଡ଼ାମି ଆରମ୍ଭ ହୋଇଗଲା । ଦେଶବାସୀ ଏସବୁକୁ ଖୁବ୍ ଉପଭୋଗ କଲେ ସତ, ମାତ୍ର କ୍ରାନ୍ତିର ଆହ୍ୱାନ ଦେଇଥିବା ଏମାନେ ଯେ କ୍ରାନ୍ତିକୁ ହୁଡ଼ି ଆଉ କୁଆଡ଼େ ଯାଇ ପଶିଲେଣି, ସେହି କଥାଟି ଅତ୍ୟନ୍ତ ଶୋଚନୀୟ ଭାବରେ ପଦାରେ ପଡ଼ିଗଲା । ସେହି ଘାତଚନ୍ଦ୍ର ପଡ଼ିଥିବା ବେଳଟାରେ ଓଡ଼ିଶାର ଗୋଟାଏ ଆସନରେ ବିଧାନସଭା ପାଇଁ ଯେଉଁ ଭୋଟ ଲଢ଼େଇ ହେଲା, କ୍ରାନ୍ତିବାଲାଙ୍କର ମତି ଯେ ଆଉ କ୍ରାନ୍ତିରେ ନାହିଁ, ତଦ୍ଦ୍ୱାରା ସେଇ କଥାଟି ହିଁ ସ୍ପଷ୍ଟ ହୋଇ ଯାଇଥିଲା । ପଛଧାଡ଼ିରେ କେହି ନଥିଲେ । ପ୍ରାୟ ଏକ Paternalistic ଆକର୍ଷଣର ପ୍ରେରଣାରେ ଭାରତବର୍ଷରେ ସତକୁସତ ଏକ ସୁମେରୁଦଣ୍ଡ ଥିବା ଦ୍ୱିତୀୟ ଧାଡ଼ି କ୍ୱଚିତ୍ ସମ୍ଭବ ହୋଇଥାଏ । ସେହି ଗ୍ରହଦୋଷଟା ଏବେ ମଧ୍ୟ ଆମ ରାଜନୀତିକୁ, ଅନୁରକ୍ତିମାନଙ୍କୁ ତଥା ଆନୁଗତ୍ୟଗୁଡ଼ିକୁ ଭାରି ଜବରଦସ୍ତି କାମୁଡ଼ି ଧରି ରହିଛି । କ୍ରାନ୍ତି ଗଡ଼ି ଗଡ଼ି ଯାଇଛି । ଆମେ ବାଟ ହୁଡ଼ି ହୁଡ଼ି ଏବଂ ମୁହୂର୍ତ୍ତଗୁଡ଼ିକୁ ଗଡ଼ାଇ ଗଡ଼ାଇ ଆସି ଗୁଜୁରାଟରେ ପହଞ୍ଚିଲୁଣି । ଅସଲ କ୍ରାନ୍ତିଟାଏ ବାକି ରହିଯାଇଥିବାରୁ ଯେ ଦେଶକୁ ଯାବତ ପ୍ରମାଦ ଭିତରେ ଗୁପ୍ତହୋଇ ରହିବାକୁ ପଡ଼ୁଛି, ସେହି ଅସଲ ସତ୍ୟଟି ଯାଇ ଲଟାରେ ପଶିଛି ।

 

ସତ୍ୟାଗ୍ରହ ଥିଲେ ସତ୍ୟ ଆପେ ଆପେ ଦିଶି ଦିଶି ଯାଉଥାନ୍ତା । ସତ୍ୟାଗ୍ରହକୁ ବାଦ୍ ଦେଇ କେବେ ଏହି ପୃଥିବୀରେ ସତ୍ୟ ଅହିଂସାର କୌଣସି ଯଥାର୍ଥ ଅନୁଭବ ଲାଭ କରିବା ସମ୍ଭବ ହେବ ବୋଲି ମହାତ୍ମା ଗାନ୍ଧୀ ସମ୍ଭବତଃ ଚିନ୍ତା ହିଁ କରି ପାରିନଥାନ୍ତେ । ସତ୍ୟ ସହିତ ସହଯୋଗ କରିବାର ଅର୍ଥ ହେଉଛି ଅସତ୍ୟ ସହିତ ଅସହଯୋଗ କରିବା । ଆମେ ଭାରତବର୍ଷରେ ସେହି କଥାଟିରୁ ହୁଡ଼ି ରହିଯାଇଛୁ ବୋଲି ଆମର ଚତୁର୍ଦ୍ଦିଗରେ ଅସତ୍ୟମାନେ ପ୍ରବଳରୁ ପ୍ରବଳତର ହେବାରେ ଲାଗିଛନ୍ତି । ଅସତ୍ୟ ହାତରେ ପ୍ରାୟ ସବୁଯାକ କ୍ଷମତା । ଅସତ୍ୟ ହାତରେ ଶାସନ, ଅସତ୍ୟ ହାତରେ ଅଧିକ ବିତ୍ତ, ବିଦ୍ୟାମାନେ ବି ଅସତ୍ୟ ଘରେ ଗୋତି ଖଟୁଛନ୍ତି,–ଅସତ୍ୟ ଲାଗି ହିଁ ଏତେବଡ଼ ଏକ ଦେଶର ଭାଗ୍ୟାକାଶରେ ଏହି ଯାବତୀୟ ଅନ୍ଧାର ଘୋଟିକରି ରହିଛି । ସତ୍ୟାଗ୍ରହ ଘରେ କୋଲପ ପଡ଼ିଛି । ଭାରତ ସ୍ୱାଧୀନତା ହାସଲ କରିବା ପରେ ତଥାପି ସତ୍ୟାଗ୍ରହ ନାମକ ସମରାସ୍ତ୍ରଟିର ଆବଶ୍ୟକତା ରହିବ କି ନାହିଁ ବୋଲି ଏକ ପ୍ରଶ୍ନର ଉତ୍ତରରେ ଗାନ୍ଧିଜୀ ଏକଦା ଉତ୍ତର ଦେଇ କହିଥିଲେ ଯେ, ଆବଶ୍ୟକତା ଅବଶ୍ୟ ରହିବ । କାରଣ ଶାସକର ତଥାପି ଅକାମ୍ୟ ଅନାଚାରମାନ ଘଟିବାର ଅବକାଶ ରହିଥିବ ଏବଂ ପ୍ରଜାମାନେ ସତ୍ୟାଗ୍ରହ ଅସ୍ତ୍ରର ସହାୟତାଦ୍ଵାରା ଶାସନକୁ ଧର୍ମରେ ରଖି ପାରୁଥିବେ । ବାଟକୁ ଆଣି ପାରୁଥିବେ । ସେହି ସତ୍ୟାଗ୍ରହ ଲାଗି ବଳଯୁକ୍ତ ହୋଇ ରହି ପାରିବାକୁ ପ୍ରଜାମାନଙ୍କୁ ତାଲିମ୍ ଦେବା ହିଁ ଅସଲ ରାଜନୀତିକ ନେତୃତ୍ୱର ସବାବଡ଼ କାର୍ଯ୍ୟ ହେବ ବୋଲି ଗାନ୍ଧିଜୀ ସୂଚାଇ ଦେଇଥିଲେ ।

 

ଏବେ ଗୋଟିଏ ବହିରେ ସନ୍ଥ ବିନୋବା ଭାବେ ତାଙ୍କ ନିଜ ମୁଖରେ କହିଥିବା କେତୋଟି କଥା ଜାଣିବାକୁ ପାଇଲି । ସ୍ଵାଧୀନତା ସମୟରେ ଦେଶର ବିଭାଜନ ଫଳରେ ବହୁ ଶରଣାର୍ଥୀ ଯେତେବେଳେ ତେଣୁ ଏପଟକୁ ପଳାଇ ଆସୁଥିଲେ, ସେତେବେଳେ ବିନୋବା ପଞ୍ଜାବ ପ୍ରଦେଶରେ ସେମାନଙ୍କର ଥଇଥାନ କାର୍ଯ୍ୟରେ ସାହାଯ୍ୟ କରିବାକୁ ଯାଇଥିଲେ । ୧୯୪୮ ମସିହା ଏପ୍ରିଲ୍ ମାସର କଥା । ତାଙ୍କରି ଭାଷାରେ କହିଲେ, “ପଶ୍ଚିମ ପାକିସ୍ଥାନରୁ ଆସିଥିବା ଶରଣାର୍ଥୀମାନଙ୍କ ମଧ୍ୟରେ ଅନେକ ହରିଜନ ଥିଲେ । ହରିଜନମାନେ ଜମି ମାଗିଲେ । ସେମାନଙ୍କର ଆବେଦନ ମଂଜୁର ହେଉନଥିଲା, ଶେଷରେ ପଞ୍ଜାବର ସରକାରଙ୍କ ତରଫରୁ ଆଶ୍ୱାସନା ଦିଆଗଲା ଯେ, ପ୍ରାୟ ଲକ୍ଷେ ଏକର ଜମି ହରିଜନମାନଙ୍କୁ ଦିଆଯିବ । ରାଜେନ୍ଦ୍ର ବାବୁ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ଆଗରେ ଏହି ପ୍ରତିଶ୍ରୁତି ଦିଆଯାଇଥିଲା । ମୁଁ ମଧ୍ୟ ସେଠାରେ ଉପସ୍ଥିତ ଥିଲି ।” ତା’ ପରେ ଦିଲ୍ଲୀ ରାଜଘାଟରେ ହୋଇଥିବା ପ୍ରାର୍ଥନା ସଭାରେ ଶ୍ରୀ ବିନୋବା ଘୋଷଣା କରିଦେଲେ ଯେ, ହରିଜନମାନଙ୍କ ପାଇଁ ପଞ୍ଜାବ ସରକାର ଜମି ଦେବାକୁ ରାଜି ହୋଇଛନ୍ତି । ସେ ଏଥିପାଇଁ ସରକାରଙ୍କୁ ଅଭିନନ୍ଦନ ବି ଜଣାଇଥିଲେ ।

 

ପୁନଶ୍ଚ “ଦୁଇମାସ ପରେ ଶୁଣିବାକୁ ପାଇଲି ଯେ, ଏହା ହେବନାହିଁ । ହରିଜନମାନେ ଏଥିରେ ଖୁବ୍‌ ଦୁଃଖିତ ହେଲେ ।” ପ୍ରଶ୍ନଟିଏ ଉଠିଲା, ହରିଜନମାନେ ଯଦି ଏହାର ପ୍ରତିବାଦରେ ସତ୍ୟାଗ୍ରହ କରିବାକୁ ଚାହିଁବେ, ତେବେ ସେମାନଙ୍କୁ ସତ୍ୟାଗ୍ରହ କରିବାକୁ ଦିଆଯିବ କି ? ବିନୋବାଜୀ ଲେଖିଛନ୍ତି, “ମୁଁ ଚିନ୍ତାରେ ପଡ଼ିଗଲି । ରାଜ୍ୟ ତରଫରୁ ଯେଉଁ କଥା ଦିଆଯାଇଥିଲା, ତାହା ରକ୍ଷା କରାଗଲା ନାହିଁ । ମୁଁ ହରିଜନମାନଙ୍କୁ କହିଲି, ଦେଶର ବର୍ତ୍ତମାନ ପରିସ୍ଥିତିରେ ଆପଣମାନଙ୍କୁ ସତ୍ୟାଗ୍ରହ କରିବା ପାଇଁ ମୁଁ ପରାମର୍ଶ ଦେଇପାରିବି ନାହିଁ । ଆପଣମାନଙ୍କର ଏହି ବିବାଦରେ ମୁଁ ବର୍ତ୍ତମାନ ସାହାଯ୍ୟ କରିବା ପାଇଁ ଅକ୍ଷମ ବୋଲି ଦୁଃଖିତ” । ଏହା ପରେ ପଚାଶ ବର୍ଷର ସମୟ ବୋହି ଚାଲିଗଲାଣି । ଦେଶର ଅଧିକ ପରିମାଣର ଜମି ଜମି-ମାଲିକମାନଙ୍କ ହାତରେ ରହିଛି ଏବଂ ପ୍ରକୃତରେ ଦେହର ମିହନ୍ତ ଦେଇ କୃଷିର ସମସ୍ତ କାର୍ଯ୍ୟ କରୁଥିବା ମଣିଷମାନେ ମୂଲିଆ ହୋଇ ସେହି ଜମିରେ ଖଟୁଛନ୍ତି । ସେମାନଙ୍କର ନିଜର ଜମି ବୋଲି ହୁଏତ କିଛି ନାହିଁ ।

 

ସନ୍ଥ ବିନୋବାଙ୍କର ଭୂସଂଗ୍ରହ ଯାତ୍ରା ଆରମ୍ଭ ହେବା ପୂର୍ବରୁ ଓଡ଼ିଶାରେ ଗୋଟିଏ ଅଂଚଳରେ ଆଦିବାସୀମାନେ ପାରମ୍ପରିକ ଫିସାଦରେ ପ୍ରାୟ ପୁରୁଷାନୁକ୍ରମେ ସେମାନଙ୍କଠାରୁ ହଡ଼ପ କରି ନିଆଯାଇଥିବା ଜମିକୁ ଫେରି ପାଇବା ସକାଶେ ସଂଘବଦ୍ଧ ହୋଇଥିଲେ ଏବଂ ସେହି କାର୍ଯ୍ୟଟି ହାସଲ କରିବା ଉଦ୍ଦେଶ୍ୟରେ ଏକ ଭୂସତ୍ୟାଗ୍ରହ ସମିତି ମଧ୍ୟ ଗଠନ କରିଥିଲେ । ସେଇଟିକୁ ମଧ୍ୟ ଅତ୍ୟନ୍ତ ଚମତ୍କାର ଭାବରେ ଟାଳି ଦିଆଗଲା । ଏକ ସ୍ୱାଧୀନ ଦେଶରେ ଯାହାସବୁ ସର୍ବପ୍ରଥମେ କାର୍ଯ୍ୟକାରୀ ହୋଇଥାନ୍ତା ଏବେ ସେଗୁଡ଼ିକୁ ସତେଅବା ଗୋଟିଏ ଗୋଟିଏ ନିଷିଦ୍ଧ ଇଲାକା ଭଳି ଲୁଚାଇ ରଖାଯାଇଛି । କେହି ସେସବୁ ବିଷୟରେ ତୁଣ୍ଡ ଫିଟାଇ କିଛି କହିବାକୁ କେଜାଣି କାହିଁକି ସମୀଚୀନ ମଣୁ ନାହାନ୍ତି । ସାମାଜିକ କ୍ରାନ୍ତି ଉପେକ୍ଷିତ ହୋଇ ରହିଛି ଏବଂ ଦେଶଟାକୁ ଭୋଗ କରୁଥିବା ଥୋକେ ଉପରବାଲା ସକଳ କ୍ଷେତ୍ରରେ ହିଁ ଆମକୁ ନେଇ କ୍ରମେ ସତେଅବା ଏକ ଆଖିବୁଜା ଅରାଜକତା ପାଖରେ ନେଇ ହାବୁଡ଼େଇ ଦେଲେଣି । ହଁ, କେତେଜଣ ଅବଶ୍ୟ ଅତ୍ୟନ୍ତ ବ୍ୟସ୍ତ ଏବଂ ଚିନ୍ତିତ ବୋଲି ଏକ ଧାରଣା ଦେବା ପାଇଁ ଦେଶ ନିମନ୍ତେ ଏକ ଦ୍ୱିତୀୟ ସ୍ଵାଧୀନତା ସଂଗ୍ରାମର ପ୍ରୟୋଜନ ଦେଖାଦେଲାଣି ବୋଲି କେତେଥର କହିଲେଣି ।

 

ଥରେ ଆମ ରାଜଧାନୀର ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବା ସମୟରେ ଜଣେ ପ୍ରଧାନମନ୍ତ୍ରୀ ସେହି କଥାଟିକୁ କେଡ଼େ ଉତ୍ସାହର ସହିତ କହିଥିଲେ । ଏକଦା ପାର୍ଲାମେଣ୍ଟ କକ୍ଷରେ କେତେଦିନ ଉଦ୍‌ବିଗ୍ନ ମାତୁଳ ବା ପିତାମହମାନଙ୍କ ପରି ଅଲିଅଳ ଉପସ୍ଥିତମାନେ ମଧ୍ୟ ସର୍ବସମ୍ମତି ସହିତ ସେହି ମର୍ମରେ ଏକ ପ୍ରସ୍ତାବ ଗୃହୀତ କରାଇ ନେଇଥିଲେ ! ଆମ ଭୁବନେଶ୍ଵରରେ ମଧ୍ୟ ତାହାରି ଅନୁକରଣରେ ବାବୁମାନେ ସେହିଭଳି ଏକ ନାଟକ ଅଭିନୟ କରି ଦେଖାଇଦେଲେ । ଏମାନେ ପ୍ରକୃତରେ ଏହାଦ୍ୱାରା କାହାକୁ ପ୍ରୀତ ଅଥବା ଅନୁଗୃହୀତ କରିବା ଲାଗି ସେଭଳି କଲେ କେଜାଣି ?

 

ଜଣେ ସନ୍ଥ ଭିତରେ ବସ୍ତୁତଃ ଏପରି କ’ଣ ଉପାଦାନଟିଏ ରହିଥାଏ ଯାହାକି କିଛିବାଟ ଯାଏ ଚାଲି ଆସିଲେ ମଧ୍ୟ ଆପଣାର ସନ୍ଥପଣ ପାଖରେ ତଥାପି ଅଟକି ରହିଯାଏ ? ଧରଣୀର ଦୁଃଖକୁ ମୋଟେ ବୁଝି ପାରେନାହିଁ । ଧର୍ମଭୀରୁ ଦେଶମାନଙ୍କରେ ମଣିଷମାନେ କେଡ଼େ ନିର୍ଦ୍ଦୋଷ ଭାବରେ ତା’ବାକ୍ୟମାନଙ୍କରେ ବିଶ୍ୱାସ କରନ୍ତି; ମାତ୍ର ସେମାନେ ତାକୁ ସତକୁସତ ନିଜ ମେଳରେ ପାଇବା ପୂର୍ବରୁ ସିଏ ଖସି ବାହାରି ଯାଇଥାଏ । ଧୋକାଟା ହିଁ ସାର ହୁଏ । ମଣିଷମାନଙ୍କୁ ବାଦ୍ ଦେଇ ଭଗବଦ୍‌ଦର୍ଶନର ଲାଳସାରେ ପଡ଼ି ରହିଥିବା ପର୍ଯ୍ୟନ୍ତ ସନ୍ଥ ଓ ମହାତ୍ମାମାନେ ସଚରାଚର ସେହିଭଳି ହିଁ କିଛି କରନ୍ତି ।

 

ସର୍ବତ୍ର ବ୍ରହ୍ମ ବିରାଜମାନ ରହିଛନ୍ତି ବୋଲି କହୁଥିଲେ ମଧ୍ୟ ଏଠାଟାକୁ ମାୟା ବୋଲି ଧରି ନେଇ ସତର୍କ ରହିଥାନ୍ତି । ଅସଲ ସର୍ବନିମ୍ନ ବିରାଦରଗୁଡ଼ିକର କ୍ଷେତ୍ରରେ ସେମାନେ ଉପେକ୍ଷାଟାକୁ ହିଁ ଅଗ୍ରାଧିକାର ଦିଅନ୍ତି । ଓହ୍ଲାଇ ଆସି ପାରନ୍ତି ନାହିଁ । ଓହ୍ଲାଇ ଆସି ନପାରିବାଟାକୁ ହିଁ ସମର୍ଥନ ଦେଉଥିଲା ଶାସ୍ତ୍ରଗୁଡ଼ିକୁ ଆବୋରି ଧରିଥାଆନ୍ତି ଓ ନିଜକୁ ରିହାତି ଦେବାରେ ଲାଗିଥାନ୍ତି-। ଅସଲ ଅଧ୍ୟାତ୍ମ ଓହ୍ଲାଇ ଆସିବାକୁ ସମର୍ଥ ହୁଏ । ଏକ ସଚଳ ଅଙ୍ଗୀକାରବଦ୍ଧତା ସହିତ ସତ୍ୟକୁ ସାଙ୍ଗରେ ନେଇ ସିଏ ପୂର୍ଣ୍ଣ ସହଜ ଭାବରେ ଓହ୍ଲାଇ ଆସେ । ମଣିଷମାନଙ୍କ ଯାଏ ଆସିପାରେ; ସାଉଁଟି ନିଏ, ସଚେତନ କରେ, ଚେତା ଦିଏ । ସବୁ ମଣିଷଙ୍କୁ ସିଏ ନିଜ ପରି ସେମାନଙ୍କର ପରିପୂର୍ଣ୍ଣ ସମ୍ଭାବନା ଦେଇ ଦେଖୁଥାଏ ବୋଲି ଏସବୁ କରିପାରେ । ସେଇଥିପାଇଁ ହିଁ ଖୁସି ହୁଏ, ଯଥାର୍ଥ ମୁକ୍ତିର ଆସ୍ୱାଦନ ପାଏ ।

 

୫.୮.୦୨

☆☆☆

 

ଆମେରିକାରେ ଆଉଥରେ

 

ଯୁକ୍ତରାଜ୍ୟ ଆମେରିକା ବୃହତ୍ତର ଏହି ପୃଥିବୀରେ ଏପରି ଗୋଟିଏ ଦେଶ, ଯାହାର ବପୁ ବହୁତ ବଡ଼, କିନ୍ତୁ ବୟସ ନିତାନ୍ତ ଅଳ୍ପ । ମୋଟେ ଚାରିଶହ ସାଢ଼େ ଚାରିଶହ ବର୍ଷର ଦେଶଟିଏ, ସ୍ୱପ୍ନଟିଏ, ଚିତ୍ରଟିଏ ଏବଂ ନକ୍ସାଟିଏ । ସତେ ଯେପରି ବିଭିନ୍ନ ସମୟରେ ମଙ୍ଗ ଉପରେ ବସିଥିବା ମୁଖ୍ୟ ବ୍ୟକ୍ତିଗଣ ହିସାବଗୁଡ଼ାଏ କରି କ୍ରମେ ନିଜର ଏହି ଦେଶଟିକୁ ଏକାଧିକ ଅନ୍ଦାଜର ଜରିବମାନ ପକାଇ ଦେଶଟିଏ ତିଆରି କରି ଆଣିଛନ୍ତି । ସତେ ଯେପରି ଆଦୌ କିଛିହେଲେ ବିବର୍ତ୍ତିତ ହୋଇ ଆସିନାହିଁ । ନାନା ଉଚ୍ଚାଶାର ଗଣିତଦ୍ୱାରା ଛାଞ୍ଚରେ ପଡ଼ି ତିଆରି ହୋଇଛି । ସତେ ଅବା ପଛ ବୋଲି କିଛିନାହିଁ,–ମଣିଷଟା ଖାଲି ଆଗମୁହାଁ ହୋଇ ଚାଲିବାରେ ଲାଗିଛି । ଏହି ରୀତିଟାରେ ଭଲ ଯେତିକି, ସମ୍ଭବତଃ ସଲ ମଧ୍ୟ ସେତିକି । ମଥା ଭିତରେ ଅତ୍ୟାଧୁନିକ କେତେ ଉନ୍ମେଷଣା ଏବଂ କେତେ ଉତ୍ତେଜନା–ମାତ୍ର ଭିତରେ ଆଲୁରା ବାଲୁରା ପିଲାଟାଏ । ହାତରେ ଗୁରାଏ ପଇସା, କିନ୍ତୁ ଖର୍ଚ୍ଚ କରିବାକୁ ମୋଟେ ବୁଦ୍ଧି ପାଉନାହିଁ । ଦୁଇ ପାଖରେ ସମୁଦ୍ର,–ତେଣୁ ଅହେତୁକ ଭାବରେ ଆତ୍ମକାମୀ ଏବଂ ଆତ୍ମସଚେତନ । ସମସ୍ତଙ୍କ ସହିତ ଏକତ୍ର ବସିବାକୁ ଅବଶ୍ୟ ବ୍ୟଗ୍ର, ମାତ୍ର ତଥାପି ଆଉ ଗୋଟାଏ ଏମିତି ସ୍ପର୍ଶକାତରତା ରହିଛି, ଯାହାକି ତଥାପି ତାକୁ ସମସ୍ତଙ୍କଠାରୁ ଦୂରଛଡ଼ା କରି ରଖିଛି । ରାଷ୍ଟ୍ରଟା ରାଜତନ୍ତ୍ର ପରି ଚାଲୁଛି, ତଥାପି ଭିତରେ ସବୁକିଛି ଭାରି ହୁଗୁଳାହୋଇ ରହିଛି । ଉପରକୁ କେଡ଼େ ନିଦା ଦେଖାଯାଉଛି, ମାତ୍ର ଭିତରଟା ସତକୁସତ ଭାରି ପୋଲା । ସତେ ଯେପରି ଏହି କ୍ଷଣକ୍ଷଣର ଚଳନ୍ତି ଜୀବନହିଁ ସବୁକିଛି, ଆଦୌ କେଉଁଠି ହେଲେ କୌଣସି ଚେର ଲାଗିନାହିଁ । ଏହାହିଁ କ’ଣ ଏପରି ଏକ ଜୀବନଶୈଳୀ, ଯାହାକୁ ଅତ୍ୟାଧୁନିକ ବୋଲି କୁହାଯିବ ? ଏବଂ, ହୁଏତ ସବୁଠାରୁ ଅଧିକ ଆଗ୍ରହଜାତକାରୀ ଗୁମର ସତକଥାଟି ହେଉଛି, ସମଗ୍ର ପୃଥିବୀ ମଧ୍ୟ ସେହି ଶୈଳୀଟିକୁ ଗ୍ରହଣ କରିନେଉ ବୋଲି ମଞ୍ଜ ଭିତରେ ଏକ ଅତ୍ୟନ୍ତ ଅଭିସନ୍ଧିମୂଳକ ଲାଳସା ଓ ବ୍ୟଗ୍ରତା ।

 

ୟୁରୋପର ସାନ ସାନ ଦେଶରେ ଆମେରିକା ବିଷୟରେ ସାଧାରଣ ଲୋକସ୍ତରର ପ୍ରତିକ୍ରିୟା-କ୍ଷେତ୍ରରେ ଅନେକ ସମୟରେ ଏକ ବିଚିତ୍ର ସତ ବ୍ୟାପାରର ସମ୍ମୁଖୀନ ହେବାକୁ ହୋଇଥାଏ । ଖୁବ୍ ବୁଝିହୁଏ, ମାତ୍ର ତଥାପି ରହସ୍ୟଗୁଡ଼ିକୁ ଆଦୌ ଜାଣି ହେଉଥିବା ପରି ଲାଗୁଥାଏ-। ସେଠି ହାୱାଟା ହିଁ ସତେ ଅବା ଆମେରିକା ପରି ନୋଳି ନାଇ ନାଚିବ ବୋଲି ହକ ହକ ହେଉଛି-। ଆଧୁନିକ ଏବଂ ଅତ୍ୟାଧୁନିକ ନହେଲେ ଗତି ନାହିଁ ବୋଲି ଯେଉଁମାନ ବୁଝି ସେହି ଅନୁସାରେ ସକ୍ରିୟ ହେବାକୁ ମନ କରୁଛନ୍ତି, ସେମାନେ ଆମେରିକାକୁ ହିଁ ସତେ ଅବା ଅଗ୍ରଜ ବୋଲି ଧରିନେଇ ତାହାରି ଅନୁକରଣ କରୁଛନ୍ତି । ମାତ୍ର ନିଜ ଅନ୍ତନାଡ଼ିରେ କାହିଁକି ଏପରି ଅନୁକରଣ ଭିତରେ ଯାଇ ଫସିଗଲେ ବୋଲି ନିଜକୁ ନିନ୍ଦା ବି କରୁଛନ୍ତି । କୋକାକୋଲା ଆସି ୟୁରୋପର ଖାନ୍‌ଦାନୀ ସତ ମୂଳଦୁଆଗୁଡ଼ିକୁ ଉଖାରିଦେଲା ବୋଲି କୋପ କରି ସେମାନେ ନିଜ ଭିତରେ ନିଜକୁ ନିଜସ୍ଵ ପରିଚୟଗୁଡ଼ିକ ମଧ୍ୟରେ ରଖିନପାରୁଥିବାର ଅପାରଗତାଟାକୁ ଝିଙ୍ଗାସିବାରେ ଲାଗିଛନ୍ତି-। ହଁ, ଏ କଥାଟି ନିଦା ସତ ଯେ, ଦ୍ୱିତୀୟ ମହାଯୁଦ୍ଧ ପରେ ପୁନର୍ବାର ଆଣ୍ଠୁ ଭିଡ଼ି ଛିଡ଼ା ହୋଇପାରିବାର ଯାବତୀୟ ବୋଲି ଆମେରିକାରୁ ପାଇଥିବାରୁ ହିଁ ସେମାନେ ସେହି ଯୁଦ୍ଧ-ପରବର୍ତ୍ତୀ ଦୁଃସମୟଟାକୁ କାଟି କ୍ରମେ ବର୍ତ୍ତମାନର ସ୍ଥିରାବସ୍ଥାଗୁଡ଼ିକ ଆଡ଼କୁ ଆସିପାରିଛନ୍ତି । ଆମେରିକା ବିତ୍ତ ଯୋଗାଇଛି, ଆୟୁଧ ଯୋଗାଇଛି, ଏକାଧିକ ମେଣ୍ଟ ଭିତରେ ସେମାନଙ୍କୁ ନିର୍ଭର କଲାଭଳି କିଛି କିଛି ପ୍ରତୀତ ମଧ୍ୟ ଆଣିଦେଇଛି, ଶୀତଳ ଯୁଦ୍ଧର ଟଣାଟଣିରେ ସେମାନଙ୍କର ମୁରବି ପରି ଛିଡ଼ା ହୋଇଛି-। କିନ୍ତୁ, ୟୁରୋପୀୟ ଦେଶଗୁଡ଼ିକର ମଉରସୀ ସୂତ୍ରରେ ଯେଉଁସବୁ ଅଭିମାନ ରହିଛି, ସେଇଟା ପାଇଁ ଆମେରିକାର କାନି ଧରିବାର ବାସ୍ତବତାଟି ସେମାନଙ୍କୁ ଅବଶ୍ୟ ବାଧୁଥିବ । ଏକଦା ସେମାନଙ୍କର ସାମ୍ରାଜ୍ୟ ଥିଲା,–କର୍ପୁର ଉଡ଼ିଯିବା ପରେ କନାଟାକୁ ଯେ ତଥାପି ସହଜରେ ଛାଡ଼ି ହୁଏନାହିଁ, ଏମାନଙ୍କୁ ସେହି ଦୁର୍ଦ୍ଦଶାଟା ହୁଏତ କାଳ ହୋଇଛି । ସେମାନେ ବେଶ୍ ସଂକଟରେ ପଡ଼ିଛନ୍ତି-। ବାହାରେ ନାକ ଘଷିବାକୁ ହେଉଛି ଏବଂ ଭିତରେ ନାକମାନେ ଟେକି ହୋଇ ରହିଛନ୍ତି-। ମୋଟେ ମାନି ନେଇପାରୁ ନାହାନ୍ତି ।

 

କେଡ଼େ, ଧନୀ ଦେଶ ଏହି ଆମେରିକା । ଆମେରିକାର ପ୍ରଯୁକ୍ତି ବିଜ୍ଞାନ ହିଁ ଗୋଟା ପୃଥିବୀରେ ପାଟରାଣୀ ହୋଇ ବସିଛି । ପୃଥିବୀଯାକର ଭାଗ୍ୟ ନଉକାଟାର ମଙ୍ଗ ଆବୋରି ବସିଛି-। ସେଇଠି ସବୁଠାରୁ ଅଧିକ ଅସ୍ତ୍ର, ନାହିଁନଥିବା ଶକ୍ତି ବହନ କରୁଥିବା ଭଳି ଭଳି ବୋମା–ପୃଥିବୀଯାକର କୂଟନୀତିକ ସିରସ୍ତାମାନ, ଏବଂ ସର୍ବୋପରି ପୃଥିବୀତମାମ ଖେଦି ଭେଦି ରହିଥିବା ପୂରା ମାରୀଚମାର୍କା ଗୋଟାଏ ଗୋଇନ୍ଦା ସଂସ୍ଥା । ଆମେରିକାର ମୁଦ୍ରାଟା ହେଉଛି ପୃଥିବୀରେ ସବୁ ମୁଦ୍ରାଙ୍କର ବଡ଼ଘରିଆଣୀ ସଦୃଶ । ତେଣୁ ନମାନି ଗତି କାହିଁ ? ସ୍ଵୟଂ ଭଗବାନ ମଧ୍ୟ କେଡ଼େ ବଡ଼ କୂଟଟାଏ କରିଛନ୍ତି ଯେ, ଆମେରିକାରେ ଯାଇ ପହଞ୍ଚି ତା’ ସହିତ ଖୁରି ଖାଇବାକୁ ହେଲେ ଯେକୌଣସି ଶତ୍ରୁ ଦେଶର ସମରବାହିନୀକୁ ଚଉଠେ ଚଉଠେ ଗୋଲାର୍ଦ୍ଧର ସମୁଦ୍ରକୁ ଅତିକ୍ରମ କରିବାକୁ ହେବ । ହଁ, ଆମେରିକା ପଟେ ମଧ୍ୟ ପୁଞ୍ଜାଏ ପାଞ୍ଚଟା ଦେଶ ଅବଶ୍ୟ ରହିଛନ୍ତି ସତ, କିନ୍ତୁ ସେମାନେ ନାନା ସତ ଓ ମିଛର ବାଧ୍ୟବାଧକତା ମଧ୍ୟରେ ସେହି ଆମେରିକାର କାଇଦା ମଧ୍ୟରେ ରହିଛନ୍ତି । ବେପାର, ବଣିଜ, ଉତ୍ପାଦନ, ରପ୍ତାନି ତଥା ଆମଦାନୀ, ଏସବୁ କ୍ଷେତ୍ରରେ ଆମେରିକାର ନାହାକମାନେ ଖଡ଼ି ପକାଇ ଅନୁମତି ଦେଲେ ଯାଇ ଯାହା ସମ୍ଭବ ହୋଇପାରୁଛି-। ଗୋଟାଏ ବୋଲି ଅମାନିଆ ଦେଶ କିଉବା । ବକଟେନାକୁ ଦେଶ, ତଥାପି କଥା ମାନୁନାହିଁ; ଏବଂ ତଜ୍ଜନିତ ବହୁ ପରିଣାମ ଭୋଗ କରୁଛି । ଏତେ ଏତେ ଦେଶ ବୋଲ ମାନି ରହିଲେ, ସେହି ଗୋଟାଏ ଦେଶ କାହିଁକି ବୋଲ ମାନିବ ନାହିଁ ବୋଲି ଆମେରିକାର ରାହୁମାନେ ରକତ ଚାଉଳ ଚୋବାଉଛନ୍ତି-। ତଥାପି ନିୟତିର ଏ ଅଭିଲାପଣକୁ ଦେଖ, କିଉବା ମାନିବାକୁ ମୋଟେ ମଙ୍ଗୁନାହିଁ-। ସୈନ୍ୟସାମନ୍ତଙ୍କର ଘେର ବସାଇ ଆମେରିକା ତଥାପି କିଉବାର ଦକ୍ଷିଣ ସୀମାରେ ଅରାଏ ନିଜ ଦଖଲରେ ରଖିଛି, କିଞ୍ଚିତ୍ ସାନ୍ତ୍ୱନା ପାଉଛି ।

 

ପୃଥିବୀର ସବୁଠାରୁ ବଡ଼ ମହାଜନ ହେଉଛି ଏହି ଯୁକ୍ତରାଜ୍ୟ ଆମେରିକା । ସାରା ପୃଥିବୀକୁ ନିଜ ନଜରର ଅଟକଳ ଭିତରେ ହଜମ କରି ରଖିବାର ତାକତ କେବଳ ଆମେରିକାର ରହିଛି । ମହାଯୁଦ୍ଧ ସମୟରେ ସିନା ଆମେରିକା ଆଉ ରୁଷିଆ ଏକାଠି ଗୋଟିଏ ପଟେ ରହିଥିଲେ-। ମାତ୍ର ଯୁଦ୍ଧ ସରିଯିବା ପରେ ଦୁହିଁଙ୍କ ଭିତରେ ପ୍ରାୟ ସବୁ ତୁଠରେ ଯେଉଁ ପରାପରିଗୁଡ଼ାକ ଲାଗିଆସିଲା, ବିଜ୍ଞବ୍ୟକ୍ତିମାନେ ତାହାକୁ ଶୀତଳ ଯୁଦ୍ଧ ବୋଲି କାହିଁକି କହିବାକୁ ଆରମ୍ଭ କଲେ କେଜାଣି ? ଗୋଟାକୁ ପ୍ରଥମ ପୃଥିବୀ ବୋଲି କହି ଆରଟାକୁ ଦ୍ୱିତୀୟ ପୃଥିବୀ ବୋଲି ଏପଟୁ କୁହାଗଲା । ରୁଷିଆ ଗଡ଼ରେ ହୁଏତ ରୁଷିଆକୁ ହିଁ ପ୍ରଥମ ପୃଥିବୀ କହି ଆମେରିକାର ପଟଟାକୁ ଦ୍ୱିତୀୟ ପୃଥିବୀ ବୋଲି କହିବା ନିମନ୍ତେ ସେପଟରେ ଖୁବ୍ ମନ୍ତ୍ରଣା ହୋଇଥିବ-। ଆମ ତୁମ ଜାଣିବାରେ ପୂର୍ବରୁ ଯେଉଁ ସାମ୍ରାଜ୍ୟବାଦ ଥିଲା ସେଇଟା ଭୁଷୁଡ଼ି ପଡ଼ିଲା । ନୂଆ ହୋଇ ସ୍ଵାଧୀନ ହୋଇଥିବା ଦେଶମାନେ ନିଜକୁ ତୃତୀୟ ପୃଥିବୀ ବୋଲି କୁହାଇନେଲେ ଏବଂ ଖୁସି ହେଲେ-। ଆଖର ଯେତେବେଳେ ଏକ ଅଭିନବ ପ୍ରତିକ୍ରିୟା ହେତୁ ସେହି ଦ୍ୱିତୀୟ ପୃଥିବୀଟା ଖିନ୍‌ଖରାପ ହୋଇଗଲା ଏବଂ ପରିଚିତି ହରାଇଲା, ପୂରା ପୃଥିବୀଟା ଆମେରିକାକୁ ସତେ ଅବା ନିରଙ୍କୁଶ ହୋଇ ମିଳିଗଲା । ନହେଲେ ତ ସମଗ୍ର ପୃଥିବୀଟା ଦୁଇଭାଗ ହୋଇ ରହିଥିଲା ଏବଂ ତଦନୁସାରୀ ଏକ ଆନୁଗତ୍ୟ ଅନୁସାରେ ଦୁଇଶକ୍ତି,–ଆମେରିକା ଓ ରୁଷିଆ–ଭେଟୋ କ୍ଷମତାର ପ୍ରାୟ ଏକ ଆଖିବୁଜା ପ୍ରୟୋଗ କରୁଥିଲେ ଓ ପୃଥିବୀଟାକୁ ଦୁଇ ପ୍ରଭାବମଣ୍ଡଳ ଭିତରେ ବାଣ୍ଟି ରଖିଥିବାରୁ ସେହି ନ୍ୟାୟର ଅନୁସରଣ କରି ଏପଟ ଓ ସେପଟରୁ ଦେଶମାନଙ୍କୁ ପୁଞ୍ଜି ସରବରାହ ହେଉଥିଲା, ଦୁଇ ମାମଲତକାରଙ୍କ ମତଲବ ଅନୁସାରେ ସୈନ୍ୟବାହିନୀ ମୁତୟନ ହୋଇ ରହିଥିଲେ-। ବନ୍ଧୁତା ବାନ୍ଧିବାରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଥିଲା । ଦୁଇପଟୁ ଗୋଇନ୍ଦା ଜାଲ ବିଛା ହୋଇ ରହିଥିଲା ତଥା ନିତାନ୍ତ ପାଳକଟାଏ ଅଥବା ସଂକଟଟାଏ ପଡ଼ିଲେ କୃତ୍ରିମ ଯୁଦ୍ଧମାନେ ମଧ୍ୟ ଲାଗି ଯାଉଥିଲେ-। ଏଗୁଡ଼ିକର ଫାନ୍ଦରେ ପଡ଼ିବାକୁ ନିର୍ବୋଧ ରାଷ୍ଟ୍ରମାନେ ମଧ୍ୟ ସଦାତତ୍ପର ରହିଥିଲେ ।

 

ଗୋଟାଏ ପାଖ ଭାଙ୍ଗିପଡ଼ିବା ପରେ ସେ ଖେଳଟା ଆଉ ନାହିଁ ସିନା, ମାତ୍ର ଖେଳଗୁଡ଼ାକ ତଥାପି ଲାଗିରହିଛି । ଆମେରିକାର ରାଷ୍ଟ୍ର ପ୍ରାୟ ଏକପାଖିଆ ଭାବରେ ଉଦାର ହେବାର ପୂରା ବାତାବରଣଟିଏ ପାଇଯାଇଛି । ତଥାପି ପୃଥିବୀରେ ଦୀନତାମାନେ ରହିଛନ୍ତି । ଅସହାୟ ମନୁଷ୍ୟମାନେ କୋଟି କୋଟି ସଂଖ୍ୟାରେ ରହିଛନ୍ତି । ଏହି ଯାବତୀୟ ଦୁର୍ଦ୍ଦଶା ଦୂର ହେବାର ପଥରେ ପ୍ରତିବନ୍ଧକମାନେ ଛିଡ଼ା ହୋଇ ରହିଛନ୍ତି । ଆମେରିକା କହୁଛି, ନିଅ, ଯିଏ ଯେତେ ନେବାର ନିଅ । ଋଣ ନିଅ, ଦାନ ନିଆ, ଅସ୍ତ୍ରଶସ୍ତ୍ର ନିଅ, ସବୁ ପାଇବ, ଯଦି ଆମ କଥା ମାନିବ ଅର୍ଥାତ୍ ଆମପଟେ ରହି ଆମର ବିଶେଷ ସ୍ଵାର୍ଥଗୁଡ଼ିକର ସମର୍ଥନ କରିବ । ମାତ୍ର, ଗୋଟିଏ କଥା ସର୍ବଦା ମନେ ରଖିଥିବ ଯେ, ଆମେରିକାରେ ଆମେ ଯେତିକି ସମ୍ଭୋଗ ଏବଂ ଉଚ୍ଚ ଉଚ୍ଚ ସୁଯୋଗ ଭିତରେ ରହିଛୁ, ସେଥିରୁ ଆମେ ଧାପେ ମଧ୍ୟ ତଳକୁ ଖସିବୁ ନାହିଁ । ପୃଥିବୀର ମଣିଷମାନେ ସାଥୀ ଖୋଜୁଛନ୍ତି; ଆମେରିକା ଦାନ କରିବାକୁ ରାଜି ଅଛି, କିନ୍ତୁ ସାଙ୍ଗକୁ ଆସିବାକୁ ମୋଟେ ମଙ୍ଗୁନାହିଁ । ପୃଥିବୀଟାକୁ ଅସମାନ ରଖିବା କ’ଣ ତାହାର ଏକ ଅସଲ ଅଭିପ୍ରାୟ କି ? ସମସ୍ତଙ୍କ ଉପରେ ରହିବାରେ ଗୋଟାଏ ଖାସ୍ କିସମର ଆନନ୍ଦ ହୁଏତ ରହିଛି, ମାତ୍ର ସେଥିରେ ପୃଥିବୀର ମଙ୍ଗଳ ମୋଟେ ନାହିଁ । ହିସାବ କହୁଛି, ପୃଥିବୀରେ ଚଉଠେଯାଏ ମନୁଷ୍ୟ ଦୈନିକ ମାତ୍ର ଗୋଟିଏ ଡଲାର ମଧ୍ୟ ଉପାର୍ଜନ କରିବାକୁ ସମର୍ଥ ହେଉନାହାନ୍ତି । ଏବଂ ଏକ ଆମେରିକୀୟ ପରିବାର ବର୍ଷକୁ ହାରାହାରି ୫୫୦୦୦ ଡଲାର ଉପାର୍ଜନ କରୁଛି । ମନୁଷ୍ୟମାନେ ଆଯୋଗ୍ୟ ବୋଲି ଯେ ଏତେ ତଳେ ବା ଏତେ ପଛରେ ରହିଛନ୍ତି, ସେକଥା ଅଦୌ ନୁହେଁ । ସାମାଜିକ ନ୍ୟାୟ ତଥା ସମାନ ସୁଯୋଗରୁ ବହୁ ମଣିଷଙ୍କୁ ଏକାଧିକ ପୁରୁଣା ପାତରଅନ୍ତରଦ୍ଵାରା ବଞ୍ଚିତ କରି ରଖାଯାଇଛି । ସେହି ପାତରଅନ୍ତରଗୁଡ଼ିକ ଯିବାଯାଏ ପ୍ରକୃତରେ ଶାନ୍ତି ନାହିଁ ।

 

ଆମେରିକାକୁ ଏତେ ଭୟ ନଥାନ୍ତା, ଯଦି ପୃଥିବୀର ଆଉ ଆଉ ଦେଶମାନଙ୍କରେ ମଧ୍ୟ ଚେନାଏ ଚେନାଏ ଆମେରିକା ସୃଷ୍ଟି କରି ରଖିବା ଲାଗି ପାଷଣ୍ଡବତ୍ ଚେଷ୍ଟା ହେଉନଥାନ୍ତା । ବିଶେଷକରି ଆମର ଏହି ତୃତୀୟ ପୃଥିବୀଟାରେ ତଳେ ସବୁ ମଣିଷ ମଣିଷ ଭଳି ବଞ୍ଚିରହିପାରିବା ଲାଗି କିଛି ଗଢ଼ାହୋଇ ପାରୁନାହିଁ । ତେଣେ ଉପରେ ଥୋକେ ମାତ୍ର ଗୋଟାସୁଦ୍ଧା ନିଜକୁ ହିଁ ଦେଶ ବୋଲି ଓ ଦେଶରେ ସବା ଆଗ ବୋଲି କହି ମୁହଁଗୁଡ଼ିକୁ ବହଳ କରି ନାଚିବାରେ ଲାଗିଛନ୍ତି, ସେମାନେ ଯାବତ୍ ଅର୍ଥରେ ଆମେରିକାକୁ ହିଁ ଗୁରୁ ରୂପେ ଗ୍ରହଣ କରିନେଇଛନ୍ତି । ଖୁବ୍ ସମ୍ଭବ ସ୍ଵୟଂ ଆମେରିକାକୁ ମଧ୍ୟ ସେହି କଥାଟି ଜଣାନାହିଁ । ସେହି କାରଣରୁ ରାଜନୀତି, ଅର୍ଥ ଯୋଜନା, ଶିକ୍ଷାର ବ୍ୟବସ୍ଥା,–ସବୁ କିଛି ବହୁଙ୍କର ପାଖଟାକୁ ଅବଜ୍ଞା କରିବାରେ ଲାଗିଛି । ଅନ୍ଧାରଗୁଡ଼ାକ ଚାଲିଯିବାର ସମୟ ହୋଇ ଯାଇଥିଲେ ମଧ୍ୟ ଅନ୍ଧାର ଘୋଟି ରହିଛି । ପୃଥିବୀଟାକୁ ପଛରେ ପକାଇଦେଇ ତୁ କୁଆଡ଼େ କେଉଁପରି ପଳାଇଯିବୁ ଯେ ଆମେରିକା, ପୃଥିବୀର ମଣିଷମାନେ ତୋତେ କେବେହେଲେ ଯିବାପାଇଁ ଦେବେନାହିଁ । ତୋତେ ପଛକୁ ହିଁ ଟାଣି ଧରିଥିବେ । ସମସ୍ତଙ୍କୁ ସାଙ୍ଗରେ ନେବାକୁ ମନ କରିବୁ, ସମସ୍ତଙ୍କର ସାଙ୍ଗ ହେବାପାଇଁ ମନ ବଳାଇବୁ, ନହେଲେ ପଛରୁ ତୋତେ ପଲ ପଲ ମଣିଷ ଏବଂ ମାଳ ମାଳ ଦେଶ ଟାଣି ଧରିଥିବେ, ଆଗକୁ ମୋଟେ ବାଟ ଛାଡ଼ି ଦେବେନାହିଁ । ଏ ଯୁଗର ବିଧାତା ମଧ୍ୟ ଏହି ଅଧିକଙ୍କର ପକ୍ଷରେ ରହିଛି ବୋଲି ଏତେ ଥାଇ ମଧ୍ୟ ତୁ ତଥାପି ଏତେ ଏତେ କନ୍ଦଳ ଭିତରେ ନିତାନ୍ତ ଅସହଜ ଓ ନିତାନ୍ତ ଆତଙ୍କିତ ହୋଇ ରହିଛୁ । ଆମର ନିଜ ଦେଶଟାରେ, ଏପରିକି ଆମ ଗାଆଁରେ ମଧ୍ୟ କେହି ନିଜର ଅଲଗା ଚେନାଟିଏ ଆବୋରି ନେଇ ଆମେରିକା ହୋଇ ରହିବେ,–ପୃଥିବୀରେ ସେହି ଅନାଚାରଟା କ୍ରମଶଃ ନିତାନ୍ତ ଅନାବଶ୍ୟକ ବୋଲି ଅଧିକରୁ ଅଧିକ ମଣିଷ ବୁଝିବାକୁ ଆରମ୍ଭ କଲେଣି । ଆଗାମୀ ସମୟଟାର ଭଗବାନ ମଧ୍ୟ ଆଉ ଅଲଗା କିଛି ଜଳଜଳ ଦେଖିବାକୁ ଆରମ୍ଭ କଲେଣି କି କ’ଣ ସେଥିପାଇଁ ତାହାରି ଅନୁସାରେ ପୃଥିବୀଯାକର ମଣିଷଙ୍କୁ ପ୍ରସ୍ତୁତ ବି କରି ନେଇଛନ୍ତି ।

 

୧୨.୮.୦୨

☆☆☆

 

ପଘା ବି ଭଳି ଭଳି

 

ଅସଲ ଶୃଙ୍ଖଳାର ପଘା, ସେଇଟି ହେଉଛି ବିବେକର ପଘା । ଆମେ ସକଳେ ଯେତେ ଯେତେ ‘ମୁଁ’ ? ଅତ୍ୟନ୍ତ ଅପରିହାର୍ଯ୍ୟ ଭାବରେ ଅଗଣିତ ‘ତୁମେ’ର ବେଷ୍ଟନୀ ଭିତରେ ହିଁ ଘେରି ହୋଇରହିଛୁ । ପୃଥିବୀରେ ସେହି ‘ମୁଁ’ ମାନେ ହିଁ ଚିରକାଳ ପ୍ରାୟ ସବୁଯାକ ହୁଙ୍କାର ଦେଇ ଆସିଥିଲେ ମଧ୍ୟ ‘ତୁମେ’ ଟି ହିଁ ସତେ ଅବା ଜନନୀ ଭଳି ତାକୁ ସୁରକ୍ଷା ଦେଇ ଆସିଛି । ‘ତୁମେ’ଟା ନଥିଲେ ସେହି ହୁଙ୍କାର ଦେବାଟା ମଧ୍ୟ ପୁଣି କିଭଳି ସମ୍ଭବ ହେଉଥାଆନ୍ତା ? ସେହି ‘ତୁମେ’ର ପ୍ରସ୍ଥ ଓ ଆୟତନଗୁଡ଼ିକୁ ବଢ଼ାଇ ବଢ଼ାଇ ଯେତେବେଳେ ସବାବୃହତ୍ ଏବଂ ସର୍ବବ୍ୟାପ୍ତ ବୋଲି ମନୁଷ୍ୟମାନେ କଳ୍ପନା କରିଛନ୍ତି ଓ ଆହୁରି ଅଧିକ ନିବିଡ଼ ଭାବରେ ତାହାକୁ ଅନୁଭବ କରିବା ନିମନ୍ତେ ଅଭିଳାଷୀ ହୋଇଛନ୍ତି, ସେମାନେ ତାହାକୁ ହିଁ ସଚରାଚର ଭଗବାନ ବୋଲି କହିଛନ୍ତି କି ? ବେଳେବେଳେ ମନେହୁଏ ଏହିପରି ଭାବରେ ଏହି ସମଗ୍ର ବିଶ୍ଵନିୟତିକୁ ଠୁଳ ରୂପେ ଅର୍ଥାତ୍ ହାତପାପୁଲି ଉପରେ ରଖି ବାଟ ଚାଲି ପାରିବାର ପ୍ରେରକ ରୂପେ ଅଙ୍ଗେ ନିଭାଇ ପାରିବା ନିମନ୍ତେ ହିଁ ମନୁଷ୍ୟମାନଙ୍କ ମଧ୍ୟରେ ଯୁଗେ ଯୁଗେ ଜନ୍ମଲାଭ କରିଥିବା ଅସଲ ବିବେକୀମାନେ ସେହି ଭଗବାନଙ୍କୁ ହିଁ ଏକ ପଘା ରୂପେ ବ୍ୟବହାର କରିଛନ୍ତି । ‘ତୁମେ’ ଗୁଡ଼ିକର ପୃଥିବୀଟିରେ ଆତଯାତ ହେଉଥିବା ମନୁଷ୍ୟ-ସମୂହଗୁଡ଼ିକ ମଧ୍ୟ ସେହି କଥାଟିର ଆବେଦନକୁ କେଡ଼େ ସହଜରେ ବୁଝି ବି ଯାଇଛନ୍ତି ।

 

‘ତୁମେ’ଟାକୁ ନବୁଝିଲେ ‘ମୁଁ’ର ପ୍ରକୃତରେ କୌଣସି ଗଦି ନାହିଁ । ‘ତୁମେ’ଟିର ଗଭୀରତର ପରିଚୟସ୍ପର୍ଶଗୁଡ଼ିକୁ ପାଉଥିବାର ଏକ ଅପୂର୍ବ ତଥା ଉନ୍ମୋଚନକାରୀ ପ୍ରକ୍ରିୟାଦ୍ୱାରା ହିଁ ଏଠାରେ ଏହି ପାର୍ଥିବ ସତ୍ୟଚେତନାର ଜୀବନରେ ଯାବତୀୟ ଆତ୍ମଆବିଷ୍କାର ସମ୍ଭବ ହୋଇଥାଏ । ଆଧୁନିକ କାଳଟିକୁ ଚାଲନ୍ତୁ ଆମେ ସର୍ବପ୍ରଥମେ ଧନ୍ୟବାଦ ଦେବା । ଯେ କ୍ରମେ ‘ତୁମେ’ର ସେହି ପରିଚୟଲାଭଗୁଡ଼ିକ ପୂର୍ବାପେକ୍ଷା ଅଧିକ ସୁଲଭ ହୋଇଯାଉଛି, ନାନା ମିଛ କାନ୍ଥ ତଥା ଅନାବଶ୍ୟକ ଦୂରତାମାନେ ଅପସରି ଯାଉଛନ୍ତି । ଅନେକ ଭାଷାଙ୍କ ଭିତରେ ମୋ’ ଭାଷାଟା ଅଧିକ ଝଟକି ଉଠୁଛି, ଅନେକ ଭୂମି, ଅନେକ ସଂସ୍କୃତି ଏବଂ ସେହି ଅନୁସାରେ ଅନେକ ସମ୍ଭାବନା ଏବଂ ଅନେକ ପ୍ରତ୍ୟୟ ତଥା ସ୍ଵପ୍ନ ପ୍ରତିଶ୍ରୁତି–ଏହି ସବୁକିଛିର ସମ୍ମିଳିତ ଅବଦାନରେ ତଥାକଥିତ ‘ମୁଁ'ଟା ମଧ୍ୟ କ୍ରମେ ଅଧିକ ମହିମାନ୍ୱିତ ହେବାରେ ଲାଗିଛି । ‘ମୁଁ’ ଏଣିକି ସେହି ‘ତୁମେ’ଗୁଡ଼ାକୁ ଆଗ ପରି ମୋଟେ ଡରିବ ନାହିଁ, ଆପଣାର ସ୍ପର୍ଶକାତରତାମାନଙ୍କୁ ସେ ପରିତ୍ୟାଗ କରିବ । ସମଗ୍ର ଜଗତର ବହୁବିଧ ହାୱା ତା’ ‘ମୁଁ’ ରୂପକ ଗବାକ୍ଷଟିକୁ ପ୍ରକୃତରେ ଧନ୍ୟ ହିଁ କରିଦେବ । ‘ତୁମେ’ଟିକୁ ସ୍ଵୀକାର କରିନେବା, ଏହାକୁ ହିଁ ଦ୍ଵିଜ ହେବାର ସର୍ବପ୍ରଶସ୍ତ ମାର୍ଗ ବୋଲି କାହିଁକି ସ୍ଵୀକାର କରିନିଆ ନଯିବ ? ସମ୍ଭବତଃ ଅସଲ କଥାଟି ହେଉଛି ଯେ, ‘ମୁଁ’ ଗୁଡ଼ାକୁ ସତକୁସତ ଅନ୍ୟ ‘ମୁଁ’ ମାନଙ୍କୁ ହିଁ ଭୟ କରୁଥାନ୍ତି । ସେମାନେ କାଳେ ଆସି ଗିଳି ପକାଇବେ ବୋଲି ଭାରି ଅଲକ୍ଷଣା ଭାବରେ ଅହଂକାର-ସତର୍କ ହୋଇ ରହିଥାନ୍ତି । ଏବଂ, କିଞ୍ଚିତ ଆଗକୁ ଯାଇ ମେଟାମାଟି ଏପରି ମଧ୍ୟ କହିହେବ ଯେ, କେତେ ମନୁଷ୍ୟ ନିଜ ଜୀବନର ଚରାଭୂଇଁ ଭିତରେ ରହିଥିବା ଆଉ ସମସ୍ତଙ୍କୁ ସାଧ୍ୟ ପାଇବା ଯାଏ ଗିଳି ପକାଇବାକୁ ଇଚ୍ଛା କରୁଥାନ୍ତି ବୋଲି ସେମାନଙ୍କୁ ଆଦୌ ‘ତୁମେ’ ବୋଲି ଦେଖି ପାରନ୍ତି ନାହିଁ । ଖାଲି ବ୍ୟକ୍ତିମାନେ ନୁହନ୍ତି, କେତେକ ସଂଗଠନ ଓ ସମୂହ ମଧ୍ୟ ସଚରାଚର ସେହିଭଳି କରିଥାଆନ୍ତି-

 

ଯେଉଁମାନେ ଅନ୍ୟମାନଙ୍କୁ ଗିଳି ପକାଇବାକୁ ହିଁ ସତେଅବା ନିଜ ମର ଜୀବନର ପ୍ରାୟ ଏକମାତ୍ର ପୁରୁଷାର୍ଥ ସଦୃଶ ଦେଖନ୍ତି, ସେମାନେ ନିଜର ବିବେକଟାକୁ ମଧ୍ୟ କେଡ଼େ ବାଗରେ ଗିଳି ପକାଇ ଥାଆନ୍ତି । ଯେଉଁମାନେ ତୁଚ୍ଛା ନିଜକୁ ହିଁ ପୃଥିବୀଯାକରେ ଏକମାତ୍ର ସିଂହ ପରି ଅନୁଭବ କରିବେ ବୋଲି ଅନ୍ୟମାନଙ୍କୁ ଛେଳି ଭଳି ଦେଖନ୍ତି, ସେମାନେ ନିଜର ବିବେକଟାକୁ ମଧ୍ୟ କେଡ଼େ ବାଗରେ ଛେଳି କରି ବାନ୍ଧି ରଖିଥାନ୍ତି । ନିଜ ଭିତରେ ଅସଲ ବିବେକଟିର ମୁହଁ ବନ୍ଦ କରି ରଖିଥାଆନ୍ତି । ବାହାରେ କର୍ତ୍ତୃତ୍ୱର ପଘା ଧରି କେଡ଼େ ଅଧମ ଭାବରେ ସତେଅବା ଜାଜ୍ଜ୍ୱଲ୍ୟମାନ ଦେଖା ଯାଉଥାଆନ୍ତି । ଯେଉଁସବୁ ଦେଶରେ ନାନା ଦୁର୍ଭାଗ୍ୟ ହେତୁ ମଣିଷମାନଙ୍କୁ ପୂର୍ଣ୍ଣାବୟବ ଜଣେ ଜଣେ ନାଗରିକ ରୂପେ ସ୍ଵୀକାର କରାଯାଏ ନାହିଁ, ସେହି ଦେଶରେ ସରକାର ସମସ୍ତଙ୍କୁ ସତେଅବା କେଡ଼େ ସଂତୃପ୍ତ ଭାବରେ ସବୁକିଛିକୁ ଗିଳି କରି ରହିଥାନ୍ତି । ଆଇନ ଥାଏ, କିନ୍ତୁ ଚାଲେ ନାହିଁ, ବିତ୍ତ ଥାଏ, ତଥାପି ବିତ୍ତଗୁଡ଼ିକ ମାତ୍ର ଅଳପ କେତେକଙ୍କୁ ଦୁର୍ଦ୍ଦାନ୍ତ ହେବାରେ ସାହାଯ୍ୟ କରୁଥାଏ । ପାଠୁଆ ଆଦୌ କମ୍ ନଥାନ୍ତି; କିନ୍ତୁ ପାଠମାନେ ସେହି ଗିଳିବାର ଅନୁରୂପ ଧର୍ମଟିର ପଘାଟାରେ ବାନ୍ଧି ହୋଇ ଏଡ଼େ ଅମାନୁଷିକ ଭାବରେ ଚତୁର ହୋଇ ରହିଥାଆନ୍ତି ଯେ, କୋଟି କୋଟି ମଣିଷଙ୍କର ଆଦୌ କୌଣସି କାମରେ ଲାଗୁ ନାହାନ୍ତି ବୋଲି ହୁଏତ ଜାଣି ବି ପାରନ୍ତି–ନାହିଁ-। ରାଷ୍ଟ୍ର ଓ ସରକାରମାନେ ଯେ ପୃଥିବୀରେ ମଣିଷମାନଙ୍କ ପାଇଁ ପରିକର ହୋଇ ରହିଥାଆନ୍ତେ, ଏତେ ଏତେ ଅନ୍ୟ ବୃଦ୍ଧି ରହିଥିଲେ ମଧ୍ୟ ସେମାନେ ସେହି କଥାଟିକୁ ମୋଟେ ବୁଝିବାକୁ ଇଚ୍ଛା ମଧ୍ୟ କରନ୍ତି ନାହିଁ । ସେମାନେ ପୃଥିବୀରେ ବହୁ ଦୁଃଖର କାରଣ ହୁଅନ୍ତି । ସେହିଭଳି ଏକ ମନ୍ଦ ବୁଦ୍ଧିରେ ହିଁ ରାଷ୍ଟ୍ର ଓ ସରକାରମାନେ ବିବେକଟାକୁ ଯଥା ସମ୍ଭବ ଛେଳି କରି ରଖିବାକୁ ଫୁସୁଲାଇବାରେ ଲାଗିଥାଆନ୍ତି । ନଚେତ୍ ଧମକ ବି ଦିଅନ୍ତି । ଅସଲ ଆଦର୍ଶଟିଏ ମଣିଷକୁ ଆଖି ଖୋଲି ଭିତର ଓ ବାହାର ଉଭୟଆଡ଼କୁ ଅଧିକ ସଚଳ ଓ ସକ୍ରିୟ ଭାବରେ ଦେଖିବା ପାଇଁ ପ୍ରେରଣା ଯୋଗାଇ ଦିଏ-। ପୃଥିବୀ ଯାକକୁ ଗୋଟାଏ କରି ଆସିବାରେ ତାହା କେତେ ସହାୟତା କରେ ଓ ମଣିଷମାନଙ୍କୁ ପରସ୍ପର ନିମନ୍ତେ ସ୍ଥାନ ଛାଡ଼ିଦେବା ପାଇଁ ପ୍ରେରଣା ଦିଏ । ନିଜର ଭୂଇଁଟିକୁ ସତକୁସତ ଭଲ ପାଇ ଶିଖାଏ,–ଏବଂ ସେହି ଭଲ ପାଇବାରୁ ଯଥାର୍ଥ ବିବେକଟିଏ ନେଇ ସେ ପୃଥିବୀରେ ଅନ୍ୟମାନେ ମଧ୍ୟ ଯେ ସେମାନଙ୍କର ଭୂଇଁଟିକୁ ଅବଶ୍ୟ ଭଲ ପାଇବେ, ସିଏ ସେ କଥାଟିକୁ ମଧ୍ୟ ସଂପୂର୍ଣ୍ଣ ଭାବରେ ବୁଝିପାରେ ।

 

ବନ୍ଧୁ, ତୁମେ ପ୍ରକୃତରେ କେଉଁ ପଘାଟିକୁ ଆଦରିଛ କହିଲ ! ପଘାଟିକୁ ତୁମେ ନିଜେ ବାଛି ନେଇଛ ନା କାହାର ଭେଳିକି ଅର୍ଥାତ୍ ଜବରଦସ୍ତିରେ ପଡ଼ି ସେହି ପଘାଟିକୁ ଗ୍ରହଣ କରିଛ ? ନିଜ ଭୂଇଁଟିକୁ ଭଲ ପାଇବା ଅର୍ଥାତ୍‍ ଏହି ଭୂଇଁରେ ରହିଥିବା ‘ତୁମେ’ମାନଙ୍କୁ ଠିକ୍ ନିଜ ପରି ମର୍ଯ୍ୟାଦା ଦେଇ ସ୍ଵୀକାର କରିବା, ସେମାନଙ୍କ ନିମନ୍ତେ ବି ଥାନ ଛାଡ଼ିଦେବା–ଏହି ସହଜ ଆହ୍ୱାନଟି ଭିତରେ ଭଳି ଭଳି ଢମ ପୂରାଇ ଦେଇ ଚକ୍ରାନ୍ତକାରୀମାନେ ତାହାକୁ ଜାତୀୟତାବାଦ ବୋଲି କହିଥାନ୍ତି । ସେମାନେ ଆମର ଏହି ପ୍ରିୟ ପୃଥିବୀଟିର ଯାବତୀୟ ମୈତ୍ରୀ-ସମ୍ଭାବନାଟିକୁ ସତକୁସତ ମାଟି କରି ପକାନ୍ତି । ପ୍ରତିଦ୍ୱନ୍ଦିତା ନିମନ୍ତେ ନୂଆ ନୂଆ ପଘାର ଭିଆଣ କରାଯାଏ । ତଦ୍ଦ୍ୱାରା ଅସଲ ରାଜନୀତିଗୁଡ଼ିକରେ ନିତାନ୍ତ ନୃଶଂସ ଭାବରେ ପୋକ ପକାଇ ଦିଆଯାଏ । ଶିକ୍ଷା ବିଗିଡ଼ି ଯାଏ, ବିଜ୍ଞାନ ବିଗିଡ଼ି ଯାଏ, ଧର୍ମଟା ମଧ୍ୟ ବିଗିଡ଼ି ଯାଇ ବହୁ ଅଧ ଏବଂ ଅସୁନ୍ଦରତାର କାରଣ ହୋଇଥାଏ-। ଜାତୀୟତାବାଦୀ ସାହିତ୍ୟ ମଧ୍ୟ ମଣିଷମାନଙ୍କୁ ବିଗାଡ଼ି ରଖିବାରେ ହିଁ ଅଧିକ ସାହାଯ୍ୟ କରେ-। ଏହିପରି ଭାବରେ ଅସଲ ପଘାଗୁଡ଼ିକ ହାତଛଡ଼ା ହୋଇଯିବା ଫଳରେ ଆମର ନେତାମାନେ ଆମକୁ ପୃଥିବୀ ସାରା କୋମା ପାଖରେ ଆଣି ପହଞ୍ଚାଇ ଦେଲେଣି କି ?’ ମୁଁ’ମାନେ ହିଁ ପାଟଲୁଗା ପିନ୍ଧି ହାଇଁପାଇଁ ହେଉଛନ୍ତି ଏବଂ ରହ ରହ ବୋଲି କହିବା ପାଇଁ ମଣିଷମାନଙ୍କର ଅମାରରେ ଗଉଣିଏ ବୋଲି ବି ବିବେକ ନାହିଁ । ଶିକ୍ଷାକୁ, ବିଜ୍ଞାନକୁ ଏବଂ ଦେଶପ୍ରୀତିକୁ କର୍ତ୍ତୃତ୍ଵର ଯାବତୀୟ ଏହିଭଳି କୌଶଳରୁ ବିମୋଚିତ କରି ଆଣି ଯାହା ଆମକୁ ଆମ ବିବେକର ସହିତ ଯୋଡ଼ି ପାରିବ, ତାହା ହିଁ ଉପସ୍ଥିତ ଏହି କାଳଟିରେ ଆମ ଲାଗି ଅସଲ ନେତୃତ୍ଵର ଭୂମିକାଟିକୁ ଗ୍ରହଣ କରିପାରିବ-। କର୍ତ୍ତୃତ୍ୱ ଗିଳି ପକାଏ, ମାତ୍ର ନେତୃତ୍ୱ ମୋତେ ସାଥିରେ ନିଏ, ମୋତେ ‘ତୁମେ’ ବୋଲି ସ୍ଵୀକୃତି ଦିଏ-। ପୃଥିବୀର ଅର୍ଦ୍ଧାଧିକ ଦେଶ, ରାଷ୍ଟ୍ର ଏବଂ କ୍ଷମତା ସ୍ଥାନ କେଉଁସବୁ ନିଶାର ଚକ୍ରାନ୍ତରେ ପଡ଼ି କର୍ତ୍ତୃତ୍ଵର ରଜ୍ଜୁଗୁଡ଼ାକରେ ମଣିଷର ବିବେକଗୁଡ଼ିକୁ ବାନ୍ଧିବାର ଏକ ମହାମଉକା ଭିତରେ ବିହରଣ କରୁଛନ୍ତି ବୋଲି ଏଠି ସମସ୍ତଙ୍କର ସୁଖ ତଥା ଅଭ୍ୟୁଦୟ ସିକାଶେ ଯଥେଷ୍ଟ ବିତ୍ତ, ବିଦ୍ୟା ଏବଂ ଅନ୍ତର୍ଗତ ଆବଶ୍ୟକତା ମହଜୁଦ୍ ହୋଇ ରହିଥିଲେ ମଧ୍ୟ ଆମ ସାମୂହିକତାମାନେ ଏଠି ଆମର ପ୍ରାୟ ସକଳ ପାରସ୍ପରିକତାଗୁଡ଼ିକୁ ମୁଖ୍ୟତଃ ଭୁରାଡ଼ି ଦେବାରେ ଲାଗିଛନ୍ତି । ଯେଉଁ ବୁଦ୍ଧିଟି ପ୍ରସରି ପାରିଲେ ଏଠି ମଣିଷର ହୃଦୟଗୁଡ଼ିକ ଆଡ଼କୁ ବାଟ ଖୋଲିଯାଇ ପାରନ୍ତା, ଭଳି ଭଳି Psychedelic ସତେଯେପରି ଆମକୁ ସେହି ବୁଦ୍ଧିରୁ ଉଢ଼ୁଆଳ କରି ରଖି ଦେଇଛନ୍ତି-। ଧର୍ମମାନେ ମଧ୍ୟ ସତେଅବା କଟି ତଳର ବାହ୍ୟ ଘାଗୁଡ଼ିଗୁଡ଼ାକ ଉପରେ ଏଡ଼େ ଭେସରା ଭାବରେ ଅତିରିକ୍ତ ଗୁରୁତ୍ଵ ଦେବାରେ ଲାଗିଛନ୍ତି ଯେ, ତଦ୍ଦ୍ୱାରା ମଣିଷକୁ ମଣିଷର ବିରୋଧରେ ନାନା ଫିସାଦ କରି ଲଢ଼ାଇ ଦେଇ ପାରୁଛନ୍ତି ପଛକେ, ମଣିଷ ମଣିଷ ଭିତରେ ସମ୍ଭାବ୍ୟ ଅସଲ ସାମିପ୍ୟଗୁଡ଼ିକୁ ଅନ୍ତରାଳ କରି ହିଁ ରଖିଛନ୍ତି । ଖଳମାନଙ୍କୁ ଆହୁରି ଅଧିକ ଖଳ କରି ରଖିବା ସକାଶେ ପୂର୍ଣ୍ଣ ଆଧୁନିକ କାଇଦାରେ ସତ୍ୟମାନଙ୍କୁ କଣ୍ଢେଇ କରି ବସାଇ ଦିଆଯାଉଛି । କଣ୍ଢେଇ କଣ୍ଢେଇକୁ ନେଇ ଘମାଘୋଟ ଯୁଦ୍ଧମାନ ଲଗାଇ ଦିଆଯାଉଛି । ମୁଁ ଗୁଡ଼ାକର ମୋଟ ଖୋଲଗୁଡ଼ାକ ଭିତରେ ତୁମେଗୁଡ଼ିକୁ ଠାବ କରିବାର ଯାବତୀୟ ଆସ୍ପୃହାକୁ ଧୋକା ଦିଆଯିବାରେ ଲାଗିଛି ।

 

ଏହି ମୁଁମାନେ ତୁମେଗୁଡ଼ିକୁ ହିଁ ଆପଣାର ସନ୍ଦର୍ଭ କ୍ଷେତ୍ର ରୂପେ ସ୍ଵୀକାର କରିନେଇ ପାରିଲେ ଯାଇ କର୍ତ୍ତୃତ୍ଵର ପରାକ୍ରମ ଭାଙ୍ଗିବ ଓ ନେତୃତ୍ୱ ଲାଗି ଅନୁକୂଳ ପାଗଟିଏ ସମ୍ଭବ ହୋଇପାରିବ । ଏହା କେବଳ ରାଜନୀତିର କାର୍ଯ୍ୟ ନୁହେଁ । ମୁଁମାନେ ପ୍ରବଳ ହୋଇ ତୁମର ଅସଲ ସତ୍ୟଟିକୁ ଗିଳି ପକାଇବାର ଫଳରେ ହୁଏତ ରାଜନୀତିକୁ ଛାଡ଼ି ଆଦୌ କିଛି ହେଲେ ସମ୍ଭବ ହେବନାହିଁ ବୋଲି ଏକ ଭ୍ରମ ଆମ ଅନେକଙ୍କୁ ଗଧ କରି ରଖିଛି । ଶିକ୍ଷାକୁ, ପ୍ରତିବେଶିପଣକୁ ଏବଂ ଏପରିକି ଆମ ସାମାଜିକ ବିବେକଗୁଡ଼ିକୁ ମଧ୍ୟ ରାଜନୀତି ପାଖରେ ତଥା ନାନା କର୍ତ୍ତୃତ୍ୱ ହାତରେ ନେଇ ଗୋଲାମ କରି ରଖିଛି । ଆମର ମନୁଷ୍ୟୋଚିତ ସାହସଗୁଡ଼ିକୁ ହରଣ କରି ନେଇଛି । ପଘାଗୁଡ଼ିକୁ ଯେଉଁମାନେ ନିଜର ଆବଶ୍ୟକତାଗୁଡ଼ିକର ଅଗ୍ରାଧିକାର ଅନୁସାରେ ସ୍ୱୟଂ ବାଛି ପାରୁଥାନ୍ତେ, ସେହିମାନେ ହିଁ ସେମାନଙ୍କୁ ଚାରିଆଡ଼ୁ ମାଡ଼ି ବସିଥିବା କର୍ତ୍ତୃତ୍ୱଗୁଡ଼ିକର ପଘାରେ ବନ୍ଧା ହୋଇ ପଡ଼ିଛନ୍ତି । ଗଧବତ୍ ସହ୍ୟ କରୁଛନ୍ତି । ପରସ୍ପରକୁ ଲୋଡ଼ି ବାହାରିବାର ଅସଲ ସାମର୍ଥ୍ୟଟି ସେମାନଙ୍କର ସର୍ବଦା ରହିଛି ବୋଲି ପାସୋରି ପକାଇଛନ୍ତି କି ? ଆଗକୁ ପୃଥିବୀ ପାଇଁ ଯେଉଁ ଯୁଗଟି ନିର୍ଦ୍ଦେଶିତ ହୋଇ ରହିଛି, ତାହା ହେଉଛି ନାଗରିକତାର ଯୁଗ । ଆହୁରି ସଫା କରି କହିଲେ, ନାଗରିକ ମାତ୍ରକେ ସବୁ ମଣିଷଙ୍କର ଯୁଗ । ଦୟାର ଯୁଗ, ଉପରେ ରହି ସେହି ପାରମ୍ପରିକ ଅବଜ୍ଞାଗୁଡ଼ାକଦ୍ୱାରା ମୋଟା ଏବଂ ଆହୁରି ମୋଟା ହୋଇ ତଳଟା ନିମନ୍ତେ ସମବେଦନା ପ୍ରକାଶର ଯୁଗ । ଭାଗ୍ୟବାଦର ଯୁଗ–ଏସବୁ ଶେଷ ହୋଇ ଆସୁଛି । ଆସନ୍ତା କାଲିର ନେତୃତ୍ଵ ମଣିଷମାନଙ୍କ ପାଖକୁ ଯାଇ ସବୁଠାରୁ ଅଧିକ ଗୁରୁତ୍ୱ ଦେଇ ସେହି କଥାଟିକୁ କହିବ, ଏବଂ ପୃଥିବୀଯାକର ମଣିଷ ସେହି କଥାଟିକୁ ହିଁ ସବାଆଗ ବୁଝିବେ । ଏକ ଅନ୍ୟ ସିନ୍ଦୁରା ଫାଟିବ ।

 

୧୯.୮.୦୨

☆☆☆

 

ଆଇନ୍‍ଷ୍ଟାଇନ୍‍ଙ୍କର ଝମେଲା

 

ଦ୍ୱିତୀୟ ମହାଯୁଦ୍ଧ ଆରମ୍ଭ ହେଉଥିବା ସମୟରେ ଶ୍ରୀ ଆଲବର୍ଟ ଆଇନ୍‍ଷ୍ଟାଇନ୍ ନିଜ ଦେଶ ଜର୍ମାନୀ ଛାଡ଼ି ଆମେରିକା ଚାଲି ଯାଇଥିଲେ । ହିଟଲରଙ୍କର ବୃହତ୍ ନିଧନ ଯୋଜନାର କବଳରୁ ମୂଳତଃ ନିଜକୁ ବଞ୍ଚାଇ ରଖିବା ନିମନ୍ତେ ଆହୁରି ବହୁସଂଖ୍ୟକ ବ୍ୟକ୍ତିଙ୍କ ଭଳି ସିଏ ବି ଇଉରୋପ ପରିତ୍ୟାଗ କରିଥିଲେ । ପରମାଣୁ ଭିତରେ ଯେ ପୃଥିବୀ ଧ୍ୱଂସ କରିବାର ଅସୁର-ବଳଟାଏ ପ୍ରଚ୍ଛନ୍ନ ହୋଇ ରହିଛି, ସେହି ନୂଆ ତତ୍ତ୍ୱଟି ହିଁ ସେତେବେଳେ ଏହି ବିଜ୍ଞାନୀଙ୍କୁ ପ୍ରାୟ ଜଣେ ମହାବୀରର ଆସ୍ଥାନ ଦେଇ ତାଙ୍କର ତାରିଫ୍ କରିବାରେ ଲାଗିଥିଲା । ଆମର ଏହି ପୃଥିବୀଟା ପରମାଣୁ ଦେଇ ତିଆରି ହୋଇଛି ଓ ସେହି ପରମାଣୁରୁ ହିଁ ଅସୁର ବାହାରି ପୃଥିବୀକୁ ବିଲୁପ୍ତ କରିଦେବ, ବୁଦ୍ଧିଆ ମଣିଷମାନେ ଯେ ବିଜ୍ଞାନ ନାମକ ପିତୁଳାଟିକୁ ନେଇ ପ୍ରୟୋଗଶାଳାମାନଙ୍କରେ ଖେଳୁ ଖେଳୁ ଏହି ଦ୍ୱିତୀୟ ଭୟାବହ ସତ୍ୟଟିରେ ଯାଇ ପହଞ୍ଚିଯିବେ, ଏହାକୁ ବି କ’ଣ ଜଗଦୀଶ୍ୱରଙ୍କର ଏକ ଲୀଳା ବୋଲି କୁହାଯାଇପାରିବ ? ଆମେରିକାରେ ଆଇନ୍‍ଷ୍ଟାଇନ୍ ଆହୁରି ଆଗକୁ ତାଙ୍କର ଏହି ଯୁଗାନ୍ତକାରୀ ବୈଜ୍ଞାନିକ ମନ୍ଥନରୁ କ’ଣ ସବୁ ବାହାରିବ, ସେଗୁଡ଼ିକୁ ଜାଣିବା ନିମନ୍ତେ ଅବଶ୍ୟ ଖୁବ୍ ଉତ୍ସୁକ ହୋଇଥିବେ । ତାଙ୍କର ମନଟାକୁ ଜାଣି ଠିକ୍ ସେତିକିବେଳେ ଇଉରୋପରୁ ଏକ ଉଡ଼ା ଖବର ଯାଇ ପହଞ୍ଚିଲା ଯେ, ତେଣେ ହିଟଲରଙ୍କର ନିର୍ଦ୍ଦେଶରେ ଜର୍ମାନୀରେ ମଧ୍ୟ ବିଜ୍ଞାନର ଗୁମ୍ଫାମାନଙ୍କରେ ପରମାଣୁ ବୋମା ତିଆରି ପର୍ଯ୍ୟନ୍ତ ବି ଯଥେଷ୍ଟ ଅଗ୍ରଗତି ହୋଇସାରିଲାଣି । ଜନରବଟା ସତେଅବା ଆମେରିକାରେ ଥିବା ଆଇନ୍‍ଷ୍ଟାଇନ୍‍ଙ୍କୁ ଆହୁରି ବିଶେଷ ଭାବରେ ହାଇଁପାଇଁ କରି ପକାଇଥିବ । ମୂଳ ସତ୍ୟଟା ସବୁ ତାଙ୍କରି ମୁଣ୍ଡରୁ ବାହାରିଛି ଯେତେବେଳେ, ଆଉମାନେ ସେଇଟିକୁ ନେଇ ଆଗକୁ ମାଡ଼ି ଚାଲିଯିବେ ଏବଂ ସିଏ ନିଜେ ଅଥର୍ବ ହୋଇ ବସିଥିବେ, ଏଇଟା ତାଙ୍କୁ ଭାରି ଦୁଃଖ ଦେଇଥିବ । ଗୀତାର ଭାଷାରେ କହିଲେ ତାଙ୍କ ଭିତରୁ ଗୋଟାଏ ପାଖ କୃଷ୍ଣର ଭୂମିକା ଗ୍ରହଣ କରି ଅର୍ଜୁନରୂପୀ ଆଉ ପାଖର ଆଚରଣଟାକୁ କ୍ଳୈବ୍ୟ ବୋଲି କହି ଖୁବ୍ ଭର୍ତ୍ସନା କରିଥିବ ।

 

ଏହାପରେ ଘଟିଥିବା ଘଟଣାଗୁଡ଼ିକୁ ବେଶ୍ ଡଗଡଗ କରି କୁହାଯାଇପାରିବ । ଏଇଟି ହେଉଛି ପରିପୂର୍ଣ୍ଣ ଗାମ୍ଭୀର୍ଯ୍ୟର ସହିତ ଗୁଡ଼ଟାକୁ ନେଡ଼ିରୁ ଏକାବେଳକେ କହୁଣି ଯାଏ ବୁହାଇ ନେଇ ଯାଇଥିବାର ଘଟଣା । ଶତ୍ରୁପକ୍ଷ ପରମାଣୁ ବୋମା ତିଆରି କଲାଣି, ତେଣୁ ଆମ ଏ ପକ୍ଷଟାର ପରାଜୟ ସୁନିଶ୍ଚିତ । ଏକମାତ୍ର ଉପାୟ ହେଉଛି ଯେ, ଆମେ ବି ସମାନ୍ତର ଭାବରେ ଏହି ବୋମାଆଡ଼େ ମନ ଦେବା, ଆମେ ବୋମା ତିଆରି କରିବା । ପ୍ରାୟ ଜଣେ ପିତାମହଙ୍କର ପ୍ରଜ୍ଞା ସହିତ ଆଇନ୍‌ଷ୍ଟାଇନ୍ ଆହୁରି ବହୁସଂଖ୍ୟକ ବୈଜ୍ଞାନିକଙ୍କର ସମର୍ଥନସୂଚକ ସ୍ୱାକ୍ଷର ସଂଗ୍ରହ କରି ରାଷ୍ଟ୍ରର ଦ୍ୱାରସ୍ଥ ହେଲେ ଏବଂ ତାପରେ ପ୍ରାୟ ଏକ ଧର୍ମକାର୍ଯ୍ୟ ପରି ଏପାଖରେ ମଧ୍ୟ ବୋମା ତିଆରି ଆରମ୍ଭ ହୋଇଗଲା । ଅବିଳମ୍ବେ କେତେଟା ବୋମା ତିଆରି ବି ହୋଇ ଯାଇଥିଲା । ଯୁଦ୍ଧ ସରିବା ବେଳକୁ ଜଣାପଡ଼ିଲା ଯେ, ସେ ପାଖରେ ବୋମା ଫୋମା ଆଦୌ କିଛି ହେଲେ ତିଆରି ହୋଇନଥିଲା ଏବଂ ସେ ପାଖଟା ହିଁ ପରାଭବ ବରଣ କରିବାଟା ପୂରା ପ୍ରମାଣିତ ହୋଇ ଆସୁଥିଲେ ମଧ୍ୟ ତଥାପି ଜାପାନରେ ତାହାର ଆବଶ୍ୟକ ପରୀକ୍ଷା ମଧ୍ୟ କରାଗଲା । ଏକ ଅଭୂତପୂର୍ବ ନରସଂହାରରୁ ବୈଜ୍ଞାନିକବୃନ୍ଦ ବୋମାର ଧ୍ୱଂସକାରିତାକୁ ଗଣନା କରି ଦେଖିଥିଲେ । ଉତ୍ସାହିତ ହୋଇ ତଥାପି ଆହୁରି ଆଗକୁ ଯିବା ଲାଗି ରାଷ୍ଟ୍ରଆଡ଼ୁ ପୂର୍ଣ୍ଣ ପ୍ରୋତ୍ସାହନ ପ୍ରାପ୍ତ ହେଲା । ଏହା ତତ୍କାଳୀନ ଅର୍ଥାତ୍ ଯୁଦ୍ଧ-ପରବର୍ତ୍ତୀ ଶୀତଳ ଯୁଦ୍ଧ ନିମନ୍ତେ ଖୁବ୍‌ ଜରୁରୀ ବୋଲି ମଥା ଥିବା ସମସ୍ତେ କହିଲେ । ଶତ୍ରୁ ଋଷିଆ ପାଖକୁ ଏହି ବୋମାମନ୍ତ୍ରଟି ଯେପରି କୌଣସି ପ୍ରକାରେ ଚାଲିଯାଏ, ଆମେରିକା ରାଷ୍ଟ୍ର ସେଥିନେଇ ବଡ଼ ସାବଧାନ ହୋଇ ରହିଲା । ତଥାପି ମନ୍ତ୍ରଟା ଉଡ଼ି ଯାଇଥିଲା । ଅର୍ଥାତ୍, ଋଷିଆ ମଧ୍ୟ ବୋମାର ଅଧିକାରୀ ହେଲା । ଉର୍ବର ମସ୍ତିଷ୍କମାନଙ୍କଠାରୁ ଶରଧା ଲାଭ କରି ସେମାନେ ଅଧିକରୁ ଅଧିକ ଶକ୍ତିଶାଳୀ ହେଲେ । ଏବେ ତ ହସ୍ତିନାପୁରର ରାଜାମାନେ ବି ସେଥିରେ ସମକକ୍ଷ ହେଲେଣି । ଏ ପାଖରୁ ଏକଦା କଟି ଯାଇଥିବା ଏବଂ ଏବେ ସାର୍ବଭୌମଙ୍କ ତାଲିକାରେ ଥିବା ଆର ହାତଟା ମଧ୍ୟ ବୋମାକୁ ସତେ ଅବା ଗୋଟିଏ ଘଣ୍ଟି ବୋଲି ଭାବି ଟିଙ୍ଗି ଟିଙ୍ଗି ବଜାଇଲାଣି ।

 

ହିରୋସୀମାଟା ଘଟିଗଲା, ବିଜ୍ଞାନପ୍ରବର ଆଲ୍‌ବର୍ଟ ଆଇନ୍‍ଷ୍ଟାଇନ୍ ଆଁକରି ସେହିସବୁ କଥା ଦେଖୁଥିଲେ । ନିଜେ କୌଣସି ଦୈତ୍ୟର ଫାଶ ଭିତରେ ପଡ଼ିଯାଇ ସିଏ ସଂସାର ସକାଶେ ଏଡ଼େବଡ଼ ବିପତ୍ତିର କାରଣ ହେବେ, ଏକଥା ହୁଏତ ସ୍ୱପ୍ନରେ ଚିନ୍ତା କରିନଥିଲେ । ଖେଳୁ ଖେଳୁ ସିଏ କୋଉଯାଏ ଯେ ଚାଲିଗଲେ, ସ୍ଵୟଂ ମୋଟେ ଜାଣି ପାରିଲେ ନାହିଁ । ସେହି କାରଣରୁ ହିଁ କ୍ରମେ ଆପଣାର ବିବେକଭୂମିରେ ସତେଅବା ଧ୍ଵଜଭଙ୍ଗ ଦ୍ଵାରା ଆକ୍ରାନ୍ତ ହେଲେ । ନିଜକୁ ନିନ୍ଦିବାର ଦୁର୍ଗତଟିକୁ ଲୁଚାଇ ରଖିବା ନିମନ୍ତେ ବିଚରା ବିଜ୍ଞାନକୁ ନିନ୍ଦିଲେ । ମୃତ୍ୟୁ ପୂର୍ବରୁ ଥରେ ଏପରି ବି କହିଥିବାର ଉଲ୍ଲେଖ ରହିଛି । ଯେ, ଆଉଥରେ ଏହି ପୃଥିବୀରେ ଜନ୍ମଗ୍ରହଣ କଲେ ସିଏ ଆଦୌ ବିଜ୍ଞାନର ସୀମା ମାଡ଼ିବେ ନାହିଁ । ଠେଲା ଗାଡ଼ି ଧରି ବୁଲି ବୁଲି କୌଣସି ଦ୍ରବ୍ୟ ବିକ୍ରି କରି ପେଟ ପୋଷିବେ ପଛକେ, କଦାପି ବୈଜ୍ଞାନିକ ହେବେ ନାହିଁ । ଏବେ ଋଷିଆର ଜଣେ ଯୁଦ୍ଧ ମହକୁମାର ପ୍ରଖ୍ୟାତ କାରିଗର କ୍ଲାଶିଙ୍କୋଭ, ଯିଏକି ଗୋଟିଏ ମିନିଟ୍ରେ ୪୦୦ଟି ଗୁଳି ଫୁଟାଇ ପାରୁଥିବା ରାଇଫଲ୍‌ଟିଏ ବାହାର କରି ସରକାରୀ ଯୁଦ୍ଧ ବିଭାଗକୁ ଏକଦା କେତେ ସାହାଯ୍ୟ କରିଥିଲେ, ସିଏ କହିଛନ୍ତି ଯେ, ଯଦି ଏସବୁ ଖେଚଡ଼ାମିରେ ନମାତି ସିଏ କୃଷକମାନଙ୍କର କାମକୁ କିଞ୍ଚିତ ସାହାଯ୍ୟ କଲାଭଳି କୃଷି-ଯନ୍ତ୍ରଟିଏ ବାହାର କରିଥାନ୍ତେ, ତେବେ ତାଦ୍ୱାରା ବିଜ୍ଞାନର ଓ ମାନବସମାଜର ଅଧିକ ଉପକାର କରି ପାରିଥାଆନ୍ତେ । ଡିନାମାଇଟ୍‌ର ଆବିଷ୍କାରକ ଆଲଫ୍ରେଡ୍ ନୋବେଲଙ୍କର ମଧ୍ୟ ଏହିଭଳି ଏକ ମୋହଭଙ୍ଗ ହୋଇଥିଲା । ସତେଅବା ଏକ ପ୍ରାୟଶ୍ଚିତ୍ତ ସ୍ଵରୂପ ସିଏ ନୋବେଲ ପୁରସ୍କାରଗୁଡ଼ିକର ପ୍ରତିଷ୍ଠା କରି ତଦ୍ଦ୍ୱାରା ନିଜକୃତ ଅକାର୍ଯ୍ୟଟି ଜନିତ ଅପରାଧର କିଞ୍ଚିତ ପାଳନ କରିପାରିବେ ବୋଲି ଆପଣାକୁ ସାନ୍ତ୍ୱନା ପ୍ରଦାନ କରିଥିଲେ ।

 

ପରମାଣୁ ବିଜ୍ଞାନର ମହାମହୋପାଧ୍ୟାୟ ଆଇନ୍‍ଷ୍ଟାଇନ୍ ବୋମାର ଜୟଯାତ୍ରାଟିକୁ ‘ରହ’ ବୋଲି କହି ପାରିଲେ ନାହିଁ । ଅଳ୍ପଦିନ ପରେ ସେ ସଂସାରରୁ ବିଦାୟ ନେଇ ଚାଲି ଯାଇଥିଲେ । ବହୁତ ଦୁଃଖରେ ନିଜକୁ ଭାରାକ୍ରାନ୍ତ କରିଗଲେ । ପ୍ରାୟ ଏକ ଅସହାୟତାପୂର୍ଣ୍ଣ ପରାଜୟବୋଧ ସହିତ ସେ କହିଥିଲେ ଯେ, ପୃଥିବୀରେ ଅଧିକାଂଶ ବୈଜ୍ଞାନିକ କ୍ରମେ ଏହି ଅସ୍ତ୍ରଉତ୍ପାଦନର କ୍ଷେତ୍ରକୁ ଅଧିକରୁ ଅଧିକ ପରିମାଣରେ ଆକୃଷ୍ଟ ହୋଇ ଆସୁଛନ୍ତି । ସେମାନେ ବସ୍ତୁତଃ ଏହାଦ୍ୱାରା ସବୁଠାରୁ ଅଧିକ ବେତନ ପାଇବେ ବୋଲି ସେପରି କରୁଛନ୍ତି । ବେତନଟା ବିଜ୍ଞାନକ୍ଷେତ୍ରରେ ପ୍ରବେଶ କରିବାର ସବୁଠାରୁ ଅଧିକ ଚିତ୍ତାକର୍ଷକ କାରଣ ନହୋଇଥିଲେ ବିଜ୍ଞାନ ମନୁଷ୍ୟମାନଙ୍କର କେତେ କେତେ ଅଧିକ ଆବଶ୍ୟକ କାର୍ଯ୍ୟରେ ନିଶ୍ଚୟ ଲାଗି ପାରୁଥାନ୍ତା । ଏତେ ମଣିଷ, ଯେଉଁମାନେ କ୍ଷୁଧା, ଅଶିକ୍ଷା ଓ ନାନାବିଧ ଅମାନୁଷିକ ଅବହେଳାର ସ୍ତରରେ କର୍ମ ଆଦରି ରହିଛନ୍ତି, ସେମାନଙ୍କର ଉନ୍ନୟନ ଏବଂ ବିମୋଚନର କାର୍ଯ୍ୟରେ ଲାଗୁ ଥାଆନ୍ତା । ଗଣନା କରି ତ କେତେ ପ୍ରକାରେ ଦର୍ଶାଇ ଦିଆଯାଇଛି ଯେ, ଏବେ ପୃଥିବୀରେ ନୂଆ ନୂଆ ବୋମାରେ ଯେତିକି ଖରଚ ହେଉଛି, ତାହାର ଏକ ଅତ୍ୟନ୍ତ କ୍ଷୁଦ୍ର ଭାଗର ବିନିଯୋଗ କରାଯାଇପାରିଲେ ପୃଥିବୀର କୋଟି କୋଟି ମନୁଷ୍ୟ ଅରକ୍ଷିତ ରହନ୍ତେ ନାହିଁ, ଭାଗ୍ୟର ଏହି ପୃଥ୍ୱୀ ନାମକ ଗୃହରେ ଛେଉଣ୍ଡ ହୋଇ ରହିବାର ସକଳ ଦୂରବସ୍ଥାରୁ ଅବଶ୍ୟ ମୁକୁଳି ଆସନ୍ତେ । ପୃଥିବୀ ଅନ୍ୟ ଭଳି ଦିଶନ୍ତା, ଅନ୍ୟଭଳି ଚଳନ୍ତା ଏବଂ ଏକାବେଳେକେ ଏକ ଅନ୍ୟ ବେଭାରରେ ହିଁ ମଣିଷମାନେ ଏଠି ପରସ୍ପର ସହିତ ସମ୍ବନ୍ଧିତ ହୋଇ ରହନ୍ତେ । ମ୍ରିୟମାଣ ଆଇନ୍‍ଷ୍ଟାଇନ୍‍ ଏତେ ଆତ୍ମବିହ୍ୱଳ ଭାବରେ ତାଙ୍କ ଆଗାମୀ ଜନ୍ମରେ ଜଣେ ବୈଜ୍ଞାନିକ ନହୋଇ Pedlar ବା ବୁଲାବିକାଳିଟିଏ ହେବେ ବୋଲି କହିଥିଲେ ସିନା, ମାତ୍ର ତାଙ୍କ ପରେ ବୋମାର ଭୟାବହତା ବଢ଼ିଥିଲେ ମଧ୍ୟ ହୁଏତ ଜଣେ ବି ବୈଜ୍ଞାନିକ ବିଜ୍ଞାନ ଛାଡ଼ି Pedlar ହୋଇନାହାନ୍ତି । ତଥାପି ସେଇଟା ସେତେ ବଡ଼ ନୈରାଶ୍ୟପୂର୍ଣ୍ଣ ଘଟଣା ଆଦୌ ନୁହେଁ । ଅସଲ ଅଘଟଣଟି ହେଉଛି ଯେ ଏହାଦ୍ୱାରା ପରମାଣୁ ବୋମା ତିଆରି କରିବାର ସେହି ଅକାର୍ଯ୍ୟର ମାମଲତଟିକୁ ରାଷ୍ଟ୍ର ହାତରେ ସମର୍ପଣ କରି ଦିଆଗଲା । ଏଥିରେ ପ୍ରକୃତରେ ଏତେ ବେଶି ଖରଚ ଯେ କେବଳ ରାଷ୍ଟ୍ର ହିଁ ଏହାକୁ ମୁଣ୍ଡାଇ ପାରିବ, ଅର୍ଥାତ ପରମାଣୁ ବୈଜ୍ଞାନିକମାନଙ୍କର ଚୁଟି ଧରି ଅଡ଼ାଇ ପାରିବ । ବିଜ୍ଞାନ ବୈଜ୍ଞାନିକ ପାଖରେ ଏକ ଅନନ୍ତ ପ୍ରତିଶ୍ରୁତିପୂର୍ଣ୍ଣ ସମ୍ପଦ ନହୋଇ ରାଷ୍ଟ୍ରରେ ଗୋଲାମ ହୋଇ ରହିବ । ଆମେରିକା ରାଷ୍ଟ୍ର ଏହି କ୍ଷେତ୍ରଟିର ଜ୍ଞାନକୁ ଏକୁଟିଆ ନିଜ କ୍ଷମତା, ଭୋଗ ପାଇଁ ଏକଚାଟିଆ କରି ରଖିବ ବୋଲି ବିଚରା କମ୍ ଚେଷ୍ଟା କରିଛି । ଋଷିଆକୁ ବୋମାନିର୍ମାଣର ଗୁପ୍ତଜ୍ଞାନ ପ୍ରଦାନ କରିଛନ୍ତି ବୋଲି ଆହୁରି କେତେକଙ୍କୁ ସନ୍ଦେହ ଭିତରେ ରଖି ନାକେଦମ ବି କରିଛି । ପ୍ରତ୍ୟେକ ରାଷ୍ଟ୍ର କେଡ଼େ ଖୁସି ନହେଉ ଥାଆନ୍ତେ, ଯଦି ବୋମା ତିଆରିର ଗୁପ୍ତ ଗୁମରଟା ଏକା ତାହାରି ହାତରେ ଥାଆନ୍ତା । ତେବେ ତ ସିଏ ଓଦା ଆଉ ଶୁଖିଲା ଯାବତୀୟ ଅବସରରେ ସମଗ୍ର ପୃଥିବୀଟା ଉପରେ ଚକ୍ରବର୍ତ୍ତୀ ହୋଇ ରହନ୍ତା । ପୁନଶ୍ଚ, ଯଦି ଭାରତ ଓ ପାକିସ୍ତାନ କାହାରି ଜଣକ ପାଖରେ ଏହି ଆଣବିକ ଅସ୍ତ୍ରଟା ରହିଥାନ୍ତା, ତେବେ ସିଏ ଅପରଟିକୁ ହୁଏତ ଯାଉଣୁ ଆସୁଣୁ ପାଣି ପିଆଉ ଥାଆନ୍ତା ।

 

ବିଜ୍ଞାନଟା ଏହିପରି ଅପମାନଜନକ ଭାବରେ ରାଷ୍ଟ୍ରାୟତ୍ତ ହୋଇ ରହିଥିବା ଯାଏ ମନୁଷ୍ୟମାନଙ୍କର ଅସଲ କଲ୍ୟାଣଗୁଡ଼ିକଆଡ଼େ ତାହା କଦାପି ମନୋନିବେଶ କରି ପାରିବ ନାହିଁ । ଜାତୀୟତାବାଦ ହେଣ୍ଡି ମାରୁଥିବ ଏବଂ ଅସୁମାରି ମଣିଷ ନରଖର ହୋଇ କାଳ କାଟୁଥିବେ । ଅସଲ ଆଖିଗୁଡ଼ିକ ସାତପଛରେ ରହିଥିବେ ଏବଂ ଉପରେ ଭାରି ଧୂର୍ତ୍ତ ହୋଇ ପ୍ରାୟ ସବୁକିଛି ମାଡ଼ି ବସିଥିବା ଥୋକାଏ ନିଜ କାମନାପୂରଣର ଡିଣ୍ଡିମ ବଜାଉଥିବେ । ଉଦ୍ଧତରୁ ଆହୁରି ଆହୁରି ଉଦ୍ଧତ ହେବାରେ ଲାଗିଥିବେ । ଅସଲ କ୍ଷମତା ଯେଉଁମାନଙ୍କ ପାଖରେ ରହିବା ଉଚିତ, ସେମାନେ ନାନାବିଧ ଦୟା ଉପରେ ନିର୍ଭର କରି ଅଧିକାରବର୍ଜିତ ଭାବରେ ପ୍ରତ୍ୟାଖ୍ୟାତ ହୋଇ ରହିବେ । ଏକାଳର ଯେଉଁ କୁଷ୍ମାଣ୍ଡମାନେ ଆମକୁ କ’ଣ ସବୁ ପ୍ରେରଣା ଦେବାର ଅଭିପ୍ରାୟରେ ଏହି ଏକବିଂଶ ଶତାବ୍ଦୀଟି ହିନ୍ଦୁମାନଙ୍କର ଶତାବ୍ଦୀ ହେବ ବୋଲି ସଭାରେ କହୁଛନ୍ତି, ସେମାନେ ବିଜ୍ଞାନର ପକ୍ଷରେ ଆଦୌ ନାହାନ୍ତି, ଏପରିକି ହିନ୍ଦୁ ଧର୍ମର ପକ୍ଷରେ ବି ନାହାନ୍ତି । ସେମାନେ ରାଷ୍ଟ୍ର ଓ ରାଷ୍ଟ୍ରୀୟ କ୍ଷମତାର ପକ୍ଷରେ ଅଛନ୍ତି । ଇଉରୋପରେ ରାଷ୍ଟ୍ରର ମାଲିକମାନେ ଖ୍ରୀଷ୍ଟିଆନ ଧର୍ମକୁ ନିଜ ସମ୍ପତ୍ତିରେ ପରିଣତ କରିନେବା ପରେ ଖ୍ରୀଷ୍ଟବାର୍ତ୍ତାର ଅଧ୍ୟାତ୍ମଟିକୁ ଯେଉଁ ହାନିଗୁଡ଼ିକ ଯୁଗ ଯୁଗ ଧରି ଗ୍ରାସ କରି ରହିଛି, ଇତିହାସରୁ ସେହି କଥାଟିର ସ୍ପଷ୍ଟ ବହୁ ପ୍ରମାଣ ମିଳିଯିବ । ଏବେ ଭାରତବର୍ଷର ରାଷ୍ଟ୍ରଟା ମଧ୍ୟ କଣ ସବୁ ପାଞ୍ଚ କରି ହିନ୍ଦୁଧର୍ମକୁ ଗିଳିବାକୁ ବାହରାରିଛି କି ? ସେଥିଲାଗି କ୍ଷମତାଘରର ଶ୍ରେଷ୍ଠମାନେ କେତେ କେତେ ବର୍ଣ୍ଣାଢ଼୍ୟତାର ବଜାରମାନ ମେଲିବାଦେବାକୁ ଚେଷ୍ଟା କରୁଛନ୍ତି । ହାତରେ ପରମାଣୁ ବୋମାର କଣ୍ଢେଇଟା ରହିଛି ବୋଲି ହୁଏତ ଆଗକୁ ଆଦୌ କିଛି ନବିଚାରି ମାଡ଼ିଯିବେ ବୋଲି ସେମାନେ ମନସ୍ଥ କଲେଣି । ଆଇନ୍‍ଷ୍ଟାଇନ୍ ଭାରି ଦୁଶି ଦୁଶି ଯାଉଛନ୍ତି । ସିଏ ଆମକୁ କିଞ୍ଚିତ ସାହସ ଦିଅନ୍ତେ ନାହିଁ ? ଏକଦା ସିଏ ସ୍ଵୟଂ ଯେଉଁ ସାହସଟିକୁ ହୁଡ଼ିଲେ ବୋଲି ଇତିମଧ୍ୟରେ ଏହି ପୃଥିବୀଟା ଏତେ ସରି ହେଲାଣି, ଆମକୁ ସିଏ ସେଇଥିରୁ କିଞ୍ଚିତ ଦିଅନ୍ତେ ନାହିଁ । ତେବେ ଆମେ Pedlar ମାନେ ମଧ୍ୟ ପୁଣି ବିଜ୍ଞାନକୁ ମନ କରି ପାରନ୍ତେ ।

 

୨୬.୮.୦୨

☆☆☆

 

ଖାଲି ଆଗକୁ ଦେଖିବା

 

ସେଦିନ କେଉଁ ହାଇସ୍କୁଲର ପ୍ରଧାନ ଶିକ୍ଷକ ନିଜର ସହକର୍ମୀଙ୍କୁ ସାଙ୍ଗରେ ନେଇ ଆମ ଘରକୁ ଆସିଥିଲେ । ମୋତେ କହିଲେ, ତାଙ୍କ ଇସ୍କୁଲର ସ୍ୱର୍ଣ୍ଣ ବା ହୀରକ କ’ଣ ଗୋଟାଏ ଜୁବୁଲି ଉତ୍ସବ ହେବ ଓ ମୁଁ ସେଠାକୁ ମୁଖ୍ୟ ଅତିଥି ହୋଇ ଯିବି । ସରକାରୀ ମନ୍ତ୍ରୀମାନେ ବି ଯିବେ । ତଥାପି ଜଣେ ଶିକ୍ଷାବିତ୍‌ଙ୍କୁ ସେମାନେ ଡାକିବେ ବୋଲି ବିଚାର କରିଛନ୍ତି । ମୁଁ କ’ଣ ପାଇଁ ଏହି ସମଗ୍ର ବ୍ୟାପାରଟି ମଧ୍ୟରୁ ଗୋଟାଏ କ’ଣ ଅନ୍ୟ ଗନ୍ଧ ବାରି ପାରିଲି । କହିଲି, ବିଗତ କେତେବର୍ଷ ହେଲା ଆପଣମାନେ ଯେଉଁ ଶିକ୍ଷାକୁ ସେହି ପୁରାତନଟା ଭିତରେ ଅଟକାଇ ରଖିଛନ୍ତି, ଆପଣମାନେ କ’ଣ ତାହାରି ଜୟନ୍ତୀଟିଏ ପାଳନ କରିବାକୁ ମନସ୍ଥ କରିଛନ୍ତି ? ପ୍ରଧାନଶିକ୍ଷକ ଯେ ଏତିକିରୁ ସବୁ ଜାଣିପାରିଲେ, ହଠାତ୍ ତାଙ୍କର ଅଧର-ମୁଦ୍ରାରେ ହୋଇଥିବା ପରିବର୍ତ୍ତନଟିରୁ ସେ କଥା ଗୋଟାସୁଦ୍ଧା ଧରାପଡ଼ିଗଲା । ସିଏ ସହକର୍ମୀଙ୍କୁ ‘ଚାଲ ଯିବା’ ବୋଲି କହିଲେ, ମୋତେ ନମସ୍କାରଟିଏ ପକାଇଲେ ଏବଂ ବିଦାୟ ନେଲେ । ସିଏ ମୋତେ ନିଶ୍ଚୟ ଗୋଟିଏ ଘୁଷୁରି ବୋଲି ଭାବିଥିବେ, ତା'ନହେଲେ ମୁଁ ପାଚିଲା କଦଳୀକୁ ଏପରି ଭାବରେ ଅଗ୍ରାହ୍ୟ କରିଦେଇଥାନ୍ତି କାହିଁକି-?

 

ଓଡ଼ିଶାରେ ମୌଳିକ ଶିକ୍ଷାର ପ୍ରୟୋଗ ବୋଲି ଏବେ ଗୋଟିଏ ବହି ପଢ଼ିବାକୁ ମିଳିଲା-। ପାଖାପାଖି ଚାରିଶହ ପୃଷ୍ଠାରେ ଏଡ଼େ ଧୋବ ଦିଶୁଥିବା ବହିଟି ଏ ମୁଣ୍ଡରୁ ସେମୁଣ୍ଡ ଯାଏ କେବଳ ସଂସ୍କରଣ ଓ ସ୍ମୃତି କଥାରେ ପରିପୂର୍ଣ୍ଣ ହୋଇ ରହିଛି । ଝିଅମାନେ ଶାଶୁଘରକୁ ଆସିଲେ ଠିକ୍ ଯେମିତି ବାପଘର କଥା ମନେପକାଇ ପ୍ରାୟ ଏକ ଶୋକାକୁଳ ପୁଲକଭାବ ଅନୁଭବ କରନ୍ତି ପ୍ରାୟ ସେହିପରି । ସମୀକ୍ଷାର ଅବକାଶ ହିଁ ନାହିଁ । ମନେ ହେଉଥିଲା, ଅର୍ଥାତ୍ ଏକ ପ୍ରଶ୍ନ ପଚାରିବାକୁ ଇଚ୍ଛା ହେଉଥିଲା, ଭବିଷ୍ୟତରେ ଏକ ସଂସ୍କରଣ ଲେଖାଯିବ ବୋଲି କ’ଣ ଏକଦା ଓଡ଼ିଶାରେ ମୌଳିକ ଶିକ୍ଷାର ସେହି ପ୍ରୟୋଗଟି ହେଉଥିଲା କି ? ସମସ୍ତେ ଜାଣିଥିଲେ ଯେ ଏହି ପ୍ରୟୋଗଟି ଆଦୌ ସବୁଦିନ ରହିବ ନାହିଁ । ଉପରବାଲାଙ୍କର ମିଜାଜ ବଦଳିବ ଏବଂ ତେଣୁ ତଳେ ମଧ୍ୟ ଧଡ଼୍‌ଧାଡ୍ ସବୁ ବନ୍ଦ ହୋଇଯିବ । ତା'ପରେ ସମସ୍ତେ ଆପଣାର ସତ୍‌କ୍ଷେତ୍ରଗୁଡ଼ିକୁ ଚାଲିଯିବେ ଏବଂ ସୁନାପୁଅଙ୍କ ପରି ସ୍ଵଧର୍ମପ୍ରଣୋଦିତ ସଫଳତାଗୁଡ଼ିକୁ ଅର୍ଜନ କରିବେ ଏବଂ ପଛକୁ ଅନାଇ ଛଳଛଳ ଆଖିରେ ସ୍ମୃତି-କଥାମାନ ଲେଖିବେ । ମୌଳିକ ଶିକ୍ଷାର ଏବେ ମଧ୍ୟ ଏକାଧିକ ପ୍ରାସଙ୍ଗିକତା ରହିଛି ବୋଲି ଯଦି ଆମେ ସତକୁସତ ବୁଝୁଥାଆନ୍ତେ ଏବଂ ଏପରିକି ଶିକ୍ଷାରେ ଏକ ପରିବର୍ତ୍ତନ ଲୋଡ଼ା ବୋଲି ଯଦି ଆମେ ବିଶ୍ଵାସ କରୁଥାନ୍ତେ, ତେବେ ସମ୍ପାଦିତ ପୁସ୍ତକଟିକୁ ତାହାର ସବାମୂଳ ପରିମଳରେ ସମୀକ୍ଷାତ୍ମକ ଢାଞ୍ଚାରେ ପ୍ରସ୍ତୁତ କରିଥାଆନ୍ତେ ! ଆଗକୁ ଦେଖି ଥାଆନ୍ତେ, ଆମ ଦେଶ ଏବଂ ସେଇଟିଲାଗି ଅପେକ୍ଷିତ ହୋଇ ରହିଥିବା ପରିବର୍ତ୍ତନଗୁଡ଼ିକର ପରିପ୍ରେକ୍ଷୀରେ ମୌଳିକ ଶିକ୍ଷାର ଏକ ସମଗ୍ର ଆକଳନ କରିଥାନ୍ତେ । ସବା ବଡ଼ କଥାଟି ହେଉଛି, ଏକ ଶକ୍ତିଶାଳୀ ସମ୍ପାଦକୀୟ ହିଁ ବହିଟିରେ ମୁକୁଟ ପରି ହୋଇ ରହିଥାଆନ୍ତା । ଯାହାକି ସଂକଳିତ ବତିଶି ବା ବୟାଳିଶିଟି ଲେଖାକୁ ଗୋଟିଏ କ୍ରିୟାଶୀଳ ଶ୍ରଦ୍ଧାଦୃଷ୍ଟି ମଧ୍ୟରେ ଏକ ସମଗ୍ରତା ଆଣି ଦେଇପାରୁଥାନ୍ତା । ପଛକୁ ଅନାଇବା ପ୍ରକୃତରେ ଭାରି ସହଜ । ପଛକୁ ଅନାଇବାଟା ଅନେକ ସମୟରେ ଗୋଟାଏ ଚଢ଼େଇର ଡେଣା ପରି କାର୍ଯ୍ୟ କରିଥାଏ, ଯାହା ତଳେ ଆମେ ଜୀବନତରକାମାନେ କେଡ଼େ ଚିନ୍ତାମୁକ୍ତ ଭାବରେ ଆଶ୍ରୟ ଗ୍ରହଣ ବି କରିପାରୁ । ଉପରକୁ ବଡ଼ ସୁଠାମ ହୋଇ ଦିଶୁଥାଉ ଓ କ’ଣ କେଉଁଠି ଫାଙ୍କିଦେଇ ଆସିଥିବା ପରି ଭିତରେ ଭାରି କନକନ ହେଉଥାଉ । ଆଗକୁ ଦେଖି ପାରୁଥିଲେ ସିନା ପଛର ଏକ ସମୁଚିତ ବିଶ୍ଳେଷଣ କରିବା ସତକୁସତ ଅତ୍ୟାବଶ୍ୟକ ହୋଇ ରହୁଥାଆନ୍ତା ।

 

ଏହି ପୂଜ୍ୟପୂଜାର ଚକ୍ରାନ୍ତଟା ମଧ୍ୟ କ’ଣ ସେହି ପଛକୁ ମୁହଁ କରି ରହିଥିବାର ଏକ ଅସଦ୍ ଉପାୟ କି ? ବର୍ତ୍ତମାନର ଆମ ସାମୂହିକ ଜୀବନଟିକୁ ଯେଉଁମାନେ ଏକ ଦୟନୀୟ ଗୁହାଳରେ ପରିଣତ କରି ରଖିଛନ୍ତି ଏବଂ ଦିଗଗୁଡ଼ାକୁ ଯଥା ସମ୍ଭବ ନାନାବିଧ ଅନ୍ଧାର ଭିତରେ ହଜାଇ ରଖି ସ୍ୱୟଂ ଲାଭବାନ ହେଉଛନ୍ତି, ଆମକୁ ଅନ୍ତତଃ ସେହିମାନଙ୍କର ପାଳକଟା ପଡ଼ିଥିବା ଯାଏ ସେମାନେ ପଛଟାକୁ ନେଇ ମୁଗ୍ଧ କରି ରଖିବାର ପାଉଗିରି କରିବାରେ ଲାଗିଛନ୍ତି କି ? ପାଉମାନେ ହିଁ ସଂସ୍କୃତି କହିଲେ ମହାକାଳରୂପୀ ସାପଟି ପଛରେ ଛାଡ଼ିଦେଇ ଚାଲି ଆସିଥିବା କାତିଟାକୁ ବୁଝୁଛନ୍ତି ! ଆମକୁ ଅନ୍ୟମନସ୍କ କରି ପଛଆଡ଼କୁ ମୁହାଁଇ ଦେବାଲାଗି ମଥା କସରତଦ୍ୱାରା ଓଡ଼ିଶାରେ କେତେ ଦରବାରୀ ପାଣ୍ଡିତ୍ୟ ଓଡ଼ିଆର ପରିଚିତିକୁ ତଲାସ କରି ବାହାରିଛି । ସମ୍ଭବତଃ, ପ୍ରକଟ କରିପାରୁଛି ଯେତିକି, ତାହାର ତିନି ସେତିକିକୁ ଉଢ଼ୁଆଳ କରି ରଖିଛି-। ସମ୍ଭବତଃ, ଲୁଚାଇ ରଖିବାର ଏକ ମୂଳ ମତଲବରେ ହିଁ ତାହା ପରିଚିତିକୁ ଖୋଜିବାର ଭାଣ କରୁଛି । ଜାଣତରେ ହେଉ ଅବା ଅଜାଣତରେ ହେଉ ତାହା ହିଁ କରୁଛି । ଏହି ପାଣ୍ଡିତ୍ୟର କୌଣସି ହୃଦୟ ନାହିଁ ବୋଲି ତାହା ସେହିପରି କରୁଛି କି ? ଜଣେ ମଣିଷ ଆଗ ଆପଣାକୁ ମଣିଷ ବୋଲି ଚିହ୍ନିବ ନା ଆଗ ଓଡ଼ିଆ ବୋଲି ଚିହ୍ନିବ ? ମଣିଷ ବୋଲି ଚିହ୍ନିବ ଅର୍ଥାତ୍ ମନୁଷ୍ୟୋଚିତ ସମ୍ମାନର ଆଖିରେ ସିଏ ଆପଣାକୁ ଦେଖିବ, ତା’ ଚାରିପାଖରେ ଥିବା । ସଭିଙ୍କୁ ମଧ୍ୟ ସେହି ସମ୍ମାନ ଦେଇ ଦେଖିବ । ଓଡ଼ିଶା ତ ବହୁତ ପରର କଥା, ଆମ ଗାଁରେ ମଧ୍ୟ ଯେତିକି ମଣିଷ ଅଛନ୍ତି, ସେମାନଙ୍କୁ ସମସ୍ତଙ୍କୁ ଆମେ ମଣିଷର ସମ୍ମାନ ଦେଇ ଦେଖିପାରୁଛୁ କି ? ସେହି ସାନ ଗାଆଁଟିରେ ମଧ୍ୟ କେତେ ଥାକ, କେତେ ପାତର ଅନ୍ତର, କେତେ କେତେ ଅବଜ୍ଞା, କେତେ ବର୍ବରତା ଏବଂ କେତେ ଦୂରତା । ଏକଦା ଉତ୍କଳ ସମ୍ମିଳନୀର ଉତ୍ସାହିତ ମଣ୍ଡପ ଉପରେ ମଧୁବାବୁ ଗଡ଼ଜାତ ରାଜାମାନଙ୍କୁ ଆଣି ବସାଇ ଯେତେବେଳେ ଏକ ପୂର୍ଣ୍ଣଗୌରବ ଉତ୍କଳର ସଭାଚର୍ଚ୍ଚାମାନ କରୁଥିଲେ ସେତେବେଳେ ଗଡ଼ଜାତର ଅଧିବାସୀ ହଜାର ହଜାର ମଣିଷଙ୍କୁ ସେ ପାସୋରି ପାରୁଥିଲେ କିପରି-?

 

ଗଡ଼ଜାତର ଅମୁକ ପଧାନ ବା ଅମୁକ ମହାରଣା–ଯିଏ ରାଜା ପାଇଁ ବେଠି କରେ, ରଜାକୁ ପଚାଶ ପ୍ରକାରର ଖଜଣା ଗଣେ, ମୋଗଲବନ୍ଦୀର ଅମଲାମାନେ ଯାଇ ରାଜାଙ୍କର ପରିପୂର୍ଣ୍ଣ ପ୍ରଶ୍ରୟ ମଧ୍ୟରେ ଯେଉଁମାନଙ୍କ ଉପରେ ଜଙ୍ଘିଲାଟ ବୋଲାନ୍ତି, ଆମେ ସେମାନଙ୍କୁ ଆଗ ଓଡ଼ିଆ ବୋଲି କହିଦା ନା ଯେଉଁ ରଜା ବେଠି ଖଟାଏ, ଟିକସ ପରେ ଟିକସ ଝୁଣି ଆଣୁଥାଏ, ସାଧାରଣ ପ୍ରକାର ଝିଅବୋହୂଙ୍କ ଉପରେ ଶ୍ୱେନଚକ୍ଷୁ ପଡ଼ିଯିବା ମାତ୍ରକେ ସେମାନଙ୍କୁ ନଅରକୁ ବରଗି ଆଣି ଯେଉଁମାନେ ଭୋଗ କରନ୍ତି, ଜୀଅନ୍ତା ମଣିଷମାନଙ୍କୁ ତତଲା ଶାବଳ ଉପରେ ବସାନ୍ତି, ହାତୀଖେଦା କରନ୍ତି, ସେମାନଙ୍କୁ ଓଡ଼ିଆ ବୋଲି କହିବା ? ପରିଚିତି ଖୋଜୁଥିବା ପଣ୍ଡିତମାନେ ଏହି କଥାଟିକୁ କାହିଁକି ଅର୍ଥାତ୍ କେଉଁ ଆବଶ୍ୟକତାରେ ପଡ଼ି ପ୍ରସଙ୍ଗ ଭିତରକୁ ନିଅନ୍ତି ନାହିଁ କେଜାଣି ? ସ୍ୱାଧୀନ ଭାରତବର୍ଷକୁ ପଚାଶବର୍ଷ ହୋଇ ସାରିଲାଣି ସିନା, ମାତ୍ର ସଂସ୍କୃତି କହିଲେ ଆମେ ସତେଅବା ଅତ୍ୟନ୍ତ ଏକଜିଦିଆ ହୋଇ ସେହି ପଛଗୁଡ଼ାକୁ ହିଁ ବୁଝୁଛୁ,–ପଛର ସେହି କାଳ୍ପନିକ ଗଛମାନଙ୍କରୁ ମଣ୍ଡା ଖାଇବାରେ ଲାଗିଛୁ । ବର୍ତ୍ତମାନଟାକୁ ଦେଖିବୁ ନାହିଁ ବୋଲି କୋଉ କାଞ୍ଜିପାଣି ହାଣ୍ଡିରେ ଯାଇ ଲୁଚି ରହିବାକୁ ମନ କରୁଛୁ କି ? ଏଣିକି ଏ କଥାଟି, ଦାଣ୍ଡରେ ପଡ଼ିବା ଉଚିତ । ଅସାଧାରଣମାନେ ପକାଇବାକୁ କୁଣ୍ଠାବୋଧ କରୁଥିଲେ ସାଧାରଣମାନେ ହିଁ ବାହାରି ଆସି ସେହି ଭୂମିକାଟି ଗ୍ରହ କରିବା ଉଚିତ । ଶିକ୍ଷକମାନେ କୁଣ୍ଠିତ ହେଉଥିଲେ ଛାତ୍ରମାନେ ସେହି ଦାୟିତ୍ୱଟିକୁ ଗ୍ରହଣ କରିବା ଉଚିତ । କର୍ତ୍ତୃତ୍ୱର ଯାବତୀୟ ସ୍ଥାନ ସେଥିପାଇଁ ବିମୁଖ ହେଉଥିଲେ ଉପଯୁକ୍ତ ନେତୃତ୍ୱମାନେ ତାହା କରିପାରିବା ଉଚିତ । ଆମର ଏହି ପୃଥିବୀ ବହୁ ପରିବର୍ତ୍ତନ ନିମନ୍ତେ ପ୍ରାୟ ଅସହ୍ୟ ଭାବେ ଅପେକ୍ଷା କରି ରହିଛି । ପୃଥିବୀରେ ତ ଏତେ ବିତ୍ତ, ଏତେ ବିଦ୍ୟା ଓ ଏତେ ଏତେ ବୁଦ୍ଧି, ତଥାପି ଏଠି କୋଟି କୋଟି ମଣିଷ କାହିଁକି ପୁରୁଷ ପୁରୁଷ ଧରି ନାନା ବଞ୍ଚନା ଏବଂ ପ୍ରବଞ୍ଚନା ମଧ୍ୟରେ ପ୍ରାୟ ଅଚଳ ହୋଇ ରହିଛନ୍ତି ? ଆଦର୍ଶମାନ ତ ଶାସ୍ତ୍ରଠାରୁ ଆରମ୍ଭ କରି ସଭାମଞ୍ଚ ଯାଏ ଭର୍ତ୍ତି ହୋଇ ରହିଛନ୍ତି । ତଥାପି ଏଠି ଅଳପ ଧୋବ ମଣିଷ କାହିଁକି ଅନ୍ଧାରଗୁଡ଼ାକୁ ପ୍ରାୟ ଭାଗ୍ୟ ଭଳି ମଡ଼ାଇ ରଖିଛନ୍ତି ? ମଣିଷ ମଣିଷ ମଧ୍ୟରେ ରହିଥିବା ସମ୍ପର୍କଗୁଡ଼ିକର କ୍ଷେତ୍ରରେ କେଉଁଠି କ'ଣ ସବୁ ପ୍ରମାଦ କୋଉକାଳରୁ ରହିଛି ଯେ, ମଣିଷ କହିଲେ ପ୍ରାୟ କୌଣସିଠାରେ ସବୁ ମଣିଷଙ୍କୁ ବୁଝାଉ ନାହିଁ ? ଆମ ତୁମ ଗାଁରେ ବୁଝାଉ ନାହିଁ କିମ୍ବା ଆମ ରାଜଧାନୀମାନଙ୍କରେ ବୁଝାଉ ନାହିଁ । ଏସବୁ ତଥାପି ବାଧାହୋଇ ଠିଆ ହୋଇଛନ୍ତି । କାରଣ ଆମେ ଅଣ୍ଟା ସିଧା କରି ସେଗୁଡ଼ିକ ଆଡ଼କୁ ଅନାଇ ପାରୁନାହୁଁ । ଏସବୁ ଯେଉଁପରି ଅଛନ୍ତି, ସେସବୁ ସେହିପରି ରହିଲେ ଯେଉଁମାନେ ଲାଭବାନ୍‌ ହେଉଛନ୍ତି, ସମ୍ଭବତଃ ସେହିମାନେ ହିଁ କାଳଟାକୁ ପଛମୁହାଁ କରି ରଖିବାକୁ ଇଚ୍ଛା କରୁଛନ୍ତି । ଆଗକୁ ଯେଉଁ ପୃଥିବୀଟି ଆସିବ, ସେଇଟି ମଧ୍ୟ କ’ଣ ଏହିଭଳି ନାନା ଅବିବେକିତା ଏବଂ ଉପେକ୍ଷା ଦ୍ୱାରା ଦୁଃଖମୟ ହୋଇ ରହିଥିବ ? ତେଣୁ ଚାଲ, ଆଗକୁ ହିଁ ଦେଖିବା । ଆଗଟା କିପରି ଭାବରେ ତିଆରି ହେବ, ସେଇଟିକୁ ନେଇ ନକ୍ସାଗୁଡ଼ିକୁ ଆଙ୍କିବା । ସ୍ୱପ୍ନମାନ ଦେଖିବା ଏବଂ ସେହି ସ୍ୱପ୍ନ ତଥା ସେହି ନକ୍ସାଗୁଡ଼ିକ ଅନୁସାରେ ଏହି ବର୍ତ୍ତମାନଟାକୁ ମଧ୍ୟ ଉଖାଡ଼ି ଦେଖିବା । ସେହି ଉଖାଡ଼ି ଦେଖିବା ନିମନ୍ତେ, ଯେଉଁ ନିର୍ମଳ ସାହସଟି ଦରକାର, ଆମେ ସେହି ସାହସଟିର ଭାଜନ ହେବା । ଆଦର୍ଶଗୁଡ଼ିକୁ ମଣିଷମାନଙ୍କର ଏହି ଭୂଇଁଯାଏ ଅବତରାଇ ଆଣିବା ।

 

ଏହା ବିକଳ୍ପମାନଙ୍କର କାର୍ଯ୍ୟ, ଗୁଳାରେ ରହିଥିବା ହେତୁ ଉପକୃତ ହେଉଥିବା ଏହି ପଛପ୍ରେମୀମାନଙ୍କର କାର୍ଯ୍ୟ ନୁହେଁ । ପଛପ୍ରେମୀମାନେ ହିଁ ଆମ ସାହିତ୍ୟ, ଆମ ନୈତିକତା, ଆମର ଅଧ୍ୟାୟ-ବୁଦ୍ଧି ଏବଂ ଆମର ରାଜନୀତିକୁ ମଧ୍ୟ ପଛମୁହାଁ କରି ରଖିଛନ୍ତି । ଭୂମି ଭଳି ଭୂମିଟିଏ ତିଆରି ହୋଇ ପାରିନଥିଲେ ମଧ୍ୟ ସେମାନେ ଆମକୁ ଅନ୍ୟମନସ୍କ କରିବାରେ ଲାଗିଛନ୍ତି-। ଆମର ପାଠଗୁଡ଼ିକ ମଧ୍ୟ ସେହିମାନଙ୍କର ଚକ୍ରାନ୍ତରୁ ଆମକୁ ଅନ୍ୟମନସ୍କ ଏବଂ ଉଦାସୀନ ହୋଇ ରହିବା ନିମନ୍ତେ ପ୍ରରୋଚନା ଦେଉଛି । ଆମେ ଏଥିରେ ଆଉ ମଙ୍ଗିବା ନାହିଁ । ଏକ ଭବିଷ୍ୟବାଚୀ ବହୁ ସମ୍ଭାବନାର ଦୃଶ୍ୟପଟ ଓ ଦର୍ପଣ ଉପରେ ଆପଣାକୁ ଦେଖିବାକୁ ସମର୍ଥ ହେବା ଓ ସେହି ଅନୁସାରେ ଭୂମିଟିଏ ବି ବାଛିନେବା । ହେ ମୋର ଷଡ଼ଯନ୍ତ୍ରକାରୀ ସ୍ୱାର୍ଥଗଣ, ତୁମେ ଏହି ଉପସ୍ଥିତ ବର୍ତ୍ତମାନଟିକୁ ଟାଳି ଦେଉଥିବା ପରବର୍ତ୍ତୀ ଭବିଷ୍ୟଟି ବ୍ୟତୀତ ଏଠାରେ ତୁମେ ଯାହାକିଛି କହିବ, କିମ୍ବା କରିବ, ତଦ୍ଦ୍ୱାରା ତୁମେ ଚାରିପାଖରେ ଥିବା ମଣିଷମାନଙ୍କୁ ହିଁ ଧୋକା ଦେବାରେ ଲାଗିଥିବା ଏବଂ ମଣିଷମାନଙ୍କୁ ଧୋକା ଦେଉଥିବା ପର୍ଯ୍ୟନ୍ତ ତୁମର କଥାଗୁଡ଼ିକ କେହି କେବେହେଲେ ବିଶ୍ୱାସ କରିବ ନାହିଁ । ଅତୀତରେ ଯାହା ବା ଯେତିକି ଥିଲା ଏବଂ ବର୍ତ୍ତମାନ ମଧ୍ୟ ଯାହା ଓ ଯେତିକି ଅଛି, ଭବିଷ୍ୟରେ ପ୍ରତିଶ୍ରୁତି ତାହାଠାରୁ ଅଧିକ ପ୍ରସାରଯୁକ୍ତ ଏବଂ ଅଧିକ ପ୍ରଭବସମର୍ଥ । ଆମେ ତାହାରି ଯୋଗ୍ୟ ହେବା । ତୁମେ ଯଦି ମଙ୍ଗିଯିବ, ତେବେ ଆମ ସହିତ ଅବଶ୍ୟ ଆସିପାରିବ, ନଚେତ୍ ତୁମମାନଙ୍କୁ ଆମେ ଅତିକ୍ରମ ହିଁ କରିଯିବୁ, ଏକ ଅନ୍ୟ ପୃଥିବୀର ଆହ୍ୱାନ ମାନି ଅତିକ୍ରମ କରିଯିବୁ-

 

୨.୯.୦୨

☆☆☆

 

Unknown

ଆମେରିକାରେ ଆଉଥରେ (୨)

 

ଗତବର୍ଷ ସେପ୍ଟେମ୍ବର ଏଗାର ତାରିଖରେ ନିଉୟର୍କ ସହରର ସେହି ଉଚ୍ଚ ଅଟ୍ଟାଳିକା ଦୁଇଟା ଭାଙ୍ଗି ଖିନଖରାପ ହୋଇଯିବାର ପ୍ରାୟ ଦେଢ଼ମାସ ପରେ ଦ୍ୱିତୀୟ ଥର ପାଇଁ ପୃଥିବୀର ସେହି ଭାଗଟାରେ ଯାଇ ପହଞ୍ଚିବାର ଏକ ସୁଯୋଗ ଜୁଟି ଯାଇଥିଲା । ପହଞ୍ଚିବା ପରେ ସେଠାକାର ଆକାଶଟିକୁ ଘ୍ରାଣ କରି ମୋତେ ଲାଗିଲା ସତେ ଯେପରି ଆମେରିକାରେ ସବା ତଳରୁ ସବା ଉପର ପର୍ଯ୍ୟନ୍ତ ଯିଏ ପାରୁଛି, ସିଏ ସେହି କୋଠା ଦୁଇଟାକୁ ହିଁ ଝୁରି ହେଉଛି । ସେହି ସଂକ୍ରାନ୍ତୀୟ କେତେ କ’ଣ ଭୂତ ଦେଖିବାରେ ଲାଗିଛି ବୋଲି ସତେଅବା ଆଉ କିଛି ବି ଦେଖିପାରୁନାହିଁ । କାହିଁକି କେଜାଣି ବଡ଼ ଆଚମ୍ୱିତ ଲାଗିଲା । ପୃଥିବୀରେ ମୁଁ ଯଦି ଛୁରିଟାଏ ଅଣ୍ଟାରେ ଖୋସି ବୁଲୁଛି, ତେବେ ଆଉ କିଏ ଛୁରିଟାଏ ଧରି ବୁଲିଲାଣି ଦେଖି ମୁଁ କାହିଁକି ଆଚମ୍ୱିତ ହୋଇ ପଡ଼ିବି ? ପୃଥିବୀରେ କୋଉ ରାଷ୍ଟ୍ର ଅଛି, ଯିଏକି ନିଜ ଅଣ୍ଟାରେ ଛୁରିଟାଏ ଖୋସି ନବୁଲୁଛି ? ପୃଥିବୀରେ କୋଉ ଅମଲାତନ୍ତ୍ର ଅଛି, ଯିଏକି ନିଜ ପ୍ରଜାମାନଙ୍କୁ ନ ଡରୁଛି ? ବିଶେଷକରି ଆମେରିକା ରାଷ୍ଟ୍ର ହେଉଛି ଏହି ପୃଥିବୀରେ ସବାବଡ଼ ଘରଟାର ମାଲିକ । ଏତେ ଏତେ ସମ୍ପତ୍ତି, ଏତେ ଜ୍ଞାନ ଓ ବିଜ୍ଞାନ । ଏଡ଼େ ବଡ଼ ଗୋଇନ୍ଦା ବିଭାଗ ଏବଂ ଏତେଗୁଡ଼ାଏ ସ୍ୱାର୍ଥ । ତେଣୁ ଯେତେ ବାଉଁଶ, ତେଡ଼େ ପୋଲା । ଭଗବାନଙ୍କର ପୁଣି ଏମିତି ବରାଦ ଯେ, ଏହି ଭୂପୃଷ୍ଠରେ ଏକାବେଳକେ ଗୋଟାଏ ପାଖରେ ଆମେରିକା ଅଲଗା ହୋଇ ଏପରି ଅବସ୍ଥିତ ରହିଛି ଯେ, ନିଜକୁ ସବାବଡ଼ ଓ ସବା ଆଗ ବୋଲି ଭାବିବା ନିମନ୍ତେ ପ୍ରାୟ ଏକ ନିରଙ୍କୁଶତା ଅନୁଭବ କରିଆସିଛି । ସେହି ଅନ୍ୟ ଗୋଲାର୍ଦ୍ଧରେ ଆହୁରି କେତେ କେତେ ବି ଦେଶ ରହିଛି; ତଥାପି ଯୁକ୍ତରାଜ୍ୟ ଆମେରିକା ନାମକ ଏହି ଖାସ୍ ଦେଶ ବା ଖାସ୍ ରାଷ୍ଟ୍ରଟି ବସ୍ତୁତଃ ସବୁକିଛି ମାମଲତରେ ଏଭଳି ଆଚରଣ କରିଥାଏ, ଯେପରିକି ସେ ବିଶ୍ୱାର୍ଦ୍ଧଟାରେ ଆଉ ଅନ୍ୟକେହି ନାହାନ୍ତି, କେବଳ ଆମେରିକା ହିଁ ରହିଛି । ଅଥବା, ଅନ୍ୟ ଏକ ବ୍ୟଞ୍ଜନା ଦେଇ କହିଲେ, ଆମେରିକା ଅଛି ବୋଲି ହିଁ ଏହି ଅନ୍ୟମାନେ ରହିଛନ୍ତି ଏବଂ ସେହି ଅନ୍ୟମାନେ ମଧ୍ୟ ପ୍ରୟୋଜନରେ ପଡ଼ି ହେଉ କିମ୍ବା ଝଅକ ମାରି ହେଉ, କାଳକ୍ରମେ ଏପରି ଅଭ୍ୟସ୍ତ ଓ ବାଧ୍ୟ ହୋଇଗଲେଣି ଯେ, ଆମେରିକା ତରଫରୁ ଆଚରିତ ହେଉଥିବା ଉକ୍ତ ଭୂମିକାଟିକୁ କାନମୁଣ୍ଡ ଆଉଁସି ସ୍ୱୀକାର କରି ନେଇଛନ୍ତି ।

 

ସେପ୍ଟେମ୍ବର ଏଗାର ତାରିଖରେ ଯାହା ଘଟିଗଲା, ସେଥିରେ ଆମେରିକା ପ୍ରକୃତରେ ବଡ଼ ଆଚମ୍ବିତ ହୋଇଯାଇଥିବ, ପ୍ରାୟ ହଡ଼କମ୍ପ ହେଲା ଭଳି ଆଚମ୍ବିତ ହୋଇଥିବ । ବଡ଼ କଂସଟାକୁ ଆଖି ଆଗରେ ରଖି ଯେ ପୃଥିବୀରେ ସାନ କଂସମାନେ ତିଆରି ହୁଅନ୍ତି, ସେକଥା ବୁଝିବା ନିମନ୍ତେ ଆମେରିକା ସମ୍ଭବତଃ ଆଦୌ କୌଣସି ସମୟ ପାଇନାହିଁ । ଭଗବାନଙ୍କର ଇଏ ଏକ ଅଜବ ବରାଦ ଯେ ଏଠି ବଡ଼ କଂସଟା ହିଁ ପୃଥିବୀରେ ସବୁଠାରୁ ଅଧିକ ପରିମାଣରେ ଏବଂ ଅଧିକ ବହୁମୁଖୀ ବୁଦ୍ଧି ଖରଚ କରି ଡରିବାରେ ଲାଗିଛି ଏବଂ ସେହି ଡରଟାଦ୍ଵାରା ଅତ୍ୟନ୍ତ ଆକ୍ରମଣାତ୍ମକ ଭାବରେ ତାଡ଼ିତ ହୋଇ ଅବଶିଷ୍ଟ ପୃଥିବୀକୁ ନଚାଇବାରେ ଭାରି ମାତିଯାଇଛି । ମନ ଅନୁସାରେ ମେଣ୍ଟ ବାନ୍ଧି ପକାଇଛି,–ମନ ଅନୁସାରେ ହାଟମାନଙ୍କୁ ଯାଇ ବନ୍ଧୁ କିଣି ଆଣିବାକୁ ମନ କରିଛି । ଅର୍ଥ ଦେଇଛି, ଅସ୍ତ୍ର ନେଇ ଗଦା କରି ଦେଇଛି । ଶୀତଳଯୁଦ୍ଧଟାକୁ ଯଥାସମ୍ଭବ ଯଥେଷ୍ଟ ଉଷ୍ମ କରି ରଖିବା ନିମନ୍ତେ ପ୍ରାଣପଣେ ଚେଷ୍ଟା କରିଆସିଛି । ହାତରୁ କୋଟି କୋଟି ଖର୍ଚ୍ଚ କରି ପୃଥିବୀଟାକୁ ନିଜର ନକ୍ସାଟି ଅନୁସାରେ ସଜାଡ଼ି ରଖିବା ନିମନ୍ତେ କେବେହେଲେ କୌଣସି କଂସର ଖାତିର କରିନାହିଁ । ଏଡ଼େ ଏଡ଼େ ବିଶ୍ୱଶକ୍ତିମାନ ପୁଣି ଏତିକି ଡରନ୍ତି ? ତେଣୁ, ସେପ୍ଟେମ୍ବର ଏଗାର ତାରିଖ ପରେ ଆମେରିକା ଯେଉଁଭଳି ଆଚରଣ କଲା, ଆମେ ତାହାକୁ ସେହିଭଳି ଗୋଟିଏ ପୃଷ୍ଠଭୂମି ଅର୍ଥାତ୍ ଚରିତ୍ର-ପଞ୍ଜିକା ଉପରେ ବୁଝିବାକୁ ଚେଷ୍ଟା କରିବା । ଅର୍ଥାତ୍ ଯଥାସମ୍ଭବ ଅଧିକ ଦରଦ ଖରଚ କରି ଆମେ ଆମେରିକା ରାଷ୍ଟ୍ରକୁ ବୁଝିବା ।

 

ରାଷ୍ଟ୍ରପତି ଜର୍ଜ ଉଇଲିଅମ ବୁଶ୍ ହୁଏତ ସବୁଠାରୁ ଅଧିକ ଛାନିଆ ହୋଇଥିବା ପରି ସେତେବେଳେ ଦିନେ କହିଦେଲେ ଯେ ସେହି ସେପ୍ଟେମ୍ବର ଏଗାର ପରେ ସ୍ୱୟଂ ଈଶ୍ୱର ହିଁ ଆମେରିକାର ଅଧିକ ନିକଟବର୍ତ୍ତୀ ହୋଇପାରିଲେ । ନିଜ ଦେଶବାସୀଙ୍କ ନିମନ୍ତେ ଦେଇଥିବା ଏକ ବାର୍ତ୍ତାରେ ସେ ଏ କଥା କହିଥିଲେ । ବିପଦ ଭିଆଇବା ସମୟରେ ଯାହାର ହୁଏତ କୌଣସି ହୋସ୍ ନଥାଏ, ବିଚରା ସେଇ ବିପଦଟାଏ ପଡ଼ିବା ମାତ୍ରକେ ଈଶ୍ୱରଙ୍କୁ ମନେ ପକାଏ । ଈଶ୍ୱର ବିଚରା ଏମିତି ଏକ ଉପାଦାନରେ ତିଆରି ହୋଇଥାଆନ୍ତି ଯେ, କେବେହେଲେ କାହାରିଠାରୁ ଦୂରକୁ ଚାଲିଯାଇ ନଥାନ୍ତି । ଆମେ ତାଙ୍କୁ ସୁମରଣା କରୁଛୁ କି ନାହିଁ, ସିଏ ମୋଟେ ସେହି କଥାଟିକୁ ଅପେକ୍ଷା କରିନଥାନ୍ତି । ସବୁବେଳେ ପାଖରେ ଥାଆନ୍ତି । ତେଣୁ ପ୍ରକୃତରେ ଆମେ ହିଁ ତାଙ୍କୁ ଆମ ପାଇଁ ଅଲୋଡ଼ା କରି ରଖିଥିବା ସମୟରେ ପ୍ରୟୋଜନରେ ପଡ଼ି ତାଙ୍କୁ ସ୍ମରଣ କରିବା ବେଳେ ଯାଇ ସିଏ ଆମର ଅଧକ ନିକଟବର୍ତ୍ତୀ ହେଲେ ବୋଲି ଅନୁଭବ କରୁ । ରାଷ୍ଟ୍ରପତି ବୁଶ୍ ତେଣୁ ଯାହା ମନ୍ତବ୍ୟ ଦେଲେ, ଆମେରିକା ଲୋକେ ସେ କଥାକୁ ଅବଶ୍ୟ ବୁଝି ଯାଇଥିବେ । ସେମାନେ ସମସ୍ତେ ସେପ୍ଟେମ୍ବର ଏଗାର ତାରିଖ ପରେ ଭାରି ଡରି ଯାଇଥିବେ, ଆମେରିକାକୁ ଚ୍ୟାଲେଞ୍ଜ ଦେବା ଭଳି ଏକ ଧୂମକେତୁ କେଉଁଠି ରହିଛି ଓ ଏବେଯାଏ ସାଧ୍ୟ ହୋଇନାହିଁ ବୋଲି ଜାଣି ସେମାନେ ନିଜର ଛାନିଆ ଘରେ ଧଡ଼୍‌ କରି ଉଠି ବସିଥିବେ ଏବଂ ନିଜର ରାଷ୍ଟ୍ରପତିଙ୍କୁ ପୂରା ବୁଝି ଯାଇଥିବେ । ତେଣୁ ସାଙ୍ଗ ରାଷ୍ଟ୍ରମାନେ ଏକାଠି ହୋଇ ଚେଇଁ ଉଠିବାକୁ ମୋଟେ ବିଳମ୍ବ କାହିଁକି ବା ହୋଇଥାନ୍ତା ? ତେଣିକି ଯାହା ହେଲା, ତାହା ବିଶ୍ଵର ନାମରେ ହିଁ ହେଲା, ବିଶ୍ଵର ଦ୍ୱାହି ଦେଇ ହେଲା ଏବଂ, ସେହିମାନଙ୍କ ଭାଷାରେ, ବିଶ୍ୱ-ସନ୍ତ୍ରାସବାଦର ବିରୋଧରେ ଏକ ଯୁଦ୍ଧ ଘୋଷଣା କରାଗଲା । ଆଗ ଆଫଗାନିସ୍ଥାନ, ତାପରେ ଅମୁକ, ତାପରେ ଅମୁକ–ଏହିପରି ଭାବରେ ତାଲିକାଟିଏ କରି ତାହାକୁ ଆମେ ପୃଥିବୀଯାକ ଜାଣିବା ଭଳି ଘୋଷଣା କରାହେଲା ।

 

ପ୍ରେସିଡେଣ୍ଟ ଉଇଲିଅମ୍ ବୁଶ୍ ସେତେବେଳେ ଭାବପ୍ରବଣ ହୋଇ ଆହୁରି କେତେକେତେ କଥା ମଧ୍ୟ କହିଲେ । ଡରିବା ମଣିଷ ଠିକ୍ ଏହିପରି ଭାବରେ ହିଁ ଭାବପ୍ରବଣ ହୋଇଥାଏ ଓ ଭାବପ୍ରବଣତାର ତଳେ ନିଜର ଡରଟାକୁ ଲୁଚାଇ ରଖିବାକୁ ଚେଷ୍ଟା କରିଥାଏ । ଭାବପ୍ରବଣତାରେ ସତେ ଅବା ଖାଲି କାମୁଡ଼ି ପକାଇବା ଭଳି ହୋଇଥାଏ । କେଡ଼େ ଧର୍ମସ୍ଥ ମଣିଷଟିଏ ପରି ସିଏ good ଏବଂ evil ଭଲ ଓ ମନ୍ଦ ମଧ୍ୟରେ ଏହି ଯୁଦ୍ଧଟି ଆରମ୍ଭ ହେଲା ବୋଲି କହିଥିଲେ । ପୁନଶ୍ଚ, evil to be overcome not by evil, but by good,–ମନ୍ଦକୁ ମନ୍ଦ ଦ୍ୱାରା ନୁହେଁ ଭଲ ଦ୍ୱାରା ହିଁ ଜୟ କରିବାକୁ ହେବ ବୋଲି ସିଏ କହିଛନ୍ତି । ପୃଥିବୀରେ ଯେତେଯେତେ ଯୁଦ୍ଧ ଯେଉଁଠି ହୋଇଛି, ସର୍ବତ୍ର ଉଭୟ ପକ୍ଷ କେବଳ ନିଜ ପଟଟାରେ ହିଁ ଭଲଟା ରହିଛି ବୋଲି ପ୍ରାୟ ଏକ ଦୁର୍ଦ୍ଦାନ୍ତ ପରିପ୍ରତ୍ୟୟ ସହିତ ଘୋଷଣା କରିଛନ୍ତି । ଅର୍ଥାତ୍ ମନ୍ଦଟା ସେପଟେ ରହିଛି । ସମ୍ଭବତଃ, ଅଧିକ ସତକଥା ହେଉଛି ଯେ, ଏହି, ଧରାପୃଷ୍ଠରେ ସର୍ବଦା ମନ୍ଦ ଓ ମନ୍ଦ ଭିତରେ ହିଁ ଯୁଦ୍ଧ ଚାଲିଛି–କେବଳ ନିଜ ପଟରେ ହିଁ ଧର୍ମ ରହିଛି ବୋଲି ପ୍ରତ୍ୟେକ ପକ୍ଷ କେଡ଼େ କାମୁଡ଼ିଲା ପରି ହୋଇ କହିଛନ୍ତି । ସେତେବେଳେ ତୁମ ଓ ଆମ ପରି ସାଧାରଣ ମଣିଷମାନେ ଯେ ସେ କଥାଟିକୁ ବୁଝି ପାରିନାହାନ୍ତି, ସେ କଥା ଆଦୌ ନୁହେଁ । ମାତ୍ର ରାଷ୍ଟ୍ରଟା ମଣିଷମାନଙ୍କ ଉପରେ ଏମିତି ଜବର ଭାବରେ ବସି ରହିଆସିଛି ଯେ, ସେମାନେ ଅଧିକ ଅଡ଼ୁଆକୁ ନଯାଇ ସେହି ମିଛ କଥାଟାକୁ ମାନି ନେଇଛନ୍ତି ଏବଂ ମଣିଷମାନେ ମାନି ନେଉଥିବା ପର୍ଯ୍ୟନ୍ତ ଭଗବାନ ମଧ୍ୟ ଆଉ କ’ଣ କରିପାରନ୍ତେ ? ସ୍ମରଣ କରାଯାଇ ପାରିବ ଯେ, ମଧ୍ୟପ୍ରାଚ୍ୟରେ ଦଶବର୍ଷ ତଳେ ଇରାକ ଦେଶର ଶାସକ ସଦ୍ଦାମ ହୁସେନ, ଯେତେବେଳେ ଏ ବୁଶ୍‌ଙ୍କ ବାପ ଆଉ ଜଣେ ବୁଶ୍‌ଙ୍କ ବିରୋଧରେ ଲଢ଼ି ବାହାରିଥିଲେ, ସେତେବେଳେ ମଧ୍ୟ ସେହି ଘଟଣାଟି ସହିତ ଖୁବ୍‌ ଭାବପ୍ରବଣତା ମିଶାଇ The mother of all wars has started ବୋଲି କହିଥିଲେ ।

 

ସନ୍ତ୍ରାସବାଦ ନାମକ ବଗିଚାରେ ଆମେରିକା ନାମକ ସେହି ବପୁମାନ୍ ଏବଂ ବିଭବଶାଳୀ ରାଷ୍ଟ୍ରଟି ହୁଏତ ସବା ଆଗ ଧାଡ଼ିର ମାଳି ପରି କାର୍ଯ୍ୟ କରି ଆସିଛି ଏବଂ, ଅସୂୟା ହେତୁ ଯେତେ ନୁହେଁ ଭୟ ହେତୁ ହଁ ତାହା କରିଆସିଛି । ଦକ୍ଷିଣ ଆମେରିକାର କୌଣସି ଦେଶରେ ଯଦି ତାର ମନକୁ ଆସୁନଥିବା କୌଣସି ସରକାରର ସ୍ଥାପନା ହୋଇଛି, ସେତେବେଳେ ଯୁକ୍ତରାଜ୍ୟ ଆମେରିକା ସେହି ସରକାରକୁ ଗାଦିଚ୍ୟୁତ କରାଇବା ନିମନ୍ତେ ଯେତେ ଯାହା ଅସଦୁପାୟ ଅବଲମ୍ବନ କରିଛି, ତାହାକୁ ଅତ୍ୟନ୍ତ ବିବାଦଶୂନ୍ୟ ଭାବରେ କେବଳ ସନ୍ତ୍ରାସବାଦୀମାର୍କାର ବୋଲି ହିଁ କୁହାଯାଇ ପାରିବ । ଏକଦା ଚିଲିର ନିର୍ବାଚିତ ପ୍ରେସିଡ଼େଣ୍ଟ ଆୟେଣ୍ଡେଙ୍କୁ ତଡ଼ି ନିଜର ମନୋମତ ଅର୍ଥାତ୍ ସମ୍ପୂର୍ଣ୍ଣ ବୋଲକରା ଜଣେ ଡିକ୍ଟେଟରଙ୍କୁ ଆମେରିକା ଆସୀନ କରାଇଥିବାର ଅପକୀର୍ତ୍ତିଟା ଏବେ ମଧ୍ୟ ପୃଥିବୀଯାକର ସିଧା ମନେ ରହିଥିବ । ଏପରିକି ଏବର୍ଷର ପ୍ରାରମ୍ଭରେ ଦକ୍ଷିଣ ଆମେରିକାରେ ଭେନେଜୁଏଲାର ରାଷ୍ଟ୍ରପତି ନିର୍ବାଚନରେ ଯେତେବେଳେ ହିଉଗୋ ଚାଭେଜ ବିଜୟଲାଭ କରି କ୍ଷମତାକୁ ଆସିଲେ, ସେତେବେଳେ ଆମେରିକୀୟ ଗୋଇନ୍ଦା ପଲଟନଙ୍କର ତାଙ୍କ ବିଷୟରେ ଅନୁକୂଳ ରିପୋର୍ଟ ନଥିବାରୁ ବିରୋଧୀମାନଙ୍କୁ ମତାଇ ଦିଆଗଲା ଓ ତାଙ୍କୁ ଗାଦିରୁ ହଟାଇ ଦିଆଗଲା । ଅବଶ୍ୟ ଶ୍ରୀଯୁକ୍ତ ଚାଭେଜଙ୍କର ଭାଗ୍ୟ ଯେ, ତାପରେ ତାଙ୍କୁ ସମର୍ଥନ କରି ଅଚିରେ ଦେଶ ତମାମ ବିକ୍ଷୋଭ ପ୍ରଦର୍ଶନମାନ ହେଲା ଏବଂ ସିଏ ପୁନର୍ବାର କ୍ଷମତାକୁ ଲେଉଟି ଆସିପାରିଲେ । ସମ୍ପୂର୍ଣ୍ଣ ନିଭର୍ରଯୋଗ୍ୟ ସମ୍ବାଦଗୁଡ଼ିକ ଅନୁସାରେ ଆମେରିକା ସରକାର ଚାଭେଜଙ୍କର ବିରୋଧୀମାନଙ୍କୁ ଲକ୍ଷ ଲକ୍ଷ ଡଲାର ସାହାଯ୍ୟ କରିଥିଲେ । ବହୁ ପରୋକ୍ଷ ପ୍ରକାରେ ଏହି ସାହାଯ୍ୟ ଭେନେଜୁଏଲାର ଆମେରିକା ସମର୍ଥକମାନଙ୍କ ପାଖରେ ଯାଇ ପହଞ୍ଚି ପାରିଥିଲା ଏବଂ, ସବୁଠାରୁ ତାରିଫର କଥାଟି ହେଉଛି ଯେ, ଯେଉଁ ଲାଡ଼େନ ପୁତ୍ର ଓସାମା ଓ ତାର ସନ୍ତ୍ରାସବାଦୀ ଜାଲଟିକୁ ନଷ୍ଟ କରିଦେବା ପାଇଁ ଆମେରିକା ଏବେ ଆଫଗାନିସ୍ଥାନରେ ନେତୃତ୍ୱ ନେଲା, ଏକଦା ସେଇ ଆମେରିକା ତାକୁ ଏକାଧିକ କିସମର ନିତ୍ୟ ସାହାଯ୍ୟ ତଥା ସମର୍ଥନ ଦେଇ ବଳବାନ୍ କରାଇ ଆଣିଥିଲା । ଆଫଗାନିସ୍ଥାନରୁ ଋଷିଆର କର୍ତ୍ତୃତ୍ୱ ହଟାଇବା ନିମନ୍ତେ ତାଲିବାନ ସନ୍ତ୍ରାସବାଦୀମାନଙ୍କୁ ସେଠା ଗୃହଯୁଦ୍ଧରେ ଜିତି ଗାଦିରେ ବସାଇବାକୁ ମୁଖ୍ୟ ସହାୟକର ଭୂମିକା ଗ୍ରହଣ କରିଥିଲା ।

 

ଆମେରିକା ସରକାର ପ୍ରାୟ ଏକ ବିଶ୍ଵଭୟଙ୍କର ଅବତାର ଗ୍ରହଣ କରି ତାଲିବାନ ସରକାରକୁ ହଟାଇବା ପାଇଁ ବିଶ୍ୱସନ୍ତ୍ରାସବାଦର ବିରୋଧରେ ଏହି ଯେଉଁ ଲଢ଼େଇଟି ଆରମ୍ଭ କରିଦେଲେ ଓ ଏପରିକି ମିଳିତ ଜାତିସଂଘକୁ ମଧ୍ୟ ଅଳ୍ପ ବହୁତ ନିଜ ସପକ୍ଷକୁ ଅଡ଼ାଇ ଆଣି ପାରିଥିଲେ, ଆମେରିକା ଦେଶରେ ବାସ କରୁଥିବା ମହର୍ଷି ମହେଶ ଯୋଗୀ ମୂଳରୁ ହିଁ ତାହାର ବିରୋଧରେ ମତ ଦେଇଥିଲେ । ଭୀତ ରାଜ୍ୟଟି ସମେତ ରାଜ୍ୟ ଯାକର ପ୍ରଜା ସମାନ ଭାବରେ–ଭୀତତ୍ରସ୍ତ ହୋଇ ଯେତେବେଳେ ସନ୍ତ୍ରାସବାଦ ସହିତ ପ୍ରାୟ ସମ୍ପୂର୍ଣ୍ଣତଃ ଏକ ସନ୍ତ୍ରାସବାଦୀ ମାର୍ଗରେ ରାଜି ହୋଇଯାଇଥିବା ପରି ମନେ ହେଉଥିଲେ, ସେତେବେଳେ ମହର୍ଷି ସେଠାରେ ଉତ୍ତେଜିତମାନଙ୍କୁ ଆଦୌ ଭଲ ନଲାଗିବା ଭଳି କଥାଟିଏ କହିଥିଲେ । ସିଏ ସର୍ବସାଧାରଣ ମେଡ଼ିଆରେ ଏହିଭଳି ମନ୍ତବ୍ୟଟିଏ ଦେଇଥିଲେ ଯେ, ଆମେ ସନ୍ତ୍ରାସବାଦୀ ମାର୍ଗର ସାହାଯ୍ୟ ନେଇ କଦାପି ସନ୍ତ୍ରାସବାଦକୁ ବନ୍ଦ କରିପାରିବା ନାହିଁ । ଆମ ପଟରେ ଧର୍ମ ରହିଛି ବୋଲି ଆମକୁ ପୂରା ପ୍ରତୀତ ହେଉଥିଲେ ମଧ୍ୟ କଦାପି ପାରିବା ନାହିଁ । ଜଣେ ମୋ ହାତକୁ କାଟିଦେଲା କିମ୍ବା ଆଖିକୁ ତାଡ଼ିଦେଲା ବୋଲି ମୁଁ ତା ଆଖିକୁ ଯାଇ ତାଡ଼ିଦେବି ଏପରି ବୁଦ୍ଧି କରି ମୁଁ ମୋଟେ ସଫଳକାମ ହୋଇପାରିବି ନାହିଁ । ବାଇବେଲ ଶାସ୍ତ୍ରରେ eye for an eye ବୋଲି ଯେଉଁ କଥାଟିର ଉଲ୍ଲେଖ ସେକାଳରୁ ରହିଛି, ମହେଶ ଯୋଗୀ ତାହାରି ସ୍ମରଣ କରାଇ ଦେଉଥିଲେ । ସିଏ ସମ୍ଭବତଃ ଚିନ୍ତା କରୁଥିଲେ ଯେ, ଆମେରିକା ଭଳି ଏକ ଶକ୍ତିଶାଳୀ ରାଷ୍ଟ୍ର ବିନ୍ ଲାଦେଁର ତୁଳନାରେ ଅଧିକ ହିତବୁଦ୍ଧିର ସାହାଯ୍ୟ ନେଇ ଅନ୍ୟ କିଛି ପନ୍ଥା ବାହାର କରିପାରିବ । ଭିନ୍ନ କିଛି କଲେ ପୃଥିବୀର ଅଧିକ ସମର୍ଥନ ଆମେରିକା ପଟେ ରହିବ ଓ ତଦ୍ଦ୍ୱରା ନୂଆ କିଛି ଘଟିବ ବୋଲି ସେ ଭାବୁଥିଲେ କି ?

 

୯.୯.୨୦

☆☆☆

 

କରୁଣା ଊଣା ହୁଏନାହିଁ

 

ମାଗୁଥିବା ଲୋକମାନେ ଆପଣାକୁ ଭାରି ହୀନମାନିଆ କରି ରଖିଥାଆନ୍ତି । ଅତ୍ୟନ୍ତ ଶୋଚନୀୟ ଭାବରେ ନିଜକୁ ବିକଳା କରି ପକାଇଥାନ୍ତି । ଯେଉଁଠାକୁ ଯାଆନ୍ତି, ଖାଲି ମାଗନ୍ତି ଏବଂ ଦେବାକୁ ପଡ଼ିଲେ ବଡ଼ ଛାନିଆ ହୋଇ ପଡ଼ନ୍ତି । ଦେଲେ କମିଯିବ ବୋଲି ଭୟ କରୁଥାନ୍ତି । ତେଣୁ କୃପଣ ହୁଅନ୍ତି । କୃପଣ ହୁଅନ୍ତି ବୋଲି ମାଗି ମାଗି ମରୁଥାନ୍ତି ଏବଂ ଆପଣାକୁ ଅଶେଷ ପ୍ରକାରେ ଅଯୋଗ୍ୟ କରି ରଖିଥାନ୍ତି । କରୁଣା ଊଣା ହୋଇଯାଏ ବୋଲି ହୀନମନ୍ୟମାନେ ହିଁ ସଚରାଚର କହି ଆସିଛନ୍ତି । ଏଡ଼େ ପାଟିରେ ରଡ଼ି କରି କହିଛନ୍ତି ଏବଂ ସେଥିରୁ ଏକ ପ୍ରକାରର ଆନନ୍ଦ ବି ଅନୁଭବ କରିଛନ୍ତି । କବିବର ରାଧାନାଥ ତ ସମସ୍ତଙ୍କୁ ଟପି ଚାଲିଗଲା ପରି ଉତ୍କଳ ପ୍ରତି ଦେବୀ ବୀଣାପାଣିଙ୍କର କରୁଣାଟି ସତେଅବା କେଉଁ ପାପର ଫଳସ୍ୱରୂପ ହିଁ ଊଣା ହୋଇ ଯାଇଥିବ ବୋଲି ଅଭିଯୋଗଟିଏ ବାଢ଼ି ଦେଇଛନ୍ତି । ପୁଣ୍ୟ ଓ ପାପ–ଏହି ଦୁଇଟିଯାକ ପ୍ରସଙ୍ଗ ମଣିଷମାନଙ୍କର ମଥାରୁ ହିଁ ବାହାରିଛି । ପୁଣ୍ୟ କଲେ ତୁମେ କରୁଣା ଲାଭ କରିବ ଏବଂ ପାପ ନିମନ୍ତେ ସେହି କରୁଣା ତୁମଠାରୁ ଅପସରି ଯିବ–ଯାବତୀୟ ସତ କରୁଣାର କ୍ଷେତ୍ରରେ ସେଭଳି ଆଦୌ ଅଙ୍କକଷା ହୋଇ କିଛି କରାଯାଇ ନାହିଁ । କରୁଣା ହେଉଛି ଆକାଶ ପରି, ଆକାଶକୁ ଏତେ ଏତେ ଉଜ୍ଜ୍ୱଳ ଏବଂ ବ୍ୟଞ୍ଜନାମୟ କରି ରଖିଥିବା ଆଲୁଅ ପରି ଆମର ଆଖି ଉପରୁ, ଯାବତୀୟ ଅଳ୍ପତାର ଆବର୍ଜନାକୁ କେଡ଼େ ଅଯାଚିତ ଭାବରେ ଉଡ଼ାଇନେଇ ଆମକୁ ନିମିଷମାତ୍ରକେ ବିଶ୍ଵଯାକ ବିଚ୍ଛୁରିତ କରିଦେଇ ପାରୁଥିବା ଏହି ପବନ ପରି କରୁଣା ଯେ ମୋତେ ନିରନ୍ତର ସ୍ପର୍ଶ କରି ରହିଛି, ଏହି ସତ୍ୟଟିକୁ ଅନୁଭବ କରିବା ମାତ୍ରେକେ ହିଁ ଏହି ପୃଥିବୀରେ କୌଣସି ଆବର୍ଜନା ରହିଛି ବୋଲି ଆଉ ମନେ ବି ରହେନାହିଁ । କେବଳ ନିଜକୁ ଦେଇ ଦେବାକୁ ମନ ହୁଏ । ତେଣୁ ସଂପୂର୍ଣ୍ଣ ଭାବରେ ଆଶୀର୍ବାଦଯୁକ୍ତ ହୋଇଥିବା ଭଳି ମନେ ହୁଏ । ଆଶୀର୍ବାଦଟି ଆମକୁ ଏକ ଥଳ ଯୋଗାଇଦେଇ ରଖିଛି ବୋଲି ହିଁ ଯେ ଆମେ ଏହି ସଂସାରରୂପୀ ଘରେ ଭଳି ଭଳି ସାହସ କରିପାରୁଛୁ ଏବଂ ନିତ୍ୟନୂତନ କେତେ କେତେ ଆତ୍ମୀୟତା ସହିତ ଏହି ବୃହତ୍ତର ପୃଥିବୀଟି ନିମନ୍ତେ ଅଙ୍ଗୀକାରବଦ୍ଧ ହୋଇ ରହିଛୁ, ସେହି ନିର୍ଭରଟି ହିଁ ମିଳି ଯାଇଥାଏ ।

 

ହୀନମନ୍ୟମାନେ ହିଁ ହିଂସ୍ର ହୁଅନ୍ତି । ଭାରି ରାମ୍ପି ବିଦାରି ହୁଅନ୍ତି । ନିଜକୁ ନାନା ଭାବେ ଖଣ୍ଡିଆ ଦଣ୍ଡିଆ କରି ରଖିବାକୁ କିଛି ଭଲ ମଧ୍ୟ ପାଆନ୍ତି । ଆମର କେତେ କେତେ ଜଣାଣରୁ ଆମେ ନିଜ ଭିତରେ ହୁଏତ କେଉଁଠାରେ ଖଣ୍ଡିଆ ଦଣ୍ଡିଆ ହୋଇ ପଡ଼ିଛୁ ବୋଲି ବହୁତ ଇସାରା ବି ଅନେକ ସମୟରେ ମିଳିଯାଏ । ନିଜ ଭିତରର ଖଣ୍ଡିଆଗୁଡ଼ିକୁ ଭଲ କରିବାକୁ ସମର୍ଥ ହୋଇପାରୁ ନଥିବାରୁ ହିଁ କ’ଣ ଆମେ ପରସ୍ପରକୁ ଖଣ୍ଡିଆଦଣ୍ଡିଆ କରିବା ନିମନ୍ତେ ଧାଇଁବାରେ ଲାଗିଥାଉ କି ? ଇତିହାସରେ ରାଜା ଓ ନବାବମାନେ କେତେ ଥାନରେ ଏଇଟାକୁ ଭାଙ୍ଗି ସେଇଟାକୁ ଗଢ଼ିବା ନିମନ୍ତେ ଅଥବା ସେଇଟାକୁ ଭାଙ୍ଗି ଏଇଟାକୁ ଗଢ଼ିବା ଲାଗି ଯେତେ ଯାହା ଉତ୍ସାହ ଦେଖାଇଛନ୍ତି, ତାହା ସେମାନଙ୍କୁ ଅତ୍ୟନ୍ତ ନିଷ୍କରୁଣ କରି ରଖିଛି । ଅସଲ କରୁଣାଗୁଡ଼ିକ ପାଖରୁ ଆମକୁ ବାଉଳା କରି ହୁଡ଼ାଇ ନେଇଯାଇଛି । କାହାର କରୁଣା ଊଣା ହେବାରୁ ଯେ ଆମେ ଆମ ପାରସ୍ପରିକତାର ଭୂମି ଉପରେ ଏପରି ନିଷ୍କରୁଣ ଏବଂ ନୃଶଂସ ହୋଇ ଯାଇଛୁ, ସେକଥା ଆଦୌ ନୁହେଁ । ଆଗରୁ ନହେଲା ନାହିଁ, ଆମର ଧର୍ମଗୁଡ଼ିକ ଆମ ତଥାକଥିତ ଆଦର୍ଶମାନେ ଏବଂ ଆମେ ନିଜର ଏକ ସ୍ଵତନ୍ତ୍ର ପରିଚିତିକୁ ସମସ୍ତଙ୍କ ଆଗରେ ଚିହ୍ନାଇ ଦେଇ ପାରିବୁ ବୋଲି ଆମର ଯାବତୀୟ ଦୀକ୍ଷା ଏବଂ ଶିକ୍ଷା, ଯଦି ଏମାନେ ସେହି କରୁଣାର ଯୋଗ୍ୟ ହୋଇ ପାରୁଥାନ୍ତେ, ତେବେ ପୃଥିବୀରେ ଭଗବାନ ସତେଅବା ଆମର ହାତ ପାଆନ୍ତାରେ କେଡ଼େ ଖୁସିରେ ବିଚରଣ କରୁଥାଆନ୍ତେ–ଆମେ ଖାଲି ଚିହ୍ନା ପ୍ରାଚୀରଗୁଡ଼ିକୁ ଅତିକ୍ରମ କରି ଯାଉଥାନ୍ତୁ ଏବଂ ଏଯାଏ ଅଚିହ୍ନା ଓ ଅପହଞ୍ଚ ହୋଇ ରହିଥିବା ବିସ୍ତାରଗୁଡ଼ିକଦ୍ୱାରା ପ୍ରକୃତରେ ଧନ୍ୟ ହୋଇ ପାରୁଥାଆନ୍ତୁ ।

 

ସତ କରୁଣାର ଧାତୁଟି ହିଁ ଏପରି ଭାବରେ ତିଆରି ହୋଇଥାଏ ଯେ, ତାହା ପ୍ରାୟ ଧର୍ମତଃ ଯୋଡ଼ି ଆଣିବା ନିମନ୍ତେ ହିଁ ପ୍ରେରଣା ଦିଏ । ଆମକୁ ପରସ୍ପରର ନିକଟବର୍ତ୍ତୀ କରିଆଣେ । ଆତ୍ମୀୟତାଗୁଡ଼ିକୁ ନିଦା କରି ଆଣେ । ଏହିସବୁ ବହୁ ପାର୍ଥକ୍ୟ ସତ୍ତ୍ୱେ ଆମ ହାତରେ ଏପରି ଏକ ଉତ୍ତୋଳନକାରୀ ଅର୍ଥାତ୍ ବିମୋଚନକାରୀ ସୂତାକୁ ଆଣି ଧରାଇ ଦେଇଯାଏ ଯାହାର ପ୍ରସାଦରେ ଆମେ ସମସ୍ତେ ପରସ୍ପର ପାଖରେ ମୂଳତଃ ପଥିକ ରୂପେ ହିଁ ପରିଚିତ ହେବାକୁ ଆରମ୍ଭ କରୁ ଏବଂ ସବୁ ଘରକୁ ଏକାଠି କରି ଯେଉଁ ଅସଲ ଘରଟି ଏହି ଜଗତର ପ୍ରକୃତ ସନ୍ତକ ରୂପେ ଆମ ଲାଗି କ୍ରିୟାଶୀଳ ହୋଇ ରହିଛି, ସେହି ଘରଟି ମଧ୍ୟକୁ ପ୍ରବେଶ କରିବାର ଅଧିକାର ଲାଭ କରିପାରୁ । ପୃଥିବୀର ଗୁରୁମାନେ କ’ଣ ପାଇଁ ବୈରୀପଣ କରି ଏଠି ଏହି ସଂପ୍ରଦାୟଗୁଡ଼ିକର ଭିଆଣ କଲେ ଯେ, କରୁଣାର ସେହି ବିଶ୍ୱାନୁଭବ ଠାରୁ ଆମକୁ ଅତ୍ୟନ୍ତ ନିଦାରୁଣ ଭାବରେ ବଞ୍ଚିତ କରି ରଖିଲେ । ଆମ ଅନେକଙ୍କୁ କୋଟି କୋଟି ସରଳ ହୃଦୟଙ୍କୁ ବହୁ ଭେକରେ ଏବଂ ବହୁ ଡିହରେ ଭାଗ ଭାଗ କରି ନରଖିଲେ ସେମାନଙ୍କର ବଡ଼ପଣ ପ୍ରଚାରିତ ହୋଇ ପାରିବ ନାହିଁ ବୋଲି ସେମାନେ ଆଉ କିଛି ଉତ୍ତେଜନାରେ ପଡ଼ି ସେଭଳି ଆଶଙ୍କା କଲେ କି ? ଏବଂ, ଆମର ହୃଦୟଗୁଡ଼ିକ କେତେ ଥିର ଓ କେଡ଼େ ବଳଯୁକ୍ତ ହେଲେ ଯେ ଆମେ ସେହି ଗୁରୁମାନଙ୍କୁ କାଟି ଅସଲ କରୁଣାଟି ନିମନ୍ତେ ଆପଣାକୁ ଯୋଗ୍ୟ କରି ଆଣି ପାରିବା, ପୃଥିବୀରେ ସେହି କଥାଟିର ଆଲୋଚନା ହୋଇ ପାରିବା ଉଚିତ । କୋଉ ଧର୍ମ ଅଛି, ଯିଏକି କରୁଣାର କଥା ନକହିଛି । କୋଉ ଗୁରୁ ଅଛି ଯିଏକି ଅସଲ କରୁଣାରୁ କେତୋଟି କଥା ଲାଭ କରିଛି ବୋଲି ଆମ ଆଗରେ କହିବାକୁ ଚେଷ୍ଟା କରିନାହିଁ ? ବର୍ତ୍ତମାନ ତ ସେହି କରୁଣାଟି ଲାଗି ଅପେକ୍ଷା ରହିଛି, ଯାହାକି ଅଲଗା ଅଲଗା ଦିଶି ପରସ୍ପରଠାରୁ ଭାରି ଏକସିଙ୍ଗିଆ ହୋଇ ରହିଥିବା ଏହି ମାର୍କାସର୍ବସ୍ୱ ଡିହଗୁଡ଼ାକୁ ପୁନର୍ବାର ଏକତ୍ର ଗୋଟିଏ ସମଗ୍ର ମଧ୍ୟରେ ରହିଥିବାର ଚିହ୍ନାଇଦେଇ ପାରିବ, ଆମକୁ ଗୁମ୍ଫାମାନଙ୍କ ଭିତରୁ ବାହାର କରି ଆଣିବ ।

 

ଯେତେ ସଂବେଦନଶୀଳତା ସହିତ ଚିନ୍ତା କଲେ ମଧ୍ୟ ପୁରୁଣା ଗୁରୁମାନେ ସେହି ଅସଲ କାର୍ଯ୍ୟଟିରେ ଆଉ ଖୁବ୍‌ବେଶି ଲାଗି ପାରିବେ ନାହିଁ । ସେମାନେ ତ ନିଜର ଫାଳଗୁଡ଼ାକୁ ଓ ଖଣ୍ଡଗୁଡ଼ାକୁ ପୂର୍ଣ୍ଣ ବୋଲି ପ୍ରତିପାଦିତ କରିବାର ଜିଦରେ ନିଜ ବେଢ଼ାମାନଙ୍କ ଭିତରେ ଅଧିଷ୍ଠାନ ମାରି ବସିଛନ୍ତି । ଆମ ପାଇଁ କେତେଭଳି ସାଂସାରିକ ସୁଖ ଏବଂ ସାଂସାରିକ ସିଦ୍ଧି ନିଶ୍ଚୟ ଆଣିଦେବେ ବୋଲି ଘୋଷଣା କରୁଛନ୍ତି । ସେମାନେ ଆମକୁ ସେହିମାନଙ୍କର ସର୍ତ୍ତରେ ଚେଲାରୂପେ ଗ୍ରହଣ କରିବାକୁ ରାଜି ହେବେ ସିନା; କିନ୍ତୁ କରୁଣାର ସର୍ତ୍ତରେ ବନ୍ଧୁରୂପେ, ସହପଥିକ ରୂପେ ସ୍ୱୀକାର କରିବାକୁ ମୋଟେ ଇଚ୍ଛା କରିବେ ନାହିଁ । ଏହି ପୃଥିବୀଟି ଧ୍ୱଂସ ହୋଇଯିବ ପଛକେ, ତଥାପି କଅଁଳ ହେବେ ନାହିଁ । ବରଂ ପୃଥିବୀ ଆଉ ରହିବ ନାହିଁ, ତେଣୁ ହେ ଜଗତବାସୀ ସାଧରଣମାନେ ଯଦି ପ୍ରକୃତରେ ବର୍ତ୍ତିଯିବାକୁ ଇଚ୍ଛା କରୁଛ ତେବେ ସତ୍ୱର ଆମର ଏହି ଗୁମ୍ଫାଟି ଭିତରକୁ ପଳାଇ ଆସ, ଭେକଟିକୁ ନିଅ–ସେମାନେ ଏହିଭଳି କଥାମାନଙ୍କୁ ଅଧିକରୁ ଅଧିକ ମଜ୍ଜାଇ ଓ ରଞ୍ଜାଇ କହିବାରେ ଲାଗିଥିବେ । ନିଜ ନିଜ ମତଲବ ମାଳିକାଗୁଡ଼ିକୁ ଆହୁରି ଛନଛନିଆ କରି ବିତରଣ କରିବାରେ ଲାଗିଥିବେ । ଆମ ଭାରତବର୍ଷରେ ଏହିଭଳି ଗୁରୁମାନେ ହିଁ ଅଧିକ ସରବ ହେବାରେ ଲାଗିଥିବା ପରି ମନେ ହେଉଛି । ଏମାନେ ତ ଆମ ରାଜନେତାମାନଙ୍କୁ ମଧ୍ୟ ଫାଶଭିତରେ ପକାଇ କ୍ଳୀବ କରି ସାରିଲେଣି । ଆମ ସମୟର ସଙ୍କଟଗୁଡ଼ିକୁ ନେଇ ସାହୁକାରୀ କରିବାରେ ଲାଗିଛନ୍ତି । ସେମାନେ ମଣିଷମାନଙ୍କୁ ବଡ଼ ଭୀରୁ କରି ପକାଉଛନ୍ତି । ତେଣୁ ସେମାନଙ୍କୁ କରୁଣା ପାଖରୁ ଦୂରକୁ ନେଇ ଯାଉଛନ୍ତି । ଅସଲ କରୁଣା ତ ଭୟ ମଧ୍ୟରୁ ବିମୋଚିତ କରି ଆଣେ । ଫାଶମାନଙ୍କରୁ ମୁକ୍ତ କରେ । ତାହା ତଥାକଥିତ ଗୁରୁଜନମାନଙ୍କର ଗାରକୁ ଡେଇଁ ଆସିବାର ହିମ୍ମତ ମଧ୍ୟ ଆଣିଦିଏ ।

 

ଯେଉଁମାନେ କରୁଣାର ମଙ୍ଗଟାକୁ ମୋଡ଼ି ଦେଇ ତାହାକୁ ଏକ ଭୟଙ୍କର ଆତ୍ମକାମୀ ଶ୍ରଦ୍ଧାରେ ନିଜଆଡ଼କୁ ମୁହାଁଇ ଟାଣି ଆଣିବାର ଫିକରରେ ଲାଗିଥାନ୍ତି, ସେମାନେ କରୁଣା ଭିତରେ ବହୁ ପ୍ରଦୂଷଣକୁ ନେଇ ଭର୍ତ୍ତି କରି ଦିଅନ୍ତି । ଯୁଗେଯୁଗେ ସେମାନେ ସେହିଭଳି କରିଛନ୍ତି ଏବେ ମଧ୍ୟ ପୂର୍ଣ୍ଣ ଉତ୍ସାହରେ କରୁଛନ୍ତି । ଏ କଥା କ’ଣ ଖାଲି ବ୍ୟକ୍ତିଗତ ସ୍ତରରେ ହୋଇଛି ? ସାମୂହିକ ସ୍ତରଗୁଡ଼ିକରେ ସମ୍ଭବତଃ ଅଧିକ ପ୍ରମତ୍ତ ଭାବରେ ହୋଇଛି । ଜାତୀୟତାବାଦ ଏକ ପ୍ରମତ୍ତ ସୋପାନ ଉପରେ ନିଜକୁ ଗୁଡ଼ାଏ ହୁଗୁଳା କରି ଦେଇ ତା’ଦାଣ୍ଡପିଣ୍ଡାରେ ବସି ପୂଜା ପାଉଥିବା ଠାକୁରଙ୍କୁ ଗୋଟାସୁଦ୍ଧା ନିଜର ସମ୍ପତ୍ତି ବୋଲି ଘୋଷଣା କରିଛି । ଏବଂ, ସିଏ ଏଡ଼େ ଏଡ଼େ ଆଖିରେ ଆମକୁ ଦେଖୁଛନ୍ତି ଓ ଆମର ତତ୍ତ୍ୱାବଧାନ କରୁଛନ୍ତି ବୋଲି କହି ବଡ଼ ବେରସିକ ଭାବରେ ତାଙ୍କର ମହତ ସାରିଛି । ଏହିପରି ମହତ ନେବାକୁ ସାହିତ୍ୟବାଲାଏ ଆସି ବି ପହଞ୍ଚି ଯାଇଛନ୍ତି । ସେଇ ଠାକୁରଙ୍କ ଭିତରେ ନିଜ ସମୂହଟିର ପରିଚିତି ଖୋଜି ଭୂଇଁମାନଙ୍କରେ କେତେ ପ୍ରକାରର କସରତ କରାଯାଇଛି । ଗୋଟାଏ ଗୋଟାଏ ଧର୍ମ-ମାମଲତ ତ ଈଶ୍ଵରଙ୍କ କରୁଣାକୁ ନିଜର ଏକଚାଟିଆ କରି ରଖିଛନ୍ତି ଏବଂ ଏଇଠୁ ଅର୍ଜି ପକାଇ ସ୍ୱର୍ଗରେ ସବୁଯାକ ଜାଗାକୁ କେବଳ ନିଜ ପାଇଁ ସୁରକ୍ଷିତ କରି ରଖିଛନ୍ତି । କରୁଣା କେବଳ ମୋ ଲାଗି ନୁହେଁ କିମ୍ବା ମୋ ଜାତି ଲାଗି ମଧ୍ୟ ନୁହେଁ । କରୁଣା ହେଉଛି ବିଶ୍ୱ ସମସ୍ତ ଲାଗି । ଏବଂ, ଆପଣାକୁ ସେହି ବିଶ୍ଵର ଉତ୍ତରୋତ୍ତର ଆଲୋକନ ତଥା ଉନ୍ନୟନ ନିମନ୍ତେ ସମର୍ପିତ କରିବା ମଣିଷଟିଏ ଆପଣା ଜୀବନଟିକୁ ବଞ୍ଚୁଥିବାର ସକଳ ମୁହୂର୍ତ୍ତରେ ହିଁ ସେହି କରୁଣାର ଆଶୀର୍ବାଦ ଲାଭ କରୁଥିବା ପରି ଅବଶ୍ୟ ଅନୁଭବ କରିପାରିବ । ତା’ ନହେଲେ ଗୁଡ଼ାଏ ଅଫିମ ଖାଇ କରୁଣାର କ୍ରିୟାଶୀଳ ହେବା ପଥରେ ନାନାବିଧ ବାଧା ଏବଂ ବିଳମ୍ବର କାରଣ ହେଉଥିବ ସିନା, କରୁଣାର ଇଲାକାକୁ ହିଁ ମାରି ପାରିବ ନାହିଁ ।

 

ତେଣୁ, ପୁନର୍ବାର କହିବା ଯେ, କରୁଣା କଦାପି ଊଣା ହୁଏ ନାହିଁ । ଆମେ ଊଣା ହୋଇ ରହିଥାଉ, ଆମେ ଅମଙ୍ଗ ହୋଇ ରହିଯାଉ, କୌଣସି ଏକ ବ୍ୟୁହ ମଧ୍ୟରେ କରୁଣାକୁ ହାତଗୋଡ଼ ଛନ୍ଦି ଦେଇ ପକାଇ ରଖିବାର କାରିଗରୀମାନ କରିବାରେ ଲାଗିଥାଉ । ଅଳପ ଭିତରେ ବହୁତଟାକୁ ଅଲବତ ପାଇବୁ ବୋଲି ଭାଣ କରିବାରେ ଲାଗିଥାଉ ଏବଂ, କରୁଣାକୁ କନ୍ଦାଇବାରେ ଲାଗିଥାଉ । ସକଳ ପ୍ରତାପ ତଥା ପ୍ରଦର୍ଶନ ସତ୍ତ୍ୱେ ପୃଥିବୀ ନାମକ ଏହି ଘରଟିକୁ ଭାରି ମାରା କରି ରଖିଥାଉ । ଏବଂ, ସେତେବେଳେ ମଧ୍ୟ ଭଜନ, କୀର୍ତ୍ତନ ଓ ଆରାଧନାରେ ଗଗନ ଫାଟି ଉଠୁଥାଏ । ନେତମାନେ ଫରଫର ହୋଇ ଉଡ଼ୁଥାଆନ୍ତି, ତୁଚ୍ଛା ବନ୍ଧ୍ୟାମାନେ ନୂତନ ଜୀବନ ଏବଂ ନବଜାତକମାନଙ୍କର ସ୍ତୁତିଗାନ କରୁଥାନ୍ତି । କାଳଟାକୁ ନେଇ ଲଟାରେ ପୂରାଇ ଥାଆନ୍ତି–କ୍ଷମତା ଏବଂ କର୍ତ୍ତୃତ୍ଵର କ୍ରୁର ମଣିଷମାନେ କାଳର ତଣ୍ଟିଟାକୁ ଚିପି ଧରିଥାନ୍ତି । ପୃଥିବୀରେ କେତେ କେତେ ଆଡ଼ମ୍ବରପୂର୍ଣ୍ଣ ଲକ୍ଷ୍ୟସାଧନର ଦ୍ୱାହି ଦେଇ ଅସ୍ତ୍ର ବଢ଼ୁଥାଏ, ଅବଜ୍ଞା ବଢ଼ୁଥାଏ, ନିପଟ ଚତୁରତାମାନେ ଆହୁରି ଅଧିକ ପରାକ୍ରମ ସହିତ ପୃଥିବୀଟାକୁ ଏଇଠି ହୁଏତ ସବୁଦିନ ନିମନ୍ତେ ପକାଇ ରଖିବେ ବୋଲି ଦାମ୍ଭିକତାମାନ ବାହାର କରୁଥାଆନ୍ତି । କରୁଣା ସେତେବେଳେ ପ୍ରକୃତରେ ବହୁତ ଦୁଃଖ ପାଉଥିବ । ତଥାପି ଆଶା ହରାଉ ନଥିବ । ସିଏ ନିମିତ୍ତ ଖୋଜି ଖୋଜି ବୁଲୁଥିବ, ଯନ୍ତ୍ରଗୁଡ଼ିକୁ ତିଆରି କରି ଆଣୁଥିବ, ଆମର ସାରଥି ହେବା ଲାଗି ସଜ ହୋଇ ରହିଥିବ । ଆମେ ଯେଉଁମାନେ ଏହି ଅଭ୍ୟସ୍ତ ଖୋଳଗୁଡ଼ିକୁ ପରିତ୍ୟାଗ କରି ବାହାରି ଆସି ପାରିବା, ଆମେ ସେହି କରୁଣାକୁ ସୁନିଶ୍ଚିତ ଭାବରେ ଚିହ୍ନିନେଇ ପାରିବା । ଏବଂ, ଆମେ ସତକୁସତ କରୁଣାକୁ ଚିହ୍ନି ପାରିଲେ, କରୁଣା ଆମକୁ ତଥାପି ଚିହ୍ନି ପାରିବ ନାହିଁ ଓ କୌଣସି ଏକ ନିର୍ଦ୍ଦିଷ୍ଟ ପାରତାର ଆମର ପରିଚୟ ପାଇବ ବୋଲି ଅପେକ୍ଷା କରିବ, ସେ କଥା ଅଦୌ ନୁହେଁ । ପୁନଶ୍ଚ କରୁଣାକୁ ଚିହ୍ନିଲେ ଆମେ ପରସ୍ପରକୁ ମଧ୍ୟ ବଡ଼ ସହଜରେ ଚିହ୍ନି ନେଇ ପାରିବା । ଏବଂ, ଏବଂ ତା'ପରେ କ’ଣ ହେବ-?

 

୧୬.୯.୦୨

☆☆☆

 

ଆମେରିକାରେ ଆଉଥରେ (୩)

 

ଆମେରିକାର ଗଣତନ୍ତ୍ର ହେଉଛି ପୃଥିବୀଠାରୁ ଥିଲାବାଲା ଗଣତନ୍ତ୍ର । ତେଣୁ ଖୁବ୍ ଭଲ ଭାବରେ ବୁଝିହେବ ଯେ, ଆମେରିକାର ହାନିଲାଭକୁ ସମ୍ଭାଳୁଥିବା ରାଷ୍ଟ୍ର ଆପଣାକୁ କାରଣ ଓ ଅକାରଣରେ ପୃଥିବୀଯାକରେ ଅଉଲ ଅର୍ଥାତ୍ ଏକ ନମ୍ବର ବୋଲି ଅବଶ୍ୟ ଭାବିବ । ସେହିଭଳି ଅଭିନୟ କରିବ ଓ ସେହିଭଳି ବଡ଼ ବୋଲାଇବ । ପୃଥିବୀର ଜନଗଣ ମଧ୍ୟ ଯେ ନିଜ ନିଜ ମାର୍ଗରେ ଏକ ଜଗଦ୍‌ବ୍ୟାପୀ ଗଣତନ୍ତ୍ର ପାଇଁ ସଂଗ୍ରାମ କରୁଛନ୍ତି, ସେହି ନିଶାରେ ଆମେରିକାର ରାଷ୍ଟ୍ର ସେ କଥାକୁ ବାରବାର ଭୁଲି ଯାଉଥିବ । ତେଣୁ ଲୋକମାନଙ୍କ ଅପେକ୍ଷା ବରଂ ରାଷ୍ଟ୍ରମାନଙ୍କ ସହିତ କାରବାର କରି ଅଧିକ ତୃପ୍ତି ପାଇବାରେ ଲାଗିଥିବ । ଅସଲ ଗଣତନ୍ତ୍ର ତ ସେବେ ଯାଇ ଚାକ୍ଷୁଷ ହେବ, ଯେତେବେଳେ ରାଷ୍ଟ୍ରନାମକ ସେହି ବୃହତ୍ ଫାଶଟା ନିଜର ଇଚ୍ଛାରେ ହିଁ ହଟି ଯାଉଥିବ । ରାଷ୍ଟ୍ର ହଟି ନଗଲେ ଗଣତନ୍ତ୍ର ବା ସମାଜବାଦ କୌଣସି ଗୋଟିଏ ହେଲେ ବି ସମ୍ଭବ ହେବ ନାହିଁ । ବରଂ ପୃଥିବୀଟାକୁ ବହୁ ମିଛ ଫିସାଦ ସହିତ ଏକ ସାମନ୍ତବାଦୀ ଢମପଣ ଭିତରେ ଛନ୍ଦି ରଖିବା ହିଁ ସାର ହେଉଥିବ । ଆମେରିକାର ରାଷ୍ଟ୍ରପତି କହି ସାରିଲେଣି ଯେ, ପାଲେଷ୍ଟାଇନ୍‍ରୁ ଆରାଫତଙ୍କୁ ହଟାଇବାକୁ ପଡ଼ିବ ଏବଂ ଇରାକ୍‍ରୁ ସଦ୍ଦାମ୍ ହୁସେନ୍ ମଧ୍ୟ ଅଲବତ ଯିବେ ! ପ୍ରକାଶ୍ୟ ଭାବରେ ସେହି ମତଲବରେ ଡଲାର ଦିଆଯାଇ ସାରିବଣି, ଭାର ଭାର ଅସ୍ତ୍ରଶସ୍ତ୍ରର ବି ସରବରାହ ଆରମ୍ଭ ହୋଇଯିବଣି । ଦକ୍ଷିଣ ଆମେରିକାର ସାନ ଓ ବଡ଼ ପ୍ରାୟ ସବୁ ଦେଶରେ ତ ଆମେରିକାର ଏକଆଖିଆ ସରକାର ସେହି କାଣ୍ଡଗୁଡ଼ିକୁ ଭିଆଇ ରଖିଛନ୍ତି । ସେସବୁ ଦେଶରେ ଆପଣାର ମନୋମତ ଦଳ ବା ବ୍ୟକ୍ତିମାନେ କ୍ଷମତାରେ ନରହିଲେ ଆମେରିକା ଗୋଟାସୁଦ୍ଧା ପିଲାଟାଏ ପରି ପ୍ରମାଦ ଗଣୁଛି ଏବଂ ସ୍ଥିତିଟା ନ ବଦଳାଇ ପାରିବା ଯାଏ ମୋଟେ ଥୟ ହୋଇ ରହି ପାରୁନାହିଁ । ଦକ୍ଷିଣ ଆମେରିକାର ଚିଲିଦେଶ ଏବେ ମଧ୍ୟ ସେହି ନିତାନ୍ତ ନିନ୍ଦନୀୟ ଅନଧିକାରର ଦୃଷ୍ଟାନ୍ତ ହୋଇ ରହିଛି । ୧୯୭୦ ମସିହାରେ ଶ୍ରୀ ସାଲ୍‌ଭାଡୋର ଆୟଣ୍ତେ ଚିଲିର ରାଷ୍ଟ୍ରପତି ରୂପେ ନିର୍ବାଚିତ ହୋଇଥିଲେ । ସିଏ ବାମପନ୍ଥୀ ଥିବାରୁ ସେହି ଘଟଣାଟି ଆଦୌ ଆମେରିକା ନାମକ ହନୁରାଷ୍ଟ୍ରର ମନକୁ ପାଇଲା ନାହିଁ ଓ ତେଣୁ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ଖତମ କରିଦେବା ହିଁ ସତେଅବା ଆମେରିକାର ସବ ବଡ଼ କାର୍ଯ୍ୟରେ ପରିଣତ ହୋଇଗଲା । ଆମେରିକା ସରକାର ସତେଅବା ଏକ ଧର୍ମକାର୍ଯ୍ୟରେ ଲାଗି ଯାଇଥିଲେ । ୧୯୭୩ ମସିହାରେ ଚିଲିରେ ସାମରିକ ଶାସନ ବସିଲା ଏବଂ ଜେନେରାଲ ଅଗଷ୍ଟୋ ପିନୋଚେଟ୍ ରାଜକ୍ଷମତାକୁ ଆସିଲେ । ରାଷ୍ଟ୍ରପତି ଆୟେଣ୍ଡେଙ୍କୁ ହତ୍ୟା କରାଯାଇଥିଲା ଏବଂ ସାମରିକ ଶାସନର ଅମଳରେ ହତ୍ୟାର ବହୁ ବିଭୀଷିକା ଲାଗି ରହିଥିଲା । ହଜାର ହଜାର ମଣିଷ ହଣା ହେଲେ ଏବଂ ହଜାର ହଜାର ମଣିଷଙ୍କୁ ହରଣଚାଳ କରି ନିଆଗଲା । ସେମାନଙ୍କମଧ୍ୟରୁ ବହୁ ବହୁ ବ୍ୟକ୍ତି ଆଉ ଘରକୁ ଫେରିଲେ ନାହିଁ । କହିବା ବାହୁଲ୍ୟ, ନୂଆ ସରକାରଙ୍କର ପୋଲିସ ହାତରେ ସେମାନେ ନିହତ ହୋଇଥିଲେ ।

 

ସେତେବେଳେ ରିଚାଡ଼ ନିକ୍‌ସନ ହେଉଛନ୍ତି ଆମେରିକାର ରାଷ୍ଟ୍ରପତି । ରାଷ୍ଟ୍ରୀୟ ଅପରମ୍ପରାଟା ଅନୁସାରେ ନିକ୍‌ସନ ଧରି ନେଇଥିଲେ ଯେ, ଯେଉଁସବୁ ଦେଶର ସରକାର ଆମେରିକାର କୁହା ନମାନିବେ ଅର୍ଥାତ୍ ଆମେରିକାର ବୋଲକରା ନହେବେ, ସେମାନଙ୍କୁ ସକଳ ବଳର ପ୍ରୟୋଗ କରି ଅବଶ୍ୟ ଉଖାଡ଼ି ଦେବାକୁ ପଡ଼ିବ । ସେମାନେ ସେଥିପାଇଁ ଅର୍ଥ ପାଇବେ, ଅସମ୍ମାନ ମଧ୍ୟ ପାଇବେ । ଆମ ପୃଥିବୀରେ ଗଣତାନ୍ତ୍ରିକ ରାଷ୍ଟ୍ର ଆପଣାକୁ ସତେଅବା ପୃଥିବୀ ଯାକର ସମ୍ରାଟ ବୋଲି ବିଚାର କରିବାରେ ଲାଗିଛି । ଶୀତଳ ଯୁଦ୍ଧରେ ଜିତିବ ବୋଲି ସେହି ଯେଉଁ ନୀତି ଆମେରିକା ସେତେବେଳେ ଗ୍ରହଣ କରିଥିଲା, ବର୍ତ୍ତମାନ ସେହି ଯୁଦ୍ଧଟାର ଅବସାନ ଘଟିଥିଲେ ମଧ୍ୟ ଆମେରିକାର ଖୋଇଟାରେ କୌଣସି ପରିବର୍ତ୍ତନ ହୋଇପାରି ନାହିଁ । ସାଲ୍‌ଭାଡୋର ଆୟେଣ୍ତେ ଆଧୁନିକ ଇତିହାସରେ ସର୍ବପ୍ରଥମେ ମାର୍କସବାଦୀ ରାଷ୍ଟ୍ରପତି ଥିଲେ, ଯିଏ କି ଲୋକମାନଙ୍କ ଦ୍ୱାରା ନିର୍ବାଚିତ ହୋଇ ଆସିଥିଲେ । ଆୟେଣ୍ଡେ ଚିଲିର ବ୍ୟାଙ୍କଗୁଡ଼ିକୁ ସରକାରୀ ଜାତୀୟକରଣଦ୍ଵାରା ଏପରି ଏକ ଅନ୍ୟ ଲୋକାଧାର-ପ୍ରଧାନ ଭୂମିକାକୁ ପରିବର୍ତ୍ତିତ କରି ନେଇଆସିଲେ, ଯାହାଫଳରେ ସେହି ଦେଶରେ ଜମିଦାରୀ ଜମାଇ ବସିଥିବା ଆମେରିକୀୟ କମ୍ପାନୀମାନଙ୍କର ଆଗର ଆଣ୍ଟମାନ ଭାଙ୍ଗିଯିବାକୁ ବସିଲା । ହଁ, ରାଷ୍ଟ୍ରପତି ଆୟେଣ୍ଡ ଦରିଦ୍ର ଚାଷୀମାନଙ୍କୁ ଜମି ଦିଆଇଲେ । ପୁନଶ୍ଚ, ଯେତେବେଳେ ସିଏ କିଉବାର କାଷ୍ଟ୍ରୋ ସରକାରଙ୍କୁ ସ୍ଵୀକୃତି ଦେଲେ, ସେତେବେଳେ ଆମେରିକା ସରକାର ଆଉ ମୋଟେ ସହି ପାରିଲେ ନାହିଁ । ଆୟେଣ୍ଡଙ୍କୁ କଣ୍ଟକତୁଲ୍ୟ ବିବେଚନା କଲେ ଓ ତାଙ୍କୁ କ୍ଷମତାରୁ ନିକାଲିବା ପାଇଁ କ୍ରିୟାଶୀଳ ହୋଇ ଉଠିଥିଲେ । ମୁଖ୍ୟ ସେକ୍ରେଟାରୀ ହେନରି କିସିଙ୍ଗର୍‌ଙ୍କର ନେତୃତ୍ୱରେ ମନ୍ତ୍ରଣା ଆରମ୍ଭ ହୋଇଯାଇଥିଲା । ରାଷ୍ଟ୍ରପତି କ୍ଲିଣ୍ଟନଙ୍କ ସମୟରେ ବାହାରକୁ ପ୍ରକାଶ କରାଯାଇଥିବା ସରକାରୀ କାଗଜାତ୍ ଅନୁସାରେ ହ୍ୱାଇଟ୍ ହାଉସ୍‌ର କାରିନ୍ଦାମାନେ ଏକ ଗୁପ୍ତଯୋଜନା ତୟାର କରାଇଥିଲେ । ଆମେରିକାର ଗୋଇନ୍ଦାମାନେ ମଧ୍ୟ ଖୁବ୍‌ ତତ୍ପର ହୋଇଉଠିଥିଲେ । ଯାବତୀୟ ପ୍ରମାଣ କହିଦେଇ ପାରିବ ଯେ, ଏକାଧିକ ରାଷ୍ଟ୍ରପତିଙ୍କ ଅମଳରେ ଦକ୍ଷିଣ ଆମେରିକାର ଦେଶଗୁଡ଼ିକ ସମ୍ପର୍କରେ ଆମେରିକାର ସରକାର ପ୍ରାୟ ଏକାଭଳି ଆଚରଣ କରିଛନ୍ତି । ଯେଉଁ ସରକାର ଆମେରିକାର ସରକାରଙ୍କ ପ୍ରତି ଆମେରିକାର ଫରମାସ ଅନୁସାରେ ଆନୁଗତ୍ୟ ଦେଖାଇ ପାରିନାହିଁ, ତା’ଲାଗି ବହୁବିଧ ବାଣର ପ୍ରୟୋଗ କରାଯାଇଛି । ବର୍ତ୍ତମାନ ପିନୋଚେଟ୍‌ଙ୍କର ଏକାଧିନାୟକତ୍ୱ ଅପସାରିତ ହୋଇଯିବା ପରେ ଚିଲିଦେଶର ବିଚାରାଳୟରେ ହେନ୍‌ରି କିସିଙ୍ଗର୍‌ଙ୍କ ନାମରେ ଏକାଧିକ ମକଦ୍ଦମା ଦାୟର କରାଯାଇଛି ଓ ତାଙ୍କୁ ବିଚାର ନିମନ୍ତେ ଚିଲିକୁ ଅଣାଇବାର ଉଦ୍ୟମ କରାଯାଉଛି-

 

ପିନୋଚେଟ୍‌ଙ୍କର ହତ୍ୟା ତଥା ଅପହରଣପୂର୍ଣ୍ଣ ରାଜତ୍ଵ କାଳରେ ଚିଲିର ଅଧିବାସୀଙ୍କୁ ନିରନ୍ତର ଅତ୍ୟନ୍ତ ଭୀତତ୍ରସ୍ତ ଭାବରେ ହିଁ କାଳ ଅତିବାହିତ କରିବାକୁ ପଡ଼ିଥିଲା । ପିନୋଚେଟ୍ ଏକ ସ୍ୱତନ୍ତ୍ର ସାମରିକବାହିନୀ ନିଯୁକ୍ତ କରି ରଖିଥିଲେ, ଯାହାକୁ ଏକ Caravan of Death ବୋଲି କୁହାଯାଉଥିଲା । ଏହି ବାହିନୀ କେତେ କେତେ କଏଦୀଙ୍କୁ ବନ୍ଦୀଶାଳାରୁ ନେଇ ବାହାରେ ଅତ୍ୟନ୍ତ ଅପରିଜ୍ଞାତ ଭାବରେ ହିଁ ହତ୍ୟା କରୁଥିଲା । ପୂର୍ବତନ ରାଷ୍ଟ୍ରପତି ଆୟେଣ୍ଡେଙ୍କ ଝିଆରୀ ଲେଖିକା ଇସାବେଲ ଆୟେଣ୍ଡଙ୍କ କହିବା ଅନୁସାରେ ଚିଲିରେ ଏବଂ ଦକ୍ଷିଣ ଆମେରିକାର ଆହୁରି ବହୁ ଦେଶରେ ଘଟିଥିବା ନାରକୀୟ କାଣ୍ଡମାନଙ୍କରେ ଯୁକ୍ତରାଜ୍ୟ ଆମେରିକାର ସରକାରଙ୍କ ତରଫରୁ କିସିଙ୍ଗର ହିଁ ମୁଖ୍ୟ କାରପଟଦାର ରୂପେ କାର୍ଯ୍ୟ କରିଛନ୍ତି । ତେଣୁ, ତାଙ୍କର ଇଚ୍ଛା, କିସିଙ୍ଗର ବର୍ତ୍ତମାନ ଚିଲିର ନ୍ୟାୟାଳୟକୁ ଆସନ୍ତୁ ଓ ନିଜ ଜ୍ଞାତସାରରେ ଭିଆଯାଇଥିବା ଯାବତୀୟ କାଣ୍ଡ ବିଷୟରେ ସତ୍ୟ ବୟାନମାନ ଦିଅନ୍ତୁ । ଶ୍ରୀମତୀ ଇସାବେଲ୍‌ କହନ୍ତି, ପିନୋଚେଟ୍‌ଙ୍କର କୁଶାସନ କାଳରେ କୌଣସି କାନୁନ୍‌ ନଥିଲା, ଯାହାକୁ କି ସମୁଚିତ ଭାବରେ ବୁଝିହେବ ଓ ମାନିହେବ । “ଅଚାନକ ଦୂରଦର୍ଶନରେ ସାମରିକ କର୍ତ୍ତୃପକ୍ଷଙ୍କ ତରଫରୁ ଗୋଟିଏ ଗୋଟିଏ ଘୋଷଣା କରି ଦିଆଯିବ ଏବଂ ଅମୁକ କାନୁନଟା ପ୍ରଚଳିତ ହେଲା ବୋଲି କୁହାଯିବ । ଏବଂ, ତହିଁ ଆରଦିନ ସେଇ କାନୁନଟି ବଦଳିଗଲା ବୋଲି ପୁନର୍ବାର ଦୂରଦର୍ଶନରେ ହିଁ ଘୋଷଣା ହୋଇଯିବ । ସେତେବେଳେ ମୁଁ ଜଣେ ସାମ୍ବାଦିକ ଥିଲି ଏବଂ ପତ୍ରିକାଟିଏ ସମ୍ପାଦନା କରୁଥିଲି । ଥରେ ପତ୍ରିକାର ସମ୍ପାଦକମାନଙ୍କୁ ଏକାଠି ଜଣେ ସାମରିକ ଉଚ୍ଚ ଶାସକଙ୍କ ଆଗରେ ନେଇ ରୁଣ୍ଡ କରାଯାଇଥିଲା । ଆମକୁ କୁହାଗଲା ଯେ, ତୁମେ ସବୁ କ’ଣ ଛାପିବ ବା କ’ଣ ନଛାପିବ, ଆମ ତରଫରୁ ସେହି ବିଷୟରେ କୌଣସି କଟକଣା ରହିବ ନାହିଁ । ତୁମେମାନେ ନିଜ ନିଜକୁ ହିଁ କଟକଣା ମଧ୍ୟରେ ରଖିଥିବ । ଯାହାକିଛି ଛପାହୋଇ ବାହାରିବ, ସେସବୁ ପାଇଁ ନିଜେ ଦାୟୀ ରହିବ ଏବଂ, ଯଦି ତାହା ଆମ ମନକୁ ନପାଏ, ତେବେ ଆମେ ତୁମମାନଙ୍କୁ ଗିରଫ କରିବୁ ଓ ଜେଲ୍‌ଖାନାରେ ରଖିବୁ । ସେତେବେଳେ ସବୁକଥା ଏହିଭଳି ବରାଦରେ ଚାଲୁଥିଲା ।’’

 

ପିନୋଚେଟ୍ ସରକାରଙ୍କ ତରଫରୁ ବୁଦ୍ଧିଜୀବୀ ତଥା ଅନ୍ୟାନ୍ୟ ସଂଗଠନଗୁଡ଼ିକର ତାଲିକାମାନ ପ୍ରକାଶ ପାଉଥିଲା, ସେମାନଙ୍କୁ ଡକାଇ ନେଇ ନାନାପ୍ରକାର ଜେରା କରାଯାଉଥିଲା ଓ ପରିଣାମତଃ ନିର୍ଯ୍ୟାତନା ଦିଆଯାଉଥିଲା ଓ ମାରି ବି ଦିଆଯାଉଥିଲା । ଏବେ ତ ପିନୋଚେଟ୍ ବୁଢ଼ା ହୋଇଗଲେଣି । ତାଙ୍କୁ ଏବେ ଛୟାଅଶୀ ବର୍ଷ ହେଲାଣି । ହେନରୀ କିସିଙ୍ଗର୍ ହୁଏତ ନବେଯାଏ ଛୁଇଁବାକୁ ବସିଲେଣି । ଶ୍ରୀମତୀ ଇସାବେଲଙ୍କର ମନ୍ତବ୍ୟ ଅନୁସାରେ, ସେମାନେ ତ ଅବଶ୍ୟ ପଞ୍ଚତ୍ୱ ପ୍ରାପ୍ତ ହେବେ । ମାତ୍ର ଯୁକ୍ତରାଜ୍ୟ ଆମେରିକାର ଆଚରିତ ଏହି ନୀତିମାନେ ବଦଳିବେ ବୋଲି ଅନୁମାନ କରିବା ନିମନ୍ତେ ମୋଟେ ସେପରି କୌଣସି କାରଣ ନାହିଁ । ବର୍ତ୍ତମାନ ଆମେରିକୀୟ ରାଷ୍ଟ୍ରପତି ଜର୍ଜ ଉଇଲିଅମ୍ ବୁଶ୍‌ ଆତଙ୍କବାଦର ନିପାତ ପାଇଁ ଯେଉଁ ଜଗଦ୍‌ଵ୍ୟାପୀ ଯୁଦ୍ଧର ସେନାପତିତ୍ୱ ଗ୍ରହଣ କରିଛନ୍ତି, ସେଇଟା ପଛରେ ମଧ୍ୟ ସେଇ ମତଲବଟି ରହିଛି ବୋଲି ଇସାବେଲ୍ ଆଶଙ୍କା କରିଛନ୍ତି । ରୁଷିଆ ସହିତ ଆମେରିକାର ଥଣ୍ଡା ଯୁଦ୍ଧ ଯେ ଲାଗିଥିଲା, ସେ କଥାକୁ ତଥାପି ବୁଝି ହେଉଛି । ପୃଥିବୀକୁ କୁହାହୋଇ ଆସୁଥିଲା ଯେ ଗଣତନ୍ତ୍ର ଓ ସମାଜବାଦ ମଧ୍ୟରେ ସେହି ଯୁଦ୍ଧ ଲାଗିଛି । ଅସଲ କଥା, ସାରା ପୃଥିବୀ ଉପରେ ନିରଙ୍କୁଶ ସବାବଡ଼ ହୋଇ ରହିବା ଲାଗି ଏକ ଅଣନିଃଶ୍ୱାସୀ ପ୍ରତିଯୋଗିତାରେ ଦୁଇଟା ରାଷ୍ଟ୍ର ମଧ୍ୟରେ ସେହି ଧରାପରା ଲାଗି ରହିଥିଲା । ପୃଥିବୀସାରା ଇତର ସରକାରମାନେ ତଦ୍ଦ୍ୱାରା ଯେତିକି ହରକତିଆ ହୋଇ ରହିଥିଲେ, ସେତିକି ଫାଇଦା ମଧ୍ୟ ଉଠାଉଥିଲେ । ବିଚରା ଗୋଟାଏ ପାଖ ଭୁଷୁଡ଼ି ହିଁ ପଡ଼ିଲା । ଆମେରିକା ରାଷ୍ଟ୍ରଟା ସତେଅବା କୋଉ ମୋକଦ୍ଦମାରେ ଜୟଲାଭ କଲା ବୋଲି କେତେ ଖୁସି ହୋଇ ଯାଇଥିବ-। ସେହି ଖୁସିରେ କ’ଣ ଏମିତି ଦୁର୍ବୁଦ୍ଧି ରହିଥିଲା ଯେ, ଆମେରିକା ତଥାପି ନୂଆ ଭାବରେ ନିଜକୁ ଖୁବ୍ ବେଶି ସଜାଡ଼ି ପାରିଲା ନାହିଁ ଓ ପୁରୁଣା ତାଟିଆଗୁଡ଼ାକୁ ସେହି ଆଗପରି କାମୁଡ଼ି କରି ପଡ଼ିରହିଲା ? ନିଜର ଏକଚାଟିଆ ସ୍ଵାର୍ଥ ତଥା ଆଧିକ୍ୟଗୁଡ଼ିକର ମୋହ ଛାଡ଼ି ତଳକୁ ସମସ୍ତଙ୍କ ସାଙ୍ଗକୁ ଓହ୍ଲାଇ ଆସି ପାରିଲା ନାହିଁ ?

 

ପୃଥିବୀର ଭାଗ୍ୟରେ ଯେ ସେହି ଗଣତନ୍ତ୍ରଟା ହିଁ ଲେଖା ହୋଇ ରହିଛି, ସେ କଥାଟାକୁ ନିଜ ଅପରିମିତ ବିତ୍ତଶାଳୀତାର ଜାଲ ଭିତରେ ପଡ଼ି ଆମେରିକା ରାଷ୍ଟ୍ରର ସାଧବପୁତ୍ରମାନେ କ’ଣ ସେକଥା ପ୍ରକୃତରେ ବୁଝି ପାରୁନାହାନ୍ତି ? ପୃଥିବୀର ଭାଗ୍ୟରେ ସମାଜବାଦଟି ମଧ୍ୟ ଲେଖାହୋଇ ରହିଛି ବୋଲି ରୁଷିଆର ସମାଜବାଦୀ ସିଂହାସନସ୍ଥମାନେ କ୍ରମେ ବୁଝିବାକୁ ଅସମର୍ଥ ହେଲେ ବୋଲି ସିନା ସେମାନଙ୍କ ଶାସନଟା ଦେଖି ଦେଖି ଭାଙ୍ଗିଗଲା । ସମାଜବାଦ ରହିଲା, ପୃଥିବୀର ବହୁ ଗଣତନ୍ତ୍ରକୁ ମଧ୍ୟ ସମାଜବାଦ ପ୍ରେରଣା ଦେଲା, ଏବେ ମଧ୍ୟ ଦେଉଛି । ରୁଷିଆର ସମାଜବାଦୀ ଗଡ଼ିଆର ମହାଚାଶୁରମାନେ ସବାଆଗ ସମାଜବାଦକୁ ନ ଦେଖି ରୁଷିଆକୁ ଦେଖିଲେ ବୋଲି ପୃଥ୍ଵୀଭାଗ୍ୟର ସଭାରେ ଆଖର ଏତେସରି ହେବାକୁ ବାଧ୍ୟ ହେଲେ । ବିଧାତା ହସିଲା । ଆମେରିକାର ରାଷ୍ଟ୍ରଟା ମଧ୍ୟ ବାଉଳା ହୋଇ ଆଗ ଗଣତନ୍ତ୍ରକୁ ନଦେଖି ଆମେରିକା ନାମକ କୌଣସି ଗୋଟାଏ ଦୁଷ୍ଟ ସ୍ୱାର୍ଥକୁ ଦେଖୁଛି ବୋଲି ବିଶ୍ୱ ରାଜନୀତିର ବଜାରରେ ପୌରପାଳ ହୋଇ ବସିଥିଲେ ମଧ୍ୟ ତଥାପି ବାର ବେହିସାବରେ ଏତେ ହାସ୍ୟାସ୍ପଦ ହେବାରେ ଲାଗିଛି ? ଅବଶ୍ୟ, ବହୁତ ଭରସାର କଥା ଯେ, ସମାଜବାଦୀ ଶାସନ ନାଁରେ ଋଷିଆରେ ଯାହା ଘଟିଲା, ଗଣତନ୍ତ୍ରର ବେଢ଼ଣଟାକୁ ସ୍ଵୀକାର କରି ନେଇଥିବା ଆମେରିକାରେ ତାହା ଅନିବାର୍ଯ୍ୟତଃ ଘଟିବ ନାହିଁ । ଗଣତାନ୍ତ୍ରିକ କୌଣସି ରାଷ୍ଟ୍ର ଯେତେ ନିଶାଗ୍ରସ୍ତ, କାତର ତଥା ନିରଙ୍କୁଶ ହେବାକୁ ମନ କରୁଥିଲେ ମଧ୍ୟ ଦେଶର ଅଧିବାସୀମାନେ ତାକୁ କଦାପି ଏତେ ଗୋଡ଼ ଖସାଇବାକୁ, ଚଗଲା ହେବାକୁ ଓ ମଥା ହରାଇବାକୁ ମୋଟେ ଦେବେ ନାହିଁ । ଗଣତନ୍ତ୍ରର ଅସଲ ଖୁଣ୍ଟଗୁଡ଼ିକ ରାଷ୍ଟ୍ର ପାଖରେ ନଥାଏ, ରାଷ୍ଟ୍ର ଗୋଦାମର ବିତ୍ତଗତ ଦମ୍ଭରେ ମଧ୍ୟ ନଥାଏ । ତାହା ଲୋକଜୀବନରେ ରହିଥାଏ; ବିଶ୍ୱବିଦ୍ୟାଳୟରେ ଥାଏ, ଲୋକସମୂହକୁ ଜାଗରୁକ କରି ରଖିଥିବା ସମ୍ବାଦମଞ୍ଚ ଅର୍ଥାତ୍ ମେଡ଼ିଆଗୁଡ଼ିକ ମଧ୍ୟରେ ଥାଏ । ଯାବତୀୟ ସଙ୍କଟ ସମୟରେ ତାହାହିଁ ସବୁଠାରୁ ଅଧିକ କାମ ଦିଏ-। ଗଣତନ୍ତ୍ରର ଏହି ସ୍ୱତନ୍ତ୍ର ତାବିଜଟିକ ଆମେରିକାରେ ମଧ୍ୟ ବେଳପଡ଼ିଲେ ଖୁବ୍ କାମ ଦେବ, ଆମେରିକାକୁ ମାଧ୍ୟମ କରି ସମଗ୍ର ପୃଥିବୀ ନିମନ୍ତେ ବି କାମରେ ଆସିବ ।

 

୨୩.୯.୦୨

☆☆☆

 

ସାଧୁ ଭାଷା, ଅସାଧୁଙ୍କ ଭାଷା

 

ପୁନଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ିବା ସମୟରେ ଆମ ମଧୁମାଷ୍ଟ୍ରେ ମୋତେ ସବୁବେଳେ ସତର୍କ କରିଦେଇ କହୁଥିଲେ ଯେ, ମୋତେ ଯଥାସମ୍ଭବ ସାଧୁଭାଷାରେ ହିଁ ଯାହା କିଛି ଲେଖିବାକୁ ହେବ । ସାଧୁଭାଷାରେ ଲେଖିଲେ ବେଶି ନମ୍ବର ମିଳିବ ! ସାଧୁଭାଷାର ବିପରୀତ ଶବ୍ଦ ଯେ ଅସାଧୁ ଭାଷା ନୁହେଁ, ସେ କଥା ମୁଁ ଭଲପ୍ରକାରେ ଜାଣିଥିଲି । ମୁଁ ଗାଆଁରେ ଜନ୍ମ ହୋଇଥିଲି, ଗାଆଁ ଜୀବନର ମେଳରେ ସେହି ପିଲା ବୟସର ବର୍ଷଗୁଡ଼ିକୁ ଅତିବାହିତ କରିଥିଲି । ତେଣୁ, ଲେଖିବା ସମୟରେ ସେହି ଗାଉଁଲି ଭାଷାର ଶବ୍ଦଗୁଡ଼ାକ ହିଁ ଅଧିକ ସ୍ଵାଭାବିକ ଭାବରେ ଲେଖିହୋଇ ଯାଉଥିଲା । ଆମ ସାହିତ୍ୟ ବହିର ଯାବତୀୟ ବିଷୟ ସେହି ସାଧୁଭାଷାରେ ହିଁ ଲେଖା ହୋଇଥିଲା । ପରୀକ୍ଷାର ପ୍ରଶ୍ନମାନଙ୍କରେ ସେଗୁଡ଼ିକର ସରଳାର୍ଥଗୁଡ଼ିକୁ ଅର୍ଥାତ୍ ନିଜ ଭାଷାରେ ସେଗୁଡ଼ିକର ଉତ୍ତର ଦେବାପାଇଁ ନିର୍ଦ୍ଦେଶ ଦିଆଯାଉଥିଲା । ଏବେ ବୁଝୁଛି, ସାଧୁଭାଷାର ଓଲଟା ହେଉଛି କଥିତ ଭାଷା; ସାଧୁ ଶବ୍ଦର ଓଲଟା ହେଉଛି ଦେଶକ ଶବ୍ଦ ! ପଣ୍ଡିତମାନେ, ଶାସ୍ତ୍ରଜ୍ଞ ସବର୍ଣ୍ଣମାନେ ଯେଉଁ ଭାଷାରେ କାରବାର ହେଉଥିଲେ, ତାହା ହେଉଛି ଚଳିଆସିଥିବା ପ୍ରାୟ ସକଳ ବ୍ୟଞ୍ଜନାରେ ସାଧୁଭାଷା । ପୂର୍ବେ ରାଜସଭାମାନଙ୍କରେ ସାଧୁଭାଷାରେ ହିଁ ସାହିତ୍ୟ ଏବଂ କାବ୍ୟର ଚର୍ଚ୍ଚା ହେଉଥିଲା । ରାଜସଭାରେ ଭାଗ୍ୟଶାଳୀମାନେ ହିଁ ବସୁଥିଲେ । ସାଧାରଣମାନେ ସେଯାଏ ପ୍ରବେଶ କରୁନଥିଲେ । ସେମାନେ ଯାବତୀୟ ଚଳପ୍ରଚଳରେ ଯେଉଁ ଭାଷା ବ୍ୟବହାର କରୁଥିଲେ, ସେଇଟା ମଧ୍ୟ ସାହିତ୍ୟରେ ପ୍ରବେଶ କରିପାରୁ ନଥିଲା । ଉପରମାନଙ୍କର ଭାଷା ହେଉଛି ସାଧୁଭାଷା, ଅବର ସାଧାରଣଙ୍କର ଭାଷା ଦେଶଜ ଭାଷା, ସାହିତ୍ୟରେ ସେହି ଫରକଟା ସମ୍ଭବତଃ ସେଇ କୋଉ ମୂଳକାଳରୁ ହିଁ ଚଳି ଆସିଛି ।

 

ସାଧୁଭାଷା କଥାଟି ଓଡ଼ିଆ ଭଳି ବଙ୍ଗଳାରେ ମଧ୍ୟ ବ୍ୟବହୃତ ହୋଇଥାଏ । ଅହମିୟା ଭାଷା କଥା ମୁଁ କହିପାରିବି ନାହିଁ, କିନ୍ତୁ ଉତ୍ତର ଭାରତର କୌଣସି ଭାଷାରେ ଏଭଳି ଗୋଟିଏ କଥାର ପ୍ରଚଳନ କାହିଁକି ଦେଖିବାକୁ ମିଳେନାହିଁ, ମୁଁ ସେହି ବିଷୟରେ ବହୁତ ସମୟରେ ଭାବିଛି । ସଂସ୍କୃତ ଭାଷାକୁ ସେହି କାଳରୁ ହିଁ ଦେବଭାଷା ବୋଲି କୁହାଯାଇ ଆସିଛି । ଦେବତାମାନେ ସ୍ୱର୍ଗରେ ଥାଆନ୍ତି ବୋଲି ଯଦି ନିତାନ୍ତ ଧରିନିଆଯାଏ, ତେବେ ଦେହଧାରୀ କିଏ ସ୍ଵର୍ଗକୁ କେବେ ଯାଇଛି ଯେ ସେଠି ଦେବତାମାନେ ସଂସ୍କୃତ ଭାଷାରେ କାରବାର ହେଉଥିବାର ସତକୁସତ ଦେଖିଆସିଛି । ତେଣୁ, କହିବା ବାହୁଲ୍ୟ ଯେ, ଆମର ଏହି ଚଳନ୍ତି ସମାଜର ଥାକ ବ୍ୟବସ୍ଥାରେ ଯେଉଁମାନେ ଉପରିସ୍ଥ ଭାଡ଼ିମାନଙ୍କରେ ରହି ଆସିଛନ୍ତି ଓ କାବ୍ୟାମୋଦର ସକଳ ଅଧିକାର କେବଳ ସେହିମାନଙ୍କର ରହିଛି ବୋଲି ବିଶ୍ଵାସ କରିଛନ୍ତି, ସେମାନେ ନିଜକୁ ଦେବତା ଥାନରେ ଦେଖିବାର ଅଭ୍ୟାସରେ ପଡ଼ି ଯାଇଛନ୍ତି ଏବଂ ‘ଦେବଭାଷା’ ନାମକ କଥାଟିକୁ କ୍ରମଶଃ ସ୍ୱୀକୃତ କରାଇ ନେଇଛନ୍ତି । ସେହି ଉଲ୍ଲାସଟି ଏବେ ମଧ୍ୟ ସଂସ୍କୃତବାଲାଙ୍କୁ ଭାରି କାମୁଡ଼ି ଧରିଛି ଓ ସେମାନେ ବେଳେବେଳେ ସଂସ୍କୃତକୁ ସୁରଭାରତୀ ବୋଲି ମଧ୍ୟ କହି ପକାଉଛନ୍ତି । ଦକ୍ଷିଣ ଭାରତରେ ଏକଦା ପଣ୍ଡିତମାନେ ପ୍ରାୟ ସେହି ନହସରେ ସଂସ୍କୃତକୁ ଗୀର୍ବାଶ ଭାଷା ବୋଲି କହିଛନ୍ତି । ତଥାପି ରକ୍ଷା ହୋଇଛି ଯେ, ଏକାଳେ ଯେପରି ପ୍ରଚେଷ୍ଟାମାନ କରାଯାଉଛି, ସଂସ୍କୃତକୁ ଲୋକଭାଷା ବୋଲି କହିବାର କୌଣସି ପ୍ରୟାସ ସେତେବେଳେ କରାଯାଇନାହିଁ । ଓଡ଼ିଶାର ଜୟଦେବ କେଡ଼େବଡ଼ କବି ଓ କେଡ଼େବଡ଼ ସଂସ୍କୃତବିତ୍ ନଥିଲେ; କିନ୍ତୁ ସିଏ ନିଜ ଘରେ ମଧ୍ୟ ଭାର୍ଯ୍ୟା ପଦ୍ମାବତୀଙ୍କୁ ସଂସ୍କୃତ ଭାଷାରେ ମଣ କରିବାର ଦୁଷ୍ଟ ବୁଦ୍ଧିଟିଏ କଦାପି ଦେଖାଇ ନଥିବେ । ସିଏ ବି ଆଦୌ ଏକ ମନ୍ଦ ଯୁଗ ନଥିଲା, ଯେତେ ବେଳେ କବିମାନେ ସଭାରେ ଏବଂ କାବ୍ୟାରାଧନାର ସ୍ୱତନ୍ତ୍ର ପ୍ରହରଗୁଡ଼ିକରେ ସଂସ୍କୃତର ବ୍ୟବହାର କରୁଥିଲେ ଏବଂ ନିଜ ଘରେ ତଥା ଆଠପହରା ଜୀବନର ଯାବତୀୟ କ୍ଷେତ୍ରରେ ଏକ କଥିତ ଭାଷାର ହିଁ ବ୍ୟବହାର କରୁଥିଲେ । ସଂସ୍କୃତକୁ ଲୋକଭାଷା ବୋଲି କହିବାର କୌଣସି ଅବିବେକ କରିନଥିଲେ । ଏବଂ ଯହୁଁ ଯହୁଁ ଯୁଗ ବଦଳିଲା, ଯୁଗବାସନାଗୁଡ଼ିକ ଅଚିନ୍ତ୍ୟପୂର୍ବ ଅନ୍ୟାନ୍ୟ ବହୁ ବହୁ ପରିଧିଗୁଡ଼ିକୁ ଛୁଇଁଲେ ଏବଂ ପ୍ରାୟ ଏକ ଉନ୍ମୋଚନକାରୀ ଶ୍ରଦ୍ଧାର ବୋଲି ମାନି ମନୁଷ୍ୟମାନେ ସେମାନଙ୍କର ଚତୁର୍ଦ୍ଦିଗରେ ବାସ କରୁଥିବା ଓ ମନୁଷ୍ୟ ମନୁଷ୍ୟ ମଧ୍ୟରେ ଗଢ଼ି ଉଠୁଥିବା ସମ୍ବନ୍ଧଗୁଡ଼ିକୁ କ୍ରମେ ନୂଆ ନୂଆ ତାତ୍ପର୍ଯ୍ୟ ଦେଇ ଦେଖି ଶିଖିଲେ, ସେତେବେଳେ ଆବଶ୍ୟକତାଗୁଡ଼ିକ ମଧ୍ୟ କେଡ଼େ ବିଚିତ୍ର ପ୍ରକାରେ ବଦଳିଗଲା । ବିଚିତ୍ର ପ୍ରକାରେ ପ୍ରସାରିତ ହୋଇଗଲା । ସଭାଗୁଡ଼ାକର ମୋହ ତୁଟି ତୁଟି ଗଲା । କବି ହୁଇଟ୍‌ମ୍ୟାନ୍‍ଙ୍କ ଭାଷାରେ ସାହିତ୍ୟ ଏକ ଓପନ୍ ରୋଡ଼କୁ ହିଁ ଲୋଡ଼ି ବାହାରିଲା । ସେହି ପ୍ରଥମ ଯୁଗରେ ମଧ୍ୟ ଏହି ମନୋଦୃଷ୍ଟିର ସମର୍ଥନ କରୁଥିବା ବିକଳ୍ପମାନେ ରହିଥିବେ; କିନ୍ତୁ ସଭାର ଉତ୍ତମମନ୍ୟମାନେ ସେମାନଙ୍କର ପକ୍ଷ ଛେଦନ କରି ପକାଇଥିବେ । ଓଡ଼ିଶାରେ ଜଗନ୍ନାଥ ଦାସ ନିଜ ମାଆଙ୍କର ବି ଭାଗବତ ବାଣୀକୁ ବୁଝିବାର ଶ୍ରଦ୍ଧାକୁ ହୃଦୟଙ୍ଗମ କରିଥିଲେ ଓ ଭାଷା ପ୍ରବନ୍ଧରେ ନିଜର ଓଡ଼ିଆ ଭାଗବତକୁ ସର୍ଜନା କରିଥିଲେ । ସାହିତ୍ୟ ଲୋକାୟତକୁ ସ୍ଵୀକାର କରି ଦ୍ଵିଜ କରିହେଲା । ତା'ପରେ ଏପରି ଏକ ପ୍ଳାବନ ମାଡ଼ି ଆସିଥିଲା, ଯାହାକି ଏବେ ମଧ୍ୟ ଆପଣାର ନୂଆ ନୂଆ ପ୍ରସ୍ଥର ଆବିଷ୍କାର କରିବାରେ ଲାଗିଛି । ସାହିତ୍ୟକୁ ତଥା ଭାଷାକୁ ଅଧିକ ସମ୍ଭାବନାମୟ କରିବାରେ ଲାଗିଛି । ମଣିଷମାନଙ୍କୁ ବାଦ୍ ଦେଇ ଯେ ମୋଟେ କୌଣସି ସଭାର କଳ୍ପନା କରାଯାଇ ପାରିବ ନାହିଁ, ସାହିତ୍ୟ ସମେତ ଆମର ଯାବତୀୟ ଭାବ କ୍ଷେତ୍ରରେ ସେହି ସତ୍ୟଟିର ଉଦ୍‍ଘାଟନ ହେବାରେ ଲାଗିଛି । ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗର ସେହି ବଡ଼ିସକାଳ ସମୟରେ ବ୍ୟାସକବି ଫକୀରମୋହନ ନିଜର ସ୍ତ୍ରୀ ବୁଝିପାରିବେ ବୋଲି ଯେତେବେଳେ ରାମାୟଣ ଓ ମହାଭାରତକୁ ଓଡ଼ିଆରେ ଅନୁବାଦ କରି ଥୋଇଦେଲେ, ସେତେବେଳେ ମଧ୍ୟ ସିଏ ଆମ ସମସ୍ତଙ୍କୁ ସାଙ୍ଗରେ ଧରି ସତେ ଅବା ସଖ୍ୟଲାଭର ଏକ ନୂତନ ସୋପାନକୁ ଉଠିଯିବା ଲାଗି ବୀର ପରି ସାହସଟିଏ କରିଥିଲେ ।

 

ସ୍ୱାଧୀନ ଭାରତବର୍ଷ ପାଇଁ ସେହି ସଂଗ୍ରାମ ଚାଲିଥିବା ସମୟରେ ଯେଉଁ ଭାଷାଟିକୁ ରାଷ୍ଟ୍ରଭାଷାର ଆସନ ଦିଆଯିବା ଉଚିତ ବୋଲି ଆଲୋଚନା ହେଉଥିଲା, ମହାତ୍ମା ଗାନ୍ଧୀ ତାହାକୁ ହିନ୍ଦି ବୋଲି ନକହି ହିନ୍ଦୁସ୍ଥାନୀ ବୋଲି କହୁଥିଲେ । ହିନ୍ଦିଭାଷା ହେଉଛି ପଣ୍ଡିତମାନେ ଲେଖିଥିବା ଭାଷା, ହିନ୍ଦୁସ୍ଥାନୀ ଲୋକମୁଖରେ ପ୍ରଚଳିତ ହୋଇ ରହିଥିବା ଭାଷା । ପଣ୍ଡିତମାନଙ୍କର ହିନ୍ଦି ହେଉଛି ଏକ ସଂସ୍କୃତ-ପ୍ରପୀଡ଼ିତ ମତଲବଯୁକ୍ତ କୃତ୍ରିମ ଭାଷା । ହିନ୍ଦୁସ୍ଥାନୀ ହେଉଛି ହିନ୍ଦିଭାଷୀ ଅଞ୍ଚଳର କଥିତ ଓ ତେଣୁ ସମସ୍ତେ ବୁଝୁଥିବା ଭଳି ଏକ ଜୀବନ୍ତ ଭାଷା । ସେହି ଲକ୍ଷ୍ୟଟିକୁ ସମକ୍ଷରେ ରଖି ମହାତ୍ମା ଗାନ୍ଧୀ ତାଙ୍କର ସାପ୍ତାହିକ ପତ୍ରିକା ‘ହରିଜନ’ରେ ସ୍ୱତନ୍ତ୍ର ଭାବରେ ହିନ୍ଦୁସ୍ଥାନୀର ଗୋଟିଏ ଅଭିଧାନ ମଧ୍ୟ ବାହାର କରୁଥିଲେ । ସେହି ଭାଷା ସରକାରୀ ଭାଷା ହୋଇଥାନ୍ତା ଏବଂ ଲୋକମାନେ ତାହାକୁ ସହଜ ଭାବରେ ବୁଝିଥାଆନ୍ତେ ଏବଂ ଶିକ୍ଷା କରିପାରିଥାନ୍ତେ । ଗାନ୍ଧୀ ଚାଲିଯିବା ପରେ ସରକାରୀ ବରାଦମାନ ଏପରି ଅଶାଳୀନ ଭାବରେ ପଣ୍ଡିତମାନଙ୍କର କବଳରେ ଯାଇ ପଡ଼ିଗଲା ଯେ, ସେମାନେ ତୁଚ୍ଛା ପାଣ୍ଡିତ୍ୟର ମେଦଗୁଡ଼ାକୁ ଲଗାଇ ଏକ ରୀତିମତ ସାଧୁଭାଷାର ହିଁ ଅବତାରଣା କରି ଆଣିଲେ, ଯାହାକୁ କି ନ୍ୟାୟତଃ ଅସାଧୁମାନଙ୍କର ହିଁ ଏକ ଭାଷା ବୋଲି କୁହାଯାଇ ପାରିବ । ଉତ୍ସାହୀମାନେ ସେଇଟାକୁ ହିଁ ରାଷ୍ଟ୍ରଭାଷା ହିସାବରେ ସମଗ୍ର ଦେଶଟା ଉପରେ ଆଣି ଲଦିଦେବାକୁ ଇଚ୍ଛା କଲେ । ଲୋକମାନେ ତାହାରିଦ୍ୱାରା ବହୁତ ତରକିଗଲେ, ଏହାକୁ ହିନ୍ଦିର ଏକ ସାମ୍ରାଜ୍ୟବାଦୀ ପ୍ରୟାସ ବୋଲି କହି ତାହାର ବିରୋଧ କରି ବାହାରିଲେ । ସମ୍ପ୍ରତି ଯେଉଁମାନେ ସଂସ୍କୃତକୁ ଲୋକଭାଷା ବୋଲି କହୁଛନ୍ତି ଓ ଏପରିକି ଇଂରାଜୀକୁ ବି ଏକ ଭାରତୀୟ ଭାଷା ବୋଲି କହି ସିରସ୍ତାମାନଙ୍କରେ ଚଳାଇ ରଖିବାକୁ ଫିକର କରୁଛନ୍ତି, ସେମାନଙ୍କୁ ମଧ୍ୟ ଆମେ ସାମ୍ରାଜ୍ୟବାଦୀ ବୋଲି କହିପାରିବା କି ? ନିଜ ନିଜ ଅର୍ଥରେ ଏମାନେ ବି ତ ଏଠି ଏକମାତ୍ର ବ୍ରାହ୍ମଣ ହୋଇ ରହିବାର ଚକ୍ରାନ୍ତ କରି ବାହାରିଛନ୍ତି ।

 

ଓଡ଼ିଆ ଭାଷା ଅର୍ଥାତ୍ ଓଡ଼ିଶା ନାମକ ଏହି ଭୂଖଣ୍ଡଟିରେ ଆମ ପାରସ୍ପରିକ ଜୀବନକୁ ଗତିଶୀଳ କରି ରଖିଥିବା ଏକ ଚଳନ୍ତି ଭାଷା । ସଂସ୍କୃତ ଭାଷା ଏହି ଭାଷାର ଜନନୀ ସତ, କିନ୍ତୁ ବହୁ ଶତାବ୍ଦୀ ଧରି ଏଠାରେ ଆତଯାତ ହୋଇ ଆସିଥିବା ସମୁଦାୟଗତ ଜୀବନ ହେଉଛି ଏହି ଭାଷାଟିର ଅସଲ ନିର୍ମାତା, ଅର୍ଥାତ୍ ଜନକ । ଏଥିରେ ଅସାଧୁମାନେ ହିଁ ଚିରଦିନ ସାଧୁ ଶବ୍ଦଗୁଡ଼ିକୁ ପୂରାଇ ଏଇଟିକୁ ସତେ ଅବା ଆଉ କିଛି ବୋଲି ଦେଖାଇ ପାରିବାକୁ ପ୍ରୟାସ କରୁଛନ୍ତି । ଓଡ଼ିଆରେ ଚଳୁଥିବା ତତ୍‌ସମ ଶବ୍ଦଗୁଡ଼ିକୁ ହିଁ ଅସଲ ଓଡ଼ିଆ, ସାଧୁ ଓଡ଼ିଆ ବା ସମ୍ଭ୍ରାନ୍ତ ଓଡ଼ିଆ ବୋଲି କହି ଆସିଛନ୍ତି । ସମ୍ଭବତଃ ସେହିମାନଙ୍କର ଦୁର୍ବୁଦ୍ଧିମାନଙ୍କୁ ପ୍ରେରଣା ରୂପେ ଗ୍ରହଣ କରି ଏବେ ଆମ ଭିତରୁ ଆଉ ଥୋକେ ଇଂରାଜୀ ଶବ୍ଦଗୁଡ଼ିକୁ ମଧ୍ୟ ତତ୍‌ସମବତ୍ ବ୍ୟବହାର କରିବାରେ ଖୁବ୍ ଆହ୍ଲାଦିତ ଅନୁଭବ କରିବାରେ ଲାଗିଛନ୍ତି । ସେମାନେ ଇଂରାଜୀ ବିଲେଇର ପାଟିରେ ଓଡ଼ିଆକୁ ଅସରପା ଜ୍ଞାନରେ ଗିଳାଇ ଦେବାକୁ ମନସ୍ଥ କରିଛନ୍ତି କି ? ଆମେ ଯେଉଁମାନେ ଓଡ଼ିଆକୁ ହିଁ ଆପଣ ଚଳନ୍ତି ଜୀବନର ମଞ୍ଜ ଏବଂ ମଜ୍ଜା ବୋଲି ଗ୍ରହଣ କରିଛେ, ଆମେ କିପରି ଭାବରେ ଏହି ଆହ୍ଲାଦର ସମ୍ମୁଖୀନ ହେବା ? ଆମେ ଅସାଧୁ ହେବାନାହିଁ ଏବଂ ସାଧୁ ଭାଷାଟାକୁ ହିଁ ଗୁଡ଼ାଏ ଅଲିଅଳ ଦେଖାଇ କଦାପି କୁଣ୍ଢାଇ ଧରିବା ନାହିଁ । ଆମେ ଦେଶଜ ଶବ୍ଦଗୁଡ଼ିକୁ ଖୋଜି ବାହାରିବା । ତତ୍‌ସମ ଶବ୍ଦମାନେ ବାହାରୁ ଆସିଛନ୍ତି ଏବଂ ଦେଶଜ ଶବ୍ଦମାନେ ଏଇଠି ହିଁ ଚିରଦିନ ରହି ଆସିଛନ୍ତି । ଏହି ଦେଶଟାକୁ ନିଜର ଲାଖରାଜୀ ରୂପେ ଭୋଗ କରୁଥିବା ସମ୍ଭ୍ରାନ୍ତ ଓ ବାବୁମାନେ ହିଁ ଦେଶର ଅଧିକ ସଂଖ୍ୟକ ମଣିଷଙ୍କୁ ଅଧିକାରତ୍ୟୁତ ଆଜ୍ଞାବହ କରି ରଖିବେ ବୋଲି ସେମାନଙ୍କର ଭାଷାଟାକୁ ମଧ୍ୟ ଅଳପ ଓ ଅବର ବୋଲି ଏକ ମିଛରବ ସୃଷ୍ଟିକରି ରଖିବାକୁ ଚେଷ୍ଟା କରୁଛନ୍ତି । ତେଣୁ, ଏଣିକି ଅଧିକରୁ ଅଧିକ ଦେଶଜ ଶବ୍ଦ କାଗଜ ଭିତରକୁ ଆସୁ, ଆମ ସାହିତ୍ୟ ଭିତରକୁ ପ୍ରବେଶ ଲାଭ କରୁ । ଦେଶଜ ଶବ୍ଦଗୁଡ଼ିକରେ ହିଁ ସର୍ବତ୍ର ଅଧିକ ବ୍ୟଞ୍ଜନା ରହିଛି ଏବଂ ତେଣୁ ତାହାରି ମାଧ୍ୟମରେ ହିଁ ଆମେ ନିଜ ଗଭୀର ଭାବ ତଥା ବକ୍ତବ୍ୟଗୁଡ଼ିକୁ ପ୍ରକାଶ କରିପାରିବା, ଆଉ ଜଣକର ହୋଇପାରିବା । କଥିତ ଭାଷା ହିଁ ପୃଥିବୀ ତମାମ ଅଧିକ ବ୍ୟଞ୍ଜନାଯୁକ୍ତ ବୋଲି ଆପଣାକୁ ପ୍ରମାଣିତ କରି ଆସିଛି । ଓଡ଼ିଶାରେ ଭଳି ଭଳି ଅଞ୍ଚଳ, ଭଳି ଭଳି ବ୍ୟଞ୍ଜନା,–ସେଗୁଡ଼ିକ ଆଉ ପରସ୍ପରଠାରୁ ଦୂରରେ ନରହି ଏକାଠି ହୁଅନ୍ତୁ ଏବଂ ଆଞ୍ଚଳିକ ଦେଶଜ ଶବ୍ଦଗୁଡ଼ିକଦ୍ୱାରା ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରନ୍ତୁ । କୌଣସି ବହିରାଗତ ଶବ୍ଦଟିର ଏକ ପରିଭାଷା ଖୋଜି ପାଇବା ପାଇଁ ପଣ୍ଡିତମାନେ କେତେ ନା କେତେ ଘାରି ହେଉଥିବା ସମୟରେ କଥିତ ଭାଷାର କ୍ରିୟାତ୍ମକତା ମଧ୍ୟରୁ କିପରି ସାବଲୀଳ ଭାବରେ ଏକ ଶସିଅଳ ପ୍ରତିଶବ୍ଦ ତିଆରି ହୋଇ ବାହାରିଆସେ ଓ ସମ୍ପୃକ୍ତ ସମସ୍ତଙ୍କର ବୋଧଗମ୍ୟ ବି ହୁଏ, ଯାବତୀୟ ଭାଷା ପରି ଆମ ଓଡ଼ିଆ ଭାଷାରେ ମଧ୍ୟ ତାହାର ମାଳମାଳ ଉଦାହରଣ ରହିଛି । ତେଣୁ, ଆମେ ସାଧୁଭାଷାର ବାହାରେ ରହିଯିବା ପଛକେ, ମାତ୍ର କଦାପି ଅସାଧୁ ହେବା ନାହିଁ । ମଞ୍ଚାରୁ ଓହ୍ଲାଇ ଆସିବା, ଏକ ଜୀଅନ୍ତା ପାରସ୍ପରିକତାର ଯୋଗ୍ୟ ହେବା ।

 

୩୦.୯.୦୨

☆☆☆

 

ବୁଦ୍ଧିପକ୍ଷ, ଭାବପକ୍ଷ

 

ମନୁଷ୍ୟ ନାମକ ଦ୍ରବ୍ୟକୁ ତିଆରି କରିଥିବା ସମୟରେ ବିଧାତା ତାହାକୁ ଅଧେ ବୁଦ୍ଧି ଓ ଅଧେ ଭାବର ଦୁଇ ଅଲଗା ଅଲଗା ପାଖ ରୂପେ କଦାପି ଅଲକ୍ଷଣା କରି ରଖିବାକୁ ଇଚ୍ଛା କରିନଥିବେ । ଆମ ଜୀବନର ଯେତେ ଯାହା କୃତି ଏବଂ କରଣି, ସେଗୁଡ଼ିକ ମଧ୍ୟରୁ କୋଉଗୁଡ଼ିକ ବୁଦ୍ଧିରୁ ଆସିଛନ୍ତି ଓ କୋଉଗୁଡ଼ିକ ଭାବରୁ ଜାତ ହୋଇଛନ୍ତି ? ବେଳେବେଳେ କେତେ ବୈଜ୍ଞାନିକ ପୁଣି ଅଧିକ ନିକିଟେଇ ହେଲା ପରି ମଣିଷର ଅମୁକ କାର୍ଯ୍ୟଟିକୁ ବୁଦ୍ଧିପଟର ଏବଂ ପୁନଶ୍ଚ ଅମୁକଗୁଡ଼ିକୁ ଭାବପଟର କାର୍ଯ୍ୟ ବୋଲି ଘୋଷଣା କରିଥାନ୍ତି । ଘୋର ଘୋର ବୁଦ୍ଧିକୁ କାମରେ ଲଗାଇ ସେମାନେ ଏହିଭଳି ସତ୍ୟୋପସଂହାରରେ ଆସି ପହଞ୍ଚିଥାଆନ୍ତି । ଆମ ମଥାଟାର ସମ୍ପତ୍ତିଟାକୁ ସେମାନେ ବୁଦ୍ଧି ବୋଲି କହନ୍ତି ଓ ହୃଦୟର ସମ୍ପତ୍ତିଟାକୁ ଭାବ ବୋଲି କହନ୍ତି । ସତେଅବା ଏକ ଦ୍ୱିଘାତ ସମୀକରଣର ଅଙ୍କକୁ କଷି ଆମ ଆଗରେ ସମାଧାନଟିଏ ଆଣି ଥୋଇଦିଅନ୍ତି । ଏମନ୍ତ କବିମାନେ ବି ଅଛନ୍ତି, ଯେଉଁମାନେ କି ହୃଦୟକୁ ଝୁରି ହେଉଥାନ୍ତି ଓ ବୁଦ୍ଧିର ପଟୁଗୁଡ଼ାକ ଆସି ମୁନଷ୍ୟ ହୃଦୟର ବିଲଗୁଡ଼ାକୁ ଗୋଟାସୁଦ୍ଧା ଢାଙ୍କି ରଖିଲା ବୋଲି ଝିଙ୍ଗାସି ହେଉଥାଆନ୍ତି । ଆଗକାଳେ ବେଶି ଭାବଦ୍ଵାରା ହିଁ ବଜାର ଚାଲୁଥିଲା ଏବଂ ଏବେ ସେହି ବଜାରଟାକୁ ବୁଦ୍ଧି ଆସି ଭାରି ଏକତରଫା ଭାବରେ ମାଡ଼ିବସିଛି ବୋଲି ଅପବାଦ ଦିଅନ୍ତି । ଖୁବ୍ ମଥା ଥିବା ଲୋକେ ମଧ୍ୟ କ’ଣ ପାଇଁ ଅତ୍ୟନ୍ତ ବ୍ୟାକୁଳ ହୋଇ ପୂର୍ବର ସେହି ଭାବର ଏବଂ ହୃଦୟର ହୃତ ଯୁଗଟିକୁ ଫେରିଯିବା ଉଚିତ ବୋଲି ବଡ଼ କାରୁଣ୍ୟର ସହିତ କହିବାରେ ଲାଗିଥାଆନ୍ତି-

 

ବୁଦ୍ଧିକୁ ଭାବଠାରୁ ଅଲଗା କରି ଦେଖିବା ସମ୍ଭବତଃ ଏଇଟା ମଧ୍ୟ ସେହି ବୁଦ୍ଧିଆମାନଙ୍କର କାମ । ଆମର-ସାଂପ୍ରତିକ ପାଠପଢ଼ାମାନଙ୍କରେ ଯେଉଁମାନେ ଭାବପକ୍ଷର ବୁଦ୍ଧିକୁ ହିଁ ଉପସ୍ଥିତ ବହୁ ବିକାର ଓ ବହୁ ରୁଗ୍‌ଣତାର ସମାଧାନ ବୋଲି କହନ୍ତି, ସେମାନେ ଅବଶ୍ୟ ଅତ୍ୟନ୍ତ ବୁଦ୍ଧିଆ ହୋଇଥିବେ । ସେମାନେ କେଡ଼େ ନିଷ୍ଠାର ସହିତ ବୁଦ୍ଧିକୁ ମାପି ଆସିଛନ୍ତି ଏବଂ ଏବେ ଭାବକୁ ବି ମାପୁଛନ୍ତି । ହୁଏତ ସେହି ମାପିବାଦ୍ଵାରା ବୁଦ୍ଧିଟା ଭାବଠାରୁ ଗୁର୍ଦୁ ହୋଇଗଲା ବୋଲି ଜାଣି ପାରୁଛନ୍ତି ଓ ତେଣୁ, ଏ ପାଖର ପଲାଟାରୁ ଚୁଚୁଳାଏ ନେଇ ସେ ପାଖର ପଲାରେ ପକାଇଦେଲେ ସବୁ ବିଡ଼ମ୍ବନା ଓ ବେହିସାବ ଦୂର ହୋଇଯିବ ବୋଲି ବିଚାର କରୁଛନ୍ତି । ପ୍ରୟୋଗଶାଳାର ସେଇ ପ୍ରଥମ ଯୁଗରେ ଯେତେବେଳେ ବିବିଧ ଚାତୁର୍ଯ୍ୟରେ ମାର୍ତ୍ତଣ୍ଡମାନେ ବୁଦ୍ଧିକୁ ମାପି ମଣିଷର ନାନା ସାମର୍ଥ୍ୟଗତ ଓ ଓଳମଗୁଡ଼ିକର ନିର୍ଣ୍ଣୟ କରୁଥିଲେ, ସେତେବେଳେ ସେମାନେ ବଡ଼ ମନୋରଞ୍ଜକ ଭାବରେ କେତେ କେତେ କଥା କହି ନଥିଲେ ! ଗୋରାମାନେ କଳାମାନଙ୍କଠାରୁ ଅଧିକ ବୁଦ୍ଧିଆ, ସହରର ଅଧିବାସୀମାନେ ଗ୍ରାମାଞ୍ଚଳର ଅଧିବାସୀଙ୍କଠାରୁ ଅଧିକ ବୁଦ୍ଧିଆ ଏବଂ ପୁରୁଷମାନେ ମଧ୍ୟ ନାରୀମାନଙ୍କଠାରୁ ଅଧିକ ବୁଦ୍ଧିଆ ବୋଲି ସେତେବେଳେ କେତେ କେତେ ବୈଜ୍ଞାନିକ ସନ୍ଦର୍ଭର କୁହୁଡ଼ିମାନ ସୃଷ୍ଟି କରାହୋଇ ବହିମାନ ଲେଖା ହୋଇଥିଲା । ସେଥିରେ କ’ଣ କେବଳ ବୁଦ୍ଧିଟା ହିଁ କାମରେ ଲାଗିଥିଲା ଏବଂ ଭାବର କୌଣସି ଭୂମିକା ନଥିଲା ? ଏପରି କିଛି କାର୍ଯ୍ୟ ପ୍ରକୃତରେ ଆମ ଜୀବନରେ ରହିଛି, ଯେଉଁଥିରେ କେବଳ ବୁଦ୍ଧି ଅର୍ଥାତ୍ ମଥାଟା ହିଁ ସମ୍ପୂର୍ଣ୍ଣ ଭାବରେ ଲାଗିଥାଏ ଏବଂ ସେଥିରେ ହୃଦୟର ଅର୍ଥାତ୍ ଭାବର ଆଦୌ କୌଣସି ଅବଦାନ ନଥାଏ ? ଏବେତ ମଥାବିଜ୍ଞାନର ପ୍ରବକ୍ତାମାନେ ଏକଥା ବି କହିଲେଣି ଯେ ଆମ ମସ୍ତିଷ୍କର ଗୋଟାଏ ପାଖ ଖାଲି ତାତ୍କାଳିକ ତତ୍ପରତାଗୁଡ଼ିକ ମଧ୍ୟରେ ନିଜକୁ ଛନ୍ଦି କରି ରଖିଥାଏ ଏବଂ ଅପର ପାଖଟି ସାଧାରଣ ଜ୍ଞାନ-ସତ୍ୟଗୁଡ଼ିକୁ ସାଇତି ରଖିଥାଏ । ଆମ ବୁଦ୍ଧିଆମାନଙ୍କର ଦୌରାତ୍ମ୍ୟ ସହି ସହି ଆମର ବୁଦ୍ଧିଟା ମଧ୍ୟ ଭାରି ନୟାନ୍ତ ହୋଇ ପଡ଼ିଲାଣି । ଆମର ତଥାକଥିତ ବୁଦ୍ଧିଗୁଡ଼ିକ ପଛରେ ହୁଏତ କେତୋଟି ଭାବଗତ ସ୍ଵଭାବ-କଠୋରତା ଏପରି ଅନମନୀୟ ଭାବରେ ପୋତି ହୋଇ ରହିଥାଆନ୍ତି ଯେ ବିଚରା ବୁଦ୍ଧିର ସେହିମାନଙ୍କର ତର୍ଜନୀଟିଦ୍ୱାରା ପରିଚାଳିତ ନହୋଇ କୌଣସି ଗତ୍ୟନ୍ତର ହିଁ ନଥାଏ । ହୁଏତ ଅଧିକ ସଙ୍ଗତି ରହିଥିବା କଥାଟି ହେଉଛି ଯେ ଅନେକ ସମୟରେ ଆମର ଭାବମାନେ ଅତିରିକ୍ତ ଭାବେ ପ୍ରବଳ ହୋଇ ଆମ ବୁଦ୍ଧିକୁ ବିଣ୍ଡି ପ୍ରାୟ କରି ରଖିଥାନ୍ତି ଅଥବା ବୁଦ୍ଧିମାନେ ପ୍ରବଳ ହୋଇ ଆମ ଭାବଗୁଡ଼ିକୁ ମଧ୍ୟ ବିଣ୍ଡି କରି ପକାଇଥାଆନ୍ତି-

 

ସମ୍ଭବତଃ, ଅସଲ ଦୁଃଖ ଓ ଅସଲ ଅସାମର୍ଥ୍ୟଟି ହେଉଛି ଏଇଠି । ଭାବ ଓ ବୁଦ୍ଧି ଗୋଟିଏ ସମଗ୍ରର ଦୁଇ ପାର୍ଶ୍ଵ ପରି ଯେଉଁଠାରେ ପରସ୍ପରର ହାତ ଧରାଧରି ହୋଇ ବାଟ ଚାଲୁଥାଆନ୍ତି, ପରସ୍ପରଦ୍ୱାରା ସମ୍ବଳିତ ହୋଇ ପାରୁଥାନ୍ତି ଏବଂ ଆଦୌ ପରସ୍ପରକୁ ଭୟ କରୁନଥାନ୍ତି, ସବୁଯାକ ସମାଧାନ ସେହିଠାରେ ଆସି ହିଁ ମିଳିଯାଏ । ମଣିଷ ହେଉଛି ସେହି ସମଗ୍ର ଏବଂ ତା’ଭିତରେ ଏକ ନିର୍ଦ୍ଦିଷ୍ଟ ଧର୍ମ ସ୍ଵାତନ୍ତ୍ର୍ୟ ଦ୍ଵାରା କାର୍ଯ୍ୟକାରୀ ହେବା ଲାଗି ମହଜୁଦ୍‌ ଥିବା ବୁଦ୍ଧି ଓ ଭାବ ଦୁହେଁ ପରସ୍ପରର ମିତ ହୋଇ ରହିବେ,–ତାହାହିଁ ସ୍ୱାସ୍ଥ୍ୟ, ଅସଲ ପ୍ରତିଷ୍ଠା ଏବଂ ଅସଲ ପରିପୂର୍ଣ୍ଣତା । ବୁଦ୍ଧିଗତ ଏବଂ ଭାବଗତ ଏକାଧିକ କାରଣ ରହିଛି, ଯାହା ଫଳରେ ଆମ ଜୀବନରେ ସେହି କଥାଟି ସମ୍ଭବ ହୁଏ ନାହିଁ ଏବଂ ତେଣୁ ବୁଦ୍ଧି ଏବଂ ଭାବ ଉଭୟେ ଦୁଃଖଭୋଗ କରନ୍ତି, ଦଣ୍ଡଭୋଗ କରନ୍ତି, ଭାରି ଦରିଦ୍ର ହୋଇ ରହନ୍ତି । ବୁଦ୍ଧିଟା ଦୁର୍ବୁଦ୍ଧିରେ ପରିଣତ ହୋଇଯାଏ ଏବଂ ଭାବର ସେହି ନିବିଡ଼ ଆସ୍ପୃହାଗୁଡ଼ିକୁ ଅଭାବବୋଧମାନେ ବଡ଼ ମର୍ମନ୍ତୁଦ ଭାବରେ ଢାଙ୍କି ରଖିଥାଆନ୍ତି । ଅଭାବବୋଧମାନେ ଭାବଗୁଡ଼ିକୁ ପ୍ରାୟ ଗୋଟାସୁଦ୍ଧା ବିଦାରି ପକାନ୍ତି । ଭାବ ଉଗ୍ର ହେଲେ ବୁଦ୍ଧିମାନେ ସବାଆଗ ଦୁର୍ବୁଦ୍ଧିରେ ପରିଣତ ହୋଇଯାଆନ୍ତି । ବୁଦ୍ଧିମାନେ ଦୁର୍ବୁଦ୍ଧି ହେଲେ ଭାବମାନେ ବି ଲାଜରା ହୋଇ ମୁହଁ ଲୁଚାଇ ପଡ଼ି ରହିଥାନ୍ତି । ବୁଦ୍ଧି ଉଗ୍ର ହେଲେ ଭାବଟା ଭୀରୁ ହୋଇ ରହିଥାଏ ଓ ଭାବମାନେ ଉଗ୍ର ହେଲେ ବୁଦ୍ଧିଟା ମଧ୍ୟ ଭୀରୁ ହୋଇଥାଏ । ଏହି ପୃଥିବୀରେ କ’ଣ ସେଇଥିପାଇଁ ଏଡ଼େ ଏଡ଼େ ପଣ୍ଡିତମାନେ ତୁଚ୍ଛା ଭୀରୁ ହୋଇ ରହିଛନ୍ତି କି ? ମୋଟେ ପାଣିରେ ପଶିବେ ନାହିଁ ବୋଲି କଣ୍ଡିଆରେ ବସି ଜଳର ଗଭୀରତାଗୁଡ଼ାକୁ ମାପି ବୁଢ଼ା ହୋଇ ଯାଉଛନ୍ତି କି ? ଭାବ ବା ବୁଦ୍ଧି ଯୋଉ ଥାନରେ ହେଉ ପଛକେ, ଯଦି ତୁମେ କୌଣସି ଅପଶାଇପ ଅରଜି ଉଗ୍ର ହୋଇ ରହିଥିବ, ତେବେ ତୁମକୁ ଭଗବାନ କେତେ କେତେ ବଳ ଦେଇଥିଲେ ମଧ୍ୟ ତୁମେ ଖାଲି ଅବସାଦ ଭିତରେ ବୁଡ଼ି ରହିଥିବ । ହୁଏତ ତୁମ ଭାବର ବହୁ ପ୍ରତିଶ୍ରୁତିମୟ ଭ୍ରୂଣଘରଟି ଭିତରେ ଗର୍ଭରେ ରହିଥିବା ପିଲାଟିଏ ମୁଣ୍ଡିଆ ମାରିଲା ପରି କେତେ କ'ଣ ମୁଣ୍ଡିଆ ମାରୁଥିବେ, ଅଥଚ ତୁମେ ବନ୍ଧ୍ୟା ହୋଇ ରହିଥିବ ।

 

ଅସଲ ବୁଦ୍ଧି ଭାବର ଆଖିମାନଙ୍କୁ ଖୋଲିଦିଏ, ଅସଲ ଭାବ ବୁଦ୍ଧିକୁ ରାଣ୍ଡୀ ପୁଅ ଛେଉଣ୍ଡ ହେବାର ଦୁର୍ଦ୍ଦଶାରୁ ରକ୍ଷା କରିବାରେ ଲାଗିଥାଏ । ଭାବର ଅଭାବରେ ବୁଦ୍ଧିମାନେ ଗୋଟିଏ ଗୋଟିଏ ଚତୁରତା ହୋଇ ରହିଯାଆନ୍ତି । ଧୂର୍ତ୍ତମାନଙ୍କର କବଳରେ ପଡ଼ି ଭାବର ଜଗତଟି ସଂପ୍ରତି ମୁଖ୍ୟତଃ ଛଟପଟ ହେବାରେ ହିଁ ଲାଗିଛି । ଛଟପଟ ମଣିଷଟାର ଭାବମାନେ ଯେ କେତେକେତେ ଛଟକରେ ଖାଲି ଭାବପ୍ରବଣତାର ଏକ ଭାନୁମତୀ ରାଜ୍ୟକୁ ସୃଷ୍ଟି କରି ରଖିଥାଆନ୍ତି, ସେକଥା ବିଚରା ସିଏ ଆଦୌ ଜାଣିପାରେ ନାହିଁ । ପଣ୍ଡିତମାନେ ହାଉଜାଉ ହେଉଥାଆନ୍ତି; କିନ୍ତୁ ପୁରୁଷାର୍ଥ ଘରେ ସତେଅବା ଶିକୁଳି ଲଗା ହୋଇଥାଏ । ବୁଦ୍ଧିମାନେ, ବିଦ୍ୟାମାନେ ସେତେବେଳେ ନିତାନ୍ତ ଅଯୋଗ୍ୟ ଖାମିନ୍ଦମାନଙ୍କର ଗୋଲାମି ଖଟିବାରେ ଲାଗିଥାଆନ୍ତି । ସେହିପରି କୌଣସି କାରଣରୁ ଆମର ବିଶ୍ୱବିଦ୍ୟାଳୟଗୁଡ଼ିକରେ ବିଦ୍ଵାନମାନେ ଏପରି ପ୍ରତିକାରଶୂନ୍ୟ ଭାବରେ ଗୋଲାମ ହୋଇ ରହିଛନ୍ତି କି ? ଭାବର କ୍ଷେତ୍ରଗୁଡ଼ିକରେ ପ୍ରାୟ କୌଣସି ସେତୁ ଦେଖିବାକୁ ହିଁ ମିଳୁନାହିଁ । କେତେକେତେ ସୁଯୋଗ ଖାଲି ଖତରା ହୋଇଯାଉଛି । ମଣିଷ ସହିତ ମଣିଷର ଭେଟ ହୋଇପାରୁନାହିଁ । ସମସ୍ତେ ଯେତେ ଅଧିକ ପାରୁଛନ୍ତି କେବଳ ଝୁଣି ନେଉଛନ୍ତି ଏବଂ ଯାହା କିଛି ପ୍ରକୃତରେ ଦେବାକୁ ଇଚ୍ଛା କରୁଛନ୍ତି ତାହା ଦେଇ ପାରୁନାହାନ୍ତି । ସବୁଥାଇ ଆପଣାକୁ ଅଲୋଡ଼ାବତ୍ ଅନୁଭବ କରିବାରେ ଲାଗିଛନ୍ତି । ସତେଅବା ଖାଲି ଶୁଖି ଯାଉଛନ୍ତି ।

 

ଆମ ଦେଶରେ ବହୁ ଆଡ଼ମ୍ବରରେ ପ୍ରଦାନ କରାଯାଉଥିବା ଶିକ୍ଷା ଭିତରେ ଭାବ ନାହିଁ ଅଥବା ବୁଦ୍ଧି ମଧ୍ୟ ନାହିଁ । ଏବଂ, ଏପରି ଏକ ଚତୁରତା ଭର୍ତ୍ତି ହୋଇ ରହିଛି, ଯାହାକି ଆମର ଏଠାରେ ବହୁତ ଉପେକ୍ଷା ଓ ଅବଜ୍ଞାର କାରଣ ହୋଇ ରହିଛି । ଆମ ଶାସନ ଭିତରେ ଚତୁରତା ସିନା ରହିଛି, ମାତ୍ର ବୁଦ୍ଧିମତ୍ତା କାହିଁ ? ଭାବପ୍ରବଣତା ହୁଏତ ଭରଭର ହେଉଛି, କିନ୍ତୁ ହୃଦ୍‌ବତ୍ତା କାହିଁ ? ଏବଂ, ରାଜନୀତିଟା ମଧ୍ୟ ତୁଛା ଚାଲାଖି ଆତ୍ମକାମୀ ମଣିଷମାନଙ୍କର ଚରାଭୂଇଁରେ ପରିଣତ ହୋଇ ରହିଛି । ଚଲାଖ ମଣିଷମାନଙ୍କର ଆପଣାର ହୋଇ କୌଣସି ଦେଶ ନଥାଏ, ସେମାନଙ୍କର ସମ୍ମୁଖରେ ରହି ହୁଏତ କୌଣସି ତାରା ସେମାନଙ୍କୁ ବାଟ ଦେଖାଉନଥାଏ, ସେମାନେ ପଢ଼ିଥିବା ପାଠମାନେ ସେମାନଙ୍କୁ ବିବେକର ପକ୍ଷ ଗ୍ରହଣ କରି କୌଣସି ଦଂଶନ ବି ଦିଅନ୍ତି ନାହିଁ । ଚତୁର ମଣିଷମାନେ ବଡ଼ ଧୋବ ଦିଶନ୍ତି, ସଫଳତା ନାମକ ଦେବୀଟିର ଉପାସନା କରୁଥାଆନ୍ତି । ନିଜ ବାହାରଟାର ଅଭିନୟରେ ନିଜ ଭିତରଟାକୁ ଧୋକା ଦେଉଥାଆନ୍ତି । ଅନର୍ଗଳ କଥା କହନ୍ତି ଏବଂ ପୃଥୁଳ ହୋଇ ବସିଥାନ୍ତି । ଆମ ଗରିବ ଦେଶର ହିସାବସବୁ କହୁଛନ୍ତି ଯେ, ଏଠାରେ ଚାଲୁଥିବା ବ୍ୟବସ୍ଥା ନାମକ ଜାଲଟିରେ ମଣିଷମାନଙ୍କର ଉନ୍ନୟନରେ ଯେତେ ଖରଚ ହୁଏ, ଚତୁରମାନେ ତାହାର ପ୍ରାୟ ନବେଭାଗ ଅଂଶକୁ ଆପଣାର ବେତନ ରୂପେ ମାଡ଼ି ବସନ୍ତି । ଶାସନରେ, ଶିକ୍ଷା ବିହାରମାନଙ୍କରେ ଏବଂ ରାଜନୀତିର ବଜାରରେ ତାହାହିଁ ନିର୍ମମ ଭାବରେ କାର୍ଯ୍ୟକାରୀ ହୋଇ ରହିଥାଏ । କୋଟି କୋଟି ମଣିଷଙ୍କୁ ଅସହାୟରୁ ଆହୁରି ଅଧିକ ଅସହାୟ କରି ରଖି ଏହି ଚତୁରମାନଙ୍କର ବିପଣି ଚାଲିଥାଏ ।

 

ଏହି ଦୁର୍ବୁଦ୍ଧିମାନଙ୍କୁ ଆପଣ କ’ଣ ତଥାପି ବୁଦ୍ଧିମାନ ବୋଲି କହିବେ ? ବୁଦ୍ଧି ତ ଭାବଆଡ଼କୁ ବାଟ ଦେଖାଇ ନେଇଯାଇ ପାରୁଥାନ୍ତା । ବିଜ୍ଞାନର ବୁଦ୍ଧିଟା ସତକୁସତ ବୁଦ୍ଧି ହୋଇଥିଲେ କ’ଣ ଆମର ଏହି ପୃଥିବୀରେ ସବୁ ମଣିଷଙ୍କର ପେଟ ପୂରାଇବା ସକାଶେ ବାଟ ନଖୋଜି ତାହା ସ୍ତୂପ ସ୍ତୂପ ବୋମା ତିଆରି କରି ଥୋଇ ଦେଉଥାଆନ୍ତା ? ଅସଲ ବୁଦ୍ଧି ତ ପ୍ରତିବାଦ କରିବା ଲାଗି ବଳ ଏବଂ ସାହସ ଦିଅନ୍ତା । ଅସଲ ଭାବଟା ପୃଥିବୀକୁ ଆଚ୍ଛନ୍ନ କରି ରହିଥିବା ରାତିଗୁଡ଼ାକର ମୁକାବିଲା କରି ବାହାରନ୍ତା । ମଣିଷକୁ ସବା ଆଗ ଦେଖି ପାରୁଥାନ୍ତା । ଜୀବନର ଧର୍ମଗୁଡ଼ିକୁ ସତକୁସତ ଚିହ୍ନିବାର ପ୍ରୟାସ କରନ୍ତା । ବୁଦ୍ଧିମାନ ମୁକ୍ତି ଲୋଡ଼ନ୍ତା, ନିଜର ମୁକ୍ତିକୁ ଅନ୍ୟ ସକଳଙ୍କର ମୁକ୍ତି ସହିତ ଏକାଠି କରି ଦେଖି ଶିଖନ୍ତା । ପରବର୍ତ୍ତୀ ଭବିଷ୍ୟ ରୂପେ ଯେଉଁ ଅନ୍ୟ ବ୍ୟବସ୍ଥାଟି ଲାଗି ଅପେକ୍ଷା ରହିଛି, ସେଥିରେ ବୁଦ୍ଧିପକ୍ଷ ଓ ଭାବପକ୍ଷକୁ କେହି ଆଦୌ ଅଲଗା ଅଲଗା କରି କଦାପି ଦେଖିବେ ନାହିଁ । ସେଇଥିରୁ ଏପରି ଏକ ସମ୍ମାନବୋଧ ଜନ୍ମଲାଭ କରିବ, ଯାହାକି ଏହି ପୃଥିବୀରେ ଏକ ଅନ୍ୟ ପରିମଳକୁ ସ୍ଵୀକାର କରିନେବ । ମୋଟେ ଗମ୍ଭୀରି ଭିତରେ ପଶି ରହିବ ନାହିଁ । ଯଦି ସତ୍ୟ ବୋଲି କେଉଁଠି ଥାଏ, ତେବେ ସେଥିରେ ଭାବ, ଏବଂ ବୁଦ୍ଧି ଉଭୟେ ଅବଶ୍ୟ ରହିଛନ୍ତି ବୋଲି ଅନ୍ୟ ପ୍ରତ୍ୟୟଟି ସେତିକିବେଳେ ସାକାର ହୋଇ ଆସିବ । ଅଚେତାମାନେ ସେତେବେଳେ ଯାଇ ଚେତା ହେବେ, ମଣିଷ ମଣିଷକୁ ସତକୁସତ ଖୋଜି ବାହାରିବ । ଆପଣାର ହୋଇଯିବ ଏବଂ ଆପଣାର କରିନେଇପାରିବ ।

 

୭.୧୦.୦୨

☆☆☆

 

ତୁମର କେଉଁ ଶୃଙ୍ଖଳା ?

 

ଆମେରିକା କହ ଅଥବା ଭାରତବର୍ଷ କହ, ଶୃଙ୍ଖଳା ହେଉଛି କେବଳ ଗୋଟିଏ । କିନ୍ତୁ ତାହା ଆମେରିକାର ଶୃଙ୍ଖଳା ନୁହେଁ କିମ୍ବା ଭାରତବର୍ଷର ଶୃଙ୍ଖଳା ନୁହେଁ । ସାରା ପୃଥିବୀଟା ଭିତରୁ ବାହାରିଯାଇ ନିଜର ଏହି କ୍ଷୁଦ୍ରିତିକ୍ଷୁଦ୍ର କୋଣଟାକୁ ସମଗ୍ର ପୃଥିବୀ ବୋଲି କହିବାରେ ଲାଗିଥିବା ଅମଣିଷ ଅତ୍ୟାଭିମାନୀ (ସେମାନଙ୍କୁ ଆପଣ ସ୍ଵାଭିମାନୀ ବୋଲି ମଧ୍ୟ କହିପାରିବେ) ମାନଙ୍କର ଶୃଙ୍ଖଳା ହେଉଛି ଏକାବେଳେକେ ଏକ ଅଲଗା ଧାତୁ ଓ ଅଲଗା ମତଲବର ଶୃଙ୍ଖଳା ସାରା ପୃଥିବୀର ଶୃଙ୍ଖଳା, ତାହା ହେଉଛି ଶ୍ରଦ୍ଧାର ଶୃଙ୍ଖଳା । ତାହା କାଶୀପୁରର ଶୃଙ୍ଖଳା ତଥା ରାଜଧାନୀରେ ରମଣରତ ହୋଇ ରହିଥିବା କ୍ଷମତାସୁରମାନଙ୍କର ଶୃଙ୍ଖଳା । ଅଘାସୁରମାନେ ସେହି କଥାଟିକୁ କୌଣସି ଯୁଗରେ ମଧ୍ୟ ମାନିନାହାନ୍ତି । ସେଇଥିରୁ ହିଁ ପୃଥିବୀଯାକର ବିଶୃଙ୍ଖଳା ଜନ୍ମଲାଭ କରିଛି । ଆକାଶଟାକୁ ଭାଗ ଭାଗ କଲେ ଆକାଶ ନାମକ ଶୃଙ୍ଖଳା ପ୍ରକୃତରେ ଭାରି ନଷ୍ଟଭ୍ରଷ୍ଟ ହୋଇଯିବ । ଅଳପରେ କୌଣସି ସୁଖ ନାହିଁ ବୋଲି ଶାସ୍ତ୍ରକାରମାନେ ଯୁଗେ ଯୁଗେ ଘୋଷଣା କରି ଆସିଥିଲେ ମଧ୍ୟ ପୃଥିବୀରେ ଏକ ଖାସ୍ ସ୍ୱାର୍ଥ ତଥା ଖିଆଲର ମଣିଷମାନେ, ନିତାନ୍ତ ଅଳପମାନେ ଏଠାରେ କେବଳ ଆପଣାକୁ ହିଁ ଏକମାତ୍ର ବୋଲି ମାନିଛନ୍ତି ଓ ସାରା ଜଗତ ଲାଗି ପ୍ରତିଶ୍ରୁତ ହୋଇ ରହିଥିବା ବ୍ୟବସ୍ଥାଗୁଡ଼ିକୁ ଖିନ୍‌ଖରାପ କରିଦେଇଛନ୍ତି । ସେମାନଙ୍କୁ ଆମେ ବର୍ବର ନକହି ଆଉ କାହିଁକି କ’ଣ ବୋଲି କହିବା ? ଏବଂ, ଭାରି ବିଡ଼ମ୍ବନାର ବ୍ୟାପାର ଯେ, ବର୍ବରମାନେ ହିଁ ଆଗ ଅସଲ ଶୃଙ୍ଖଳାଟିକୁ ଭାଙ୍ଗିଦେଇ ସମଗ୍ର ପୃଥିବୀର ସବୁକିଛି ଓ ସକଳ ମନୁଷ୍ୟ ସେହିମାନଙ୍କର ବୋଲି ମାନି ଆତଯାତ ହୁଅନ୍ତୁ ବୋଲି କେତେ ଦର୍ପର ସହିତ ଦାବି କରିଛନ୍ତି । ଏବେ ମଧ୍ୟ କମ୍ କରୁନାହାନ୍ତି ।

 

ଆମ ଗାଆଁଠାରୁ ଆରମ୍ଭ କରି ଆମେରିକା ଯାଏ ତୁମ ଆମ ଜୀବନଗୁଡ଼ିକ ଯେଉଁ ଶୃଙ୍ଖଳାରେ ଚାଲୁଛି, ତାହା ହେଉଛି ଏକାଧିକ ଅର୍ଥରେ ବର୍ବରମାନଙ୍କର ଶୃଙ୍ଖଳା । ମୁଁ ଆପେ ଯଥାସମ୍ଭବ ସବୁକିଛିକୁ ଭୋଗ କରିବି ବୋଲି ଯଥାସମ୍ଭବ ଅଧିକରୁ ଅଧିକ ମଣିଷଙ୍କୁ ସେଥିରୁ ବଞ୍ଚିତ କରିରଖିବି, ଏଇଟା ହେଉଛି ବର୍ବରମାନଙ୍କର କଥା ଓ ବର୍ବରମାନଙ୍କର ହିସାବ, ତୁଚ୍ଛା ଧୋକାଦେବାର ହିସାବ, ତୁଚ୍ଛା ଗିଳି ପକାଇବାର ହିସାବ । ଆମର ଏହି ଯୁଗଟାକୁ ଯଦି ଆପଣ ବିଜ୍ଞାନର ଯୁଗ ବୋଲି କହନ୍ତି, ତେବେ ଏକଥା ବି କୁହାଯାଇ ପାରିବ ଯେ ଆମର ଏହି ଯାବତୀୟ ତଥାକଥିତ ବିଜ୍ଞାନ ପୃଥିବୀରେ ସତକୁସତ ଅଳପ ମଣିଷ ବହୁତ କେତେ ମଣିଷଙ୍କୁ ସେହି ଗିଳି ପକାଇବାରେ ହିଁ ସର୍ବାଧିକ ସାହାଯ୍ୟ କରୁଛି । ପୃଥିବୀଟାରେ ସତେ ଅବା ଗୋଟାଏ କୁବେରପୁରୀର ବିତ୍ତ ଓ ଅର୍ଥ ମହଜୁଦ୍ ହୋଇ ରହିଛି, ତଥାପି କୋଟି କୋଟି ମଣିଷଙ୍କ ପାଇଁ ସମ୍ମୁଖରେ କୌଣସି ଦିଗ୍‍ବଳୟ ହିଁ ଦୃଷ୍ଟିଗୋଚର ହୋଇପାରୁ ନାହିଁ । ଗୋଟାଏ ପୃଥିବୀରେ ଦଶଟା ପୃଥିବୀ ପାଇଁ ଖାଦ୍ୟ ମହଜୁଦ୍ ହୋଇ ରହିଛି, ଅଥଚ ଏଠି ଅଧେ ମଣିଷଙ୍କର ପେଟକୁ ଦାନା ନାହିଁ । ହାତକୁ କାମ ନାହିଁ ଓ ପେଟକୁ ଦାନା ନାହିଁ । ଖଳାରେ ପାଠ ଓ ଜ୍ଞାନମାନ ଗଦାମରାହୋଇ ରହିଛନ୍ତି, ମାତ୍ର ପୃଥିବୀରେ ଅଧେ ପିଲା କୋଉ ଦୁର୍ଭାଗ୍ୟ ଭିତରେ ପଡ଼ି କଲବଲ ହେଉଥିବା ପରି ପାଠଶାଳାର ମୁହଁ ବି ଦେଖି ପାରୁନାହାନ୍ତି । ଏସବୁ ଅବଶ୍ୟ ଏକ ଦୈତ୍ୟର ଶୃଙ୍ଖଳା । ବର୍ବରମାନଙ୍କର ଶୃଙ୍ଖଳା । ଆମ ଗାଆଁଠାରୁ ଆରମ୍ଭ କରି ତେଣେ ଆମେରିକା ଯାଏ ଲମ୍ବି ରହିଥିବା ସାରା ପୃଥିବୀର ଶୃଙ୍ଖଳା । ମଣିଷମାନଙ୍କ ଭିତରେ ଜଣେ ଭଗବାନ ବିରାଜିତ ରହିଛନ୍ତି ବୋଲି ଆମ ପରିପାଟୀଯୁକ୍ତ ଶାସ୍ତ୍ରମାନେ କେତେ ବିହ୍ୱଳ ଭାବରେ ଋଷିମାନଙ୍କର ମୁଖରୁ କୁହାଇ ଆସିଛନ୍ତି ସିନା, କିନ୍ତୁ ଏହି ବାହାରଟାକୁ ମଧ୍ୟ ସେହି ଅନୁସାରେ ସଜାଡ଼ି ରଖିବାଟା ସେମାନଙ୍କଦ୍ୱାରା ସମ୍ଭବ ହୋଇପାରି ନାହିଁ କାହିଁକି କେଜାଣି ? ଆମ ଭିତରେ ଦେବତାଟା ସହିତ ବାଜି ଲଗାଇ ଗୋଟାଏ ଦୈତ୍ୟ ମଧ୍ୟ ରହିଛି, ଗୋଟାଏ ବର୍ବର ରହିଛି, ଯିଏକି ଆମ ଭିତରର ଭଦ୍ର ଏବଂ ମହତ୍‌ ପିପାସୁଟି ସହିତ ନିତ୍ୟ ସଂଗ୍ରାମ କରୁଛି, ଆମ ସମସ୍ତଙ୍କ ବିଷୟରେ ଏପରି ଅନୁମାନଟିଏ କରାଯାଇ ପାରିବ କି ? ଯେତେ ଅସନା ମାଡ଼ୁଥିଲେ ମଧ୍ୟ ଆମେ ନିଜ ସହିତ ନିରୋଳରେ ବସି ଏହି ପ୍ରଶ୍ନଟିକୁ ପଚାରିବା । ତେବେ ଯାଇ ଆମ ଜୀବନରେ ରହିଥିବା (ଅଥବା ରହିଛି ପରି ମନେ ହେଉଥିବା) ଶୃଙ୍ଖଳାଟିର ବି ବର୍ଣ୍ଣ ତଥା ଧାତୁ ନିରୂପଣ ମଧ୍ୟ କରିପାରିବା । ନିଜ ସହିତ କଥାଟି ଛିଣ୍ଡିପାରିଲେ ଯାଇ ତ ଅନ୍ୟ ସହିତ ଏକାଠି ବସି ମଧ୍ୟ ଆମେ ସେହି ବ୍ୟାପାରଟିର ସଦର ଓ ମଫସଲଗୁଡ଼ିକୁ ନିଖାରି ଦେଖିପାରିବା ଓ ହୁଏତ ଆଉ କିଛି ପ୍ରକାରେ ହୋଇ ପାରିବା ପାଇଁ ନିଜ ଉପରେ ଭରସା ବି କରିପାରିବା । ମାତ୍ର, ଏସବୁ ସକାଶେ ଯେଉଁ ଅପରିମିତ ଶ୍ରଦ୍ଧା ଦରକାର, ସେହି ଶ୍ରଦ୍ଧା ପୁଣି କେଉଁଠାରୁ ଆସିବ ?

 

ସଂସାରର ସାଂପ୍ରତିକ ଗତି ଏବଂ ପ୍ରବୃତ୍ତିଗୁଡ଼ିକୁ ଦେଖି ବହୁତ ମଣିଷ ଦୁଃଖୀ ହୋଇ ଯାଉଥିବା ପରି କହୁଛନ୍ତି ଯେ, ଏବେ ଆମର ଏଠି ଶ୍ରଦ୍ଧା ଆଦୌ ବଢ଼ୁନାହିଁ । ଅଥଚ ଏଣେ ଶୃଙ୍ଖଳାଟା ବଢ଼ି ବଢ଼ି ଯାଉଛି । ଅଭାବନୀୟ ନାନା ମାର୍ଗରେ ଏବଂ ନାନା ପରାକ୍ରମରେ ବଢ଼ି ବଢ଼ି ଯାଉଛି । ମନୁଷ୍ୟମାନଙ୍କର ଜୀବନକୁ ସମୁଚିତ ସରଣୀମାନଙ୍କରେ ଆଣି ପକାଇବାକୁ ଆମ ସମୟର ମାଲିକମାନେ ନୂଆ ନୂଆ ମେସିନ୍‍ର ସାହାଯ୍ୟରେ ପୃଥିବୀକୁ ଗୁଳାଗୁଡ଼ିକରେ ଆଣି ବାନ୍ଧି ରଖିଛନ୍ତି ଓ ସେହି ଗୁଳାଗୁଡ଼ିକୁ ଶୃଙ୍ଖଳା ବୋଲି କହି କେତେ ସନ୍ତୋଷ ବି ଲାଭ କରୁଛନ୍ତି । ରାଷ୍ଟ୍ରମାନଙ୍କର ଭଳିକି ଭଳି ଶୃଙ୍ଖଳା, ବିଦ୍ୟାଳୟରେ ଶୃଙ୍ଖଳା, ଶାସନରେ ଶୃଙ୍ଖଳା ଏବଂ ପ୍ରୟୋଗଶାଳାମାନଙ୍କରେ ଭୁରି ଭୁରି ଶୃଙ୍ଖଳା । ମଣିଷମାନଙ୍କର ମଥା କେତେ ବାଗରେ ପୋଷ ବି ମାନିଯାଉଛି । ଗୁଳା ଗୁଳା ଭିତରେ ବାଦ ଲାଗିଛି ଏବଂ ସେହି ବାଦ ପାଚି ପାଚି ଏବେ ବୋମାଯାଏ ଆସିଲାଣି । ବୋମାମାନେ ନୂଆ ନୂଆ ପରିଚ୍ଛଦ ପିନ୍ଧି ବାହାରୁଛନ୍ତି ସିନା, ମାତ୍ର ବାଦ ଛିଣ୍ଡି ପାରୁନାହିଁ । ମଣିଷ ମଣିଷ ଭିତରେ ବ୍ୟବଧାନ ବଢ଼ି ଯାଉଥିବାରୁ ବାଦ । ଏବଂ, ସେହି ବାଦ କ’ଣ ବୋମାରେ ମେଣ୍ଟିବ ? ବାଦ ଶ୍ରଦ୍ଧାରେ ହିଁ ମେଣ୍ଟି ପାରନ୍ତା । ପୃଥିବୀରେ ଶ୍ରଦ୍ଧା ବଢ଼ିବା ନିମନ୍ତେ ଶିକ୍ଷା, ତାହାହିଁ ଅସଲ ଶୃଙ୍ଖଳା । ମଣିଷମାନଙ୍କୁ ଯେଉଁମାନେ ଶାସନ କରି ଆସିଛନ୍ତି, ସେମାନେ ସେହି ଶୃଙ୍ଖଳାର ସତ୍‍ପ୍ରେରଣାଗୁଡ଼ିକୁ କେତେ ଚାଇଁ ହୋଇ ବହିମାନଙ୍କରେ ଲେଖି ରଖିଛନ୍ତି । ସେହି ବହିଗୁଡ଼ିକ ଗାଦି ହୋଇ ପୂଜା ପାଉଛନ୍ତି । ବହିରେ ଗୋଟାଏ କଥା ଲେଖା ହୋଇଥିବ ଏବଂ ଜୀବନ ଆଉ ଗୋଟାଏ ପ୍ରକାରେ ଚାଲିଥିବ । ଆମେ ବହିମାନଙ୍କରେ ଯାହାକୁ ପଢ଼ୁଥିବା, ତାହା ଜୀବନ ପାଇଁ ପ୍ରକୃତରେ କୌଣସି କାମ ଦେବନାହିଁ ବୋଲି ବାହାରେ ବହୁଥିବା ହାୱାଗୁଡ଼ିକ ଆମକୁ ଦିନରାତି ଫୁସୁଲାଇବାରେ ଲାଗିଥିବେ, ଏହି ଅରୀତିଟାକୁ ମଧ୍ୟ କ’ଣ ଏକ ଶୃଙ୍ଖଳା ବୋଲି କୁହାଯିବ ? ଏବଂ, ଆମ ପୃଥିବୀରେ, ଆମ ଘରେ, ଆମ ଗାଆଁଠାରୁ ଆରମ୍ଭ କରି ଆମ ହସ୍ତିନାପୁର ପର୍ଯ୍ୟନ୍ତ ଯେ ସଂଘର୍ଷ ସୁଚିନ୍ତିତ ଭାବରେ ସେହି ତାମସାଟା ଲାଗି ରହିଛି, ଆମେ ସେଥିପାଇଁ କାହାକୁ ବା କୋଉମାନଙ୍କୁ ଦାୟୀ କରିବା ?

 

ବନ୍ଧୁ, ତୁମେ ହିଁ ନିଷ୍ପତ୍ତି କରିବ ତୁମର ପ୍ରକୃତରେ କେଉଁ ଶୃଙ୍ଖଳାଟି ଦରକାର । ଯେଉଁ ଶୃଙ୍ଖଳାଦ୍ୱାରା ପୃଥିବୀଟାକୁ ଅସମାନ କରି ଓ ଭାଗ ଭାଗ କରି ରଖାଯାଇଛି, ଯିଏ ସବାଆଗ ଅନ୍ୟମାନେ ତୁମଠାରୁ ଗୋଟାସୁଦ୍ଧା ଭିନେ ବୋଲି ମନ୍ତ୍ରଣା ଦେଉଛି, ଏହି ସଂସାର କେବଳ, ଶତ୍ରୁମାନଙ୍କଦ୍ଵାରା ଭର୍ତ୍ତି ହୋଇ ରହିଛି ବୋଲି ତୁମ ବିବେକର କାନ ପାଖରେ ମନ୍ତ୍ର ଫୁଙ୍କିବାରେ ହିଁ ଲାଗିଛି, ତୁମେ କ’ଣ ସେହି ଶୃଙ୍ଖଳାର କୁହାକୁ ମାନିବ ? ଏପରି ଧର୍ମମାନେ ରହିଛନ୍ତି, ଯେଉଁମାନେ ନିଜକୁ ଅନ୍ୟ ଧର୍ମମାନଙ୍କଠାରୁ ଅଧିକ ଠିକ୍ ବୋଲି କହନ୍ତି, ତୁମେ କ’ଣ ସେହି ଧର୍ମକୁ ନିଜ ଜୀବନର ଗୁଳାଟିଏ ପରି ମାନିନେବ ଏବଂ ଲଙ୍ଗଲୀ ହେବ ? ଏପରି ପାଠପଢ଼ା ରହିଛି, ଯାହାକି ତୁମର ମଥାଟାକୁ ଅଧିକ କୁଟିଳ କରି ରଖିବାର ଉଦ୍ୟମ କରୁଛି, ଅନ୍ୟମାନଙ୍କୁ ପାଦରେ ଦଳି ଦେଇ ଆଗକୁ ମାଡ଼ିଯିବା ପାଇଁ ପରାମର୍ଶ ଦେଉଛି, ତୁମେ କ’ଣ ସେହି ପାଠ ପଢ଼ିବ ? ମଣିଷ ମଣିଷକୁ ଘୃଣା କରି, ଯେଉଁଠି ତାହାରି ଉତ୍ତାପରେ ହିଁ ନିଜକୁ ଅଧିକ ପବିତ୍ର ବୋଲି ଅନୁଭବ କରୁଛି, ଆଉ ଜଣେ ମଣିଷକୁ ଦେଖିଲେ ସ୍ଵଭାବପ୍ରେରିତ ଭାବରେ ଓହ୍ଲାଇ ଆସି ପାରୁନାହିଁ, ତୁମେ କ’ଣ ସେହି ଅତ୍ୟନ୍ତ ଲକ୍ଷ୍ମୀଛଡ଼ାମାନଙ୍କ ସହିତ ସାମିଲ ହୋଇ ରହିବ ବୋଲି ତଦନୁରୂପ ଶୃଙ୍ଖଳାରେ ନିଜକୁ ମଣ କରିବାରେ ଲାଗିଥିବ ? ମଣିଷମାନଙ୍କ ଭିତରେ ଅସଲ କ’ଣଟିଏ ରହିଛି, ଯାହା ସହିତ ସମ୍ବନ୍ଧ ଯୋଡ଼ି ପାରିଲେ ଅର୍ଥାତ୍ ଯାହା ପର୍ଯ୍ୟନ୍ତ ସେତୁଟିଏ ପକାଇ ପାରିଲେ ନିଜ ସହିତ ଯୁଗପତ୍ ଭାବରେ ସମସ୍ତେ ଦିଶିଯାଆନ୍ତି, ସେଠିକି ପହଞ୍ଚି ପାରିବା ନିମନ୍ତେ ମଧ୍ୟ ଶୃଙ୍ଖଳାଟିଏ ଅବଶ୍ୟ ରହିଛି-। ତୁମେ ଯଦି ସେହି ଶୃଙ୍ଖଳାକୁ ମନ କରିପାରିବ, ତେବେ ଏହି ପୃଥିବୀ ତୁମକୁ ସତକୁସତ ଭଲ ଲାଗିବ, ନିଜ ଘର ପରି ଅର୍ଥାତ୍ ତାଙ୍କରି ଘର ପରି ଅନୁଭବ ହେବାକୁ ବି ଆରମ୍ଭ କରିବ-। ଏଠାରେ କେବଳ ତୁମେ ନୁହେଁ, ସମସ୍ତେ ହିଁ ବାଟ ଚାଲିଛନ୍ତି ବୋଲି ତୁମ ଚିତ୍ତଗଗନରେ ପ୍ରତ୍ୟକ୍ଷ ହୋଇ ଆସୁଥିବ । ତା’ପରେ ତୁମେ କାହାକୁ ଘୃଣା କରିବା ବା କାହା ସହିତ ଲଢ଼ିବ, ତୁମେ କାହାଠାରୁ ଆପଣାକୁ ଅଧିକ ଆଶୀର୍ବାଦପ୍ରାପ୍ତ ବୋଲି କହିବ ? ସେଇଟି ପ୍ରକୃତରେ ଏଭଳି ଏକ ଶୃଙ୍ଖଳା, ଯାହାକି ତୁମ ଲାଗି ବହୁ ଗ୍ରନ୍ଥିମୋଚନର କାରଣ ହେବ । ତୁମେ ସତେଅବା କେତେ ସହଜ ଭାବରେ କାହାପାଖରେ ଯାଇ ଧରାଦେବ,–ତାହାରି ଚାକର ହୋଇ ରହିବ, ମୁକ୍ତି ପାଇଯିବ-। ଜୀବନର ସେହି ଇସ୍କୁଲରେ ଭର୍ତ୍ତି ହେବା ନିମନ୍ତେ ମଧ୍ୟ ଶୃଙ୍ଖଳାଟିଏ ସର୍ବଦା ରହିଛି । ସେହି ଶୃଙ୍ଖଳା ହେଉଛି ଭୟମୁକ୍ତ ହେବାର ଶୃଙ୍ଖଳା,–ନିଜେ ନବୁଝିଥିବା ପର୍ଯ୍ୟନ୍ତ ନାହିଁ କରୁଥିବାର ଏକ ଶୃଙ୍ଖଳା-। ଇତିହାସରେ ପଛକୁ ଅନାଇଦେବା ମାତ୍ରକେ ଆମକୁ ପ୍ରମାଣ ପରେ ପ୍ରମାଣ ଅବଶ୍ୟ ମିଳିଯିବ ଯେ, ଆମ ଚାରିପାଖରେ ଯେତିକି ଅଛି, ତାହାକୁ ହିଁ ସବୁକିଛି ବୋଲି ମାନି ନନେଲେ ଆଉ ଅଧିକର ଆସ୍ପୃହାଦ୍ୱାରା ପରିଚାଳିତ ହେବା ଓ ତେଣୁ ଏଠି ସହଜ ଭାବରେ ନାହିଁ ବୋଲି କହି ପାରିଥିବା ମଣିଷମାନେ ହିଁ ପୃଥିବୀକୁ ଯୁଗେ ଯୁଗେ ଅଗ୍ରସର କରାଇ ନେଇଛନ୍ତି । ସେମାନେ ମୋଟେ ଡରିନାହାନ୍ତି । ଅସଲ ଶୃଙ୍ଖଳାଟିକୁ ସେମାନେ ବାହାରୁ ନୁହେଁ, ନିଜର ଭିତରୁ ହିଁ ପାଇଛନ୍ତି-। ଏହି ପିତୁଳାମାନଙ୍କୁ ଭେଦ କରି ପାରିଛନ୍ତି । ନିଜ ଭିତରର ଅସଲ ବଣିଆଟି ହଁ ନ କରିଥିବା ପର୍ଯ୍ୟନ୍ତ ସେମାନେ ବାହାରର ପିତଳଗୁଡ଼ାକୁ ସୁନା ବୋଲି କହିବାକୁ କେବେହେଲେ ମନ କରିନାହାନ୍ତି-। ସେମାନେ ଆମ ସମସ୍ତଙ୍କ ନିମନ୍ତେ ପାହାଚ ଉଠିଛନ୍ତି ଏବଂ ଖିଳ ପୃଥିବୀ ଲାଗି ହିଁ ବିଜୟଗୁଡ଼ିକୁ ଆଣି ଦେଇଛନ୍ତି । ସେମାନେ ଖାଲି ଏ ଧର୍ମର କିମ୍ବା ସେ ଧର୍ମର କଦାପି ନୁହନ୍ତି । ସେମାନେ କୌଣସି ପ୍ରଲୋଭନରେ ବି ଆମର ଏହି ଜଙ୍ଗଲଗୁଡ଼ାକ ଭିତରେ ପଶିବାକୁ କେବେ ହେଲେ ଇଚ୍ଛା କରିନାହାନ୍ତି । ସେମାନେ ଯାବତୀୟ ଅର୍ଥରେ ଜଣେ ଜଣେ ନିମିତ୍ତ ହୋଇପାରିଛନ୍ତି, ଯୁଗେ ଯୁଗେ ଅଧ୍ୟାତ୍ମର ପ୍ରତିନିଧିତ୍ୱ କରିଛନ୍ତି । ବନ୍ଧୁ, ଚାଲ ଆମେ ସେଇମାନଙ୍କୁ ଚିହ୍ନିବା, ସେଇମାନଙ୍କ ସହିତ ବିରାଦରୀରେ ବାନ୍ଧି ହୋଇ ରହିବା । ତେବେ ଯାଇ ଏହି ପୃଥିବୀ ଆହୁରି ଆଗକୁ ଯାଇ ଯେପରି ହେବାକୁ ମନ କରୁଛି, ଆମେ ସେହି କଥାଟିର ଇସାରା ପାଇଯିବା । ନିଜ ଭିତରୁ ଇସାରା ପାଇଯିବା, ଏବଂ କ୍ରମେ ପରସ୍ପର ମଧ୍ୟରେ ବି ଆମକୁ ସେହି ଇସାରାଟି ମିଳିବାକୁ ଆରମ୍ଭ କରିବ-। ଏବଂ ତା’ପରେ ବର୍ତ୍ତମାନର ଏହି କାଛଗୁଡ଼ାକ ଭାଙ୍ଗି ପଡ଼ିବା ନିମନ୍ତେ ହୁଏତ ଆଦୌ ଅଧିକ ସମୟ ଲାଗିବ ନାହିଁ । ଆମେ ଆଖର ଯାହାର ହୋଇଯାଇଥିବା, ସେଇ ଆମଲାଗି ସବୁଯାକ କାମକୁ ସମ୍ପନ୍ନ କରିହେଉଥିବ ।

 

୧୪.୯.୦୨

☆☆☆

 

ଆମେରିକାରେ ଆଉଥରେ (୪)

 

ଆମେରିକାର ଗଣତନ୍ତ୍ର ହେଉଛି ଏକ ଢୋଲା ଗଣତନ୍ତ୍ର । ପୃଥିବୀରେ ଯେଉଁ ଦେଶରେ ଢୋଲୁମାନେ ହିଁ ଅଧିକ ସଂଖ୍ୟାରେ ରହିଛନ୍ତି ଏବଂ ନିଜ ଦେଶର ଅଧିକାଧିକ କାରବାରକୁ ନିୟନ୍ତ୍ରଣରେ ରଖିଛନ୍ତି, ସେହି ଦେଶର ରାଷ୍ଟ୍ରଟା ମଧ୍ୟ ପ୍ରାୟ ଧର୍ମତଃ ଢୋଲୁ ହେବା ନିମନ୍ତେ ଅତି ପରିମାଣରେ ବାଧ୍ୟ ହେଉଥିବ । ‘ଢିଲା’ ଶବ୍ଦଟିର ଗୋଟିଏ ସକାରାତ୍ମକ ଅର୍ଥ ରହିଛି, ଯେଉଁଟି ଅନୁସାରେ ଗଣତନ୍ତ୍ରର ବିଧାନଗୁଡ଼ିକୁ ସର୍ବାଗ୍ର ମାନ୍ୟତା ଦେଇ ଚାଲୁଥିବା କୌଣସି ଶାସନକୁ ଏକ ଢିଲା ଶାସନ ବୋଲି କୁହାଯାଇପାରନ୍ତା; କିନ୍ତୁ ‘ଢିଲା’ ଶବ୍ଦଟିର ନକରାତ୍ମକ ଅର୍ଥରେ ହିଁ ଆମେରିକାକୁ ଅନେକ କ୍ଷେତ୍ରରେ ଆମେ ଖୁବ୍‌ ଯୁକ୍ତିଯୁକ୍ତ ଭାବରେ ଢିଲା ବୋଲି ମଧ୍ୟ କହିପାରିବା । ଏକ ବିତ୍ତବହୁଳ ଦେଶ ଯଦି ନିଜର ବିତ୍ତବହୁଳତାକୁ ହିଁ ଆପଣାର ସବା ବଡ଼ ପୁଞ୍ଜି କରି ପୃଥିବୀ ନାମକ ଗୋଦମରେ ସର୍ବୋଚ୍ଚ ସଟ୍ଟାଧୀଶ ହୋଇ ବସିବାର ବୁଦ୍ଧିଟିକୁ ଆଦରି ନେଇଥିବା, ତେବେ ସିଏ ଏକାଧିକ ଅବସରରେ ଢିଲା ହେବାକୁ ହିଁ ବାଧ୍ୟ ହେବ । ହଁ, ପଶ୍ଚିମ ଇଉରୋପର ଦେଶମାନେ, ଆମର ଏହି ଜାଗତିକ ହାନିଲାଭର ତୁଠରେ ଆମେରିକାର କାନି ଧରି ଯେ ରହିଥାନ୍ତି, ତାହାର ସ୍ୱତନ୍ତ୍ର କାରଣମାନ ଅବଶ୍ୟ ରହିଛି; କିନ୍ତୁ ଦ୍ୱିତୀୟ ମହାଯୁଦ୍ଧ ପରେ ଉପନିବେଶ ହୋଇ ରହିବାର ଶିକୁଳିରୁ ମୁକ୍ତିଲାଭ କରି ଏସିଆ ଏବଂ ଆଫ୍ରିକାରେ ଯେଉଁସବୁ ଦେଶ ଅର୍ଥାତ୍ ରାଷ୍ଟ୍ର ନିଜ ପାଇଁ ଶାସନ ଓ ଦେଶ ଗଠନର ଛାଞ୍ଚଟିଏ ବିବର୍ତ୍ତିତ କରି ଆଣିବା ପାଇଁ ଖୁବ୍ ଧନ୍ଦି ହୋଇ ଯାଉଛନ୍ତି ଏବଂ ତଥାପି ଝୁଣ୍ଟି ପଡ଼ି ପାଦତଳେ ଭୂଇଁଟିଏ ସମ୍ଭବ କରିବେ ବୋଲି ସଂଗ୍ରାମ କରୁଛନ୍ତି, ଆମେରିକାର ଢୋଲା ରାଷ୍ଟ୍ରଟା ସେମାନଙ୍କର ଗଭୀର ପ୍ରତ୍ୟାଶା ତଥା ଉଦ୍ୟମଗୁଡ଼ିକୁ ବୁଝିବାରେ ଖୁବ୍‍ ବେଶି ସମର୍ଥ ହୋଇପାରିନାହିଁ ।

 

ଏସିଆର ଏହି ଦକ୍ଷିଣପୂର୍ବ ଅଞ୍ଚଳଟିରେ ଭାରତବର୍ଷ ପ୍ରାୟ ଏକମାତ୍ର ଦେଶ, ଯିଏକି ସେହି ମୂଳରୁ ହିଁ ନିଷ୍ପତ୍ତିମୂଳକ ଭାବରେ ଗଣତନ୍ତ୍ରରେ ଆପଣାର ଉପନୟନ କରାଇଛି ଏବଂ ସେହି ଅନୁସାରେ ଏକ ଉପବୀତର ସନ୍ଧାନରେ ବାହାରିଛି । ଆମେରିକା ରାଷ୍ଟ୍ର ଦୂରରେ ଥାଇ ମଧ୍ୟ ସେଥିରେ ଭାରି ଖୁସି ହିଁ ହେଉଥାଆନ୍ତା । ଏଠାରେ ଗଣତନ୍ତ୍ରର ପ୍ରତ୍ୟାଶା-ବଳୟଗୁଡ଼ିକୁ ଅପେକ୍ଷାକୃତ ସହଜ ଏବଂ ସଳଖ କରି ଆଣିବାରେ ଆମର କେତେ ମଦତ୍ କରିପାରନ୍ତା; ପାରିଥାନ୍ତା ଓ ପାରୁଥାନ୍ତା । ରାଷ୍ଟ୍ର ଥକିଗଲେ ରାଷ୍ଟ୍ରକୁ ଏବଂ ଲୋକେ ଥକିଗଲେ ଲୋକମାନଙ୍କୁ କେତେ ବିଶ୍ୱାସଯୋଗ୍ୟ ଭାବରେ ହିମ୍ମତ ଦେଇ ପାରୁଥାନ୍ତା । ପୃଥିବୀଯାକରେ ବୃହତ୍ତମ ଗଣତନ୍ତ୍ର ବୋଲି କହି ଆମେ ଭାରତବାସୀ ତୁଚ୍ଛାରେ ଗର୍ବଗୁଡ଼ାଏ କରୁଛୁ ବୋଲି ଆମେରିକା ତାହାକୁ ସହି ପାରୁନାହିଁ କି ? ଏହି କଥାଟି କହିବା ବେଳକୁ ବିଗତ ସେଇ ଶୀତଳଯୁଦ୍ଧ ବେଳଟାର କଥା ମନେ ପଡ଼ିଯାଉଛି । ଏ ପାଖରେ ଆମେରିକା ଓ ସେ ପାଖରେ ରୁଷିଆ;–ଏ ପାଖରେ ରୁଷିଆ ଓ ସେ ପାଖରେ ଆମେରିକା । ପୃଥିବୀଟା ସତେଅବା ଦୁଇ ଖଣ୍ଡ ହୋଇ ଖୁମ୍ପାଖୁମ୍ପି ହେବାଟା ହିଁ ସେତେବେଳେ ଚଳନ୍ତି ବିଶ୍ୱ-ରାଜନୀତିର ନିୟତିରେ ପରିଣତ ହୋଇ ରହିଥିଲା । ଆମେରିକାର ରାଷ୍ଟ୍ରପାଳିକାଟା କେତେ ସରଳ ଭାବରେ ଆଶା କରିଥିବ ଯେ ଭାରତବର୍ଷଟା ତାରି ପଟକୁ ଆଉକି ପଡ଼ନ୍ତା, ଆମେରିକାକୁ ଯଜମାନ ବୋଲି ଗ୍ରହଣ କରି ନେଇ ସମ୍ଭବ ଓ ଅସମ୍ଭବ ଉଭୟ ପ୍ରକାରେ ଉପକୃତ ହୁଅନ୍ତା; ଯେତିକି ମାଗନ୍ତା, ଅତ୍ୟନ୍ତ ଉଦାର ସେପଟଟା ପାଖରୁ ଛଅ ସେତିକି ପାଉଥାନ୍ତା ଏବଂ ହୃଷ୍ଟ ହେଉଥାଆନ୍ତା । ଭାରତବର୍ଷରେ ସେହି ଖୁସିରେ ଆମେରିକା ପକ୍ଷଟା ମଧ୍ୟ କେତେ ଖୁସି ନହେଉ ଥାଆନ୍ତା । ଗୋଟାଏ ଅଶ୍ରୁତପୂର୍ବ ନିଆରା ବୁଦ୍ଧି ବାହାର କରି ଭାରତବର୍ଷ ନିଜର ଗୋଟାଏ ସ୍ଵତନ୍ତ୍ର ଢିଙ୍କିଶାଳକୁ ଅଧିକ ପସନ୍ଦ କଲା ଏବଂ ତାହାକୁ ଗୋଷ୍ଠୀନିରପେକ୍ଷତା ବୋଲି କହିଲା । ଆମେରିକାର ମିଜାଜଟା ଆଉ ତାହାରିଦ୍ୱାରା ବିଗିଡ଼ିଗଲା କି ? ସେହି ବିଗିଡ଼ି ଯାଇଥିବାଟା ସମ୍ଭବତଃ ଏପର୍ଯ୍ୟନ୍ତ ବି ଅହନ୍ତା କରି ନଯାଇ ରହିଯାଇଛି, ଯାହା ଫଳରେ କି ଆମେରିକା ଭାରତର ସମଗ୍ର ମୁହଁଟିକୁ ତଥାପି ଦେଖି ପାରୁନାହିଁ ଏବଂ ତାକୁ ନିଜକୁ ମଧ୍ୟ ସମଗ୍ର ଭାବରେ ଦେଖିବା ନିମନ୍ତେ ଭାରତବାସୀଙ୍କୁ ସୁଯୋଗ ଦେଉନାହିଁ । ମଝିରେ ମଝିରେ ବିପଦଟାଏ ପଡ଼ିଗଲେ ଯାଇ କେତେ ସହଜରେ ଏ ଦୁହେଁ ଲାଗି ଆସୁଛନ୍ତି ଏବଂ ପରସ୍ପରକୁ ଚିହ୍ନି ପାରୁଛନ୍ତି । ଗତବର୍ଷର ସେପ୍ଟେମ୍ବର ଏଗାରର ଘଟଣା ପରେ ଭାରତବର୍ଷର ସରକାର ହିଁ ଏହି ବିପତ୍ତିର ପ୍ରତିକରଣର ଯାବତୀୟ ଉପାୟ ଗ୍ରହଣରେ ଆମେରିକା ସହିତ ରହିଛନ୍ତି ବୋଲି ଘୋଷଣା କରିଥିଲା । ଆମେରିକାର ବିତ୍ତ ବହୁତ ବୋଲି ନୁହେଁ, ଆମେରିକାର ଭଣ୍ଡାରରେ ସବୁଠାରୁ ବଳୁଆ ଅସ୍ତ୍ରମାନେ ରହିଛନ୍ତି ବୋଲି ନୁହେଁ,–ଜାଗତିକ କୂଟନୈତିକ ରଣାଙ୍ଗନମାନଙ୍କରେ ଆମେରିକା ଭାରତବର୍ଷର ପଟେ ରହିବ ବୋଲି କୌଣସି ସର୍ତ୍ତ ଉପରେ ନିର୍ଭର କରି ଆଦୌ ନୁହେଁ,–ଗଣତନ୍ତ୍ରର ପ୍ରୟୋଗକ୍ଷେତ୍ରରେ ଆମେରିକା ଓ ଭାରତବର୍ଷ ଉଭୟେ ବାଟ ଚାଲିବେ ବୋଲି ପ୍ରତିଶ୍ରୁତ ରହିଛନ୍ତି,–ତାହାହିଁ ଉଭୟ ଦେଶକୁ ଏକ ଅତ୍ୟାବଶ୍ୟକ ବିରାଦରୀର ସୂତ୍ରରେ ଅବଶ୍ୟ ପରସ୍ପରର ପାଖ ପାଖ କରି ରଖିବ । ଶୈଳୀ ଅଲଗା ହେବ, ଦୃଷ୍ଟିକୋଣ ଅଲଗା ହେବ, Infrastructure ଗୁଡ଼ିକ ଅଲଗା ଅଲଗା ପ୍ରକାରର ଅଗ୍ରାଧିକାର ସହିତ ଅବଶ୍ୟ ନିର୍ମିତ ହେଉଥିବେ । ଏପରିକି ଆନ୍ତର୍ଜାତିକ ସଭା ଏବଂ ଚର୍ଚ୍ଚାମାନଙ୍କରେ ଏକ ଆରେକଠାରୁ ବହୁତ ଦୂରରେ ବସିଥିବେ ଏବଂ ଏକାବେଳେକେ ଭିନ୍ନ ଭିନ୍ନ ଭାଷାରେ କଥାବି କହୁଥିବେ, ତଥାପି ପ୍ରତ୍ୟୟର ସବୁଠାରୁ ଅଧିକ ନିର୍ଭରଯୋଗ୍ୟ ବୁଜୁଳାଟିରେ ପରସ୍ପରକୁ ସାଇତି ଧରିଥିବେ,–ପରସ୍ପର ସହିତ ଏକ ଅନ୍ତରଙ୍ଗତମ dialogue ଦ୍ଵାରା ଗଅଁଠା ହୋଇ ରହିଥିବେ । ଗଣତନ୍ତ୍ରକୁ ଧର୍ମରୂପେ ସ୍ଵୀକାର କରିଥିବ ଅଥଚ ତୁମେ ନିଜେ ପୃଥିବୀଟାକୁ ନିଜର ସ୍ୱାର୍ଥଦ୍ଵାରା ନିୟନ୍ତ୍ରିତ ବଜାରାଟାଏ ବୋଲି ଭାବୁଥିବ, ଏହି ଭ୍ରମଟା ସଚରାଚର ଭାରି ବାଉଳା କରି ପକାଉଥିବେ । ସତ ସାଥୀମାନେ ତଥାପି ତୁମ ବିଷୟରେ ବହୁ ସଂଶୟରେ ବୁଡ଼ି ରହିଥିବେ ଅଥଚ ତୁମେ ତୁଚ୍ଛା ମିଛ ସାଥୀମାନଙ୍କୁ ସତେଅବା ବେଶି ଭରସା କରି ଭୁଆଁ ବୁଲିବାରେ ଲାଗିଥିବ,–ସାମୂହିକ ରାଷ୍ଟ୍ର-ରାଷ୍ଟ୍ର ସମ୍ପର୍କର ସାଂପ୍ରତିକ ଇତିହାସରେ ଆମେରିକା ନିଜକୁ ସେହିଭଳି ବହୁ ସନ୍ଦିଗ୍ଧତା ମଧ୍ୟରେ ବହଳ କରି ରଖିଛି କାହିଁକି କେଜାଣି ? ଭାରି ଭୟ କରୁଛି, ତେଣୁ ଚତୁରତା ତଥା ଚାରୁବାକ୍ୟର ପାଲ ଭିତରେ କେତେ ସହଜରେ ଆସି ପଡ଼ିଯାଉଛି । ଏତେଗୁଡ଼ାଏ ବିତ୍ତ ଥାଇ ବି ତାର ବିପଣିଟା ବଡ଼ ଢିଲାରେ ଚାଲିଛି । ହୁଏତ ମୋଟେ ଚାଲୁନାହିଁ ଏବଂ ଭଳି ଭଳି ଧୂର୍ତ୍ତମାନେ ସତେଅବା ସବୁଠାରୁ ଅଧିକ ଉପକୃତ ହେବାରେ ଲାଗିଛନ୍ତି ।

 

ଆମେରିକା ଏତେଗୁଡ଼ାଏ ଆଗତୁରା ଭାବରେ ଭୟ କରୁଛି ବୋଲି ନିଜ ପାଇଁ ଦୁନିଆ ଯାକର ବିଡ଼ମ୍ବନାକୁ ଆମନ୍ତ୍ରଣ କରି ଆଣୁଛି । ନିରାପତ୍ତା ପରିଷଦରେ ଆମେରିକା ହିଁ ଅଧିକତମ ଅବସରରେ ନିଜ ଭେଟୋ-କ୍ଷମତାର ପ୍ରୟୋଗ କରିଛି, ତାକୁ ଛାଡ଼ି ସମସ୍ତେ ଅନ୍ୟପ୍ରକାରେ ଇଚ୍ଛା କରୁଥିବା ସମୟରେ ମଧ୍ୟ ଆମେରିକା ଓଲଟା ମତର ଭେଟୋଟାଏ ପୟୋଗ କରି ସମ୍ପୃକ୍ତ ଅନ୍ୟମାନଙ୍କୁ ଆଘାତ ହିଁ କରିଛି । ପୃଥିବୀର ବହୁ ରାଜନୀତିକ ବିବର୍ତ୍ତନକୁ ସତେଅବା ଭେଟୋ ନାମକ ବାଡ଼ି ପକାଇ ଅଟକାଇ ରଖିଛି । ବନ୍ଧୁ ହରାଇଛି, ନିତାନ୍ତ ଅବନ୍ଧୁମାନେ ମଉକା ପାଇ ପାଖକୁ ମାଡ଼ି ଆସିଛନ୍ତି । ଆମେରିକାକୁ ଧୋକା ଦେଇଛନ୍ତି, ବୋକା ବନାଇ ଦେଇଛନ୍ତି । ଚୀନ୍‌ରେ କମ୍ୟୁନିଷ୍ଟ ଶାସନ ପ୍ରବର୍ତ୍ତିତ ହେବା ପରେ ଆମେରିକା ନିତାନ୍ତ ନିର୍ବୋଧତା ଦେଖାଇ ଗୋଟାଏ ଦ୍ୱୀପରେ ନିର୍ବାସିତ ହୋଇ ରହିଥିବା ସମ୍ପୂର୍ଣ୍ଣ ତାତ୍ପର୍ଯ୍ୟହୀନ ତାଇୱାନଟାକୁ ଭେଟୋର ମଞ୍ଜା ଲଗାଇ ତାହାକୁ ଅସଲ ଚୀନ୍ ବୋଲି ସ୍ଵୀକୃତି ଦେଲା ଏବଂ ପୃଥିବୀ-ଦାଣ୍ଡରେ ଉପହାସିତ ହୋଇଥିଲା । ଭିଏତ୍‍ନାମରେ ଜନଶକ୍ତିର ବିପକ୍ଷରେ ଯାଇ ସାମନ୍ତବାଦ ପଟେ ରହିଲା, ଭଳି ଭଳି ନୃଶଂସତାର ଭିଆଣ କଲା ଏବଂ ପୃଥିବୀବାସୀଙ୍କ ନିମନ୍ତେ କେତେ ନିନ୍ଦିତ ହୋଇ ରହିଗଲା । ସନ୍ତ୍ରାସବାଦକୁ ବିଲୁପ୍ତ କରିବାର ଅତ୍ୟଧିକାରଦ୍ଵାରା ପ୍ରମତ୍ତ ହୋଇ କେତେ କେତେ ଅଜାଗାରେ ଯାଇ ପହଞ୍ଚିଲା ଏବଂ ଅଭିନବ ନାନା ବିଭ୍ରାଟର କାରଣ ହେଲା । ଏବେ ମନେ ହେଉଛି, ସେହି ବିଭ୍ରାଟଗୁଡ଼ିକଦ୍ୱାରା ହିଁ ପୃଥିବୀର ଗୋଡ଼ରେ ନାନା ଭଳି ଶିକୁଳି ବନ୍ଧା ହୋଇ ରହିଛି, ଯାହା ପାଇଁ ପୃଥିବୀ ଆଗକୁ ଯାଇପାରୁନାହିଁ । କେତେ କେତେ ପରିବର୍ତ୍ତନର ଉଚ୍ଚାଟନା ପୃଥିବୀରେ ବଞ୍ଚିତ ହୋଇ ରହିଥିବା କୋଟି କୋଟି ମନୁଷ୍ୟଙ୍କୁ ସ୍ୱପ୍ନ ଦେଖାଉଛି ଓ ଆମେରିକା ସିଧା ବଙ୍କା ଉଭୟ ମାର୍ଗରେ ସେଥିରେ ପ୍ରତିବନ୍ଧକ ହୋଇ ଠିଆ ହେଉଛି । ଆଗ ଆମେରିକାର ଖାସ୍ ସ୍ୱାର୍ଥଗୁଡ଼ିକର ପୂରଣ ହେବ ଏବଂ ତା'ପରେ ଯାଇ ପୁରାତନ ବନ୍ଧନଗୁଡ଼ିକୁ କାଟି ପୃଥିବୀର ମଣିଷମାନେ ଆଗକୁ ଯିବାର ଅନୁମତି ପାଇବେ, ଏଥିରେ କିଏ କିପରି କାହିଁକି ବା ରାଜି ହେବ ?

 

ଆମେରିକା ପୃଥିବୀଯାକରେ ସବୁଠାରୁ ଅଧିକ ବିତ୍ତଶାଳୀ ରାଷ୍ଟ୍ର ହୋଇ ରହିବ, ଏତେବଡ଼ ଆମ ପୃଥିବୀଟାରେ ସବାଆଗ ଆମେରିକାର ତା’ଫରମାସ ମୁତାବକ ଯାବତୀୟ ସ୍ଵାର୍ଥର ସୁରକ୍ଷା ହେବ ଏବଂ ତା'ପରେ ଯାଇ ଅନ୍ୟମାନଙ୍କର ଉଦୟ ନିମନ୍ତେ ସତେଅବା ଦୟାପରବଶ ହୋଇ କିଛି ଅନୁକୂଳତାକୁ ଅନୁମତି ଦିଆଯିବ, ଆମେରିକାରେ ଅସ୍ତ୍ରମାନଙ୍କର ଗୋଦାମଗୁଡ଼ିକ ରହିବ, ସେହି ଆମେରିକା ନିଜର ନାଭିଟାକୁ ନିରନ୍ତର ଯାବୁଡ଼ି ଧରି ପୃଥିବୀଯାକ ଖେଦି ଯାଇ ମେଣ୍ଟ ବାନ୍ଧିବାରେ ଲାଗିଥିବ ଏବଂ ମଉକାଗୁଡ଼ିକୁ ସୃଷ୍ଟି କରି ଅସ୍ତ୍ରଦ୍ୱାରା ହିଁ ଆତଙ୍କର ବିତରଣ କରିବାରେ ଲାଗିଥିବ,–ଏବଂ ଏଣେ ଗଣତନ୍ତ୍ରର ମୁଖ୍ୟଯାଜକ ହେବାକୁ ବି ମନ କରୁଥିବ, ଏକଥା କଦାପି ହୋଇପାରିବ ନାହିଁ । କାରଣ, ଗଣତନ୍ତ୍ରର ସବାମୂଳ ଅର୍ଥ ହେଉଛି ଯେ, ପୃଥିବୀର ସମୂହମାନେ ସ୍ୱନିର୍ବାଚିତ ବିବିଧ ମାର୍ଗରେ ଯିବେ, ବିଭିନ୍ନ ପ୍ରକାରର ଅଗ୍ରାଧିକାର ଦେଇ ନିଜକୁ ଗଢ଼ିବେ, ଏବଂ ଗଣତନ୍ତ୍ରରେ କେହି କଦାପି ସମ୍ରାଟ ବୋଲାଇ ପାରିବ ନାହିଁ । ଯାହାର ଅଧିକ ଅଛି, ସିଏ ସତକୁସତ ଏକ ବିଶ୍ୱଗଣତନ୍ତ୍ରର କାମନା କରୁଥିଲେ ଅଧିକ କାମରେ ଲାଗିବ, ଅଧିକ ଦେଉଥିଲେ ମଧ୍ୟ ପ୍ରତ୍ୟେକ ଦେଶକୁ ତା’ର ନିଜସ୍ୱ ରୀତିରେ ବିବର୍ତ୍ତିତ ହେବା ନିମନ୍ତେ ସୁଯୋଗ ଦେଉଥିବ, ମୂଳତଃ ସେଇଥିରେ ହିଁ ସହଯୋଗ କରୁଥିବ; କିନ୍ତୁ, ନିରବଧି କାଳ ନିମନ୍ତେ ଜଗତ ଗୋଟାକର ଜମିଦାର ହୋଇ ରହିବାର ଫିକର କରୁଥିବା ଯାଏ ଆମେରିକା କଦାପି ପୃଥିବୀରେ ଆବଶ୍ୟକ ନେତୃତ୍ୱଟିକୁ ଦେଇପାରିବ ନାହିଁ । ଅସ୍ତ୍ରର ଅତିରିକ୍ତତା ବହୁବିତ୍ତ ହୋଇ ରହିବାର ମନମୋଟା ନିର୍ବୋଧପଣିଆ,–ଏସବୁଦ୍ଵାରା ଆମେରିକା ପୃଥିବୀରେ ଅଧିକ ଓ ଆହୁରି ଅଧିକ ସଂଖ୍ୟକ ଦେଶଠାରୁ ଖୁବ୍‌ ଦୂରବର୍ତ୍ତୀ ହୋଇ ରହିଥିବ ଏବଂ ବନ୍ଧୁପଣର ବଜାରରେ ପ୍ରଧାନତଃ ଠକି ହୋଇ ଯାଉଥିବ । ମିଛ ବନ୍ଧୁ ବହୁତ ମିଳିବେ, ଯେଉଁମାନେ ଗଣତନ୍ତ୍ରରେ କୌଣସି ବିଶ୍ଵାସ ହିଁ କରୁନଥିବେ, ଏକାଧିନାୟକତ୍ୱକୁ ହିଁ ସବାବଡ଼ ଧର୍ମରୂପେ ଧରି ନେଇଥିବେ, ସେଇମାନେ ସତେଅବା ବହୁ ଆନୁଗତ୍ୟ ଦେଖାଇ ଆମେରିକା ପାଖରେ ଆସି ପହଞ୍ଚିବେ, ନିପଟ ଆତଙ୍କବାଦୀମାନେ ଆସି ଆତଙ୍କବାଦର ବିନାଶ-କାର୍ଯ୍ୟକ୍ରମରେ ଆମେରିକା ସହିତ କା’ ହୋଇ ରହିବେ ବୋଲି ଖୁବ୍ କହିବେ ଏବଂ ତଦ୍ଦ୍ୱାରା ବହୁତ ଉପକୃତ ବି ହେବେ । ଗୋଟାଏ ପ୍ରକାର ପୋଲା ଉଦାରତାର ପ୍ରତୀତି ଦେଖାଇ ଆମେରିକା ସେମାନଙ୍କର ଫିସାଦରେ ଯାଇ ପଡ଼ି ଯାଉଥିବ ଏବଂ ଠକି ହେବାରେ ଲାଗିଥିବ ।

 

ଏବର୍ଷ ଅଧାବେଳେ ଏକଦା ଜର୍ଜ ଉଇଲିୟମ୍ ବୁଶ୍‌ ରୁଷିଆ ଯିବା ବାଟରେ ଜର୍ମାନୀର ରାଜଧାନୀ ବର୍ଲିନ ସହରରେ କିଛି ସମୟ ସକାଶେ ଅଟକିଥିଲେ । ସେଠାରେ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କୁ ଏବଂ ପରେ ଜର୍ମାନ ପାର୍ଲିଆମେଣ୍ଟକୁ ଭାଷଣ ଦେଇଥିଲେ । ସେତିକିବେଳେ ତାଙ୍କର ନିନ୍ଦାବାଦ କରି ହଜାର ହଜାର ଲୋକ ଏକ ବିକ୍ଷୋଭ ବି ପ୍ରଦର୍ଶନ କରିଥିଲେ । ଆମେରିକା ରାଷ୍ଟ୍ରପତିଙ୍କୁ ସେମାନେ ଏକ ନମ୍ବର ସନ୍ତ୍ରାସବାଦୀ ବୋଲି କହି ଉଚ୍ଚଧ୍ୱନିମାନ କରିଥିଲେ ।

 

ଆମେରିକା ନାମକ ରାଷ୍ଟ୍ର ଯେତିକି ଦେଖି ପାରୁଛି, ତା’ବାହାରେ ମଧ୍ୟ ଯେ ତଥାପି ପୃଥିବୀ ରହିଛି ଏବଂ ଯେତେ ଯେତେ ବିତ୍ତଭୋଳ ହେଲେ ମଧ୍ୟ ଆମେରିକା ଯେ କଦାପି ତାକୁ ଏଡ଼ିଦେଇ ପାରିବ ନାହିଁ; ସେମାନେ ସେହି କଥାକୁ ଚେତାଇ ଦେଉଥିଲେ । ଗଣତନ୍ତ୍ରରେ ଯେ କେହି ଗଉଁତିଆ ନାହାନ୍ତି, ତାହାହିଁ କହୁଥିଲେ ।

 

୨୧.୧୦.୦୨

☆☆☆

 

ଖାଲି ହିନ୍ଦୁ ନୋହୁ, ତଥାପି ହିନ୍ଦୁ

 

ଆଗେ ଧର୍ମଗୁରୁମାନେ ରାଜାମାନଙ୍କୁ ବୋଲ ବତାଉଥିଲେ ଓ ରାଜାମାନେ ସେହି ବୋଲଗୁଡ଼ିକୁ ପାଳନ କରୁଥିଲେ । ସେକାଳ ଇଉରୋପରେ ଏମିତି ଉଦାହରଣ ରହିଛି ଯେ, ଧର୍ମଗୁରୁଙ୍କର ନିର୍ଦ୍ଦେଶମାନି ରାଜାଙ୍କୁ ପୂରା ଆଣ୍ଠେଇ ଆଣ୍ଠେଇ ତାଙ୍କ ପାଖକୁ ଆସିବାକୁ ହେଉଥିଲା-। ଧର୍ମଗୁରୁମାନଙ୍କର ନିର୍ଦ୍ଦେଶ ଦ୍ୱାରା ଉତ୍ସାହିତ ହୋଇ ରଜାମାନେ ସେକାଳେ କେତେ କେତେ ମଣିଷଙ୍କୁ ମାରି ନାହାନ୍ତି । ତା’ପରେ ସେହି ଇଉରୋପରେ ଗୋଟାଏ ପ୍ରତିବାଦ ପର୍ଯ୍ୟାୟ ଆସିଲା, ଯେତେବେଳେ ଧର୍ମଶାସନର ସେହି ଆନୁଷ୍ଠାନିକ ଅମାନୁଷିକତାମାନ କ୍ରମେ ସ୍ଵୀକୃତି ହରାଇଲେ-। ଷୋଡ଼ଶ ଶତାବ୍ଦୀରେ ମାର୍ଟିନ ଲୁଥର ଧର୍ମଚକ୍ରବର୍ତ୍ତୀ ପୋପ୍‌ଙ୍କୁ ଚ୍ୟାଲେଞ୍ଜ କଲେ । ସତେ ଯେପରି ସେଠି ପୃଥିବୀର ବିଚାରଚେତନାଟି ଏକାବେଳେକେ ଏକାଧିକ ପହଣ୍ଡ ଆଗେଇ ଯାଇଥିଲା-। ଏହାପରେ ଏମିତି ଏକ ପର୍ଯ୍ୟାୟ ଆସି ପହଞ୍ଚିଲା ଯେ ଏହି ନୂଆ ଧର୍ମୀୟ ପ୍ରଚାରକମାନେ ନିଜର ସିଦ୍ଧି ନିମନ୍ତେ ରଜାମାନଙ୍କୁ ଲୋଡ଼ିଲେ । ସେମାନେ ଆଗ ରଜାମାନଙ୍କୁ ପ୍ରରୋଚିତ କରି ନିଜ ନିଜର ସଂପ୍ରଦାୟଗୁଡ଼ିକ ମଧ୍ୟକୁ ରାଜି କରାଇ ଆଣିଲେ । ଏବଂ, ସେହି ନୂଆ ମାତିବାର ଉତ୍ସାହରେ ନିଜ ଧର୍ମକାୟାର ବିସ୍ତାରରେ ମନ ଦେବାକୁ ଆରମ୍ଭ କରି ଦେଇଥିଲେ । ଆମ ଓଡ଼ିଶାରେ ମଧ୍ୟ ଶ୍ରୀ ଚୈତନ୍ୟଦେବ ଆସି ସବା ଆଗ ରାଜାଙ୍କୁ ଧରିଲେ; ଶ୍ରୀ ପ୍ରତାପରୁଦ୍ର ତାଙ୍କର ପାଟଭକ୍ତ ହୋଇ ବାହାରିବା ପରେ ସମାଗତ ସେହି ନୂଆ କୋଳାହଳଟି ଭାରି ପ୍ରାଣୋତ୍ସାହ ସହିତ ଉତ୍କଳଖଣ୍ଡରେ ବ୍ୟାପି ଯାଇଥିଲା । ତା’ପୂର୍ବରୁ ଶ୍ରୀଯୁକ୍ତ ଅନଙ୍ଗଭୀମ କେଡ଼େ ସୂତରରେ ଆପଣାକୁ ଦେବଦେବ ଜଗନ୍ନାଥଙ୍କର ଆଦ୍ୟସେବକ ବୋଲି ଘୋଷଣା କରି ସାରିଥିଲେ । ଏବଂ, ସତେ ଅବା ସେହି କାଳଟା ଆସି ପହଞ୍ଚିଲା ବୋଲି ଘ୍ରାଣ କରି ସଂପୃକ୍ତ ସମସ୍ତେ ହରିବୋଲ ଧ୍ୱନି ଦେଇ ତାହାକୁ ସମର୍ଥନ ବି କରିନେଲେ ।

 

ଏବେ ଆମ ଚଳନ୍ତି ଭାରତବର୍ଷରେ ଯେଉଁସବୁ ହତ୍ୟାକାଣ୍ଡକୁ ଧାର୍ମିକ ଦଙ୍ଗା ବୋଲି କୁହାଯାଉଛି, ତାହା ଭିତରେ ସତକୁସତ ଧର୍ମର ଭାଗଟା କେତେ ଯାଏ ରହିଛି ବା ନରହିଛି, କିଏ ମନ କଲେ ତାହାର ମଧ୍ୟ ଏକ ଆକଳନ କରାଯାଇ ପାରନ୍ତା । ବ୍ରିଟିଶ ସରକାର ଦେଶ ଛାଡ଼ି ଚାଲି ଯାଉଥିବା ସମୟରେ ଯେଉଁସବୁ ଦଙ୍ଗା ହୋଇଥିଲା ଓ ଯାହାକୁ ଧର୍ମ-ସମ୍ପ୍ରଦାୟଗୁଡ଼ିକ ଭିତରେ ଦଙ୍ଗା ଲାଗିଛି ବୋଲି କୁହାଯାଉଥିଲା, ଆମେ ଇଚ୍ଛା କଲେ ସେଗୁଡ଼ିକର ମଞ୍ଜଟାକୁ ବି କିଞ୍ଚିତ ଉଖାରି ସତ ମିଛ ନିରୂପଣ କରିବାର କିଛି ପ୍ରୟାସ କରି ପାରନ୍ତେ । ପୂର୍ବବଙ୍ଗରେ ମୁସଲମାନ ଲୋକ ବେଶି ଥିଲେ, ସେଠାରେ ହିନ୍ଦୁମାନେ ହଣା ହେଉଥିଲେ । ଉତ୍ତର ବିହାରର ଗୋଟାଏ ଅଞ୍ଚଳରେ ହିନ୍ଦୁମାନେ ସଂଖ୍ୟାରେ କମ୍ ଥିଲେ ଏବଂ ସେଠାରେ ମୁସଲମାନମାନେ ହଣା ହେଉଥିଲେ । ଏପରିକି ଦଙ୍ଗାଦ୍ୱାରା ପୀଡ଼ିତ ଗୋଟାଏ ସହର କଲିକତାରେ ମଧ୍ୟ, ଯେଉଁସବୁ ଖଣ୍ଡରେ ମୁସଲମାନ ଅଧିକ, ସେଠାରେ ହିନ୍ଦୁମାନଙ୍କୁ ହଣା ଯାଉଥିଲା ଏବଂ ଯେଉଁସବୁ ଖଣ୍ଡରେ ହିନ୍ଦୁମାନେ ସଂଖ୍ୟାରେ ଅଧିକ, ସେଠାରେ ମୁସଲମାନ ହାଣମୁହଁରେ ପଡ଼ୁଥିଲେ । ଏକାବେଳକେ ଏଯାଏ ମଧ୍ୟ ପରବର୍ତ୍ତୀ କାଳମାନଙ୍କରେ ଏହି ଦେଶରେ ଧର୍ମୀୟ ହାଣକାଟ ସମେତ ଯେତେ ଯେତେ କିସମର ଗୋଷ୍ଠୀଗତ ମଣିଷହତ୍ୟା ହୋଇଛି, ଟିକିଏ ଭିତର ନାଡୀଗୁଡ଼ିକୁ ଦେଖିଲେ ହୁଏତ ସବୁଠାରେ ଆମକୁ ସେହିପରି କିଛି ସୁରାଖ ମିଳିଯାଇ ପାରିବ । ଆମର ଅର୍ଥାତ୍ ଆମ ଗୋଷ୍ଠୀର ସଂଖ୍ୟା ଅଧିକ ବୋଲି ମୁହାଁସ ପାଇଲା ମାତ୍ରକେ ଆମେ ଦଙ୍ଗା ଭିତରକୁ ଡେଇଁ ପଡ଼ିବା, ଏଇଟା ପଛରେ ଏକ ନିତାନ୍ତ ଲଜ୍ଜାକର କାରଣ ଯେ ଅବଶ୍ୟ ରହିଛି, ସେ କଥା ବୁଝିବା ନିମନ୍ତେ ଜଣେ ଅରାଜନୀତିକ ନିର୍ବୋଧକୁ ମଧ୍ୟ ଆଦୌ କୌଣସି ଆୟାସ କରିବାକୁ ଆଦୌ ପଡ଼ିବ ନାହିଁ । ଆମର ତଥାକଥିତ ଧର୍ମଭାବନାଟା ପଛରେ ଯଦି ଠାକୁର ବୋଲି ସାମାନ୍ୟତମ ମାତ୍ରାର କିଛି ପ୍ରକୃତରେ ରହିଥିବ, ତେବେ ଏସବୁ ଦେଖି ତାଙ୍କୁ କେବଳ ଲାଜ ହିଁ ମାଡ଼ିବ । ଆଲ୍ଲାଙ୍କୁ ଲାଜ ମାଡ଼ିବ, ରାମକୁ ମଧ୍ୟ ଲାଜ ମାଡ଼ିବ । ସମ୍ଭବତଃ, ଏଇଟି ଏକ ବଡ଼ କାରଣ ଯେ, ଏବେ ଦଙ୍ଗା ବୋଲି ଯେତେ ଥାନରେ କିଛି ଘଟୁଛି, ତା’ପଛରେ ରାମ ଅଥବା ଆଲ୍ଲା ମୋଟେ ନାହାନ୍ତି । ଅସଲ ମାମଲତକାର ହୋଇ ଆମେ ଦଙ୍ଗାକାରୀମାନେ ହିଁ ରହିଛୁ ଓ ଆମ ଅନ୍ୟାନ୍ୟ ବହୁଅନ୍ତର୍ତାପ ଦ୍ଵାରା ପରାକ୍ରାନ୍ତ ହୋଇ ସେହି ନାମଗୁଡ଼ିକୁ ବ୍ୟବହାର କରିବାରେ ଲାଗିଛୁ । ଆମକୁ ଆମ ଠାକୁରମାନେ ଆଉ ମୋଟେ ପାରୁ ନାହାନ୍ତି ।

 

ଅର୍ଥାତ୍ ଆମ ଭିତରେ ଆମର ହିନ୍ଦୁପଣ ଅଥବା ଏପଣ ବା ସେପଣ ଆମ ଜୀବନକୁ ମୋଟେ ପରିଚାଳିତ କରୁନାହିଁ । ଆମ ଭିତରର ପ୍ରମତ୍ତପଣଟା ହିଁ ତାହା କରୁଛି । ଏବଂ, ଚାରି-ପାଖରେ ତତ୍କାଳଜୀବୀ ମଣିଷମାନଙ୍କୁ ତତାଇ ରଖିବାକୁ ଆମ ଚାରି ପାଖରେ ଏତେ ଏତେ ଅବସରମାନ ମହଜୁଦ ହୋଇ ରହିଛି ଯେ, ସଂଖ୍ୟାଧିକ ହୋଇ କୋଉଠି ରହିଥିବାର ସେହି ବିଶେଷ ମଉକାମାନେ ଆମ ମୁଣ୍ଡରେ ଚଟ୍ କରି ନିଆଁ ଲଗାଇ ଦେଉଛନ୍ତି । ସେହି ଉଦ୍ଦେଶ୍ୟରେ ଏଠି କେତେ ସେନା ତିଆରି ହେବାରେ ଲାଗିଛନ୍ତି, କେତେ ପ୍ରକାର ଖଣ୍ଡରଣରେ ଆମମାନଙ୍କୁ ମତାଇ ନେବାର ଫିସାଦମାନ କରୁଛନ୍ତି । ଆମ ନେତାମାନେ ଏପରିକି ଆମର ବାବାଜୀ ଓ ଇମାମମାନେ ମଧ୍ୟ ଅଲକ୍ଷଣା କାକଟା ହାତରେ କ୍ରୀଡ଼ନକ ପ୍ରାୟ ହୋଇ ଆମ ସକାଶେ ଜଣେ ଜଣେ ସାହିଗୁଣ୍ଡାର ଭୂମିକାରେ କେତେ ଅବଲୀଳା କ୍ରମେ ଓହ୍ଲାଇ ଆସି ପାରୁଛନ୍ତି । ଆମ ସାମୂହିକ ଜୀବନର ଦାଣ୍ଡିଗୁଡ଼ାକରେ ଏତେ କଣା ଯେ ଇତିମଧ୍ୟରେ ହୋଇଗଲାଣି, ବେଳେ ବେଳେ ବିଶ୍ୱାସ କରିବା ନିମନ୍ତେ ମଧ୍ୟ ଲାଜ ଲାଗୁଛି । ଆମ ଭିତରେ ଆମେ ସତକୁସତ ହିନ୍ଦୁଟିଏ ହୋଇଥିଲେ ଆମେ କୃପାଣ ହସ୍ତରେ କଦାପି ମୁସଲମାନଙ୍କ ସାହିକୁ ମଣିଷ ମାରିବାକୁ ଧାଇଁ ଯାଆନ୍ତୁ ନାହିଁ । ତା’ ପୂର୍ବରୁ ଯେଉଁମାନେ ପ୍ରୟୋଜନରେ ପଡ଼ି ଭିତରର ହିନ୍ଦୁଟିକୁ କ୍ରମଶଃ ହତ୍ୟା କରି କରି ପରିଶେଷରେ ପୂରା ଅଲକ୍ଷଣା ହୋଇ ସାରିଥିବେ, ନିୟମତଃ ପ୍ରାୟ ସେହିମାନେ ହିଁ ଅହିନ୍ଦୁମାନଙ୍କର ନିପାତ ନିମନ୍ତେ ବୈଜୟନ୍ତୀ ଉଡ଼ାଇ ବାହାରି ପଡ଼ୁଥିବେ । ଆମ ଭିତରେ ସତକୁସତ ଅସଲ ମୀମାଂସକଟିଏ ହୋଇ ଜଣେ ଆଲ୍ଲା ରହିଥିଲେ ସିଏ ଆମକୁ ଅଣମୁସଲମାନମାନଙ୍କୁ ହାଣି ବାହାରିବା ଲାଗି ଆଦୌ କୁମନ୍ତ୍ରଣା ଦିଅନ୍ତେ ନାହିଁ । ହଁ, ଅବଶ୍ୟ ଆକସ୍ମିକ ଭାବରେ ହିନ୍ଦୁ ଘରେ ଜନ୍ମ ହୋଇଛନ୍ତି ବୋଲି ହିଁ ଯେଉଁମାନେ ଆପଣାକୁ ହିନ୍ଦୁ ବୋଲି କହିବାର ଡିଙ୍ଗରପଣ ଦେଖାଉଥିବେ, ସେମାନଙ୍କର ବ୍ୟାପାରଟା ଅନ୍ୟ ପ୍ରକାରର ହେବାକୁ 'ଅବଶ୍ୟ ବାଧ୍ୟ ହେବ । ଏବଂ ଠିକ୍ ସେହିପରି ଯେଉଁମାନେ ଆକସ୍ମିକ ଭାବରେ ମୁସଲମାନ ଘରେ ଜନ୍ମ ହୋଇଛନ୍ତି ବୋଲି ହିଁ ନିଜକୁ ମୁସଲମାନ ବୋଲି ଗ୍ରହଣ କରି ନେଇଥିବେ, ସେମାନଙ୍କର କଥା ମଧ୍ୟ ଅଲବତ ନିଆରା ହେବ । ଆଉ ଏକ ହିନ୍ଦୁତ୍ୱ ରହିଛି, ଯାହାକୁ ଅର୍ଜନ କରିବାକୁ ହୁଏ ଏବଂ ଆଉ ଏକ ମୁସଲମାନତ୍ୱ ରହିଛି, ଯାହାକୁ ଅର୍ଜନ କରିବାକୁ ହୁଏ; ଏବଂ ଏଗୁଡ଼ିକୁ ଅର୍ଜନ କରିଥିବା ମଣିଷ ଭିତରେ ଈଶ୍ୱର ମାଆଟିଏ ହୋଇ ବସିଥାନ୍ତି, ମାଆଟିଏ ହୋଇ ବାଟ ଦେଖାଉଥାନ୍ତି, ମାଆଟି ପରି ଆକଟରେ ରଖିଥାନ୍ତି ।

 

ହଁ, ଯୋଉ ଅତିମାନେ ନିଜକୁ ଖାଲି ହିନ୍ଦୁ ଅଥବା ଖାଲି ମୁସଲମାନ ବୋଲି ଭାବୁଥିବେ, ସେମାନଙ୍କର ବ୍ୟାପାର ମଧ୍ୟ ପୂରାପୂରି ନିଆରା ହେବାକୁ ବାଧ୍ୟ ହେବ । ପୃଥିବୀ ନାମକ ଘରଟା କାଳକ୍ରମେ ଏପରି ଏକ ବିଶେଷ ଭଙ୍ଗନକାରୀ ବାଗରେ ତିଆରି ହୋଇଯିବାରେ ଲାଗିଛି ଯେ, ଏଠାରେ ଦୁଆରମାନେ ଯେତିକି, ଝରକାମାନେ ସତେଅବା ତିନି ସେତିକି ହୋଇ ତିଆରି ହୋଇଯିବାରେ ଲାଗିଛନ୍ତି । ବେଳେ ବେଳେ ତ ଏପରି ହେଲାଣି ଯେ ଆଗ ସେହି ଗବାକ୍ଷଗୁଡ଼ିକୁ ନଚିହ୍ନିଲେ ଦ୍ଵାରଟାକୁ ଚିହ୍ନିବା ଆଦୌ ସମ୍ଭବ ହୋଇ ପାରୁନାହିଁ । ତେଣୁ, ମୁଁ ଇଚ୍ଛା କଲେ ମଧ୍ୟ ଖାଲି ହିନ୍ଦୁ ହୋଇ ଆଦୌ କିପରି ରହି ପାରିବି ? ସେହିପରି ମୁଁ ଖାଲି ମୁସଲମାନ ହୋଇ ମଧ୍ୟ, କେତେଦିନ ରହିପାରିବି ? କାହିଁକି ବା ରହିବାକୁ ଯିବି ? ଯୁଗର ପଥପ୍ରଦର୍ଶକ ଆତ୍ମାଟି ଯେତେବେଳେ ମୋ ଚାରି ପାଖରେ ଏତେ ଏତେ ଗବାକ୍ଷ ତିଆରି କରି ରଖିଛି, ତେବେ ମୁଁ ସେଗୁଡ଼ିକୁ ସ୍ଵୀକାର ନ କରି ସତକୁସତ କିଭଳି ସୁସ୍ଥ ହୋଇ ରହି ପାରିବି ? ଈଶ୍ୱର କହିଲେ ଯାବତୀୟ ସ୍ୱାସ୍ଥ୍ୟବିଧି ଅନୁସାରେ ଏପରି ଏକ ଗ୍ରହଣଶୀଳତାକୁ ବୁଝାଇବା ଉଚିତ, ଯିଏକି ମୋଟେ ମାରା ହୋଇଯାଏ ନାହିଁ । ତାହାକୁ ଆଉ କିଏ ଆସି ଗିଳି ପକାଇବ ବୋଲି ସିଏ ମୋଟେ ଭୟ କରେ ନାହିଁ । କାହାଦ୍ଵାରା ଗିଳି ହୋଇଯିବ ବୋଲି ଭୟ କରେ ନାହିଁ ଏବଂ ତେଣୁ ଆପେ ମଧ୍ୟ କାହାକୁ ଗିଳି ପକାଇବାର କୋପନ ପ୍ରବୃତ୍ତି ମୋଟେ ଦେଖାଏ ନାହିଁ । ଈଶ୍ଵରଙ୍କୁ ମାନୁଥିବା ମଣିଷ ପୃଥିବୀଟାକୁ ଏକ ସହଜତାର ବିରାଦରପଣରେ ବାନ୍ଧି ରଖିବାକୁ ହିଁ ଆପଣାର ସର୍ବମୂଳ ଧର୍ମ ବୋଲି ଗ୍ରହଣ କରିଥାଏ । ସିଏ ହେଉଛି ସଂସାର-ତୀର୍ଥର ଅସଲ ଭାଗ୍ୟବାନ ମନୁଷ୍ୟ, ଯିଏ ଏକାବେଳକେ ରାମ ଏବଂ ଆଲ୍ଲାଙ୍କର ଆଶୀର୍ବାଦ ଲାଭ କରିବା ପରି ପୃଥିବୀରେ ବିଚରଣ କରୁଥାଏ । ସିଏ ହିଁ ନିମିତ୍ତ ହୁଏ ଏବଂ ନିଆଁ ନିଭାଏ । ନିଆଁ ନିଭାଇବାକୁ ହିଁ ପୃଥିବୀକୁ ଚିଆଁର ଦାଉରୁ ସୁରକ୍ଷିତ କରି ରଖିବାର ସତେଅବା ଏକ ଅଧ୍ୟାତ୍ମ ସୂତ୍ର ପରି ଗ୍ରହଣ କରି ନେଇଥାଏ । ଏହିଭଳି କଥା ପୃଥିବୀର ସନ୍ଥ-ପରମ୍ପରାରେ ଯୁଗେ ଯୁଗେ ଶୁଣିବାକୁ ମିଳିଛି । ଅତିଅଲକ୍ଷଣା ମଣିଷମାନେ ସେହି ସନ୍ଥମାନଙ୍କୁ ନେଇ ମଧ୍ୟ ଯେ ଗୋଟାଏ ଗୋଟାଏ ସଂପ୍ରଦାୟ ଗଢ଼ି ପକାଇଛନ୍ତି ଓ ସାମୂହିକ ଜୀବନରେ ଆହୁରି ଅଧିକ ବାଦର କାରଣ ହୋଇଛନ୍ତି, ଆମେ ହିନ୍ଦୁ ମୁସଲମାନ, ଶିଖ ତଥା ଆଉ ସମସ୍ତେ ମନକଲେ ଏକାଠି ଥିର ହୋଇ ବସି ସେହି କଥାଟିର ଅବଶ୍ୟ ବିଚାର କରିପାରନ୍ତେ । ଆମ ଭିତରର ଅସଲ ହିନ୍ଦୁ, ଅସଲ ମୁସଲମାନ କିମ୍ବା ଅସଲ ଶିଖ୍‌ଟି କେବେହେଲେ ଗୋଟାଏ ଜଳାଶୟ ସଦୃଶ ଖାଲି ହିନ୍ଦୁ, ଖାଲି ମୁସଲମାନ ଅଥବା ଖାଲି ଏଇଟା ବା ସେଇଟା ହୋଇ ରହିବାକୁ ଇଚ୍ଛା କରୁନଥିବ । ପୃଥିବୀର ମଣିଷମାନେ ତ ନିଜ ନିଜ ଈଶ୍ଵରଙ୍କୁ କେତେ କେତେ ବିଶେଷଣଦ୍ୱାରା ଖଞ୍ଜି ଦେଇ ଯୁଗେ ଯୁଗେ କେତେ ନା କେତେ ଖୁସି ଅନୁଭବ କରିଛନ୍ତି । ତଥାପି, ପଛକୁ, ଆଗକୁ ଏବଂ ସହଜୀବନର ଅମିତ ସମ୍ଭାବନାରେ ଭରି ରହିଥିବା ଏହି ଚାରିପାଖଟାକୁ ଚାହିଁଦେବା ମାତ୍ରକେ ମନେ ହେଉଛି ଯେ, ଏହି ଈଶ୍ୱର ଆଉ ଯାହା ହୋଇଥାନ୍ତୁ ଅଥବା ନହୋଇ ଥାଆନ୍ତୁ ପଛକେ, ସିଏ ସଂଗଲୋଭୀ ଅବଶ୍ୟ ହୋଇଥିବେ । ବିରାଦରୀ ବଢ଼ାଇବାକୁ ଅବଶ୍ୟ ଇଚ୍ଛା କରୁଥିବେ, କାହାକୁ ପଛରେ ପକାଇଦେଇ ଆଗକୁ ଚାଲିଯିବାକୁ ମୋଟେ ମନ କରୁନଥିବେ ଏବଂ କାହାକୁ ହାଣି ପକାଇବା ନିମନ୍ତେ ତାଙ୍କର ଧାତୁ ଭିତରେ ଏତେ ଟିକିଏ ବି ଉତ୍ସାହ ନଥିବ । ତେଣୁ ଆମେ ସବାଆଗ ତାଙ୍କୁ ଲୋଡ଼ିବା ଅଥବା ଖାଲି ହିନ୍ଦୁ ବା ଖାଲି ମୁସଲମାନ ହୋଇ ଉପଦ୍ରବ କରିବାରେ ନିଜର ବୁଦ୍ଧିଗୁଡ଼ାକୁ ରଦି କରି ରଖିଥିବା ?

 

୨୮.୧୦.୦୨

☆☆☆

 

ପରିବେଶବାଦୀ : ପରିବେଶବାଦ

 

ସେଦିନ କିଛି ବନ୍ଧୁଙ୍କର ମେଳରେ ପରିବେଶ ବିଷୟରେ ଆଲୋଚନାଟିଏ ଡକାହୋଇଥିଲା । ବିଷୟଟିର ଉପସ୍ଥାପନା କରିବା ମୋର ଦାୟିତ୍ଵ ହୋଇ ରହିଥାଏ । ଯଥାସମ୍ଭବ ସଂକ୍ଷେପରେ, ପ୍ରାୟ ପନ୍ଦର ମିନିଟ୍ ଭିତରେ । ତା'ପରେ ସମସ୍ତେ କହିବେ, ପାରସ୍ପରିକ ଏକ, ମନ୍ଥନରୁ ହୁଏତ କିଛି ସମଗ୍ର ସତ୍ୟ ବାହାରି ପାରିବ । ମୁଁ ମୁଖ୍ୟତଃ ତିନୋଟି ପ୍ରଶ୍ନ ପଚାରି ମୋର ଉପସ୍ଥାପନାଟିକୁ ଶେଷ କରିଥିଲି । ପରିବେଶ ସର୍ମ୍ପକରେ କ’ଣ କମ୍ ଆଲୋଚନା ହେଉଛି ? ପୃଥିବୀର ପରିବେଶ ସମ୍ବନ୍ଧରେ କ୍ରମେ ବୈଜ୍ଞାନିକମାନେ ତଥ୍ୟ ସମ୍ବଳିତ କେତେ ଆଲୋଚନା କରୁଛନ୍ତି । ଥରେ ଥରେ ପୃଥିବୀର ଗୋଟାଏ ଗୋଟାଏ ଜାଗାରେ ମଥାମାନେ ଏକାଠି ହୋଇ ବହୁ ବହୁ ଚର୍ଚ୍ଚା କରୁଛନ୍ତି । ସରକାରମାନେ ମଧ୍ୟ ପରିବେଶ ନିମନ୍ତେ ପଇସା ଖର୍ଚ୍ଚ କଲେଣି । ଆଗୁଆ ଦେଶମାନେ ଆମ ବିଶ୍ଵର ଖାତାଗୁଡ଼ିକ ଅନୁସାରେ ପଛୁଆ ଦେଶମାନଙ୍କ ପାଖରେ ପରିବେଶ ବିଷୟରେ ଏକ ଉପଯୁକ୍ତ ସଚେତନତା ସୃଷ୍ଟି କରିବା ନିମନ୍ତେ ମୋଟା ମୋଟା ଅର୍ଥନିଧିମାନ ଯୋଗାଇ ଦେଉଛନ୍ତି । ଏହି ଅର୍ଥଦ୍ୱାରା କ୍ଷୁଦ୍ର ଓ ବୃହତ୍ କେତେ କେତେ ତତ୍କାଳିକ କାର୍ଯ୍ୟକ୍ରମକୁ ହାତକୁ ନେଇ ଅସୁମାରି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆପଣାକୁ ସକଳ ତୀର୍ଥରେ ଅତ୍ୟନ୍ତ କ୍ରିୟାଶୀଳ କରି ରଖିଛନ୍ତି । ପରିବେଶ ତ କାଳେ କାଳେ ଥିଲା; ସମ୍ଭବତଃ ପରିବେଶବାଦ କଥାଟି ଏବେ ଜନ୍ମଲାଭ କରିଛି । ଠିକ୍ ଯେପରି ଆଦର୍ଶଗୁଡ଼ିକ କାଳେ କାଳେ ଥିଲା ଓ ଆଦର୍ଶବାଦ ନାମକ ଅନ୍ୟ କଥାଟିଏ ବେଶ୍ ପରେ ଲୋକଭାବନାରେ ଆସି ପ୍ରବେଶ କରିଛି–ଇଏ କ’ଣ ସେହିଭଳି କଥାଟିଏ କି ? ଏବେ ବହୁ ମଣିଷଙ୍କୁ ପରିବେଶବାଦୀ ବୋଲି ବି କୁହାଗଲାଣି । ପୃଥିବୀରେ ଆଗ ପରିବେଶବାଦୀମାନେ ବାହାରିବାରୁ ପରିବେଶବାଦ ନାମକ ସେହି ଅନ୍ୟ କଥାଟିକୁ ସର୍ଜନା କରିବାକୁ ପଡ଼ିଛି କି ? ଆମ ଦେଶ ଓ ଆମ ରାଜ୍ୟରେ ମଧ୍ୟ କିଛି ବ୍ୟକ୍ତିଙ୍କୁ ପରିବେଶବାଦୀ ବୋଲି କହିବା ଆରମ୍ଭ ହେଲାଣି । ସତେତ, ପରିବେଶବାଦ ନଥିଲେ ପରିବେଶବାଦୀମାନଙ୍କୁ ସଫା କରି ବୁଝି ହୁଅନ୍ତା ନାହିଁ ବୋଲି ଏପରି ଗୋଟିଏ ପ୍ରୟୋଜନ ଆସି ଉପସ୍ଥିତ ହୋଇଛି କି ? ଏଇଟି ଥିଲା ସେଦିନ ବନ୍ଧୁମାନଙ୍କୁ ମୋର ପ୍ରଥମ ପ୍ରଶ୍ନ । ହଁ, ଯେପରି Science ଏବଂ Scientism ନାମକ ଯୋଡ଼ାଯୋଡ଼ି ହୋଇ ଦୁଇଟା କଳ୍ପନା ଆମ ଆଗରେ ରହିଛି, ପରିବେଶ ଓ ପରିବେଶବାଦକୁ କ’ଣ ଆମେ ସେହିପରି ଏକ ବ୍ୟଭିଚାରୀ ବ୍ୟଞ୍ଜନା ଲଗାଇବି ବିଚାର କରି ପାରିବା କି ?

 

ମୋର ଦ୍ୱିତୀୟ ପ୍ରଶ୍ନଟି ଥିଲା ଆମ ନିଜର ଏହି ଦେଶ ଓ ନିଜର ରାଜ୍ୟଟି ବିଷୟରେ ସମ୍ପୂର୍ଣ୍ଣ ତିର୍ଯ୍ୟକ ଭାବରେ । ଦେଶ ସ୍ୱାଧୀନତା ଲାଭ କରିବା ପୂର୍ବରୁ ସ୍ୱାଧୀନତା ପାଇଁ ସଂଗ୍ରାମଟିଏ ଚାଲିଥିବା ସମୟରେ ଆମ ସଂଗ୍ରାମୀମାନେ ଭବିଷ୍ୟତର ଯାବତୀୟ ବିଶେଷ ନିର୍ମାଣ ଓ ନବ ନବ ବିଧାନକୁ ନେଇ ଆମ ସମ୍ମୁଖରେ କେତେ କେତେ ସ୍ଵପ୍ନଚିତ୍ର ଆଣି ବାଢ଼ି ଦେଇଥିଲେ । ରାଜନୀତିକ ସ୍ୱାଧୀନତା ଯେ ଆଦୌ ଯଥେଷ୍ଟ ନୁହେଁ, ସେମାନେ କେତେ କେତେ ପ୍ରେରଣାପ୍ରଦ କଥା କହି ଆମକୁ ବୁଝାଇ କହି ଦେଉଥିଲେ । ରାଜନୀତିକ ସ୍ଵାଧୀନତା ତ କେବଳ ପ୍ରଥମ ପଦକ୍ଷେପ ମାତ୍ର, ତା’ପରେ ଭାରତବର୍ଷରେ ପ୍ରାୟ ଏକ ନୂଆ ମାପକାଠି ପକାଇ ସବୁ ଗଢ଼ା ହେବ, ଗାଁ ଏବଂ ସହର ଉଭୟେ ହସିବେ । ସକଳ କ୍ଷେତ୍ରରେ ମଣିଷ ହିଁ କେନ୍ଦ୍ରରେ ରହିବ, ଥାକଗୁଡ଼ାକ ଏବଂ ବ୍ୟବଧାନଗୁଡ଼ାକ ହଟିଯିବ, କେହି ଅଧିକ ଚତୁର ହୋଇ ଯଥାସମ୍ଭବ ସବୁ ମାରି ନେବେ ନାହିଁ ଆଉ କେହି ଆପଣାକୁ ଅକିଞ୍ଚନ ଏବଂ ଅସମର୍ଥ ମଣି ବକା ହୋଇ ମୋଟେ ଅନାଇ ରହିବେ ନାହିଁ-। ସେତେବେଳେ ରାମରାଜ୍ୟ ବିଷୟରେ କୁହାଯାଉଥିଲା, ସର୍ବୋଦୟର କଥା ବି କୁହାଯାଉଥିଲା-। ଥୋକେ ସମାଜବାଦର କଥା ମଧ୍ୟ କହୁଥିଲେ । ସେହି ସଭିଁଙ୍କୁ ନେଇ ଏ ଦେଶରେ ବିଧାତା ବିଗତ ୫୦ ବର୍ଷ କାଳ କ’ଣ ସବୁ କୂଟ କରିପକାଇଲା କେଜାଣି, ସେମାନେ ପ୍ରାୟ ସମସ୍ତେ ସତେ ଅବା ପୂରା କାଇଲି ହୋଇରହିଗଲେ । ବଣା ହେବା ପରି ବହେ ଏଣେ ତେଣେ ବେଶ୍ ଦଉଡ଼ିଲେ-। ତେଣେ ବୟସ ମଧ୍ୟ ଗଡ଼ି ଯାଉଥିଲା । ଭାରି ହଇରାଣ ହେଲେ; ଦେଶଟା ଯାକକୁ ବି ହଇରାଣ କଲେ । ସର୍ବୋଦୟ ରହିଗଲା, ସମାଜବାଦ ରହିଗଲା । ସେହି ସବୁ ଶିବିରର ଜୀଉମାନେ ପରସ୍ପର ମଧ୍ୟରେ ଖୁବ୍ ଖେଣ୍ଟାଖେଣ୍ଟି ହେଲେ, କାରଣ ଥିବା ତଥା କାରଣ ନଥିବା ବହୁତ ବହୁତ ବିବାଦରେ ଲିପ୍ତ ହୋଇପଡ଼ିଲେ ଏବଂ ତା'ପରେ ପରସ୍ପରଠାରୁ ଭିନେ ହୋଇଗଲେ । ସେମାନେ ନିଜ ଭିତରୁ ବୋଧହୁଏ ଆଉ କୌଣସି ଭରସା ପାଇଲେ ନାହିଁ । ଏବଂ, ବିଚରା ଦେଶବାସୀ ମଧ୍ୟ ସେମାନଙ୍କ ଉପରେ ଆଉ କୌଣସି ଭରସା ରଖିପାରିଲେ ନାହିଁ । ଯେକୌଣସି ପ୍ରକାରେ ପରିସ୍ଥିତିମାନଙ୍କ ସହିତ ଖାପ ଖାଇବାକୁ ବାଧ୍ୟ ହେଲେ । ନିତାନ୍ତ ବିକଳ ହୋଇ ଆପଣାର ପାଦଟିକୁ ଥାପି ରଖିବା ନିମନ୍ତେ ଥାନଟିଏ ଖୋଜୁଥିଲେ,– ନିଜ ପାଖରୁ ସତେଅବା ନିଜକୁ ଲୁଚାଇ ରଖିବା ପାଇଁ ଓଢ଼ଣୀଟିଏ ଖୋଜୁଥିଲେ । ବର୍ତ୍ତମାନ ଅନାଇବା ମାତ୍ରକେ ପରିବେଶ ଚର୍ଚ୍ଚାର ପ୍ରାୟ ସବୁଯାକ ଅବସରରେ ସେହିମାନେ ଦୁଶି ଯାଉଛନ୍ତି । ଆପଣାକୁ ପରିବେଶବାଦୀ କୁହାଉଛନ୍ତି ଏବଂ ଲୋକମାନେ ମଧ୍ୟ କ୍ରମେ ସେମାନଙ୍କୁ ସେହି ନୂଆ ସ୍ଵୀକୃତିଦେଇ ଚିହ୍ନୁଛନ୍ତି । ସମାଜବାଦ କଥା ଆଉ ମୋତେ ଶୁଣାଯାଉ ନାହିଁ, ଗାନ୍ଧୀ କଥା ଓ ସର୍ବୋଦୟର କଥାମାନ ଏବେ ଇଂରେଜୀରେ ଲେଖାହୋଇ ବିଦେଶରେ ପ୍ରଚାରିତ ହେଉଛି ସିନା, ଆମ ନିଜ ଦେଶଟାରେ ଆଉ ସେକଥା ଅନ୍ତତଃ ଏମାନେ କହୁନାହାଁନ୍ତି ।

 

ତୃତୀୟ ପ୍ରଶ୍ନଟିର ଉଲ୍ଲେଖ କରିବା ପୂର୍ବରୁ ମୁଁ ଗୋଟିଏ ସତ ଘଟଣା କହିବି । ନିକଟ ଆଦିବାସୀ ଅଞ୍ଚଳରେ ସେଠାରେ କାର୍ଯ୍ୟ କରୁଥିବା ଗୋଟିଏ ସ୍ୱେଚ୍ଛାସେବୀ ସଂଗଠନରେ ଥରେ ପରିବେଶକୁ ନେଇ ଗମ୍ଭୀର ଚର୍ଚ୍ଚାମାନ ହେଉଥିଲା । ଅଣ ଆଦିବାସୀ କ୍ଷେତ୍ରକର୍ମୀମାନେ ଆଦିବାସୀ ସ୍ଥାନୀୟମାନଙ୍କୁ ପରିବେଶ ବିଷୟରେ ସଚେତନ କରାଉଥିଲେ । ବହୁ ତତ୍ତ୍ୱ ତଥା ବହୁ ବିଜ୍ଞାନର ସାହାଯ୍ୟ ନେଇ ଏହି କର୍ମନିୟୋଜିତମାନେ କେତେ କ’ଣ ତଥ୍ୟ ଅଜାଡ଼ି ପକାଉଥିଲେ । କାନ୍ଥଯାକ ଶିଳ୍ପୀ ହାତର ଚିତ୍ରଗୁଡ଼ିକ ଟଙ୍ଗାହୋଇ ସେହି କଥାଗୁଡ଼ିକୁ ହିଁ କହିବାରେ ଲାଗିଥାଏ । ଗଛମାନେ ଆମର କେତେ ଉପକାର କରି ଆସୁଥିଲେ ଏବଂ ଏବେ ଜଙ୍ଗଲରୁ ଗଛମାନେ କଟାହୋଇଯିବାରୁ କିପରି ବୃଷ୍ଟିପାତ କମିଯାଉଛି, ଜଳବାୟୁ ବଦଳି ଯାଉଛି, ଏହିପରି ସାତ ଓ ସତର କଥାମାନ କହି ବକ୍ତାମାନେ ଶ୍ରୋତାଗଣଙ୍କୁ ପ୍ରାୟ ମନ୍ତ୍ରବଶ କରି ପକାଇଥାନ୍ତି । ବକତା ଆଉ ଶ୍ରୋତା ଉଭୟେ ମୁଗ୍ଧ ହୋଇ ରହିଥାଆନ୍ତି । ଏହିପରି ଭାବରେ ମୁଗ୍ଧକରି ରଖିବାର ବିଚକ୍ଷଣତାରେ ଦୁଇଦିନ କଟି ସାରିଥାଏ । ତୁହାକୁତୁହା ଗୋଟାଏ ସମବେତଗାନ କାନ ଅତଡ଼ା ପକାଇ ଦେଲାପରି ନିନାଦିତ ହୋଇ ପଡ଼ୁଥାଏ । ଗୀତଟିର ସର୍ବପ୍ରଥମ ଧାଡ଼ିଟା ‘ଗଛ ଗଛ ଆଉ ସବୁକଥା ପଛ’ ବୋଲି ପୁନରାବୃତ୍ତି ହେବାରେ ଲାଗିଥାଏ । ମୋତେ ମଧ୍ୟ କିଛି କହିବା ସକାଶେ କର୍ତ୍ତାମାନଙ୍କର ମହଲରେ ଅନୁରୋଧ କରାଗଲା । ମୁଁ ତଥାପି ଥଙ୍ଗମଙ୍ଗ ହୋଇ ଠିଆ ହେଲି ଓ କଣ କେଉଁଭଳି ଆରମ୍ଭ କରିବି ବୋଲି ଡୁଙ୍ଗି ହେଉଛି, ମୋ ପାଟିରୁ ଶ୍ରୋତାମାନଙ୍କ ନିମନ୍ତେ ସତେଅବା ଆପେ ଆପେ ଅଳ୍ପ ଶବ୍ଦ କେତୋଟି ବାହାରି ଆସିଲା । ମୁଁ ପଚାରିଲି, ଭାଇ ଏବଂ ଭଉଣୀମାନେ ଆଉଥରେ ଭାବିଚିନ୍ତି କହନ୍ତୁତ, ସବୁ କଥା ପଛ ଓ ଗଛଟା ହିଁ ସବା ଆଗ, ପେଟଟା ବି ପଛ ଏବଂ ଗଛଟା ସବା ଆଗ ? ଶ୍ରୋତା ତରଫଟା ଏକାବେଳେକେ ଏତେ ପାଟି କରି ତତ୍‍କ୍ଷଣାତ୍ କହିଉଠିଥିଲା, ନାଇଁ ଆଜ୍ଞା, ସବାଆଗ ପେଟ, ଗଛ ହେଉଛି ପଛ । ଲୋକମାନେ ଏତିକି ବୁଝନ୍ତୁ ବୋଲି କୌଣସି ସରକାର ସମ୍ଭବତଃ କୌଣସି ସ୍ୱେଚ୍ଛାସେବୀ ସଂଗଠନକୁ ଅର୍ଥ ଅନୁଦାନ କଦାପି ଦିଅନ୍ତା ନାହିଁ । ମୋତେ ଘେରି କରି ବସିଥିବା କ୍ଷେତ୍ରକର୍ମୀ ମଣ୍ଡଳୀଟା ସେତେବେଳକୁ ପୁରା ନିସ୍ତବ୍ଧ ହୋଇଯାଇଥାଏ । କର୍ମୀ ବନ୍ଧୁମାନେ ମୋ କଥାରେ ଆଦୌ ଦ୍ୱିମତ ନଥିଲେ । କିନ୍ତୁ ସେମାନେ ମଧ୍ୟ ଏପରି କହୁଥିଲେ କୋଉ ସରକାର ସେମାନଙ୍କୁ ପଇସା ଦେଇ ଏହି ଜଙ୍ଗଲ ଭିତରକୁ ପ୍ରଲୁବ୍‌ଧ କରନ୍ତା ?

 

ସେଦିନର ଆଲୋଚ୍ୟ ବୈଠକରେ ବନ୍ଧୁମାନଙ୍କୁ ମୁଁ ଏହି ତୃତୀୟ ପ୍ରଶ୍ନଟିକୁ ପଚାରିଥିଲି, ଦେଶରେ ଯେଉଁ କୋଟି କୋଟିଙ୍କ ପାଖରେ ଛାର ପେଟଟା ପୂରିବା ନିମନ୍ତେ ନିର୍ଭରଯୋଗ୍ୟ ସଂସ୍ଥାନ ବେଲି କିଛି ନାହିଁ, ସେମାନଙ୍କ ପାଇଁ ଗଛ ଆଗ ନା ପେଟ ଆଗ ? ପେଟଟା ସର୍ବନିମ୍ନ ଏବଂ ତେଣୁ ସବାଆଗ ବୋଲି ସମାଜବାଦ ପୃଥିବୀସାରା କହି ଆସିଛି । ସର୍ବୋଦୟର କଲ୍ୟାଣ ଚିନ୍ତା ତ ଅନ୍ତ୍ୟୋଦୟରୁ ହିଁ ଆରମ୍ଭ ମଧ୍ୟ ହୋଇଛି । ସବାତଳେ ଯେଉଁ ଲୋକଟି ରହିଛି, ତାର ପେଟ ପୂରିବାର ବ୍ୟବସ୍ଥା ସତକୁସତ କିଛି ହୋଇଛି କି ? ହଁ, ବାତ୍ୟା, ବନ୍ୟା ଓ ମରୁଡ଼ି ସମୟରେ ବଦାନ୍ୟତାମାନେ କେଡ଼େ ଟାଉଟାଉ ହୋଇ ତ୍ରାଣର ନାନାବିଧ କାର୍ଯ୍ୟକ୍ରମରେ ବାହାରି ପଡ଼ୁଛନ୍ତି । ଭାରି ଚହଲ ପହଲ ଲାଗିଯାଉଛି, ମାତ୍ର ତା’ପରେ ରାଢ଼ମାନେ ରାଢ଼ ହୋଇ ରହୁଛନ୍ତି, ବଞ୍ଚିତମାନେ ବଞ୍ଚିତ ହୋଇ ରହୁଛନ୍ତି । ଥୋକେ ମଣିଷଙ୍କ ପାଇଁ ଭଳିକି ଭଳି ନାନା ଅତ୍ୟାଧୁନିକ ଅଲାଜୁକତାମାନ ସଂସ୍କୃତିଘରର ଶୋଭା ମଣ୍ଡନ କରି ରଖୁଛନ୍ତି,–ନେତାମାନେ ରାଜପୁତ୍ରଙ୍କ କାଇଦାରେ ଦେଶନାମକ ଜଙ୍ଗଲଟାରେ ପାରିଧି କରୁଛନ୍ତି–ମାତ୍ର ସବୁ ପିଲାଙ୍କ ପାଇଁ ଇସ୍କୁଲ ନାହିଁ ଏବଂ ସବୁ ମଣିଷଙ୍କ ହାତରେ ବରଷଟାଯାକ ଭରସା କରି ପାରିଲା ଭଳି କାମ ନାହିଁ । ସେମାନଙ୍କ ନିମନ୍ତେ ମୋଟେ ଶାସନଟା ମଧ୍ୟ ଚାଲୁ ନାହିଁ । ଅଥଚ ନଅରର ବହିମାନେ କହୁଛନ୍ତି ଯେ, ଏଠି ସମସ୍ତେ ହେଉଛନ୍ତି ନାଗରିକ,–ଏବଂ ନାଗରିକ ମାତ୍ରକେ ସେମାନଙ୍କର କେତେ ନା କେତେ ପ୍ରାପ୍ୟ ଓ ଅଧିକାର । ଅର୍ଥାତ୍, ସବାଆଗର ସଚେତନତା ତଥାକଥିତ ପରିବେଶଟା ସମ୍ପର୍କରେ ସଚେତନତା ନୁହେଁ, ସବାଆଗର ସଚେତନତା ହେଉଛି ନାଗରିକ ହିସାବରେ ପ୍ରତ୍ୟେକ ମନୁଷ୍ୟର ସଚେତନତା । ଅବଶ୍ୟ ଆମେ ଥୋକାଏ ଉପରେ ରହି ଯଦି ବଞ୍ଚିତମାନଙ୍କୁ ଭଣ୍ଡାଇବାରେ ମନ ରଖିଥିବା, ତେବେ ତାହା ନିଶ୍ଚୟ ଅନ୍ୟପ୍ରକାର ହେବ । ଏବଂ, ଏକାଧିକ ମାର୍ଗରେ ଏହି ଦେଶରେ ଧୋକାମାନେ ହିଁ ରଜା ହୋଇ ରହିଥିବେ

 

ପୂର୍ଣ୍ଣସାଧୁତାର ସହିତ ମନ କରି ମଣିଷ ଯଦି ଆପଣାର ପରିବେଶଟିକୁ ଦେଖିବ ବୋଲି ନିଜ ଚାରିପାଖକୁ ଅନାଇବ, ତେବେ ସବାଆଗ ଏବଂ ସବାମୂଳ ହୋଇ ମଣିଷମାନେ ହିଁ ଦେଖାଯିବେ, ଅଲବତ ଦେଖାଯିବେ । ଯଦି ଜଙ୍ଗଲ ଦେଖିବ, ଗଛ ଦେଖିବ, ବିରଳ ଉଦ୍ଭିଦ ଅଥବା ବିରଳ ଜନ୍ତୁ ଦେଖିବ, ତେବେ ଏହି ସର୍ବେ ଓ ସକଳେ ମଣିଷର ପରିପ୍ରେକ୍ଷୀରେ ହିଁ ଦେଖାଯିବେ । ସୁସ୍ଥ ଭାବରେ ଦେଖିବା ବୋଲି କହିଲେ ସର୍ବଦା ସେହି କଥାଟିକୁ ବୁଝାଇବ । ଏତେ ଏତେ ଶିକ୍ଷା, ଏତେ ଏତେ ବିତ୍ତ ଓ ଏତେ ଏତେ ବୁଦ୍ଧିର ଏହି ପୃଥିବୀରେ ଆମକୁ କୋଉ ଅସୁସ୍ଥତା କାହିଁକି କାମୁଡ଼ି ଧରିଛି କେଜାଣି, ଆମେ ୟାଡୁ ସ୍ୟାଡୁ ବିଶାଶହେ ଟିକିନିଖିମାନଙ୍କୁ ଦେଖିପାରୁଛୁ ଅଥଚ ମଣିଷମାନଙ୍କୁ ଦେଖିପାରୁ ନାହୁଁ । ବିଶେଷତଃ ଯେଉଁସବୁ ଦେଶମାନେ ଏବେ ମଧ୍ୟ ସବୁମଣିଷଙ୍କୁ ବିଚାରକୁ ଆଣି ସର୍ବନିମ୍ନ ଆବଶ୍ୟକତାଗୁଡ଼ିକୁ ସମ୍ଭବ କରି ପାରୁନାହାନ୍ତି ଓ ତେଣୁ ଯେଉଁମାନଙ୍କୁ ବିକାଶଶୀଳ ଦେଶ ବୋଲି କୁହାଯାଉଛି, ସେସବୁ ଦେଶରେ ମଣିଷମାନେ ହିଁ ଅବହେଳିତ ହୋଇ ରହିଛନ୍ତି । ପୃଥିବୀର ଇତିହାସରେ ଅଧ୍ୟାୟ, ସର୍ବୋଦୟ ଏବଂ ସମାଜବାଦ ହିଁ ଭିନ୍ନ ଭିନ୍ନ ଭାଷାରେ ଚିରକାଳ ମଣିଷମାନଙ୍କୁ ହିଁ ସବା ଆଗରେ ରଖି ବାଟ ଚାଲିବାର ଉଦ୍‍ବୋଧନ ଦେଇ ଆସିଛନ୍ତି । ହୁଏତ ଅସଲ ପ୍ରଶ୍ନଟି ହେଉଛି, ସବୁ ମଣିଷଙ୍କୁ ଆମ ବିଚାର ଓ ବ୍ୟବସ୍ଥାମାନଙ୍କରେ ଥାନ ନଦେଇ ଆମେ ପୃଥିବୀର ଏହି ଯାବତ ବାହ୍ୟ ପରିବେଶଗୁଡ଼ିକୁ କଦାପି ସୁସ୍ଥ କରିପାରିବା କି ? ତେଣୁ, ପରିବେଶବାଦୀ ପ୍ରକୃତିସ୍ଥ ହୁଅନ୍ତୁ, ଘରକୁ ଫେରିଆସନ୍ତୁ । ସେମାନଙ୍କୁ ସବୁ ମଣିଷ ସତକୁସତ ସୁନ୍ଦର ଦିଶନ୍ତୁ,–ପ୍ରମାଦଗୁଡ଼ିକ କଟିଯାଉ ।

 

୪.୧୧.୦୨

☆☆☆

 

Unknown

ଶିକ୍ଷିତ-ଅଶିକ୍ଷିତ ପ୍ରକରଣ

 

ଅସଲ ଶିକ୍ଷା ସହିଷ୍ଣୁ କରେ, ଅସଲ ଶିକ୍ଷିତ ଅଧିକ ସହେ । କୋଳାହଳ କରି ଅର୍ଥାତ୍ ଦେଖାଇ ହୋଇ ନୁହେଁ, ଧର୍ମତଃ ଅଧିକ ସହେ । କାରଣ ଅଧିକ ଶିକ୍ଷିତ ଅଧିକ ବୁଝେ । ଶିକ୍ଷିତ ହୋଇ ମଧ୍ୟ ତଥାପି ଅଶିକ୍ଷିତ ହୋଇ ରହିଥିବା ମଣିଷଟି ଅଧିକ ଚତୁର ହେବାକୁ ହିଁ ଧର୍ମ ବୋଲି ଧରି ନେଇଥାଏ । ଅସଲ ଶିକ୍ଷିତ ସତ୍ୟାଗ୍ରହୀ ହୁଏ । ସତ୍ୟ ଲାଗି ଆଗ୍ରହକୁ ହିଁ ଜୀବନର ଅସଲ ଅର୍ଜନ ବୋଲି ସିଏ କେଡ଼େ ସ୍ୱାଭାବିକ ଭାବରେ ମାନି ନେଇଥାଏ । ଭାରତବର୍ଷ ସ୍ଵାଧୀନ ହେବା ପରେ ଶିକ୍ଷାର ବେଢ଼ଗୁଡ଼ାକ ଏଠି ହୁ ହୁ ହୋଇ ବଢ଼ିଲା ସିନା, କିନ୍ତୁ ଶିକ୍ଷିତମାନେ ସତକୁସତ କୁଆଡ଼େ ଗଲେ ? ଚତୁରତା ହିଁ ଏଠି ନୂଆ ନୂଆ ଚାତୁରୀକୁ ଜନ୍ମ ଦେଲା ଏବଂ ସତମାନଙ୍କୁ ଅର୍ଥାତ୍ ସାଧୁତାମାନଙ୍କୁ ଢାଙ୍କି କରି ରଖିଦେଲା । ଏକ କାଳରେ ରୀତି ଯୁଗ ବୋଲି ଗୋଟାଏ ଦରବାରୀ ଢଙ୍ଗ ରହିଥିଲା, ଯାହାଫଳରେ ବହୁ ଚତୁର ମଣିଷ ଧୀଷଣାକୁ ମନ୍ଦରପର୍ବତ କରି ମୁଣ୍ଡ ଉପରେ ମୁଣ୍ଡାଇ ଧରିଥିଲେ ଏବଂ ସାହିତ୍ୟକୁ ବାଉଳା କରି ରଖିଥିଲେ । ସେତେବେଳେ ପୃଥିବୀର ମାଟିଟା ସମ୍ଭବତଃ ଅନ୍ୟ କିଛି ଲାଗି ପୋଖତ ଅର୍ଥାତ୍ ଉଦ୍ୟତ ହୋଇନଥିଲା ବୋଲି ଏସବୁକୁ ପ୍ରତ୍ୟକ୍ଷ କରି ମଧ୍ୟ ସେଭଳି ଅଡ଼ୁଆ ଲାଗୁନଥିଲା । ରଜା ନଥିଲେ ରାଜ୍ୟ ସମ୍ଭବ ବୋଲି କେହି କଳ୍ପନା କରି ପାରୁନଥିଲେ । ତା'ପରେ ପୃଥିବୀରେ ତ କେତେ କ’ଣ ବଦଳି ଯାଇଛି । ଚତୁର୍ଦ୍ଦିଗରୁ ପବନପ୍ରାୟ ହୋଇ କେତେ ନୂଆ ନୂଆ ଉନ୍ମେଷଣା ଆମର ଏହି ସାମୂହିକ ଜୀବନର ଘରେ ଆସି ପ୍ରବେଶ କରିଛି । ତଳଟା ହିଁ ଅସଲ ଭୂମି ବୋଲି ସତ୍ୟଟି ଏକାବେଳେକେ ଏବର ହୋଇଥିଲେ ମଧ୍ୟ ତାହାହିଁ ଯେ ଆମକୁ ଏକ ସମ୍ମୁଖକାମୀ ଗୋଷ୍ଠୀ ରୂପେ ଆଗକୁ ଓ ବହୁତ ଆଗକୁ ନେଇଯାଇ ପାରିବ, ସେଥିପାଇଁ ଆମେ ଆମ ଜାତୀୟ ନିୟତିର ବିଧାତାଟି ଆଗରେ ଶପଥ ବି ନେଇ ସାରିଛୁ । ଆମର ଆଖିମାନେ କ୍ରମେ କେତେ ନା କେତେ ଆଗକୁ ଦେଖି ପାରିଲେଣି । ପୁରୁଣା ଅମଳର ଥାକଗୁଡ଼ାକ ଭାଙ୍ଗିଯିବ ଏବଂ ଆମେ ସମସ୍ତେ ଗୋଟିଏ ଦେଶର ନାଗରିକ ହୋଇଥିବାର ମହିମାରେ ସତକୁସତ ଗୌରବ ଅନୁଭବ କରିବା ଏବଂ ଏକ ଆରେକୁ ସହଯାତ୍ରୀ ତଥା ସହଯୋଗୀ ସଦୃଶ ଲୋଡ଼ିବା, ଏକଥା ଆମ ପାଠମାନଙ୍କରେ ମଧ୍ୟ ଆମକୁ କେତେ ଗମ୍ଭୀରତାର ସହିତ ପଢ଼ାଇ ଦିଆଗଲାଣି ।

 

ଉପରେ ରଜା–ତଳେ ପ୍ରଜା । ରଜା ପାଇଁ ପ୍ରଜା । ରଜାର ପରମ ପ୍ରୀତ୍ୟର୍ଥେ ପ୍ରଜା । ସତେ ଯେପରି ରଜାର ଭାଗ୍ୟଭୋଗ ନିମନ୍ତେ ଭଗବାନ ପ୍ରଜାମାନଙ୍କୁ ଆବଶ୍ୟକ ଦ୍ରବିଣ ରୂପେ ଏହି ସଂସାରକୁ ପ୍ରେରଣ କରିଛନ୍ତି । ଏବେ ସେହି ପ୍ରଜା ହେଉଛି ରାଜା । ସେଇ ତା’ର ପ୍ରତିନିଧିମାନଙ୍କୁ ବାଛିବ । ପ୍ରତିନିଧିମାନେ ତା’ବରାଦ ଅନୁସାରେ କାର୍ଯ୍ୟ କରିବେ,–ତାରି ଆବଶ୍ୟକତାଗୁଡ଼ିକ ଅନୁସାରେ ଅଗ୍ରାଧିକାରଗୁଡ଼ିକର ନିର୍ଣ୍ଣୟ କରିବେ ଏବଂ ସେହି ଅନୁସାରେ ନିଜକୁ କ୍ରିୟାଶୀଳ କରିବେ । ଏହି ଦେଶରେ ସେହି ଅନୁସାରେ ଶିକ୍ଷାର ଏକ ବରାଦ ରହିଥିବ, ସରକାର ନାମକ ବିପଣିଟିଏ ମଧ୍ୟ ରହିଥିବ । ସରକାର ବୋଲ ମାନିବ, ବୋଲ ବତାଇବ ନାହିଁ । ଯଥାସମ୍ଭବ ପରିକର ହେବ; ଯଥାସମ୍ଭବ ରଜାଗିରି ଛାଡ଼ିବ । ଶିକ୍ଷା ଲାଭ କରି ସିଏ ସତକୁସତ କେତେ ପର୍ଯ୍ୟନ୍ତ ଜଣେ ପରିକର ହୋଇପାରିଛି ବା ନପାରିଛି, ତା’ର ଅସଲ ପାଠୁଆପଣର ପ୍ରମାଣ ସର୍ବଦା ସେଇଥିରୁ ମିଳିବ । ଯେଉଁମାନେ ଖୁସି ହୋଇ ପରିଚର୍ଯ୍ୟାର ଭୂମିକାରେ ଆପଣାକୁ ନିୟୋଜିତ କରି ରଖିଥାଆନ୍ତେ, ସେମାନେ ସ୍ୱାଧୀନ ଭାରତରେ ଏହି ପାଞ୍ଚଛଅଟା ଦଶନ୍ଧି ଭିତରେ ଯେ ସତେ ଅବା ଗୋଟାଏ ଗୋଟାଏ ରଜା ପରି କାରବାର ହେଉଛନ୍ତି, ସେହି ସବୁକୁ ଦେଖି ଦେଖି ବେଳେବେଳେ ମନେ ହେଉଛି, ଏମାନେ ଏଡ଼େ ଏଡ଼େ ପାଠ ପଢ଼ି ଅର୍ଥାତ୍ ଏତେ ଶିକ୍ଷା ପାଇ ଏଭଳି ଅଶିକ୍ଷିତ ହୋଇ ରହିଗଲେ କାହିଁକି କେଜାଣି ? ତେଣେ ଦେଶର ପିଲାଙ୍କ ମଧ୍ୟରୁ ଅଧାରୁ ଅଧିକ ଆଦୌ କୌଣସି ସ୍କୁଲର ଦୁଆର ମାଡ଼ି ପାରୁନଥିବା ସମୟରେ ଏହି ବିଶେଷମାନେ ରାଜପୁତ୍ର ହୋଇ ପାଠର ବଡ଼ ବଡ଼ ଗୁଣ୍ଡାମାନ ପାଟିକୁ ପକାଇ ଆମ ସରକାରୀ ଘରମାନଙ୍କରେ ଯାଇ ବସିଛନ୍ତି ଏବଂ ଧର୍ମ ହୁଡ଼ିଛନ୍ତି । ଧର୍ମ ହୁଡ଼ିଥିବାରୁ ଲଜ୍ଜା ବି ହୁଡ଼ିଛନ୍ତି । ମଣିଷଙ୍କ ଭିତରେ ମଣିଷ ହୋଇ ନୁହେଁ, ଏକ ସ୍ୱତନ୍ତ୍ର ପ୍ରସାଧନ ଏବଂ ପରିପାଟୀଦ୍ୱାରା ନିଜକୁ ଏକାବେଳକେ ଅନ୍ୟପ୍ରକାରେ ଚିତ୍ରିତ କରି ରଖିଥିବା ଗେଣ୍ଡାଳିଆଙ୍କ ପରି ସେମାନେ କୋଟି କୋଟି ଉପରେ ଏକ ନିର୍ମମ ଉଦାସୀନତା ସହିତ ଲଦି ହୋଇ ରହିଛନ୍ତି । ସଖା ନ ହୋଇ ବାବୁ ହୋଇଛନ୍ତି । ସଖା ହେଲେ ମହତ୍ ସରିଯିବ ବୋଲି ଭାବୁଛନ୍ତି କି ? ସେମାନେ ସଖୀ ହେବାକୁ ଡରୁଛନ୍ତି କି ? ସେମାନେ ଯେଉଁ ଭୂଇଁଟା ଉପରେ ଆପଣାକୁ ଆତଯାତ କରୁଛନ୍ତି, ତାହାକୁ ନିଜର ଭୂଇଁ ବୋଲି ଗ୍ରହଣ କରିପାରି ନାହାନ୍ତି କି ?

 

ସେମାନଙ୍କର ନିଜ ଦେଶ ବୋଲି ଆଉ କେଉଁଠି କ’ଣ ଥିବ, ଆପଣ ଭାବିଚନ୍ତି କହିଲେ-। ହଁ ଭାରତବର୍ଷରେ କେତେ ଭାଷା,–କେଡ଼େ ଧନାଢ଼୍ୟ ଏକ ପରମ୍ପରା ଏବଂ ସାରା ପୃଥିବୀର ଅନ୍ତଦୈନ୍ୟକୁ ବାଟି ଦେଖାଇ ପାରିଲା ଭଳି କେତେ ନା କେତେ ଚିତ୍ତସମ୍ପଦମାନ,–ସେହି ବାବୁମାନେ କି ପାଠ ପଢ଼ିଲେ ଯେ, ସେଗୁଡ଼ିକ ଆଡ଼କୁଗୋଟା ସୁଦ୍ଧା ଆଖି ବୁଜି ରଖିଲେ । ସେଗୁଡ଼ିକୁ ଛି ବୋଲି କହିଲେ-। ଏଠି ଉପନିବେଶକାଳରୁ ଶାସନ କରି ଆସିଥିବା ଇଂରାଜୀ ଭାଷାର ପାଟଯଥା ପିନ୍ଧି ସୁନ୍ଦର ଦେଖାଯିବେ ଅର୍ଥାତ୍ ଆନ ଅନେକଙ୍କ ପରି ଦେଖାନଯିବେ ବୋଲି ଦୁର୍ବୁଦ୍ଧି କଲେ । ସ୍ୱାଧୀନ ଭାରତରେ ନିଜେ ଶାସକବରତ୍‌ ହୋଇ ରହିବେ ବୋଲି ସେମାନେ ସେପରି କରିବାକୁ ମନ କଲେ କି ? ଆପଣ କହନ୍ତୁ, ଏମାନେ ପ୍ରକୃତରେ ଆଉ କିପରି କ’ଣ ସହିପାରିବେ ? ଶତକଡ଼ା ପାଞ୍ଚ କି ଆଠ ଯଦି ଇନ୍ଦ୍ର ହୋଇ ସବୁଯାକ ଭୋଗିପାରିଲେ, ତେବେ ଏପରି ଏକ ସୁଯୋଗକୁ ସେମାନେ କାହିଁକି ବୋକାଙ୍କ ପରି ହାତଛଡ଼ା କରିବାକୁ ମନ କରିବେ-? ସେମାନଙ୍କର ପାଠ ପଢ଼ିବାଟା ସେମାନଙ୍କର ଶିକ୍ଷିତପଣଟାକୁ ସିନା ହରଣ କରିନେଇଯାଇଛି, କିନ୍ତୁ କ୍ଷତିପୂରଣ ରୂପେ ଏକ ଚତୁରପଣ ଅବଶ୍ୟ ଦେଇଯାଇଛି । ସେମାନେ ନିଜକୁ ହିଁ ସର୍ବବଳବାନ୍ ବୋଲି ବିଚାରି ନେଇଛନ୍ତି । ତେଣୁ, ଆହୁରି ଅନେକ କାଳ ଅଲବତ ରହିବେ ବୋଲି ନିଜକୁ ସାହସ ଯୋଗାଇ ଦେବାରେ ଲାଗିଛନ୍ତି । ସାଙ୍ଗ, ତୁମେ ମଧ୍ୟ ଭାରି ବୋକା ହୋଇଥିବ, ଯଦି ତଥାପି ସେହି ଅମଙ୍ଗ ଅନ୍ୟମନାମାନଙ୍କୁ ନିଜର ମନକଥା କିଛି କହିବ ବୋଲି ଚିନ୍ତା କରିବ । ଆମରି ପୁଅ, ଆମରି ଭାଇ ଓ ଆମରି ଭଣଜା ହୋଇ ସେମାନେ ଏଇଠୁ ଆମରି ଗାଆଁରୁ ହିଁ ତେଣେ ସରକାରୀ ସହରୀଗିରି ଭିତରକୁ ଯାଇଛନ୍ତି । ନଈଟାକୁ ପାର ହୋଇ ଯାଇଛନ୍ତି ବୋଲି ହୃଷ୍ଟ ହୋଇ ରହିଛନ୍ତି ଯେଉଁମାନେ, ସେମାନେ ପୁନର୍ବାର ପୁଣି ନଈ ଡେଇଁ ଏପାଖକୁ ମୋଟେ ଆସିବେ ନାହିଁ-। ସେମାନେ ପାରିଧି କରିବେ ଏବଂ ତେଣୁ ଦେଶଟାକୁ ଏକ ଅନୁରୂପ ପ୍ରମୋଦଜଙ୍ଗଲ କରି ରଖିଥିବେ । ତାଙ୍କ ଭଳି ତାଙ୍କ ପିଲାମାନେ ମଧ୍ୟ ଯେପରି ଅତ୍ୟନ୍ତ ଏକନିଷ୍ଠ ହୋଇ ସେହି ବାଟଟିରେ ଆପଣାକୁ ଅଶିକ୍ଷିତ କରି ରଖିବେ, ସେଥିଲାଗି ସେମାନେ ଦେଶର ଶିକ୍ଷାବ୍ୟବସ୍ଥାକୁ ମଧ୍ୟ ସେହିପରି ଖାସୁ କରି ରଖିବାର ଖୁବ୍ ଯୋଜନା ବି କରୁଛନ୍ତି ।

 

ଏହି ଶିକ୍ଷା ନିତାନ୍ତ ବଦଳିଯିବା ଆବଶ୍ୟକ ବୋଲି ସେଇ ବାବୁମାନେ ହିଁ କେତେ କଥା ଲେଖି ପକାଉଛନ୍ତି । ଯେଉଁମାନେ ଏହି ଅଶିକ୍ଷିତ ବ୍ୟବସ୍ଥାଟାରୁ କାହିଁ କଅଣ ଫାଇଦା ଉଠାଉଛନ୍ତି, ସେମାନେ ବି କିଛି କମ୍ କଥା କହୁନାହାନ୍ତି ଅଥବା ଲେଖୁନାହାନ୍ତି । ପରିବେଶକୁ ଅର୍ଥାତ୍ ଏହି ଜଙ୍ଗଲମାନଙ୍କୁ କାଟି ଆମେ ଯେଉଁମାନେ ଆମ ଜୀବନର ବୈଠକଖାନାମାନଙ୍କୁ କେଡ଼େ ସୁନ୍ଦର କରି ସଜାଇଛୁ ଓ ଏଣେ ପରିବେଶ ତଥା ଜଙ୍ଗଲସୁରକ୍ଷା ନାମରେ ପର୍ବ ପାଳନ କରୁଛୁ, ଇଏ କ’ଣ ସେହିପରି ଏକ କଥା କି ? ଅଶିକ୍ଷିତମାନଙ୍କର ରାଜତ୍ୱ ତଥାପି ଲାଗିରହିଛି । ସରକାର ବଦଳି ଯାଉଛନ୍ତି ଏବଂ ପୁନର୍ବାର ଆସୁଛନ୍ତି । ଅଥଚ, ସେମାନେ ସତେ ଅବା ଗୋଟିଏ ଗୁହାଳର ଗୋବର ହେବାଲାଗି ସଲାକରି ରହିଥିବା ପରି ସେହି ଖତରା ଓ ନେଫେଡ଼ାଗୁଡ଼ାକ ହିଁ ସେହିଭଳି ଚାଲିଛି । ସମସ୍ତେ ପାଠ ପଢ଼ିବେ, ବିକଳ୍ପ ପାଠମାନ ପଢ଼ିବେ, ନବ ସୃଜନ ନିମନ୍ତେ ନୂଆ ଠାଣିରେ ସବୁକିଛି ପଢ଼ିବେ, ଏସବୁର ମନ୍ତ୍ରଣାରେ ସେହି ପୁରୁଣା ବାବୁମାନେ ହିଁ କେତେ ଛଇ ହେଉଛନ୍ତି ଓ ଗଦା ଗଦା କାଗଜ ସିନା ଚଷୁଛନ୍ତି, କିନ୍ତୁ ସବୁ ଫସର ଫାଟି ଯାଉଛି । ସରକାରୀ ହିସାବସବୁ କହୁଛି ଯେ, ଏହି ଶିକ୍ଷା-ନଅରମାନଙ୍କରେ ବେତନ ଗଣିବାରେ ହିଁ ଶହେରେ ନବେଟଙ୍କା ନିକାଶ ହୋଇଯାଉଛି, ତଥାପି ଚତୁର କଙ୍କଣଲୋଭମାନଙ୍କର ଦୁଇଟାଯାକ ହାତ ହିଁ ଆମକୁ ଆଉ ଦିଅ, ଆହୁରି ଦିଅ କହି ଅଧିକ ଲମ୍ବି ଲମ୍ବି ଚାଲିଯାଉଛି । କ୍ରମେ ପିଲାମାନେ ବି ସେହି ତାମସାଟିକୁ ଅତି ଉତ୍ତମ କରି ବୁଝିଗଲେଣି ଓ ତେଣୁ ସେମାନେ ଶିକ୍ଷା ଘରଗୁଡ଼ାକ ପ୍ରତି ଆଉ ମୋଟେ କୌଣସି ଉପ୍ରୋଧ ରଖୁନାହାନ୍ତି ।

 

ସବାଶେଷରେ ମଧ୍ୟ ସେହି ଅସଲ ପ୍ରଶ୍ନଟି–ଏହି ଅଶିକ୍ଷିତ ଦୁଷ୍ଟବସ୍ଥାଟାକୁ ଶିକ୍ଷାନୁକୂଳ ଏକ ଅନ୍ୟ ଅବସ୍ଥାରେ କିଏ ପରିଣତ କରିପାରିବ ? ଏଗୁଡ଼ିକ ବଦଳୁ ବୋଲି ପାଠୁଆମାନେ କଦାପି ମନ କରିବେ ନାହିଁ । ସେମାନେ ସେହି ଅନ୍ଧାରିଆ ବର୍ବରାବସ୍ଥାଟାର ହୁଏତ ଯଥାସମ୍ଭବ ସମ୍ପୂର୍ଣ୍ଣ ସୁଯୋଗ ଗ୍ରହଣ କରିବେ ଏବଂ ତଦ୍ଦ୍ୱାରା ଫଳେପୁଷ୍ପେ କେତେଭଳି ଉପକୃତ ହେବେ । ତେଣୁ, ଅପାଠୁଆମାନେ ମନ କଲେ ଅର୍ଥାତ୍ ଜିଦ୍ ଧରି ବସିଲେ ଯାଇ ବର୍ତ୍ତମାନର ପୁରୁଣା ମିଛ ମନ୍ଦିରମାନଙ୍କରୁ ଇଟା ଖସିବାକୁ ଆରମ୍ଭ କରିବ ଏବଂ ସମ୍ରାଟ ତରଫଟା ଗୋଟାସୁଦ୍ଧା ଲଙ୍ଗଳା ହୋଇ ନିଃସଂକୋଚରେ ଏଠି ସବୁ ଆବୋରି ରଖିବାକୁ ଆଣ୍ଟ କରିବାରେ ଲାଗିଛି ବୋଲି ଧରା ପଡ଼ିଯିବ । ଭାରତବର୍ଷରେ ଗୋଟାଏ ନିତାନ୍ତ ଖଳବାଦୀ ଅପଦର୍ଶନ ମଣିଷମାନଙ୍କୁ ଅଧିକତର ସଂଖ୍ୟାର ମଣିଷମାନଙ୍କୁ ଏକ ଆତ୍ମବିମୁଖ ତଥା ଭାଗ୍ୟବିମୁଖ ବିସ୍ମୃତି ଭିତରେ ବୁଡ଼ାଇ ମଜ୍ଜାଇ ରଖିବାର ଚକ୍ରାନ୍ତ କରିଆସିଛି । ଧର୍ମଘରର ଗାଦୀମାନେ ସେହି ପ୍ରକ୍ରିୟାରେ ସହଯୋଗ ହିଁ କରି ଆସିଛନ୍ତି । ନିଜ ଅଫିମଗୁଡ଼ାକୁ ଆଦରି ରହି ବହିମାନଙ୍କର ଲେଖା ଓ ମଞ୍ଚଗୁଡ଼ାକର ପ୍ରଦର୍ଶନକୁ ହିଁ ସଂସ୍କୃତି ବୋଲି କହି କୋଟି କୋଟି ମଣିଷଙ୍କୁ ବେଢ଼ା ବାହାରେ ନେଇ ରଖାଯାଇଛି । ଏମାନେ ଖଟୁଛନ୍ତି ଓ ତଥାପି ସକଳ ସହଭୋଜନରୁ ବଞ୍ଚିତ ହୋଇ ରହିଛନ୍ତି । ଏହି ଅଗଣାମାନେ ଆପଣାକୁ ଗଣାହେବା ପାଇଁ ଅଲବତ ଦାବି କରିବେ,–ନିଜ ଭିତରେ ଏକ ଅନ୍ୟ ସଚେତନତାକୁ ଅନୁଭବ କଲେ ଯାଇ ସେମାନେ ଏହି ଭୂମିକୁ ବଦଳାଇବା ପାଇଁ ଏକାଠି ହେବେ ଏବଂ ପରସ୍ପରକୁ ଡାକି ବାହାରିବେ । ଏକଥା କେଉଁମାନେ କରାଇବେ ? ଏହି ଘଟଣାଟିକୁ କେଉଁମାନେ ଘଟାଇବେ ? ଏହି କାର୍ଯ୍ୟଟି ଅବଶ୍ୟ ଏକ ରାଜନୀତିକ କାର୍ଯ୍ୟ, କିନ୍ତୁ କଦାପି କେବଳ ଏକ ରାଜନୀତିକ କାର୍ଯ୍ୟ ନୁହେଁ । ଭାରତବର୍ଷରେ ଯାବତୀୟ ଅର୍ଥରେ ଏଠି ପ୍ରତ୍ୟେକ ମନୁଷ୍ୟକୁ ଜଣେ ନାଗରିକ ବୋଲି ସ୍ଵୀକାର କରାଯାଇଛି; ପ୍ରତ୍ୟେକ ମନୁଷ୍ୟକୁ କେବଳ ତା’ର ଅନ୍ତର୍ବିବେକ ବୁଝୁଥିବା ଭାଷାରେ ଯାଇ ତାହା କହିବାକୁ ପଡ଼ିବ । ଜଣେ ନାଗରିକକୁ ପ୍ରାୟ ଗୋଟାସୁଦ୍ଧା ଏକ ଦୟାଚକ୍ଷୁରେ ଦେଖିବାକୁ ଏମାନେ ପ୍ରକୃତରେ କିଏ ? ଜଣେ ନାଗରିକକୁ କାହିଁକି ବାବୁମାନେ ଏକ ବିଶେଷ ତୀର୍ଯ୍ୟକତା ସହିତ ତା’ ଭେକଟାକୁ ବିଚାର କରି ଆଦିବାସୀ ଓ ହରିଜନ ବୋଲି କହିବେ ? ଏକାଧିକ କାରଣରୁ ଯଦି ସିଏ ପଛରେ ରହିଛି, ତେବେ ତାରି ଲାଗି ସ୍ୱତନ୍ତ୍ର ଭାବରେ ଅଧିକ ଖରଚ ହେବ ଯେପରିକି ସେ ଯଥାଶୀଘ୍ର ସମସ୍ତଙ୍କର ସାଙ୍ଗକୁ ଆସିଯାଇ ପାରିବ । ତା’ଲାଗି ଯାବତୀୟ ଯୋଜନାରେ ସିଏ ଅଲବତ ସାଙ୍ଗରେ ବସିବ । ଯେତେ ତଳେ ରହିଥିଲେ ମଧ୍ୟ ସିଏ ଏ କଥାଟି ଦାବି କରି ଶିଖିବ । ଜଣେ ନାଗରିକ ହିସାବରେ ଦାବି କରିବ । ତେଣୁ, ଆମରି ଧିସାରେ ଅକ୍ଷର-ପରିଚୟ ଓ ସଂଖ୍ୟାଗଣନା ଶିଖାଇ ତାକୁ ଆମେ ଭୂତାଇବାକୁ ମୋଟେ ମନ କରିବା ନାହିଁ । ବାବୁମାନେ ସରକାର ବନି ଭୂତାଇଲେ ତଳୁ ଜଣେ ସଚେତନ ନାଗରିକର ଅଧିକାରରେ ତାହାର ପ୍ରତିବାଦ କରିପାରୁଥିବ । ପୃଥିବୀକୁ ସବୁ ମଣିଷଙ୍କର ପୃଥିବୀ ରୂପରେ ସ୍ୱୀକାର କରୁଥିବା ସମସ୍ତ କ୍ରମେ ସେହିଭଳି ଗୋଟିଏ ଅଭିନବ ସଂଖ୍ୟାରେ ବାରତା ଶୁଣାଇ ବାହାରିଲେଣି । ଦେଢ଼ଶହ ବର୍ଷତଳେ ଯେଉଁ ଦ୍ରଷ୍ଟାମାନେ ଏହି ଦେଶରେ ଏକ ନବ ଉଦ୍‌ବେଳନର ଡାକରା ଦେଇ ବାହାରି ପଡ଼ିଥିଲେ, ସେମାନେ କୌଣସି ରାଜନୀତିକ ଦଳରେ ନଥିଲେ । ସେମାନେ ସମଗ୍ର ଭୂମିଟିକୁ ହିଁ ଦେଖି ପାରୁଥିଲେ । ଆଗାମୀ ନେତୃତ୍ୱ ସେଥିରୁ ଅବଶ୍ୟ ଶିକ୍ଷା କରିବ ।

 

୧୧.୧୧.୦୨

☆☆☆

 

ନେତ୍ରୁ ନୀର ଢାଳି କହେ

 

ଏଥର ଶୀର୍ଷକରେ ରହିଥିବା ଶବ୍ଦଗୁଡ଼ିକୁ ନେତ୍ର ନଥିବା କବି ଭୀମଭୋଇ ତାଙ୍କର ଗୋଟିଏ ପ୍ରଧାନ ଗ୍ରନ୍ଥ ‘ସ୍ତୁତି-ଚିନ୍ତାମଣି’ର ଏକ ଅଧ୍ୟାୟରେ ଉଲ୍ଲେଖ କରିଛନ୍ତି । ଏବର୍ଷ ହଙ୍ଗେରୀର ଲେଖକ ଶ୍ରୀଯୁକ୍ତ ଇମ୍‌ରେ କେର୍ଟେସ୍ ସାହିତ୍ୟରେ ନୋବେଲ ପୁରସ୍କାର ଲାଭ କଲେ ବୋଲି ଶୁଣିବା ସମୟରେ ମୋର ସନ୍ଥକବିଙ୍କର ଉକ୍ତ କଥାଗୁଡ଼ିକ ଭାରି ମନେପଡ଼ି ଯାଇଥିଲା । ଇଉରୋପ ମହାଦେଶର ଗଙ୍ଗାନଦୀ ବୋଲି କଥିତ ଡୋନାଭ ବା ଡାନିଉବ୍ ନଦୀଟିକୁ ମେଖଳାକରି ପିନ୍ଧିଥିବା ସାନସୁନ୍ଦର ଦେଶଟି ହେଉଛି ଏହି ହଙ୍ଗେରୀ ଦେଶ, ଏଥର ପୁରସ୍କୃତ ହୋଇଥିବା ଇମ୍‌ରେ କେର୍ଟେସଙ୍କର ଦେଶ । ଚିରକାଳ ଏକ କୃଷିପ୍ରଧାନ ଦେଶ, ବାହାରର ଜୀବନଟା ଆଧୁନିକ ହେବାକୁ ଚେଷ୍ଟା କରୁଥିଲେ ମଧ୍ୟ ଭିତରର ପ୍ରାଣନାଭିଟି ସତେଅବା ଭାରି କୋମଳ ତଥା ଚିକ୍‌କଣ ଏକ ମାଟିରେ ତଥାପି ତିଆରି ହୋଇ ରହିଛି,–ଯାହାକି ହଙ୍ଗେରୀୟ ମନୁଷ୍ୟତ୍ମାଟି ଆଦୌ ଛାଡ଼ିବାକୁ ରାଜି ହୋଇନାହିଁ । ହଙ୍ଗେରୀର ଭାଷା ମାଗ୍ୟାର୍‌ ପରିବାରର ଏକ ଭାଷା,–ଇଉରୋପୀୟ ଲାଟିନ୍, ଗ୍ରୀକ୍ କିମ୍ବା ସ୍ଲାଭିକ୍ ପରିବାରଗୁଡ଼ିକ ପାଖରେ ଯାହା ଧାରୁଆ ହୋଇ ରହିବାକୁ ବିଶେଷ ଚେଷ୍ଟା କେବେହେଲେ କରିନାହିଁ । ବର୍ତ୍ତମାନ ଫିନ୍‌ଲାଣ୍ଡ, ଏଷ୍ଟୋନିଆ ଓ ହଙ୍ଗେରୀ,–ମାତ୍ର ଏହି ତିନୋଟି ଦେଶ ହିଁ ମାଗ୍ୟର୍‌ ଭାଷା କିସମଟିର ପ୍ରତିନିଧିତ୍ୱ କରୁଛନ୍ତି । ସୁନାବ୍ୟା ଡୋନାଉର ଉଭୟ ପାର୍ଶ୍ୱରେ ଅବସ୍ଥିତ ରାଜଧାନୀ ବୁଡ଼ାପେଷ୍ଟ (ନଦୀର ଏପାଖରେ ବୁଡ଼ା ଓ ସେପାଖରେ ପେଷ୍ଟ, ଏବଂ ଦୁହେଁ ମିଶି ବୁଡ଼ାପେଷ୍ଟ) ସମ୍ବବତଃ କାଳେ କାଳେ ବହିରାଗତ କେତେ କେତେ ଜନପ୍ରବାହକୁ ଆକର୍ଷିତ କରିଆଣିଛି । ଇହୁଦୀ ବା ଜିପ୍‍ସୀ କେହି ବାଦ ଯାଇନାହାନ୍ତି । ହିଟଲର ଅମଳର କେତେ ଏକପାଖିଆ ଚେଷ୍ଟା ହୋଇଥିଲା ହଙ୍ଗେରୀ ଦେଶରୁ ଇହୁଦୀ, ଜିପ୍‌ସୀ ଓ ମାଗ୍ୟାର୍‌ମାନଙ୍କୁ ନିପାତ କରି କେବଳ ଜର୍ମାନ୍‌ ନିରୋଳା ଲୋକଙ୍କୁ ନେଇ ସେଠାରେ ରଖାଇବା;–ତଥାପି ହଙ୍ଗେରୀ ରହିଲା-। ଇହୁଦୀ ବହୁସଂଖ୍ୟାରେ ମଲେ,–ଅସହାୟ ଭାବରେ ମଲେ, ଥୋକେ ପ୍ରତିବାଦ କରି ଓ ପ୍ରତିରୋଧ ବ୍ୟକ୍ତ କରି ବି ମରିଥିଲେ । ଇମ୍‌ରେ କେର୍ଟେସ୍ ହେଉଛନ୍ତି ଜଣେ ଇହୁଦୀ । ପୃଥିବୀ ପାଖରେ ତାଙ୍କର କେତେକଥା କହିବାର ଥିଲା ବୋଲି ଭଗବାନ ତାଙ୍କୁ ବଞ୍ଚାଇ ରଖିଥିଲେ ।

 

୧୯୯୦ ମସିହା ଶେଷ ବେଳକୁ ମୁଁ ଜର୍ମାନୀ ବାଟଦେଇ ଇସ୍ରାଏଲ ଯାଉଥାଏ । ବର୍ଲିନ କାନ୍ଥ ଭଙ୍ଗା ହୋଇ ଦୁଇ ଜର୍ମାନୀ ଏକାଠି ବି ହୋଇଥାନ୍ତି । ଆଗପରି ନିଷିଦ୍ଧ ଅଞ୍ଚଳ ବୋଲି କିଛି ନଥାଏ । ସେହି ସମୟରେ ପ୍ରଖ୍ୟାତ ଭାଇମାର୍ ସହରର ଅନତିଦୂରରେ ଅବସ୍ଥିତ ବୁଖେନ୍‌ଭାଲ୍‌ଡ଼୍‌ ସଂହାରକେନ୍ଦ୍ର ପରିଦର୍ଶନ କରିବାର ଏକ ଅବସର ମଧ୍ୟ ମୋତେ ମିଳିଥିଲା । ଦ୍ଵିତୀୟ ମହାଯୁଦ୍ଧ ଅନ୍ତେ ପୁରସ୍କୃତ ଲେଖକ ଶ୍ରୀଯୁକ୍ତ କେର୍ଟେସ୍ ଏହି ବୁଖେନ୍‌ଭାଲ୍‌ଡ଼୍‌ ବନ୍ଦୀଶାଳାରୁ ହିଁ ୧୯୪୫ ମସିହାରେ ଖଲାସ ହୋଇଥିଲେ । ସେହି ଆଦ୍ୟ ଯୌବନରେ ହିଁ ତାଙ୍କୁ ଏକ ପ୍ରବଳ ଶାସନ ବନ୍ଦିଶାଳା ଭିତରେ ନେଇ ଠୁଙ୍କି ରଖିଥିଲା । ଯେଉଁ ପ୍ରଥମ ଯୌବନରେ ଜଣେ ମଣିଷ ଜଣେ ବ୍ୟକ୍ତି ହିସାବରେ ସଚେତନ ହୁଏ, ଜଣେ ବ୍ୟକ୍ତି ହିସାବରେ ପ୍ରାୟ ପ୍ରୀତିପୂର୍ଣ୍ଣା ଜଣେ ଜନନୀର ଦରଦୀ ଆଖିରେ ନିଜକୁ ତଥା ସମଗ୍ର ଜଗତକୁ ଦେଖିବ ଏବଂ ସେହି ଅନୁସାରେ ଏକ ନିଶ୍ଚିତ ସଂକଳ୍ପ ସହିତ ଆପଣାକୁ ତିଆରି କରିବ ବୋଲି ବାହାରେ, ସେହି ବୟସରେ ତାଙ୍କୁ ଏକ ମରଣଶିବିରରେ ନେଇ ପୂରାଇ ଦିଆଯାଇଥିଲା । ପ୍ରତିଦିନର ହଣା, ହେଉଥିବା ବନ୍ଦୀଙ୍କର ତାଲିକାରେ ଯଦି ତାଙ୍କର ନାଆଁଟି ବି ଉଠିଥାଆନ୍ତା, ତେବେ ତ ସିଏ ସିଆଡ଼େ ସିଆଡ଼େ ଯାଇଥା’ନ୍ତେ । ତଥାପି କେର୍ଟେସ ସମ୍ପୂର୍ଣ୍ଣ ଆକସ୍ମିକ ଭାବରେ ବଞ୍ଚିଗଲେ । ଅଙ୍ଗେ ନିଭାଇବା ସେହି ଜୀବନଟିର ପରିଧି ମଧ୍ୟରେ ଜଣେ ମନୁଷ୍ୟ ଆପଣାକୁ କେବଳ ଅସହାୟ ଅର୍ଥାତ୍ ଅଦୃଷ୍ଟହୀନ ବୋଲି ହିଁ କହିବ । କେର୍ଟେସଙ୍କର ‘ଅସହାୟ’ ନାମକ ସାହିତ୍ୟକୃତିଟିକୁ ହିଁ ନୋବେଲ ପ୍ରତିଷ୍ଠାନ ପୁରସ୍କୃତ କରିଛି । ତାହାକୁ ବସ୍ତୁତଃ ଏକ ଆତ୍ମଜୀବନୀମୂଳକ ଗଦ୍ୟକୃତି ବୋଲି ମଧ୍ୟ କୁହାଯାଇପାରିବ । ସେହି ଅସହାୟତାକୁ ସମ୍ମୁଖସ୍ଥ ସତ୍ୟମୂଲ୍ୟ ରୂପେ ଦେଖି କେର୍ଟେସ୍ ପରବର୍ତ୍ତୀ କାଳରେ ଆଉ ଦୁଇଟି ସମକାଟର ବହି ମଧ୍ୟ ଲେଖିଛନ୍ତି । ପୁରସ୍କାର ପ୍ରଦାନ କରିଥିବା ସାଧୁ ବିଚାରକ ସଂସ୍ଥା ମଧ୍ୟ ମୂଳତଃ ସେହି କଥାଟିକୁ ସ୍ଵୀକୃତି ଦେଇଛି । ଏହି ଆଧୁନିକ ଜୀବନର ଶାସନଗୁଡ଼ାକ, ସାମୂହିକ ଅବିବେକିତାଗୁଡ଼ିକ କେତେ ନିର୍ମମ ଓ କେତେ ଶକ୍ତିଶାଳୀ । ବ୍ୟକ୍ତି ନାମକ ଜୀବଟିର ସତେ ଯେପରି ଏକାବେଳକେ ଅଳପ ଶକତି । ବ୍ୟକ୍ତି ଯଦି ନିଜ ଭିତରୁ ବାସନାଟିଏ ପାଇ ଏବଂ ସେହି ବାସନାର ବୋଲ ମାନି ଆପଣାର ପୂର୍ଣ୍ଣାନୁରାଗରେ କିଛି ହେବାକୁ ମନ କରିବ ଓ ନିଜର ସେହି ଅଭିସାରରେ ସିଏ ସତେଅବା ସ୍ୱୟଂ ଭଗବାନଙ୍କୁ ଆବିଷ୍କାର କରି ଯାଉଥିବାର ଏକ ଗୌରବ ଅନୁଭବ କରି ଆଗକୁ ଗୋଡ଼ କାଢ଼ି ବାହାରିବ, ତେବେ ଶାସନମାନେ ତାକୁ ଜବତ କରି ରଖିବା ନିମନ୍ତେ ତତ୍‍କ୍ଷଣାତ୍ ବାହାରି ଆସିବେ-। ତା’ ଅଣ୍ଟା ଉପରେ ପାହାରେ ଦେଇ ତାକୁ ସଜାଡ଼ି ଦେବାର ଦୁର୍ବୁଦ୍ଧି କରିବେ । ଏବଂ, ସାଂପ୍ରତିକ ପୃଥିବୀରେ ସେହି ଶାସନମାନେ ହିଁ ସର୍ବାଧିକ ପରିମାଣରେ ସତକୁସତ ପ୍ରବଳ ।

 

ଶାସନର ମର୍ଜି ଉପରେ ସବୁକିଛି । ବିତ୍ତ ସେଇଠି, ପାଠମାନେ ମଧ୍ୟ ତାହାରି ଖଟଣିକୁ ଖଟିବା ପାଇଁ ବାଧ୍ୟ ହେଉଛନ୍ତି । ଚତୁରମାନେ କେଡ଼େ ସହଜରେ ସେଇ କ୍ଷମତା ପକ୍ଷରେ ହିଁ ବିବେକଟାକୁ ବନ୍ଧାପକାଇ ରଖି ଦେଉଛନ୍ତି । ସୈନ୍ୟସାମନ୍ତ ସେହି ଶାସନ ହାତରେ । ପୃଥିବୀର ଅଧିକାଂଶ ବିଜ୍ଞାନ ଅର୍ଥାତ୍ ବୈଜ୍ଞାନିକ ତାହାରି ବରାଦ ଅନୁସାରେ ହିଁ ନାଚିବାରେ ଲାଗିଛନ୍ତି । ମାନବ ବିଚାରର ଏକ ଉଜ୍ଜ୍ୱଳ ମୁହୂର୍ତ୍ତରେ ଜନ୍ମଲାଭ କରିଥିବା ଗଣତନ୍ତ୍ରଟା ମଧ୍ୟ ସତେଅବା କୌଣସି ନା କୌଣସି ଗାରଯାଏ ଆସି ତା’ପରେ ଆଦୌ ଆଗକୁ ଯାଇ ପାରୁନାହିଁ, ଗୋଟାସୁଦ୍ଧା ନିସ୍ତେଜ ହୋଇ ପଡ଼ିଯାଉଛି । ବ୍ୟଥିତ କେର୍ଟେସ୍ ଅନୁଭବ କରୁଛନ୍ତି ଯେ ଆମର ଏହି ଆଧୁନିକ ସମୟଟା ପରି ମଣିଷ ଭିତରେ ରହିଥିବା ବ୍ୟକ୍ତିଟିକୁ କାବୁ କରି ରଖିଦେବା ଇତିହାସରେ ଆଉ କେବେହେଲେ ଏତେ ସଂପୂର୍ଣ୍ଣ ଭାବରେ ସମ୍ଭବ ହୋଇନଥିଲା । ସଂହାର-ଶିବିରରେ ମଣିଷ ମାରଣର ଯେଉଁ ଅତିନୈପୁଣ୍ୟଯୁକ୍ତ ଚରମପନ୍ଥାଗୁଡ଼ିକୁ ସେ ନିଜେ ଦେଖିଆସିଲେ, ଲେଖକ ତାହାକୁ ହିଁ ମଣିଷ ଖସି ଖସି ତଳକୁ ଯିବାର ଅର୍ଥାତ୍ ଅଧିକରୁ ଅଧିକ ନୃଶଂସ ହେବାର ନଗ୍ନତମ ରୂପ ବୋଲି ବର୍ଣ୍ଣନା କରିଛନ୍ତି । ତେଣୁ ତାହାକୁ ଦୈବାତ୍ ଘଟିଥିବା ଏକ ବ୍ୟତିକ୍ରମ ବୋଲି ସ୍ଵୀକାର କରିବାକୁ ସେ ଆଦୌ ରାଜି ହୋଇନାହାନ୍ତି । ଆପଣାଆଡ଼କୁ ଅନାଇ ସିଏ ବି ପରୋକ୍ଷ ଭାବରେ ସ୍ଵୀକାର କରିଛନ୍ତି ଯେ ସିଏ ମଧ୍ୟ ସେହି ଦୁରାଚାରଗୁଡ଼ିକର ପ୍ରତିବାଦ କରିପାରିଲେ ନାହିଁ । ‘ଅସହାୟ’ ପୁସ୍ତକର ନାୟକ ମଧ୍ୟ ଠିକ୍ ତାହାହିଁ କରୁଛି । ପ୍ରତିବାଦ କରୁନାହିଁ; ପ୍ରତିରୋଧ କରିବା ତ ଆହୁରି ଅଧିକ ଦୂରର କଥା ହୁଅନ୍ତା । ସିଏ ମାନିଯାଉଛି ।

 

ସୁଇଡିଶ୍‌ ଏକାଡେମୀ ତରଫରୁ ଲେଖକଙ୍କୁ ଯେଉଁ ମାନପତ୍ରଟି ଦିଆଯାଇଛି, ସେଥିରୁ ଅତ୍ୟନ୍ତ ସ୍ପଷ୍ଟଭାବରେ ଇଙ୍ଗିତ ମିଳିଯାଉଛି ଯେ, କାହାଣୀରେ ତରୁଣ ନାୟକ ସବୁ ମାନିଯାଇଥିଲେ ଏବଂ ସେହିପରି କରି ନିଜର ପ୍ରାଣଟିକୁ ଯେକୌଣସିମତେ ବଞ୍ଚାଇ ପାରିଥିଲେ ମଧ୍ୟ, ଯେଉଁ ଶୈଳୀରେ ସକଳ ପ୍ରସଙ୍ଗଟିର ବର୍ଣ୍ଣନା ଦିଆଯାଇଛି, ସେଥିରେ ସାଲିଶ କରିନେବାକୁ ଏକ ପନ୍ଥା ରୂପେ ଆଦୌ ସ୍ଵୀକାର କରାଯାଇ ନାହିଁ । ଅର୍ଥାତ୍, ପ୍ରତିବାଦ ଯେ ଏକମାତ୍ର ପନ୍ଥା, ନାନା ପ୍ରଚୋଦନାମୟ ସ୍ଥଳରେ ସେହି କଥାଟିକୁ କୁହାଯାଇଛି । ଏହାକୁ ହିଁ କ’ଣ ଆମେ ଗ୍ରଛଟିର ମୂଳସ୍ଥ ପ୍ରଚ୍ଛନ୍ନ ଆବେଦନ ରୂପେ ଗ୍ରହଣ କରିବା ?

 

କେର୍ଟେସ୍‌ଙ୍କଆଡ଼କୁ ସହାନୁଭବ ସହିତ ଅଧିକରୁ ଅଧିକ ଲାଗି ଆସୁଥିବା ସମୟରେ ମୁଁ ସେହି ହଙ୍ଗେରୀର ଆଉ ଜଣେ ଇମ୍‌ରେଙ୍କ ପାଖରେ ଯାଇ ପହଞ୍ଚି ଯାଉଥିଲି । ସିଏ ହେଉଛନ୍ତି ଇମ୍‌ରେ ମାଡାଚ୍‌, ଯିଏ ଦୁଇ ମହାଯୁଦ୍ଧର ମଧ୍ୟବର୍ତ୍ତୀ କାଳରେ ‘ଦ ଟ୍ରାଜେଡ଼ି ଅଫ୍ ମ୍ୟାନ୍’ ବୋଲି ନାଟକଟିଏ ଲେଖିଥିଲେ । ନାଟକଟିରେ ମଧ୍ୟ ମନୁଷ୍ୟ ନାମକ ସୃଷ୍ଟିନମୁନାଟିର ସେଇ ଏକାଭଳି ଦୁଃଖଦ କାହାଣୀ : ଅସଲ ମନୁଷୋପାଦାନଟି କିଛି ନୂଆ କରି ନିଜସ୍ଵ କରି ସୃଜିବା ନିମନ୍ତେ ଇଚ୍ଛା କରିଛି ଏବଂ ତତ୍‍କ୍ଷଣାତ୍ କର୍ତ୍ତାମାନଙ୍କର ଅଙ୍କୁଶ ତାକୁ ବରାଦ ମତେ ହିଁ ଯାହାକିଛି କରିବା ଲାଗି ସତର୍କ କରିଦେଇଛି । ମଣିଷ ସୃଜନାନୁରାଗୀ ହେଲେ କର୍ତ୍ତାପକ୍ଷଟା କଦାପି ସହ୍ୟ କରିବ ନାହିଁ । ତେଣୁ, ତାକୁ ଗୁଳାରେ ଯିବାକୁ ହିଁ ହେବ । ଅତ୍ୟନ୍ତ ହତବଳ ହୋଇ ବିଚରା ମଣିଷ ଆତ୍ମହତ୍ୟା କରିବ ବୋଲି ସ୍ଥିର କରୁଛି ଯେତେବେଳେ, ସେତେବେଳେ ବିଧାତା ତା’ ଆଗରେ ପ୍ରକଟ ହୋଇ କହୁଛନ୍ତି ଯେ, ନାଇଁ, ନାଇଁ, ଏମିତି ବିହ୍ୱଳ ହେଲେ ଆଦୌ ଚଳିବ ନାହିଁ । ଆଗକୁ ଅନାଇବାକୁ ହେବ, ଭିତରଆଡ଼କୁ ଅନାଇ ମଧ୍ୟ ଭରସା ପାଇବାକୁ ପଡ଼ିବ । ହଁ, ସେତେବେଳକୁ ତା’ ପତ୍ନୀର ଗର୍ଭରେ ଶିଶୁଟିଏ ଆସି ରହିସାରିଲାଣି । ଏହିପରି ହିଁ ଚାଲିବ । ବାର ବାର ସବୁ ଭୁଷୁଡ଼ି ପଡ଼ୁଥିବ, ବଳୀୟାର ଦାନବମାନେ ଆସି ଅସଲ ସମ୍ଭାବନାର ଯଜ୍ଞବେଦୀଗୁଡ଼ିକୁ ମାରା କରି ଦେଉଥିବେ, ତଥାପି ପୁରୁଷକୁ ପୁରୁଷ ପ୍ରୟାସ ଚାଲିଥିବ । ମଣିଷଟି ଭରସା କରୁଥିବ ଏବଂ ସେଇଥିରୁ ହିଁ ଭରସା ଅବଶ୍ୟ ପାଉଥିବ । ଅବଶ୍ୟ ଏଠାରେ ଏକଥାଟି ମଧ୍ୟ ସ୍ମରଣ ରହିବା ଉଚିତ ଯେ, ସେତେବେଳେ ପୃଥ୍ୱୀ-ପରିବେଶରେ ମନୁଷ୍ୟମନଙ୍କର ହିତବୁଦ୍ଧିଟି ସମଗ୍ରତଃ ଅଧିକ ପରିମାଣରେ ରହିଥିଲା । ନିପାତନସିଦ୍ଧ ଯୋଜନାମାନ କରି ମାରଣ-ଶିବିରଗୁଡ଼ିକର ଉଦ୍ଭାବନ ହୋଇନଥିଲେ,–ଏବର ବୋମାମାନେ ମଧ୍ୟ ଅଗୋଚରରେ ରହିଥିଲେ । ରାଷ୍ଟ୍ରର ହାଟମାନଙ୍କରେ ବୈଜ୍ଞାନିକ ବଳିବର୍ଦ୍ଦମାନେ ଆପଣାକୁ ତଥାପି ବିକି ଦେଇନଥିଲେ । ଏସବୁ ଏବକୁ ହେଲାଣି । ଅଧିକରୁ ଅଧିକ ହେବାରେ ଲାଗିଛି, ତେବେ ସୁଦ୍ଧା ମନୁଷ୍ୟାତ୍ମାର ଯେଉଁ ସବୁଠାରୁ ଅଧିକ ସିଧା ମେରୁଦଣ୍ଡଟି, ସେଇଟି ଅବଶ୍ୟ ଭରସା ରଖିବ ।

 

ଏଥର ଆମେରିକାରେ ଜୀବନବିଜ୍ଞାନୀ ହାନ୍ସ ସେଲୀଙ୍କର ଆତ୍ମଜୀବନୀ ପାଠକଲି । ତାଙ୍କର ମୂଳଘର ହଙ୍ଗେରୀରେ । ସାନ ଦେଶଟିଏ ହୋଇଥିଲେ ମଧ୍ୟ ସେଠାରେ ଆମ ଆଧୁନିକ ସମୟର ଏତେ ଏତେ ପ୍ରତିଭା କିପରି ଜନ୍ମ ହୋଇପାରିଲେ, ସିଏ ବହୁଳ ଅବସରରେ ଏକାଧିକଙ୍କ ପାଖକୁ ସେହିଭଳି ବିସ୍ମୟବ୍ୟଞ୍ଜକ ପ୍ରଶ୍ନଟିଏ ଶୁଣିଥିବାର ଉଲ୍ଲେଖ କରିଛନ୍ତି । ଲିଓ ଜିଲାର୍ଡ଼, ଆର୍ଥର କୋଏଶ୍‌ଲର୍, ସାହିତ୍ୟ-ସମୀକ୍ଷକ ଲୁକାସ,–ଏହିପରି କେତେ ନା କେତେ । ସେମାନଙ୍କର ଧାଡ଼ିରେ ଆମେ ସ୍ୱୟଂ ସେଲୀ ଓ ଫ୍ରିଜ ଅଫ୍‌ କାପ୍ରାଙ୍କୁ ମଧ୍ୟ ସୁମାରି କରି ଦେଖିପାରିବା । ସେଲୀ କହନ୍ତି ଯେ, ଏହା ସମ୍ଭବ ହୋଇଛି, କାରଣ ଏକ ସାଧାରଣ ସାମୂହିକ ଦୃଷ୍ଟିକୁ ଆଧାର କରି ଅବଲୋକନ କଲେ ଆମେ ଅବଶ୍ୟ ଦେଖି ପାରିବା ଯେ ହଙ୍ଗେରୀରେ ବିତ୍ତବାନ ଏବଂ କ୍ଷମତାବାନ ମଣିଷଙ୍କର ତୁଳନାରେ ପ୍ରତିଭାବାନ ମନୁଷ୍ୟଙ୍କ ପ୍ରତି ପ୍ରାୟ ପାରମ୍ପରିକ ଭାବରେ ଅଧିକ ସମ୍ମାନ ତଥା ଅନୁରାଗ ରହିଛି ।

 

ବଡ଼ ବଡ଼ ବାହ୍ୟ ରାଜନୈତିକ ଦୌରାତ୍ମ୍ୟ ହେତୁ ହଙ୍ଗେରୀକୁ କେତେ କଣ ସହ୍ୟ କରିବାକୁ ହେଇଛି, ବାହାର ଧମକରେ ସେଠି କେତେ କ’ଣ ବଦଳାଇ ଅନୁରୂପ ବରାଦମାନଙ୍କ ଅନୁସାରେ ବାଧ ବି ହେବାକୁ ପଡ଼ିଛି । ବାହାରେ ଦେଖାଇଦେବା ଭଳି ଧନ ନାହିଁ, ରାଜନୀତିକ ଉଗ୍ରତା ମଧ୍ୟ ନାହିଁ । ତଥାପି ସୁସ୍ଥ ଭୂମିପ୍ରୀତି ରହିଛି, ପାରସ୍ପରିକତାର ଅସଲ ଡୋରଟିଏ ଆହ୍ୱାନଟିଏ ଆସି ପହଞ୍ଚିବା ମାତ୍ରକେ ଚାକ୍ଷୁଷ ହୋଇ ଆସିଛି ।

 

ନିଜର ଭାଷା ନିମନ୍ତେ ଗଭୀର ଉଷ୍ମତା ରହିଛି । ସ୍ଥାନୀୟ ଆସ୍ଥାନଟି ସକଳ ଦୃଷ୍ଟିରୁ କ୍ଷୁଦ୍ର ହୋଇଥିଲେ ମଧ୍ୟ ତଥାପି ଆଖିମାନେ ନିଜକୁ ସମଗ୍ର ପୃଥିବୀ ସହିତ ଯୋଡ଼ିକରି ଦେଖି ପାରୁଛନ୍ତି ଓ ସମଗ୍ର ପୃଥିବୀର ପ୍ରତିଭାକୁ ଯଥୋଚିତ ସ୍ଵୀକୃତି ଦେଇପାରିଛନ୍ତି । ଜୀବନ-ସଂଗ୍ରାମ ଲାଗି ରହିଛି ଏବଂ ତେଣେ ଜୀବନ ପ୍ରସାରଣ ମଧ୍ୟ ସେଇ କାରଣରୁ ମୋଟେ ମାନ୍ଦା ହୋଇଯାଇ ନାହିଁ । ଲେଖକ ନିଜକୁ ଏହି ପୂର୍ଣ୍ଣ ପୃଥିବୀର ସ୍ୱେଚ୍ଛାସମ୍ମତ ପ୍ରତିନିଧିଟିଏ ପରି ଅନୁଭବ କରୁଛି । ହୁଏତ ଅଧିକ ବ୍ୟଥା ପାଉଛି, ମାତ୍ର ଏକ ଅପ୍ରତିହତ ଭରସା ମଧ୍ୟ ପାଇପାରୁଛି ।

 

୧୮.୧୧.୦୨

☆☆☆

 

ନାଇଜିରିଆରୁ ଦୃଷ୍ଟାନ୍ତ

 

ଆଫ୍ରିକାର ପଶ୍ଚିମ ଭାଗରେ ସାହାରା ମରୁଭୂମି ଏବଂ ଆଟଲାଣ୍ଟିକ୍ ମହାସାଗରର ମଧ୍ୟବର୍ତ୍ତୀ ହୋଇ ରହିଥିବା ବୃହତ୍ ନାଇଜିରିଆ ନାମକ ଭୂମିଟି ଏକଦା ଇଂଲଣ୍ଡର ଉପନିବେଶ ହୋଇ ରହିଥିଲା । ଅଧିବାସୀମାନେ ଆଦିମ ଥିଲେ–ଆପଣା ଆପଣାର ପୁରୁଣା ନିଦା ସଂସ୍କୃତିଗୁଡ଼ିକର ସ୍ୱୟଂସମ୍ପନ୍ନତା ଭିତରେ ବାସ କରୁଥିଲେ । ପୃଥିବୀଟା ଏକାନ୍ତପଣେ ସ୍ଥାନୀୟ ଥିଲା-। ଠାକୁରମାନେ ବି ସ୍ଥାନୀୟ ଥିଲେ । ଆକାଶଟା ସ୍ଥାନୀୟ ହୋଇ ରହିଥିବାରୁ ଗୋଷ୍ଠୀ-ଜୀବନଟା ମଧ୍ୟ ଅତ୍ୟନ୍ତ ନିରୁପଦ୍ରବ ହୋଇ ରହିଥିଲା । ଏତେ ଟିକିଏ ହେଲେ କେଉଁଠାରେ ଖୁଡ଼୍‌ ଖାଡ଼୍‌ ହେବାର ଆଶଙ୍କା ନଥିଲା । ସିଏ ହୁଏତ ଏକ ବିଚିତ୍ର ସାଂସ୍କୃତିକ ସ୍ଥବିରତା, ଯାହାକୁ କି ସଂପୃକ୍ତ ମନୁଷ୍ୟପ୍ରାଣୀମାନେ ଶାନ୍ତି ବୋଲି ଧରି ନେଇଥାନ୍ତି । ଉପନିବେଶର ଯୁଗରେ ଯେତେବେଳେ ୟୁରୋପର ବେପାରସ୍ୱାର୍ଥଟା ସାମ୍ରାଜ୍ୟ ବିସ୍ତାର କରି ସେହିସବୁ ଥିର ନିକାଂଚନଗୁଡ଼ିକ ଭିତରେ ପଶି ଡେରା ପକାଇଲା–ସେମାନଙ୍କ ଉପରେ ଆପଣାର ଧର୍ମଟାକୁ ନେଇ ଲଦିଦେଲା–ଏହି ସ୍ଥାନୀୟତାର ବାହାରେ ବୃହତ୍ତର ପୃଥିବୀଟାଏ ରହିଛି ବୋଲି ଧଡ଼୍‌ କରି ଘୋଷଣା କରି ସେତେବେଳେ ସେଠାକାର ଶାନ୍ତି ଭଂଗ କଲା ଏବଂ ସେଠା ବାସିନ୍ଦାମାନଙ୍କୁ ଏକ ଅନ୍ୟ ବୃହତ୍ତରତା ତଥା ସଭ୍ୟତା ଭିତରକୁ ସଂକ୍ରମିତ କରି ଆଣିଲା । ଅସଭ୍ୟମାନଙ୍କୁ ସଭ୍ୟତା ସୁଂଘାଇଲା, ସେତେବେଳେ ଯାଇ ଆଫ୍ରିକାର ଜୀବନକାୟଟା କ୍ରମେ ଆଉ ଆଉ ପ୍ରକାରେ ହୋଇଯିବାକୁ ଆରମ୍ଭ କଲା । ଉପନିବେଶର ପିଲାଏ ମାଲିକମାନେ ବରାଦ କରି ଦେଉଥିବା ପାଠଗୁଡ଼ିକୁ ପଢ଼ିଲେ, ନିଜ ଦେଶରେ ଅଧିକ ଧୋବ ଦିଶିଲେ ଏକ ଅନ୍ୟ ଉଚ୍ଚାଟନାର କାଳିସୀଦ୍ୱାରା ଅଧିକୃତ ହୋଇ ନିଜ ଭୂଇଁଟାକୁ ବନ୍ଧ୍ୟାପ୍ରାୟ ମନେକଲେ । ସେମାନେ ଅଧିକତର ପରିମାଣରେ ବାହାରକୁ ମନ କଲେ–ଯେଉଁ ଭୂଇଁଟା ଉପରେ ଛିଡ଼ା ହୋଇଥିଲେ, ସେହି ଭୂଇଁଟାକୁ ଭାରି ନାକ ଟେକିଲେ ।

 

ଉପନିବେଶ-ଶାସନର ଅନ୍ତ ହୋଇ ନାଇଜିରିଆ ଦେଶ ସ୍ୱାଧୀନ ହେବାର ଅର୍ଦ୍ଧଶତାବ୍ଦୀରୁ ଅଧିକ ହୋଇଗଲାଣି । ନାଇଜିରିଆର ଅପେକ୍ଷାକୃତ ଅଧିକ ଭାଗ୍ୟବାନମାନେ ଦେଶରୁ ବାହାରକୁ ଯାଇ ଉଚ୍ଚଶିକ୍ଷା ଲାଭ କଲେଣି । ସେଠାରେ ସବୁ ମଣିଷଙ୍କ ପାଇଁ ତଥାପି ବରାଦ ହୋଇ ପାରୁନଥିବାରୁ ଏହି ଥୋକେ ସକଳ ଅର୍ଥରେ ଉପର ସ୍ତରରେ ରହି ଦେଶକୁ ଶାସନ କରୁଛନ୍ତି–ନିଜକୁ ନିଜ ଦେଶର ସାର୍ବଭୌମ ପରିଚାଳକ ବୋଲି ଅନୁଭବ କରୁଛନ୍ତି । ନୂତନ ବିଧାନ– ନୂତନ ଶାସନସୂତ୍ର, ନୂତନ ଧିସାର ଅନୁମିତ ହେଉଥିବା ସାଂସ୍କୃତିକ ବହୁବିଧ ଆବେଦନ, ବୃହତ୍ତମ ସାମୂହିକତା ସହିତ ହୁଏତ ଆଦୌ ଖାପ ଖାଉନଥିବା ମୂଲ୍ୟ ମୀମାଂସାଗୁଡ଼ିକର ଗୋଟିଏ ଏକାବେଳେକେ ଅନ୍ୟ ତରାଜୁ–ଏହିପରି ଅସଙ୍ଗତିମାନ ଦେଶଟାକୁ ଅତ୍ୟନ୍ତ ଅସହଜ ଭାବରେ ଆବୁ ଆବୁ କରି ରଖିଛି । ମନୋରାଜ୍ୟରେ କେତେନା କେତେ ପ୍ରକାର ଧର୍ମସଂକଟ ଏବଂ ଦ୍ୱନ୍ଦ୍ୱଯୁଦ୍ଧ ଅବିରାମ ଲାଗିରହିଛି । ଶିକ୍ଷିତମାନେ ବହୁତ ପକ୍ଷ ସେହି ପୁରୁଣା ଅଶିକ୍ଷିତମାନଙ୍କୁ ମୋଟେ ବୁଝିପାରୁନାହାନ୍ତି, ଏବଂ ମାଟିଗୁଡ଼ିକର ଅସଲ ପ୍ରତିନିଧିତ୍ୱ କରୁଥିବା ଅଶିକ୍ଷିତମାନେ ମଧ୍ୟ ଏକଦା ସେମାନଙ୍କର ଅନ୍ତୁଡ଼ିଶାଳରେ ଜନ୍ମ ହୋଇଥିବା ସେହି ଧୋବ ଅଳପମାନଙ୍କୁ ସେମାନଙ୍କର ବିଚକ୍ଷଣତା ସତ୍ତ୍ୱେ ମୋଟେ ସୁସ୍ଥ ବୋଲି ବିଚାର କରୁନାହାନ୍ତି । ଅନୁକୂଳତା ଲାଭ କରି ଆହୁରି ଅଧିକ ଭାଗ୍ୟବାନ୍ ସିଦ୍ଧିର ଗୁଳାଟିଏ ଧରି ସିଧା ବିଲାତ ବା ଆମେରିକା ଯାଏ ମଧ୍ୟ ଚାଲି ଯାଇଛନ୍ତି-। ଅର୍ଥାତ୍ ସେମାନେ ଉଚ୍ଚଶିକ୍ଷା ପାଇବାକୁ ସେହିସବୁ ଗୋଦାମ-ଦେଶକୁ ଯାଇଛନ୍ତି ଓ ସେଇଆଡ଼େ ରହି ଯାଇଛନ୍ତି । ଦେଶକୁ ଫେରିନାହାନ୍ତି । ଚିନୁଆ ଆଚେବେ ହେଉଛନ୍ତି ସେହିପରି ଜଣେ ବ୍ୟକ୍ତି-। ସଂପ୍ରତି ଆମେରିକାରେ ଅଧ୍ୟାପନା କରୁଛନ୍ତି । ସେମାନେ ପତି-ପତ୍ନୀ ଉଭୟେ ଅଧ୍ୟାପକ-। ଚିନୁଆ ଲେଖାରେ ମଧ୍ୟ ମନୋନିବେଶ କରିଛନ୍ତି । ମୁଖ୍ୟତଃ ଉପନ୍ୟାସ ଲେଖିଛନ୍ତି । ଇଂରାଜୀ ଭାଷାରେ ଲେଖିଛନ୍ତି । ଇଂଲଣ୍ଡ ଓ ଆମେରିକାକୁ ଚକ୍ଷୁ ସମକ୍ଷରେ ରଖି ସିଏ ଏହି ସାହିତ୍ୟିକ କାହାଣୀଗୁଡ଼ିକୁ ପରିଧି ଓ ପ୍ରସ୍ଥମାନ ପ୍ରଦାନ କରିଛନ୍ତି । ପାଶ୍ଚାତ୍ୟ ପାଠକମାନଙ୍କ ପାଖରେ ପୁସ୍ତକଗୁଡ଼ିକ ଅତୀବ ପ୍ରିୟ ହୋଇପାରିଛି । ଲକ୍ଷ ସଂଖ୍ୟାରେ ବିକ୍ରି ହେଉଛି । ଚିନୁଆ ଯାହାକିଛି ଲେଖିଛନ୍ତି, ନାଇଜିରିଆକୁ ଦୃଶ୍ୟପଟ୍ଟ ରୂପେ ବ୍ୟବହାର କରି ଲେଖିଛନ୍ତି । ନିଜର ସେହି ଦୂର ଆଫ୍ରିକାକୁ ସିଏ ଏକ ଅନ୍ୟ ଜଳବାୟୁର ସୁଧୀ ପାଠକମାନଙ୍କ ନିମନ୍ତେ ମନୋରମ କରି ଲେଖିଛନ୍ତି । ପାଠକମାନଙ୍କୁ ଏକ ରୋମାଂଚକର ଅନ୍ୟମନସ୍କତା ଭିତରେ ମଜ୍ଜାଇ ରଖିବାକୁ ତାହା ନିଶ୍ଚୟ ସଫଳ ହେଉଥିବ-

 

ଏବେ ଶ୍ରୀଯୁକ୍ତ ଚିନୁଆଙ୍କ ଦ୍ଵାରା ଇଂରାଜୀ ଭାଷାରେ ଲିଖିତ ଦୁଇଟି ଗଳ୍ପୋନ୍ୟାସ ପଢ଼ିବାର ସୁଯୋଗ ପାଇଲି । ନାଇଜିରିଆର ଜୀବନକୁ ଯଥାନୁରୂପ ମସଲାର ଶୈଳୀ ଓ ସଜ୍ଜା ଦେଇ ଚିନୁଆ ଏଗୁଡ଼ିକୁ ଦରିଆପାରିର ପାଠକମାନଙ୍କ ସକାଶେ ଲେଖିଛନ୍ତି । ଅନୁବାଦ କରିନାହାନ୍ତି, ଲେଖିଛନ୍ତି । ସମ୍ଭବତଃ ଏପରି ମଧ୍ୟ କୁହାଯାଇପାରିବ ଯେ, ଯେମିତି ପ୍ରକାରେ ଯାହା ଲେଖିଲେ ଯଜମାନମାନଙ୍କୁ ଘେନାଇବ ଓ ରସଯୁକ୍ତ ଲାଗିବ, ସିଏ ଅତ୍ୟନ୍ତ ବିଚାରପୂର୍ଣ୍ଣ ଭାବରେ ସେହି ପ୍ରକାରେ ଲେଖିଛନ୍ତି । ନାଇଜିରିଆର କୌଣସି ପାଠକ ନିମନ୍ତେ ଏଗୁଡ଼ିକ ଲେଖା ହୋଇଥିଲେ ହୁଏତ ଆଭିମୁଖ୍ୟରେ ତଥା ଏପରିକି ଆମର ଶ୍ରଦ୍ଧାର କ୍ଷେତ୍ରରେ ମଧ୍ୟ କେତେ ପ୍ରକାର ଅନ୍ୟ ବ୍ୟଞ୍ଜନା ଓ ବର୍ଣ୍ଣନାର ସାହାଯ୍ୟ ଗ୍ରହଣ କରିବାକୁ ପଡ଼ିଥାନ୍ତା । ଭାରତ ସମେତ ପୂର୍ବତନ ଉପନିବେଶଗୁଡ଼ିକର ସେକାଳର ତଥା ଏବକାଳର ଜୀବନ ବିଷୟରେ ଯେଉଁସବୁ ଉପନ୍ୟାସ ଏବେ ଇଂରାଜୀ ଭାଷାରେ ଲେଖାଯାଉଛି, ସେଗୁଡ଼ିକ ସେଠା ବଜାରରେ ଖୁବ୍ ଆକର୍ଷକ ହୋଇପାରୁଛି ଓ ଲେଖି ଜାଣିଲେ ଲକ୍ଷ ଲକ୍ଷ ସଂଖ୍ୟାରେ ବିକ୍ରି ହୋଇ ପାରୁଛି । ଭାଷାମାନଙ୍କରେ ତା’ଠାରୁ ଅଧିକ ସଂଖ୍ୟାର ପୁସ୍ତକ ଅବଶ୍ୟ ଲେଖାଯାଉଛି । କିନ୍ତୁ ସେଗୁଡ଼ିକର ଏକ ଇଂରାଜୀ ଅନୁବାଦ ନହୋଇ ପାରିଲେ ତାହା ଯାଇ ସେହି ମୁକାମମାନଙ୍କରେ ପହଂଚିବାର ଆଉ କୌଣସି ସମ୍ଭାବନା ରହୁନାହିଁ । ସମ୍ଭବତଃ ସେହିପରି ଆଉ କୌଣସି ଗୋଟିଏ ଘଟଣାକୁ ଠାବ କରି ଥୋକେ ଲେଖକ ସିଧା ଇଂରାଜୀରେ ସେପାଖ ଯଜମାନମାନଙ୍କୁ ଚକ୍ଷୁ ସମକ୍ଷରେ ରଖି କେତେ କ’ଣ ବାଢ଼ି ଥୋଇ ଦେଉଛନ୍ତି । ସଂପୃକ୍ତ ଏମାନେ ଅଧିକାଂଶ ସ୍ଥଳରେ ନିଜ ଭାଷାରେ ପ୍ରକୃତରେ କିଛି ଲେଖିବା ପାଇଁ ମନ କରୁନାହାନ୍ତି । ହୁଏତ ପିଲାଦିନର ଶିକ୍ଷାଦି ସେମାନଙ୍କର ଏପରି ଏକ ଅନ୍ୟନିୟତରେ ହୋଇଛି, ଯାହାଫଳରେକି ନିଜର ଭାଷାଟି ସହିତ ସେମାନଙ୍କର ସେହି ଭାଷାରେ କିଛି ଲେଖି ପାରିବା ଭଳି କୌଣସି ପରିଚୟ ନାହିଁ । ଏବଂ, ଅଧିକ ସୁବିଧାଜନକ ହେବ ବୋଲି ହୃଦୟଙ୍ଗମ କରି ସେମାନେ ଦେଶରୁ ଉଠିଯାଇ ତେଣେ ଇଂଲଣ୍ଡ କିମ୍ବା ଆମେରିକାରେ ହିଁ ରହି ଯାଉଛନ୍ତି, ଏବଂ ପ୍ରାୟ ଏକ ସାଧନା କଲା ପରି ନିଜକୁ ସେଠା ସାହିତ୍ୟ ବଜାରରେ ପରଖ କରିବାରେ ଲାଗିଛନ୍ତି । ଭାରତବର୍ଷରୁ ଯେଉଁମାନେ ଏହିଭଳି ଧର୍ମଟିକୁ ଆଚରି ସେଠାରେ ଲୋକଲୋଚନକୁ ଆସିଲେଣି, ସେମାନଙ୍କୁ ଏକାଠ ସ୍ମରଣ କଲେ ସେମାନେ ସକଳ ଅର୍ଥରେ ତ ଏକ ସ୍ଵତନ୍ତ୍ର ଯୂଥ ପରି ଅବଶ୍ୟ ପ୍ରତୀତ ହେବେ । ଏମାନେ ଏହିପରି ଆପଣାକୁ ତତ୍ପର ରଖି ହାଉଲେ ହାଉଲେ ଇଂରାଜୀ ଭାଷାକୁ ଏକ ଭାରତୀୟ ଭାଷା ବୋଲି କହିଲେଣି । ଆପେ ଯେ ଆଦୌ କୌଣସି ଭାରତୀୟ ଭାଷା ସହିତ ସଂପୃକ୍ତି ରଖିନାହାନ୍ତି, ସେପରି କରି ଏମାନେ ସେହି ଅସଲ କଥାଟିକୁ ଘୋଡ଼ାଇ ରଖୁଛନ୍ତି କି ?

 

ଆମେ ଶ୍ରୀଯୁକ୍ତ ଚିନୁଆଙ୍କ ପାଖକୁ ଫେରିଆସିବା । ଗୋଟିଏ ଉପନ୍ୟାସରେ ହିରୋ ମୁଖ୍ୟତମ ପାତ୍ର ହେଉଛନ୍ତି ଓବି ଓକୋଙ୍କୁଓ–ବିଲାତରେ ବଡ଼ ପାଠ ପଢ଼ିଛନ୍ତି, ଏବଂ ଦେଶକୁ ଫେରିଆସି ଏକ ଉଚ୍ଚ ଚାକିରିରେ ନିଯୁକ୍ତ ହୋଇଛନ୍ତି । ସେତେବେଳେ ନାଇଜିରିଆ ସ୍ୱାଧୀନତା ଲାଭ କରିବାକୁ ଯାଉଥାଏ । ଅର୍ଥାତ୍ କେତେ କ’ଣ ଘଟିବାକୁ ଯାଉଥାଏ । ଉଚ୍ଚଶିକ୍ଷିତମାନେ ତ ନେତୃତ୍ଵ ଦେବେ–ନଉକାଗୁଡ଼ିକୁ ଉଚିତମାର୍ଗରେ ବାହିନେବେ–ବହୁ ପରିବର୍ତ୍ତନର ସୂତ୍ର ସେମାନଙ୍କ ହାତରେ ରହିବ । ଏକ ଆଦିମ ଓ ପାରମ୍ପରିକ ବହୁ ଅନ୍ଧାରର ସମାଜ ଅଭାବନୀୟ କେତେ କେତେ ଆଡ଼କୁ ଖୋଜ ବଢ଼ାଇବ, ଆଗକୁ ଯିବ । ଉପନିବେଶ-କାଳର ଗୋରା କର୍ମକର୍ତ୍ତାମାନଙ୍କ ହାତରୁ କ୍ଷମତାର ରଜ୍ଜୁଗୁଡ଼ିକ ଆସି ଏହି ନିତାନ୍ତ ଅଳ୍ପସଂଖ୍ୟକ ପଢ଼ୁଆମାନଙ୍କ ହାତରେ ରହିବ । ଏହିପରି ଜଣେ ବଡ଼ ଅଫିସର ହେଉଛନ୍ତି ଶ୍ରୀଯୁକ୍ତ ଗ୍ରୀନ୍–ନାଇଜିରିଆରୁ ସରକାରୀ ସହାୟତା ସହିତ ଯୁବକମାନଙ୍କୁ ଅଧିକ ଶିକ୍ଷା ନିମନ୍ତେ ପଠାଇବାର ଦାୟିତ୍ଵରେ ରହିଥିବା ଜଣେ ବିଭାଗୀୟ ସର୍ବୋଚ୍ଚ ହାକିମ । ଓବି ବିଦେଶ ଶିକ୍ଷା ସମାପନ କରି ତାଙ୍କରି ବିଭାଗରେ କାର୍ଯ୍ୟ କରୁଥାନ୍ତି । ତାଙ୍କ ପାହ୍ୟା ଅନୁରୂପ ସକଳ ଆରାମ ତାଙ୍କୁ ଦିଆଯାଇଥାଏ–ମୋଟରଗାଡ଼ି, ବାସଗୃହ, ପରିକରବୃନ୍ଦ ଇତ୍ୟାଦି ଇତ୍ୟାଦି । ଗୋରାମାନେ ଯିବା ପରେ ଏହିମାନେ ତ ଘର ସମ୍ଭାଳିବେ, ଏକ ନୂତନ ସମୟର ଆବଶ୍ୟକତା ଅନୁସାରେ ତଳୁ ମଥାନଯାଏ ଯାବତୀୟ ବ୍ୟବସ୍ଥାକୁ ଗଢ଼ି ଆଣିବାରେ ସେମାନେ ନିମିତ୍ତ ହେବେ । ଶ୍ରୀଯୁକ୍ତ ଗ୍ରୀନ୍ ଭାବୁଥିଲେ ସେମାନଙ୍କୁ ସେଥିପାଇଁ ଅବଶ୍ୟ ଯୋଗ୍ୟ ହେବାକୁ ପଡ଼ିବ । ଗୋଟିଏ କଥୋପକଥନରେ ଶ୍ରୀ ଗ୍ରୀନ୍ ନାଇଜିରୀୟ ଯୁବକ ଓକୋଙ୍କୁଓଙ୍କୁ କହିଛନ୍ତି, “ଶ୍ରୀଯୁକ୍ତ ଓବି, ଆପଣ ତ ଜାଣନ୍ତି ଯେ, ମୁଁ ଦୀର୍ଘ ପନ୍ଦରବର୍ଷ କାଳ ଆପଣଙ୍କ ଦେଶରେ ରହି ସାରିଲିଣି । ତଥାପି ଗୋଟିଏ କଥା ମୁଁ କୌଣସି ପ୍ରକାରେ ବୁଝିପାରୁନାହିଁ ଯେ, ଏଠାରେ ଏହି ଦେଶରେ ଆପଣମାନଙ୍କର ଜଣେ ତଥାକଥିତ ଶିକ୍ଷିତ ବ୍ୟକ୍ତି ନିଜ ଭିତରେ କାହିଁକି ଏଭଳି ବିଚିତ୍ର ମନୋଭାବ ନେଇ ନିଜକୁ ଆତଯାତ କରୁଛି । ତା’ ଭିତରେ ସତେଅବା କେଉଁଠି କ'ଣ ଅତ୍ୟନ୍ତ କିମ୍ଭୂତ ହୋଇ ରହିଛି । “ସଦ୍ୟ ତାଙ୍କ ସହିତ କଥାବାର୍ତ୍ତା କରି ଯାଇଥିବା ଜଣେ ଶିକ୍ଷିତର ନଜିର ଦେଇ ଶ୍ରୀ ଗ୍ରୀନ୍ କହିଥିଲେ, “ଏହି ଯୁବକଟି ବିଶ୍ୱବିଦ୍ୟାଳୟରେ ରହିଥିବା କଲେଜଟିରେ ନାମ ଲେଖାଇବାକୁ ଯାଉଛି ଏବଂ ସିଏ ନିଜ ଭିତରେ ବହୁ ବହୁ ଆଶା କରି ବସିଛି ଯେ, ସରକାର ତାକୁ ତା’ ଦରମା ବାବତ ସଂପୂର୍ଣ୍ଣ ଅର୍ଥ ରାଶି ଦେବେ । ଆନୁଷଙ୍ଗିକ କେତେ କ’ଣ ଅକଳ୍ପନୀୟ ଭତ୍ତା ସବୁ ଦେବେ । ପୁନଶ୍ଚ ତା’ର ପାଠପଢ଼ା ସରିବା ପରେ ସରକାର ତା’ ପାଇଁ କୌଣସି ଆରାମଦାୟକ ଚାକିରିଟିଏ ଖୋଜି ବି ଦେବେ, ଯେଉଁଠାରେ କି ସିଏ ଯେତିକି । ଆଶା କରିଛି, ସେତିକି ପରିମାଣ ବେତନ ମଧ୍ୟ ପାଇପାରିବ । ଶ୍ରୀଯୁକ୍ତ ଓକ, ମୁଁ ବିଶ୍ୱାସ ମଧ୍ୟ କରିପାରୁନାହିଁ, ମୁଁ ଭାବୁଛି ଯେ ଏଭଳି ଲୋକଙ୍କ ସକାଶେ ତଥାକଥିତ ବିଶ୍ୱବିଦ୍ୟାଳୟର ଶିକ୍ଷାଲାଭ କରିବା ଲାଗି ଏତେ ସହଜରେ ସକଳ ବ୍ୟବସ୍ଥା କରିଦେଇ ସରକାର ଏକ ଭୟଙ୍କର ଭୁଲ୍ କାମ ହିଁ କରୁଛି । କ’ଣ ପାଇଁ ଏ ଶିକ୍ଷା ? ଏହି ଶିକ୍ଷାଟିକୁ ହାସଲ କରି ତୁମେ ନିଜ ପାଇଁ ତଥା ନିଜର ପରିବାର ପାଇଁ ଯେତେ ଅଧିକ ପାରିବ ସେତେ ଅଲବତ ପାଇବ । ଏବଂ, ନିଜର ଦେଶବାସୀ ନିୟୁତ ନିୟୁତ ସଂଖ୍ୟାରେ ପ୍ରତ୍ୟହ ଭୋକ ଓ ରୋଗରେ ପୀଡ଼ିତ ହୋଇ ମରୁଥିବା ବେଳେ ସେମାନଙ୍କ ପାଇଁ ଏତେ ଟିକିଏ ମଧ୍ୟ ଚିନ୍ତା ହିଁ କରିବ ନାହିଁ ।”

 

ଏକ ପରବର୍ତ୍ତୀ ପୃଷ୍ଠାରେ ଚିନୁଆ ଆଚେବେ ଏକ ଅନ୍ୟ ଅବସରରେ ଶ୍ରୀ ଗ୍ରୀନ୍‌ଙ୍କ ମୁହଁରେ ଏହି ମର୍ମରେ ଆଉ ମଧ୍ୟ କୁହାଇଛନ୍ତି, ପରାମର୍ଶ ଛଳରେ କହିଛନ୍ତି, “ତୁମରି ଭଳି ବ୍ୟକ୍ତିମାନେ ତ ସରକାରକୁ ଏକ ନିଷ୍ପତ୍ତି ଗ୍ରହଣ କରିବା ଦିଗରେ ପ୍ରକୃତରେ ସକ୍ରିୟ କରି ପାରିବେ-। କିନ୍ତୁ ମୁଁ ଜଣେ ମାତ୍ର ନାଇଜିରୀୟକୁ କେବେ ଦେଖିନାହିଁ, ଯିଏକି ନିଜ ଦେଶର ସ୍ୱାର୍ଥ ନିମନ୍ତେ ଆପଣାର ଏତେ ଟିକିଏ ବିଶେଷ ସୁବିଧାକୁ ମଧ୍ୟ ଛାଡ଼ିବା ସକାଶେ ରାଜି ହୋଇଯିବ-। ତୁମର ମନ୍ତ୍ରୀମାନଙ୍କଠାରୁ ଆରମ୍ଭ କରି ସବାତଳେ ରହିଥିବା କିରାଣୀଟିଏ ପର୍ଯ୍ୟନ୍ତ କେହି ସେତିକି ମାତ୍ର ବି କରିବେ ନାହିଁ । ଏବଂ ତୁମେ ପୁଣି ଏକଥା ମଧ୍ୟ ମୋତେ କହୁଛ ଯେ, ତୁମେମାନେ ନିଜେ ହିଁ ନିଜକୁ ଶାସନ କରିବାକୁ ଇଚ୍ଛା କରୁଛ” । ଶ୍ରୀଯୁକ୍ତ ଓବି ଆଉ କି ଉତ୍ତର ଦେଇଥାନ୍ତେ ? ସେ ତଥାପି କହିଥିଲେ, “ଏଇଟା ଆଦୌ ନାଇଜିରିଆବାସୀଙ୍କର ଦୋଷ ନୁହେଁ । ପ୍ରଥମେ ଏଠାରେ ଯାବତୀୟ ବରିଷ୍ଠ ପଦରେ କେବଳ ଇଉରୋପୀୟମାନେ ହିଁ ଥିଲେ ଏବଂ ସେହିପରି ନିୟମତଃ ନାଇଜିରୀୟମାନେ ନିମ୍ନସ୍ଥାନମାନଙ୍କରେ ନିଯୁକ୍ତ ହୋଇଥିଲେ । ସେତେବେଳେ ଆପଣମାନେ ନିଜ ନିମନ୍ତେ କେତେ ନା କେତେ ଆରାମର ବାତାବରଣମାନ ଗଢ଼ି କରି ରଖିଥିଲେ । ବର୍ତ୍ତମାନ ଆମ ଭିତରୁ ବି ଅଳପ କେତେଜଣ ବଡ଼ ବଡ଼ ପଦକୁ ପ୍ରବେଶଧିକାର ପାଇଲୁଣି ଏବଂ ବର୍ତ୍ତମାନ ଆପଣ ଆମକୁ ଲକ୍ଷ୍ୟକରି ଦୋଷମାନ ଦେଉଛନ୍ତି ।’’ ନାଇଜିରିଆ ଓ ଭାରତ ସମେତ ସ୍ଵାଧୀନତା ଲାଭ କରିଥିବା ପ୍ରତ୍ୟେକ ପୂର୍ବତନ ଉପନିବେଶ ବିଷୟରେ ପ୍ରାୟ ଆଖିବୁଜି ସେହି କଥାଟିକୁ କୁହାଯାଇ ପାରନ୍ତା । ଶିକ୍ଷାଟା କିଭଳି କ’ଣ ପରି ଚାଲିଛି ଯେ ଅତ୍ୟୁଚ୍ଚ ଚାକିରିମାନଙ୍କରେ ରହିଥିବା ବୃହତ୍ ଓ ମହାନମାନେ ଆପଣାକୁ ଯଥାସମ୍ଭବ ଏକ ସ୍ୱତନ୍ତ୍ର ସୁଖାସକ୍ତି ମଧ୍ୟରେ ଜୁଡ଼ୁବୁଡ଼ୁ କରି ରଖିବା ଲାଗି ଦେଶର ସାଧାରଣ ଜନସମୁଦ୍ରଟି ପ୍ରତି ବିମୁଖ ହୋଇ ରହିଛନ୍ତି ? ଶାସକମାନେ ଉପନିବେଶ କାଳର, ସେହି ରାଜକୀୟତାଗୁଡ଼ାକୁ ବଜାୟ ରଖିବାର ଫନ୍ଦି ଭିତରେ ଯାଇ ରହିଛନ୍ତି, ସେମାନେ ସତେଅବା ଆଗକାଳର ସେହି ଶାସକଙ୍କର ପୃଥୁଳତାଗୁଡ଼ାକୁ ଆପଣାର କାମ୍ୟ ରୂପେ ଗ୍ରହଣ କରି ନେଇଛନ୍ତି ଓ ନିତାନ୍ତ ଦାୟିତ୍ୱହୀନ ଭାବରେ କୋଟି କୋଟି ମନୁଷ୍ୟଙ୍କୁ ବଞ୍ଚିତ କରି ରଖିଛନ୍ତି-। ବର୍ବରତା ଶାସନ କରୁଛି । ଯିଏ ପାଠ ପଢ଼ୁଛି, ସିଏ ଅଧିକ ବର୍ବର ହେବା ଲାଗି ସତେଅବା ସେଇଥିରୁ ବଳ ପାଇଯାଉଛି । ତା’ର କ’ଣ ସତକୁସତ କୌଣସି ଦେଶ ନାହିଁ । ନିଜର ବୋଲି କୌଣସି ଭୂମି ନାହିଁ ? ଏସିଆ ତଥା ଆଫ୍ରିକାରେ ସେହି ଭୂମିଟି ସହିତ ଏକ ସଖ୍ୟ ଅର୍ଜନ କରିବା ନିମନ୍ତେ ସମ୍ଭବତଃ ଆହୁରି ଢେର ବାଟ ବାକି ରହିଛି । ସେହି ବାଟ ନିଶ୍ଚିତ ଭାବରେ ଏକ ଅନ୍ୟ ଜାଗରଣର ବାଟ, ଏକ ଅନ୍ୟ ନେତୃତ୍ୱର ବାଟ । ଏକ ଅନ୍ୟ କ୍ରୋଧର ବାଟ ବୋଲି ମଧ୍ୟ କୁହାଯାଇ ପାରିବ ।

 

୨୫.୧୧.୦୨

☆☆☆

 

ଧର୍ମ ଯୋଡ଼ନ୍ତା

 

ଯାହା ଯୋଡ଼େ, ତାହାହିଁ ଧର୍ମ । ଧର୍ମ ଯୋଡ଼ିପାରେ; ଏବଂ ଯୋଡ଼ିପାରେ ବୋଲି ଧରି ମଧ୍ୟ ରଖିଥାଏ । ଧର୍ମରେ ବିଶ୍ୱାସ କରିବା ମଣିଷ ଅନାଇଦେବା ମାତ୍ରକେ ଏହି ପୃଥିବୀକୁ ଗୋଟାଏ ବୋଲି ହିଁ ଦେଖୁଥାଏ । ତଥାପି ଏବର ଧର୍ମମାନେ କ’ଣ ପାଇଁ ଗୋଟିଏ ଆଉ ଗୋଟିଏକୁ ସହିପାରୁ ନାହାନ୍ତି କେଜାଣି ? ଏହି ଯାବତ ମନ୍ଦିର, ମସଜିଦ, ଗୀର୍ଜା ଏବଂ ଗୁରୁଦ୍ୱାରାମାନେ ତିଆରି ହୋଇଥିଲେ ନିଜ ଭିତରେ ସେଇ ଧର୍ମର ଯୋଡ଼ିବା ଶକ୍ତିକୁ ପ୍ରତ୍ୟକ୍ଷ କରିପାରିବା ନିମନ୍ତେ । ପ୍ରତ୍ୟକ୍ଷ କରିପାରିଲେ ସିନା ବଞ୍ଚିବା ସମ୍ଭବ ହୁଏ ? ମାତ୍ର, ଧର୍ମୀମାନଙ୍କ ଭିତରେ କୋଉ ବାଗରେ ହୁଏତ କି ଭୂତ ପଶିଗଲା କେଜାଣି, ସେମାନେ ନିଜର ଭେକଟାକୁ, ଦେଉଳଟାକୁ ଓ ସନ୍ତକଗୁଡ଼ାକୁ ହିଁ ବଡ଼ କରି ଦେଖିଲେ ! ଭ୍ରଷ୍ଟ ହୋଇଗଲେ । ଉଣା ଅଧିକେ, ସେହିପରି, ପ୍ରେମ ମଧ୍ୟ ଯୋଡ଼ିପାରନ୍ତା, ପାଠ ଓ ଜ୍ଞାନମାନେ ମଧ୍ୟ ଯୋଡ଼ିପାରନ୍ତେ । ଧନ ଯୋଡ଼ି ପାରନ୍ତା, ବିବେକ ଯୋଡ଼ି ପାରନ୍ତା । ସତକୁସତ ପବିତ୍ର ଶାସ୍ତ୍ରଟିଏ ହାତରେ ଧରିଥିବା ଜଣେ ମଣିଷ କିପରି ଅନ୍ୟମାନେ ଧରିଥିବା କୌଣସି ଅନ୍ୟ ଶାସ୍ତ୍ରକୁ ଆଦୌ ଅପବିତ୍ର ବୋଲି କହିପାରିବ ? ନିଜର ବାପଟିଏ ଥିବା ମଣିଷଟିଏ ଆଉଜଣେ ମଣିଷର ମଧ୍ୟ ଜଣେ ବାପ ଅବଶ୍ୟ ରହିଛି ବୋଲି କିପରି ବୁଝି ନପାରିବ ? ନିଜର ଦେଶକୁ ସତକୁସତ ନିଜ ଦେଶ ବୋଲି ସ୍ଵୀକାର କରୁଥିବା ଜଣେ ବ୍ୟକ୍ତି ବା ବ୍ୟକ୍ତିମାନେ ଜଣେ ଅନ୍ୟ ବ୍ୟକ୍ତିର ବା ବ୍ୟକ୍ତିମାନଙ୍କର ମଧ୍ୟ ଅବଶ୍ୟ ନିଜର ଦେଶଟିଏ ଥିବାରୁ ସେମାନେ ତାହାକୁ ଅବଶ୍ୟ ଭଲ ପାଉଥିବେ ବୋଲି ବୁଝି ନପାରିବ କିପରି ? ଏପରି ପ୍ରଶ୍ନଟିଏ ବି ପଚାରିବାକୁ ଭାରି ମନ ହେଉଛି, ଜଣେ ଜଣେ ମନୁଷ୍ୟ ହିସାବରେ ଆମ ଭିତରେ ସବାଆଗ ଏପରି କିଛି ରହିଛି କି, ଯାହା ରହିଲେ ଯାଇ ନିଜର ଧର୍ମକୁ ମାଧ୍ୟମ କରି ଆମେ ଅନ୍ୟପାଖରେ ମଧ୍ୟ ବନ୍ଧୁରୂପେ ପହଞ୍ଚି ପାରନ୍ତେ, ତା ପାଇଁ, ମଧ୍ୟ ଜାଗାଟିଏ ଛାଡ଼ିଦିଅନ୍ତେ ? ଏହି ପୃଥିବୀରେ ସବୁ ମଣିଷଙ୍କ ନିମନ୍ତେ ଜାଗା ହେବା ଭଳି ଅବଶ୍ୟ ସମ୍ଭାବନା ରହିଛି ଏବଂ ସେଇଟି ବିଷୟରେ ସଚେତନ ହୋଇ ନପାରିବା ପର୍ଯ୍ୟନ୍ତ ମୁଁ ନିଜେ ମୋ ଜାଗାରେ ମଧ୍ୟ ସଚ୍ଚୋଟ ହୋଇ ମୋଟେ ରହିପାରିବି ନାହିଁ । ପୃଥିବୀର ଧର୍ମଗୁରୁମାନେ ଯଦି ସେହି ଅସଲ କଥାଟିକୁ ଜାଣିଥିଲେ, ତେବେ ସବା ଆଗ ସେହି କଥାଟିରେ ଆମକୁ ଦୀକ୍ଷିତ କରାଇ ତା’ପରେ ଯାଇ ଆମକୁ ଅଲଗା ଅଲଗା ଭେକ ଏବଂ ଦେଉଳର ମନ୍ତ୍ରଣା ଦେଲେନାହିଁ କାହିଁକି କେଜାଣି ?

 

ପୃଥିବୀର ଧର୍ମଗୁରୁମାନେ କ’ଣ ଏହି ଅସଲ କାଇଦାଟିକୁ ଠାବ କରି ପାରିନଥିଲେ ? ସେମାନେ ତାହାକୁ ମୋଟେ ଅଙ୍ଗେ ନିଭାଇ ନଥିଲେ ? ତେବେ କ'ଣ ପାଇଁ ଆମର ଏହି ପୃଥିବୀରେ ଏତେ ଏତେ ଅପପ୍ରେରଣାର ବୀଜକୁ ଆଣି ବୁଣି ଦେଇଗଲେ ଏବଂ ମଣିଷ ମଣିଷ ଭିତରେ ଏହି ନାନାଭଳି ବାନ୍ଦର ଲଗାଇ ଦେବାକୁ ଏଡ଼େ ଭଲ ପାଇଲେ ? ଶତ ଓ ସହସ୍ର ସଂଖ୍ୟାରେ ସଂପ୍ରଦାୟମାନ ତିଆରି ହେଲା, ମଣିଷଗୁଡ଼ାକ ବଡ଼ ଉତ୍ସାହରେ ଅଲଗା ଅଲଗା ପଇତା ପିନ୍ଧି ନିତାନ୍ତ ଲଜ୍ଜାକର ଭାବରେ ଫୁଲେଇ ହେବାରେ ଆନନ୍ଦ ଲାଭ କଲେ । ନିଜର ଠାକୁରଗୁଡ଼ାକ ସବୁ ଅନ୍ୟ ଠାକୁରଙ୍କଠାରୁ ବଡ଼ ବୋଲି କୋଳାହଳ କରି ମହୀମଣ୍ଡଳ କମ୍ପାଇବାରେ ଲାଗିଗଲେ । ସେମାନେ ଜ୍ଞାନକୁ ଚଗଲା କଲେ,–ଏହି ପୃଥିବୀର ସକଳ ନୀତିକୁ ମଧ୍ୟ ବଡ଼ ଚଗଲା କରି ପକାଇଲେ । ବୁଦ୍ଧିଆ ବିଜ୍ଞାନୀମାନେ କ'ଣ ସବୁ ଦୁର୍ବୁଦ୍ଧିରେ ପଡ଼ିଯାଇ କ୍ରମେ ଭଳି ଭଳି ଅସ୍ତ୍ର ମଧ୍ୟ ତିଆରି କରିଦେଲେ, ଏକ ଆରେକ ନିମନ୍ତେ ଆତଙ୍କ ହେଲେ ଏବଂ ସମସ୍ତେ ମିଶି ସାରା ପୃଥିବୀଟା ପାଇଁ ଆତଙ୍କ ହେଲେ । ଧର୍ମ ଛାଡ଼ିଗଲା, କେବଳ ପିତୁଳାମାନେ ହିଁ ରହିଗଲେ; ମଣିଷ ଭିତରର ମନ୍ଦପଣଟାକୁ ଉସ୍‍କାଇ ଆଣିବାରେ ଏମାନେ କେତେ ଚମତ୍କାର ଭାବରେ କାମରେ ଲାଗି ବି ପାରିଲେ । ଆମକୁ ଆମ ବିବେକର ଅସଲ ଘରଗୁଡ଼ିକୁ ବାଟ ଦେଖାଇ ନେଇଯିବେ ବୋଲି ଭରସା ଦେଇ ଆମକୁ ଆଖର ଗୋଟାଏ ଗୁମ୍ଫା ଭିତରେ ନେଇ ପୂରାଇଦେଲେ । ଆମେ ବି କେଡ଼େ ପ୍ରତାପରେ ଅଫିମ ଖାଇ ହାତରେ ଛୁରି, ତରବାରୀ, ବନ୍ଧୁକ ଓ ବୋମା ଧରି ସେହି ଗୁମ୍ଫା ଭିତରେ ଯାଇ ପଶିଗଲୁ ଏବଂ ଭଗବାନଙ୍କୁ ହତ୍ୟା କଲୁ । ଧର୍ମଗୁଡ଼ିକୁ ତୁଚ୍ଛା ମାରା କରି ପକାଇଲୁ । ବର୍ତ୍ତମାନ ଭିତରୁ ଅସଲ ଉପାସକଟି ସତେଅବା ବଡ଼ ସଂକଟରେ ଯାଇ ପଶିଯାଇଥିବା ପରି ପ୍ରଶ୍ନ କରୁଛି : ଏ ପୃଥିବୀ ଏତେ ଏତେ ଘୃଣାକୁ ସହି ପାରିବ ଟି । ବିମୂଢ଼ତାର ଏହି ରାତିମାନେ ପ୍ରକୃତରେ ପାହିବେ ଟି । ଆପଣାର ସବୁଯାକ ବିଶ୍ୱାସକୁ ଏକତ୍ର କରି ସିଏ ସତେଯେପରି ଏପରି ଏକ ଶକ୍ତିର ସନ୍ଧାନରେ ରହିଛି, ଯାହାକି ଅନ୍ଧାରକୁ ଅନ୍ଧାର ବୋଲି କହିପାରିବ ।

 

ପୃଥିବୀର ଯେଉଁ ଦୃଷ୍ଟିନାୟକମାନେ ସତ୍ୟର କୌଣସି ବିଶେଷ ପରିଚୟ ଲାଭ କରି ଆମକୁ ଗୋଟିଏ ଗୋଟିଏ ନୂତନ ମାର୍ଗର ସମ୍ଭାବନା ବିଷୟରେ ଅଭିନବ ନାନାପ୍ରକାରେ ବହୁ ପ୍ରେରଣାଯୁକ୍ତ କଥାମାନ କହିଥିଲେ ଏବଂ ଯେଉଁମାନଙ୍କ ନାମରେ ସେମାନଙ୍କ ଅନ୍ତେ ଗୋଟିଏ ଗୋଟିଏ ଧର୍ମର ପ୍ରଚାର ହେଲା, ସେମାନେ ସମସ୍ତେ ମୂଳତଃ ଏକ ନୂତନ ସଂହତି ଅର୍ଥାତ୍ ଗୋଷ୍ଠୀର ହିଁ କଳ୍ପନା କରିଥିଲେ । ସେମାନଙ୍କ ପୂର୍ବରୁ ଧର୍ମନାମରେ ଯାହାକିଛି ଚଳୁଥିଲା, ସେମାନେ ତାହାକୁ ସୁସ୍ଥ ଓ ଯଥେଷ୍ଟ ବୋଲି ମଣିଲେ ନାହିଁ । ସେମାନେ ପ୍ରତିବାଦର ସ୍ୱର ଉଠାଇଥିଲେ । ମନୁଷ୍ୟ ଓ ତାର ସାମୂହିକ ଜୀବନ ବିଷୟରେ ସେମାନେ ହୁଏତ ଆଉକିଛି ବୃହତ୍ତର ଏବଂ ଯଥାର୍ଥତା ସମ୍ଭାବନାର ସଙ୍କେତମାନ ଲାଭ କରିଥିଲେ । ସେହି ସଂହତିଗୁଡ଼ିକର ପ୍ରତିଷ୍ଠା କାହିଁକି ହୋଇ ପାରିଲାନାହିଁ ? ଅଥଚ, ପ୍ରେରଣାମାନଙ୍କୁ ଓ ଆହ୍ୱାନମାନଙ୍କୁ ନେଇ ନୂଆ ଧର୍ମଗୁଡ଼ିକର ବୟନ ହେଲା, ସତେଅବା ନୂଆ ନୂଆ ଜାଲଗୁଡ଼ାକର ବିସ୍ତାରଣ ହେଲା । ସେହି ଅନୁସାରେ ନୂତନ ନୂତନ ସଂପ୍ରଦାୟମାନେ ଗଢ଼ାହେଲେ । ନୂଆ ଦେଉଳ ଗଢ଼ା ହେଲା, ନୂଆ ପଇତାଗୁଡ଼ାକର ଭିଆଣ କରାଗଲା । ଏସବୁ ପଛରେ ସମ୍ଭବତଃ ଏକାବେଳକେ ଗୋଟିଏ ଗୋଟିଏ ଅନ୍ୟ ନିଷ୍ଠା ହିଁ ଥିଲା । ତେଣୁ ସଂହତି ସିନା ବଢ଼ିଲା ନାହିଁ, ମାତ୍ର ସନ୍ତକଗୁଡ଼ାକ ଅନୁସାରେ ମନୁଷ୍ୟମାନେ ସାହି ସାହି ହୋଇ ଅଲଗା ହୋଇଗଲେ; ତତ୍ତ୍ୱମାନଙ୍କୁ ଅଲଗା ଅଲଗା କରି ଦର୍ଶାଇବା ନିମନ୍ତେ ଶାସ୍ତ୍ରମାନ ଲେଖାଗଲା, ପଣ୍ଡିତମାନେ ଭଳି ଭଳି ଭାଷା ଲେଖିଲେ ଅର୍ଥାତ୍ ସତ୍ୟମାନଙ୍କୁ ଭଳି ଭଳି ବସ୍ତ୍ର ପିନ୍ଧାଇ ସଭାମାନଙ୍କରେ ନଚାଇଲେ ଏବଂ ବହୁବିଧ ଆନନ୍ଦ ପାଇଲେ-। ପୃଥିବୀର ମଣିଷମାନେ ତେଣିକି ଗୋଟାଏ ଗୋଟାଏ ପଲରେ ବିଭକ୍ତ ହୋଇଗଲେ-। ପଲଗୁଡ଼ିକର ପ୍ରତିନିଧିତ୍ୱ କରି ବାଗ୍ମୀମାନେ ଦିଗ୍‌ବିଜୟ କରି ବାହାରି ପଡ଼ିଲେ । ଏକ ମୂଳଭୂତ ସଂହତିରେ ଯେ ପୃଥ୍ୱୀଯାକ ସବୁ ମଣିଷଙ୍କର ଅସଲ ବିମୋଚନ ତଥା ଅସଲ ପରିତ୍ରାଣ ନିହିତ ହୋଇ ରହିଛି, ସେକଥାଟା ପ୍ରକୃତରେ କେଡ଼େ ବାଗରେ ହିଁ ବିସ୍ମୃତ ହୋଇ ରହିଗଲା ।

 

ଅସଲ ଦୁର୍ଗତିଟି ତ ସେତେବେଳେ ଆସି ପହଞ୍ଚିଲା, ଯେତେବେଳେ କି ମୋରି ଭଗବାନଟି ମଧ୍ୟ ମୋତେ ଏକମାତ୍ର ସତ୍ୟ ଭଗବାନ ବୋଲି ମନେ ହେଲେ । ଭଗବାନ ଏଠୁ ଛାଡ଼ିଗଲେ ଏବଂ କେତେକ ଅତିବିହ୍ୱଳ ମନୁଷ୍ୟଙ୍କୁ କାଳିସୀ ଲାଗିଲା । ବରଂ ଏପରି କୁହାଯିବ ଯେ ଆଗ କାଳିସୀ ଲାଗିବାରୁ ଅର୍ଥାତ୍ କାଳିସୀଟା ଅଧିକ ପସନ୍ଦ ହେବାରୁ ହିଁ ଭଗବାନ ସତେଅବା ଗୌଣ ହୋଇ ଦେଖାଗଲେ । ଭଗବାନ ସବା ଆଗ ନଦିଶି ବାଟଟା ହିଁ ଦେଖାଗଲା । ବିଚରା ମଣିଷମାନଙ୍କୁ କାଳିସୀ ଲାଗିଯିବାକୁ ମୋଟେ ବେଶି ସମୟ ଲାଗେ ନାହିଁ । ଏବଂ, ମୋରି ବାଟଟା ହିଁ ଅଉଲତମ ବାଟ ବୋଲି ଅନୁଭବ ହେବାର ନିଶାଟା ଘାରିଗଲେ ମଣିଷମାନେ ପଲଟନ ବାନ୍ଧି ପୃଥିବୀଟାଯାକ ଧର୍ମପ୍ରଚାର କରିବାକୁ ବାହାରି ପଡ଼ନ୍ତି । ସମସ୍ତେ ମୋ’ରି ବା ଆମରି ବାଟଟାକୁ ଆସିଗଲେ ପୃଥିବୀଟା ତୁରନ୍ତ ମୁକ୍ତି ପାଇଯିବ ବୋଲି ଗୋଟାଏ ବିଛା ସେତିକିବେଳେ ମଣିଷମାନଙ୍କର ବିବେକକୁ ଆସି କାମୁଡ଼ିଧରେ । କାଳିସୀଟା ମଧ୍ୟ ସେତିକିବେଳେ ଭାରି ଉଷତ ଅନୁଭବ କରୁଥିବ ଏବଂ ରାହୁକେତୁଙ୍କ ପରି ପ୍ରମତ୍ତ ହୋଇଉଠୁଥିବ । ସେହିପରି ପ୍ରମତ୍ତ ହୋଇ ଏକଦା ଖ୍ରୀଷ୍ଟିଆନ୍ ମିଶନାରୀମାନେ ପୃଥିବୀଯାକ ଖେଦିଯାଇଥିଲେ । ଆମେରିକାରେ ସଦ୍ୟ ପହିଞ୍ଚିଥିବା ଗୋରାମାନଙ୍କ ପାଇଁ ସେଠା ମୂଳ ଅଧିବାସୀମାନଙ୍କୁ ନିର୍ମୂଳ କରି ଏବଂ ଆଫ୍ରିକାରୁ ନୃଶଂସ ଭାବରେ ହଡ଼ପ କରି ନିଆଯାଉଥିବା କଳାମାନଙ୍କୁ ଦାସରୂପେ ନିୟୋଜିତ କରି ତଥାକଥିତ ନିଜର ନିରଙ୍କୁଶ ସଂସାରଟିକୁ ଗଢ଼ିବାରେ ସେମାନେ ଖୁବ୍ ସହାଯ୍ୟ କରିଛନ୍ତି । କ୍ରମେ ରାଜା ଓ ଶାସକମାନେ ଭଗବାନଙ୍କୁ ଆସନଚ୍ୟୁତ କରି ସ୍ଵୟଂ ଭଗବାନ ହୋଇ ବସିବାର ଅସୁରବାସନା ଗୁଡ଼ିକରୁ ହିଁ ମ୍ଳେଚ୍ଛ ଓ କାଫେର ପ୍ରଭୃତି ଅଲକ୍ଷଣା କଥାମାନ ବାହାରିଛି । ରାଷ୍ଟ୍ର ଓ ଧର୍ମ ହାତ ମିଳାଇ ଭଗବାନମାନଙ୍କୁ ଆମ ଜୀବନର ଯାବତୀୟ କ୍ଷେତ୍ରରୁ ଘଉଡ଼ାଇ ଦେଇଛନ୍ତି, ସୈନ୍ୟସାମନ୍ତ ନେଇ ଉତ୍ପୀଡ଼କମାନେ ମଣିଷ ମାରିଛନ୍ତି । ନାନାଭଳି ତ୍ରାସର ଜଗତିକରଣରେ ସେମାନେ ନିମିତ୍ତ ବନିଛନ୍ତି । ଏବେ ତାହାରି ନୂଆ ନୂଆ ସଂସ୍କରଣ ମଧ୍ୟ ବାହାରିଲାଣି । ସନ୍ତ୍ରାସ ସନ୍ତ୍ରାସ ମଧ୍ୟରେ ଲଢ଼େଇ ଲାଗିଛି । ସନ୍ତ୍ରାସବାଦର ପ୍ରତ୍ୟେକ ଶିବିରର ପଶ୍ଚାତରେ ରାଷ୍ଟ୍ରବାଦୀ ତଥା ଧର୍ମବାଦୀମାନେ ରହିଛନ୍ତି । ଧର୍ମମାନେ ଯେ ଇଚ୍ଛା କଲାମାତ୍ରକେ ଅଫିମରେ ପରିଣତ ହୋଇଯାଇ ପାରିବେ ଏବଂ ଜଗତରେ ସେହି ଧର୍ମୀୟ ପୁରୁଣା ଅମାନୁଷିକତାଗୁଡ଼ିକୁ ଚିରଞ୍ଜୀବୀ କରି ଅବଶ୍ୟ ରଖି ପାରିବେ, ସେହି କଥାଟା ହିଁ ଆମ ପୃଥିବୀରେ ପ୍ରତ୍ୟହ ପ୍ରମାଣିତ ହେବାରେ ଲାଗିଛି ।

 

ବିଜ୍ଞାନ ମଧ୍ୟରେ ସତ ରହିଛି, ମିଛ ମଧ୍ୟ ରହିଛି । ସତଟି ହେଉଛି, ଏକ ସତ ବିବେକ, ଯାହାକି ମନୁଷ୍ୟମାନଙ୍କୁ ଯୋଡ଼ି ଆଣିବାରେ ଅଭୂତପୂର୍ବ ଭାବରେ କାର୍ଯ୍ୟ କରି ଆସିଛି । ଏବେ ମଧ୍ୟ କରୁଛି । ମିଛ ବିବେକଟି ଏକ ଖଳ ବିଶ୍ଵାସ, ଯାହାକି ମଣିଷମାନଙ୍କ ଭିତରେ ଦୂରତା ବଢ଼ାଉଛି, ହୃଦୟଗୁଡ଼ିକୁ ଅସ୍ଵୀକାର କରୁଛି । ଏବଂ ହୃଦୟଟାକୁ ବୁଝି ନାହିଁ ବୋଲି ପୃଥିବୀରେ ବହୁ ପ୍ରମତ୍ତତା ସକାଶେ ଈନ୍ଧନ ରୂପେ ବ୍ୟବହୃତ ହେଉଛି । ସତ ବିବେକଟି ହାତରେ ଲଗାମଗୁଡ଼ିକ ରହିଥିଲେ ବିଜ୍ଞାନ ବୋମାଯାଏ ଆସିବା ନିମନ୍ତେ କଦାପି ରାଜି ହେଉନଥାନ୍ତା, ବୋମାକୁ ହିଁ ନିଜ ବଡ଼ପଣର ପ୍ରଧାନତମ ସନ୍ତକ ବୋଲି ମାନୁଥିବା ଶାସନଗୁଡ଼ିକ ପାଖରେ କଦାପି ବୋଲକରା ହେବାକୁ ଯାଉନଥାନ୍ତା । ଠିକ୍ ସେହିପରି, ଧର୍ମ ଯଦି ତଥାପି ଧର୍ମର ବାହକ ହୋଇଥାଆନ୍ତା, ତେବେ ତାହା ସତକୁସତ ସଂହତି ବଢ଼ାଉ ଥାଆନ୍ତା, ମନୁଷ୍ୟକୁ ମନୁଷ୍ୟ ସହିତ ଯୋଡ଼ି ଯୋଡ଼ି ଆଣୁଥାନ୍ତା । ସେହି ଧର୍ମ ସତ୍ୟଗୁଡ଼ିକୁ ନିଜ ଖୁଣ୍ଟଟାରେ ବାନ୍ଧି ରଖିବା ନିମନ୍ତେ ଆଦୌ କୌଣସି ଅପଚେଷ୍ଟା କରୁନଥାନ୍ତା । କ୍ଷମତା ସହିତ ସାଲିଶ କରୁନଥାନ୍ତା: କ୍ଷମତାକୁ ଚ୍ୟାଲେଞ୍ଜ କରି ପାରୁଥାନ୍ତା । ମନୁଷ୍ୟମାନଙ୍କୁ ସତ୍ୟରେ ଆଗ୍ରହୀ କରି ରଖିବା ନିମନ୍ତେ ବାଟ ଦେଖାଇ ପାରୁଥାନ୍ତା । ଭଗବାନଙ୍କୁ କାଖରେ ଜାକି ଧରି ଆଦୌ କୌଣସି ଗୁମ୍ଫାଭିତରକୁ ଯାଇ ପ୍ରମତ୍ତ ହୁଅନ୍ତାନାହିଁ । ଅସଲ ଧର୍ମରେ ମିଛି ଗୁରୁମାନେ ନିଶ୍ଚୟ ଧରାପଡ଼ି ଯାଉଥାନ୍ତେ । ଅସଲ ସତ୍ୟ ଭିତରେ ଯାବତୀୟ ଅର୍ଦ୍ଧସତ୍ୟକୁ ଅତିକ୍ରମ କରିଯିବାର ତାକତମାନେ ଅବଶ୍ୟ ରହିଥାଆନ୍ତେ । ଗୋଟାଏ ଦେଉଳ ଆଉଗୋଟାଏ ଦେଉଳକୁ ଆଦୌ ଈର୍ଷା କରନ୍ତାନାହିଁ ଏବଂ ଗୋଟାଏ ଶାସ୍ତ୍ରଜ୍ଞ ଆଉଗୋଟାଏ ଶାସ୍ତ୍ରଜ୍ଞକୁ ମୋଟେ ଅବର ବୋଲି କହନ୍ତା ନାହିଁ । ଆମ ନିଜର ଧର୍ମଶ୍ରଦ୍ଧାକୁ ବୃଦ୍ଧି କରିବାର ଉତ୍ତେଜନାରେ ପଡ଼ି ଆମେ ଆଦୌ ତାହାକୁ କିଞ୍ଚିତ ଘୃଣାର ପରଖ ଦେଇ ରଖିବା ନିମନ୍ତେ ଆଦୌ କୌଣସି ପ୍ରକାରେ ଉତ୍ସାହିତ ବି ହୁଅନ୍ତୁନାହିଁ । ବରଂ ବହୁ ବିଭିନ୍ନତା ସତ୍ତ୍ୱେ ପରିଚୟ ବଢ଼ାନ୍ତୁ, ଏବଂ ସେହି ପରିଚୟ ଆମକୁ ଏକ ସଖ୍ୟର ସ୍ତରକୁ ମଧ୍ୟ ଉନ୍ନୀତ କରିନେଇ ପାରନ୍ତା । ସଖ୍ୟ ବଢ଼ିଲେ ସଂହତି ବଢ଼ନ୍ତା । ଅସଲ ସଂହତି ସାହସ ବଢ଼ାନ୍ତା । ସ୍ଥାନୀୟ ହୋଇ ରହିବାର ଯାବତୀୟ ଭୀରୁତା ଏବଂ ତଜ୍ଜନିତ ପ୍ରମତ୍ତତା ନିମନ୍ତେ ଆଉ ସେପରି କୌଣସି ଅବକାଶ ରହନ୍ତାନାହିଁ ।

 

ଯୋଡ଼ିବାର ମଣିଷମାନେ ସବୁ ଧର୍ମରେ ଅବଶ୍ୟ ଅଛନ୍ତି । ଆଗେ ଥିଲେ, ଏବେ ମଧ୍ୟ ରହିଛନ୍ତି । ସମ୍ଭବତଃ ଆଗ ତୁଳନାରେ ଏବେ ଅଧିକ ଅଛନ୍ତି । ମାତ୍ର, ଦାଣ୍ଡସାରା ଖଳବୁଦ୍ଧି ଅପପ୍ରେରଣାମାନେ ହୁଏତ ଧୂଳିଗୁଡ଼ାକୁ ହିଁ ଅତ୍ୟନ୍ତ ବହଳ କରି ରଖୁଥିବାରୁ ସେମାନେ ପରସ୍ପରକୁ ଠାବ କରି ପାରୁନାହାନ୍ତି । ପରସ୍ପରକୁ ଖୋଜୁଛନ୍ତି ସତ, କିନ୍ତୁ କାଳେ ବାହାରକୁ ବାହାରିଲେ ସେହି ଧୂଳି ଭିତରେ କୁଆଡ଼େ ହଜି ହୁଡ଼ି ଯିବେ ସେହି ଶଙ୍କାରେ ସେମାନେ ଆପଣାକୁ ବାଆଁରେଇ ରଖିଛନ୍ତି । ତୁଣ୍ଡ ଖୋଲୁନାହାନ୍ତି । ସେମାନେ ସକାଳଟିଏ ହେବ ବୋଲି ପ୍ରାର୍ଥନା କରୁଛନ୍ତି । ଏବଂ, ସକାଳଟିଏ ଅବଶ୍ୟ ହେବ । ସଦିଚ୍ଛା ପାଇଁ ସକାଳ ହେବ, ସଦ୍‍ଭାବ ପାଇଁ ସକାଳ ହେବ । ସଂହତି ପାଇଁ ସକାଳ ଅବଶ୍ୟ ହେବ । ଭିତରେ ରହିଥିବା ଭଗବାନ ହିଁ ସଂହତିକାମୀ କୁଣ୍ଠିତମାନଙ୍କର କୁଣ୍ଠାକୁ ଭାଙ୍ଗିଦେବେ । ସେମାନେ ତୁଣ୍ଡ ଖୋଲିବେ, ଦାଣ୍ଡକୁ ବି ଆସିବେ । ବାହାରର ସୁମାରି ଅନୁସାରେ ସେମାନେ ଯେଉଁ ଧର୍ମରେ ରହିଥାଆନ୍ତୁ ପଛକେ, ସେହିମାନେ ହିଁ ସଂହତି କଥା କହିବେ, ନିଦ୍ରାଭଂଗ କରାଇବେ, ରାତି ପୁହାଇବେ । ଉପରେ ଅଚେତା ହୋଇ କେତେ କେତେ ମାର୍କାର ଅର୍ଦ୍ଧଆନୁଗତ୍ୟ ଭିତରେ ବଡ଼ ଅସହଜ ଭାବରେ ବାନ୍ଧିହୋଇ ରହିଥିବା ମଣିଷମାନଙ୍କ ଭିତରେ ସତେଅବା କେଉଁ ଅବଚେତନ ସ୍ତରରେ ତଥାପି ଯେଉଁ ସଂହତି-କାମନାଟି କୁଆଡ଼େ ପୋତି ହୋଇ ରହିଯାଇଛି, ସେତେବେଳେ ସେଇଟିର ବି ନିଦ୍ରାଭଙ୍ଗ ହେବ । ସତେଅବା ଏକ ନୂଆ ବାଟ ଖୋଲି ଆସିବ । ଏଥର ଭଲ ବେଳଟି ଆସିଲା ବୋଲି ଅଧିକରୁ ଅଧିକ ମଣିଷ ଅନୁଭବ ବି କରିବେ । ଅନୁଭବରୁ କ୍ରମେ ସଚଳ ବି ହେବେ ଏବଂ ସହଯୋଗ କରିବେ । ଧର୍ମର ସେହି ପୁରୁଣା ଖୋଳଗୁଡ଼ାକ ସମ୍ଭବତଃ ସେତେବେଳେ ମଧ୍ୟ ଥିବେ, କିନ୍ତୁ ସେଗୁଡ଼ିକ ମଧ୍ୟରେ ରହି ନୂଆ ଭଗବାନମାନେ କଥା କହୁଥିବେ ।

 

୨.୧୨.୦୨

☆☆☆

 

ସରକାର କାହାପଟେ ?

 

ଅସମାନ ଓ ଥାକ ଥାକ ହୋଇ ରହି ଆସିଥିବା ଗୋଟିଏ ଦେଶରେ ସବା ଉପରେ ସରକାର ହିଁ ଥାଆନ୍ତି । ସରକାର ହେଉଛନ୍ତି ସର୍ବେସର୍ବା । ସେଇ ଭାଗ୍ୟ ନିର୍ମାଣ କରନ୍ତି । ଖାମିନ୍ଦ ହୋଇ ରହିଥାଆନ୍ତି । ଯାବତୀୟ କ୍ଷମତାର ପ୍ରାୟ ଏକଚାଟିଆ ଅଧିକାରୀ ହୋଇ ରହିଥାନ୍ତି । ଏହି ସରକାର କାହାପଟେ ଥାଆନ୍ତି ? କ୍ଷମତା ପଟେ ଥାଆନ୍ତି ନା ଜନତାପଟେ ଥାଆନ୍ତି ? ଏସବୁ ଦେଶରେ ଅଳପଙ୍କ ହାତରେ କ୍ଷମତା ଥାଏ । ଅଳପଙ୍କ ପଟଟାରେ ହିଁ ପାଠଗୁଡ଼ିକୁ ପଢ଼ିବାର ଏବଂ ଅଧିକ ସୌଭାଗ୍ୟର ଯୋଗ୍ୟ ହେବାର ଅବସର ରହିଥାଏ । ଏହି ପାଠୁଆମାନେ ସଚରାଚର ସରକାରଙ୍କ ପଟେ ରହିଥାନ୍ତି । ସରକାରଙ୍କ ପାଖରେ ବିକ୍ରି ହୋଇ ରହିଥାନ୍ତି । ଏଡ଼େ ଅଭେଦ ଭାବରେ ବିକ୍ରି ହୋଇ ଯାଇଥାଆନ୍ତି ଯେ, ଭାରି ହୃଷ୍ଟ ଓ ଉଲ୍ଲସିତ ହୋଇ ସେହିମାନେ ହିଁ ସରକାର ଚଳାଉଛନ୍ତି ବୋଲି ଭାବୁଥାଆନ୍ତି । ଚମ୍ପା ସାଆନ୍ତାଣୀ ପରି ଦୁଲୁଦୁଲୁ ଭୁଷୁଭୁଷୁ ହେବାରେ ଲାଗିଥାନ୍ତି-। ସବୁଯାକ ଚାବିକାଠି, ସେହିମାନଙ୍କ କାନିରେ ବନ୍ଧା ହୋଇଥାଏ ସତ, ମାତ୍ର ସେମାନଙ୍କର ଆଖି ବୋଲି ହୁଏତ କିଛି ହେଲେ ନଥାଏ । ଏବଂ, ଯୋଉ ଶିକ୍ଷିତଙ୍କର, ଆଖି ହୁଏତ ଥାଏ, ସରକାର ସେମାନଙ୍କୁ ଆଖି ଦେଖାଉ ଥାଆନ୍ତି ।

 

ଉପରେ ସମ୍ବିଧାନ ବୋଲି କୁହାଯାଉଥିବା ବହିଟା ଅନୁସାରେ ଦେଶରେ ଗଣତନ୍ତ୍ର ନାମକ ଏକ ଛାଞ୍ଚ ଅନୁସାରେ ଶାସନ ଚାଲିଥାଏ ସିନା, ତଥାପି ସରକାର ହିଁ ସେହି ଗଣତନ୍ତ୍ରର ଭର୍ତ୍ତା ବିଧାତା ହୋଇ ବସିଥାଆନ୍ତି । ଭାରତବର୍ଷରେ ଗୋଟାଏ ଗଣତନ୍ତ୍ର ତ ଇତିମଧ୍ୟରେ ବୟସରେ ପଚାଶ ପାରିହୋଇ ସାରିଲାଣି । ତଥାପି କ୍ଷମତା ସେଇ ଅଳପଙ୍କ ହାତରେ ରହିଛି । ଏକ ସ୍ୱାଧୀନ ଦେଶରେ ଯାହାସବୁ ଆଗ ବଦଳି ଥାଆନ୍ତି, ସତକୁସତ ପରଖି ଦେଖିଲେ ଭାରି ଜଳଜଳ କରି ଜାଣି ହୋଇଯାଏ ଯେ, ସେଗୁଡ଼ିକରେ ଏପର୍ଯ୍ୟନ୍ତ ମଧ୍ୟ ସତେ ଯେପରି କାହାରି ହେଲେ ହାତ ବାଜିନାହିଁ । ଉପରେ ଥିବା ଅଳପମାନେ ଯାବତୀୟ ଅର୍ଥରେ ସେଗୁଡ଼ିକରେ ହାତ ମଧ୍ୟ ମାରିନାହାନ୍ତି । ଏବଂ, କାହିଁକି ତୁମେ ସେଗୁଡ଼ିକ ବିଷୟରେ କିଛି କରୁନାହଁ ଓ ଅସଲ ସର୍ବପ୍ରଥମ କଥାଗୁଡ଼ିକୁ ଗଡ଼ାଇ ଦେବାରେ ଲାଗିଛି ବୋଲି ଯେଉଁ ବହୁତ ପଟଟା ସ୍ଵର ଉତ୍ତୋଳନ କରନ୍ତା ଓ ପ୍ରତିବାଦ କରନ୍ତା, ସେମାନେ ପ୍ରତିବାଦ କରି ଜାଣିନାହାନ୍ତି । ଉପରର ଦୟା ହେଲେ ଯାଇ ଯାହାକିଛି ହେବ ବୋଲି ସେମାନେ ଏବେ ମଧ୍ୟ ନିଷ୍ଠାର ସହିତ ବିଶ୍ୱାସ କରୁଛନ୍ତି । ନେତା ତ ପଲ ପଲ ହେଉଛନ୍ତି । ଯେତେ ଆବଶ୍ୟକ, ହୁଏତ ତା’ଠାରୁ ଅଧିକସଂଖ୍ୟକ ନେତା ରହିଛନ୍ତି । ଖଣ୍ଡମଣ୍ଡଳ କମ୍ପାଉଛନ୍ତି । ମାତ୍ର ନେତୃତ୍ୱ ଦେବାକୁ କିଏ ଅଛି ? ପେଣ୍ଠସ୍ଥାନମାନଙ୍କରେ ଆମେ ଅପେକ୍ଷାକୃତ ଅଧିକ ସଫଳ ଓ ତେଣୁ ଅଧିକ ଶିଷ୍ଟ ନେତାମାନେ ତ ଏଡ଼େ ସିଆଣିଆ ହୋଇପାରିଲେଣି ଯେ, ଆପେ ମଥାନ ଉପରେ ରହିଥିବାର ଅବଧିଟି ମଧ୍ୟରେ ନିଜର ପ୍ରିୟ ବଂଶ ଦାୟାଦମାନଙ୍କ ନିମନ୍ତେ ମଧ୍ୟ କିଛି ଉପଯୁକ୍ତ ସମ୍ଭାବନାର ବନ୍ଦୋବସ୍ତ କରିଯିବାଟାକୁ ଆପଣାର ଏକ ଧର୍ମ ବୋଲି ଭାବୁଛନ୍ତି । ସେମାନେ ହୁଏତ ନିଜ କନିଷ୍ଠମାନଙ୍କୁ ଏତେ ମଞ୍ଜ ଭିତରୁ ଜାଣିଛନ୍ତି ଯେ, ଏମାନେ ବଡ଼ ହେଲେ ତଥାପି ନାବାଳକ ହୋଇ ରହିଯିବେ ବୋଲି ଖୁବ୍ ସନ୍ଦେହ କରୁଛନ୍ତି । ତେଣୁ ଆପେ ଥାଉ ଥାଉ ସେମାନଙ୍କ ନିମନ୍ତେ ସ୍ଥିତିଟିଏ ଯୋଗାଡ଼ କରି ଦେଉଛନ୍ତି, ଯାହାଫଳରେ ବି ସେମାନେ ଦେଶବାସୀଙ୍କର ବିଶ୍ୱାସ ହେଲାପରି ସାବାଳକତ୍ୱ ହାସଲ କରିଛନ୍ତି ବୋଲି ଏକ ପ୍ରତୀତି ପ୍ରକୃତରେ ଦେଇପାରିବେ ।

 

ଆମ ଗଣତନ୍ତ୍ରରେ ସରକାରଙ୍କର ଭୂମିକା ସମ୍ପୂର୍ଣ୍ଣ ଭାବରେ ଅନ୍ୟ ପ୍ରକାରର ହିଁ ହୋଇଥାନ୍ତା । ଅବଶ୍ୟ ସରକାର ଗଣତନ୍ତ୍ର ପଟେ ରହିଥିଲେ ଯାଇ ଅନ୍ୟ ପ୍ରକାରର ହୁଅନ୍ତା । ମାତ୍ର ଗଣତନ୍ତ୍ରର ଚୋପାଟା ତଳେ ବର୍ତ୍ତମାନ ଯାହାସବୁ ଯେମନ୍ତେ ଚାଲିଛି ବା ଅଟକି ରହିଛି, ସେଇଟା ହିଁ ସୁହାଉଛି ବୋଲି ସରକାର ଅସଲ କଥାଗୁଡ଼ିକରେ ଆଦୌ ହାତ ମାରିବାକୁ ରାଜି ହେଉନାହିଁ । ବର୍ତ୍ତମାନ ଯାହା ଯେଉଁଠି ଯେଉଁଭଳି ରହିଛି, ଦେଶର ଅଳପ ପଟଟାକୁ ସମ୍ଭବତଃ ଗୋଟାପଣେ ଖୁବ୍ ସୁହାଉଛି । କୋଉଠି କେମିତି କିଛି ବଦଳିବାର ଖୁଡ଼ଖାଡ଼ ହେଲେ ଏମାନେ ସତେ ଅବା ଘୋର ପ୍ରମାଦ ଗଣୁଛନ୍ତି । ଦେଶର ତାରୁଣ୍ୟଶକ୍ତି ଯଥାସମ୍ଭବ ସହଳ ବୁଢ଼ା ହୋଇଯାଉ, ଜଡ଼ ପରି ସହୁ ଅର୍ଥାତ୍ ଜଡ଼ ପରି ସହୁଥାଉ, ସେଥିଲାଗି ଅନୁରୂପ କିମିଆସବୁ କରି ରଖିବା ଲାଗି ଏଠି ସେମାନଙ୍କ ପାଇଁ ଗୋଟାଏ କିମ୍ଭୂତ ପ୍ରକାରର ପାଠ୍ୟ ବ୍ୟବସ୍ଥାକୁ ଲାଗୁକରି ରଖାଯାଇଛି । ସେହି ପାଠ ପଢ଼ୁଥିବା ପିଲାଏ ଉପରକୁ କେତେ ସାଜ ତଥା ସଜ୍ଜିତତାରେ ଶୋଭାବାନ ଦେଖାଯାଉଛନ୍ତି, ଏବଂ ନିଜ ଭିତରେ ଫମ୍ପା ହେବାରେ ଲାଗିଛନ୍ତି । ସେମାନଙ୍କୁ ପାଠ ପଢ଼ାଉଥିବା ଉପାଧ୍ୟାୟମାନେ ମଧ୍ୟ ଆମ ଜୀବନର ବଜାରମାନଙ୍କ ଭିତରେ କେଡ଼େ ତୋରା ଦେଖାଯାଉଛନ୍ତି । ମାତ୍ର ନିଜ ଭିତରେ ଖୁବ୍‌ ବିଚକ୍ଷଣ ଭାବରେ କୋଇଲିପାରଡ଼ା ହୋଇ ରହିଛନ୍ତି । ଏହି ତାମସାଟାକୁ ହିଁ ଦୀର୍ଘ ଅଭ୍ୟାସରେ ପଡ଼ି ଆମେ ଉଚ୍ଚଶିକ୍ଷା ବୋଲି କହିଲୁଣି । ଶିକ୍ଷା ଯେ ସମ୍ପୃକ୍ତମାନଙ୍କୁ ଏକ ବିଶେଷ ବିବେକରେ ବଳୀୟାନ କରିପାରେ, ସେକଥା ସତେ ଅବା କୌଣସି ପ୍ରୟୋଜନରେ ପଡ଼ି ସେମାନେ ପାସୋରି ପକାଇବାକୁ ସ୍ଥିର କରିଛନ୍ତି । ତେଣୁ, ଏଠି ବିଶ୍ୱାସ ମରିଯାଉଛି, ଦାୟିତ୍ୱବୋଧ ଭାଡ଼ି ତଳେ ଯାଇ ଲୁଚିଛି ଏବଂ ଏସବୁ ଯେପରି ଯଥାସମ୍ଭବ ଅଧିକ କାଳ ନିମନ୍ତେ ଅଲବତ ଚାଲିପାରିବ, ସେଥିଲାଗି ଆମ ବାବୁମାନେ କଡ଼ା ପହରା ଦେବାରେ ଲାଗିଛନ୍ତି ।

 

ଅଳପ ପଟଟା କର୍ତ୍ତୃତ୍ୱ ଉପରେ ହିଁ ଅଧିକ ନିର୍ଭର କରୁଥାଏ ବୋଲି ନେତୃତ୍ୱ ନାମକ ସେହି ଅନ୍ୟ ଧାରାଟିକୁ ମୋଟେ ଆଦରି ନେବାକୁ ମନ କରେନାହିଁ । ଗଣତନ୍ତ୍ରରେ କର୍ତ୍ତୃତ୍ୱ ଆଗ ନୁହେଁ, ଏଠି ନେତୃତ୍ୱ ହିଁ ସବାଆଗରେ ରହିଥାଏ । ଆଗରେ ଏବଂ ଅଧିକା ସ୍ଵୀକୃତି ମଧ୍ୟରେ ରହିଥିବା ଲୋକମାନେ ନେତୃତ୍ଵ ଦେବାଲାଗି ହିଁ ଅଧିକ ଶ୍ରଦ୍ଧା ରଖନ୍ତି । ସେମାନେ ସେହି ଶ୍ରଦ୍ଧାର ଯୋଗ୍ୟ ହୁଅନ୍ତି । ଜଣ ରୂପେ ନିଯୁକ୍ତ ହେଲେ ମଧ୍ୟ ଗଣ ଉପରେ ଶ୍ରଦ୍ଧା ରଖିଥାଆନ୍ତି । ଗଣର ମନକୁ ବୁଝନ୍ତି, ଗଣର ଭାଷାକୁ ବୁଝନ୍ତି । ଗଣର ଭାଷାକୁ ଭଲ ପାଆନ୍ତି । ଆମ ବାବୁମାନେ କେଉଁ ବିବେକ ପାଖରୁ ଆପଣାକୁ ଭ୍ରଷ୍ଟ ଏବଂ ବିମୁଖ କରି ରଖିଛନ୍ତି କେଜାଣି, ସେମାନେ ଗଣଠାରୁ ଯଥାସମ୍ଭବ ଦୂରତା ରକ୍ଷା କରି ନିଜ ପାଇଁ ସତେ ଅବା ଏକ ଭିନ୍ନ ପୃଥିବୀ ରଚନା କରି ରହିବା ନିମନ୍ତେ ସର୍ବଦା ଧାଇଁବାରେ ଲାଗିଥାଆନ୍ତି । ମାମୁଁ ପରି ମଞ୍ଚା ଉପରେ ବସିଥାନ୍ତି ସେହି ଉପରୁ ହିଁ ନିଶଟାକୁ ମୋଡ଼ି ଡରାଇ ରଖିବାକୁ ଇଚ୍ଛା କରୁଥାନ୍ତି । ସେହି କର୍ତ୍ତୃତ୍ୱର ହଙ୍ଗାମାଗୁଡ଼ାକ ହିଁ ପ୍ରାୟ ଏକ ରାଜକୀୟତାର ମନ୍ଦ ପରିମଳ ବିସ୍ତାରି ଦେଇ କୋଟି କୋଟି ମନୁଷ୍ୟଙ୍କର ଭାଗ୍ୟ ଉପରେ ଅଧିପତି ହୋଇ ବସିଥାଆନ୍ତି । ଗଣକୁ ଭୟ କରନ୍ତି ବୋଲି ମଞ୍ଚାରୁ ତଳକୁ ଅନାଇବାକୁ ବି ଆଗ୍ରହ କରନ୍ତି ନାହିଁ । ଗଣତନ୍ତ୍ରରେ ନେତା ମଧ୍ୟ ଗଣର ଆୟତ୍ତରେ ରହିବ ଏବଂ ତାହା ନହେଲେ ସକଳ ଯନ୍ତ୍ରଟାକୁ ଯେ ପୂରା ବିଗାଡ଼ି ଦେବାରେ ଲାଗିଥିବ, କର୍ତ୍ତାମାନେ ସେହି କଥାଟିକୁ ଖୁବ୍ ଉତ୍ତମ ଭାବେ ଜାଣିଥାଆନ୍ତି ବୋଲି ଗଣ ପାଖକୁ ଯାଇ ପାରନ୍ତି ନାହିଁ । ବାବୁ, ଯଦି ତୁମେ ସତକୁସତ ଓହ୍ଲାଇ ପାରୁନଥିବ, ତେବେ ସେହି ଉପରେ ଜରଦ୍‌ଗବ ହୋଇ ରହିଥିବ ସିନା, ତଥାଫି ଫାଙ୍କି ଦେବାରେ ହିଁ ଲାଗିଥିବ । ଗତ ପଚାଶ ବର୍ଷର ଭାରତୀୟ ଲୋକଶାସନ ଏବଂ ରାଜ୍ୟବେଭାର ସବୁ କିଛି ହେଉଛି ପ୍ରଧାନତଃ ଫାଙ୍କିଦେବାର ହିଁ ଏକ ମସ୍ତ ଇତିହାସ; ଧୂର୍ତ୍ତମାନଙ୍କର ଇତିହାସ, ଏହି ଦେଶରେ ରହି ଏଠାରେ ଜ୍ୟେଷ୍ଠଭାଗଗୁଡ଼ିକୁ ଭୋଗ କରିବାରେ ଲାଗିଥିଲେ ମଧ୍ୟ ଯେଉଁମାନେ ଚଲାଖରୁ ଅଧିକ ଚଲାଖ ହୋଇ ହିଁ ବାପାର ନାଆଁ ରଖିବେ ବୋଲି ଥାଟ ବାନ୍ଧି ଜଣମାନଙ୍କର ଚେହେରା ଧରି ବିରାଜି ରହିଛନ୍ତି, ସେଇମାନଙ୍କର ଇତିହାସ । ଅଳପମାନଙ୍କର ଫାଙ୍କି ଦେଇ ଚାଲିଥିବାର ଇତିହାସ । ଅଧିକ ବେତନ ପାଉଥିବା ଅଥଚ ଓହ୍ଲାଇ ଆସିବା ଲାଗି ଇଚ୍ଛା କରୁନଥିବା ବାବୁମାନଙ୍କର ଫାଙ୍କି ଦେଉଥିବାର ଇତିହାସ ।

 

ହେ ବାବୁମାନେ, ତୁମେ ସବୁ ଅଳପଙ୍କ ପଟେ ନା ବହୁତଙ୍କ ପଟେ ? ଜଣପଟରେ । ନା ଗଣପଟରେ ? ପାଠ ପଢ଼ିଛି ବୋଲି ଯେ ଜଣେ ଅଲବତ ଅଳପଙ୍କ ପଟେ ରହିବ, ସେପରି ଆଦୌ କୌଣସି କଥା ନାହିଁ । ଏବଂ, ସେହିପରି ଜଣେ ମଫସଲରେ ରହିଛି ବୋଲି ଯେ ଅବଶ୍ୟ ଗଣଙ୍କ ପଟେ ରହିବ, ସେ କଥାର ମଧ୍ୟ କୌଣସି ଅର୍ଥ ନାହିଁ । ବେଶି ଦରମା ପାଇ ମଧ୍ୟ ଜଣେ ଆପଣାର ଅଙ୍ଗୀକାରବଦ୍ଧତାରେ ଗଣତନ୍ତ୍ରପଟେ ରହିପାରିବ ଏବଂ ଅଳପ କ୍ଷମତାରେ ଥାଇ ମଧ୍ୟ ଜଣେ ତଥାପି କାହିଁକି ଜଣ ବୋଲି ମନେ ନ କରିବ ଓ ସେହିପରି ଉତ୍ପାତ ମଧ୍ୟ ନ କରିବ ? ଏହିପରି ବ୍ୟତିକ୍ରମମାନେ ପୃଥିବୀରେ ସର୍ବତ୍ର ତଥାପି ରହିଛନ୍ତି ବୋଲି ସମ୍ଭବତଃ ଏହି ପୃଥିବୀ ରହିଛି ଏବଂ କୌଣସି ବିକଳ୍ପର ଭରସା ରଖି ଆଗକୁ ଦେଖି ହେଉଛି । ଅଶୁଭ ଉପରେ ଶୁଭର ବିଜୟ ହେବ ବୋଲି ଆଶା କରି ହେଉଛି ଏବଂ ସେହି ଅନୁସାରେ ନିଜ ପାଇଁ ମଧ୍ୟ ଯଥେଷ୍ଟ ପ୍ରତ୍ୟୟର ସହିତ ବାଟଟିଏ, ଧାରାଟିଏ ତଥା ଶ୍ରଦ୍ଧାଟିଏ ବାଛି ନେଇ ହେଉଛି । ତେଣୁ, ତୁମେମାନେ ଯଦି ପ୍ରକୃତରେ ଗଣଙ୍କ ପଟେ ଅର୍ଥାତ୍ ଗଣତନ୍ତ୍ର ପଟରେ ରହିଥିବ, ତେବେ ଆମର ଏହି ଦେଶରେ ତୁମକୁ ଅନ୍ୟୂନ କେତୋଟି ବିଷୟରେ ଅବଶ୍ୟ ପଣ କରି ନେବାକୁ ପଡ଼ିବ । ତୁମ ସହିତ ଅତ୍ୟନ୍ତ ଅଳପ ମଣିଷ ହୁଏତ ରହିଥିଲେ ମଧ୍ୟ ତଥାପି ପଣ କରିନେବାକୁ ହେବ । ସର୍ବପ୍ରଥମ କଥା ହେଉଛି, ଏହି ଦେଶର ଅଧିବାସୀ କହିଲେ ଏଠାରେ ବାସ କରୁଥିବା ସମସ୍ତଙ୍କୁ ହିଁ ବୁଝାଇବ । ଆମ ନାଗରିକତାର ଖାତାରେ ସମସ୍ତଙ୍କ ପାଇଁ ଥାନ ରହିବ । ସମସ୍ତଙ୍କୁ ହିଁ ନାଗରିକର ନ୍ୟାଯ୍ୟ ଅଧିକାର ମିଳିବ । ଜଣେ ଏବଂ ଗଣ ଦୁଇଟାକୁ ଭିନ୍ନ ଭିନ୍ନ ଅଲଗା ସ୍ଵାର୍ଥ ବୋଲି ବିଚାର କରାଯାଉଥିବା ପର୍ଯ୍ୟନ୍ତ ସରକାରଟା ମଧ୍ୟ ବହୁ ଅପରାଧପ୍ରବଣତା ମଧ୍ୟରେ ବୁଡ଼ି ରହିଥିବ । ନେତୃତ୍ଵର ଯୋଗ୍ୟତା ନଥିବା ତୁଚ୍ଛା ଖଣ୍ଡିଆ ଓ କଣାମାନେ ହିଁ କର୍ତ୍ତା ହୋଇ ବସିବାକୁ ମନ କରୁଥିବେ ଏବଂ ବିବେକ-ପକ୍ଷଟି ମଧ୍ୟ ସେମାନଙ୍କର ଏହି ହାସ୍ୟାସ୍ପଦତାକୁ ଉତ୍ତମ ରୂପେ ବୁଝିପାରୁଛି ବୋଲି ସମ୍ଭବତଃ ଭୁଲି ଯାଇଥିବେ । ଗୋଟାଏ ଦେଶର ସରକାର ଯଦି ନିଜର ଅଭ୍ୟସ୍ତ ସୁଆଙ୍ଗଗୁଡ଼ିକରେ ମଜ୍ଜି ରହି ସମସ୍ତଙ୍କୁ ବିଚାରକୁ ନେବା ବିଷୟରେ ଉଦାସୀନ ହୋଇ ରହିଥିବ, ତେବେ ସବାଆଗେ ସେହି ପୁରୁଣା ଗୋବରଗୁଡ଼ାକୁ ପୋଛି ଗୁହାଳଟାକୁ ସଫା କରାଇବା ହିଁ ରାଜନୀତିର ଏବଂ ତୁମର ସର୍ବପ୍ରଥମ କାର୍ଯ୍ୟ ହେବ । ଭାରତବର୍ଷରେ ଏତିକି ମାତ୍ର ହାସଲ କରିବା ନିମନ୍ତେ ମଧ୍ୟ ସମୁଚିତ ଅଳିନ୍ଦମାନଙ୍କରୁ ଯଥେଷ୍ଟ ସ୍ୱର ଶୁଣା ଯାଇନାହିଁ ।

 

ଏ ପାଖରେ ଅଳପମାନେ ସଉକରେ ଯାହାକୁ ଦେଶ ବୋଲି ଭ୍ରମ କରୁଛନ୍ତି, ସେଠାରେ ନାନା ଆଡ଼ମ୍ବରରେ ଉଜ୍ଜ୍ୱଳ ହୋଇ କେତେକେତେ ଆଲୁଅ ଜଳୁଛି, ଅନ୍ଧାରଗୁଡ଼ାକୁ ସେହି ମିଛ ଓ ସ୍ଵାର୍ଥପର ଆଲୁଅଗୁଡ଼ାକର ଭେଳିକିଦ୍ୱାରା ଘୋଡ଼ାଇ ରଖିବାର ଅପରାଧୀ ଉଦ୍ୟମମାନ ଚାଲିଛି । ଏହି ଉପର ପଟଟା ଏକାଧିକ ଫିସାଦର ଦୟାମାନ ଦେଖାଇ ହିଁ ଭୋକୀମାନଙ୍କୁ ଭୋକରୁ ଏବଂ ଶୋଷୀମାନଙ୍କୁ ଶୋଷରୁ ଭୁଲାଇ ଏବଂ ଭୁରୁଡ଼ାଇ ରଖିବାକୁ ହିଁ ଶହେ ପ୍ରକାରର ଚେଷ୍ଟାମାନ କରୁଛି-। ବିଚରା ସରକାରଟା ସେହିସବୁ ଚେଷ୍ଟାର ଏକ ବେହେଲମଞ୍ଚରେ ପରିଣତ ହୋଇ ରହିଛି-। ଭାରି ଧରା ପଡ଼ିଯାଉଛି-। ଗଣର ପକ୍ଷରେ ରହିଥିବା ହେ ସହଗାମୀମାନେ, ଏହିସବୁ କ୍ଷେତ୍ରରେ ତୁମେ ବାହାରି ଆସନ୍ତ ଓ କହିପାରନ୍ତ : ନାଇଁ ନାଇଁ ଯେଉଁମାନେ ପଛରେ ପଡ଼ିଛନ୍ତି, ଅନ୍ଧାର ଓ ଅବହେଳାଗୁଡ଼ିକୁ ଆଦରି ରହିବାକୁ ସତେ ଅବା ସେହି ରାମଚନ୍ଦ୍ରଙ୍କ ଅମଳରୁ ବାଧ୍ୟ ହୋଇ ଆସିଛନ୍ତି, ଏହି ଦେଶରେ ଅର୍ଥ ବ୍ୟୟର, ବୁଦ୍ଧି କୌଶଳର ତଥା ବିଚାର ଦୃଷ୍ଟିର ସିଂହଭାଗଟା ସବା ଆଗ ସେହିମାନଙ୍କ ଲାଗି ନିୟୋଜିତ ହେବା ଉଚିତ,– ଯେପରିକି ସେମାନେ ମଧ୍ୟ ଯଥାସମ୍ଭବ ଶୀଘ୍ର ସାଙ୍ଗଙ୍କୁ ଆସିଯିବେ । ସେମାନଙ୍କୁ ହରିଜନ, ଆଦିବାସୀ ଅଥବା ସେହିପରି ଦୟାସୂଚକ କୌଣସି ନାଆଁ ଦିଆଯାଇ ଅଧିକ କାଳ, ଅଲଗା କରି ରଖିବାଟା ସମଗ୍ର ଦେଶ ପାଇଁ କ୍ଷତିକାରକ ହିଁ ହେବ । ସରକାର ଭିତରେ ରହି ମଧ୍ୟ କାହିଁକି ତଥାପି ବିକଳ୍ପ କଥାଟିକୁ କୁହାଯାଇ ନପାରନ୍ତା-? ସରକାର ଏପରି କରିବାକୁ ଦେବନାହିଁ ବୋଲି ଯେଉଁମାନେ ଯୁକ୍ତି କରିବେ, ସେମାନେ ତଥାପି ଅଳପଙ୍କ ପଟେ ଅଛନ୍ତି ବୋଲି କୁହାଯାଇ ପାରିବ କି ? ଅସାଧୁ ଏବଂ ଅରାଜୀମାନେ କ’ଣ ପ୍ରକୃତରେ ଏହି ଦେଶରେ ସବୁଦିନ ପାଇଁ ରହିବେ ବୋଲି ବିଶ୍ୱାସ କରୁଛନ୍ତି ?

 

୯.୧୨.୦୨

☆☆☆

 

ସାହିତ୍ୟକୁ ସାହସ ନହେଲେ

 

ସାହିତ୍ୟ ହେଉଛି ମୂଳତଃ ଏକ ସାହସ । ସାହିତ୍ୟ ବସ୍ତୁତଃ ଏକ ଆତ୍ମ-ଅଭିବ୍ୟକ୍ତି ଏବଂ ଯାବତୀୟ ଆତ୍ମ–ଅଭିବ୍ୟକ୍ତି ହେଉଛି ଏକ ସାହସ । ନିଜ ଭିତରେ କେତେ ଅନୁରାଗ ସହିତ ପ୍ରବେଶ କରିବାକୁ ହୁଏ । ନିଜ ଭିତରେ କୌଣସିଠାରେ ଅତ୍ୟନ୍ତ ଅନ୍ତରଙ୍ଗ କରି କିଛି ଛୁଇଁହୁଏ । ହଁ, କାହାକୁ ଏହି ତଥାକଥିତ ବାହାରେ ଛାଡ଼ିଦେଇ ନିରୋଳା ଅର୍ଥାତ୍ ନିତାନ୍ତ ଏକକାମୀ ହୋଇ ଭିତରକୁ ପଶିଗଲେ ସମସ୍ତେ ଯେ ସେହି ଅନ୍ତରଙ୍ଗଟିକୁ ଛୁଇଁ ପାରନ୍ତି ସେକଥା ଆଦୌ ନୁହେଁ । ଅନେକେ ତ ରହିଛନ୍ତି, ଯେଉଁମାନେ କି ଏଠୁ ଛାଟିପିଟି ହୋଇ ସେଠାକୁ ପଳାୟନ କରନ୍ତି । ସେମାନେ ଅନେକ ସମୟରେ ବାହାରେ ଜୋକଟିଏ ପରି ଲାଖି ରହିଥାଆନ୍ତି, ବେଳେ ବେଳେ ଏପରି କରି କରି ଅତିଶୟ ବିଜାର ହୋଇ ପଡ଼ନ୍ତି ଓ ତେଣୁ ତା’ପରେ ଘଡ଼ିକ ନିମନ୍ତେ ଭିତରକୁ ଦଉଡ଼ି ପଳାନ୍ତି । ଘଡ଼ିକ ପାଇଁ ଜୋକ ପରି ସେଠାରେ ଲାଖି ରହନ୍ତି । ଏହିପରି ଭାବରେ ସେମାନେ ଏଠା ସେଠା ହେବାରେ ଲାଗିଥାନ୍ତି । ଜୀବନଟାକୁ ବଡ଼ ଅଶ୍ୱସ୍ତ ଭାବରେ ଏଠା ସେଠା କରି ବାଣ୍ଟି ରଖିଥାନ୍ତି । ଏକ ନିତ୍ୟ ପଳାତକର ଜୀବନ ହିଁ ଯାପନ କରୁଥାନ୍ତି । କେଡ଼େ ଯତ୍ନରେ ଦୁଇଟା ସାଜ ଓ ଦୁଇପ୍ରକାରର ପାଚନ ସଜାଡ଼ି ରଖିଥାନ୍ତି ଓ ସେହି ଅନୁସାରେ ଏଇଟିକୁ ଏଠାରେ ଓ ସେଇଟିକୁ ଏଠାରେ କାମରେ ଲଗାଇବାର ବହୁ ହରକତ ଭିତରେ ରହିଥାନ୍ତି । ଜୀବନ କହିଲେ ଦୁଇ ପ୍ରକାରର ଅଭିନୟକୁ ଜାଣନ୍ତି । ଅଭିନୟ ବ୍ୟତୀତ ଆଉ ସବୁ କିଛିକୁ ହୁଏତ ମାୟା ବୋଲି କହନ୍ତି । ଏଠି ସେଠି ଉଭୟ ପହଡ଼ରେ ପ୍ରାୟ ଧର୍ମତଃ ସତେଅବା ବାବାଜୀ ବା ବୈରାଗୀ ହୋଇ ରହିଥାନ୍ତି । ବୈରାଗୀଙ୍କ ପରି ବେଶ୍ ଉଜ୍ଜ୍ୱଳ ଦିଶୁଥାନ୍ତି ସିନା, ମାତ୍ର ଅସଲ ଅଳିନ୍ଦଗୁଡ଼ିକରେ ଭାରି ମହଳ ହୋଇ ରହିଥାନ୍ତି ।

 

ସେମାନଙ୍କଦ୍ୱାରା ଆତ୍ମଅଭିବ୍ୟକ୍ତି ନାମକ ସେହି ଅନ୍ୟ ସମ୍ପତ୍ତିଟି ଖୁବ୍ ମାଡ଼ ଖାଇଯାଏ । ପୃଥିବୀକୁ ବହୁତ ଗଞ୍ଜଣା ସହିବାକୁ ହୁଏ । ସାହିତ୍ୟ ବି କ’ଣ କମ୍ ଗଞ୍ଜଣା ସହେ ? ଅନ୍ୟପକ୍ଷରେ ଆତ୍ମ-ଅଭିବ୍ୟକ୍ତି ପ୍ରାୟ ଗୋଟାସୁଦ୍ଧା ଅନ୍ୟ କାଟର ମନୁଷ୍ୟମାନଙ୍କର ଜୀବନରେ ହିଁ ସମ୍ଭବ ହୁଏ । ଗୁହାମୁକ୍ତି ନିମନ୍ତେ ମନ କଲେ ଯାଇ ଆତ୍ମଅଭିବ୍ୟକ୍ତି ନିମନ୍ତେ ଏକ ଯଥାର୍ଥ ଅବକାଶ ଆସି ପହଞ୍ଚେ ଏବଂ ସାହସ ନଥିଲେ ଆଦୌ କୌଣସି ଗୁହାମୁକ୍ତି କିପରି ବା ସମ୍ଭବ ହେବ ? ଏହି ମନୁଷ୍ୟମାନେ ସାହିତ୍ୟ ଭିତରେ ପ୍ରବେଶ କଲେ ହିଁ ଆମକୁ ଯଥାର୍ଥ ଆତ୍ମ-ଅଭିବ୍ୟକ୍ତିର ଏକ ଖୋଲା ପରିଚୟ ମିଳିଥାଏ । ପାଠକକୁ ମଧ୍ୟ ତାହା ଏକ ଆତ୍ମ-ଅଭିବ୍ୟକ୍ତି ନିମନ୍ତେ ଆମନ୍ତ୍ରଣ ଜଣାଏ । ପାଠକ ଓ ଲେଖକ ସଖାପରି ହାତ ମିଳାଉଥିବା ପରି ଲାଗେ । ଲୁଚି ରହିବାର କୌଣସି ପ୍ରରୋଚନା ନଥାଏ । ବହୁତ ସାହିତ୍ୟ ସେଥିଲାଗି ଆମକୁ ଲୁଚି ରହିଯିବା ଲାଗି ଫୁସୁଲାଉ ଥିବା ପରି ଲାଗେ ଓ ଆମକୁ ଗୁହାଭିତରୁ ମୋଟେ ନବାହାରିବା ନିମନ୍ତେ ସତର୍କ କରି ଦେଉଥାଏ । ଆତ୍ମ-ଅଭିବ୍ୟକ୍ତିର ସକଳ ଅବକାଶରେ ବାହାରଟିକୁ ସାଥିରେ ଧରି ହିଁ ଭିତରକୁ ଯାଇହୁଏ ଓ ଭିତରୁ ଠିକ୍ ସେହିପରି ଅବଲୀଳା-କ୍ରମେ ହିଁ ବାହାରକୁ ଆସିହୁଏ । ନିଃସଙ୍ଗ ଅନୁଭବ କରିବାର ଆଦୌ କୌଣସି ଦୁର୍ଗତି ନଥାଏ । ବାହାରଟା କଣ କେବଳ ଏକ ହାଟ ନା ଭିତରଟା କେବଳ ଏକ ଲୁଚି ରହିବାର ଅଲିଅଳ ଥାନ, ଏହିପରି ଏକ ମୂଳ ପ୍ରଶ୍ନରୁ ହିଁ ହୁଏତ ଆତ୍ମ-ଅଭିବ୍ୟକ୍ତି ଆଡ଼କୁ ମନ ପ୍ରସରିଯାଇ ପାରିବାର ପ୍ରାଥମିକ ସୂତ୍ରଟିକୁ ପାଇଯାଏ, ସିଧା ହୃଦୟ ଭିତରୁ ବଳ ପାଉଥାଏ ଏବଂ ସେହି କାରଣରୁ ଅତ୍ୟନ୍ତ ଦ୍ୱନ୍ଦ୍ୱରହିତ ଭାବରେ ନିଜର ବ୍ୟଞ୍ଜନଟିକୁ ବାଢ଼ିଦେଇ ହୁଏ । ଆତ୍ମଅଭିବ୍ୟକ୍ତିର ପ୍ରକ୍ରିୟାଟି ଆମ ଭିତରେ ଆମକୁ ସମ୍ଭବ କରି ଆଣୁଥିବା ଧାତ୍ରୀ ତଥା ଜନନୀର ହିଁ ପରିଚୟ ଦେଇପାରେ । ସେହି ଧାତ୍ରୀ ବା ଜନନୀ ଏହି ବୃହତ୍ତର ପୃଥିବୀରେ ମଧ୍ୟ ପ୍ରତ୍ୟକ୍ଷ ହୋଇ ଆସନ୍ତି । ସେଇଥିପାଇଁ ହିଁ ଆତ୍ମ-ଅଭିବ୍ୟକ୍ତି ଆମକୁ ସକଳ ଅର୍ଥରେ ଏକ ଉନ୍ମୋଚନର ଅନୁଭବ ଦେଇ ଯାଉଥାଏ । ବହୁ ଖୁସି ଲାଗି ନିମିତ୍ତ ହୁଏ ।

ସାହିତ୍ୟକୁ ସାହସ ନହେଲେ ଓଡ଼ିଶାରେ ଆମେ ତାହାକୁ ଓଡ଼ିଆ ସାହିତ୍ୟ ବୋଲି କହୁ-। ସର୍ବାଧିକ ପୁଲକ ସହିତ ତାହାକୁ ଓଡ଼ିଆ ସାହିତ୍ୟ ବୋଲି କହି ସତେଅବା ପତାକାଟିଏ ଉଡ଼ାଇ ଦେଉ ଏବଂ ତା’ପରେ ତାକୁ ସାହିତ୍ୟ ବୋଲି ପରଖିବାକୁ ଆମ ପାଖରେ ଆଉ କୌଣସି ଫୁରସତ ହିଁ ରହେନାହିଁ । ଅମ ସାହିତ୍ୟ ନାମକ ଦେଉଳଟିରେ ଆମ ସାହିତ୍ୟିକମାନେ ସତେ ଯେପରି କାରିଗର ହୋଇ ଲାଗିଛନ୍ତି–ସେହିପରି ଏକ ଭାବନାରେ ଆମେ ପ୍ରାୟ ବାଉଳୀ ହୋଇ ଯାଉକି-? ଆମ କଳ୍ପନା ବା କଳନା ଭିତରେ କେଉଁଠାରେ ଜଣେ ଲାଙ୍ଗୁଳା ନରସିଂହ ଦେବ ବସିଛନ୍ତି, ଯିଏକି ମଥାନ ଉପରେ ଯାଇ ବସିଛନ୍ତି ଏବଂ ଲେଖକମାନେ ନିଜ ଲେଖାଗୁଡ଼ିକର ସମୀକ୍ଷା କରିବାର ଅର୍ଥାତ୍ ଏକ ସକଳଙ୍କ ଶୁଦ୍ଧା ଦେଇ ବୁଝିବାର ଓ ପରଖିବାର କୌଣସି ଆବଶ୍ୟକତା ହିଁ ରହେନାହିଁ-। ଏହି ସବୁକିଛି ତ ଆମର, ତେଣୁ ଆଉ ମପାଚୁପା କାହିଁକି କରିବା, ଏହିପରି ଗୋଟାଏ ମୋଟାବୁଦ୍ଧିଆ ପଣ ଆମକୁ ଭାରି ନିଦା କରି ରଖିଥାଏ । ସେଠି ଆତ୍ମଅଭିବ୍ୟକ୍ତିର ବିଚାର ନିମନ୍ତେ କୌଣସି ଥାନ ନଥାଏ ଏବଂ ପ୍ରଧାନତଃ ସେହି କାରଣରୁ ଯୋଗାଣିଆମାନେ ଆମର ଏଠାରେ ସାହିତ୍ୟକୁ ସାହିତ୍ୟର ଛାତ୍ରମାନଙ୍କ ସମ୍ମୁଖରେ ସର୍ବୋପରି ଓଡ଼ିଆ ସାହିତ୍ୟ ବୋଲି ଉପସ୍ଥାପିତ ତଥା ପରିଚିତ କରାଇ ଦିଅନ୍ତି । ସାହିତ୍ୟର ସେ ଦିଗଟି ଯେ ଓଡ଼ିଶାଠାରୁ ଏକ ବୃହତ୍ତର ଭୂମିର, ତାହା ଯେ ମୂଳତଃ ଏକ ଆତ୍ମସମ୍ପଦ, ଯଥାର୍ଥ ପ୍ରସ୍ଥ ତଥା ପରିଧିଗୁଡ଼ିକ ସହିତ କୌଣସି ଆଲୋଚନା ଲାଗି ମୋଟେ ତର ନଥାଏ । ସାହସ ନଥାଏ, ତେଣୁ ତର ମଧ୍ୟ ନଥାଏ ।

ମୋ ଭାଷା ଓଡ଼ିଆ ଏବଂ ତେଣୁ ଏଠାରେ ସାହିତ୍ୟକୁ ଓଡ଼ିଆ ସାହିତ୍ୟ ବୋଲି କହିବା ପଛରେ ସମ୍ଭବତଃ କେଉଁଠାରେ ଏକ ହୀନମନ୍ୟତା ଲୁଚିକରି ରହିଥାଏ । ସେହି ହୀନମନ୍ୟତାରୁ ଏକ ଉତ୍ତେଜନା ବୋଧ କରିବାର ଖୋରାକଟିଏ ମଧ୍ୟ ବେଶ୍ ମିଳିଯାଏ । ସାହିତ୍ୟଟା ଆଗ ନା ଆଗ ଓଡ଼ିଆ ସାହିତ୍ୟ–ଉତ୍ତେଜିତମାନେ ନିଜ ଭିତରେ ହୁଏତ ତାହାର କୌଣସି ସୁସ୍ପଷ୍ଟ ସମାଧାନ ପାଇନଥାନ୍ତି ବୋଲି ବାହାରେ ଓଡ଼ିଆ ସାହିତ୍ୟକୁ ପାଖ ପଡ଼ିଶାର ଅନ୍ୟଭାଷୀ ସାହିତ୍ୟ ସହିତ ତୁଳନା କରିବାରେ ଲାଗିଥାଆନ୍ତି ଏବଂ ଓଡ଼ିଆ ସାହିତ୍ୟରେ ଅମୁକ ବା ସମୁକଟା ଅନ୍ୟ ଭାଷାର ସେହି ଅମୁକ ଅଥବା ସମୁକଟା ତୁଳନାରେ ଆଦୌ କୌଣସି ଗୁଣରେ ଊଣା ନୁହେଁ ବୋଲି କେତେ ପାଟି କରି କହୁଥାନ୍ତି । ସେମାନେ କେଉଁସବୁ ମାନଦଣ୍ଡ ଓ ମାପକାଠି ପକାଇ ଏଭଳି ଏକ ତୁଳନା କରନ୍ତି କେଜାଣି ? ଯେଉଁ ଭାଷାରେ ବେଶି ସଂଖ୍ୟକ ଲେଖକ ପୁରସ୍କାର ଲାଭ କରିଛନ୍ତି, ସେଇ ତେବେ ଅଧିକ ଆଗୁଆ ଅର୍ଥାତ୍‌ ଅଧିକ ଉନ୍ନତ କି ? ଅଥବା, ଯେଉଁ ସାହିତ୍ୟରୁ ଇଂରାଜୀକୁ ଅଧିକ ଅନୁବାଦ ହୋଇ ପାରିଛି, ସେଇ ପ୍ରକୃତରେ ଅଧିକ ସାହସୀ କି ? ଭାଗ୍ୟକୁ ପୁଲକିତମାନେ ସେପରି କୌଣସି ପ୍ରଶ୍ନ ପଚାରନ୍ତି ନାହିଁ, ତା’ ନହେଲେ ସେମାନେ ଭାରି ହଟହଟାରେ ପଡ଼ି ଯାଉଥାନ୍ତେ । ସାହିତ୍ୟ ଭିତରେ ଯେ ଆଗକୁ ଆଗକୁ ତଥା ଅଧିକରୁ ଅଧିକ ଗଭୀରକୁ ପ୍ରବେଶ କରିବାର ଅପରିମିତ ସମ୍ଭାବନାମାନ ରହିଛି ଏବଂ ଯେକୌଣସି ଭାଷାର ଜଣେ ଲେଖକ ମନ କଲା ମାତ୍ରକେ ନିଜ ପାଇଁ ସେଇଆଡ଼କୁ ବାଟଟିଏ ପଡ଼ିଥିବାର ଅବଶ୍ୟ ଅନୁଭବ କରିପାରିବ, ସାହିତ୍ୟକୁ ଆଗ ଓଡ଼ିଆ ସାହିତ୍ୟ ବୋଲି ଚିହ୍ନୁଥିବା ଆମକୁ ସେହି କଥାଟିକୁ ପ୍ରକୃତରେ କିଏ ଆସି ବୁଝାଇଦେଇ ପାରିବ ? ସେ କାଳରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଭିତରେ ପଡ଼ିଶା ବଙ୍ଗାଳିଙ୍କ ପ୍ରତି ଯେଉଁ ବୈମନସ୍ୟଭାବ ରହିଥିଲା, ସେଇଟି ହିଁ ଏକ ମୂଳକଳଙ୍କ ଏବଂ archetype ପରି ହୋଇ ଆମର ସାହିତ୍ୟଦୃଷ୍ଟିକୁ ଏବେ ମଧ୍ୟ କାମୁଡ଼ି ଧରିଛି କି ?

ଭାରତୀୟ ମୂଳ ଅର୍ଥରେ ଜାତି କହିଲେ ଏଠି ସବୁଦିନେ କାଷ୍ଟ୍‌କୁ ବୁଝାଇ ଆସିଥିଲା । ଇଉରୋପରୁ ଏକାବେଳେକେ ଏବେ ଆସି ପହଞ୍ଚିଥିବା ନେସନ୍ ଶବ୍ଦଟିକୁ ମଧ୍ୟ ଜାତି ବୋଲି ବୁଝିବା ଏବଂ କହିବାର ରୀତିଟିକୁ ଭାରତବର୍ଷରେ କିଏ ଆଣି ପ୍ରବିଷ୍ଟ କରାଇଲା କେଜାଣି ? ତାହାରି ମୁତାବକ ଆମେ ଏବେ କେଡ଼େ ଖୁସି ହୋଇ ଜାତୀୟ ସାହିତ୍ୟ ବୋଲି କଥାଟିକୁ ମଧ୍ୟ ବ୍ୟବହାର କଲୁଣି । କେତେ ସ୍ୱଚ୍ଛଳ ଭାବରେ ବି ବ୍ୟବହାର କଲୁଣି । ସାହିତ୍ୟକୁ ମଧ୍ୟ ଆଗ ଜାତୀୟ ସାହିତ୍ୟ ବୋଲି କହି ଖୁବ୍ ଆନନ୍ଦ ପାଇଲୁଣି ଏବଂ ସାହିତ୍ୟକୁ ଯେ ସବାଆଗ ସାହିତ୍ୟ ବୋଲି ଚିହ୍ନି ପାରିଲେ ହିଁ ଯେ ସାହିତ୍ୟରେ ଯଥାର୍ଥ ମର୍ମପ୍ରବେଶ ସମ୍ଭବ ହୁଏ, ଏକ ଅନ୍ୟ ଉତ୍ସାହ ତଥା ଉତ୍ତେଜନାରେ ପଡ଼ି ସେହି ସତ୍ୟଟିକୁ ଭାରି ପାସୋରି ପକାଇବାକୁ ଇଚ୍ଛା କଲୁଣି । ସାହିତ୍ୟକୁ ସାହସ ନକଲେ ଆମେ ଜାତୀୟ ସାହିତ୍ୟ ନାମକ ସେହି ନିତାନ୍ତ ଅସାହିତ୍ୟିକ ଢୋଲଟାକୁ ବେକରେ ପକାଇ ବହୁ ପ୍ରୟୋଜନରେ ପଡ଼ି ବଜାଇବାକୁ ଆରମ୍ଭ କରୁକି ? ଜାତୀୟ ଏଇଟା ବା ଜାତୀୟ ସେଇଟା ବୋଲି କହିଲେ ଜାତୀୟତା ଭାବନାର ମୂଳଭୂମି ସେହି ଇଉରୋପରେ ଯେତିକି ସର୍ବନିମ୍ନ ସ୍ଥିତିକୁ ଆଗ ବୁଝାଇବ, ଭାରତବର୍ଷରେ ସେହି ସ୍ଥିତିଗୁଡ଼ିକ ଏବେ ମଧ୍ୟ ଅପହଞ୍ଚ ପ୍ରାୟ ହୋଇ ରହିଛନ୍ତି । ଏଠାରେ ଅଧେ ମଣିଷଙ୍କୁ ବାଦ୍ ଦେଇ ଆଉ ଅଧେ ମଣିଷ ଜାତୀୟତାକୁ ଭୋଗ କରୁଛନ୍ତି । ଅଧେ ମଣିଷ ନିରକ୍ଷର ରହିଛନ୍ତି, ଅଧେ ମଣିଷ ପ୍ରବଞ୍ଚିତ ହେବାରେ ଲାଗିଛନ୍ତି । ସେମାନେ ପୁରୁଷ ପୁରୁଷ ଧରି ସେହିଭଳି ହିଁ ରହିଛନ୍ତି–ଆର ଅଧଟା ଏମାନଙ୍କର କାନ୍ଧରେ ବସି ଦେଶକୁ ଗଢ଼ୁଛି, ଭାଗ୍ୟ ସରୋବରରେ ସନ୍ତରଣ କରୁଛି ଏବଂ ସାହିତ୍ୟ ବି କରୁଛି । ତେଣୁ ନିତାନ୍ତ ଅଧମ ତଥା ନିତାନ୍ତ ଅସାଧୁ ନହୋଇଥିଲେ ଏଠି ସାହିତ୍ୟକୁ ଜାତୀୟସାହିତ୍ୟ ବୋଲି କହିବାକୁ ମୋଟେ କେହି ରାଜି ହେବେ ନାହିଁ ।

ଜାତୀୟତା ଶବ୍ଦଟାକୁ ଅଥାନରେ ପ୍ରୟୋଗ କରି ସାହିତ୍ୟ, ଉପରେ ଛାଇ ବିସ୍ତାରି ରଖିଥିବା ଫିସାଦିଆମାନେ ଏସବୁ ସୁଆଙ୍ଗ କରି ଆମକୁ କୁଆଡ଼େ ବାଉଳା କରି ନେଇଯିବାକୁ ବସିଛନ୍ତି କେଜାଣି ? ସ୍ଵାଧୀନତା ପୂର୍ବରୁ ସେହି ସଂଗ୍ରାମକାଳରେ ନେସନ ଅର୍ଥରେ ଏକ ସଂପୂର୍ଣ୍ଣ ଭାରତବର୍ଷକୁ ହିଁ ବୁଝାଉଥିଲା ଓ ତାହାର ସେହି କ୍ଷେତ୍ରରେ ଯଥେଷ୍ଟ ପ୍ରାସଙ୍ଗିକତା ମଧ୍ୟ ରହିଥିଲ୍ଲା । ଅବଶ୍ୟ ସେହି ସଂଗ୍ରାମର ବାହାରେ ରହିଥିବା ତତ୍କାଳୀନ ଉତ୍କଳ ସମ୍ମିଳନୀର ପୁରୋଧା ଏବଂ ପ୍ରବକ୍ତାମାନେ ସେମାନଙ୍କର ନିଜ ଅନ୍ଦାଜଗୁଡ଼ିକଦ୍ୱାରା ପରିଚାଳିତ ହୋଇ ଉତ୍କଳବାସୀଙ୍କୁ ଏକ ଜାତି ବୋଲି କହିବାକୁ ଆରମ୍ଭ କଲେ । ସ୍ଵାଧୀନତା ଲାଭ ପରେ ମଧ୍ୟ ସେଇଟି କେତେକଙ୍କ ମୁଣ୍ଡ ଭିତରେ ବି ରହିଗଲା ଓ ଅଧିକ ପ୍ରମାଦଆଡ଼କୁ ବାଟ କଢ଼ାଇଲା । ଏବେ ତ ଗୋଟାଏ ଗୋଟାଏ ଅଞ୍ଚଳ ଏବଂ ଗୋଟାଏ ଗୋଟାଏ ଜିଲ୍ଲା ମଧ୍ୟ କ୍ରମେ ଆପଣାକୁ ଚେନାଏ ଚେନାଏ ଜାତି ବୋଲି କହିବାକୁ ଆରମ୍ଭ କଲେଣି । ସେହି ଅନୁସାରେ କଣ ସାହିତ୍ୟଟା ମଧ୍ୟ ଚେନା ଚେନା ହୋଇ ଭାଙ୍ଗିଯିବ ଏବଂ ପ୍ରତ୍ୟେକ ସାହିରେ ସମସ୍ତେ ଆପଣାକୁ ଗୋଟିଏ ଗୋଟିଏ ଜାତି ବୋଲି କହି ହୁରି ବି ପକାଇବେ ? ସେତେବେଳେ ଯେଝା ସାହିତ୍ୟକୁ ନେଇ ଯେତେବେଳେ ସାହିଯାତ୍ରା ଓ ସାହି ସମାରୋହଗୁଡ଼ିକ ଆରମ୍ଭ ହୋଇଯିବ, ଜାତୀୟ ସାହିତ୍ୟର ଓଳମଟା ପ୍ରକୃତରେ କେଉଁଠାରେ ଯାଇ ରହିଥିବ ଏବଂ ସାହିତ୍ୟ କହିଲେ ସଂପୃକ୍ତମାନେ ସତକୁସତ କଣ ବୁଝିବେ ତଥା ଲୋଡ଼ିବେ ? ତେଣୁ ସବା ଆଗ ଆମ ଆଖିରେ ସାହିତ୍ୟ ହିଁ ରହିଥାଉ, ସାହିତ୍ୟ ହିଁ ଆକର୍ଷଣ କରୁ ଏବଂ ଆମ ଭିତରେ ମଧ୍ୟ ମୂଳତଃ ସାହିତ୍ୟ ଲାଗି ହିଁ ଯୋଗ୍ୟ ହେବାର ପ୍ରଚେଷ୍ଟାଟିଏ ବଞ୍ଚି ରହିଥାଉ । ଏକ ଅନୁରୂପ ସାହସଟିର ମଧ୍ୟ ଅନୁଶୀଳନ ହୋଇପାରୁ । ଓଡ଼ିଆ ସାହିତ୍ୟ ବା ଜାତୀୟ ସାହିତ୍ୟର ଦ୍ୱାହି ଦେଇ ସାହିତ୍ୟକୁ ଖୋଜି ବାହାରିବାର ଅସଲ ତାରୁଣ୍ୟ ତଥା ଅସଲ ସ୍ତମ୍ଭଟି ଏଠି ଆଦୌ ମରିନଯାଉ । ସାହସୀମାନେ ମେଳ ହୋଇ ବସନ୍ତୁ । ମୂଳତଃ ସାହିତ୍ୟପ୍ରୀତି ହିଁ ସେମାନଙ୍କୁ ଏକତ୍ର କରି ଆଣୁ । ତଦ୍ଦ୍ୱାରା ସାହିତ୍ୟର ମର୍ଯ୍ୟାଦା ବଢ଼ିବା ସଙ୍ଗେ ସଙ୍ଗେ ଆମର ଏହି ଭୂମିଟିର ମର୍ଯ୍ୟାଦା ବି ଅବଶ୍ୟ ବଢ଼ିବ ।

 

୧୬.୧୨.୦୨

☆☆☆

 

ରାଜନୀତି ଯିବ, ରାଜନୀତି ରହିବ

 

ରାଜନୀତି ଅର୍ଥାତ୍ ରାଜନୀତିକ କ୍ଷମତା । ଶାସନ କରିବାର କ୍ଷମତା ଆମ ସାମ୍ପ୍ରତିକ ପୃଥିବୀ ବହୁସଂଖ୍ୟକ ରାଷ୍ଟ୍ରରେ ବିଭକ୍ତ କରି ରଖିଛି । ସବୁଠାରେ ସେହି ରାଷ୍ଟ୍ର ହାତରେ ହିଁ ରାଜନୀତିକ କ୍ଷମତା ରହୁଛି । ଦଳଦଳ ଭିତରେ ସ୍ଵାର୍ଥ ସ୍ଵାର୍ଥ ଭିତରେ ଲଢ଼େଇ ଚାଲିଛି । ଶାସନ କରୁଥିବା ଗୋଟିଏ ଦଳକୁ ଗାଦିଚ୍ୟୁତ କରି ଆଉ ଗୋଟିଏ ଦଳ ଯେତେବେଳେ ସ୍ୱୟଂ ଗାଦିଟାକୁ ଅଧିକାର କରିନେଉଛି, ସେତେବେଳେ ତାହାକୁ ଏକ ରାଜନୀତିକ ବିପ୍ଳବ ବୋଲି କୁହାଯାଉଛି । ପୂର୍ବେ ରାଜାମାନେ ରାଜତ୍ଵ କରୁଥିଲେ । ସେମାନେ ବଂଶାନୁକ୍ରମେ ରାଜତ୍ଵ କରୁଥିଲେ । ଏହିପରି ବ୍ୟବସ୍ଥାଟିଏ ପରମେଶ୍ଵରଙ୍କ ଇଚ୍ଛାଦ୍ୱାରା ଚାଲୁଥିଲା ବୋଲି ସେତେବେଳେ ବିଦଗ୍ଧ ପଣ୍ଡିତମାନେ ମଧ୍ୟ ନିଷ୍ଠାପର ଭାବରେ ବିଶ୍ଵାସ କରୁଥିଲେ ଏବଂ ଯୁଦ୍ଧରେ ଅନ୍ୟ ରାଜ୍ୟର ରାଜାଙ୍କୁ ପରାସ୍ତ କରିପାରିଲେ ସିଏ ଏହି ଦ୍ୱିତୀୟ ରାଜ୍ୟଟିର ମଧ୍ୟ ନରପତି ହେଉଥିଲେ । ଏଇଟି ମଧ୍ୟ ଭାଗ୍ୟ ନିର୍ଦ୍ଦିଷ୍ଟ ଏବଂ ତେଣୁ ଅତ୍ୟନ୍ତ ସ୍ଵାଭାବିକ ବୋଲି ପଣ୍ଡିତମାନେ ମାନି ନେଉଥିଲେ । ସେହି ରାଜତନ୍ତ୍ରର ସମୟଟିଠାରୁ ଆମର ଏହି ଗଣତନ୍ତ୍ରର ଏକାଳଟି ପର୍ଯ୍ୟନ୍ତ,–ଏଇଟି ହେଉଛି ପୃଥିବୀରେ ରାଜନୀତିକ ବ୍ୟବସ୍ଥା-ବଦଳର ଇତିହାସ । ମଝିରେ ଏପରି ବହୁତ କଥା ଉଭୟ ରାଜନୀତି ଭିତରେ ଏବଂ ରାଜନୀତିର ବାହାରେ ମଧ୍ୟ ଘଟିଲା, ଯାହାଫଳରେ କି ରାଜଶକ୍ତି ସହିତ ଟକ୍କର ଦେବା ପାଇଁ ଲୋକଶକ୍ତି ନାମକ ଦ୍ୱିତୀୟ ବିଚାରଟିଏ ଜନ୍ମଲାଭ କଲା । ରାଜା ମଧ୍ୟ ଜଣେ ମଣିଷ,–ଅସଲଭାଗ୍ୟ ହେଉଛି ଏକ ସମୂହରେ ବାସ କରୁଥିବା ସବୁ ମଣିଷଙ୍କର ସମ୍ମିଳିତ ଭାଗ୍ୟଟି, ବହୁ ବଙ୍କା ଓ ସିଧା ବାଟକୁ ଅତିକ୍ରମ କରି ପୃଥିବୀର ରାଜନୀତିକ ଚିନ୍ତାକୁ ଏହି ବିଚାରଟି ସବୁଠାରୁ ଭଦ୍ର ଓ ସବୁଠାରୁ ସଭ୍ୟ ବୋଲି ଦେଖାଗଲା ଏବଂ ତେଣୁ ରାଜାମାନେ ଗଲେ ଏବଂ ପୃଥିବୀର ରାଜନୀତିଟା ଗୋଟାଏ ନୂଆ ଗୁଳାରେ ଆସି ପଡ଼ିଲା । ପ୍ରତିନିଧ ଶାସନର ନୂଆ ରୀତିଟି ହିଁ କ୍ରମେ ଅଧିକରୁ ଅଧିକ ଗୃହୀତ ହେଲା । ଉପନିବେଶି ପୁରୁଷା ଛାଞ୍ଚଟି ଭୁଷୁଡ଼ି ପଡ଼ିଲା ।

 

ସେହି ପ୍ରକ୍ରିୟାରେ ଦୁଇ ଦୁଇଟା ବିଶ୍ଵଯୁଦ୍ଧ ହେଲା । ଏଗୁଡ଼ାକରେ ଯୋଉପଟ ଜିତୁ ଏବଂ ଯୋଉ ପଟ ହାରୁ ପଛକେ, ସମଗ୍ରତଃ ଅଧିକରୁ ଅଧିକ ଗଣତନ୍ତ୍ର ନିମନ୍ତେ ହିଁ ରାସ୍ତାଗୁଡ଼ିକ ଅଧିକ ଅଧିକ ଖୋଲିଯିବାକୁ ଆରମ୍ଭ କଲା । ସାଧାରଣ ମଣିଷମାନେ କ୍ରମସଚେତନ ହୋଇ ଆସିଲେ । ଏଣିକି ସମଗ୍ର ବିଶ୍ୱସ୍ତରରେ ଏକାଠି ବସି ବିଚାର କରିବାର ନୂଆ ପରିମଳଟିଏ ଗୃହୀତ ହେଲା । କ୍ଷମତାର ଗଣ୍ଠିଗୁଡ଼ିକ, ରାଜନୀତିର ନିର୍ଣ୍ଣାୟକ ନିଷ୍ପତ୍ତିଗୁଡ଼ିକ ଆଗଭଳି ଉପରେ ରାଜାମାନଙ୍କର ମର୍ଜି ଅନୁସାରେ ନୁହେଁ, ତଳେ ଲୋକସ୍ତରରେ ହିଁ ନିରୂପିତ ହେବ, ମୂଳ ନଜରଟି ତାହାରି ଉପରେ ପଡ଼ିଲା । ଯେଉଁଠାରେ ଆବଶ୍ୟକ ବୁଦ୍ଧିମତ୍ତା ସହିତ ଲୋକୋଦୟ ନିମନ୍ତେ ପ୍ରସ୍ତୁତିମୂଳକ ପଦକ୍ଷେପମାନ ସୁସ୍ଥ ଭାବରେ ନିଆଯାଇ ପାରିଲା, ସେହିସବୁ ଦେଶରେ ସେତେ ବେଶି ପ୍ରତିବନ୍ଧକର ସାମନା କରିବାକୁ ପଡ଼ିଲା ନାହିଁ ସତ, ମାତ୍ର ଯେଉଁ ଦେଶଗୁଡ଼ିକରେ ପୁରୁଣା ସ୍ଵାର୍ଥଗୁଡ଼ାକ ତଥାପି ପରିବର୍ତ୍ତନଗୁଡ଼ିକର ପରିପନ୍ଥୀ ହେଲେ ଏବଂ ନୂଆଟା ଆସିଲେ ସେମାନଙ୍କର ବର୍ତ୍ତମାନର ସ୍ୱାର୍ଥାସନଗୁଡ଼ିକ ପୂରା ଭୁଷୁଡ଼ି ପଡ଼ିବ ବୋଲି ଭୟ କଲେ, ସେଠାରେ ବହୁ ଅଭିସନ୍ଧିଦ୍ୱାରା ପ୍ରାୟ ସବୁକିଛିକୁ ଅଟକାଇ ରଖାଗଲା । ସାମନ୍ତମାନେ ବଦଳିବାକୁ ଇଚ୍ଛା ହିଁ କଲେ ନାହିଁ ଏବଂ ଦେଶଟାକୁ ଗୋଦଡ଼ା କରି ରଖିଲେ । ଛାଞ୍ଚଟା ସିନା ଗଣତନ୍ତ୍ରର ଚେହେରାରେ ତିଆରି ହୋଇଥିଲା; କିନ୍ତୁ ଦୌରାତ୍ମ୍ୟମାନେ ମୋଟେ ଗଲେ ନାହିଁ ଏବଂ ଯେଉଁଟା ସବୁଠାରୁ ବଳି କ୍ଷତି କଲା, ତଳଟା ଯୁଗ ଯୁଗ ଧରି ଯେଉଁପରି ରହିଥିଲା, ତାହାକୁ ବାର ଚାତୁରୀର କୁଟିଳତା ଦ୍ୱାରା ଯଥାସମ୍ଭବ ସେହିଠାରେ ହିଁ ଅସହାୟ କରି ରଖାଗଲା । ଅଶିକ୍ଷା ରହିଲା, ଅନ୍ଧାରମାନେ ରହିଲେ ଏବଂ ଲୋକପଟଟା ଅତ୍ୟନ୍ତ ନିଦାରୁଣ ଭାବରେ ନିର୍ଭରଶୀଳ ହୋଇ ରହିଲେ । କାଗଜପତ୍ରରେ ହିଁ ଅସଲ କାମଗୁଡ଼ାକୁ ବଢ଼ାଇ ଦିଆଗଲା ଏବଂ କାର୍ଯ୍ୟତଃ ଯାବତୀୟ ଅବିବେକକୁ ପ୍ରଶ୍ରୟ ଦିଆଗଲା-। ଶାସକମାନେ ମୋଟା ହେଲେ, ଉଚ୍ଚ ଅମଲାମାନେ ମୋଟା ହେଲେ; ପାଠୁଆମାନେ ଆଦୌ କୌଣସି ପ୍ରକୃତ ପାଠକୁ ଆୟତ୍ତ କଲେ କି ନାହିଁ ସେକଥା ଆଦୌ ଜାଣିହେଲା ନାହିଁ ସିନା; କିନ୍ତୁ ସେମାନେ ଉଦାସୀନ ହେଲେ,–ଗୋଟାଏ ଗୋଟାଏ କର୍ତ୍ତା ହୋଇ ବସିଲେ । ନେତୃତ୍ୱ ଘରେ ମଡ଼କ ପଡ଼ିଲା । ସତେଅବା ଏକ ଉପନିବେଶବାଦର ଯାବତୀୟ ଛଇରେ ଗଣତନ୍ତ୍ର ଅର୍ଥାତ୍ ଲୋକତନ୍ତ୍ରଟା ଢାଙ୍କିହୋଇ ରହିଗଲା । ଆମ ଭାରତବର୍ଷରେ ସମ୍ପ୍ରତି ସେହିପରି ଗୋଟାଏ ଅରାଜକ ଅବିବେକତନ୍ତ୍ର ଖୁବ୍ ପ୍ରଚଣ୍ଡ ଭାବରେ ଚାଲିଛି । ଉପରକୁ ସବୁକିଛି ଏକ ମୋଗଲ ଦରବାର ଭଳି ଦିଶୁଛି ସିନା; କିନ୍ତୁ ସବୁକିଛି ଫସର ଫାଟି ଯାଉଛି ।

 

ଏହି ରାଜନୀତି ଯିବ, ଅଲବତ ଯିବ । କ୍ଷମତାରେ ଲାଖି ରହିଥିବା ଇନ୍ଦ୍ରଚନ୍ଦ୍ରମାନେ ଯେତେ ଯାହା ଅନ୍ୟପ୍ରକାରେ ଇଚ୍ଛା କରୁଥିଲେ ମଧ୍ୟ ଏ ରାଜନୀତି ଯିବ । ସମଗ୍ର ପୃଥିବୀରୁ ଯିବ, ତେଣୁ ଭାରତବର୍ଷରୁ ଅବଶ୍ୟ ଯିବ । ଲୋକୋଦୟର ସେହି ଅନ୍ୟ ପର୍ଯ୍ୟାୟଟି କ୍ରମେ ଦାନା ବାନ୍ଧି ଆସିବା ସଙ୍ଗେ ସଙ୍ଗେ କର୍ତ୍ତୃତ୍ୱଗୁଡ଼ାକୁ ହିଁ ଧର୍ମ ବୋଲି ଆଚରି ରହିଥିବା ଏହି ରାଜନୀତି ଯିବ । ନେତୃତ୍ୱର ରାଜନୀତି ପୃଥିବୀ ସକାଶେ ଏକ ଅନ୍ୟ ଆହ୍ୱାନ ତଥା ଅନ୍ୟ ଆବେଦନ ସହିତ ଆସି ଆମ ଦୁଆରେ ପହଞ୍ଚିଯିବ । ରାଜଧର୍ମ ଲୋକଧର୍ମକୁ ବାଟ ଛାଡ଼ିଦେବ । ଯାବତୀୟ ରାଜନୀତି ଲୋକନୀତିଦ୍ୱାରା ପରିଚାଳିତ ହେବ । ଏବେ କ୍ଷମତାଧାରୀମାନେ ବୋମାରେ ସବୁଠାରୁ ଅଧିକ ପଇସା ଓ ଅଧିକ ମଗଜ ଖରଚ କରୁଛନ୍ତି । ବିଜ୍ଞାନଟାକୁ ମଧ୍ୟ ହୁଏତ ପୃଥିବୀରେ ଅଶୁଭ ବୁଦ୍ଧିର ମତଲବ ରଖି ଅଧିକତର ଉତ୍ସାହରେ କାମରେ ଲଗାଯାଉଛି । ତେଣେ ପୃଥିବୀରେ ସବୁ ମଣିଷଙ୍କ ପାଇଁ ଅନ୍ନ ନାହିଁ; ସବୁ ମଣିଷଙ୍କ ପାଇଁ କର୍ମସଂସ୍ଥାନ ନାହିଁ, ସବୁ ପିଲାଙ୍କ ସକାଶେ ଇସ୍କୁଲ ବି ନାହିଁ । ନାନାମତେ ଅସହାୟ ହୋଇ ରହିଛନ୍ତି ବୋଲି କୋଟି କୋଟି ମଣିଷ ଘୁଷୁରିଙ୍କ ପରି ସହ୍ୟ କରୁଛନ୍ତି-। ଅସଲ ଆଖିଗୁଡ଼ିକୁ ଲଗାଇ ଦେଖି ପାରୁନାହାନ୍ତି ବୋଲି ପ୍ରତିବାଦ କରି ପାରୁନାହାନ୍ତି-। ସେମାନଙ୍କୁ ପ୍ରକୃତରେ କିଏ ଉପଯୁକ୍ତ ସାମର୍ଥ୍ୟଗୁଡ଼ିକୁ ଆଣି ଯୋଗାଇ ଦେଇପାରିବ-? ବାହାରୁ କେହି ଦୟାପରବଶ ହୋଇ ଅଥବା ଏକ ବୃହତ୍ ଉଦାରତା ଗୁଣଦ୍ୱାରା ପରିଚାଳିତ ହୋଇ ଏମାନଙ୍କୁ ନେତୃତ୍ଵ ଦେବ ଓ ତା’ପରେ ଯାଇ ଜାଗରଣଟିଏ ସମ୍ଭବ ହେବ, ଏହି କଥାଟିର ପୂର୍ବରୁ ମଧ୍ୟ କେତେ ପ୍ରୟୋଗ ହୋଇସାରିଛି । ସାଧୁ ପ୍ରୟୋଗମାନ ମଧ୍ୟ ହୋଇଛି । ମାତ୍ର, ଅଧିକାଂଶ କ୍ଷେତ୍ରରେ ତାହାଦ୍ୱାରା ଅଭିନଷିତ ଫଳଗୁଡ଼ିକ ଆଦୌ ମିଳିନାହିଁ । ଅନୁଗୃହୀତ ମନୁଷ୍ୟମାନେ ଭାରି ନିର୍ଭରଶୀଳ ହୋଇ ରହିଛନ୍ତି । ବାହାରୁ ଏହିପରି ଭାବନାଟିଏ ସତେ ଅବା ସ୍ଥାୟୀ ହୋଇ ରହିଯାଇଛି । ତେଣୁ ନୂଆ ନୂଆ ଧୋକା ଲାଗିରହିଛି । ସେହି ପୁରାତନ ରାଜନୀତିଟା ହିଁ ହୁଏତ ଭଳି ଭଳି ପରିଚ୍ଛଦ ପିନ୍ଧି ଆପଣାକୁ ଜାରି କରି ରଖିଛି । ଲୁହା ଶିଙ୍କୁଳିର ଥାନରେ ସୁନାର ଶିଙ୍କୁଳି ପିନ୍ଧିଥିବା ପରି ମନେ ହୋଇଛି ସତ, ମାତ୍ର ଶିଙ୍କୁଳିମାନେ ତଥାପି ଛିଣ୍ଡି ନାହାନ୍ତି ।

 

ତେଣୁ ପୃଥିବୀରେ ଭାରତବର୍ଷ ସମେତ ଯେଉଁମାନେ ଆଗକୁ ଅନାଇ ଆବଶ୍ୟକ ପରିବର୍ତ୍ତନଟି ନିମନ୍ତେ ଚିନ୍ତା କରୁଛନ୍ତି ଓ ସେହି ଉଦ୍ଦେଶ୍ୟରେ ମେଳ ହୋଇ ଆସୁଛନ୍ତି, ସେମାନେ ସେଥିଲାଗି କରୁଥିବା ପ୍ରସ୍ତୁତିଗୁଡ଼ିକୁ ଏକାଧିକ ଅର୍ଥରେ ଏକ ନୂଆ ପ୍ରସ୍ଥ ଦେଇ ଦେଖୁଛନ୍ତି । ସେମାନେ କ୍ରମେ ଅଧିକରୁ ଅଧିକ ସ୍ପଷ୍ଟ ଭାବରେ ବୁଝିବାକୁ ଆରମ୍ଭ ବି କଲେଣି ଯେ, ଆଗକୁ ଯେଉଁ ରାଜନୀତିକ ଲଢ଼େଇଟି ଲଢ଼ା ହେବାକୁ ଯାଉଛି, ତାହା କଦାପି କେବଳ ତଥାକଥିତ ରାଜନୀତି ଭିତରେ ଆବଦ୍ଧ ହୋଇ ରହିବ ନାହିଁ ଏବଂ ଏଥିରେ ଯେଉଁମାନେ ନେତୃତ୍ୱ ନେବେ, ସେମାନଙ୍କୁ ମଧ୍ୟ କେବେହେଲେ ତୁଚ୍ଛା ରାଜନୀତିର ନେତା ବୋଲି କୁହାଯାଇପାରିବ ନାହିଁ । ହଁ, କେବଳ ଜାତୀୟତାବାଦ ମଧ୍ୟ ଆଉ ଯଥେଷ୍ଟ କାମ ଦେବନାହିଁ । ଇତିହାସ ମଧ୍ୟ କହୁଛି ଯେ, କେବଳ ଜାତୀୟତାବାଦ ସମ୍ପୃକ୍ତ ଉଦ୍‍ବୁଦ୍ଧମାନଙ୍କ ଭିତରେ ଅଭୂତପୂର୍ବ କେତେ ନା କେତେ ଉଦ୍‌ବେଳନ ଏକଦା ସୃଷ୍ଟି କରିଥିଲେ ମଧ୍ୟ ଆଗକୁ ତାହା ମୁନଷ୍ୟମାନଙ୍କୁ ବହୁତ ଧୋକାରେ ହିଁ ନେଇ ପକାଇଦେବ । କିଛି ବାଟଯାଏ ଏକ ଅମୋଘ ଅସ୍ତ୍ର ବା ଅବଲମ୍ବନ ଭଳି କାର୍ଯ୍ୟ କରିବ ସତ, ମାତ୍ର ଅଧବାଟରେ ଖୁବ୍ ବାଉଳା କରି ପକାଇବ । ଦ୍ଵିତୀୟ ମହାଯୁଦ୍ଧ ପରେ ପୃଥ୍ୱୀ ସ୍ତରରେ ସବୁ ମଣିଷଙ୍କୁ ଗଣନାକୁ ନେଇ ଯେଉଁସବୁ ନୂଆ ସଂଗଠନମାନ ଗଢ଼ା ହୋଇଛି, ପୃଥିବୀର ସବୁଠାରୁ ଅଧିକ ଡେଙ୍ଗା ଜାତୀୟତାବାଦମାନେ ନାନା ପ୍ରକାରେ ବାଟ ଓଗାଳି ଛିଡ଼ାହୋଇ ଯାଉଥିବାରୁ ସେଗୁଡ଼ିକ ମଧ୍ୟ ସହଜରେ ମୋଟେ କାର୍ଯ୍ୟ କରିପାରୁ ନାହାନ୍ତି । ପୃଥିବୀର ଅଧିକାଂଶ ଘଟଣାରେ ଜାତୀୟତାବାଦୀ ସରକାରମାନେ ସବାଆଗ ବିଶେଷ ବିଶେଷ ନିଜ ସ୍ୱାର୍ଥଗୁଡ଼ିକୁ ଜାବୁଡ଼ି ଧରିଥିବାରୁ ଆଗକୁ ବହୁ ଉଚିତ ସମାଧାନ ହୁଏତ ଦେଖାଯାଉଥିଲେ ମଧ୍ୟ ସେଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ପରୀକ୍ଷା କରି ଦେଖିହେଉ ନାହିଁ ।

 

ପୁରୁଣା ରାଜନୀତିକ ବାଦ, ପୁରୁଣା ଅର୍ଥନୈତିକ ଗଣିତ ଏବଂ ଏପରିକି ପୁରୁଣା ଧର୍ମମଣ୍ଡପମାନେ ମଧ୍ୟ ଏଣିକି ବେଶି କାମ ଦେଇନପାରିବା ପରି ମନେହେଉଛି । ଆମେ ଯିଏ ଯେଉଁ ଦେଶ ବା ଧର୍ମରେ ଜନ୍ମ ହୋଇଛେ, ଅବଶ୍ୟ ସେଗୁଡ଼ିକୁ ପଛକୁ ଫିଙ୍ଗିଦେଇ ଆସିଲେ ଯେ ଅର୍ଗଳଗୁଡ଼ିକ ହଟିଯିବେ, ସେକଥା ମଧ୍ୟ କଦାପି ନୁହେଁ । ପୁରୁଣା ଆଖିମାନେ ତଥାପି ଥିବେ, ତଥାପି ଆପଣା ଆପଣାର ତାତ୍କାଳିକତାଗୁଡ଼ିକ ବିଷୟରେ ଖୁବ୍ ସାବଧାନ ହୋଇ ରହିବାକୁ ରାଜି ହୋଇପାରୁଥିବେ । ଏକାବେଳେକେ ସବୁ ମଣିଷଙ୍କୁ ଦେଖିପାରୁଥିଲେ ଯାଇ ଆମ ଭିତରେ ଏପରି ଅନ୍ୟପ୍ରସ୍ଥଯୁକ୍ତ କେତେକ ଶ୍ରଦ୍ଧା ଜନ୍ମଲାଭ କରିବ, ଯାହାକି ଆମକୁ ଯୁଗପତ୍ ଭାବରେ ଏପରି ଆଉ କିଛି ମଧ୍ୟ ଦେଇଯିବ, ଯାହାପାଇଁ ଆମେ ସମୁଦାୟ ପୃଥିବୀକୁ ଦର୍ପଣ କରି ଦେଖିବାକୁ ଆରମ୍ଭ କରିବା । ତାହା ହେଉଛି ଏକ ଏକାବେଳକେ ଅନ୍ୟ ରାଜନୀତିର କଥା । ସେହି ରାଜନୀତିଟି ଆସୁଛି, ସେହି ରାଜନୀତିଟି ହିଁ ରହିବ । ତେବେ ଯାଇ ବର୍ତ୍ତମାନର ଭୀତିଗୁଡ଼ିକ ଦୂରହେବେ । କେବଳ ସମଗ୍ର ପୃଥିବୀ ନୁହେଁ, ଆମ ନିଜ ଗାଆଁଟି ମଧ୍ୟ ଆମକୁ ଗ୍ରାମବାସୀ ସମସ୍ତଙ୍କୁ ନେଇ ପୂରି ରହିଥିବା ଘରଟିଏ ଭଳି ଦେଖାଯିବ । ପୃଥିବୀର ଆଗାମୀ ନେତୃତ୍ୱ ଏହି ଅନ୍ୟ ମେଦିନୀଟି ନିମନ୍ତେ ନିଜକୁ ପ୍ରଶିକ୍ଷିତ କରି ଆଣିଲାଣି । ସେତେବେଳେ ରାଜନୀତି କହିଲେ ମଧ୍ୟ ଏକ ଅନ୍ୟ ପ୍ରକାରର ସକ୍ରିୟତାକୁ ବୁଝାଇବ, ଯାହାକି ଆଦୌ କାହାକୁ ବାଦ୍ ଦେବନାହିଁ କିମ୍ବା ଆଉ କାହା ପତରକୁ ଝାମ୍ପି ନେଇ ନିଜ ଘରକୁ ଏକା ସବୁଯାକ ଭୁଞ୍ଜିବାର ମତଲବରେ ମୋଟେ ଧାଇଁ ପଳାଇବ ନାହିଁ । ଯାବତୀୟ ଅର୍ଥନୀତି ମଧ୍ୟ ସେହି ରାଜନୀତିକୁ ମାନିବ । ପୃଥିବୀଯାକ ତାହାରି ଲାଗି ସଜ ହେଉଛି । ପୃଥିବୀଯାକର ତୁମ ଆମ ଭଳି ମଣିଷମାନେ ତାହାକୁ ନିଶ୍ଚୟ ସମର୍ଥନ କରିବେ, କାରଣ ସେମାନେ ମଧ୍ୟ ବର୍ତ୍ତମାନର ନେତୃତ୍ଵରୂପୀ ଶ୍ଵାପଦମାନଙ୍କଠାରୁ ବିଶ୍ୱାସ ହରାଇ ସାରିଲେଣି ।

 

୨୩.୧୨.୦୨

☆☆☆

 

ବିକଳ୍ପ ଜୀବନରୁ ହିଁ ଆରମ୍ଭ

 

ଏକାବେଳକେ ସେହି ପ୍ରାଚୀନ କାଳରୁ ଲିପିବଦ୍ଧ ହୋଇ ରହିଥିବା ଦୃଷ୍ଟାନ୍ତଗୁଡ଼ିକ ମଧ୍ୟରେ ସମ୍ଭବତଃ ବୃଦ୍ଧଦେବ ସର୍ବପ୍ରଥମ, ଯିଏକି ଏକ ବିକଳ୍ପ ଧର୍ମଚକ୍ରର ପ୍ରବର୍ତ୍ତନ କରିବାକୁ ଆପଣାର ମୁଖ୍ୟ ସନ୍ଦେଶ ରୂପେ ପ୍ରଚାର କରିଥିଲେ । ଆମର ଏହି ଭୂଇଁଟାର ଦୁର୍ଭାଗ୍ୟ ଯେ ସେହି ସନ୍ଦେଶ ଉତ୍ସାହୀମାନଙ୍କର ଭାବଯନ୍ତାରେ ପଡ଼ି ବୌଦ୍ଧଧର୍ମରେ ପରିଣତ ହେଲା, ଜଣେ ଜଣେ ରାଜ୍ୟ କେଡ଼େ ଉଲ୍ଲସିତ ଭାବରେ ସେହି ଧର୍ମର ପ୍ରସାର କରିବା ନିମନ୍ତେ ବାହାରି ଆସିଥିଲେ । ତାପରେ ପ୍ରାୟ ଚାହୁଁ ଚାହୁଁ ବୁଦ୍ଧଦେବଙ୍କର ମୂର୍ତ୍ତି ଗଢ଼ାଗଲା । ଛନ୍ଦୋମୟ ସଂସ୍କୃତ ଭାଷାରେ ବୁଦ୍ଧଙ୍କର ଜୀବନୀମାନ ରଚନା ଓ ରଟନା କରାଗଲା । ବହୁବିଧ ଲୋଭରେ ପଡ଼ି ଧର୍ମଟା ବି ତନ୍ତ୍ର ସହିତ ଏକାଠି ମିଶି ଏକ ଆକର୍ଷକ ଘାଣ୍ଟଟାଏ ରାନ୍ଧି ଥୋଇଦେଲା ଏବଂ ଗୋଟିଏ ପର୍ଯ୍ୟାୟରେ ଶଙ୍କରାଚାର୍ଯ୍ୟ ଆସି ବୌଦ୍ଧଧର୍ମକୁ ଗିଳିଦେଲେ । ଆମେ ଓଡ଼ିଶାରେ ମଧ୍ୟ ଶ୍ରୀ ଜୟଦେବଙ୍କର ସିଦ୍ଧ କାବ୍ୟ-ବିଦ୍ୟାର କରାମତି ଲଗାଇ ବୁଦ୍ଧଙ୍କୁ ବିଷ୍ଣୁଙ୍କର ଏକ ଅବତାର ବୋଲି ବିଶ୍ୱାସ କରି ଶିଖିଲୁ ଏବଂ କବି ସାରଳା ଦାସ ପୁରୀ କ୍ଷେତ୍ରର ଜଗନ୍ନାଥଙ୍କୁ ହିଁ ବୁଦ୍ଧ ଅବତାରର ସେହି ସିଦ୍ଧ ପ୍ରତିମାଟି ରୂପେ ବର୍ଣ୍ଣନା କଲେ । ବିଚରା ବିକଳ୍ପଟା କୁଆଡ଼େ ଗଲା କେଜାଣି ? ଭାରତବର୍ଷରୁ ତାର ଡିହଗୁଡ଼ାକ ସତେଅବା ପୂରା ତାଡ଼ି ହୋଇଗଲା । ହଁ, ଏବେ ଓଡ଼ିଶାରେ ପଣ୍ଡିତମାନେ ଭୂଇଁ ତାଡ଼ି ତନ୍ତ୍ରମାର୍ଗର ଲାବଣ୍ୟରେ ଧଉଳା ହୋଇଥିବା ବୌଦ୍ଧ ମୂତ୍ତିଗୁଡ଼ିକୁ ପଦାକୁ ଆଣୁଛନ୍ତି ଏବଂ ଓଡ଼ିଶାରେ ଆମେ ଅନେକେ ତାହାକୁ ହିଁ ବୌଦ୍ଧ କୀର୍ତ୍ତି ବୋଲି କହି ପୁଲକ ଅନୁଭବ କରୁଛୁ ।

 

ସନ୍ଥ ବିନୋବା ଭାବେ ଏକଦା ରାଷ୍ଟ୍ରଶକ୍ତି ଆଗରେ ଲୋକଶକ୍ତିକୁ ଛିଡ଼ା କରାଯିବାର କଥାଟିଏ କହୁଥିଲେ । ସିଏ ତାହାକୁ ତୃତୀୟ ଶକ୍ତି ବୋଲି କହିଥିଲେ । ତୃତୀୟ ଶକ୍ତି ବା ବିକଳ୍ପ ଶକ୍ତି-। ଏହି ତୃତୀୟ ଶକ୍ତିକୁ ସଚଳ କରି ରଖିପାରିଲେ ରାଜଶକ୍ତିକୁ ମଧ୍ୟ ପଥରୁ ବିଚ୍ୟୁତ ହୋଇଯିବାର ପ୍ରମାଦଟି ଧର୍ମତଃ ରହିବ ନାହିଁ । ତେବେ ଯାଇ ଗଣତନ୍ତ୍ର ଉଚିତ ବିବେକରେ ଚାଲି ପାରିବ-। ତାଙ୍କର ଏହି କଥାଟି ସେତେବେଳେ କେତେ ଶକ୍ତିଶାଳୀ ବି ଲାଗୁଥିଲା ଏବଂ ସର୍ବୋଦୟ ଆନ୍ଦୋଳନରେ ତାହା ଏକ ନିର୍ଦ୍ଦିଷ୍ଟ ରୂପରେଖ ଦେଇ ଆମ ସମସ୍ତଙ୍କୁ ସତକୁସତ ଆଗକୁ ନେଇଯାଇ ପାରିବ ବୋଲି ପ୍ରତ୍ୟୟ ଦେଇ ଯାଉଥିଲା । ଗୋଟିଏ ଆନ୍ଦୋଳନରେ ସଚରାଚର କ’ଣ ଅଭାବଟିଏ ରହିଥାଏ ଅର୍ଥାତ୍ କ’ଣ ଅତ୍ୟାବଶ୍ୟକ ଉପାଦାନଟି ନଥାଏ ବୋଲି ଯେ, ତାହା ଫସରଫାଟି ଯାଏ ସେ ବିଷୟରେ ହୁଏତ ଏକାଠି ବସି ଚିନ୍ତା କରାଯାଇ ପାରୁନାହିଁ । ଏବେ ତ ବିକଳ୍ପ ବିଚାରମାନ ସମଗ୍ର ପୃଥିବୀର ସ୍ତରରେ ମଧ୍ୟ ଚଳିଲାଣି । ବିକଳ୍ପ ଅର୍ଥନୀତି, ବିକଳ୍ପ ରାଜନୀତି ବିକଳ୍ପ ଶିକ୍ଷା ପ୍ରୟୋଗ, ଏହିଭଳି କେତେ କେତେ ବହୁ ନିଷ୍ଠାପୂର୍ଣ୍ଣ କଥା । ପୁରୁଣାଗୁଡ଼ାକ ସେହି ପୂର୍ବର ମହିମାରେ ପ୍ରତିଷ୍ଠିତ ରହିଛନ୍ତି ଏବଂ ଏଣେ ଆମେ କେତେ କେତେ ମଣିଷ ବିକଳ୍ପଗୁଡ଼ିକୁ ନେଇ ବିଚାର ମନ୍ଥନ କରିବାରେ ଲାଗିଛୁ । ଭାରତବର୍ଷରେ ସେହି ପୁରାତନ ଶିକ୍ଷାହିସାବଗୁଡ଼ିକ କେତେ କେତେ ଅମାପ ବୁଦ୍ଧିମତ୍ତା ଖରଚ କରି ଆମକୁ କାବୁକରି ରଖିଛି ଏବଂ ତେଣେ ଉଚ୍ଚ ଭାଡ଼ିର ଅମଲାମାନେ ବିକଳ୍ପ ଶିକ୍ଷା ବୋଲି ଏକ ଅଭିନବ ନାମ ଦେଇ ଏବେ କେତେ କୋଟି ଟଙ୍କାର ବରାଦ କରି ଯୋଜନା ସବୁ ତିଆରି କରି ସାରିଲେଣି । ଦେଶର ଯେଉଁ ନିମ୍ନ ବର୍ଗ ତଥା ନୀରସା ଘରମାନଙ୍କର ପିଲାଏ ଆମ ନିଜ ପିଲାମାନଙ୍କ ସହିତ ଯେପରି ଗୋଟିଏ ପ୍ରକାରର ପାଠଶାଳାରେ କେବେହେଲେ ବସି ନପାରିବେ, ସେଥିଲାଗି ସେହି ନୀରସମାନଙ୍କ ନିମନ୍ତେ ବିକଳ୍ପ ବିଦ୍ୟାଳୟଗୁଡ଼ିକର ସରସ ନକ୍ସାଟିଏ ତିଆରି କରାଯାଇଛି ଓ ପ୍ରାୟ ଏକ ବଦାନ୍ୟ ହିତକାରୀ ତରଫର ରାଜକୀୟତାରେ ସେଥିଲାଗି ବିଭାଗୀୟ ସବାବଡ଼ ବାବୁମାନେ ଆପାତତଃ ଏହିପରି ସମାଧାନଟିଏ ଫାନ୍ଦି ବାହାର କରିଛନ୍ତି । ଆମ ସ୍ୱେଚ୍ଛାସେବୀ ସଂଗଠନମାନେ ବି ସବୁ ବୁଝି ଯାଇଥିବା ପରି ଅଥବା ଆଦୌ କିଛି ବୁଝିବାର କୌଣସି ପ୍ରୟୋଜନ ଆଦୌ ନାହିଁ ବୋଲି ଉପଲବ୍ଧି କରି ସହାୟକର ଭୂମିକାଟିକୁ ଗ୍ରହଣ କରି ନେଇଛନ୍ତି ।

 

ଏବଂ ତଥାପି ଏଥିରେ ଆଦୌ କୌଣସି ସନ୍ଦେହ ନାହିଁ ଯେ ଉପସ୍ଥିତ ଅନ୍ଧାରଗୁଡ଼ିକୁ ଦୂର କରିବାକୁ ହେଲେ ବିକଳ୍ପମାନେ ହିଁ ଆଗକୁ ବାହାରିବେ । ସେମାନେ ଅନ୍ୟ ଏକ ବାଟ ରହିଛି ବୋଲି ଅବଶ୍ୟ କହିବେ ଏବଂ କ୍ଷମତାସୀନ ପଟଟା ଆଚରିବାରେ ଲାଗିଥିବା ଦୁର୍ବୁଦ୍ଧିଗୁଡ଼ିକୁ ଦୁର୍ବୁଦ୍ଧି ବୋଲି କହିବେ । ସମଗ୍ର ବିଶ୍ୱସ୍ତରରେ ଏହି କଥାଟି କ୍ରମେ ଅଧିକ ସ୍ପଷ୍ଟ ହୋଇ ଆସୁଛି ତଥା ସେହି ବାଟଟିରେ ଯେ ପରିତ୍ରାଣର ଯଥାର୍ଥ ସମ୍ଭାବନାଗୁଡ଼ିକ ରହିଛି, ସେହି କଥାଟି ସ୍ପଷ୍ଟ ହୋଇଯାଉଛି । ପୁରାତନଟାକୁ ନୂତନ ଚୁନୌତି ହିଁ ଦେବ । ବାଟ ଓଗାଳି ଛିଡ଼ାହେବ । ପ୍ରତିବାଦ ଏବଂ ପ୍ରତିରୋଧ କରିବ । ଏକ ବିକଳ୍ପ ରାଜନୀତିଦ୍ୱାରା ହିଁ ବର୍ତ୍ତମାନର ଯାବତୀୟ ମାର୍କାର ରାଜନୀତିର ଆଣ୍ଟପଣଗୁଡ଼ାକର ସାମନା କରିବାକୁ ହେବ । ଶୋଷଣର ବହୁ ସ୍ଵାର୍ଥଜଡ଼ିତ ଫିସାଦକୁ ମଧ୍ୟ ସେହି ବିକଳ୍ପ ଚୁନୌତି ଦେବ । ବୋମାର ବିକଳ୍ପ ହିସାବରେ ବୋମା ଯେ କୌଣସି ସମାଧାନ କରି ପାରିବ ନାହିଁ, ଯେତେ ମିଛ ବୋଲି ମନେ ହେଉଥିଲେ ମଧ୍ୟ ତାହାହିଁ ହୁଏତ ଏକମାତ୍ର ବିକଳ୍ପ ହୋଇ ଛିଡ଼ା ହୋଇପାରିବ । ପୃଥିବୀର କୋଧା ଓ କୁଜି ସରକାରମାନେ ଯେ ଯୁଦ୍ଧ, ବାବତକୁ ଲୋକମାନଙ୍କ ସ୍ୱାସ୍ଥ୍ୟ ତଥା ଶିକ୍ଷା ବାବତର ଖର୍ଚ୍ଚ ଅପେକ୍ଷା ପ୍ରାୟ ଅଭାବନୀୟ ଭାବରେ ବହୁଗୁଣ ବ୍ୟୟ କରୁଛନ୍ତି, କେବଳ ବିକଳ୍ପମାନେ ହିଁ ଦେଶ ଦେଶ ଅନୁସାରେ ସରକାରମାନେ ଖଞ୍ଜି ରଖିଥିବା ମିଛ ମାନଗୁଡ଼ାକୁ ସିଧା ଛିଡ଼ା ହୋଇ ତୁଚ୍ଛା ଫମ୍ଫା ବୋଲି କହିପାରିବେ । ସେମାନେ ସତ୍ୟର ଆଗ୍ରହକୁ ହିଁ ସର୍ବପ୍ରଧାନ ବୋଲି ଘୋଷଣା କରିବେ ଏବଂ ଧୋକାଗୁଡ଼ାକୁ ଧୋକା ବୋଲି କହିପାରିବେ । ଖାଲି ସଭାରେ କହିଲେ କ’ଣ ଏତେଯାଏ ଯାଇପାରିବେ ? ଖାଲି ବହିରେ ଲେଖି ପକାଇଲେ କ’ଣ ପୁରଣା ଦୌରାତ୍ମ୍ୟଗୁଡ଼ାକୁ ସେମାନେ ରୋକି ପାରିବେ ? ଅର୍ଥାତ୍, ସମ୍ପୃକ୍ତ ଜନଗଣଙ୍କର ବହୁ ସଂସ୍କାର ତଥା ଅର୍ଦ୍ଧପ୍ରତ୍ୟୟଦ୍ୱାରା ଜଡ଼ ହୋଇ ରହି ଆସିଥିବା ଚିତ୍ତବୃତ୍ତିଗୁଡ଼ିକୁ ଦୋହଲାଇ ଦେଇ ପାରିବେ ଏବଂ ଆଗକୁ ବାଟ ଫିଟାଇ ଦେବେ ?

 

ତେଣୁ, ବିକଳ୍ପ ବିଚାର ଏବଂ ବିକଳ୍ପ ବିଷୟରେ ଦିଆଯାଉଥିବା ଯାବତୀୟ ପ୍ରବଚନର ପଛରେ ଏକ ବିକଳ୍ପ ନିଷ୍ପତ୍ତି ରହିଥିବା ଆବଶ୍ୟକ । ତେବେଯାଇ ଏହି କ୍ଷେତ୍ରରେ ସମସ୍ତ ପ୍ରକ୍ରିୟାଟି ହୁଏତ ସୁସ୍ଥ ହୋଇପାରିବ । ଆମକୁ ସୁସ୍ଥ ରଖିପାରିବ ତଥା ଆମଦ୍ଵାରା ଏହି ପୃଥିବୀ ମଧ୍ୟ ଅଧିକ ସୁସ୍ଥ ହେବାର ବାଟଗୁଡ଼ିକୁ ହୁଏତ ପ୍ରତ୍ୟୟର ସହିତ ଆଦରି ନେଇପାରିବ । ପୁନଶ୍ଚ, ବରଂ ଓଲଟା କଥାଟା ହିଁ ହୁଏତ ଅଧିକ ସଂଗତି ସହିତ କୁହାଯାଇ ପାରିବ; ଆଗ ବିକଳ୍ପ ଜୀବନଟିଏ ବଞ୍ଚିବାର ନିଷ୍ପତ୍ତିଟିଏ ଗ୍ରହଣ କରିବାକୁ ପଡ଼ିବ । ଆହୁରି ଅଧିକ ମହତ୍ତ୍ୱପୂର୍ଣ୍ଣ କଥା ହେଉଛି, କାହାରି ଦ୍ୱାରା ବାଧ୍ୟ ହୋଇ ନୁହେଁ, ଏପରିକି ସମସ୍ତେ ଏହି ବାଟରେ ଗଲେ ସମଗ୍ର ପୃଥିବୀର ଉଦ୍ଧାର ହେବ ଓ ତେଣୁ ମୁଁ ମଧ୍ୟ ଏହିପରି ମାର୍ଗଟିଏ ଗ୍ରହଣ କରିବି ବୋଲି କୌଣସି ନୈତିକତା ପ୍ରେରିତ ଗରୁଭାବଦ୍ଵାରା ପ୍ରେରିତ ହୋଇ ମଧ୍ୟ ନୁହେଁ, ସମ୍ପୂର୍ଣ୍ଣ ଭାବରେ ଏକ ସ୍ୱତଃପ୍ରବୃତ୍ତ ଖୁସିରେ ହିଁ ବିକଳ୍ପ ଜୀବନଟିଏ ବଞ୍ଚିବାର ନିଷ୍ପତ୍ତି ନେଇ ତଦନୁରୂପ ଭାବରେ ଆପଣାକୁ ସମ୍ମତ କରିନେବାକୁ ଅର୍ଥାତ୍ ସଜାଡ଼ି ନେବାକୁ ପଡ଼ିବ । ଅର୍ଥାତ୍ ବାହାରେ କୌଣସି ଯୂଥ ସହିତ ସାମିଲ ହୋଇ ବିପ୍ଳବ କରିବାକୁ ବାହାରିବା ପୂର୍ବରୁ ଏକ ପର୍ସନାଲ୍ ରିଭଲ୍ୟୁସନ୍ ସମ୍ଭବ କରିବାକୁ ପଡ଼ିବ । ବ୍ୟକ୍ତିଗତ ଜୀବନରେ ସେହି ପୁରୁଣା ବେକାରିଗିରିମାନ ଚାଲିଥିବା ପର୍ଯ୍ୟନ୍ତ ବିକଳ୍ପର ଗୁଣଗାନ କରି ଓ ତାହାକୁ ପ୍ରାୟ ଏକ ରାଜନୀତିକ ସ୍ଳୋଗାନର ଆଡ଼ମ୍ବରମୟ ବହପପଣ କରି ବାହାରିବାଦ୍ଵାରା ଆମ ପୃଥିବୀଟିକୁ କେବଳ ଭଳିଭଳି ଗଉଁତିଆପଣର ଅତ୍ୟାଚାର ସହ୍ୟ କରିବାକୁ ପଡ଼ୁଥିବ ସିନା, ମାତ୍ର ଆମ ଦାରିଦ୍ର୍ୟଗୁଡ଼ାକ କେବେହେଲେ ଯିବ ନାହିଁ । ଆପେ ପୃଥିବୀର ସର୍ବଦର୍ପମଣ୍ଡିତ ସନ୍ତ୍ରାସବାଦୀ ହୋଇ ସାନ ଓ ଅବରମାନଙ୍କୁ ସନ୍ତ୍ରାସବାଦ ପରିହାର କର ବୋଲି କହି ଧମକ ଦେଉଥିବା ଏବର ବୃକୋଦରମାନଙ୍କ ପରି ଆମେ ନିଜେ ହିଁ ତାହା ଫଳରେ ପୃଥିବୀରେ ହାସ୍ୟାସ୍ପଦ ହେବାରେ ଲାଗିଥିବା । ତେଣୁ, ବିକଳ୍ପର ପ୍ରବକ୍ତାମାନେ ନିଜ ଜୀବନଟିକୁ ମଧ୍ୟ ନିଜର ପଇତାଟା ଅନୁସାରେ ଦୀକ୍ଷିତ କରାଇ ନେବାର ସେହି ଅନ୍ୟ ପ୍ରୟାସଟିକୁ ଅବଶ୍ୟ କରିବେ । ନହେଲେ କଳ୍ପ ପରେ କଳ୍ପ ବିତିଯିବ ସିନା, ମାତ୍ର ଆମର ସବୁଯାକ ବ୍ୟାକୁଳତା ପ୍ରଧାନତଃ ବହିଗୁଡ଼ାକର ଏକ ବିଳାସ ହୋଇ ରହିବାଟା ହିଁ ସାର ହେବ ।

 

ଆଗେ ଯେଉଁମାନେ ସଂସାରରୁ ବାହାରିଯାଇ ଆଶ୍ରମମାନ ତିଆରି କରି ଋଷି ହୋଇ ରହୁଥିଲେ, ସେମାନେ ମଧ୍ୟ ଏକପ୍ରକାର ବିକଳ୍ପ ରୂପେ ହିଁ ଆମକୁ ଅନେକ ସମୟରେ ନିଶ୍ଚୟ ମନେ ହେଉଥିବେ । ଏଥିରେ କୌଣସି ସନ୍ଦେହ ନାହିଁ ଯେ ଆମର ଏହି ପୃଥିବୀନାମକ ଜୀବନମେଳଟା ଭିତରେ କେତେ ନା କେତେ ଅପୂର୍ଣ୍ଣତା ରହିଛି, ବହୁ ନିତ୍ୟ ଅସନ୍ତୋଷର କାରଣ ହୋଇଛି ଏବଂ ତେଣୁ ରୁଷି କରି ଆଉ କେଣେ ପଳାଇଯିବା ନିମନ୍ତେ ସର୍ବଦା ପ୍ରଲୋଭିତ କରିଛି । ଯଦି ସତକୁସତ ଅପୂର୍ଣ୍ଣତା ନଥାନ୍ତା, ଅନ୍ୟ ସମ୍ଭାବନା ନଥାନ୍ତା, ତେବେ ଆଜି ରାତିଟା ଆଉ କାହିଁକି ବା ପାହାନ୍ତା ଓ କାଲି ଉଦୟ ହେଉଥିବା ସମୟରେ ଏହି ପୁରୁଣା ସୂର୍ଯ୍ୟଟା ମଧ୍ୟ କାହିଁକି ତଥାପି ନୂଆ ଭଳି ଦେଖା ଯାଉଥାନ୍ତା ? ତଥାପି ଋଷିମାନେ ପ୍ରାୟ ଆତ୍ମବିତାଡ଼ିତ ହେଲାଭଳି ଏଠୁ ଛାଡ଼ି ଖୁବ୍‌ ଚାଲି ଯାଇଛନ୍ତି । ଏହିପରି ବିକଳ୍ପ ବନିଥିବା କତିପୟ ବ୍ୟକ୍ତି କେଉଁଠି ଶିଖର ଆଦରି ବସିଛନ୍ତି,–ଆଶ୍ରମବାସ କରୁଛନ୍ତି, ଏକଃ ତରତି ଦୁର୍ଗାଣି ବୋଲି ଉଚ୍ଚାରଣ କରୁଛନ୍ତି । ଏ ଯୁଗରେ ମଧ୍ୟ ଥୋକେ ମଣିଷ ଏହି ସଂସାର ଭିତରେ ରହିଛନ୍ତି ସତ ତଥାପି ଋଷିଙ୍କ ଭଳି ଅଲଗା ଜୀବନମାନ ଯାପନ କରୁଛନ୍ତି ଏବଂ ଆପଣାକୁ ସେହି ଅଳଙ୍କାରରେ ଅନନ୍ୟ ବୋଲି କଳ୍ପନା କରୁଛନ୍ତି । ସେମାନେ ତଥାପି ସଂସାରର ଉଦ୍ଧାର ନିମନ୍ତେ ପରାମର୍ଶ ବି ଦେଉଛନ୍ତି । ସୁଖ ଏବଂ ଶ୍ରେୟର ସନ୍ଧାନ କରି ପୃଥିବୀଠାରୁ ଅଲଗା ହୋଇ ରହିଛନ୍ତି । ଅଲଗା ହୋଇ ରହିବାକୁ ସୁଖ ତଥା ଶ୍ରେୟର ସୁନିଶ୍ଚିତତମ ମାର୍ଗ ବୋଲି ଭାବି ସେମାନେ ଏଭଳି କରିଛନ୍ତି କି ? ଅଲଗା ହୋଇ ରହି ସଂସାରଉଦ୍ଧାର ନିମନ୍ତେ ବହୁବିଧ ପରାମର୍ଶ ଦେଇଛନ୍ତି । ନେତା ହୋଇଛନ୍ତି, ଗୁରୁ ହୋଇଛନ୍ତି । ଏହିପରି କେବଳ ସେହିମାନଙ୍କର ଆଖି ରହିଛି ବୋଲି ଧରି ନେଇଥିବା ବିକଳ୍ପମାନେ ପୃଥିବୀର ଏହି ସମତଳରେ ରହିଥିବା ମଣିଷମାନଙ୍କୁ ଅନ୍ଧପ୍ରାୟ ଭାବୁଛନ୍ତି । ଅସଲ ବିକଳ୍ପ ପ୍ରକୃତରେ ସଂସାରରେ ହିଁ ରହିବ । ସଂସାରଟାର ଅଧିକରୁ ଅଧିକ ନିକଟବର୍ତ୍ତୀ ହୋଇପାରିବା ଲାଗି ସେ ନିଜର ପ୍ରାୟ ଏକ ଧର୍ମବତ୍ ଓହ୍ଲାଇ ଆସି ପାରୁଥିବ । ଆପଣାକୁ ଏକ ଅସ୍ପୃଶ୍ୟ ବ୍ରାହ୍ମଣ କରି ରଖିବାର ମନ୍ଦ ମତିକୁ ପରିହାର କରିବ ।

 

ବିକଳ୍ପ, ଅସଲ ଅର୍ଥାତ୍ ନିଷ୍ଠାପର ବିକଳ୍ପଟିଏ ଅନ୍ୟ ବିକଳ୍ପମାନଙ୍କୁ ମଧ୍ୟ ଖୋଜୁଥିବ । ବିକଳ୍ପମାନଙ୍କର କାହାଣୀଟାରେ ଭାରତବର୍ଷରେ ଏବେ ମଧ୍ୟ ଗୋଟିଏ ଏପରି ଅସାଧ୍ୟ-ପ୍ରାୟ ରୋଗ ରହିଯାଇଛି ଯେ ସେମାନେ ଅନ୍ୟ ବିକଳ୍ପମାନଙ୍କ ପାଖରେ ଭାରି କାତର ହୋଇ ରହିଛନ୍ତି । ସେମାନେ ଗୋଷ୍ଠୀଟିଏ ବାନ୍ଧି ପାରୁନାହାନ୍ତି । ନିଜର ବ୍ୟକ୍ତିଅହଂଟା ସହିତ ପ୍ରାୟ ଏକ ଅନମନୀୟତା ସହିତ ବାନ୍ଧି ହୋଇ ରହିଛନ୍ତି । ପାର୍ଥକ୍ୟ ସହି ପାରୁନାହାନ୍ତି । ଯିଏ ମୋ କଥାଟାକୁ ମାନିନେବ ମୁଁ ତାହାକୁ ହିଁ ମୋର ସାଙ୍ଗ ଓ ସାଥୀରୂପେ ମାନିନେଇ ପାରିବି ବୋଲି ଜିଦ୍ ଧରି ବସିଛନ୍ତି । ଅସଲ ସୁସ୍ଥ ମଣିଷଟିଏ ଅନ୍ୟମାନଙ୍କୁ ସହି ଜାଣେ । ବାର ପ୍ରକାରର ପାର୍ଥକ୍ୟ ରହିଥିଲେ ମଧ୍ୟ ସହି ଜାଣେ । ଖୁସି ହୋଇ ସତେଅବା କିଛି ପାର୍ଥକ୍ୟ ରହିଛି ବୋଲି ଜାଣିବାରୁ ହିଁ ତା’ପ୍ରତି ଏକ ବିଶେଷ ଆକର୍ଷଣ ବି ଅନୁଭବ କରୁଥାଏ । ଅନ୍ଧ ଅନୁଗାମୀମାନଙ୍କର ଗହଣରେ କେବଳ ନିଜ ପାଇଁ ନୁହେଁ, ପୃଥିବୀ ପାଇଁ ମଧ୍ୟ ପ୍ରମାଦ ଗଣେ । ଭିତରେ ହୁଏତ କ’ଣ ଗୋଟାଏ ନିତାନ୍ତ ଅକଳ ଏବଂ ଅସାଧ୍ୟ ହୋଇ ରହିଥାଏ ବୋଲି ବିକଳ୍ପମାନେ ପରସ୍ପର ପ୍ରତି ଏପରି ଅସହିଷ୍ଣୁତାର ଅନାଚରଣ ଦେଖାଉଥାନ୍ତି କି ? ଯେଉଁ ଯୁଗଟି ଆସୁଛି, ସେଥିରେ ଗୋଷ୍ଠୀ ଭିତରେ ଅନ୍ତର୍ଭୁକ୍ତ ରହି ହିଁ ବ୍ୟକ୍ତିଜୀବନର ଯାବତୀୟ ପ୍ରୟାସ ପରିପୂର୍ଣ୍ଣତା ଲାଭ କରିବ । ବାଧ୍ୟ କରିବା ଅପେକ୍ଷା ବୁଝିବାଟା ହିଁ ପ୍ରଧାନତମ ରଜ୍ଜୁ ହୋଇ ରହିବ । ଋଷିମାନେ ଶିଖର ଉପରୁ ଓହ୍ଲାଇ ଆସିବେ ଏବଂ ଖୁସି ହୋଇ ପରସ୍ପରକୁ ଠାବ କରିବେ । କାତରତା କମିବ, ମିତ୍ରତା ବଢ଼ିବ । ଅହଂର ହ୍ରାସ ହେବ, ତେଣୁ ବାଦ ବାଦ ମଧ୍ୟରେ ମିଛ ବିବାଦ ଲଗାଇ ଦୂରତାଗୁଡ଼ାକଦ୍ଵାରା ହିଁ ଆପଣାର ବଡ଼ାଇଗୁଡ଼ାକୁ ଜାରି କରି ରଖିବାର ଆଉ କୌଣସି ପ୍ରୟୋଜନ ନଥିବ । ବିକଳ୍ପମାନେ ଏପର୍ଯ୍ୟନ୍ତ ମୁଖ୍ୟତଃ ଆପଣା ଆପଣାର ଦ୍ୱୀପଟି ଉପରେ ରହିଛନ୍ତି, ନିଜର ସେହି ଦୁର୍ଗଟି ଭିତରେ ନିଜକୁ ଯୁଗନିସ୍ତାରର ଏକମାତ୍ର ନିମିତ୍ତ ରୂପେ ଗ୍ରହଣ କରି ନେଇଛନ୍ତି । ତେଣୁ କ୍ରମେ ଶୁଖି ଶୁଖି ଯାଉଛନ୍ତି । ପୃଥିବୀକୁ ବହୁ ସମ୍ଭାବନାରୁ ବି ବଞ୍ଚିତ କରି ରଖିଛନ୍ତି । କାମରେ ଲାଗି ପାରୁନାହାନ୍ତି । ଏହି ଦୁର୍ଗତିଟା ଶୀଘ୍ର ହିଁ ହଟିଯାଉ ।

 

୧୩.୧୨.୦୨

Image